ନାଲି ଫ୍ରକ….

ନାଲି ଫ୍ରକ….
(Vedanti ଇ ପତ୍ରିକା ଅଗଷ୍ଟ ସଂଖ୍ୟା ରେ ପ୍ରକାଶିତ)

 

ସୁଵଳ ମହାପାତ୍ର


ଶନିବାର ସକାଳୁ ଅଫିସ ଖୋଲୁ ଖୋଲୁ ଆକାଉଣ୍ଟ ସେକ୍ସନ ପାଖକୁ ଆସି ଖୁଜୁରୁ ବୁଜୁରୁ ହେଲା ରଥୀଆ।

ଚିନ୍ମୟୀ ଦେବୀଙ୍କ ଅଫିସ ର ପିଅନ ସେ। ଚିନ୍ମୟୀ ଦେବୀ ସେ ଅଫିସ ର ଆକାଉଣ୍ଟାଣ୍ଟ। ଦି ଜଣଙ୍କ ଘର ଆଖ ପାଖ ଗାଁ ରେ କିନ୍ତୁ ଅଫିସ ଟି ଭୁବନେଶ୍ବର ରେ। ଚିନ୍ମୟୀ ଦେବୀ ଅବିବାହିତା। ବୟସ ପାଖାପାଖି ଚାଳିଶ ହେବ। ଛୋଟ ବେଳୁ ବାହାହେବାକୁ କେମିତି ଗୋଟେ ଅଲଗା ଦୃଷ୍ଟି ରେ ଦେଖନ୍ତି ସେ। ଘରର ବଡ ଝିଅ ହେଲେ ବି, ସାନ ଭାଇ ଦୁଇଜଣଙ୍କୁ ପାଠ ପଢେଇ ବାହା ସାହା କରି, ଏବେ ନିଜେ ଜଣେ ଏକା ଏକା କର୍ମଜୀବୀ ମହିଳା ହିସାବରେ ଜୀବନ ବଞ୍ଚୁଛନ୍ତି। ଗାଁ ରେ, ମା ଆଉ ଭାଇ ଭାଉଜ। ସବୁ ଶନିବାର ସନ୍ଧ୍ୟା ବସ ରେ ଗାଁ କୁ ଯାଆନ୍ତି ସେ। ସବୁବେଳେ ରଥୀଆ ବି ସାଙ୍ଗରେ ଯାଏ ସେଇ ଏକା ବସ ରେ। ଖୋଜି ଖୋଜି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ ରେ ଜାଗା ରଖି ଆସିଥାଏ ସେ ଷ୍ଟାଣ୍ଡ ରୁ ଚିନ୍ମୟୀ ଦେବୀଙ୍କ ପାଇଁ। ଏକା ବସ ରେ ଗଲେ ଆଗ ପଡେ ରଥୀଆ ର ଗାଁ ତା ପରେ ଚିନ୍ମୟୀ ଦେବୀଙ୍କ ଗାଁ, ପାଖାପାଖି ପାଞ୍ଚ ଛଅ କିଲୋମିଟର ପରେ।

ଚିନ୍ମୟୀ ଦେବୀ ରଥୀଆ କୁ ଠିଆ ହୋଇଥିବା ଦେଖି ପଚାରିଲେ, “କଣ ହେଲା କିରେ? ”
— ନାହିଁ କିଛିନାହିଁ ଦିଦି , ବୋଲି କହି ଠିଆ ହୋଇ ରହିଲା ସେ।
— କିରେ କଣ ହେଇଛି କହୁନୁ?
— ଦିଦି, ଟିକେ ଟଙ୍କା ଆଡ଼ଭାନସ ଦରକାର ଥିଲା ।
— କାହିଁକି?
— କାଲି ଝିଅ ର ଜନ୍ମ ଦିନ, ଗାଁ କୁ ଯିବି ତ, ଫ୍ରକଟିଏ ନେଇଥାନ୍ତି।
— ଏ ମାସରେ ଦରମା ପାଇନୁ କି?
— ଆଉ ଅଛି, କେବେଠୁ ସଲାଣି ନା।
— ହଉ, ବଡ଼ବାବୁ ଆସନ୍ତୁ, ସେ ବିଷୟରେ କଥା ହୋଇଯିବୁ। ଦରଖାସ୍ତ ଟିଏ ରଖିଥା।

ହଉ କହି ରଥୀଆ ଚାଲିଗଲା। ଗଲା ବେଳେ ହଜାରେ ଚିନ୍ତା ତା ମୁଣ୍ଡକୁ ପଶୁଥାଏ। ଟଙ୍କା ଚାରିହାଜର ଦରମା ତା’ର। ଘରେ ତିନି ପ୍ରାଣୀ କୁଟୁମ୍ବ। ସ୍ବାମୀ, ସ୍ତ୍ରୀ, ଝିଅ। ଏ ମାସର ଦରମା ତ ଶୀଘ୍ର ସରିଗଲା। ଭୁବନେଶ୍ବର ପରିକା ଜାଗାରେ ଟଙ୍କା ହଜାରେ ରେ ଚଳିବା କଷ୍ଟ। ବସ୍ତି ରେ ସେମାନେ ଚାରିଜଣ ଲୋକ ଏକାଠି ଗୋଟିଏ ଘରେ ମେସ କରି ରହୁଛନ୍ତି ବୋଲି ପଇସା ବାଧୁନି। ମାସକୁ ଶହେ ଘରଭଡା। ଖାଇବା ନିଜେ ଆଣି ରୋଷେଇ କରି ଖାଉଛନ୍ତି ବୋଲି ଚଳି ଯାଉଛି, ନହେଲେ ଏ ହୋଟେଲ ବାଲା ଯାହା ପଇସା ହାଙ୍କୁଛନ୍ତି ନକହିବା ଭଲ। ଘରୁ ଚାଉଳ ଗଣ୍ଡାକ ଆସୁଛି ବୋଲି ରକ୍ଷା। ନହେଲେ ଟଙ୍କା ହଜାରେ କଣ? ସେପଟେ ବାକି ପଇସା ଗାଁ କୁ ପଠେଇଲେ, ସେମାନେ ଦୁଇ ପ୍ରାଣୀ ଚଳିବେ , ଚାଷବାସ ହେବ। ଏ ମାସରେ ରଜ ପାଇଁ ଆଉ ଚାଷବାସ ପାଇଁ ପଇସା ଟିକେ ଅଧିକ ଦରକାର। ରଜ ପାଇଁ ପଇସା ତକ ପଠେଇ ଦେଇଥିଲା ଆଗରୁ । ଏବେ ଆଉ ନାହିଁ ପଇସା। କାଲି ସନ୍ଧ୍ୟାରେ ଝିଅ ଫୋନ କରିଥିଲା, “ବାପା, କାଲି ମୋ ଜନ୍ମଦିନ। ଆଜି ଆସିଲା ବେଳେ ମୋ ପାଇଁ ନୂଆ ଫ୍ରକ ଟେ ଆଣିବ” । ଚିନ୍ତା ରେ ପଡି ଯାଇଥିଲା ରଥୀଆ। ରଜ ରେ ତା ପାଇଁ ଫ୍ରକଟିଏ ବି କରି ହେଲାନି। ସେଇ ପୁରୁଣା ଫ୍ରକଟି ପିନ୍ଧି ସବୁଆଡେ ବୁଲିଲା ବିଚାରି। ଯାହା ହେଲେବି, ଏଇ ଦି ହଜାର ଟଙ୍କା ରୁ ତା ପାଇଁ ଫ୍ରକ ଟିଏ ନେଇକି ଯିବାକୁ ପଡ଼ିବ। ନାଲି ଫ୍ରକ ତା’ର ଭାରି ପସନ୍ଦ, ଦେଖିଲେ ଭାରି ଖୁସି ହୋଇଯିବ। କିନ୍ତୁ ପଇସା କାଇଁ? ଆଡ଼ଭାନ୍ସ ନେଲେ ଅବା ଆରମାସରେ କଟିବ ଦରମା ରୁ। କଟୁ ପଛେ, ପଇସା ତ ଏବେ ଦରକାର। ନାଲି ଫ୍ରକ ପିନ୍ଧି ଝିଅ ର ହସ ହସ ମୁହଁଟି ଦିଶିଯିବାରୁ ଖୁବ ଖୁସି ହୋଇଗଲା ସେ। ଏପଟେ ପଇସା ନିଅଣ୍ଟ କୁ ସେପଟେ ଚାଷ ପାଇଁ ବିହନ ବି ଆଣିବାକୁ ପଡିବ। ନହେଲେ ବର୍ଷ ସାରା ଖାଇବେ କଣ? ହଉ, ବାବୁ ଆସନ୍ତୁ, ଦେଖିବା।

ପଇସା ଦେବେ କି ନଦେବେ ଏହି ଆଶଙ୍କାରେ ବାବୁ ଆସିବାର ଅଧଘଣ୍ଟେ ପୂର୍ବରୁ ତାଙ୍କ କେବିନ ଆଗରେ ଠିଆ ହୋଇଥାଏ ରଥୀଆ। ବାବୁ ଆସିଲେ, ନଦେଖିଲା ପରି କେବିନ ଭିତରକୁ ଚାଲିଗଲେ। କିଛି ସମୟ ପରେ ରଥୀଆ କୁ ଡାକିଲେ କେବିନ ଭିତରକୁ। ରଥୀଆ ପଶୁ ପଶୁ ଆରମ୍ଭ ହୋଇଗଲା ଗାଳି , “କଣ ଭାବିଛ ତୁମେମାନେ? ଏଠି ପଇସା ଗଛ ଲାଗିଛି? ଯିଏ ଯେତେବେଳେ ଆସିଲା ମୁଁ ତୋଳି କି ଦେଇଦେବି? ପଇସା ତ କମ୍ପାନୀ ରେ ନାହିଁ, ତୁମକୁ କୁଆଡୁ ଦେଵ? ଯା ଆଉଦିନେ ଆସିବୁନି ପଇସା ପାଇଁ। ମାସ ଶେଷହେଲେ ଦରମା ମିଳିଯିବ। ” କାନ୍ଦୁଣୁ ମାନ୍ଦୁଣୁ ହୋଇ ନେହୁରା ହେଲେ ବି ଶୁଣି ନଥିଲେ ବଡବାବୁ। ଯା ଏଠୁ, ବୋଲି କହି ହାତଦେଖେଇ ଏକ ରକମ ଅଫିସ ଭିତରୁ ବାହାର କରିଦେଲେ। ଆଖି ପୋଛି ପୋଛି ବାହାରକୁ ଆସିଲା ସେ ।

ରଥୀଆ ବାହାରୁ ବାହାରୁ ଦେଖାହେଲେ ଚିନ୍ମୟୀ ଦିଦି। ପଚାରିଲେ, “କଣ ହେଲା”? ରଥୀଆ କଣ କହିବ ଭାବୁ ଭାବୁ ପାଟିରୁ ବାହାରି ଗଲା ,”ହଁ, କହିଛନ୍ତି ଦେବେ ବୋଲି କିନ୍ତୁ ଟିକେ ଲେଟ ହେବ”।

ସନ୍ଧ୍ୟା ରେ ଗାଁ ବସ ରେ ଚଢ଼ିଲାବେଳକୁ ସବୁଥର ପରି ଏଥର ବି ସିଟ ନେଇକି ଆସିଥିଲା ରଥୀଆ । ହସ ହସ ମୁହଁରେ ସିଟ ଉପରୁ ରୁମାଲ ଖଣ୍ଡିକ ଉଠେଇଦେଲା ସେ। ଚିନ୍ମୟୀ ଦେବୀ ସିଟରେ ବସିଲେ। ରଥୀଆ ଆଡକୁ ଚାହିଁ ହସିଦେଲେ। ମନେ ମନେ ଧନ୍ୟବାଦଟିଏ ଦେଲେ।ରଥୀଆ ଅଛି ବୋଲି ସିନା ଏ ଗାଁ ବସ ରେ ସେ ସିଟ ଖଣ୍ଡିକ ପାଉଛନ୍ତି। ନହେଲେ ଗାଁ ବସ ଯେଉଁ ଭିଡ, ଭୁବନେଶ୍ବର ରୁ ବାହାରିଲା ପରେ ଭିତରେ ତ ଛାଡ଼, ବସ ଉପରେ ବସିବାକୁ ଜାଗା ନଥାଏ। ଲୋକମାନେ ପଛ ରଡ଼ ଧରି ଏକରକମ ଓହଳି କି ଯାଆନ୍ତି। ଭିଡ ଭିତରେ ଠିଆ ହୋଇଥିବା ମହିଳାଙ୍କ କଥା ନକହିବା ଭଲ। ଜାଗା ଅଜାଗା ରେ ଲୋକ ଜାଣି ଜାଣି ବାଡେଇ ହୁଅନ୍ତି । ବେଳେବେଳେ କଣ୍ଡକ୍ଟର ବି ଆଗକୁ ପଛକୁ ଯିବା ବାହାନାରେ ଘଷି ହୁଏ। ସିଟ ରେ ବସି ସବୁ ଦେଖନ୍ତି ସେ। କିନ୍ତୁ ଠିଆହେବା ଲୋକର ବି ମୁହଁ ଖୋଲିବାକୁ ଯୁ ନଥାଏ, ସେ କଣ କହିବେ। କହିଲେ ବି ଶୁଣିବ କିଏ? ଭିଡ ର ଦ୍ବାହି ଦେଇ ସବୁ ଖସିଯିବେ। ଏମାନେ ବି କରିବେ କଣ। ଗାଁକୁ ତ ସନ୍ଧ୍ୟା ରେ ଗୋଟିଏ ବସ, ନ ଆସି ଆଉ ଚାରା ଅଛି? ରଥୀଆଟି ଅଛି ବୋଲି ସିନା। ନହେଲେ ସେ ବି ତ ଏମିତି ହଇରାଣ ହୁଅନ୍ତେ। ଆଜିକାଲି ଦିନ କାଳ ଯାହା, ଆଉ କିଛି ନହେବ ବୋଲି କିଏ କହିବ?

ଗାଁ ପାଖ ହେଲାରୁ “ଦିଦି ଆସୁଛି”କହି ଓଲ୍ଲେହି ଗଲା ରଥୀଆ। ମନରେ ଦୁଃଖ ଆଉ ଚିନ୍ତା ମାଡି ବସିଲେ ତାକୁ। ଝିଅ କୁ କଣ କହି ବୁଝେଇବ? ଛଅ ବର୍ଷର ଝିଅ କଣ ବୁଝିବ ବାପର ଅସହାୟତା କୁ? ଚିନ୍ତା ସହ ନିଜକୁ ଧିକ୍କାର କରୁଥାଏ ସେ। ଝିଅ କେବେ କିଛି କହେନି, ଆଜି ପାଟିଖୋଲି ଫ୍ରକ ଟିଏ ପାଇଁ କହିଥିଲା। ସେତିକି ବି ଦେବା ଅବସ୍ଥା ରେ ନାହିଁ ସେ। ଧିକ ତା ବାପା ପଣିଆଁ କୁ। ଆଖିରେ ଆଖିଏ ଲୁହ ନେଇ ଗାଁ ମୁଣ୍ଡ ଚଉତରା ଉପରେ ବସି ରହିଲା ସେ। ଝିଅ ଶୋଇ ପଡିଲେ ଘରକୁ ଯିବ। ନହେଲେ ଝିଅ ରଖେଇ ବସେଇ ଦେବନି। କଣ କହିବ ସେ? ବାପା ପାଖରେ ପଇସା ନାହିଁ ବୋଲି ଫ୍ରକ ଟିଏ ବି ଆଣି ପାରିଲାନି। ଏକ ନମ୍ବର ହାଟ ରେ କେତେ ପଡ଼ିଥାନ୍ତା ଫ୍ରକ ଟିଏ? ଟଙ୍କା ଶହେ କି ଦେଢ଼ଶହ କିନ୍ତୁ ସେତିକି ଦେବାର ସାମର୍ଥ୍ୟ ନାହିଁ ତାର। ଛି….

ରାତି ନଅଟା ପରେ ଆସ୍ତେ ଆସ୍ତେ ଘରମୁହାଁ ହେଲା। ସ୍ତ୍ରୀ ନୀଳ, ଦାଣ୍ଡ ରୁ ବାଡ଼ି , ବାଡ଼ି ରୁ ଦାଣ୍ଡ ହେଉଥାଏ। ଗେରସ୍ତ ଆଜି ଆସିବ କି ନାହିଁ ଜାଣିପାରୁ ନଥାଏ ସେ। ରଥୀଆ କୁ ସେ ଚାହିଁବସେ ସବୁ ଶନିବାର। ରଥୀଆ ବେଳେ ବେଳେ ଆସେନି। ଅଧିକ ରାତି ହେଲେ ଜାଣେ ଯେ ଗେରସ୍ତ ଆଉ ଆସିବନି। କିନ୍ତୁ ଝିଅ ଫୋନ କରିଥିଲା ମାନେ ଆସିବେ ତ ନିଶ୍ଚିତ। ଏବେ ଯାଏଁ ପହଞ୍ଚି ନାହାନ୍ତି। ବାଟରେ କିଛି ଅସୁବିଧା ହେଲାକି? ମନରେ ପାପ ଛୁଉଁଥାଏ ତାର। ମଝିରେ ମଝିରେ ସେ ଜିଭ କାମୁଡି ଦେଉଥାଏ। ଦାଣ୍ଡରେ ରଥୀଆ କୁ ଦେଖି ଜୀବନ ପଶିଲା ତା’ର। ଏତେ ରାତିଯାଏଁ କେଉଁଠି ଥିଲ ବୋଲି ପଚାରୁ ପଚାରୁ ତା ପାଟିରେ ହାତ ଦେଇଦେଲା ରଥୀଆ। ରହ, ଝିଅ ଉଠି ପଡ଼ିବ। ୟାଡେ ଆ।

ରାତିରେ ଭାତ କଂସା ପାଖରେ ବସିଲା ବେଳକୁ ଖାଉ ଖାଉ ଆଖିରୁ ଲୁହ ବୋହିଯାଉଥାଏ ତା’ର। କଣ ହୋଇଛି ବୋଲି ନୀଳ ପଚାରିଲା। କିଛିନାହିଁ କହି, ଅଧାଖିଆ ରୁ ଉଠିଗଲା ସେ। ଦୁଆର ମଝିରେ ପଡିଥିବା ଦଉଡି଼ଆ ଖଟରେ ଗଡୁ ଗଡୁ, ସାଇକେଲଟି ଉପରେ ନଜର ପଡିଲା । ସକାଳୁ ସକାଳୁ ପଧାନଘରେ ସାଇକେଲ ବନ୍ଧାଦେଇ ପଇସା ଆଣିବ ବୋଲି ମନେ ମନେ ଠିକ କଲା ସେ। କିନ୍ତୁ ସାଇକେଲ ନଥିଲେ ସେ ଚଳିବ କେମିତି? କିନ୍ତୁ ନା, ଆଉ କିଛି ବୁଦ୍ଧି ଦେଖାଯାଉ ନଥିଲା ତାକୁ। ଯାହାଯେମିତି ଚଳି ଯିବ ପଛେ, ଆଗ ଝିଅ ପାଇଁ ଫ୍ରକ ଆଣିବ। ଭାବି ଭାବି ଶୋଇ ପଡ଼ିଲା ସେ।

ବଡିଭୋର ରୁ ହଳ ନେଇ ବିଲକୁ ଗଲା। ସଅଳ ଫେରିଲେ ପୁଣି ସାଇକେଲ ବନ୍ଧା ଦବ, ପଇସା ଆଣି ବଜାରକୁ ଯାଇ, ଝିଅ ପାଇଁ ଫ୍ରକ ଆଣିବ ବୋଲି ମନେରଖି ଶୀଘ୍ର ଶୀଘ୍ର କାମ ସାରି ହଳ ବଳଦ ଧରି ବିଲରୁ ଫେରିଲା ସେ। ଛକ ପାଖରୁ ଦେଖିପାରୁଥିଲା, ଝିଅ ତାର ନାଲି ଫ୍ରକ ଟିଏ ପିନ୍ଧି ଡେଇଁ ଡେଇଁ ଘର ଆଗରେ ଖେଳୁଥିଲା। ଆଖି ଜାଲୁଜାଲୁଆ ହେଇ ଆସିଲା ତା’ର। ଆଖି ପୋଛି ପୁଣି ଥରେ ଚାହିଁଲା ସେ। ସତରେ ଝିଅ ତା’ର ନାଲି ଫ୍ରକ ଟିଏ ପିନ୍ଧିଥିଲା। ବହୁତ ସୁନ୍ଦର ଦେଖାଯାଉଥିଲା। ହାତରେ ବଡ ଚକଲେଟ ଟିଏ ଧରିଥାଏ ସେ। ଘର ବାରଣ୍ଡା ରେ ଚିନ୍ମୟୀ ଦିଦିଙ୍କୁ ଦେଖି ଆଉ ବୁଝିବାକୁ ବାକି ନଥିଲା ଯେ, ଫ୍ରକ ଟି ଦିଦି ଆଣିଥିବେ ବୋଲି। ମନେ ମନେ ଠାକୁର ଙ୍କୁ ଶହେ, ଦିଦିଙ୍କୁ ଦୁଇଶହ ମୁଣ୍ଡିଆ ମାରି ପକେଇଲା ସେ। ପାଖକୁ ଆସୁ ଆସୁ ପଚାରିଲା, “ଦିଦି ଇଆଡ଼େ କୁଆଡେ?”
-ଏଇ ପାଖରେ ଗୋଟିଏ ସାଙ୍ଗ ର ଘର, ସେ ବାହାରେ ରହେ। ଏବେ ଗାଁ କୁ ଆସିଛି ତ, ତାକୁ ଦେଖା କରିବାକୁ ଆସିଥିଲି।

ଗଲାବେଳେ ଚିନ୍ମୟୀ ଦିଦି, ତା ହାତରେ ପାଞ୍ଚ ଶହ ଟଙ୍କିଆ ନୋଟ ଚାରିଖଣ୍ଡ ଗୁଞ୍ଜିଦେଇ ସାନଭାଇ ର ସ୍କୁଟର ପଛରେ ବସୁ ବସୁ କହିଲେ, “ସୁବିଧା ହେଲେ ଫେରେଇବୁ, ଏବେ ରଖ। ଇଆଡ଼େ ଆସିଥିଲି ତ ଝିଅ ର ଜନ୍ମଦିନ ବୋଲି କହୁଥିଲୁ, ସେଥିପାଇଁ ତା ପାଇଁ ଏ ଫ୍ରକ ଟି ଆଣିଥିଲି। ହଉ, ମୁଁ ଯାଏ।”

ମୁହଁର ହାଵଭାବରୁ ସେ ଠିକ ଠଉରେଇ ପାରୁଥିଲା ଯେ ଦିଦି ମିଛ କହୁଛନ୍ତି। ସାଙ୍ଗ ପାଖକୁ ନୁହେଁ, ସେ ଝିଅ ପାଇଁ ଫ୍ରକ ଓ ପଇସା ଦେବାକୁ ଆସିଥିଲେ। ବୋଧହୁଏ, ଠିକ ସେମିତି ତା ମୁହଁ ର ହାବଭାବ ରୁ କାଲି ଦିଦି କିଛି ଠଉରେଇ ପାରିଥିବେ।
ଏବେ ତା ଆଖିରୁ କୃତଜ୍ଞତା ର ଲୁହ ବୋହି ଆସୁଥିଲା।

–ସମାପ୍ତ–

 

ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
ଫୋନ- 9376012500
Subal.mohapatra@gmail.com

 

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I