ଖେଳନା…

ଖେଳନା…
ସୁଵଳ ମହାପାତ୍ର

ବସଟି, ତା’ର ଚିରାଚରିତ ଢଙ୍ଗ ରେ ପେଂକାଳୀ ବଜେଇ ଯିବାର ସୂଚନା ଦେଲା। ନାଇଟ କୋଚ୍, ସ୍ଲିପର ଆଉ ସିଟର। ତଳେ ବସିବା ପାଇଁ କିଛି ସିଟ, ତା ସହ ପଛ ଆଡକୁ ଶୋଇବା ସିଟ। ଉପରେ ସବୁ ଯାକ ସ୍ଲିପର। ଯାତ୍ରୀ ସବୁ ଯିଏ ଯାହା ଜାଗାରେ ବସି ସାରିଛନ୍ତି। ଶୁକ୍ରବାର ରାତି, ବସ ରାତିରେ ରାଉରକେଲା ରୁ ବାହାରିବ ଭୁବନେଶ୍ବର। ଶନିବାର, ରବିବାର ଛୁଟି ପରେ ସୋମବାର, ମଙ୍ଗଳ ବାର ଦୁଇ ଦିନ ଛୁଟି ନେଲେ ବୁଧବାର ଅଗଷ୍ଟ ପନ୍ଦର। ଏକା ବେଳେ ପାଞ୍ଚ ଦିନ ଛୁଟି ମିଳିବାର ଲୋଭ ସମ୍ବରଣ କରି ନପାରି କିଛି ଲୋକ ବୁଲିବା ଓ କିଛି ଲୋକ ଘରକୁ ଯିବାକୁ ବ୍ୟଗ୍ର। ଛୁଆ ପିଲା ଲୋକ ବସ ରେ ଖୁନ୍ଦା ଖୁନ୍ଦି। ଜଣେ ଶୋଇବା ଜାଗାରେ ଦି ଜଣଙ୍କୁ ବସେଇ ନେଇ ଡବଲ ପଇସା ଆଶାରେ କଣ୍ଡକ୍ଟର ବି ଶୋଇବା ସିଟ ସବୁ ବସିବା ଲୋକଙ୍କୁ ଦେଇ ଖୁସ। ଆଉ ଜାଗା ନାହିଁ, ଦୁଇ ଜଣ ଶୋଇବା ପାଇଁ ସିଟ ଆଗୁଆ ବୁକ କରିଥିଲେ ବି ଏବେ ଯାଏଁ ଆସି ନଥାନ୍ତି। ସେଇ ଦୁଇଟି ଶୋଇବା ସିଟ କୁ ଛାଡି ବାକି ସବୁ ଫୁଲ ହୋଇ ସାରିଲାଣି। ଡ୍ରାଇଭର ବି ପାଞ୍ଚ, ଦଶ ଥର ପେଁକାଳି ବଜେଇ ସାରିଲାଣି। ସମୟ ରାତି ଆଠଟା ପଇଁତିରିଶ। ସାଢ଼େ ଆଠଟା ରେ ବସ ଛାଡିବା କଥା। ହଠାତ ଚାରି ଜଣ ଲୋକଙ୍କ ଆବିର୍ଭାବ ହେଲା। ହାତରେ ଲମ୍ବା ଲମ୍ବା ଗିଟାର । ଦାଢ଼ି ବାଚୁ ଛେଳି ପରିକା ଲମ୍ବିଛି, ହାଫ ଗଂଜି କୁ ହାଫ ପେଣ୍ଟ ସୁଚେଇ ଦେଉଥାଏ ଯେ ଏମାନେ ବାଜା ବାଲା। କେଉଁ ଗୋଟେ ବ୍ୟାଣ୍ଡ ପାର୍ଟି ବୋଧେ । ଝୁମ୍ପୁରା ଚୁଟି କୁ ସେଥିରେ ରିବନ ପରି ଖଣ୍ଡେ ଖଣ୍ଡେ କନା ପରି କଣ ସବୁ ବନ୍ଧା ଯାଇଥାଏ। ବସ କଣ୍ଡକ୍ଟର କୁ ସିଟ ପାଇଁ କହି ଟିକେଟ ଦୁଇଟି ବଢ଼େଇ ଦେଲେ। କଣ୍ଡକ୍ଟର ଅଧିକ ପଇସା ପାଇଁ କହି ଶୋଇବା ଜାଗାରେ ଚାରି ଜଣଙ୍କୁ ଆଡ଼ଜଷ୍ଟ କରି ବସେଇ ଦେଇ ଚାଲିଗଲା ଡ୍ରାଇଭର ପାଖକୁ, ଗାଡି ଛାଡିବା ପାଇଁ କହିବାକୁ। ଚାରିଜଣ ଯାକ ଶୋଇବା ଘର ଭିତରେ ପଶି କବାଟ କୁ ବନ୍ଦ କରିଦେଲେ। ସ୍ଲିପର କୋଚ୍ ଗୁଡିକ ଏପରି ହୋଇଥାଏ ଯେ କବାଟ ଟିକୁ ବନ୍ଦ କରିଦେଲେ, ଭିତରେ ପର୍ଶନାଲ ରୁମ ପରି ନିଜସ୍ବ। ଶୋଇବା ପାଇଁ ଦୁଇଟି ଗଦି। ଚାରିଜଣ ଯାକ ଶୋଇବା ପାଇଁ ଗୋଟେ ସ୍ଲିପର ରୁମ ଭିତରେ ପଶି ଗଲେ।

ଗାଡି ଛାଡିଲା, ଲୋକ ତ ଫୁଲ, ସବୁ ଭୁବନେଶ୍ବର ପାସେଞ୍ଜର। ବାଟରୁ କାହାକୁ ଉଠେଇବାର ଅପେକ୍ଷା ନକରି, ରାଉରକେଲା ରୁ ଭୁବନେଶ୍ୱର ଯିବାପାଇଁ ଉଦ୍ୟତ ହେଲା। ଆସ୍ତେ ଆସ୍ତେ ଗାଡି ର ଗତି ସହ ଲୋକ ସବୁ ଢୁଳେଈବାରେ ଲାଗିଲେ। କିଛି କିଛି ଶୋଇ ବି ଗଲେ। ଗାଡି ଚାଲିଥାଏ, ଭିତର ଲାଇଟ ସବୁ ବନ୍ଦ କରି ଡ୍ରାଇଭର ବି କେବିନ ଭିତର ସାଉଣ୍ଡ ବକ୍ସ ରେ ଧୀର ଭାବେ ଗୀତ ଲଗେଇ ଗୀତ ର ତାଳେ ତାଳେ ମୁଣ୍ଡ ହଲେଇ ଗାଡି ଚଳେଇବାରେ ଲାଗିଲା। କଣ୍ଡକ୍ଟର ଇଞ୍ଜିନ ଉପରେ ଥିବା ପଟା ରେ ବସି ବିଡ଼ି କଳେ ଟାଣି ହେଲପର କୁ ଆସନ୍ତା କାଲି ର କାମ ସବୁ ବିଷୟ ରେ କହିବାକୁ ଲାଗିଲା।
ଦୀର୍ଘ ଦୁଇ ଘଣ୍ଟା ର ବ୍ୟବଧାନ ପରେ ଗୋଟିଏ ଢାବା ଦେଖି ଡ୍ରାଇଭର ଗାଡି ରଖିଲା। ଲୋକଙ୍କୁ ଚା, ଜଳଖିଆ ଓ ଏକ, ଦୁଇ ଯିବାପାଇଁ ଉଠେଇ ଦେଇ ଡ୍ରାଇଭର ଓ କଣ୍ଡକ୍ଟର ନିଜେ ଖାଇବା ଲାଗି ଚାଲିଗଲେ। ଲୋକ ସବୁ ଆସ୍ତେ ଆସ୍ତେ ଓଲ୍ଲେହି ନିଜ ନିଜ ବ୍ୟବସ୍ଥା କରିବାକୁ ଲାଗିଲେ। ଏତେ ଲୋକଙ୍କ ଭିତରେ ସେ ଛୁଆଟି କିନ୍ତୁ ସନ୍ଧ୍ୟା ରୁ ଶୋଇ ପଡ଼ିଥିଲା। ଲୋକଙ୍କ କୋଳାହଳ ରେ ନିଦ ଭାଙ୍ଗିଲା ତାର। ତିନି, ସାଢ଼େତିନି ବର୍ଷ ର ପିଲାଟି। ଶୋଇବାକୁ ଜାଗା ଅଭାବ ରୁ ବାପା ମା ତାକୁ ଶୋଇବା ସିଟ ରେ ଶୁଏଇ ଦେଇ, ଜଣେ ସେହି ସିଟ ରେ ଆଉ ଜଣେ ତଳେ ବସିଥାନ୍ତି। ଏବେ କୋଳାହଳ ରେ ନିଦ ଭାଙ୍ଗିଲା ପରେ କାନ୍ଦିଲା ସେ। ବାପା, ମା ତାକୁ ନେଇ ବାହାରେ କିଛି ସମୟ ବୁଲାବୁଲି କରି ଆସିଲେ। ତଥାପି ଲୋକ ଆସି ନଥାନ୍ତି। ଛୁଆଟି ସେଇ ବସ ଭିତରେ ଦୌଡା ଦୌଡି କରି ଖେଳିବାକୁ ଲାଗିଲା। ଯାତ୍ରୀଙ୍କ ଭିତରୁ କିଏ ବାହାରକୁ ଗଲା, କିଏ ରହିଲା ଜାଣିବାର ଉପାୟ ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଡ୍ରାଇଭର କଣ୍ଡକ୍ଟର ଆସି ସାରିଲେଣି। ଡ୍ରାଇଭର ବସ ର ପେଁକାଳି ବଜେଇବାରୁ ଆସ୍ତେ ଆସ୍ତେ ଲୋକ ସବୁ ଆସିବାକୁ ଲାଗିଲେ। ପିଲାଟି କିନ୍ତୁ ଏପଟୁ ସେପଟକୁ ଧାଇଁ ଖେଳୁ ଥାଏ। କିଛି ସମୟ ପରେ କଣ୍ଡକ୍ଟର ସବୁ ସିଟ ଚେକ କରି କିଏ ଆଉ ରହିଗଲା ବୋଲି ହିସାବ କରି ପଛ ରୁ ଆଗକୁ ଗଣି ଗଣି ଯାଉଥାଏ। ଡ୍ରାଇଭର ଆଉ ଥରେ ପେଁକାଳି ବଜେଇ ବସ ଛାଡ଼ିଲା। ପିଲା ର ବାପା ଜାଗା ନ ଥିବାରୁ କଣ୍ଡକ୍ଟର ପାଖରେ କେବିନ ରେ ଟିକେ ବସି ପଡିବା ଲୋଭ ରେ ଆଗକୁ , ବସ ର କେବିନ ପାଖକୁ ଗଲା। ପିଲାଟି ମା ପାଖକୁ ଫେରି ଆସି ପୁଣି ସିଟ ରେ ବସି ପଡ଼ିଲା। ବସ ଭିତର ଲାଇଟ ତଥାପି ଲିଭି ନଥାଏ। କହିଁକି କେଜାଣି ପିଲାଟି ପୁଣି ଥରେ ଦୌଡା ଦୌଡି କରି ଭିତରେ ଖେଳିଲା। ଆସ୍ତେ ଆସ୍ତେ ଚାରିଜଣ ଗୀଟାର ଧରିଥିବା ଲୋକଙ୍କ କବାଟ ଅଳ୍ପ ଖୋଲିଲା ଏବେ। ପିଲାଟି ଦୌଡି ଯାଇ, କବାଟ ପଟେ ଉଣ୍ଡିବାକୁ ଚେଷ୍ଟା କଲା। କିଛି ସମୟ ପରେ ଫେରି ଆସି ମା ପଖରେ ବସିଲା। ତା ପରେ ବାପା ବାପା କହି କାନ୍ଦିବାକୁ ଲାଗିଲା। ଅଧିକ କାନ୍ଦିବାରୁ ପିଲା ର ମା ତାକୁ ନେଇ ବାପା ପାଖରେ ଛାଡି ଦେଇ ଆସିଲା। ପିଲାଟି କାନ୍ଦି କାନ୍ଦି ଆସ୍ତେ ଆସ୍ତେ ଖେଳନା ପାଇଁ ଜିଦ କଲା।

— କଣ ହେଲା କିରେ? କାହିଁକି କାନ୍ଦୁଛୁ? ତା ବାପା ପଚାରିଲେ।
— ସେଇତା, ଖେଲିବି ସେଥିଲେ।
— କଉଟା, ବସ ଚୁପ ଚାପ। ଏପଟେ ଦେଖ କେମିତି ଗାଡି ଯାଉଛି।
— ନା, ସେଇତା, ବନ୍ଧୁକ। ବନ୍ଧୁକ ରେ ଖେଲିବି।
ତା ବାପା ତାକୁ ଚୁପ କରେଇଲା ବେଳକୁ ଡ୍ରାଇଭର ପଚାରିଲା, କଉ ବନ୍ଧୁକ? କଉଠି ଅଛି?
— ସେଇ ଘଲେ, ବଲ ବଲ ବନ୍ଧୁକ ଦି ତା ଅଛି। ଦାଢ଼ି ନୁକ ପାଖରେ….
ଆଉ କିଏ ବୁଝୁ ନ ବୁଝୁ ଡ୍ରାଇଭର କିନ୍ତୁ ଜାଣି ସାରିଥିଲା ଘଟଣା କଣ। ଆଗରୁ ସେ ଏମିତି ଘଟଣା କିଛି ଶୁଣିଛି। ନିଜେ ବଞ୍ଚିଲେ ବାପା ର ନାଁ ନ୍ୟାୟ ରେ ଭାବିଲା ଗାଡି ଛାଡି ଦଉଡି ପଳେଇବ କି? ନା, ଏତେ ଲୋକଙ୍କ ଜୀବନ କୁ ବିପଦ ରେ ପକେଇ ସେ କଣ ଯାଇ ପାରିବ? ଯାହା ହେଲେବି ସେମାନେ ଭରସା କରନ୍ତି ଡ୍ରାଇଭର କୁ। ଭଲ ରେ ଭଲରେ ଗନ୍ତବ୍ୟ ସ୍ଥାନ ରେ ପହଞ୍ଚେଇଲା ବୋଲି କେହି କେବେ ଧନ୍ୟବାଦ ଟିଏ ନ ଦିଅନ୍ତୁ ପଛେ ଭରସା ତ କରନ୍ତି ମନେ ମନେ। ଗାଡି ଛାଡି ଦଉଡି ପଳେଇବାପାଇଁ ତା ବିବେକ ବାଧା ଦେଲା ତାକୁ ।
ସେହି ଚାରି ଜଣଙ୍କ ହାବଭାଵ ମନେ ପଡିବାରୁ, ତା ସନ୍ଦେହ ଆଉ ଟିକେ ଘନୀଭୂତ ହେଲା। କାହାକୁ କିଛି ନ କହି, ସେ ଗାଡି ଚଳେଇବାରେ ମନ ଦେଲା। ଛୁଆ କୁ ଏପଟୁ ସେପଟୁ କଥା କହି ବାଁରେଇ ତା ବାପା କୁ କହିଲା, ୟା କୁ ଶୋଇ ପକା। ସେ ଜାଣିଥିଲା, ପୋଲିସ ଥାନା ଏଠୁ ଦଶ କିଲୋମିଟର ପରେ। କିଛି ନ ହେଲେ ବି ଦଶ ପନ୍ଦର ମିନିଟ ଲାଗିବ ପହଞ୍ଚିବା ପାଇଁ। ଯେମିତି ବି ହେଉ ପୋଲିସ ଷ୍ଟେସନ ପୂର୍ବରୁ କିଛି ଅଘଟଣ ନ ଘଟୁ। କିଛି ନହେଲା ପରିକା ଭିତର ଲାଇଟ ବି ସେ ବନ୍ଦ କରି ଦେଲା। ଦଶ ମିନିଟ ଭିତରେ ସେମାନେ ଚିନ୍ତା କରୁ କରୁ ବା କିଛି ଅଘଟଣ ପୂର୍ବରୁ ପୋଲିସ ପାଖରେ ପହଞ୍ଚିବା ନିହାତି ଦରକାର ଥିଲା। ବନ୍ଧୁକ ଅଛି ସେମାନଙ୍କ ହାତରେ। ଆହୁରି ବି ମାରଣାସ୍ତ୍ର ଥାଇ ପାରେ। ବସ ଲୁଟ ଉଦ୍ଦେଶ୍ୟ ରେ କି ଅଗଷ୍ଟ ପନ୍ଦର ପାଇଁ କିଛି ବଡ ଦୁର୍ଘଟଣା ଘଟେଇବା ପାଇଁ ଏମାନେ ଆସି ଥାଇ ପାରନ୍ତି। କେଉଁ ସମୟ କୁ ସେମାନଙ୍କର ପ୍ଲାନ ଅଛି କିଏ ଜାଣେ? ତେବେ ଜରୁରୀ ବ୍ୟବସ୍ଥା ହେଲା ବସ କୁ ପୋଲିସ ଥାନା ଆଗରେ ରଖି, ପ୍ରଥମେ ବସ ରେ ଥିବା ନିରୀହ ଲୋକଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ପୋଲିସ ହାତରେ ଧରେଇବା।
ଗୋଟେ ଗୋଟେ ମିନିଟ ଡ୍ରାଇଭର ମୁଣ୍ଡରେ ହାତୁଡି ପିଟିଲା ପରି ଲାଗୁଥାଏ। କେଜାଣି କେଉଁଠି କିଛି ସାହାର୍ଯ୍ୟ ମିଳିଯିବା ଆଶାରେ ଆଗ ପଛ କୁ ଚାହୁଁଥାଏ। କିନ୍ତୁ ପାଖରେ ବସିଥିବା କଣ୍ଡକ୍ଟର, କବାଟ ପାଖ ଛୋଟ ବେଞ୍ଚ ରେ ବସି ଢୁଳାଉଥିବା ହେଲପର କିମ୍ବା ଗୋଡ ଉପରେ ବସେଇ ଛୁଆ କୁ ଶୁଆଉଥିବା ତା ବାପା କୁ ସେ କିଛି କହି ପାରୁନଥିଲା। କହିଦେଲେ ଡରରେ କାଳେ କିଏ ଅବସ୍ଥା କୁ ଆହୁରି ବିଗାଡି ଦେବା ଭୟରେ । ଆହୁରି ପାଞ୍ଚ ଛଅ କିଲୋ ମିଟର। ଆଗକୁ ଗାଡି ଚଲେଇବା ସହ ପଛରୁ କାଳେ କିଛି ଶବ୍ଦ ଆସିଲା ବୋଲି କାନଉଥାଏ। ମୁଣ୍ଡରେ ଠନ ଠନ ହେଉଥାଏ। ରକ୍ତ ଗୁଡା ବିଦ୍ରୋହ କଲାପରି ମୁଣ୍ଡ ଭିତରେ ଫୁଲ ସ୍ପୀଡ଼ ରେ ଦୌଡୁଥାନ୍ତି।  ଅଜଣା ଆତଙ୍କ ରେ ଦେହ ସିହିରୀ ଉଠୁଥାଏ ତାର। ହଠାତ ଆଗରୁ ପୋଲିସ ଗାଡି ପେଟ୍ରୋଲିଂ ରେ ଆସିବା ଦେଖି କାଳ ବିଳମ୍ବ ନକରି ବେକରେ ପକେଇଥିବା ନାଲି ଗାମୁଛା କୁ ହାତରେ ଭିଡି ଆଣି ପୋଲିସ ଗାଡି କୁ ଦେଖେଇଲା ସେ। ପୋଲିସ କିନ୍ତୁ ଦେଖି ପାରିଲା କି ନାହିଁ କେଜାଣି, ବସ କୁ କ୍ରସ କରି ଚାଲିଗଲା। ଆଶା ଟିକକ ପୁଣି ମରିଗଲା ଡ୍ରାଇଭର ର। ଆହୁରି ଦୁଇ କିଲୋ ମିଟର। ପୋଲିସ ପେଟ୍ରୋଲିଂ ପାଇଁ ଗଲେଣି ମାନେ ଏବେ ଥାନା ରେ ଜଣେ କି ଦି ଜଣ ମାତ୍ର ପୋଲିସ ଥିବେ। ନିରାଶ ଲାଗିଲେ ବି ମନ ଭିତରେ ସାହସ ସଞ୍ଚୟ କଲା ସେ । ତଥାପି, ଦେଖା ଯାଉ। ଏବେ ଯାଏଁ ନିଜ ମନ ଭିତରେ ରଖିବା ଛଡା, ଆଉ କାହାକୁ କହି ପାରୁନଥିଲା ସେ।  ଗାଡି କୁ ଆସ୍ତେ ଆସ୍ତେ ଧୀର କଲା। ଆଉ ମାତ୍ର ପାଞ୍ଚଶହ ମିଟର। କିନ୍ତୁ ହଠାତ ବ୍ରେକ ଦେଲେ ଲୋକଙ୍କୁ ବାହାର କରି ହେବ ନାହିଁ। ତା ର ମନେ ପଡ଼ିଲା ଯେ, ସେ ଚାରିଜଣ ଢ଼ାବା ରେ ବସ ରହିଲା ପରେ ବି ବାହାରି ନଥିଲେ। ତେଣୁ ଏବେ ବି ବାହାରିବେ କି ନାହିଁ ସନ୍ଦେହ। ତେବେ ଲୋକ ମାନେ ଜାଣିଲେ ଅସୁବିଧା, ଦୌଡା ଦୌଡ଼ି କରିବେ। ପାଟି କରି ହା ହଲ୍ଲା କରିବେ। ଆସ୍ତେ ଆସ୍ତେ ଗାଡି ଧୀର କରି ଥାନା ରୁ ମାତ୍ର ଦଶ ମିଟର ଦୂରରେ ରଖିଲା ସେ। କଣ୍ଡକ୍ଟର କୁ କହିଲା, ଲୋକଙ୍କୁ କହ, ଡ୍ରାଇଭର କୁ ଅତର୍ଛୟା ଲାଗିବାରୁ ସେ ଗାଡି ରଖି ଯାଇଛି। ତା ପରେ ଆସ୍ତେ ଆସ୍ତେ ଜଣ ଜଣ କରି ବାହାରକୁ ଡାକ। କଣ୍ଡକ୍ଟର କିଛି ବୁଝି ନପାରି ଡ୍ରାଇଭର କୁ ଚାହିଁଲା ବେଳକୁ ଡ୍ରାଇଭର ଏତିକି ସମୟ ଭିତରେ କାଳ ବିଳମ୍ବ ନକରି ଥାନାକୁ ଦଉଡି ଯାଇ କିଛି ଗୋଟେ ଆଶଙ୍କା ରେ ଏପରି ଘଟିଛି ବୋଲି କହିଲା ଥାନା ବାବୁଙ୍କୁ।
ଥାନା ବାବୁ ଫୋନ କରିବେ ଭାବୁ ଭାବୁ ପେଟ୍ରୋଲିଂ ରେ ଯାଇଥିବା ପୋଲିସ ଗାଡି ଆସି ସାରିଥିଲା ବସ ର ପଛେ ପଛେ। ପୋଲିସ ଜିପ ର ଡ୍ରାଇଭର ଶେଷ ମୁହୂର୍ତ ରେ ଦେଖି ପାରିଥିଲା ନାଲି ଗାମୁଛା ଖଣ୍ଡିକ। ବସ ର ପତାକା କିମ୍ବା ନାଲି କନା ବୋଲି ଭାବି ଏଡେଇ ଯାଇଥିବା ପୋଲିସ ବାବୁ, ଗାମୁଛା ସହ ହାତ ଟି ବି ହଲୁଛି ବୋଲି ଦେଖି ପାରିଥିଲେ। ତେଣୁ କିଛି ଅଘଟଣ ଆଶଙ୍କା ରେ ଗାଡି ବୁଲେଇ ବସ ର ପିଛା କରିଥିଲେ।
RTO ଚେକିଂ ଚାଲିଛି, ବସ କାଗଜ ପତ୍ର ଯାଞ୍ଚ ହେଉଛି, ସମସ୍ତେ ବସି ରୁହ ବୋଲି ଶୁଣେଇ ଶୁଣେଇ ଭିତରକୁ ପଶିଥିଲେ ପ୍ରାୟ ପାଞ୍ଚ, ଛଅ ଜଣ ବନ୍ଧୁକ ଧାରୀ ପୋଲିସ। ସମସ୍ତଙ୍କୁ ଆସ୍ତେ ଆସ୍ତେ ଚୁପ ଚାପ ବାହାରକୁ ବାହାର କରି ହଠାତ କବାଟ ଖୋଲି କୁଦି ପଡ଼ିଥିଲେ ସେଇ ସ୍ଲିପର ରୁମ ଭିତରକୁ। ଖସି ଯିବାପାଇଁ ବାଟ ନ ପାଇ ଚାରି ଜଣଙ୍କ ଭିତରୁ ଜଣେ ବନ୍ଧୁକ ରୁ ଗୁଳିଟିଏ ଚଳେଇ ଦେଲା। ଗୁଳିଟି ଆସି ବାଜିଲା ଥାନା ବାବୁଙ୍କ ଜଙ୍ଘରେ। ତଥାପି ସମସ୍ତେ ମିଶି କାବୁ କରି ନେଇଥିଲେ ଏହି ଆତଙ୍କ ବାଦୀ ମାନଙ୍କୁ, ଯେଉଁ ମାନଙ୍କର ଯୋଜନା ଥିଲା ସକାଳୁ ସକାଳୁ ବସ କୁ ଲୁଟ କରି ଖସି ଯିବା ପୂର୍ବରୁ ଭୁବନେଶ୍ବର ଭିତରେ ବସ ରେ ହିଁ ବିସ୍ଫୋରଣ କରିବା। ସେହି ଶୋଇବା କେବିନ ଭିତରେ ହିଁ ସେମାନେ ବମ ଖଞ୍ଜିବାର ଥିଲା। ଲୁଟ ପାଇଁ ବ୍ୟବହାର କରିବାକୁ ବନ୍ଧୁକ ଗୁଡିକ ଖୋଳ ରୁ ବାହାର କରି ସେଟ କରିବା ଭିତରେ ହିଁ ଏହି ପିଲାଟି ଦେଖି ନେଇଥିଲା ଓ ଖେଳନା ଭାବି ବନ୍ଧୁକ ସହ ଖେଳିବ ବୋଲି ଅଳି କରିଥିଲା।
କହିବା ବାହୁଲ୍ୟ, ପରଦିନ ସକାଳେ ପ୍ରତ୍ୟେକ ଖବର କାଗଜ ର ମୁଖ୍ୟ ପୃଷ୍ଠା ରେ ପ୍ରଥମ ଖବର ଥିଲା ଏ ଘଟଣା ଟି।
ଅଗଷ୍ଟ ପନ୍ଦର ରେ ବସ ର ଡ୍ରାଇଭର କୁ ଉପସ୍ଥିତ ବୁଦ୍ଧି ଖଟାଇ ପଚାଶ ଜଣଙ୍କ ଜୀବନ ରକ୍ଷା କରିବା ପାଇଁ ମିଳିଥିବା ଦଶଲକ୍ଷ ପୁରସ୍କାର ରୁ ଚାରିଲକ୍ଷ ଟଙ୍କା  ବନ୍ଧୁକ ସହ ଖେଳିବ ବୋଲି ଅଳି କରିଥିବା ପିଲାକୁ ଦେଵ ବୋଲି ଡ୍ରାଇଭର ଘୋଷଣା କରୁଥିବା ବେଳେ ପିଲାଟି କିନ୍ତୁ ଅଳି କରୁଥିଲା ଗୋଟିଏ ଖେଳନା ବନ୍ଧୁକ ପାଇଁ, ଯାହା ସେ ଏବେ ଦେଖୁଥିଲା ପୋଲିସ ଭାଇ ମାନଙ୍କ ହାତରେ, ପରେଡ଼ ପରେ ସେମାନେ କାନ୍ଧରେ ଧରି ଠିଆ ହୋଇଥିଲେ।
ତା ପାଇଁ ସବୁ ବନ୍ଧୁକ ଖେଳନା ହିଁ ଥିଲା…
–ସମାପ୍ତ–
ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ….ଜୟ ଜଗନ୍ନାଥ
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
ଫୋନ-୯୩୭୬୦୧୨୫୦୦

କ୍ଷମା

କ୍ଷମା
ସୁବଳ ମହାପାତ୍ର
ସକାଳୁ ସକାଳୁ ଚିନ୍ହା ଚିନ୍ହା ପାଟି ଶବ୍ଦ ରେ ନିଦ ଭାଙ୍ଗିଗଲା ପଞ୍ଚାବନ ବର୍ଷୀୟ ଚିନ୍ମୟୀ ଦେବୀଙ୍କର I କିଏ? ବୋଲି ଖୋଲା ଝରକା ଫାଙ୍କ ରୁ ଉଣ୍ଡି ବସିଲା ବେଳକୁ କେବଳ ସ୍ତ୍ରୀ ଲୋକ ଜଣେ ଦେଖା ଯାଉଥାନ୍ତି I ବାହାରୁ କିନ୍ତୁ ପୁରୁଷ ଲୋକ ଜଣଙ୍କର ପାଟି ଶୁଭୁଥାଏ I ପୁରୁଷ ଲୋକ ଜଣଙ୍କ ଗାର୍ଡ ସହ କଥା ହେଉଥାନ୍ତି I କାନ ଡେରିଲେ ଚିନ୍ମୟୀ ଦେବୀ, ପାଟି ଚିନ୍ହା ଚିନ୍ହା ତ ଲାଗୁଛି, ମହିଳା ଜଣଙ୍କୁ କେଉଁଠି ଦେଖିଲା ପରି ମନେ ହେଉଛି, ସତରେ କି ଫୋଟୋ ରେ ଦେଖିଛନ୍ତି ମନେ ପଡୁନି I ହଉ… ମୁହଁ ଧୋଇ କବାଟ ଖୋଲି ଯାହାକୁ ଦେଖିଲେ ତାଙ୍କୁ କେବେବି ଏଇ ଵୃଦ୍ଧାଶ୍ରମ ରେ ଦେଖିବାର କଳ୍ପନା ବି ସେ କରି ନଥିଲେ I ନାଥ ସାର? ଏଠି? ହଁ, ୟେ ତ ନାଥ ସାର ଙ୍କ ସ୍ତ୍ରୀ I ଫୋଟୋରେ ଦେଖିଥିଲେ ତାଙ୍କୁ I
ପ୍ରାୟ ୨୦ ବର୍ଷ ତଳେ, କଲେଜ ର ଆକାଉଣ୍ଟାଣ୍ଟ ଥିଲା ବେଳେ ଚିନ୍ମୟୀଙ୍କ ଠାରୁ ଦଶ ବର୍ଷ ବଡ ନାଥ ସାର ଥିଲେ ଚିନ୍ମୟୀ ଦେବୀଙ୍କର ହେଡ଼, ଉପର ଅଫିସର I ନାଥ ସାର ଭାରି ଷ୍ଟ୍ରିକ୍ଟ I ଆକାଉଣ୍ଟ ସେକ୍ସନ ରେ ଅଛନ୍ତି ବୋଲି ସେ କାହା ସହ ବି ମିଳାମିଶା କରିବାକୁ ଚାହନ୍ତିନି I ଜୁନିଅର ମାନଙ୍କୁ ମଧ୍ୟ ଏକରକମ ବାଧ୍ୟ କରନ୍ତି କାହା ସହ ନ ମିଶିବା ପାଇଁ I ପୁରା କଲେଜ ର ଦରମା ଟଙ୍କା ଏମାନଙ୍କ ହାତରେ ଥାଏ I ଆଜି କାହାର ଆଡ଼ଭାନ୍ସ ଦରକାର ତ କାଲି କାହାର ଛୁଟି ନ କାଟିବାକୁ ଅନୁରୋଧ, ସେଥିପାଇଁ ସେ ଦୁରେଇ କି ରହନ୍ତି ସମସ୍ତଙ୍କଠାରୁ I ଆହୁରି ବି ଟିକେ କଡା ମିଞ୍ଜାଜ ର ବ୍ୟକ୍ତିତ୍ୱ ତାଙ୍କର I ଟିକେ ଟିକେ ଭୁଲ ବି ସହି ପାରନ୍ତିନି I ମନ ଇଛା ଗାଳି କରନ୍ତି I ଚିନ୍ମୟୀ ଦେବୀ ମନେ ପକାଉଥିଲେ ସେ ଦିନ ଗୁଡିକ, ବେଳେ ବେଳେ ନାଥ ସାର ଆଉ ଚିନ୍ମୟୀ ଦେବୀଙ୍କ ଭିତରେ ଖଣ୍ଡେ  ପଟେ ହୋଇଯାଏ I “କାହିଁକି ମିଶିବିନି ? ସେମାନେ ବି ତ ମଣିଷ ” ବୋଲି ପାଟି କରି କହି ଉଠନ୍ତି ଚିନ୍ମୟୀ I ଲେବର, ପିଅନ, ଝାଡୁଦାରଙ୍କ ସହ କେବେ କେମିତି ଚିନ୍ମୟୀ ଟିକେ କଥା ହେଲାବେଳେ ନାଥ ସାରଙ୍କ ଆଖିରେ ପଡିଯାଏ ଆଉ….ରାମ ରାବଣ ଯୁଦ୍ଧ ପରି ରଣ-କ୍ଷେତ୍ର ପାଲଟି ଯାଏ ଆକାଉଣ୍ଟ ସେକ୍ସନ ଟି I
କଲେଜ ରୁ ଚାକିରୀ ଛାଡିବାର କାରଣ ଥିଲେ ଏଇ ନାଥ ସାର I ଦିନେ ଝଗଡା ପରେ ନାଥ ସାର, କଲେଜ ପ୍ରିନସିପାଲ ଙ୍କୁ ଫେରାଦି ହେଲେ I ପରିଣାମ ସ୍ୱରୂପ, ସେହି କଲେଜ ରୁ ଚାକିରୀ ହରେଇବାକୁ ପଡିଥିଲା ଚିନ୍ମୟୀଙ୍କୁ I କେବେ ମୁହଁ ନଚାହିଁବାର ଶପଥ ନେଇ ସେ ବାହାରି ଆସିଥିଲେ କଲେଜ ରୁ I କିଛି ଦିନ ପରେ କିନ୍ତୁ ଆଉ ଏକ ଜାଗାରେ ତାଙ୍କୁ ଚାକିରୀ ମିଳିଯାଇଥିଲା ଆଉ ସେ ପୁରୁଣା କଥା କୁ ଦୁଃସ୍ବପ୍ନ ମନେକରି ଭୁଲି ଯାଇଥିଲେ ଚିନ୍ମୟୀ ଦେବୀ I ଆଜି ପ୍ରାୟ କୋଡିଏ ବର୍ଷ ପରେ ଶୁଖି ଯାଇଥିବା ଘା-ଟାକୁ କିଏ ଯେମିତି ପୁଣି ରାମ୍ପି ଖଣ୍ଡିଆ କରି ଦେଇଥିଲା I ଦେହରେ ନିଆଁ ଲାଗି ଯାଇଥିଲା ଚିନ୍ମୟୀଙ୍କର I ମନ କୁ ସଂଯତ କରି ସେ ବାହାରକୁ ଆସିଲେ I ପଞ୍ଚଷଠି ବର୍ଷରେ, ଅଶି ବର୍ଷର ବୁଢା ପରି ଦେଖା ଯାଉଥିଲେ ନାଥ ସାର I କୋଡିଏ ବର୍ଷ ପୂର୍ବର ଥନ୍ତଲ ପେଟ ଟି ବି କମି ଯାଇଥିଲା I ମରି ମରି ବଞ୍ଚିଲା ପରି ଦେଖା ଯାଉଥିଲେ I ମ୍ୟାଡ଼ାମଙ୍କ ଅବସ୍ଥା ଆଉ ନକହିବା ଭଲ I ନମସ୍କାର ଟିଏ କରି ପାଖକୁ ଗଲେ ଚିନ୍ମୟୀ ଦେବୀ I ଚିନ୍ମୟୀଙ୍କୁ ଦେଖି ସାରଙ୍କ ଶୁଖିଲା ଆଖିରୁ ବି ଲୁହ ଧାରେ ବହି ପଡିଲା I ପାଣି ଗ୍ଲାସେ ଦେଇ ପାଖ ଚୌକି ରେ ବସିବାକୁ କହିଲେ ଆଉ ପଚାରିଲେ, “ସାର, ଆପଣ ଏଠି ?” I
ପ୍ରଶ୍ନ ବି ଶୁଣିବାକୁ ଧର୍ଯ୍ୟ ନଥିଲା ସାରଙ୍କର, କହି ଚାଲିଲେ, “ମା ଲୋ, ମୁଁ ଜାଣିଛି, ମୁଁ ତୋ ପ୍ରତି ଅନ୍ୟାୟ କରିଛି I କ୍ଷମତା ଥିଲା ବେଳେ କ୍ଷମତା ବଳରେ ଅନ୍ଧ ହୋଇ, ତୋ’ତେ ମୁଁ ହିଁ ଚାକିରୀ ରୁ ବାହାର କରେଇ ଥିଲି I ମୋତେ ଇଛା ନଥିଲା ଯେ ଆକାଉଣ୍ଟ ସେକ୍ସନ ରେ କାମ କରୁଥିବା କେହି ବି ଲୋକ ବାହାର ଲୋକଙ୍କ ସହ ମିଶୁ, କଥା ହେଉ I କାରଣ ସେମାନେ ଏଇ ବନ୍ଧୁତ୍ୱ ଟିକକ ର ଦ୍ୱାହି ଦେଇ ତାଙ୍କ ନହେଲା କାମ ବି କରେଇ ନେବେ ଆମ ପାଖରୁ I ତୁ ନଶୁଣିବାରୁ ମୁଁ ବାଧ୍ୟ ହୋଇ ପ୍ରିନ୍ସିପାଲ ଙ୍କ ପାଖରେ ଫେରାଦି ହୋଇ ତୋତେ ଚାକିରୀ ରୁ ବାହାର କରେଇଥିଲି I ଦୟାକରି ମୋତେ କ୍ଷମା କରିଦେ ” ବୋଲି କହି ହାତ ଯୋଡି ଠିଆ ହୋଇ ପଡିଲେ I
ହଠାତ ଚିନ୍ମୟୀ ଦେବୀଙ୍କ ମୁଣ୍ଡରେ କିଛି ପଶୁ ନଥିଲା I ସାରଙ୍କ ହାତ ଧରି ପୁଣି ଥରେ ଚୌକି ରେ ବସେଇଲେ ସେ, ଆଉ କହିଲେ, “କିଛି କଥା ନାହିଁ ସାର, ବେଳେ ବେଳେ ସେମିତି ହୁଏ I ଆମକୁ ପସନ୍ଦ ନଥିବା ଲୋକ ଙ୍କ ପ୍ରତି ଆମେ ବେଳେ ବେଳେ ଅତି ମାତ୍ରାରେ ପ୍ରତିକ୍ରିୟାଶିଳ ହୋଇପଡୁ, ଯାହାର ପରିଣାମସ୍ୱରୂପ ବେଳେ ବେଳେ କିଛି ଅଘଟଣ ଘଟିଯାଏ” I ତେବେ ମୋ କ୍ଷେତ୍ରରେ ଏହା ଚଳନୀୟ I ପରେ ମୋତେ ସାଙ୍ଗେ ସାଙ୍ଗେ ଚାକିରୀ ମିଳିଯାଇଥିଲା ଆଉ ମୁଁ ଭଲରେ ଅଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ I ସାରଙ୍କ ମୁହଁ ଟି କାନ୍ଦ କାନ୍ଦ ହୋଇ ଆସିଥିଲା, ପୁଣି ସେ କହି ଉଠିଲେ, “ନା, ମା, କଥା ଏତିକି ରେ ସରିନି I ମୁଁ ଆସିଛି ତୋତେ ଜାଗା ଖଣ୍ଡେ ମାଗିବା ପାଇଁ। ଅଫିସ ର କିଛି ପୁରୁଣା ଷ୍ଟାଫଙ୍କ ପାଖରୁ ବୁଝି ଜାଣିଲି ତୁ ଏଇଠି ଅଛୁ, ବୃଦ୍ଧାଶ୍ରମ ଟିଏ ଖୋଲିଛୁ, ସେଥିପାଇଁ ତୋ ପାଖକୁ ଚାଲି ଆସିଲି ” I
— କିନ୍ତୁ ଆପଣଙ୍କର ର ଦୁଇ ପୁଅ ଥିଲେ। ସେମାନେ କଣ?
— ନା, ବଡ ଆଉ ନାହିଁ, ସାନ ଥାଇ ନଥିଲା ପରି। ନଥିଲେ ବରଂ ଭଲ ହୋଇଥାନ୍ତା। ଆମେ ଦି ପ୍ରାଣୀ ଟିକେ ଶାନ୍ତି ରେ ରହିଥାନ୍ତୁ।
— କିଛି ବୁଝିପାରିଲିନି ସାର…
ଆଖିରୁ ଲୁହ ପୋଛି ସେ କହିବାକୁ ଲାଗିଲେ,” କ୍ଷମତା ପାଇଁ ମୋର ଆଉ ଟିକେ ଗର୍ବ ବଢି ଯାଇଥିଲା I କଲେଜ ତ କଲେଜ, ସାମାଜିକ ଜୀବନ ରେ ଏହାର ପ୍ରଭାବ ପଡ଼ିବାକୁ ଲାଗିଥିଲା I ଫଳସ୍ୱରୂପ, ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ସମସ୍ତେ ମୋଠୁ ଦୁରେଇବାକୁ ଲାଗିଲେ I ତଥାପି ଆଣ୍ଟ ଭାଙ୍ଗି ନଥିଲା ମୋର I ବଦଳି ହୋଇ ସହର ର ଏକ ନାମୀ ଦାମୀ କମ୍ପାନୀ ରେ ଚାକିରୀ ପାଇ, ସହର ରେ ରହିବାକୁ ଲାଗିଲି I ପଇସା ଆଉ ଚାକିରୀ ର ଦ୍ୱାହି ରେ ମୁଁ ସମସ୍ତଙ୍କୁ ନିମ୍ନ ଦୃଷ୍ଟି ରେ ଦେଖିବାକୁ ଲାଗିଥିଲି I ଆମ ଗାଁ ରୁ ମୁଁ ଥିଲି ସହରରେ ରହୁଥିବା ଏକମାତ୍ର ବ୍ୟକ୍ତି I ବାପା ମା ଡକାହକା ହୋଇ କେବେଠୁ ଯାଇ ସାରିଥିଲେ, ଗାଁ ରେ ଯେଉଁ ଦି ଏକର ଜମିଥିଲା ତାକୁ ଭାଗରେ ଲଗେଇ ଦେଇଥିଲି I ସହର ରେ କିଛି କାମ ପଡିଲେ ମୋ ଗାଁ ଲୋକ ମୋ ପାଖକୁ ଆସୁଥିଲେ, ଏବେ ମୁଁ ତାଙ୍କୁ ମଧ୍ୟ ନିମ୍ନଦୃଷ୍ଟି ରେ ଦେଖି ୟାଡୁ ସ୍ୟାଡୁ କହିବାକୁ ଲାଗିଲି, ଯାହା ଫଳରେ ଗାଁ ରୁ କେବଳ ଭାଗୁଆରି କୁ ଛାଡିଲେ ଆଉ କେହି ମୋ ସହ ସମ୍ପର୍କ ରଖିଲେ ନାହିଁ I ଗାଁ ରୁ ଆଉ ଜଣେ ଦି ଜଣ ସହରକୁ ଆସିଲା ପରେ ମୋ ଘରୁ ଗହଳି ଭାଙ୍ଗି ଯାଇଥିଲା I ସେମାନଙ୍କ ବ୍ୟବହାର ପାଇଁ ଗାଁ ଲୋକ ତାଙ୍କୁ ବାଃ ବାଃ କରୁଥିବା ବେଳେ ମୋ ମୁହଁ ଚାହିଁଲେ ଖାଇବାକୁ ମିଳିବନି ବୋଲି କଥା ହେଉଥିଲେ I ତଥାପି ମୁଁ ଅନ୍ଧ ହୋଇ ଯାଇଥିଲି I କାହା କଥା ଶୁଣିବା ଅବସ୍ଥା ରେ ନଥିଲି I ଏପରିକି ମୋ ସ୍ତ୍ରୀ ର କଥା ମଧ୍ୟ I ମୋ ଜିଦି ଆଉ ପ୍ରତିପତ୍ତି ବଢି ଚାଲିଥିଲା, ତା ସହ ଖୋଲି ଚାଲିଥିଲା ମୋ ପିଲାଙ୍କର ଅବାଟକୁ ଯିବାର ରାସ୍ତା I ଉପୁରି ପଇସା ପାଇବା ପାଇଁ ମୁଁ ଦିନ ରାତି ଏକ କରି ଦେଉଥିଲି ଆଉ ପିଲାଙ୍କ ପାଇଁ ଦେଉଥବା ସମୟ ରୁ କାଟି ପଇସା ପଛରେ ଗୋଡ଼ଉଥିଲି I ପିଲାମାନେ ବାଳୁଙ୍ଗା ହେବାରେ ଲାଗିଥିଲେ I ଦୁଇ ପୁଅ ଭିତରୁ ବଡ ପୁଅ ଦିନେ ବାଇକ ଷ୍ଟଣ୍ଟ ଦେଖାଉ ଦେଖାଉ ରାସ୍ତା ରେ ଥିବା ଡିଭାଇଡର ରେ ପିଟି ହୋଇଗଲା I ଛଅ ମାସ କୋମା ରେ ରହିଲା ପରେ ତା’ର ଦେହାନ୍ତ ହେଲା I ତାକୁ ବଞ୍ଚେଇବାକୁ ଗୁଡ଼େ ପଇସା ଖର୍ଚ କଲି I ଏପଟେ ସାନ କୁ ମଧ୍ୟ ଧ୍ୟାନ ଦେଇ ପାରିଲି ନାହିଁ I ବଡ ଗଲା ପରେ ସାନ ପ୍ରତି ମାୟା ମୋହ ଟିକେ ଅଧିକା ହୋଇ ଯାଇଥିଲା I ଅତ୍ୟଧିକ ଗେଲ୍ହା ହେଲେ ପିଲା ଯାହା ହୁଅନ୍ତି, ସେ ବି ଆସ୍ତେ ଆସ୍ତେ ଖରାପ ରାସ୍ତା ଆଡକୁ ପାଦ ବଢେଇବାରେ ଲାଗିଥିଲା I ରାତିରେ ମଦ ପି ଘରକୁ ଆସିବା ତା’ର ନିତିଦିନିଆ ହୋଇଗଲା I ମୁଁ କି ମୋ ସ୍ତ୍ରୀ କିଛି କହିଲେ କି ବାରଣ କଲେ ଆମକୁ ମିଳୁଥିଲା ଚପଲ ମାଡ I ଭାବିଲି, ବାହା କରିଦେଲେ ବଦଳି ଯିବ I କିନ୍ତୁ ଯିଏ ଆଜି ଯାଏଁ ବଦଳିଲା ନାହିଁ, ସେ ବାହା ହେଲା ପରେ ଅବା କ’ଣ ବଦଳିଥାନ୍ତା ? ବାହା ହେଲା ପରେ ବି ତା’ର ଏପରି ହାବ ଭାବ ଦେଖି ବୋହୁ ତା’ ବାପା ଘରକୁ ଯାଇ ଆଉ ଆସିବାକୁ ମନାକଲା I କେତେ ଆଉ ଦହଗଞ୍ଜ ହୋଇ ଜୀବନ ବିତେଇଥାନ୍ତି? ରିଟାୟାର୍ଡ଼ ପରେ ଗାଁ କୁ ଗଲି ରହିବା ପାଇଁ, କିନ୍ତୁ ମୋ ସମସାମୟିକ ଲୋକଙ୍କ ଠୁ ତ ମୁଁ ସମ୍ପର୍କ କାଟି ସାରିଥିଲି, ଆଉ ଆଜି କାଲିର ଛୁଆ ମୋତେ କଣ ଚିନ୍ହିଛନ୍ତି ନା ଜାଣିଛନ୍ତି I ସାନ ବି ମଝିରେ ମଝିରେ ଗାଁ କୁ ଆସି ଜମି ବିକି ପଇସା ନେବ ବୋଲି ମାର ଧର କରେ I ଦଶଦିନ ତଳେ ଆସିଥିଲା। ଆମକୁ ଧମକ ଦେଇ ଯାଇଛି, ଦଶଦିନ ଭିତରେ ଜମି ସବୁ ବିକ୍ରିକରି ପଇସା ନେଇକି ଯିବ। ଆଉ ପାରିଲିନି, ସବୁ ସମ୍ପତି ବାଡ଼ି ବିକି କୁଆଡେ ଚାଲିଯିବୁ ବୋଲି ଠିକକଲୁ ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ I ହଠାତ ମନ କୁ ଆସିଲା ତୁ ଚାକିରୀ କଲାବେଳେ କହୁଥିଲୁ ବୃଦ୍ଧାଶ୍ରମ ଟିଏ ଖୋଲିବୁ ବୋଲି I ପୁରୁଣା ଷ୍ଟାଫଙ୍କ ପାଖକୁ ଫୋନ କଲି, କିଛିଜଣ ତୋ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଲେ, ଶେଷରେ ପିଅନ ମକରା ଠୁ ତୋ ଖବର ପାଇଲି। ଗାଁ ର କିଛି ଲୋକଙ୍କୁ ଶାଗ ମାଛ ଦର ରେ ଜମି ବିକି ବହୁତ ଆଶା ନେଇ ତୋ ପାଖକୁ ଚାଲି ଆସିଲି। ଛିଣ୍ଡା ବ୍ୟାଗ ରୁ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା କାଢି ଟେବୁଲ ରେ ରଖିଲେ, ଆଉ କହିଲେ,” ଆମେ ଦି ଜଣ ଏବେ ତୋ ପାଖରେ ରହିବୁ। ଏଇଠି। ମୁଁ ଜାଣିଛି, ତୁ ବହୁତ ଭଲ ଝିଅ, ଯିଏ ନିଜ ଠୁ ତଳ କର୍ମଚାରୀଙ୍କ ସହ ବନ୍ଧୁ ଭାବରେ ମିସିପାରେ, ସେ କଣ ମୋତେ କ୍ଷମା କରି ପାରିବନି? ଭୁଲ ତ ମୁଁ କରିଥିଲି, ଏବେ ପ୍ରାୟଶ୍ଚିତ କରିବାକୁ ଦେ” କହି କଇଁ କଇଁ ହୋଇ କାନ୍ଦି ଉଠିଲେ ନାଥ ସାର।
ଚିନ୍ମୟୀ ଦେବୀ ଆବାକାବା ହୋଇ ଦୁଇ ଜଣଙ୍କୁ ଦେଖୁଥାନ୍ତି। ରାଗ ତାଙ୍କର କୁଆଡେ ଉଭେଇ ଯାଇଥାଏ। ମଲା ଲୋକକୁ ଆଉ କଣ ମାରିବ? ମୁଣ୍ଡକୁ କିଛି ଯୁଟିବା ପୂର୍ବରୁ ହାତ ଟି ତାଙ୍କର , ସାରଙ୍କ ଲୁହ ପୋଛିବାକୁ ଆଗେଇଯାଇଥିଲା। ଚିନ୍ମୟୀ ଦେବୀ ନିଜ ଶାଢ଼ୀ କାନିରେ ସାରଙ୍କ ଲୁହ ପୋଛିଦେଲେ।ମ୍ୟାଡାମ ଙ୍କୁ କୁଣ୍ଢେଇ ଧରି କହିଲେ, ଆପଣ ପଇସା ଦେବା ଦରକାର ନାହିଁ। ଆଜିଠୁ ଆପଣ ଏଇଠି ରହିବେ। ମୋ ପାଖରେ…
ଖୁସିରେ ସାର ଓ ତାଙ୍କ ସ୍ତ୍ରୀ ର ଆଖିରେ ଲୁହ ଆସି ସାରିଥିଲା।
କ୍ଷମା କରି ଦେବାରେ ଯେ ଏତେ ଆନନ୍ଦ ଥାଏ, ଚିନ୍ମୟୀ ଦେବୀ ଆଜି ତାହା ହୃଦୟଙ୍ଗମ କରୁଥିଲେ….
–x–
ଦୟା,  କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ I ଏହାକୁ ହୃଦୟଙ୍ଗମ କରି ପାରିଲେ ମଣିଷ ମହାନ ବନିଯାଏ….

ସୁବଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
ଦୂରଭାଷ-(0)୯୩୭୬୦୧୨୫୦୦

ଗଛ

ଗଛ

ସୁଵଳ ମହାପାତ୍ର

 

 

 

“ଆରେ ରହ, ବୁଢା ସୁକୁ ସୁକୁ କଲାଣି। ଆଉ ଦଶ ପନ୍ଦର ମିନିଟ ମାତ୍ର। ଏମିତି ତ ଘଣ୍ଟେ ଅପେକ୍ଷା କଲୁଣି, ଆଉ କିଛି ସମୟ କୁ ଏମିତି କଣ ହଉଛୁ? କାଠ ଅଣା ସରିଛି। ବାକି ଯୋଗାଡ ଯନ୍ତ୍ର ବି ସରିଛି। ଆମେ ସବୁ ଶୁଖିଲା କାଠ କ୍ଲବ ଘରେ ରଖିଛୁ। ନହେଲେ ଏ ବର୍ଷା ରେ ମଡ଼ା ପୋଡିବାକୁ ଶୁଖିଲା କାଠ କୁଆଡୁ ମିଳିବ? କିଛି ସମୟ ରହ। କାମ ସାରିଦେଇ ଯିବା। ”

“ଯାଉଛି ପରେ ଆସିବି” ବୋଲି ମକରା କହିବାରୁ, ଏକା ନିଶ୍ୱାସ ରେ ଏତକ କହିଗଲା ମଣି।

 

******

ସକାଳ ପହରୁ ବୁଢା ପଡିଛି । ପଞ୍ଚାନବେ ବର୍ଷ ବୟସ। ଘନ ଘନ ନିଶ୍ୱାସ ନଉଛି। ମଝିରେ ମଝିରେ ଦୀର୍ଘଶ୍ବାସ ନଉଛି, କିଛି ସମୟ ନିଶ୍ୱାସ ଅଟକି ଯାଉଛି,  କିନ୍ତୁ ଜୀବ ଛାଡ଼ୁନି। ପୁଣି ଚାଲୁଛି। ସକାଳୁ ସକାଳୁ ଖବର ପାଇ ଘର ଲୋକ, ବନ୍ଧୁ ବାନ୍ଧବ ସବୁ ଏକାଠି ହେଇଛନ୍ତି। ଆସି ରାତି ଦଶ ହେଲାଣି। କିନ୍ତୁ ବୁଢା ଯିବ, ଯିବ ବୋଲି ଯାଉନି। ପୁଅ, ଝିଅ, ନାତି , ନାତୁଣୀ, ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ସାରିଲେଣି। ସାଇ ଭାଇ, କିଛି ଲୋକଙ୍କ ଭିତରେ ବିଚାର ବିମର୍ଷ ବି ହେଲାଣି। ବୁଢା କିଛିଗୋଟେ ଭୁଲ କରିଛି। ନହଲେ ଏତେ କଷ୍ଟ ପାଉଛି କିଆଁ? ସତ କହିଦେଲେ ଜୀବ ଛାଡି ଯାଆନ୍ତା। କିଛି ଲୋକ, ଘର ଲୋକଙ୍କୁ ଆସି ବୁଝେଇଲେଣି। ପଚାର, କଣ ଭୁଲ କରିଛି, ନହେଲେ ଜୀବ ଛାଡିବନି। ଏମିତି ହିଁ ହଉଥିବ। ପଚାର, କଣ ଆଉ ଇଚ୍ଛା ରହିଗଲା କି? କହୁ ସେ। ନହେଲେ ମରିବନି।

 

ଘର ଲୋକବି, ବାହାର ଲୋକଙ୍କ କଥାରେ କାନ ପାଖକୁ ଯାଇ ପଚାରି ସାରିଲେଣି। ବୁଢା, ଖାଲି ବାପା, ମା ବ୍ୟତୀତ ଆଉ କିଛି କହୁ ନଥାଏ। ପଚାରି ପଚାରି ଥକି ଗଲେଣି। ନା ବୁଢା କିଛି କହୁଛି ନା ଜୀବ ଛାଡ଼ୁଛି।

 

****

 

ବୁଢା ଦେଖି ପାରୁଛି ପୂର୍ବ ପୁରୁଷ ମାନଙ୍କୁ। ଆହୁରି ବି ଦେଖି ପାରୁଛି ଉତ୍ତର ପୁରୁଷ ମାନଙ୍କୁ ସେଇ ଗୋଟିଏ ଜାଗାରେ। ଖଟ ଚାରିପଟେ ବେଢ଼ି ଠିଆ ହୋଇଛନ୍ତି, ବାପା ମା, ସାଙ୍ଗ ସାଥି, ଗାଁ ଲୋକ ସବୁ। ଯେମିତି ସମସ୍ତେ ଆଜି ଆର ପାରିରୁ ଆସିଛନ୍ତି ୟାଙ୍କୁ ସଂଖୋଳି ନେବା ପାଇଁ। ପୁଅ, ବୋହୁ, ନାତି, ନାତୁଣୀ, ଉତ୍ତର ପୁରୁଷ ସବୁ ପର ପାରିକୁ ଠେଲିବାକୁ ବ୍ୟଗ୍ର। ମରଣ ର ଶେଷ ଶଯ୍ୟା ରେ ବୁଢା ହିସାବ କରୁଛି ଲାଭ କ୍ଷତି ର। କଣ ଆଣିଥିଲା ? କଣ ନେଇକି ଯିବ?

 

ଜିତୁ ମର୍ଦ୍ଦରାଜ I ନାଁ ଟା ଶୁଣିବାକୁ ଯେମିତି ଶରୀର ବି ସେମିତି ଥିଲା  I ବାଘ ପରି ଫୁଲିଲା ଫୁଲିଲା ନିଶ, ଚଉଡା ବାହୁ, ଛଅ ଫୁଟ ର ହଟ୍ଟା କଟ୍ଟା ମଣିଷ ଟା ଆଜି ମୃତ୍ୟୁ ଶଯ୍ୟା ରେ। ନାଁ ଟା “ଜିତୁ ମର୍ଦ୍ଦରାଜ” ରୁ “ବୁଢା” ହୋଇଯାଇଥିଲା କେଉଁକାଳୁ। ଏବେ ଲୋକ ମଡା ଡାକିବା ଆରମ୍ଭ କଲେଣି। ଖାଲି ଜୀବନ ଟା ଅଛି ବୋଲି, ବାପା, ଜେଜେ କରୁଛନ୍ତି। ନିଶ୍ୱାସ ବନ୍ଦ ହୋଇଗଲେ ମଡା ଉଠା, ମଡା ପଡିଛି ବୋଲି ରଖେଇ ବସେଇ ଦେବେନି।  ସତରେ କଣ ମଣିଷ ଏ ଶରୀର ଛାଡିଦେଲା ପରେ ମଡା ହେଇଯାଏ?

 

ଲାଭ କ୍ଷତି ର ହିସାବ ଛିଂଡୁ ନଥିଲା ବୁଢ଼ାର। ସେପଟେ କାଳିଆ କାଳିଆ ମଣିଷ ଦି ଜଣ ଦେଖାଗଲେ। ଏମାନେ କିଏ? କାହିଁ ମୋ ଜୀବନ କାଳ ଭିତରେ ତ ମୁଁ କେବେ ଏମାନଙ୍କୁ ଦେଖିନି। ତେବେ? ଏମାନେ କଣ ଯମଦୂତ? କଳା କଳା ମସ୍ତବଡ ମଣିଷ ଦୁଇଜଣ ଖଟ ପାଖରେ ଆସି ଠିଆ ହୋଇଗଲେ। ତଡିତ ବେଗରେ ସିନେମା ର ରିଲ ଘୁରିଲା ପରି ବୁଢା ର ରିଲ ଘୁରିଗଲା ପଛକୁ, ଜୀବନ ପୂର୍ବର, ଜୀବନ ର ଦୃଶ୍ୟ ସବୁ ସେ ଦେଖିବାକୁ ଲାଗିଲା।

 

*****

 

— ଆଛା, ତେବେ ତୁ ଠିକ କରିଛୁ ମର୍ତ୍ତ୍ୟ କୁ ଯାଇ ଘେରେ ବୁଲି ଆସିବୁ?…ସ୍ବର୍ଗପୁରୀ ରେ ପରମାତ୍ମା ଏକ ଆତ୍ମା କୁ ପଚାରିଲେ…

— ହଁ, ଭଗବାନ।

— କେଉଁ ରୂପ ନେବୁ ବୋଲି ଭାବିଛୁ?

— ସେଠି ମଣିଷ ତ ଶ୍ରେଷ୍ଠ ଜୀବ। ତେଣୁ ମଣିଷ ଜନ୍ମ ନେବି।

— କଣ କଣ କରିବାର ଅଛି, ସବୁ ମନେ ଅଛି ତ?

— ହଁ, ଭଗବାନ।

— ଠିକ ଅଛି ତେବେ….ତଥାସ୍ତୁ….

 

ଆଖି ବନ୍ଦ କରି ଖୋଲିଲା ବେଳକୁ ସ୍ବର୍ଗ ର ଦ୍ବାର ଖୋଲା। ଆତ୍ମା ଏବେ ବାହାରକୁ ଆସି ଠିଆ ହେଲା। ତାକୁ ହିଁ ଠିକ କରିବାର ଥିଲା କେଉଁ ବାପା ମା ଙ୍କ ଗର୍ଭ କୁ ସେ ବାଛିବ। ସେ ବାଛିଥିଲା ମର୍ଦ୍ଦରାଜ ପରିବାର କୁ। ମା ପେଟରୁ ଠିକ କରି ସାରିଥିଲା ଜୀବନ ଭିତରେ କଣ କଣ କରିବାର ଅଛି ବୋଲି।

 

କୁଆଁ କୁଆଁ ରାଵ ଦେଇ ଯେତେବେଳେ ଭୂମିଷ୍ଠ ହେଲା, ସତରେ ଏ ଦୁନିଆଁ କୁ ଦେଖି ଆଚମ୍ବିତ ହୋଇ ଯାଇଥିଲା। କେତେ ସ୍ବାର୍ଥପର ଏ ଲୋକ ମାନେ। ପୃଥିବୀ ର ଶ୍ରେଷ୍ଠ ଜୀବ ମଣିଷ। କିନ୍ତୁ ନା ଅଛି ଜିବେଦୟା ନା ଅଛି ଭଲ ପାଇବା। ଖାଲି ମୁଁ, ମୁଁ, ଆଉ ମୋର, ମୋର ର ଚିତ୍କାର। ଟିକେ ବଡ ହେଇଗଲେ ସେ ଶିଖେଇବ ଏ ଦୁନିଆଁ କୁ ନିସ୍ବାର୍ଥପରତା, ଭଲ ପାଇବା ଏମିତି ଆହୁରି କେତେ କଣ। ଏମାନେ ନିର୍ବୋଧ ଗୁଡାକ ସବୁ। କଣ ପାଇଁ ଆସି କଣ କରୁଛନ୍ତି। କେମିତି ମାୟା ଭିତରେ ପଶି ରହି ପାରୁଛନ୍ତି? ଏବେ ତ ଛୁଆ ଅଛି। ପାଟି ବି ଖୋଲିନି ତା’ର। ସେ କଣ ଶିଖେଇ ପାରିବ ଏସବୁ ଏମାନଙ୍କୁ?? ବଡ ହେଉ ହେଉ ସେ ଭୁଲି ଯାଇଥିଲା ଏ ସବୁ। ନିଜେ ଟାଣି ହୋଇଯାଇଥିଲା ମାୟା ଭିତରକୁ। ମୁଁ, ମୋର ଭିତରେ ହଜି ଯାଇଥିଲା ସେ।

 

 *****

ଏବେ ମରଣ ବେଳେ ମନେ ପଡୁଛି। କେତେ କାମ ତାକୁ କରିବାକୁ ଥିଲା। ଏବେ କରୁଛି କଣ? କରିଛି କଣ?? ମଇଁଷି ପରି କାଳିଆ ଲୋକ ଦି ଟା ତା’କୁ ନେବାକୁ ଆସିଛନ୍ତି। ମର ଶରୀର ପଡି ରହିଲା ଶେଯ ଉପରେ। ଆତ୍ମା ବାହାରି ଗଲା। ଶରୀର ରୁ ବାହାରିଲା ପରେ ଉଶ୍ୱାସ ଲାଗୁଥିଲା ତାକୁ। ଦେହ ହାତ ର ପୀଡା ନଥିଲା। ଖୁଁ ଖୁଁ କାଶ ବି ବନ୍ଦ ହୋଇଯାଇଥିଲା। ଆସ୍ତେ ଆସ୍ତେ ବାହାରକୁ ଆସିଲା ସେ। ଏବେ ସେ ନିଜେ ନିଜେ ଉଠି ତାଙ୍କ ସହ ଚାଲିବାକୁ ଲାଗିଲା। କେଜାଣି କାହିଁକି ଥରେ ପଛକୁ ଚାହିଁବାକୁ ଇଛା ହେଲା ତା’ର….

 

 ଏ ଦୁନିଆଁ ରୁ ଶରୀର ଛାଡି ସାରିଲା ପରେ ଆତ୍ମା ପାଖରେ କିଛି ସମୟ ଥାଏ। ଯେଉଁଠି ସେ ଦେଖି ପାରିବ, କିଛି ସମୟ ପୂର୍ବରୁ ମାୟା ଲଗେଇଥିବା, ବାପା, ମା, ବନ୍ଧୁ , ବାନ୍ଧବ, ସାଙ୍ଗ ସାଥୀ, ପାଖ ପଡୋଶୀ ମାନଙ୍କ ପ୍ରକୃତ ରୂପ। ମାୟା ଭିତରେ ଥିଲାବେଳେ ସେ ପ୍ରାୟ ଅନୁଭବ କରିଛି ମୁହଁ ଉପରେ ଥିବା ମୁଖା ଟିକୁ। କିନ୍ତୁ ଏବେ ସେ ଖାଲି ରେ ବି ଦେଖି ପାରିବି ପ୍ରକୃତ ରୂପ ଦୁନିଆଁ ରେ ଥିବା ସବୁ ଲୋକଙ୍କର।

 

ସେ ବି ଦେଖିବାକୁ ଲାଗିଲା। ଛଳନା ର ମୁଖା ସବୁ କୁ ସେ ସ୍ପଷ୍ଟ ଭାବେ ଦେଖି ପାରୁଥିଲା। କିଏ ଉପରେ ଉପରେ ଛାତି ବାଡେଇ କାନ୍ଦୁଥିଲା ତ କିଏ ବୁଢା ଗଲା ଭଲ ହେଲା ବୋଲି କହୁଥିଲା। ସେ ଦେଖି ପାରୁଥିଲା, ତା ସହ ସଂଶ୍ଳିଷ୍ଠ ସବୁ ଲୋକଙ୍କୁ, ସେମାନଙ୍କ ବାହାର ଆଉ ଭିତର ଚେହେରା ସବୁକୁ। ଛି….ଏତେ ଘୁଅ ଏମାନଙ୍କ ମନରେ…..

 

ମଣି, ମକରା, ନାତି ଓ ଅନ୍ୟ ବନ୍ଧୁ ବାନ୍ଧବ ମାନେ ତା’ର ମର ଶରୀର କୁ କୋକେଇ ରେ ବାନ୍ଧି ସ୍ମଶାନ ନେଇ ଯାଉଥିଲେ। ଯେଉଁ ଘର ଦିନ ତା ର ଥିଲା, ଛାତି ଫୁଲେଇ ଏଇଟା ମୋ ଘର ବୋଲି କହୁଥିଲା, ସେଇ ଘରେ ଗୋବର ପାଣି ପକେଇ ସଫା କରି ଭୂତ କିଳଇବାର ବିଧି ଚାଲିଥିଲା।

 

ମୁହଁ ବୁଲେଇ ଚାଲିବାକୁ ଲାଗିଲା ସେ….କୁଆଡେ? ମନେ ପଡିଯାଉଥିଲା ପୁଣି ଫେରି ଯିବାକୁ ହେବ, ପରମାତ୍ମାଙ୍କ ପାଖକୁ, ଯେଉଁଠୁ ସେ ଆସିଥିଲା। କିନ୍ତୁ କଣ କହି ମୁହଁ ଦେଖେଇବ? ତାକୁ ଆସିବା ପୂର୍ବରୁ ଯାହା କୁହାଯାଇଥିଲା, ସେସବୁ ସେ ଭୁଲିଗଲା? ସେତକ ତ ମାନି ନଥିଲା, ବାକି ନିୟମ ବିରୁଦ୍ଧ କାମ ବି ସେ କରିବାକୁ ପଛେଇ ନଥିଲା। କେତେ ପାପ କରିଛି ସେ। ମାୟା ଭିତରେ ରହି ଅନ୍ଧ ହୋଇ ଯାଇଥିଲା। ମୁଁ , ମୋର ବ୍ୟତୀତ ଆଉ କିଛି ଦେଖି ନଥିଲା ସେ। ଏବେ କଣ ଜବାବ ଦେଵ??

 

****

ଜନ୍ମ ପରେ ପରେ ତା ନାଁ ରଖା ଯାଇଥିଲା ଜିତୁ। ଜିତୁ ମର୍ଦ୍ଦରାଜ। ବାପା ଜମିଦାର। ସେ ଜମିଦାର ଘର ର ଏକୋଇରବଳା। ଉପରେ ଦୁଇ ଭଉଣୀ। ଛୋଟ ବେଳୁ ହିଁ ଏ ଅହଂକାର ତା ମନ ରେ ବସା ବାନ୍ଧିଥିଲା। ନିମ୍ନ ଜାତି କିମ୍ବା ମଳି ମୁଣ୍ଡିଆ ଛୁଆଙ୍କ ସହ ସେ ମିଶିବାକୁ ଭଲ ପାଉ ନଥିଲା। ସ୍କୁଲ ରେ ସମାସ୍କନ୍ଦ ପିଲା ନହେଲେ ସାଙ୍ଗ ହେଉ ନଥିଲା। ତା ସହ ଦୁଷ୍ଟାମୀ ବହୁତ କରୁଥିଲା। ଆଜି ପଥର ମାରି କାହାର ତାଡି (ଖଜୁରୀ ରସ) ହାଣ୍ଡି ଭାଙ୍ଗିଲାଣି ତ କାଲି କେଉଁ ବୁଢ଼ୀ କୁ ରାସ୍ତା ରୁ ତଳକୁ ପେଲି ଦେଲାଣି। ଆଜି କାହା କୁଟା (ପାଳ) ଗଦା ରେ ନିଆଁ ଲଗେଇ ଦେଲାଣି ତ କାଲି କେଉଁ ଦରିଦ୍ର ପିଲାକୁ ପିଟି ସାର୍ଟ ପେଣ୍ଟ ଚିରି ଆସିଲାଣି। ଏ ଭିତରେ ତା ମନରେ ଗର୍ବ ବସା ବାନ୍ଧି ସାରିଥିଲା। ସେ ମର୍ଦ୍ଦରାଜ ଘର ଛୁଆ। ଜମିଦାର। ସମସ୍ତେ ତା କଥା ଶୁଣିବେ। ସେ କାହା କଥା ବି ଶୁଣିବନି। ସାହସ ଆହୁରି ବଢ଼ି ଯାଇଥିଲା, ଯେଉଁଦିନ ପିଲାଙ୍କ କଳି ଭାଙ୍ଗିବାକୁ ଆସିଥିବା ମାଷ୍ଟ୍ରକୁ ସେ ହାତ ଉଠେଇଥିଲା। ବାପା ପିଠି ଥାପୁଡ଼େଇ କହିଥିଲେ, ତୁ ହିଁ ଠିକ ଜମିଦାର ହେବୁ। ତା ପରଠୁ କେବେ ବିଦ୍ୟାଳୟ କୁ ନଯାଇ ମଧ୍ୟ ସେ ଦଶମ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଇଥିଲା।

 

କଲେଜ ରେ ନାଁ ଲେଖେଇଲା ପରେ ସବୁ ଯେମିତି ତା ଗୋଡ଼ ତଳେ ଥିଲେ। କେବେ କେଉଁ ଝିଅ କୁ କମେଣ୍ଟ ମାରିବା ଠୁ ଆରମ୍ଭ କରି, ପିଲାଙ୍କୁ ପିଟିବାର ଘଟଣା ତା ପାଇଁ ସବୁଦିନିଆଁ ହୋଇଗଲା। କଲେଜ ର ଝିଅ ମାନେ ତା ପାଇଁ ଖେଳନା ଥିଲେ। ଭଲ ପାଇବାର ବାହାନା କରି କେତେ ଝିଅଙ୍କ ଜୀବନ ସେ ନଷ୍ଟ କରିଥିଲା ତା ର କୌଣସି ହିସାବ ନଥିଲା।

କଲେଜ ସରିବା ପରେ ଗାଁ ରେ ସେ ଜମିଦାର ହୋଇ ସାରିଥିଲା। ବାପା ଆର ପୁର କୁ ଯାଇ ସାରିଥିଲେ। ମା ବୁଝେଇ ବୁଝେଇ ଥକି ଯାଇଥିଲା। ବାହାବେଦୀ ରୁ ସେ ଗୋଟେ ଝିଅ କୁ ଉଠେଇ ଆଣିଥିଲା ଆଉ ଏ ବିଷୟ ରେ କେହି ପୋଲିସ କଂପ୍ଲେନ ଦେବାକୁ ବି ସାହସ କରି ନଥିଲେ। ଚିନ୍ତା ରେ ମା ଚାଲିଯାଇଥିଲା ଆରପୁର କୁ।

ବାହାଘର ପରେ ବି ପ୍ରକୃତି ବଦଳି ନଥିଲା ତା’ର। ଘରେ ସ୍ତ୍ରୀ କୁ ବାଡେଇବା ଠୁ ଆରମ୍ଭ କରି ମଦ ନିଶା ରେ ରାତିଅଧରେ ୟା ତା ଘରେ ପଶିବାକୁ ସେ ତା ଅଧିକାର ବୋଲି ଧରି ନେଇଥିଲା। ଗାଁ ଲୋକ ଅତିଷ୍ଠ ହୋଇ ଯାଇଥିଲେ। ପ୍ରଥମ କରି ଝିଅ ହେବାରୁ, ସ୍ତ୍ରୀ କୋଳ ରୁ ଝିଅ କୁ ଛଡେଇ ନେଇ, ଅନାଥ ଆଶ୍ରମ ରେ ରଖେଇ ଥିଲା। ପଛ କୁ ପଛ ପୁଅ ଦୁଇଟି ପାଇ ଶାନ୍ତ ହେଲେ ବି, ପୁଅ ମାନଙ୍କୁ ନିଜ ପରି କରି ଗଢି ତୋଳିଥିଲା। ପୁଅ ମାନେ ବଡ ହୋଇଯିବାପରେ, ବାପ ପୁଅ ଏକାଠି ବସି ଘରେ ମଦ ପିଇବାରେ ଲାଜ ସରମ ନଥିଲା। ଗରିବ ଚାଷୀ ମାନଙ୍କଠୁ ଜମି ଛଡେଇ ନିଜ ନାଁ ରେ କରିବାରେ ସେ ତା ଜମିଦାରୀ ବୋଲି ଭାବୁଥିଲା। କେତେ ଭୁଲ ସେ କରିଛି, କେତେ ପାପ ଅର୍ଜିଛି, ଆଜି ମନ ବିତୃଷ୍ନା ରେ ଭରି ଗଲେବି, ସବୁ ପାର୍ଥିବ ଜିନିଷ ଛାଡି, କେବଳ ପାପତକ ମୁଣ୍ଡେଇ ସେ ଚାଲିବା ରେ ଲାଗିଥିଲା। ଗୋଟେ ପରେ ଗୋଟେ ପାପ ମୁହଁ ସାମ୍ନା କୁ ଆସି ତାକୁ ମନେ ପକେଇ ଦେଉଥିଲେ ସେଦିନ ଗୁଡିକ। ଏବେ ସେ ଲାଜ ରେ ସଢ଼ି ଯାଉଥିଲା। ପରମାତ୍ମାଙ୍କୁ କଣ ଉତ୍ତର ଦେଵ ସେଇ କଥା ଭାବୁ ଭାବୁ ସେ ସ୍ବର୍ଗ ର ଦ୍ବାର ପାଖରେ ପହଞ୍ଚି ସାରିଥିଲା।

 

****

 

ସ୍ବର୍ଗର ଦ୍ବାର ତ ଫିଟି ନଥିଲା ତା ପାଇଁ, କାରଣ ପାପର ଭାର ଥିଲା ତା ମୁଣ୍ଡ ଉପରେ I ମୁଣ୍ଡ ଉପରେ ପାପର ଭାର ଥିଲେ ସ୍ୱର୍ଗ କୁ ଅନୁମତି ମିଳେନାହିଁ I ଆତ୍ମା ସବୁ ପାପ ର ପ୍ରାୟଶ୍ଚିତ କରି ସାରିବା ପରେ ହିଁ ଭିତରକୁ ଯାଇ ପାରିବ I  କିନ୍ତୁ ଭଗବାନ ଆସି ଅପେକ୍ଷା କରିଥିଲେ ତାକୁ, କିଛି ପ୍ରଶ୍ନ ର ଉତ୍ତର ପାଇଁ….

 

— ଆସିଗଲ?

— ହଁ, ଆଜ୍ଞା!! ମୁଣ୍ଡ ତଳକୁ କରି କହିଲା ସେ।

— ଯେଉଁ କାମରେ ଯାଇଥିଲ, ତାହା କରିକି ଆସିଛ?

— ଚୁପ ରହିଲା ସେ…..

— ମୋ ପାଖରେ ତୁମ ପୁରା ପାପ ପୁଣ୍ୟ ର ହିସାବ ଅଛି। ତୁମର ପାପ ଅନୁସାରେ ପୁଣି ତୁମକୁ ମର୍ତ୍ତ୍ୟ ରେ ଜନ୍ମ ନେବାକୁ ପଡିବ ଓ ପାପ ର ପ୍ରାୟଶ୍ଚିତ କରିବାକୁ ପଡିବ। ଜାଣିଛ ତ?

— ହଁ , ଆଜ୍ଞା।

— ତେବେ ପ୍ରାୟଶ୍ଚିତ କେମିତି କରିବ? କେଉଁ ଜନ୍ମ ନେବ ବୋଲି ଭାବିଛ?

 

ଏବେ ସେ ଚିନ୍ତା କରିବାକୁ ଲାଗିଲା। କେଉଁ ଜନ୍ମ ନେବ ସେ? ଯେ କୌଣସି ଜନ୍ମ ନେଲେ ବି ତା ପାପ ଭାର ଏତେ ଶୀଘ୍ର କମିବ ବୋଲି ଆଶା ନାହିଁ। ଯେ କୌଣସି ପ୍ରାଣୀଯୋନି ରେ ଜନ୍ମ ନେଲେ ବି ବହୁତ ଗୁଡ଼େ ପାପ ହେତୁ ତାକୁ କେତେ ହଜାର ବର୍ଷ ଲାଗିଯିବ ପାପକ୍ଷୟ ପାଇଁ ଜଣାନାହିଁ।  ତେବେ? ଗୋଟିଏ ରାସ୍ତା ତାକୁ ଦେଖାଗଲା। କିନ୍ତୁ ରାସ୍ତା ବହୁତ କଠିନ। ଜୀବନ ସାରା ଗୋଟିଏ ଜାଗାରେ ଠିଆ ହୋଇ ରହିବାକୁ ପଡିବ। ଉପରେ କିଏ  ଏକ, ଦୁଇ କଲେ ବି ତାକୁ ସାଦରେ ଗ୍ରହଣ କରିବ। କାହା ଉପରେ ରାଗିବାର କୌଣସି ଅଧିକାର ତା’ର ରହିବନି। ଯିଏ ବି ଯାହା ଚାହିଁବ ତା ସହ କରି ପାରିବ। ଆଉ ମୂଳ କଥା ହେଲା, ବୁଢା ହେବା ପୂର୍ବରୁ ଯଦି ମରି ଯାଏ ତେବେ ପାପ ଭାର ଅଳ୍ପ କମିବ। ବୁଢା ହୋଇ ମରିଗଲେ କିମ୍ବା ପ୍ରାକୃତିକ ମୃତ୍ୟୁ ରେ ହିଁ  ଏକାବେଳେ ପଚାଶ ପ୍ରତିଶତ ପାପଭାର କମିବାର ଉଦାହରଣ ଅଛି….କିନ୍ତୁ ଏତେ କଷ୍ଟ ସେ ସମ୍ଭାଳି ପାରିବ ତ? ପୁଣି ଏବେ ମର୍ତ୍ତ୍ୟ ରେ ଏ ମଣିଷ ମାନେ ଯେମିତି, ତାକୁ ବୁଢା ହେବାଯାଏଁ ବଞ୍ଚିବାକୁ ଦେବେ ତ? ନିଜେ ମଣିଷ ଥିବାବେଳେ ଏମିତି କେତେ ଗଛ କାଟିଛି ସେ। ତେବେ ୟା ବ୍ୟତୀତ ଆଉ ଯେ କୌଣସି ଜନ୍ମ ନେଲେ ପାପ କମେଇବା ଲାଗି ହଜାର ହଜାର ବର୍ଷ ଲାଗି ଯାଇ ପାରେ। ତେବେ ସେ ଗଛ ଜନ୍ମ ନେବା ପାଇଁ ନିଷ୍ପତ୍ତି ନେଲା।

 

— ଆଜ୍ଞା ଗଛ ଜନ୍ମ ନେବି।

— କଷ୍ଟ ସହି ପାରିବ ତ?

— ପ୍ରାଣପଣେ ଚେଷ୍ଟା କରିବି ଆଜ୍ଞା

— ତଥାସ୍ତୁ….

 

ପୃଥିବୀ ପୃଷ୍ଠ କୁ ଆସି ସେ ଅପେକ୍ଷା କଲା ମଞ୍ଜି ମାନଙ୍କର ଅଙ୍କୁରୋଦଗମ ପାଇଁ କିନ୍ତୁ….. ମଞ୍ଜି ଅଙ୍କୁରୋଦଗମ ହେବା ପୂର୍ବରୁ କିଛି ଗଛ ମଣିଷ ମାନଙ୍କ ଶିକାର ହୁଅନ୍ତି। ତାଙ୍କୁ ବିନା କାରଣ ରେ ଓପାଡ଼ି ଦିଆ ଯାଏ । କିଛି ଛୋଟ ଛୋଟ ହେଲା ପରେ ମଣିଷଙ୍କ ଶିକାର ହୁଅନ୍ତି। କିଛି ବୁଢା ବେଳକୁ ଶିକାର ହୁଅନ୍ତି। ଏମାନଙ୍କର ବଞ୍ଚିବା, ମରିବା ସବୁ ମନୁଷ୍ୟ ଉପରେ ନିର୍ଭର କରେ। କିଛି ଲୋକ ବଡ ବଡ ବୃକ୍ଷ ମାନଙ୍କୁ ବି ଧରାଶାୟୀ କରି ପକାନ୍ତି। କେବେ ରାସ୍ତା ଚଉଡା କରିବାର ବାହାନାରେ କେବେ ଅବା ଚୋରା କାଠ ବିକ୍ରି ପାଇଁ।

 

*****

ଗଛ ର ଜନ୍ମ ଟିଏ ନେବାକୁ ତାକୁ ବହୁତ ବର୍ଷ ଅପେକ୍ଷା କରିବାକୁ ହେଲା। ତା ପୂର୍ବରୁ ବହୁତ ଆତ୍ମା ଲାଇନ ଲଗେଇଥିଲେ । କିଛି ଆତ୍ମା ତ ଥରେ ଜନ୍ମ ନେଇ ପାପର ପ୍ରାୟଶ୍ଚିତ କଲାବେଳେ ମଝିରୁ ଜୀବନ ତ୍ୟାଗ କରି ଅଳ୍ପ ପ୍ରାୟଶ୍ଚିତ ପରେ ଆଉ ଥରେ ଲାଇନ ରେ ଥାନ୍ତି। ଏସବୁ ଦେଖୁ ଦେଖୁ ହୋସ ଉଡି ଯାଉଥାଏ ତା’ର । ଉପରକୁ ଚାହିଁ ପରମାତ୍ମା କୁ ମନେ ପକାଉଥାଏ ସେ…, “ହେ ପ୍ରଭୁ ଆଉ କେତେଦିନ?? ଏ ଭିତରେ ଶହ ଶହ ବର୍ଷ ଅତିକ୍ରମ କରି ଚାଲିଥାଏ….

 

—x—

 

ସମସ୍ତଙ୍କୁ ଅନୁରୋଧ:- ତେବେ ଚାଲନ୍ତୁ, ଆଜିଠୁ ସାବଧାନ ହେବା I ଗଛ କଟା ବନ୍ଦ କରିବା। କମ ସେ କମ ନିଜ ପାଇଁ, ଆମ ଉତ୍ତର ପୁରୁଷଙ୍କୁ ଏ ବିଷୟ ରେ ଅବଗତ କରିବା I ନିଜ ସ୍ୱାର୍ଥ ପାଇଁ ହେଲେବି ୟା ଦ୍ୱାରା କିଛି ପୂର୍ବ ପୁରୁଷ ଉପକୃତ ହେବେ I ପୂର୍ବ ପୁରୁଷ ଙ୍କୁ ଶୀଘ୍ର ରୁ ଅତିଶୀଘ୍ର ତାଙ୍କ ପାପରୁ ମୁକ୍ତି ଦେବାକୁ ଚେଷ୍ଟା କରିବା। କିଛି ନୂଆ ଗଛ ଲଗେଇବା ସହ ଗଛ ର ଯତ୍ନ ନେବା। ସବୁ ଗଛ କୁ ଆମ ନିଜ ପୂର୍ବ ପୁରୁଷ ଭଳି ମାନିବା। ଗଛଟିଏ, ନିଜେ ନିଜେ ମରିବା ଯାଏଁ ତାକୁ ନ କାଟି ବଞ୍ଚିବାକୁ ଦେବା। 

 

ଆମ ଜୀବନ କାଳ ଭିତରେ ଆମେ ଶହ ଶହ , ହଜାର ହଜାର ପାପ କରୁଛେ। କିଏ ଜାଣେ, କାଲି ସକାଳୁ ଆମକୁ ବି ଏମିତି ପ୍ରାୟଶ୍ଚିତ କରିବାକୁ ପଡିବ, ଆଉ ଗଛ ଭାବେ ଜନ୍ମ ନେବାକୁ ଆମକୁ ବି ଶହ ଶହ, ହଜାର ହଜାର ବର୍ଷ ଅପେକ୍ଷା କରିବାକୁ ପଡିବ….

 

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ….ଜୟ ଜଗନ୍ନାଥ  I ଧନ୍ୟବାଦ…

 

 

ସୁଵଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

9376012500

Subal.mohapatra@gmail.com



Vedanti and storymirror — Sept.2018 and Aug.2018

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ
ସୁଵଳ ମହାପାତ୍ର
ଆଜି ବିଶ୍ବ ବନ୍ଧୁତା ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ।
ପ୍ରଶ୍ନ ହେଲା– ପ୍ରକୃତ ବନ୍ଧୁ କିଏ?
ପ୍ରକୃତ ବନ୍ଧୁ ଉପରକୁ ଆସିବା ପୂର୍ବରୁ ଜାଣିବା ବନ୍ଧୁ କିଏ?
ସମାନ ଚିନ୍ତାଧାରା ବା କିଛି ସମାନତା ଥିଲେ ହିଁ ଆମେ ଅପର ମଣିଷ କୁ ବନ୍ଧୁ ଭାବରେ ସ୍ବୀକାର କରୁ। ଯେମିତି କି, ଏକା ସ୍କୁଲ, କଲେଜ କିମ୍ବା ଏକା ଟିୟୁସନ ରେ ପଢ଼ୁଥିବା ପିଲା। କୌଣସି ଗୋଷ୍ଠୀ, କିମ୍ବା ଗ୍ରୁପ ସହ ସଂଶ୍ଳିଷ୍ଠ ଲୋକ ଇତ୍ୟାଦି। ତା ଭିତରୁ ବି ସମାନ ଚିନ୍ତାଧାରା ନଥିଲେ ଆମେ ତାକୁ ବନ୍ଧୁ ବୋଲି ଗ୍ରହଣ କରୁନି। କାରଣ ସେ ଆସ୍ତେ ଆସ୍ତେ ସେ ଶତ୍ରୁ ହୋଇଯାଏ। ତେବେ ବନ୍ଧୁ ମାନେ ଆମ ସହ ସମାନ ଚିନ୍ତାଧାରା ରଖୁଥିବା ବ୍ୟକ୍ତିତ୍ୱ ଟିଏ।
ଏବେ ଆସିବା ପ୍ରକୃତ ବନ୍ଧୁ ଉପରକୁ।
ଜଣେ ଲୋକ ତା ଜୀବନ କାଳ ଭିତରେ ଗୋଟିଏ ପ୍ରକୃତ ବନ୍ଧୁ ପାଇବା ବଡ଼ ଭାଗ୍ୟ ର କଥା। ବହୁତ ବନ୍ଧୁ କେବଳ ହାଏ, ବାଏ ରେ ସୀମିତ ରହନ୍ତି, କେତେକ କେବେ କେମିତି ଫୋନ କରନ୍ତି, କେତେକ ଫରୱାର୍ଡ ମେସେଜ ଟିଏ ଦିଅନ୍ତି। କିଏ କିଏ ସପ୍ତାହକୁ ଥରେ କଥା ହୁଅନ୍ତି। ବାକି whatsaap କିମ୍ବା facebook ରେ ସୀମିତ।
ଅଧିକ ଦେଖିବାକୁ ଗଲେ ଆମ ଘର ପାଖ , ସାହି ପଡ଼ିଶା ଭିତରୁ ହିଁ କିଛି ବନ୍ଧୁ ବିପଦ ରେ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି, ଆଉ କିଛି କେବଳ “ସମ୍ପଦେ ସର୍ବ ସଖା, ବିପଦେ ନ ଦିଅନ୍ତି ଦେଖା” ନ୍ୟାୟ ରେ କେବଳ ପଇସା ଥିଲେ ପାଖରେ ଥାଆନ୍ତି।
ତେବେ ଏସବୁ ଭିତରେ ଆମେ ପ୍ରକୃତ ବନ୍ଧୁଟିଏ ପାଇବା କଷ୍ଟ। ଛୋଟ ବେଳେ ଏକ କାହାଣୀ ପଢ଼ିଥିଲି।
ପୁଅଟି ସବୁବେଳେ କହେ ମୁଁ ସାଙ୍ଗ ସହ ଭୋଜି କରୁଛି, ବାହାରକୁ ଯାଉଛି କିମ୍ବା ସାଙ୍ଗ ମାନଙ୍କ ସହ ମଜା କରୁଛି। ଦିନେ ବାପା ପଚାରି ଦେଲେ,”ଆଛା କହିଲୁ, ତୋର ପ୍ରକୃତ ସାଙ୍ଗ କେତେଜଣ?”
ପୁଅ କହିଲା, “ସମସ୍ତେ”
ବାପା- ଆଜି ଯାଏଁ ମୋ ଜୀବନ କାଳ , ପ୍ରାୟ 65 ବର୍ଷ ଭିତରେ ମୁଁ ମାତ୍ର ଦେଢଟି ବନ୍ଧୁ ପାଇଛି ଆଉ ତୁ କହୁଛୁ ତୋର ସମସ୍ତେ ପ୍ରକୃତ ବନ୍ଧୁ?
ଚାଲ ପରୀକ୍ଷା କରିବା।
ପୁଅ ରାଜି ହୋଇଗଲା।
ପରଦିନ ସକାଳୁ, ପୁଅ ତା ବନ୍ଧୁ ମାନଙ୍କୁ ଯାଇ କହିଲା,” ଭାଇ, କାଲି ରାତିରେ ମଦ ପିଇ ମୁଁ ରାଗରେ ଗୋଟେ ମଣିଷ ମାରି ଦେଇଛି। ଏବେ ମୋତେ ସାହାର୍ଯ୍ୟ କର, ଲାସ କୁ ଠିକଣା ଜାଗାରେ ଲଗେଇବାର ଅଛି। ପୋଲିସ ମୋତେ ଖୋଜୁଛି। କାର ଡ଼ିକି ରେ ଲାସ ଅଛି, ଚାଲ ମୋ ସହ ତାକୁ କେଉଁ ନଦୀ ରେ ଫିଙ୍ଗିଦେବା ନଚେତ ଜଙ୍ଗଲ ଭିତରେ ପୋଡି ଦେବା।
କହିବା ବାହୁଲ୍ୟ ସବୁ ସାଙ୍ଗ ମନା କଲେ, ଓଲଟା ପୋଲିସ ପାଖକୁ ଯାଇ ସରେଣ୍ଡର କର ବୋଲି କହିଲେ। ପୁଅ ଲାଜରେ ଫେରି ଆସିଲା। ଏବେ ବାପାଙ୍କ ପାଳି।
ବାପା ପ୍ରଥମେ ଅଧା ବନ୍ଧୁ ଘରକୁ ଗଲେ। ଅଧା ବନ୍ଧୁ ସବୁ ଶୁଣି କହିଲେ,”ଚିନ୍ତା କରନାହିଁ। ମୋ ବାଡ଼ି ବହୁତ ବଡ଼। ସେ ଲୋକକୁ ଏଇଠି ମାଟି ଖୋଳି ପୋତିଦେବା।
ଏବେ ବାପା ପୁରା ବନ୍ଧୁ ପାଖକୁ ଗଲେ। ପୁରା ବନ୍ଧୁ କହିଲେ, ରହ। ବ୍ୟସ୍ତ ହେବାର କିଛି ନାହିଁ, ଚାଲ ପୋଲିସ ପାଖକୁ ଯିବା। ମୁଁ କହିବି ମୋ ପୁଅ ମାରି ଦେଇଛି।
ଏତକ ଶୁଣିଲା ପରେ ପୁଅ ର ମୁଣ୍ଡ ଆପେ ଆପେ ତଳକୁ ହୋଇ ଯାଇଥିଲା।
ତେବେ , ଏଥର ଆସିବା ପ୍ରଶ୍ନ ଉପରକୁ। ଆମେ ଏବେ ପ୍ରକୃତ ବନ୍ଧୁ ପାଇବା କି? ପାଇବା କଥା ଛାଡ, ଆମେ ନିଜେ ଏବେ ଜଣେ ପ୍ରକୃତ ବନ୍ଧୁ ହୋଇ ପାରିବା କି? ଉତ୍ତର ଆସିବ — ନା….
କିନ୍ତୁ ଉତ୍ତର ହେବକଥା — ହଁ। କାରଣ ଆଜିବି ଆମର ଦୁଇ ଜଣ ପ୍ରକୃତ ବନ୍ଧୁ ଅଛନ୍ତି ସବୁ ସମୟ ରେ। ବାପା ଓ ମା।
ବାପା– 16 ବର୍ଷ ପରେ ବାପା ପାଲଟି ଯାଆନ୍ତି ବନ୍ଧୁ। ବାପା ଆମର ଜଣେ ପ୍ରକୃତ ବନ୍ଧୁ। ବେଳେବେଳେ କଠୋର ହେଲେ ବି ଦରକାର ବେଳେ ସବୁଠୁ ଆଗରେ ସେ ଠିଆ ହୋଇଯାଆନ୍ତି। ସେଥିପାଇଁ ତ କହନ୍ତି, ବାପା ଥିଲା ପୁଅ ସଭାରେ ହାରେନି। (ବାପାଙ୍କ ବିଷୟରେ ଲେଖିଲେ, ବୋଧହୁଏ ଦୁନିଆଁ ର ସବୁ କାଗଜ ସରିଯିବ)
ମା– ଜନ୍ମ ହେବା ପରଠୁ, ଛୁଆ ର ମା ହୋଇଯାଏ ବନ୍ଧୁ। ପ୍ରତିଟି କଥା, କାମ, ସଂସ୍କାର, ବ୍ୟବହାର, ଏପରିକି କଥା ବାର୍ତା ର ଶୈଳୀ ବି ମା ଶିଖାଇଥାଏ। ସେଥିପାଇଁ ଆମେ ଆମ ଭାଷା କୁ mother tounge ବୋଲି କହୁ। (ମା ବିଷୟ ରେ ଲେଖିଲେ ସମୁଦ୍ର ଏତିକି କାଳି ବି କମ ପଡିବ)
ତେବେ ଏ ଦୁଇ ଜଣଙ୍କୁ ଛାଡି ଆହୁରି ଜଣେ ବି ପ୍ରକୃତ ବନ୍ଧୁ ଅଛନ୍ତି, ଯିଏ ତୁମ ର ସବୁ ସମୟ ରେ ତୁମ ପାଖରେ ଠିଆ ହୁଅନ୍ତି। ସୁଖ, ଦୁଃଖ, ହସ, କାନ୍ଦ ରେ ଭାଗିଦାର ହୁଅନ୍ତି। ନିଜେ କଷ୍ଟ କରି ତୁମ ମୁହଁରେ ଟିକେ ହସ ଦେଖିବାକୁ ପ୍ରୟାସ କରନ୍ତି। ସେ ହେଲେ ସ୍ବାମୀ କିମ୍ବା ସ୍ତ୍ରୀ। ଏ ବିଷୟ ରେ କିଛି କହିବାର ନାହିଁ। ସମସ୍ତ ବିବାହିତ ପୁରୁଷ ବା ମହିଳା ଅଙ୍ଗେ ନିଭେଇଥିବେ। (ଏହା ବିବାହିତ ମାନଙ୍କ ପାଇଁ ପ୍ରଯୁଜ୍ୟ। ମୁଁ ବାହା ହୋଇନି ସିନା କିନ୍ତୁ ବରଯାତ୍ରୀ ତ ଯାଇଛି)
ଓଃ….ଏବେ ଆଉ ଗୋଟିଏ ପ୍ରଶ୍ନ, ଆଜି ର ଏ ବିଶ୍ବ ବନ୍ଧୁତା ଦିବସ ରେ ଆମେ ଆମ ବାପା, ମା କିମ୍ବା ସ୍ବାମୀ/ସ୍ତ୍ରୀ କୁ “happy friendship day” ର wish କରିଛେ କି? ଯଦି ନା, ତେବେ ଆମେ ଖାଲି ଲୋକ ଦେଖାଣିଆ ଭାବେ ବନ୍ଧୁତ୍ୱ ଦିବସ ପାଳୁନେ କି??
ଏ ଲେଖା ପଢ଼ୁଥିବା ସମସ୍ତଙ୍କୁ ଅନୁରୋଧ, ଯଦି ଏବେ ଯାଏଁ ଆପଣମାନେ ବାପା, ମା କିମ୍ବା ସ୍ବାମୀ/ସ୍ତ୍ରୀ ଙ୍କୁ wish କରି ନାହାନ୍ତି, ତେବେ ଏବେ ବି ସମୟ ଅଛି। ଫୋନ ଟିଏ କରନ୍ତୁ କିମ୍ବା ପାଖରେ ଠିଆ ହୋଇ wish ଟିଏ କରନ୍ତୁ। ଆପଣ ନିଜେ ଅନୁଭବ କରିପାରିବେ କଣ ଘଟିବ…..
ଅଶେଷ ଧନ୍ୟବାଦ ର ସହ…..Happy Friendship Day…💐💐💐
ସୁବଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
Ph- (0)9376012500

ନାଲି ଫ୍ରକ….

ନାଲି ଫ୍ରକ….
(Vedanti ଇ ପତ୍ରିକା ଅଗଷ୍ଟ ସଂଖ୍ୟା ରେ ପ୍ରକାଶିତ)

 

ସୁଵଳ ମହାପାତ୍ର


ଶନିବାର ସକାଳୁ ଅଫିସ ଖୋଲୁ ଖୋଲୁ ଆକାଉଣ୍ଟ ସେକ୍ସନ ପାଖକୁ ଆସି ଖୁଜୁରୁ ବୁଜୁରୁ ହେଲା ରଥୀଆ।

ଚିନ୍ମୟୀ ଦେବୀଙ୍କ ଅଫିସ ର ପିଅନ ସେ। ଚିନ୍ମୟୀ ଦେବୀ ସେ ଅଫିସ ର ଆକାଉଣ୍ଟାଣ୍ଟ। ଦି ଜଣଙ୍କ ଘର ଆଖ ପାଖ ଗାଁ ରେ କିନ୍ତୁ ଅଫିସ ଟି ଭୁବନେଶ୍ବର ରେ। ଚିନ୍ମୟୀ ଦେବୀ ଅବିବାହିତା। ବୟସ ପାଖାପାଖି ଚାଳିଶ ହେବ। ଛୋଟ ବେଳୁ ବାହାହେବାକୁ କେମିତି ଗୋଟେ ଅଲଗା ଦୃଷ୍ଟି ରେ ଦେଖନ୍ତି ସେ। ଘରର ବଡ ଝିଅ ହେଲେ ବି, ସାନ ଭାଇ ଦୁଇଜଣଙ୍କୁ ପାଠ ପଢେଇ ବାହା ସାହା କରି, ଏବେ ନିଜେ ଜଣେ ଏକା ଏକା କର୍ମଜୀବୀ ମହିଳା ହିସାବରେ ଜୀବନ ବଞ୍ଚୁଛନ୍ତି। ଗାଁ ରେ, ମା ଆଉ ଭାଇ ଭାଉଜ। ସବୁ ଶନିବାର ସନ୍ଧ୍ୟା ବସ ରେ ଗାଁ କୁ ଯାଆନ୍ତି ସେ। ସବୁବେଳେ ରଥୀଆ ବି ସାଙ୍ଗରେ ଯାଏ ସେଇ ଏକା ବସ ରେ। ଖୋଜି ଖୋଜି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ ରେ ଜାଗା ରଖି ଆସିଥାଏ ସେ ଷ୍ଟାଣ୍ଡ ରୁ ଚିନ୍ମୟୀ ଦେବୀଙ୍କ ପାଇଁ। ଏକା ବସ ରେ ଗଲେ ଆଗ ପଡେ ରଥୀଆ ର ଗାଁ ତା ପରେ ଚିନ୍ମୟୀ ଦେବୀଙ୍କ ଗାଁ, ପାଖାପାଖି ପାଞ୍ଚ ଛଅ କିଲୋମିଟର ପରେ।

ଚିନ୍ମୟୀ ଦେବୀ ରଥୀଆ କୁ ଠିଆ ହୋଇଥିବା ଦେଖି ପଚାରିଲେ, “କଣ ହେଲା କିରେ? ”
— ନାହିଁ କିଛିନାହିଁ ଦିଦି , ବୋଲି କହି ଠିଆ ହୋଇ ରହିଲା ସେ।
— କିରେ କଣ ହେଇଛି କହୁନୁ?
— ଦିଦି, ଟିକେ ଟଙ୍କା ଆଡ଼ଭାନସ ଦରକାର ଥିଲା ।
— କାହିଁକି?
— କାଲି ଝିଅ ର ଜନ୍ମ ଦିନ, ଗାଁ କୁ ଯିବି ତ, ଫ୍ରକଟିଏ ନେଇଥାନ୍ତି।
— ଏ ମାସରେ ଦରମା ପାଇନୁ କି?
— ଆଉ ଅଛି, କେବେଠୁ ସଲାଣି ନା।
— ହଉ, ବଡ଼ବାବୁ ଆସନ୍ତୁ, ସେ ବିଷୟରେ କଥା ହୋଇଯିବୁ। ଦରଖାସ୍ତ ଟିଏ ରଖିଥା।

ହଉ କହି ରଥୀଆ ଚାଲିଗଲା। ଗଲା ବେଳେ ହଜାରେ ଚିନ୍ତା ତା ମୁଣ୍ଡକୁ ପଶୁଥାଏ। ଟଙ୍କା ଚାରିହାଜର ଦରମା ତା’ର। ଘରେ ତିନି ପ୍ରାଣୀ କୁଟୁମ୍ବ। ସ୍ବାମୀ, ସ୍ତ୍ରୀ, ଝିଅ। ଏ ମାସର ଦରମା ତ ଶୀଘ୍ର ସରିଗଲା। ଭୁବନେଶ୍ବର ପରିକା ଜାଗାରେ ଟଙ୍କା ହଜାରେ ରେ ଚଳିବା କଷ୍ଟ। ବସ୍ତି ରେ ସେମାନେ ଚାରିଜଣ ଲୋକ ଏକାଠି ଗୋଟିଏ ଘରେ ମେସ କରି ରହୁଛନ୍ତି ବୋଲି ପଇସା ବାଧୁନି। ମାସକୁ ଶହେ ଘରଭଡା। ଖାଇବା ନିଜେ ଆଣି ରୋଷେଇ କରି ଖାଉଛନ୍ତି ବୋଲି ଚଳି ଯାଉଛି, ନହେଲେ ଏ ହୋଟେଲ ବାଲା ଯାହା ପଇସା ହାଙ୍କୁଛନ୍ତି ନକହିବା ଭଲ। ଘରୁ ଚାଉଳ ଗଣ୍ଡାକ ଆସୁଛି ବୋଲି ରକ୍ଷା। ନହେଲେ ଟଙ୍କା ହଜାରେ କଣ? ସେପଟେ ବାକି ପଇସା ଗାଁ କୁ ପଠେଇଲେ, ସେମାନେ ଦୁଇ ପ୍ରାଣୀ ଚଳିବେ , ଚାଷବାସ ହେବ। ଏ ମାସରେ ରଜ ପାଇଁ ଆଉ ଚାଷବାସ ପାଇଁ ପଇସା ଟିକେ ଅଧିକ ଦରକାର। ରଜ ପାଇଁ ପଇସା ତକ ପଠେଇ ଦେଇଥିଲା ଆଗରୁ । ଏବେ ଆଉ ନାହିଁ ପଇସା। କାଲି ସନ୍ଧ୍ୟାରେ ଝିଅ ଫୋନ କରିଥିଲା, “ବାପା, କାଲି ମୋ ଜନ୍ମଦିନ। ଆଜି ଆସିଲା ବେଳେ ମୋ ପାଇଁ ନୂଆ ଫ୍ରକ ଟେ ଆଣିବ” । ଚିନ୍ତା ରେ ପଡି ଯାଇଥିଲା ରଥୀଆ। ରଜ ରେ ତା ପାଇଁ ଫ୍ରକଟିଏ ବି କରି ହେଲାନି। ସେଇ ପୁରୁଣା ଫ୍ରକଟି ପିନ୍ଧି ସବୁଆଡେ ବୁଲିଲା ବିଚାରି। ଯାହା ହେଲେବି, ଏଇ ଦି ହଜାର ଟଙ୍କା ରୁ ତା ପାଇଁ ଫ୍ରକ ଟିଏ ନେଇକି ଯିବାକୁ ପଡ଼ିବ। ନାଲି ଫ୍ରକ ତା’ର ଭାରି ପସନ୍ଦ, ଦେଖିଲେ ଭାରି ଖୁସି ହୋଇଯିବ। କିନ୍ତୁ ପଇସା କାଇଁ? ଆଡ଼ଭାନ୍ସ ନେଲେ ଅବା ଆରମାସରେ କଟିବ ଦରମା ରୁ। କଟୁ ପଛେ, ପଇସା ତ ଏବେ ଦରକାର। ନାଲି ଫ୍ରକ ପିନ୍ଧି ଝିଅ ର ହସ ହସ ମୁହଁଟି ଦିଶିଯିବାରୁ ଖୁବ ଖୁସି ହୋଇଗଲା ସେ। ଏପଟେ ପଇସା ନିଅଣ୍ଟ କୁ ସେପଟେ ଚାଷ ପାଇଁ ବିହନ ବି ଆଣିବାକୁ ପଡିବ। ନହେଲେ ବର୍ଷ ସାରା ଖାଇବେ କଣ? ହଉ, ବାବୁ ଆସନ୍ତୁ, ଦେଖିବା।

ପଇସା ଦେବେ କି ନଦେବେ ଏହି ଆଶଙ୍କାରେ ବାବୁ ଆସିବାର ଅଧଘଣ୍ଟେ ପୂର୍ବରୁ ତାଙ୍କ କେବିନ ଆଗରେ ଠିଆ ହୋଇଥାଏ ରଥୀଆ। ବାବୁ ଆସିଲେ, ନଦେଖିଲା ପରି କେବିନ ଭିତରକୁ ଚାଲିଗଲେ। କିଛି ସମୟ ପରେ ରଥୀଆ କୁ ଡାକିଲେ କେବିନ ଭିତରକୁ। ରଥୀଆ ପଶୁ ପଶୁ ଆରମ୍ଭ ହୋଇଗଲା ଗାଳି , “କଣ ଭାବିଛ ତୁମେମାନେ? ଏଠି ପଇସା ଗଛ ଲାଗିଛି? ଯିଏ ଯେତେବେଳେ ଆସିଲା ମୁଁ ତୋଳି କି ଦେଇଦେବି? ପଇସା ତ କମ୍ପାନୀ ରେ ନାହିଁ, ତୁମକୁ କୁଆଡୁ ଦେଵ? ଯା ଆଉଦିନେ ଆସିବୁନି ପଇସା ପାଇଁ। ମାସ ଶେଷହେଲେ ଦରମା ମିଳିଯିବ। ” କାନ୍ଦୁଣୁ ମାନ୍ଦୁଣୁ ହୋଇ ନେହୁରା ହେଲେ ବି ଶୁଣି ନଥିଲେ ବଡବାବୁ। ଯା ଏଠୁ, ବୋଲି କହି ହାତଦେଖେଇ ଏକ ରକମ ଅଫିସ ଭିତରୁ ବାହାର କରିଦେଲେ। ଆଖି ପୋଛି ପୋଛି ବାହାରକୁ ଆସିଲା ସେ ।

ରଥୀଆ ବାହାରୁ ବାହାରୁ ଦେଖାହେଲେ ଚିନ୍ମୟୀ ଦିଦି। ପଚାରିଲେ, “କଣ ହେଲା”? ରଥୀଆ କଣ କହିବ ଭାବୁ ଭାବୁ ପାଟିରୁ ବାହାରି ଗଲା ,”ହଁ, କହିଛନ୍ତି ଦେବେ ବୋଲି କିନ୍ତୁ ଟିକେ ଲେଟ ହେବ”।

ସନ୍ଧ୍ୟା ରେ ଗାଁ ବସ ରେ ଚଢ଼ିଲାବେଳକୁ ସବୁଥର ପରି ଏଥର ବି ସିଟ ନେଇକି ଆସିଥିଲା ରଥୀଆ । ହସ ହସ ମୁହଁରେ ସିଟ ଉପରୁ ରୁମାଲ ଖଣ୍ଡିକ ଉଠେଇଦେଲା ସେ। ଚିନ୍ମୟୀ ଦେବୀ ସିଟରେ ବସିଲେ। ରଥୀଆ ଆଡକୁ ଚାହିଁ ହସିଦେଲେ। ମନେ ମନେ ଧନ୍ୟବାଦଟିଏ ଦେଲେ।ରଥୀଆ ଅଛି ବୋଲି ସିନା ଏ ଗାଁ ବସ ରେ ସେ ସିଟ ଖଣ୍ଡିକ ପାଉଛନ୍ତି। ନହେଲେ ଗାଁ ବସ ଯେଉଁ ଭିଡ, ଭୁବନେଶ୍ବର ରୁ ବାହାରିଲା ପରେ ଭିତରେ ତ ଛାଡ଼, ବସ ଉପରେ ବସିବାକୁ ଜାଗା ନଥାଏ। ଲୋକମାନେ ପଛ ରଡ଼ ଧରି ଏକରକମ ଓହଳି କି ଯାଆନ୍ତି। ଭିଡ ଭିତରେ ଠିଆ ହୋଇଥିବା ମହିଳାଙ୍କ କଥା ନକହିବା ଭଲ। ଜାଗା ଅଜାଗା ରେ ଲୋକ ଜାଣି ଜାଣି ବାଡେଇ ହୁଅନ୍ତି । ବେଳେବେଳେ କଣ୍ଡକ୍ଟର ବି ଆଗକୁ ପଛକୁ ଯିବା ବାହାନାରେ ଘଷି ହୁଏ। ସିଟ ରେ ବସି ସବୁ ଦେଖନ୍ତି ସେ। କିନ୍ତୁ ଠିଆହେବା ଲୋକର ବି ମୁହଁ ଖୋଲିବାକୁ ଯୁ ନଥାଏ, ସେ କଣ କହିବେ। କହିଲେ ବି ଶୁଣିବ କିଏ? ଭିଡ ର ଦ୍ବାହି ଦେଇ ସବୁ ଖସିଯିବେ। ଏମାନେ ବି କରିବେ କଣ। ଗାଁକୁ ତ ସନ୍ଧ୍ୟା ରେ ଗୋଟିଏ ବସ, ନ ଆସି ଆଉ ଚାରା ଅଛି? ରଥୀଆଟି ଅଛି ବୋଲି ସିନା। ନହେଲେ ସେ ବି ତ ଏମିତି ହଇରାଣ ହୁଅନ୍ତେ। ଆଜିକାଲି ଦିନ କାଳ ଯାହା, ଆଉ କିଛି ନହେବ ବୋଲି କିଏ କହିବ?

ଗାଁ ପାଖ ହେଲାରୁ “ଦିଦି ଆସୁଛି”କହି ଓଲ୍ଲେହି ଗଲା ରଥୀଆ। ମନରେ ଦୁଃଖ ଆଉ ଚିନ୍ତା ମାଡି ବସିଲେ ତାକୁ। ଝିଅ କୁ କଣ କହି ବୁଝେଇବ? ଛଅ ବର୍ଷର ଝିଅ କଣ ବୁଝିବ ବାପର ଅସହାୟତା କୁ? ଚିନ୍ତା ସହ ନିଜକୁ ଧିକ୍କାର କରୁଥାଏ ସେ। ଝିଅ କେବେ କିଛି କହେନି, ଆଜି ପାଟିଖୋଲି ଫ୍ରକ ଟିଏ ପାଇଁ କହିଥିଲା। ସେତିକି ବି ଦେବା ଅବସ୍ଥା ରେ ନାହିଁ ସେ। ଧିକ ତା ବାପା ପଣିଆଁ କୁ। ଆଖିରେ ଆଖିଏ ଲୁହ ନେଇ ଗାଁ ମୁଣ୍ଡ ଚଉତରା ଉପରେ ବସି ରହିଲା ସେ। ଝିଅ ଶୋଇ ପଡିଲେ ଘରକୁ ଯିବ। ନହେଲେ ଝିଅ ରଖେଇ ବସେଇ ଦେବନି। କଣ କହିବ ସେ? ବାପା ପାଖରେ ପଇସା ନାହିଁ ବୋଲି ଫ୍ରକ ଟିଏ ବି ଆଣି ପାରିଲାନି। ଏକ ନମ୍ବର ହାଟ ରେ କେତେ ପଡ଼ିଥାନ୍ତା ଫ୍ରକ ଟିଏ? ଟଙ୍କା ଶହେ କି ଦେଢ଼ଶହ କିନ୍ତୁ ସେତିକି ଦେବାର ସାମର୍ଥ୍ୟ ନାହିଁ ତାର। ଛି….

ରାତି ନଅଟା ପରେ ଆସ୍ତେ ଆସ୍ତେ ଘରମୁହାଁ ହେଲା। ସ୍ତ୍ରୀ ନୀଳ, ଦାଣ୍ଡ ରୁ ବାଡ଼ି , ବାଡ଼ି ରୁ ଦାଣ୍ଡ ହେଉଥାଏ। ଗେରସ୍ତ ଆଜି ଆସିବ କି ନାହିଁ ଜାଣିପାରୁ ନଥାଏ ସେ। ରଥୀଆ କୁ ସେ ଚାହିଁବସେ ସବୁ ଶନିବାର। ରଥୀଆ ବେଳେ ବେଳେ ଆସେନି। ଅଧିକ ରାତି ହେଲେ ଜାଣେ ଯେ ଗେରସ୍ତ ଆଉ ଆସିବନି। କିନ୍ତୁ ଝିଅ ଫୋନ କରିଥିଲା ମାନେ ଆସିବେ ତ ନିଶ୍ଚିତ। ଏବେ ଯାଏଁ ପହଞ୍ଚି ନାହାନ୍ତି। ବାଟରେ କିଛି ଅସୁବିଧା ହେଲାକି? ମନରେ ପାପ ଛୁଉଁଥାଏ ତାର। ମଝିରେ ମଝିରେ ସେ ଜିଭ କାମୁଡି ଦେଉଥାଏ। ଦାଣ୍ଡରେ ରଥୀଆ କୁ ଦେଖି ଜୀବନ ପଶିଲା ତା’ର। ଏତେ ରାତିଯାଏଁ କେଉଁଠି ଥିଲ ବୋଲି ପଚାରୁ ପଚାରୁ ତା ପାଟିରେ ହାତ ଦେଇଦେଲା ରଥୀଆ। ରହ, ଝିଅ ଉଠି ପଡ଼ିବ। ୟାଡେ ଆ।

ରାତିରେ ଭାତ କଂସା ପାଖରେ ବସିଲା ବେଳକୁ ଖାଉ ଖାଉ ଆଖିରୁ ଲୁହ ବୋହିଯାଉଥାଏ ତା’ର। କଣ ହୋଇଛି ବୋଲି ନୀଳ ପଚାରିଲା। କିଛିନାହିଁ କହି, ଅଧାଖିଆ ରୁ ଉଠିଗଲା ସେ। ଦୁଆର ମଝିରେ ପଡିଥିବା ଦଉଡି଼ଆ ଖଟରେ ଗଡୁ ଗଡୁ, ସାଇକେଲଟି ଉପରେ ନଜର ପଡିଲା । ସକାଳୁ ସକାଳୁ ପଧାନଘରେ ସାଇକେଲ ବନ୍ଧାଦେଇ ପଇସା ଆଣିବ ବୋଲି ମନେ ମନେ ଠିକ କଲା ସେ। କିନ୍ତୁ ସାଇକେଲ ନଥିଲେ ସେ ଚଳିବ କେମିତି? କିନ୍ତୁ ନା, ଆଉ କିଛି ବୁଦ୍ଧି ଦେଖାଯାଉ ନଥିଲା ତାକୁ। ଯାହାଯେମିତି ଚଳି ଯିବ ପଛେ, ଆଗ ଝିଅ ପାଇଁ ଫ୍ରକ ଆଣିବ। ଭାବି ଭାବି ଶୋଇ ପଡ଼ିଲା ସେ।

ବଡିଭୋର ରୁ ହଳ ନେଇ ବିଲକୁ ଗଲା। ସଅଳ ଫେରିଲେ ପୁଣି ସାଇକେଲ ବନ୍ଧା ଦବ, ପଇସା ଆଣି ବଜାରକୁ ଯାଇ, ଝିଅ ପାଇଁ ଫ୍ରକ ଆଣିବ ବୋଲି ମନେରଖି ଶୀଘ୍ର ଶୀଘ୍ର କାମ ସାରି ହଳ ବଳଦ ଧରି ବିଲରୁ ଫେରିଲା ସେ। ଛକ ପାଖରୁ ଦେଖିପାରୁଥିଲା, ଝିଅ ତାର ନାଲି ଫ୍ରକ ଟିଏ ପିନ୍ଧି ଡେଇଁ ଡେଇଁ ଘର ଆଗରେ ଖେଳୁଥିଲା। ଆଖି ଜାଲୁଜାଲୁଆ ହେଇ ଆସିଲା ତା’ର। ଆଖି ପୋଛି ପୁଣି ଥରେ ଚାହିଁଲା ସେ। ସତରେ ଝିଅ ତା’ର ନାଲି ଫ୍ରକ ଟିଏ ପିନ୍ଧିଥିଲା। ବହୁତ ସୁନ୍ଦର ଦେଖାଯାଉଥିଲା। ହାତରେ ବଡ ଚକଲେଟ ଟିଏ ଧରିଥାଏ ସେ। ଘର ବାରଣ୍ଡା ରେ ଚିନ୍ମୟୀ ଦିଦିଙ୍କୁ ଦେଖି ଆଉ ବୁଝିବାକୁ ବାକି ନଥିଲା ଯେ, ଫ୍ରକ ଟି ଦିଦି ଆଣିଥିବେ ବୋଲି। ମନେ ମନେ ଠାକୁର ଙ୍କୁ ଶହେ, ଦିଦିଙ୍କୁ ଦୁଇଶହ ମୁଣ୍ଡିଆ ମାରି ପକେଇଲା ସେ। ପାଖକୁ ଆସୁ ଆସୁ ପଚାରିଲା, “ଦିଦି ଇଆଡ଼େ କୁଆଡେ?”
-ଏଇ ପାଖରେ ଗୋଟିଏ ସାଙ୍ଗ ର ଘର, ସେ ବାହାରେ ରହେ। ଏବେ ଗାଁ କୁ ଆସିଛି ତ, ତାକୁ ଦେଖା କରିବାକୁ ଆସିଥିଲି।

ଗଲାବେଳେ ଚିନ୍ମୟୀ ଦିଦି, ତା ହାତରେ ପାଞ୍ଚ ଶହ ଟଙ୍କିଆ ନୋଟ ଚାରିଖଣ୍ଡ ଗୁଞ୍ଜିଦେଇ ସାନଭାଇ ର ସ୍କୁଟର ପଛରେ ବସୁ ବସୁ କହିଲେ, “ସୁବିଧା ହେଲେ ଫେରେଇବୁ, ଏବେ ରଖ। ଇଆଡ଼େ ଆସିଥିଲି ତ ଝିଅ ର ଜନ୍ମଦିନ ବୋଲି କହୁଥିଲୁ, ସେଥିପାଇଁ ତା ପାଇଁ ଏ ଫ୍ରକ ଟି ଆଣିଥିଲି। ହଉ, ମୁଁ ଯାଏ।”

ମୁହଁର ହାଵଭାବରୁ ସେ ଠିକ ଠଉରେଇ ପାରୁଥିଲା ଯେ ଦିଦି ମିଛ କହୁଛନ୍ତି। ସାଙ୍ଗ ପାଖକୁ ନୁହେଁ, ସେ ଝିଅ ପାଇଁ ଫ୍ରକ ଓ ପଇସା ଦେବାକୁ ଆସିଥିଲେ। ବୋଧହୁଏ, ଠିକ ସେମିତି ତା ମୁହଁ ର ହାବଭାବ ରୁ କାଲି ଦିଦି କିଛି ଠଉରେଇ ପାରିଥିବେ।
ଏବେ ତା ଆଖିରୁ କୃତଜ୍ଞତା ର ଲୁହ ବୋହି ଆସୁଥିଲା।

–ସମାପ୍ତ–

 

ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
ଫୋନ- 9376012500
Subal.mohapatra@gmail.com

 

ଟଙ୍କାକିଆ କଏନ

ଟଙ୍କାକିଆ କଏନ

ସୁଵଳ ମହାପାତ୍ର

କୋରାପୁଟକୁ ବଦଳି ହୋଇ ଆସିବା ପନ୍ଦର ଦିନ ହୋଇଥାଏ, ପୁଅର ସ୍କୁଲ ଖରାଦିନ ଛୁଟି ହେଲା ବୋଲି , ମୋ ସ୍ତ୍ରୀ ଓ ପୁଅ ବୁଲିବାକୁ ଆସିଲେ। ଦୁଇଦିନ ହୋଇନି, ସିଜିନ ଚେଞ୍ଜ ଆଉ ଅଲଗା ପାଣି ପାଇଁ ପୁଅକୁ ଜର, ରାତି ଅଧରେ କୁଆଡେ ଯିବି? ପଡୋଶୀ ଙ୍କୁ ଡାକିଲି। କୋରାପୁଟରେ ସବୁ ପୂର୍ବ ଓଡିଶା ଲୋକଙ୍କୁ କଟକିଆ ବାବୁ ବୋଲି କୁହନ୍ତି। ଓଡ଼ିଆ ହେଲେ ବି ଭାଷା ଅଲଗା ଯୋଗୁଁ ଅଳ୍ପ ଅଳ୍ପ ବୁଝି ହେଉଥାଏ। ପଡୋଶୀ ଜଣଙ୍କ ଭଲ ଲୋକ। ରାତି ଅଧରେ ବି କବାଟ ଖୋଲିଲେ, କଣ କରିବା ପଚାରୁ ପଚାରୁ କହିଲେ, “ସେ କଟକି ଡାକ୍ତର ପାଖକୁ ଯାଅ, ସେ ଆସି ଦେଖିଯିବେ। ତୁମର ସ୍କୁଟର ଅଛିନା? ସେଥିରେ ବସି ସେ ଆସିବେ, ପୁଣି ନେଇ ଛାଡ଼ିଦେଵ।”

ମୋତେ ଅଳ୍ପ ଅଳ୍ପ ସନ୍ଦେହ ହେଲା। ମୋତେ ତ କଟକିଆ ବାବୁ ବୋଲି କହୁଛନ୍ତି, ତେବେ କଟକି ଡାକ୍ତର ମାନେ ସେ ବି ପୂର୍ବ ଓଡିଶାରୁ ହୋଇଥିବେ। ତେବେ ଡାକ୍ତର ଜଣେ, ରାତି ଅଧରେ ଘରକୁ ଆସିବେ? କାହିଁ ବିଶ୍ୱାସ ହେଲାନାହିଁ। କଟକ ଭୁବନେଶ୍ୱରରେ ତ ଡାକ୍ତର ଭର୍ତି, କିନ୍ତୁ କାହିଁ କେହିଜଣେ ବି ରୋଗୀର ଘରକୁ ଯାଇ ଦେଖିବା ମୁଁ ଶୁଣିନି। ପୁଅକୁ ଧରି ଅବା ତାଙ୍କ ପାଖକୁ ଚାଲିଯାଇଥାନ୍ତି। କିନ୍ତୁ ଅଜଣା ରାସ୍ତା । ଏପଟେ ପୁଅର ଝାଡ଼ା ବି ହେଉଥାଏ। ଅଧଘଣ୍ଟା ଭିତରେ ସେ ତିନିଥର ଗଲାଣି। ଏ ଅବସ୍ଥା ରେ ସନ୍ଦିହାନ ମନ ନେଇ ସ୍କୁଟର ଷ୍ଟାର୍ଟ କଲି। ପନ୍ଦର ମିନିଟ ପରେ , ପଡୋଶୀ କହିବା ଅନୁସାରେ ଛକ ପାଖ ତିନିଟି ଘର ଛାଡ଼ି, ନଳକୁଅ ଥିବା ଘର ଆଗରେ ସ୍କୁଟର ରଖିଲି। କବାଟ ବାଡଉ ବାଡଉ ଡାକ୍ତର ଜଣଙ୍କ କବାଟ ଖୋଲିଲେ, ସତେ ଅବା ମୋ ଆସିବା କଥା ସେ ଜାଣି ସାରିଥିଲେ। ଲୋକଟିକୁ ଦେଖିଲେ ବେଶଭୂଷାରୁ ଲାଗୁନଥିଲା ସେ ଜଣେ ଡାକ୍ତର ବୋଲି। ସାଧା କନା ଫୁଲପେଣ୍ଟକୁ ଚେକ ହାଫ ସାର୍ଟ। ତା ସହ ପଚାଶ ଟଙ୍କିଆ ହାୱାଇ ଚପଲ ଖଣ୍ଡେ। ଅକାଳେ ନିୟମ ନାସ୍ତି ନ୍ୟାୟ ରେ ବାଧ୍ୟ ହୋଇ ସବୁ ଘଟଣା କହିଲି ତାଙ୍କୁ। ଘଟଣା ଶୁଣି, ତାଙ୍କ ବାକ୍ସ ସହ କିଛି ଔଷଧ ଧରି ଗାଡି ରେ ବସିଲେ। ବାଟରେ ପଚାରି ବୁଝୁଥାନ୍ତି ପୁଅ କଣ ଖାଇଥିଲା? କେତେ ବୟସ? କେବେଠୁ ଜର ହେଲାଣି? କିଛି ଔଷଧ ଦେଇଛ ନା ନାହିଁ? ଏମିତି କେତେ କଣ। ଗାଡି ଚଳାଉ ଚଳାଉ ମୁଁ ସବୁ ପ୍ରଶ୍ନ ର ଉତ୍ତର ଦେଉଥାଏ। ଘରେ ଆସି ପହଂଚିଲୁ। ପୁଅକୁ ଦେଖି ଗୋଟିଏ ଇଂଜେକସନ ଦେଇ, କିଛି ଔଷଧ ତାଙ୍କ ବ୍ୟାଗ ରୁ ବାହାର କରି ଦେଲେ। ଆଉ ଖାଇ ସାରି ଔଷଧ ଖାଇ ଶୋଇଲେ ସକାଳୁ ଜର ଭଲ ହୋଇଯିବ ବୋଲି କହି ଯିବାକୁ ବାହାରିଲେ। ମୁଁ ଘରଣୀ ପାଖରୁ କିଛି ପଇସା ଆଣି ପକେଟ ରେ ଭର୍ତିକଲି। ଡାକ୍ତରଙ୍କୁ ଛାଡିଲା ପରେ ଫିସ ତ ଦେବାକୁ ପଡିବ ନା…. ରାତିରେ ଆସିଛନ୍ତି ଘରକୁ ମାନେ ଟିକେ ଅଧିକ ନିଶ୍ଚିତ ନେବେ ପୁଣି ଔଷଧ ଓ ଇଂଜେକସନ ବି ନିଜ ହାତରୁ ଦେଇଛନ୍ତି। କିଛି ନହେଲେ ବି ଟଙ୍କା ପାଞ୍ଚଶହ ତ ନିଶ୍ଚିତ। ପକେଟ ରେ ଯାହା ଥିଲା ଆଉ କିଛି ଘରଣୀଙ୍କଠୁ ଆଣି ରଖିଲି, କାଳେ ଅଧିକ ବି କହି ପାରନ୍ତି, ସେ ଭୟରେ।

କିଛି ସମୟ ପରେ ତାଙ୍କ ଘର ଆଗରେ ପହଂଚିଲୁ। ସୌଜନ୍ୟ ମୂଳକ ଧନ୍ୟବାଦଟିଏ ଦେଇ ଫିସ କେତେ ବୋଲି ପଚାରିଲି। ସେ ଯାହା କହିଲେ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ଅତ୍ୟଧିକ ମାନସିକ ଚାପରେ ଠିକ ରେ ଶୁଣି ପାରିଲିନି ବୋଧେ। ଆଉ ଥରେ ପଚାରିଲି। ଶାନ୍ତ, ସରଳ ଭାବରେ ସେ ଉତ୍ତର ଫେରେଇଲେ। ସେତିକି ଟଙ୍କା ନଥିଲା ମୋ ପାଖରେ। ତାଙ୍କୁ ମୋଟାମୋଟି ସେତିକି ହିଁ ଦରକାର ଥିଲା, ନା ବେସି ନା କମ। ଏବେ ନାହିଁ, କାଲି ଆଣି ଦେଇଦେବି କହି ଆଉ ଥରେ ଧନ୍ୟବାଦ ଦେଲି।

ସ୍କୁଟର ଷ୍ଟାର୍ଟ କଲା ଯାଏଁ ସେ ସେମିତି କବାଟ ପାଖରେ ଠିଆ ହୋଇଥିଲେ। ମନ କଣ ହେଲା ଫେରି ଆସି “କାଲି ଦିନବେଳେ ଆପଣ ଆମଘରେ ଖାଇବେ” ବୋଲି କହିଲି। ମୁଣ୍ଡ ହଲେଇ ସ୍ବୀକୃତି ଦେଲେ। ଫେରିଲା ବେଳକୁ ସତରେ ଅନ୍ୟମନସ୍କ ହୋଇଯାଇଥିଲି। ମୁଣ୍ଡରେ ପଶୁନଥିଲା କିଛି। 40 ଜାଗାରେ 20 ସ୍ପୀଡ଼ରେ ଗାଡି ଚଳେଇ ଘରେ ପହଂଚିଲି। ଡାକ୍ତର ଫିସ କଥା ଶୁଣି ଘରଣୀ ମୁଣ୍ଡରେ ହାତ ଦେଲେ, କହିଲେ, “କିନ୍ତୁ କାହିଁକି?” ଜାଣିନି ବୋଲି ମୁଣ୍ଡ ହଲେଇ, କାଲି ଘରକୁ ଡାକିଛି ଖାଇବାକୁ, କିଛି ଭଲ ରୋଷେଇ କରିବ କହି ଶୋଇବାକୁ ଗଲି। ମୁଣ୍ଡରେ କିଛି ପଶୁ ନଥିଲା। ଏମିତି ବି ଡାକ୍ତର ଏ ଦୁନିଆଁ ରେ ଅଛନ୍ତି? ରାତି ଅଧରେ ରୋଗୀ ଘରକୁ ଆସି, ନିଜ ପାଖରୁ ଇଂଜେକସନ ଓ ଔଷଧ ଦେଲା ପରେ ଫିସ “ଟଙ୍କାକିଆ କଏନ” ଟିଏ ?? ମାତ୍ର ଏତିକି? ବିଶ୍ୱାସ ହେଉ ନଥିଲା। ଟଙ୍କାଟିଏ କଏନ ନଥିବାରୁ ସେ ରାଜି ହୋଇନଥିଲେ ଅଧିକ ନେବାପାଇଁ। ମୋତେ ରାତିସାରା ନିଦ ହୋଇନଥିଲା। ଔଷଧ ଖାଇ ପୁଅ ଶୋଇ ସାରିଥିଲା। ଘରଣୀ ତା ଉପରେ ହାତରଖି, ସେ ବି ଶୋଇ ପଡ଼ିଥିଲେ। କାରଣ ଖୋଜୁ ଖୋଜୁ କେତେବେଳେ ସକାଳ ହୋଇ ଯାଇଥିଲା।

ସକାଳୁ ପୁଅର ଦେହ ଭଲ ହୋଇଯାଇଥାଏ। ହାଲିଆ ଯୋଗୁଁ ସେ ଶୋଇ ପଡିଥାଏ। ସକାଳୁ ସକାଳୁ ମଟନ ଆଣି ରୋଷେଇ ଅଧା ହେଲା ବେଳକୁ ଗଲି ଡାକ୍ତର ବାବୁଙ୍କୁ ଆଣିବା ପାଇଁ। ଘର ଆଗରେ ପିଣ୍ଡି ଉପରେ ବସି ରୋଗୀ ଦେଖୁଥିଲେ। ସମସ୍ତଙ୍କ ଫିସ “ଟଙ୍କାଏ”। ଔଷଧ, ଇଂଜେକସନ, ଡ୍ରେସିଂ ସବୁ ନିଜେ କରୁଥାନ୍ତି। ଆଉଥରେ ଭଲରେ ଦେଖିଲି ତାଙ୍କୁ। ବୟସ ପାଖାପାଖି 60। ସାଧାରଣ ପେଣ୍ଟ ସାର୍ଟ। ଏବେ ତାଙ୍କ ମୁହଁଟି ଜଣେ ଦେବତା ଭଳି ଲାଗିଲା। ଯିଏ ପଇସା ନଦେଇ ପାରିଲା କିଛି କଥା ନାହିଁ। ପାଖରେ ବସି ଭାବୁଥାଏ, ଏମିତି କେମିତି। ଆଜିକାଲି ର ଦୁନିଆଁ ରେ ଯେଉଁଠି ଡାକ୍ତର ମାନେ ପଇସା ପାଇଁ ରୋଗୀ ମରିଗଲେ ବି ଚାହୁଁ ନାହାନ୍ତି, ସରକାରୀ ଡାକ୍ତରଖାନାରୁ ଠକି ଭଣ୍ଡି ରୋଗୀକୁ ନିଜ କ୍ଲିନିକକୁ ଆଣିବାପାଇଁ ଦଲାଲ ରଖୁଛନ୍ତି, ସେ ପରିକା ସମୟରେ ମାତ୍ର “ଟଙ୍କାଏ” ଫିସ ନେଇ ନିଜ ହାତରୁ ଔଷଧ ଦେଇ ଏ ଆଦିବାସୀ, ଗରିବ, ମଳି ମୁଣ୍ଡିଆ ମାନଙ୍କ ର ସେବା କରିବା ଜଣେ ସାକ୍ଷାତ ଦେବତା ନହେଲେ ଆଉ କିଏ କରି ପାରିବ?

ଦିନ ଗୋଟାଏ ବାଜି ସାରିଥିଲା। ରୋଗୀ ସବୁ ଯାଇ ସାରିଥିଲେ। ପ୍ରଥମେ ଟଙ୍କିକିଆ କଏନ ଟିଏ ତାଙ୍କ ହାତକୁ ବଢ଼େଇ ଦେଲି। କଏନଟି ନେଇ ପେଣ୍ଟ ପକେଟ ରେ ରଖିଲେ। ଏବେ ବାହାରିଲୁ ଆମ ଘର ଅଭିମୁଖେ। ବାଟରେ କେବଳ ତାଙ୍କ ନାଁ ଟି ପଚାରି ପାରିଲି। ଏତେ ବଡ ଦେବତା ପରି ମଣିଷକୁ ନିଜ ଘରକୁ ଖାଇବାକୁ ଡାକି ଥିବାରୁ, ନିଜକୁ ଧନ୍ୟ ମନେ କରୁଥିଲି।

ମାଇକିନା ମଣିଷ ଯଦି କିଛି ଜାଣିଲେ, ତା ଭିତରକୁ ଯାଇ ପୁରା କଥା ନଜାଣିଲା ଯାଏଁ ତାଙ୍କ ଭାତ ହଜମ ହୁଏନି। ଏଇ ଗୁଣ ଟି ବେଳେ ବେଳେ ବହୁତ ଭଲ କାମରେ ମଧ୍ୟ ଆସେ , ଏହା ମୁଁ ଏବେ ଜାଣିଲି। ମୋର ବି ସବୁ ଜାଣିବାକୁ ଇଚ୍ଛା ଥିଲେ ବି ଭଦ୍ରତା ଦୃଷ୍ଟି ରୁ ପଚାରି ପାରୁ ନଥାଏ। ମୋ ସ୍ତ୍ରୀ ତ ଭାରି ଭଲ ମଣିଷ ଜଣେ। ନିମିଷକେ ସେ ଡାକ୍ତର ବାବୁଙ୍କୁ ନିଜ ବାପା ଆଖ୍ୟା ଦେଇ ସାରିଥାଏ। ଏବେ ଘରଣୀ ଆମର ସବୁକଥା ଜାଣିବାକୁ ଜିଜ୍ଞାସା କରନ୍ତେ, ମୋ ନୂଆ ବାପା(ଶ୍ୱଶୁର) କହିବାକୁ ଆରମ୍ଭ କଲେ,” ହଁ ଭୁବନେଶ୍ବର ରେ ମୋର ଘର ଥିଲା। ଘରେ ପୁଅ,ଝିଅ ଆଉ ସ୍ତ୍ରୀ। ସରକାରୀ ଡାକ୍ତର ଥିଲି ମୁଁ, ନିଜର କ୍ଲିନିକ ବି ଥିଲା। ଦରମା ପଇସା ସହ କ୍ଲିନିକ ରୁ ଭଲ ଆୟ ହୁଏ। ବାପାଙ୍କ କଥା ମାନି ତାଙ୍କ ସାଙ୍ଗ ର ଝିଅ କୁ ବାହା ହୋଇଥିଲି। ଟିକେ ଗରିବ ଥିଲେ ମୋ ଶ୍ବଶୁର। ସ୍ତ୍ରୀ କିନ୍ତୁ ଥିଲେ ଭଲ ମଣିଷ।

— ଥିଲେ ମାନେ?? ଆଶ୍ଚର୍ଯ୍ୟ ହୋଇ ଆମେ ଦୁଇଜଣ ତାଙ୍କ ମୁହଁ କୁ ଚାହିଁ ରହିଲୁ ।

— ଆରେ ନା, ନା। ସେମାନେ ଏବେ ବି ଅଛନ୍ତି କିନ୍ତୁ ତାଙ୍କ ସହ ମୋର ଆଉ କିଛି ସମ୍ପର୍କ ନାହିଁ।

— କାହିଁକି?? ମୋ ସ୍ତ୍ରୀ ପଚାରିଲେ।

— କହୁଛି,

ମୁଁ ଥିଲି ଜଣେ ଡାକ୍ତର, ଦରମା ସହ କ୍ଲିନିକ ର ପଇସା ମିଶି ଯଥେଷ୍ଟ ଥିଲା ଆମେ ଚଳିବା ପାଇଁ। ଗୋଟିଏ ପୁଅ, ଗୋଟିଏ ଝିଅ। ଚାରିଜଣ ଙ୍କର କୌଣସିଥିରେ ଅଭାବ ନଥିଲା। ପୁଅକୁ ବି.ଫାର୍ମା. ପାଠ ପଢେଇ ମୋ କ୍ଲିନିକ ପାଖରେ ଗୋଟିଏ ଔଷଧ ଦୋକାନ କରେଇ ସାରିଥିଲି। ଝିଅ ପାଇଁ ବାହାଘର ପ୍ରସ୍ତାବ ବି ଦେଖୁଥିଲି।

ସ୍ତ୍ରୀ ଜନ୍ମରୁ ଗରିବ ଥିଲେ ବି ଏବେ ପଇସା ଆସିଲା ପରେ ଘରେ କମ, କିଟି ପାର୍ଟି ରେ ଅଧିକ ରହୁଥିଲେ। ଝିଅ କୌଣସି ଏକ ପିଲା କୁ ଭଲ ପାଉଛି ଜାଣିଲା ପରେ ମନ ଟିକେ ମରି ଯାଇଥିଲା, ତଥାପି ଭଲ ପିଲା ହୋଇଥିଲେ ବାହାଘର କରିଦେବି ବୋଲି ମନେ ମନେ ନିଷ୍ପତି ନେଇ ସାରିଥିଲି। ପୁଅ ଏବେ ମଝିରେ ମଝିରେ ପିଆ ପିଇ କରି ଘରକୁ ଫେରିବା ର ଖବର ବି ପାଇଲି। ମୁଁ କିନ୍ତୁ ପଇସା ରୋଜଗାର କରିବାରେ ବ୍ୟସ୍ତ ଥିଲି। ରୋଗୀ ମାନେ ଆଗ ପଇସା ଦେଲେ ତାପରେ ରୋଗୀ ଦେଖୁଥିଲି।

ଦିନେ ଦ୍ବିପ୍ରହରେ ଘରକୁ ଖାଇବାକୁ ଆସିଲା ବେଳେ ଦେଖିଲି ପୁଅ ଗାଡି କିଣିବ ବୋଲି ତା ମା କୁ ପଇସା ମାଗୁଥିଲା। ମୋଟର ସାଇକଲ ଟିଏର ଦାମ ଦୁଇଲକ୍ଷ ପଞ୍ଚାନବେ ହଜାର। ତା ସହ ଆନୁଷଙ୍ଗିକ ଆଉ ପଚାଶ ହଜାର ଟଙ୍କାର ପାର୍ଟସ ଲାଗିବ। ସାମାନ୍ୟ ମୋଟର ସାଇକେଲ ର ଦାମ ଏତେ ବୋଲି, ତା ମା ମନା କରିବାରୁ, ଘର ଆଗରେ ଥିବା ଶୋ କୁଣ୍ଡ ଦୁଇଟିକୁ ବାଡେଇ ଭାଙ୍ଗି ସାରିଥିଲା। ରାଗ ତମତମ ହୋଇ ଖାଇବା ସବୁ ବାହାର ନଳାରେ ଢାଳି ଦେଇଥିଲା। ଝିଅ ବି ତା ସହ ତାଳ ଦେଇ “ପଇସା କଣ ହେବକି? ଏତେ ପଇସା ତ ଅଛି ବ୍ୟାଙ୍କ ରେ” ବୋଲି କଥା ସହ କଥା ମିଶାଉଥିଲା। ମୁଁ ମୁହଁ ଖୋଲିବାରୁ ପୁଅ ଝିଅ ଦି ଜଣ ଯାକ ମୋ ଉପରକୁ ଝପଟି ଆସିଲେ। ସ୍ତ୍ରୀ ବି କିଛି କହୁ ନଥାନ୍ତି। ବାପା ହିସାବରେ ମୁଁ ସେଦିନ ବହୁତ ଆଘାତ ପାଇଲି ମନରେ। ମୋ ସଂସ୍କାର ଦେବାରେ କିଛି ହେଳା ରହିଗଲା ବୋଲି ଭାବିସେଦିନ ନଖାଇ ପୁଣି କ୍ଲିନିକକୁ ପଳେଇ ଆସିଲି। ଏଇଠାରୁ ଆରମ୍ଭ ହୋଇଥିଲା ମୋ ଜୀବନରେ ମୋଡ।

ଆମେ ଦି ଜଣ ସ୍ବାମୀ ସ୍ତ୍ରୀ ତାଙ୍କ ମୁହଁକୁ ଚାହିଁଥାଉ। ପୁଅ ବି କେତେବେଳୁ ଆସି ତା ମା କୋଳରେ ବସି ସାରିଥାଏ। ପାଣି ଗ୍ଲାସରୁ ପାଣି ଢୋକେ ପିଇ ସେ ପୁଣି କହିଲେ…

” କ୍ଲିନିକ ଆସି, ଏ.ସି. କୁ ବଢ଼େଇ ଦେଇ ମୁଁ ଚୌକି ରେ ବସି ପଡ଼ିଲି। ଝରକା ପଟେ ବାହାରକୁ ଚାହିଁଲି, ମୁଣ୍ଡ ଭିତରେ କେଜାଣି କଣ ସବୁ ଚିନ୍ତା ବୁଲୁଥାଏ। ଆଖି ଆଗରେ ପିଲାଙ୍କ ଛୋଟବେଳ କଥା ସବୁ ମନେ ପଡିଯାଉଥାଏ। କେତେ ଶାନ୍ତ, ସୁଧାର ଥିଲେ ଏମାନେ। କ’ଣ ମୋ ସଂସ୍କାର ରେ କିଛି ତ୍ରୁଟି ରହିଲା ନା ଲାଳନ ପାଳନ ରେ? ନା ଅଧିକ ପଇସା ହେବାରୁ ଏସବୁ ଘଟୁଛି। କିଛି ପଶୁନଥାଏ ମୁଣ୍ଡରେ। ମୁଁ ହିଁ ତ ଏସବୁ କରିଛି ବୋଲି ମୋ ବିବେକ ମୋତେ ଚେତେଇ ଦେଉଥାଏ। ସବୁବେଳେ କ୍ଲିନିକ ରେ ରହି ଅଧିକ ପଇସା ରୋଜଗାର କରିବା ନିଶାର ପରିଣତି ଯେ ଏଇଟା ଏହା ବୁଝିବାକୁ ଆଉ ବାକି ନଥାଏ। ମୁଁ ତ ପଇସା ପଛରେ ଗୋଡେଇ ଗୋଡେଇ ମୋ ପିଲାଙ୍କ ଦେଖରେଖ ରେ ହେଳା କରିଛି, କହିବି କାହାକୁ? ଏ ବୟସରେ ଏ ପରିକା ବ୍ୟବହାର ପାଇ ମନଟା କାହିଁକି ଭାରି ଆନ୍ଦୋଳିତ ଅବସ୍ଥା ରେ ଥାଏ। ହଠାତ କିଛି ଶବ୍ଦ ମୋ କାନ ରେ ପଡିଲା। ଯୋଗୀଟିଏ କେନ୍ଦେରା ବଜେଇ ବଜେଇ ଯାଉଥାଏ। ମଝିରେ ମଝିରେ ଗାଇ ଦେଉଥାଏ ମଣିଷ ଜନ୍ମ, ମୃତ୍ୟୁ ସମ୍ବଳିତ କଥାସବୁ। ମନେପଡ଼ିଲା ମୋ ପିଲାଦିନ କଥା, ଜେଜେ ଏଇ ଯୋଗୀ ମାନଙ୍କୁ ଡାକି ଭଜୁକିନା ରାମ ନାମ ଆଉ ମନବୋଧ ଚଉତିଶା ଶୁଣୁଥିଲେ ଓ ମୋତେ ଶୁଣାଉଥିଲେ। ଆଜି କାହିଁକି ଆଉଥରେ ସେ ଗୀତଟି ଶୁଣିବାକୁ ଇଛା ହେଲା। ଯୋଗୀକୁ ଡାକି ତା’ଠୁ ଭଜୁକିନା ରାମ ନାମ ଗୀତ ଟି ଶୁଣିଲି। ଜୀବନ ଯେ ମାୟା ରେ ଭରପୁର, ଏ ଶିକ୍ଷାଟି ବୁଝିଲି ସେଦିନ। ମନ ପୁରିଲାନି, ପଚାଶ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଇ “ମନବୋଧ ଚଉତିଶା” ଶୁଣେଇବା ପାଇଁ କହିଲି। ଯୋଗୀ ଜଣଙ୍କ ଯେତିକି ଯେତିକି ଗାଇ ଯାଉଥାନ୍ତି ମନ ସେତିକି ସେତିକି ଶାନ୍ତ ହୋଇ ଆସୁଥାଏ ।

ଗୀତ ଦୁଇଟି ଶୁଣି ମନ ଶାନ୍ତ ହୋଇଯାଇଥିଲା। ଯେତିକି ପଇସା ଅଛି, ମୋ ବିନା ମୋ ସ୍ତ୍ରୀ, ପିଲାଛୁଆ ଆରାମ ରେ ଚଳିବେ। ଅସୁବିଧା ହେବନାହିଁ। କ୍ଲିନିକ ରେ ଥିବା ଡ୍ରେସ ହଳକ ଧରି, ସବୁକିଛି ପଛରେ ଛାଡି ଚାଲିବା ଆରମ୍ଭ କଲି। ତେଣିକି ଏ ପାଦ ଯୁଆଡେ ଟାଣିଲା। ଷ୍ଟେସନ ରୁ ଟ୍ରେନ ଧରି ପୁରା ଦେଶର ସବୁ ଜାଗା, ଚାରି ଧାମ, ବାର ଜ୍ୟୋତିର୍ଲିଙ୍ଗ, ସବୁ ଶକ୍ତିପୀଠ, ଯେତେ ସବୁ ଦେଵ ଦେବାଳୟ, ଦର୍ଶନୀୟ ସ୍ଥାନ ବୁଲାବୁଲି ସାରି ପ୍ରାୟ ତିନିବର୍ଷ ପରେ ଫେରିଲି ଘରକୁ।

ଏବେ ମୋ ପ୍ରକୃତ ଜୀବନ ଅପେକ୍ଷା କରିଥିଲା ମୋତେ। ମୋର ଦାଢ଼ି ଓ ଚୁଟି ବଢି ଯାଇଥିଲା। ବାବାଜୀ ପରି ଦେଖା ଯାଉଥିଲି। ଘରକୁ ପଶିଲା ବେଳକୁ , ଘର କାନ୍ଥ ରେ ମୋ ଫୋଟୋ ରେ ଫୁଲମାଳ ଦେଖି ଟିକେ ଅଟକି ଗଲି। ସ୍ତ୍ରୀଙ୍କ ଦେହରେ ପାଣି ଚୁଡ଼ି ବଦଳରେ ସୁନା ଚୁଡ଼ି, ଖାଲି ସିଂଥି, ଦେହରେ ଦାମୀ ଗୋଲଡେନ ରଙ୍ଗର ପ୍ଲେନ ଶାଢୀ, ପୁଅ ସହ ବୋହୁ, ଏସବୁ ଦେଖି ଆଉ ସନ୍ଦେହ ନଥିଲା ଯେ ମୋ ବିନା ଏମାନେ ଭଲରେ ଅଛନ୍ତି। ମୋତେ ଦେଖି ଭୂତ ଦେଖିଲା ପରି ଚମକି ପଡିଲେ ସମସ୍ତେ। ଫୋନପାଇ ଜୋଇଁକୁ ଧରି ଝିଅ ବି ଆସି ପହଁଚିଲା। ଏବେ ପ୍ରକୃତ ରେ ଆରମ୍ଭ ହେଲା ମୋ ମାୟା ର ଖେଳ। ମୋତେ ଦେଖି ସମସ୍ତେ ଖୁସି ହେବା ବଦଳରେ ଚିନ୍ତାରେ ପଡି ଯାଇଥିଲେ। ଛଅ ମାସ ମୋତେ ଖୋଜିଲା ପରେ ମୋର ଗାଡି ଆକ୍ସିଡେଣ୍ଟରେ ଦେହାନ୍ତ ହୋଇଛି ବୋଲି କହି କୋଟିଏ ଟଙ୍କା ଇନ୍ସୁରାନ୍ସ ପଇସା ଆଣି ତିନିଜଣ ଯାକ ଖର୍ଚ୍ଚ କରି ସାରିଥିଲେ। ବାକି ଯାହା ଥିଲା ସମସ୍ତେ ନିଜ ନିଜ ବାଟରେ ନେଇ ସାରିଥିଲେ। ପୁଅ ବୋହୂ ସହ, ଝିଅ ଜୋଇଁ ସହ, ଆଉ ସ୍ତ୍ରୀ ତାଙ୍କ କିଟି ପାର୍ଟି ସହ, ଖୁବ ଖୁସି ରେ ଥିଲେ। ମୋତେ ଦେଖି ଏବେ ସବୁ ଚିନ୍ତା ରେ। କଣ କରିବେ ବୋଲି ସନ୍ଧ୍ୟାରେ ତାଙ୍କର ବିଲୁଆ ବିଚାର ଚାଲିଲା। କେହି କୋୖଣସି ସିଦ୍ଧାନ୍ତ ରେ ପହଞ୍ଚି ପାରୁ ନଥିଲେ। ମୁଁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଥିଲି। ମୁଁ ବଞ୍ଚିଛି ବୋଲି ଜାଣିବା ମାତ୍ରେ ବ୍ୟାଙ୍କ ଵାଲା ଆଉ ଇନ୍ସୁରାନ୍ସ ଵାଲା ଏମାନଙ୍କୁ ପଇସା ମାଗିବେ। କୁଆଡୁ ଆଣିବେ? ଖର୍ଚ୍ଚ ତ ସରିଛି।

ମୋ ବ୍ୟାଙ୍କ ଆକାଉଣ୍ଟ ସବୁ କେବେଠୁ ବନ୍ଦ ହୋଇ ସାରିଥିଲା। ଘର ବାଡ଼ି ସବୁ କିଛି ତାଙ୍କ ନାଁ ରେ ହୋଇ ସାରିଥିଲା। ମୋର ବୋଲି କହିବାକୁ କିଛି ନଥିଲା ମୋ ପାଖରେ, କେବଳ ମୁଁ କାହାକୁ ନ ଜଣେଇ ଅଲଗା ଏକ ବ୍ୟାଙ୍କ ରେ ରଖିଥିବା ବାର ଲକ୍ଷ ଟଙ୍କା ବ୍ୟତୀତ। ବଡି ଭୋର ରୁ ଉଠି ପାସବୁକ ଟି ଧରି ଘରୁ ବାହାରି ଆସିଲି। ଦୋକାନ ରେ ଜଳଖିଆ ଖାଇ ପଇସା ଦେବାକୁ ଗଲା ବେଳେ ଦେଖିଲି ମୋ ପକେଟ ରେ ଟଙ୍କାକିଆ କଏନ ଟିଏ ବ୍ୟତୀତ ଆଉ କିଛି ନାହିଁ। ଜଳଖିଆ ଦୋକାନୀ କୁ ଅନୁରୋଧ କରି ବ୍ୟାଙ୍କ ଖୋଲିବାକୁ ଅପେକ୍ଷା କଲି। ବ୍ୟାଙ୍କ ଖୋଲିବା ମାତ୍ରେ ମୋ ଆକାଉଣ୍ଟ କୁ ବନ୍ଦ କରି ସବୁ ଟଙ୍କା ଧରି, ଦୋକାନୀ କୁ ତା ପଇସା ଦେଇ, ଲକ୍ଷହୀନ ଭାବରେ ଆଗକୁ ଚାଲିଲି, କିଛି ସମୟ ପରେ ଆସୁଥିବା ଏକ ବସ ରେ ଚଢିଲି। ବସ ଆସି ଏଠି ରହିଲା, କୋରାପୁଟ ରେ। ସେଇଦିନୁ ଏହି ଜାଗାରେ ହିଁ ଅଛି। ମୋ ଡାକ୍ତରୀ ବିଦ୍ୟା କୁ ଲୋକଙ୍କ କାମରେ ଲଗାଉଛି। ଫିସ ହିସାବରେ ଟଙ୍କାଏ ନେଉଛି ଶୁଣି କିଛି ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ନିଜେ ନିଜେ ଆଣି ସାମ୍ପ୍ଲ ଔଷଧ ଓ ଇଂଜେକସନ ଦେଇ ଯାଉଛନ୍ତି। ଟଙ୍କାଏ ଟଙ୍କାଏ କରି ଦିନକୁ ପ୍ରାୟ ୪୦-୫୦ ଟଙ୍କା ହୋଇଯାଏ ମୋ ରୋଜଗାର। ମୋ ଖର୍ଚ୍ଚ ଚଳିଯାଏ।

ଘରଣୀ ଆମର ପୁଣି ଥରେ ପଚାରି ଦେଲେ,”ହେଲେ ଫିସ ହିସାବରେ ଟଙ୍କାଏ କାହିଁକି? ”

— କହିଲେ…ଥରେ ଛୋଟବେଳେ ମୁଁ ବାପାଙ୍କ ପକେଟ ରୁ ପଚାଶ ପଇସା ଚୋରି କରିଥିଲି। ବାପା ରାଗି ମୋତେ ବାଡେଇ ଥିଲେ। ତା ପରେ ଟଙ୍କାକିଆ କଏନ ଟିଏ ଦେଇ କହିଥିଲେ,”ମନେରଖ ଦିନେ ନା ଦିନେ ଏହି କଏନ ଟିଏ ହିଁ ତୋ ଜୀବନରେ ଖୁସି ଆଣିବ”। ଜଳଖିଆ ଦୋକାନରେ ଜଳଖିଆ ଖାଇ ସାରିଲା ପରେ ଏହି କଏନ ଟିଏ ହିଁ ଥିଲା ମୋର ସର୍ବସ୍ବ ସମ୍ପତ୍ତି। ସେହିଦିନୁ ନିଷ୍ପତି ନେଲି, ରୋଗୀ ଦେଖି ଫିସ ହିସାବରେ ଟଙ୍କାକିଆ କଏନ ଟିଏ ହିଁ ନେବି।

ବାକି ରହିଲା ବାର ଲକ୍ଷ ଟଙ୍କା? ଆଗରେ ଯେଉଁ ସ୍କୁଲଟି ଅଛି ସେଇ ସ୍କୁଲକୁ ଦାନ କରି ଦେଇଛି କିଛି ପଇସା ଓ ବାକି ଟଙ୍କାରେ ଭଲ ପଢ଼ୁଥିବା ଗରିବ ଛାତ୍ର, ଛାତ୍ରୀଙ୍କ ପାଇଁ ଛାତ୍ରାବାସ ଟିଏ ଖୋଲିଛି। ଏମିତି ତ ଷାଠିଏ ଛୁଇଁଲାଣି। ବାକି ଜୀବନ ଏଠି ଏମିତି ଲୋକଙ୍କ ସେବାରେ କାଟିଦେଲେ ଯାଏ। ଏଇ ଲୋକଙ୍କ ଭଲପାଇବା ହିଁ ଆଜି ସବୁକିଛି ମୋ ପାଇଁ, କଣ ଆଣିଥିଲି ଯେ ନେଇ କି ଯିବି? ଯାହା କରିବି ଏଇ ଜୀବନରେ। ଯାହା ପାଇଁ ପଇସା ସଞ୍ଚି ରଖିଥିଲି, ଯାହା ପାଇଁ ପଇସା ପଛରେ ଧାଉଁଥିଲି, ସେମାନେ ଯେତେବେଳେ ବଞ୍ଚି ଥାଉଥାଉ ଫୋଟୋ କରି ଫୁଲମାଳ ଝୁଲେଇ ଦେଲେ, ଆଉ କାହା ପାଖରୁ କଣ ଆଶା ରଖିବି?

କଥା କଥାରେ ଗାଇଲେ ମନବୋଧ ଚଉତିଶା ର ସେଇ ପଦ ଗୁଡିକ…

କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,

କିଘେନି ଯିବୁ ତୋର ଛୁଟିଲେ ଘଟ”।

ଗଲେଣି ତୋ ସଂଗରୁ ଯେତେକ ଜନ,

ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ?

ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନବୋଲୁ,

ଗାଢେ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,

ଘଟ ଛୁଟିଲେ ତୋତେ ବୋଲିବେ ଭୂତ,

ଘର ଘରଣୀ ଦେହ କିଲାଉଥିବେ,

ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।

ପରମ ତୃପ୍ତିରେ ମୁହଁଟି ତାଙ୍କର ଉଜ୍ଜ୍ବଳ ଦେଖା ଯାଉଥାଏ । ହଉ.. ଯିବା.. କହି ହାତ ଧୋଇବା ପାଇଁ ସେ ଉଠିଲେ…

ଡାକ୍ତର ବାବୁଙ୍କ କଥା ଶୁଣି ସାରିଲା ବେଳକୁ ମୋ ଆଖିରେ ଲୁହ ଟଳ ଟଳ କରୁଥିଲା। ଘରଣୀ ମୋର, ପାଟିରେ ଜାକିଧରିଥିବା ଲୁଗା କାନି ରେ ଲୁହ ପୋଛୁଥିଲେ। ଭାବୁଥିଲି, କହିବା କାହାକୁ? ଧନୀ ହେଉ କି ଗରିବ, ସମସ୍ତେ ଆଜି ଟଙ୍କା ପଛରେ ବାଇ। ଗରିବ ଘରେ, ଟଙ୍କା ନେଇ ମଦ ପିଇବାକୁ ଭେଣ୍ଡିଆ ପୁଅ ବାପା ମାଙ୍କୁ ବାଡେଇବାଠୁ ବଳିଗଲା ଗୋଟିଏ ଧନୀ ଡାକ୍ତରର କରୁଣ କାହାଣୀ।

କେହି ନଦେଖିଲା ପରି ଆଖିରୁ ଲୁହ ପୋଛି ମୁଁ ଉଠି ଯାଉଥିଲି ସ୍କୁଟର ର ଚାବି ଆଣିବା ପାଇଁ…..

–X–

ଶିକ୍ଷା — ପଇସା ପଛରେ ଧାଇଁ କିଛି ଲାଭ ନାହିଁ I ଆଜି ତୁମେ ଯାହା ରୋଜଗାର କରିବ, କାଲି ତାହା ଆଉ କିଏ ଉପଭୋଗ କରିବ I ଯଦି ପାରୁଛ, ନିଜ ମନର ଶାନ୍ତି ପାଇଁ କିଛି କର I

ସବୁ ଡାକ୍ତର ବନ୍ଧୁ ମାନଙ୍କୁ ଗୋଟିଏ ଅନୁରୋଧ :- ଦିନକୁ ଗୋଟିଏ ଘଣ୍ଟା “ଅତି ଗରିବ” ରୋଗୀ ଦେଖିବାରେ ଲଗାନ୍ତୁ I ଏହି ସମୟ ରେ କେବଳ ଅତି ଗରିବ, ଟଙ୍କା ନଥିବା ରୋଗୀଙ୍କୁ ଦେଖନ୍ତୁ, ଆଉ ଫିସ ହିସାବରେ ମାତ୍ର ଟଙ୍କାଏ ନିଅନ୍ତୁ I ବହୁତ ଆଶୀର୍ବାଦ ମିଳିବ, ଯାହାକି ଆପଣ ମରିଗଲା ପରେ କାମରେ ଲାଗିବ I “ଯମ ପାଖରେ, ଭଲ କାମ ପାଇଁ ହେଉ” କିମ୍ବା “ଜଣେ ଭଲ ଡାକ୍ତର ଥିଲା, ଅତି ଗରିବ ରୋଗୀ ପାଖରୁ ଟଙ୍କାଏ ଫିସ ନେଇ ରୋଗୀ ଦେଖୁଥିଲା” ବୋଲି ଲୋକଙ୍କ ମୁହଁରୁ ହେଉ I ଆପଣଙ୍କ ନାଁ କାଳ କାଳକୁ ରହିଯିବ I

–X–

ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ…. ଜୟ ଜଗନ୍ନାଥ ….

ସୁଵଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

(0)9376012500

 

ହାପି ରଜ…

ରଜ ସଂକ୍ରାନ୍ତି ରେ ପଢନ୍ତୁ…
ହାପି ରଜ…
ସୁଵଳ ମହାପାତ୍ର
ସକାଳୁ ସକାଳୁ ନାନୁଆଁ ଡାକିଲା,”ବବୁଲୁ, ଶୀଘ୍ର ଆ….ସିଆଡେ ଦଳ ସବୁ ଆସି ସାରିଲେଣି”। ଗାଁ ରେ ସମସ୍ତଙ୍କ ନାଁ ପଛରେ ଆ ଲାଗିବା ଥୟ। କୁନିଆ, ପିଣ୍ଟୁଆ, ମଣ୍ଟୁଆ, ସନିଆଁ, ମାନିଆଁ, ନାନୁଆଁ ଏମିତି ସବୁ। ମୋ ନାଁ ଟା ବବୁଲୁ ବୋଲି ଟିକେ ଅଲଗା। ଯାହା ହଉ, ବୁଝିବାକୁ ଆଉ ବାକି ନଥିଲା ଯେ ପାଖ ଗାଁ ର ଝିଅ ଦଳ ଆମ ଗାଁ କୁ ଆସିଲେଣି ଦୋଳି ଖେଳି। ଗାଁ ରେ ଦୋଳି ଖେଳ ଟା ନିଆରା। ଗୋଟେ ଗାଁ ର ଝିଅ, ଆର ଗାଁ ର ଦୋଳି କେମିତି ହେଇଛି ନ ଦେଖିଲେ ତାଙ୍କ ପୋଡପିଠା ହଜମ ହୁଏନି। ପୋଡପିଠା ହଜମ ହୁଏନି କି ଖାସି ଟା ପେଟ ଭିତରେ ମେ ମେ କରେ ମା ଗଙ୍ଗାଙ୍କୁ ଜଣା। ତାଙ୍କ ମନ ଭିତରେ ବି କଣ ସେମିତି କିଛି ଥାଏ କି? ଯାହା ଏ ଗାଁ ର ଟୋକାଙ୍କ ମନରେ ଥାଏ? କେଜାଣି?
ମୋର ପୁରା ବାଲ୍ୟକାଳ ଟି ସହରରେ କଟିଛି, ସେଥିପାଇଁ ମୁଁ ଏ ସବୁ ବିଷୟ ରେ ଟିକେ ଅନଭିଜ୍ଞ। କିନ୍ତୁ ନାନୁଆଁକୁ ସବୁ ଜଣା । ଯାହା ହେଲେ ଗାଁ ଟୋକା ନା।ମାମୁଁ ଘର ଗାଁରେ ରଜ ରେ କବାଡି ଖେଳ ଟା ଭଲ ଜମେ। ବୁଢା ହଡା ଯେତେ ସବୁ ଟ୍ୱେଣ୍ଟି ନାଇଁନ ଖେଳିବାରେ ବସି ଯାଆନ୍ତି। କଥା କଥା ରୁ ହାତାହାତି ଯାଏଁ କଥା ଯାଇ ତାସ ଚିରିବା ରେ କଥା ସରେ। ପୁଣି ଆଉ ହଳେ ଆସେ। ଟୋକା ଦଳ କିନ୍ତୁ ଲାଗନ୍ତି କବାଡି ଖେଳ ରେ। କବାଡି ଯେଉଁଠି ଖେଳ ହୁଏ, କିଛି ଦୂର ଛାଡି ଆମ୍ବ ତୋଟା ରେ ଭିଡା ଯାଇଥାଏ ଦୋଳି। କବାଡି ଖେଳ ର ଆକର୍ଷଣ ସେତେବେଳେ ଜମେ, ଯେତେବେଳେ ପାଖ ଗାଁ ରୁ ଝିଅ ଦଳ ଆସନ୍ତି ଦୋଳି ଖେଳିବା ପାଇଁ। ନିଜ ଗାଁ ଝିଅ ତ ସିଙ୍ଘାଣିନାକୀ, ଯେତେ ଭଲ ହେଲେ ବି କେଉଁ ମନକୁ ଆସେ? ଯାହା ହେଲେ ପାଖ ଗାଁ ଝିଅ ନା…ସୁନ୍ଦରୀ ଗୁଡା ତ….ଆଉ । ପୁରୁଷ ପଣିଆ ଦେଖେଇବାର ଏଇଟା ପ୍ରକୃଷ୍ଟ ସମୟ। ଆଃ….କାହାର ନା କାହାର ହୃଦୟ ଟି ଆମ୍ବ ଗଛ ରେ ଲଟକି ଥାଏ ଆଉ ସେଇ ଝିଅଟିକୁ ଛାଡି ବାକି ସମସ୍ତେ ଜାଣିଥାନ୍ତି ଏ ବିଷୟରେ। “ନନା, ଭାଉଜ …ଭାଉଜ…” ଡାକରେ ଠରା ଠରି ହୋଇ ଯାଆନ୍ତି ସାଙ୍ଗମାନେ। ଥରେ ମୁହଁ ଉଠେଇ ଦେଖିଦେଲେ ତ ମନ କୁଣ୍ଢେମୋଟ।
ଗାଁ ରେ ପ୍ରେମ ମାନେ ଆଉ କଣ କି? ନା ପାର୍କ ଅଛି ନା ହୋଟେଲ। ମନ ଦିଆନିଆ ହୁଏ ଏଇ କବାଡି ଆଉ ଦୋଳି ଖେଳ ଭିତରେ। ପ୍ରେମ ଉଚ୍ଛୁଳେ କବାଟ ଫାଙ୍କ ରୁ ଅବା ନଈ କୁ ପାଣି ଆଣି ଗଲାବେଳେ। ସାଇକେଲ ଧରି ପ୍ରେମିକା ର ଗାଁ ଆଡେ ଘେରେ ମାରି ଆସିଲେ ମନ ଶାନ୍ତି। ସାଇକେଲ ର ଘଣ୍ଟି ଟା କେମିତି କେଜାଣି ଆପେ ଆପେ ବାଜି ଉଠେ ପ୍ରେମିକା ଘର ପାଖାପାଖି। କବାଟ ଫାଙ୍କ ରୁ ସତେ ଅବା କିଏ ଚାହିଁଥାଏ…ଦିଶିଯାଏ ଆଖିରୁ ଗୋଟେ କିମ୍ବା ମୁହଁ ରୁ ଫାଳେ। ବାସ…ଦିନ ଯାକର କଷ୍ଟ ଦୂର ହୋଇଯାଏ। ପ୍ରେମିକା ର ରଙ୍ଗ କେଉଁ କମ କି?? ନଈ କୁ ପାଣି ଆଣି ଗଲାବେଳେ ଆଖି ଦି ଥର ବୁଲି ଯାଏ ସବୁ ଆଡେ, କାଳେ ଆସିଲେ କି? ଦେଖା ହେଲେ ବି ମଝିରେ ଷଣ୍ଢ ପୁରାନ୍ତି ଗାଁ ର ବୟସ୍କ ଲୋକ କେହିଜଣେ। ଫେରୁଥିବେ ନଈ ଆଡୁ ନହେଲେ ଯାଉଥିବେ ବିଲ ଦେଖି। ଭାରି ଚିଡି ଲାଗେ। ଆଖି ନଚେଇ ଆଖି ଆଖି ରେ ଗୁଳି ମାରେ ପ୍ରେମିକା ଟି ଆଉ ପ୍ରେମିକ ବି ସେତିକି ରେ ବେହାଲ…..
©subal mohapatra
ବ..ବୁ..ଲୁ..ଉ..ଉ..ଉ.. ଏଇ ଡାକଟି ଯଥେଷ୍ଟ ଥିଲା ଦାଣ୍ଡ ପଟୁ ବାଡ଼ି ଯାଏଁ । ଟି ଶାର୍ଟ ଟି ଗଳେଇ ଦେଇ ବାହାରି ପଡ଼ିଲି। ସିକ୍ସ ପକେଟ ବାଲା ହାଫ ପ୍ୟାଣ୍ଟ କୁ ଫୁଲ ହାତ ଵାଲା ଟି ଶାର୍ଟ। ନାନୁଆଁ କିନ୍ତୁ ହାତ କଟା ଗଞ୍ଜି ଖଣ୍ଡେ କୁ ଲୁଙ୍ଗି ଖଣ୍ଡେ ପିନ୍ଧି ଥାଏ। ତାକୁ ପୁଣି ଆଣ୍ଠୁ ପାଖରୁ ଭାଙ୍ଗି ଗଣ୍ଠି ମାରି ପିନ୍ଧିଥାଏ। ତା ବେଶ ଦେଖି ମୁଁ କଣ କହିବି ଭାବୁ ଭାବୁ, ସେ ସାଇକେଲ ର ରଡ଼ ରେ ବସି ସାରି ମୋତେ ଇଙ୍ଗିତ କରୁଥିଲା ସିଟ ରେ ବସି ସାଇକେଲ ଚଳେଇବାକୁ। “ନା ବେ, ତୁ ଚଲା” କହି ମୁଁ ଟିକେ କୁନ୍ଥୁ କୁନ୍ଥୁ ହେଲି।
“ମୋ ଭାଇଟା ପରା। ଲୁଙ୍ଗି ଟା ପିନ୍ଧିଛି, ନହଲେ ଚଳେଇଥାନ୍ତି । ଏଇଟା ରେ ପରା ସବୁଆଡୁ ଦିଶିବ । ମୁଁ ପଛେ ଡବଲ ମାରିବି” କହି ସେ ଅନୁନୟ ହେଲା। ଲୁଙ୍ଗି ଖଣ୍ଡେ ପିନ୍ଧି କେହି ଯେ ଝିଅଙ୍କୁ ଲାଇନ ମାରିବା ପାଇଁ ଯାଇପାରେ ଏହା ମୋ ଚିନ୍ତା ର ପରିସୀମା ବାହାରେ ଥିଲା। ଛାଡ଼, କହି ସାଇକେଲ ସିଟ ରେ ବସି ପେଡଲ ମାରିଲି ଆଗକୁ।
ନଈ ପାଖ ଆମ୍ବ ତୋଟା ରେ କବାଡି ଖେଳ ଟା ଜମି ଆସିଥାଏ, ତା’ସହ ଦୋଳି ଖେଳ ବି। “ସର” ସହ ଆଉ ଗୋଟେ ଝିଅ କୁ ଦେଖି ଆଖିଟା ବାରମ୍ବାର କାହିଁକି ସେପଟକୁ ଚାଲି ଯାଉଥାଏ। ସର, ମୋ ମାମୁଙ୍କ ଛାତ୍ରୀ। ମନଟା ଟିକେ ଖୁଜୁବୁଜୁ ହେଉଥାଏ କଣ ଗୋଟେ ପଚାରି ଦେବାକୁ। କିନ୍ତୁ ଆରପଟେ ଅଳ୍ପ ଟିକେ ଡର ବି ଲାଗୁଥାଏ। ହଠାତ ନାନୁଆଁ ର ଡାକ ରେ ଚମକି ପଡିଲି,”ଆମ ପଟୁ ବବୁଲୁ ଖେଳିବ, ତମେ ଶଳେ ସବୁ ଗଜା ଟୋକା ନବ ଆଉ ଆମକୁ ସେନ୍ତେରା ସବୁ ଦବ? ଚଳିବନି ନନା, ସେ ସବୁ ଥାଉ ଆର କାଳକୁ। ତେମେ ଆମକୁ କଣ ବୋଲି ଭାବିଛ କି? ଆଜି ପାଣି ପିଏଇବୁ ରୁହ। ଜଣ ଜଣ କରି ଯଦି ଟେକି ନ ଆଣିଛୁ…. ଆ ରେ ବବୁଲୁ, ଏଇ ପଟକୁ ଆ….”
କିଛି ସମୟ ଭିତରେ ଆରମ୍ଭ ହୋଇଗଲା କବାଡି, ଆମ ଦଳ ରୁ ଜଣେ ଜଣେ କରି ସବୁ ମରି (out ହୋଇ) ସାରିଥାନ୍ତି । ଏକା ମୁଁ, କଣ କରିବି? ଏପଟେ କବାଡି ର ଦାୟ ନା ସେପଟେ ଚାହାଣି ର ଦାୟ? ଦୋଳି ପାଖରୁ ଆଖି ଦୁଇଟି ମୋତେ ଚାହିଁଥାନ୍ତି। ଏପଟେ ଗାଁ ର କିଛି ପିଲା ମୋତେ ସାହସ ଦଉଥାନ୍ତି ତ ଆଉ କିଛି, “ଇଏ ଭାଇ ଆମ ପଖାଳ ବଡି ନୁହେଁ, ପାରିବନି” ବୋଲି ମନ୍ତବ୍ୟ ଦେଉଥାନ୍ତି।ଆର ଦଳ ର ପିଲା ବି ମୋତେ ହତୋସ୍ଛାହ କରିବାକୁ ଚେଷ୍ଟା କରୁଥାନ୍ତି। “ଯାହା ହବ ଦେଖାଯିବ” କହି ନାନୁଆଁ ମୋତେ ଆର ପଟକୁ ଯାଇ ଦି ଚାରିଟା କୁ ମାରି ଆସିବାକୁ ଇସାରା ଦେଲା। ଖେଳ ଖେଳ ରେ ହାର ଜିତ ଥାଏ। କିନ୍ତୁ ସେ ଝିଅଟି ଆଗରେ ହାରିବାକୁ ଜମାରୁ ଇଛା ନଥାଏ ମୋର। କବାଡି…କବାଡି…କବାଡି…କହି ଆଗକୁ ମାଡ଼ିଗଲି। ଦୁଇ ତିନି ଥର ଏପଟ ସେପଟ ହେଲା ପରେ ଭିତର ଗାର ଛୁଇଁ ଆସିଲା ବେଳକୁ ହାତ ଦୁଇଟି କୁଆଡୁ ଆସି ମୋତେ ଧରି ସାରିଥିଲେ। ଜଣେ ପରେ ଜଣେ ଛଅ ଜଣ ଟାଣି ଧରି ଭିଡି ନେବାକୁ ଚେଷ୍ଟା କରୁଥାନ୍ତି। ମୁଁ ବି ସବୁ ବଳ ଖଟେଇ ଖସି ଆସିବାକୁ ଚେଷ୍ଟା କରୁଥାଏ। ହଠାତ ଜଣଙ୍କ ହାତ ଖସି ଯିବାରୁ ମୋ ବଳ ର ପ୍ରଭାବରେ ଆଗକୁ ଭିଡି ହୋଇଗଲି ଆଉ…. ମୁହଁ ମାଡି ତଳେ।
ଶଳାଟାର ବଳ ଅଛି ବେ…ତମେ ସବୁଗୁଡା ମାଈ ଛୁଆ। ଛଅ ଜଣ ଭିଡି ଧରି ପାରୁନ…ଖେଳ ଖେଳୁଛ….ଏଭଳି ମନ୍ତବ୍ୟ ଗୁଡିକ କାନ ରେ ବାଜିବାକ୍ଷଣି ଦୋଳି ଆଡକୁ ଚାହିଁଲି। ଆଖି ଦୁଇଟି ଖୁସି ରେ କୁରୁଳି ଉଠୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ସିକ୍ସ ପକେଟ ପେଣ୍ଟ ଟି ଚିରି ସାରିଥିଲା ଆଉ ମୁହଁ ତଳେ ମାଡ଼ ହୋଇ ରକ୍ତ ବାହାରି ସାରିଥିଲା। ଗୋଡ ହାତ କଥା ନକହିବା ଭଲ। ପଡୁ ପଡୁ କୁଆଡେ ମୁଁ ମଝି ଗାରଟି ଛୁଇଁ ଦେଇଥିଲି ଆଉ ଆର ଦଳ ର ଛଅ ଜଣ ଯାକ ମରି (out ହୋଇ) ସାରିଥିଲେ।
ଖେଳ ରେ ଖଣ୍ଡିଆ ଖାବରା ହୋଇ, ମୁଁ ଆଉ ଖେଳିବିନି ବୋଲି କହି ନଈ ଆଡେ ଧୋଇ ହେବାକୁ ଗଲି। ନାନୁଆଁ କିନ୍ତୁ ଖେଳିବାକୁ ରହିଲା। ନଈ ରେ ପଶି, ରକ୍ତ ବାହାରୁଥିବା ଜାଗା ଗୁଡାକୁ ଧୋଇଲା ବେଳେ ପାଖରୁ କିଛି ଶବ୍ଦ ଶୁଭିଲା, “ଜିତିବା କଣ ନିହାତି ଜରୁରୀ ଥିଲା”? ଚାହିଁ ଦେଖିଲି ସେଇ ଝିଅ ଟି। ଆଖିରେ ଆନନ୍ଦ ମିଶ୍ରିତ କଷ୍ଟ ର ସୂଚନା। ଆନନ୍ଦ, ମୁଁ ଜିତି ଯାଇଥିଲି। କଷ୍ଟ, ମୋ ଗୋଡ଼ ହାତ ଖଣ୍ଡିଆ ହୋଇଥିଲା। “ନା, ମାନେ ମୁଁ ତ ଖସି ଆସିବାକୁ ଚେଷ୍ଟା କରୁଥିଲି, କିନ୍ତୁ …ହଁ, ହୁଏ ଏସବୁ ଖେଳ ରେ…” କଷ୍ଟ ସମ୍ଭାଳି ମୁହଁରେ ହସ ଫୁଟେଇ ଏକାଥରେ କହିଗଲି ଏତକ। ଖଣ୍ଡିଆ ଯୋଗୁଁ ଜାଗା ଗୁଡିକ ପୋଡି ଉଠୁଥିଲେ ବି, ଏ ସମୟ ରେ ମୁଁ ଆହୁରି ତିନୋଟି ମ୍ୟାଚ ଖେଳି ପାରିବି ବୋଲି ମୋ ମନ କହୁଥିଲା।
ମୁଁ ବୋଧେ ପ୍ରେମ ରେ ଥିଲି….ଆଉ ସେ???
–ସମାପ୍ତ–
ସୁଵଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
9376012500

ପରମାଣୁ ଗଳ୍ପ….. ମା !!!

ପରମାଣୁ ଗଳ୍ପ…..
ମା !!!
ସୁବଳ ମହାପାତ୍ର
ଵୃଦ୍ଧାଶ୍ରମ ରେ ରହୁଥିବା ମା କୁ, ନିଜ ପୁଅ ବୋହୁଙ୍କ ପାଖରେ ରହୁଥିବା ମା ର ସ୍ୱର୍ଗାରୋକ୍ତି, “ଭଉଣୀ, ତୁମେ ବରଂ ଭଲ ରେ ଅଛ” I
-ସମାପ୍ତ –
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
9376012500
ଘଟଣା ଟି “http://www.sambadepaper.com/Details.aspx?id=460385…” ପଢିଲା ପରେ ଏ ଲେଖା ଟି…….

କବିତା — ଲେଖକ ର ସ୍ବପ୍ନ….

କବିତା — ଲେଖକ ର ସ୍ବପ୍ନ….
ସୁଵଳ ମହାପାତ୍ର
ବେଳେବେଳେ ଶବ୍ଦ ସବୁ ଧସେଇ ପଶନ୍ତି ମୁଣ୍ଡ ଭିତରେ,
ଲେଖି ପାରିବା ବା ନପାରିବା ଗ୍ଲାନି ରେ ହାତ ଥରେ,
ଶବ୍ଦ ମାନେ ବାହାରି ଆସିବାକୁ ଅପେକ୍ଷା ରେ ଥାଆନ୍ତି,
ପ୍ରତୀକ୍ଷା, ଗଳ୍ପ କିମ୍ବା କବିତା ର ଦେହାବଶେଷ ହେବାର। (୧)
ଖାତା, ପେନ ଧରି ବସିଯାଏ,
କିଛି ଲାଗି ଯାଆନ୍ତି, କିଛି ବିଛୁରିତ ହୋଇ ଯାଆନ୍ତି,
କିଛି ଶବ୍ଦ, ବିନା ବାକ୍ୟବ୍ୟୟରେ ଓହରି ବି ଯାଆନ୍ତି,
ସବୁ କିଛି ମୋ ହାତରେ ଥାଏ, କାହାକୁ ରଖିବି, କାହାକୁ ତଡିବି,
କାହାକୁ କାହା ସହ ଯୋଡି, ତୋଳିବି ମୋ ସ୍ବପ୍ନ ର ମାନସ ପୁତ୍ର,
ଏ ଚିନ୍ତା ରେ ବିନିଦ୍ର ରଜନୀ ପୁଣି ସକାଳ ହୁଏ।(୨)
ମନଭିତରେ ବୁଲୁଥାଏ ମାନସ ପୁତ୍ର ର ମୁହଁ, ଦେହ, ହାତ,ପୁରା ଶରୀର,
ଚିନ୍ତା ରେ ଦିନ ବିତେ, ପୁଣି ରାତି ହୁଏ,
ଅଧଗଢା ସ୍ବପ୍ନ ସବୁ ଭାଙ୍ଗି ରୁଜି ଯାଆନ୍ତି,
ଆଉ କିଛି, ଅନ୍ୟ ବାଟ ଦେଇ ପୂରଣ ହୁଅନ୍ତି।(୩)
ଆଉ ମୁଁ??
ନୂଆ, ପୁରୁଣା, ସମସ୍ତ(ଗଳ୍ପ)ଙ୍କୁ ନେଇ ଭେଟି ଦିଏ ମୋ ଭଗବାନ(ପାଠକ) ଙ୍କ ପାଖରେ,
କିଛି ଅଧାଗଢା ବି, ଜଗନ୍ନାଥଙ୍କ ପରି ବିଶ୍ବ ବ୍ରହ୍ମାଣ୍ଡ ଚହଳ କରନ୍ତି,
ଆଉ କିଛି ପୂର୍ଣ୍ଣ ଅବୟବ ବି ଖାତା ର କେଉଁ କୋଣ ରେ କବର ପାଆନ୍ତି,
କିଛି ତାଳି, କିଛି ବାଃ ବାଃ, କିଛି ଲାଇକ ଆଉ କିଛି କମେଣ୍ଟ ପାଇ,
ଖୁସି ହୁଏ, ଧନ୍ୟବାଦ ଦିଏ, କେବେକେବେ କିଛି ଗାଳି ରେ ପେଟ ପୁରାଏ।(୪)
ତଥାପି ଖୁସି ହୁଏ,
ପୁଣି ଏହିପରି ଏକ ଦିନ କୁ ଅପେକ୍ଷା କରେ….
–x–
ସୁଵଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
ଦୂରଭାଷ-୯୩୭୬୦୧୨୫୦୦
ଇମେଲ-subal.mohapatra@gmail.com

ସାଥି…..

ସାଥି…..

ସୁବଳ ମହାପାତ୍ର

ପ୍ରେମ କଣ ? ଖାଲି କ’ଣ ମା ଛୁଆ କୁ ଭଲ ପାଇବା ପ୍ରେମ, ପୁଅ ଝିଅ କୁ ଭଲ ପାଇବା ପ୍ରେମ, ସ୍ୱାମୀ ସ୍ତ୍ରୀ କୁ ଭଲ ପାଇବା ପ୍ରେମ, ଛୁଆ ନିଜ ବାପା ମା ଙ୍କୁ ଭଲ ପାଇବା ପ୍ରେମ, ସାଙ୍ଗ ସାଥୀଙ୍କୁ ଭଲ ପାଇବା ପ୍ରେମ …  ଏମିତି ଆହୁରି କେତେ କଣ… କିନ୍ତୁ ଆମେ ଜାଣୁ କି “ଆବଶ୍ୟକତା” କଣ ?

କିଛି ପ୍ରେମ ବି ଥାଏ ନିଜ ଆବଶ୍ୟକତା ପାଇଁ, ନିଜେ ବଞ୍ଚିବା ପାଇଁ, ଏକାକୀତ୍ୱକୁ ଦୁରେଇ ଦେବା ପାଇଁ I ସେଥିପାଇଁ ସାଥି ଟିଏ ଦରକାର, ନିଜ ମନ କଥା ଆଉ କାହା ଆଗରେ ଖୋଲି କହିବା ପାଇଁ ସାଥି ଟିଏ ଦରକାର, ବୁଢା ବୟସ ରେ କିଛି କାମ କରିବା ପାଇଁ ସାଥି ଟିଏ ଦରକାର I ହୋଇପାରେ ସେ କେଉଁ ଜୀବ ଜନ୍ତୁ, ହୋଇପାରେ ଗଛଲତା, କି ହୋଇପାରେ ସମାନ ହୃଦୟ ଆଉ ସ୍ନେହ ଥିବା ଗୋଟେ ମଣିଷ I କିଛି ଫରକ ପଡ଼େନି ସେ ସ୍ତ୍ରୀ କି ପୁରୁଷ I ଛି… ଛି…. କି ହୀନ ଚିନ୍ତାଧାରା ଏ ଲୋକଙ୍କର.. ଅଣାଅଶୀ ବୟସର ଗୋଟେ ବୁଢା କଣ କେବେ ଦୈହିକ ସମ୍ପର୍କ ପାଇଁ ଭଲ ପାଇ ପାରେ ଗୋଟେ ପଞ୍ଚସ୍ତରୀ ବୟସ୍କ ବୁଢ଼ୀ କୁ? ଛି.. ଛି… କି ଖରାପ କଥା କହନ୍ତି ଏ ଲୋକମାନେ? ନିଜେ ଭେଣ୍ଡିଆ ଅଛନ୍ତି ତ ସେଥିପାଇଁ ବୋଧେ ବୁଝି ପାରନ୍ତିନି ଜଣେ ମଣିଷ ର ଅସହାୟତା କୁ I ଜାଣି ପାରନ୍ତି ନି ଗୋଟେ ମନ ର ବେଦନା I ନିଃସହାୟ, ବେସାହାରା ଲୋକ ଙ୍କ ମନ କଣ ବୁଝି ପାରିବେ ଏ ଭେଣ୍ଡିଆ ଟୋକା ଆଉ ପଇସାଥିବା ମଣିଷ ଗୁଡା ? ବୋଧହୁଏ ନା…  କିନ୍ତୁ କେତେ କାଳ ? ଆଉ କେତେକାଳ ଏମାନଙ୍କୁ କୈଫିୟତ ଦେଇ ଆସୁଥିବୁ ଆମେ ମାନେ ? ଆଉ ନୁହଁ …. ଯେତିକି ହେଲା ସେତିକି …  ବହୁତ ହେଲା …  ଆଉ ନୁହଁ …

ମକରା ବୁଢା ଏମିତି କେତେ କଣ ଭାବି ଚାଲିଥାଏ I ରାତି ଘଡ଼ିକ ରୁ ଘର ଭିତରେ ବୁଢ଼ୀଟା ମରି କି ପଡିଛି I ଆଖପାଖ କେତେ ଲୋକଙ୍କୁ ନେହୁରା ହୋଇ ସାରିଲାଣି ସେ ମାତ୍ର ଚାରୋଟି କାନ୍ଧ ପାଇଁ I କିନ୍ତୁ କେହି ଶୁଣୁ ନାହାନ୍ତି I ତା କନ୍ଦାକଟା ଦେଖି କିଛି ଲୋକ ଆସିଥିଲେ କିନ୍ତୁ କେହିଜଣେ କହିଦେଲା ବୁଢା ବୟସ ରେ ୟେ ବାହା ହୋଇଥିଲା ଏ ବୁଢ଼ୀ କୁ ବର୍ଷେ ତଳେ I ଲୋକ ଛି.. ଛାକର.. କରି ଯେଝା ବାଟେ ଯେଝେ ଚାଲିଗଲେ I

କେହି ଜଣେ ବୁଝିଲେନି ଘଟଣା କଣ I ମଲା ପରେ କଣ ଚାରିଟା କାନ୍ଧ ୟାକୁ ମିଳିବନି ? ନ ମିଳୁ… ସେ ଏକା ଶବ ସଂସ୍କାର କରିବ I ସେ ନିଆଁ ଦବ ଏ ବୁଢ଼ୀ ମୁହଁ ରେ I ନମିଳୁ ଚାରିଟା କାନ୍ଧ I ଏକା ଏକା ନେବ ଶ୍ମଶାନ କୁ I କିଛି ପଇସା ଅଛି ତା ପାଖରେ, ସେତିକି ରେ ଅତ୍ୟନ୍ତ କିଛି କାଠ, ମାଟି ହାଣ୍ଡି ଖଣ୍ଡେ ଆଉ ଚାଉଳ ଦି ଟା ମିଳିଯିବ I ବୁଢ଼ୀ କାନେ କାନେ କହି ଯାଇଥିଲା, “ମୋ ମୁହଁ ରେ ତୁ ନିଆଁ ଦେବୁ ପଛେ ସେ ସବାଖିଆ ଭେଣ୍ଡିଆ ଦିଟାକୁ ମୋ ମଲା ମୁହଁ ବି ଦେଖିବାକୁ ଦବୁନି I ସେମାନେ ମୋ ପୁଅ ନୁହନ୍ତି I କୁଳାଙ୍ଗାର ଦି ଟା ଯାକ I ବୁଢା (ବୁଢ଼ୀ ର ସ୍ବାମୀ )ମଲା ପରେ ମାଈପ କଥା ରେ ପଡି ଦି ଜଣ ଯାକ ମୋତେ ପିଟି ଘରୁ ବାହାର କରିଦେଲେ I ସମ୍ପତି ବାଡ଼ି ତ ଯାହା ଖାଇଲେ ଖାଇଲେ, ମୋ ସୁନା ରୁପା ତକ ବି ମୋଠୁ ଛଡେଇ ତାଙ୍କ ମାଈପ ମାନଙ୍କୁ ଦେଲେ I ଯଦି ନିଆଁ ନ ଦେଇ ପାରିବୁ ତେବେ ଦେଇ ଦବୁ କଉ ଡାକ୍ତରଖାନା ରେ I ସେମାନେ ମୋ ଦେହ କୁ ଚିରି ଫାଡ଼ି ହେଲେ କିଛି ଶିଖିବେ I ଜିଇଁ ଥାଉ ଥାଉ ତ ଏ ବାଡିପୋଡା ଦି ଜଣ ମୋତେ ଯେଉଁ କଷ୍ଟ ଦେଲେ I ତା’ ଠୁ ବରଂ କମ କଷ୍ଟ ହେବ ସେଠି I ”

ଆଃ… କେତେ ଆଉ ସହିଥାନ୍ତା ବୁଢ଼ୀ ଟା ? ମରିଗଲାନି ଯେ ତରିଗଲା I ମୋର ଆଉ ଦିନ କାଳ କେତେ କେଜାଣି ? ମୋ ପୁଏ (ପୁଅମାନେ) ଶଳେ କେଉଁ କମ କି? ମୋ ବାପା ମଲା ବେଳକୁ ମାଣେ ଜମି ଛାଡିକି କି ଯାଇଥିଲା I ବାହାହେଇ ପାଞ୍ଚଟା ପୁଅ ଜନ୍ମ କରି, ମାଣେ ଜମିକୁ ବଢ଼େଇ ବଢ଼େଇ ପାଞ୍ଚ ଏକର କଲି I ବୁଢ଼ୀ (ବୁଢା ର ସ୍ତ୍ରୀ ) ମଲା ପରେ ଶଳେ ଭାଗ ହେଲେ I ଜମି ବାଡ଼ି ସହ ଶଳେ ମୋତେ ବି ଭାଗ କରିଦେଲେ I ମାସେ ୟା ଘରେ ତ ଆଉ ମାସେ ତା ଘରେ, ଶେଷରେ ଶଳେ ମୋ ସମ୍ପତି ଖାଇ ମୋତେ ବାହାର କରିଦେଲେ ଘରୁ I ଖାଅ ଶଳେ… ଭାବିଛ ଏ ସମ୍ପତି ତମକୁ ହଜମ ହବ ? ମୋ ସହ ଯାହା କଲ, ତମ ପିଲାଛୁଆ ବି ସେଇୟା କରିବେ ତମ ସହ I ତମେ ଶଳେ ପୂର୍ବ ପୁରୁଷଙ୍କୁ କଣ ପାଣି ଦବ, ଜିଇଁ ଥାଉ ଥାଉ ତ ଜନ୍ମ କଲା ବାପା ମାଙ୍କୁ ପିଟି ମାରି ଘରୁ ବାହାର କରୁଛ… ଛି… ଛି… ଏହାକୁ କୁହନ୍ତି ସଂସ୍କାର ? ତମ ସେ ସଂସ୍କାର ମୁହଁ ରେ ନିଆଁ ପଡୁ I ସେଥିପାଇଁ ପରା କୁହନ୍ତି, “ପୁଅ ଯଦି ଭଲ ହେଲା ସମ୍ପତ୍ତି ରଖିବି କାହାପାଇଁ? ପୁଅ ଯଦି ଖରାପ ହେଲା ସମ୍ପତ୍ତି ରଖିବି କାହାପାଇଁ?

ପାଟିରୁ ଅଭିସମ୍ପାତ ସହ ଆଖିରୁ ଲୁହ ବାହାରି ଆସୁଥାଏ ତାର… ତା ସହ ମନେ ପଡି ଯାଉଥାଏ ଘର ଭିତରେ ମରି ପଡିଥିବା ବୁଢ଼ୀ କଥା….

ବୁଢା ସହ ବୁଢ଼ୀ ର ଦେଖା ହୋଇଥିଲା ପ୍ରାୟ ବର୍ଷେ ତଳେ I ପୁଅ ମାନେ ବୁଢା କୁ ଘରୁ ବାହାର କରିଦେବାପରେ ଏକୁଟିଆ ବୁଢା ପଳେଇ ଆସିଥିଲା ଏ ସହର କୁ ଭିକ ମାଗି ଚଳିଯିବା ଆଳ ରେ I ଏ ଭିତରେ ପ୍ରାୟ ମାସେ ହୋଇ ଯାଇଥିଲା I ଠିକ ରେ ତା’କୁ ଖାଇବାକୁ ଗଣ୍ଡେ ମିଳୁ ନଥିଲା I ତାଟିଆ ଟିଏ, ଆଉ ପାଣି ପିଇବାକୁ ବୋତଲ ଟିଏ ବ୍ୟତୀତ ଆଉ କିଛି ନଥିଲା ତା ପାଖରେ I ପଇସା ମିଳିଲେ କିଛି କିଣି ଖାଉଥିଲା ନ ହେଲେ ଚୁଡା ଖାଇ ରହୁଥିଲା ସେ I ଭାତ ଗଣ୍ଡେ ପାଇଁ ଡହଳ ବିକଳ ହେବା ପରେ ବି ଭାତ ଗଣ୍ଡେ ଠିକରେ ମିଳୁ ନଥିଲା ତା’କୁ I

ଠିକ ସେମିତି ପୁଅ ମାନେ ବୋହୁ ମାନଙ୍କ କଥା ରେ ପଡି ମାଡମାରି ଘରୁ ବାହାର କରିଦେବା ପରେ ବୁଢ଼ୀ ଚାଲି ଆସିଥିଲା ଏ ସହର କୁ I ନାଳ କଡରେ ଗୋଟେ ଗଛ ଆଢୁଆଳ ରେ ବୁଢ଼ୀ ତିଆରି କରିଥିଲା ତା ବସା ଖଣ୍ଡେ I କିଛି ଛିଣ୍ଡା ପଲିଥିନ, କିଛି ଚିରା ପୋଷ୍ଟର, ଖଣ୍ଡେ ଚେପା ଟୋଲା ଡେ଼କଚି ଆଉ କଣା ଚେପା ରସ ତାଟିଆ ଦୁଇଟି ଥିଲା ତା’ର ସମ୍ପତି I କାଠ ଦୁଇଖଣ୍ଡ ପୋତି, ତା ଉପରେ ପଲିଥିନ ଖଣ୍ଡେ ଟାଙ୍ଗି ସେ ତିଆରି କରିଥିଲା ତା ବାସଗୃହ I ଦିନରେ ଭିକ ମାଗେ, ରାତିରେ ଇଟା ତିନୋଟି ଉପରେ ଡେ଼କଚି ବସେଇ କାଠ ଜାଳି ଭାତ ରାନ୍ଧେ I ସେଇ ଟେଣ୍ଟ ତଳେ ଭାତ ହାଣ୍ଡି କୁ କୋଳ ରେ ପଶେଇ ସେ ଶୋଇପଡେ କାଳେ ହାଣ୍ଡିରୁ ଭାତ ତକ କୁକୁର ଖାଇଯିବା ଭୟରେ I

ସେଦିନ ଭିକ ମାଗି ମାଗି ଦି ଜଣ ଯାକ ପହଞ୍ଚିଥିଲେ ଜଣେ ବାବୁଙ୍କ ଘରେ I ବାବୁଙ୍କ ଚାରି ପାଞ୍ଚ ବର୍ଷ ର ଛୋଟ ଝିଅ ଟି ହାତରେ ଦଶ ଟଙ୍କିଆ ଟିଏ ଧରି, ଦେବାକୁ ଆସିଲା ବେଳକୁ ଦି ଜଣଙ୍କୁ ଦେଖି ଠିଆ ହୋଇ ରହିଲା I କାହାକୁ ଦେବ ବୋଲି ଭାବି ହେଲା ବେଳକୁ ପଛରୁ ମା କହିଲେ “ଦେଇ ଦେ” I ସେ ବୁଢା ଥାଳ ରେ ପକେଇ ଦେଇ ପଳେଇଲା ପରେ ବୁଢ଼ୀ ଚିହିଁକି ଉଠିଥିଲା I ସ୍ଵଜାତି ପରହିଂସ୍ରକଃ ପରି ଏକରକମ ଝାମ୍ପି ନେଇଥିଲା ଦଶଟଙ୍କିଆ ଟି ବୁଢା ଥାଳରୁ I ମୋ ଟଙ୍କା କହି ବୁଢା ଧରୁ ଧରୁ ବୁଢ଼ୀ ସମ୍ପିବା ଆରମ୍ଭ କରି ଦେଇ ଥିଲା I ବାବୁଆଣୀ ଆସି ଆଉ ଗୋଟିଏ ଦଶ ଟଙ୍କା ଦେଇଥିଲେ ବୁଢା କୁ I ତା ପରଠୁ ବୁଢ଼ୀ ଶୀଘ୍ର ଶୀଘ୍ର ପାଦ ପକେଇ ଦୌଡ଼ିଥିଲା ଆଗକୁ ଆଗକୁ ଜଲଦି ଜଲଦି ବୁଢା ପୂର୍ବରୁ ଅନ୍ୟ ଘର ଗୁଡିକ ରେ ପଶି ଭିକ ନେବା ପାଇଁ I

ସନ୍ଧ୍ୟା ହୋଇ ଆସୁଥାଏ, ଦିହେଁ ଯାକ ଭିକ ମାଗି ସାରି ଫେରୁଥାନ୍ତି I ବୁଢ଼ୀ ଫେରୁଥାଏ ନିଜ ଘରକୁ, କିନ୍ତୁ ବୁଢା ? ସେ ଯିବ କୁଆଡେ? ନା ଅଛି ଘର ଦ୍ୱାର ନା କିଏ ଚିହ୍ନI ଜଣା I କୌଣସି ଏକ ଦୋକାନ ବାରଣ୍ଡା ରେ ଶୋଇବ ବୋଲି ଚିନ୍ତା କରି କରି ଆସୁଥାଏ I ଛକ ପାଖରେ ପହଞ୍ଚି ଦେଖେ ତ ଦୋକାନ ସବୁ ଖୋଲା ଅଛି, ବନ୍ଦ ହେବ ପ୍ରାୟ ୯ ଟା ପରେ I ଚାଉଳ ତ ଅଛି ତା ପାଖରେ କିନ୍ତୁ କଣ କରିବ? ରୋଷେଇ କେମିତି କରିବ? କେମିତି ଗୋଟେ ଖୋଜିବା ଖୋଜିବା ପରି ଚାଲୁ ଚାଲୁ ଦେଖି ପାରିଲା ବୁଢ଼ୀ କୁ  I ଭାତ ରାନ୍ଧୁଥାଏ ସେ I ପାଖକୁ ଯାଇ କଣ କହିବ କହିବ ହୋଇ ରହିଗଲା I ରନ୍ଧା ଭାତ ର ବାସ୍ନା ରେ ତା ପାଟିରୁ ଲାଳ ବୋହି ପଡୁଥିଲା I ପାଖରେ ଚାଉଳ ଥିଲେ ବି ରନ୍ଧା ଭାତ ର ବାସ୍ନା ତା ନାକ ରେ କେବେଠୁ ବାଜି ନଥିଲା I ବୁଢ଼ୀ ପାଖରୁ କିଛି ଦୂରରେ ଯାଇ ବସିଲା ସେ I ବୁଢ଼ୀ ୟାକୁ ଦେଖି ପୁଣି ଚିହିଁକି ଉଠିଲା I କିଛି ସମୟ ପରେ, ବୁଢ଼ୀ ସମ୍ପି କାଟି ଟିକେ ଚୁପ ହେଲା ପରେ ବୁଢା କହିଲା…

—  ମୋ ଚାଉଳ ସବୁ ତକ ନେ ପଛେ… ମୋ ପାଇଁ ଗଣ୍ଡେ ଭାତ ରାନ୍ଧି ଥା I

—  କିଆଁ, ତୋ ପାଖେ ଡେ଼କଚି ନାହିଁ କି ? ତୁ ରାନ୍ଧୁନୁ..

—  ନାହିଁ ବୋଲି ତ ତତେ କହୁଛି I

— ମୁଁ ରାନ୍ଧି ପାରିବିନି, ମୋ ତକ ତ ମୋତେ ନିଅଣ୍ଟ, ଆଉ ୟାକୁ…

— ମୋ ତକ ନେ କହିଲି ପରା… ଆଜି ରାତିକ ଗଣ୍ଡେ ଦେଇଥା… କାଲି ପୁଣି ଆଣିଲେ ପୁଣି ଦେବି…

ବୁଢ଼ୀ କଣ ଭାବିଲା କେଜାଣି, ଆଗ ସବୁ ତକ ଚାଉଳ ବୁଢା ଠୁ ନେଇ ସାରିଲା ପରେ ରାତିରେ ବୁଢା କୁ ଗଣ୍ଡେ ଭାତ ଦେବାକୁ ରାଜି ହେଲା I ତା ପରେ ଆରମ୍ଭ ହୋଇଥିଲା ଏମାନଙ୍କର କଥାବାର୍ତା I ଦି ଜଣ ଭୋକିଲା ଙ୍କ କଥାବାର୍ତା କଣ ଅବା ହେଇପାରେ ??

ଖାଇ ସାରିଲା ପରେ ବୁଢ଼ୀ ପଚାରିଲା..

— ରାତିରେ ଶୋଇବୁ କେଉଁଠି?

— ଦୋକାନ ବାରଣ୍ଡା ରେ I

— ସେଠି କିନ୍ତୁ ପୁଲିସି ଆଉ କେତେଟା ମଦୁଆ ଗହଳି କରନ୍ତି ରାତି ଅଧା ଯାଏ I

— ତାହେଲେ ?

— ଏ ଗଛ ମୂଳେ ଶୋଇପଡ I

— ହଉ

ଆସ୍ତେ ଆସ୍ତେ ଦି ଜଣଙ୍କର ଦି ଜଣଙ୍କ ପ୍ରତି କେମିତି ଗୋଟେ ମାୟା ଆସିଯାଇଥିଲା I ସାଙ୍ଗ ହୋଇ ଯାଇଥିଲେ ଦି ଜଣ I ବୁଢୀକୁ ବୁଢା ଆଉ ବୁଢା କୁ ବୁଢ଼ୀ I ସାଥି ମିଳିଯାଇଥିଲା ଦି ଜଣଙ୍କୁ I ନିଜ ଦେହ ପା ଦେଖିବା ପାଇଁ, ମନ ର କଥା ବୁଝିବା ପାଇଁ, ମନ ଭିତରେ ଥିବା କୋହ କୁ ସବୁକୁ ବୁଝିବା ପାଇଁ, ଲେଞ୍ଜେରା ଲଗା ଲୁହଭିଜା ଆଖିରୁ ଲୁହ ପୋଛିବା ପାଇଁ, ସ୍ମୃତି ସବୁ କୁ କୋଳେଇ ନେବା ପାଇଁ I ଆଉ କଣ ଦରକାର ???

ନିଜ ଜନ୍ମ କଲା ଛୁଆ ତ ପଚାରିଲେନି, ଆଉ କିଏ ପଚାରିଥାନ୍ତା…. ଏମାନଙ୍କ ଜାତି କଣ?… ଗୋତ୍ର କଣ ?… ଥିଲା ବାଲା କି ନଥିଲା ବାଲା?…ଶିକ୍ଷିତ କି ମୂର୍ଖ? କଣ ବି ଜାଣିବା ଦରକାର ଥିଲା ଏ ସବୁ ? ଏବେ ତ ସେମାନେ ଗୋଟିଏ ଜାତି .. ଭିକାରି…

ସେତକ ବି ସହିଲେନି ଏ ରଇଜଳା ଦଳ… କହିଲେ କଣ ନା ସେ ମୋ ମାଈପ… ହଁ, ହେଲା ସେ ମୋ ମାଈପ… ତମର କଣ ଗଲା ସେଇଠୁ? ଅଣାଅଶୀ ବର୍ଷ ବୟସ ରେ କଣ ଭାବି ମୁଁ ମାଈପ ଖୋଜିବି? ଦରକାର ଥିଲା ତ… ସାଥି ଟିଏ ….. ରାଗରେ କମ୍ପମାନ ହୋଇ ବୁଢା ନିଜେ ନିଜେ ପାଟି କରି କରି ଉଠି ବସିଲା I

ପାଖରେ ଥିବା ଭଙ୍ଗା ବାଉଁଶ ବାଡ଼ି ଟିକୁ ହାତ ରେ ଧରି ସେ ଏବେ ଆଗେଇ ଯାଉଥିଲା କମ୍ପୋଷ୍ଟ ଉଠା ଗାଡି କୁ ଘୋଷାରି ଆଣିବା ଲାଗି, ଯେଉଁଥିରେ ସେ ନେବ ବୁଢ଼ୀ କୁ ମସାଣି ଯାଏଁ… ହଁ ହଁ ସେଇ ବୁଢ଼ୀ , ଏମାନଙ୍କ ଆଗରେ ଯିଏ ତା’  ମାଈପ…..

— ସମାପ୍ତ—

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

 ଇମେଲ – subal.mohapatra@gmail.com

କେଞ୍ଚୁଆ

କେଞ୍ଚୁଆ

ସୁଵଳ ମହାପାତ୍ର

ବାପା, “ଏ ସୁପ୍ରିତି ଦିଦି ନା ଜମା ଭଲ ନୁହଁ” । କାନ୍ଧ ରେ ବ୍ୟାଗ ପକେଇ ସ୍କୁଲ ଗେଟ ପାଖରେ ପହଞ୍ଚୁ ପହଞ୍ଚୁ ମୋ ଝିଅ କହିଲା।

— କହିଲି, କାହିଁକି? ସେ ତୋର କଣ କଲା??

— ସେ ନା, ଆଜି ସମସ୍ତଙ୍କୁ ପଚାରିଲେ ‘ସକାଳୁ କଣ ଖାଇକି ଆସିଛ ?”। ମୁଁ କହିଲି “ମାଗି” । ମୋତେ କହିଲେ, “ତୋ ବାପା ର ପଇସା ନାହିଁ କି? ସେ କେଞ୍ଚୁଆ ଗୁଡା ସକାଳୁ କାହିଁକି ଖାଇକି ଆସୁଛୁ?” ମୋତେ ନା, ଲାଜ ଲାଗିଲା। ସବୁ ପିଲାଙ୍କ ଆଗରେ ମୋତେ ସେ ଏମିତି କହିଲେ। ତୁମ ସାଙ୍ଗ ବୋଲି କଣ ସମସ୍ତଙ୍କ ଆଗରେ ଏମିତି କହିବା ଠିକ କି? କାନ୍ଦ କାନ୍ଦ ହୋଇ ଏକା ନିଶ୍ୱାସ ରେ ସେ କହିଗଲା ଏତକ।

କେଞ୍ଚୁଆ ଶବ୍ଦ ଟି କାହିଁକି କେଜାଣି କାନ ଭିତରେ ଦେଇ ଛାତି ରେ ଅଟକି ଗଲା। ସ୍କୁଲ ସମୟରୁ ସେ ମୋତେ କେଞ୍ଚୁଆ ଡାକେ। ଜେଜେଙ୍କ ବନିସି ଧରି ସେ ଆଉ ମୁଁ ଯାଉ ମାଛ ମାରିବାକୁ। ବନିସି କହିଲେ ଛଅ-ସାତ ହାତ ଲମ୍ବା ଅଗି ବାଉଁଶ ଖଣ୍ଡେ। ସେଥିରେ ପତଳା ବନିସି ସୁତା ସହ ସୁତା ମଝିରେ ସୋଲ ଖଣ୍ଡେ ସହ ଅଗରେ ଲାଗିଥାଏ ବଙ୍କା କଣ୍ଟା ଗୋଟିଏ। କେତେ ହେବ ସମୟ? ସେଇ ଷଷ୍ଠ କି ସପ୍ତମ କଥା। ଦି ପହରେ ସେ ଆଉ ମୁଁ ବାହାରି ଯାଉ ମାଛ ମାରିବାକୁ। ମୁଁ ବନିସି ସଜ କଲା ବେଳକୁ ସେ ଖୋଜି ଖୋଜି ଆଣିଥାଏ କେଞ୍ଚୁଆ କିଛି କୂଳରୁ। ମାଟି ଭିତରେ ଆଙ୍ଗୁଠି ଗେଂଜି ଟାଣି ଆଣେ କେଞ୍ଚୁଆ କୁ। ଥରେ ଥରେ ଏକାବେଳେ ଦୁଇ କି ତିନି ଧରା ପଡ଼ି ଯାଆନ୍ତି। କେଞ୍ଚୁଆ କୁ ମଝିରୁ ଦୁଇଗଡ କରି ଖଣ୍ଡେ ବନିସି ର କଣ୍ଟା ରେ କେଂଛି ଛାଡୁ ପାଣି କୁ। ସୋଲ ବୁଡ଼ିଗଲେ ଜାଣୁ ମାଛ ପଡିଛି। ତାକୁ ଉପରକୁ ଆଣି କଣ୍ଟା ରୁ ବାହାର କରି ବାଲଟି ରେ ରଖୁ, ପୁଣି ଆର ଖଣ୍ଡ। ବେଳେ ବେଳେ ପାଣି ରେ ପଶି ଦେଖୁ କେଞ୍ଚୁଆ ର ଗୋଟେ ମୁଣ୍ଡ କେମିତି ହଲଚଲ ହେଉଛି ପାଣି ଭିତରେ, ତା ପରେ ଆକଳନ କରୁ, ମୁଣ୍ଡ ହଲଚଲ ହେଲେ ପାଣି ର ତରଙ୍ଗ ରୁ ମାଛ ଜାଣି ପାରୁଥିବ ଏଠି ଖାଦ୍ୟ ଅଛି, ଆଉ ଆସି ଏକାବେଳେ ଖାଦ୍ୟ କୁ ପାଟିରେ ଟାକୁ କରି ଗିଲିଲା ବେଳକୁ ଲାଖିଯାଏ କଣ୍ଟା। ଏବେ ସେ ହୋଇଯାଏ ଆଉ କାହାର ଖାଦ୍ୟ। ଧରିଥିବା ମାଛ ଯାଏ ଆମ ଘରକୁ। ବୋଉ ରୋଷେଇ କରି ଡାକେ ତାକୁ ଖାଇବାକୁ ଆଉ କିଛି ଭାଗ ଯାଏ ତାଙ୍କ ଘରକୁ।

କେଞ୍ଚୁଆ ଧରିବା ମୁଁ ତାକୁ ଶିଖେଇ ଥିଲି ଆଉ ତାକୁ ସମାନ ଭାବରେ ଦି ଖଣ୍ଡ କରିବା ବି। ସେଥିପାଇଁ ବୋଧେ ସେ ମୋତେ ଡାକେ “କେଞ୍ଚୁଆ” କିନ୍ତୁ ସମସ୍ତଙ୍କ ଆଗରେ ନୁହେଁ, ଏକା ଥିଲାବେଳେ।

ଏମିତି ଏମିତି ରେ ଆମେ ଆସ୍ତେ ଆସ୍ତେ ବଡ ହେଇଯାଉ। ତଥାପି ଚାଲିଥାଏ ମାଛ ଧରା, ରୋଷେଇ, ଖିଆପିଆ । ଦିନେ କହିଲା,”ଜାଣିଛୁ, ମୋ ବାହାଘର ଠିକ କରୁଛନ୍ତି।”

— ହଁ, ଭଲ କଥା। କିନ୍ତୁ, ତୁ ସତରେ ବାହା ହେଇଯିବୁ?

— ଆଉ କଣ ତୋ ପଛ ରେ କେଞ୍ଚୁଆ ପରିକା ନଡ଼ ନଡ଼ ହେଉଥିବି?

— ନା, ଯେ… ଆଉ କିଏ ମୋତେ କେଞ୍ଚୁଆ ଡାକିବ?

ମୁହଁଟା ତାର ହଠାତ ଧାନ ଉଁସା ହାଣ୍ଡି ପରି ବଡ ହୋଇଗଲା। କୁଣ୍ଢେଇ ଧରି କାନ୍ଦିଗଲା କିଛି ସମୟ। ତାପରେ କହିଲା, “ତୁ ତ ଆଜି ଯାଏ ବୁଝି ପାରିଲୁନି, ତୋ’ଠୁ ଅଲଗା ହେଲା ପରେ ମୁଁ କେମିତି ଛଟପଟ ହୁଏ। ସକାଳ ହେବାକୁ ଅପେକ୍ଷା କରେ। ତୋତେ କାହିଁକି କେଞ୍ଚୁଆ ଡାକେ ଜାଣିଛୁ? ଗୋଟେ କେଞ୍ଚୁଆ ର ତୁ ଗୋଟେ ମୁଣ୍ଡ ଆଉ ମୁଁ ଗୋଟେ। ଜାଣିଛି ଏ ସମାଜ ଆମ ଦି ଜଣଙ୍କୁ ଠିକ ସମାନ ଦି ଭାଗରେ ଅଲଗା କରିବ, ଗୋଟେ ପଟେ ତୁ ଛଟପଟ ହେଉଥିବୁ ଆଉ ଆରପଟେ ମୁଁ। ଏକାଠି ଥିଲେ ବି ଯୋଡି ହେବାର ସବୁ ବାଟ ବନ୍ଦ ହୋଇ ସାରିଥିବ। ବାହାରେ ଆମେ ଦି ଜଣ ଦି ଜଣଙ୍କୁ ସାଙ୍ଗ ବୋଲି ପରିଚୟ ସିନା ଦେବା କିନ୍ତୁ ମୋ ସ୍ବାମୀ ଆଉ ତୋ ସ୍ତ୍ରୀ ଆଗରେ ଆମେ ଦି ଜଣ, ତୁ ମୋ ଭାଇ ଆଉ ମୁଁ ତୋ ଭଉଣୀ। ମୋ ଛୁଆ ତୋତେ ମାମୁଁ ବୋଲି ଡାକିବେ ଆଉ ତୋ ଛୁଆ ମୋତେ ପିଉସୀ।

ଝିଅ, ସ୍କୁଟର ପଛରେ ବସି ମୋତେ ହଲେଇ ଦେଇ କହିଲା, “ବାପା ଚାଲ, ସିଆଡୁ ଦିଦି ଆସିଲେଣି।

— ହଁ, କହି ସ୍କୁଟର ଷ୍ଟାର୍ଟ କଲା ବେଳକୁ ପଛରୁ ଶୁଭିଲା “ଅଭିନାଶ ଅଙ୍କଲ”….

ହଠାତ, ଛାତି ଭିତରୁ ଚାରି ପାଞ୍ଚଟା ହାଡ଼ ଏକାବେଳେ ରକ କରି ଭାଙ୍ଗିଗଲା। ମୁଁ ନଶୁଣିଲା ପରିକା ସ୍କୁଟର ଆଗକୁ ବଢ଼େଇ ସାରିଥିଲି……

–x–

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

କବିତା — କବି ର କବିତା

କବି ର କବିତା

ସୁଵଳ ମହାପାତ୍ର

କବି ର କବିତା,

କିଛି ଅସମାହିତ ପ୍ରଶ୍ନ,

କିଛି ଉତ୍ତର,

କିଛି ଉପଦେଶ,

କିଛି ମତାମତ,

କିଛି ଅନୁଭୂତି ।

କିଛି ବିରହ ର ଗାଥା,

କିଛି ଶବ୍ଦ ର ଛିଟା,

କିଛି ସୁଗନ୍ଧିତ ଉପହାର,

କିଛି ଭାବ ର ଭଣ୍ଡାର,

କିଛି ମନର ବେଦନା,

କିଛି ସୁନ୍ଦର ସାଧନା,

କିଛି ମଳୟ ର ଗନ୍ଧ,

କିଛି ଲୁଚାଣିଆ ଭାବ।

କେବେ କ୍ଷଣିକ ଉନ୍ମାଦନା,

କେବେ ମୃଗତୃଷ୍ନା,

କେବେ ସଂସାର ର କଳଙ୍କ,

କେବେ ମଧୁମୟ ମୁହୂର୍ତ୍ତ,

କେବେ ସ୍ରୋତଶ୍ୱିନୀ ନଦୀ,

କେବେ ଚୋରା ପୀରତି,

କେବେ ରକ୍ତ ର ଅଳତା,

କେବେ ତ୍ରୁଟିପୂର୍ଣ୍ଣ ସଭ୍ୟତା ।

ଆଉ ??

ଆଉ କଣ, ଏତିକି ହିଁ ଯଥେଷ୍ଟ…..

— x–

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

ଫେରନ୍ତ କି ପୁଣି ତୁମେ ଆଉଥରେ….

ସ୍ମୁତି କୁ ନେଇ ମୋର ଏକ କବିତା…

ରତ୍ନାକର ପରିଡା, ବୟସ ପଚାଶ ପାଖାପାଖି, ଧର୍ମପତ୍ନୀ ଅଧାରାସ୍ତା ରେ ତାଙ୍କୁ ଛାଡି ଆର ପାରିରେ। ଘରେ ଦୁଇଟି ବଢ଼ିଲା ପିଲା। ପିଲାଙ୍କ ଭବିଷ୍ୟତ ଭାବି ଭାବି ରାତିରେ ଆଖିକୁ ନିଦ ଆସେନାହିଁ। ଖଟରେ ଶୋଇ ଶୋଇ ଖୋଲା ଝରକା ରେ ବାହାରକୁ ଚାହିଁ ଭାବନ୍ତି ସ୍ତ୍ରୀ କଥା…. ତାଙ୍କ ମନକଥା କୁ ନେଇ ଏ କବିତା ଟି….

ସ୍ମୁତି — ଫେରନ୍ତ କି ପୁଣି ତୁମେ ଆଉଥରେ….
ସୁଵଳ ମହାପାତ୍ର
ମନେପଡ ତୁମେ ବେଳ ଅବେଳ ରେ,
ମନେପଡ ତୁମେ ରାତ୍ରି ର ନିର୍ଜନ ପ୍ରହରେ,
ମନେପଡ ତୁମେ ସମସ୍ତେ ଶୋଇଗଲା ପରେ,
ମନେପଡ ତୁମେ ରୁଦ୍ଧ କୋଠରୀ ରେ।
ଦିଶିଯାଅ ତୁମେ ଧୂମ୍ର କୁଣ୍ଡଳୀ ରେ,
ଦିଶିଯାଅ ତୁମେ ପିଆଲା ପାତ୍ର ରେ,
ଦିଶିଯାଅ ତୁମେ ଅନ୍ଧାର ଭିତରେ,
ଦିଶିଯାଅ ତୁମେ ପତ୍ର ଗହଳ ରେ।
ତୁମ ମୁଖେ ଥିଲା ଚାନ୍ଦ ର ଚାନ୍ଦିନୀ,
ତୁମ କଣ୍ଠେ ଥିଲା ରାଗ ର ରାଗିଣୀ,
ନୃତ୍ୟେ ତୁମେ ଥିଲା ଶିବଙ୍କ ତାଣ୍ଡବ,
ହସ୍ତେ ତୁମ ଥିଲା ବଳିଆର ଭୁଜ।
ହୃଦେ ତୁମ ଥିଲା ମା ର ମମତା,
ସ୍ନେହ ତୁମର ତ ଲେଲିହାନ ଶିଖା,
ରାଗତ ତୁମର ପରମ ଚଣ୍ଡାଳ,
ପ୍ରେମ ତ ତୁମର ବାରିଧି ର ଜଳ।
କାହିଁ ଚାଲିଗଲ ଅଫେରା ବାଟ ରେ,
ଝୁରୁଛନ୍ତି ସର୍ବେ ଅତି ନିରନ୍ତରେ,
ଫେରନ୍ତ କି ପୁଣି ତୁମେ ଆଉଥରେ,
କୋଳାଗ୍ରତ କରି ନିଅନ୍ତି ମୁଁ ଥରେ।
ଆସି ଦେଖିଯାଅ ଥରେ ମୋ ଅବସ୍ଥା,
ତୁମ କଥା ଭାବି ହେଲିଣି ମୁଁ କଣ୍ଟା,
ଆଉଥରେ ଖାଲି ଦେଖିବାକୁ ଇଛା,
ପୂର୍ଣକର ମୋର ଏହି ମନୋବାଞ୍ଛା।
ଲେଖେ ମୁଁ କବିତା ତୁମ କଥା ଭାବି,
କାହିଁ ମନେପଡ ପୁଣି ଥରେ ଆଜି,
ହଜି ମୁଁ ଯାଆନ୍ତି ତୁମରି କୋଳରେ,
ଫେରନ୍ତ କି ପୁଣି ତୁମେ ଆଉଥରେ।
–x–
ସୁଵଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
9376012500

ଷ୍ଟାଇଲ

ଷ୍ଟାଇଲ

ସୁବଳ ମହାପାତ୍ର

ସକାଳୁ ସକାଳୁ ବାବୁନା ତା ସ୍କୁଲ ଡ୍ରେସ ପିନ୍ଧି ବାହାରି ପଡିଲା I ହେଲେ କଣ ପେଣ୍ଟ ଟା କାଲି ଚିରି ଯାଇଥିଲା I ସିଲେଇ କରିବାକୁ ମନେ ନାହିଁ I ଏବେ ଆଉ ସମୟ ନାହିଁ ସିଲେଇ କରିବାକୁ I ସେଇ ଚିରା ପେଣ୍ଟ ପିନ୍ଧି ସେ ସ୍କୁଲ ଯିବାକୁ ବାହାରିଲା I ତାକୁ ଲାଜ ଲାଜ ଲାଗୁ ଥାଏ I ପିଲା ଦେଖିଲେ କଣ କହିବେ I ଚିରା ପେଣ୍ଟ ପିନ୍ଧି କି ଆସିଛି ବୋଲି ଚିଡେଇବେ I ସାଙ୍ଗ ମାନେ ସବୁ ଧନୀ ଘର ପିଲା I ସେମାନେ କେହି କେବେ ଚିରା ପେଣ୍ଟ ପିନ୍ଧନ୍ତି ନାହିଁ I ସ୍କୁଲ ପହଞ୍ଚିଲା ପରେ ସେ ଜାକି ହୋଇ ବସୁଥାଏ କେହି ଯେମିତି ଦେଖନ୍ତି I ଘରେ ସେପ୍ଟିପିନ ଗୋଟେ ମାରି ଦେଇଥିଲେ ବି ହେଇଥାନ୍ତା I ଏବେ କଣ କରିବ? ହଉଆଜି ଗଲେ ୟାକୁ ଆଗ ସିଲେଇ କରିବ I
ସମ୍ପୃକ୍ତା ମାମ I ବାବୁନା କ୍ଲାସ ଟିଚର I ଅବିବାହିତା I ଏବେ ଏବେ ବିଇଡି ସାରି ସ୍କୁଲ ରେ ଜଏନ କରି ଥାନ୍ତି I ଭାରି ସୁନ୍ଦର ଦେଖିବାକୁ I କ୍ଲାସ ରେ ସେ ଭାରି ଷ୍ଟ୍ରିକ୍ଟ I ନୂଆ ନୂଆ ଫେସନ ଡ୍ରେସ ପିନ୍ଧି ଆସନ୍ତି I ସେ ଆଜି ଗୋଟେ ଜିନ୍ସ ଆଉ ଟିସାର୍ଟ ପିନ୍ଧି ଆସିଥାନ୍ତି I କିନ୍ତୁ କଣ ତାଙ୍କ ପେଣ୍ଟ ଚିରି ଯାଇଛି I ଗୋଟେ ନୁହଁ, କେତେଟା ଜାଗାରୁ ଚିରା I ଆଗ, ପଛ ସବୁ ଆଡୁ ଚିରା I
ଏବେ ଆଉ ବାବୁନା କୁ ଲାଜ ଲାଗୁନଥିଲା I ଏଇଟା ପରା ଲାଟେଷ୍ଟ ଷ୍ଟାଇଲ I

—————ସମାପ୍ତ—————

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ୱାଟର ରାଇସ ବନାମ ପଖାଳ ଥାଳି 

ୱାଟର ରାଇସ ବନାମ ପଖାଳ ଥାଳି
ସୁବଳ ମହାପାତ୍ର

ପଖାଳ କଥା ପଡିଲେ ମନେ ପଡେ “ଆଇ” କଥା। ସ୍କୁଲ ରୁ ଫେରି ଆମେ ଦି ଭାଇ ଯେତେ ଖାଇଥିଲେ ବି ଆଇ ର ଅଇଁଠା ହାତ ରୁ ପଖାଳ ଗୁଣ୍ଡେ ଖାଇଦେଲେ ଯେଉଁ ତୃପ୍ତି ମିଳେ , ତାହାର ଲୋଭ ସମ୍ଭାଳି ନପାରି ମା କୁ ଲୁଚେଇ ଲୁଚେଇ ଦି ଗୁଣ୍ଡା ଖାଇଦେଇ , ପାଟି କୁ ଆସ୍ତେ ବୁଲେଇ କେହି ନଦେଖିଲା ପରି ଖେଳ ପଡିଆ କୁ ପଳାଉ।

ଆଇ ର ସେ ବାସି ପଖାଳ କଂସା, ପାଗ (ପୋଡା ବିଲାତି, ପୋଡା ଆଳୁ, ପୋଡା ବାଇଗଣ, କଞ୍ଚାଲଙ୍କା, ରସୁଣ ସହ ଆମ୍ବୁଲ କି ତେନ୍ତୁଳି ଖଟା ଚକଟା), ଖାର ପାଣିଆଁ ଶୁଖୁଆ ଖଣ୍ଡେ ସହ ପିଆଜ ଆଉ ବାଡ଼ି ରୁ ଲଙ୍କା ଖଣ୍ଡେ ସହ ସେ ବସିଯାଏ, ଆଉ ଆମେ ଦି ଭାଇ ତା’ର ଗ୍ରାହକ। ଦିନେ କି ଦି ଦିନର ବାସି ପଖାଳ କୁ ସେ କେମିତି କଣ କରେ ଯେ ଏତେ ସ୍ୱାଦ ଆସେ ଜାଣିନି, କିନ୍ତୁ ସେ ସ୍ୱାଦ କାହିଁ ଆଜି ଯାଏଁ ମୁଁ ଆଉ କେଉଁଠି ପାଇନି।
ଆଜି ପଖାଳ ଦିବସ ରେ ଅଫିସ ଯିବାବେଳେ ଫେସବୁକ ରୁ ପଖାଳ କଂସା ଦେଖି ମନ କ’ଣ ହେଇଯାଉଥାଏ। ଏହା ବୋଧେ ଓଡିଶା ବାହାରେ ଏକୁଟିଆ ରହୁଥିବା ସବୁ ଅବିବାହିତ ଓଡ଼ିଆ ପିଲାଙ୍କର ଦୁଃଖ ଯେ “ପଖାଳ ଗଣ୍ଡେ ଖାଇ ହେବନି”। ଆହୁରି ଭାରତ ର ପଶ୍ଚିମ ଓ ଉତ୍ତର ରେ ରହୁଥିବା ଲୋକଙ୍କ ର ଦୁଃଖ ଯେ ଏଠି ଲୋକ ରୁଟି ଖାଆନ୍ତି। ପଖାଳ ସ୍ୱପ୍ନ।

ଲଞ୍ଚ ରେ ହୋଟେଲ କୁ ଗଲି ଖାଇବା ପାଇଁ I ସବୁଦିନ ପରି ସେ ଥାଳି ଆଉ ଗିନା ତିନୋଟି ଥୋଇ ଦେଇ ଚିରାଚରିତ ଭାବରେ ତିନିପ୍ରକାର ତରକାରୀ, ଡାଲି, ପାମ୍ପଡ, ଲଙ୍କା, ପିଆଜ, ଆଚାର ରୁ ଟିକେ ଥୋଇଦେଇ ଗଲା ରୁଟି ଆଣିବାକୁ I ଆଉ ଜଣେ ଛାସ (ଘୋଳଦହି) ରୁ ଗ୍ଲାସେ ଥୋଇଦେଇ ଚାଲିଗଲା I ଏବେ ଅପେକ୍ଷା ରୁଟି ଆସିବାକୁ I ପାଖରେ ଜଣେ ଗୁଜରାଟୀ ସହକର୍ମୀ I ସାମ୍ନା ଚୌକି ରେ ଦୁଇଜଣ ପୁଅ ଆଉ ଝିଅ ଆସି ବସିଲେ I ପାଖ ଟେବୁଲ ରେ ଦୁଇଜଣ ଖାଇ ସାରିବା ଉପରେ I ସେମାନେ ରୁଟି ଖାଇ ସାରି ଭାତ ଦୁଇ ଚାମଚ ପାଇଁ ଅପେକ୍ଷା କରିଥାନ୍ତି I ଗୁଜରାଟୀ ଲୋକ ଆଗ ତରକାରୀ ସହ ରୁଟି ଖାଇ ସାରି ଚାମଚେ ଭାତ ସହ ଡାଲି ଲଗେଇ ଖାଆନ୍ତି I ମୁଁ ବି ସାତବର୍ଷ ରହିବା ଭିତରେ ବୋଧେ ଗୁଜରାଟୀ ହୋଇ ଯାଇଛି I ଘରକୁ ଗଲେ ଓଡ଼ିଆ ହୋଇଯାଏ ପୁଣି ଏଠିକି ଆସିଲେ ଗୁଜରାଟୀ ହୋଇଯାଏ I ସବୁଦିନ ଲଞ୍ଚ ରେ ଗୁଜରାଟୀ ଥାଳି I ରୁଟି ଖାଇସାରି ଭାତ ଦି ଚାମଚ I

ଏବେ ସେ ପିଲାଟି ଭାତ ଧରି ସେମାନଙ୍କୁ ଦେବା ପାଇଁ ଆସିଲା I ଭାତ ଆଉ ଛାସ (ଘୋଳଦହି) ଏକାଠି ଦେଖି ଆଜି କିଛି ଅଲଗା କରିବା ପାଇଁ ଇଛା ହେଲା I ସେମାନଙ୍କ ଆଗରେ କେମିତି କରିବି? କିଏ କଣ ଭାବିବ? କିଛି ଚିନ୍ତା ବି ମୁଣ୍ଡରେ ନଥିଲା, ଥିଲା ତ ଖାଲି ପଖାଳ ଗଣ୍ଡେ ଖାଇବାର ସ୍ବପ୍ନ I ପିଲାଟିକୁ ଡାକିଲି ଆଉ ଥାଳି ରେ ଭାତ ଦେବା ପାଇଁ କହିଲି I ସେ ଚାମଚେ ଦେଇ ଥରେ ଚାହିଁଲା I ମୁଁ କହିଲି, ” ଆଉ..” I ପୁଣି ଦୁଇ ଚାମଚ I ପୁଣି କହିଲି, “ଆଉ..” I ପୁଣି ଦୁଇ ଚାମଚ I ସେ ଅଟକି ଯିବାର ଦେଖି ତା ହାତରୁ ଭାତ ଜାଗା ନେଇ ପ୍ରଥମେ ଅଧା ଭାତ ଢାଳି ଦେଲି ମୋ ଥାଳି ରେ I ଆଉ ଗୋଟେ ଗ୍ଲାସ ଛାସ ଆଣି, ଥାଳିରେ ସବୁଯାକ ଛାସ ଢାଳିବାର ଦେଖି ସେ ପିଲା ସହ ମୋ ସହକର୍ମୀ, ସାମ୍ନାରେ ବସିଥିବା ସେ ପୁଅ ଆଉ ଝିଅ ଆଉ କିଛି ଯିବା ଆସିବା ଲୋକ ବି ଚାହିଁଲେ I ଟିକେ ଲାଜ ଲାଗିଲା I ହେଲେ ପଖାଳ… ପଖାଳ…I କାହାକୁ ନ ଅନେଇ ମୁଁ ଲଙ୍କା ଦଳିଦେଲି ସେଥିରେ I ଆଚାର ବି ମିଶେଇ ଦେଲି ଆଉ ଲୁଣ ପକେଇ ପ୍ରଥମ ଗୁଣ୍ଡା ଟା ପାଟିରେ ପକେଇ ସାରି ଦେଖିଲା ବେଳକୁ, ହୋଟେଲ ଭିତରେ ବାଘ ଦେଖିଲା ପରି ମୋତେ ଅନେଇଥିଲେ ପ୍ରାୟ ଦଶ ବାରଜଣ ଲୋକ I ସାମ୍ନା ରେ ବସିଥିବା ଝିଅଟି କହି ଉଠିଲା, “I know this. This is called as water-rice. ମେରୀ ମମ ୟେ କଭି କଭି ଖାତି ହେ ” I ସାହସ ବଢିଯାଇଥିଲା I କହିଲି, ” Do you want to try ?”, “Sure ” କହି ସେ ମୋ ଥାଳି ରୁ ଗୂଂଡେ ନେଇ ପାଟିରେ ପକେଇଲା ଆଉ ଆଙ୍ଗୁଠି ରେ superb ର symbol ଦେଖେଇଲା ବେଳକୁ ମୋତେ ଆଉ ତାକୁ ଦେଖୁଥିବା ଲୋକଙ୍କ ପାଟିରେ ବୋଧେ ଲାଳ ଆସି ସାରିଥିଲା I ସେମାନେ ରୁଟି ସହ ତରକାରୀ ଖାଇବାକୁ ହାତ ବଢା଼ଉଥିଲେ I ମୋ ସହକର୍ମୀ ଆଉ ସେ ଝିଅ ସହ ଥିବା ପିଲାଟି ବି ଚାମଚ ରେ ଚାମଚେ ଚାମଚେ ନେଇ ପାଟି ରେ ପକେଇ ସାରିଥିଲେ I ହଠାତ ଝିଅଟି ପାଟିରୁ ଶୁଣିଲି, “ଭୈୟା, ମେରେଲିଏ ଭି ଐସା ଲେ କେ ଆଓ” I ଶଙ୍କି ଯାଇଥିବା ଛାତିଟା ଗର୍ବ ରେ ଫୁଲି ଉଠୁଥିଲା I ଓଡ଼ିଆ ପଖାଳ ଖିଆଟା ମୋ ପାଖରୁ ଆଉ ଜଣେ ନର୍ଥ ଇଣ୍ଡିଆନ ପାଖକୁ ସଂକ୍ରମିତ ହୋଇ ସାରିଥିଲା I

ପଖାଳ ପାଇଁ ଦିଜଣ ଅପରିଚିତ ଏବେ ସାଙ୍ଗହୋଇ ସାରିଥିଲେ…..

–X–

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ଧାରେ ହସ ରେ ଜୀବନ……

ଧାରେ ହସ ରେ ଜୀବନ……

ସୁବଳ ମହାପାତ୍ର

“ଭଜୁ କି ନା ରାମ ନାମରେ କୁମର, ଭଜୁ କି ନା ରାମ ନାମ I ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ। ସେହି କାଳଯମ ବଡ ଦାରୁଣ ରେ ନ ଜାଣଇ ଦୁଃଖ ସୁଖ, ବାଛିନେବ କଞ୍ଚା ରଖିବ ପାଚିଲାରେ କୁମର, ଦେବ ଟି ଦାରୁଣ ଦୁଃଖ …” କେନ୍ଦେରା ବଜେଇ ଯୋଗୀଟିଏ ଘର ଆଗରେ ଆସି ଠିଆ ହେଲା I ହେଃ.. ଯା ଏଠୁ , କିଛି ତ କାମ ଧାମ ନାହିଁ, ଚେହେରା ପାଇଛନ୍ତି ରାଜା ପରିକା ଆଉ ଭିକ ମାଗି ମାଗି ଘର ଘର ବୁଲୁଛନ୍ତି I ଏଇ ମାନଙ୍କ ପାଇଁ ଆଜି ଆମ ଦେଶ ଗରିବ I ଭିକ ମାଗି ଚଳିବେ..” ମୁହଁ ଛିଞ୍ଚାଡି, ଯୋଗୀ ଉପରେ ରାଗ ତମ ତମ ହୋଇ ଶୋଇବା ଘର ଭିତରକୁ ପଶିଗଲା ବିନୟ I ବିନୟ ଭିତରକୁ ଯିବାର ଦେଖି ମିନୁ , ଛଅ ବର୍ଷ ର ପୁଅ କୁନା କୁ ଧରି ବାହାରକୁ ଆସିଲା ଓ କୁନା ହାତରେ ପାଞ୍ଚଟଙ୍କିଆ କଏନ ଟିଏ ଯୋଗୀର ଥାଳ ରେ ପକେଇ ଦେଲା I ଯୋଗୀ ଟି ଡାହାଣ ହାତ ଟେକି ଆଶୀର୍ବାଦ କରି ଚାଲିଗଲା I ବିନୟ ସବୁଦିନେ ଏମିତି I ଛୋଟବେଳେ ନିମ୍ନ ମଧ୍ୟବିତ୍ତ ପରିବାର ରେ ବଢିଥିଲେ ବି ଚାକିରୀ କରି ହାତକୁ ଦି ପଇସା ଆସିଲା ପରେ ପୁରା ବଦଳି ଯାଇଥିଲା I ମନରେ ଗର୍ବ ଆସିଯାଇଥିଲା ପଇସା ପ୍ରତି, ଷ୍ଟେଟସ ପ୍ରତି। କିନ୍ତୁ ସ୍ତ୍ରୀ ମିନୁ ଥିଲେ ଜଣେ ସୁ-ଗୃହିଣୀ I କେହି ବି ଯୋଗୀ, ଭିକାରି ତାଙ୍କ ଦୁଆରୁ ଖାଲି ହାତରେ ଫେରନ୍ତିନି I ସମସ୍ତେ ଆଶୀର୍ବାଦ କରନ୍ତି I

ଗୃହକର୍ତ୍ତାଙ୍କ ନାଁ ଟି ବିନୟ, କିନ୍ତୁ ପ୍ରକୃତି ପୁରା ଓଲଟା I କେବେ କେହି ତାଙ୍କୁ ଦାନ ଧର୍ମ କରିବା କିମ୍ବା ଠାକୁର ଙ୍କୁ ମୁଣ୍ଡିଆ ମାରିବା ଦେଖିନାହିଁ I ସବୁବେଳେ କୁହନ୍ତି, “ଠାକୁର ମୋର କଣ କରିଛନ୍ତି? ମୁଁ ଆଜି ଯାହା ଏହା ମୋ ନିଜ ପରିଶ୍ରମ ର ଫଳ I ଖାଲିଟାରେ ଠାକୁରଙ୍କୁ କାହିଁକି ମୁଣ୍ଡିଆ ମାରିବି? ମନ୍ଦିର କାହିଁକି ଯିବି? ଠାକୁର କଣ ଭୋଗ ଖାଆନ୍ତି କି? ସବୁ ଗୁଡା ଠକ, ଭଣ୍ଡ I ଠାକୁରଙ୍କ ନାଁ ରେ ନିଜେ ଖାଇବେ I ଦୁଃଖୀ ରଙ୍କି ଙ୍କୁ ବିନୟ କେବେ ସାହାର୍ଯ୍ୟ କରିବାର କେହି ଦେଖି ନାହାନ୍ତି I କହିଲେ କହିବେ, “ଠକ ସେଗୁଡା I ପରିଶ୍ରମ କରିବାକୁ ପଡିବ ବୋଲି ଭିକ ମାଗନ୍ତି I କିନ୍ତୁ ସହଧର୍ମିଣୀ ମିନୁ ବି ଯୁକ୍ତି କରେ, “ଭିକ ମାଗିବା ପାଇଁ ସେମାନେ ଦିନକୁ ଦଶ ବାର କିଲୋମିଟର କିମ୍ବା ତା’ଠୁ ଅଧିକ ବାଟ ଚାଲି ଚାଲି ଯାଆନ୍ତି I ଏହା କଣ ପରିଶ୍ରମ ନୁହେଁ? ସମସ୍ତେ କଣ ଠକ ଅଛନ୍ତି? କିଛି ଲୋକଙ୍କର କୁଳ ବେଉସା ଯେମିତି ଯୋଗୀ, ଚକୁଳିଆ ପଣ୍ଡା । ସେମାନେ ତ ତାଙ୍କ କୁଳ ବେଉସା କୁ ବଞ୍ଚେଇ ରଖିଛନ୍ତି I ଆହୁରି ବି ଲୋକ ଅଛନ୍ତି ଯେଉଁ ମାନଙ୍କୁ କାମ ମିଳୁନି। ଅକର୍ମଣ୍ୟ, ବୃଦ୍ଧ, ସେମାନେ ନିଜ ପେଟ ପୋଷିବା ପାଇଁ କିଛି ତ କରିବେ? ସେମାନେ ବଞ୍ଚିବା ପାଇଁ ଭିକ ମାଗୁଛନ୍ତି, ଭିକ ମାଗି କାର ତ ଚଳାଉ ନାହାନ୍ତି I ତମେ ହୋଟେଲ ରେ ଖାଇ ଟିପ୍ସ ଭାବେ ଯେତେବେଳେ ଶହେ ଟଙ୍କା ବଢ଼େଇ ଦିଅ, ସେତେବେଳେ ତ ଭାବନି, ଆଉ କେଉଁଠି ଯୋଗୀ ଭିକାରି ଙ୍କୁ ଟଙ୍କା ଦୁଇଟା ଦେଇଦେଲେ ତୁମର ସରିଯାଏ I କି ଲୋକ ଇଏ କେଜାଣି I” ଏମିତି ଭାବରେ ହିଁ ତାଙ୍କ ଯୁକ୍ତି ତର୍କ ସରେ I କେହି କାହା କଥା ମାନିବାକୁ କି ଶୁଣିବାକୁ ପ୍ରସ୍ତୁତ ନଥାନ୍ତି I ବିନୟ ଏ ସବୁ ର ବିରୁଦ୍ଧ ରେ ଥିଲା ବେଳକୁ, ମିନୁ କିନ୍ତୁ ଯୋଗୀ ଭିକାରୀଙ୍କୁ ଡାକି ଖାଇବାକୁ ଦିଏ।

ବିନୟ ସକାଳୁ ଅଫିସ ଚାଲିଯାଏ I ଚାରିଟା ବେଳେ ଅଫିସ ରୁ ଫେରି କୁନା ସହ ଦୁଇଘଣ୍ଟା ଧରି ଖେଳେ I ସୋସାଇଟି ପିଲାଙ୍କ ସହ ମିଶିବାକୁ ତାକୁ ମନା କରେ I ଗନ୍ଧିଆ ପିଲା ସେଗୁଡା I ଖେଳନା ନଥାଏ ତାଙ୍କର I ମାଟି, ଗୋଡି, ପଥର, କାଗଜ, ଛିଣ୍ଡାକନା, ଏମିତି ଜିନିଷ ରେ ଖେଳନ୍ତି ସେମାନେ I କେବେ କନା ସବୁ କୁ ଗୁଡେଇ ବଲ କରି ଫୁଟବଲ ଖେଳନ୍ତି ତ କେବେ ବରଡା ବେଣ୍ଟ ରେ ବ୍ୟାଟ କରି କ୍ରିକେଟ ଖେଳନ୍ତି I ବିନୟ କିନ୍ତୁ ଭାବେ ସେଗୁଡା ଚୋର ଗୁଡା I ଖେଳିବା ନାଁ ରେ ଖେଳନା ଚୋରେଇ ନିଅନ୍ତି I କୁନା ର କିନ୍ତୁ ମନ ଥାଏ ସେମାନଙ୍କ ସହ ଖେଳିବାକୁ I ବାପା ଖାଲି ଗୋଟେ ପ୍ରକାର ଖେଳ ଖେଳନ୍ତି I ବ୍ୟାଟ ଆଉ ବଲ I ସେମାନେ କିନ୍ତୁ ବହୁତ ପ୍ରକାର ଖେଳ ଖେଳନ୍ତି, ଯେମିତି ଗୋଟେ ବାଡ଼ି ଥୋଇ, ଦୌଡ଼ି ଦୌଡ଼ି ଆସି ବାଡ଼ି ଉପରେ ଗୋଡ ଦେଇ ଡିଅଁନ୍ତି I କେବେ ମାଟି ରେ ପାଣି ପକେଇ ତାକୁ ଚକଟି କେତେ କଣ ଖେଳନା ତିଆରି କରନ୍ତି, କେବେ କେମିତି ଲୁଚକାଳି ବି ଖେଳନ୍ତି I ବୋହୁଚୋରି, ବାଡ଼ି ଡିଆଁ, ମାଙ୍କଡ ଡିଆଁ, ସେଭେନ ସେଟ, ସେକା (ବରଡା ରେ ବଲ ତିଆରି କରି, ଜଣେ ଆଉ ଜଣଙ୍କ ଉପରକୁ ଫିଙ୍ଗିବା), ପୁଆ ବାଡ଼ି ପରି ଭିନ୍ନ ଭିନ୍ନ ଖେଳ I ମନ ରୁହେନି ତା’ର I ସ୍କୁଲ ରେ ସାଙ୍ଗ ମାନଙ୍କ ସହ ଖେଳିଲେ ବି ନିଜ ସୋସାଇଟି ର ପିଲାଙ୍କ ସହ ଖେଳିବାକୁ ତା’ର ଭାରି ମନ I ସୋସାଇଟି ବାହାରୁ ବି କିଛି ପିଲା ଆସନ୍ତି I ଅଧିକ ପିଲା, କେତେ ମଜା I ବାପାଙ୍କ ସହ କ୍ରିକେଟ ଖେଳିଲା ବେଳେ ସେ ବିକଳ ରେ ଚାହେଁ ସେମାନଙ୍କ ଆଡେ । କିନ୍ତୁ ବାପାଙ୍କ ଡର ରେ ନା ଯାଇପାରେ ନା ଖେଳି ପାରେ I

ସେଦିନ ବାପା ଫୋନ କରିଥିଲେ, କୁନା ମା’ ପାଖରୁ ଶୁଣିଲା ଯେ ବାପାଙ୍କର ଆଜି କଣ କାମ ଅଛି ଅଫିସ ରେ । ସେ ଡେରିରେ ଫେରିବେ I ମା ଫୋନ ଥୋଇଦେଇ ରୋଷେଇ ଘରକୁ ଚାଲିଗଲେ I ଏତିକିବେଳେ ସୁଯୋଗ ମିଳିଗଲା ତାକୁ ଆଉ ଏକା ଡିଆଁରେ ସେ ପିଲାଙ୍କ ପାଖେ ହାଜର I ଅଫିସ ରୁ ଶୀଘ୍ର କାମ ସାରି ବିନୟ ପହଁଚିଲା ଘରେ I “କୁନା କାହିଁ? ଦେଖା ଯାଉନି?” ସବୁ ଘର ବୁଲିଦେଇ ପଚାରୁଥିଲା ବିନୟ I ଅଫିସ ରୁ ଫେରିବାପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି I ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ I”
କିଛି ସମୟ ପରେ ବିନୟ ର ଉଚ୍ଚସ୍ୱର ରେ ଘର କମ୍ପି ଉଠୁଥିଲା I “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି I ସୋସାଇଟିରେ ବାଜେ ପିଲାଙ୍କ ସହ ବସି ବାଲି ଖେଳୁଥିଲା I ଏଇୟା ସବୁ ଶିଖୁଛି ତମ ପୁଅ ? ଦେଖ ତା ଦେହ… ବାଲି ଧୂଳି ରେ ଭର୍ତି I ଦେହ ଖରାପ ହେଉ, ମୋତେ କହିବ !”
ରୋଷେଇ ଘରୁ ବାହାରି ଆସୁଆସୁ ମିନୁ କହୁଥିଲା, ” ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା? ତମେ ଖେଳୁ ନଥିଲା କି? ଜନ୍ମରୁ ଏସି ରୁମରେ ବଢିଥିଲ ନା କଣ? ହୁଁ… କହି ମୁହଁ ମୋଡି, ରାଗ ତମତମ ହୋଇ କୁନାକୁ ଧରି ବିନୟ ପଶିଗଲା ଗାଧୁଆ ଘର ଭିତରକୁ I କୁନା କୁ ଧୋଇଧାଇ ଆଲମାରୀ ରୁ ଭଲ ପେଣ୍ଟ ସାର୍ଟ ପିନ୍ଧେଇ ତାକୁ ଧରି ଗଲା ବଜାରକୁ । ଚକୋଲେଟ ଦେଇ ଆଉ ଏପରି ନ କରିବା ପାଇଁ ବୁଝାଉଥିଲା କୁନା କୁ I

କୁନା ଛୋଟ ପିଲା, କିଛି ନ କହି ପାରିଲେ ବି ତା’ର ତ ଗୋଟେ ମନ ଅଛି I କିଏ ବୁଝେ ଏ ପିଲା ମାନଙ୍କ କଥା? ସବୁବେଳେ ବଡ ମାନେ ଯାହା କହିବେ ସେଇୟା I ସେମାନେ ଯାହା ଭାବିବେ, ସେଟା ସବୁବେଳେ ଠିକ I କାହିଁକି ସେମାନେ ବୁଝି ପାରନ୍ତିନି ଗୋଟେ ଛୋଟ ପିଲା ର ମନ କୁ ? କ୍ରିକେଟ ଅଧିକ ପିଲା ମାନକ ସହ ଖେଳାଯାଏ I ଦୁଇ ଜଣ ରେ କି କ୍ରିକେଟ ଖେଳା? ବାପା ଏ କଥା ବୁଝନ୍ତି ନାହିଁ କାହିଁକି କେଜାଣି? ସେମାନେ ବି ତ ଦିନେ ଛୋଟ ଥିଲେ । ସେତେବେଳେ କଣ ସେମାନେ ଚାହିଁ ନଥିଲେ ଏମିତି ଖେଳିବାକୁ? କେଜାଣି ?

କିଛିଦିନ ପରେ….

ବିନୟ ଅଫିସ ରେ ବସିଥାଏ, ହଠାତ ମିନୁର ଫୋନ ଶୁଣି ସେ ପ୍ରାୟ କାନ୍ଦ କାନ୍ଦ ଅବସ୍ଥା I “କଣ ହୋଇଛି? କେମିତି ହେଲା? ଏବେ କଉଠି?” ସେପଟୁ ଉତ୍ତର ଆସିଲା ଡାକ୍ତର ଖାନା ରେ, ଶୀଘ୍ର ଆସ I କାର ଧରି ତୁରନ୍ତ ଡାକ୍ତରଖାନା ରେ ପହଁଚିଲା ବିନୟ। ଅପରେସନ ବେଡ଼ ରେ ପଡିଥାଏ କୁନା। ବାହାର ପଟୁ କବାଟ ବନ୍ଦ। କାନ୍ଦିକାନ୍ଦି ଆଖି ଫୁଲିଯାଇଥାଏ ମିନୁ ର। କିଛି କଥା କହିବା ଅବସ୍ଥା ରେ ସେ ନଥାଏ। ଥଙ୍ଗ ଥଙ୍ଗ ପାଟିରେ ଏତିକି କହିଲା, “ସ୍କୁଲ ବସ ଖରାପ ହେବାରୁ ଅନ୍ୟ ଏକ ବସ ପିଲାଙ୍କୁ ଛାଡିବାକୁ ଆସିଥିଲା। ପାଖ ଛକ ରେ କୁନା ସହ ଅନ୍ୟ ଦୁଇଜଣ ପିଲା ବି ଓଲେହିଲେ। ସେମାନେ ଗଲାପରେ କୁନା ଆସୁଥାଏ। ହଠାତ ମାରଣା ଷଣ୍ଢଟିଏ କଉଠି ଥିଲା କେଜାଣି ପଛପଟୁ ଆସି କୁନା କୁ ଭୁଷି ଦେଲା। ଆଖପାଖ ରେ ସୋସାଇଟି ର ପିଲା ଖେଳୁଥିଲେ। ସେମାନେ ଆସି ମୋତେ କହିଲେ । କିଏ ଜଣେ ବାବାଜୀ କୁନା କୁ ଧରି ତୁରନ୍ତ ଡାକ୍ତରଖାନା ନେଇ ଆସିଲା। ସେଇ ପିଲାଙ୍କ ଠୁ ଖବର ପାଇ ମୁଁ ଆସିଲି ଏଠିକୁ । ଡାକ୍ତର କହିଲେ କୁନା ର ମୁହଁ ରାସ୍ତା ରେ ମାଡ ହୋଇ ନାକ ର ହାଡ ଖଣ୍ଡେ ଭାଙ୍ଗି ଯାଇଛି। ରକ୍ତ ବି ବହୁତ ବୋହି ଯାଇଛି। ତୁରନ୍ତ ରକ୍ତ ଦରକାର। କିଛି ସମୟ ପରେ କହିଲେ, ରକ୍ତ ଯୋଗାଡ ହୋଇଗଲା। ଏବେ ସେ ଅପରେସନ ରୁମ ଭିତରେ। ଭାଙ୍ଗି ଯାଇଥିବା ହାଡ ଟିକୁ ବାହାର କରିବାକୁ ପଡିବ।” ମିନୁ ପାଖରୁ ଏତିକି ଶୁଣି ବିନୟ କଣ କରିବ ଭାବି ପାରୁନଥାଏ। ଲଥ କରି ପାଖରେ ଥିବା ବେଞ୍ଚ ରେ ସେ ବସି ପଡ଼ିଲା। ଆଖିରୁ ଦୁଇଧାର ଲୁହ ବୋହି ଆସୁଥାଏ। ହାତ ରେ ଲୁହ କୁ ପୋଛି ଠିଆ ହେଲା ବିନୟ I ଯାହା ହେଲେ ବି ମରଦ ପୁଅ। ମରଦ ପୁଅ କଣ କେବେ କାନ୍ଦେ? ହଁ , କାନ୍ଦେ। ଗୋଟେ ବାପା କାନ୍ଦିପାରେ। କିନ୍ତୁ ଭିତର ର କୋହ କୁ ସେ ବାହାରକୁ ଆସିବାକୁ ଦିଏ ନାହିଁ। କାରଣ ତା ମୁଣ୍ଡ ଉପରେ ଆଉ ଜଣଙ୍କ ଦାୟିତ୍ୱ ବି ଥାଏ। ସେ କାନ୍ଦିଲେ ମିନୁ କୁ କିଏ ସମ୍ଭାଳିବ । ଜୀବନରେ କେବେ ଭଗବାନଙ୍କୁ ଡାକି ନଥିବା ଲୋକ, ନିଜ ସନ୍ତାନ ପାଇଁ ଭଗବାନ ଙ୍କ ପାଖରେ ଭିକ ମାଗିପାରେ। ଉପରେ କିଛି ନ କହିଲେ ବି ମନ ଭିତରେ ଭଗବାନଙ୍କୁ ହାତଯୋଡ଼ି ହଜାରେ ଥର ମୁଣ୍ଡିଆ ମାରୁଥାଏ ସେ । ବିକଳ ହେଉଥାଏ, ମୋ ପୁଅ ର କିଛି ନହେଉ ପ୍ରଭୁ। ତାକୁ ଶୀଘ୍ର ଭଲ କରିଦିଅ।

ସୋସାଇଟି ର କିଛି ଲୋକ ଏ ଭିତରେ ଆସି ସାରିଥାନ୍ତି ଡାକ୍ତରଖାନା କୁ। ସେମାନଙ୍କୁ ଦେଖି ବିନୟ ଟିକେ ହଡ଼ବଡେଇ ଗଲା। ଯେଉଁ ମାନଙ୍କ ପିଲାଙ୍କୁ ସେ ଗରିବ, ଚୋର ବୋଲି ଭାବୁଥିଲା, ଆଜି ତା ଅସୁବିଧା ସମୟ ରେ ସେମାନେ ହିଁ ତା ପାଖରେ ଠିଆ ହୋଇଥିଲେ। ଚିନ୍ତା ରେ ସେ ଏପଟ ସେପଟ ହେଉଥାଏ। ଏତିକିବେଳେ ସେ ଦେଖି ପାରିଲା ସେ ଯୋଗୀ ଜଣଙ୍କୁ। ଆଶ୍ଚର୍ଯ୍ୟ ରେ ତାକୁ ଚାହିଁଲା ବେଳକୁ, ଦେଖି ପାରିଲା ଯୋଗୀ ର ବାମ ହାତରେ ବ୍ୟାଣ୍ଡେଜ କନା ଗୁଡେଇ ହୋଇଥାଏ। ତା’ର ସବୁ ଭାବନା ର ଅନ୍ତ କରି ଯୋଗୀ ଜଣଙ୍କ ପାଖକୁ ଆସିଲା ଆଉ କହିଲା, “ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ, ଆମ “ବାବା” ର କିଛି ହେବନି। ବେସି କିଛି ହୋଇନି, ଖାଲି ମୁହଁଟା ଟିକେ ମାଡ ହୋଇ ଯାଇଛି। ମୋ ରକ୍ତ ସହ ତାଙ୍କ ରକ୍ତ ମ୍ୟାଚ କଲା ତ ମୁଁ ରକ୍ତ ଦେଇ ଦେଇଛି। ମୁଁ ହିଁ ତାଙ୍କୁ ଡାକ୍ତର ଖାନା ନେଇକି ଆସିଥିଲି। ଆପଣ ମାନେ ତ ଆସି ଗଲେଣି ମୁଁ ଯାଏଁ। ମୋତେ ଆହୁରି ଦଶ କିଲୋମିଟର ଚାଲି ଚାଲି ଯିବାର ଅଛି। କାଲି ଆସି ବୁଝିଯିବି ବାବା ର ଖବର। ସେ ଆମର ଦିବ୍ୟ ଆତ୍ମା। ଗରିବଙ୍କ ପ୍ରତି ତାଙ୍କର ଦୟା ଅଛି। ଭଗବାନ ସବୁ ଭଲ କରିଦେବେ।” ଆଉ ସହି ପାରୁନଥିଲା ବିନୟ। ସେଦିନ ଏଇ ଯୋଗୀ କୁ ମୁହଁ ଛିଞ୍ଚାଡି କଥା କହିବାର ଦୃଶ୍ୟ ତା ଆଖି ଆଗରେ ନାଚି ଯାଉଥିଲା। ପର୍ସ ରୁ ବାହାର କରି ପାଞ୍ଚଶହ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଲା ସେ। ହାତ ଧରି ପକେଇ ଯୋଗୀ ଜଣଙ୍କ କହିଲା,”ଛି…ଛି… ମୋତେ ଧର୍ମ ସହିବ ବାବୁ? ଆମ ବାବା ପାଇଁ ରକ୍ତ ଟିକେ କଣ ଦେଲି ଯେ ପଇସା ନେବି? ଛୋଟ ପିଲା ପରା ଭଗବାନଙ୍କ ଙ୍କ ଅବତାର। ପଇସା ଆପଣ ରଖନ୍ତୁ।” ଯୋଗୀକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ପକେଇଲା ବିନୟ। କହିଲା, “ଆପଣ ହିଁ ମୋ ପାଇଁ ଭଗବାନ”। ଏତିକିବେଳେ ଅପରେସନ ରୁମ ରୁ ଡାକ୍ତର ବାହାରିଲେ। କହିଲେ,”ପିଲା ଏବେ ଭଲ ଅଛି। ଆଉ କିଛି ଚିନ୍ତା କରିବାର ନାହିଁ। ତାକୁ ଏବେ କିଛି ସମୟ ବିଶ୍ରାମ ଦରକାର। ଆଉ ଦୁଇ ଚାରି ଘଣ୍ଟା ପରେ ତାକୁ ଡିସଚାର୍ଜ କରିଦେବୁ। କିଛିଚିନ୍ତା କରିବାର ନାହିଁ । ତମେ ଯାଇ ଏବେ ତା ସହ କଥା ହୋଇପାରିବ ।”

ବିନୟ ଟିକେ ନିଶ୍ୱାସ ମାରିଲା ଏବେ । ଦଉଡି ଯାଇ କୁନା ର ମୁଣ୍ଡ କୁ ଆଉଁସି ପକେଇଲା ସେ। କାନ୍ଦି କାନ୍ଦି ଥର ଥର କଣ୍ଠ ରେ ଡାକିଲା, ” ବାପା ରେ…. କେମିତି ଲାଗୁଛି ଏବେ? ତୁ ଶୀଘ୍ର ଭଲ ହୋଇ ଯା… ଆମେ ସାଙ୍ଗ ହୋଇ ଖେଳିବା ତୋର ସେ ସୋସାଇଟି ସାଙ୍ଗ ମାନଙ୍କ ସହ…. ହେଲା….???”

ବିନୟ ଆଖିରୁ ଲୁହ ସହ ମନ ଭିତରୁ ମଧ୍ୟ ପଇସା, ଷ୍ଟେଟସ, ଗର୍ବ, ଅହଙ୍କାର… ସବୁ ଏକାକାର ହୋଇ ବୋହି ଯାଉଥିଲେ…..

ଏତେ କଷ୍ଟ ସତ୍ତ୍ୱେ, ସୋସାଇଟି ପିଲାଙ୍କ ସହ ଖେଳିବା ନାଁ ଶୁଣି, କୁନା ମୁହଁ ରେ ହସ ଧାରେ ଉକୁଟି ଆସୁଥିଲା….

–ସମାପ୍ତ–

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ପକୁଡି ବିକା କୁ ଯାତେରା ଦେଖା…

ରମ୍ୟ ଅରମ୍ୟ
ପକୁଡି ବିକା କୁ ଯାତେରା ଦେଖା…
ସୁବଳ ମହାପାତ୍ର
ଇଞ୍ଜିନିଅର ହେବାର ପାଞ୍ଚ ବର୍ଷ ପରେ ବି ମକରା କୁ ଚାକିରୀ ଖଣ୍ଡେ ମିଳିଲା ନାହିଁ I ବହୁତ ମନ ଦୁଃଖରେ ଥାଏ ବିଚରା I ପ୍ରାୟ ସବୁ ସାଙ୍ଗ ଚାକିରୀ ପାଇ ଗଲେଣି I କିଛି ହାତଗୁଞ୍ଜା ଦେଇ, ତ କିଛି ବାପା କାକାଙ୍କ ଚି଼ହ୍ନIରେ I କିଛି ପିଲା ତ ପାଇବା ଆଶାରେ ବାପା ପଇସା କୁ ଚଳୁ କରି ଦଲାଲ କୁ ଅନେଇ ବସିଛନ୍ତି I ଆଉ କିଛି ନିଜ ଭାଗ୍ୟ କୁ ନିନ୍ଦଇ I ଭାରି ଗର୍ବ ରେ ସେତେବେଳେ କଲେଜ ଆଣିଥିବା କ୍ୟାମ୍ପସ ରେ ଚାକିରୀ ପାଇ ଛାତି ଫୁଲେଇ ବୁଲୁଥିଲେ I କିଛି ଦିନ ପରେ ବୁଝା ପଡିଗଲା ଯେ ଏମାନେ ପଇସା ଦେଇ ସେଠି କୋର୍ସ କରୁଥିଲେ I ଛଅ ମାସ ପରେ କୋର୍ସ ସରିବାରୁ କମ୍ପାନୀ ବି ବନ୍ଦ I ଆଉ ଚାକିରୀ? କଉ ଥିଲା ଯେ ଯିବ? ସେତେବେଳେ କଲେଜ, ପିଲାଙ୍କଠାରୁ ଟଙ୍କା ପଚିଶ ହଜାର ନେଇ କ୍ୟାମ୍ପସ ରେ ବସିବାକୁ ଦେଲା I ଆଉ ଏମାନେ କ୍ୟାମ୍ପସ ରେ ଚାକିରୀ ପାଇଗଲେ I ପ୍ରକୃତରେ କଲେଜ ଆଉ ସେ କମ୍ପାନୀ ର ଭିତିରିଆ ବୁଝାମଣା “ରାଧେ ରାଧେ, ତୋର ଅଧେ କୁ ମୋର ଅଧେ” ନ୍ୟାୟ ରେ ପଇସା ସବୁ ପାଟିରେ ପକେଇ ଏମାନଙ୍କୁ ଅଫର ଲେଟର ଦେଇଥିଲେ I ଏବେ ସବୁ ଫୁସ… ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀ କୁ ବୋହି ଗଲାଣି I କାହାକୁ କହିବେ?
ଯାହା ହେଉ, ମକରା ବିଚରା ବଞ୍ଚିଯାଇଥିଲା ସେଥିରୁ I ବାପା ତ ଚାଷୀ, ବେଳେ ବେଳେ ଭୋଜି ଭୁଜା ରେ ରୋଷେଇ ବାସ କରେ I ଆଗରୁ ଜେଜେ କରୁଥିଲା I ଜମି ଖଣ୍ଡେ ବିକି ୟାକୁ ପାଠ ପଢ଼େଇଥିଲା I ସେ କଣ ଜାଣିଥିଲା ଯେ ୟା ଭିତରେ ଏତେ ପେଞ୍ଚ ଅଛି? ପଢିବା ପାଇଁ ପଇସା, ଇଣ୍ଟରଭିଉ ଦେବାପାଇଁ ପଇସା, ଚାକିରୀ ପାଇଁ ପଇସା, ଶେଷରେ ଲାଞ୍ଚ ପାଇଁ ପଇସା I  ଯେଡ଼େ ବାଉଁଶ ସେଡେ ପୋଲ I ଖାଲି ପଢ଼େଇ ଦେଲେ ହେବନି, ତା ପଛକୁ ପଛ ସବୁ ଖଞ୍ଜିବାକୁ ପଡିବ I ଖୋଲା ଆଖିରେ ସ୍ବପ୍ନ ଦେଖି ଦେଖି ସେ ବିଚରା ନଖାଇ ନପିଇ ପେଟ ଭୋକ ପିଠିରେ ମାରି କାମ କରି ଚାଲିଲା I ମକରା ବି ଗାଁ ଡେଇଁ ସହର ପହଁଚିଲା ପରେ ଯେମିତି ଡେଣା ଲାଗି ଯାଇଥିଲା ତା ଦିହ ରେ I ବର୍ଷେ ଦୁଇ ବର୍ଷ ଖାଇ ପିଇ ହସି ଖେଳି ବୁଲି ମଉଜ କଲା ପରେ ମୁଣ୍ଡରେ ପଶିଲା ତା’ର, ଇଞ୍ଜିନିଅର ହେଇ ସାରିଲେ କରିବ କ’ଣ? ପଢା ପଢି ସବୁ ଚୁଲି କି ଗଲାଣି, ଖାଲି ଖେଳି ବୁଲି କଣ ସେ ଭଲ ଇଞ୍ଜିନିଅର ହେଇ ପାରିବ? ଭାବି ଭାବି ଭଲରେ ପଢାପଢି କଲା, ଭଲ ନମ୍ବର ରଖି ପାସ ବି କଲା I ହେଲେ ଲାଭ କଣ? ଚାକିରୀ କାଇଁ? ମକରା ଚାକିରୀ କରିବ, ଆଉ ଆମ ଦୁଃଖ ଯିବ ବୋଲି ଅନେଇ ଅନେଇ ମକରା ବା’ଆ ଆଖିରୁ ପାଣି ମଲା I ଦିନେ ସେଇ ଚାକିରୀ ଚାକିରୀ ହେଇ ମକରା ବାପା ର ଜୀବନ ଗଲା I ମକରା, ଯାହା ହେଲେ ବି ଗୋଟେ ଇଞ୍ଜିନିଅର I ଏ ପାଣି, କାଦୁଅ ତାକୁ ପୋଷେଇଲା ନାହିଁ I ମଝିରେ ଭାବିଲା ବାଙ୍ଗାଲୋର କି ହାଇଦ୍ରାବାଦ ଚାଲିଯିବ I କିନ୍ତୁ ଏତେ ପଇସା କାଇଁ? ଯାହା ଜମିବାଡ଼ି ଅଛି ତାକୁ ତ ବିକି ଭାଙ୍ଗି ଚାଲିଛି I ଏଣେ ମା ବି ଅଛି, ତାକୁ ଛାଡି ଯିବ କୁଆଡେ ? କାନମୁଣ୍ଡା ଆଉଁସି ରହିଲା ଗାଁ ରେ I ଆସ୍ତେ ଆସ୍ତେ ପାଠସାଠ ବି ସବୁ ଚୁଲି କି ଗଲା I ପାଞ୍ଚବର୍ଷ ପରେ ଆଉ କଣ ପାଠ ମନେ ଅଛି ଯେ ସେ ଯିବ ଇଣ୍ଟରଭିଉ ଦେବାକୁ? ଏବେ ଚାକିରୀ ଖୋଜିବା ବି ଛାଡିଲା I ଗାଁ ଛକ ରେ ତାସ ମାଡ ରେ ଦିନ ଯାଏ I ଘରେ ତ ମା ଅଛି, ରାନ୍ଧିବାଢି ଗଣ୍ଡେ ରଖିଥାଏ I ପୁଅ ଖାଇ ପିଇ ବୁଲୁ ଥାଏ I
ସେଦିନ କ୍ଲବ ଘରେ ଟିଭି ଟା ଚାଲିଥାଏ I ତାସ ଖେଳ ବି ଜମିଥାଏ I ଦେଶର ଜଣେ ଟାଣୁଆ ନେତା କିଛି କହୁଥାନ୍ତି I “ବେକାରୀ” ଶବ୍ଦ ଟି ଶୁଣି ସେ ମୁଣ୍ଡ ଟୁଙ୍ଗାରି ଅନେଇଲା I ନେତା ଜଣଙ୍କ ଅନର୍ଗଳ ଭାଷଣ ଦେଇ ଚାଲିଥାନ୍ତି I ତାସ ଖେଳ ର ଘୋ ଘା ଭିତରେ ଯାହା ଶୁଣିଲା, ” ପକୁଡି ଛାଣି ମଧ୍ୟ ରୋଜଗାର କରି ହେବ ” I ହଠାତ ସେ ଡେଇଁ ପଡିଲା ଖେଳ ମଝିରୁ I ମୁଣ୍ଡରେ କଣ କଣ ସବୁ ଚାଲୁଥାଏ, ବୁଲୁଥାଏ, ଡେଇଁ ଉଛୁଳି ପଡୁଥାଏ I ଆଉ ଅପେକ୍ଷା ନ କରି ସେ ଘରକୁ ଆସି ଆଟୁ ଉପରେ ଚଢି କାଢି ଆଣିଲା ଜେଜେ ଅମଳ ର ପୁରୁଣା କାଳିଆ କଡେଇ ଟା I ଗାଁ ରେ ଯନ୍ତାଳ ହେଲେ, ତାଙ୍କ ଘରୁ ହିଁ କଡେଇ ଯାଏ I ପରଦିନ ସକାଳୁ ସେଇ କଡେଇ କୁ ହାତରେ ଧୋଇ ଧାଇ, ଚେଲା ଚାମୁଣ୍ଡା ଦୁଇ ଜଣଙ୍କୁ ଧରି ସେ ଚାଲିଲା ପାଖ ଟାଉନୁ କୁ I ଟାଉନୁ ରେ ପହଞ୍ଚି ଜାଗା ଖୋଜି ଇଟା ଛଅ ଖଣ୍ଡ ପକେଇ ଦେଇ ଆରମ୍ଭ କଲା ପକୁଡି ଛଣା I ଟାଉନୁ ରେ କିଛି ବିରୋଧୀ ଦଳ ର କୁଜି ନେତା ୟାକୁ ଜାଣି ଥିଲେ I ବେକାର ଇଞ୍ଜିନିଅର ଭାବେ ୟା ର ଖୁବ ନାଁ ଡାକ, ସେ ଅଞ୍ଚଳ ରେ I କୁଜି ନେତା ଆସି ୟାକୁ ଦେଖି ଭାବିନେଲେ ଯେ ୟେ ଚାକିରୀ ନ ମିଳିବାରୁ ଅଭିନବ ଉପାୟ ରେ ପକୁଡି ବିକି ପ୍ରତିବାଦ କରୁଛି I ସଙ୍ଗେ ସଙ୍ଗେ ଟେଣ୍ଟ, ଚୌକି, ମାଇକ ସବୁ ଯୋଗାଡ ହୋଇଗଲା ଆଉ ପୋଲିସ କୁ ଖବର ଦେଇ ଆରମ୍ଭ ହୋଇଗଲା ପ୍ରତିବାଦ ସଭା I ପ୍ରତିବାଦ କରୁଥିବା ଦଳ ର କର୍ମୀ ମାନେ ହିଁ ୟାଠୁ ପକୁଡି କିଣି ଖାଇବାକୁ ଲାଗିଲେ I ଆସ୍ତେ ଆସ୍ତେ ପକୁଡି ବିକ୍ରି ବଢିବାକୁ ଲାଗିଲା I ଅବସ୍ଥା ଏମିତି ହେଲା ଯେ ଆଉ କିଛି ଶିକ୍ଷିତ ବେକାର କର୍ମୀ ବି ବିନା ପଇସା ରେ ୟାକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ I କୁଜି ନେତା ଟେଣ୍ଟ ହାଉସ ରୁ ୟା ପାଇଁ ଆଉ ଦୁଇ ତିନୋଟି କଡେଇ ଆଉ ବାକି ସରଞ୍ଜାମ ବି ଯୋଗାଡ କରିଦେଲେ I ଆସ୍ତେ ଆସ୍ତେ ବେପାର ଜୋର ହେଲା I ସନ୍ଧ୍ୟା ସୁଦ୍ଧା ହାତକୁ ଟଙ୍କା ପାଞ୍ଚ ସାତ ହଜାରେ ଉପରେ ଆସି ସାରିଥିଲା I କଡେଇ, ଟେଣ୍ଟ, ଚୌକି ସବୁ ମାଗଣା …  ବାଃ ବାଃ ବଢିଆ I ପରଦିନ ସକାଳୁ ପୁଣି ଆରମ୍ଭ ହୋଇଗଲା ପକୁଡି ଛଣା I ପୁଣି ଆସିଗଲେ କର୍ମୀ ସବୁ I ଦୁଇ ଦିନରେ ପାଖାପାଖି ପନ୍ଦର ହଜାର ବେପାର I ମକରା ର ଲିଚୁ ଲାଇଟ ରୁ ବାହାରି ଟିଉବୁ ଲାଇଟ ପରି ଝଲସି ଉଠିଲା I ଦି ଦିନରେ ପନ୍ଦର ହଜାରେ ହେଲେ ମାସକୁ କେତେ ? ଏ ଧନ୍ଦା ସେ ଆଗରୁ ନ କରି ଏତେ ଗୁଡ଼େ ପଇସା ନଷ୍ଟ କଲା ବୋଲି ମନଦୁଃଖ ହେଲା ତା’ର I ହଉ, ଏବେ ତ ବୁଦ୍ଧି ମିଳିଗଲା, ଏଥର ଚାଲୁ I ନେତା ଜଣଙ୍କ ଠିକ କହିଥିଲେ I
ଏପଟେ କୁଜି ନେତାଙ୍କ ଉପର ନେତା ଆସି ମକରା କୁ ତାଙ୍କ ଦଳ ରେ ମିଶିବାକୁ ଆହ୍ବାନ ଦେଲେ I ଦୁଇ ଦିନ ଭିତରେ ୟା ର ଏତେ ନାଁ ଦେଖି ତାକୁ ଏଥର ନିଜ ଦଳରୁ ଠିଆ କରେଇବା ପାଇଁ ସେ ଅଣ୍ଟା ଭିଡ଼ିଲେ I ତୁଣ୍ଡ ବାଇଦ ସହସ୍ର କୋଷ ପରି ଦେଖୁ ଦେଖୁ କଥା ଚାରିଆଡେ ରାଷ୍ଟ୍ର ହୋଇଗଲା I ହେଲେ ମକରା ନିଜର ଏକ ସ୍ୱାଧୀନ ଦଳ କରିବ ବୋଲି ଘୋଷଣା କଲା I ଏବେ ମକରା ବାବୁ ହେଲେ ସେ ଅଞ୍ଚଳ ର ସବୁଠୁ ବଡ ବେକାରୀ ବିରୋଧୀ ନେତା I ଦଳ ର ଚିହ୍ନ ହେଲା ପକୁଡି I ପକୁଡି ଦଳ ର ସବୁ କର୍ମୀ ସକାଳେ ଓ ସନ୍ଧ୍ୟା ରେ ପକୁଡି ଛାଣନ୍ତି ଆଉ ରୋଜଗାର ର ଦଶ ପ୍ରତିଶତ, ଦଳ ର ପାଣ୍ଠି କୁ ଯାଏ I ଏଥର ମକରା ବାବୁ ଏମଏଲଏ ଆସନ ରେ ଠିଆ ହେବେ ବୋଲି ଫର୍ମ ପକେଇଛନ୍ତି ବୋଲି ଶୁଣା ଯାଉଛି I ଜିତିବେ ତ ନିଶ୍ଚିତ I ଏବେ ଆଉ ତାଙ୍କ ଅଞ୍ଚଳ ରେ କେହି ଜଣେ ବେକାରୀ ଦେଖିବାକୁ ମିଳୁ ନାହାନ୍ତି I ସନ୍ଧ୍ୟା ରେ ନାଲି ପାଣି ଆଉ ପକୁଡି ଖୁବ ଜମୁଛି I
ସେଦିନ ସନ୍ଧ୍ୟା ରେ ସେ ହାତରେ ରଙ୍ଗୀନ ପାଣି ରୁ ଗ୍ଲାସେ ଧରି ତିନିମହଲା ଘର ର ବାଲକୋନୀ ରେ ବସି ତଳେ ବିସ୍ତିର୍ଣ ବଗିଚା ରେ ଫୁଟି ଥିବା ଫୁଲ ଗୁଡିକ ଦେଖୁଥିବା ବେଳେ ପୁରୁଣା କଥା ତାଙ୍କର ମନେ ପଡି ଯାଉଥିଲା …
 ସେଦିନ ସେ ଯଦି ପକୁଡି ଛାଣିବାକୁ ଆସି ନଥାନ୍ତେ ତେବେ କଣ ହୋଇଥାନ୍ତା ? ଆଉ କଣ ପାଠ ମନେଥିଲା ଯେ ଚାକିରୀ କରିଥାନ୍ତେ? ସେ ତ ସେଦିନ ନେତା ଜଣଙ୍କଠୁ ବୁଦ୍ଧି ପାଇ ପକୁଡି ଛାଣି ଦି ପଇସା ରୋଜଗାର କରିବାକୁ ଟାଉନୁ କୁ ଆସିଥିଲେ I ଜମି ବିକ୍ରି ପଇସା, ବ୍ୟାଙ୍କ ରୁ ସରି ଆସୁଥିଲା I ଛକ ରେ ତାସ ଖେଳି ଖେଳି ବିରକ୍ତ ଲାଗି ଯାଇଥିଲା I ଘର ଚଲେଇବା ଆଉ ଦି ମୁଠା ଖାଇବା ଯୋଗାଡ କରିବା ପାଇଁ ନିଜ ପାଠପଢା ର ଅହଙ୍କାର ଛାଡି ବାପା ଜେଜେ କରୁଥିବା ବୃତି କୁ ଆପଣେଇ ନେଇ ପକୁଡି ଦୋକାନ ଟିଏ କରିବା ପାଇଁ ଆସିଥିଲେ I ହେଲେ ଏହାକୁ କୁହନ୍ତି ଭାଗ୍ୟ I ଯେତେବେଳେ ସାଥ ଦିଏ, ଛପର ଫାଡ଼ି କି ଦିଏ I
ଯାତେରା ଦେଖା ଆଉ କଦଳୀ ବିକା , ନା ନା  ପକୁଡି ବିକା ଆଉ ଯାତେରା ଦେଖା ଏକାବେଳେ ହୋଇଯାଇଥିଲା ତାଙ୍କର I
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

ବିଧିର ବିଧାନ

ବିଧିର ବିଧାନ
ସୁବଳ ମହାପାତ୍ର
ବୟସ ର ଅପରାହ୍ନ, ପ୍ରଶାନ୍ତ ବାବୁ ନିଜ କର୍ମମୟ ଜୀବନ ରୁ ଅବ୍ୟାହତି ନେଇ ଫେରି ଆସିଛନ୍ତି ନିଜ ସହର କୁ। ଅବ୍ୟାହତି କଣ ? ଆଉ ଇଛା ନଥିବାରୁ ଚାକିରୀ ଛାଡି ଚାଲି ଆସିଛନ୍ତି ନିଜ ସହରକୁ I ବାପା ମା ଚାଲିଗଲା ପରେ ଏ ଘରେ ରହିବାକୁ କେହି ନଥିଲେ I ଜୀବନ ର ପଚାଶଟି ବସନ୍ତ ଅତିକ୍ରମ କରି ସାରିଛନ୍ତି। ସହର ର ମଝିଆ ମଝି ନିଜ ଘର, କିନ୍ତୁ ସେହି ଘରେ ରହିବା ତାଙ୍କ ଭାଗ୍ୟ ରେ ନଥିଲା। ବାହାଘର ପରେ ଏକରକମ ସେ ଆଡେଇ ହୋଇଯାଇଥିଲେ ସମସ୍ତଙ୍କ ପାଖରୁ I ପରେ ଶୁଣିଥିଲେ ଯେ ବାପା ମା ତାଙ୍କ ମୁହଁ ଦେଖିବାକୁ ବି ଇଛା କରୁ ନଥିଲେ I ପେଟ ପାଟଣା ଆଉ ନିଜ କ୍ୟାରିଅର ର ଦାୟ ରେ ସେ ବୁଲିଛନ୍ତି ଭାରତ ର ପ୍ରାୟ ସବୁ ରାଜ୍ୟ କିନ୍ତୁ ଏକା ଏକା। ଯେତିକି ପଇସା ସଞ୍ଚିଛନ୍ତି ସେତିକି ବାକି ଜୀବନ ଚଳିଯିବା ପାଇଁ ଯଥେଷ୍ଟ I ଏବେ ସେ ଫେରି ଆସିଛନ୍ତି ତାଙ୍କ ନିଜ ସହର କୁ I ବାପା ବୋଉ କେଉଁ ଦିନୁ ଚାଲି ଗଲେଣି I ସାନଭାଇ ସୁଧୀର ତା’ ସ୍ତ୍ରୀ ପିଲାଙ୍କୁ ନେଇ ଦେଶ ବାହାରେ I ବହୁତ ଦିନୁ ଘରଟିରେ ଝାଡୁ ବି ବାଜିନି I ଅଳିହା ମଳିହା ହୋଇ ପଡିଛି ସବୁ ଆଡେ I ଆସିଲା ପରେ ଗୋଟିଏ ବଖରା ସଜଡା ସୁଜୁଡ଼ି କରି ଅଛନ୍ତି ସେଥିରେ I ବାକି ଗୁଡା ପଡିଛି ସେମିତି I ଚାରି ବଖରା ଘର ଭିତରୁ ସେ ବାଛି ଥିଲେ ବାପା ମାଙ୍କ ବଖରା ଟିକୁ I ଏବେ ବି ବାପା ମାଙ୍କ ଦେହ ର ବାସ୍ନା ଆସେ ସେ ଘର ଭିତରୁ I ବାପା ମା ସିନା ରାଗରେ ତାଙ୍କ ମୁହଁ ଦେଖିବାକୁ ଇଛା କରୁ ନଥିଲେ ସେ କିନ୍ତୁ ବହୁତ ଭଲ ପାଆନ୍ତି ସେମାନଙ୍କୁ I ଏତେଦିନ ସେମାନଙ୍କୁ ଛାଡି ଅଲଗା ରହିବା କେତେ କଷ୍ଟ ଏକଥା ସେ ଜାଣିଛନ୍ତି I ତାଙ୍କ ନିଜ ବଖରା ରେ ରହିବାକୁ ଇଛା ନଥିଲା I କାହିଁକି ଯିବେ ତା ଭିତରକୁ ? କଣ ଆଉ ଅଛି? କିଛି ଦିନର ସ୍ମୁତି ଯାହା I ନହେଲେ ଏ ବୁଢା କାଳେ ସେ ଏକା ରହୁଥାନ୍ତେ? ସେ ବି ବାହା ହୋଇଥିଲେ କିନ୍ତୁ ବାହାଘର ର ତିନିବର୍ଷ ପରେ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲା ବାପ ଘରକୁ କେବେ ନ ଫେରିବାର ଧମକ ଦେଇ I ଭଲ ପାଇ ଅଜାତି ରେ ବାହା ହୋଇଥିଲେ ସେ I ଆଉ କେଉଁ ମୁହଁ ରେ ଆସିଥାନ୍ତେ ବାପା ମାଙ୍କ ପାଖକୁ? ସେ ବି ନିଷ୍ପତ୍ତି ନେଇ ସାରିଥିଲେ ସ୍ତ୍ରୀ’ର ଖବର କେବେ ବି ରଖିବେନି ବୋଲି।
ସେଦିନ ଶୀତ ସକାଳ ର କଅଁଳିଆ ଖରା କୁ ପଛ କରି ବସି ପେପର ପଢୁଥିଲେ ସେ I ଆଗକୁ ଶିବରାତ୍ରି ପାଇଁ ପେପର ରେ ଭିନ୍ନ ଭିନ୍ନ ଖବର I ପଢୁ ପଢୁ ଆଖି ଆଗରେ ପଡିଗଲା ଏକ ଖବର ” ଏଥର ମହାଦ୍ଵୀପ ଉଠିବ ରାତି ବାରଟା ପନ୍ଦର ରେ ” I ବହୁତ ବର୍ଷ ପରେ କାହିଁକି କେଜାଣି ଶିବ ମନ୍ଦିର ଆଡେ ଘେରେ ବୁଲି ଆସିବା ପାଇଁ ଚିନ୍ତା କଲେ I ସନ୍ଧ୍ୟା ରେ କିଛି ସାଙ୍ଗମେଳ ରେ ଚା ଖଟି ରେ ଜାଣିବାକୁ ପାଇଲେ ଯେ ତାଙ୍କ ଖଟି ର ପ୍ରାୟ ସବୁ ବୁଢା ଶିବରାତ୍ରି ରେ ରାତି ସାରା ରହିବେ ମନ୍ଦିର ରେ I କେହି ନିଜ ସ୍ତ୍ରୀ ସହ ତ କେହି ପୁଅ ଝିଅଙ୍କ ମାନଙ୍କ ସହ I ନିଜର ନା ସ୍ତ୍ରୀ ଅଛି, ନା ପିଲା ଛୁଆ I ତଥାପି ମନେ ମନେ ଚିନ୍ତା କଲେ କିଛି ନହେଲେ ବି ଏ ଏକୁଟିଆ ରାତି ଟି ତ କଟିଯିବ କିଛି ଲୋକଙ୍କ ଗହଣ ରେ I ଆହୁରି ବି ସେ କ୍ଷମା ମାଗିନେବେ ଦେବଙ୍କ ଦେବ ମହାଦେବଙ୍କ ଠାରୁ I ପାଖାପାଖି କୋଡିଏ ବର୍ଷ ଭିତରେ ସେ କେବେ ହେଲେ ମନ୍ଦିର ଯାଇ ନାହାନ୍ତି ରାଗରେ I ଏବେ ଏ ବୁଢା ବୟସ ରେ କାହିଁକି ଆଉ ରାଗ ରଖିବେ I ଯାହା ତ ହେବା କଥା ହେଇ ସାରିଲାଣି I ଆଉ ରାଗ ରଖି ବି ଲାଭ କଣ? କାଳ ର କରାଳ ଗର୍ଭ ରେ ସମସ୍ତେ ସମୟ ଆଗରେ ହାର ମାନିବାକୁ ବାଧ୍ୟ I ସେ ବି ହାର ମାନି ଗଲେଣି I ଏବେ ଏ ନିସଙ୍ଗ ଜୀବନ ରେ ଟିକେ ସ୍ନେହ ଲୋଡ଼ା ଯାହା I
ପରଦିନ ଶିବରାତ୍ରି ପାଇଁ କିଛି ଘିଅ, ଗୋଟେ ଦୀପ, କିଛି ଧୁପକାଠି ଧରି ସେ ପହଁଚିଲେ ମନ୍ଦିର ରେ I ଲୋକ ଭର୍ତି, ପାଦ ପକେଇବାକୁ ଜାଗା ନାହିଁ I ସମୁଦ୍ର ପରିକା ଲୋକ ଚାରିଆଡେ I ଭାବିଥିଲେ ସବୁ ସାଙ୍ଗ ଏକାଠି ହେଲେ କଥାବାର୍ତା ରେ ହେଲେ ସମୟ କଟିଯିବ I ହେଲେ ଏ ଗହଳି ରେ କୁଆଡେ ଖୋଜିବେ କାହାକୁ ? କିଛି ସମୟ ଏପଟ ସେପଟ ହେଲା ପରେ ଖୋଜି ଖୋଜି ଗୋଟେ ଖାଲି ଜାଗାରେ ବସି ପଡିଲେ ସେ I ବହୁତ ଲୋକ ଦୀପ ଲଗେଇ ସାରିଲେଣି, ଆହୁରି କେତେ ଲୋକ ଆସୁଥାନ୍ତି, କେତେ ଯାଉଥାନ୍ତି, ଗହଳି ଚହଳି ଲାଗିଥାଏ I ନିଜେ ପଲିଥିନ ରୁ ଘିଅ ଓ ଦୀପ ଲଗେଇବାକୁ ବାହାର କଲେ I ଦୀପ ଲଗେଇ ସାରିଲା ବେଳକୁ ପଛପଟେ କାହାର କର ସ୍ପର୍ଶ ରେ ସେ ବୁଲି ଚାହିଁଲେ, “ଅଙ୍କଲ, ମାଚି଼ସ ଟା ଟିକେ ନେବି? ” I  ହଁ, ନାହିଁ କୁ ଅପେକ୍ଷା ନ କରି ମାଚି଼ସ ଟି ନେଇ ସେ ଚାଲିଗଲା I ପ୍ରଥମ ଚାହାଁ ରେ ଝିଅ ଟି କେମିତି ନିଜର ନିଜର ଲାଗିଲା I ବାପାଙ୍କର ଅବିକଳ ଚେହେରା I ନା, ନା, ଅନ୍ଧାର ରେ ସେମିତି ଦେଖା ଯାଇଥିବା ପରା !!! ବୋଲି ଭାବି ସେ ଦୀପ ଲଗେଇବାରେ ମନ ଦେଲେ I ଅଳ୍ପ ଅଳ୍ପ ପବନ ରେ ଦୀପ ଲିଭି ଯାଇ ପାରେ I ଦୁଇ ହାତରେ ଆଢୁଆଳ କରି ଦୀପ ଟି ଟିକେ ଭଲରେ ଜଳିଲା ପରେ ଦୀପ ନିଆଁ ରେ ଧୂପ ଲଗେଇ ସେ ବସି ଗଲେ I ମହାଦେବଙ୍କ ପାଖରେ ନିଜ କଲା କର୍ମ ପାଇଁ କ୍ଷମା ମାଗି ଆରମ୍ଭ କଲେ “ଓଁ ନମଃ ଶିବାୟ” ର ଜପ I ଆଖିବନ୍ଦ କଲା ବେଳକୁ କାହିଁକି କେଜାଣି ଆଖିରେ ଦିଶି ଯାଉଥାଏ ବାପାଙ୍କ ମୁହଁ I ଆଉ ସେ ଝିଅ ର ମୁହଁ I ଅବିକଳ ସାମଞ୍ଜସ୍ୟ I ହେଇଥିବ ବୋଧହୁଏ କେହି ବନ୍ଧୁବାନ୍ଧବ I ଯାହାର କିଛି ସମ୍ପର୍କ ଥିବ ବାପାଙ୍କ ଘର ଲୋକଙ୍କ ସହ I ଏତେ ବର୍ଷ ଭିତରେ ସେ ତ କେବେ କାହା ସହ ସମ୍ପର୍କ ରଖି ନାହାନ୍ତି, ସେ କାହାକୁ ଚିନ୍ହିବେ ନା ତାଙ୍କୁ କିଏ ଚିନ୍ହିବ? ଛାଡ଼.. ଆଖି ବନ୍ଦ କରି, ହାତରେ ରୁଦ୍ରାକ୍ଷ ମାଳି ଗଡେଇ ଗଡେଇ ପାଟିରେ “ଓଁ ନମଃ ଶିବାୟ” ସିନା କହୁଥିଲେ କିନ୍ତୁ ମନରେ ମାଡି ଆସୁଥାଏ ଭିନ୍ନ ଭିନ୍ନ ଚିନ୍ତା I ସ୍ମିତା ଥିଲେ, ଏତେବେଳକୁ ତାଙ୍କର ବି ଝିଅ ଟିଏ କି ପୁଅ ଟିଏ ଥାନ୍ତା I ସେ ବି ଏତେବେଳକୁ ଏତିକି ବଡ ହୋଇ ଯାଇଥାନ୍ତା I ଭାଗ୍ୟ ର ଖେଳ ଦେଖ, ପଇସା ସିନା ଅଛି କିନ୍ତୁ ଆଉ କେହି ନାହାନ୍ତି I ଭୁଲ କାହାର ? ତାଙ୍କର, ନା ସ୍ମିତା ର, ନା ବାପା-ମା ଙ୍କର? ନା, ଏହା ଭଗବାନଙ୍କ ଇଛା ?

ଏସବୁ ଚିନ୍ତା ମନରେ ଆସୁ ଆସୁ ପୁରୁଣା ଦିନ ମାନଙ୍କୁ ଫେରି ଯାଉଥିଲେ ସେ….ଛୋଟ ରୁ ସେ ବଡ ହୋଇଛନ୍ତି ଏଇ ସହର ରେ I ଏହି ଘରେ ବାପା ମା, ପ୍ରଶାନ୍ତ ଓ ସାନଭାଇ ସୁଧୀର କୁ ନେଇ ତାଙ୍କ ସଂସାର I ପିଲାଟି ବେଳୁ ସେ ସବୁଥିରେ ଆଗୁଆ I ପାଠ ଶାଠ ଦୁଷ୍ଟାମୀ ରୁ ଆରମ୍ଭ କରି ସବୁଥିରେ I ଯୁକ୍ତ ଦୁଇ ପରେ ନାଁ ଲେଖେଇଥାନ୍ତି ଯୁକ୍ତ ତିନି ରେ I କଲେଜ ରେ +3 ର ପ୍ରଥମ ବର୍ଷ। ପ୍ରଥମ ଦିନ କଲେଜ ଯିବା ପୂର୍ବରୁ ସେ ପହଞ୍ଚିଥିଲେ ଏହି ଶିବ ମନ୍ଦିର ରେ । ଉଦ୍ଦେଶ୍ୟ ଥିଲା ଦୀପ ଟିଏ ଜାଳି କଲେଜ ଯିବେ । ଦୀପ ଜାଳି ସାରି ମୁଣ୍ଡିଆ ମାରିଲା ବେଳକୁ କାହା ହାତ ସ୍ପର୍ଶ ରେ ସେ ପଛକୁ ବୁଲି ଚାହିଁଲେ। “ଆଜ୍ଞା, ମାଚି଼ସ ଅଛି କି?”  ତନୁ ପାଟେଳି ଝିଅ ଟିଏ ହାତରେ ଧୂପକାଠି ଓ ଦୀପ ଟିଏ ଧରି ଠିଆ ହୋଇଥିଲା I ଆଖିରେ କୃତଜ୍ଞତାର ଚାହାଣି I ପ୍ରଶାନ୍ତ ହାତରେ ଥିବା ଦିଆସିଲି କୁ ଦେଖି ଦେଇଥିଲା ବୋଧେ I ଆଖିକୁ ନ ଚାହିଁ ସେ ଚାହିଁଥାଏ ଦିଆସିଲି ଡବା ଟିକୁ I ଦେବା ପୂର୍ବରୁ ଅତର୍କିତ ଭାବେ ହାତରୁ ଛଡେଇ ନେଇଥିଲା ସେ ପ୍ରଶାନ୍ତ ହାତରୁ I ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତ ଠିଆ ହୋଇଥାଏ ମୂର୍ତି ଭଳି I ଦୀପ ଲଗେଇ, ଧୂପ ଦେଇ ଆଂଠୁଭାଙ୍ଗି ମୁଣ୍ଡିଆ ମାରି ବୃଷଭ ଙ୍କ କାନ ରେ କେତେ କଣ କହିଯାଉଥାଏ ସେ I ନିରବ ନିଶ୍ଚଳ ଭାବରେ ପ୍ରଶାନ୍ତ ଠିଆ ହୋଇଥାଏ ତାକୁ ଚାହିଁ I କେତେ ସୁନ୍ଦର ଝିଅ ଟି I କେତେ ସୁନ୍ଦର ସଂସ୍କାର I ଆଖି ଫେରୁ ନଥାଏ ତା’ର I ପ୍ରଥମ ଦେଖାରୁ ପ୍ରେମ କରି ବସେ ସେ I ପୂଜା ସାରି ଝିଅଟି ହସ ହସ ମୁହଁରେ ଆସି ପ୍ରଶାନ୍ତ କୁ ଦିଆସିଲି ଡବା ଟି ବଢ଼େଇ ଦେଇ କହିଲା, “ଥାଙ୍କ ୟୁ” I ଆଖିରୁ ପଲକ ପଡୁ ନଥାଏ ପ୍ରଶାନ୍ତ ର I କେତେବେଳୁ ଝିଅଟି ଚାଲି ଗଲାଣି I ତଥାପି ପ୍ରଶାନ୍ତ ସ୍ବପ୍ନ ର ଦୁନିଆଁରେ ଥାଏ I ଭୁଲି ଯାଇଥାଏ ତା’ର କଲେଜ ଯିବାର ଅଛି I ପ୍ରଥମ ଦିନ ର ପ୍ରଥମ କ୍ଲାସ I କିଛି କ୍ଷଣ ପରେ ତନ୍ଦ୍ରା ରାଇଜ ରୁ ଫେରିଲା ସେ I ହାତ ଘଣ୍ଟା ଦେଖି ଜାଣିଲା ସେ ପୁରା ପନ୍ଦର ମିନିଟ ଲେଟ ହୋଇ ସାରିଲାଣି, ଅଗତ୍ୟା ସାଇକେଲ ଖଣ୍ଡି କୁ ଧରି କଲେଜ ବାହାରିଲା I

କଲେଜ ପହଞ୍ଚି କ୍ଲାସ ରେ ପ୍ରଥମ ଧାଡି ରେ ସେଇ ଝିଅ ଟିକୁ ଦେଖି ଚମକି ପଡିଲା ପ୍ରଶାନ୍ତ I ଆଖି କୁ ବିଶ୍ୱାସ ଆସୁନଥିଲା ତା’ର I ସତରେ ଏ ଝିଅଟି ତା’ର କ୍ଳାସମେଟ? ବାଃ… ଝିଅ ଟି ବି ତାକୁ ବୁଲି ବୁଲି ଚାହୁଁଥାଏ I ଆଖି କୁ ଆଖି ମିଶିଗଲେ ଦୁହେଁ ଲାଜେଇ ଯାଇ ଅନ୍ୟ ଆଡେ ଚାହୁଁଥାନ୍ତି I ପ୍ରଥମ ଦିନ ଓରିଏଣ୍ଟେସନ କ୍ଲାସ ସରିଗଲା ପରେ କଲେଜ ରୁ ବାହାରି ଆସୁ ଆସୁ କାହାର ଡାକ ରେ ଅଟକି ଗଲା ସେ I “ଆଛା, ତମେ ବି ଏଇ କ୍ଲାସ ରେ” କହି, ହସି ହସି ଆସିଲା ସେ I “ସ୍ମିତା, ସ୍ମିତା ନାୟକ” କହି ଡାହାଣ ହାତକୁ ଆଗକୁ ବଢ଼େଇ ଦେଲା ସେ ହ୍ୟାଣ୍ଡସେକ କରିବା ଉଦ୍ଦେଶ୍ୟ ରେ I ପ୍ରଶାନ୍ତ ବି ହାତ ମିଳେଇ କହିଲା, ପ୍ରଶାନ୍ତ, ପ୍ରଶାନ୍ତ ଦ୍ବିବେଦୀ ” I

— ଏଇ ପାଖରେ ଘର ବୋଧେ I
— ହଁ !
ପ୍ରଶାନ୍ତ ଏବେ ବି ଭାବି ପାରୁନଥିଲା ଯେ ସତରେ ସେ ଝିଅ ଟି ସହ କଥା ହେଉଛି I ଆଉ ଝିଅ ଟି ନିଜେ ଆସି କଥା ହେଉଛି ତା ସହ I କିଛି ସମୟ ଚୁପ ରହିଲା ପରେ ପ୍ରଶାନ୍ତ ପଚାରିଲା,” ତୁମେ? ଆଗରୁ ତ କେବେ ତୁମକୁ ଦେଖିନି ଏଠି I”
— ନାଁ, ଏଇଟା ମୋ ମାମୁଁଙ୍କ ଘର I ମାମୁଁ ରୁହନ୍ତି ଏଠି I ମୁଁ ତାଙ୍କ ପାଖେ ରହି ପଢିବାକୁ ଆସିଛି I
— ଓଃ.. ନିଜ ଘର ?
— ପାରାଦ୍ବୀପ !!
— ସେଠି କଲେଜ ଛାଡି ଏଠି ?
— ହଁ ଆମ ଗାଁ ରେ କଲେଜ ନାହିଁ I ମାମୁଁ ଏଠି ରୁହନ୍ତି ତ, ସେଥିପାଇଁ ଏଠିକି ଆସିଲି I

ଏମିତି ପରିଚୟ ଆଦାନ ପ୍ରଦାନ ଓ ଅନ୍ୟ କିଛି କଥାବାର୍ତା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ନିଜ ନିଜ ବାଟ ରେ…ତା ପରଠୁ କିନ୍ତୁ ସାଙ୍ଗହୋଇ ଯାଇଥିଲେ କଲେଜ ରେ I କ୍ଲାସ, କ୍ଲାସ ପରେ ପ୍ରାକ୍ଟିକାଲ, ବଗିଚା, ପାଚେରୀ, ଗଛ ମୂଳ ସବୁ ନିଜର ହୋଇ ଯାଇଥିଲା ତିନି ବର୍ଷ ଭିତରେ I ଏକାଠି ବସିବା, କଥା ହେବା, ସାଙ୍ଗ, ସାଙ୍ଗ ରୁ ପ୍ରେମିକ/ପ୍ରେମିକା ଆଉ ଆସ୍ତେ ଆସ୍ତେ ନିଜର, କେବଳ ନିଜର….
ଆଜି ବି ମନେ ଅଛି ଏପ୍ରିଲ ଏକ ତାରିଖ ରେ ସେ ପ୍ରପୋଜ କରିଥିଲେ I ସ୍ମିତା, ହଁ କହିବ କି ନା କହିବ ଜଣା ନାହିଁ I ବହୁତ ସଂଶୟ ଭିତରେ ସେ ପ୍ରପୋଜ କରିବାକୁ ବାହାରି ଥିଲେ I ମନରେ କେତେ ଆଶଙ୍କା, ଧଡ ଧଡ ଛାତି, ଖାତା ଭିତରେ ଗୋଲାପ ଫୁଲ ଆଉ ଗୋଟେ ନିଜ ହାତଲେଖା କାଗଜ I ବହୁତ ଭାବି ଭାବି ସେ ନିର୍ଣ୍ଣୟ କରିଥିଲେ ଏହି ତାରିଖ ଟିକୁ I ଏପ୍ରିଲ ଏକ, ଫୁଲସ ଡେ I  ଯଦି ହଁ କରିବ ତ ଠିକ ଅଛି, ନହେଲେ ଏପ୍ରିଲ ଫୁଲ I କିନ୍ତୁ ସାଙ୍ଗ ଭାଙ୍ଗିଯିବା ଡର ବି ଥିଲା ମନରେ I ସେଥିପାଇଁ ତ କଥା ବିଗିଡି ଗଲେ ଏପ୍ରିଲ ଫୁଲ କହିବାକୁ ବି ତୟାର ଥିଲେ I
ଏପ୍ରିଲ ଏକ ରେ ସେ କଲେଜ ବାହାରେ ଅପେକ୍ଷା କରିଥିଲେ ସ୍ମିତା କୁ I କ୍ଲାସ ସାରି ସ୍ମିତା ଟିକେ ଡେରି ରେ ଆସିଲା I ପାଖରେ ଆଉ କିଛି ସାଙ୍ଗ, ଯେଉଁମାନେ ଜାଣିଥିଲେ ଯେ ପ୍ରଶାନ୍ତ ଆଜି ପ୍ରପୋଜ କରିବାକୁ ଯାଉଛି I ଆଖି ର ଇସାରା ରେ ସେ ସେମାନଙ୍କୁ ଯିବାକୁ କହିଲେ I ସ୍ମିତା ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ I ହଠାତ ଆଣ୍ଠେଇ ପଡି ଖାତା ଭିତରୁ ଗୋଲାପ ଫୁଲ ଟି ବାହାର କରି ବଢ଼େଇ ଦେଲେ ସେ ସ୍ମିତା କୁ I ଥମ ଥମ ମୁହଁ ରେ ସ୍ମିତା ବୁଝି ସାରିଥିଲା ଘଟଣା ଟି I ରାଗରେ ପ୍ରଶାନ୍ତ ର କଲାର ଧରି ତଳୁ ଉଠେଇଲା ଓ କହିଲା, “ଓଃ, ଏଇଥିପାଇଁ ତମେ ମୋ ସହ ସାଙ୍ଗ ହେଉଥିଲ? କାଲି ଠୁ ମୋ ସାମ୍ନା କୁ ଆସିବନି I” ଅପରାଧୀ ପରି ଠିଆ ହୋଇଥିଲେ ସେ I “ଏପ୍ରିଲ ଫୁଲ” କହିବା ପାଇଁ ମନେ ପଡି ନଥିଲା I ସ୍ମିତା ରାଗରେ ଯାହା ଇଛା ତାହା ବକି ଯାଉଥାଏ I ସାଙ୍ଗମାନେ କିଛି ଦୂର ରେ ଲୁଚି ଏସବୁ ଦେଖୁଥାନ୍ତି I ଅବସ୍ଥା ଅସମ୍ଭାଳ ଆଡକୁ ଯିବାର ଦେଖି କିଛି ସାଙ୍ଗ ପାଖକୁ ଆସିଲେ ଓ ସ୍ମିତା କୁ ଚୁପ ରହିବାକୁ କହି ପ୍ରଶାନ୍ତ କୁ ସାଙ୍ଗରେ ନେଇ ଯିବାକୁ ବାହାରିଲେ I ପ୍ରଶାନ୍ତ ସେତେବେଳକୁ କାନ୍ଦ କାନ୍ଦ ହୋଇ ସାରିଥାଏ I ଆଖିରୁ ଅନବରତ ଲୁହ ବୋହୁ ଥାଏ I ଗୋଲାପ ଫୁଲ ଟି ସେମିତି ହାତ ରେ ଥାଏ I ଦୁଇ ପାହୁଣ୍ଡ ଆଗକୁ ଯାଉ ଯାଉ ସ୍ମିତା ପୁଣି ପଛରୁ ଡାକିଲା ଆଉ କହିଲା, “ଏପ୍ରିଲ ଫୁଲ !!! ତମକୁ କଣ ଏକା ମଜା କରି ଆସେ ? ପ୍ରପୋଜ କରିବ, ଆଉ ନାହିଁ କଲେ “ଏପ୍ରିଲ ଫୁଲ”? ତ.. ମୁଁ ଭାବିଲି ମୁଁ ବି ଟିକେ ମଜା କରେ I ମନରେ ଦୁଃଖ ଦେଇ ଥିବାରୁ ସରି… କିନ୍ତୁ ପ୍ରପୋଜ କରିବାକୁ ବାହାରିଛ ମାନେ ଏସବୁ କରିବା ଦରକାର ନାହିଁ I ଗୋଟେ ଝିଅ ସବୁବେଳେ ଚାହେଁ ତୁମେ ଆସି ତାକୁ ସମସ୍ତଙ୍କ ଆଗରେ ନିର୍ଭୟ ରେ ପ୍ରପୋଜ କର I ଏଇଥିରୁ ଜଣା ପଡେ ତୁମ ପାରିବା ପଣିଆ I ଆଉ ଲୁଚି ଲୁଚି, ଚିଠି ଦେଇ, ବାହାନା କରି ଭଲ ପାଇବାକୁ, ଭଲପାଇବା କୁହା ଯାଏନି I ଏବେ ପୁଣି ଥରେ ଆଂଠୁମାଡି ମୋତେ ପ୍ରପୋଜ କର ଆଉ ସେ ଫୁଲ ଓ ଚିଠି ଦୁଇଟା ଯାକ ଦିଅ I
ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ପ୍ରଶାନ୍ତ I ସ୍ମିତା କେମିତି ଜାଣିଲା ମୁଁ ଆଜି ତାକୁ ପ୍ରପୋଜ କରିବି ବୋଲି ? କେମିତି ଜାଣିଲା ଚିଠି ବି ମୁଁ ଲେଖିଛି ତା ପାଇଁ I କିନ୍ତୁ ବାଧ୍ୟ ପିଲାଟି ପରି ପୁଣି ଆଂଠୁ ମାଡି ପ୍ରପୋଜ କଲା ସ୍ମିତା କୁ ଆଉ ସ୍ମିତା ଖୁସି ଖୁସି ରେ ତାକୁ ତଳୁ ଉଠେଇ କୁଣ୍ଢେଇ ପକେଇଲା I ପରେ ଜଣା ପଡିଲା ଏସବୁ କଥା ସେ ଆଗରୁ ଜାଣିଥିଲା ଗୋଟେ ସାଙ୍ଗ ପାଖରୁ I
କଲେଜ ରେ ପ୍ରପୋଜ ଡେ କଥା ମନେପଡିବାରୁ ସ୍ମିତହାସ୍ୟ ରେଖାଟିଏ ହଠାତ ଉଦୟ ହୋଇ ଉଭାନ ହୋଇଗଲା ଶିବ ମନ୍ଦିର ଆଗରେ ବସି ଦୀପ ଜାଳୁଥିବା  ପଚାଶ ବର୍ଷୀୟ ପ୍ରଶାନ୍ତ ର ମୁଖ ମଣ୍ଡଳ ରେ I ପୁଣି ନର୍ମାଲ ହୋଇ “ଓଁ ନମଃ ଶିବାୟ” ମନ୍ତ୍ର ପଢି ମାଳା ଗଡେଇବାକୁ ଲାଗିଲା ସେ I ଏବେ ସେ ଚାହୁଁଥିଲା ଏକାନ୍ତ ସମୟ ଟିକେ I ଯେଉଁ ସମୟ ରେ ସେ ମନେ ପକେଇ ପାରିବ ତା ର ପୁରୁଣା ଦିନ ମାନଙ୍କୁ I ଘରେ ଏକା ଥିଲେ ବି ଏତେ ଶାନ୍ତି ନଥାଏ I ଖାଲି ଘର ସବୁ ବେଳେ ଖାଇ ଗୋଡ଼ାଏ I ମୁଣ୍ଡରେ ଚିନ୍ତା ପଶେ I କେବେ ବି ସେ ଭାବି ପାରେ ନି କିଛି ଚିନ୍ତା କରିବାକୁ I ଆଜି ବୋଧହୁଏ ଭଗବାନଙ୍କୁ କ୍ଷମା ମାଗିବା ପରେ ସେ ମନେ ପକେଇ ଦେଉଛନ୍ତି ପୁରୁଣା ଦିନ I କଲେଜ ସାରିବା ପରେ ପ୍ରଶାନ୍ତ ପାଇଗଲା ଚାକିରୀ ଖଣ୍ଡେ ଆଉ ସ୍ମିତା ଘରେ ତା ପାଇଁ ପୁଅ ଦେଖିବା ଆରମ୍ଭ କରି ସାରିଥିଲେ I ସବୁଦିନ ସନ୍ଧ୍ୟା ରେ ପ୍ରଶାନ୍ତ ଓ ସ୍ମିତା ଦେଖା କରନ୍ତି କେଉଁ ପାର୍କ ରେ ଅବା ମନ୍ଦିର ରେ ଅବା କେଉଁ ମାର୍କେଟ ରେ I ବେଳେବେଳେ ସ୍ମିତା ଯାଏ ଭାରି ତାଙ୍କ ନିଜ ଘରକୁ I ସେତିକି ଦିନ ଭାରି ଯନ୍ତ୍ରଣା ରେ କାଟନ୍ତି ଦୁଇ ଜଣ ଯାକ I ବହୁତ ପ୍ରସ୍ତାବ ଆସୁଥାଏ ସ୍ମିତା ପାଇଁ ଓ ପ୍ରଶାନ୍ତ ପାଇଁ I ଦୁଇ ଜଣ ଯାକ ସବୁ ପ୍ରସ୍ତାବ କୁ ନା କଲା ପରେ ଘର ଲୋକ ସାଙ୍ଗ ସାଥୀଙ୍କ ମାଧ୍ୟମ ରେ ଏମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କଲେ I ବୁଝୁ ବୁଝୁ ନିଆଁ ଲାଗିଗଲା ଘରେ I ଅଜାତି? ହେଇ ପାରିବ ନାହିଁ I ଯାହା ବି ହେଇଯାଉ I କୁଳିନ ବ୍ରାହ୍ମଣ ଜଣେ ବାହା ହେବ ଖଣ୍ଡାୟତ କୁ?? ବାହାଘର ହେବ ଯଦି ନିଜ ଜାତି ରେ I ନହେଲେ ନାହିଁ I ବହୁତ ବୁଝା ସୁଝା କଲା ପରେ ବି ଘର ଲୋକ ନ ମାନିବାରୁ ପ୍ରଶାନ୍ତ ଓ ସ୍ମିତା ହୋଇଗଲେ ଫେରାର I ସମ୍ପର୍କ ତୁଟି ଗଲା ସବୁ ଜାଗାରୁ I ନା ପ୍ରଶାନ୍ତ ର ଘର ଲୋକ ନା ସ୍ମିତା ର ଘର ଲୋକ କାହା ସହ ବି ସମ୍ପର୍କ ନଥିଲା I ଚାକିରୀ ଜାଗାକୁ ଆସି ବାହା ହୋଇ ରହିଲେ I ସବୁ କିଛି ଠିକ ଚାଲିଥିଲା I କିନ୍ତୁ ମଝିରେ ମଝିରେ ଘର ଲୋକଙ୍କ କଥା ମନେ ପଡେ I ମନେପଡେ ବାପା ମାଙ୍କ କଥା I ସାଙ୍ଗ ସାଥୀଙ୍କ କଥା I ଘର କଥା I ବାପା ମା ଆଉ କେବେବି ପ୍ରଶାନ୍ତ ର ମୁହଁ ନଦେଖିବାକୁ ଠିକ କରିସାରିଥିଲେ ଓ ତାଙ୍କର ଗୋଟିଏ ବୋଲି ପୁଅ ସୁଧୀର ବୋଲି କୁଟୁମ୍ବ ଙ୍କ ଆଗରେ ସ୍ବୀକାରୋକ୍ତି ଦେଇ ସାରିଥିଲେ । ଚିନ୍ତା ରେ ଆସ୍ତେ ଆସ୍ତେ ପ୍ରଶାନ୍ତ ପଡିଗଲା ମଦ ର ପ୍ରେମ ରେ I ସାଙ୍ଗ ମାନଙ୍କ ସହ ମିଶି ପିଉ ପିଉ ଅଭ୍ୟାସ ହୋଇ ଯାଇଥିଲା ତା’ର I ସବୁଦିନ ଅଫିସ ରୁ ଫେରି ସାଙ୍ଗ ମାନଙ୍କ ସହ କେବେ ବାର ରେ କେବେ ଢ଼ାବା ରେ ତ କେବେ କେଉଁ ଦୋକାନ ପଛ ପଟେ I ନ ପିଇଲେ ଭଲ ଲାଗୁ ନଥିଲା ତାକୁ I ଭୟ ହିଁ ଜୀବନ ଗଢିବାର ଉକୃଷ୍ଟ ବାଟ I ଭୟ ନଥିଲେ ମଣିଷ ହୁଏ ବିପଥଗାମୀ I ଭୟ ହେଉ ଭଗବାନଙ୍କର କିମ୍ବା ବାପା ମା ଙ୍କର କିମ୍ବା ସ୍ତ୍ରୀ ର I ଘରେ ଥିବା ଯାଏ ବାପାଙ୍କୁ ଡରି ରାତି ୯ ଭିତରେ ଫେରି ଆସେ ଘରକୁ I ଦୁଷ୍ଟାମୀ ସିନା କରେ କିନ୍ତୁ କେବେ କୌଣସି ଜୀବଜନ୍ତୁ ଙ୍କୁ ମାରେ ନାହିଁ କାରଣ ଥାଏ ପାପ ହେବାର ଭୟ I ବାହାଘର ପରେ ମଦ ସିଗାରେଟ ଛୁଁ ନଥିଲା, ଥିଲା କାଳେ ସ୍ତ୍ରୀ ଖରାପ ଭାବିବ ସେ ଭୟ I କିନ୍ତୁ ଥରେ ମଦ ପିଇ ଘରକୁ ଆସିବା ପରେ ସେ ଡର ଛାଡି ଯାଇଥିଲା I ଆସ୍ତେ ଆସ୍ତେ ସବୁଦିନ ମଦ ପିଇ ଘରକୁ ଆସିବାକୁ ଲାଗିଲା । ଏବେ ସେ ହିଁ ଥିଲା ଘରର ମୁରବି, ସର୍ବେସର୍ବା। ଆଉ ଡର କାହାକୁ??
 ଓଃ… ସତରେ କି ଦାରୁଣ ଥିଲା ସେଦିନ….ଆଜି ବି ଆଖି ଆଗରେ ନାଚି ଯାଉଛି ସେଦିନ ର ଘଟଣା I ସବୁଦିନ ଭଳି ସେଦିନ ବି ସେ ମଦ ପିଇ ଘରକୁ ଆସିଲା I ରାତି ପ୍ରାୟ ୧୧ଟା ପରେ I ହଲି ହଲି ସେ ଫେରିଲା ଘରକୁ I ସ୍ମିତା ଘର ର ଦାଣ୍ଡରେ ଠିଆ ହୋଇ ଥାଏ I ପ୍ରଶାନ୍ତ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା I ମୁହଁ ଲାଲ ଦେଖା ଯାଉଥିଲା I ” କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉକିଛି? ତମେ ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହାପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତା କୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ I ସ୍ମିତା ସେମିତି ବିରକ୍ତ ହେଉଥିଲା ବେଳେ କହିଲା,” ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ I”
ସ୍ମିତା ଅବାକ ହୋଇ ଚାହିଁଥିଲା I କି ଅଦ୍ଭୁତ ମଣିଷ ଇୟେ ? ଏତେ ବିରକ୍ତ ହୋଇ ଗାଳି କଲେ ବି କିଛି ଫରକ ପଡୁନି ? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ I ସବୁବେଳେ ଏମିତି ବିଳମ୍ବ ରେ ଆସିବା ଚଳିବ ନାହିଁ I ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା I ଆହୁରି ବି, ୟା ପରଠୁ ମଦ ପିଇ ଘରକୁ ଆସିଲେ ସେ କବାଟ ଫିଟାଇବ ନାହିଁ କି ଖାଇବାକୁ ଦେବ ନାହିଁ I ବାହାରେ ଶୋଇବ I ସ୍ମିତା ପାଖରୁ ଏତିକି ଶୁଣି ମୁଣ୍ଡ କୁ ପିତ୍ତ ଚଢି ଯାଇଥିଲା ପ୍ରଶାନ୍ତ ର I ରାଗରେ “ଢ଼ୋ” କରି ଚଟକଣୀ ଟିଏ ପକେଇଲା ତା ଗାଲ ରେ I ଜୀବନ ରେ କେବେ ଟିପ ଦେଇ ନଥିବା ସ୍ତ୍ରୀ ଉପରକୁ ସେ ହାତ ଉଠେଇ ସାରିଥିଲା I ରାଗରେ ସ୍ମିତା ବି ବାପା ଘରକୁ ଚାଲିଯିବାର ଧମକ ଦେଇ ନିଜ ଜିନିଷ ପ୍ୟାକ କଲା ଆଉ ସକାଳୁ ସକାଳୁ ଘର ଛାଡି ଚାଲିଯାଇଥିଲା I ପ୍ରଶାନ୍ତ ସକାଳୁ ଉଠି ସ୍ମିତା କୁ ଖୋଜିଲା ବେଳକୁ ସ୍ମିତା ନଥିଲା ଘରେ I ରାତି କଥା ପ୍ରଶାନ୍ତ ମନେ ପକେଇ ପାରୁ ନଥିଲା I ଖାଲି ଏତିକି ମନେଥିଲା ଯେ ରାତି ରେ ସେ ସ୍ମିତା କୁ ବାଡ଼େଇଥିଲା ଆଉ ସ୍ମିତା ଘର ଛାଡି ଚାଲି ଯିବାର ଧମକ ଦେଇଥିଲା I “ଯାଉ, ବୋପା ଘର କି ଶାଶୁ ଘର ତ ଘରେ ପୂରେଇବେନି, ବଳେ ଆସିବନି !! ଯିବ କୁଆଡେ ?” ଭାବି ସେ ବି କିଛି ଖବର ନେବାକୁ ଚାହିଁ ନଥିଲା I
କିଛି ଦିନ ପରେ କିନ୍ତୁ ଖୋଜିଥିଲା ହେଲେ ସ୍ମିତା ଯେମିତି ଶୂନ୍ୟ ରେ ମିଳେଇ ଯାଇଥିଲା I କାହା ପାଖରେ ବି ନଥିଲା ତା ଖବର I ଖୋଜି ଖୋଜି ନ ପାଇଲା ପରେ ବହୁତ କରି ଠାକୁରଙ୍କୁ ଡାକିଥିଲା I ଦୁଇ ଦିନ ଅଧିଆ ପଡିଥିଲା ଶିବ ମନ୍ଦିର ଆଗରେ I ତଥାପି ଖବର ମିଳୁ ନଥିଲା ସ୍ମିତା ର I ଶିବ ମନ୍ଦିର ଆଗରେ ଠିଆ ହୋଇ ବହୁତ ଗାଳି ଦେଇଥିଲା ସେ ସେଦିନ ଆଉ ଶପଥ କରିଥିଲା ସ୍ମିତା ନ ମିଳିବା ଯାଏଁ ମନ୍ଦିର ଯିବ ନାହିଁ I ସେଦିନୁ ପଶ୍ଚାତାପ ରେ, ସେ ମଦ ତ ଛାଡି ଦେଇଥିଲା ଆହୁରି ବି ଠାକୁରଙ୍କ ଉପରେ ରାଗି ଛାଡି ଦେଇଥିଲା ମନ୍ଦିର ଯିବା କି ମୁଣ୍ଡିଆ ମାରିବା I ବହୁତ ଖୋଜିଛି ସେ ସ୍ମିତା କୁ ଏଇ କୋଡିଏ ବର୍ଷ ଭିତରେ କିନ୍ତୁ ନା…
ଦୀର୍ଘଶ୍ୱାସ ସହ ଆଖିରୁ ତତଲା ଲୁହ ମେଞ୍ଚେ ବାହାରି ଆସିଲା ପ୍ରଶାନ୍ତ ଆଖି ରୁ I ଲୋକ ମାନେ ତଥାପି ଆସୁଥାନ୍ତି ମନ୍ଦିର କୁ I କିଛି ଲୋକ ଠାକୁର ଦର୍ଶନ ସାରି ଘରକୁ ବାହୁଡ଼ି ଯାଉଥାନ୍ତି I ଭିଡ ଟିକେ ଟିକେ ପତଳା ହୋଇ ଆସିଲାଣି I ଏ ଭିତରେ କେତେ ସମୟ ଚାଲି ଗଲାଣି ସେ କଥା ଧ୍ୟାନ ରେ ନାହିଁ ତା’ର I ତା’ ଦୀପ ରୁ ଘିଅ ସରି ବଳିତା ବି ପୋଡି ଗଲାଣି I ମନ୍ଦିର ଚାରି ପାଖରେ ଦୀପ ସବୁ ଦାଉ ଦାଉ ହୋଇ ଜଳୁଥାଏ କିନ୍ତୁ ପ୍ରଶାନ୍ତ ର ମନ ଭିତରେ ଯେଉଁ କୋହ ଥିଲା ଆଜି ତାହା ତରଳି ବାହାରି ଆସୁଥାଏ ଆଖି ବାଟ ଦେଇ I ଆଖି ପୋଛି ସେ ପୁଣି ଦୀପ ଲଗେଇବା ପାଇଁ ବଳିତା ଓ ଘିଅ ସଜ କଲା I ଦିଆସିଲି କାଇଁ? ଏପଟ ସେପଟ ଦେଖିଲା ବେଳକୁ ପୁଣି ଦେଖାଗଲା ସେ ଝିଅ ଟି କିଛି ପାହୁଣ୍ଡ ଦୂର ରେ I ହାତ ଯୋଡି ବସିଥାଏ ଝିଅ ଟି I ପାଖରେ ଜଣେ ସ୍ତ୍ରୀ ଲୋକ ମୁଣ୍ଡରେ ଓଢଣା ଦେଇ ବସି ଥାନ୍ତି I ଦିଆସିଲି ଆଣିବାକୁ ତାଙ୍କ ପାଖକୁ ଯାଇ ପ୍ରଶାନ୍ତ କହିଲା, “ଝିଅ, ଦିଆସିଲି ଟା ନେବି ?” I ହଠାତ ସ୍ତ୍ରୀ ଲୋକ ର ମୁହଁ ଦେଖି ଚମକି ପଡିଲା ସେ I ସ୍ମିତା ? ଆଶ୍ଚର୍ଯ୍ୟ ଭାବେ ପାଟିରୁ ବାହାରି ଆସିଲା ଏ ନାଁ ଟି I ସ୍ମିତା ବି ନିଜ ନାଁ ଶୁଣି ଉପରକୁ ଚାହିଁଲା ଆଉ ଆଖି ଆଗରେ ପ୍ରଶାନ୍ତ କୁ ଦେଖି ହାଁ କରି ଚାହିଁ ରହିଲା I ଆଖିରେ ଆଖି ମିଶି ଯାଇଥାଏ I କାହାକୁ ଆଉ କିଛି ବି ଦେଖା ଯାଉ ନଥାଏ I ମନ୍ଦିର ଆଗରେ ନିଶ୍ଚଳ ମୂର୍ତି ପରି ଦି ଜଣ ଯାକ ଦି ଜଣ ଦି ଜଣଙ୍କୁ ଦେଖୁଥାନ୍ତି I ଆଖିରେ ପଲକ ପଡୁ ନଥାଏ I ଦୁହିଁଙ୍କ ଆଖିରୁ ଲୁହ ବାହାରି ଯାଉଥାଏ I କେହି କାହାକୁ କିଛି କହିବା ଅବସ୍ଥା ରେ ନଥାନ୍ତି I କେଜାଣି କେତେବେଳ ବିତି ଗଲାଣି ୟା ଭିତରେ I ଝିଅ ଟି ସ୍ମିତା କୁ ହଲେଇ ଦେଇ ପଚାରିଲା, “ମା, କଣ ହେଲା ?” ସ୍ମିତା ମୁହଁରୁ ଭାଷା ବାହାରୁ ନଥାଏ, ପ୍ରଶାନ୍ତ କୁ ମୁଣ୍ଡିଆ ମାରି, ଖନେଇ ଖନେଇ ଝିଅ କୁ କହିଲା, ” ୟେ, ତୋ’ ବାପା” I ପ୍ରଶାନ୍ତ ଆଡକୁ ଚାହିଁ କହିଲା, “ୟେ ଝିଅ, ମିତୁ ” I ମିତୁ କି ପ୍ରଶାନ୍ତ, କେହି କିଛି ବୁଝି ପାରୁ ନଥାନ୍ତି କିନ୍ତୁ ପ୍ରଶାନ୍ତ ବୋଧ ହୁଏ ଠଉରେଇ ନେଲା, ଆଉ କହିଲା,”କେବେ? , କେମିତି? କେଉଁଠି ଥିଲ ଆଜି ଯାଏ? ଜାଣିଛ, ମୁଁ ମଦ ପିଆ ପୁରା ଛାଡି ଦେଇଛି I ପ୍ଲିଜ, ମୋତେ ଛାଡି ଆଉ କୁଆଡେ ଯିବନି I ବହୁତ ଖୋଜିଛି ତୁମକୁ, କେଉଁଠି ବି ପାଇଲି ନାହିଁ I ରାଗରେ ମନ୍ଦିର ବି ଯାଉ ନଥିଲି I ଆଜି ଆସିଥିଲି ମୋ କଲା କର୍ମ ପାଇଁ ଭଗବାନଙ୍କ ପାଖରେ ଭୁଲ ମାଗିବାକୁ I ଠାକୁର ଆଜି ମୋତେ କ୍ଷମା କରି ଦେଇଛନ୍ତି, ଏତକ ଏକ ନିଶ୍ୱାସ ରେ କହିଗଲା ସେ I  ମନ୍ଦିରକୁ ଚାହିଁ ମୁଣ୍ଡିଆ ମାରିଲା ଆଉ ସ୍ମିତା କୁ ଭୁଲ ମାଗିବାକୁ ଗଲାବେଳେ ସ୍ମିତା ତାକୁ ଅଟକେଇ ଦେଲା I ସ୍ମିତା, ପ୍ରଶାନ୍ତ ର ହାତ ଧରି ଠିଆ ହୋଇଥାଏ ସେମିତି I
ଏ ଭିତରେ ମିତୁ କିଛି ବୁଝି ପାରୁ ନଥାଏ I ଦୁହିଁଙ୍କୁ ସେ ବଲବଲ ହୋଇ ଚାହିଁ ମା କୁ ପଚାରିଲା ୟେ ବାପା? କିନ୍ତୁ ତୁ ତ କହୁଥିଲୁ…
ସ୍ମିତା, ମିତୁ କୁ ଆଉ ଆଗକୁ କହିବାକୁ ନ ଦେଇ କହିଲା, “ହଁ ” I
ମିତୁ, ପ୍ରଶାନ୍ତ କୁ ମୁଣ୍ଡିଆ ମାରିବାକୁ ଗଲା ବେଳେ ପ୍ରଶାନ୍ତ ଝିଅ କୁ କୋଳେଇ ନେଇ ସ୍ମିତା କୁ ପଚାରିଲା, ତୁମେ ଏଠି କେମିତି? ସେଦିନ କୁଆଡେ ଗଲ?
ଆଖିରୁ ଲୁହ ପୋଛି ସ୍ମିତା କହିଲା, “ସେଦିନ ପ୍ରଥମ କରି ମୁଁ ମା ହେବାକୁ ଯାଉଛି ବୋଲି ଡାକ୍ତର ଙ୍କ ପାଖରୁ ଶୁଣି ଅପେକ୍ଷା କରିଥିଲି ତୁମ ଆସିବା ବାଟକୁ I ମୋ ଗୋଡ ତଳେ ଲାଗୁନଥାଏ I କେତେବେଳେ ତୁମେ ଆସିବ, ତମ ବାଟକୁ ଚାହିଁ ଚାହିଁ ସେ ଦାଣ୍ଡ ଦୁଆରେ ଏପଟ ସେପଟ ହେଉଥାଏ I କେମିତି ତୁମ କୁ ଏ ଖବର ଟି ଦେବି ବୋଲି ମୋତେ ଲାଜ ଲାଜ ଲାଗୁଥାଏ I କିନ୍ତୁ ତୁମେ ଆସିଲ ପେଟେ ପିଇ ଦେଇ I ଆଉ ମୋ ସହ କଳି କରି ମୋ ଉପରକୁ ହାତ ଉଠେଇଲ I ମୁଁ ରାଗି କି ମୋ ଜିନିଷ ପ୍ୟାକ କରୁଥାଏ କିନ୍ତୁ ତୁମେ ଥର ଟେ ବି ମୋତେ ଅଟକେଇଲ ନାହିଁ ଓଲଟା ଗାଳି ଦେଇ କହିଲ, “ଯା, ତୋର କେଉଁ ବୋପା ତୋତେ ରଖିବ ମୁଁ ଦେଖିବି” I ପରଦିନ ସକାଳୁ ମୁଁ ଘର ଛାଡି ଚାଲି ଆସିଲି I ବାପଘରକୁ ଗଲାରୁ ସେମାନେ ମୋତେ ତଡି ଦେଲେ ଲୁଚି ଲୁଚି ଆସିଲି ମାମୁଁ ଘରକୁ I ମାମୁଙ୍କ ପାଖରେ ରହି ତୁମ ଘରକୁ ଖବର ଦେଲି I କିନ୍ତୁ ତୁମ ବାପା ମା କହିଲେ ସେ ଦୁହେଁ ଆମ ପାଇଁ ମରି ଯାଇଛନ୍ତି I କୁଆଡେ ଆଉ ଯାଇଥାନ୍ତି? କେତେ ଅପେକ୍ଷା କରିଥିଲି, ତୁମେ ଆସିବ, ମୋତେ ଭୁଲ ମାଗି ପୁଣି ମୋତେ ଫେରେଇ ନେବ I ଆମେ ଘର ସଂସାର କରିବା I କିନ୍ତୁ…
ଦୀର୍ଘଶ୍ୱାସ ଛାଡି ସ୍ମିତା ପୁଣି କହିଲା,” ମାମୁଁ କହିଲେ ମୋ ପାଖରେ ରହ I କିନ୍ତୁ କିଛି ଦିନ ପରେ ମାମୁଁ ଙ୍କର ବଦଳି ହୋଇଗଲା କୋରାପୁଟ I ଆମେ ସମସ୍ତେ କୋରାପୁଟ ଚାଲିଗଲୁ I ଝିଅ ଜନ୍ମ ପରେ ତୁମକୁ ଚିଠି ଦେଇଥିଲି କିନ୍ତୁ ଚିଠି ଫେରି ଆସିଲା I ତୁମେ ସେ ଜାଗା ଛାଡି ଆଉ କୁଆଡେ ଯାଇ ସାରିଥିଲ I ଆମେ ଦୁହେଁ ମାମୁଁ ଙ୍କ ପାଖରେ ରହି ଆସୁଛୁ ଏବେ ଯାଏଁ I ମାମୁଁ ରିଟାର୍ଡ଼ କଲା ପରେ ଚାରି ବର୍ଷ ପୂର୍ବରୁ  ଆସିଲୁ ଏଠିକୁ ମାମୁଁଙ୍କ ଘରକୁ I ଏବେ ଏଇଠି ହିଁ ଅଛୁ I
ପ୍ରଶାନ୍ତ ଆଉ କିଛି କହିବା ଅବସ୍ଥା ରେ ନ ଥାଏ I ତା’ ସ୍ତ୍ରୀ ଓ ଝିଅ ଏହି ସହର ରେ ହିଁ ଅଛନ୍ତି I ଖୁସି ରେ ସେ ସ୍ତ୍ରୀ ଓ ମିତୁ କୁ କୁଣ୍ଢେଇ ପକେଇଲା ଓ ସ୍ମିତା କୁ ପଚାରିଲା, “ଏବେ ଯିବା ଘରକୁ ?” ମିତୁ ପଚାରିଲା, ତୁମ ଦୀପ ଜଳା ସରିଗଲାଣି? —  ଆରେ, ହେ… କହି ପ୍ରଶାନ୍ତ ମୁଣ୍ଡରେ ହାତ ବାଡେଇଲା ବେଳେ ମିତୁ ଓ ସ୍ମିତା ମୁହଁ ରେ ହସ ଖେଳି ଯାଉଥିଲା I ଦୀପ ଜଳେଇ ସାରି ତିନିଜଣ ଯାକ ମନ୍ଦିର କୁ ଚାହିଁ ମୁଣ୍ଡିଆ ମାରୁଥିଲେ I
ସେପଟେ ମନ୍ଦିର ଉପରକୁ ମହାଦୀପ ଉଠୁଥିଲା ଆଉ ପ୍ରଶାନ୍ତ ଜୀବନରେ ଆଲୋକ ଧୀରେ ଧୀରେ ପ୍ରବେଶ କରୁଥିଲା …..
–ସମାପ୍ତ–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

ଜୀବନର ମୋଡ

ଜୀବନର ମୋଡ
ସୁବଳ ମହାପାତ୍ର
ଆଗରେ ବିଶାଳକାୟ ନଈ, ପାଣି ଗୁଡିକ କୁଳୁକୁଳୁ ନାଦ କରି ବହି ଯାଉଥାନ୍ତି I ସାମ୍ନା ରେ ପାହାଡ, କେତେ ବୃକ୍ଷ ଲତା, ଜଣେ ଅନ୍ୟ ଜଣଙ୍କୁ ଅନେଇ ଠିଆ ହୋଇଥାନ୍ତି I ମଝିରେ ମଝିରେ ବାଦୁଡ଼ି ସବୁ ଉଡି ବୁଲୁଥାନ୍ତି, କିନ୍ତୁ ପ୍ରଶାନ୍ତ କୁ ଲାଗୁଥାଏ ଯେମିତି ସମସ୍ତେ ତାକୁ ଖତେଇ ହେଉଛନ୍ତି I ସେ ବେକାର ବୋଲି.. ନା ନା ….  ଶିକ୍ଷିତ ବେକାର ବୋଲି ସମସ୍ତେ ତାକୁ ହୀନ ଦୃଷ୍ଟି ରେ ଦେଖୁଛନ୍ତି, କାହାର ବି ସ୍ନେହ ନାହିଁ ତା ପ୍ରତି, କାହାର ବି ଆଦର ନାହିଁ ତା ପ୍ରତି, ଅନ୍ୟ ମାନଙ୍କ କଥା ଛାଡ..  ଘରେ ବାପା ବୋଉ ଆଉ ଭଉଣୀ ବି କଡା କଥା କହିବା ପୂର୍ବରୁ ତିଳେ ଭାବୁ ନାହାନ୍ତି ଯେ.. ମୋ ମନ ର ଅବସ୍ଥା କଣ ? ମୁଁ କେମିତି ବଞ୍ଚିଛି? ମୋତେ କଣ ଭଲ ଲାଗୁଛି ସବୁବେଳେ ପଇସା ପାଇଁ ବୋଉ ଆଗରେ ହାତ ପତେଇବାକୁ ? ଯେଉଁ ବୟସ ରେ ସାଙ୍ଗ ସାଥି ସବୁ ଚାକିରୀ କରି, ବାହାହୋଇ , କାର କିଣି ସ୍ତ୍ରୀ ପିଲା ଛୁଆଙ୍କୁ ଧରି ଲଙ୍ଗ ଡ୍ରାଇଭ ରେ ଯାଉଛନ୍ତି ସେଠି ସବୁଦିନ ସାଇକେଲ ଖଣ୍ଡେ ଧରି ଗାଁ ଛକ ବାବୁଲା ଦୋକାନ ଆଗରେ ଠିଆ ହେବା ଟା କ’ଣ ମୋତେ ଭଲ ଲାଗୁଛି? ଆଉ କିଛି ରାସ୍ତା ନାହିଁ, ମରି ଯିବାଟା ସବୁଠୁ ଭଲ I କେହି କହିବାକୁ ନଥିବେ କି କେହି ଶୁଣିବାକୁ ନଥିବେ I ଏ ଜୀବନରେ ଦହଗଞ୍ଜ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଶତ ଗୁଣ ରେ ଶ୍ରେୟସ୍କର I କାହିଁକି ଏ ହୀନ ଜୀବନ ଧରି ପଡି ରହିବ ମଣିଷ ? ଇଞ୍ଜିନିଅରିଂ ପାସ କରିବାର ୫ ବର୍ଷ ହୋଇଗଲା କିନ୍ତୁ ଏବେ ଯାଏ ଚାକିରୀ ଖଣ୍ଡେ ମିଳିଲାନି, ମୁଁ ତ ଭଲ ପଢ଼ୁଥିଲି, କିନ୍ତୁ କାହିଁକି ମିଳୁନି ଚାକିରୀ? ହଁ, ଲାଞ୍ଚ ଦେବାର କ୍ଷମତା ବାପାଙ୍କର ନାହିଁ, ନେତା ମନ୍ତ୍ରୀ କେହି ଚିହ୍ନI ନାହାନ୍ତି, ଫେକ ସିଭି ତିଆରି କରି ଅନ୍ୟକୁ ଠକି ଚାକିରୀ କରି ପାରିବନି… ତେବେ ଚାକିରୀ ମିଳିବ କେଉଁଠି ? ହୁଁ…
ଦୀର୍ଘ ନିଶ୍ୱାସ ଟିଏ ଛାଡି ସେ କହି ଉଠିଲା … “ଛାଡ….”
ମରିବା ପୂର୍ବରୁ ସବୁ ଆଡକୁ ଆଉ ଥରେ ଚାହିଁଲା ସେ…. ଗଛ, ପତ୍ର, ଜଙ୍ଗଲୀ ରାସ୍ତା, ମାଟି ଗୋଡି , ସବୁ କୁ ଥରେ ଥରେ ଛୁଇଁଗଲା ସେ… ଏବେ ହେବ କଣ? ତା ପୁରୁଣା ପ୍ରେମିକା ଲତା, ଆଉ ସାଙ୍ଗ ସୁଶ୍ରୀ ଓ ରମଣ ତାକୁ ଖୋଜି ଖୋଜି ଆସିବେ ଆଉ ପାଇବେନି I ଘରକୁ ଫେରି ଘର ଲୋକଙ୍କୁ ତା’ ହଜିବା ଖବର ଜଣେଇ ଦେବେ I ପୋଲିସ ରେ ଦିଆଯିବ ତା ନିଖୋଜ ଖବର.. ଆଉ ? ଯଦି ତା ଲାସ ନ ମିଳିଲା ତ ସେ ହେଇଯିବ ସବୁଦିନ ପାଇଁ ନିଖୋଜ..ହା..  ହା… ନିଖୋଜ ପ୍ରଶାନ୍ତ ….
ଆଉ ଯଦି ଲାସ ମିଳିଯାଏ ତେବେ ? ପୋଲିସ ତା ଲାସ କୁ ଚିହ୍ନଟ କରିବାକୁ ତା ବାପା ବୋଉ ଙ୍କୁ ଡ଼ାକିବ I ସେମାନେ କ’ଣ କରିବେ ଲାସ କୁ ଦେଖି ? କାନ୍ଦିବେ? କେଜାଣି ? ଖୁସିହେବେ ? ଯାହା ହଉ ଗୋଟେ କୁଳାଙ୍ଗାର ଏ ପୃଥିବୀ ରୁ କମ ହୋଇ ଗଲା …
ବୋଉ ତ ନିଶ୍ଚିତ ଭାବରେ ମନଦୁଃଖ କରିବେ ଆଉ ବାପା ?… ବାପାଙ୍କ କଥା ଭାବୁ ଭାବୁ ଅଜାଣତରେ ତା’ ହାତ ବାମ ଗାଲ ଉପରକୁ ଚାଲିଗଲା…
ବାପାଙ୍କୁ ପ୍ରବଳ ଡର ତା’ ର…  ବାପାଙ୍କ ଚଟକଣୀ ଆଜିବି ମନେ ଅଛି ତା’ ର…ଏ ୨୭ ବର୍ଷ ବୟସ ରେ ମାତ୍ର ଦୁଇଥର ଚଟକଣୀ ଖାଇଥିଲା ବାପାଙ୍କ ପାଖରୁ …
ଥରେ ତୃତୀୟ ଚତୁର୍ଥ ରେ ପଢିଲା ବେଳେ ସନ୍ଧ୍ୟା ରେ ସାହିତ୍ୟ ବହିଟି ଧରି ଢୁଳାଉ ଢୁଳାଉ ବାପା ପଚାରିଦେଲେ ଏକ ପ୍ରଶ୍ନ ସାହିତ୍ୟ ବହି ରୁ..ଆଛା କହିଲୁ, ” ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତବାସ…  ଏହାର ଅର୍ଥ କଣ ?” ହଡ଼ବଡେ଼ଇ ଯାଇ ସେ ଉତ୍ତର ଦେଇଥିଲା, “ପୌଷ ଓ ମାଘ ଦୁଇମାସ ଶୀତ ହୁଏ, ଏହି ଦୁଇ ମାସକୁ ଶୀତ ଋତୁ ବୋଲି କୁହନ୍ତି I ଦେହରେ ରଖ ଶୀତବାସ…ମାନେ ଦେହରେ ଶୀତକୁ ବାସ କରିବାକୁ ଦିଅ I”…. ଠୋ… ସଟାକ କରି ଚଟକଣୀ ଟିଏ ବସିଲା ତା ବାଁ ଗାଲ ରେ ଆଉ ପାଞ୍ଚ ଆଙ୍ଗୁଳି ବସିଗଲା ଗାଲ ରେ…
ଆଉ ଥରେ ନବମ ଶ୍ରେଣୀ ପଢିଲା ବେଳେ ତାକୁ ସଂସ୍କୃତ ରୁ ଧାଡ଼ିଏ ପଚାରି ଥିଲେ I ସଂସ୍କୃତ ପାଠ କୁ ତା’ର ପ୍ରାଣେ ଭୟ, ସଂସ୍କୃତ ର ଶବ୍ଦରୁପ, ଧାତୁରୁପ ଜମା ହୁଏନି ତା’ର, ସେଥିପାଇଁ ସେ ସଂସ୍କୃତ ନେବାପାଇଁ ଚାହୁଁ ନଥିଲା I କିନ୍ତୁ ସଂସ୍କୃତ ରେ ବେଶୀ ମାର୍କ ଆସେ ବୋଲି ସାର ଙ୍କ ସହ ସବୁ ସାଙ୍ଗ ମାନେ ବି କହିଥିଲେ I ବାପା ପଚାରିଥିଲେ “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖ ଭାଗ ଭଵେତ” ର ଅର୍ଥ I ସେ ବି ବଡ ଦୃଢ଼ତା ର ସହ ଉତ୍ତର ଦେଇଥିଲା, ” ସମସ୍ତେ ସୁଖ ରେ ରୁହନ୍ତୁ, ସମସ୍ତେ ମାୟା ମୋହ ଠାରୁ ଦୁରେଇ ରୁହନ୍ତୁ ବା ସମସ୍ତେ ନିରାଡ଼ମ୍ବର ଜୀବନ ଯାପନ କରନ୍ତୁ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାନେ ସମସ୍ତେ ଭଦ୍ର ଲୋକଙ୍କ ଘରେ ପଶି ଯାଆନ୍ତୁ, ମା କଶ୍ଚିତ… କହୁ କହୁ ଆଉ ଥରେ ଠୋ… କରି ଚଟକଣୀ ଟିଏ ବାଜିଥିଲା ଗାଲରେ ଆଉ ତାର ମନେ ପଡିଯାଇଥିଲା, ” ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାନେ ସମସ୍ତେ ଭଦ୍ର ଲୋକଙ୍କ ଘରେ ପଶି ଯାଆନ୍ତୁ” ଏହି ବାକ୍ୟ ଟି ସେ ସାଙ୍ଗ ମାନଙ୍କ ଠାରୁ ଟାହି ଟାପରା ବେଳେ ଶୁଣିଥିଲା ….
ସେଦିନୁ.. “ବାପା” କହିଲେ (ବାପା ଙ୍କ ନାଁ ଶୁଣିଲେ) ତା’ର  ପେଣ୍ଟ ଓଦା ହେବା ଅବସ୍ଥା…
ଆଉ ଆଜି ? ତିନିଜଣ ସାଙ୍ଗ ଠିକ କରିଥିଲେ ସିନେମା ଦେଖିଯିବା ଲାଗି I ହେଲେ ତା ପାଖରେ ପଇସା କାହିଁ ? ବୋଉଙ୍କୁ କହିଥିଲା ଆଗରୁ ପଇସା ପାଇଁ I ବୋଉ କିନ୍ତୁ ଅଳ୍ପ କିଛି ପଇସା ଦେଲେ I “ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କା ରେ କଣ ହେବ?” ପ୍ରଶାନ୍ତ ଅଭିଯୋଗ କରି କହିଲା I ” ଟିକେଟ ଦାମ କେତେ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ, ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ? ଖାଇବା ଟେବୁଲ ଉପରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା , “ବୋଉ, ମୋର ଟାଇମ ହେଇ ଗଲାଣି ଟଙ୍କା ଦେ I”
ରୋଷେଇ ଘରୁ ବୋଉ କହିଲେ , ” ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା I”
ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପାଦ ଧ୍ୱନି ଶୁଣି ନିରବ ହୋଇଗଲା  I ବାପାଙ୍କ ଆଗରେ ତ ଚଞ୍ଚୁ ଖୋଲିବନି ଅଗତ୍ୟା ସେତକ ପକେଟ ରେ ଭର୍ତି କରି ସାଇକେଲ ଟି ଧରି ସେ ବାହାରି ଗଲା ଛକ କୁ I ଏତିକି ପଇସା ରେ କଣ ହେବ? ସେ ଆଜି ତିନିଜଣଙ୍କ ପାଇଁ ଟିକେଟ କରିବାକୁ କହିଥିଲା I ସୁଶ୍ରୀ ଓ ରମଣ, ସେମାନେ ଆସିଲେ ପଇସା ଦେବେ କିନ୍ତୁ ଏବେ ତ ଟିକେଟ କରିବାକୁ ପଡିବ I ରମଣ ଚଳିବ, କିନ୍ତୁ ସୁଶ୍ରୀ ଆଗରେ ହିନସ୍ଥା ହେବାକୁ ସେ ଚାହୁଁ ନଥିଲା I ଦିନ ୨ ଟା ହେଲାଣି.. ୩ ଟା ରୁ ସୋ ଆରମ୍ଭ I ଛକରେ ଦୋକାନ ଗୁଡିକ ବି ବନ୍ଦ I ନହେଲେ ଅବା କାହାଠୁ ଧାର ଆଣି ଚଳେଇ ଦେଇଥାନ୍ତା I କଣ କରିବ ବୁଦ୍ଧି ଦିଶୁ ନଥିଲା I ବାଧ୍ୟ ହୋଇ ରମଣ କୁ ଫୋନ କରି ଡାକିଲା ସେ,  ଆଉ ତା’ଠୁ ତିରସ୍କାର ଭରା ଭାଷଣ ଗୁଡିଏ ଶୁଣି ତା ଠୁ ପଇସା ନେଇ, ମନ ଦୁଃଖରେ ତିନୋଟି ଟିକେଟ ଆଣିଲା ବେଳେ ରମଣ କହିଲା ଆଉ ଗୋଟେ ଆଣେ, ମୋର ଜଣେ ସାଙ୍ଗ ଆସିବାର ଅଛି I
କିଛି ସମୟ ପରେ ହଠାତ ସୁଶ୍ରୀ ସହ ଲତା କୁ ଦେଖି ସେ ଚମକି ପଡିଥିଲା I ଲତା ତା’ର ପୁରୁଣା ପ୍ରେମିକା I ଇଞ୍ଜିନିଅରିଂ ସମୟ ରେ ଦୁଇଜଣ ଦୁଇଜଣଙ୍କ ସହ ଏତେ ମିଶି ଯାଇଥିଲେ ଯେ ଜଣେ ଅନ୍ୟ ଜଣଙ୍କ ବିନା ରହିବା ମୁସ୍କିଲ ଥିଲା କିନ୍ତୁ ଇଞ୍ଜିନିଅରିଂ ପରେ ଲତା ତା ବାପାଙ୍କ ସାଙ୍ଗ ର କମ୍ପାନୀ ରେ ଚାକିରୀ ପାଇଗଲା ବାଙ୍ଗାଲୋର ରେ ଆଉ ସେ ରହିଗଲା ଗୋଟେ ଶିକ୍ଷିତ ବେକାର ହୋଇ I ଏବେ ଲତା ତାର ଏକ୍ସ….ନିଜେ ହିଁ ସମ୍ପର୍କ ରଖିନି ଲତା ସହ I କେଉଁ ମୁହଁ ରେ ରଖିଥାନ୍ତା ? ନା ଚାକିରୀ ଅଛି ନା ପଇସା ? କାଲି ସକାଳୁ ଲତା ର ବାପା ତା ପାଇଁ ପ୍ରସ୍ତାବ ଖୋଜିବେ, ସେତେବେଳେ ଲତା କୁ ସେ ନା ବାହା ହେଇ ପାରିବ ନା ଆଉ କାହାକୁ ବାହା ହେବାକୁ କହି ପାରିବ I ସେଥିପାଇଁ ଦୁରେଇ ଯାଇଛି ନିଜେ ନିଜେ….
   ଟିକେଟ ଆଣିଲା ବେଳକୁ ରମଣ ଠାରୁ ତିରସ୍କାର ଶୁଣି ସହି ଯାଇଥିଲା କିନ୍ତୁ ଲତା ଆସିଲା ପରେ ତା ଶାଣଦିଆ କଥାଗୁଡ଼ିକ ଶୁଣି ଆଉ ଧୈର୍ଯ୍ୟ ଧରି ରହି ପାରି ନଥିଲା I ଏମାନେ କାହିଁକି ଆସନ୍ତି କେଜାଣି I ବାହାରେ ଚାକିରୀ କରି ପାଞ୍ଚ ଅଙ୍କରେ ଦରମା ପାଇ ଏମାନେ ଦେଖେଇହୁଅନ୍ତି ଜଣେ ଜଣେ ଦୟାଵାନ ବ୍ୟକ୍ତି ଆମ ପରି ଟଙ୍କାଟେ ରୋଜଗାର ନ ଥିବା ଜଣେ ଶିକ୍ଷିତ ବେକାର ପାଖରେ I ଏଇ ପାଞ୍ଚ ବର୍ଷ ଭିତରେ ସେ ଚାହିଁଛି କିଛି ବ୍ୟବସାୟ କରିବାକୁ ହେଲେ ନାଁ ଅଛି ପଇସା, ନା ସାହାର୍ଯ୍ୟ କରିବାକୁ କେହି I ଚାକିରୀ ପଛରେ ଧାଇଁ ଧାଇଁ ସେ ହାଲିଆ ଏବେ I ସାଙ୍ଗ, ସାଥି, ବନ୍ଧୁ, ବାନ୍ଧବ, ସାହି, ପଡିଶା, ଶେଷରେ ନିଜ ବାପା ବୋଉ ଓ ଭଉଣୀ ଠୁ ଶୁଣି ଶୁଣି ସେ ଏବେ ଜଣେ ନିର୍ଜୀବ I ନା ଅଛି ଜୀବନ, ନା ଅଛି ଆଉ କିଛି ସହିବାର ଶକ୍ତି I ମନ ଭିତରୁ ଭାବ ସବୁ ମରି ହଜି ଗଲେଣି I ବଞ୍ଚିବାର ସ୍ପୃହା ବି ଆଉ ନାହିଁ I ହୃଦୟ କଥା ପଚାରେ କିଏ….
ସିନେମା ଟି ଦେଖିଲା ପରେ ସେମାନେ ତିନିଜଣ ମିଶି ଆଗରୁ ପ୍ଲାନ କରିଥିବା ଅନୁସାରେ ଆଜି ସନ୍ଧ୍ୟା ରେ one night in jungle ପ୍ୟାକେଜ ଟୁର ରେ ଯିବାର ଥିଲା I କିନ୍ତୁ ଏସବୁ ସେମାନେ ଜଣେଇ ନଥିଲେ ପ୍ରଶାନ୍ତ କୁ I ଆଉ ସିନେମା ଦେଖା ସରୁ ସରୁ ରମଣ ଫୋନ କରି କହିଦେଲା ପ୍ରଶାନ୍ତ ର ଘରେ, ” ମାଉସୀ, ଆଜି ଆମେ ଭୋଜି କରୁଛୁ I ପ୍ରଶାନ୍ତ ଆଜି ମୋ ପାଖରେ ରହିବ, କାଲି ଫେରିବ ଘରକୁ ” I ସେପଟରୁ କଣ ଉତ୍ତର ଆସିଲା ଜଣାନାହିଁ କିନ୍ତୁ ପ୍ରଶାନ୍ତ ର ଅନିଚ୍ଛା ସତ୍ୱେ ବହୁ ବାଧ୍ୟ ବାଧକତା ପରେ ଚାରିଜଣ ଯାକ ବାହାରି ଆସିଲେ I ଆସିଲା ପରେ ଜାଣିବାକୁ ଚାହିଁଲା ଯେ ସବୁ ପଇସା ଲତା ତା ଦରମା ରୁ ଖର୍ଚ କରୁଛି I ଜଣକା ୫୫୦୦ ଟଙ୍କା, ରାତି ରହିବେ କ୍ୟାମ୍ପ ରେ ଟେଣ୍ଟ ତଳେ, କ୍ୟାମ୍ପ ଫାୟାର, ଖାଇବା, ପିଇବା, ରହିବା, ସକାଳ ଜଳଖିଆ ଓ ଯିବା ଆସିବା ସବୁ ଅନ୍ତର୍ଭୁକ୍ତ I ଯେତେ ଯାହା ହେଲେ ବି ପ୍ରଶାନ୍ତ ଜମାରୁ ବି enjoy କରିପାରୁ ନଥିଲା I ଆଉ କ୍ୟାମ୍ପ ଫାୟାର ରେ, ପେଟରେ ଦୁଇ ପେଗ (ମଦ) ପଡିଗଲା ପରେ ହସ, କାନ୍ଦ, ଚିନ୍ତା ଓ ଖୁନ୍ଦି ହୋଇଥିବା ଭାବନା ଗୁଡିକ ଧକେଇ ହୋଇ ବାହାରି ଆସୁଥିଲେ I ମୁଣ୍ଡ ତା’ର ଜାମ ହୋଇଯାଉଥିଲା I ଦୁନିଆଁ ଯାକର ନେଗେଟିଭ ଚିନ୍ତା ସବୁ ମୁଣ୍ଡ ଭିତରେ ଗୋଳେଇ ଘାଣ୍ଟି ହେବାପରେ ସେ ନିଶ୍ଚିତ କରିଥିଲା ଆଜି ହିଁ ଆତ୍ମହତ୍ୟା କରିବ…. ଏଇଠି…  ଆଉ କିଛି ଦେଖା ଯାଉନଥିଲା ତାକୁ I ପରିସ୍ରା ଯିବା ବାହାନା ରେ ସେ ଚାଲି ଆସିଲା ରିସୋଟ ପାଖରେ ଥିବା ନଦୀକୁ ଡେଇଁବା ପାଇଁ I
ହେଃ… ମରିବ ତ ମରିବ… କିଏ କଣ ଭାବିବ କାହିଁକି ଚିନ୍ତା କରିବ ? ସେମାନେ ମୋ ବିଷୟ ରେ କଣ ଚିନ୍ତା କରୁଛନ୍ତି କି? ଶଳା ଜୀବନ .. ଫୁହଃ…. ଗୋଟେ ମିନିଟ ରେ ଶେଷ I ପ୍ରଳାପ କରି ଜୋର ଜୋର ରେ ସେ ହସିବାକୁ ଲାଗିଲା …. ହାଃ…ହାଃ… ହାଃ…ହାଃ…
ଓ….ବାବୁ… ସିଆଡେ ସମସ୍ତେ ଖାଇବାକୁ ଡାକୁଛନ୍ତି ଯା ଖାଇବ.. ୧୧.୩୦ ରେ କିଚେନ ବନ୍ଦ, ତା ପରେ ଆଉ ଖାଇବାକୁ ମିଳିବନି I ଚମକି ପଡି ସେ କଥା ଆସୁଥିବା ଆଡକୁ ଚାହିଁଲା I ପିଲାଟିଏ, ବୟସ ୨୦ ଭିତରେ ହେବ I ରିସୋଟ ରେ କାମ କରୁଛି ବୋଧେ, ଗୋଟେ ଗୋଡ ଛୋଟା, ଛୋଟେଇ ଛୋଟେଇ ନଦୀ ଆଡକୁ ଯାଉ ଯାଉ ପିଲାଟି କହି କହି ଯାଉଥିଲା I ହଠାତ ଆତ୍ମହତ୍ୟା କଥାଟା ତା ମୁଣ୍ଡରୁ ଓହରି ଯାଇ ଅନ୍ୟ ଆଡେ ପଳେଇଲା…. ଛୋଟା ହେଇ ଚାକିରୀ କରିଛି ଆଉ ମୁଁ ? ଶିକ୍ଷିତ ବେକାର… ନା, ଯାଉଛି କୁଆଡେ ପଳେଇବି କିଛି ନହେଲେ କେଉଁଠି ମାଳି ହୋଇ କି ହୋଟେଲ ରେ ରହିବି I ଏମାନେ ଶଳା କିଛି ନ ଦେଇ ଜଣଙ୍କ ପାଇଁ ୫୫୦୦ ଟଙ୍କା ନେଉଛନ୍ତି, କେତେ ଖର୍ଚ ହେଉଥିବ ଏମିତି? ଯିବା ଆସିବା ଖର୍ଚ ଜଣଙ୍କ ପିଛା ପଚାଶ ଟଙ୍କା କି ଶହେ ଟଙ୍କା, ଜଙ୍ଗଲ ରୁ କାଠ ମାଗଣା, ଖାଇବା ଜଣଙ୍କ ପିଛା ଶହେ କି ଦୁଇଶହ ଅତି ବେଶୀ ହେଲେ ତିନିଶହ I ପିଇବା ଖର୍ଚ ଚାରିଶହ କି ପାଞ୍ଚଶହ ଅତି ବେଶୀ ରେ, ଶୋଇବା ତ ଟେଣ୍ଟ ରେ ଥରେ କିଣିଲେ ଜୀବନ ଯାକ ଚାଲିବ I ୟେ ତ ଫୋଲଡିଂ ଟେଣ୍ଟ I ହଜାରେ ଟଙ୍କା ଭିତରେ ଆସିଯିବ, ଯୁଆଡେ ଚାହିଁବ ନେଇ ପାରିବ I ସେଥିଲାଗି ଜଣକା ୫୫୦୦? ଖର୍ଚ ଅତି ବେଶୀ ହେଲେ ଟଙ୍କା ହଜାରେ ଭିତରେ I ବାକି ପଇସା ?? ତା ମୁଣ୍ଡରେ କିଛି ଢୁକିଲା ପରିକା ଆଖି ଦୁଇଟି ବଡ ହୋଇ ଆସିଲେ I
ଏତିକି ଭିତରେ ରିସୋଟ ର ପିଲାଟି ଫେରିଯାଇଥାଏ ଓ ପିଲା ଠାରୁ ଖବର ପାଇ ପ୍ରଶାନ୍ତ କୁ ଖୋଜି ଖୋଜି ଲତା, ସୁଶ୍ରୀ ଓ ରମଣ ଆସିଯାଇଥିଲେ ତା ପାଖକୁ I ଲତା ର ଇସାରା ରେ ସୁଶ୍ରୀ ଓ ରମଣ ପୁଣି ଫେରିଗଲେ I ପ୍ରଶାନ୍ତ, କାନ୍ଧରେ କାହା ହାତର ସ୍ପର୍ଶ ପାଇ ଫେରିଲା ଭାବନା ରୁ ନିଜସ୍ୱ ଜୀବନ କୁ ….
— କଣ କରୁଛ ଏଠି?
— କିଛି ନାହିଁ I
— ଏକୁଟିଆ ଅନ୍ଧାର ରେ ବସିବାକୁ କଣ ଆମ ସାଙ୍ଗରେ ଆସିଥିଲ?
— ନା, ମରିବାକୁ ଆସିଥିଲି I
— (ରାଗରେ) ତେବେ ?
— ଏ ହାତର ସ୍ପର୍ଶ ପୁଣି ଥରେ ଜୀବନ ଫେରେଇ ଦେଲା I (ପୁଅ ମାନେ ସବୁ ବେଳେ ସେମିତି :-P)
— କିଛି କହିବି? (ନିଆଁ ରେ ପାଣି ପଡିବା ପରି ଲତା ଥଣ୍ଡା ହୋଇ ଯାଇଥିଲା)
— କୁହ!!
— ମୋ ପାଖରେ କିଛି ପଇସା ଅଛି I ତାକୁ ନେଇ ଯଦି କିଛି ବ୍ୟବସାୟ ଆରମ୍ଭ କରିପାରିବ…
— ଥାଉ, କାହାର ଦୟା ମୋତେ ଦରକାର ନାହିଁ I
— ଦୟା କରୁନି.. ସବୁ ସୁଧ ମୂଳ ସହ ଆଦାୟ କରିବି ତୁମକୁ ବାହାହୋଇ I (ଅନ୍ଧାର ରେ ଲତା ର ମୁହଁଟା ଆହୁରି ଉଜ୍ଜ୍ୱଳ ଦେଖାଗଲା ପ୍ରଶାନ୍ତ କୁ )
ଲତା କହିଚାଲିଥାଏ, ” ବାପାଙ୍କ ପଇସା ଦେଇଥିଲେ ସେଟା ଯୌତୁକ କିମ୍ବା ଦୟା ହୋଇଥାନ୍ତା I ବାଙ୍ଗାଲୋର ରେ ରହି ମଧ୍ୟ ମୁଁ ଗୋଟିଏ ଗୋଟିଏ ଟଙ୍କା ସଂଚୟ କରେ, ଆମ ପାଇଁ I ତମେ ତ, ମୋ ଫୋନ ରିସିଭ କରିବା ବନ୍ଦ କରିଦେଲ ହେଲେ ମୁଁ ରଖୁଛି ତମ ଖବର, ସବୁବେଳେ I ଆଜି ବି ମୁଁ ତୁମକୁ ଭଲପାଏ ଜଣେ ଅଂଧୁଣି ଭାବେ I ହେଲେ … “
   ଲତା କୁ ଆଉ କିଛି କହିବାକୁ ନ ଦେଇ କୁଣ୍ଢେଇ ପକେଇଲା ପ୍ରଶାନ୍ତ I
ଏବେ ସେମାନେ ଫେରୁଥିଲେ ରିସୋଟ କୁ I
କିଛି ବର୍ଷ ପରେ….
ଆଜି ପ୍ରଶାନ୍ତ ଓ ଲତା ର ଦଶମ ବିବାହ ବାର୍ଷିକୀ I ସେଥିପାଇଁ ସେମାନେ ବାଛିଥିଲେ ଏଇ ରିସୋଟ କୁ I ବାପା ବୋଉ, ତାଙ୍କ ରୁମ ରେ ଶୋଇ ସାରିଲେଣି I ପୁଅ ଝିଅ ଦି ଜଣଙ୍କୁ ରିସୋଟ ରେ ଶୁଆଇ ଦେଇ ପ୍ରଶାନ୍ତ ଓ ଲତା ବସିଥିଲେ ଠିକ ସେଇ ଜାଗାରେ ଓ ମନେ ପକାଉଥିଲେ ସେଦିନ ର ଘଟଣା କୁ …. ରିସୋଟ ରୁ ଘରକୁ ଫେରିଲା ପରେ ପ୍ରଶାନ୍ତ ଆରମ୍ଭ କରିଥିଲା ଖୋଜିବା, ତା ପରି ଶିକ୍ଷିତ ବେକାର ଥିବା ପିଲା ମାନଙ୍କୁ I କିଛି ପିଲାଙ୍କୁ ଏକାଠି କରି ଆରମ୍ଭ କରିଥିଲା adventurous camp I ଲତା ର କିଛି ପଇସା କୁ ପୁଞ୍ଜି କରି ସେ ଆଗେଇ ଯାଇଥିଲା I ସହର ର ବିରକ୍ତି ଭରା ଜୀବନ ରୁ ଲୋକ ମାନଙ୍କୁ ସେ ନେଇଯାଏ ଜଙ୍ଗଲ ର ଏକ କୋଣ କୁ ଯେଉଁଠି ପୂର୍ବରୁ ପ୍ରସ୍ତୁତ ଥାଏ ଗୋଟେ ଛୋଟ ଘର ଆଉ କିଛି ଲୋକ I ରହିବା, ଖାଇବା ପରି ନିମ୍ନତମ ଆବଶ୍ୟକତା ର ସୁବିଧା ସୁଯୋଗ ଦେଇ, ମୋବାଇଲ ରୁ ଦୂର, ବିରକ୍ତି ଭରା ଜୀବନ ରୁ ଦୂର ଓ ପ୍ରକୃତି ର କୋଳ ରେ ଲୋକ ମାନେ କେମିତି ଶାନ୍ତି ରେ ରହିବେ ସେସବୁ ସୁବିଧା ଦେଇ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ ଟିଏ ଦିଏ ସେମାନଙ୍କୁ I ପ୍ରକୃତି କୋଳ ରେ, ଖୋଲା ଆକାଶ ତଳେ, ତାରା ମେଳରେ, ଫୋଲଡିଂ ଟେଣ୍ଟ ରେ ଶୋଇ ଲୋକମାନେ ପାଆନ୍ତି ଏକ ଅଦ୍ଭୁତ ଅନୁଭବ I ଏହାକୁ ପସନ୍ଦ କରିଛନ୍ତି ହଜାର ହଜାର ଲୋକ I ଅଳ୍ପ ପଇସା ରେ ଏପରି ସେବା ଓ ଅନୁଭବ ପ୍ରାୟ କେହି ଦିଅନ୍ତି ନାହିଁ, ସେଥିପାଇଁ ପ୍ରାୟ ସବୁ ବର୍ଗ ର ଲୋକ, ଛାତ୍ର, କଲେଜ ପିଲା ଓ ବୁଢା ବୁଢ଼ୀ ବି ପସନ୍ଦ କରନ୍ତି I ସବୁ ବୟସ ର ଲୋକଙ୍କ ପାଇଁ ସେମାନଙ୍କୁ ସୁହାଇଲା ପରି ବ୍ୟବସ୍ଥା I ଲୋକଙ୍କ ପାଖରେ ପଇସା ଅଛି, କିନ୍ତୁ ଜଣେ ଆଉ ଜଣଙ୍କୁ ଦେବା ପାଇଁ ସମୟ ଟିକେ ନାହିଁ I ଘରେ ବାପା, ମା, ପୁଅ, ଝିଅ ଚାରିଜଣ କିନ୍ତୁ ଚାଟ କରନ୍ତି whatsapp ରେ ଲାଇକ କରନ୍ତି facebook ରେ ଓ କଥା ହୁଅନ୍ତି jio ଫୋନ ରେ I ଏଠି ନା ମିଳେ ମୋବାଇଲ ର ଟାୱାର ନା ମିଳେ ଇଣ୍ଟରନେଟ I ସେଥିଲାଗି ଏ ବ୍ୟବସାୟ ଆରମ୍ଭ କରିବାର କିଛି ବର୍ଷ ଭିତରେ ସେ ହୋଇ ପାରିଛି ଏକ ଧନୀ ବ୍ୟକ୍ତି I ତା ପରି ଶିକ୍ଷିତ ବେକାର ମାନକୁ ଭଲ ଦରମା ରେ କାମ ଦେଇ ଅଧସ୍ତନ କର୍ମଚାରୀ ମାନଙ୍କର ମଧ୍ୟ ପ୍ରିୟ ଭାଜନ ହୋଇ ପାରିଛି I ସେଦିନ ତା’ ଜୀବନ ରେ ମୋଡ ଆଣିଥିବା ଛୋଟା ଏବେ ତା କ୍ୟାମ୍ପ ର ମ୍ୟାନେଜର I
ବହୁତ ସମୟ ବସିବା ପରେ ପ୍ରଶାନ୍ତ କହିଲା, “ଆଛା !! ସେଦିନ ତୁମେ ଆସିବା ପୂର୍ବରୁ ଯଦି ମୁଁ ସତରେ ଆତ୍ମହତ୍ୟା କରି ଦେଇଥାନ୍ତି?” ଲତା ପ୍ରଶାନ୍ତ ର ମୁହଁରେ ହାତ ଦେଇ ତାକୁ କୋଳକୁ ଟାଣିନେଲା ବେଳକୁ ପଛରୁ ଶୁଭିଲା , “ଓ….ବାବୁ… ଯା ଖାଇବ.. ୧୧.୩୦ ରେ କିଚେନ ବନ୍ଦ, ତା ପରେ ଆଉ ଖାଇବାକୁ ମିଳିବନି I “
ପ୍ରଶାନ୍ତ ଓ ଲତା, ତା’ ଆଡେ ଚାହିଁ ଦେଇ, ହସିଦେଲେ ….
ଲତା, ପ୍ରଶାନ୍ତ କୁ ଆଉ ଟିକେ ଭିଡି ଧରି କୋଳକୁ ଆଉଜେଇ ନେଉଥିଲା….
ଏମାନଙ୍କୁ ଦେଖି, ଚନ୍ଦ୍ର ବି ଲାଜ କରି ମେଘ ଆଢୁଆଳରେ ଲୁଚି ଯାଉଥିଲେ….
—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
 ଇମେଲ – subal.mohapatra@gmail.com

ଅଧୁରା ପ୍ରେମ…

ଅଧୁରା ପ୍ରେମ…
ସୁବଳ ମହାପାତ୍ର
(ବେଳେବେଳେ ଏମିତି ହୁଏ କି କିଛି ବିଷୟ ଉପରେ ଆମେ ଚିନ୍ତା କଲା ବେଳେ କିଛି ପ୍ରଶ୍ନ ଆମ ମନ ଭିତରେ ପଶି ଆସେ ଓ ଆମେ ନିଜେ ନିଜ ସହ କଥା ହୁଅନ୍ତି I ଗଳ୍ପ ଟି ସେମିତି ଏକ ବିଷୟ ବସ୍ତୁ କୁ ନେଇ ଲିଖିତ I ସେଦିନ ସେ ବସି ଭାବୁଥିଲା କିଛି ଦିନ ପୂର୍ବରୁ ଘଟି ଯାଇଥିବା ଘଟଣା ଟିଏ I ଘଟଣା ତ କହି ହେବନି ଦୁର୍ଘଟଣା ଟିଏ…)
ସେଦିନ ସେ ଆସିଥିଲା …
କାହିଁକି ?…
କେଜାଣି ?…
ସେ ଏମିତି ଆସେ ମଝିରେ ମଝିରେ I ଠିକ ଆସିବ, ଯେତେବେଳେ ମନଦୁଃଖ ଥିବ, ନହେଲେ ଯେତେବେଳେ ଟେନସନ ଅଧିକ ଥିବ କି ଏକା ଏକା ଲାଗୁଥିବ I ଏପରି ସମୟ ରେ ସେ କାହିଁକି ଆସେ କେଜାଣି ? କେମିତି ଜାଣେ ସେ ଏତେ କଥା ? କିଏ କହେ ତାକୁ ଆସିବାକୁ? ନା କିଏ ଦିଏ ତାକୁ ମୋ ଖବର? ମୁଁ ରାଗି କି ଗାଳି ଦେଉଥିବି ଆଉ ସେ ହସି ହସି ସବୁ କଥା କୁ ଆଡେଇ ଯାଉଥିବ I
ସେଦିନ କିନ୍ତୁ ଆସିଥିଲା ରାତି ଅଧାରେ…ଯେତେବେଳେ ସମସ୍ତେ ଶୋଇ ସାରିଥିଲେ… ବାହାରେ ବୁଲା କୁକୁର ହୋ ଓ ଓ ଓ କରି ରଡି ପକାଉଥିଲେ…
ବାହାରେ ଲାଗିଥିବା ବାରଲାଇଟ ତା ଦପ ଦପ ହୋଇ ଜଳୁଥିଲା…. ପବନ ର ସଅଁ ସଅଁ ଶବ୍ଦ ରହି ରହି ଝରକା ର ଫାଙ୍କ ଦେଇ ଘର ଭିତରେ ପଶୁଥିଲା …
ବାପାଙ୍କ ଘୁଙ୍ଗୁଡ଼ି ଆର ଘରୁ ଏଯାଏଁ ଶୁଭୁଥିଲା….ଆସି ଉଠେଇଲା ସେ ମୋତେ I କହିଲା, “ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା I ମନଟା ଜମାରୁ ଭଲ ନାହିଁ ଆଜି” I
ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ତାକୁ I
ଏ ରାତିରେ ?
ପୁଣି ଏତେ ଚୁଲବୁଲି ଝିଅ ର ମନ ଖରାପ ?
ସତ କହିଲେ ଆଜି ଯାଏଁ ତା’ର ମନ ଦୁଃଖ ହେବା ମୁଁ କେବେ ଦେଖି ନଥିଲି I ସବୁ ଅବସ୍ଥା ରେ ଖାପ ଖୁଏଇନେବା ଝିଅଟିଏ ଥିଲା ସେ I ସବୁବେଳେ ହସ ହସ ମୁହଁ I କେଜାଣି ଶେଷ ଥର ସେ କେବେ କାନ୍ଦିଥିଲା I କଷ୍ଟ ହେଲେ ବି ହସୁଥିବ, ଗାଳି ଦେଲେ ବି ହସୁଥିବ I ଛୋପରି ଖଣ୍ଡିଏ I ଆଜି ଯିଏ ତାକୁ ଗାଳି ଦେଇଥିବ, କାରଣ ଥାଉ କି ନଥାଉ, କାଲି ସକାଳୁ ସେ ତା ସହ ଆସି ହସି ହସି କଥା ହେଉଥିବ I ବେଳେବେଳେ ତ ହସି ହସି ଗଡିଯାଏ I କିନ୍ତୁ, ତା’ର ଏହି ଗୁଣ ଗୁଡିକ ତ ମୋତେ ଭଲଲାଗେ I କାହିଁକି ? କାହିଁକି କଣ ମ ? ଗୋଟେ ପୁଅ ଆଉ କଣ ଚାହେଁ କି?
ତାକୁ କେବେ କିଛି କହି ନ ଥିଲି I ନା ମୁଁ ତାକୁ କହିଥିଲି ଭଲପାଏ ବୋଲି ନା ସେ  ମୋତେ କହିଥିଲା I କେହି କାହାକୁ କିଛି କହି ନ ଥିଲେ ବି ମୁଁ ନିଜକୁ ପ୍ରେମିକ ଓ ତାକୁ ପ୍ରେମିକା ହିସାବରେ ସଜେଇ ସାରିଥିଲି କେଉଁଦିନୁ I ବେଳେ ବେଳେ ତା’ ଉପରେ ହକ ଜାହିର କଲାବେଳେ ତା ହସ ହସ ମୁହଁ ରେ କେମିତି ଗୋଟେ ରେଖା ପଡ଼ିଯାଏ, କଣ ଭାବେ ସେ କେଜାଣି ? ମୁଁ କିନ୍ତୁ ଜାଣିଲେ ବି ଆହୁରି ଆହୁରି ତାଗିଦ କରେ ତାକୁ I ଆଜି ସିନା ମୁଁ ତା ପ୍ରେମିକ ହୋଇନି, କାଲି କୁ ତ’ ହେବି ନା I ତେଣୁ ଆଜିଠୁ ହକ ଖୋଜିବାରେ ଅସୁବିଧା କଣ? ତା ମନର ଅବସ୍ଥା କେବେ ମୁଁ ଜାଣିବାକୁ ଚେଷ୍ଟା କରିନଥିଲି I କାହିଁକି କରିବି? ସେ ତ ସବୁବେଳେ ହସୁଥାଏ I
ଜଣେ ମଣିଷ ହସେ କେତେବେଳେ ?
ଯେତେବେଳେ ସେ ଖୁସିଥାଏ I
ଖୁସିଥାଏ ମାନେ…ମନ ଖୁସିଥାଏ I
ତେବେ ମନ ର ଅବସ୍ଥା ଆଉ କଣ ବୁଝିବି? ସେ ତ ଖୁସି ଅଛି I  ସବୁବେଳେ ଖୁସିଥାଏ, ମାନେ ତା ମନ ଖୁସି ଥାଏ ସବୁବେଳେ I ମୁଁ ଗାଳି କଲେ ବି ସେ ହସେ, ମୁଁ ରାଗିଲେ ବି ସେ ହସେ, ତାକୁ ଅଣ୍ଡର ଏସ୍ଟିମେଟ କଲେ ବି ସେ ହସେ I ଯେମିତି ହସ ଟା ତା ଜୀବନ I ନହସିଲେ ସେ ମରିଯିବ I ହେତ… କୁଆଡେ ପଳେଇଲିନି ମୁଁ …
ହଁ, ସେ ଆସିଥିଲା, ରାତି ଅଧା ରେ, ମୋ ବେଡ଼ ପାଖକୁ, ମୋତେ ଉଠେଇଲା ଆଉ କହିଲା, “ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା” I କିନ୍ତୁ ସେ ଆସିଲା କେମିତି ? ପୁଣି ମୋ ବେଡ଼ରୁମ କୁ ରାତି ଅଧା ରେ I ହେଃ.. ସେକଥା କିଏ ଚିନ୍ତା କରେ ସେତେବେଳେ ? ରାତି ଅଧା.. I ସେ ପାଖ ଘରେ ରହୁଥିଲା I ଆମ ପଡୋଶୀ I ଛଅ ବର୍ଷ ହେଲାଣି I ଆମେ ତ ଥିଲୁ ୨୫ ବର୍ଷ ହେଲା I ମୋ ଜନ୍ମ ପୂର୍ବରୁ I ଏଇଟା ଆମ ନିଜ ଘର I ସେମାନେ କିନ୍ତୁ ଆସିଥିଲେ ଛଅ ବର୍ଷ ତଳେ, ଭଡାରେ I କାହିଁକି? ମୁଁ ଜାଣିନି…  ତା ବାପାଙ୍କର ବଦଳି ହୋଇଥିବ, ନହେଲେ ପୁରୁଣା ଘର ମାଲିକ ଭଡା ବଢ଼େଇ ଦେଇଥିବ, ନ ହେଲେ କଲେଜ ପାଖ ହେଉଥିବ I ମୁଁ କଉ ଥିଲି ସେତେବେଳେ ଯେ ଜାଣିବି ? ମୁଁ ତ ରହୁଥିଲି ହଷ୍ଟେଲ ରେ I ଛଅ ମାସରେ ଥରେ  ମୁଁ  ଘରକୁ ଆସେ I ସେଥର ଆସିଲା ବେଳେ ଦେଖିଲି ନୂଆ ଝିଅଟିଏ, ଆମ ଘର ଆଗ ଦେଇ ଡେଇଁ ଡେଇଁ ଗଲା I କି ଅଜବ ଝିଅ ଇଏ ? କଲେଜ ପଢ଼ିଲାଣି କିନ୍ତୁ ଛୁଆଳିଆମୀ ଛାଡ଼ିନି I ଡେଇଁ ଡେଇଁ ଯାଉଛି, ପୁଣି ବାଟରେ ପଡିଥିବା ଗୋଡି , ପଥର କୁ ଲଖ୍ୟ କରି ଗୋଇଠା ମାରୁଛି, ଠିକ ଯେମିତି ପୁଅ ପିଲା ମାରନ୍ତି I ଗୋଟେ ଗୋଡି ଆସି ମୋ ପାଖରେ ପଡିଲା I ମୁଁ ରାଗି କରି ତାକୁ ଅନେଇଲି I ସେ, ସରି, ସରି କହି ପୁଣି ଆଉ ଗୋଟେ ଗୋଡି କୁ ଗୋଇଠା ମାରି ଡେଇଁ ଡେଇଁ ପଳେଇଲା I ମୁଁ ହସିଲି I କାହିଁକି କେଜାଣି ସତର ବର୍ଷ ବୟସ ରେ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା I ଜୋର ରେ I ଏମିତି ବି ହୁଏ ? ନିଜେ ନିଜକୁ ପଚାରିଥିଲି I
ତା’ ପରେ? ତା’ ପରେ କ’ଣ I ସନ୍ଧ୍ୟା ରେ ତା ମା’ ଆଉ ମୋ ମା’ ଫାଟକ ପାଖରେ କଥା ହେଉଥିଲେ I ମୁଁ ବାହାରେ ପବନ ଖାଉଥିଲି I ସେ ଆସି ତା’ ମା ପାଖରେ ଠିଆହେଲା ଆଉ ମୋ ମା, ମୋତେ ଡାକିଲେ I କଥା କରେଇଲେ I ଆମେ ଏକା କ୍ଲାସ ରେ ପଢ଼ୁଥିଲୁ I ସେ ମୋ ଘର ପାଖ କଲେଜ ରେ ଆଉ ମୁଁ? ମୁଁ ଘରଠୁ ଦୁଇଶହ କିଲୋମିଟର ଦୁରରେ I ମନ ନଥିଲା ଏତେ ଦୁରକୁ ଯିବା ପାଇଁ I ସେଥିପାଇଁ ତ ରାଗରେ ଛଅ ମାସରେ ଥରେ ଆସୁଥିଲି ଘରକୁ I ୟା ପରଠୁ କିନ୍ତୁ ରାଗିବା ଆହୁରି ବଢି ଯାଇଥିଲା ଘର ଲୋକଙ୍କ ଉପରେ କିନ୍ତୁ ଘରକୁ ଆସୁଥିଲି ମାସକୁ ଥରେ I ତା’ପରେ ପନ୍ଦର ଦିନ ରେ ଥରେ I ଏ ଭିତରେ ଛଅ ବର୍ଷ ବିତି ଯାଇଥିଲା I  ପାଠ? କିଆଁ ପଚାରୁଛନ୍ତି? ପାଠ ସରି ଯାଇଥିଲା I କଣ ପଢ଼ୁଥୁଲୁ କି? ପନ୍ଦର ଦିନରେ ଥରେ ଘରକୁ ଆସିଲେ ପାଠ ହୁଏ? ତଥାପି ପାସ I ହଁ… ସେ ଅବସ୍ଥା ରେ ପାସ କରିବା ଟା ବି ବଡ କଥା I କଉ ଅବସ୍ଥା ? ଛାଡ ମ.. ଶୁଣିବାର ଅଛି ଶୁଣ, ନହେଲେ ନାହିଁ I କହିଲି ପରା,” ସେଦିନ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା” I ହଁ, ତାକୁ କହି ନଥିଲି I କିନ୍ତୁ ମୁଁ ୱାନ ସାଇଡ ଲଭ କରି ପାରିବି ନା… I ନା, ସେଥିପାଇଁ ବି ଅନୁମତି ଦରକାର??
ହଉ ହଉ ଶୁଣ, ତା ପାଇଁ ପୁଅ ଦେଖା ଚାଲିଥିଲା ଆଉ ମୋ ପାଇଁ ଚାକିରୀ ଖଣ୍ଡେ I କାହାକୁ କିଛି ମିଳୁ ନଥିଲା I ନା ତାକୁ ପୁଅ ନା ମୋତେ ଚାକିରୀ I ଚାକିରୀ ଖଣ୍ଡେ ମିଳି ଯାଇଥିଲେ ଅବା ଦୁଇଟା ଯାକ ମିଳି ଯାଇଥାନ୍ତା I କେମିତି ? ହେଃ.. କେମିତି କଣ ମ , ନବୁଝିଲା ପରି ହଉଛ ? ମୋତେ ଚାକିରୀ ମିଳିଲେ, ମୁଁ ପରା ଗୋଟେ ପୁଅ … କିନ୍ତୁ ମୋତେ ଚାକିରୀ ମିଳୁ ନଥିଲା ଆଉ ତାକୁ ସବୁ ପୁଅ ରିଜେକ୍ଟ କରୁଥିଲେ I ମା, ଆଗରେ ମନଦୁଃଖ କଲେ ବି ଭିତରେ ଭିତରେ ମୁଁ ଖୁସି ହେଉଥିଲି I ଯାହା ହେଲେ ବି ମୋ ପ୍ରେମିକା ଆଉ କାହା ସହ ବାହାହବ ମୁଁ ପ୍ରେମିକ ହୋଇ ସମ୍ଭାଳିବି କି ? ହଁ, ଏବେ ବୁଝି ପାରୁଛ ତ …
ଏତେ ଦିନ ପରେ ମୋତେ ଗୋଟେ କମ୍ପାନୀ ରେ ଚାକିରୀ ମିଳିବାର ସମ୍ଭାବନା ଥିଲା I ଦୁଇଟା ରାଉଣ୍ଡ ସରି ଯାଇଥିଲା I ଖାଲି ଏଚଆର (HR) ରାଉଣ୍ଡ ବାକିଥିଲା I ମନ ଭିତରେ ବହୁତ ଖୁସିଥିଲି I ପଇସା ବେଶୀ ନ ଦିଅନ୍ତୁ ପଛେ, ଆମ ଚାରି ବାପା ମା ଙ୍କର ଦୁଇଟା ଟେନସନ ତ ଦୂରହେବ I ଏବେ ଆଉ ପଚାରନି, ଚାରି ବାପା ମା କେମିତି ଆଉ ଦୁଇଟା ଟେନସନ କଣ I ବୁଝି ଯା I
ସେଇଦିନ ସିଏ ଆସିଲା, ରାତି ଅଧା ରେ I ମୁଁ ଶୋଇଥିଲି I ଉଠେଇଲା ଆଉ ଆମେ ଘରୁ ବାହାରି ଚନ୍ଦ୍ର ଆଲୋକ ରେ ଧିମା ଧିମା ପବନ ରେ ବୁଲିଲୁ I ଚାଲି ଚାଲି କେତେବାଟ ଯିବୁ? ସେଇ ପାଖରେ ବୁଲିଲୁ I ସେ ମୋ ହାତ ଧରିଥିଲା I ଦେହ ଭିତରେ ମୋ ରକ୍ତ ଗୁଡା ଯେମିତି ଧାଉଁଥିଲେ, କହି ପାରିବିନି I ତା ବାଳ ଖୋଲା I ବାଳ ଆଉ ଶାଲୱାର ର ଚୁନି ପବନ ରେ ଉଡୁଥିଲେ I ମୁଁ ତା’ ମୁହଁ କୁ ଅନେଇ ପାରୁନଥିଲି I କାହିଁକି କଣ ? ପୁଅ ପିଲା ଟେ ହେଲେ ବି ମୋର ପୁଣି ଲାଜ ଅଛି ନା ନାହିଁ ? ମୋତେ ଅଫର ମିଳିଲା ପରେ ତାକୁ କେମିତି ପ୍ରପୋଜ କରିବି ସେଇୟା ଚିନ୍ତା କରୁଥିଲି I ଏପଟେ ତା ସହ କଥା ବି ହେଉଥିଲି I ମୁଣ୍ଡ ଦୁଇ ଆଡେ କାମ କରୁଥିଲା I ଆମେ ଏପଟ ସେପଟ ହୋଇ ବୁଲୁଥିଲୁ I ବେଶୀ ସମୟ, କିଛି କଥା ନ ହୋଇ ଚୁପଚାପ ଚାଲୁଥିଲୁ I କିଛି ସମୟ ଏଣୁ ତେଣୁ କଥା ହେଉ ଥିଲୁ I ସେମିତି କିଛି ଅଧିକ କଥା ନୁହଁ I ଯେଉଁ କଥା ଆମେ ପ୍ରାୟ ସବୁ ଦିନ ହେଉ I ଯେମିତି କି..  ଆଜି କଣ ରୋଷେଇ ହେଇଛି ତମ ଘରେ I ଆଜି କେଉଁ ସାଙ୍ଗ କୁ ଫୋନ କରିଥିଲି I କେଉଁ ସାଙ୍ଗ କୁ ଚାକିରୀ ମିଳିଗଲା I କେଉଁ ସାଙ୍ଗ ର ବାହାଘର ଆର ମାସ ରେ I କିଏ ତା ସ୍ତ୍ରୀକୁ ନେଇ କୁଆଡେ ବୁଲିବାକୁ ଗଲା I ଏମିତି ସବୁ …କିଛି ସମୟ ପରେ ଆସିଲୁ ଘରକୁ I
ପରଦିନ ସକାଳୁ ତା ମାଙ୍କ କାନ୍ଦ ରେ ମୋ ନିଦ ଭାଙ୍ଗିଲା I ମୁଁ କିଛି ବୁଝି ପାରୁ ନଥିଲି I ଦୌଡ଼ି ଯାଇ ଦେଖିଲା ବେଳକୁ ତା ମଲା ଶରୀର ଟା ଫ୍ୟାନ ରୁ ତଳକୁ ଝୁଲୁଥିଲା I  ରାତିରେ କେହିଜଣେ ପୁଅଘର ବାହାଘର କରିବେ ବୋଲି ଫୋନ ଦ୍ୱାରା ଜଣେଇ ଦେଇଥିଲେ I ସେ ଚୁପଚାପ ଥିଲା, ନା କିଛି କହିଥିଲା, ନା ବିରକ୍ତି ହୋଇଥିଲା, ନା ଖୁସି ଥିଲା I କେବଳ ଥରେ ମାତ୍ର ତା ସାନ ଭାଇ କୁ କହିଥିଲା,” ଭଲ ହେଲାନି” I
ଆଗରୁ ଥରେ ସେ ବାହାଘର ବିଷୟ ରେ ଘରେ କହିଥିଲା ବୋଲି ତାକୁ କୁଆଡେ ତା’ ବାପା ପ୍ରବଳ ପିଟିଥିଲେ I ତା’ ଝୁଲୁଥିବା ଲାସ ର ଗୋଡ ଦୁଇଟି କୁ ଧରି ତା ମା’ ବାହୁନି ବାହୁନି କାନ୍ଦୁଥିଲେ I ମଝିରେ ମଝିରେ ମୋ ନାଁ ଟି ମୁଁ ଶୁଣିବାକୁ ପାଉଥିଲି I  ଘରର ଅନ୍ୟ ସମସ୍ତଙ୍କ ମୁହଁ ରେ କିଛି କିଛି ଚିନ୍ତା ର ରେଖା ଦେଖା ଯାଉଥିଲା । କାହିଁକି ସେ ଏମିତି କଲା? ଆମକୁ ତ ଜଣେଇ ପାରିଥାନ୍ତା। କିଏ କିଏ ଆହାଃ.. ଚୁ.. ଚୁ.. କରୁଥିଲେ I ପୋଲିସ ଆସି ସାରିଥିଲା I
ଆଉ ମୁଁ?
ମନେପକେଇ ପାରୁନଥିଲି ରାତି ରେ ସେ ସତରେ ଆସିଥିଲା ନା ସ୍ବପ୍ନ ରେ ….
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଦରପୋଡା କାଠ

ଦରପୋଡା କାଠ 
ସୁବଳ ମହାପାତ୍ର
୨୦୧୭ ମସିହା ର ନୂଆ ବର୍ଷ, ୨୦୧୬ ର ଶେଷ ରାତ୍ରିI ଅରଖ ନୂଆ ପରି ଝିଲ ମିଲ ପୋଷାକ ପରିହିତ ରାଜଧାନୀ ରେ ରାତ୍ରି ର ଚତୁର୍ଥ ପ୍ରହର I ଏକ ତିନି ତାରକା ହୋଟେଲ ରେ ତଥାପି କିଛି ଲୋକ ନୂଆବର୍ଷ ର ଖୁସି ଜାହିର କରୁଥାନ୍ତି I ସମୟ ରାତ୍ରି ପ୍ରାୟ ଦୁଇଟା ବାଜି ପଚାଶ ମିନିଟ I ପ୍ରଶାନ୍ତ ହାତରେ ଗ୍ଲାସ ଧରି ସଂଗୀତ ର ତାଳେ ତାଳେ ଝୁମି ଝୁମି ବଗିଚା ର ଏକ କୋଣ ରେ ଯାଇ ପହଁଚିଲା I ଲୁହା ଚୌକି ରେ ବସୁ ବସୁ ଭାରସାମ୍ୟ ହରେଇ ପଡିଗଲା ସେ I ନିଜକୁ ସମ୍ଭାଳି ନେଇ ଉଠିଲା ବେଳକୁ ଗ୍ଲାସ ରେ ଥିବା ରଙ୍ଗୀନ ପାଣି ଗୁଡିକ ତା ଜ୍ୟାକେଟ ଉପରେ ପଡି ସୁତା ତନ୍ତ୍ରୀ ଗୁଡିକୁ ମତୁଆଲା କରିସାରିଥିଲେ I ନା, ଏଥର ଘରକୁ ଫେରିବାକୁ ପଡିବ I ସ୍ତ୍ରୀ ମିନତୀ ଆଉ ଝିଅ ଶୈଳ ଯାଇଛନ୍ତି ଶୈଳ ର ସ୍କୁଲ ପିକନିକ ରେ I ସେଥିପାଇଁ ସେ ଆଜି ନିଜ ସ୍ୱାଧୀନତା ର ସ୍ୱାଦ ଚାଖିବାକୁ ଆସି ଯାଇଥିଲା ଏକ ନୂଆବର୍ଷ ପାର୍ଟି କୁ I ନଚେତ ବାହାରେ କେଉଁଠି ଟିକେ ପିଇ ଦେଇ ଘରକୁ ଗଲେ ମିନତୀ ସବୁ ବେଳେ ଜାଣି ଦିଏ I ସନ୍ଦେହୀ ଆଖି କୁ ସନ୍ଦେହୀ ନାକ ତା’ର, ପ୍ରଶାନ୍ତ ର ଆଚରଣ ରୁ ହେଉ କିମ୍ବା ମୁହଁ ରୁ ଆସୁଥିବା ବିଦେଶୀ ପାନୀୟ ର ସୁଗନ୍ଧ ରୁ ହେଉ କୌଣସି ପ୍ରକାରେ ଧରା ପକେଇ ଦିଅନ୍ତି I ଆଉ ତା’ପରେ?? ପନ୍ଦର ମିନିଟ ର ଗାଳି ସହ ପାଞ୍ଚ ମିନିଟ ର ତାଗିଦ, ତା ସହ ମିଶନ୍ତି ଝିଅ ଶୈଳ ର ଭବିଷ୍ୟତ ଉପରେ ପ୍ରବଚନ ଆଉ… ଆଉ? ଘର ଛାଡି ବାପା ଘରକୁ ଚାଲିଯିବାର ଧମକ, ସୁଉଁ ସୁଉଁ କାନ୍ଦ, ମୁହଁ ଫୁଲା ଆହୁରି ଆହୁରି କେତେ କଣ, ଶେଷ ହୁଏ କାଲିଠୁ ମଦ ନ ପିଇବାର ଶପଥ ରେ I ରାତି ନ ଟା ରେ ଘରେ ପହଁଚିଲେ ଯାତ୍ରା ସରୁ ସରୁ ରାତି ବାର I ଛଅ ବର୍ଷ ର ଝିଅ ଶୈଳ ସେତେବେଳକୁ ଶୋଇ ସାରିଥାଏ I ତାକୁ ଟିକେ ଗେଲ କରିବାକୁ କି ତା ସହ ଖେଳୁବାକୁ ବି ସମୟ ହୁଏନି I ଛେ…. ସ୍ତ୍ରୀ ଉପରେ ବହୁତ ରାଗି ଯାଏ ସେ I ସେଥିପାଇଁ ସେ ଏବେ ପିଇବା ଛାଡି ଦେଇଛି I ତଥାପି ଲୁଚେଇ ଲୁଚେଇ ଛୁଟି ଦିନ ମାନଙ୍କରେ ଅଫିସ ଅଛି କହି ସାଙ୍ଗ ମାନଙ୍କ ସହ ଦିନ ବେଳେ ପିଇଦିଏ I  ଝିଅ ର ପରୀକ୍ଷା ସରିଲେ, ଖରା ଛୁଟି ହେଉ କି ବଡ଼ଦିନ ଛୁଟି, ଥରେ ଗାଁ କୁ ଆଉ ଥରେ ଶ୍ୱଶୁର ଘରକୁ ପଠେଇ ଦେଇ ଟିକେ ଶାନ୍ତି ରେ ନିଶ୍ୱାସ ମାରେ ସେ I ଏତିକି ଦିନ ସେ ବଞ୍ଚେ ଜଣେ ଅବିବାହିତ ର ହଷ୍ଟେଲ ଲାଇଫ I ଘର ର କୌଣସି ଜିନିଷ ରେ ଧ୍ୟାନ ନଥାଏ ତା’ ର, ସକାଳୁ ଉଠି, ବ୍ରସ କରି, ଗାଧୋଇ ଅଫିସ ଯିବା ଆଉ ସନ୍ଧ୍ୟା ରେ ଫେରିଲା ବେଳେ ମଧ୍ୟମ ଆକାର ର ନାଲି ପାଣି ବୋତଲ ଟିଏ ସହ କିଛି ମିକ୍ସଚର, ଖୁର୍ସିଦ ଭାଇ ଦୋକାନ ରୁ କେବେ ଚିକେନ ପକୋଡା ତ କେବେ ଚିକେନ କବାବ, କେବେ ଅବା ତନ୍ଦୁରି ସହ ଚିକେନ ବିରିୟାନୀ ଗୋଟେ ଆଣି ରାତି ଟି ଘରେ କଟେଇବା ବ୍ୟତୀତ ଆଉ କିଛି ଦେଖେ ନାହିଁ ସେ I ସ୍ତ୍ରୀ ଆଉ ଝିଅ ଫେରିବା ପୂର୍ବଦିନ ସେ ସଜାଡ଼େ ଘରକୁ ଠିକ ସେମିତି, ଯେମିତି ମିନତୀ ଛାଡିକି ଯାଇଥିଲା I ମିନତୀ ବି ସୁରାକ ପାଏନି କିଛି I ସେଥିପାଇଁ ସେ ବନ୍ଦ କରି ଦେଇଛି ଅନ୍ୟ ଦିନ ମାନଙ୍କ ରେ ପିଇବା I ଏଥର କିନ୍ତୁ ଝିଅ ର ପିକନିକ ଥିବାରୁ ବଡ ଦିନ ଛୁଟି ଟା ପୁରା ମାରା ହେଇଗଲା I ଆଜି ଗୋଟେ ଦିନ ଛୁଟି ମିଳିଛି I ରାତି ୧୦ ଟା ରେ ସ୍ତ୍ରୀ ଆଉ ଝିଅ କୁ ସ୍କୁଲ ରେ ଛାଡି ଆସିଲା ପରେ ସେ ଆଜି ରାଜା I ସେମାନେ ଆସି ପହଞ୍ଚିବେ କାଲି ସନ୍ଧ୍ୟା ଆଠଟା ରେ I ସେତେବେଳ ଯାଏ ପ୍ରଶାନ୍ତ ନିଜ ଇଚ୍ଛା ର ମାଲିକ I ସେମାନଙ୍କୁ ସ୍କୁଲ ରେ ଛାଡି ସେ ସିଧା ଆସିଛି ଏ ହୋଟେଲ କୁ I
ଚୌକି ର ହ୍ୟାଣ୍ଡେଲ ରେ ମୁଣ୍ଡ ଟା ବାଡେଇ ହଉ ହଉ ରହିଗଲା I ନା, ଆଉ ନୁହଁ I ଗ୍ଲାସ କୁ ସେଇ ଚୌକି ଉପରେ ରଖି ସେ ବାହାରିଲା ଘରକୁ ଯିବାକୁ I ଟଳି ଟଳି ଗାଡି ପାଖକୁ ଆସି ଗାଡି ର ଡୋର ଖୋଲିଲା ସେ I ଦଶ ବର୍ଷ ର ଗାଡି ଚଲା ଭିତରେ ସେ ଏତେ ନର୍ଭସ କେବେ ବି ହୋଇ ନଥିଲା I ବହୁତ ଦିନ ପରେ ନିଶା ଆଜି ଜୋର ଧରି ଯାଇଥିଲା ତାକୁ I ଯାହା ହେଲେ ବି ଘରେ ପହଞ୍ଚିବାକୁ ହେବ I ରାତି ତିନିଟା ଉପରେ ହୋଇ ଗଲାଣି I ଆଉ ଡେରି କଲେ ହବନି I ଗାଡି ରେ ବସି, ଗାଡି ଷ୍ଟାର୍ଟ କଲା ସେ I ଡୋର ର କାଚ କୁ ଅଳ୍ପ ଖୋଲା କରି, ଡୋର ବନ୍ଦ କଲା I ଆଗ କାଚ ଭିତର ଦେଇ ବାହାର ରାସ୍ତା ଟା କେମିତି ଝାପ୍ସା ଝାପ୍ସା ଦେଖା ଯାଉଥିଲା ତାକୁ I ଆଖି କୁ ଦୁଇଥର ଦଳି, ବଡ ବଡ ଆଖି କରି ଆଉ ଥରେ ରାସ୍ତା କୁ ଦେଖିଲା ସେ I ହଁ, ଏଥର ଟିକେ ଭଲ ଦେଖା ଗଲା I ବାଁ ପଟକୁ ଷ୍ଟିୟରିଂ ମୋଡି ଆଗକୁ ଆଗେଇଲା ସେ I ରାସ୍ତା ଖୋଲା, ରାଜଧାନୀ ର ଲୋକ ଗୁଡା ବାରଟା ବେଳକୁ ହାଲ୍ଲା ଗୁଲ୍ଲା କରି ଶୋଇ ପଡିଲେଣି ସବୁ I ସକାଳୁ ଉଠି ପୁଣି ସମସ୍ତେ ସମସ୍ତଙ୍କୁ ନୂଆ ବର୍ଷ ର ଅଭିନନ୍ଦନ ଜଣେଇବେ, ମିଠା ଖୁଏଇବେ ଆଉ କେତେ କଣ ସବୁ କରିବେ I ଆମ ବେଳକୁ ଗାଁ ରେ କଣ ଥିଲା ଏ ସବୁ ? କେତେ ରଙ୍ଗୀନ ଏ ସହର ଆଉ କେତେ ରଙ୍ଗୀନ ଏ ଲୋକ, କେତେ ରଙ୍ଗୀନ ଏ ରାସ୍ତା ଆଉ କେତେ ରଙ୍ଗୀନ ଏ ବୟସ I ଭାବୁ ଭାବୁ ଆଖି ତା’ ର ମାଡି ମାଡି ପଡୁଥାଏ I ହଠାତ …. କିଛି ବିକଟାଳ ଶବ୍ଦ ସହ ଗାଡି କୁ ଯେମିତି କିଏ ଆଗରୁ ଟାଣି ନେଉଛି, ନିୟଂତ୍ରଣ ନାହିଁ ଏବେ ତା’ ହାତ ରେ I ଗାଡି ଟା ମନକୁ ମନ କୁଆଡେ ଯାଉଛି ଆଉ..  …  ….   ଦୂଉଉ ଉ ଉ ଉ ଉ ମ…………
**********
ନିଦ ଭାଙ୍ଗିଲା ପ୍ରଶାନ୍ତ ର I ବେଡ଼ ଉପରେ ଥାଇ ଚାରି ଆଡକୁ ଚାହିଁଲା ସେ I ଉଠି ଦେଖିଲା ହାତରେ ସାଲାଇନ ର ଛୁଞ୍ଚି I କୌଣସି ଏକ ଡାକ୍ତରଖାନା ର କୋଠରୀ ପରି ଲାଗୁଥାଏ I ପାଖରେ ବିଭିନ୍ନ ପ୍ରକାର ର ଯନ୍ତ୍ରପାତି I ଯନ୍ତ୍ର ର ଟିଭି ରେ କେତେ କଣ ରେଖା ସବୁ ଉପର ତଳ ହୋଇ ମାଡି ଯାଉଥାନ୍ତି I ମଣିଷ କେହି ନଥାନ୍ତି ସେ କୋଠରୀ ରେ I ପୁଣି ଥରେ ଆଖି ବୁଜି ହୋଇ ଆସିଲା ତା’ ର I ମୁଣ୍ଡ ଆଉ ଗୋଡ ରେ ପ୍ରବଳ ଯନ୍ତ୍ରଣା I ଡାହାଣ ଗୋଡ ଟା ନ ଥିଲା ପରି ଲାଗୁଥାଏ କିନ୍ତୁ ଆଂଠୁ ପାଖରୁ ପ୍ରବଳ ଯନ୍ତ୍ରଣା ହେଉ ଥାଏ I ବିକଳ ରେ ଚିତ୍କାର କରି ଉଠିଲା ସେ I କିଛି ସମୟ ପରେ ପୁଣି ଆଖି ବୁଲେଇ ସବୁ ଆଡକୁ ଦେଖିବାକୁ ଚେଷ୍ଟା କଲା ସେ I ଭୀଷଣ ଭାବରେ ଶୋଷ ଲାଗୁଥାଏ ତାକୁ I ଆଖି ବୁଲାଉ ବୁଲାଉ ଦେଖିବାକୁ ପାଇଲା ୨୦୧୭ ମସିହା ର କ୍ୟାଲେଣ୍ଡର I କ୍ୟାଲେଣ୍ଡର ରେ ଜାନୁଆରୀ ୧୮ ତାରିଖ ଟି ଉପରେ ଥାଏ I ସେ ମନେ ପକେଇବାକୁ ଚେଷ୍ଟା କଲା ଏଠିକୁ ଆସିଲା କେମିତି I ମିନତୀ ଆଉ ଶୈଳ କୁ ସ୍କୁଲ ରେ ଛାଡି ସେ କେଉଁ ଏକ ଜାଗାକୁ ଯାଇଥିଲା ବୋଲି ମନେ ପଡିଲା I ତା ପରେ କିନ୍ତୁ ମନେ ନାହିଁ I ଆରେ….ସେ ତ ଯାଇଥିଲା ଡ଼ିସେମ୍ବର ୩୧ ରେ ଆଜି କଣ ଜାନୁଆରୀ ୧୮ ଦେଖାଉଛି ? ଏତିକି ଦିନ ଭିତରେ ତା’ର ତ କିଛି ବି ମନେ ନାହିଁ ? ମିନତୀ ଆଉ ଝିଅ ଆସିଲେ ନା ନାହିଁ? କିଏ ତାଙ୍କୁ ଆଣିଲା? ସେ ନିଜେ ଏଠିକୁ କେମିତି ଆସିଲା? କୌଣସି ପ୍ରଶ୍ନ ର ଉତ୍ତର ପାଉ ନଥିଲା ସେ…
କିଛି ସମୟ ପରେ ନର୍ସ ଜଣେ ଆସିଲେ ଓ ତା’ ର ହୋସ ଆସିଲାଣି ବୋଲି ଜଣେଇ ଦେଲେ ମିନତୀ କୁ। ଆସ୍ତେ ଆସ୍ତେ ସବୁ ଜିନିଷ ଜାଣିବାକୁ ପାଇଲା ସେ I ସେଦିନ ହୋଟେଲ ର ପାର୍ଟି କୁ ଯାଇ ମଦ ପିଇଥିଲା ସେ ଆଉ ଘରକୁ ଫେରିବା ବାଟରେ ବ୍ରିଜ ତଳକୁ ଖସି ପଡିଲା I ସକାଳୁ କେହି ଜଣେ ବାଟୋଇ ଦେଖି 108 କୁ ଡାକି ଡାକ୍ତର ଖାନା ରେ ଭର୍ତି କଲା I ରାତିରେ ମିନତୀ ଓ ଝିଅ ଆସିଲା ପରେ ଖବର ପାଇ ଡାକ୍ତର ଖାନା ଆସିଲେ I ସେବେଠୁ ପ୍ରଶାନ୍ତ କୋମା ରେ ଥିଲା I ଅଠର ଦିନ ପରେ ଚେତା ଆସିଲା ତା’ର I ଡାହାଣ ଗୋଡ ର ହାଡ ଚୁନା ହୋଇ ଯାଇଥିଲା I ପିତ୍ତଳ ର ରଡ଼ ଲାଗିଲା ସେଥିରେ I ଓଃ…କି କଷ୍ଟ… ମଦ ଯେ ଏତେ ମାରାତ୍ମକ, ଏହା ଏବେ ସେ ହୃଦୟଙ୍ଗମ କରୁଥିଲା I
ପ୍ରାୟ ଆଠ ମାସ ପରେ …
ଏବେ ସେ ଭଲ ହୋଇ ଆସୁଥିଲା I କିନ୍ତୁ ଗୋଡ ରେ ଲାଗିଥିବା ପିତ୍ତଳ ରଡ଼ ଯୋଗୁଁ ସେ ଠିକ ରେ ଚାଲବୁଲ କରିପାରୁ ନଥିଲା, ଭରା ଦେଇ ପାରୁ ନଥିଲା I ଆଶାବାଡି ସାହାର୍ଯ୍ୟ ରେ ସେ ଏବେ ଟିକେ ଟିକେ ଚାଲବୁଲ କରୁଥିଲା I ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ। ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡି ଯାଇଛି। ଅଗତ୍ୟା ସେ ହାତରେ କନା ଓ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା। ଏହି ସମୟ ରେ ରାସ୍ତା ରେ ଯାଉଥିବା ଗୋଟେ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ କୁ କହିଲା, “ଆଜ୍ଞା ଟଙ୍କା କୋଡିଏ ଟା ଯଦି ଦେବେ, ମୁଁ ଧୋଇଦେବି।”
ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡି ଧୋଇ ଆସେ? “
ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା। ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କା ର କଥା। ଗ୍ୟାରେଜ କୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲା । ଲୋକଟା କୁ ବାଲଟି ଦେଉ ଦେଉ ପଚାରିଲା ,” ସତରେ ତୁ କୋଡିଏ ଟଙ୍କା ରେ ଧୋଇବାକୁ ଇଛା କରିଛୁ ନା ମୋ ଖଣ୍ଡିଆ ଗୋଡ଼ ଦେଖି ମୋତେ ଦୟା କରୁଛୁ?” I ଆଶାବାଡି ଟି ଧରି ଗୋଟେ ଗୋଡ ରେ ଡେଇଁ ଡେଇଁ କନା ଟି ତା ହାତ କୁ ବଢ଼େଇ ଦେଉ ଦେଉ ପ୍ରଶାନ୍ତ ଲୋକଟି ଆଡକୁ ଚାହିଁ କହିଲା I
ଲୋକ ଟି କହିଲା, “ନା , ନା, ବାବୁ। ମୁଁ ଗରିବ ଲୋକ। ମୁଁ ଆପଣଙ୍କୁ କଣ ଦୟା କରିବି I କାମ ଟିଏ ଖୋଜି ଖୋଜି ବୁଲୁଛି ଆଜ୍ଞା I
:ଆଛା, ଖାଲି ଗାଡି ଧୋଇ ଆସେ ନା ଆଉ କଣ କରି ଆସେ?
: ମୁଁ ଜଣେ ଡ୍ରାଇଭର ଆଜ୍ଞା I କିଛି ଦିନ ପୂର୍ବରୁ ପଟେଲବାବୁ ଘର ଗାଡି ବିକ୍ରି କରିଦେବାରୁ ଏବେ ମୋ ହାତରେ କାମ ନାହିଁ I ସକାଳୁ ସନ୍ଧ୍ୟା ବୁଲି ବୁଲି କାମ ଖୋଜୁଛି I ଆପଣଙ୍କ ର ଯଦି କେହି ଚିନ୍ହା ଥିବେ ମୋ ପାଇଁ କାମ ଟେ ବୁଝି ଦିଅନ୍ତେ ନାହିଁ?
: ହଉ ଦେଖିବା !! ତୁ.. ଆଗ ଗାଡି ଧୋଇ ସାରେ …
ଲୋକଟି ଗାଡି ଧୋଇବା ଭିତରେ ପ୍ରଶାନ୍ତ କିଛି ଚିନ୍ତା କରିବାକୁ ଲାଗିଲା I ଲୋକ ଟିକୁ ଡ୍ରାଇଭର ଭାବେ ରଖିଲେ କିପରି ହୁଅନ୍ତା ? ତାକୁ ଏବେ ଅଫିସ ଯିବା ପାଇଁ ଅସୁବିଧା ହେଉଛି I ମିନତୀ ସବୁଦିନ ଛାଡିବାକୁ ଆଉ ଆଣିବାକୁ ଯାଉଛି I କୁଆଡେ ଯିବାକୁ ହେଲେ କେହି ଜଣେ ସମ୍ପର୍କୀୟ ଙ୍କୁ ଡାକିବାକୁ ପଡୁଛି ଗାଡି ଚଲେଇବା ପାଇଁ I ୟାକୁ ଡ୍ରାଇଭର ରଖିଲେ ସବୁ ସମସ୍ୟା ର ସମାଧାନ ହୋଇ ଯିବ I
:ଆଛା, ତୋର ମାସକୁ ଦରମା କେତେ ?
:ଆଜ୍ଞା, ଚାରି ହଜାର ଦେବେ I କୁଆଡେ ବାହାରକୁ ଗଲେ ଦିନକୁ ୧୦୦ ଟଙ୍କା ଖାଇବା ଖର୍ଚ I
ଏତିକି ଭିତରେ ଗାଡି ଟି ଧୋଇ ଧାଈ ଚିକ ଚିକ କରି ଦେଇଥିଲା ସେ I
:ହଉ, କାଲିଠୁ କାମ କୁ ଆସେ I ମାସକୁ ଚାରି ହଜାର ଦେବି, ତା ସହ ବାହାରକୁ ଗଲେ ଆମ ସହ ଖାଇବୁ I ଠିକ ଅଛି ? ତୋ କାମ ହେଲା ସବୁଦିନ ମୋତେ ନେଇ ଅଫିସ ଯିବୁ ଆଉ ସନ୍ଧ୍ୟା ରେ ମୋତେ ଆଣି ଛାଡ଼ିବୁ I କେବେ କେମିତି ବଜାର ଆଉ ବାକି, ଆଖ ପାଖବୁଲାବୁଲି I ଠିକ ଅଛି ତ?  ପଚାଶ ଟଙ୍କା ର ନୋଟ ଟେ ତାକୁ ବଢ଼େଇ ଦେଉ ଦେଉ କହିଲା ପ୍ରଶାନ୍ତ I
:ହଉ ଆଜ୍ଞା I
ମୁଣ୍ଡିଆ ଟିଏ ମାରି ସେ ଚାଲିଗଲା I
ଘରକୁ ଆସି ମିନତୀ କୁ କହିଲା ସେ, ପ୍ରଥମେ ପ୍ରଥମେ ମିନତୀ ଅରାଜି ହେଲେ ବି ପରେ ରାଜି ହୋଇଗଲା I ପ୍ରଶାନ୍ତ କୁ ଏକା କୁଆଡେ ବି ଛାଡିବାକୁ ମିନତୀ ଚାହୁଁନଥିଲା I କିନ୍ତୁ ଅଧିକ କାମ ପଡିଯାଉଥିଲା ତାକୁ I ଘର କାମ, ପିଲାଙ୍କ କାମ, ପିଲାଙ୍କ ସ୍କୁଲ, ଟିଉସନ, ପ୍ରଶାନ୍ତ ର ଅଫିସ, ଘର ରୋଷେଇ, ପରିବା, ରାସନ ରୁ ଆରମ୍ଭ କରି ଇଲେକ୍ଟ୍ରିକ ବିଲ ପଇଠ ଯାଏ ସବୁ I ଓଃ.. । ଏତେଦିନ ପରେ ଆସ୍ତେ ଆସ୍ତେ ପୁଣି ଘର ର ସବୁ ଜିନିଷ ପୂର୍ବପରି ହେବାକୁ ଲାଗିଲା I ସମସ୍ତେ ନିଜ ନିଜ କାମ କରିବାକୁ ଲାଗିଲେ I ପ୍ରଶାନ୍ତ ମଦ ପିଇବା ପୁରା ଛାଡି ଦେଇଥିଲା I ଘରେ ହସ ଖୁସି ର ପରିବେଶ I ପ୍ରଶାନ୍ତ ର କିଛି କାମ କିନ୍ତୁ ଏବେ ବି ମିନତୀ କୁ କରିବାକୁ ପଡୁଥିଲା ଓ ବେଳେ ବେଳେ ତାକୁ ଉଠା ବସା ରେ ସାହାର୍ଯ୍ୟ କରିବାକୁ ପଡୁଥିଲା I ଆସ୍ତେ ଆସ୍ତେ ଏ ସବୁ ବି କମ ହେବାକୁ ଲାଗିଲା I କିନ୍ତୁ ଆଉ ଥରେ ଗାଡି ଚଳେଇବାକୁ ସାହସ ପାଉନଥିଲା ପ୍ରଶାନ୍ତ ର I ଡ୍ରାଇଭର ବି ଭଲ ଲୋକ ଟିଏ ଥିଲା I ତେଣୁ ତାକୁ ଛାଡିବାକୁ ଇଛା ନଥିଲା ପ୍ରଶାନ୍ତ ର I
ଡ୍ରାଇଭର ର ନାଁ ଦେବ I ଭଲ ଲୋକଟିଏ I ଡ୍ରାଇଭର ହୋଇ ବି ନିଶାପାଣି ଠୁ ବହୁ ଦୂରରେ I କେବେ ପାନ ଖଣ୍ଡେ ବି ଖାଏ ନାହିଁ I ଦୁଇ ବର୍ଷ ପୂର୍ବରୁ ସ୍ତ୍ରୀ ଚାଲି ଯାଇଛି ଆର ପାରି କୁ I ଛାଡି ଦେଇ ଯାଇଛି ତିନୋଟି ପିଲା I ସାନ ଟି ଜନ୍ମ ହଉ ହଉ ମା ମରିଗଲା I ମା ଛେଉଣ୍ଡ ଛୁଆ ତିନୋଟି କୁ ପାଳିବାକୁ ବହୁତ ପରିଶ୍ରମ କରିବାକୁ ପଡେ I ଘର, ଦେବ ର ବିଧବା ମା ସମ୍ଭାଳି ନିଏ I ହେଲେ ପେଟକୁ ଗଣ୍ଡେ ଆଉ ଦିହକୁ ଖଣ୍ଡେ ପାଇଁ ତ ପଇସା ଦରକାର ନା I ଘରେ ଖୋଲି ଦେଇଛି ସାନ ଦୋକାନ ଖଣ୍ଡେ I ବୁଢ଼ୀ ବସେ ସେଇ ଦୋକାନ ରେ I ତିନିମାସ ହେଲା ଚାକିରୀ ନଥିଲା ତା’ର I ଯାହା ବଞ୍ଚେଇ ବଞ୍ଚେଇ ରଖିଥିଲା ସେଇଥିରୁ ସାରୁଥିଲା I ବାକି ଚଳିଯାଏ ଦୋକାନ ରୁ ଆଉ ବାଡ଼ି ବଗିଚା ରୁ I ବାବୁ ଓ ବାବୁଆଣୀ ଚାକିରୀ ଖଣ୍ଡେ ଦେଇଛନ୍ତି ବୋଲି ଭାରି ଶ୍ରଦ୍ଧା ଓ ସମ୍ମାନ କରେ ଦେବ I କୌଣସି କଥା କୁ ତଳେ ପକେଇ ଦିଏନି I ସବୁଥିରେ ହଁ I ନିଜ ମନରୁ ବି କେବେ କେମିତି କିଛି ଅଧିକ କାମ କରି ଦିଏ I ପ୍ରଶାନ୍ତ ର ଏପରି ଦୁର୍ଘଟଣା ହୋଇଛି ଜାଣିବା ପରେ, ସେ ଧିରେ ଗାଡି ଚଳାଏ, ଯେମିତି କି ପ୍ରଶାନ୍ତ କୁ କିଛି ନ ଲାଗିବ ।
**********

ପୁଣି ଡ଼ିସେମ୍ବର ମାସ ଆରମ୍ଭ ହୋଇ ସାରିଥିଲା I ପ୍ରଶାନ୍ତ ଯୋଗୁଁ ଖରାଛୁଟି ରେ କେହି ବି କୁଆଡେ ଯାଇ ପାରି ନଥିଲେ I ମିନତୀ ଓ ଶୈଳ, ଘରେ ରହି ରହି ବିରକ୍ତ ହୋଇ ଯାଇଥିଲେ I ମିନତୀ ଉପରେ ଏତେ ଦିନ ର କାମ ଚାପ ଯୋଗୁଁ ଏବେ ସେ ଛୁଟି ରେ କୁଆଡେ ବୁଲିଯିବାକୁ ଚାହୁଁଥିଲେ ବି ପ୍ରଶାନ୍ତ କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଇଛା ନଥିଲା ତା’ର I କିନ୍ତୁ ପ୍ରଶାନ୍ତ କଥାରେ ରାଜି ହେଲା ସେ I “ଦେବ ତ ଅଛି I ମୋର ଯାହା ଦରକାର ହେଲେ ସେ ଆଣି ଦେବ I ତମେ ଯାଅ, ମୁଁ ଅଫିସ ରୁ ଛୁଟି ନେଇ ଯିବି I ସାଙ୍ଗ ହୋଇ ଆସିବା” କହିଲା ପ୍ରଶାନ୍ତ I

ଦେବ କୁ ଦାୟିତ୍ୱ ଦେଇ ବାହାରିଲା ମିନତୀ I ଦେବ ଭରସା ଯୋଗ୍ୟ I ସୁବିଧା ଅସୁବିଧା ଦେଖିବ I ଆଗରୁ ପ୍ରଶାନ୍ତ ମଦ ପିଉଥିଲା ବୋଲି ମିନତୀ ର ଚିନ୍ତା ବଢିଯାଏ I ହେଲେ ସେ ଦୁର୍ଘଟଣା ପରଠୁ ପ୍ରଶାନ୍ତ ପିଇବା ଛାଡି ଦେଇଛି I ଆଉ କଣ ଚିନ୍ତା ଅଛି ? ଝିଅ କୁ ଧରି କିଛି ଦିନ ଶାଶୁ ଘରେ ଓ କିଛି ଦିନ ବାପ ଘରେ ରହିବା ପ୍ଲାନ କରି ନିଶ୍ଚିନ୍ତ ରେ ସେ ବାହାରିଗଲା I
************
ଡ଼ିସେମ୍ବର ୩୧, ୨୦୧୭ I ଗତବର୍ଷ ଆଜି ଦିନରେ ହିଁ ତା ର ଦୁର୍ଘଟଣା ହୋଇଥିଲା I ଅଫିସ ରେ ବସି ବସି ଅନ୍ୟମନସ୍କ ହୋଇ ପଡୁଥିଲା ପ୍ରଶାନ୍ତ I ଅଫିସ ର ସହକର୍ମୀ , ସାଙ୍ଗ ସାଥି ସମସ୍ତେ କେଜାଣି କେତେ ପ୍ରୋଗ୍ରାମ ପ୍ଲାନ କରି ସାରିଥିଲେ I ସମସ୍ତଙ୍କୁ ନାହିଁ କରିଦେଲା ସେ I କୌଣସି ଭୋଜି ରେ ଯିବା ରେ କିଛି ନାହିଁ , କିନ୍ତୁ ଅନ୍ୟ ମାନେ ବାଧ୍ୟ କରିବେ ପିଇବା ପାଇଁ I କାହାକୁ ମନା କରି ହେବ ନାହିଁ I ମୂଳରୁ ନ ଗଲେ ଗଲା I ବସି ବସି ରାତି ନଅ ଟା ରେ ଘରକୁ ବାହାରିଲା ସେ I କିନ୍ତୁ କେଜାଣି କାହିଁକି ତା ମନ ପୁଣି ଟାଣି ହେଇ ଯାଉଥିଲା ମଦ ଆଡେ I ପୁଣି ???  ବାଟ ରେ ଖୁର୍ସିଦ ଭାଇ ଦୋକାନ ରୁ ଗୋଟେ ପ୍ଲେଟ ବିରିୟାନୀ ଓ ଗୋଟେ ତନ୍ଦୁରି ଚିକେନ ପ୍ୟାକ କଲା I ଦେବ ଓ ଦେବର ଛୁଆ ମାନଙ୍କ ପାଇଁ ବି ତିନୋଟି ବିରିୟାନୀ ପ୍ୟାକ କଲା I ବାଟରେ ଫେରୁ ଫେରୁ ହୋଟେଲ ମାନଙ୍କର ରଙ୍ଗବେରଙ୍ଗ ଆଲୋକମାଳା ଓ ଡିଜେ ର ଶବ୍ଦ ଧ୍ୱନି ଶୁଣି ଶୁଣି ପୁଣି ମନ ଡାକୁଥିଲା , ହେଲେ ମନକୁ ଚାପି ଚାପି ସେ ଅନ୍ୟ ଆଡେ ମନ ଦେଉଥିଲା I ଟ୍ରାଫିକ ରେ ଗାଡି ଅଟକିଲା I ତିନି ମିନିଟ ଅପେକ୍ଷା କରିବାକୁ ପଡିବ I ୧୮୦…୧୭୯…୧୭୮…୧୭୭..୧୭୬…   ….   ୧୨୫…୧୨୪…୧୨୩…୧୨୨…୧୨୧…   ….  ୬୦…୫୯…୫୮…୫୭…୫୬…
ନା, ଆଉ ସମ୍ଭାଳି ହେବନି I ଗଲା ଥର ସିନା ନିଜେ ଗାଡି ଚଳେଇ ଗଲା ବୋଲି ଏତେ ହଇରାଣ ରେ ପଡିଲା I ଏଥର ଅଟୋ ରେ ଯିବ ସେ I ନଚେତ ଫୋନ କରି, ଦେବ କୁ ଡ଼ାକିବ I ତାହେଲେ କିଛି ଅସୁବିଧା ନାହିଁ ନା ….. ଦେବ କୁ କହିଲେ ସେ ଏବେ ୟାଡୁ ସ୍ୟାଡୁ କହି ଅଟକେଇବ I କିଛି ନହେଲେ ବି ମିନତୀ କୁ କହି ଦେବାର ଧମକ ଦେବ I ହଠାତ ଡୋର ଖୋଲି ଓ଼ଲ୍ଳେହି ପଡିଲା ପ୍ରଶାନ୍ତ I ଡୋର ବନ୍ଦ କରି ଖୋଲା ଥିବା କାଚ ପଟେ ଦେବ କୁ କହିଲା ସେ, “ବିରିୟାନୀ ଆଉ ତନ୍ଦୁରି ପିଲାଙ୍କ ପାଇଁ ନେଇ ଯିବୁ I ମୁଁ ଅଟୋ ରେ ଆସିବି ଭାରି ଘରକୁ, କିଛି ଚିନ୍ତା ନାହିଁ I ନହେଲେ ତୋତେ ଫୋନ କରି ଡାକିବି, ନୂଆ ବର୍ଷଟା ରେ ଟିକେ ଏନଜୟ ନ କଲେ ଭଲ ଲାଗିବନି ”  କହି ସେ ଆଗକୁ ଆଗକୁ ଚାଲିଲା କୌଣସି ଏକ ହୋଟେଲ ଉଦ୍ଦେଶ୍ୟ ରେ….
କିଛି ବୁଝି ନ ପାରି ପ୍ରଶାନ୍ତ ର ଯିବା ବାଟ କୁ “ହାଁ” କରି ଚାହିଁ ରହିଲା I ଟ୍ରାଫିକ ସିଗ୍ନାଲ ଛାଡି ସାରିଲା ପରେ କିନ୍ତୁ ଦେବ’ ର ଆଉ କିଛି କରିବାର ନଥିଲା। ପ୍ରଶାନ୍ତ ଆରପଟ ରାସ୍ତା ଅତିକ୍ରମ କରି ସାରି କୁଆଡେ ଅଦୃଶ୍ୟ ହୋଇ ସାରିଥିଲା….
ଦେବ, ଆଗକୁ ଯାଉ ଯାଉ  ସବୁ କିଛି ବୁଝିଗଲା ପରି, ଭାବି ହେଉଥିଲା ,” ମୋତେ ଯେତେ ମାଠିବୁ ମାଠ, ମୁଁ ତ’ ସେଇ ଦରପୋଡା …….”
—–ସମାପ୍ତ—–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ସେଦିନ ର ଦୀପାବଳୀ ଓ ପୋତା ହାଡ

ସେଦିନ ର ଦୀପାବଳୀ ଓ ପୋତା ହାଡ 
ସୁବଳ ମହାପାତ୍ର
ଜୀବନ ରେ କେବେ ଦେଖି ନ ଥିଲେ ବି ଶବ୍ଦ ଟା କାହିଁକି ଅଖାଡୁଆ ଶୁଭେ I ହଁ, ଆଜ୍ଞା ମୁଁ ଭୂତ କଥା କହୁଛି I ଛୋଟ ବେଳେ କେତେ କଣ କାହାଣୀ ଶୁଣିଥିଲା ବଣ୍ଟି I ଲଗାଲଗି ଜେଜେ, ମାମୁଁ, ସାଙ୍ଗ ସାଥି ଆଉ ଗାଁ ଲୋକଙ୍କଠୁ ବହୁତ ପ୍ରକାର ଭୂତ ଗପ ଶୁଣିଛି ସେ I ଭୂତ କୁଆଡେ ରାତି ପହରକରୁ ଡାକି ନିଏ ମାଛ ମାରିବାକୁ କିମ୍ବା  ବିଲ ରେ ପାଣି ମଡ଼େଇବାକୁ I କେତେବେଳେ ଦେଖାଦିଏ କେଉଁ ବ୍ରାହ୍ମଣ କୁ ଯିଏ କୌଣସି ଏକ ଦୂର ଗାଁ ରୁ ବାହାଘର କିମ୍ବା ମୃତକ କାମ ସାରି ଫେରୁଥାଏ I କିଏ ଅବା ଦେଖେ କୌଣସି ଏକ ରାସ୍ତା ରେ, ନିଛାଟିଆ, ଶୂନଶାନ ଜଙ୍ଗଲ ମଝିରେ ରାତି ବାରଟା ରେ ସୁନ୍ଦରୀ ଝିଅ ଟିଏ ଆଗ ଛକ ଯାଏ ଯିବାପାଇଁ ଲିଫ୍ଟ ମାଗେ I କେତେବେଳେ କୌଣସି ଏକ ଗାଡି ର ବ୍ରେକ ଫେଲ କରି ଦିଏ ଓ କିଛି ବାଟ ଗଲା ପରେ ପୁଣି ଆପେ ଆପେ ଗାଡି ର ବ୍ରେକ କାମ କରିବାକୁ ଲାଗେ I
           ତା’ର ବି ଇଲମ ଅଛି ଯେ !!!  ଲଙ୍ଗଳା ହୋଇ ଭୂତଙ୍କ ସହ ନାଚିବାକୁ ପଡେ I ଗୋଲେଇ ଆକାର ର ମୁତି, ସେଇ ଭିତରେ ଠିଆ ହେବାକୁ ପଡେ ସକାଳ ଯାଏ I ମୁତ ମିଶା ମାଟି କୁ ତାଙ୍କ ଉପରକୁ ଫିଙ୍ଗି ବାକୁ ପଡେ I ହାତରେ ଲୁହା ର କୌଣସି ଏକ ଜିନିଷ ଧରି ଆସ୍ତେ ଆସ୍ତେ ସେମାନେ ନ ଦେଖିପାରିଲା ପରି ସେଠୁ ଖସି ଆସିବାକୁ ହୁଏ ଅବା ଗାଡି ଭିତରେ ପାଖରେ ଥିବା ମଦ ବୋତଲ ରୁ ଅଳ୍ପ ପିଇ ଆଉ ଅଳ୍ପ ହାତରେ ବୋଳି ହେଲେ ଭୂତ କିଛି କରି ପାରେ ନାହିଁ I
  ଭୂତ ବି ଆଜ୍ଞା କଣ କମ କି? ଚାହିଁଲେ ମଣିଷ କୁ ମାରି ଦେଇ ପାରେ, ପାଗଳ କରିପାରେ ଅବା ରକ୍ତ ଶୋଷିନିଏ I ସେ ଦର୍ପଣ ରେ ଦେଖା ଯାଏନି ଆଉ ରାତି ଅଧାରେ ଗାଡ଼ିରେ ଲିଫ୍ଟ ମାଗି ବସି ଯାଏ I ସେ ବସି ସାରିଲା ପରେ ଗାଡି ର ଓଜନ ବଢିଯାଏ I ଗାଡି ଓଜନିଆ ଲାଗେ I ୬୦ ସ୍ପିଡ଼ ରେ ଚଳେଇଲେ ୨୦ ରେ ଯିବାପରି ଲାଗେ I ଆଉ ସେଇ ଜାଗା ଟି ଅତିକ୍ରମ କରି ସାରିଲା ପରେ ଗାଡି ର ସ୍ପିଡ଼ ହଠାତ ପୁଣି ୬୦ କୁ ପଳେଇ ଆସେ ଆଉ ପାଖ ସିଟ ରେ ଝିଅ ଟି ନଥାଏ I ଚାଳକ ନିୟନ୍ତ୍ରଣ ହରାଇ କେଉଁ ଗଛରେ କିମ୍ବା ରାସ୍ତା ପାଖରେ ଥିବା ଭଙ୍ଗା ଘରେ ପିଟି ହୁଏ ଓ ମରିଯାଏ I ନହେଲେ କିଛି ଦୂର ଯିବା ପରେ ହଠାତ ଝିଅଟି ଉଭାନ ହୋଇ ଯାଏ ଓ ପଛରୁ କିଛି ଶବ୍ଦ ଆସି କାନ ରେ ବାଜେ “ଯା ରେ ପୁଅ ଏଥର ଛାଡିଦେଲି” I
  ଏଗୁଡା ସବୁ ଶୁଣି ଶୁଣି ବଣ୍ଟି ଅଭ୍ୟସ୍ତ ଥିଲା ଭୂତ କେମିତି ଆଉ ହାବୁଡ଼ ରେ ପଡିଲେ କେମିତି ବଞ୍ଚିବ I କିନ୍ତୁ କିଛି ପ୍ରଶ୍ନ ର ଉତ୍ତର ସେ ଆଜି ଯାଏ ବି ପାଇ ନଥିଲା I ଯେମିତି କି ଡ୍ରାଇଭର ଟି ମରି ସାରିଲା ପରେ ଲୋକ ମାନେ କେମିତି ଜାଣିଲେ ଏତେ ସବୁ ଘଟଣା ଘଟିଥିଲା ବୋଲି? ଭୂତ ମାନେ ଖାଲି ଖାଲି ରେ ନାଚନ୍ତି ନା ତାଙ୍କ ପାଇଁ କିଏ DJ ବଜାଏ? ତାଙ୍କର କଣ ମାଛ ଖାଇବା ପାଇଁ ଲୋଭ ଥାଏ ଯେ ସେମାନେ ମାଛ ମାରିବାକୁ ଡାକି ନିଅନ୍ତି? ସେମାନେ ତ ଯୁଆଡେ ଚାହିଁବେ ଯାଇ ପାରିବେ ତେବେ ଲିଫ୍ଟ କାହିଁକି ମାଗନ୍ତି ? ବ୍ରାହ୍ମଣ ପାଖରେ ତ ପଇତା ଥାଏ, ତାକୁ ଦେଖି କି ଭୂତ ଡରେ ନା ନାହିଁ? ଯଦି ଡରେ ତେବେ ବ୍ରାହ୍ମଣ ର ତ ଡରିବା ଦରକାର ନାହିଁ I ଆଉ ଯଦି ନ ଡରେ ତେବେ ସେ ବ୍ରାହ୍ମଣ ମୃତକ କାମ କିପରି କରେ? ସେତେବେଳେ ତାକୁ ଡର ଲାଗେ ନା ନାହିଁ? ଭୂତ ଦେହରେ ମୁତ ମାଟି କେମିତି ବାଜେ? ଲୁହା ଓ ମଦ କୁ ସେମାନେ ଡରନ୍ତି ନା ଭକ୍ତି କରନ୍ତି ନା ଘୃଣା କରନ୍ତି ? ଏସବୁ କାହାଣୀ ଶୁଣି ଶୁଣି ସେ ବଡ ହୋଇଛି I ଭୂତ ପ୍ରତି କିଛି ଡର ଥିଲେ ବି ସେ ଯେତେ ଯେତେ ବଡ ହୁଏ ଆସ୍ତେ ଆସ୍ତେ ଦୁନିଆଁ କୁ ଚିନ୍ହିଲା ପରେ ତା ମନରୁ ଭୂତ ପ୍ରତି ଥିବା ଡର ଛାଡି ଛାଡି ଯାଏ I ଲୋକ ମାନେ ତ ପୁଣି ନାଇଟ ସିଫ୍ଟ ସାରି ଘରକୁ ଆସୁଛନ୍ତି I ଏବେ ସହରରେ ବଡ ଗଛ କିମ୍ବା ସେମିତି ପୁରୁଣା ଘର କାହିଁ ଯେ ଭୂତ ରହିବ? ସହର ତ କେବେ ଶୁଏନି, ସବୁ ବେଳେ ଲୋକ ଯିବା ଆସିବା ଲାଗିଥାଏ ତେବେ ଭୂତ ନା ଫୁତ… ଭୂତ ଡର ଛାଡ଼ି ଛାଡି ଆସିଲା ବେଳକୁ ତାକୁ ଯିବାକୁ ପଡେ ଘରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ସହରକୁ I ଇଞ୍ଜିନିଅରିଂ ପଢିବା ପାଇଁ I ଜଣେ ମାମୁଁ ତାକୁ ଗୋଟିଏ ଡେଉଁରିଆ ଦେଲେ ପିନ୍ଧିବା ପାଇଁ I ସବୁ ଶୁଭ ହେବ I ହଉ I
  ଇଞ୍ଜିନିଅରିଂ ର ପ୍ରଥମ ବର୍ଷ ଯାହିତାହି ରେ କଟିଗଲା I ଦ୍ଵିତୀୟ ବର୍ଷ ବେଳକୁ ସେମାନେ କିଛି ସାଙ୍ଗ ଠିକ କରନ୍ତି ଗୋଟେ ଘର ଭଡା ନେଇ ମେସ କରି ରହିବେ I ପ୍ରାୟ ଆଠ ଜଣ I ଏତେବଡ ଘର ସହର ଭିତରେ ଅଳ୍ପ ପଇସା ରେ ମିଳିବା ମୁସ୍କିଲ I ତେବେ ସହର ଠୁ ଟିକେ ଦୂର ହେଲେ ବି କିଛି ଅସୁବିଧା ନାହିଁ I ପାଖରେ ଦୁଇ ତିନୋଟି ସ୍କୁଟର ଓ ମୋଟରସାଇକେଲ ଅଛି I କଲେଜ କୁ ବି ଯିବାପାଇଁ ସଟ କଟ ରାସ୍ତା ଅଛି I ଅଳ୍ପ ସମୟ ଭିତରେ ପହଞ୍ଚି ହେବ I ସପ୍ତାହକୁ ଥରେ ଦୁଇଥର ବଜାର ରୁ ପରିବା ନେଲେ ଯଥେଷ୍ଟ I ଚାଉଳ, ମସଲା ପାଇଁ ପାଖରେ ଗୋଟେ ଦୋକାନ ବି ଅଛି I ରୋଷେଇ ପାଇଁ ପାଖ ସାହି ରୁ ପିଲାଟିଏ ବି ମିଳିଗଲା I ସବୁ ଦୃଷ୍ଟି ରୁ ସୁବିଧା I ତେଣୁ ଘର ଟି ଭଡା ରେ ନେଇଗଲେ ସେମାନେ I ଆଗରୁ ମାଲିକ ସେ ଘରେ ନିଜେ ରହୁଥିଲା I ଏବେ ସେ ନିଜ ଘର ଛାଡି ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଘରକୁ ଭଡାରେ ଚାଲିଗଲା ଓ ବଜାର ଦରଠୁ ବି କମ ପଇସା ରେ ଘରଟି ଭଡା ରେ ଦେବା ପାଇଁ ରାଜି ହୋଇଗଲା I ବାଃ.. ବିରାଡ଼ି କପାଳ କୁ ଶିକା ଛିଣ୍ଡିଲା ପରିକା ଏମାନଙ୍କୁ ଘର ଟି ମିଳିଗଲା I
      ଏବେ କିଛି କିଛି ପଇସା ସଞ୍ଚି ହେବ I ଆଗରୁ ତ ଘର ଭଡା ଓ ହୋଟେଲ ଖାଇବାରେ ସବୁ ପଇସା ସରି ଯାଏ I ଯାହାହଉ ଭଲହେଲା I ନିରୋଳା, ଟିକେ ନିଛାଟିଆ ଜାଗାରେ ଘର ଟି ମିଳିଲା I ଟିକେ ନିଛାଟିଆ ଏଥିପାଇଁ ଯେ ଆଖ ପାଖରେ ଘର ଥିଲେ ବି ସାମ୍ନା ରେ ଖେଳ ପଡିଆ ଓ ଘର ସାଇଡ ରେ ରାସ୍ତା ଥିବାରୁ ଗୋଟିଏ ପଟେ ହିଁ ଜଣେ ପଡୋଶୀ I ପଛ ପାଖେ ଏଘର ର ବାଡ଼ି ଓ ପଛ ଘର ର ବାଡ଼ି ମିଶି ପ୍ରାୟ ଲମ୍ବା ଚଉଡା ରେ ବହୁତ I ତେଣୁ ତାଙ୍କୁ ପଡୋଶୀ ବୋଲି ବି କହି ହେବନି I
      ଇଞ୍ଜିନିଅରିଂ ର ପିଲା ମାନେ ସତରେ ବଡ ଟ୍ୟାଲେଣ୍ଟେଡ I ପରୀକ୍ଷା ର ମାସେ ପୂର୍ବରୁ ପଢା ଆରମ୍ଭ ଓ ଛଅ ମାସ ର କୋର୍ସ ମାସେ ରେ ଖତମ I ତେଣୁ ବାକି ପାଞ୍ଚ ମାସ ତାଙ୍କ ପାଖରେ ଟାଇମ ହିଁ ଟାଇମ ଥାଏ I ଆଜି ଗଣେଶ ପୂଜା ତ କାଲି ଲକ୍ଷ୍ମୀ ପୂଜା I ସବୁ କେମିତି ନିଆରା ନିଆରା ଲାଗେ I ବଣ୍ଟି ର ମେସ ସାଙ୍ଗମାନେ ସେଦିନ ବସି କଥା ହେଲେ I ଏ ଥର ଦୀପାବଳୀ ଟା ବଡ ଧୁମ ଧାମ ରେ ପାଳିବା I ଆଖପାଖ ର ଲୋକାଲ ସାଙ୍ଗ ମାନେ ବି ହାତ ମିସେଇଲେ I ପାଖାପାଖି ଦଶ ହଜାର ଟଙ୍କା ଉପରେ କଲେକସନ ହେଲା I ଏଥର ଖୁବ ମଜା ହବ I ଦଶହଜାର ଟଙ୍କାର ବାଣ I ଆଖପାଖ ରୁ ବାଣ କିଣିଲେ ଅଳ୍ପ ଆସିବ I ତେଣୁ ଠିକ କଲେ ଯେ ପ୍ରାୟ ୩୦/୪୦ କିଲୋମିଟର ଦୂରରେ ଥିବା ଏକ ଗାଁ ରୁ ବାଣ ଆସିବ I ସେଠି ବାଣ ତିଆରି ହୁଏ I ସେଠୁ ହିଁ ବାଣ ଆଣି ଛୋଟ ଦୋକାନୀ ମାନେ ଚଢା ଦରରେ ବିକ୍ରି କରନ୍ତି I ଆହୁରି ବି ଲିଚୁ ଲାଇଟ ଆସିବ, ଧପଧପି ଚାଇନା ଲାଇଟ ବି ଆସିବ, ଗୋଟେ ମାଷ୍ଟର ବଲବ ବି ଆସିବ ଯେଉଁଟା କି ସବୁ ଲାଇଟ କୁ ଧପ ଧପ କରିବ I
     ବାସ, ଆରମ୍ଭ ହୋଇଗଲା ପ୍ରିପ୍ୟାରେସନ I ସାତଦିନ ପୂର୍ବରୁ ଲାଇଟ ସବୁ ଆସିଗଲା I ଖାଲି ବାଣ ବାକି ରହିଲା I ଯୋଜନା ଅନୁସାରେ ଦୀପାବଳୀ ପୂର୍ବ ଦିନ ବାଣ ଆସିବ I ହେଲେ ଲାଇଟ ସବୁ ଆସି ଗଲାଣି ଯେତେବେଳେ ଲଗେଇ ଦେଲେ ମେସ ଟା ସୁନ୍ଦର ଦିଶିବ I ତେଣୁ ସମସ୍ତେ ଲାଗିଗଲେ କାମରେ I କେଉଁ ଜାଗାରେ କେଉଁ ଲାଇଟ ଟା ଲଗେଇଲେ ଭଲ ଦେଖା ଯିବ ତା ମଧ୍ୟ ଫାଇନାଲ ହୋଇଗଲା I ମେସ ର କାନ୍ଥ କୁ ଲାଗି ଥିବା ଆମ୍ବ ଗଛ ଉପରେ ଲିଚୁ ଲାଇଟ ଲଗାଯିବାର ଯୋଜନା ହେଲା I ଜଣେ ପିଲା ଗଛ ଉପରେ ଚଢି ଗୋଟିଏ ପରେ ଗୋଟିଏ ଡାଳ ରେ ଲଗେଇ ଚାଲିଲା I ସରିଗଲା ପରେ ତଳକୁ ଓ଼ଲ୍ଳେହିଲା ବେଳେ ତା ଗୋଡ଼ରେ ଗୋଟେ କଣ୍ଟା ବାଜିଲା, ଯାହା କି ଗଛ ରେ ପିଟା ହୋଇଥିଲା I କିଏ ଗୋଟେ ଦୁଷ୍ଟ ପିଲା ଲଗେଇଥିବା ବୋଲି ଭାବି ସେ କଣ୍ଟା କୁ କାଢି ଫୋପାଡ଼ି ଦେଲା ଓ ତଳକୁ ଆସି ବାକି କାମ ରେ ମନ ଦେଲା I ଛାତ ଉପରେ ମାଷ୍ଟର ବଲବ ଲଗେଇଲା ପରେ ବି କୌଣସି ବି ଲାଇଟ ଧପ ଧପ ହେଉନି, କିନ୍ତୁ କାହିଁକି? ବହୁତ ସମୟ ପରୀକ୍ଷା ନିରୀକ୍ଷା କଲା ପରେ ବି କାହିଁକି କେଜାଣି ସେଟା କାମ କଲାନି I ହେଃ.. ଛାଡ଼.. କାଲି ଦେଖିବା କହି ସମସ୍ତେ ଘରକୁ ପଳେଇ ଆସି ଅନ୍ୟ କାମ ରେ ମନ ଦେଲେ I
ବେଳେ ବେଳେ କିଛି କିଛି ସାଙ୍ଗ ମାନେ ମଧ୍ୟ ଆସନ୍ତି ମେସ କୁ I ହସ, ଖେଳ, ଖଟି ସହ ତାସ ମାଡ ବି ହୁଏ I ଶୀତ ଦିନ, ତେଣୁ ବ୍ୟାଡ଼ମିଣ୍ଟନ ଖେଳ ବି ହୁଏ I ସେଦିନ ବ୍ୟାଡ଼ମିଣ୍ଟନ ଖେଳି ସାରି ଆସି ପୁଣି କିଛି ସମୟ ମାଷ୍ଟର ବଲବ ପଛରେ ଲାଗିଲେ ବି କିଛି ଲାଭ ହେଲାନି I ଛାଡ I ଏବେ କିଛି ସାଙ୍ଗ ମାନେ ଆଣିଥିବା କିଛି ଫୋଟୋ କମ୍ପୁଟର ରେ ଦେଖାଗଲା I ସ୍କ୍ରିନସେଭର ପାଇଁ କିଛି ଭଲ ଭଲ ଫୋଟୋ ବାଛି ରଖାଗଲା I (ଏହା ସେତେବେଳେ ର କଥା ଯେତେବେଳେ ଫ୍ଲପି ଡ୍ରାଇଭ ରେ ଫୋଟୋ ନେଣ ଦେଣ ହୁଏ I ଇଣ୍ଟେର୍ନେଟ କହିଲେ ୬୪ KBPS, ସେ ପୁଣି କେବଳ କଲେଜ ରେ ଥିଲା I 20GB ହାର୍ଡ ଡିସ୍କ ମାନେ ବହୁତ I କମ୍ପୁଟର ଗୋଟେ କିଣିବା ପାଇଁ ପାଖାପାଖି ୮୦,୦୦୦ ଟଙ୍କା ଲାଗୁଥିଲା )
ଫୋଟୋ ସବୁ ଦେଖି ସାରିଲା ପରେ ହଠାତ ଗୋଟେ ଫୋଟୋ ଉପରେ ନଜର ପଡିଲା ଯେଉଁଥିରେ ଗୋଟେ ପିଲା ର ପଛପଟେ ଗୋଟେ ଭୂତ ର ଫୋଟୋ ଥିଲା ଓ ଏ ଫୋଟଟି ବଲାଙ୍ଗୀର ର କେଉଁ ଏକ ଜଙ୍ଗଲ ରେ ଉଠା ଯାଇଥିଲା I ସେମାନେ ଭୋଜି କରିବାକୁ ଯାଇଥିଲେ I ଆସିଲା ପରେ କିଛି ଦିନ ରକ୍ତ ବାନ୍ତି କରି ପିଲାଟି ମରିଗଲା I ରିଲ (ସେତେବେଳେ ରିଲ ଵାଲା କ୍ୟାମେରା ଥିଲା) ଧୋଇ ସାରିଲା ପରେ ଏ ଫୋଟଟି ଲୋକଲୋଚନ କୁ ଆସି ଭାଇରଲ ହୋଇଗଲା I ତେବେ ଦେଖୁ ଦେଖୁ କେତେବେଳେ ଯେ କମ୍ପୁଟର ରେ ବାଜୁଥିବା ଗୀତ ବନ୍ଦ ହୋଇ ଯାଇଛି କାହାକୁ ଜଣା ନାହିଁ I ସମସ୍ତେ ଫୋଟ ଦେଖିବା ଓ ବାର୍ତାଳାପ ରେ ମଗ୍ନ I ହଠାତ ଜଣେ ପିଲା ଆବିଷ୍କାର କଲା ଯେ ଗୀତ କାହିଁକି ବାଜୁନି? କିଛି ସମୟ ପୂର୍ବରୁ ତ ବାଜୁଥିଲା I ହଉ, କାଳେ ବନ୍ଦ କରି ପୁଣି ଖୋଲିଲେ ବାଜିବ I କିନ୍ତୁ ନା, ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଗୀତ ବାଜିଲାନି I କାଳେ ସାଉଣ୍ଡ କାର୍ଡ ରେ କିଛି ପ୍ରୋବ୍ଲେମ ଥିବ ବୋଲି ଭାବି ସବୁ ଖୋଲା ଖୋଲି କରି ଆଉ ଥରେ ସଜଡା ହେଲା I ସବୁ ପିଲା କମ୍ପୁଟର ବ୍ରାଞ୍ଚ ର, ତେଣୁ ଏସବୁ ତାଙ୍କର ନୀତି ଦିନିଆଁ କଥା I ଅଧଘଣ୍ଟେ ଗଲା, ଘଣ୍ଟେ ଗଲା କିଛି ଲାଭ ନାହିଁ I ହଉ, କାଲି ସକାଳୁ ଦୋକାନ କୁ ନେଲେ ଦେଖିବା I ଏବେ କମ୍ପୁଟର ରେ ଭୂତ ଫୋଟୋ କିଆଁ ରଖିବା ବୋଲି ଭାବି ତାକୁ ଡିଲିଟ କରିଦିଆଗଲା I ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗୀତ ପୁଣି ଥରେ ଆରମ୍ଭ ହୋଇଗଲା I ଆରେ… ଏ କି କଥା ? ପୁଣି ଫୋଟୋ କପି କର – ଗୀତ ବନ୍ଦ I ଡିଲିଟ କର – ଗୀତ ଚାଲୁ I ସମସ୍ତେ ଆଶ୍ଚର୍ଯ୍ୟ I ଆଛା ତେବେ ଏଥିରେ କିଛି ଭାଇରସ ଥାଇପାରେ I ସମସ୍ତେ ଫ୍ଲପି ଦେଇଥିବା ପିଲା କୁ ଗାଳି କରିବାରେ ଲାଗିଲେ I ସେ ବି ତା ଫ୍ଲପି ଭଲ ଅଛି ବୋଲି ସଫେଇ ଦେବାକୁ ଲାଗିଲା, “ଏ ଫୋଟୋ ତ ଆହୁରି ବହୁତ ପିଲା ଏଇ ଫ୍ଲପି ରୁ କପି କରି ନିଜ ନିଜ କମ୍ପୁଟର ରେ ରଖିଛନ୍ତି I କାହାର କିଛି ଅସୁବିଧା ନାହିଁ I ତମ କମ୍ପୁଟର ରେ କିଛି ଥାଇ ପାରେ” I ଏ ସବୁ ଯୁକ୍ତି ପରେ ଫାଇନାଲ ହେଲା ଯେ ରିସ୍କ ନେବା ଦରକାର ନାହିଁ I ତେଣୁ ଫୋଟଟି ଡିଲିଟ କରାଯାଉ I କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫୋଟୋ ଟି ଡିଲିଟ ହେଲା ନାହିଁ I ବହୁତ ଥର ଚେଷ୍ଟା କଲା ପରେ ବି ଫୋଟୋ ଟି ପୁଣି ଫେରି ଆସୁଥାଏ ଥରେ ମାତ୍ର ରିଫ୍ରେଶ ରେ I ଅନ୍ୟ ଉପାୟ ନ ପାଇ, କମ୍ପୁଟର କୁ କିଛି ସମୟ ବନ୍ଦ କରାଗଲା ଓ ପୁଣି କିଛି ସମୟ ପରେ ଖୋଲି ଫୋଟୋ ଟିକୁ ଡିଲିଟ କରିବାରୁ ଫୋଟୋ ଟି ଡିଲିଟ ହେଲା ….
ଦୀପାବଳୀ ଆହୁରି ଚାରିଦିନ ବାକି I ମଝିରେ ମେସ ପିଲାଙ୍କ ଭିତରୁ ଜଣଙ୍କ ଭାଇ ବୁଲିବାକୁ ଆସିଲେ I ରାତିରେ ଗପ କରି ଶୋଉ ଶୋଉ ରାତି ପ୍ରାୟ ୨.୩୦ ହେବ I ସମସ୍ତେ ଶୋଇ ସାରିଲେଣି I ଝରକା ଖୋଲା I ମୃଦୁ ମୃଦୁ ପବନ ଧୀରେ ଧୀରେ ଝରକା ପଟେ ଆସୁଥାଏ I ଶୀତ ଦିନ ତ ଆରମ୍ଭ ପ୍ରାୟ I ଘୋଡେଇ ହେବା ଦରକାର ପଡୁ ନଥାଏ I ଫ୍ୟାନ ର ସ୍ପିଡ଼ ପ୍ରାୟ ୨ / ୩ ରେ ଚାଲୁଥାଏ I ରହି ରହି ଗୋଟେ ପିଲାର ଘୁଙ୍ଗୁଡ଼ି ଶବ୍ଦ ଶୁଣା ଯାଉଥାଏ I ତିନୋଟି ବଖରା ରେ ପ୍ରାୟ ନଅ ଜଣ ଶୋଇଥାନ୍ତି I ଘରଟିକୁ ଦୁଇ ଭାଗରେ ବିଭକ୍ତ କଲେ ଗୋଟେ ପଟେ ଦୁଇଟି ରୁମ I ବାହାରକୁ ଯିବାକୁ ବାଟ ସେଇପଟେ I ରୁମ ର ବାହାରେ ଆମ୍ବ ଗଛ I ଏପଟ ରୁମ ପାଖରେ ରୋଷେଇ ଘର I ଆର ଭାଗ ରେ ଆଗ ଗୋଟେ ଷ୍ଟୋର ରୁମ I ସେଥିରେ ଘର ମାଲିକ ର ଜିନିଷ ପତ୍ର ସବୁ ଥାଏ I ତାକୁ ଲାଗି ଆଉ ଗୋଟିଏ ରୁମ I ତା ପରେ ଦୁଇଟି ଗାଧୁଆଘର ଲାଗି ଲାଗି I ମଝିଟା ଡାଇନିଂ I ବାହାର ପଟେ ଗୋଟେ ଖୋଲା ଘର ଓ ସିଡ଼ି ଘର I ଚାରି ପଟେ ମାଙ୍କଡ଼ା ପଥର ର ପାଚେରୀ I ସବୁ ରୁମ ର ଝରକା ଗୁଡା ପାଚେରୀ କୁ ଲାଗିଛି I ହଠାତ କେମିତି ଗୋଟେ ରୁଣୁଝୁଣୁ ଶବ୍ଦ ଶୁଭିଲା…
 ଛମ ଛମ ଶବ୍ଦ…
କିଏ ଯେମିତି ଚାଲି ଚାଲି ଯାଉଛି….
ବୋଧ ହୁଏ କେହି ନବବଧୂ…..
କିନ୍ତୁ ଏତେ ରାତିରେ???
ହଁ, ହେଇଥିବ I ପଡୋଶୀଙ୍କ ବୋହୁ ଉଠିଥିବ ରାତିରେ, ପାଣି ପିଇବାକୁ ଅବା ପରିସ୍ରା ଯିବାକୁ I ଆସ୍ତେ ଆସ୍ତେ ରୁଣୁଝୁଣୁ ଶବ୍ଦ ଝରକା ପାଖକୁ ପାଖକୁ ଆସିବାର ଶୁଣା ଗଲା …..
 ଭାଇ ଜଣଙ୍କୁ ଟିକେ ଟିକେ ଡର ଲାଗିଲେ ବି ସେ ପତଳା ଚାଦର ଟି ମୁହଁ ଉପରେ ଦେଇ ଶୋଇବାକୁ ଚେଷ୍ଟା କଲେ I ଆସ୍ତେ ଆସ୍ତେ ପାଉଁଜି ର ରୁଣୁଝୁଣୁ ଶବ୍ଦ ପାଖେଇ ପାଖେଇ ଆସି ପୁଣି ଦୁରେଇ ଯିବାପରି ଲାଗିଲା I ଭାଇ ଜଣଙ୍କ ଏଥର ଉଠି ଝରକା ପଟେ ଡୁଙ୍ଗିଲେ….
କିନ୍ତୁ ପାଦ ପାଖ ଧଳା ଶାଢ଼ିଟିଏ ପରି ଦିଶିବା ବ୍ୟତୀତ ଆଉ କିଛି ଦୃଶ୍ୟ ହେଲାନାହିଁ I ତେବେ କେହିଜଣେ ଧଳା ଶାଢ଼ିଟିଏ ପିନ୍ଧି ପାଚେରୀ ଉପରେ ଚାଲି ଚାଲି ଯିବାର ଅନୁଭବ କଲେ I କିନ୍ତୁ ପରଦିନ ସକାଳୁ କାହାକୁ କିଛି ନ କହି ତାଙ୍କ କାମ ରେ ଚାଲିଗଲେ I
ସେଦିନ ସେଇ ଘରେ ମେସ ପିଲାଙ୍କ ଭିତରୁ ଜଣେ ଶୋଇଥାଏ I ରାତି ପ୍ରାୟ ୧୨ ଟା ହେବ I ଅନ୍ୟ ମାନେ ଅନ୍ୟ ଘରେ ତାସ ଖେଳୁଥାନ୍ତି ଓ ଅନ୍ୟ ତିନିଜଣ କମ୍ପୁଟର ରେ ଗେମ I ହଠାତ ଗୋଟେ କୁଁ କୁଁ ଶବ୍ଦ ଶୁଣାଗଲା I ତା ପରେ ଓଃ.. ଏ..ଏ..ଏ.. ପରି ଛୋଟ ଚିତ୍କାର….
 ସମସ୍ତେ ଉଠି ପିଲାଟି ଶୋଇଥିବା ରୁମ କୁ ଧାଇଁଲେ I ପିଲାଟି ଶୋଇ ଛଟପଟ ହେଉଥାଏ I ସ୍ବପ୍ନ ଦେଖୁଛି ବୋଧେ I ସମସ୍ତେ ତାକୁ ଉଠେଇବାକୁ ଚେଷ୍ଟା କଲେ I କିଛି ସମୟ ପରେ ଉଠିଲା I ଉଠୁ ଉଠୁ ଆଗ ବୋତଲ ରୁ ଅଧା ବୋତଲ ପାଣି ପିଇ ପକେଇଲା I ସମସ୍ତେ ତାକୁ ଗାଳି କରିବାକୁ ଲାଗିଲେ, “ଶଳା, ସ୍ବପ୍ନ ଦେଖି ବିଳିବିଳେଇ ହଉଛୁ I ଆମ ଖେଳ ର ମୁଡ଼ ଭାଙ୍ଗିଦେଲା, ଛେ.. ” I
ପିଲାଟି ଟିକେ ସାଷ୍ଟାମ ହେଲା ପରେ କହିଲା, “ମୋତେ କିଏ ଜଣେ ମାଡି ବସିଥିଲା…
ମୁଁ ଉଠିବାକୁ ଚେଷ୍ଟା କରୁଛି କିନ୍ତୁ କିଏ ଜଣେ ମାଡି ବସିଛି….
ବସିବାକୁ ଚେଷ୍ଟା କରୁଛି କିନ୍ତୁ ଉଠି ପାରୁନି…
ପାଟିକରିବାକୁ ଚେଷ୍ଟା କରୁଛି କିନ୍ତୁ ଡାକ ଶୁଣା ଯାଉନି…
କଥା ବାହାରୁନି ପାଟିରୁ …”
      ସମସ୍ତେ ତା କଥାକୁ ହସ ରେ ଉଡେଇ ଦେଲେ I “ଆମକୁ ତ କାହିଁ କେହି ମାଡି ବସୁ ନାହାନ୍ତି I ତୁ ଶଳା ସ୍ବପ୍ନ ରେ ବିଳିବିଳେଇ ହଉଛୁ I କିଏ କିରେ? ସୁନ୍ଦରୀ ଝିଅ ଥିଲା ନା ବୁଢ଼ୀ ମାଇକିନା?” ହୋ ହୋ ହସ ଆଉ କଟାକ୍ଷ ରେ ପିଲାଟି ବିଚରା ଚୁପ ରହିଲା I କିନ୍ତୁ ତା ପରଠୁ ସବୁଦିନ ଶୋଇବାକୁ ଯିବା ପୂର୍ବରୁ ବାଇବେଲ (ପିଲାଟି ଖ୍ରୀଷ୍ଟିଆନ) ରୁ ଦି ତିନିଟି ପାରା ପଢି, ମୁଣ୍ଡିଆ ମାରି, ବାଇବେଲ କୁ ତକିଆ ତଳେ ରଖି ଶୋଇବାକୁ ଯାଏ I
ଦୀପାବଳୀ ପୂର୍ବଦିନ, ସବୁ ଜିନିଷ ଯୋଗାଡ଼ ହୋଇଗଲା I ଚାରିଜଣ ପିଲା ଯାଇ ବାଣ ନେଇ ଆସିଲେ I ଲାଇଟ ସବୁ ସେମିତି ବିନା ଧପ ଧପ ରେ ଚାଲି ଥାଏ I ବାଣ ଗୁଡିକୁ ଛାତ ଉପରେ ଖରା ରେ ରଖାଗଲା I କାଲି ଦୀପାବଳୀ I ଆଉ ଗୋଟେ ଦିନ ଖରା ଦେଲେ ଭଲ ଫୁଟିବ I ଦେଖୁ ଦେଖୁ ଦୀପାବଳୀ ବି ଆସିଗଲା I ସମସ୍ତେ ଉତ୍କଣ୍ଠା ର ସହ ସନ୍ଧ୍ୟା କୁ ଅପେକ୍ଷା କରିଥାନ୍ତି I କେତେବେଳେ ସନ୍ଧ୍ୟା ହେବ I ଚାହୁଁ ଚାହୁଁ ଦିନ ସରି ସନ୍ଧ୍ୟା ହେଲା I ଘର ର ଦୁଆର ପାଖରେ ଦୁଇଟି ଦୀପ ଥୋଇ ବାଣ ଫୁଟା ଆରମ୍ଭ ହେଲା I ସେପଟେ ରୋଷେଇୟା ପିଲାକୁ କୁହା ଯାଇଥାଏ ପୁରି ଓ ଆଳୁଦମ କରିବା ପାଇଁ I ରୋଷେଇୟା ପିଲାଟି ପୁରି ଆଳୁଦମ କରି ସାରି ଘୋଡେଇ ଗ୍ୟାସ ଉପରେ ଜାଗା ସବୁ ରଖି ନିଜ ଘରକୁ ପଳେଇଲା I ଏପଟେ ବଣ୍ଟି ଓ ତା ସାଙ୍ଗ ମାନଙ୍କର ବାଣ ଫୁଟା ଚାଲୁ ରହିଲା I ଦେଖୁ ଦେଖୁ ରାତି ଦଶଟା ବାଜିଲା I ବାଣ ସବୁ ସରି ସରି ଆସୁଥାଏ I ଶେଷରେ ଫୁଟା ହେବାପାଇଁ ଗୋଟେ ବଡ କୁଂପି ବାଣ ରଖା ଯାଇଥାଏ I ବାଣ ଟି ପ୍ରାୟ ସୁରେଇ ଆକାରର ବଡ I ତେଣୁ ଶେଷ ରେ ରାତି ପ୍ରାୟ ୧୧.୩୦ — ୧୨ ଟା ବେଳକୁ ସେଟା ଫୁଟା ଯିବ I ଆଉ କେବଳ ବରଡା ବାଣ ତକ ଥାଏ I ସେଗୁଡା ଫୁଟେଇବାକୁ ଟିକେ ଅଧିକ ଟାଇମ ଲାଗେ I ମଝିରେ ସମସ୍ତଙ୍କୁ ଭୋକ ଲାଗିଲା I ଜଣେ ପରେ ଜଣେ ଆସିଲେ ଖାଇବା ପାଇଁ I ଗୋଟେ ପିଲା ରୋଷେଇ ଘରକୁ ଆସିଲା ବେଳକୁ ପୁରି ଡେ଼କଚି ଟି ତଳେ ଓଲଟା ହୋଇ ପଡିଥାଏ I ଢାଙ୍କୁଣୀ କିନ୍ତୁ ବନ୍ଦ ଥାଏ I ପାଖରେ ତିନୋଟି ପୁରି, ଡେ଼କଚି ରୁ ବାହାରି ବାହାରେ ପଡିଥାଏ ଓ କିଏ ଜଣେ ସେଥିରୁ ଗୋଟେ ଥର ଖଣ୍ଡିଆ କରି ଖାଇବା ପରି ଲାଗୁଥାଏ I ପିଲାଟି ନିଜ ପାଇଁ ପୁରି ବାହାର କଲା I ଖଣ୍ଡିଆ ପୁରି ଗୁଡିକୁ ଡଷ୍ଟ ବିନ ରେ ପକେଇ ଦେଲା I ପୁରି ଡେ଼କଚି କୁ ପୁଣି ଥରେ ଗ୍ୟାସ ଉପରେ ରଖି କିଛି ଆଳୁଦମ ନେଇ ଆର ଘରକୁ ଗଲା ଖାଇବା ପାଇଁ I ଆଉ ଜଣେ ଆସିଲା କିଛି ସମୟ ପରେ I ପ୍ରାୟ ୧୫ ମିନିଟ ପରେ I ଏଥର ବି ପୁରି ଡେ଼କଚି ଓଲଟା ହୋଇ ପଡିଥାଏ I ଖଣ୍ଡିଆ ପୁରି ବାହାରି ତଳେ କିନ୍ତୁ ଡେ଼କଚି ର ଢାଙ୍କୁଣୀ ବନ୍ଦ I ସେ ଭାବିଲା ବିଲେଇ ବୋଧେ ପକେଇ ଦେଇଛି I ସେ ବି ଖଣ୍ଡିଆ ପୁରି ଗୁଡିକ ଡଷ୍ଟବିନ ରେ ପକେଇ ନିଜ ପାଇଁ ଖାଇବା ଧରି , ଡେ଼କଚି କୁ ପୁଣି ଗ୍ୟାସ ଉପରେ ରଖି ଆର ଘରକୁ ଗଲା ଖାଇବା ପାଇଁ I ଏଥର କିଛି ସମୟ ପରେ ପ୍ରଥମ ପିଲା ଆସିଲା ଆଉ କିଛି ପୁରି ନେବା ପାଇଁ I ପ୍ରଥମ ଥର ପରି ଏଥର ବି ଡେ଼କଚି ଓଲଟି କରି ପଡିଥାଏ I ତା ରାଗ ପଞ୍ଚମ କୁ ଉଠିଗଲା I ଚିଲ୍ଲେଇ କରି ସମସ୍ତଙ୍କୁ ଡାକ ପକେଇଲା ଓ କିଏ ଏମିତି କରିଛି କହି ଗାଳି ଦେବାକୁ ଲାଗିଲା I ବିଶେଷ କରି ଦ୍ଵିତୀୟ ରେ ଖାଇବା ନେଇଥିବା ପିଲାଟିକୁ I ଦ୍ଵିତୀୟ ପିଲା ଟି ନିଜକୁ ନିର୍ଦୋଷ ବୋଲି ସଫେଇ ଦେଉଥାଏ ଓ ସେ ଏହିପରି ପଡିଥିବାର ଦେଖି ତିନୋଟି ପୁରି ଡଷ୍ଟବିନ ରେ ପକେଇଛି ବୋଲି କହି ପ୍ରମାଣ ସ୍ୱରୂପ ଡଷ୍ଟ ବିନ ଆଡକୁ ଗଲା I ପ୍ରଥମ ପିଲାଟି ରାଗ ତମ ତମ ହୋଇ, “ତୁ ନୁହଁ ମୁଁ ପକେଇଛି” I
 ଡଷ୍ଟବିନ ରେ ଦେଖିଲା ବେଳକୁ ଗୋଟେ ବି ପୁରି ନଥିଲା ଡଷ୍ଟବିନ ରେ ….
ଏବେ ପୁରି ଗଣନା ଆରମ୍ଭ ହେଲା I ଆଠ ଜଣ ପିଲାଙ୍କ ପାଇଁ ଅଶି ଟି ପୁରି କରା ଯାଇଥିଲା I ଦି ଜଣ ଛଅ ଛଅ ଟି କରି ଖାଇ ସାରିଲା ପରେ ଓ ତିନୋଟି ପୁରି ବାହାରେ ପଡିଲା ପରେ ବି ଡେ଼କଚି ରେ ଏବେ ଅଶୀଟି ପୁରି ଥିଲା I ରୋଷେଇୟା ବୋଧେ ଭୁଲ ରେ ଅଧିକ କରି ଦେଇଛି I “ଛାଡ !!! ଖାଇଲେ ଗଲା, କିଏ ଦେଖୁଛି” ବୋଲି କହି ଅନ୍ୟ ମାନେ ଏବେ ସମସ୍ତେ ଖାଇ ବସିଲେ ଓ ଖାଇ ସାରି ପୁଣି ବାଣ ଫୁଟା ରେ ମନ ଦେଲେ I ଏବେ ଆସିଲା କୁଂପି ବାଣ ଟି ଫୁଟେଇବାର ସମୟ I ପଡିଆ ମଝିରେ ଯାଇ ଫୁଟେଇବା ପାଇଁ ସଜ ହେଲେ I ପଡିଆ ମଝିକୁ ଯାଇ ବାଣ ଟି ଅଧା ମାଟିରେ ପୋତି ସେଥିରେ ନିଆଁ  ଲଗା  ଗଲା I ପ୍ରାୟ ଅଧା ଘଣ୍ଟା ବାଣ ଟି ଫୁଟି ସାରିଲା ପରେ ହଠାତ ଢ଼ୋ କରି ଫୁଟିଲା ଓ ନିଆଁ ସବୁ ସବୁଆଡେ ବିଛାଡ଼ି ହୋଇ ପଡିଲେ I ଆହୁରି ଫୁଟିଥାନ୍ତା I ସାଇଡ ରୁ ଟିକେ ଫାଟି ଯାଇଥିଲା ବୋଧେ I ହେଃ.. ବେକାର ହେଇଗଲା I ଆହୁରି ଅଧଘଣ୍ଟେ ଉପରେ ଫୁଟିଥାନ୍ତା ପରି ମନ୍ତବ୍ୟ ଦେଇ ସମସ୍ତେ ମନ ଦୁଃଖ କଲେ I ଏବେ ଘରକୁ ଫେରିବାର ବେଳ I ଘର ମୁହାଁ ହୋଇ ଦେଖିଲା ବେଳକୁ ଘର ଚାରିପାଖରେ ଧୂଆଁ ଭର୍ତି I ଘରଟି ଯେମିତି ଭୂତ କୋଠି ପରି ଲାଗୁଥାଏ I ଅନ୍ୟ ସବୁ ଆଡେ ଅଳ୍ପ ଧୂଆଁ ମିଶା କୁହୁଡି ଥିବା ବେଳେ, ଘର ର ଚାରି ପାଖରେ ଧୂଆଁ ରେ ଭର୍ତି I ଏପରିକି ମାତ୍ର ପଚାଶ ମିଟର ଦୂରରୁ ବି ଲିଚୁ ଲାଇଟ ଗୁଡିକ ଦେଖା ଯାଉ ନଥାଏ I ସମସ୍ତେ ଉପରକୁ ଟାଣ ଦେଖେଇଲେ ବି ପଛ ପିଳେହି ପାଣି ହୋଇ ସାରିଥିଲା I ଆହୁରି ପାଖ କୁ ପାଖାପାଖି ଦଶ ମିଟର ପାଖକୁ ଆସିବା ରୁ ଆସ୍ତେ ଆସ୍ତେ ଲିଚୁ ଲାଇଟ ଗୁଡିକ ଦେଖା ଗଲେ ହେଲେ ଏ କଣ? ସବୁ ଗୁଡିକ ଧପ ଧପ ହେଉଥିଲେ I ଦୀର୍ଘ ସାତ ଦିନ ହେଲା ଯେଉଁ ଲିଚୁ ଗୁଡିକ ମୂଳରୁ ଥରେ ବି ଧପ ଧପ ହେଇ ନଥଲା ଏବେ ସେଗୁଡିକ ଆଖି ମିଟିକା ମାରି ଖତେଇ ହେଲା ପରି ଲାଗୁଥିଲେ I ଆଉ କାହାର ସାହସ ନଥିଲା ଛାତ ଉପରକୁ ଯାଇ ଲାଇଟ ଗୁଡିକୁ ବନ୍ଦ କରିବା ପାଇଁ …….
     ଆସ୍ତେ ଆସ୍ତେ ଏହିପରି ଆହୁରି କାର୍ଯ୍ୟ କଳାପ ସବୁ ନଜର ଆସିବାକୁ ଲାଗିଲେ I ଯେମିତି ରାତି ବାରଟା ରେ ସମସ୍ତେ ଗୋଟେ ଘରେ ବସି ଗପ ସପ କରୁଥାନ୍ତି I କିଏ ଜଣେ ଧଳା ଚାଦର ଘୋଡେଇ ହୋଇ ଝରକା ପଟେ ଚାଲି ଚାଲି ଗଲା…
ବଡ ଝରକାଟିର ଚାରୋଟି କବାଟ I ଦୁଇଟି କବାଟ ଅତିକ୍ରମ କଲା କିନ୍ତୁ ଆଉ ଦୁଇଟି ଅତିକ୍ରମ କଲା ନାହିଁ I ସମସ୍ତେ ବାହାରକୁ ଯାଇ ଦେଖିଲା ବେଳକୁ ସେଠାରେ କେହି ନଥିଲେ …
ରାତି ଅଧାରେ ଝରକା ଖୋଲା ଥାଏ, ଚାରିଆଡେ ନିସ୍ତବ୍ଦ I ହଠାତ ବାଲି ଗୋଡି ଆସି ଝରକା ପାଖରେ ଶୋଇ ଥିବା ପିଲା ଉପରେ ପଡେ…. କିଏ ଜଣେ ବାହାରୁ ଫିଂଗୁଛି ବୋଲି ଭାବି ସାହସ କରି ବାହାରକୁ ଗଲା ବେଳକୁ କେହି ନଥାନ୍ତି ….
    ସେଦିନ ରାତି ପ୍ରାୟ ୨.୪୫ I ଜଣେ ପିଲା ପରିସ୍ରା ଉଠିଲା I ପ୍ରଥମ ଟଏଲେଟ କୁ ଗଲା ବେଳକୁ ଭିତର ପଟୁ କବାଟ ବନ୍ଦ ଅଛି I ସେ ଆର ଟଏଲେଟ କୁ ଗଲା ବେଳକୁ ତା ଉପରେ ଉପରୁ କିଛି ପାଣି ପଡିଲା I ସମସ୍ତେ ଶୋଇଥାନ୍ତି I ଝିଟିପିଟି ମୁତିଲା କି ଆଉ? ଲାଇଟ ଜଳେଇ ଉପରକୁ ଦେଖିଲା ବେଳକୁ କିଛି ଦିନ ପୂର୍ବରୁ ପେଟ୍ରୋଲ ଆଣିଥିବା ଖାଲି ବୋତଲ, ଯେଉଁଟା କି ସିଡ଼ି ଘର ର ଗୋଟେ କୋଣ ରେ ପଡିଥଲା ସେଟା ଥାକ ଉପରେ ଗଡୁଛି ଓ ସେଥିରୁ କିଛି ପାଣି ବାହାରି ୟା ମୁଣ୍ଡରେ ପଡିଛି I ହାଉଳି ଖାଇ ବୋପାଲୋ ମା ଲୋ ଡାକି ଶୋଇବା ଘରକୁ ଦୌଡ଼ି ଆସିଲା ବେଳକୁ ପ୍ରଥମ ଟଏଲେଟ ଟି ଖୋଲା ଅଛି ଓ ପବନ ରେ ତା କବାଟ ଦୋହଲୁଛି ….
 ସେ ଆହୁରି ଡରିଗଲା I ଘରେ ପଶୁ ପଶୁ ବଣ୍ଟି ଉପରେ ହାମୁଡେଇ ହୋଇ ପଡିଲା I
ବଣ୍ଟି ନିଦରୁ ଉଠି ତାକୁ କଣ ହେଲା ବୋଲି ପଚାରିଲା I ତା ତଣ୍ଟି ଶୁଖି ଯାଉଥାଏ I ଆସ୍ତେ ଆସ୍ତେ ଖଣ୍ଡି ଖଣ୍ଡି ସ୍ୱର ରେ କହିଲା, “ଭୂ… ତ…  ” I
: ଚାଲିଲୁ ବାହାରକୁ I
: ନା I
: ଆବେ କିଛି ନାହିଁ, ମୁଁ ଅଛି I ଆସେ I
: ନା I
ବଣ୍ଟି ବାହାରକୁ ଆସି ଦେଖିଲା ବେଳକୁ କେହି କୁଆଡେ ନାହାନ୍ତି I ନିରୀକ୍ଷଣ କରି ଦେଖିଲା ସତରେ ପେଟ୍ରୋଲ ର ଖାଲି ବୋତଲ ଟା I ସେ ତ ନିଜେ ଆଜି ଏଇଟା ସିଡ଼ି ଘରେ ପକେଇ ଥିଲା I ଏଠିକୁ କେମିତି ଆସିଲା I ପୁଣି ସେଥିରେ ପାଣି ? ସବୁ ପିଲା ତ ଏଇଥିରେ ପେଟ୍ରୋଲ ଆଣନ୍ତି, ପାଣି ତ କେହି ପୂରେଇବେନି I ଭୂତ କୁ ବିଶ୍ୱାସ କରୁ ନଥିବା ବଣ୍ଟି ଟିକେ ଚିନ୍ତା ରେ ପଡିଗଲା I ହେଃ.. ଛାଡ଼… କହି ବୋତଲ କୁ କବାଟ ଖୋଲି ବାହାରକୁ ଫିଙ୍ଗି ଦେଲା I ଆଉ ପୁଣି ଥରେ ଆସି ତା ଜାଗାରେ ଶୋଇ ପଡିଲା I ପିଲାଟି ସେତେବେଳେ କୁ ଡର ରେ ଥରୁ ଥାଏ I ତା ହାତ ଉପରେ ହାତ ରଖି, “ମୁ ଅଛି ବେ, ଡରନି… ଶୋ” ବୋଲି କହି ଶୋଇ ପଡିଲା I ପରଦିନ ସକାଳୁ ମେସ ର ସମସ୍ତେ ଜାଣିଲା ପରେ, କିଛି କିଛି ମାତ୍ର ରେ ଅଶ୍ଵସ୍ତି ଅନୁଭବ କଲେ I କେମିତି ଗୋଟେ ମାଡି ମାଡି ପଡିଲା I ଭୂତ ? କିଛି କିଛି ଡର ମଧ୍ୟ ବସା ବାନ୍ଧିବାକୁ ଲାଗିଲା I ବଣ୍ଟି କୁ ସମସ୍ତେ ବାଃ ବାଃ କଲେ I
: ତୋତେ ଡର ଲାଗିଲାନି ?
: ମୁଁ ଡରେ ନି I
: ସତରେ ?
: ହଁ I
  ଧୀରେ ଧୀରେ କଥା ଟା ଏକାନ ସେକାନ ହୋଇ ଆଖ ପାଖ ସାଇ ପଡିସା ସମସ୍ତେ ଜାଣିଲେ I ପଡୋଶୀ ଜଣଙ୍କ ଏ କଥା ଶୁଣିଲା ପରେ ଦିନେ ମେସ ର ଦୁଇ ଜଣଙ୍କୁ ଡାକି ସତ କଥା କହିଲେ I କିଛି ଦିନ ହେଲା ଆମେ ନିଶ୍ଚିନ୍ତ ରେ ଥିଲୁ I କାରଣ ଏ ଭୂତ ଟିକୁ ଆମ୍ବ ଗଛରେ କଣ୍ଟା ବାଡେଇ କିଳା ଯାଇଥିଲା I ୟା ପୂର୍ବରୁ ସେ ତମ ଘର ମାଲିକ ଝିଅ ଦେହରେ ଆସୁଥିଲା ଓ ହଇରାଣ କରୁଥିଲା I ସେଥିପାଇଁ ଘର ମାଲିକ ଘର ଛାଡି ଏଠୁ ମାତ୍ର ଦୁଇ କିମି ଦୂରରେ ଘର ଭଡା ଦେଇ ରହୁଛି I ଆମେ ବି ସନ୍ଧ୍ୟା ହେଲେ ଏପଟ ର କବାଟ ର ବନ୍ଦ କରି ଭିତରେ ରହୁ I ଏବେ ପୁଣି କେମିତି ସେ ଫିଟି ଯାଇଛି I ଆମେ ବି କିଛି ଦିନ ହେଲା ଅନୁଭବ କରୁଛୁ କିନ୍ତୁ ତମେ ମାନେ ଡରିବ ବୋଲି କିଛି କହୁ ନଥିଲୁ I
ପିଲା ଦିଜଣ ପୁରା ଘଟଣା କ’ଣ ଜାଣିବାକୁ ଚାହିଁଲେ..
ପୁରା ଘଟଣା ଟି ଏହିପରି …
 ଏ ଘର ଟି ପ୍ରତିଷ୍ଠା କରି ଘର ମାଲିକ ଓ ପରିବାର ଏ ଘରେ ରହିବା ପାଇଁ ଆସିଲେ I କିଛି ଦିନ ପରେ ତାଙ୍କ ଝିଅ ର ଦେହ ଖରାପ ହେଲା I ତା ବୟସ ପ୍ରାୟ ୭-୮ ବର୍ଷ ହେବ I ନୂଆ ଜାଗା ଯୋଗୁଁ ବୋଧହୁଏ ହେଉଛି ବୋଲି ଭାବି ସେମାନେ କିଛି କିଛି ଔଷଧ, ଦୋକାନ ରୁ କିଣି ଝିଅ କୁ ଖାଇବାକୁ ଦେଲେ I ହେଲେ ଦେହ ଭଲ ହେଲାନି I ସେମାନେ ଡାକ୍ତର କୁ ଦେଖେଇଲେ I ଡାକ୍ତର ଠୁ ଔଷଧ ଖାଇଲା ପରେ ବି ଦେହ ଭଲ ହେଲାନାହିଁ I ଔଷଧ ପ୍ରଭାବ ରୁ ଦେହ ଟିକେ ଭଲ ହେଲେ ବି ପୁଣି କିଛି ଦିନ ପରେ ସେ ଜର ରେ ପଡେ ଆଉ ଅସ୍ପଷ୍ଟ ସ୍ୱର ରେ କିଛି କିଛି ବିଳିବିଳେଇ ହୁଏ I  ଏମିତି ପ୍ରାୟ ଦେଢ଼ ମାସ ପରେ ହଠାତ ଦିନେ ରାତି ଅଧା ରେ ଝିଅ ଟି ଉଠି ପାଗଳ ଙ୍କ ପରି ପ୍ରଳାପ କରିବାକୁ ଲାଗିଲା I ବାଳ କୁ ମୁକୁଳା କରି ଅସ୍ପଷ୍ଟ ଭାଷାରେ କିଛି କିଛି କହିବାକୁ ଲାଗିଲା ଓ ହାତରେ ଯାହା ପଡିଲା କବାଟ ବାହାରକୁ ଫିଙ୍ଗିବାକୁ ଲାଗିଲା I ଘର ମାଲିକ ଓ ତାଙ୍କ ସ୍ତ୍ରୀ ଡରି ଯାଇ , ରାତିଟି ଯାହିତାହି କରି କାନ୍ଦି କୁନ୍ଥେଇ ବିତେଇଲା ପରେ ସକାଳୁ ସକାଳୁ ଏଠୁ ପ୍ରାୟ ୨୫ କିମି ଦୂରରେ ଥିବା ଜଣେ ବାବାଙ୍କ ପାଖକୁ ନେଇ କି ଗଲେ I ଏମାନଙ୍କୁ ଦେଖୁ ଦେଖୁ ସେ ମୁହଁ ବୁଲେଇ ନେଲେ, ଝିଅ କୁ ଦେଖି, ନ ଦେଖିଲା ପରି କହିଲେ, “ଯା, ମୁଁ କାଲି ଆସିବି ତୋ ଘରକୁ I କିଛି ସିନ୍ଦୁର ଦେଇ କହିଲେ ୟା କୁ ତକିଆ ତଳେ ଦେଇ ଝିଅ କୁ ଶୋଇ ଦେବୁ I ମୁଁ କାଲି ଆସିବି ” I
ପରଦିନ ବାବା ଆସି ପହଁଚିଲେ I ଝିଅ କୁ ଦେଖି ଓ ଘର ର ଆଖ ପାଖ ସବୁ ଦେଖି କିଛି ସନ୍ଦେହ କଲେ I ପଚାରୁ ପଚାରୁ ଜଣାଗଲା ଯେ, ଘର ର ନିଅଁ ଖୋଲିଲା ବେଳକୁ ମାଟି ତଳୁ କିଛି ହାଡ ଓ ଚପଲ ପରି ଜିନିଷ ସବୁ ବାହାରିଥିଲା I ମାଲିକ ଓ ମୁଲିଆ ମାନେ କାଳେ ପୋଲିସ କେଶ କିଛି ହେବ ବୋଲି ତାକୁ ଆହୁରି ଖୋଳି ପୋତି ଦେଲେ ଓ ତା ଉପରେ ଘର ତିଆରି କରିଦେଲେ I
ଏବେ ଝିଅକୁ ଆଣିଲେ I ଝିଅଟି କେମିତି ଗୋଟେ ଅଲଗା ଦିଶୁଥାଏ I କିଛି ମନ୍ତୁରା ପାଣି ତା ଉପରେ ପକେଇବାରୁ ସେ ରାଗିଗଲା ଓ ବାବାକୁ ମାରିବାକୁ ହାଇଁ ପାଇଁ ହେଲା I ବାବା, କିଛି ସିନ୍ଦୁର ହାତରେ ଧରି ତାକୁ ପଚାରିଲେ ତୁ କିଏ? ଏଠି କାହିଁକି ଅଛୁ? ସେ ଯାହା କହିଲା ସେଥିରେ ସମସ୍ତଙ୍କ ହୋସ ଉଡ଼ିଗଲା I
ଏହା ପ୍ରାୟ ୧୯୭୦-୭୫ ମସିହା ର କଥା I ସେତେବେଳେ ଏ ଆଖପାଖରେ କୌଣସି ଘରଦ୍ୱାର ନଥିଲା I କେବଳ ପଡିଆ ଆରପଟେ ପୋଲିସ ବ୍ୟାରେକ I ସେଠି ରିଜର୍ଭ ପୋଲିସ ମାନେ ସବୁ ଆସି ରୁହନ୍ତି I ପ୍ରାୟ ସମୟ ସେ ଘର ସବୁ ଖାଲି ଥାଏ I କେବଳ କିଛି କିଛି ବିଶେଷ ପୂଜା ପାର୍ବଣ ସମୟରେ ବହୁତ ପୋଲିସ ଆସନ୍ତି ତା ପରେ ସବୁ ଖାଲି, କେବଳ ଦୁଇ ତିନିଜଣ ଗାର୍ଡ ଙ୍କୁ ଛାଡି ପୁରା ହଷ୍ଟେଲ ଫାଙ୍କା I ସେଥର ବି ପୂଜା ବେଳକୁ କିଛି ରିଜର୍ଭ ପୋଲିସ ଆସିଥିଲେ I ପୂଜା ସରିଗଲା ପରେ ବି ଦୁଇ ଜଣ ଥିଲେ ହଷ୍ଟେଲ ରେ I ଦୁଇ ଦିନ ପରେ ସେମାନଙ୍କୁ ଘରକୁ ଯିବାର ଥିଲା I ଏ ଜାଗା ସବୁ ସେତେବେଳେ ଜଙ୍ଗଲ ଥାଏ I ମୋ ବୟସ ୧୬-୧୭ ହେବ I ଏଠୁ ପ୍ରାୟ ଦୁଇ କିମି ଦୂରରେ ଆମ ଘର I ସେଦିନ ମା ଉପରେ ରାଗି ମୁଁ ଏପଟକୁ ଚାଲି ଆସିଲି I ବୁଦୁବୁଦୁକିଆ ଜଙ୍ଗଲ ସହ କିଛି କିଛି ବଡ ଗଛ ଥାଏ ଏ ଜାଗାରେ I ଏଠିକୁ ଆସି ମୁଁ ଏକା ଏକା ବୁଲୁଥାଏ I ସେ ହଷ୍ଟେଲ ପାଖରେ ପୋଲିସ ଦୁଇ ଜଣ ବସିଥାନ୍ତି I ମୋତେ ଦେଖି ମୋ ପାଖକୁ ଆସିଲେ ଓ ମୁଁ କିଏ ଓ ଏଠିକୁ କାହିଁକି ଆସିଛି ବୋଲି ପଚାରିଲେ I ମୁଁ କହିଲି ମା ଉପରେ ରାଗି ମୁଁ ଏପଟକୁ ଆସିଛି I ଆରପଟେ ଆମ ଘର I କିଛି ନକହି ସେମାନେ ମୋ ମୁହଁ ବନ୍ଦ କରି ଗୋଟେ ଗଛ ପଛ ପଟକୁ ଟେକି ନେଲେ ଓ ବଳାତ୍କାର କଲେ I ମୁଁ ଯେତେ କାନ୍ଦି ବୋବେଇ ନେହୁରା ହେଲେ ବି ମୋତେ ଛାଡିଲେନି I ତାଙ୍କ ମନ ସନ୍ତୁଷ୍ଟ ହୋଇ ଯିବାପରେ ତାଙ୍କର ବୁଦ୍ଧି ପଶିଲା I ଡର ଲାଗିଲା I ଏବେ କଣ କରିବେ ବୋଲି ଭାବି ହେଲେ I ଏଣେ ମୁଁ କାନ୍ଦୁଥାଏ ଓ ସମସ୍ତଙ୍କୁ କହି ଦେବି ବୋଲି ତାଙ୍କୁ ଧମକ ଦେଉଥାଏ I ସେମାନେ କଣ କରିବେ ବୋଲି ଭାବି ମୋ ଓଢଣୀ ରେ ମୋ ତଣ୍ଟି ଚିପି ମାରି ଦେଲେ ଆଉ ସେଇ ଗଛ ମୂଳରେ ମାଟି ଖୋଳି ପୋତି ଦେଲେ I କିଛି ଦିନ ଖୋଜା ଖୋଜି ପରେ ମୋ ମା ବାପା ବି ଚୁପ ରହିଗଲେ I ମୁଁ ବି ଆଉ କିଛି କରି ପାରିବିନି ବୋଲି ଭାବି ଏ ମାଟି ତଳେ ପଡି ରହିଥିଲି I କିନ୍ତୁ ୟେ, ଘର ର ନିଅଁ ଖୋଲିଲା ବେଳେ ମୋତେ ଉଠେଇଲା ଓ ପୁଣି ଆହୁରି ମାଟି ଖୋଳି ମୋତେ ପୋତିଦେଲା I ମୁଁ ସେ ରାକ୍ଷସ ଗୁଡ଼ାକର ତ କିଛି କ୍ଷତି କରି ପାରିଲି ନାହିଁ, ହେଲେ ୟେ? ମୋ ହାଡ ଦେଖି ପୋଲିସ ଓ ଲୋକ ମାନଙ୍କୁ କହିବା ବଦଳରେ ମୋତେ ପୁଣି ପୋତି ଦେଲା I ତେଣୁ ୟେ ବି ସମ ପରିମାଣ ରେ ଦୋଷୀ I ତେଣୁ ମୁଁ ୟା ଝିଅ କୁ ମାରି ଦେବି I ଏତିକି କହି ସେ ପୁଣି ବାଳ ମୁକୁଳା କରି, ନିଜ ବାଳ ନିଜେ ଛିଣ୍ଡେଇ ମୁଣ୍ଡ କୁ ରକ୍ତାକ୍ତ କରି ପକେଇଲା I ବାବା ଜଣଙ୍କ କିଛି ସିନ୍ଦୁର ତା ଉପରେ ପକେଇବାରୁ ସେ ସେ ଶାନ୍ତ ହେଲା ଓ ଠିଆ ଠିଆ ତଳେ ଖସି ପଡିଲା I ଝିଅ କୁ ଖଟ ରେ ଶୁଏଇ ଦେଇ ଘର ମାଲିକ ଓ ତାଙ୍କ ସ୍ତ୍ରୀ ସେଦିନ ବାବା ର ଗୋଡ ଧରି ପକେଇଲେ ଓ ଏଥିରୁ ମୁକ୍ତି ଦେବାକୁ ଅନୁରୋଧ କଲେ I ବାବା ପରଦିନ ଆସିବେ ଓ କିଛି ଏକ ପୂଜା ର ଆୟୋଜନ କରିବା ପାଇଁ ଉପଦେଶ ଦେଇ ଚାଲିଗଲେ I ପରଦିନ ବିଶେଷ ପୂଜା କରି, ଏ ଭୂତ କୁ ଘର ଆଗରେ ଥିବା ଆମ୍ବ ଗଛରେ କଣ୍ଟା ପୋତି କିଳି ଦିଆ ଗଲା ଓ ଘର ମାଲିକ ଓ ତାଙ୍କ ପରିବାର କୁ ଏ ଘରୁ ଦୁରେଇ ରହିବା ପାଇଁ କୁହା ଗଲା I ସେଥିପାଇଁ ସେ ଏ ଜାଗା ଛାଡି, ନିଜ ଘର ଛାଡି ଭଡାରେ ରହିବା ପାଇଁ ଦୁରକୁ ଚାଲିଗଲେ I ଆମେ ସେତେବେଳେ ଭୂତ କୁ କିଛି ମାତ୍ର ରେ ଅନୁଭବ କରୁଥିଲୁ I କେବେ କେମିତି ଖଡ଼ ଖଡ଼ ଶବ୍ଦ, ପାଉଁଜି ଶବ୍ଦ, ଆହୁରି ବି କିଛି ଅସ୍ଵାଭାଭିକ ଶବ୍ଦ ସବୁ ଶୁଣିବାକୁ ମିଳେ I ସେଥିପାଇଁ ଆମେ ସନ୍ଧ୍ୟା ହେଲେ ଘରୁ ପଦା କୁ ବାହାରୁ ନାହିଁ I ଭୂତ କିଳା (ବନ୍ଦୀ) ହେବା ପରଠୁ ଟିକେ ଶାନ୍ତି ରେ ଥିଲୁ I ଏବେ କିନ୍ତୁ ପୁଣି ସେମିତି କିଛି ଶବ୍ଦ ଆମେ ଶୁଣୁଛୁ I ରାତିରେ ପାଉଁଜି ଓ ବେଳେ ବେଳେ ଗୀତ ବି ଶୁଭେ I
************
ଏତିକି ଯଥେଷ୍ଟ ଥିଲା ମେସ ପିଲାଙ୍କ ମନ ଭିତରେ ଭୟ ସଂଚାର କରିବା ପାଇଁ I ସେଦିନୁ ମେସ ର ସବୁ ପିଲା ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସନ୍ତି ଓ ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତି I ଏପରିକି ଟଏଲେଟ ଗଲେ ବି ଦି, ତିନି ଜଣ ପାଖରେ ଠିଆ ହୋଇ ରହନ୍ତି I
ସେଦିନ ଗୋଟେ ପିଲା ଏକା ଟଏଲେଟ ଯାଇଥିଲା I ହଠାତ ତା ମୁଣ୍ଡ ଉପରେ ଏକା ବାଇଗଣ ଆସି ପଡିଲା ….
କବାଟ ବନ୍ଦ, skylight କଣା ଏତେ ଛୋଟ ଯେ ସେପଟେ ବାଇଗଣ ଗୋଟେ ଆସି ପାରିବ ନାହିଁ I ତେବେ ବାଇଗଣ ଆସିଲା କେଉଁଠୁ? ସେ ହାଉଳି ଖାଇ ବାହାରକୁ ଦୌଡ଼ି ଆସି ସମସ୍ତଙ୍କୁ ଏକଥା ଜଣେଇଲା I ସମସ୍ତେ ଯାଇ ରୋଷେଇ ଘରେ ଦେଖିଲେ, ରୋଷେଇ ଘରେ ପରିବା ହିଁ କିଛି ନଥିଲା I ଦୁଇ ଦିନ ପୂର୍ବରୁ କିଛି ମାର୍କେଟିଙ୍ଗ ହୋଇ ନଥିଲା ଓ ଖାଲି ଆଳୁ ରେ ଯାହା ତରକାରୀ ହୋଇ ପାରିବ ସେ ଗୁଡିକ ରନ୍ଧା ଯାଉଥିଲା I ଯେମିତିକି ଆଳୁ ସୋୟାବିନ, ଆଳୁ ମଟର, ଆଳୁ ଭର୍ତ୍ତା I ତେବେ ବାଇଗଣ?? ପରଦିନ ସକାଳୁ ଏ ଖବର ଟି ପଡୋଶୀଙ୍କ କାନରେ ପଡିଲା ପରେ ଜଣା ପଡିଲା ଯେ ତାଙ୍କର କାଲି ୫୦୦ ଗ୍ରାମ ବାଇଗଣ ଆଣିଥିଲେ ମାତ୍ର ୫ ଟି I
ହେଲେ ସକାଳକୁ ଚାରୋଟି ବାଇଗଣ ଡାଲା ରେ ଥିଲା …..
      ଭୂତ ର ପ୍ରକାପ ଓ ଡର ଆସ୍ତେ ଆସ୍ତେ ବଢିବାକୁ ଲାଗିଲା I କିଛି ମେସ ପିଲା ରାଗରେ ମାଲିକ ଘରେ ପହଞ୍ଚି ପ୍ରଥମରୁ ଏ ସବୁ ନ ଜଣେଇଥିବାରୁ ତାକୁ ଗାଳି କରି ଆସିଲେ I ମାଲିକ ବି ଯୋଡ଼ ହସ୍ତ ରେ,”ତମେ ମାନେ କିଛି ବ୍ୟବସ୍ଥା କର, ମୁଁ ସବୁ ପଇସା ଦେବାକୁ ରାଜି ଅଛି” କହି ମାହୋଲ କୁ ଟିକେ ହାଲୁକା କରିବାକୁ ଚେଷ୍ଟା କଲେ I ପିଲା ମାନେ ମାଲିକ ଠୁ ସେ ବାବାଙ୍କ ଠିକଣା ଆଣି ସେଠାକୁ ଗଲେ I କିନ୍ତୁ ବାବା ସେଠି ନଥିଲେ I ସେ ତୀର୍ଥ କରିବାକୁ ଅନ୍ୟ ଜାଗାକୁ ଚାଲିଯାଇଥିଲେ I ଏବେ ଅନ୍ୟ ମାନଙ୍କ କୁହା ବୋଲା ରେ ଆଉ ଜଣେ ଜାଣିବା ଶୁଣିବା ଲୋକ ପାଖକୁ ଯାଇ,ଏ ସମସ୍ୟା ରୁ ମୁକ୍ତି ଦେବାପାଇଁ ଅନୁରୋଧ କଲେ I
        ଏ ଭିତରେ ବଣ୍ଟି କିନ୍ତୁ ଭୂତ କୁ ଡରୁ ନଥିଲା I ପିଲା ଦିନରୁ ଏ ସବୁ ଶୁଣି ଶୁଣି ତା ଦେହ ସୁହା ହୋଇ ଯାଇଥିଲା I ଆହୁରି ବି ତା ପାଖରେ ମାମୁଁ ଦେଇ ଥିବା ଡେଉଁରିଆ ବି ଥିଲା I ପିଲା ମାନେ ଡରରେ ସନ୍ଧ୍ୟା ପରେ ବାହାରକୁ ବାହାରୁ ନଥିବା ବେଳେ ସେ, ଅନ୍ୟ ମେସ ଓ ସାଙ୍ଗ ମାନଙ୍କ ସହ ଖଟି କରି ମେସ କୁ ଫେରୁଥିଲା ରାତି ଦଶଟା ପରେ I ପଚାରିଲେ କହୁଥିଲା, “ମୁଁ ତ କାଇଁ ଦେଖିନି, ଭୂତ ମୋତେ ଆଗ ଦେଖା ଦେଉ” I ଆହୁରି ବି ମାଆ ଙ୍କ ଠୁ ସେ ଶୁଣିଥିଲା ଯେ ତା ଜାତକ ରେ ଭୂତ ଦେଖିବା ନାହିଁ I ଭୂତ ମାନେ କେବେ ବି ତାକୁ ଦେଖା ଦେବେ ନି I ତେଣୁ ସେ ନିଶ୍ଚିନ୍ତ ରେ ବୁଲୁଥିଲା ଆଉ ଅନ୍ଧାର ରାତିରେ ନିଛାଟିଆ, ଶୂନଶାନ, ବର ଓ ଆମ୍ବ ଡାଳ କଟ କଟ ହେଉଥିବା ରାସ୍ତା ରେ ରାତିରେ ଏକା ଆସିଲା ବେଳେ ଭୂତ କୁ ଡାକି ଡାକି ଆସେ, “ଆ, ଆ, ଭୂତ ଆ, ମୋତେ ଟିକେ ଦେଖା ଦେ.. ପୁଳେ ଟଙ୍କା ଦେ..” ଗୀତ ଟିକୁ ଅପଭ୍ରଂଶ କରି ଗାଇ ଗାଇ, ମଜା ନେଇ ନେଇ ରୁମ କୁ ଆସେ I
ଦୁଇ ଦିନ ପରେ ସେ ଲୋକ ଜଣଙ୍କ (ଯିଏକି ଜଣେ ଜ୍ୟୋତିଷ ଓ ଭୂତପ୍ରେତ କୁ ଘଉଡେଇବା କାମ କରନ୍ତି), ସେ ଦିନ ବେଳେ ଆସି ମେସ ରେ ପହଁଚିଲେ I ମେସ ର ପୁରା ଘର ଟି ବୁଲି ସାରିବା ପରେ ଆଖି ବନ୍ଦ କରି କହିଲେ, ପ୍ରଥମେ ଏଠାରେ ଥିବା ଗଣେଶ ମୂର୍ତି କୁ ବିସର୍ଜନ କର I ଏବେ ହିଁ I କହିବା ବାହୁଲ୍ୟ ଗଣେଶ ପୂଜା ସରିବା ପରେ ଗଣେଶ ମୂର୍ତି ଟି ଏବେ ଯାଏ ବି ବିସର୍ଜନ ହୋଇ ନଥିଲା I ଦୁଇ ଜଣ ପିଲା ଗଣେଶ ମୂର୍ତି ଟିକୁ ଉଠେଇବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲେ I ମୂର୍ତି ଟି ଆଣିଲା ବେଳେ ଦୁଇ ଜଣ ଆଣିଥିଲେ କିନ୍ତୁ ବିସର୍ଜନ ପାଇଁ ନେଲା ବେଳେ ଚାରି ଜଣଙ୍କୁ ମଧ୍ୟ କଷ୍ଟ ହେଲା ଓ ସେମାନେ ଜଲଦି ଜଲଦି ରେ ମୂର୍ତି ଟି ବିସର୍ଜନ କରି ଫେରି ଆସିଲେ I ଏବେ ଜ୍ୟୋତିଷ ଜଣଙ୍କ ସେ ଭୂତ ର ଗତିବିଧି ବର୍ଣନା କଲେ, “ଭୂତ ଏବେ ବି ଆମ୍ବ ଗଛରେ ରହୁଛି  I ସେ ଜଣେ ଝିଅ ର ଶରୀର ଖୋଜୁଛି I ସବୁଦିନ ରାତି ଗୋଟାଏ ପରେ ଗଛ ରୁ ଓ଼ଲ୍ଳେହି ପ୍ରଥମ ରୁମ ରେ ପଶୁଛି, ଝରକା ପଟେ ପୁଣି ବାହାରକୁ ଯାଇ ଆରଘରକୁ ଯିବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ଏକ ଜିନିଷ ର ପ୍ରଭାବରେ ସେ ରୁମ କୁ ପଶି ପାରୁ ନାହିଁ I ପୁଣି ପ୍ରଥମ ରୁମ କୁ ଝରକା ପଟେ ଆସି ଡାଇନିଂ ଦେଇ ଆର ରୁମ କୁ ଯାଉଛି ଓ ପୁରା ଘର ଚାରିପଟେ ବୁଲି ସାରି କୌଣସି ଝିଅ କୁ ନ ପାଇ ପୁଣି ଆର ଦିନ କୁ ଅପେକ୍ଷା କରୁଛି” I ଏତିକି ବେଳେ ବଣ୍ଟି ବାହାରୁ ଘରକୁ ପ୍ରବେଶ କଲା I ତାକୁ ଦେଖି ଜ୍ୟୋତିଷ ଜଣଙ୍କ କହିଲେ, ସାର୍ଟ ଭିତରେ ତମେ କ’ଣ ପିନ୍ଧିଛ ?
: କିଛି ନାହିଁ I
: ତମ ପାଖରେ ଗୋଟେ ଡେଉଁରିଆ ଅଛି?
: ହଁ, କିନ୍ତୁ…
: (ତାକୁ କହିବାକୁ ନ ଦେଇ) ଏଇଟା ଜଣେ କାଳୀ (ମା କାଳୀ ଙ୍କ) ସାଧକ ତୁମକୁ ଦେଇଛନ୍ତି ?
: ହଁ,
: (ବଣ୍ଟି ରହୁଥିବା ରୁମ ଆଡକୁ ଆଙ୍ଗୁଳି ନିର୍ଦେଶ କରି) ତମେ ଏଇ ରୁମ ରେ ରୁହ ?
: ହଁ, କିଛି ହେଇଛି କି?
: ଓଃ.. ତେବେ ଏଇଥି ପାଇଁ ସେ ଏପଟେ ଆସି ପାରୁନି …
      ତେବେ ତୁମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ I ଆଗାମୀ ଦୁଇ ଦିନ ପରେ ଗାଁ ପୂଜା I ମା କାଳୀ ଙ୍କ ଯାତ୍ରା ଏଇଠି ପାଖରେ ହେବ I ତୁମ ମାନଙ୍କ ଭିତରୁ କେହି ଜଣେ, ସେ ଗାଁ ଭ୍ରମଣ କଲା ବେଳକୁ ତାଙ୍କୁ ବାଟ ଜଗି ବସିବ I ସେ ପଚାରିଲା ପରେ ସବୁ କହିବ I ତା ପରେ ସେ (ଯାହାଙ୍କ ଦେହରେ ଠାକୁରାଣୀ ଆସନ୍ତି) ଯାହା ଦେବେ ତାକୁ ଏକ ହଳଦିଆ ଓ ନାଲି କନା ରେ ଗୁଡେଇ ଘର ର ଦୁଆର ବନ୍ଧ ଓ ପଛ କବାଟ ପାଖରେ ବାନ୍ଧିବ I ତା ପରଦିନ ପୂଜା ପାଇଁ ଏହି ସବୁ ଜିନିଷ ଯୋଗାଡ କରି ଆଣ କହି ସେ ଏକ ଲିଷ୍ଟ ବଢ଼େଇ ଦେଲେ I ପୂଜା ହେଲା ପରେ ସବୁ ଠିକ ହେଇ ଯିବ I ମୁଁ ଏବେ ଘର ଚାରିପଟେ ଧଳା ସୋରିଷ ଓ ମନ୍ତୁରା ଜଳ ଛିଞ୍ଚି ଦେଇ ଯାଉଛି I ଏବେ ଦି ଦିନ ସେ କିଛି କରିବ ନାହିଁ I ଏତିକି କହି ସେ ବ୍ୟାଗ ରେ ଆଣିଥିବା ସୋରିଷ ସହ ମନ୍ତୁରା ପାଣି କୁ ମିଶେଇ ଘର ଚାରି ପାଖରେ ଛିଞ୍ଚିବାକୁ ଲାଗିଲେ I ପରଦିନ ଜ୍ୟୋତିଷଙ୍କ କହିବା ଅନୁସାରେ ଗାଁ ଦେବତୀ ଗଲାବେଳେ ତାଙ୍କଠୁ କିଛି ବିଭୁତି ପାଇ ପିଲାମାନେ ଜ୍ୟୋତିଷ କହିବା ଅନୁସାରେ ନାଲି ଓ ହଳଦିଆ କନା ରେ ତାକୁ ଗୁଡେଇ ଘରର ମୁଖ୍ୟ ଦରଜା ଓ ପଛ ଦରଜା ପାଖରେ ସେସବୁ ବାନ୍ଧିଲେ ଓ ପରଦିନ ପୂଜା ପାଇଁ ସବୁ ସରଞ୍ଜାମ ଯୋଗାଡ କଲେ I
      ସେଦିନ ପୂଜା ବହୁତ ସମୟ ଧରି କରିବା ପରେ ମେସ ର ସବୁ ପିଲାଙ୍କ ହାତରେ ରକ୍ଷାସୂତ୍ର ବନ୍ଧା ଗଲା I ଜ୍ୟୋତିଷ ଜଣଙ୍କ ସବୁ ପିଲାଙ୍କୁ ଡାକି କହିଲେ, “ଆଜି ଏ ଭୂତର ଏ ଘରେ ଶେଷଦିନ I ସେ ଆଜି ଏ ଘର ଛାଡି ଚାଲିଯିବ I ତେଣୁ ସେ କିଛି ବି ହରକତ କରିପାରେ I ସମସ୍ତେ ସାବଧାନ ଥିବ I କୌଣସି ଘରେ କେହି ଏକା ରହିବ ନାହିଁ I ସେ ତୁମମାନଙ୍କୁ ଡରେଇବା ପାଇଁ ଚେଷ୍ଟା କରିବ I ସନ୍ଧ୍ୟା ସାତଟା ପରେ କବାଟ ଝରକା ସବୁ ବନ୍ଦ କରି ସମସ୍ତେ ଘରଭିତରେ ହିଁ ରହିବ I ଆଉ ଦି ତିନିଜଣ ରାତି ସାରା ଅନିଦ୍ରା ରହିବ I କେତେବେଳେ ବି କିଛି ବି ଅଘଟଣ ଘଟିପାରେ I ଆଜି ରାତି ଟା ବିତିଗଲେ କାଲିଠୁ ସେ ଆଉ ଏ ଘରକୁ ଆସିବନି କିମ୍ବା ତୁମ ମାନଙ୍କୁ ଆଉ ଦେଖା ଦେବନାହିଁ “ କହିସାରି ସେ ନିଜ ଜିନିଷ ପତ୍ର ସହ ଦକ୍ଷିଣା ଧରି ଘରୁ ବାହାରି ଗଲେ I
       ଯାହା ହଉ ଆଉ ଗୋଟେ ଦିନ I ସମସ୍ତେ ଟିକେ ଶାନ୍ତି ରେ ନିଶ୍ୱାସ ମାରିଲେ I ଯେମିତି ସେମିତି କରି ଆଜି ରାତି ଟା କାଟି ଦେଲେ ଗଲା I ସନ୍ଧ୍ୟା ସାତଟା ରୁ ମେସ ର ମୁଖ୍ୟ କବାଟ, ଝରକା ସବୁ ବନ୍ଦ କରି ଦିଆ ଗଲା I ହେଲେ ବଣ୍ଟି କାଇଁ ? ଆଠଟା ପରେ ବଣ୍ଟି ଫେରିଲା ଅନ୍ୟ ଏକ ମେସ ରୁ I ସେ ଯାହା ହଉ ଭଲରେ ଭଲରେ ରାତି ଟି କଟିଗଲା I ଓହୋ….ଶାନ୍ତି … ଏବେ ଆଉ ଡର ନାହିଁ I
ପରଦିନ ସନ୍ଧ୍ୟା ଆଠଟା ପରେ ସମସ୍ତେ ଗୋଟିଏ ଘରେ ବସି ଏ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଗୋଟେ ଖାଲି ଟମାଟୋ ସସ ବୋତଲ ଯେଉଁଟା କବାଡି ବାଲାକୁ ବିକ୍ରି କରିବାକୁ ଘରର ପଛପଟେ ଥିବା ଏକ ଖାଲି ଜାଗାରେ ରଖା ଯାଇଥିଲା, ଉପରୁ ପଡି ତିନି ଚାରି ଥର ଡ୍ରପ ଖାଇ ଗଡି ଗଡି ସେ ଘର ଭିତରେ ପ୍ରବେଶ କଲା…..
ଆଗରୁ କେବେ ଅନୁଭବ କରି ନଥିବା ବଣ୍ଟି ଏ ଘଟଣା ଟି ନିଜ ଆଖିରେ ଦେଖିବା ପରେ ତାକୁ କେମିତି କେମିତି ଲାଗୁଥିଲା I ଆଇମା’ଙ୍କର ଗୋଟିଏ କଥା ତା’ର ଏବେ ମନେ ପଡୁଥିଲା I ଭୂତ ଅଛି, ଠିକ ଯେମିତି ଭଗବାନ ଅଛନ୍ତି I ଆମେ ଭଗବାନଙ୍କୁ ଦେଖି ପାରୁ କି ? ସେମିତି ଭୂତ ମାନଙ୍କୁ ବି ଆମେ ଦେଖି ପାରୁନି I
କିଛି ସମୟ ଚୁପ ରହି, ସମସ୍ତେ ସମସ୍ତଙ୍କ ମୁହଁକୁ ଦି ଚାରିଥର ଚାହିଁଲା ପରେ ଶୀଘ୍ର ଏ ଘର ଛାଡିବାର ଯୋଜନା ରେ ଏକମତ ହୋଇ ସାରିଥିଲେ …..
—ସମାପ୍ତ —
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ନାଲି ଚା

ନାଲି ଚା

ସୁବଳ ମହାପାତ୍ର

 

ମିନତୀ ସକାଳୁ ଉଠି ଗେରସ୍ତ ପାଇଁ ନାଲି ଚା ଟିକେ ତିଆରି କଲା I ରାତିରେ ହାଣ୍ଡିଆ ରେ ବଟିକା ମିଶେଇ ପିଇକି ଆସିଛି ବାଡ଼ିପୋଡା I ସକାଳୁ ମୁଣ୍ଡ ବିନ୍ଧୁଚି ଯେ କାମ କୁ ଯାଇନି I ଚା ରେ ଲେମ୍ବୁ ଟିକେ ମିଶେଇ ପିଇ ବାକୁ ଦେଲା ତାକୁ I ଜଲଦି ଜଲଦି କାମ ସାରିଲେ ପୁଣି ବାବୁଘରକୁ ଯିବ I ଫି ଦିନ ମଦ ଗୁଡା ପିଇକି ଆସୁଛି I ଯାହା ରୋଜଗାର କରୁଛି ଅଧାରୁ ଅଧିକ ପିଇ କି ଉଡେଇଦେଉଛି I ଛୁଆଙ୍କ ପାଇଁ କ୍ଷୀର ଆଣିବାକୁ ବି ପଇସା ନାହିଁ I କ୍ଷୀର ଚା କୁଆଡୁ କରିବ? ନିଜେ ବି ନାଳି ଚା ଟିକେ ପିଇ ଦେଇ ସେ ବାବୁ ଘରକୁ ବାହାରି ଗଲା I
ବାବୁ ଘର ତାଲା ପଡିଛି I ବାବୁ ବାବୁଆଣୀ ଆଜି ଏତେବେଳ ଯାଏ ଉଠି ନାହାନ୍ତି I ରାତିରେ କଉଠି ଗୋଟେ ପାର୍ଟି ଥିଲା ବୋଲି କହୁଥିଲେ I ଡେରିରେ ଫେରିଥିବେ I ବାବୁଆଣୀଙ୍କୁ ନ ଉଠେଇ ସେ ତା କାମ ଆରମ୍ଭ କଲା I ଝାଡୁ ମାରି ବାସନ ଧୋଇ ମାଛ କୁ ଖାଇବାକୁ ଦେଲା ବେଳକୁ ବାବୁଆଣୀ ଉଠିଲେ I ପାଦ ଇଆଡ଼େ ସିଆଡେ ପଡୁଥାଏ I ତାକୁ ନାଲି ଚା କରି ସେଥିରେ ଲେମ୍ବୁ ପକେଇ ଆଣିବାକୁ କହିଲେ I ବାବୁଙ୍କ ସହ କଣ ସବୁ କଥା ହେଉଥିଲେ “କାଲି ଟିକେ ହେଭି ହେଇଗଲା, ଦି ତିନିଟା ବ୍ରାଣ୍ଡ ଏକାଠି ପିଇଥିଲେ ବୋଲି ଆଜି ହ୍ୟାଙ୍ଗଓଭର ଛାଡ଼ିନି I ଆଜି ଆଉ ଅଫିସ ଯାଇ ହବନି” I

 

ମିନତୀ ତା ଗେରସ୍ତ କୁ ବାଡ଼ିପୋଡା କହିଥିଲା ବୋଲି ଜିଭ କାମୁଡି ଦେଲା I ତା ଗେରସ୍ତ ଯେ ବାବୁ ହେଇ ଗଲାଣି ଏକଥା ସେ ହୃଦୟଙ୍ଗମ କରୁଥିଲା…..
—————ସମାପ୍ତ—————
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

କବିତା — କବିତା

କବିତା
ସୁବଳ ମହାପାତ୍ର
କବିତା ଗୁଡିକ ……
ମନ୍ତ୍ରମୁଗ୍ଧ କରେ…
ହଜେଇ ଦିଏ କୌଣସି ଏକ ଅଲଗା ଦୁନିଆଁ ରେ….
ହଲେଇ ଦିଏ ହୃଦୟ ତନ୍ତ୍ରୀ କୁ….
ଭାଙ୍ଗି ଦିଏ ମନ ର ଅକଥ୍ୟ ବେଦନା କୁ…..
ଖଣ୍ଡ ଖଣ୍ଡ କରି ବିଦାରି ଆଣେ….
ମୁହଁ ଉପରେ ଘୋଡେଇ ହୋଇଥିବା ଭଦ୍ରତା ର ମୁଖା ଟିକୁ….
ଆଉ….
କହିବା ବାହୁଲ୍ୟ
ଖୋଲି ଦିଏ ନିଜର ଚରିତ୍ର କୁ ନିଜ ଆଗରେ…
ଲଙ୍ଗଳା କରି ଦେଖେଇଦିଏ ନିଜକୁ ଦର୍ପଣ ରେ ନିଜ ମୁହଁ ଦେଖିଲା ପରି…
ମନର କୌଣସି କୋଠରୀ ରେ ଶକ୍ତ କୁଠାରଘାତ କରି…
ଛଡେଇ ଆଣିବାକୁ ଚାହେଁ ….
ନିଜ ପିଲା ଦିନ ଟିକୁ …

ଯେଉଁଠି

ଏକ ନିଷ୍ପାପ ଶିଶୁ ଟିଏ ଠିଆ ହୋଇଥିଲା,

ଜାଣି ନଥିଲା କି ଚିନ୍ହି ନଥିଲା ଦୁନିଆଁ କୁ…
କାନ୍ଦୁରା ମୁହଁ ଟିରେ ବୋହି ଯାଉଥିବା ସିଙ୍ଘାଣି କୁ ଜିଭ ରେ ଚାଟି…
ମା ମା ବୋଲି ରଡି ଛାଡୁଥିଲା…
ଏକ କଦମ୍ବ ଗଛ ମୂଳରେ ଠିଆ ହୋଇ…..

–X–

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପ୍ରକୃତି ର ଡାକ (୩)

ପ୍ରକୃତି ର ଡାକ (୩)
ସୁବଳ ମହାପାତ୍ର
“ମୁଁ ମନା କରୁଥିଲି ପିଲାଟାକୁ ଏ ପାର୍ଟି କୁ ନ ଆଣିବା ପାଇଁ I ବର୍ଷିକିଆ ଛୁଆ ଟା କୁ ନ ଆଣିଥିଲେ କ’ଣ ଅସୁବିଧା ହେଇ ଯାଇଥାନ୍ତା ?” କହି ପିଲାଟାକୁ ଅପର୍ଣ୍ଣା ହାତକୁ ଏକ ରକମ ଫିଙ୍ଗି ଦେଇ ଚାଲି ଯାଇ ଥିଲେ ଆଶୁତୋଷ I ଯେମିତି କି ଅପର୍ଣ୍ଣା ପିଲାକୁ କାନେ କାନେ କହିଥିଲେ ପାର୍ଟି ରେ ଥିଲା ବେଳେ ଆଶୁତୋଷ ଙ୍କ ଉପରେ ସୁ ସୁ କରିବାକୁ I ସେ ତ ପିଲା କୁ ହଗିଜ ପିନ୍ଧେଇ କି ଆଣିଥିଲା I ଏ ହାତରୁ ସେ ହାତକୁ ହଉ ହଉ କେତେ ବେଳେ ଯେ ହଗିଜ ଟା ଟିକେ ଢିଲା ହୋଇ ଯାଇଥିଲା ସେ ଜାଣିନି I ଆଉ ପିଲାଟା ସୁ ସୁ କରି ଦେଲା I ଓଃ, ଇଜ୍ଜତ ପଳେଇଲା ୟାଙ୍କର I ଏହା ଥିଲା କାଲି ର ଘଟଣା I
ଆଜି ଆଉ ଗୋଟେ ପାର୍ଟି ସାରି ଫେରିଥିଲେ ଆଶୁତୋଷ I ଆଜି କିନ୍ତୁ ଅପର୍ଣ୍ଣା ଅଭିମାନ ରେ, ଯାଇ ନଥିଲେ ଆଶୁତୋଷଙ୍କ ସହ I ଆଶୁତୋଷ ଫେରିଲା ବେଳେ ମଦ ନିଶା ରେ ଚୁର ହୋଇ ଫେରିଥିଲେ I ମୁହଁ ରୁ ମଦ ଗନ୍ଧ ସହ ପେଣ୍ଟ ସାର୍ଟ ରୁ ନର୍ଦମା ର ଗନ୍ଧ ବି ଆସୁ ଥାଏ I ଗେଟ ଖୋଲୁ ଖୋଲୁ ଭାରସାମ୍ୟ ରଖି ନପାରି ରେ ଖସି ପଡିଲେ ବୁଲା କୁକୁର ଟେ ପ୍ରକୃତିର ଡାକ କୁ ସାରିଥିବା ଜାଗାରେ, ଆଉ ନିଶା ରେ ଜାଣି ନପାରି ତାକୁ ପେଣ୍ଟ ପଛପଟେ ପୋଛି ଦେଇ ଥିଲେ I

 

ଅପର୍ଣ୍ଣା ଦେଖୁଥିଲେ ଇଜ୍ଜତ ଆଉ ନିଶା ରାକ୍ଷସ କବଳିତ କରିଥିବା ଗୋଟେ ମଣିଷ କୁ …
—ସମାପ୍ତ—
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପ୍ରକୃତି ର ଡାକ (୨)

ପ୍ରକୃତି ର ଡାକ (୨)
ସୁବଳ ମହାପାତ୍ର
କ୍ଲାସ ସାରି ବାହାରୁ ଥିଲା ପ୍ରୀତି I କେତେ ବେଳୁ ପରିସ୍ରା ଲାଗୁଥିଲା ତାକୁ I କିନ୍ତୁ କ୍ଲାସ ସରିବା ଯାଏ ଅପେକ୍ଷା କରିବାକୁ ପଡିବ I ଏବେ କ୍ଲାସ ସରୁ ସରୁ ସେ ଟଏଲେଟ କୁ ଧାଇଁଥିଲା I ହେଲେ ଏ କ’ଣ? ଟଏଲେଟ ଭିତରେ କିଛି ମୁଲିଆ, ଭାଙ୍ଗି ଯାଇଥିବା ଟାଇଲ ସବୁ ମରାମତି କରୁଥିଲେ I ଅସମ୍ଭାଳ ଅବସ୍ଥାରେ ଥିଲା ପ୍ରକୃତି ର ଡାକ I କଲେଜ ରୁ ବାହାରି ବଗିଚାର ଗୋଟେ କୋଣ କୁ ଯାଇ କାମ ସାରିଦେଲା ସେ I ଏହା ଥିଲା କାଲି ର ଘଟଣା I
ଆଜି କଲେଜ କୁ ଆସୁ ଆସୁ ପୁଅ ପିଲାମାନଙ୍କ ଚାହାଣି, ଝିଅ ମାନଙ୍କ ର ମୁଚୁକୁନ୍ଦ ହସ, କିଛି ଅଭଦ୍ର ପିଲାମାନଙ୍କ ର ଅଶ୍ଳୀଳ କମେଣ୍ଟ ସବୁ ଶୁଣି ବାକୁ ପଡୁଥିଲା ତାକୁ I କେହି ଜଣେ କ୍ୟାମେରା ରେ ଭିଡିଓ ରେକଡିଂ କରି ଭାଇରଲ କରି ଦେଇଥିଲା I ଆଉ ଚାହୁଁ ଚାହୁଁ ସାରା କଲେଜ ର ପିଲା ଏ ବିଷୟରେ ଜାଣି ସାରିଥିଲେ I କିଛି କିଛି କମେଣ୍ଟ ଏତେ ଅଶ୍ଳୀଳ ଥିଲା ଯେ ସେ ଆଜି ଆତ୍ମହତ୍ୟା କରିବାକୁ ମନସ୍କ କରି ସାରିଥିଲା I
ପ୍ରକୃତି ର ଡାକ ତାକୁ ପ୍ରକୃତିର କୋଳ କୁ ନେଇ ଯିବାକୁ ପ୍ରୟାସ କରୁଥିଲା …
—ସମାପ୍ତ—
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପ୍ରକୃତି ର ଡାକ (୧)

ପ୍ରକୃତି ର ଡାକ  (୧)
ସୁବଳ ମହାପାତ୍ର
ଟ୍ରାଫିକ ରେ ଫସି ଯାଇଥିଲା ଜିଗୁ I ପନ୍ଦର ମିନିଟ ହେଲାଣି ଟ୍ରାଫିକ ସରିବାର ନାଁ ନେଉ ନଥିଲା I ସକାଳୁ ଘରୁ ବାହାରିବା ପୂର୍ବରୁ ପେଟେ ପାଣି ପିଇ ଥିଲା I ତାକୁ ପରିସ୍ରା ଲାଗୁଥିଲା ଜୋର ରେ I କିନ୍ତୁ କିଛି କରିବାର ଚାରା ନଥିଲା I ହଠାତ ବର୍ଷା ବି ଆରମ୍ଭ ହେଇ ଗଲା I ପୋଲିସ ଜୀପ ରେ ଡ୍ରାଇଭର ସିଟ ରେ ବସିଥିବାରୁ ତା ହାତ ଆଉ କାନ୍ଧ ରେ ପାଣି ର ଛିଟା ପଡ଼ିବାକୁ ଲାଗିଲା I ସେ ଜଣେ ପୋଲିସ, ଜୀପ ର ଡ୍ରାଇଭର I “ଏମିତି କାହିଁକି ହୁଏ କେଜାଣି? ଠିକ ପରିସ୍ରା ଲାଗିବା ବେଳକୁ ବର୍ଷା ହବ I ନଳକୂଅ ରୁ ବାଲ୍ଟି ପାଣି ଭରି କଲା ବେଳକୁ ପରିସ୍ରା ଲାଗିବ, ସେ ପୁଣି ଅତର୍ଚ୍ଛା” ମନେ ମନେ କହି ଉଠିଲା ଜିଗୁ I ପରିସ୍ରା ର ପ୍ରେସର, ବର୍ଷା କୁ ତାଳ ଦେଇ ବଢିବାରେ ଲାଗିଥିଲା I ଟ୍ରାଫିକ ଛାଡିଲା I ଓହୋ, ମଣିଷ ବଞ୍ଚିଗଲା I ଟ୍ରାଫିକ ରୁ ଆଗକୁ ଯାଇ ଗାଡି ସାଇଡ କରି ଜିଗୁ ଏକରକମ ଡେଇଁପଡି ଧାଇଁବାକୁ ଲାଗିଲା ପୋଲ ତଳକୁ I ଓଃ, କି ଶାନ୍ତି !! କାମ ସାରି, ଗାଡି ନେଇ  ପୁଣି ଜିଗୁ ଆଗକୁ ବଢ଼ିଲା ଆଉ ପୋଲିସ ଷ୍ଟେସନ ରେ ପହଞ୍ଚିଲା I ଏହା ଥିଲା କାଲି ର ଘଟଣା I
ଆଜି ପୋଲିସ ଷ୍ଟେସନ ରେ ପହଞ୍ଚିଲା ପରେ ବଡ ବାବୁ ଡାକିଲେ ଆଉ ତା ହାତରେ ସସ୍ପେଣ୍ଡ ଲେଟର ଟା ଧରେଇ ଦେଲେ I ବୁଝୁ ବୁଝୁ କାଲି ର ଘଟଣା ଟିକୁ କେହି ଜଣେ ମୋବାଇଲ ରେ ଉଠେଇ ଭାଇରଲ କରି ଦେଇଛି I ମିଡ଼ିଆ ଵାଲା ହାଲ୍ଲା କରିଛନ୍ତି ଦୈନିକ ଖବର କାଗଜ ଗୁଡିକ ରେ ଆଉ ଟିଭି ଵାଲା ବି ଘନ ଘନ ଦେଖାଉଛନ୍ତି ଟିଭି ରେ I ପୋଲିସ ଵାଲା ହେଇ ସେ ବାହାରେ ପରିସ୍ରା କରିବା ହେଲା ଅପରାଧ I ସ୍ୱଚ୍ଛ ଭାରତ ଅଭିଯାନ କୁ ସେ ଅବମାନନା କରିଛି I ଜିଗୁ ଯେତେ କହିଲେ ବି ତା କଥା କେହି ଶୁଣିବାକୁ ନଥିଲେ I ପ୍ରକୃତି ର ଡାକ କୁ କିଏ ବା ରୋକି ପାରିବ I
.
.
.
.
କିଛି ଦିନ ପରେ ଜଣେ ନେତାଙ୍କୁ ବାହାରେ ପରିସ୍ରା କରିବାର ଟିଭି ରେ ଦେଖିଲା ପରେ, ସେ ଏବେ ଅପେକ୍ଷା କରିଥିଲା ନେତାଙ୍କ ସସ୍ପେଣ୍ଡ ଲେଟର କୁ …..
—ସମାପ୍ତ—
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

କବିତା — ତୁମେ…

ତୁମେ…

ସୁବଳ ମହାପାତ୍ର

 

ଶୁଣୁଛ!!

ଥରେ ଯେବେ ଦେଖିଦିଏ ତୁମକୁ ,
ଲାଗେ ଯେମିତି ପୃଥିବୀ ର ସୁନ୍ଦରତମ ସୃଷ୍ଟି କୁ ଦେଖୁଛି,
ଭଗବାନ ଗଢ଼ିଛନ୍ତି କେତେ କାଳେ,
କେବଳ ମୋରି ପାଇଁ  I
ତୁମେ ସୁନ୍ଦର,ଏ ଦୁନିଆଁ ସୁନ୍ଦର ,
ସୃଷ୍ଟି ର ସବୁ ତ ସୁନ୍ଦର,
କିନ୍ତୁ କାହିଁକି କେଜାଣି ଏକ ଉଜାଣି ସୁଅ ଉଠେ ଏ ହୃଦୟରେ,
କିଛି ପାଇବାର ଓ ନ ପାଇବାର ଦ୍ଵନ୍ଦ କୁ ନେଇ,
ଯେତେବେଳେ ତୁମେ କୁହ “ଭଲପାଅ ବୋଲି”,
ଭାବି ମୁଁ ପାରେନି, କଣ ଦେଇଛି ଆଜି ଯାଏ ତୁମକୁ ?
କେବଳକିଛିପ୍ରତୀକ୍ଷା, କଷ୍ଟ, ଅଭିମାନ, ରାଗରୁଷାଭରାଜୀବନଛଡା ….
—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରିକ୍ସା ଵାଲା ର ଝିଅ

ରିକ୍ସାଵାଲାରଝିଅ

ସୁବଳ ମହାପାତ୍ର
ମୁନି ର ବାପା ରିକ୍ସା ଟାଣେ I ଫି ଦିନ ଘରେ ଖାଇବାକୁ ନଥାଏ I ନାହିଁ ନାହିଁ ର ସଂସାର I ବାପା ରିକ୍ସା ଟାଣି ପଇସା ଆଣିଲେ ଘର ଚାଲେ I ସେଥିରୁ ବି ଗୋଟେ ଭାଗ ତା ମଦ ପିଆରେ ଯାଏ I ଯେଉଁଠି ଘରେ ଖାଇବାକୁ ଗଣ୍ଡେ ନାହିଁ ସେଠି ଆଉ ସବୁ କଥା କିଏ ପଚାରେ I ମୁନି, ୧୧-୧୨ ବର୍ଷ ର ଝିଅ ଟି ସଜେଇ ହେବାକୁ ଭାରି ଭଲ ପାଏ I ମା ଯେଉଁ ବାବୁ ଘରେ କାମ କରେ ତାଙ୍କ ଘରେ କେତେ ପ୍ରକାର ସ୍ନୋ, ପାଉଡର, ଭଳିକି ଭଳି ଦେହ ଲଗା ଜିନିଷ, ମୁଣ୍ଡ ପାଇଁ, ଆଖି ପାଇଁ, ନଖ ପାଇଁ, ମୁହଁର ଅଲଗା ପାଉଡର, ଦେହର ଅଲଗା ପାଉଡର ଆହୁରି ଆହୁରି କେତେ କଣ I ତାଙ୍କ ଘରେ କିନ୍ତୁ କିଛି ନାହିଁ I ସକାଳୁ ମା ପାଣି ମାରି ମୁଣ୍ଡ କୁଣ୍ଡେଇ ଦିଏ I ଏତେ ଛୋଟରୁ ତେଲ ନ ବାଜି ମୁଣ୍ଡ ବାଳ ସବୁ କହରା ହେଇ ଗଲାଣି I ମଝି ବାଳ ତକ ସବୁ କହରା I ମୁନି ସବୁ ବେଳେ ମନ ଦୁଃଖ କରେ I ତା’ ମା ଉପରେ ରାଗେ I ବାପା କୁ ଗାଳି କରେ I କାନ୍ଦି କାଟି ଅଥୟ ହୁଏ I କିନ୍ତୁ କିଏ ପଚାରୁଛି I ମା ଠୁ ଚାପୁଡ଼ା ଖାଇ ଆଉ ବାପା ର ନାଲି ଆଖି ଦେଖି ଶାନ୍ତ ହୁଏ I
ବାବୁଙ୍କ ଝିଅ ବର୍ଷା I ଭାରି ଷ୍ଟାଇଲିଶ I ଭଳିକି ଭଳି ଜିନିଷ ରେ ସଜେଇ ହୁଏ I ଏ ବର୍ଷ ଇଞ୍ଜିନିଅରିଂ ପଢୁଛି I ସ୍କୁଟି ଧରି କଲେଜ ଯାଏ I ବାଳ ଫୁରୁ ଫୁରୁ I ଫି ଦିନ ସାମ୍ପୁ କରେ I ଭଳି କି ଭଳି ତେଲ ଲଗାଏ I ବାପା ମାଙ୍କର ପଇସା ରେ ଅଭାବ ନାହିଁ I ବାପା ବଡ ଚାକିରୀ କରିଛନ୍ତି I ମା ବି ସେମିତି I ଦି ଜଣଙ୍କ ଦରମା ଘରକୁ ଆସେ I ବହୁତ ବଡ ଘର I ବହୁତ ପଇସା I ସେଦିନ ବର୍ଷା ଦିଦି ବାଳ କଲର କରି ଆସିଥାନ୍ତି I ଆଗ ବାଳ ତକ କଳା ମଝି ତକ କହରା I ପଛ ଚୁଟି କିଛି କଳା ଆଉ କିଛି କହରା I ତାଙ୍କ ସାଙ୍ଗ ମାନେ ତାଙ୍କର ଖୁବ ପ୍ରଶଂସା କରୁଥାନ୍ତି I ବାଃ, ଭାରି ବଢିଆ ହେଇଛି I କେଉଁ ପାର୍ଲର ବୋଲି ହଜାରେ ଥର ପଚାରୁଥାନ୍ତି I ବର୍ଷା ଦିଦି ବି ବଡେଇ ଦେଖେଇ ହେଇ କହୁଥାନ୍ତି I କେମିତି ଷ୍ଟାଇଲ କରିଛି, କେତେ ପଇସା ନେଲା ଇତ୍ୟାଦି ଇତ୍ୟାଦି I
ହଠାତ କାହାର ଜଣଙ୍କର ନଜର ପଡିଲା ମୁନି ଉପରେ I ଆଉ ସମସ୍ତଙ୍କ ମୁହଁ ବନ୍ଦ ହେଇ ଆସିଲା I
ମୁନି କିନ୍ତୁ ଆଜି ଭାରି ଖୁସି ଥିଲା….. ତା’ ର ଆଉ ବର୍ଷା ଦିଦିଙ୍କ ଚୁଟି ର କଲର ସମାନ ଥିଲା I
—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

କବିତା — କାହିଁଗଲା ମୋ ଶୈଶବ ?

କାହିଁଗଲା ମୋ ଶୈଶବ ?
ସୁବଳ ମହାପାତ୍ର
କାହିଁଗଲା ମୋ ଶୈଶବ, କିଏ ଜଣେ ଖୋଜି ଆଣି ଦିଅନ୍ତା କି ?
ଆଜିର ଏ ଟେନସନଭରା ଦୁନିଆଁରୁ ମୁକ୍ତି ପାଇ ଯାଆନ୍ତି କି ?

ମନଖୋଜେ ସେ କିତିକିତି, ବାଡ଼ିଡିଆଁ ଆଉ ବୋହୁଚୋରି ଖେଳକୁ,
ଭାଳିହୁଏ ପୁଣି ପୁଆବାଡ଼ି, ବାଟି ଆଉ ଗାଁ ପଡିଆର ଫୁଟବଲ କୁ ।
ମନେପଡେ ପୁଣି କ୍ରିକେଟର ଚୌକା ଆଉ ଛକା ,
କ୍ୟାରମ ଖେଳା ଆଉ କ୍ଲବ ଘର ପକ୍କା ।
ଦେଖିହୁଏ ଗାଁ ଝିଅ ବୋହୁଙ୍କ ଗଜଗମନୀ ଚାଲି ,
ପ୍ରେମିକାର ଆଖିଠାର ଆଉ ବୁଲାବିକାଳିର ଝୀଲମିଲ ମାଳି ।
ଅଫିସରେ ବସିବସି, ବସଠାରୁ ଖାଉଥାଏ ଗାଳି,
ଭଲ ଥିଲା ଗାଁମୁଣ୍ଡ ଆମ୍ବତୋଟା ଟୋକା ମେଳି ।
ମନେପଡେ ଆଜି ଜେଜୀର ଆରିସା, ଚକୁଳି ଆଉ ଛୁଞ୍ଚିପତ୍ର ପିଠା,
ପୋଡ଼ପିଠା, ବୁଢା ଚକୁଳି, ସିଝାମଣ୍ଡା ଆଉ ଗଇଁଠା ।
ଏ କଂକ୍ରିଟର ଜଙ୍ଗଲରେ କାହିଁ ସେ ଭଲ ପାଇବା,
ଯଦୁ ନନା ବାଡ଼ି ବରକୋଳି ଆଉ ସୁଧାଅଜା ବାରମଜା ।
କଞ୍ଚା ଆମ୍ବ, କଇଁଚି କାକୁଡି, ଲୁଣ ଲଙ୍କା ଗୁଣ୍ଡ ସହ ଝିଲିର ଖିଲିଖିଲି ହସ,
ଯେତେ ଭାବିଲେ କଣ ହବ, ଏଠି ବଡାପାଓଂ ଆଉ ପୋହା ଖାଇ ବସ ।
ନମିଳେ ଏଠି ବାବୁଲା ବରା, ଆଉ ନାଥ ଦୋକାନ ଲସି,
ଭାବିଭାବି ଦିନ ଗଲା ଅଫିସରେ ବସି ବସି ।
ଜେଜେଙ୍କ ଲାଠି ଆଉ ନଈ ପହଁରା,
କେତେ ଭଲଲାଗେ ଦ୍ୱିପହରେ ଆମ୍ବପରା ।
ଗାଁରେ, ବାହାଘର ଆଉ ଶୁଦ୍ଧ ଘର ଭୋଜି,
ଯିଏ ଖାଇଛି ସେ ହିଁ ଜାଣିଛି ।
ବାପାଙ୍କ ନାଲିଆଖି ଆଉ ହେଡ ମାଷ୍ଟ୍ରେଙ୍କ ଛାଟ,
ଇଲୋ ମୋ ବୋପା, ପରୀକ୍ଷା ଆସିଲେ ସବୁ ନାଟ ।
ଭାରି ଭଲ ଲାଗେ ଖରା ଦିନ ଛୁଟି ,
ଦୋଳ,ହୋଲି, ଦଶହରା ଆଉ ଧାନକଟା ଛୁଟି ।
ଲୋକ କହନ୍ତି ପାଠ ପଢ଼ ବଡ ମଣିଷ ହବୁ,
ମୁଁ କହେ ବାପରେ, ଓଡିଶା ପଖାଳ ଆଉ ନ ପାଇବୁ ।
ପଖାଳ ସାଙ୍ଗେ ବଡ଼ି ଚୁରା, ଚୁନା ମାଛ ଆଉ କୋଶଳା ଶାଗ,
କାହିଁ ଗଲା ମୋ ଶୈଶବ, କିଏ ମୋତେ ଖୋଜି ଆଣି ଦେବ ।
—ସମାପ୍ତ—
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପାଲଟା ବାଘ

ପାଲଟା ବାଘ
ସୁବଳ ମହାପାତ୍ର

ବି.ଦ୍ର.:- ପାଲଟା ବାଘ — ତନ୍ତ୍ର ବଳରେ, ନିଜ ଇଛା ଅନୁସାରେ ମଣିଷ ରୁ ବାଘ ଓ ବାଘ ରୁ ମଣିଷ ହେବା I

ବା’ଆ ଏବେ ତିନିଦିନ ହେଲା ନିଇତି ମାଉଁସ ନେଇ କି ଆସୁଛି I ଟିକେ ଟିକେ ସନ୍ଦେହ ହେଉଥିଲା କୁନା ର I ତାଙ୍କ ଘରେ କେବେ ଖାଇବାକୁ ନଥାଏ I ଅଧା ଦିନ ଚୁଲି ଜଳେନି I ଦୋକାନ ରୁ ଆଣିଲେ ରୋଷେଇ ହୁଏ I ସେ ପୁଣି ସନ୍ଧ୍ୟା ରେ I ସକାଳୁ କେବେ ଭାତ କେବେ ଅବା କଞ୍ଚା ତୋରାଣି ଟିକେ ମିଳେ I ସାତପ୍ରାଣୀ କୁଟୁମ୍ବ I ବଡଭାଇ ତା ଅକର୍ମଣ୍ୟ, ଶେଜ ରୁ ଉଠି ପାରେନି I ଶେଜ କହିଲେ ଛିଣ୍ଡା ବସ୍ତା ତିନି ଖଣ୍ଡ I ସବୁ ଜିନିଷ ମା କରେ ତାର I ମା ବାବୁ ଘରେ କୁକୁର ମଇଳା ସଫା କରେ I ଗଛରେ ପାଣି ଦିଏ I ଦାଣ୍ଡ ଝାଡୁ କରେ ଆଉ ମଇଳା ସବୁ ବାହାରେ ଫିଂଗେ I ଜେଜୀ କାମକୁ ପାରୁନି I ଲିତା ଆଉ ଟୁଟୁ ସାନ ସାନ ଦି ଟା I କୁନା ର ବୟସ ଆଠ କି ନଅ ହେବ I ଟିକେ ଟିକେ ବୁଦ୍ଧି ଶୁଦ୍ଧି ହେଲାଣି I ଆଗରୁ ଖାଇବାକୁ ମିଳୁ ନଥିଲା I ଏବେ ମାଉଁସ ମିଳୁଛି ସବୁଦିନ I ତାଙ୍କ ଘରଟା ଗାଁ ମୁଣ୍ଡ ପୋଖରୀ ପାଖରେ, ତେବେ ଗାଁ ଠୁ ଦୂର I ଏକୁଟିଆ ଘର I ଏପଟକୁ କେହି ଆସନ୍ତିନି I ଛୋଟ ଜାତି ତାଙ୍କର I
ବା’ଆ ର କାମ କହିଲେ ବାହା, ବ୍ରତ, ମୃତକ ରେ ଢୋଲ ବଜାଏ I ପାଇଖାନା ଟାଙ୍କି ସଫା କରେ I କେବେ ଗାଈ ବଳଦ ମରିଗଲେ ତାଙ୍କୁ ଘିନି ଆସେ I ଚମଡା ଉତ୍ତାରି, ଢୋଲ ପାଇଁ ସଜ କରେ I ସେଦିନ ତାଙ୍କ ଘରେ ମାଉଁସ ଭୋଜି ହୁଏ I ଏବେ କିନ୍ତୁ ସବୁଦିନ ହଉଛି I ବା’ଆ କୁଆଡୁ ଆଣୁଛି ସବୁଦିନ ମାଉଁସ? ଏ ମାଉଁସ ଟା ଆଗ ମାଉଁସ ପରି ଲାଗୁନି I ଏଟା ଭଲ ମାଉଁସ I ମା ଆଉ ବା’ଆ କଣ ସବୁ ଫୁସୁ ଫୁସୁ ହଉଥିଲେ I ତାକୁ ଶୁଭୁ ନଥିଲେ ବି ସେ ଜାଣି ପାରୁଥିଲା ଏଇ ମାଉଁସ ବିଷୟରେ ହିଁ କଥାବାର୍ତା ଚାଲିଛି I “ହଉ ଚାଲୁ I ମୋର କଣ ଯାଏ ” କହି ସେ ଟୁଟୁ ସହ ଖେଳିବାକୁ ଲାଗିଲା I
ସେଦିନ ରାତିକରୁ ନିଦ ଭାଙ୍ଗିଗଲା ତାର I ପେଣ୍ଟ ଟା ଓଦା ଓଦା ଲାଗୁଛି I ପେଣ୍ଟ ରେ ବୋଧେ ସୁ ସୁ ହେଇ ଯାଇଛି I ମା ସକାଳୁ ପୁଣି ପିଟିବ I ଉଠି ଦେଖିଲା ରାତି ଆହୁରି ପାହିନି I ବେଳ ଅଛି I ଅଧା ମୁତା ରେ ଟା ନିଦ ଭାଙ୍ଗି ଯାଇଛି I ଆହୁରି ମୁତ ଲାଗୁଥିଲା ତାକୁ I ଉଠି କି ବାହାରକୁ ଆସିଲା I ଗୁହାଳ ଘରେ ଖଡଖଡ ଶୁଣି ଡରିଗଲା ସେ I ଜେଜୀ ଠୁ ଶୁଣିଛି, ପାହାନ୍ତି ପହରେ ଭୁତ ଡାକନ୍ତି I କେବେ ତୋଟା ଆଡେ ତ କେବେ ବିଲ ଆଡେ ନେଇ ଯାନ୍ତି I ଡରରେ ତଣ୍ଟି ଶୁଖି ଆସୁଥାଏ ତା’ର I ଛେପ ଢ଼ୋକି, ଆସ୍ତେ ଆସ୍ତେ, ଗୋଡ ଚିପି ଚିପି ସେ ପୁଣି ତା ଶେଜ ଆଡେ ମୁହେଁଇଲା I କାହାର ଗୋଟେ ପାଟି ଶୁଭିଲା I ବା’ଆ ପାଟି ପରି ଲାଗୁଥାଏ I ପୁଣି ଫୁସୁ ଫୁସୁ I ସେ ଏବେ କାନ ଡ଼େରିଲା I ବା’ଆ ସହ ଆଉ ଦି ଜଣ ଲୋକ ବି ଥାନ୍ତି I ତିନି ଜଣ ଯାକ ବାଘ ବେଶ ହେଇ ଥାନ୍ତି I ଏମାନେ ସବୁ ଗାଁ ଯାତ୍ରା ରେ ବାଘ ପାର୍ଟ କରନ୍ତି I ବାଘନାଚ କରନ୍ତି I ବା’ଆ ଢୋଲ ବଜାଏ I କିନ୍ତୁ ଆଜି ବା’ଆ କିଆଁ ବାଘ ହେଇଛି? କୁନା ବୁଝି ପାରୁ ନଥିଲା କିଛି I
ତିନି ଜଣ ଗୁହାଳ ରୁ ବାହାରି ଯିବା ପରେ ସେ ପୁଣି ଆସି ଶୋଇ ପଡିଲା I ହେଲେ ମନ ଭିତରେ ପ୍ରଶ୍ନ ମାନ ଗୋଳେଇ ଘଣ୍ଟି ହେଉ ଥାନ୍ତି I ନିଦ ହଉ ନଥାଏ I କନ୍ଥା ଟା ଉପରେ ପଡି ସେ ଏକଡ ସେକଡ ହେଲା I କିଛି ସମୟ ପରେ ପୁଣି ଫୁସୁ ଫୁସୁ ଶୁଭିଲା I ସେ ଜଳା ଦେଇ ବାହାରକୁ ଡୁଙ୍ଗିଲା I କିଛି ଦୂର ରେ ତିନି ଜଣ ବସି ମାଉଁସ ଭାଗ କରୁ ଥାନ୍ତି I ମେଣ୍ଢା ଛାଲ ଟା କିଛି ଦୂର ରେ ପଡି ଥାଏ I ଭାଗ ସରିଲା ପରେ ମେଣ୍ଢା ଛାଲ ତାକୁ ମାଟିରେ ପୋତି ଦେଇ ସମସ୍ତେ ନିଜ ନିଜ ଘରକୁ ଗଲେ I ବା’ଆ ଆସି ଚୁପ ଚାପ ଶୋଇ ପଡିଲା I
ସକାଳୁ ସକାଳୁ ଦି ଟଙ୍କା ଧରି ସେ ବରା ଖାଇବାକୁ ବାବୁଲା ଦୋକାନ କୁ ଯାଇଥିବା ବେଳେ ଲୋକେ କଥା ହଉ ଥିଲେ, “ଅଜଣା ଜନ୍ତୁ ତ ଆଗରୁ ଖାଲି ମେଣ୍ଢା କଲିଜା ଖାଉଥିଲା I ଏବେ ମେଣ୍ଢା କୁ ଧରି ଜଙ୍ଗଲ ଆଡେ ପଳାଉଛି I ଶିମିଳିପାଳ ରୁ ଲୋକ ଆସି ଯେଉଁ ସି ସି ଟିଭି ଲଗେଇ ଥିଲେ, ସେଥିରେ ବାଘ ପରି ଗୋଟେ ଜନ୍ତୁ ର ଫୋଟୋ ଉଠିଛି I ସେ କେତେବେଳେ ଦି ଗୋଡ ରେ ଚାଲୁଛି ତ, କେତେବେଳେ କଙ୍ଗାରୁ ପରି ଡେଉଁଛି ଆଉ କେତେ ବେଳେ କୁକୁର ପରି ଚାରି ଗୋଡ଼ରେ ଚାଲୁଛି I ମଣିଷ ପରି ହାତ ଗୋଡ ତା’ର I ମୁହଁ ବି ମଣିଷ ପରିକା I ସେ ବୋଧେ କେଉଁ ଅଜଣା ଗ୍ରହରୁ ଆସିଥିବା ଏଲିଅନ କିମ୍ବା କିଏ ଗୁଣି କରି ଥିବା ପାଲଟା ବାଘ” I
କୁନା ଏବେ ବୁଝି ପାରୁଥିଲା ପାଲଟା ବାଘ ର ଅର୍ଥ …
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରାକ୍ଷୀ – (୬)

ରାକ୍ଷୀ – (୬)
ସୁବଳ ମହାପାତ୍ର

ଡାକ୍ତର ଆସି ଆଶୁତୋଷ ବାବୁଙ୍କୁ ଅଭିନନ୍ଦନ ଜଣେଇବା ପରେ କହିଲେ , “ଆପଣଙ୍କର ପୁଅ ହୋଇଛି, ମୁହଁ ମିଠା ତ କରାନ୍ତୁ..” । ନିଶ୍ଚୟ କହି ଡାକ୍ତରଖାନା ରୁ ଆଶୁତୋଷ ବାହାରି ଗଲେ ମିଠା ଆଣିବା ପାଇଁ।
ଘରେ ସମସ୍ତେ ଖୁସି। ସ୍ତ୍ରୀ ସୌଦାମିନୀ ବି ବହୁତ ଖୁସି ଥାନ୍ତି। ପ୍ରସବ ଯନ୍ତ୍ରଣା ଉଭେଇ ଯାଇଥାଏ ଯେମିତି। ସୌଦାମିନିଙ୍କ ବାପା, ବୋଉ , ଭାଇ ବି ବହୁତ ଖୁସିଥାନ୍ତି। ନିଜ ନିଜ ଭିତରେ ହେଉଥିବା କୋଳାହଳ ଭିତରେ କିନ୍ତୁ ଆଶୁତୋଷ ଅନ୍ୟ କାହାକୁ ମନେ ପକାଉଥାନ୍ତି।
ଅଶୁତୋଷଙ୍କର ପ୍ରଥମ କରି ବାପା ହେବା ଖୁସି ସହ କିଛି କିଛି ଦୁଃଖ ମଧ୍ୟ ପଶୁଥାଏ ମନ ଭିତରେ। ସେ ହୃଦୟଙ୍ଗମ କରୁଥାନ୍ତି ବାପା ହେବାର ଖୁସି। ଆଉ ଭାବୁଥାନ୍ତି ସେ ଜନ୍ମ ହେଲା ବେଳେ ତାଙ୍କ ବାପା ବି ଏମିତି ଖୁସି ହୋଇଥିବେ। ମିଠା ବାଣ୍ଟିଥିବେ । କେତେ ଖୁସି ହୋଇଥିବେ। ସେ ତ ଶୁଣିଛନ୍ତି ଯେ ତାଙ୍କ ଜନ୍ମ ବେଳେ ତାଙ୍କ ବାପା କୁଆଡେ ପାଞ୍ଚ ଖଣ୍ଡ ଗାଁ ଲୋକଙ୍କ ଭୋଜି ଦେଇଥିଲେ। ମନ ମରି ମରି ଯାଉଥାଏ। ମନେ ପଡୁଥାନ୍ତି ବାପା ମା, ଯାହାକୁ ସ୍ତ୍ରୀ କଥାରେ ପଡି ସେ ଛାଡି ଦେଇ ଆସିଛନ୍ତି ବୃଦ୍ଧଆଶ୍ରମ ରେ।
ଭଉଣୀ ର ହଜାରେ ଅନୁରୋଧ କୁ ସେ ଏଡେଇ ଯାଇଛନ୍ତି ସ୍ତ୍ରୀ କଥାରେ ପଡି। ମନେ ପଡି ଯାଉଥିଲା ଗୋଟି ଗୋଟି କଥା। ଭଉଣୀ ର ରାକ୍ଷୀ ବନ୍ଧା, ବାପା ଙ୍କ ପକେଟ ରୁ ପଇସା ଆଣି ତାକୁ ଦେବା। ମା ର ପିଠା ପଣା, ଆହୁରି କେତେ କଣ। ଭଉଣୀ ର କଥା ସେ ଆଜି ରଖି ପାରି ନାହାନ୍ତି। ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ ସେଦିନ ପଇସା ବଦଳ ରେ ମାଗିଥିଲା ବାପା ମାଙ୍କୁ ବୃଦ୍ଧାଶ୍ରମ ନ ପଠେଇବାର କଥା ଦେବା ପାଇଁ।
ଆଶୁତୋଷ ପଚାରିଥିଲେ, “ରାକ୍ଷୀ ରେ ତୋର କଣ ଦରକାର କହ।
ଭଉଣୀ କହିଥିଲା , “ବାପା ମାଙ୍କୁ କେବେ ବି ବୃଦ୍ଧାଶ୍ରମ କୁ ପଠେଇବୁନି।”
ପ୍ରତିବଦଳ ରେ ସେ ବି କହିଥିଲେ, “ତୁ ବି ତୋ ସ୍ବାମୀ କୁ ତା ବାପା ମାଙ୍କୁ ତା ଠୁ କେବେ ବି ଅଲଗା କରିବୁନି”।
ହେଲେ ଆଜି, ବାପା ମା ତାଙ୍କ ନାତି ର ମୁହଁ ବି ଦେଖିପାରିନାହାନ୍ତି। ସେ କଣ ଚାହିଁଥିଲେ ବାପା ମାଙ୍କ ଠୁ ଅଲଗା ହେବା ପାଇଁ? ଅଲଗା ହେବାର ଥିଲେ ତ ସେ ବାହାଘର ପୁର୍ବରୁ ହୋଇ ପରିଥାନ୍ତେ। ବାହାଘର ପରେ ଅଲଗା ହେବାର କାରଣ କଣ। ଶାଶୁ ଶ୍ବଶୁର ଙ୍କ ହସ ହସ ମୁହଁ ଦେଖି କାନ୍ଦ ଲାଗୁଥିଲା ତାଙ୍କୁ। କିନ୍ତୁ ଭୁଲ ତ ସେ ବି କରିଛନ୍ତି। ସେ ତ ମନା କରି ପାରିଥାନ୍ତେ। ଜୋର ଦେଇ ସ୍ତ୍ରୀ କୁ ଅଟକେଇ ପାରି ଥାନ୍ତେ। ତାଙ୍କର ଇଛା ବିରୁଦ୍ଧ ରେ ସ୍ତ୍ରୀ କଣ ବାହାର କରି ପାରିଥାନ୍ତା ଘରୁ ବାପା ଆଉ ମା ଙ୍କୁ। ନା। ତେବେ ଶହେ ରୁ ଶହେ ଭୁଲ ତ ତାଙ୍କର।
ଆସ୍ତେ ଆସ୍ତେ ସେ ସ୍ତ୍ରୀ ପାଖକୁ ଗଲେ। ବେଡ଼ ଉପରେ କୁନି ଛୁଆ ଆଉ ସ୍ତ୍ରୀ ଶୋଇଥାନ୍ତି। ସ୍ତ୍ରୀ ବଡ ଆଗ୍ରହ ରେ ଛୁଆ ର ମୁହଁ ଦେଖେଇବାକୁ ଗଲା ବେଳେ ଆଖି ରେ ଆଖିଏ ଲୁହ ଧରି ଆଶୁତୋଷ କହିବାକୁ ଆରମ୍ଭ କଲେ, ” କାହିଁକି ଦେଖିବି ତା ମୁହଁ । କାଲି ସକାଳୁ, ସେ ବି ତ ମୋତେ ଆଉ ତୁମକୁ ଘରୁ ବାହାରକରି ବୃଦ୍ଧାଶ୍ରମ ରେ ଛାଡିବ। ଥାଉ… ଦରକାର ନାହିଁ ତା ମୁହଁ ଦେଖିବା।”
ଚମକି ପଡିଲେ ଆଶୁତୋଷ ବାବୁଙ୍କ ସ୍ତ୍ରୀ, ଶାଶୁ, ଶ୍ବଶୁର ଓ ଶଳା। ବୁଝି ପାରୁଥିଲେ ଆଶୁତୋଷ ବାବୁଙ୍କ ମନ ର କୋହ। ବୁଝି ପାରୁଥିଲେ ତାଙ୍କ କଷ୍ଟ ଆଉ ଭାବୁଥିଲେ ନିଜ ବୃଦ୍ଧାବସ୍ଥା ରେ କଣ ହେବାକୁ ଯାଉଛି।
କାହାର କିଛି କହିବାର ନଥିଲା। ପୁରା ଦୁନିଆଁ ଶାନ୍ତ ହୋଇଯାଇଥିଲା , ଯେମିତି ଝଡ ଆସିବାର ପୂର୍ବାବସ୍ଥା।
କହିବା ବାହୁଲ୍ୟ , ଠିକ ଅଧଘଣ୍ଟା ପରେ ଆଶୁତୋଷ ବାବୁଙ୍କ ବାପା ଓ ମା କଅଁଳା ଛୁଆଟିକୁ କାଖେଇ ନେଇ ଵୋକ ପରେ ଵୋକ ଦେଉଥିଲେ….

—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରାକ୍ଷୀ -(୫)

ରାକ୍ଷୀ -(୫)
ସୁବଳ ମହାପାତ୍ର
ଝିଅ କୁ ଘିଅ ଆଉ ପୁଅ କୁ ସୁନାମୁଣ୍ଡା ବୋଲି ଭାବୁଥିବା ସରୋଜିନୀ ଆଜି ହରଡ ଘଣା ରେ ପଡି ଯାଇଥିଲେ I ପୁଅ ଯେ ଏମିତି କାଣ୍ଡ କରି ବସିବ ଏହା ତାଙ୍କ କଳ୍ପନା ବାହାରେ ଥିଲା I
ଝିଅ ଘିଅ, ବେଶିଦିନ ରହିଲେ ଗନ୍ଧେଇବ I ପୁଅ ସବୁବେଳେ ସୁନା , ଘଷି ମାଜି ଦେଲେ ପୁଣି ଚକ ଚକ I ଏହିପରି ଧାରଣା ଥିଲା ତାଙ୍କର I ଝିଅ କୁ ଜଲ୍ଦି ଜଲ୍ଦି ବାହା କରେଇ ଦେଇଥିଲେ ସେ I ଝିଅ ହେଲା ପରା ପର ସମ୍ପତି I ତା ପଛରେ ପଇସା ଖର୍ଚ କରିବା କଣ ଦରକାର I ଯେତେ ଶୀଘ୍ର ବିଦା କରିବ ସେତେ ଭଲ I ଛୋଟ ବେଳୁ ଝିଅ ଭାଗେ ନେଲେ ପୁଅ ନେଉଥିଲା ତିନି ଭାଗ I ଏହିପରି ବଡ ଭାଗ ନେଇ ନେଇ ସେ କେତେ ବେଳେ ଯେ ନିଶା ରାକ୍ଷସ କବଳ ରେ ପଡି ଯାଇଥିଲା କେହି ବି ଜାଣି ପାରିଲେନି I ଆଉ ଆଜି ମଦ ଖାଇବାକୁ ପଇସା ନ ଦେବାରୁ ବାପା ମା ଦି ଟା ଯାକୁ ବାଡେଇ ଘରୁ ବାହାର କରି ଦେଇଛି I
ଆଜି ରାକ୍ଷୀ ପୁର୍ଣିମା I ଏତେ ବଡ ଦିନରେ ପୁଅ ଯେ ଘରୁ ବାହାର କରି ଦେଇଛି ଭାବି କୋହ ଉଠୁଥିଲା ତାଙ୍କର I ରାସ୍ତା କଡ ବରଗଛ ମୂଳରେ ବସି କୁଆଡେ ଯିବେ ଚିନ୍ତା କରୁଥିଲେ ସେ I ସ୍ୱାମୀ ଯେ ଥୁରୁ ଥୁରୁ ବୁଢା I ସକାଳ ପହରୁ କିଛି ନ ଖାଇ ମୁଣ୍ଡ ବୁଲେଇବାରୁ ସେ ଶୋଇ ପଡ଼ିଥିଲେ ସେଇ ବରଗଛ ମୂଳେ I ପେଟରେ ଦିଟା ନ ପଡିଲେ କେତେବେଳେ ଯେ ପିତୃଦତ୍ତ ପ୍ରାଣ ଟି ବାହାରି ନ ଯିବ କିଏ କହିବ?
ଝିଅ ପାଖକୁ ଯାଇ ସାହାଯ୍ୟ ମାଗିବାକୁ ମୁହଁ ନଥିଲା ତାଙ୍କର I ମଦ ଖାଇବାକୁ ନେଇ ପୁଅ ଝିଅଙ୍କ ଭିତରେ ପାଟିତୁଣ୍ଡ ହେଲା ପରେ ଝିଅ ଆଉ ଆସୁ ନଥିଲା ଘରକୁ ତିନିବର୍ଷ ହେଲା I ସେତେବେଳେ ମଧ୍ୟ ପୁଅ ପଟିଆ ହୋଇଥିଲେ ସେ ସ୍ୱାମୀଙ୍କ ଶତ ବିରୋଧ ସତ୍ୱେ I ଆଉ କିଛି ଉପାୟ ନ ପାଇ ମୁହଁ ଲାଜ କୁ ମୁହଁ ରେ ରଖି ପହଁଚିଲେ ଝିଅ ଘରେ I ଏତେ ଦିନ ପରେ ବାପା ମାଙ୍କୁ ଦେଖି ବହୁତ ଖୁସି ହୋଇଗଲା ଝିଅ I କବାଟ ପାଖରୁ ପାଛୋଟି ନେଇ, ପ୍ରଥମେ କିଛି ଜଳଖିଆ ଦେଇ ସାଷ୍ଟାମ କରେଇଲା I ନାତି ନାତୁଣୀଙ୍କ ରାକ୍ଷୀ ଭିଡା ପର୍ବ ଆରମ୍ଭ ହୋଇ ଯାଇଥିଲା ସେତେବେଳେ I
ନାତି – ରାକ୍ଷୀ ରେ ତୋର କଣ ଦରକାର କହ?
ନାତୁଣୀ- ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ନାତି – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ତାଙ୍କ କଥାବାର୍ତା ଶୁଣି ଆଖି ଛଳ ଛଳ ହୋଇ ଆସୁଥିଲା ସରୋଜିନୀ ଦେବୀ ଙ୍କର …
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରାକ୍ଷୀ – (୪)

ରାକ୍ଷୀ – (୪)
ସୁବଳ ମହାପାତ୍ର
ଆଜି ରାକ୍ଷୀ ପୁର୍ଣିମା ହେଲେ ବି ଡାକ୍ତର ବାବୁଙ୍କର ହାତ ଖାଲି ଥିଲା….
କ୍ଲିନିକ ପାଖ ପଡୋଶୀ ଘରେ ଥିବା ଦୁଇ ଛୁଆଙ୍କ କଥା ଶୁଣି ଚମକି ଉଠିଲେ ଡାକ୍ତର ମହେଶ୍ୱର ମିଶ୍ର I ମହେଶ୍ୱରଙ୍କୁ ସେମାନେ ଅଜା ବୋଲି ଡାକନ୍ତି I ବୟସ ବେଶୀ ନହେଲେ ବି ୪୫ ବର୍ଷ ବୟସ I ମାନ୍ୟ ରେ ଅଜା ହେବେ I ଛୋଟ ଛୁଆ ଦି ଜଣ କଥା ହଉଥିଲେ I
ଭାଇ – ରାକ୍ଷୀ ରେ ତୋର କଣ ଦରକାର କହ?
ଭଉଣୀ – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଭାଇ – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ମହେଶ୍ୱର ବାବୁ ଙ୍କ ର ମନେ ପଡିଯାଉଥିଲା ନିଜ ଭଉଣୀ କଥା I ଘର ର ବଡ ଝିଅ ସେ I ଘରକୁ ଆସି ନିଜ ବାପା ମାଙ୍କର ସେବା କରିବାକୁ ମହେଶ୍ୱର ବାବୁଙ୍କୁ ଓ ତାଙ୍କ ସ୍ତ୍ରୀ କୁ ସବୁବେଳେ ତାଗିଦ କରି ଯାଉଥିବା ବେଳେ ଏବେ ତିନି ଦିନ ତଳେ ସେ ଘରୁ ବାହାର କରି ଦେଇଛି ତା ଶାଶୁ ଶ୍ୱଶୁରଙ୍କୁ I ଅନ୍ୟନୋପାୟ ହୋଇ ସେମାନେ ଆସି ପହଁଚିଲେ ମହେଶ୍ୱର ବାବୁ ଙ୍କ କ୍ଲିନିକ ରେ I କଣ କରିବେ ମହେଶ୍ୱର ବାବୁ?କାହାକୁ କଣ କହିବେ? ନା ନିଜ ଭଉଣୀଙ୍କୁ କିଛି କହି ପାରୁଛନ୍ତି ନା ବୋଧ ଦେଇ ପାରୁଛନ୍ତି ଭଉଣୀ ର ଶାଶୁ ଶ୍ୱଶୁରଙ୍କୁ I
ଅଗତ୍ୟା ସେମାନଙ୍କୁ ନିଜ ଘରକୁ ନେବା ଛଡା ଅନ୍ୟ ଉପାୟ ନଥିଲା I ଭିଣୋଇ ଦୁଇ ବର୍ଷ ତଳେ ପ୍ରାଣ ହରେଇ ଥିଲେ ଏକ ସଡକ ଦୁର୍ଘଟଣା ରେ I ପୁଅ କୁ ହରେଇ ଥିବା, ବୋହୁଠୁ ତଡା ଖାଇଥିବା ଦୁଃଖୀ ଲୋକ ଦୁଇଟିକୁ ସେ କେମିତି ଅବା ଅଲଗା କରି ପାରି ଥାନ୍ତେ ? କେମିତି ଛାଡି ପାରିଥାନ୍ତେ ଵୃଦ୍ଧାଶ୍ରମ ରେ?
ଘରକୁ ଯିବାପରେ ସବୁ ଶୁଣି ସାରି ବାପା ଆଉ ମା, ତାଙ୍କ ମୁଣ୍ଡ ଉପରେ ହାତ ରଖି ଖୁସିରେ ଆଶୀର୍ବାଦ କଲେ I ସେପଟେ ଭଉଣୀ ଆସି ଘରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାରୁ ତାକୁ ମଧ୍ୟ କଡା କରି ଦି ପଦ ଶୁଣେଇ ଥିଲେ I ଫଳ ସ୍ୱରୂପ ଆଜି ରାକ୍ଷୀ ପୁର୍ଣିମା ରେ ବିଗତ ୪୪ ବର୍ଷ ଧରି ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଥିବା ଭଉଣୀ, ଆଜି କିନ୍ତୁ ଆସି ନଥିଲା I
ହେଲେ ମହେଶ୍ୱର ବାବୁ ଯେଉଁ ଆଶୀର୍ବାଦ ଟିକକ ପାଇଲେ ତାହା କଣ ପାଇଥାନ୍ତେ ସେମାନଙ୍କୁ ଵୃଦ୍ଧାଶ୍ରମ ରେ ଛାଡି?
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରାକ୍ଷୀ – (୩)

ରାକ୍ଷୀ – (୩)
ସୁବଳ ମହାପାତ୍ର
ସରୋଜ ବାବୁ ଆଜି ଵୃଦ୍ଧାଶ୍ରମ ର ବାସିନ୍ଦା I ଏକୁଟିଆ ମଣିଷ ସେ I ବାପା ମା ବଞ୍ଚିଥିଲା ଯାଏ ଘର କେତେ ହସିଲା ପୁରିଲା ଲାଗୁଥିଲା I ମା ଯେତେ ବୁଝେଇଲେ ବି ବାହା ହେବା ପାଇଁ ମୋଟେ ରାଜି ନଥିଲେ ସେ I ବାପା ମା ଓ ଭଉଣୀ କୁ ନେଇ ତାଙ୍କ ସଂସାର I ଭଉଣୀ ବାହା ହେଲା ପରେ ବାପା ମା ଙ୍କର ଏକୋଇରବଳା ସେ I ଆଜିକାଲି ର ଝିଅ ଯେମିତି, ବୋହୁ ହୋଇ ଆସିଲା ପରେ ଶାଶୁ ଶ୍ୱଶୁରଙ୍କୁ ହତାଦର କରୁଛନ୍ତି, ସେମିତି କାଳେ ତାଙ୍କ ସ୍ତ୍ରୀ କରିବା ସେ ଡରରେ ସରୋଜ ବାବୁ ବାହା ହେବାକୁ ମନା କଲେ I ସବୁବେଳେ ଭଉଣୀ ର ଛୋଟିଆ କଥା ଟି ମନେପଡିଯାଏ ତାଙ୍କର I
ସେଦିନ ଥାଏ ରାକ୍ଷୀପୂର୍ଣିମା I ଭଉଣୀ କୁ ପଚାରିଲେ, ରାକ୍ଷୀ ରେ ତୋର କଣ ଦରକାର କହ?
ଭଉଣୀ ଉତ୍ତର ଦେଲା,” ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ସେ ବି ଭଉଣୀ କୁ କହିଥିଲେ, ” ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି” I
ଭଉଣୀ ଆଜି ଆରପାରି ରେ I ଭାଇ ର କଥା ରଖି ଯେତେ ଝଡ ଝଞ୍ଜା ଆସିଲେ ବି ସେ ତା ଶାଶୁ ଶ୍ୱଶୁର ଙ୍କୁ ଦୁରେଇ ଦେଇ ନଥିଲା I ଓଲଟା ଜ୍ୱାଇଁଙ୍କୁ ସହର ରେ ଛାଡି ସେ ରହିଥିଲା ଗାଁ ରେ ଶାଶୁ ଶ୍ଵଶୁରଙ୍କ ସେବା କରିବ ବୋଲି I
କିନ୍ତୁ ତାଙ୍କ ପାଇଁ ଯେତେ ବେଳେ ଝିଅ ଦେଖା ଚାଲିଲା, ସେଦିନ ସେ ପ୍ରଥମ କରି ଯାଇଥାନ୍ତି ଝିଅ ଦେଖିବା ପାଇଁ I ଦେଖା ଦେଖି ପର୍ବ ସାରିବା ପରେ, ପୁଅ ଆଉ ଝିଅ ଛାତ କୁ ଗଲେ କଥା ହେବା ପାଇଁ I ଝିଅ ସଫା ସଫା ଶୁଣେଇ ଦେଲା, ” ସେ କାଦୁଅ ପଚ ପଚ ଗାଁ ରେ ମୁଁ ଚଳି ପାରିବିନି I ମୁଁ ରହିବି ତୁମ ପାଖେ ସହର ରେ I ତୁମ ବାପା ମା ରହିବେ ଗାଁ ରେ I ତାଙ୍କ ଦାୟିତ୍ୱ ବୁଝିବା ପାଇଁ କାହାକୁ ଗୋଟେ ହଳିଆ ମୁଲିଆ ରଖିବ ଗାଁ ରେ I ଯଦି ଏ ସର୍ତ ରେ ରାଜି ତେବେ ବାହା ହେବି ” I
ମୁଣ୍ଡ ଝାଇଁ ଝାଇଁ କରିଥିଲା ତାଙ୍କର I ବାପା ମାଙ୍କୁ ଏକା ଛାଡି ସେ ରହିବେ ? ବାହା ନହେଲେ ନାହିଁ I ସେହିଦିନୁ ସେ ଛି.. କରିଦେଲେ ବାହା ଘର କୁ I ହେଲେ ଆଜି ?
ଏକା ଏକା ଜୀବନ ରେ ସନ୍ତୁଳି ହେଲା ପରେ ସେ ନିଜେ ବାଛି ନେଇଥିଲେ ଵୃଦ୍ଧାଶ୍ରମ ର ଜୀବନ କୁ ….
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ରାକ୍ଷୀ-(୨ )

ରାକ୍ଷୀ-(୨ )
ସୁବଳ ମହାପାତ୍ର

 

 ଝିଅ ସୁଶ୍ରୀ ଓ ପୁଅ ଅନିମେଶ ଯେତେ କାନ୍ଦି କାଟି ଗଡ଼ିଲେ ବି ଆକାଶ ଓ ସ୍ତ୍ରୀ ସୁଶୀଳା ଥିଲେ ନଛୋଡବନ୍ଧା I ବାପା ମା ରହିଲେ କେତେ ଖର୍ଚ I କେତେ କାମ I ଏତେ ସବୁ ପାଇଁ ସମୟ କାହିଁ? ସେମାନେ ରହନ୍ତୁ ଵୃଦ୍ଧାଶ୍ରମ ରେ I ଦାୟିତ୍ୱ ତ ଟିକେ କମିବ I ବୁଢା ବୁଢ଼ୀ ରହିଲାରୁ ପିଲା ଗୁଡା କିଛି ମାନୁ ନାହାନ୍ତି I କଣ ଟିକେ କହିଦେଲେ ଦୌଡ଼ି ଯାଇ ଜେଜେ ଆଉ ଜେଜୀ କୋଳ ରେ ବସି ପଡୁଛନ୍ତି I ଏମିତି ହେଲେ ତ ସେମାନେ ବାଳୁଙ୍ଗା ହୋଇ ଯିବେ, ପାଠଶାଠ ସବୁ ଚୁଲି କି ଗଲାଣି I ଭବିଷ୍ୟତ କଣ ହେବ? ନା , ନା , ଏ ବୁଢା ବୁଢୀଙ୍କୁ ଏଠୁ ବିଦା ନକଲେ ନଚଳେ I ଗାଁ ରେ ଘର ବି ନାହିଁ I ସବୁ ବିକି ଭାଙ୍ଗି ତ ଆସି ଏଠି ରହିଲେ ଏବେ କୁଆଡେ ଯିବେ ? ତେଣୁ ଵୃଦ୍ଧାଶ୍ରମ ହିଁ ସବୁଠୁ ଭଲ ଜାଗା I ଆକାଶ ବାବୁ ନିଜ ବାପା ମାଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଆସିଲେ I ସୁଶ୍ରୀ ଓ ଅନିମେଶ କିନ୍ତୁ କାନ୍ଦି କାନ୍ଦି ବିଦାୟ ଦେଇଥିଲେ ଜେଜେ ଆଉ ଜେଜୀଙ୍କୁ I
ପର ଦିନ ଥାଏ ରାକ୍ଷୀ ପୁର୍ଣିମା I ସବୁ ବର୍ଷ ପରି ଏଥର ମଧ୍ୟ ଘରେ ରାକ୍ଷୀ ପିନ୍ଧା ପର୍ବ ଆରମ୍ଭ ହେଲା I ଅନିମେଶ ପ୍ରଥମରୁ ସୁଶ୍ରୀ କୁ କହି ରଖିଥାଏ, ” ତୋତେ ଦେବା ପାଇଁ, ବାପାଙ୍କ ଠୁ ମୁଁ ପଇସା ଆଣିବିନି ଆଉ I ମୁଁ ଯେଉଁଦିନ ନିଜେ ରୋଜଗାର କରିବି, ସେଦିନ ତୋତେ ସବୁ ସୁଧ ମୂଳ କରି ଦେବି ଏକସଙ୍ଗେ I”
ଅନିମେଶ ରାକ୍ଷୀ ପିନ୍ଧି ସାରି ସୁଶ୍ରୀ କୁ ପଚାରିଲା, “ରାକ୍ଷୀ ରେ ତୋର କଣ ଦରକାର କହ?
ସୁଶ୍ରୀ – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଅନିମେଶ- ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ପାଖରେ ଆକାଶ ଆଉ ସୁଶୀଳା ଠିଆ ହୋଇ ଏ ଛୋଟ ଭାଇ ଭଉଣୀଙ୍କ କଥାବାର୍ତା ଶୁଣୁଥିଲେ I ବିଜୁଳି ମାରିଲା ଭଳି ଚମକି ପଡିଲେ ଦୁଇ ଜଣ I
କାଳବିଳମ୍ବ ନକରି ଆକାଶ ଘର ଭିତରକୁ ଦୌଡ଼ି ଯାଇ ପେଣ୍ଟ ସାର୍ଟ ପିନ୍ଧିଲା ବେଳକୁ ସୁଶୀଳା ଗାଡି ଚାବି ଧରି ଗେଟ ପାଖରେ ଠିଆ ହୋଇ ଥିଲେ I
ଗନ୍ତବ୍ୟ ସ୍ଥଳ ଥିଲା ଵୃଦ୍ଧାଶ୍ରମ, ବାପା ଓ ମା ଙ୍କୁ ଫେରେଇ ଆଣିବାଲାଗି …
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ରାକ୍ଷୀ-(୧ )

ରାକ୍ଷୀ-(୧ )

ସୁବଳ ମହାପାତ୍ର

 

ସେଦିନ ଥାଏ ରାକ୍ଷୀ ପୁର୍ଣିମା I କଲେଜ ପିଲା ଗୁଡିଏ ଆସି ପହଞ୍ଚି ଥାନ୍ତି ଵୃଦ୍ଧାଶ୍ରମ ରେ I ଉଦ୍ଦେଶ୍ୟ ଵୃଦ୍ଧାଶ୍ରମ ରେ ଥିବା ବୁଢା ମାନଙ୍କୁ ରାକ୍ଷୀ ବାନ୍ଧିବେ I ତାଙ୍କ ମୁହଁ ରେ ଟିକେ ହସ ଫୁଟେଇବେ I ରାକ୍ଷୀ ପିନ୍ଧା ପର୍ବ ସରିବା ପରେ ଜଣ ଜଣ କରି ମିଠା ଖୁଏଇ ଦେଉଥାନ୍ତି ଅନ୍ତର୍ଯ୍ୟାମୀ ବାବୁ ଙ୍କ ପରି ବୁଢା ମାନଙ୍କୁ I ଅନ୍ତର୍ଯ୍ୟାମୀ ବାବୁ ଵୃଦ୍ଧାଶ୍ରମ ର ବାରଣ୍ଡା ରେ ବସି ଫେରି ଯାଉଥିଲେ ତାଙ୍କ କଲେଜ ଜୀବନ କୁ I ଭଉଣୀ ସୁଭଦ୍ରା ସେଦିନ ରାକ୍ଷୀ ବାନ୍ଧିଲା ବେଳେ ଗିଫ୍ଟ ହିସାବରେ ତାଙ୍କ ଠାରୁ କଥା ଟିଏ ସତ୍ୟ କରେଇ ନେଇଥିଲେ I
“ଅନ୍ତର୍ଯ୍ୟାମୀ – ରାକ୍ଷୀ ରେ ତୋର କଣ ଦରକାର କହ?
ସୁଭଦ୍ରା – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଅନ୍ତର୍ଯ୍ୟାମୀ – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ଏଇ ଗୋଟିଏ କଥା ପାଇଁ ଜୀବନ ସାରା ବାପା ଓ ମାମା ର ସେବା ରେ କଟେଇ ଦେଲେ ସେ I
ସରକାର ଙ୍କ ସ୍ଲୋଗାନ “ଆମେ ଦୁଇ ଆମର ଏକ” ରେ ଉଦବୁଦ୍ଧ ହୋଇ ଅନ୍ତର୍ଯ୍ୟାମୀ ବାବୁ ଗୋଟିଏ ପିଲା କରି ରହିଗଲେ I ସ୍ତ୍ରୀ କେତେ ମନ କରିଥିଲେ ଝିଅ ଟିଏ ପାଇଁ I ହେଲେ.. ଆଉ କଣ ହେବ ? ଗୋଟିଏ ଯଥେଷ୍ଟ I ନିଜ ଜିଦ ରେ ଅଟଳ ଥିଲେ ଅନ୍ତର୍ଯ୍ୟାମୀ ବାବୁ I ତାଙ୍କର ଗୋଟିଏ ବୋଲି ପୁଅ I ତା ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ କେହି ନଥିଲେ I ସ୍କୁଲ ବେଳେ କେତେ ସେ କାନ୍ଦିଛି ରାକ୍ଷୀ ଟିଏ ଭିଡ଼ିବ ବୋଲି I ଆସ୍ତେ ଆସ୍ତେ ବଡ ହେଲା ସେ I ପାଠ ପଢି ବଡ ମଣିଷ ହେଲା I ରହିଲା ଦେଶ ବାହାରେ I ତା ମା ମରିଗଲା ପରେ ଗାଁ ର ସବୁ ଜମିବାଡ଼ି ବିକି ଅନ୍ତର୍ଯ୍ୟାମୀ ବାବୁ ଙ୍କୁ ଆଣି ଛାଡ଼ିଦେଇ ଗଲା ଏଇ ଵୃଦ୍ଧାଶ୍ରମ ରେ I
ଆଜି ଅନ୍ତର୍ଯ୍ୟାମୀ ବାବୁ ଭାଳି ହେଉଥିଲେ “ସ୍ତ୍ରୀ କଥା ମାନି ଥିଲେ, ଝିଅ ଟିଏ ହେଲେ ଥାଆନ୍ତା I ସେ ବି ତା ଭାଇ ପାଖରୁ ଏମିତି ଗୋଟିଏ ସତ୍ୟ କରେଇ ନେଇ ଥାନ୍ତା …. “
—-xxxx—-
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଦାୟାଦ

ଦାୟାଦ
ସୁବଳ ମହାପାତ୍ର

 

ଘର ର ଦୁଆର ମୁହଁ ଖୋଲା I ଶକୁନ୍ତଳା ଦେବୀ ଦୁଆର ପିଣ୍ଡା ରେ ବସି ଚାଉଳ ବାଛୁଥାନ୍ତି I ହଠାତ ଘର ଭିତରେ କିଏ ଜଣେ ପ୍ରବେଶ କଲା I ଆସ୍ତେ ଆସ୍ତେ ଶକୁନ୍ତଳା ଦେବୀଙ୍କ ପାଖକୁ ଯାଇ ପଛପଟୁ ତାଙ୍କ ବେକ ରେ ଓହଳେଈ ହେଇ ପଡିଲା I
ଶକୁନ୍ତଳା ଦେବୀ ଚାଉଳ ବାଛୁଥିଲେ ସତ, କିନ୍ତୁ ଅନ୍ୟ ମନସ୍କ ଥିଲେ I କେତେ କଣ ଭାବି ଯାଉଥିଲେ I ମନଟା ଆଜି ଗୋଳେଇ ଘାଣ୍ଟି ହେଉଥିଲା I ରଥଯାତ୍ରା ଆଉ ଦି ଦିନ ରହିଲା I ପାଞ୍ଚ ବର୍ଷ ତଳେ ଜଣେ କଥା ଦେଇଥିଲା ରଥଯାତ୍ରା ରେ ଗାଁ କୁ ଆସିବ, କିନ୍ତୁ ଆଉ ଆସିଲାନି I ଫୋନ ରେ କିଛି ଦିନ କଥାବାର୍ତା, କିନ୍ତୁ ତାପରେ ସବୁ ବନ୍ଦ I ସେ ବି କଣ କରିପାରିଥାନ୍ତେ? ଏଠି ଗାଁ ରେ ଘର ତାଙ୍କର I ଗାଁ ରେ ଲୋକ ମାନେ ଜାତିପ୍ରଥା କୁ ନେଇ ଭାରି ସିରିଏସ I ନିଜ ଘରେ ପଛେ ପାଣିରେ ବୁଡ଼ିଯାଉ, ଅନ୍ୟ କୁ ଦେଖେଇ ଶିଖେଇ କହିବା ଲୋକ କିଛି କମ ନାହାନ୍ତି I ଅଜାଣତରେ ତାଙ୍କ ଆଖି ରୁ ଦି ଧାର ଲୁହ ବୋହି ଯାଇ ଥାଏ I
କିଏ ଜଣେ ପଛରୁ ଧରି ପକେଇଲାରୁ ସେ ଚମକି ପଡି ଉଠି ପଡିଲେ I ପିଲାଟା ବେକରେ ଓହଳେଈ ହେଇଥିଲା I ଶକୁନ୍ତଳା ଦେବୀ ଉଠିପଡ଼ିଲା ରୁ ସେ କିଛି ବାଟ ଉପରକୁ ଉଠି ଯାଇ ଖସି ପଡିଲା I ମୁଣ୍ଡ ଟା ମାଟିଘର ଚଟାଣ ରେ ପିଟି ହେଇ ଗଲା I କିନ୍ତୁ କିଛି ହେଇନି I ପିଲାଟା ତଥାପି ହସୁ ଥାଏ I ଭୂଇଁରୁ ପିଲାଟାକୁ ଟେକି ଆଣି …ଆଃ ଲୋ ଲୋ ମୋ ଛୁଆ…. କହି କୋଳେଇ ନେଲେ ତାକୁ I ଲୁଗା କାନି ରେ ମୁଣ୍ଡଟାକୁ ଆଉଁସି ଦେଲେ I ପିଠିଟାକୁ ଥାପୁଡ଼େଇ ଦେଲେ I ପିଲାଟା ଶକୁନ୍ତଳା ଦେବୀଙ୍କୁ ଚାହିଁ “ଜେଜେମା” ବୋଲି ଡାକି ଦେଲା ଆଉ ଗାଲରେ ହାତ ବୁଲେଇ ଚୁମା ଟେ ଦେଲା I ଚମକି ପଡିଲେ ଶକୁନ୍ତଳା ଦେବୀ “ଜେଜେମା” ? କିଏ ଇଏ ? ମୁଁ ତ ୟାକୁ କେବେ ଦେଖିନି ଗାଁ ରେ I କାହାର ଛୁଆ?
ଛୁଆଟା ୩-୪ ବର୍ଷ ର I ଗୁଲୁଗଳିଆ ହୋଇ ଭାରି ସୁନ୍ଦରିଆ ଛୁଆଟିଏ I ଭଲ ଘର ର ଛୁଆ ପରି ଲାଗୁଥାଏ I ନୂଆ ଡ୍ରେସ ପିନ୍ଧିଥାଏ I ଛୁଆ କୁ କାଖେଇ ବାହାରକୁ ଆସିଲେ ଶକୁନ୍ତଳା ଦେବୀ I ବାହାରେ ବି କେହି ନାହାନ୍ତି I ଆରେ ଆରେ କିଏ ଅଛ କଉଠି ? କିନ୍ତୁ ନା କେହି ବି ନାହାନ୍ତି ବାହାରେ I ସେ ସ୍ବପ୍ନ ଦେଖୁଛନ୍ତି କି ଆଉ ? ନିଜକୁ ଚିମୁଟି ଦେଖିଲେ I ହେଲେ ଏ ଛୁଆ କାହାର ? ବ୍ୟସ୍ତ ହେଇ ପଡୁଥିଲେ ସେ I
ଆରେ, ତୋ ନାଁ କ’ଣ ?
ଦରୋଟି ଭାଷା ରେ ଛୁଆଟି କହିଲା, “ଲି..ପୁ..ନ, ଛଦାଛିବ ମିଶ ଲ” I
ତୋ ବାପାଙ୍କ ନା କଣ?
ଜା..ନି..ନି I
ଏଠିକୁ କେମିତି ଆସିଲୁ ?
ଏ..ଇ..ଟା ଆମ ଘ ..ଲ.. I ତମେ ମୋ ଜେ..ଜେ..ମା I
ଶକୁନ୍ତଳା ଦେବୀଙ୍କ ଆଖି ବାହାରେ କାହାକୁ ଖୋଜୁଥିଲା I କିନ୍ତୁ କେହି ନଥିଲେ ବାହାରେ I ପିଲାଟା ଶକୁନ୍ତଳା ଦେବୀଙ୍କ କାନର ଝୁମୁକା ସହ ଖେଳିବା ଆରମ୍ଭ କରି ଦେଇ ଥାଏ I ବ୍ୟସ୍ତ ହେଇ ପଡୁଥିଲେ ଶକୁନ୍ତଳା ଦେବୀ I ଛୁଆଟା ନିଜର ନିଜର ଲାଗୁଥାଏ I ଦେହର ବାସ୍ନା, ପ୍ରକାଶ ପରି I ହେଲେ ଇଏ କଣ ପ୍ରକାଶ ର ଛୁଆ I ନା, ପ୍ରକାଶ ତା ପାଞ୍ଚ ବର୍ଷ ହେଲା ଘରକୁ ଆସିନି I କିନ୍ତୁ ଇଏ ମୋତେ ଜେଜେମା ଡାକୁଛି କାହିଁକି ? ପ୍ରକାଶ ତ ମୋର ଗୋଟିଏ ବୋଲି ପୁଅ I
ତୋ ବାପା ମା କୁଆଡେ ଗଲେ?
ବାପା.. ଙ୍କୁ.. ମୁଁ ଦେଖି.. ନି I ମା ମୋତେ ଏଠି ଛାଡି ଦେଇ ଗ.. ଲା.. ଭା.. ଲି.. I
ଏ ଛୁଆ କିଏ ? କିଏ ତା ବାପା ମା ? କିଛି ଜଣାନାହିଁ I କିଏ ଜଣେ ଛାଡି ଦେଇ ଗଲା ଭାରି I ଶକୁନ୍ତଳା ଦେବୀ କଣ କରିବେ କିଛି ଭାବି ପାରୁ ନଥିଲେ I ଛୁଆ କୁ କୋଳ ରୁ ଓଲ୍ଲାହୁ ଓଲ୍ଲାହୁ ତା ପକେଟ ରେ କିଛି ଥିବା ଅନୁଭବ କଲେ I ପିଲା ଟିକୁ ଓ଼ଲ୍ଳେହି ଦେଇ ପକେଟ ରେ ହାତ ଭର୍ତି କରି ଚିଠି ଗୋଟେ ପାଇଲେ ସେ I ତର ତର ହୋଇ ଚିଠିଟିକୁ ପଢିବାକୁ ଲାଗିଲେ I
ମା,
ପ୍ରଣାମ ନେବେ I ମୁଁ ଆପଣଙ୍କ ବୋହୁ I ବୋହୁ ବୋଲି ତ କହିବାର ଅଧିକାର ନାହିଁ , କିନ୍ତୁ ଲିପୁନ ଆପଣଙ୍କ ନାତି I
ଆପଣଙ୍କର ମନେଥିବ ଆପଣଙ୍କ ପୁଅ ପ୍ରକାଶ ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଗାଁ କୁ ଆସିଥିଲେ ଆଉ ତାଙ୍କ ବାହାଘର ବିଷୟରେ କହିଥିଲେ I କିନ୍ତୁ ଗାଁ ଲୋକଙ୍କ ଭୟରେ ଆପଣ ଆଉ ବାପା ତାଙ୍କୁ ମନା କରିଥିଲେ ଯେ ସେ ଯେଉଁ ଜାଗାରେ ଚାହୁଁଛନ୍ତି ସେଠି ବାହାଘର କରିବା ସମ୍ଭବ ନୁହଁ I ପ୍ରକାଶ ଗାଁ ରୁ ଗଲା ପରେ ବହୁତ ଡିପ୍ରେସ ଥିଲେ I କିଛି ଦିନ ଅଫିସ କୁ ବି ଯାଇ ନଥିଲେ I ବେଳେ ବେଳେ ଆପଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଏତେ ଡିପ୍ରେସ ଥିଲେ ଯେ ତାଙ୍କୁ ଡାକ୍ତର ଦେଖେଇ ମେଡ଼ିସିନ ଦେବାକୁ ହେଉ ଥିଲା I ଡାକ୍ତର କହିଲେ ସେ କେତେ ବେଳେ ବି ଆତ୍ମହତ୍ୟା କରି ପାରନ୍ତି I ତାଙ୍କର ଦେଖାଶୁଣା ଭଲରେ କର I ସେତେବେଳେ ତାଙ୍କର ଦେଖାଶୁଣା କରିବାକୁ ପାଖରେ କେହି ନଥାନ୍ତି I ମୁଁ ବାଧ୍ୟ ହୋଇ ମୋ ରୁମ ଛାଡି ତାଙ୍କ ପାଖରେ ଆସି ରହିଲି I କିଛି ଦିନ ପରେ ସେ ଆସ୍ତେ ଆସ୍ତେ ଭଲ ହୋଇ ଆସିଲେ I ସେତେବେଳେ ମୁଁ ତାଙ୍କ ରୁମ ରେ ହିଁ ରହୁଥାଏ I ମାତ୍ର କିଛି ଦୁର୍ବଳ ମୁହୂର୍ତ ରେ ମୁଁ ହେଲି ଗର୍ଭବତୀ I କିଛି କରିବାର ନଥିଲା I ଦିନେ ସେ ଘର ଛାଡି କୁଆଡେ ଚାଲି ଗଲେ I ଏ ଅବାଂଛିତ ମାତୃତ୍ୱ କୁ ଧରି ମୁଁ ପଡି ରହିଲି ତାଙ୍କ ଅପେକ୍ଷା ରେ I ବିଗତ ପାଞ୍ଚ ବର୍ଷ ହେଲା ମୁଁ ଅପେକ୍ଷା କରିଛି ତାଙ୍କ ଫେରିବା ବାଟକୁ I
କିଛି ଦିନ ପୂର୍ବରୁ ମୋର ଦେହ ଖରାପ ହେଲା I ଡାକ୍ତର କହିଲେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ I ମୋତେ ବ୍ଲଡ଼ କ୍ୟାନ୍ସର I ସେଥିପାଇଁ ଲିପୁନ କୁ ଆପଣଙ୍କ ପାଖେ ଛାଡିବାର ନିଷ୍ପତି ନେଲି I
ମୁଁ ଏବେ ପୁଣି ଫେରି ଯାଉଛି ହସ୍ପିଟାଲ କୁ I ମୋ ପାଖରେ ବୋଧ ହୁଏ ଆଉ ମାସେ ରୁ ଅଧିକ ସମୟ ନାହିଁ I ଦୟା କରି କ୍ଷମା କରି ଦେବେ I ଆପଣଙ୍କ ନାତି ଆପଣଙ୍କୁ ଲାଗିଲା I ପ୍ରକାଶ ଯଦି କେବେ ଫେରି ଆସନ୍ତି ତେବେ ଏ ଚିଠିଟା ତାଙ୍କୁ ଦେବେ ଓ କହିବେ ଲିପୁନ ତାଙ୍କ ପୁଅ I ରହୁଛି I
ଇତି
ଆପଣଙ୍କର ହତଭାଗିନି ବୋହୁ
ଚିଠିଟିକୁ ଏକ ନିଶ୍ୱାସ ରେ ପଢି ସାରି ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଯାଇଥିଲେ I ଆଖିରୁ ଧାର ଧାର ଲୁହ ବୋହୁ ଥାଏ I ପୁଅ କୁ ହରାଇବାର ଦୁଃଖ ଦ୍ବିଗୁଣିତ କରୁଥାଏ ଲିପୁନ ର ମୁହଁ କୁ ଦେଖି I କାହାର କଣ କ୍ଷତି କରିଥିଲା ପିଲାଟି I ନା କେବେ ଦେଖିଛି ବାପା କୁ, ନା ପାଇଲା ମା ର ସ୍ନେହ I ପୁଅ ପ୍ରକାଶ ର କିଛି ଖୋଜ ଖବର ନାହିଁ I କୁଆଡେ ଗଲା ସେ ? ବାପା, ମା ଆଉ ଗାଁ କୁ ଭଲ ପାଉଥିବା ପିଲାଟା ଏତେ ବଦଳି ଗଲା କେମିତି?
ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଅପେକ୍ଷା କରିଥିଲେ ସ୍ୱାମୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କୁ I କିଛି ବୁଦ୍ଧି ଦିଶୁ ନଥିଲା I ଛୁଆ ଟିକୁ ପୁଣି ଥରେ କୋଳେଇ ନେଲେ I
ମନେ ପଡି ଯାଉଥିଲା ତାଙ୍କର…
ପାଞ୍ଚ ବର୍ଷ ତଳେ ପ୍ରକାଶ ଆସିଥିଲା ଗାଁ କୁ I ବାହା ହେବା ପାଇଁ ଝିଅ ଠିକ କରି ସାରିଛି ବୋଲି କହିଲା I ହେଲେ ଝିଅ ଟି ଖ୍ରୀଷ୍ଟିଆନ I ଗାଁ ରେ ଦୁଇ ଚାରି ଜଣ ଜାଣିଲା ପରେ ଘୋର ବିରୋଧ କଲେ I ଗାଁ ଵାଲା ତାଙ୍କୁ ବାଛନ୍ଦ କରିବେ ବୋଲି ଧମକ ଦେଲେ I ବ୍ରାହ୍ମଣ ର ପୁଅ ହୋଇକି ସେ ବାହା ହେବା କିରସ୍ତାନ କୁ?
ଦୁଇ ଚାରିଦିନ ରହି ପ୍ରକାଶ ଫେରି ଯାଇଥିଲା ତା କର୍ମକ୍ଷେତ୍ର ପୁନେ କୁ I କିଛି ଦିନ ଫୋନ ରେ କଥାବାର୍ତା I କଥାବାର୍ତା ବେଳେ ବି ସେ ବହୁତ ଟେନସନ ରେ ରହିଲା ପରି ଲାଗୁଥିଲା I ଅଳ୍ପ କିଛି ଦିନର କଥାବାର୍ତା ପରେ ଫୋନ ବି ବନ୍ଦ କରି ଦେଲା I ଯେତେ ଫୋନ କଲେ ବି ବାରମ୍ବାର ଫୋନ ସ୍ବୀଚ ଅଫ ଆସୁ ଥାଏ I ଶକୁନ୍ତଳା ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I କିଛି ଅନିଷ୍ଟ ହୋଇଥିବା ଭାବି ସ୍ୱାମୀଙ୍କୁ ପୁନେ ପଠେଇଲେ ଖୋଜ ଖବର ନେବା ପାଇଁ I କିନ୍ତୁ ପ୍ରକାଶ ର ଅଫିସ ରେ ବି କେହି କିଛି କହି ପାରିଲେ ନାହିଁ I କେବଳ ଏତିକି କହିଲେ କିଛି ଦିନ ହେବ ସେ ପାଗଳଙ୍କ ପରି ବ୍ୟବହାର କରୁଥିଲା I ଧୁମ ମଦ ପିଉଥିଲା I କିଛିଦିନ ମଦ ପିଇ ଅଫିସ ଆସିବାରୁ ତାକୁ ନୋଟିସ ବି ଦିଆ ହେଇଥିଲା I କିଛି ଦିନ ପରେ ସେ ଅଫିସ ଆସିବା ବନ୍ଦ କରି ଦେଲା I ଅଫିସ ର କିଛି ଲୋକ ତା ଖୋଜ ଖବର ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ I ତା ବିଷୟରେ କେହି ବି କିଛି ଜାଣି ନାହାନ୍ତି I ବିଫଳ ହୋଇ ଫେରିଥିଲେ ସୌମ୍ୟ ରଞ୍ଜନ ବାବୁ I
**********
ବାପା ମା ଙ୍କର ଏକୋଇରବଳା ବିସିକେଶନ କେଉଁଠି ହଜି ଯାଇଛି I ଆଜି ଯାଏ ତା’ର ଖୋଜ ଖବର କିଛି ମିଳିନି I ଏଇ ସମୟରେ ପ୍ରକାଶ ର ପୁଅ ଆସି ଘରେ I ମୁଣ୍ଡ କାମ କରୁ ନଥିଲା I ସ୍ୱାମୀଙ୍କ ବାଟକୁ ଅନେଇ ବସିଥିଲେ I ଗାଁ ଲୋକେ କଣ କହିବେ ଭାବୁଥିଲେ I ସେପଟେ ଚାଉଳ ଅଧା ବଛା ହୋଇ ଥୁଆ ହୋଇ ଥାଏ I ଚୁଲି ରେ ଭାତ ପାଇଁ ପାଣି ଫୁଟୁ ଥାଏ I କୌଣସି କଥା କୁ ଆଉ ଧ୍ୟାନ ନଥାଏ ତାଙ୍କର I ଦାଣ୍ଡ ପିଣ୍ଡା ରେ ବସି ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଦେଖା ଯାଉ ନଥାଏ ତାଙ୍କୁ I
ସୌମ୍ୟ ରଞ୍ଜନ ବାବୁ ଆସିଲା ପରେ ସବୁ ଶୁଣି ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡିଲେ I
ଭାବି ଯାଉଥିଲେ,
ଗାଁ ଲୋକଙ୍କ ବିରୋଧ I ବାଛନ୍ଦ I ସାଇ ଭାଇଙ୍କ ଟାହି ଟାପରା ..
ଏପଟେ ପୁଅ ର ପୁଅ ଆଉ ସେପଟେ ଗାଁ ..
ପୁଅ ର ଦାୟ ନା ଗାଁ ର…
କଣ କରିବେ..?
ସମ୍ପର୍କ ର ଦୋ ଛକି ରେ ଠିଆ ହୋଇଥିଲେ ସେ ..
ଭାବି ପାରୁ ନଥିଲେ ଏବେ ଅବସ୍ଥା କଣ ହେବ?
ମୁଣ୍ଡ ବୁଲେଇ ଦେଉଥିଲା ତାଙ୍କର…
ପଡି ଯାଉ ଯାଉ ଚୌକି ଉପରେ ବସି ପଡିଲେ ସେ ..
କିଛି ସମୟ ପରେ ମୁହଁ ଟା ତାଙ୍କର ଲାଲ ହୋଇ ଉଠିଲା I ସେ ଭୀଷଣ ନିଷ୍ପତି ନେଇ ସାରିଥିଲେ ଏତିକି ସମୟ ଭିତରେ I ଶେଷ ନିଷ୍ପତି ଥିଲା ,”ଯିଏ ଯାହା କହୁ ପଛେ ମୋ ନାତି ମୋ ପାଖରେ ରହିବ I କାଲି ଯାଇ ମୋ ବୋହୁ କୁ ମୁଁ ନେଇ କି ଆସିବି I ତା’ର ଶେଷ ସମୟ ତକ ସେ ଆମ ପାଖେ ରହିବ I ଗାଁ ଲୋକ ବାଛନ୍ଦ କରିବେ ତ କରନ୍ତୁ I ମଣିଷ କୁ ନେଇ ସମାଜ ନା ସମାଜ କୁ ନେଇ ମଣିଷ? ”
ଶକୁନ୍ତଳା ଦେବୀଙ୍କ ମୁଣ୍ଡରୁ କୁଞ୍ଚିତ ରେଖା ଗୁଡିକ କ୍ରମଶଃ ସିଧା ହୋଇ ଆସୁଥିଲେ I ନିଜେ ଜଗନ୍ନାଥ ଯେ ନିଜେ ଆଜି ଏ ଘରେ ପାଦ ଦେଇଛନ୍ତି, ଏକଥା ସେ ହୃଦୟଙ୍ଗମ କରୁଥିଲେ I ମୁହଁ ରେ ଧାରେ ହସ ଲାଖି ରହିଥିଲା I କାଳିଆ ଉଦ୍ଦେଶ୍ୟରେ ହାତ ଯୋଡି ସାରି ସେ ଛୁଆ ଟିକୁ ପଚାରିଲେ ଖାଇଛୁ କଣ?
ସକାଲେ.. ପୁଲି.. ଖାଇଥିଲି I
ଦିନ ଆସି ବାରଟା ହେଲାଣି I ଛୁଆ ଟା ଖାଇନି କିଛି I ଶକୁନ୍ତଳା ଦେବୀ ସ୍ୱାମୀଙ୍କ ପାଖରେ ପିଲାକୁ ଛାଡି ତର ତର ହୋଇ ଉଠି ଗଲେ କିଛି ଖାଦ୍ୟ ଆଣିବାକୁ I
ସୌମ୍ୟ ରଞ୍ଜନ ବାବୁ ପିଲାକୁ କୋଳ କୁ ନେଇ ତା ମୁଣ୍ଡ ଆଉଁସି ଦେଉଥିଲେ I
–x–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ସହରୀ ବୋହୁ….

ସହରୀ ବୋହୁ….
ସୁବଳ ମହାପାତ୍ର

 

ଖରା ଦିନ I ସ୍କୁଲ ଛୁଟି I ବହୁତ ଦିନ ହେଲା ଗାଁ ଆଡେ ଯାଇ ନଥିଲି I ପ୍ରାୟ ୨ ବର୍ଷ ହେଇ ଯିବ I ଭାବିଲି ଯାଏ, ଗାଁ ଆଡେ ଟିକେ ବୁଲି ଆସେ I ମୋ ହିରୋ ହୋଣ୍ଡା ବାଇକ ଧରି ଗାଁ ଅଭିମୁଖେ ବାହାରି ପଡିଲି I ଏକା ଏକା ମଣିଷ, ଯୁଆଡେ ମନ ସିଆଡେ ଯାଅ କିଏ ପଚାରୁଛି I ଖରା ବଢି ବଢି ଚାଲିଥାଏ I ଘରୁ ବାହାରୁ ବାହାରୁ ଦିନ ୧୦ ଟା ହେଇ ଗଲା I ମୋ ରହିବା ଜାଗା ଠୁ ଗାଁ ପ୍ରାୟ ୧୮୦ କିଲୋମିଟର I ପାଖାପାଖି ୪ ଘଣ୍ଟା ଲାଗିବ I ବସ ଛାଡି ବାଇକ ରେ ବାହାରିଲି I ସବୁ ଆଡେ ଦେଖି ଦେଖି ଯାଇ ହବ I ସେମିତି ବି ଗାଁ ରେ ଗଛ ପତ୍ର ବେଶି ତେଣୁ ଗରମ ବେଶି ହୁଏନି I ରାସ୍ତା ସାରା ଗଛ ଭର୍ତି ତେଣୁ ଖରା ବି ବାଧେନି I ପାଖା ପାଖି ୧୨୦ କିଲୋମିଟର ମୁଁ ଅତିକ୍ରମ କରି ସାରିଥାଏ I ରାସ୍ତା କଡ ରେ ଜାମୁକୋଳି ବିକ୍ରି ହେଉଥିବା ଦେଖି ଗାଡି ରଖିଲି I ଜାମୁ କୋଳି ମୋର ବହୁତ ପ୍ରିୟ, କିନ୍ତୁ ଏ ସହରରେ ରହିଲା ପରେ ନା ଜାମୁକୋଳି କିଣି କି ଖାଇ ହେଉଛି ନା ସେ ଜାମୁକୋଳି ର ସ୍ୱାଦ ଅଛି I
ବୁଢ଼ୀ ମାଉସୀ ଜଣେ ଜାମୁକୋଳି ବିକ୍ରି କରୁ ଥାନ୍ତି I ବୟସ ପାଖା ପାଖି ୭୫-୮୦ I ଏକା ଏକା ରାସ୍ତା କଡରେ ବସିଥାଏ ବୁଢ଼ୀ ମାଉସୀ I ଆଖ ପାଖରେ କେହି ବି ନଥାନ୍ତି I ଜାମୁକୋଳି ଭାଗ ୧୦ ଟଙ୍କା I ଗୋଟେ ଭାଗ ରେ ୨୦ ଟା ପାଖାପାଖି କୋଳି ଥାଏ I ସହରିଆ ଲୋକଙ୍କର ଅଭ୍ୟାସ ମୁଲା ମୁଲି କରିବା I ମୁଁ ବି ମାଉସୀ କୁ ଆଉ ଦି ଟା ଆଉ ଦି ଟା କହି ମୋ ଭାଗ ବଢ଼େଇ ଚାଲି ଥାଏ I ମାଉସୀ ବି ନାହିଁ ନାହିଁ କରି ଗୋଟେ ଗୋଟେ ଦେଉ ଥାଏ I ମାଉସୀ ଜାମୁକୋଳି ବଢା଼ଉ ବଢା଼ଉ ଦେଖିଲି ମାଉସୀ ହାତରେ ଗୋଟେ ଆଁଚୁଡା ଦାଗ I ଦାଗ ଟା କହୁଣୀ ପାଖରୁ କାନ୍ଧ ଯାଏ ଲମ୍ବି ଥାଏ I ମଜା ମଜା ରେ ପଚାରିଦେଲି, “କଣ ମାଉସୀ, ଗଛରେ ଚଢ଼ିଥିଲ କି?, ହାତ ଗୋଡ ଖଣ୍ଡିଆ କରି କି ଆସିଛ ” I ମାଉସୀ ମୁହଁ ତଳକୁ କରି ଦେଲା I ମୁଁ ମାଉସୀ କୁ ୨୦ ଟଙ୍କା ଦେଇ ୨ ଭାଗ ଜାମୁକୋଳି ପଲିଥିନ ରେ ଭର୍ତି କଲି I
ଗାଡି ଚଢି ଷ୍ଟାଟ ମାରିବା ପୂର୍ବରୁ ଦେଖିଲି ମାଉସୀ ଆଖି ରେ ଲୁହ ଢଳ ଢଳ କରୁଥିଲା I କ’ଣ ମନ ହେଲା, ଫେରି ଆସି ମାଉସୀ କୁ କହିଲି, ଅଧିକ ଦି ଟା ନେଇ ଗଲି ବୋଲି ମନ ଦୁଃଖ କରୁଛ କି ମାଉସୀ ? ମାଉସୀ କହିଲା ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ? ଆଉ ଟିକେ ମାଉସୀ ସହ କଥା ହବାକୁ ଇଛା ହେଲା I ସେମିତି ବି ଖରା ବଢି ଯାଇଥାଏ I ମୁଁ ଆସୁଛି ବୋଲି ଗାଁ ରେ କାହାକୁ ଜଣେଇ ନଥାଏ, ତେଣୁ ମୋ ପାଇଁ କେହି ବି ବ୍ୟସ୍ତ ହେବାର ନାହିଁ I ଗଛ ମୂଳରେ ଥଣ୍ଡା ପବନ ମନକୁ ଶାନ୍ତ କରି ଦେଉ ଥାଏ I ମନ ହେଉଥାଏ ଦଉଡ଼ିଆ ଖଟ ଗୋଟେ ପକେଇ ଏଇ ଗଛ ମୂଳେ ଶୋଇ ଯିବାକୁ I ସହରରେ କଣ ମିଳିବ ଏ ଆନନ୍ଦ I ମାଉସୀ ସହ କଥା ହେବା ପାଇଁ ତା ପାଲ ଉପରେ ବସି ପଡିଲି I ମାଉସୀ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ବସିଥାଏ I ମାଉସୀ କୁ ପଚାରିଲି ତା’ ଘର କଥା I ମାଉସୀ କହିବ, କହିବନି, କହିବ, କହିବନି ହେଲା I ମୁଁ ବି ନଛୋଡବନ୍ଧା I ସ୍କୁଲ ରେ ପିଲାଙ୍କଠାରୁ ସତ ଆଦାୟ କରିବା କାଇଦା ଜଣା ମୋତେ I ବୁଲେଇ ଵାଲେଇ ମାଉସୀ ଠୁ କଥା ଆଦାୟ କଲି I ମାଉସୀ କୁ ତା ସ୍ୱାମୀ କଥା ପଚାରିଲି I କହୁ କହୁ ମାଉସୀ ମଝିରେ ମଝିରେ କାନ୍ଦି ପକାଉ ଥାଏ ଆଉ ବର୍ଣନା କରୁଥାଏ ତା ଘର କଥା I
୧୬ ବର୍ଷ ରେ ସେ ବୋହୁ ହେଇ ଆସିଥିଲା ଏ ଗାଁ କୁ I ସେତେବେଳେ ତା ସ୍ୱାମୀ ର ବୟସ ୨୭ ବର୍ଷ I ଭେଣ୍ଡିଆ ପିଲା, ବଳିଷ୍ଠ ବାହୁ, ଚଉଡା ଛାତି ସାଙ୍ଗକୁ, ହାତୀଟାକର ବଳ ତା ସ୍ୱାମୀ ଦେହରେ I ଛୋଟ ଛୁଆ ହାତରେ କଣ୍ଢେଇ ପରିକା ଦେଖା ଯାଉ ଥାଏ ମାଉସୀ ତା ସ୍ୱାମୀ ସାଙ୍ଗେ I ଘରେ ଶାଶୁ ଶଶୁର ଆଉ ଗୋଟିଏ ବୋଲି ନଣନ୍ଦ I ସେ କହି ଚାଲି ଥାଏ, ” ବାପ ଘରୁ ଆସିଲା ବେଳେ ମା ମୋତେ ସବୁ ଶିଖେଇ କି ପଠେଇ ଥିଲା I ପିଠା କରା ଠୁ ଘଷି ପରା ଯାଏ, ମାଉଁସ ରନ୍ଧା ଠୁ ଗୋବର ଲିପା ଯାଏ, ସଅବୁ I ବଡ ମାନଙ୍କୁ ସମ୍ମାନ ସହ ସାନ ମାନଙ୍କୁ ସ୍ନେହ ଆଉ ଶାଶୁ ଘରେ କେମିତି ଚଳିବାକୁ ହୁଏ, ସବୁ ମୋ ମା ମୋତେ ଶିଖେଇ ଥିଲା I ମୋ ଶାଶୁ ଶଶୁର ମଲେ ପଛେ କେବେ ବି ଆମ ପାଖରୁ କଡା କଥା ଶୁଣି ନଥିଲେ I ଶଶୁରଙ୍କ ମୁହଁ କୁ ଯିବାକୁ ଡର ଲାଗୁଥିଲା I ଶାଶୁ ଉଠ କହିଲେ ଉଠୁଥିଲୁ, ବସ କହିଲେ ବସୁଥିଲୁ I ନା କହିବାର ଜୁ ନଥିଲା I ନଣନ୍ଦ ମୋ ସାଙ୍ଗ ପରି ଥିଲା I କିଛି ଅଛପା ନଥିଲା ଆମ ଦୁହିଁଙ୍କ ଭିତରେ I ନୂଆଉ, ନୂଆଉ ବୋଲି ପାଣି ପିଉ ନଥିଲା ସେ I ସ୍ନେହ ଆଦର ର ସହ ଚାଲୁଥିଲା ଆମ ଘର ସଂସାର ” I ଆଉ ଏବେ.. ଛିଃ ଛିଃ… ଯଉ ମାଇକିନା ଖଣ୍ଡେ ଖଣ୍ଡେ, ପାଠ ଦି ଅକ୍ଷର କ’ଣ ପଢି ଦେଲେ ବୋଲି ବଡ କୁ ବଡ ଆଉ ସାନ କୁ ସାନ ବୋଲି ମାନୁ ନାହାନ୍ତି I ଆମ ଗାଁ ଝିଅ ଭଲ, ଏ ଯଉ ସହରୀ ଝିଅ ଅଛନ୍ତି ସେ ଭାରି ମାରାତ୍ମକ I
ମୁଁ ପଚାରି ଦେଲି କାଇଁ, କଣ ହେଲା କି ମାଉସୀ? ତମକୁ କିଏ କଣ କହିଲା କି? ମାଉସୀ ର ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା I କହିଲା ମୋତେ ଏବେ ୩କୋଡ଼ି ପୁରି ୧୬ ଚାଲିଲା I ମୋ ଘଇତା କୁ ୪କୋଡ଼ି ୭ I ତାର ଆଉ ବଳ ବୟସ ନାହିଁ I ବୁଢା ଶେଜ ରେ ଶୋଇ ରହୁଛି I ଚାଲିବାକୁ ବଳ ନାହିଁ I ମୋର ଗୋଟିଏ ପୁଅ ଗୋଟିଏ ଝିଅ I ଝିଅ କୁ ବାହା ଦେଇଛି I ସେ ମଝିରେ ମଝିରେ ଘରକୁ ଆସୁଥିଲା I ତା ଭାଇ, ସେ ଶାଶୂଘରକୁ ଗଲା ବେଳେ ଭାର ଆଉ ପଇସା ଦେଲାନି ବୋଲି ଏବେ ଆଉ ଆସୁନି I ପୁଅ ସହରରେ ରହେ I ସେଠାରେ ଗୋଟେ ଦୋକାନ ରେ କାମ କରେ I ମାସକୁ ଥରେ ଘରକୁ ଆସେ I ଦିନେ ଘରକୁ ଆସିଲା ବେଳେ ସହରରୁ ଝିଅଟେ ଧରି କି ଆସିଲା I ମୋର କେତେ ଆଶା ଥିଲା ପୁଅ କୁ ବାହାଘର କରିବି I ହେଲାନି, ସେ କୁଆଡୁ ଗୋଟେ ଧରିକି ଆସିଲା I କହିଲା ମନ୍ଦିର ରେ ବାହା ହେଇ ସାରିଚୁ, ଆଉ ପଇସା ଖର୍ଚ କରିବା ଦରକାର ନାହିଁ I ଯାହା ଟଙ୍କା ସୁନା ତା’ ବାହାଘର ପାଇଁ ରଖିଥିଲି ସବୁ ନେଇ ଗଲା I ଏ ଗଳଗ୍ରହ କୁ ଏଠି ଛାଡ଼ିଦେଇ ଗଲା I ଆମେ ତ ଆଉ କାମ ଦାମ କୁ ପାରୁନୁ I ବୋହୁ ରୋଷେଇ ବାସ, ଘର କାମ ପାଇଟି ସବୁ କରେ I ମାସ ଦି ଟା ଯାଇଛି କି ନାହିଁ ସେ ତା ରଙ୍ଗ ଦେଖେଇବା ଆରମ୍ଭ କଲା I କଥା କଥା ରେ ପାଟି, ଗାଳି, ଅସଭ୍ୟ ଭାଷା ସବୁ କହିଲା I ଥରେ ଅଧେ ପୁଅ କୁ କହିଲି, ପୁଅ ଶୁଣି, ନ ଶୁଣିଲା ପରିକା ହେଲା I କହିଲା, ସେ ସହରୀ ଝିଅ, କାମ ଦାମ କରି ନଥିଲା, ଏଠି ଟିକେ ହଇରାଣ ହଉଚି, କଣ ଯଦି ଟିକେ କହିଦେଲା ତୁ ଦିହ କୁ ନେଏ ନି I ଆସ୍ତେ ଆସ୍ତେ ତା ଦୌରାତ୍ମ୍ୟ ବଢି ବଢି ଚାଲିଲା I ମୁଁ କେତେ ବେଳେ କେମିତି ଆଗରୁ କହି ଦଉ ଥିଲି I ଏବେ ତ ସେ ମାରିବାକୁ ଗୋଡ଼ଉଛି I
ମୁଁ ପଚାରିଲି, ମାଉସୀ ଏ ଜାମୁ କୋଳି କେବେଠୁ ବିକ୍ରି କରୁଛ? ମାଉସୀ ପୁଣି ଆରମ୍ଭ କଲା ,”୧୫ ଦିନ ହେଲାଣି I ଦିନକୁ ୧୦୦ ଟଙ୍କା ର ବିକ୍ରି ନକଲେ, ସେ ଡାହାଣୀ ଖାଇବାକୁ ଦଉନି I ଏ ଜାମୁ ଗଛ ମୁଁ ବାହା ହେଇ ଆସିବାର ବର୍ଷେ ପୁରିବା ଦିନ ବୁଢା ଆଉ ମୁଁ ନିଜ ହାତରେ ଲଗେଇ ଥିଲୁ I ଏବେ ଏଇ ଆମର ଭରସା I ସବୁଦିନ ସକାଳୁ ଉଠି ଆଙ୍କୁଡ଼ି ରେ କୋଳି ପାରେ ଆଉ ଧରିକି ଏଠାକୁ ଆସେ I ୧୦୦ ଟଙ୍କା ନେଇ କି ନଗଲେ ସେ ସବାଖାଇ ରାତିରେ ଖାଇବାକୁ ଦିଏନି I ବୁଢା କୁ ଠିଆ ଗୋଇଠା ମାରେ I ସକାଳୁ ପଖାଳ ଗଣ୍ଡେ ଯାହା ଖାଇ ଥାଏ I ବେଳେ ବେଳେ ବୁଢାକୁ ଖାଇବାକୁ ଦିଏନି I କହେ, ଏଟା ର ତ ଆଉ କିଛି କାମ ନାହିଁ , ଏଟା ବଞ୍ଚିକି ଯାହା ଅନ୍ନ ଧ୍ୱଂସ କରୁଛି I ମରିଗଲେ ଯାଆନ୍ତା I ମୁଁ କାମ କୁ ପାରୁଛି ବୋଲି ମୋତେ ପଖାଳ ମୁଠେ ମୁଠେ ଦିଏ I ମୁଁ ତାକୁ ଲୁଚେଇ ବୁଢା ପାଟିରେ ଗୂଂଡେ ଗୂଂଡେ ଦେଇ ଦିଏ I କାଲି ଜମା ଦି କୋଡ଼ି ୧୦ ଟଙ୍କା ହେଲା ବୋଲି ସେ ବୁଢାକୁ ଖାଇବାକୁ ଦେଲାନି I ମୁଁ ଲୁଚେଇକି ମୋ ଭାଗ ରୁ ଦେଲା ବେଳେ ଦେଖି ଦେଲା ଯେ ମାରି କି ନୋଳା ଫଟେଇ ଦେଇଛି I ହାତ ରେ ଯାହା ପଡିଲା ସେଇଥିରେ ବାଡ଼ଉଛି ” I ଏତିକି କହି ଲୁହ ଢଳ ଢଳ ଆଖିରେ ମାଉସୀ ତା’ ହାତ ର ଆଁଚୁଡା ଦାଗ କୁ ଦେଖେଇଲା I କହିଲା, “ଚୁଲି ମୁଣ୍ଡେ ଜାଳ ପାଇଁ ବାଉଁଶ ଫାଳ ରଖିଥିଲା, ସେଇଥିରେ ବାଡେଇଛି I ” ମାଉସୀ ହାତର ନୋଳା ଦେଖି ମୋ ଆଖି ଓଦା ହେଇ ଆସିଲା I ମଣିଷ ଯେ ଏତେ ନିଷ୍ଠୁର ହେଇ ପାରେ, ମୋ କଳ୍ପନା ବାହାରେ ଥିଲା I
ମୁଁ କହିଲି ମାଉସୀ, ତମେ ଗାଁ ରେ ସରପଞ୍ଚ କୁ କହୁନ, ଏବେ ତ କେତେ ଆଇନ ହେଲାଣି I ମାଉସୀ କହିଲା, “ପୁଅ ରେ, ସାଇ ପଡିସା, ଭାଇ ଭଗାରୀ ମାନେ ତ ସବୁ କଥା ଦେଖି ନାକରେ କାଠି ଗେଞ୍ଜି ହସୁଛନ୍ତି I ଆଉ କଣ କୋରଟ, କଚିରି ରେ କଥା ପକେଇ ନିଜକୁ ଲାଜ ଦେବି I ନିଜ ଘର ଇଜତ ତଳେ ପକେଇବି? ବୟସ ଆଉ ଅଛି, କୋରଟ କୁ ଧାଇଁବାକୁ ? ଆମେ ତ ପାଚିଲା ପତର, କେତେବେଳେ ଛିଡି ପଈଲେ ଗଲା I କଣ ମିଳିବ ସେ କୋରଟ, କଚିରି ରୁ ” I
ମୁଁ ପଚାରିଲି, ଆଚ୍ଛା ମାଉସୀ, ଆଜି ସକାଳୁ କଣ ଖାଇଛ? ମାଉସୀ ଆଉ କୋହ ସମ୍ଭାଳି ପାରିଲା ନାହିଁ I କାନ୍ଦି କାନ୍ଦି କହିଲା, ସକାଳୁ କଂସା ରେ ଭାତ ଗଣି ଗଣି ୨ ଟା ଆଉ ତୋରାଣି ମୁନ୍ଦେ ମୋ ଆଗରେ ଥୋଇ ଦେଲା I ବୁଢା କୁ ଦେଲାନି I ସେ ଗାଧେଇ ଗଲା ବେଳେ ମୁଁ ବୁଢାକୁ ତୋରାଣି ତକ ପିଏଇ ଦେଇ ଆଇଲି I ଆସିଲା ବେଳେ ଗୁଡ଼ିଆ ଘରୁ ଭୁଜା ଦି କଳ ମାଗି କି ଆଣି ଥିଲି ଯେ ଅଣ୍ଟି ରେ ବନ୍ଧା ହେଇଚି I ପାଟିକୁ ୠଚୁନି I ଆଜି ଯଦି ୧୦୦ ଟଙ୍କା ନହେବ, ସେ ଆଜିବି ଖାଇବାକୁ ଦବନି I ମୁଁ ତ ହେଲେ ପାରୁଚି, ବୁଢା ନଖାଇଲେ ଆଉ ବଞ୍ଚିବ? ବୁଢା ପାଇଁ ଏଇ ତକ ରଖିଛି I ସେ ମୋତେ ତା କାନି ରେ ବନ୍ଧା ହୋଇଥିବା ଦି ମୁଠା ମୁଢି ଦେଖେଇଲା I ମୁଢି ସେତେ ବେଳକୁ ଶୁଖି କି ସେମେଟି ଯାଇଥାଏ I ମୋ ଆଖିର ଲୁହ ଆଉ କଥା ମାନିବା ଅବସ୍ଥା ରେ ନଥାନ୍ତି I
ମୁଁ ଚିନ୍ତା କରୁ ଥାଏ, ସକାଳୁ ମୁଁ ବରା ଆଉ ଆଳୁଚପ ୨୦ ଟଙ୍କା ର ଖାଇଛି I ଆସିଲା ବେଳେ ପଛ ଛକରେ ୧୦୦ ଟଙ୍କା ଦେଇ ମାଂସ ଆଉ ଭାତ ଖାଇକି ଆସିଲି I ଏଇ ବୁଢ଼ୀ ପାଖରୁ ଆଉ ଦି ଟା, ଆଉ ଦି ଟା, କରି ଭାଗ ୧୦ ଟଙ୍କା ରେ ୩୦ ଟା ଜାମୁ କୋଳି ହିସାବରେ ୨ ଭାଗ ପଲିଥିନ ରେ ରଖିଛି I ଏଠି ସୁଲୁ ସୁଲିଆ ପବନ ରେ ଆଖି ମାଡି ମାଡି ପଡୁଥିଲା I ଆଉ ଏ ବୁଢ଼ୀ ଲୋକ ଟି ନିଜ ବାସି ତୋରାଣି ତା ସ୍ୱାମୀ କୁ ଦେଇ ମୁଢି ଦି ଟା ବି ନଖାଇ ସକାଳ ପହରୁ କଞ୍ଚା ପାଣି ମୁନ୍ଦେ ପିଇ ଏଠି ବସିଛି, କିନ୍ତୁ କି ମିଠା କଥାରେ ସେ ମୋତେ କହିଥିଲା, “ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ?” I କେତେ ବଡ ହୃଦୟ ଏମାନଙ୍କର I ପାଖରେ ପଇସା ନାହିଁ, ଦି ଦିନ ହେଲା ପେଟରେ ଅନ୍ନ ମୁଠେ ପଡିନି I ବୁଢା ବୁଢ଼ୀ ବୟସ ରେ ବୋହୁ ପାଖରୁ ମାଡ ଖାଉଛନ୍ତି I ତଥାପି ମୁହଁ ରେ ହସ ଅଛି I ସବୁ କିଛି ସହି ନେବାର ଶକ୍ତି ଅଛି ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଜଣଙ୍କ ପ୍ରତି ଆଉ ଜଣକ ର ଭଲ ପାଇବା ଅଛି I ସତରେ ଏମାନେ ମହାନ I
ମୁଁ ଆଉ ସେଠି ବସି ପାରିବା ଅବସ୍ଥା ରେ ନଥିଲି I ପର୍ସ ରୁ ୨୦୦ ଟଙ୍କା ବାହାର କରି ମାଉସୀ ହାତରେ ଧରେଇ ଦେଲି I କହିଲି ମାଉସୀ ଏଇଟା ମୋ ତରଫରୁ ତମ ମିଠା ମିଠା କଥା ପାଇଁ I ବୁଢ଼ୀ କହିଲା, “ବାବୁ, ମୁଁ ଭିକାରି ନୁହଁ ” I
ପୁଅ ରୁ ବାବୁ? କିଛି ସମୟ ପୂର୍ବରୁ କେତେ ଅତ୍ମୀୟତା ରେ ସେ ପୁଅ କହୁଥିଲା I ଏବେ ବାବୁ? କି ସ୍ୱାଭିମାନ ଏ ବୁଢ଼ୀର I ମରି ଯିବେ ପଛେ ଭିକ ନେବେନି I
ମୁଁ କହିଲି ମାଉସୀ, ମୁଁ ଭିକ ଦଉନି I ତମର ସବୁ ଯାକ ଜାମୁକୋଳି ମୁଁ କିଣି ନେଲି I ନିଅ ରଖ I ଆଉ ତମ ବୋହୁ କୁ ଆଜି ୧୦୦ ଟଙ୍କା ଦବ ଆଉ ୧୦୦ ଟଙ୍କା କାଲି ଦବ I ହେଲା I ବୁଢ଼ୀ ମୁହଁ ରେ ହସ ଦେଖି ଯେତେ ଆତ୍ମ ତୃପ୍ତି ମିଳିଲା, ମୋ ଜୀବନରେ ସେ ଭଳି ଖୁସି ମୋତେ ଆଜି ଯାଏ ମିଳି ନଥିଲା I ବୁଢ଼ୀ ମୋତେ ଆଶ୍ରିବାଦ ଦେଉ ଦେଉ ମୋ ପାଇଁ କୋଳି ତକ ପଲିଥିନ ରେ ବାନ୍ଧି ଦେଲା I ଆଉ ତା’ ସରୁ ଟାଣୁଆ ଶିରାଳ ହାତ ଟା ମୋ ମୁଣ୍ଡ ଉପରେ ବୁଲେଇ ଆଣିଲା I
ମୁଁ ଆଉ ଗାଁ କୁ ନଯାଇ ପୁଣି ସହରକୁ ଗାଡି ବୁଲେଇଲି I ଆସିଲା ବେଳେ ବୁଢ଼ୀ ପୁଅ ର ଠିକଣା ଟା ବୁଝି କି ଆସିଥିଲି I ଠିକ କଲି ଘର କୁ ଯିବା ପୂର୍ବରୁ ତା ପୁଅ କୁ ଟିକେ ଦେଖା କରି କି ଯିବି I ଆସିଲା ବେଳେ ଭାବି ଭାବି ଆସୁଥିଲି ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ I ସେଇ ବୁଢ଼ୀ ଗାଁ ଝିଅ, ବୋହୁ ବେଳେ କଣ ନକରି ଥିଲା? ଆଉ ଶାଶୁ ହେଲା ପରେ କଣ ପାଇଲା I ଏଥିରେ ଭୁଲ କାହାର? ନ୍ୟୁକ୍ଲିଅର ଫ୍ୟାମିଲି ର ନା ସହରୀ ଝିଅ ମାନଙ୍କର ନା ସେମାନଙ୍କ ମା ବାପାଙ୍କର?
କିଛିଦିନ ପୂର୍ବରୁ ଫେସବୁକ ରେ ଗୋଟେ ଫୋଟୋ ଦେଖିଥିଲି, ଯେଉଁଥିରେ ଲେଖା ଥିଲା, “ଦରକାର ଥାଉ ଵା ନଥାଉ, ବେଳେ ବେଳେ କିଛି ଜିନିଷ ଅକାରଣ ରେ କିଣିବା କଥା I କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ ପାଇଁ ” I ଆଜି ହୃଦୟଙ୍ଗମ କରୁଥିଲି I
——————————–xxx——————————–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ତୃତୀୟ ଲିଙ୍ଗ

ତୃତୀୟ ଲିଙ୍ଗ 
ସୁବଳ ମହାପାତ୍ର

ଏ ଶାହରୁଖ ଦେ.. ନା..
ଏ ଚିକନେ, ଏ ସଲମାନ ଦେ.. ନା ..
ଏ ହିରୋ .. ଦେ.. ନା..
ହାତରେ ମେଞ୍ଚେ ଦଶ ଟଙ୍କିଆ ଧରି ତାଳି ବଜେଇ ବଜେଇ ଟ୍ରେନ ର ବଗି ଭିତରକୁ ପଶିଲା ସେ I ବୟସ ୨୮-୩୦ ହେବ I ମଝିରୁ ଭଙ୍ଗା ଯାଇଥିବା ଦଶ ଟଙ୍କିଆ ଗୁଡିଏ ତା ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ମଝିରେ ପଶି ରହିଥାନ୍ତି I ଏମିତି ଭାବରେ ଧରି ରଖିଥାଏ ଯେ ଗୋଟେ ହେଲେ ବି ତଳେ ପଡ଼ିବନି I ଦୁଇ ହାତରେ ଜୋର ରେ ତାଳି ବଜେଇ ବଜେଇ ଆଗକୁ ମାଡି ଚାଲିଥାଏ ସେ ଆଉ କାହାଠୁ ପାଞ୍ଚ କାହାଠୁ ଦଶ ଅବା କାହାଠୁ ପଚାଶ ପାଇ ସେ ଚାଲି ଯାଉଥାଏ ଆଗକୁ ଆଗକୁ I ପ୍ରତି ବର୍ଥ ଭିତରେ ପଶି ସେ ଦେଖୁଥାଏ କିଏ କିଏ ସବୁ ଗଜା ଟୋକା ଅଛନ୍ତି I ଭଲ ମିଳିବ ସେମାନଙ୍କଠୁ I ଏ ବୁଢା ଗୁଡା ପଇସା ଦିଅନ୍ତିନି I କିଏ କିଏ ଛେଇ ଛେଇ ମାର ମାର କରନ୍ତି ଆଉ କିଏ କିଏ ମୁହଁ ଏପରି ମୋଡି ଅନ୍ୟ ଆଡେ ଚାହାନ୍ତି ଯେପରି ସେମାନେ ପୃଥିବୀ ର ସବୁଠୁ ଘୃଣ୍ୟ ବସ୍ତୁ ଟିଏ ଦେଖୁଛନ୍ତି I ଅବଶୋଷ ନଥାଏ ତା’ର I ଯିଏ ଯାହା ଦେଲା I କାହାକୁ ନା ନାହିଁ I କିଏ କିଏ ଅବା ଟଙ୍କାକିଆ କିମ୍ବା ଦି ଟଙ୍କିଆ କଏନ ଗୋଟେ ଯୋଡ଼େ ଦିଅନ୍ତି I ସେ କାହାକୁ ଜୁଲୁମ କରୁ ନଥାଏ ଅବା କାହାକୁ ଅସଭ୍ୟ ଭାଷା ରେ ଗାଳି କରୁ ନଥାଏ I ଅନ୍ୟ ମାନଙ୍କ ପରି ସେ ଜୋର ଜବରଦସ୍ତି କରୁ ନଥାଏ ଅବା ଦେ.. ଦେ.. କହି ଲୁଗା ଉଠାଉ ନଥାଏ I ଶାନ୍ତ ସରଳ ଭାବରେ ଚିରାଚରିତ ଢଙ୍ଗରେ ଏ ଶାହରୁଖ ଦେ.. ନା.. ଏ ଚିକନେ, ଏ ସଲମାନ ଦେ.. ନା .. କହି କହି ହାତ ପତଉଥାଏ ବଗି ଭିତରେ ବସିଥିବା ପ୍ରତିଟି ମଣିଷଙ୍କ ପାଖରେ ଆଉ ଯିଏ ଯାହା ଦେଲା ତାକୁ ମଝିରୁ ଭାଙ୍ଗି ନିଜ ବାମ ହାତରେ ଧରୁଥାଏ I ତାକୁ ଦେଖି କିଏ କିଏ ନିଜ ଜାଗା ଛାଡି ଚାଲି ଚାଲି କବାଟ ପାଖକୁ ଯାଉଥାନ୍ତି ଯେମିତି ସେ ଏମାନଙ୍କୁ ପଇସା ମାଗିବନି କିମ୍ବା ସେ ଆସିଲା ବେଳକୁ ପଶି ଯାଇ ହେବ ଶୌଚାଳୟ ଭିତରେ I
ଟ୍ରେନ ଚାଲିଥାଏ ତା ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ I ମଝିରେ ମଝିରେ କୌଣସି ଷ୍ଟେସନ ଅବା ସିଗ୍ନାଲ ନ ମିଳିଲେ ଠିଆ ହୋଇ ଯାଉଥାଏ ଘଡ଼ିଏ, ପୁଣି ଚାଲିବାକୁ ଆରମ୍ଭ କରୁଥାଏ ହ୍ୱିସିଲ ବଜେଇ I ତାକୁ କିନ୍ତୁ କିଛି ଫରକ ପଡୁ ନଥାଏ I ପଛ ଷ୍ଟେସନ ଗଲା ବ୍ରହ୍ମପୁର I ଟ୍ରେନ ଚାଲୁଥାଏ ଭୁବନେଶ୍ୱର ରୁ ବାଙ୍ଗାଲୋର I ଯାତ୍ରୀମାନେ ସକାଳ ୬ ଟା ରୁ ଟ୍ରେନ ରେ ବସିଛନ୍ତି I କିଏ କିଏ ଅବା ଅପର ବର୍ଥ ରେ ଶୋଇଛନ୍ତି I କିଏ ଢୁଳାଉ ଥାଏ ତ କିଏ ତାସ ଖେଳରେ ମଗ୍ନ I କିଏ ଅବା ଖବରକାଗଜ କିମ୍ବା ଗପ ବହିଟିଏ ଧରି ପଢ଼ୁଥାନ୍ତି I ଆଉ କିଏ କିଏ ନିଜ ପାଖ ପଡୋଶୀ ର ଘର କେଉଁଠି, ସମ୍ପର୍କ ର ଅଡୁଆ ସୁତା ଭିତରୁ ସେ କାହାର ସାଙ୍ଗ ଅବା ସେ କେମିତି ତା ର ଚିନ୍ହା, କେବେ ଯାଇଥିଲା ତାଙ୍କ ଗାଁ ଆଡେ, କି ତାଙ୍କ ଗାଁ ପାଖରେ ତା ର କେଉଁ ସାଙ୍ଗ ର ଘର, ଏଭଳି ଗପ ରେ ମଗ୍ନ I ଛୁଆ ମାନେ ସବୁ ବିସ୍କୁଟ କିମ୍ବା କୁରକୁରେ ପ୍ୟାକେଟ ଟିଏ ଧରି ଖାଇବାରେ ବ୍ୟସ୍ତ କିମ୍ବା ଖେଳିବାରେ ବ୍ୟସ୍ତ I ଛୋଟ ପିଲା କିଏ ଭେଁ ଭାଁ ରଡି ଛାଡ଼ୁଛି I କିଏ ଅବା, ସିଟ ଟି ତା’ର କିନ୍ତୁ ୱେଟିଂ ଲିଷ୍ଟ ଵାଲା ଜଣେ ସେ ସିଟ ରେ ବସିଥିବାରୁ ତାକୁ ଉଠେଇବାରେ ବ୍ୟସ୍ତ I ଏହିପରି ଏକ ସମୟ ଭିତରେ ପଶିଲା ସେ I କିଏ କଣ କରୁଛି କିମ୍ବା କିଏ କଣ ଭାବିବ ଏ କଥା ବୁଝିବାକୁ ସମୟ ନାହିଁ ତା’ର I ବଗି ଭିତରେ ପଶିଲା ପରଠୁ ସେ ହାତ ପତେଇ କୁହାଟ ଛାଡି ତାଳି ବାଡେଇ ନେଇ ଯାଉଥାଏ ଦଶ ଟଙ୍କା ଲେଖାଏଁ I ତା ହାତରେ ଥିବା ଦଶ ଟଙ୍କିଆ ମାନଙ୍କର କଳେବର ବଢ଼େଇ ବଢ଼େଇ ଗୋଟେ ପରେ ଗୋଟେ ବର୍ଥ ସେ ଅତିକ୍ରମ କରି ଚାଲିଥାଏ I
ହଠାତ କାହାର ମୁହଁ ଦେଖି ଅଟକି ଗଲା ସେ I ବର୍ଥ ଭିତରେ ତଳ ସିଟ ରେ ଶୋଇଥାନ୍ତି ୫୫-୬୦ ବର୍ଷ ବୟସ ର ବ୍ୟକ୍ତି ଜଣେ I ପାଖରେ ୫୦- ୫୫ ବର୍ଷ ବୟସ୍କା ସ୍ତ୍ରୀ ଲୋକ I ତାଙ୍କ ସ୍ତ୍ରୀ ହେବେ ବୋଧେ I ଆର ପଟ ସିଟ ରେ ୩୦ ବର୍ଷ ବୟସ୍କା ଆଉ ଜଣେ ସ୍ତ୍ରୀ ଲୋକ I କଡରେ ୩୫ ବର୍ଷ ର ଜଣେ ଲୋକ ହାତରେ ୨-୩ ବର୍ଷ ର ଛୋଟ ଛୁଆ I ୩୦ ବର୍ଷ ବୟସ୍କା ସ୍ତ୍ରୀ ଲୋକ ଜଣଙ୍କ ଛୁଆକୁ ପେଣ୍ଟ ପିନ୍ଧଉଥାନ୍ତି ଆଉ ବୁଢା ଜଣଙ୍କ ସେ ଛୁଆ ସହ ଖେଳୁଥାନ୍ତି I ମନରେ କିନ୍ତୁ ହରଷ ନଥାଏ I କୌଣସି ଏକ ରୋଗରେ ପଡି ଦେଖା ଯାଉଥାନ୍ତି ୭୦-୮୦ ବର୍ଷ ବୁଢା ପରିକା I ମଝିରେ ମଝିରେ ଉଃ.. ଆଃ.. ଆହୁରି କରୁଣ କରି ଦେଉଥାଏ ତାଙ୍କ ମୁହଁ କୁ I ୫୦-୫୫ ବର୍ଷିଆ ବୁଢ଼ୀ ଜଣଙ୍କ ବ୍ୟସ୍ତ ହୋଇ ପଡୁଥାନ୍ତି ତାଙ୍କ ଉଃ.. ଆଃ.. ଶୁଣି I
ସେ ବର୍ଥ ଭିତରେ ପଶୁ ପଶୁ ଅଟକି ଗଲା I ଅତର୍ଛୟା ବାହାରି ଆସିଲା ସେ ବର୍ଥ ଭିତରୁ I ଏତେ ବର୍ଷ ପରେ ବି ସେ ଠିକ ଚିନ୍ହି ପାରୁଥିଲା ଏ ଚେହେରା ଦୁଇଟି କୁ I ନିଜ ଜନ୍ମ କଲା ବାପା ମାଙ୍କୁ କ’ଣ କିଏ କେବେ ଭୁଲି ପାରେ? ଆଉ ଗୋଟେ ବର୍ଥ ପରେ ଶୌଚାଳୟ I କିନ୍ତୁ ଆଗ ବର୍ଥ ଟିକୁ ଛାଡି ସେ ଚାଲିଗଲା ଆର ବଗିକୁ I ଆଉ କାହାକୁ ଟଙ୍କା ମାଗିବାକୁ ଇଛା ନଥିଲା ତା’ର I କାନ୍ଦିବାକୁ ବହୁତ ଇଛା ହେଉଥିଲା ତା’ର I ଆଗ ବଗିର କବାଟ ପାଖରେ ଠିଆ ହୋଇ ସେ ବାହାରକୁ ଅନେଇଲା I ଆଖି ଲୁହ ରେ ଉବୁଟୁବୁ I ଲୁହ, ଦି ଧାର ହୋଇ ବୋହି ଯିବା ଆଗରୁ ସେ ଶାଢ଼ୀ କାନି ରେ ଲୁହ ପୋଛିଲା I ଏଠି ଏତେ ଲୋକଙ୍କ ଆଗରେ ସେ କଣ କାନ୍ଦି ପାରିବ? ନା I ଆଉ କେହି ଦେଖିବା ପୂର୍ବରୁ ସେ ପଶିଗଲା ସେ ବଗି ରେ ଥିବା ଶୌଚାଳୟ ଭିତରେ I ଗଳା ଫଟେଇ ଚିତ୍କାର କଲେ ବି ସେ ଚିତ୍କାର ଶୁଣା ଯାଉନଥିଲା ବାହାରକୁ I ଟ୍ରେନ ଟି ସେତେବେଳେ କୌଣସି ଏକ ବ୍ରିଜ ଉପରେ ଯାଉଥାଏ I ତା କାନ୍ଦ ଅପେକ୍ଷା ଟ୍ରେନ ବ୍ରିଜ ଉପରେ ଯାଉଥିବାରୁ ଖଡ଼ ଖାଡ଼, ଧଡ଼ ଧାଡ଼ ଶବ୍ଦ ବେଶୀ ଶୁଭୁଥାଏ I କିଛି ସମୟ ଜୋର ପାଟିରେ କାନ୍ଦିଲା ପରେ ଆସ୍ତେ ଆସ୍ତେ ନିଜକୁ ନିଜେ ଶାନ୍ତ କଲା ସେ I ଶୌଚାଳୟ ଭିତରେ ଥିବା ବେସିନ ରେ ମୁହଁ ଧୋଇ ଶାଢ଼ୀ କାନି ରେ ମୁହଁ ପୋଛି ବାହାରକୁ ଆସିଲା ସେ I କବାଟ ତଳେ ଥିବା ସ୍ଥାନରେ ବସି ପଡିଲା ଆଉ ବାହାରକୁ ଚାହିଁଲା I ମନେ ପଡି ଯାଉଥିଲେ ସେ ପୁରୁଣା କଥା ଗୁଡିକ I ଆଜିକୁ କୋଡିଏ ବର୍ଷ ତଳ ର ଘଟଣା I
ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ ସେ ଭଲ ପାଏ ଛୁଆ ବେଳୁ I ପ୍ରଥମେ ପ୍ରଥମେ ଛୋଟ ପିଲା ଖେଳୁଛି ବୋଲି ଭାବି ତା ଘର ଲୋକ ଏତେ ଧ୍ୟାନ ଦେଉ ନଥିଲେ I କିନ୍ତୁ ସେ ତୃତୀୟ ଚତୁର୍ଥ ପଢିଲା ବେଳକୁ ଜିଦ କଲା ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ I ନାନୀ ର ଡ୍ରେସ ସବୁ ଲୁଚେଇ ଲୁଚେଇ ପିନ୍ଧିବାକୁ ଲାଗିଲା I କିଛି ଦିନ ପରେ ପରେ ଘରେ ଜାଣି ବାକୁ ପାଇଲେ ତା କାରନାମା ସବୁ I ସେ ଗାଁ ରେ ଚୋରି କରୁଥିଲା ଝିଅ ମାନଙ୍କ ପିନ୍ଧା ବସ୍ତ୍ର I ଘରେ କବାଟ ବନ୍ଦ କରି ସେ ପିନ୍ଧୁଥିଲା ମା ର ଶାଢ଼ୀ, ବ୍ଲାଉଜ I ଛାତି ରେ ପକାଉଥିଲା ଚୋରି କରି ଆଣିଥିବା ଓଢଣୀ I ପୁଅପିଲା ହେଲେ ବି ସେ ଭଲ ପାଉଥିଲା ଝିଅ ମାନଙ୍କ ପରି ସଜେଇ ହେବାକୁ I ଆଖିରେ କଳା, ଓଠରେ ଲିପିସ୍ଟିକ, ଚୁଟି ରେ ରବର ଆଉ ନାନୀ ର ଚୁଡ଼ି ସବୁ ପିନ୍ଧି ଏକା ଏକା ବସି ରହୁଥିଲା ଦର୍ପଣ ପାଖରେ I ଭଲ ଲାଗୁଥିଲା ତାକୁ ଝିଅଙ୍କ ପରି ଡ୍ରେସ ପିନ୍ଧିବାକୁ ଆଉ ଅଣ୍ଟା ହଲେଇ ଚାଲିବାକୁ I ପ୍ରଥମେ ପ୍ରଥମେ ଭାଇ ଏ ସବୁ ଦେଖି ମା କୁ କହିଲା I ନାନୀ, ତା ଚୁଡ଼ି ଭାଙ୍ଗି ଯିବାରୁ ଓ କଳା ଓ ଲିପସ୍ଟିକ ଅସମୟ ରେ ସରୁଥିବାରୁ କମ୍ପ୍ଲେନ କଲା I ଗାଁ ରେ ଜାଣିଲେ ଅସୁବିଧା ହେବ ବୋଲି ମା ଲୁଚେଇ ରଖିଥିଲା ଏ କଥା ସମସ୍ତଙ୍କ ଠୁ ଓ ବେଳେ ବେଳେ ପିଟୁଥିଲା ନିର୍ଦ୍ଧୁମ ଏ ପରି ବ୍ୟବହାର ଦେଖିଲେ I କିଛି ଦିନ ପରେ ସ୍କୁଲ ପିଲା ଜାଣି ଗଲେ ୟା ର ଏ ପ୍ରକୃତି I କିଏ ଡାକିଲା ନାନୀ, କିଏ ଡାକିଲା ହିଞ୍ଜିଡା, କିଏ ଛକା କିଏ ଅବା ଖାଲି ଛ’ଅ ଆଉ କିଏ କିଏ ତା ଦେହରେ ମୁଣ୍ଡରେ ହାତ ବୁଲେଇ ଆଣୁଥିଲେ I ଆସ୍ତେ ଆସ୍ତେ କଥା ସବୁ ବାପାଙ୍କ କାନ କୁ ଗଲା I ବାପା ଖୁବ ରାଗିଲେ ବି କଣ କରିବେ କିଛି ବୁଦ୍ଧି ପଶୁନଥିଲା ତାଙ୍କ ମୁଣ୍ଡରେ I ଏପଟେ ସାଇ ଭାଇଙ୍କ ଛି.. ଛାକର.. କୁ ସେପଟେ ଏକମାତ୍ର ଭଉଣୀ ର ବାହାଘର ଚିନ୍ତା ପଶୁଥିଲା ତାଙ୍କ ମୁଣ୍ଡରେ I ଭାଇ ଜଣେ ହିଞ୍ଜିଡା ବୋଲି ଜାଣିଲେ କେହି ବାହା ହେବେନି ଭଉଣୀ କୁ I ସେଇ ଚିନ୍ତା ରେ ଶେଷ ନିଷ୍ପତି ନେଲେ ୟାକୁ ଘରୁ ବାହାର କରିବାକୁ I ମା କାନ୍ଦି କାନ୍ଦି ମନା କଲେ ବି ବାପା ଶୁଣି ନଥିଲେ ମା କଥା I ରଥଯାତ୍ରା ଦେଖି ଯିବା କହି ଘରର ସବୁ ସଦସ୍ୟ ବାପା, ମା, ଭାଇ, ନାନୀ ଆଉ ସେ ଆସିଲେ ପୁରୀ ବୁଲିବାକୁ I କୌଣସି ଏକା ଧର୍ମଶାଳା ରେ ରହିଲେ ୫ ଦିନ ଆଉ ଗଲା ଦିନ ୟାକୁ ପୁରୀ ରେ ଛାଡି ଦେଇ ସମସ୍ତେ ଫେରିଗଲେ ଗାଁ କୁ I
ବୟସ ୯ -୧୦ ବର୍ଷ ହେବ ୟାକୁ ସେତେବେଳେ I ଧର୍ମଶାଳା ରେ ଏକା ଏକା ଶୋଇଥାଏ ସେ I ଉଠିଲା ବେଳକୁ କେହି ନଥାନ୍ତି ପାଖରେ I ଖୋଜି ଖୋଜି ଧର୍ମଶାଳା ର ମାଲିକ କୁ ବାପା ମା କଥା ପଚାରିଲା ବେଳକୁ ସେମାନେ ଯାଇ ସାରିଥିଲେ ତିନି ଘଣ୍ଟା ପୂର୍ବରୁ I ଏକୁଟିଆ ପିଲା କଣ କରିବ? ପାଖରେ ପଇସା ନାହିଁ I ଲୁଗାପଟା ନାହିଁ I ଖାଇବାକୁ କିଛି ନାହିଁ I ଆଖିରେ ଭାସି ଯାଉଥିଲା ସେ ଶୋଇବା ପୂର୍ବର କଥା I ଧର୍ମଶାଳା ର ରୁମ ବାହାରେ ବସି ମା’ ତା’ର ଲୁହଭିଜା ଆଖିରେ ବାପାଙ୍କ ଆଗରେ ଗୁହାରି କରୁଥିଲା I କେମିତି ତାକୁ ଏକେଲା ଛାଡ଼ିଦେବା ? ଯାହା ହେଲେ ବି ଆମ ରକ୍ତ ନା I ସେତେବେଳେ କିଛି ବୁଝି ନ ଥିଲା ସେ, କିନ୍ତୁ ଏବେ ସେ ବୁଝି ପାରୁଥିଲା ବାପା ମା ଙ୍କ କଥୋପକଥନ ର ସାରାଂଶ I କିନ୍ତୁ ମା ବି କ’ଣ କରିଥାନ୍ତା? କେମିତି ଯାଇଥାନ୍ତା ସେ ବାପାଙ୍କ ବିରୁଦ୍ଧରେ? ଯାହାର ପାଟି ଖୋଲିବା ସେ ଦେଖିନି କେବେ I ବାପା ଯାହା କହିବେ ସେଇଟା ହିଁ ଫାଇନାଲ I ଏଇୟା ହିଁ ତ ଚାଲି ଆସିଛି ତାଙ୍କ ଘରେ, ଦେଖି ଆସିଛି ସେ ତା’ର ହେତୁ ହେବା ପରଠୁ I ଭୋକ ରେ ପେଟ କଁ କଁ କରୁଥାଏ I ପାଖରେ କିଛି ଖାଇବା ନାହିଁ, ନା ଅଛି ପଇସା I ଶୁଣିଛି ପୁରୀ ରେ କେହି କେବେ ରାତିରେ ଭୋକରେ ଶୁଏନି I କିନ୍ତୁ ସେ ଏବେ କରିବ କଣ? କାହାକୁ କହିବ ଖାଇବା କଥା? ନା ଭିକ ମାଗିବ? ନା ନା ଏତେ ବଡ ଘର ତାଙ୍କର I ଗାଁ ରେ ପାଞ୍ଚ ଲୋକ ବାପାଙ୍କୁ ମୁଣ୍ଡିଆ ମାରନ୍ତି I ଜମି ୨୦ ଏକର ଉପରେ I ଅମଳ ବର୍ଷ ସାରା ଖାଇ ପିଇ ବଳେ I ସମୟ ଅସମୟ ରେ ଲୋକ ଧାର ଉଧାର ନିଅନ୍ତି I ସେଭଳି ଘର ର ବଂଶଧର ହୋଇ ସେ ଭିକ ମାଗିବ ? କିନ୍ତୁ ଏପଟେ ପେଟ ପୋଡି ଯାଉଛି I ଏବେ ନା ଅଛି ବଂଶ ନା ସେ କାହାର ବଂଶଧର I ସମ୍ପର୍କ ର ସୁତା ଖିଅ କୁ ତ ଛିଡେଇ ଦେଇ ସମସ୍ତେ ଫେରିଗଲେ ଗାଁ କୁ, ୟାକୁ ଏକା ଏଠି ମରିବାକୁ ଛାଡି ଦେଇ I
କେମିତି କେଜାଣି ବାପା ଏମିତି କରି ପାରିଲେ? ନିଜ ରକ୍ତ କୁ କେମିତି ଅଲଗା କରି ପାରିଲେ ନିଜ ପାଖରୁ I ଏମିତି ହେଇ ଜନ୍ମ ହେବା କଣ ତା’ର ଭୁଲ ଥିଲା ନା ଥିଲା ନିୟତି ର ନିର୍ଦେଶ? ବଡ ଭାଇ କୁଳ ରକ୍ଷା କରିବ I କନ୍ୟା ଦାନ କରିବାକୁ ନାନୀ ଅଛି I ଯଦି ମୋ ପ୍ରତି ଏତେ ନିଷ୍ଠୁର ହେବାର ଥିଲା ତେବେ ଜନ୍ମ ଦେଉଥିଲ କଣ ପାଇଁ? ଘରକୁ ଫେରି ଗଲା ବେଳକୁ ଭାଇ କି ନାନୀ କେହିବି କେମିତି ପଚାରିଲେନି ଜିଲୁ କୁଆଡେ ଗଲା ? ସେ ଆମ ସହ ଗାଁ କୁ ଯିବନି କି ? କେହି ତ ହେଲେ ଉଠେଇଥାନ୍ତେ ତାକୁ? ନା, ଭାଇ ସବୁ ବେଳେ କଳି କରେ ତା ସହ I ନାନୀ ର ଲିପସ୍ଟିକ ସାରିଦିଏ, ଚୁଡ଼ି ଭାଙ୍ଗିଦିଏ ବୋଲି ତା ର ବି ରାଗ ମୋ ଉପରେ I କିନ୍ତୁ ଯାହା ହେଲେ ବି ମୁଁ ତ ତାଙ୍କ ସାନ ଭାଇ ନା ? ସେମାନେ କଣ ଥରେ ବି ଭାବିଲେନି ମୋ କଥା? ଥରେ ବି ଭାବିଲେନି ମୁଁ ଖାଇବି କଣ? କେଉଁଠି ରହିବି? କେମିତି ରହିବି? ସମସ୍ତେ ଜାଣିଛନ୍ତି ମୁଁ ଭୋକ ସମ୍ଭାଳି ପାରେ ନି I କିନ୍ତୁ ଏଠି ଏକୁଟିଆ ଛାଡି ଦେଇ ପଳେଇଲେ I କିଛି ବି ନାହିଁ ଖାଇବାକୁ I ଭୋକ ରେ ପେଟ ଟା ମୋଡି ହୋଇଗଲା ପରି ଲାଗୁଥିଲା I ମୁଣ୍ଡ ବି ବୁଲାଉ ଥିଲା I କଣ କରିବି ଏବେ? ନା, ମୁଁ ବଞ୍ଚିବି ଯାହା ବି ହେଉ I ଯେମିତି ବି ହେଉ I କିନ୍ତୁ ଏ ନିଆଁ ଲଗା ପେଟ? ଆଗ କିଛି ଖାଇବି I କିନ୍ତୁ କ’ଣ ?
ମନେ ପଡିଗଲା ଦିନ ବେଳେ ଅବଢ଼ା ଖାଇବାର ଦୃଶ୍ୟ I ଅବଢ଼ା ଆଣି ସାରିଲା ପରେ ବାପା କହିଥିଲେ ସମସ୍ତେ ଗୋଲେଇ ହେଇ କି ବସ ନହେଲେ ଏଠି ବୁଲୁଥିବା ଭିକାରି ଆଉ ପାଗଳ ମାନେ ଆସି ତମ ପାଖରେ ବସି କୁଡୁଆ ରୁ ନିଜେ ନିଜେ ନେଇ ଖାଇ ଦେବେ I ଏଠି କାହାକୁ ମନା କରନ୍ତିନି କି ଏଠି ବାଢି କି ଖିଆ ଯାଏନି I କିଛି ଲୋକ ସେଠି ବୁଲୁ ଥିବାର ବି ସେ ଦେଖିଥିଲା ଆଉ କିଛି ଛାଡି ଯାଇଥିବା କୁଡୁଆ ରୁ ଭାତ ସାଉଣ୍ଟୁ ଥିବାର ବି ସେ ଦେଖିଥିଲା I ଭୋକରେ ଆଉଟୁ ପାଉଟୁ ୧୦ ବର୍ଷ ର ପିଲା ଟା, କେତେ ବେଳେ ଯେ ଆନନ୍ଦ ବଜାର ଭିତରେ ପହଞ୍ଚି ସାରିଥିଲା ଏ କଥା ହୋଶ ନଥିଲା ତା’ର I ଆନନ୍ଦ ବଜାର ରେ ପହଞ୍ଚିବା ପରେ ତା ଭୋକ ଆହୁରି ବଢିଯାଇଥିଲା ଅବଢ଼ା ର ବାସ୍ନା ରେ I କିଛି ଲୋକ ଛାଡି ଯାଇଥିବା ଖାଦ୍ୟ କୁ ପାଟିରେ ପୁରାଉ ପୁରାଉ ତର ନଥିଲା ତାକୁ I କେହି ଜଣେ ସହୃଦୟ ବ୍ୟକ୍ତି ବଳି ଯାଇଥିବା କିଛି ଅବଢ଼ା ତାକୁ ଦେଇଥିଲେ ଆଉ ସେଥିରେ ପେଟ ଭରି ଗଲା ପରେ ସେ ଗୋଟେ କୋଣ ରେ ଢୁଳେଇ ପଡିଥିଲା ସେଦିନ I ପ୍ରଥମ ଦିନ ଯାହିତାହି କଟି ଯାଇଥିଲା I ହେଲେ ଦ୍ଵିତୀୟ ଦିନ ପୁଣି ତାକୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡିଥିଲା I ହାତ ପତେଇ ଭିକ ନ ମାଗିଲେ ବି କାହାର ହାତ ଟେକା କୁ ଚାହିଁ ରହୁଥିଲା I ଦୁଇଦିନ, ତିନିଦିନ, ଚାରିଦିନ, ପାଞ୍ଚଦିନ ବିତି ସାରିଥିଲା ଏ ଭିତରେ I ପିନ୍ଧା ପେଣ୍ଟ ଆଉ ସାର୍ଟ ବ୍ୟତୀତ ଆଉ କିଛି ବି ନଥିଲା ତା ପାଖେ I ମଇଳା କୋଚଟା ଧରି ଆସୁଥିଲା ଆସ୍ତେ ଆସ୍ତେ ସାର୍ଟ ପେଣ୍ଟ ଦିଟା ଯାକ I ଦେହ ମଳି ହୋଇ ଗଲେ ପାଖରେ ଥିବା ଟ୍ୟାପ ତଳେ ଠିଆ ହୋଇ ଯାଉଥିଲା ଆଉ ଦେହରେ ଦେହରେ ହିଁ ଶୁଖୁଥିଲେ ଓଦା ପେଣ୍ଟ ସାର୍ଟ I
ସେଦିନ କିଛି ହିଞ୍ଜିଡା ଆସିଥିଲେ ମନ୍ଦିର ବୁଲିବାକୁ I ବୁଲି ସାରି ସେମାନେ ଅବଢ଼ା ଖାଇବାକୁ ବସିଲା ବେଳେ ୟେ ଠିଆ ହୋଇଥିଲା ତାଙ୍କୁ ଚାହିଁ ବଡ କାକୁସ୍ଥ ଭାବରେ କିଛି ଖାଦ୍ୟ ପାଇଁ I ସେମାନେ ଡାକି ପାଖରେ ବସେଇଲେ ଆଉ ପଚାରିଲେ ଘର କଥା, ଗାଁ କଥା, ବାପା ମାଙ୍କ କଥା ଆଉ ସବୁ ଶୁଣି ସରିଲା ପାରେ ନେଇଗଲେ ନିଜ ସାଙ୍ଗରେ I ତାଙ୍କ ଭିତରେ ଥିବା କାଜୋଲ ମାଉସୀ ୟାକୁ ଆପଣେଇ ନେଇଥିଲେ I ଭୁବନେଶ୍ୱର ରେ ରୁହନ୍ତି ସେମାନେ ବସ୍ତି ରେ I ତା ପରଠୁ ୟା ନାଁ ହୋଇ ଗଲା ପାୟଲ I ସେ ମିଶି ଗଲା ହିଞ୍ଜିଡା ଗୋଷ୍ଠିରେ, ଗଣା ହେଲା ହିଞ୍ଜିଡା ଭାବରେ I ପଇସା ମାଗେ ଟ୍ରେନ ରେ ଆଉ ରୁହେ ବସ୍ତି ରେ I ସକାଳୁ ଉଠି, ନିତ୍ୟକର୍ମ ସାରି, ସଜେଇ ହୋଇ ପଇସା ମାଗିବା ଏମାନଙ୍କ କାମ I କେବେ କେମିତି ବାହାଘର ଆଉ ପୁଅ ଏକୋଇଶିଆ ବେଳେ ଖୋଜାଯାଏ ଏମାନଙ୍କୁ I ପରିବାର ଥାଇ ମଧ୍ୟ ଏମାନେ ମିଶି ପାରନ୍ତିନି ପରିବାର ସହ I ଥରେ ହିଞ୍ଜିଡା ଭାବରେ ଗଣା ହେଲା ପରେ ସବୁ ଦୁଆର ବନ୍ଦ ହୋଇ ଯାଏ ଏମାନଙ୍କ ପାଇଁ I ବସ୍ତି ଆଉ ଟ୍ରେନ ପାଲଟି ଯାଏ ଏମାନଙ୍କ ଦୁନିଆଁ I ଗୋଟିଏ ବେଳା ଖାଇବା ଏଠି ଖାଇଲେ ଆର ବେଳା କେଉଁଠି ଖାଇବେ ତା’ର କିଛି ଠିକ ଠିକଣା ନଥାଏ I ସେଇଠି ରୁହନ୍ତି, ଖାଆନ୍ତି, ପିଅନ୍ତି, ଶୁଅନ୍ତି ଆଉ ସେଇଠି ହିଁ ଶେଷ ନିଶ୍ୱାସ ତ୍ୟାଗ କରନ୍ତି I
ଟ୍ରେନ ରହିବାର ଶବ୍ଦ ଶୁଣି ଭାବନା ରାଇଜ ରୁ ଫେରି ଆସିଲା ପାୟଲ I ନାଁ, ଏତେ ବର୍ଷ ପରେ ତାକୁ କେହି ବି ଚିନ୍ହି ପାରିବେନି I ତା ବେଶ ଭୁଷା ଦେଖି କେହି ବି ଠଉରେଇ ପାରିବେନି ଯେ ସେ ଏ ପରିବାର ର ଗୋଟେ ଅଂଶ I କାହିଁକି ବା ସେ ଏତେ ଭାବିବ ଏମାନଙ୍କ ବିଷୟରେ I କାହିଁକି ସେ ଲୁହ ଗଡେଇବ ଏମାନଙ୍କ ପାଇଁ I ଯେଉଁ ପରିବାରରେ ୟାକୁ ରହିବାକୁ ଜାଗା ଟିକେ ମିଳିଲାନି, ଯେଉଁ ପରିବାର ଆଜିକୁ କୋଡିଏ ବର୍ଷ ତଳେ ସେ ମରିଗଲା ବୋଲି ଧରି ନେଇଛନ୍ତି I ଯେଉଁ ପରିବାର ଚିନ୍ତା ବି କଲେନି ୯-୧୦ ବର୍ଷ ପିଲା ଟି ଖାଇବ କ’ଣ? ବଞ୍ଚିବ କେମିତି ? ସେମାନଙ୍କ ସହ ୟା ର ଆଉ ସମ୍ପର୍କ କଣ ? ସେ ଝାଡ଼ି ଝୁଡି ହୋଇ ଉଠିଲା I ମୁହଁକୁ ଆଉ ଥରେ ବେସିନ ରେ ଧୋଇ ସାଙ୍ଗରେ ଆଣିଥିବା କଳା ଆଉ ଲିପିସ୍ଟିକ ଲଗେଇଲା I ପାଉଡର ରୁ ମେଞ୍ଚେ ବୋଳି ହେଲା ଆଉ ପୁଣି ଥରେ ସେଇ ବର୍ଥ ରୁ ମାଗିବା ଆରମ୍ଭ କରିବ ବୋଲି ନିଷ୍ପତି ନେଲା I
ବର୍ଥ ପାଖରେ ପହଞ୍ଚୁ ପହଞ୍ଚୁ ସେ ଶୁଣି ପାରିଲା କିଛି କଥାବାର୍ତା I ୩୫ ବର୍ଷ ର ଲୋକଟା, ସମ୍ଭବତଃ ତା’ର ବଡ ଭାଇ I ମୁହଁ ବଦଳି ଯାଇଥିଲେ ବି କଥାବାର୍ତା କିନ୍ତୁ ଥିଲା ଠିକ ଆଗ ପରି I ସେ ଛିଞ୍ଚାଡି ହୋଇ କଥାବାର୍ତା କରୁ ଥାଏ, “ଡାକ୍ତର କହିଲା କୋଡିଏ ହଜାର ନେବ, ୟେ ଆଉ କେତେ ଦିନ ବଞ୍ଚିବେ ଯେ ୟାଙ୍କ ପାଇଁ ଏବେ କୋଡିଏ ହଜାର ଖର୍ଚ କରିବି I ଏପଟେ ମୋ ସ୍ତ୍ରୀ ପିଲା ଛୁଆ ଅଛନ୍ତି ନା ନାହିଁ I ମୋର ସବୁ ପଇସା ୟାଙ୍କ ପଛରେ ସାରିଲେ ସେମାନେ ଖାଇବେ କଣ?” I ଅଟକି ଗଲା ସେ I ତିରିଶ ସେକେଣ୍ଡ ଶାନ୍ତ ଭାବରେ ଠିଆ ହେଲା ପରେ ସେ ଚାଲିଗଲା ପଛ ବଗି ଆଡକୁ ଆଉ କିଛି ସମୟ ପରେ ପୁଣି ଫେରି ଆସିଲା ପୂର୍ବ ବଗି କୁ I ଏତିକି ସମୟ ଭିତରେ ବୋଧେ ସେ ଯାଇଥିଲା ତା ସାଙ୍ଗ ମାନଙ୍କ ପାଖକୁ ଯେଉଁ ମାନେ ଅନ୍ୟ ବଗି ରେ ପଇସା ମାଗୁଥିଲେ I
ଏଥର ସେ ଆରମ୍ଭ କଲା ପୁଣି ତା ଢଙ୍ଗ ରେ ପଇସା ମାଗିବା I ଏ ହିରୋ.. ଏ ସଲମାନ.. ଦେ.. ନା… କହି ବଡ ଭାଇ ପାଖରେ ହାତ ପତେଇଲା ବେଳକୁ ହାତ କମ୍ପି ଉଠିଲା ତା’ର I ଉତ୍ତର ଆସିଲା ହେଃ.. ଯା ଏଠୁ.. I ମୁହଁ ମୋଡି ଦେଇ ଜାଣି ଜାଣି ରୁମାଲ କୁ ମା’ ଗୋଡ ପାଖରେ ପକେଇ, ଉଠେଇବା ବାହାନା ରେ ମା ର ପାଦ ଛୁଇଁଲା ସେ I ଚମକି ପଡିଲା ମା ର ହାତ କୁ ନିଜ ମୁଣ୍ଡ ଉପରେ ଆଶୀର୍ବାଦ ଭଙ୍ଗୀ ରେ ଦେଖି I ନିଜ ଆଖି ର ଲୁହ କୁ ଲୁଚେଇବା ପାଇଁ ମୁହଁ ବୁଲେଇ ସେ ଆଗେଇ ଗଲା ଆର ବର୍ଥ କୁ ଏ ସଲମାନ ଦେ.. ନା.. ଏ ଶାହରୁଖ ଦେ.. ନା… କହି କହି I
କିଛି ସମୟ ପରେ ବୁଢ଼ୀ ଜଣଙ୍କ ଗୋଡ଼ରେ କିଛି ବାଜିଲା ପରି ଅନୁଭବ କଲେ I ହାତରେ ଉଠେଇ ଦେଖିଲା ବେଳକୁ ଗୋଟେ ପୁଡିଆ, ଆଉ ପୁଡିଆ ଭିତରେ ଥିଲା ପଚିଶ ହଜାର ଟଙ୍କା ସହ ହାତ ଲେଖା ଖଣ୍ଡେ କାଗଜ I
ଲେଖା ଥିଲା “ବାପାଙ୍କୁ ଡାକ୍ତରଖାନା ନେଇ କି ଯାଅ” –ଜିଲୁ I
ସିଗ୍ନାଲ ନ ମିଳିବାରୁ ଟ୍ରେନ ଟି ସେତେବେଳକୁ କୌଣସି ଏକ ପଡିଆ ମଝିରେ ଅଟକି ଥାଏ I ବୁଢା ଆଖିରୁ ଲୁହ ବୋହି କଣ୍ଠରୁଦ୍ଧ ହୋଇ ଆସୁ ଥାଏ I ବୁଢ଼ୀ, ମୋ ଜିଲୁ ମୋ ଜିଲୁ କହି ବଗି ର କବାଟ ଆଡକୁ ଦୌଡ଼ି ଆସିଲା ବେଳକୁ ଟ୍ରେନ ହର୍ନ ମାରି ଚାଲିବା ଆରମ୍ଭ କରି ସାରିଥାଏ I
ପଛରେ ଛାଡି ଯାଉଥାଏ କିଛି ହିଞ୍ଜିଡା ମାନଙ୍କୁ, ଯେଉଁମାନେ କିଛି ସମୟ ପୂର୍ବରୁ ଓ଼ଲ୍ଳେହି ଯାଇଥିଲେ ଟ୍ରେନ ରୁ .. .. ..

— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଆସେସ ଡିନାଏଡ଼

ଆସେସ ଡିନାଏଡ଼ 

ସୁବଳ ମହାପାତ୍ର

 

ହ୍ୱାଟ୍ସଆପ ଖୋଲୁ ଖୋଲୁ ଜଣେ ବାନ୍ଧବୀଙ୍କ ମେସେଜଟି ପାଇ କଣ କରିବ କଣ କରିବ ଭାବୁ ଭାବୁ ସୁଲୋଚନା ମେସେଜ ଦିଆ ଯାଇଥିବା ଲିଙ୍କ ରେ କେତେ ବେଳେ କ୍ଲିକ କରି ଦେଇଛି ସେ ଜାଣିନି । ମେସେଜ ଟି ଥିଲା ମୋବାଇଲ ଡାଟା ଏକ ବର୍ଷ ପାଇଁ ମାଗଣା । ଲିଙ୍କ ଭିତରକୁ ଯିବା ପରେ ମନଲୋଭା ଅଫର ସବୁ ଦେଖି ସୁଲୋଚନା ବି ଭାବନାରେ ପଡି ଗଲା । ସତରେ କଣ ମୋବାଇଲ ଫୋନ ଟିଏ ମାଗଣା ଆଉ ଏକ ବର୍ଷ ଯାଏ ଡାଟା ବି ? ବାଃ, ଭଲ ଅଫର ତ । ଆସ୍ତେ ଆସ୍ତେ ଯେତେ ଯେତେ ଭିତରକୁ ପଶୁଥାଏ ସେତେ ସେତେ ସେ ହଜି ଯାଉଥାଏ ଭୁଲ ଭୁଲେୟା ରାସ୍ତା ଭିତରେ । ଗୋଟି ଗୋଟି କରି ସବୁ ଫିଲଡ ଫିଲପ କରିଗଲା ସେ । ଯେମିତି କି ନାଁ, ଫୋନ ନମ୍ବର, ଇମେଲ ଆହୁରି କେତେ କଣ । ତା ପରେ ଆଉ ଗୋଟେ ଅଫଶନ ଆସିଲା “ଏ ମେସେଜ ଟିକୁ ପନ୍ଦର ଟି ଲୋକ କିମ୍ବା ଗ୍ରୁପ ରେ ସେଣ୍ଡ କର” । ସେ ପନ୍ଦର ଟି ଗ୍ରୁପ ରେ ପଠେଇ ସାରିଲା ପରେ ଆସିଲା ସେ ଅପେକ୍ଷିତ ମୁହୂର୍ତ । ଆରେ ୟେ କଣ ? ସେ ମନେ ପକେଇବା ପାଇଁ ଚେଷ୍ଟା କଲା । ହଁ ତ , ବିଜ୍ଞାପନ ରେ ଥିଲା “ମାତ୍ର ଏକ ଟଙ୍କା ଦେଇ ପାଆନ୍ତୁ ମୋବାଇଲ ଓ ଏକ ବର୍ଷ ପାଇଁ ଡାଟା ସମ୍ପୂର୍ଣ ମାଗଣା” । ଅପଶନ ଭିତରେ ଥିଲା କେବଳ ଅନ ଲାଇନ ପେମେଣ୍ଟ କରିବ ପାଇଁ ଲିଙ୍କ । ଲୁଚି ଲୁଚି ବାପାଙ୍କ ପକେଟ ରୁ ଡେବିଟ କାର୍ଡ ଟି ଆଣି ଭରି ଦେଇ ଗଲା ଲିଙ୍କ ରେ ଥିବା ଘର ଗୁଡିକୁ । ଏବେ ଏଟିଏମ ପିନ ଦିଅନ୍ତୁ ଜାଗାରେ ସେ ଅଟକି ଗଲା । କିଛି ଦିନ ପୂର୍ବରୁ ବାପା ତାକୁ କହିଥିଲେ ବ୍ୟାଙ୍କ ରୁ ପଇସା ଉଠେଇବା ପାଇଁ । ପିନ ଟିକୁ ରଫ ଖାତାରେ ଲେଖିଥିଲା ସେ । ଖୋଜି ଖୋଜି ଖାତା ଟିକୁ ପାଇଲା ସେ । ଏବେ ଏଟିଏମ ପିନ ଦେଇ ସାରିଲା ପରେ, ଆସେସ ଡିନାଏଡ଼ ବୋଲି ମେସେଜ ଟିଏ ଆସିଲା ଆଉ ସୁଲୋଚନା ରାଗରେ ମୋବାଇଲ ବନ୍ଦ କରି ପୁଣି ଲୁଚି ଲୁଚି ଯାଇ ବାପାଙ୍କ ପକେଟ ରୁ ଆଣିଥିବା ଡେବିଟ କାର୍ଡ ଟି ଥୋଇ ଦେଇ ଶାନ୍ତି ରେ ନିଶ୍ୱାସ ନେଲା ।
ବାପା ଉଠିଲା ପରେ ଦେଖିଲେ, ମୋବାଇଲ ରେ ମେସେଜ ଟିଏ ଆସିଥିଲା । ସୁଲୋଚନା କିଛି ନ ଜାଣିଲା ପରିକା କବାଟ କଣ ରେ ଠିଆ ହୋଇ ବାପାଙ୍କୁ ଦେଖୁଥିଲା ।
ବାପା ମୁଣ୍ଡରେ ହାତ ଦେଇ ରଡି ପକାଉ ଥିଲେ । ସୁଲୋଚନା ବାହାଘର ପାଇଁ ରଖିଥିବା ତିନି ଲକ୍ଷ ଟଙ୍କା କିଏ ଉଠେଇ ନେଇଥିଲା । ଆକାଉଣ୍ଟ ବାଲାନ୍ସ ଏବେ ଶୂନ୍ୟ (0) ଥିଲା …..
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପ୍ରଥମାଷ୍ଟମୀ, ପଢ଼ୁଆଁ ଅଷ୍ଟମୀ…

ପ୍ରଥମାଷ୍ଟମୀ, ପଢ଼ୁଆଁ ଅଷ୍ଟମୀ… 
ସୁଵଳ ମହାପାତ୍ର

 

କଣ ମାନେ ଅଛି ଏ ଅଷ୍ଟମୀ ର ଯେଉଁ ମାନେ ରାଜ୍ୟ ବାହାରେ ଏକୁଟିଆ ରହୁଛନ୍ତି ପେଟ ପାଟଣା ପାଇଁ। ପାଖରେ ନା ଅଛି ପରିବାର, ନା ଅଛି କୌଣସି ପିଠା ର ମହକ, ନା ଅଛନ୍ତି ବନ୍ଧୁ ବାନ୍ଧବ ନା କେହି ପରିଜନ।
ସତ୍ୟ ସକାଳୁ ସକାଳୁ ଉଠି ପଡ଼ିଲା। ଆଜି ଶନିବାର । ଅଫିସ ଛୁଟି। ସେମିତି ସେ ଟିକେ ଡେରି ରେ ଉଠେ। ଆଜି କିନ୍ତୁ ଟିକେ ସଅଳ ନିଦ ଭାଙ୍ଗି ଗଲା। ସକାଳୁ ଉଠି ଟିକେ facebook ରେ ଆଖି ବୁଲେଇ ଆଣିଲା। ସାଙ୍ଗ ସାଥି, ପରିଜନ ଙ୍କ ପୋଷ୍ଟ ଦେଖି ଅଳ୍ପ ଅଳ୍ପ ଖୁସି ହୋଇଗଲା ସେ। ଆଜି ପ୍ରଥମାଷ୍ଟମୀ। କିଏ ମୁଣ୍ଡରେ ଟୀକା ଲଗେଇ ଫୋଟୋ ଦେଇଛି ତ କିଏ ପୂଜା ରେ ବସି। କିଏ ଏଣ୍ଡୁରି ପିଠା ର ପୋଷ୍ଟ କରିଛି ତ କିଏ ପିଠା କୁ ହଳଦୀ ପତ୍ର ରୁ ବାହାର କରିବାର ଫୋଟୋ। ଭିନ୍ନ ଭିନ୍ନ ପିଠା ର ଭିନ୍ନ ଭିନ୍ନ ପ୍ରକାର ର ଫୋଟୋ। କିଏ ଅବା ଭଳି କି ଭଳି ପିଠା ଓ ମିଠା ଗୋଟେ ଥାଳି ରେ ରଖି ପୋଷ୍ଟ କରିଛି ଫୋଟୋ। ଦେଖି ଦେଖି ସତ୍ୟ ପାଟି ରୁ ଲାଳ ବୋହିବାକୁ ଲାଗିଲା। ସେ ମନେ ପକେଇବାକୁ ଲାଗିଲା ଗାଁ ରେ ବିତେଇ ଥିବା ଦିନ ଗୁଡିକୁ।
ଛୋଟବେଳେ ତାକୁ କୁହାଗଲା ତାଙ୍କ ଘରେ ପ୍ରଥମାଷ୍ଟମୀ ନାହିଁ। ନୂଆ ଜାମା ହେବ ନାହିଁ। ପୂଜା ହେବ ନାହିଁ। ଏପରିକି ପିଠା ପଣା ବି ନାହିଁ ।କାରଣ ପଚାରିବାରୁ ଜଣା ଗଲା ଯେ ପ୍ରଥମାଷ୍ଟମୀ ରେ ତାଙ୍କ ଘରେ କେହି ଜଣେ ମରି ଯାଇଥିଲେ। ସେ ଏବେ ସାତ କ ପଣିକିଆ ବାହାରକୁ ଚାଲି ଗଲେଣି। ମାନେ ସାତପୁରୁଷ ବନ୍ଧୁ ଛାଡ ହୋଇ ସାରିଲାଣି। କିନ୍ତୁ ପରମ୍ପରା ଟି ରହି ଯାଇଛି। ମନ ବିଦ୍ରୋହ କଲେ ବି କାହାକୁ କିଛି କହିବାର ନ ଥିଲା। ସାଙ୍ଗ ମାନେ ସବୁ ନୂଆ ଜାମା ପିନ୍ଧି ଚିତା ଚୈତନ କାଟି, ଭଳି କି ଭଳି ପିଠା ଖାଇଲା ବେଳକୁ, ୟାଙ୍କ ଘରେ କିନ୍ତୁ କିଛି ହୁଏନି। ଅବଶ୍ୟ ସାଇ ପଡିସା ଘରୁ କିଛି କିଛି ପିଠା ଓ ମିଠା ଦିଆ ନିଆ ରେ ଆସେ। ସେତକ ଉଦରସ୍ଥ ହୁଏ। ସେତିକି ଯାହା ସାନ୍ତ୍ୱନା। ଆଉ କିଛି ମିଳିଯାଏ ସାଙ୍ଗ ମାନଙ୍କ ଘରୁ। ଯାହା ହଉ, ଏତକ ବନ୍ଦ କରି ନାହାନ୍ତି, ନହେଲେ ମଣିଷ କୁ ପ୍ରଥମାଷ୍ଟମୀ ରେ ଖାଇବାକୁ ବି ଟିକେ ମିଳନ୍ତାନି।
ଛାଡ, ସେ ଏବେ ରାଜ୍ୟ ବାହାରେ। ଏଠି ନା ଓଡ଼ିଆ ଅଛନ୍ତି ନା ଓଡିଶା ର କୌଣସି ପୁଣ୍ୟ ପର୍ବ। ତାକୁ ଏବେ ଚା ଟିକେ ପାଇଁ ଛକ କୁ ଯିବାକୁ ପଡ଼ିବ। ମନ ଟା ପାଣିଚିଆ ଧରିଗଲା ତା’ର। ଛାଡ…
ନିତ୍ୟକର୍ମ ସାରି ସେ ବାହାରି ଗଲା ଛକ କୁ। ଚା ଟିକେ ପିଇ ସାରି ସେ ଜଳଖିଆ ଖାଇବାକୁ ଖୋଜିଲା ବେଳକୁ, ଛକ ରେ ଠେଲା କରିଥିବା ଇଡିଲି ଵାଲା ର ଦୋକାନ ବି ଆଜି ବନ୍ଦ ଥିଲା।
ଦୋକାନ ରୁ ଗୋଟେ ଦଶ ଟଙ୍କିଆ ମୁଢି ମିକ୍ସଚର ପ୍ୟାକେଟ ଆଉ ପାଞ୍ଚ ଟଙ୍କିଆ ଟୋଣ୍ଟି ଟୋଣ୍ଟି ବିସ୍କୁଟ ପ୍ୟାକେଟ ଧରି ସେ ଫେରୁଥିଲା ଆଜି ର ପ୍ରଥମାଷ୍ଟମୀ ମନେଇବାକୁ ….
–ସମାପ୍ତ–

କମ୍ବଳ

କମ୍ବଳ 
ସୁବଳ ମହାପାତ୍ର

 

ବାହାଘର ର ଚାରିବର୍ଷ ପୁରିଲା ପରେ ବି କୋଳ ରେ ଛୁଆଟେ ନ ଥିବାରୁ କେତେ ଥର ଲୋକ ହସା ହେଲା ପରେ ଚମ୍ପା ବାହାରିଲା ମଙ୍ଗୁ ମା ବତେଇଥିବା ବାବା ପାଖକୁ I ବାବା କୁଆଡେ ଭାରି ପ୍ରତ୍ୟକ୍ଷ I ସିଧା ସିଧା ଭଗବାନଙ୍କ ସହ କଥା ହୁଏ I କେତେ ବଡ ବଡ ଲୋକ ତା’ ଭକ୍ତ I ଲୋକ ଗାଡି କରି ଆସନ୍ତି ତା ପାଖକୁ I ସେଦିନ ଭାବ କୁ ନ ଜଣେଇ ସେ ମଙ୍ଗୁ ମା ସହ ବାହାରି ଗଲା ବାବା ପାଖକୁ I ଭାବ ତା’ ଗେରସ୍ତ I ଛୁଆ ନ ଥିଲେ ତା’ର ମାଈ ରେ ଯାଏ ନି କି ଗାଈ ରେ ଯାଏନି I କହିଲେ କହିବ ଭଗବାନଙ୍କର ଦେବାର ଥିଲେ ଦେବେ , ନ ହେଲେ ନାହିଁ I କିନ୍ତୁ ସେ କ’ଣ ଶୁଣେ ଏ ସାଇ ଭାଇଙ୍କ କଥା ? ସବୁ ତ ଚମ୍ପା କୁ ଶୁଣିବା କୁ ପଡେ, କେତେ ମୁହଁ ମୋଡା, ନାକ ଛିଂଚିଡା ଆଉ ସିଧା ସିଧା କଥା ଶୁଣି ସେ ତୁନି ରହେ I ହେଲେ ସେଦିନ କହୁ କହୁ ସେ ରଥ ବୁଢ଼ୀ ତାକୁ ବାଞ୍ଝ ବୋଲି କହିଦେଲା I ଭାରି ବାଧିଲା ତାକୁ ଏ କଥା ଟି I ହେଲେ କରିବ କଣ? ଡାକ୍ତର ଯେଉଁଠି ମନା କଲା ଆଉ କାହାର କଣ କରିବାର ଅଛି ? ଡାକ୍ତର ମନା କଲା , ଚମ୍ପା କେବେ ମା ହେଇ ପାରିବ ନାହିଁ I ତାପରେ ଭାବ କୁ ସେ କଣ କମ ବୁଝେଇଛି ଦ୍ଵିତୀୟ ହେବା ପାଇଁ I ହେଲେ ସବୁ ବେଳେ ଭାବ କଥା ଟାଳି ଦିଏ I କହେ, “ଭଗବାନଙ୍କର ଦେବାର ଥିଲେ ଆମକୁ ଦେଇ ଥାନ୍ତେ I ନ ଦେଲେ ନାହିଁ I ତୁ ମନ ଦୁଃଖ କରନି କି ମୋତେ ଆଉ କିଛି କହନି I ସେଥିପାଇଁ ସେ ଆଜି ଭାବ କୁ କିଛି ନ ଜଣେଇ, ମଙ୍ଗୁ ମା ସହ ଏ ବାବା ପାଖକୁ ଆସିଛି I
ବାବା ପାଖରେ ପହଁଚିଲା ପରେ ବାବା ୟା ହାତ ମୁହଁ ଦେଖି କହିଲା, “ହବୁ, ହବୁ , ତୁ ବି ମା ହବୁ I କିନ୍ତୁ ତୁ ଅଫଳନ୍ତି ଗଛ I ତୋ ଠୁ ହବନି I ଗୋଟେ କାମ କର, ମୁଁ ପୂଜା କରିବି I ତୁ ଜିନିଷ ଯୋଗାଡ କର I ନିଜର ନ ହେଲେ ବି ଆଉ କାହାର ପାଇବୁ I ପୂଜା ପାଇଁ ଟଙ୍କା ପନ୍ଦର ହଜାର ଖର୍ଚ ହେବ I ଯା.. ଟଙ୍କା ଯୋଗାଡ ସରିଲେ ମୋ ପାଖକୁ ଆସିବୁ ” I
ପନ୍ଦର ହଜାର ଟଙ୍କା ? ଏତେ ଟଙ୍କା କିଏ ଚମ୍ପା କିଏ? ଗେରସ୍ତ ତା’ର ବାବୁଙ୍କ ଘରେ ହଳିଆ I ମାସ କୁ ଚାରି ହଜାର ଟଙ୍କା ପାଏ I ସେଇଥିରେ ଦି ପ୍ରାଣୀ ଚଳନ୍ତି I ଏତେ ଗୁଡ଼େ ଟଙ୍କା ସେ କୁଆଡୁ ଆଣିବ? ହଉ ଦେଖିବା କହି ଭାବି ଭାବି ସେ ଘରକୁ ଆସିଲା I
ସନ୍ଧ୍ୟା ରେ ଭାବ ବାବୁ ଘରୁ, ଘରକୁ ଫେରି ତା ସାର୍ଟ ପକେଟ ରେ ଥିବା କଏନ କେତୋଟି ତା ଠଣା ରେ ଗଳେଇ ଦେଲା I ଚମ୍ପା ସବୁ ଦିନେ ଦେଖେ ଭାବ ଏହିପରି କରେ I ସବୁଦିନ ସନ୍ଧ୍ୟା ରେ କିଛି କିଛି ସେ ଠଣା ରେ ପକାଏ କିନ୍ତୁ ଶୀତଦିନେ ସେଥିରୁ ସବୁ ବାହାର କରି ନେଇ ଯାଏ I ସବୁ ବର୍ଷ ସେ ଏହିପରି କରେ I ଚାରି ବର୍ଷ ହେଲା ଚମ୍ପା ଦେଖୁଛି, ସେ ଏହିପରି କରୁଛି କିନ୍ତୁ କେବେ ତାକୁ କିଛି ପଚାରି ନାହିଁ I ଆଜି ପଇସା ଦରକାର ହେଲାରୁ ତା ର ଏ ଦିଗକୁ ଧ୍ୟାନ ଗଲା I ସେ ଜାଣି ଜାଣି ଭାବ କୁ ପଚାରିଲା , ” ଏଥିରେ କେତେ ପଇସା ହଵଣି?
“କେଜାଣି” ପରି ଛୋଟ ଉତ୍ତର ଟିଏ ଦେଇ ଭାବ ଗାଧୁଆ ଘରକୁ ପଶିଗଲା I
ଚମ୍ପା ର ତ ମନ ଲାଗିଛି, ସେ ବି କେଉଁ ଛାଡିବା ଜନ୍ତୁ ? ସବୁଦିନ ସେ ଠଣା ଉପରେ ନଜର ରଖେ I ଦିନେ ସୁବିଧା ଦେଖି ସେ ଗଣି ବସିଲା I ଦୁଇ ହଜାର ସାତ ଶହ ଚଉତିରିଶି ଟଙ୍କା I ଏବେ ସୀତା ପଡି ଆସିଲାଣି I ଚମ୍ପା ଜାଣେ ଏବେ କେବେ ଭାବ ଏ ଟଙ୍କା ସବୁ ନେଇଯିବ I କୁଆଡେ ନବ ? କାହାକୁ ଦବ କିଛି ସେ ଜାଣିନି I ଏଥର ଦେଖିବ ସେ, କଣ କରୁଛି I
ସେଦିନ କହୁ କହୁ ବାବା କଥା ଭାବ କୁ କହିଦେଲା ଚମ୍ପା I ଭାବ ରାଗିଗଲା I କହିଲା , ” ଥରେ କହିଲେ ଜଣା ପଡୁନି ? କଉ ବାବା, ଫାଵା ପାଖକୁ ଯିବା ଦରକାର ନାହିଁ” I
ଚମ୍ପା ବି ଶୁଣେଇ ଦେଲା, ” ମୋର ଛୁଆ ଟେ ଦରକାର I ତମେ ଦ୍ଵିତୀୟ ହୁଅ ପଛେ I ନହେଲେ ଯା କାହାଠୁ କିଣି କି ଆଣ କି ଚୋରି କରି ଆଣ I ମୁଁ ଜାଣିନି I ସେ ବାବା କହିଛି ପନ୍ଦର ହଜାର ଟଙ୍କା ନବ କିନ୍ତୁ ପୂଜା କରିଦେବ ଛୁଆଟେ ପାଇଁ I ଭଗବାନଙ୍କ ସହ ସେ କଥା ହୁଏ I ନିଶ୍ଚିତ ଆସିବ ଆମ ପାଖକୁ ଛୁଆ ଟେ” I
ପନ୍ଦର ହଜାର କଥା ଶୁଣି ଭାବ ଆହୁରି ରାଗିଗଲା I ମନେ ମନେ ଭାବିଲା ପଇସା ତକ ଏବେଠୁ ନେଇ ନ ଗଲେ , ଚମ୍ପା ଏ ପଇସା କୁ ଅଡ଼ି ବସିବ I ତେଣୁ ସେ ଠଣା ଟି ଧରି ବାହାରକୁ ପଳେଇଲା I
ଏପଟେ ଠଣା ଟି ଧରି ଭାବ କୁ ବାହାରକୁ ଯିବା ର ଦେଖି ଚମ୍ପା କି ଆଉ ସମ୍ଭାଳେ ? ସେ ବି ତା ପଛେ ପଛେ ଚାଲିଲା I ସମୟ ରାତି ଦଶଟା ପାଖାପାଖି ହେବ I ରାଜଧାନୀ ରେ ଶୀତ ପଡି ପଡି ଆସିଲାଣି I ଦିନରେ ବେଶୀ ନ ହେଲେ ବି ରାତିରେ ଅଳ୍ପ ଅଳ୍ପ ଶୀତ ଅଛି I ରାସ୍ତା କଡ ରେ ଲୋକ ମାନେ ଶୋଇବାକୁ ତିଆର ହେଲେଣି I ଦୋକାନ ବଜାର ସବୁ ବନ୍ଦ ହେଇ ଆସିଲାଣି I କିଛି କିଛି କାଠି କୁଟା ଜାଳି ଶୀତ ରୁ ରକ୍ଷା ପାଇବାକୁ ହାତ ଗୋଡ ପୁହିଁ ହେଉଛନ୍ତି I ରାସ୍ତା ରେ ଘଇତା ମାଈପ ଦି ଟା ଆଗ ପଛ ହେଇ ଚାଲିଥାନ୍ତି I ଭାବ ଜାଣି ନଥାଏ ଯେ ଚମ୍ପା ତା ପଛେ ପଛେ ଆସୁଛି I ଚମ୍ପା ବି ଦେଖି ଦେଖି ଚାଲିଥାଏ ଯେମିତି ଭାବ ତାକୁ ନ ଦେଖେ I ସବୁ ବର୍ଷ ପଇସା ସଂଚିବ, ହେଲେ ଏ ଶୀତ ଦିନେ ସବୁ କୁଆଡେ ଦେଇ ଦବ I ଆଜି ଚମ୍ପା ଦେଖିବ ଯେ ଭାବ କଣ କରୁଛି ପଇସା I ମଦ, ଗଂଜେଇ ତ କେବେ ଖାଇନି I ଦୋହରା ସ୍ତ୍ରୀ କହିଲେ ମନା କରୁଛି I କଣ କରୁଛି ତେବେ ? ଭାବ ବି ମଝିରେ ମଝିରେ ପଛକୁ ଚାହୁଁଥାଏ କିଏ ଆସୁଛି କି ବୋଲି ଦେଖିବାକୁ I
ଚାଲୁ ଚାଲୁ ସେ ଅଟକି ଗଲା ଗୋଟେ ନେପାଳୀ ଦୋକାନ ପାଖରେ I ନେପାଳୀ ସ୍ଵେଟର, ମଫଳର, କମ୍ବଳ ଆଦି ବିକ୍ରି କରେ I ତା ଦୋକାନ ରେ ବସି ଭାବ ଆଉ ସେ ନେପାଳୀ ପଇସା ଗଣିବାକୁ ଲାଗିଲେ I କିଛି ସମୟ ପରେ ପଇସା ରଖି ନେପାଳୀ ଭାବ ହାତକୁ କେତେ ଗୁଡିଏ କମ୍ବଳ ବଢ଼େଇ ଦେଲା I ଚମ୍ପା ମୁଣ୍ଡରେ କିଛି ପଶୁ ନଥାଏ I ଏତେ ଗୁଡ଼େ କମ୍ବଳ ଭାବ କଣ କରିବ? ଘରେ ତ ଦି ଟା ଭଲ କମ୍ବଳ ଅଛି I ଆହୁରି କଣ ହେବ? ଗୋଟେ ଦି ଟା ହେଲେ କଣ କରନ୍ତା I ଏତେ ଗୁଡ଼େ? ୨୫ – ୩୦ ଟା ହେବ I
ଏତେ ଗୁଡ଼େ କଣ ହେବ ? ଭାବ କମ୍ବଳ ସବୁ ଧରି ଯାଇ ଗୋଟେ ଛକ ର ଚାନ୍ଦିନୀ ଉପରେ ବସିଲା I ଏପଟେ ଚମ୍ପା କେବିନ ପଛ ପଟେ ଲୁଚି କି ଦେଖୁ ଥାଏ I ରାତି ଏଗାରଟା ପରେ ହେଲାଣି I ଲୋକ ସବୁ ରାସ୍ତା ରେ କୁଙ୍କୁରି କାଙ୍କୁରି ହୋଇ ସୋଇ ପଡିଲେଣି I ଛିଣ୍ଡା ଚାଦର, କମ୍ବଳ ଅବା କନ୍ଥା, ଶୀତ ରଖିବାକୁ ସମର୍ଥ ନୁହଁ I ଶୀତରୁ ରକ୍ଷା ପାଇବାକୁ ଗୋଟେ ଗୋଟେ କନ୍ଥା ତଳେ ଦି ତିନି ଜଣ ପଶି ଥାନ୍ତି I ଭାବ ଏବେ ଉଠିଲା I ନିଜ ମୁହଁ ଘୋଡେଇ ହୋଇ ସମସ୍ତଙ୍କ ଉପରେ ଗୋଟେ ଗୋଟେ କମ୍ବଳ ଘୋଡେଇ ଦେଉଥାଏ ଆଉ ଆଗକୁ ଆଗକୁ ଯାଉଥାଏ I ସେ କମ୍ବଳ ଦେଇ ଦେଇ ଏବେ ଚମ୍ପା ଠିଆ ହୋଇଥିବା କେବିନ ପାଖରେ ଆସି ପହଁଚିଲା I ଚମ୍ପା କିଛି ରାଗ ଆଉ କିଛି ଅଭିମାନ ଭରା ସ୍ୱର ରେ କହିଲା , “ମୋତେ ଜଣେଇ ଥିଲେ କଣ ମୁଁ ମନା କରିଥାନ୍ତି? ନା ମୋ ଛୁଆ ପାଇଁ ପଇସା ମାଗିବି ବୋଲି ସବୁ ବାଣ୍ଟି ଦେଲ? ଚମ୍ପା କୁ ଦେଖି ଭାବ ଚମକି ପଡିଲା I ଶେଷ କମ୍ବଳ ଟି ଗୋଟେ ବୁଢ଼ୀ ଉପରେ ଘୋଡେଇ ଦେଇ ଚମ୍ପା ଆଖିରୁ ଲୁହ ପୋଛି ତା ହାତ ଧରି ପୁଣି ସେ ଚାନ୍ଦିନୀ ପାଖକୁ ଡାକି କି ନେଲା ଆଉ କହିଲା, ” ବସ ଏଠି ସବୁ କହୁଛି” I
ଭାବ ର କଥା ମାନି ଚମ୍ପା ଚାନ୍ଦିନୀ ଉପରେ ବସିଲା I ଭାବ ତା ହାତ ଧରି କହିଲା , ” ନା , ତୁ ମନା କରି ନଥାନ୍ତୁ I ଚାରି ବର୍ଷ ହେଲା କେବେ ପଚାରିନୁ I ମୁଁ ଚାକିରୀ କଲା ଦିନୁ, ସବୁ ଦିନ ଏହିପରି କିଛି କିଛି ପଇସା ରଖେ ଆଉ ଶୀତ ଦିନେ କମ୍ବଳ କିଣି ଏ ବାହାରେ ଶୋଉଥିବା ଲୋକ ମାନଙ୍କ ଉପରେ ଘୋଡେଇ ଦେଇ ଯାଏ I ମୁଁ ଏ ସବୁ ଆଜିକୁ ବାରବର୍ଷ ହେଲା କରୁଛି I ଏଥର କାଳେ ତୁ ସେ ବାବାକୁ ପଇସା ଦେଇ ଦେବୁ ବୋଲି ମୁଁ ଡରରେ ଆଜି ବାଣ୍ଟି ଦେଲି I ଆମର ସିନା ଘର ଟିଏ ଅଛି ହେଲେ ଏ ବାସହରା ଗୁଡିକ ରାତିରେ କେମିତି ଶୋଉଛନ୍ତି ଭାବିଲୁ” I କହୁ କହୁ ତା ଆଖି ଲୁହ ରେ ଟଳଟଳ ହେଇଯାଇଥାଏ I “ଛୋଟ ସମୟରୁ ପରିବାରର ବୋଝ କୁ କାନ୍ଧେଇଛି, ବାପାକୁ ଛୋଟ ସମୟରୁ ହରାଇଛି, ଲୁହକୁ ଅମୃତ ଭାବିଛି , କେତେ ଯେ ରାତି ଭୋକ ଉପାସରେ ଶୋଇଛି, ଟଙ୍କାଟିଏ ପାଇଁ କଣ କଣ ନ କରିଛି। ଏଇ ଆଖିରେ ଦେଖିଛି ମାଆ ଙ୍କ ଉପବାସରେ ଶୋଇବା । ତଥାପି ଅବଶୋଷ ନାହିଁ ଜୀବନରେ। କାହିଁକିନା ଭଗବାନ ଠୁ ବଳି ମାଆ ଟିଏ ପାଇଛି ଆଉ ତାଙ୍କଠୁ ମାନବିକତା ଗୁଣ ଟେ । ” ଏତିକି କହୁ କହୁ କାନ୍ଦି ପକେଇଲା ସେ I
ଭାବ ର ଲୁହ କୁ ନିଜ ହାତରେ ପୋଛି ଦେଲା ଚମ୍ପା ଆଉ ରାସ୍ତା ମଝିରେ କୁଣ୍ଢେଇ ପକେଇଲା ନିଜ ଗେରସ୍ତ କୁ I ଭାବି ଯାଉଥିଲା କେତେ ନିରୀହ ତା ଗେରସ୍ତ ଟା I ବସ୍ତି ର ଅନ୍ୟ ଅଣ୍ଡିରା ଗୁଡା ସବୁ ଦିନ ମଦ ପିଇ ଘରକୁ ଆସନ୍ତି I ସ୍ତ୍ରୀ ପିଲାଙ୍କୁ ମନା ଇଛା ଅସଭ୍ୟ ଭାଷା ରେ ଗାଳି ଦିଅନ୍ତି I ସ୍ତ୍ରୀ ପିଲାଙ୍କ ଠାରୁ ପଇସା ଛଡେଇ ନେଇ ଯାନ୍ତି I କେବେ କେବେ କେଉଁ ବେଶ୍ୟା ପାଖକୁ ଯାଇ ସବୁ ପଇସା ସାରି ଫେରନ୍ତି I ହେଲେ ଭାବ ? ସେ ମଦ , ଗଂଜେଇ , ବିଡି କିଛି ବି ଖାଏନି I କେତେ ଭଲ ପାଏ ଚମ୍ପା କୁ I ଦ୍ଵିତୀୟ ବି ହଉନି I ପୁଣି ଶୀତ ରାତିରେ ଏ ବାସହରା ଗୁଡା କେମିତି ଶୋଇବେ ବୋଲି ଚିନ୍ତା କରି ବାର ବର୍ଷ ହେଲାଣି ସବୁ ବର୍ଷ କମ୍ବଳ କିଣି ବାଂଟୁଛି I ଆଉ କେମିତିଆ ସ୍ୱାମୀ ସେ ପାଇଥାନ୍ତା ? ଭଗବାନଙ୍କୁ ଧନ୍ୟବାଦ ଦେଇ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଏବେ ଘରକୁ ବାହାରିଲେ I କିଛି ବାଟ ଯିବା ପରେ ପଛରୁ କିଛି ଶୁଣିବାକୁ ପାଇଲେ , “ଏ ବାବୁ ରହ ରହ , ୟାକୁ ନେଇ କି ଯା I”
ଚମ୍ପା ଆଉ ଭାବ ପଛକୁ ଚାହିଁଲେ I ଶେଷ କମ୍ବଳ ଘୋଡେଇ ଦେଇଥିବା ବୁଢ଼ୀ ଟା କୋଳ ରେ ଛୁଆଟିଏ ଧରି ଛୋଟେଇ ଛୋଟେଇ ଆସୁଥିଲା I ପାଖକୁ ଆସି କହିଲା , ” ତୁ ଭଲ ଲୋକ I କେତେ ଲୋକଙ୍କ କଥା ଚିନ୍ତା କରୁଛୁ I ଆଜି ସକାଳେ ଗୋଟେ କାର ରେ ଲୋକ ଟେ ଆସି ଏ ଝିଅ ଟିକୁ ମୋ ପାଖରେ ଶୁଏଇ ଦେଇ ଗଲା I ମୁଁ ତ ପାଚିଲା ପତର I କେତେବେଳେ ଝଡି ପଡିବି ଜାଣିନି I ମୁଁ ନ ଶୋଇ ତମ କଥା ଶୁଣୁଥିଲି I ନେ ପାଳିବୁ I
ଭାବ ଆଉ ଚମ୍ପା ଥରେ ଜଣେ ଆଉ ଜଣଙ୍କୁ ଓ ଥରେ ବୁଢ଼ୀ କୁ ଚାହିଁଲା ପରେ ଚମ୍ପା ଛୁଆଟିକୁ କୋଳକୁ ନେଲା। ଏବେ ତାକୁ କୋଟିନିଧି ପାଇଲା ପରି ଲାଗୁଥାଏ।
ଚମ୍ପା ଉପରକୁ ଚାହିଁ, ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲା ବେଳେ ଭାବ ଉପରକୁ ଚାହିଁ ତାରା ମେଳରୁ ତା ମା କୁ ଖୋଜୁଥିଲା।
—ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ

ଚାଷ ଅଛି ଯାହାର…

ଚାଷ ଅଛି ଯାହାର…
ସୁବଳ ମହାପାତ୍ର

 

ସକାଳୁ ସକାଳୁ ଗାଧୋଇ ପାଧୋଇ, ସତ୍ୟ ରେଡି ହୋଇଗଲା ଅଫିସ ଯିବାକୁ I ବାଟରେ ପୁଅକୁ ସ୍କୁଲ ରେ ଛାଡି ସିଧା ଅଫିସ ରେ ପହଞ୍ଚିଗଲା I ମେଲ ଖୋଲି ଆଜି ର କାମ କଣ ଦେଖିନେଲା I ଜୁନିଅର ମାନଙ୍କୁ କାମ ବାଣ୍ଟି ଦେଇ ଟିକେ ନିଶ୍ୱାସ ନେଲା I ହଠାତ ତାର ମନେ ପଡିଲା, ଆରେ ଆଜି ତ ୧୫ ତାରିଖ I କ୍ରେଡିଟ କାର୍ଡ ବିଲ ଆଉ ଇଲେକ୍ଟ୍ରିବିଲ ଦେବାର ଅଛି, ହୋମ ଲୋନ ଆଉ କାର ଲୋନ ର ଇ.ଏମ.ଆଇ ଦେବାର ଅଛି I ସେ ପେମେଣ୍ଟ ସାଇଟ ଖୋଲି ସବୁ ପେମେଣ୍ଟ କରିଦେଲା I ଓହୋ, ଏବେ ମାସେ ପାଇଁ ଚିନ୍ତା ଗଲା I ଏତିକି ବେଳେ ତା ଡେସ୍କ କୁ ଫୋନ ଆସିଲା I କ୍ରିଙ୍ଗ କ୍ରିଙ୍ଗ I ସେ ଫୋନ ଉଠେଇଲା I ଆଉ ଫୋନ ରଖି ସାରିବା ପରେ ମୁଣ୍ଡରେ ହାତ ଦେଇ ବସି ରହିଲା I
ସତ୍ୟଜିତ ସାମନ୍ତରାୟ I ବାଙ୍ଗାଲୋର ର ଏକ ନାମୀ ଦାମୀ ସଫ୍ଟୱାର କମ୍ପାନୀ ରେ କାର୍ଯ୍ୟରତ I ଟେକନିକାଲ ଟିମ ଲିଡର ସେ, ମାସିକ ଦରମା ୯୦୦୦୦ ଟଙ୍କା I ଘରେ ଏଜୁକେଟେଡ଼ ସ୍ତ୍ରୀ, ପୁଅ ଇଂଲିଶ ମିଡ଼ିଅମ ସ୍କୁଲ ରେ ପଢେ I ଘର ଗୋଟେ କିଣିଛି ମାସିକ କିସ୍ତି ରେ I ଆହୁରି ୨୪ ଟା କିସ୍ତି ବାକି ଅଛି I କାର ବି ଲୋନ ରେ I କାର ର ଆଉ ୫ ଟା କିସ୍ତି ବାକି ଅଛି I ପୁଅ ର ସ୍କୁଲ ରିଆଡ଼ମିଶନ ଅଛି ଆର ମାସରେ, ବର୍ଷକର ପଇସା ଦେବାକୁ ପଡିବ I ଏତିକି ବେଳେ କଣ ସବୁ ଘଟି ଗଲା I ସେ ନିଜ ସିଟ ରୁ ଉଠି ଏଚ.ଆର. ପାଖକୁ ଗଲା I ଏଚ.ଆର. ତାକୁ ଗୋଟେ ପିଙ୍କ ସ୍ଲିପ ଧରେଇ ଦେଲା I ଆଉ ସେ ପୁଣି ସିଟ ପାଖକୁ ଫେରି ଆସି ବିନା କିଛି ବାକ୍ୟ ବ୍ୟୟ ରେ ନିଜ ଜିନିଷ ଧରି ଅଫିସ ରୁ ବାହାରି ଗଲା I
ସତ୍ୟଜିତ ସାମନ୍ତରାୟ fired from his company? ଏକଥା ସେ ନିଜେ ବି ବିଶ୍ୱାସ କରିପାରୁ ନଥିଲା I କ’ଣ କରିନି ସେ ଏ କମ୍ପାନୀ ପାଇଁ I ତା ନିଜ ଜୀବନର ୧୫ ବର୍ଷ ଏଇଠି ହିଁ କାଟି ସାରିଛି I ଆଉ ଆଜି ସେ fired? ରିସେସନ ଆସିଲାନି ଯେ ଚିହ୍ନଇ ଦେଲା, କମ୍ପାନୀ କେବେ ବି କାହାର ନୁହେଁ I ମ୍ୟାନେଜମେଣ୍ଟ କେତେ ବେଳେ ବି କାହାକୁ ବି ବାହାର କରି ଦେଇ ପାରିବ I କିନ୍ତୁ ସେ ଏବେ କରିବ କଣ? ଆର ମାସ ଟା ତ ଚଳିଯିବ, କିନ୍ତୁ ତା’ପରେ I ସେ ଏବେ ଘରକୁ ଫେରି ସ୍ତ୍ରୀ ସୁଲଗ୍ନାଙ୍କୁ କହିବ କଣ? କିଛି ଦିନ ପୂର୍ବରୁ ହିଁ ସେ ନିଉଜ ଦେଖି ପଚାରୁ ଥିଲେ infosys, accenture, capgemini ଭଳି କମ୍ପାନୀ ଲୋକଙ୍କୁ ବାହାର କରୁଛନ୍ତି I ତମ କମ୍ପାନୀ ଅବସ୍ଥା କଣ I ସେ ହିଁ କହିଥିଲା, “ହଁ, କିନ୍ତୁ ମୋର ଡର ନାହିଁ, ମୋ ନାଁ ଲିଷ୍ଟ ରେ ନଥିବ” I ଏ କମ୍ପାନୀ ରେ ମୁଁ ୧୫ ବର୍ଷ ହେଲା କାମ କରୁଛି, କମ୍ପାନୀ କଣ ମୋତେ ବାହାର କରି ଦେବ? କେବେ ନୁହଁ I ସେ କାର ଚଳେଇ ଆସିଲା ବେଳେ ଅନ୍ୟ ମନସ୍କ ହୋଇ ପଡୁଥିଲା I ବାଦଲ ଫଟା ବର୍ଷା ହେଲା ପରି ତା ମୁଣ୍ଡ ଭିତରେ ଟେନସନ ଗୁଡା ଅଜାଡି ହୋଇ ପଡୁଥିଲେ I
ନିଜକୁ ସମ୍ଭାଳି ନେଇ ସେ ଘରେ ଆସି ପହଁଚି ଗଲା I ସୁଲଗ୍ନା ସତ୍ୟ କୁ ଦେଖି ଚମକି ପଡିଲା ଆଉ ତା ମୁହଁ ଦେଖି ସବୁ କଥା ଜାଣି ପାରିଲା I ସତ୍ୟ କିଛି ନ କହି ବେଡ଼ରୁମ କୁ ପଶିଗଲା ଆଉ ଜୋତା ନଖୋଲି ବେଡ଼ ରେ ଶୋଇ ପଡିଲା I ସତ୍ୟ ଆଉ ସୁଲଗ୍ନା କାହାକୁ କିଛି ନକହିଲେ ବି ବୁଝି ପାରୁଥିଲେ ଏବେ ଅବସ୍ଥା କେଉଁ ଆଡକୁ ଗତି କରୁଛି I ଦିହେଁ ପରସ୍ପର ସହ କଥା ହେବାକୁ ଚାହୁଁଥିଲେ ବି କାହା ପାଟିରୁ ବି କଥା ସ୍ପୁରୁ ନଥିଲା I କ’ଣ ହବ ଏବେ? ଏ ପ୍ରଶ୍ନ ଦୁହିଁଙ୍କ ମୁଣ୍ଡରେ ଉଙ୍କି ମାରୁଥିଲା କିନ୍ତୁ ତା ର ଉତ୍ତର କାହା ପାଖରେ ବି ନଥିଲା I ଦିନ ଆସି ଚାରିଟା ବାଜିଲାଣି କିନ୍ତୁ କେହି ବି ଆଜି ମଧ୍ୟାନ୍ନ ଭୋଜନ କରି ନାହାନ୍ତି I ଭାତ ହାଣ୍ଡିରେ ଭାତ ଶୁଖି ସାରିଥିଲା, ଆଉ ସତ୍ୟ ର ଟିଫିନ ବାକ୍ସ, ବ୍ୟାଗ ରୁ ବାହାରି ନଥିଲା I ଅନ୍ୟ ଦିନ ହୋଇ ଥିଲେ ଏତେ ବେଳକୁ ସୁଲଗ୍ନା ଖାଇ ସାରି ଖଟରେ ଶୋଇ ସତ୍ୟ କୁ ଫୋନ କରି ଥାନ୍ତା ଆଉ ୧୫ ମିନିଟ କାଳ ଗେଲ୍ହେଇ ହେଇ ଥାନ୍ତା I ଯାହା କି ସେ ୧୨ ବର୍ଷ ହେଲା କରି ଆସିଛି I ଆଜି ର କଥା କିନ୍ତୁ ଅଲଗା ଥିଲା I ଆଜି ନା ମୁହଁରେ ଥିଲା ହସ ନା ଗେଲ୍ହେଇ ହେବାର ମନ I ପୁଅ ରିଣ୍ଟୁ ସ୍କୁଲ ରୁ ଆସିବାର ସମୟ ହେଇ ସାରିଥିଲା I ଦୁହେଁ ଦୁହିଁଙ୍କୁ ବୁଝେଇବା ଅବସ୍ଥା ରେ ଥିଲେ କିନ୍ତୁ କେହି କିଛି ବି କହି ପାରୁ ନଥିଲେ I ରିଣ୍ଟୁ ସ୍କୁଲ ରୁ ଆସି ବାପାଙ୍କୁ ଘରେ ଥିବା ଦେଖି ଖୁସି ହେଇ ଗଲା ଆଉ ଖେଳିବାକୁ ଡାକିଲା I ସତ୍ୟ ର ମନ ନଥିଲେ ବି ସେ ରିଣ୍ଟୁ ସହ ଖେଳିବାକୁ ଗଲା, କିନ୍ତୁ ସୁଲଗ୍ନା ର କୌଣସି କାମରେ ମନ ନଥିଲା I ସେ ଭାବି ପାରୁ ନଥିଲା ଯେ ଆଗକୁ କଣ ହେବ? ଘର ଆଉ ଗାଡି ର ଇ.ଏମ.ଆଇ , ରିଣ୍ଟୁ ର ସ୍କୁଲ ଫିସ, ଘର ଚାଲିବାକୁ ପଇସା ତ ଦରକାର ନା?
ସନ୍ଧ୍ୟା ରେ ବି ସତ୍ୟ ଆଉ ସୁଲଗ୍ନା ଚୁପ ଚାପ, କାହା ମୁହଁରେ କଥା ନାହିଁ I ରିଣ୍ଟୁ କିଛି ବୁଝି ପାରୁ ନଥାଏ I କିନ୍ତୁ ଜାଣି ପାରୁ ଥାଏ ଯେ କିଛି ଗୋଟେ ଘଟି ଯାଇଛି I ସେ ଆଉ ଛୋଟ ପିଲା ନୁହଁ I କ୍ଲାସ six ରେ ପଢୁଛି ସେ I କିନ୍ତୁ ସେ ବା କ’ଣ କରି ପାରିବ ?
ଏଇ ଭିତରେ ଦୁଇ ଦିନ ବିତି ଗଲାଣି I ସତ୍ୟ ଆଉ ସୁଲଗ୍ନା, ରିଣ୍ଟୁ ଆଗରେ କଥା ନ ହେଲେ ବି ରିଣ୍ଟୁ ଟିକେ ଟିକେ ବୁଝି ପାରୁ ଥାଏ I ବାପା ଦୁଇ ଦିନ ହେଲାଣି ଅଫିସ ଯାଉ ନାହାନ୍ତି I ସେ ଜନ୍ମ ହେବା ପରଠୁ ଏମିତି କେବେ ବି ଦେଖିନି I ଘରେ ବି ସମସ୍ତେ ଚୁପ ଚାପ I ସମସ୍ତେ କହିଲେ ବାପା ଓ ମା I ଜେଜେ ଜେଜୀ ତ ସେ ଛୋଟ ଥିଲା ବେଳେ ଆର ପାରିକୁ ଚାଲି ଯାଇଛନ୍ତି I ବାପା, ଜେଜେଙ୍କ ଗୋଟିଏ ବୋଲି ପୁଅ I ଜେଜେ ଥିଲା ଯାଏ, ସେମାନେ ସାଙ୍ଗ ହୋଇ ଗାଁ କୁ ଯାନ୍ତି I କିନ୍ତୁ ଜେଜେ ଗଲା ପରଠୁ, ଆଉ ସେମାନେ ଆଜି ଯାଏ ଯାଇ ନାହାନ୍ତି ଗାଁ କୁ I ତା ସ୍କୁଲ ରେ ଏବେ ଖରା ଛୁଟି ହେଇ ଯିବ I ସେ ମନେ ମନେ କିଛି ଚିନ୍ତା କରି, ବାପାଙ୍କ ପାଖରେ ଯାଇ କି ବସିଲା I
ସତ୍ୟ କିନ୍ତୁ ଅନ୍ୟ ମନସ୍କ, ତେଣେ ଟିଭି ଚାଲି ଥାଏ I ସତ୍ୟ ଟିଭି କୁ ଚାହିଁ କଣ ସବୁ ଭାବୁଥାଏ I ମୁଣ୍ଡରେ ଟେନସନ ଭର୍ତି I ପଇସା କୁଆଡୁ ଆସିବ I ଏବେ ତ ସବୁ କମ୍ପାନୀ ରୁ ଲୋକଙ୍କୁ ବାହାର କରୁଛନ୍ତି I କେଉଁ କମ୍ପାନୀ ରେ ବି ଭ୍ୟାକାନସି ନାହିଁ I High Salaried ଲୋକଙ୍କୁ କେହି ବି ନେବାକୁ ଚାଁହୁ ନାହାନ୍ତି I ଦି ଦିନ ଭିତରେ ସେ ପାଖା ପାଖି ୨୫ ଟା କମ୍ପାନୀ ବୁଲି କି ଆସିଲାଣି କିନ୍ତୁ ସମସ୍ତେ ନାହିଁ କରୁଥାନ୍ତି I ତେବେ ସେ କରିବ କଣ?
ରିଣ୍ଟୁ ଆସି ପାଖରେ ବସିଲା I ସତ୍ୟ କିନ୍ତୁ ରିଣ୍ଟୁ ମୁହଁକୁ ସିଧା ଚାହିଁ ପାରୁ ନଥାଏ I ରିଣ୍ଟୁ କହିଲା ବାପା, ଗୋଟେ କଥା କହିବି?
— ହଁ କଣ କହ I
— ମୋ ସ୍କୁଲ ଆଉ ଦି ଦିନ ପରେ ଛୁଟି ହୋଇଯିବ I ଚାଲନା ଏଥର ଗାଁ ଆଡୁ ଟିକେ ବୁଲି ଆସିବା I
— ହଉ ଦେଖିବା I
ରିଣ୍ଟୁ ଆଉ କିଛି ନକହି ତା ରୁମ କୁ ଚାଲିଗଲା I ସତ୍ୟ ମୁଣ୍ଡରେ କିନ୍ତୁ ଛାଡି ଦେଇ ଗଲା ନୂଆ ଗୋଟେ ଭାବନା I ସତ୍ୟ ଟିଭି ବନ୍ଦ କରି ଦେଇ ଆଖି ବନ୍ଦ କରି ଭାବିବାକୁ ଲାଗିଲା I ୨୦୦୭ ମସିହା ରେ ଏମିତି ଗୋଟେ ସମୟ ଆସିଥିଲା ୨୦୧୧ ଯାଏ I ସେତେବେଳେ ବି ବହୁତ କମ୍ପାନୀ ବହୁତ ଲୋକଙ୍କୁ ବାହାର କରିଥିଲେ, କିନ୍ତୁ କୌଣସି ମତେ ବଞ୍ଚି ଯାଇଥିଲା ସତ୍ୟ I ଆଉ ସମାନ ଜିନିଷ ପୁଣି ଥରେ ୨୦୧୭ ରେ I ଆମେରିକା ଲୋକ ମାନେ କ’ଣ ଠିକା ନେଇଛନ୍ତି ଆମ ଭବିଷ୍ୟତର? ଆମେ କଣ ସେମାନଙ୍କ ଇଚ୍ଛାରେ ଚାଲିବୁ? ୧୫ ବର୍ଷର ସେବା କଣ କମ୍ପାନୀ ପାଇଁ ଯଥେଷ୍ଟ ନଥିଲା, କିନ୍ତୁ କମ୍ପାନୀ ପଲିଟିକ୍ସ ତାକୁ ବର୍ବାଦ କରିଦେଲା I ମ୍ୟାନେଜମେଣ୍ଟ ଶେଷରେ କଲା କ’ଣ? ତାକୁ ହିଁ କମ୍ପାନୀ ରୁ ବାହାର କରିଦେଲା I କିଛି ତ ତ୍ରୁଟି ସେ ରଖି ନଥିଲା I କିନ୍ତୁ ହଁ ତୋଷାମଦିଆ ହେଇ ପାରିଲାନି I ବସ ର ଜୋତା ଚାଟି ପାରିଲାନି I ତାକୁ ତେଲ ମାରି ପାରିଲାନି I ସତ୍ୟ ଯାହା କହେ ମୁହଁରେ I ଠିକ ତ ଠିକ, ଭୁଲ ତ ଭୁଲ I ହେଲେ ଆଉ ନୁହଁ I ଯେଉଁ କମ୍ପାନୀ ଗଲେ ବି ତ ଏମିତି ବସ ଆଉ ସିନିଅର ମିଳିବେ I ତେବେ କଣ ଚାକିରୀ ଆଉ କରିବନି? ଗାଁ ରେ ଯାଇ ଚାଷ କରିବ?
ହଁ, ଗାଁ ରେ ଚାଷ କରିବାରେ ଅସୁବିଧା କ’ଣ? ଆଗରୁ ସିନା ପାରମ୍ପରିକ ପଦ୍ଧତି ରେ ଚାଷ ହେଉଥିଲା, ଏବେ ତ କେତେ ନୂଆ ଯନ୍ତ୍ରପାତି ବାହାରିଲାଣି, କେତେ କେତେ ନୂଆ ଜିନିଷ ସବୁ ଆସିଲାଣି I ସେ ତ ପୁଣି ଛୋଟ ଥିଲା ବେଳେ ବାପା ଚାଷ କରୁଥିଲେ, ଚାଷ ବାସ ସବୁ ବୁଝୁଥିଲେ I ସେ କାହିଁକି ପାରିବନି? ପର ପାଖରେ ମୁଣ୍ଡ ବିକି ରହିବା ଅପେକ୍ଷା ନିଜେ ଚାଷ କରିବା ଭଲ I
ଭାବି ଭାବି ସେ ସୁଲଗ୍ନା ପାଖକୁ ଗଲା I ସୁଲଗ୍ନା କୁ ଏଇ ବିଷୟରେ କହିଲା ପରେ ସୁଲଗ୍ନା ଭୀଷଣ ଭାବରେ ଚିଡି ଉଠିଲା I କାହିଁ ଏ ମେଟ୍ରୋ ସହରର ଚାକଚକ୍ୟ ଭରା ଦୁନିୟା ଆଉ କାହିଁ ଗାଁ ର ସେ ଧୂଳି ମଳି ଭରା ଜୀବନ I ଜେଜେ ଅମଳର ଚାଳ ଖଣ୍ଡେ ଥିଲା ଯେ ସେଟା ବି ୧୨ ବର୍ଷ ହେଲା ଛାଉଣି ହୋଇନି I ବାପା ବୋଉ ତ ମଲା ଯାଏ ଏଠି ରହୁଥିଲେ I ଗାଁ ସହ ତ ଆଉ ସେମିତି କିଛି ବି ସମ୍ପର୍କ ନାହିଁ I କେବଳ ରାମୁ କାକା ବର୍ଷ କୁ ବର୍ଷ କିଛି କିଛି ପଇସା ଭାଗ ର ପଠେଇ ଦିଅନ୍ତି I ନହେଲେ ଗାଁ କିଏ ଆଉ ସେମାନେ କିଏ? ଇଏ ପୁଣି ଜଣେ ସଫ୍ଟୱେର ଇଞ୍ଜିନିଅର, ଗାଁ ରେ ଯାଇ ଚାଷ କରିବେ I ଚାଷ ବିଷୟରେ ତମକୁ କ’ଣ ଜଣା? ଏଠି ଦଶ ଲକ୍ଷ ର ପ୍ୟାକେଜ ଛାଡି ଯିବେ ଗାଁ କୁ ଚାଷ କରିବାକୁ I ତମେ ଯାଆ, ମୁଁ ଆଉ ମୋ ପୁଅ ଏଇଠି ରହିବୁ I ଗାଁ ରେ ଇଂଲିଶ ମିଡ଼ିଅମ ସ୍କୁଲ ନାହିଁ I ଘର ନାହିଁ I ଡାକ୍ତର ଖାନା ନାହିଁ I ହୋଟେଲ ନାହିଁ I କଣ ଅଛି ଗାଁ ରେ?
ସୁଲଗ୍ନା ଠୁ ଏସବୁ ଆଶା କରି ନଥିଲା ସତ୍ୟ I ଚାକିରୀ ର ଟେନସନ ଯାହା, ସେଥିରେ ପୁଣି ପଲିଟିକ୍ସ I ଏବେ ଚାକିରୀ ନାହିଁ I ମିଳିବ କି ନମିଳିବ ତା ବି ଜଣା ନାହିଁ I କେତେଦିନ ଯାଏ ଏ ରିସେସନ ଚାଲିବ ତାର କିଛି ଠିକ ଠିକଣା ନାହିଁ I ସେଥିପାଇଁ ସେ ଏପରି ଚିନ୍ତା କରିଥିଲା I ହେଲେ ସେ ୟାକୁ ତ ସଜେସନ ବୋଲି ଭାବି ସୁଲଗ୍ନା କୁ କହିଥିଲା I ଫାଇନାଲ ତ କରି ନଥିଲା I ଅଗତ୍ୟା ବାଧ୍ୟ ହୋଇ ଆଉ କିଛି ବି ନକହି ସେ ପୁଣି ଟିଭି ରୁମ କୁ ପଳେଇ ଆସିଲା I ରାଗରେ ସୁଲଗ୍ନା ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ସୁଲଗ୍ନା ଚିନ୍ତା କରି ପାରୁ ନଥାଏ ଯେ ଏସବୁ ବାଜେ ଚିନ୍ତା କେମିତି ୟାଙ୍କ ମୁଣ୍ଡକୁ ଆସୁଛି I କଣ ନା, ଚାଷ କରିବେ ଗାଁ ରେ I ଯେଉଁଠି ଦୈବୀ ଦୁର୍ବିପାକ, ମରୁଡି, ନଈବଢି, ଖରାପ ବିହନ ସବୁ ପାଇଁ ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି, ସେଠି ଜଣେ ସଫ୍ଟୱେର ଇଞ୍ଜିନିଅର ଯିବ ଚାଷ କରିବାକୁ I ଯାହାକୁ ଚାଷ ର ଚ ବି ଜଣା ନାହିଁ I
ସତ୍ୟ କିଛି ସମୟ ମୁଣ୍ଡରେ ହାତ ଦେଇ ବସି ରହିଲା I ହଉ, ଦେଖିବା କଣ ହଉଚି ! କହି ସେ ଇଣ୍ଟରନେଟ ରେ ଚାକିରୀ ଖୋଜିବାକୁ ଲାଗିଲା I naukri, monster ଭଳି ଆଉ କେତେ ସାଇଟ ଖୋଜି ସାରିଲା ପରେ କିଛି ନପାଇ ରାଗରେ ଲାପଟପ କୁ ବନ୍ଦ କରିଦେଲା ଆଉ ଆଖି ବୁଜି ବସି ରହିଲା I
ଦୁଇ ଦିନ ପରେ ରିଣ୍ଟୁ ର ସ୍କୁଲ ଛୁଟି ହେଲା I ସେ ସତ୍ୟକୁ ଲଗେଇଲା ଚାଲ ଗାଁ ଆଡେ ବୁଲି ଯିବା I ସତ୍ୟ ବି ରାଜି ହେଲା I ବାପା ମଲା ପରଠୁ ସେ ଗାଁ କୁ ଯାଇ ନଥିଲା I ସୁଲଗ୍ନା ରୋକଠୋକ ମନା କରିଦେଲା ସେ ଗାଁ କୁ ଯିବନି I ସତ୍ୟ ଠିକ କଲା ଯେ ଯାହା ବି ହେଉ ସେ ଗାଁ କୁ ଯିବ I ରିଣ୍ଟୁ କୁ କିନ୍ତୁ ନେବା ପାଇଁ ଚାହିଁଲାନି I କାରଣ ସୁଲଗ୍ନା ନଗଲେ ରିଣ୍ଟୁ ହଇରାଣ ହେବ I ରିଣ୍ଟୁ ମନ ଦୁଃଖ କଲେ ବି ସୁଲଗ୍ନା ତା ଜିଦ ରେ ଅଟଳ ଥିଲା I
ସତ୍ୟ ବାଙ୍ଗାଲୋର ରୁ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚି ବସ ରେ ଗାଁ କୁ ଗଲା I ଗାଁ ରେ ତାଙ୍କ ସବୁ ଘର ଭାଙ୍ଗି ଯାଇ ଥାଏ I ମାଟି ଘର, ରକ୍ଷଣା ବେକ୍ଷଣ ଅଭାବରୁ ଯାହା ହୁଏ I କିଛି ଦିନ ରାମୁ କାକାଙ୍କ ଘରେ ରହିଲା I ତାଙ୍କ ଜମି, ବାଡ଼ି, ଘର ଡିହ, ଆମ୍ବ ତୋଟା, ଗହିରି ବିଲ ସବୁ ଦେଖି ସାରିଲା ପରେ ଠିକ କଲା ଯେ ସେ ଗାଁ ରେ ହିଁ ରହିବ ଆଉ ଚାଷ କରିବ I ତେଣିକି ସୁଲଗ୍ନା ଗାଁ କୁ ଆସିଲେ ଆସୁ ନହେଲେ ନାହିଁ I ସୁଲଗ୍ନା କୁ ସେ ଫୋନ ରେ ତା ଡିସିସନ ଶୁଣେଇ ଦେଲା I ସୁଲଗ୍ନା ବି ରାଗିକି ତା ଡିସିସନ ଶୁଣେଇଲା I ଯାହା ବି ହେଇଯାଉ ସେ ଗାଁ କୁ ଆସିବ ନାହିଁ I ତମେ ତେଣିକି ସିଆଡେ ରୁହ, ମୁଁ ଆଉ ମୋ ପୁଅ ଏଠି ରହିବୁ I ଆମ ପାଖକୁ ପଇସା ବି ପଠେଇବା ଦରକାର ନାହିଁ I ଯେତେବେଳେ ତମକୁ ଲାଗିବ ଯେ ତମେ ଭୁଲ ରାସ୍ତା ରେ ଅଛ, ଅଥବା ବଢି, ମରୁଡି ପରେ ଦେବାଳିଆ ହୋଇଯିବ, ସେତେବେଳେ ଫେରିବ ଆମ ପାଖକୁ I ଆମେ ତମକୁ ଅପେକ୍ଷା କରିବୁ I ସୁଲଗ୍ନା ଫୋନ କାଟିଦେଲା ଆଉ ସୁଇଚ ଅଫ କରିଦେଲା I ସତ୍ୟ ଚାହିଁଲେବି ଆଉ ସୁଲଗ୍ନା ସହ କଥା ହୋଇ ପାରିଲାନି କି ନିଜ ମନ କୁ ବଦଳେଇ ପାରିଲାନି I ହଉ ପଛେ ଦୈବୀ ଦୁର୍ବିପାକ, ହଉ ପଛେ ବଢି ଆଉ ମରୁଡି, ମିଳୁ କମ ପଇସା କିନ୍ତୁ ଏଠି ଶାନ୍ତି ତ ଅଛି I ନା ଅଛି ପଲିଟିକ୍ସ ନା ଅଛି ବସ ର ଡର I ପଲିଟିକ୍ସ, ଟେନସନ, ଆଉ ପ୍ରେସର ରୁ ସେ ଦୁରେଇ ଯିବାକୁ ଚାହୁଁଥିଲା I
ସୁଲଗ୍ନା ବି ଏଜୁକେଟେଡ଼ I ବାଙ୍ଗାଲୋର ରେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଚାକିରୀ ଖଣ୍ଡେ ତାକୁ ମିଳିଗଲା I ମାସକୁ ୩୫୦୦୦ ଦରମା I ସୁଲଗ୍ନା ଆଉ ରିଣ୍ଟୁ ବାଙ୍ଗାଲୋର ରେ ରହିଲେ ଆଉ ସତ୍ୟ ଗାଁ ରେ I ସତ୍ୟ ବେଳେ ବେଳେ ମନେ ପଡନ୍ତି ସୁଲଗ୍ନା ର I ଝଗଡା ନାହିଁ, ମାରପିଟ ନାହିଁ, କେତେ ଶାନ୍ତି ରେ ଚାଲୁଥିଲା ତାଙ୍କ ଘର, କିନ୍ତୁ ଗୋଟେ ଡିସିସନ ହିଁ ବଦଳେଇ ଦେଲା ତାଙ୍କ ଜୀବନ I ସେଥିପାଇଁ ସତ୍ୟ କୁ ଦାୟୀ କରନ୍ତି ସେ I ସତ୍ୟ ର ବି ମନେ ପଡନ୍ତି ସୁଲଗ୍ନା ଆଉ ରିଣ୍ଟୁ, କିନ୍ତୁ ସେ ନାଚାର I ବହୁତ ଥର କଥା ହେବା ପାଇଁ ଚାହିଁଛି ସେ, ସବୁଥର ସୁଲଗ୍ନା ତା ଫୋନ କାଟି ଦିଅନ୍ତି, ଆଉ କିଛି ଦିନ ପରେ ନମ୍ବର ହିଁ ବଦଳେଇ ଦେଲେ I ପଡିସା ଘରକୁ ଫୋନ କରି ସେ କଥା ହେବାପାଇଁ ଚାହିଁଥିଲା, କିନ୍ତୁ ପଡୋଶୀ ଙ୍କୁ ସୁଲଗ୍ନା କଡା କଥା ଶୁଣେଇଲା ପରେ ସେ ଆଉ ଫୋନ କରି ନଥିଲା I ପଡୋଶୀ ଠୁ ଏତିକି ଶୁଣିଥିଲା ଯେ ସୁଲଗ୍ନା ଏବେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଟିଚର ଅଛି I ସେ ବି ରାଣ ଖାଇଲା ଯେ, ଯେବେ ଯାଏ ମୁଁ ଜଣେ ଭଲ ଚାଷୀ ନହେଇ ପାରିଛି, ସେବେ ଯାଏ ସୁଲଗ୍ନା ଆଉ ରିଣ୍ଟୁ କୁ ମୁହଁ ବି ଦେଖେଇବିନି I
ସତ୍ୟ କିଛି ଦିନ ରାମୁ କାକାଙ୍କ ଘରେ ରହିଲା ପରେ ତା ନିଜ ଚାଳ ଘରଟିକୁ ଆଜବେଷ୍ଟସ କଲା I ବାଡ଼ି ଆଉ ଜମି ରେ କିଛି କିଛି ପନିପରିବା ଚାଷ ଆରମ୍ଭ କଲା I ଗାଁ ରେ ମୁଲିଆ ଆଉ କୋଠିଆ ମିଳି ଗଲେ I ନିଜକୁ ଚାଷ ଜଣା ନଥିଲେ ବି ସେ ଦେଖି ଦେଖି କିଛି କିଛି ଶିଖିଲା I ରାମୁ କାକାଙ୍କ ଠୁ ଜାଣିଲା ତାର ୪୦ ଏକର ଜମି କିନ୍ତୁ ସବୁ ଏକାଠି ନଥିଲା I ଗାଁ ଲୋକଙ୍କ ସହ କଥା ହେଇ ଜମି ଅଦଳବଦଳ କରି ସବୁ ଜମି ଏକାଠି କଲା I ଉପର, ତଳ, ଢିପ, ଖାଲ ଜମି ସବୁ ମିଶେଇ ଏବେ ତା ପାଖରେ ୩୫ ଏକର ଥିଲା I
ଗହିରି ବିଲ କୁ ଆହୁରି ଖୋଳି ତାକୁ ପୋଖରୀ କଲା I ପୁରା ଜାଗା କୁ ତାରବାଡ ଦେଇ ବନ୍ଦ କରିଦେଲା I ପୋଖରୀ ଚାରି ପଟେ ନଡ଼ିଆ ଗଛ ଲଗେଇଲା I ଜାଗା ର ଚାରି କଡେ ଆମ୍ବ ଆଉ ପଣସ ଗଛ, ମଝିରେ ଗୋଲାପ ଆଉ ଗେଣ୍ଡୁ ଫୁଲ, ଫୁଲ ଚାରି ପଟେ ସିଜିନାଲ ପନି ପରିବା ଯେମିତିକି ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି ଆଦି, ଆଉ କିଛି କିଛି ଜମିରେ ଧାନ, ବାଦାମ ଆଦି ଚାଷ କଲା I ରାମୁ କାକା ସବୁଦିନ ତା ସହ ଥାନ୍ତି I କେତେବେଳେ କଣ ବୁଣା ଯିବ, କେଉଁଟା ଅମଳ ହବ ଇତ୍ୟାଦି କଥା ସେ ବୁଝା ବୁଝି କରୁଥାନ୍ତି I
କିଛି ସମୟ ଏମିତି ବି ଆସିଲା ଯେତେବେଳେ ସତ୍ୟ କୁ କୃଷି ଋଣ ନେବା ପାଇଁ ବ୍ୟାଙ୍କ ଆଗରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡିଲା I ତା ପାଖରେ ପଇସା ସବୁ ସରି ସରି ଆସୁଥାଏ I ଏପଟେ ଗୋଟେ ପରେ ଗୋଟେ ଜମି ବୁଣା ଚାଲି ଥାଏ, ଅମଳ ହେଲେ ସିନା ପଇସା ଆସିବ, କିନ୍ତୁ ତା ପୂର୍ବରୁ ମୁଲିଆ ପଇସା, ବିହନ, ସାର, ପୋକମରା ଔଷଧ ଆଉ ସବୁ ଆନୁସାଙ୍ଗିକ ପାଇଁ ତ ପଇସା ଦରକାର I ବାଧ୍ୟ ହୋଇ ତାକୁ ତା ବାଙ୍ଗାଲୋର ର ଘର ବନ୍ଧା ପକେଇବାକୁ ପଡିଲା I ସେମିତି ବି ୧୬-୧୮ ମାସ ହେଲା ତା ଇ.ଏମ.ଆଇ. ଦିଆ ହୋଇ ନଥିଲା I ବ୍ୟାଙ୍କ ରୁ ଘନ ଘନ ଫୋନ ଆସୁଥାଏ I କିନ୍ତୁ ତା ପାଖରେ କରିବା ପାଇଁ କିଛି ନଥିଲା I ମାଟି ସହ ମାଟି ହୋଇ ସେ ମୁଲିଆ ହୋଇ ଯାଇଥିଲା I ତାକୁ ଦେଖିଲେ କେହି ବି କହିବେନି ଯେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର I
କିଛି ଦିନ ପରେ ସତ୍ୟ ପୋଖରୀ ରେ ମାଛ ଆଉ ଚିଙ୍ଗୁଡ଼ି ଚାଷ ଆରମ୍ଭ କଲା I ପୋଖରୀ କୂଳରେ ଘର ତିଆରି କରି କୁକୁଡ଼ା ଫାର୍ମ ବି କଲା, ଆଉ ତା ଜମିରେ ଗୋଟେ ଛୋଟ ଚାଳିଆ କରି ସେଠି ରହିଲା I ପଇସା ନଥିବାରୁ ସେ ଦେବାଳିଆ ହୋଇ ଯାଇଥିଲା I ବାଙ୍ଗାଲୋର ରେ ଥିବା ସାଙ୍ଗ ମାନଙ୍କଠୁ ବି ସେ ହାତ ଉଧାରୀ ରେ ୮-୧୦ ଲକ୍ଷ ଟଙ୍କା ଆଣି ସାରିଥିଲା I ବେଳେ ବେଳେ ଭାବେ ଏସବୁ ଠାରୁ ତ ସଫ୍ଟୱେର ଚାକିରୀ ଭଲ ଥିଲା I ସୁଲଗ୍ନା ଠିକ କହୁଥିଲେ I ଏବେ ସେ ଜାଣି ପାରୁଛି ଯେ ଅସୁବିଧା କଣ I ତାକୁ ସବୁ ଜିନିଷ ଆସ୍ତେ ଆସ୍ତେ କରିବାର ଥିଲା I ମାଛ ଚାଷ, କୁକୁଡ଼ା ଫାର୍ମ, ଘର ସବୁ ଏକାବେଳେ କରି ପକେଇବା ତାର ଭୁଲ ଥିଲା I ପିଲା ବେଳେ ଶୁଣିଥିବା ଗପ ଶିବେଇ ସାନ୍ତରା କଥା ତାର ଏବେ ମନେ ପଡୁଥିଲା, ତା ସହ ମନେ ପଡୁଥିଲା ସୁଲଗ୍ନା ର ରାଗ, ରିଣ୍ଟୁ ର କନକନିଆଁ ମୁହଁ ଆଉ ବାପା ଡାକ, ସୁଲଗ୍ନା ର ଭଲ ପାଇବା, ଅଫିସ ର କଲିଗ, ବ୍ୟାଗ ଭିତରେ ଟିଫିନ ବକ୍ସ, ରବିବାର ବୁଲାବୁଲି ଆଉ ସିନେମା ଦେଖା, ଏସି କାର, ଅଫିସ ଟ୍ରିପ, ଜୁନିଅର ଝିଅ ମାନଙ୍କର କୁନୁମୁନିଆଁ ଚାହାଣି, ବସ ର ଗାଳି, ଏଚ.ଆର. ର ପିଙ୍କ ସ୍ଲିପ, ଆଉ ଚାକିରୀ ଖୋଜା I ଅଫିସ କଥା ମନେ ପଡିବା କ୍ଷଣି ତା ମୁହଁ ଲାଲ ହୋଇ ଆସିଲା ଆଉ ସେ ନିଜକୁ ସହଜ କରିବାକୁ ଯାଇ ଆହୁରି ପରିଶ୍ରମ କଲା I
କହନ୍ତି ମାଟି ସହ ମାଟି ହେଲେ ଯାଇ ସୁନା ଫଳେ I ପୋତା ଧନ ବୋଲି କିଛି ବି ନଥାଏ, ମାଟି ଖୋଳି ଦେହରୁ ଝାଳ ନିଗିଡ଼ିଲେ ଯାଇ ମାଟି ମା ତମ ମନ ରଖେ ଆଉ ତା ମାନ ବି ରଖେ I ସତ୍ୟ ଦିନ ରାତି ଏକ କରି ଦେଲା I ଆସ୍ତେ ଆସ୍ତେ ତା ଜମିରେ ସୁନା ଫଳିବାକୁ ଲାଗିଲେ I ଦି ବର୍ଷ ପରେ ସେ ପୋଖରୀ ଉପରେ ମଝା ମଝି ଗୋଟେ ଘର ତିଆରି କଲା ଆଉ ପୋଖରୀ ଉପରେ ବ୍ରିଜ କଲା, ସେ ଘରକୁ ଯିବା ପାଇଁ I ମାଛ ଆଉ ଚିଙ୍ଗୁଡ଼ି ଚାଷ ରୁ ବି ତାର ବହୁତ ଲାଭ ହେଲା I ଏପଟେ ଫୁଲ ବି ବହୁତ ବିକ୍ରି ହେଲା ବିଶେଷ କରି ବାହାଘର ସିଜିନ ଆଉ ଫେଷ୍ଟିଭାଲ ସିଜିନ ରେ I ଆସ୍ତେ ଆସ୍ତେ ତା ହାତକୁ ପଇସା ଆସିବାରେ ଲାଗିଲା I ନୂଆ ନୂଆ instrument use କରି ସେ କମ ଖର୍ଚରେ ଅଧିକ ଉପାର୍ଜନ କରୁଥିଲା I ଫୁଲ, ମାଛ ଆଉ ଚିଙ୍ଗୁଡ଼ି, ପନିପରିବା, ସବୁଥିରୁ ତାକୁ ଲାଭ ମିଳିବାରେ ଲାଗିଲା I ନଡ଼ିଆ, ଆମ୍ବ ଆଉ ପଣସ ର ସବୁ କଲମୀ ଚାରା ଥିବାରୁ ସେଗୁଡିକ ବି ଫଳ ଧରିବାରେ ଲାଗିଲା I ମୋଟା ମୋଟୀ ଏବେ ତା ପାଖକୁ କିଛି କିଛି ପଇସା ଆସିଲା ପରେ ତା ପରିଶ୍ରମର ଫଳ ମିଳିଲା ପରି ତାକୁ ଲାଗୁଥିଲା I ସତ୍ୟ ସବୁ ହାତ ଉଧାରୀ ସୁଝା ସୁଝି କରି ବ୍ୟାଙ୍କ ଲୋନ ବି ସୁଝି ଦେଲା I ଆସ୍ତେ ଆସ୍ତେ ବନ୍ଧା ପକେଇଥିବା ଘରକୁ ମୁକୁଳେଇ ଆଣିଲା I
ଏଇ ଭିତରେ ବିତି ଯାଇଛି ୬ ବର୍ଷ I ସୁଲଗ୍ନା ଆଉ ସତ୍ୟ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଲା ପରେ ବି କେହି କାହା ପାଖକୁ ଫୋନ କରି ନାହାନ୍ତି I ସୁଲଗ୍ନା କୁ ବି ଅସୁବିଧା ର ସାମ୍ନା କରିବାକୁ ପଡିଛି I ସକାଳୁ ରୋଷେଇ ସାରି ସ୍କୁଲ, ସନ୍ଧ୍ୟାରେ ରୋଷେଇ ସହ ରିଣ୍ଟୁ ର ପାଠ ପଢା I ଏକା ଏକା ମଣିଷ I ବଜାର ସଉଦା ଠୁ ରୋଷେଇ ଯାଏ, ଘରକାମଠୁ ବାହାର ଯାଏ, ସବୁ ତାଙ୍କୁ ହିଁ କରିବାକୁ ପଡ଼େ I ରିଣ୍ଟୁ ର ପାଠ ପଢା, କୁ ନେଇ ସେ ସିରିଏସ ଥାନ୍ତି I ରିଣ୍ଟୁ, ଏ ବର୍ଷ +2 ପାସ କଲା ଆଉ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ପାଇ ଇଞ୍ଜିନିଅରିଂ ପଢିବାକୁ ଗଲା I ତା କଲେଜ ଫିସ, ହଷ୍ଟେଲ ଫିସ, ଆଉ ସବୁ ବାବଦରେ ଟଙ୍କା ଦରକାର ଥିଲା, କିନ୍ତୁ ସୁଲଗ୍ନା ଫୋନ ବି କଲାନାହିଁ ସତ୍ୟ କୁ, ନିଜର ସୁନା ବନ୍ଧା ପକେଇ ବ୍ୟାଙ୍କ ରୁ ଟଙ୍କା ଆଣି ତା ନାଁ ଲେଖେଇଲା I ରିଣ୍ଟୁ ହଷ୍ଟେଲ କୁ ପଳେଇଲା ପରେ ସୁଲଗ୍ନା ଏକା ହୋଇଗଲା I ଏଥର ସବୁବେଳେ ସତ୍ୟ ମନରେ ଆସିବାକୁ ଲାଗିଲେ I କିନ୍ତୁ ସୁଲଗ୍ନା କେଉଁ ମୁହଁ ରେ ଫୋନ କରିବେ? ଯେତେବେଳେ ସତ୍ୟ ଫୋନ କରୁଥିଲେ ଆଉ କଥା ହେବାକୁ ଚାହୁଁଥିଲେ ସେତେବେଳେ ତ ସୁଲଗ୍ନା ନିଜେ ଇଗନୋର କରିଛି ଏବେ ଆଉ ମୁହଁ ଅଛି? ସତ୍ୟ ଅବସ୍ଥା ଏବେ କ’ଣ, ସେ କଥା ବି ସୁଲଗ୍ନା ଜାଣିନି I କିନ୍ତୁ ଏକା ଏକା ଘର ତାଙ୍କୁ ଖାଇ ଗୋଡାଉ ଥିଲା I ନାଁ ଆଉ ନୁହଁ, ସୁଲଗ୍ନା ଏବେ ସତ୍ୟ କୁ ହିଁ ଝୁରି ହେଉଥିଲେ I ଯେମିତି ହେଲେ ସତ୍ୟ ବିଷୟରେ ଜାଣିବା ଦରକାର I ସେ ତ ଏମିତି ଯିଦିଆ ଲୋକ ଯେ ଯେତେ ଅସୁବିଧାରେ ଥିଲେ ବି ପଦେ କହିବେନି I ଯେତେ କଷ୍ଟ ହେଲେ ବି ଉଁ କି ଚୁଁ କରିବେନି I ଏତେ ଥର ଫୋନ ନଉଠେଇଲେ ପରେ ବି ସେ ଫୋନ କରୁଥିଲେ କିନ୍ତୁ ଭୁଲ ତ ସୁଲଗ୍ନା କରିଛି ସିମ ବଦଳେଇ I ନୂଆ ନମ୍ବର ତ ତାଙ୍କ ପାଖେ ନାହିଁ I ସେ ଅବା ଫୋନ କରିବେ କେମିତି I ସୁଲଗ୍ନା ଏଥର ସତ୍ୟ ର ନମ୍ବର ଡାଏଲ କଲେ I
ସତ୍ୟ ପାଖରେ ଏବେ ପଇସା ଥିଲା I ମାଛ, ଚିଙ୍ଗୁଡ଼ି, ଫୁଲ, ପନିପରିବା, ଧାନ,ବାଦାମ ବିକ୍ରି କରି ଏବେ ପାଖା ପାଖି ୨୪ ଲକ୍ଷ ଟଙ୍କା ସେ ଇନକମ କରୁଛି ବର୍ଷକୁ I ମୁଲିଆ, କୋଠିଆ ଆଉ ସବୁ ଜିନିଷ ମିଶେଇ ୬-୭ ଲକ୍ଷ ଗଲା ପରେ ବି ଲାଭ ପାଖାପାଖି ୧୫-୧୭ ଲକ୍ଷ I ଏବେ ସେ ଟ୍ରାକଟର କିଣି ନିଜେ ଚାଷ କରୁଛି I ପୋଖତ ଚାଷୀ ହେଇ ଯାଇଛି ଏଇ ୬ ବର୍ଷ ଭିତରେ I ହାଟରେ ତ ତା ପରିବା ପାଇଁ ବାଡିଆ ପିଟା, କାରଣ ସେ ରାସାୟନିକ ସାର ବ୍ୟବହାର କରେ ନାହିଁ I pure organic ରେ ଚାଷ କରେ I ତା ପୋଖରୀ ର ମାଛ ଆଉ ଚିଙ୍ଗୁଡ଼ି ଟେଷ୍ଟ ବି ଭଲ I ଏବେ ତାକୁ ଆଉ ବଜାର କୁ ଯିବାକୁ ପଡୁନି I ବେପାରୀ ମାନେ ଆସି ତା ଜମିରୁ ହିଁ ନେଇ ଯାଉଛନ୍ତି I ସବୁ କାମ ପାଇଁ ମ୍ୟାନେଜର ଅଛନ୍ତି I ସେ ଏବେ ଜଣେ ସଫଳ ଚାଷୀ I
ପୋଖରୀ ମଝାମଝି ଥିବା ଘର ର ଚଉତରା ଉପରେ ବସି ସତ୍ୟ ପଛ କଥା ସବୁ ମନେ ପକାଉଥିଲା I ସୁଲଗ୍ନା କାହିଁକି ଆଜି ବେଶୀ ବେଶୀ ମନେ ପଡୁଥିଲେ I ରିଣ୍ଟୁ ତ କେତେ ବଡ ହୋଇ ଯିବଣି I କଣ ପଢୁଥିବ ଏବେ, କିଛି ବି ଖବର ନାହିଁ ତା ପାଖରେ I ବାପା ହେଇ ପୁଅ ର ଖବର ରଖିନି I କିନ୍ତୁ ସେ ତ ଚେଷ୍ଟା କରିଥିଲା I ସୁଲଗ୍ନା ନମ୍ବର ବଦଳେଇ ଦେଲା I ପଡୋଶୀ କୁ ଗାଳି କଲା, ସେ ଅବା କଣ କରି ପାରିବ? ଏତିକି ବେଳେ ତା ଫୋନ ରିଂ ହେଲା I ସେ ଫୋନ ଉଠେଇ ହାଲୋ ବୋଲି କହିଲା I
— କିଛି ସଁ ସଁ ଶବ୍ଦ I
— ହାଲୋ, କିଏ କହୁଥିଲେ?
— (କେବଳ ନିଶ୍ୱାସ ର ଶବ୍ଦ ଶୁଭୁ ଥାଏ)
ସେପଟୁ କେହି କିଛି କହୁ ନଥିଲେ ବି ନିଶ୍ୱାସ ରୁ ସେ ଜାଣି ପାରିଲା ସୁଲଗ୍ନା ଫୋନ କରିଛି I
— ସୁଲଗ୍ନା !
— (ଏବେ, ସୁଲଗ୍ନା ଆଉ କୋହ ସମ୍ଭାଳି ପାରିଲେ ନାହିଁ I କଇଁ କଇଁ ହୋଇ କାନ୍ଦି ଉଠିଲେ )
ସତ୍ୟ ର ଦେହରେ ପର ଲାଗିଗଲା ଯେମିତି I ତଡ଼ିତ ବେଗରେ ତା ଦେହରେ ୧୦୦୦ ଭୋଲ୍ଟ ର ବିଜୁଳି ପ୍ରବାହିତ ହେଇ ଗଲା I ସେ ବସିବା ଜାଗାରୁ ଉଠି ଆସିଲା ଆଉ କହିଲା, “ସୁଲଗ୍ନା, ମୁଁ .. ମୁଁ ସତ୍ୟ କହୁଛି I କେମିତି ଅଛ? ଏଇ ଗୋଟିଏ ଦିନକୁ ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି I ରିଣ୍ଟୁ, କେମିତି ଅଛି? କଣ କରୁଛି ସେ? ସବୁ ଭଲ? କେମିତି ଅଛ ଦି ଜଣ? ମୋ ଫୋନ କାହିଁକି ଉଠାଉ ନଥିଲ? ”
ଫୋନ କଟିଗଲା I ସତ୍ୟ ଏଥର ସେ ଫୋନ କୁ ଡାଏଲ କଲା I ଆଉ ସୁଲଗ୍ନା ସେପଟୁ ଫୋନ ଉଠେଇଲା I
–ସୁଲଗ୍ନା, ପ୍ଲିଜ, ଫୋନ କାଟନି I ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି ତମ କଥା ପଦେ ଶୁଣିବା ପାଇଁ I ରିଣ୍ଟୁ ଠାରୁ ବାପା ଡାକ ଶୁଣିବାକୁ ପାଗଳ ହେଇ ଗଲିଣି I ପ୍ଲିଜ଼, କଥା ପଦେ କୁହ I କେମିତି ଅଛ I ସତ୍ୟ କଥା ହେଲା ବେଳେ କାନ୍ଦ କାନ୍ଦ ହେଇ ଯାଇଥିଲା I ପଛ ଆଡକୁ ତା କଥା ଗୁଡା କଇଁ କଇଁ ଶୁଭୁ ଥାଏ I
କିଛି ସମୟ ନୀରବତା ପରେ, ଦୁହେଁ ଦୁହିଁ ଙ୍କୁ କ୍ଷମା ମାଗିବା ସହ ନିଜ ନିଜ କୃତ କର୍ମ ର ବିସ୍ଲେସଣ ପୂର୍ବକ କଥା ଦେଲେ ଯେ ସେମାନେ ବହୁତ ଶୀଘ୍ର ଏକାଠି ହେବେ I ସୁଲଗ୍ନା ବି ଏକଥା ରିଣ୍ଟୁ କୁ ଜଣେଇ ଦେଲେ I ରିଣ୍ଟୁର ତ ଖୁସି ଦେଖେ କିଏ I
ଉଡ଼ାଜାହାଜ ରେ ଟିକେଟ କରି ସତ୍ୟ ଏବେ ବାଙ୍ଗାଲୋର ଅଭିମୁଖେ I ସୁଲଗ୍ନା ଆଉ ରିଣ୍ଟୁ ବି ଅପେକ୍ଷା କରି ଥାନ୍ତି airport ରେ I ସତ୍ୟ ବାଙ୍ଗାଲୋର ରେ ପହଁଚିଲା ପରେ, airport ରୁ ବାହାରକୁ ଆସିଲା I ସତ୍ୟ କୁ ଦେଖି ରିଣ୍ଟୁ ଧାଇଁ ଆସି କୁଣ୍ଢେଇ ପକେଇଲା I ସୁଲଗ୍ନାଙ୍କ ଆଖି ରୁ ଧାର ଧାର ଲୁହ ବୋହି ଯାଉଥାଏ I ସତ୍ୟ ଆଉ ସୁଲଗ୍ନା ର ଆଖି ରେ ଆଖି ମିଶିଗଲା I ଏଇ ମୁହୂର୍ତ ରେ ଯେମିତି କି ପୁରା ଦୁନିଆ ସ୍ତବ୍ଦ ହୋଇ ଯାଇଥାଏ I ପବନ ଅଟକି ଯାଇଥାଏ I ଲୋକ ଗୁଡିକ ଚାଲୁ ଚାଲୁ ଅଟକି ଯାଇ ଥାନ୍ତି I କେବଳ ସତ୍ୟ ଆଉ ସୁଲଗ୍ନା କୁ ଛାଡି ବାକି ପୁରା ଦୁନିଆ ମୂର୍ତି ହୋଇ ଯାଇ ଥାଏ I ଏଇ ଦୁଇ ଜଣଙ୍କୁ ନା କିଛି ଦେଖା ଯାଉ ଥାଏ ନା କିଛି ଶୁଣା ଯାଉଥାଏ I ଦୁନିଆ ର ଦୁଇଟି ପ୍ରେମପକ୍ଷୀ ର ମହାମିଳନ ଆଜି ଛଅ ବର୍ଷ ପରେ ହେଉଥାଏ I ଦୁହେଁ ଦୁହିଁଙ୍କୁ ଦେଖୁ ଥାନ୍ତି I ଦୁହିଁଙ୍କ ଆଖିରୁ ଲୁହ ବୋହି ଯାଉଥାଏ …
ଦୁଇ ଦିନ ପରେ ସମସ୍ତେ ଗାଁ କୁ ଆସିଲେ I ସୁଲଗ୍ନା ତ ଜମି ଆଉ ଫସଲ ଦେଖି କାବା ହେଇ ଯାଉଥାନ୍ତି I ଏତେ ବଡ ଜାଗା I ଫସଲ ରେ ଭରପୁର I ହଳିଆ ମୁଲିଆ ସବୁ କାମ ରେ ଲାଗିଥାନ୍ତି I ପୋଖରୀ ଉପରେ ଘର ତାଙ୍କୁ ସ୍ୱର୍ଗରେ ଥିଲା ପରି ଲାଗୁ ଥାଏ I ଘରୁ ପୁରା ଜମି ଦେଖା ଯାଉ ଥାଏ I ବିଭିନ୍ନ ପ୍ରକାର ଫସଲ, ପୋଖରୀ ରେ ମାଛ, ଫାର୍ମ ରେ କୁକୁଡ଼ା, ନଡ଼ିଆ ଗଛ ସବୁ ଦେଖି ସୁଲଗ୍ନା ବୁଝି ପରୁଥାନ୍ତି ଯେ ସତ୍ୟଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ I ନିଜକୁ ନିଜେ ଦୋଷ ଦେଉଥାନ୍ତି ଯେ ସତ୍ୟଙ୍କ ଏ ସଂଘର୍ଷ ବେଳରେ ସେ ତାଙ୍କ ପାଖେ ନଥିଲେ I ସୁଲଗ୍ନା ଏବେ ବୁଝି ପାରୁଥିଲେ ଯେ କୌଣସି କାମ ଛୋଟ ନୁହଁ I ନିଜ ମନ ପ୍ରାଣ ଢାଳି ଚାଷ କଲେ ବି ଏ ଧରିତ୍ରୀ ମା ତମକୁ କେବେ ବି ହତାଶ କରିବନି I ବରଂ ତମେ ଅଧିକ ଉପାର୍ଜନ କରି ପାରିବ I ପର ପାଖରେ ମୁଣ୍ଡ ବିକି ଡରି ଡରି ଜୀବନ ସାରା ଚଳିବା ଅପେକ୍ଷା ନିଜେ ଚାଷ କରି ଉପାର୍ଜନ କରି ସମାଜରେ ମୁଣ୍ଡ ଟେକି ଚାଲିବା ଶ୍ରେୟସ୍କର I ଆହୁରି ବି ବୁଝି ପାରିଥିଲେ ଯେ ଖାଲି ସଫ୍ଟୱେର ଇଣ୍ଡଷ୍ଟ୍ରି ରେ ପଇସା ଅଛି ସେକଥା ନୁହଁ, ଜୀବନ ଯିବାର ଭୟ ବି ଅଛି I କିଛି ଲୋକ ତ ଚାକିରୀ ଯିବା ପରେ ଆତ୍ମହତ୍ୟା କରିଛନ୍ତି ଆଉ କିଛି ଘର ଆଉ କାର ର ଲୋନ ସୁଝି ନପାରି ପଳାତକ ସାଜିଛନ୍ତି I କିଛି ଜଣ ତ ଏବେ ଯାଏ ବି ଚାକିରୀ ଆଉ ଥରେ ନପାଇ ବାଙ୍ଗାଲୋର ରେ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି I ସତ୍ୟ ଯାହା ବି ଡିସିସନ ନେଇଥିଲେ ତାହା ଠିକ ଥିଲା ବୋଲି ସେ ଏବେ ହୃଦୟଙ୍ଗମ କରୁଥିଲେ I
ସୁଲଗ୍ନା, ସତ୍ୟ କୁ କ୍ଷମା ମାଗିବା ପାଇଁ, ତାଙ୍କ ଗୋଡ ଧରି ପକେଇଲେ I କିନ୍ତୁ ସତ୍ୟ ତାଙ୍କୁ ଧରି ପକେଇ କୋଳେଇ ନେଲେ ଆଉ କହିଲେ, ସୁଲଗ୍ନା, ତମ ପାଇଁ ହିଁ ମୁଁ ଆଜି ଏଠାରେ ପହଞ୍ଚିଛି I ତମେ ସେଦିନ ଯଦି ମୋତେ କଡା କଥା କହି ନଥାନ୍ତ, ଆଉ ଫୋନ ବନ୍ଦ କରି ନଥାନ୍ତ, ମୁଁ ମୋ ଜିଦି ରେ ରହି ଏତେ ବାଟ ପହଞ୍ଚି ପାରି ନଥାନ୍ତି I ତେଣୁ ମୋ ଗୋଡ ଧରି ମୋତେ ଛୋଟ କରି ଦିଅନି I ଏସବୁ ତୁମ ତ୍ୟାଗ ର ଫଳ I
ରିଣ୍ଟୁ ସବୁ ଦେଖି କହିଲା, “ବାପା ମୁଁ ବି ଇଞ୍ଜିନିଅରିଂ ସାରିଲା ପରେ ଏଇଠି ରହିବି, ପର ପାଖରେ ଚାକିରୀ କରି ମୁଣ୍ଡ ବିକ୍ରି କରି ପାରିବି ନାହିଁ I ସତ୍ୟ ଆଉ ସୁଲଗ୍ନା ଦୁହେଁ ଦୁହିଁଙ୍କୁ ଚାହିଁ ହସୁଥିଲେ ଆଉ ପୁଅ କୁ କୋଳେଇ ନେଲେ I
ସତ୍ୟ ଏବେ ଗାଁ ର ମଉଡମଣୀ I ଗାଁ ର ପାଖା ପାଖି ୧୦୦ ଲୋକଙ୍କୁ ସେ କାମ ଯୋଗେଇ ଦେଇଛି I ନୂଆ ନୂଆ କିସମର ବିହନ ଆଉ କମ ଖର୍ଚରେ ବେଶୀ ଫଳୁଥିବା ବିହନ ସେ ଆଣି ନୂଆ ନୂଆ ଏକ୍ସପେରିମେଣ୍ଟ ବି କରୁଛି I ଗାଁ ରେ କିଛି ବି ହେଲେ ସତ୍ୟ ବାବୁ I ସତ୍ୟ ଏବେ ଗାଁ ରେ ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲ ବି ଖୋଲିଚି, ଯେଉଁଠି ଗାଁ ର ସବୁ ଛୁଆ ମାଗଣା ରେ ପାଠ ପଢୁଛନ୍ତି I ସ୍କୁଲ ତରଫରୁ ବହି ଆଉ ୟୁନିଫର୍ମ ବି ବିନା ମୂଲ୍ୟ ରେ ଯୋଗେଇ ଦିଆ ଯାଉଛି I ସୁଲଗ୍ନା ହେଲେ ସେ ସ୍କୁଲ ର ମାଷ୍ଟ୍ରାଣୀ I ୩ ବର୍ଷ ହେଲା ଗାଁ ରେ କେହି ଜଣେ ବି ଋଣ ଭାରରେ ବୁଡି ନାହାନ୍ତି I ସତ୍ୟ ବାବୁ ସମସ୍ତଙ୍କୁ ବିନା ସୁଧରେ ପଇସା ଦିଅନ୍ତି ଆଉ ଅମଳ ପରେ ସେମାନେ ସତ୍ୟ ବାବୁଙ୍କୁ ପଇସା ଫେରାନ୍ତି I
ଆହୁରି ବି ସତ୍ୟ ଏବେ ଗାଁ ରେ ଗୋଟେ ଫାର୍ମ ଭିଲା ହୋଟେଲ ଖୋଲିଛି I ଯେଉଁଠି ଲୋକମାନେ ରହିବା ସହ ନିଜେ ବନିସୀ ପକେଇ ମାଛ ଧରି ପାରିବେ I ନିଜେ ନିଜେ ଜମିରୁ ପନିପରିବା ତୋଳି ରୋଷେଇ କରି ପାରିବେ I ନଡ଼ିଆ ଆଉ ଆମ୍ବ ତୋଳି ଖାଇ ପାରିବେ ଆଉ ଚାହିଁଲେ ପୋଖରୀ ମଝିରେ ସନ୍ଧ୍ୟାରେ କ୍ୟାମ୍ପ ଫାଇଆର କରି ମଉଜ ମଜଲିଶ କରି ପାରିବେ I ସତ୍ୟ ର ଏବେ ର ରୋଜଗାର ବର୍ଷକୁ ୩୬ ଲକ୍ଷ ଟଙ୍କା I
ସେଦିନ ସନ୍ଧ୍ୟା ରେ ଦିହେଁ ଏକାଠି ବସି, ଛୋଟ ବେଳେ ସାହିତ୍ୟ ବହିରେ ପଢିଥିବା ଗୀତ “ଚାଷ ଅଛି ଯାହାର, କି ଆନନ୍ଦ ତାହାର” କୁ ମନେ ପକାଉ ଥିଲେ …
ମୁଁ ଗଲି ଯେ ମୋ ସହ କଥା ହେଲେ ନାହିଁ,
ମୁଁ ବି ମୁହଁ ମୋଡି ପଳେଇ ଆସିଲି…ଯା.. ମ… ଭାରି ଗୋଟେ…  
—————ସମାପ୍ତ—————
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

କବିତା — ଚାଲୁ ଚାଲୁ

ଚାଲୁ ଚାଲୁ 

ସୁଵଳ ମହାପାତ୍ର

 

ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ପିଲା ଦିନକୁ,
ଯେଉଁଠି ଥିଲା ମୋ ବାଲିଘର, କଣ୍ଢେଇ,
ବାପାଙ୍କ ନାଲି ଆଖି ଆଉ ମା’ର ପଣତ କାନି । ୧
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ କିଶୋର ଜୀବନ କୁ,
ଯେଉଁଠି ଥିଲା ମୋ ସ୍କୁଲ ଡ୍ରେସ, ସାରଙ୍କ ଛାଟ,
ରିମଝିମ ବର୍ଷାର ମଜା ଆଉ ସାଙ୍ଗ ମାନଙ୍କ ଖେଳ । ୨
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ଯୌବନକୁ,
କଲେଜ ବଙ୍କ, ପାର୍କର ଖଟି, ପ୍ରେମିକାର କୋଳ,
ବାତେରାମି ଆଉ ସିଗାରେଟ ପିଆ । ୩
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ପୌଢ଼ ଅବସ୍ଥାକୁ,
ଯେଉଁଠି ଥିଲା ଅଫିସ, ଫ୍ଲାଟର ଇ.ଏମ.ଆଇ.,
ପିଲାଙ୍କ ସ୍କୁଲ ଫିସ ଆଉ ସ୍ତ୍ରୀ ର ଗହଣା । ୪
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ରିଟାୟାର୍ଡ଼ ଜୀବନକୁ,
ଯେଉଁଠି ଥିଲା ମୋ ପେନଶନ, ଘର ଆଗ ବଗିଚା.
ସକାଳ ବୁଲା, ହସ କ୍ଲବ, ଚା ପିଆ ଆଉ ଏକୁଟିଆ ଜୀବନ । ୫
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ବୃଦ୍ଧାବସ୍ଥାକୁ,
ଯେଉଁଠି ଥିଲା ପୁଅର ରାଗ, ବୋହୁର ଗାଳି,
ଘୋଷରା ଜୀବନ ଆଉ ମୃତ୍ୟୁ କୁ ଅପେକ୍ଷା । ୬
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଆଉ କିଛି ଦେଖିବାକୁ ଇଚ୍ଛା ନଥିଲା,
ଇଚ୍ଛା ନଥିଲା ଉଠିବାକୁ,
ଭଗବାନଙ୍କୁ ଧନ୍ୟବାଦ, ମୋତେ ହିଁ ଉଠେଇ ନେଲେ । ୭
–ସମାପ୍ତ–

ଛାଡଖାଇ

ଛାଡଖାଇ
ସୁବଳ ମହାପାତ୍ର

 

ଆଜି ଛାଡଖାଇ । ଏଥର ଛାଡଖାଇ ଟା ଠିକ ବାର ରେ ପଡିଛି। ରବିବାର ଥିବାରୁ, କାର୍ତ୍ତିକ ମାସ ସାରା ଆଇଁଷ ଛାଡିଥିବା ଲୋକଙ୍କର ପାଣିଚିଆ ପାଟି ରୁ ପାଣିଚିଆ ସ୍ୱାଦ ଛଡେଇବାକୁ ରଶିମ ମିଆଁ ଦୋକାନ ରେ ପ୍ରବଳ ଭିଡ। କିଲୋ ୪୫୦ ଟପିଲାଣି, ତଥାପି ଲୋକ ହାଉଜାଉ । ଗୋଟେ ପରେ ଗୋଟେ ଖାସି କଟା ଚାଲିଥାଏ। ଗୋଟେ ଖାସି କଟା ସରୁ ସରୁ ସେପଟେ ଲୋକ ଅନେଇ କି ବସିଛନ୍ତି ନେବା ପାଇଁ। ୫-୧୦ମିନିଟ ରେ ଖାଲି ହୋଇ ଯାଉଥାଏ । ଏପଟେ ଖାସି କୁ ମାଡି ବସି, ତା ବେକ କାଟି, ରକ୍ତ ବାହାର କରି, ଛାଲ ଉତ୍ତାରି ରେଡି କରିବାକୁ ଟାଇମ ଲାଗୁଥାଏ। ପାଖରେ ୨ ଟା ଛୁଆ ଜନ୍ମ କରିଥିବା କାଳିଆ କୁତ୍ତି ଟା ଛୁଆ ଦି ଟା ଙ୍କୁ ଧରି ଜିଭ ବାହାର କରି ଧକେଇ ହୋଇ, ଲାଞ୍ଜ ହଲାଉଥାଏ। ଛୁଆ ଦି ଟା, ଖାସି ର ଛାଲ ଉତ୍ତାରି ସାରି ଫିଙ୍ଗି ଦେଉଥିବା ଅବଶେଷ ଭିତରୁ ନିଜ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରୁଥାନ୍ତି।
ସେପଟେ କାହାର ୩ କିଲୋ, କାହାର ୫ କିଲୋ ଦେଲା ବେଳକୁ ସାଙ୍ଗେ ସାଙ୍ଗେ ଶେଷ। ରଶିମ ମିଆଁ ମଝିରେ ମଝିରେ ପାଟି କରୁଥାଏ ତା ପିଲା ଦି ଟା କୁ,”ଶୀଘ୍ର ଶୀଘ୍ର ହାତ ଚଲା, କଣ ଏତେ ଟାଇମ ଲାଗୁଛି? ହଁ ବାବୁ, ଏଇ ଆସିଲା, ବାସ ୨ ମିନିଟ, କଣ କରିବା ଆଉ? ” ଏମିତି କହି ଲୋକ ମାନଙ୍କୁ ବି ଧରି ରଖିବାକୁ ଚେଷ୍ଟା କରୁଥାଏ। ନ ହେଲେ ସେମାନେ ପଳେଇବେ ଆଉ କାହା ଦୋକାନ କୁ।
ମାସେ ପୂର୍ବରୁ ବଇନି ଦେଇ ଆସିଥିଲା ୧୫ ଟା ଖାସି ପାଇଁ। ସକାଳୁ ଡାଲା ଅଟୋ ଭଡା କରି ସବୁ ନେଇ କି ଆସିଛି ଦୋକାନ କୁ। ଭିଡ଼ ପ୍ରବଳ। ଏ ଭିଡ଼ ଭିତରେ, କେତେ କଟା ହେଲାଣି ସେ ହିସାବ ରଖିନି। ପିଲା ଦି ଟା ଏପଟେ କାଟି ଚାଲିଛନ୍ତି। ସେ ସେପଟେ ବିକ୍ରି କରି ଚାଲିଛି। ହଠାତ ସେ ଅଂଚଳ ର ବଡ ନେତା ଙ୍କ ଡ୍ରାଇଭର ଆସି କହିଲା,”ବାବୁ କହିଛନ୍ତି ୧୫ କିଲୋ, ଭଲ ଦବୁ ନହେଲେ ପୁଣି…” । ହଉ ବୋଲି କହି ସେ ବିକ୍ରି ଛାଡି ଆସିଲା କଟା ହେଉଥିବା ଜାଗାକୁ। ଆଉ ଗୋଟିଏ ମାତ୍ର ଖାସି ଅଛି। ଅତି ବେସି ରେ ୭-୮କିଲୋ ଯାଏ ହେବ।
ଫେରି ଆସି ସେ ଡ୍ରାଇଭର କୁ କହିଲା, “ହବନି, ଆଗରୁ ସିନା ଆସିଥାନ୍ତ କି ଫୋନ ବି କରି ଦେଇଥିଲେ ମୁଁ ରଖି ଦେଇ ଥାନ୍ତି। ଏବେ ଦିନ ୯ଟା ହେଲାଣି। ସବୁ ସରିଲାଣି। ଆଉ କୁଆଡୁ ଆଣିବି? ” । ଡ୍ରାଇଭର ସବୁ ଶୁଣି ଫୋନ ଲଗେଇଲା ବାବୁଙ୍କ ପାଖକୁ ଆଉ କିଛି କଥା ହେଲା ପରେ ଫୋନ ଆଣି ଦେଲା ରଶିମ ମିଆଁ କୁ। ବାବୁଙ୍କ ସହ କଥା ହେଲା ପରେ ରଶିମ ମିଆଁ କାନ ଭାଇଁ ଭାଇଁ କରୁଥାଏ। ସରିଗଲା ବୋଲି କହି, ବାକି ଗ୍ରାହକ ଙ୍କୁ ଫେରେଇ ଦେଇ ସେ ଦୋକାନ ବନ୍ଦ କଲା। ଲୋକ ମାନେ ଚିଡି ଚିଡି ହୋଇ ଦୋକାନ ଛାଡିଲେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ରେ। ଡ୍ରାଇଭର କୁ କହିଲା ଅଧଘଣ୍ଟେ ଘଣ୍ଟେ ଛାଡି ଆ… ମୁଁ ରେଡି କରି ରଖିଥିବି। ଡ୍ରାଇଭର ବି ଗଡ଼ ଜିତିଲା ପରି ଖୁସି ରେ ଗାଡି ଷ୍ଟାର୍ଟ କରି ଚାଲିଗଲା।
ଏବେ ରଶିମ ମିଆଁ ର ଭାଲେଣି ପଡିଲା। କଣ କରିବ? ଖାସି ଆଉ ନାହିଁ, ତାକୁ ୧୫ କିଲୋ ନଦେଲେ ସେ ଏଠୁ ଦୋକାନ ଉଠେଇ ଦେବାର ଧମକ ଦଉଛି। ବହୁତ ବଡ଼ ନେତା ସେ। କିଛି ବି କରି ପାରିବ। ବହୁତ ଭାବି ଭାବି ସେ ତା ଭାଇ, ପୁତୁରା ଓ ଅନ୍ୟ ସାଙ୍ଗ ମାନଙ୍କୁ ଫୋନ କଲା, ଯେଉଁ ମାନେ ଅନ୍ୟ ଜାଗାରେ ଖାସି କାଟୁଥିଲେ। ସମସ୍ତେ ମନା କଲେ। କାହାର ସରି ସାରିଥିଲା ତ କାହାର ଆଉ କିଲେ, ଅଧ କିଲେ ବଳିଥିଲା। ନିରୁପାୟ ହୋଇ କାନ ମୁଣ୍ଡ ଆଉଁସି ସେ ବସି ପଡ଼ିଲା। ଆଖିରୁ ଲୁହ ବୋହି ଯାଉଥିଲା ତା’ର। ଦୋକାନ ଭାଙ୍ଗିବା ଚିନ୍ତା ରେ ସେ ଥରେ ଦୋକାନ କୁ ଆଉ ଥରେ ପିଲା ଦୁଇଟି ର ମୁହଁ କୁ ଚାହୁଁଥିଲା।
ଘଣ୍ଟେ ପରେ…..
ଡ୍ରାଇଭର ଆସି ପହଁଚିଲା। ରଶିମ ମିଆଁ, ଡ୍ରାଇଭର ହାତକୁ ଦୁଇଟି ପୁଡ଼ିଆ ବଢ଼େଇ ଦେଲା ଆଉ ଡ୍ରାଇଭର ତାକୁ ୩୫୦ ଟଙ୍କା ହିସାବ ରେ ପଇସା ଗଣି ଦେଲା।
୩୫୦? ଭାଇ ଆଜି କିଛି କୁଆଡେ ମିଳୁନି। ୪୫୦ ନହେଲେ ହବନି। ବହୁତ କଷ୍ଟ ରେ ଯୋଗାଡ଼ କରିଛି। ଖାସ ତମ ପାଇଁ ଯୋଗାଡ଼ କଲି। ମାର୍କେଟ ରେ ୪୫୦ ଚାଲିଛି। ଠିକ ଅଛି, ତମ ପାଇଁ ୪୨୦ ଲଗାଉଛି। ତା ଠୁ କମ ହେଲେ ହବନି। ବେପାର କଥା ଭାଇ। ତମ ପାଇଁ ମୁଁ ମୋ ଗ୍ରାହକ କୁ ଫେରେଇ ଦେଲି। ଏମିତି ହେଲେ କେମିତି ହବ? କହି ରଶିମ ମିଆଁ ନାହିଁ ନାହିଁ କରି ପଇସା କୁ ଡ୍ରାଇଭର ହାତରେ ଧରେଇ ଦେଲା। ଡ୍ରାଇଭର ପୁଣି ବାବୁଙ୍କ ପାଖକୁ ଫୋନ ଲଗେଇଲା। ସେପଟୁ ଧମକ ସହ କିଏ ଜଣେ ରାଗ ରେ କଥା ହେଲା ପରି ଶୁଭୁଥିଲା। ବହୁତ କଷ୍ଟ ରେ ବାବୁ ଜଣକ ୩୯୦ ରେ ରାଜି ହେଲେ। ଆଉ ପଇସା ଦେଇ ମାଂସ ଧରି ଖୁସି ମନରେ ଡ୍ରାଇଭର ଚାଲିଗଲା।
ଦିନବେଳେ…
ନେତା ଜଣଙ୍କ ମାଂସ ଖାଉ ଖାଉ ରଶିମ ମିଆଁ କୁ ଖୁବ ଭଲ ମାଂସ, ପୁରା କଅଁଳିଆ ମାଂସ, ବହୁତ ଟେଷ୍ଟି ଅଛି, ଭଲ ଦେଇଛି ବୋଲି ତାରିଫ କରୁଥିଲେ ଆଉ ସାଙ୍ଗ ମାନଙ୍କ ଠାରୁ ନିଜ ପାରିବା ପଣିଆ ପାଇଁ ବାଃ ବାଃ ନେଉଥିଲେ । ରଶିମ ମିଆଁ ସେ ଜାଗା ଛାଡି ଅନ୍ୟ ଏକ ଜାଗାକୁ ଯିବା ପାଇଁ ତା ଘର ର ଆସବାବପତ୍ର ଏକାଠି କରୁଥିଲା।
କୁତ୍ତି ଆଉ ତା ଛୁଆ ଦି ଟି କିନ୍ତୁ କେଉଁଠି ଆଉ ଦେଖା ଯାଉ ନଥିଲେ….
—x—
କହି ରଖେ … ରଶିମ ମିଆଁ ଅନ୍ୟ ଉପାୟ ନ ପାଇ କୁତ୍ତି ଓ ତା ଛୁଆ ଦି ଟି କୁ କାଟି ସେ ନେତା ଙ୍କୁ ଖାସି ମାଂସ ବୋଲି ବିକ୍ରି କରିଥିଲା…

ଭିକାରି

ଭିକାରି

 

ସୁବଳ ମହାପାତ୍ର

     

ଅହମଦାବାଦ-ପୁରୀ ଏକ୍ସପ୍ରେସ ଅନଗୁଳ ଷ୍ଟେସନ ରେ ପହଁଚିଲା I ରାତି ପ୍ରାୟ ୩.୫୦ I ଶୀତ ରାତି ଯୋଗୁଁ ଷ୍ଟେସନ ଟା ଘୁମେଇ ପଡି ଥାଏ I ରାହୁଲ ଅହମଦାବାଦ ରୁ ଗାଁ କୁ ଆସୁଥାଏ I ଶୀତ ଦିନ I ଏ.ସି. ରେ ଟିକେଟ ନ ମିଳିବାରୁ ସ୍ଲିପର ରେ ସିଟ କରି ଥାଏ I ଶୀତ ଅସମ୍ଭାଳ I ଏତେ ଶୀତରେ ତା ଦେହ ହାତ ଥରି ଯାଉଥାଏ I ଆସ୍ତେ ଆସ୍ତେ ବ୍ୟାଗ ଧରି ସେ ଏକ ନମ୍ବର ପ୍ଲାଟଫର୍ମ ଆଡେ ପାଦ ବଢ଼େଇଲା I ପ୍ଲାଟଫର୍ମ କୁ ଆସୁ ଆସୁ ଗୋଟେ ଛୋଟ ଝିଅ ଉପରେ ତା ଆଖି ପଡିଗଲା I ବୟସ ପ୍ରାୟ ୫-୬ ବର୍ଷ ହେବ I କୁଙ୍କୁଣୀ-କାଙ୍କୁଣୀ ହୋଇ କାନ୍ଥ କୁ ଲାଗି ଶୋଇ ଥାଏ I ଚିରା ଫ୍ରକ ତାର ପୁରା ଶରୀର କୁ ଘୋଡାଇବାକୁ ସକ୍ଷମ ନଥିଲା I ଉପରେ ଗୋଟେ ଛିଡା କନ୍ଥା I ଏତେ ଜାଗାରୁ ଚିରା ଯେ ଶୀତ କୁ ବି ଲାଜ ଲାଗିବ I ପାଖରେ ଗୋଟେ ବୁଜୁଳୀ I ତା ଉପରେ ମୁଣ୍ଡ ଦେଇ ସେ ଶୋଇ ଥାଏ I ଗୋଡ ବାହାରକୁ ବାହାରି ଥାଏ ଆଉ ନିଦରେ ବି ସେ ଗୋଡ ଦୁଇଟିକୁ ଘୋଡ଼େଇବାକୁ ବୃଥା ପ୍ରୟାସ କରୁଥାଏ I ପାଖରେ ଆଉ କେହି ନଥାନ୍ତି I ଶୀତ ବହୁତ ହେଉ ଥାଏ I କିଛି ଲୋକ ଦୂରରେ ନିଆଁ ପୂହିଁ ହେଉଥାନ୍ତି I ରାହୁଲ କୁ ଟିକେ ଅଜବ ଲାଗିଲା I ଏକୁଟିଆ ଝିଅଟି ଶୋଇଛି, ପାଖରେ କେହି ବି ନାହାନ୍ତି I ପୁଣି ଏତେ ଶୀତ ଯେ, ଜ୍ୟାକେଟ, ମଫଲାର, ହାତରେ ଗ୍ଳୋବ୍ସ ପିନ୍ଧିକି ବି ସେ ଥରି ଯାଉଛି I କେମିତିଆ ବାପା ମା କେଜାଣି, ଛୋଟ ଝିଅଟିକୁ ଏକୁଟିଆ ଛାଡି ଦେଇଛନ୍ତି I ସେ ତା ପାଖରେ ଥିବା ମିଲିଟାରୀ କମ୍ବଳଟା ଦେଇ ଦବ ବୋଲି ଭାବିଲା I ସେମିତିଵି ୫ ବର୍ଷ ତଳେ ସେ କମ୍ବଳ ଟା ନେଇ କି ସେ ଅହମଦାବାଦ ଯାଇଥିଲା I ଏବେ ଭଲ ମୁଲାୟମ କମ୍ବଳ ଅଛି ତା ପାଖରେ I ଏଇଟାର କିଛି କାମ ନାହିଁ I ଶୀତ ରାତି, ଟ୍ରେନ ରେ ସିଟ ଉପରେ ପକେଇଲେ ଉଷୁମ ଲାଗିବ ବୋଲି ଭାବି ସେ ନେଇ କି ଆସିଥିଲା I ଝିଅ ଟିକୁ ଦେଖି ଦୟା ଲାଗିଲା I ଘରକୁ ନେଲେ ମା କାହାକୁ ଗୋଟେ ଦେଇ ଦେବେ ନହେଲେ କନ୍ଥା ରେ ସିଲେଇ କରି ଦେବେ I ତା’ଠୁ ଭଲ ଝିଅଟି ହେଲେ ଶୀତ ରୁ ରକ୍ଷା ପାଇବ I  

 

       କମ୍ବଳ ଟି କାଢି ଝିଅ ଉପରେ ପକାଇବା କ୍ଷଣି ଭିକାରି ଟେ କେଉଁଠି ଥିଲା “ମୋ ଝିଅ, ମୋ ଝିଅ” କହି ଧାଇଁ ଆସିଲା I ଭିକାରି କୁ ଦେଖି ରାହୁଲ ଟିକେ ଘୁଞ୍ଚି ଗଲା ଆଉ ଭିକାରିଟିକୁ ଦେଖିବାକୁ ଲାଗିଲା I ମନେ ମନେ ଭାବିଲା “ୟେ ପିଲା ଚୋର ନୁହେଁ ତ”? ଏବେ କେତେ ଯେ ପିଲା ଚୋର ବୁଲୁଛନ୍ତି I ନିଶା ଦେଇ ଛୋଟ ଛୁଆଙ୍କୁ ଶୁଆଇ ଦେଉଛନ୍ତି, ତାପରେ ଅଲଗା ଜାଗାକୁ ନେଇ ବିକ୍ରି କରୁଛନ୍ତି I ନିଶ୍ଚୟ ୟେ ପିଲା ଚୋର I ଝିଅଟିକୁ ନିଶା ଦେଇ ଶୁଆଇ ଦେଇଛି ନହେଲେ ଏତେ ଶୀତରେ, ଖଣ୍ଡେ ମାତ୍ର ଛିଡା କନ୍ଥା ରେ କଣ କେହି ଏତେ ନିଦରେ ଶୋଇପାରେ?

 

ରାହୁଲ ଭିକାରି ଟିକୁ ଅବିଶ୍ୱାସ ଭରା ଚାହାଣି ରେ ଦେଖିଲା I ଭିକାରି ପରିକା ତ ଲାଗୁଛି I କିନ୍ତୁ ଏ ଝିଅ ଆସିଲା କେଉଁଠୁ? ସେ ଭିକାରିକୁ ପଚାରିଲା “ଆଛା, ଏ ଝିଅ କଣ ତୋ ନିଜ ଝିଅ? ତା’ ମା କୁଆଡେ ଗଲା? ସେ ଏତେ ଶୀତରେ ଏଠି ଶୋଇଛି କେମିତି? କେଉଁଠୁ ଆସିଲୁ ଆଉ କେଉଁଠିକୁ ଯିବୁ?” ସତ ସତ କହ ନହେଲେ ଏବେ ପୋଲିସ ଡାକିବି I ସତ କହ କେଉଁଠୁ ଚୋରି କରିଛୁ ଏ ପିଲାକୁ ? କହୁଚୁ ନା ଦେଖିବୁ ଏଇଲେ I ଧମକେଇ ପଚାରିଲା ରାହୁଲ I ରାହୁଲ ର ପାଟି ଶୁଣି ଝିଅଟି ଉଠି ପଡିଲା ଆଉ “ବା’ଆ” ବୋଲି କହି ଭିକାରିକୁ କୁଣ୍ଢେଇ ପକେଇଲା I ପାଟି ଶୁଣି ଝିଅଟି ଡରି ଯାଇଥିଲା I ଭିକାରି କିଛି ନକହିଲେ ବି ରାହୁଲ ବୁଝିଯାଇଥିଲା, ଏ ଝିଅ ଭିକାରି ର ନିଜ ଝିଅ I କିନ୍ତୁ କିଛି ଲୋକ ଏପରି ବି ଅଛନ୍ତି, ଛୋଟ ପିଲାଙ୍କୁ ଚୋରି କରି ନିଜର ପରିଚୟ ଦିଅନ୍ତି ଆଉ ବଡ ହେଲା ପରେ ତାକୁ ନେଇ ଦଲାଲ କୁ ବିକ୍ରି କରନ୍ତି I ପୋଲିସ ଆସିଲେ ବି ଝିଅଟି ଯେହେତୁ ବାପା ଡାକୁଛି, ପୋଲିସ ବି କିଛି କରି ପାରିବନି I ତେଣୁ ସେ ଆଉ କିଛି ପ୍ଲାନ କଲେ ସତ ଟା ଜାଣି ହେବ I

 

ଭିକାରି, ଝିଅଟିକୁ କୋଳରେ ପୁରେଇ କହିଲା, “ନାଇଁ ଆଜ୍ଞା, ୟେ ମୋ ଝିଅ I ମୁଁ କେଉଁଠୁ ଚୋରି କରିନି I

 

ଭିକାରି ଆଉ ତା ଝିଅ ଆଖିରେ ଲୁହ ଦେଖି ରାହୁଲ ଟିକେ ତରଳି ଗଲା I

 

ରାହୁଲ — ତା’ ମା କୁଆଡେ ଗଲା?

ଭିକାରି — ମରି ଯାଇଛି I  

ରାହୁଲ — କେମିତି?

ଭିକାରି — ଘର ପୋଡି ରେ ତା ମା ମରିଗଲା I

ରାହୁଲ — କେବେ ହେଲା ଘର ପୋଡି?

ଭିକାରି — ମାସେ ହେଲାଣି I

ରାହୁଲ – ସେବେଠୁ, ଏ ଷ୍ଟେସନ ରେ ରହୁଛୁ?

ଭିକାରି – ହଁ !

ରାହୁଲ — ଘର କେମିତି ପୋଡ଼ିଲା?

ଭିକାରି — କେହି ଜଣେ ଆସି ନିଆଁ ଲଗେଇ ଦେଲା I ଆମେ ସବୁ ଶୋଇଥିଲୁ I ଝିଅକୁ ବାହାରକୁ ଫିଙ୍ଗି ଦେଲି, ସେ ବଞ୍ଚିଗଲା I ମୋର ହାତ ଆଉ ଗୋଡ ଖଣ୍ଡେ ଖଣ୍ଡେ ଜାଗାରୁ ପୋଡି ଯାଇଛି I ସେ ଘୋଡ଼ି ହୋଇଥିବା କୋଚଟା ଗାମୁଛା କାଢି ହାତ ଆଉ ଗୋଡ ଦେଖେଇଲା I (ଗୋଡ ଆଉ ହାତରେ ପୋଡା ଦାଗ, ଏବେ ବି ଶୁଖି ନଥିଲା) ସ୍ତ୍ରୀ ଭିତରେ ପୋଡି ହେଇ ଗଲା I ଡାକ୍ତର ଖାନା ରେ ଦି ଦିନ ପଡିଲା, ତାପରେ ମରିଗଲା I

 

ସେ ଏମିତି କହିଲା ଯେମିତି କି ତା’ର କିଛି ଅନୁଶୋଚନା ନାହିଁ କିମ୍ବା କାନ୍ଦି କାନ୍ଦି ଆଖି ର ଲୁହ ସବୁ ଶୁଖି ଗଲେଣି , ଆଉ ଲୁହ ନାହିଁ ବାହାରିବାକୁ I ଏବେ କେବଳ ଗୋଟିଏ ଚିନ୍ତା, ଝିଅ କୁ କେମିତି ପୋଷିବ I    

ରାହୁଲ — ଦେଖିବାକୁ ତ ଠିକ ଠାକ ଅଛୁ, ଭିକ ମାଗିବାକୁ ଲାଜ ଲାଗେନି?

ଭିକାରି — ଲାଜ କାହିଁକି ଲାଗିବ? ସମସ୍ତେ ତ ଭିକାରି I ମନ୍ଦିର ରେ ତିନି ଜଣ ଭିକାରି ଭିକ ମାଗନ୍ତି I ଆମେ ଭିକାରି ଦଳ ବାହାରେ ଭିକ ମାଗୁ, ଧନୀ ଲୋକ ମାନେ ମନ୍ଦିର ଭିତରେ ଭଗବାନଙ୍କଠୁ ଭିକ ମାଗନ୍ତି ଆଉ ପଣ୍ଡା ମାନେ ଲୋକଙ୍କଠୁ ଭିକ ମାଗନ୍ତି I

 

ରାହୁଲ — ଏବେ ତ ସରକାର କେତେ ଯୋଜନା କଲେଣି, ଟଙ୍କାକିଆ ଚାଉଳ, ଆହାର କେନ୍ଦ୍ର ଆହୁରି କେତେ କ’ଣ I ଭିକ ନମାଗି କିଛି କାମଦାମ କଲେ ଚଳନ୍ତାନି?

ଭିକାରି — ଆମର ଆଜ୍ଞା କଣ କାର୍ଡ ଅଛି ଯେ ମିଳିବ ଟଙ୍କାକିଆ ଚାଉଳ? କିଏ ଦବ ଆମକୁ କାର୍ଡ ? ନାଁ ଘର ଅଛି ନାଁ ଗାଁ I

 

(ରାହୁଲ ଟିକେ ଭାବନା ରେ ପଡିଗଲା I ସେମିତି ବି ଟଙ୍କାକିଆ ଚାଉଳ ନେଇ ଲୋକ ମାନେ କରୁଛନ୍ତି କ’ଣ I ୩୦ ଟଙ୍କା ରେ ୩୦ କିଲୋ ଚାଉଳ କିଣିଲେ I ଘର ପାଇଁ ୧୫ କିଲୋ ରଖି ୧୫ କିଲୋ, କିଲୋ ପ୍ରତି ୩୦ ଟଙ୍କା ଦର ରେ ବିକ୍ରି କଲେ I ବାସ, ମାସ ଯାକର ତେଲ ଲୁଣ ପଇସା ହେଇ ଗଲା I ବାଡିରୁ ପତ୍ର ଫୁଲ ପରି କିଛି ମିଳିଗଲା ତରକାରୀ ଆଉ ଭଜା ପାଇଁ I ଦିନେ ଖଟିଲେ ମାସ ଯାକର ମଦ ଖର୍ଚ ଚଳିଲା I ପୁଣି ଆର ମାସ ପାଇଁ ୩୦ ଦିନରେ ପିଇଥିବା ୩୦ ଟା ବୋତଲ ବିକ୍ରି କଲେ, ୩୦ ଟଙ୍କା ମିଳିଯିବ I ପୁଣି ଚାଉଳ ୩୦ କିଲୋ ଆସିଯିବ I ସେଥି ପାଇଁ ତ ଆଜି କାଲି କାମ କରିବା ପାଇଁ ମୁଲିଆ ମିଳୁ ନାହାନ୍ତି I ଘର କାମ ପାଇଁ ମୁଲିଆ ନାହାନ୍ତି I ଚାଷବାସ ପାଇଁ ମୁଲିଆ ନାହାନ୍ତି I ସେଥିରେ ପୁଣି ସରକାର ସେମାନଙ୍କର ଦିନିକିଆ ଭଡା ବଢ଼େଇ ୩୦୦ କଲେଣି I ଏଠି ପିଲା ଇଞ୍ଜିନିଅରିଂ କରିସାରି ଦରମା ପାଉଛନ୍ତି ଟଙ୍କା ୩୦୦୦ ମାସକୁ I କିନ୍ତୁ ମୁଲିଆ ପାଉଛି ୯୦୦୦ )   

  

ରାହୁଲ ର ଭାବନା ରେ ପୂର୍ଣ୍ଣଛେଦ ପକାଇ ଭିକାରି କହିଲା ଆହାର କେନ୍ଦର (କେନ୍ଦ୍ର) କଥା କୁହନ୍ତୁନି ଆଜ୍ଞା ! ସବୁ ପ୍ରହସନ I ସେଠି ଗରିବ କମ ବାବୁ ବେଶୀ ଆସୁଛନ୍ତି ଖାଇବାକୁ I ନୁକ (ଲୋକ) ତ, ପାଖ ହୋଟେଲ ରୁ ଅଣ୍ଡା କିମ୍ବା ମାଛ ଧରି ଆସି ଆହାର କେନ୍ଦ୍ର ରୁ ଭାତ ଡାଲି ଆଣି ଖାଉଛନ୍ତି I କେହି କେହି ତ କାର ରେ ଆସୁଛନ୍ତି, କାର କୁ କିଛି ଦୂରରେ ରଖି ଦେଇ, କେନ୍ଦର (କେନ୍ଦ୍ର) ରେ ଖାଇ କି ପୁଣି କାର ରେ ବସିକି ପଳାଉଛନ୍ତି I ସେଠି ଆମକୁ ପଚାରେ କିଏ ? ଗଲେ ଦୂର ଦୂର, ମାର ମାର କରୁଛନ୍ତି I   

 

ରାହୁଲ ଭାବିଲା ସେମିତି ବି ଏବେ ରାତି ଅଛି I ଘରେ ସମସ୍ତେ ଶୋଇଥିବେ I ପାହାନ୍ତିଆରୁ କାହିଁକି ଘର ଲୋକଙ୍କୁ ହଇରାଣ କରିବ, ସକାଳ ହେଉ, ଯିବ ଘରକୁ I ସେତିକି ସମୟ ୟା ସହ କଥା ହେଇ କାଟି ହେବ I ଏହା ଭାବି ରାହୁଲ ତାକୁ ପଚାରିଲା

 

ରାହୁଲ – ଆଛା, ତୋ ଘର କେଉଁଠି ଆଉ ତୁ ଏଠିକୁ ଆସିଲୁ କେମିତି?

ଭିକାରି — ସେ ବହୁତ କଥା ଆଜ୍ଞା !

ରାହୁଲ — ତୁ କଣ ଭିକାରି ହେଇ ଜନ୍ମ ହେଇ ଥିଲୁ ନାଁ କିଏ ତୋତେ ଭିକାରି କଲା?

 

ଭିକାରି କହିବାକୁ ଆରମ୍ଭ କଲା,” ନାଁ ନାଁ, ମୋ ଘର ଗାଁ ରେ I ଭାଇ ଭଉଣୀ ଆମେ ପାଞ୍ଚ ଜଣ I ଦୁଇ ଭାଇ ଆଉ ତିନି ଭଉଣୀ I ବାପା ଚାଷ କରନ୍ତି I ଭଲରେ ଭଲରେ ଚାଲୁଥିଲା ଆମ ସଂସାର I ମୁଁ ସପ୍ତମ ଯାଏ ପାଠ ପଢିଛି I ସପ୍ତମରେ ପଢିଲା ବେଳେ ସ୍କୁଲ କୁ ଛଉ ଡାକ୍ତର ଆସି ପରୀକ୍ଷା କରି କହିଲେ, ମୁଁ କୁଆଡେ କୁଷ୍ଠ ରୋଗୀ I ମୋ ହାତରେ ସେତେବେଳେ ଗୋଟେ ଧଳା ଛଉ ହୋଇଥାଏ I ଗାଁ ର ପୁରୁଖା ଲୋକେ କହୁଥିଲେ ସେଟା କୁଆଡେ ବୟସ ଛଉ I ଆପେ ଚାଲିଯିବ I ମୋ ମା କେତେ ଜାଗାରୁ କେତେ ଔଷଧ ଆଣି ଦେଲା ଖାଇବାକୁ, ଲଗେଇବାକୁ I ଶିବଙ୍କ ଛଡା ଫୁଲ, ପାଦୁକ, କେତେ କଣ ଲଗେଇଲା, କିନ୍ତୁ ଫଳ କିଛି ହେଲା ନାହିଁ I ଡାକ୍ତରଙ୍କ କହିବା ପରେ ସମସ୍ତେ ବିଶ୍ୱାସ କଲେ ମୁଁ କୁଷ୍ଠ ରୋଗୀ I ଗାଁ ରେ ନିଶାପ ହେଲା I ମୋତେ ଗାଁ ଛାଡି ଚାଲି ଯିବାକୁ କୁହାଗଲା I ନହେଲେ ଆମ ପରିବାର କୁ ବାଛନ୍ଦ କରାଯିବ I ମା’ ତ କାନ୍ଦିକାଟି ଗଡୁଥାଏ I ବାପା, ଆଉ ଚାରି ଜଣ ପିଲାଙ୍କ ମୁହଁକୁ ଚାହିଁ ମୋତେ ଘର ଛାଡି ଚାଲି ଯିବାକୁ କହିଲେ I ନହେଲେ କୁଆଡେ ମୋ ଭଉଣୀ ମାନେ ବାହା ହେଇ ପାରିବେନି I ବାରବର୍ଷ ବୟସ ର ପିଲାଟା କୁଆଡେ ଯିବ ଆଜ୍ଞା I (ତା ଆଖିରେ ଲୁହ ଟଳ ଟଳ କରୁଥାଏ) କିନ୍ତୁ ବାପା ମା, ଭାଇ ଭଉଣୀଙ୍କ ମୁହଁ କୁ ଚାହିଁ ମୁଁ ଘର ଛାଡ଼ିଲି I

ଚାଲି ଚାଲି, ଦି ଦିନ କାଳ ନଖାଇ ନ ପିଇ, କାନ୍ଦି କାନ୍ଦି ମୋ ମୁହଁ ହାତ ଫୁଲି ଯାଇ ଥାଏ I ମୁଁ ଆସି ପହଞ୍ଚିଲି ଏଇ ଅନୁଗୁଳ ର ଜଗନ୍ନାଥ ମନ୍ଦିରରେ I ଭୋକରେ ପେଟ ଜଳୁ ଥାଏ I ଦିନ ପ୍ରାୟ ତିନିଟା ହେବ I ଜଗନ୍ନାଥ ଙ୍କ ଅବଢ଼ା ଆଉ ମା ବୁଢ଼ୀ ଠାକୁରାଣୀଙ୍କ ପାଖରେ ହେଉଥିବା ଭୋଗ ବଳିଗଲେ, ସେମାନେ ଭିକାରି ମାନଙ୍କୁ ଦେଇ ଦିଅନ୍ତି I କିଛି ଭିକାରି ଖାଇ ବସିଥାନ୍ତି I ଭୋକରେ ମୋତେ କିଛି ଦେଖା ଯାଉ ନଥାଏ I ସମସ୍ତେ ନିଜ ନିଜ ଠୁ ଛଡେଇ ଖାଉଥାନ୍ତି I ଭୋକ ହେଉ ଥିଲେ ବି ଭିକାରି ମାନଙ୍କ ସହ ବସି ଖାଇବାକୁ ମୋତେ ଲାଜ ଲାଗିଲା I ମୁଁ କିଛି ଦୂର ରେ ଠିଆ ହୋଇ ତାଙ୍କ ଖାଦ୍ୟ ଆଡେ ଚାହିଁ ଥାଏ I କିଛି ଦୂରରେ ଗୋଟେ ପାଗେଳୀ ଆଉ ତା କୁନି ଝିଅ ବସି ଖାଉ ଥାନ୍ତି I ପାଗେଳୀ କଣ ଭାବିଲା କେଜାଣି ତା ଖାଇବା ଗିନା ଧରି ମୋ ପାଖକୁ ଆସିଲା ଆଉ ତା ହାତରେ କିଛି ଖାଦ୍ୟ ଧରି ମୋତେ ଖୁଆଇଦେଲା I ମୁଁ ଏତେ ଭୋକ ରେ ଥିଲି ଯେ କେତେ ବେଳେ ତା ହାତରୁ ମୁଁ ଖାଦ୍ୟ ଖାଇ ସାରିଥିଲି ମୁଁ ବି ଜାଣିନି I ସେଇ ଦିନଠୁ ମୁଁ ବି ଭିକାରି ଦଳ ରେ ସାମିଲ ହୋଇ ଗଲି I

. (ଭିକାରି ର ଝିଅ ଟି ଭିକାରି କୋଳରେ ଢୁଳାଉ ଥିଲା I ତେଣୁ ଭିକାରିଟି ଝିଅକୁ ଶୁଏଇ ଦେଲା I ଆଉ ରାହୁଲ ଦେଇ ଥିବା କମ୍ବଳ ଟି ତା ଉପରେ ଘୋଡେଇ ଦେଲା I ରାହୁଲ ବି ପାହାଚରେ ବସି ପଡିଲା ଆଉ ଭିକାରିଠୁ ଅଧିକ କିଛି ଜାଣିବାକୁ ଚାହିଁଲା I)  

 

ରାହୁଲ — କିନ୍ତୁ ତୋ ଠି ତ କୁଷ୍ଠ ରୋଗୀ ର କୌଣସି ଲକ୍ଷଣ ଦେଖା ଯାଉନି?

ଭିକାରି — ହଁ ଆଜ୍ଞା, ମୁଁ ବି ଆଶ୍ଚର୍ଯ୍ୟ ହେଲି ଯେତେ ବେଳେ ମୋ ଠି କିଛି ବି ଲକ୍ଷଣ ଦେଖା ଗଲା ନାହିଁ I ଏଠି ମନ୍ଦିର ଆଗରେ କେତେ କୁଷ୍ଠ ରୋଗୀ ଅଛନ୍ତି I ସେମାନଙ୍କ ହାତ ଗୋଡ ର ଆଙ୍ଗୁଠି ଛିଡି ଛିଡି ଯାଏ ଆଉ ସେମାନେ ରକ୍ତ ପୂଜ କୁ ପୋଛି ଆଙ୍ଗୁଠି ରେ କନା ବାନ୍ଧି ରୁହନ୍ତି I ମୋ ଠି କୌଣସି ଲକ୍ଷଣ ଦେଖା ନଯିବାରୁ ଥରେ ସାହସ କରି ଜଣେ ଡାକ୍ତରଙ୍କୁ ଦେଖେଇଲି, ସେ କହିଲେ ମୁଁ କୁଷ୍ଠ ରୋଗୀ ନୁହେଁ I ଏଇଟା ଗୋଟେ ବୟସ ଛଉ I ତା’ପରେ ଖୁସି ହୋଇ ଗାଁ କୁ ଗଲି I କିନ୍ତୁ ଗାଁ ରେ ମୋତେ ପୂରେଇଲେନି, କାରଣ ମୁଁ ଭିକାରି ହୋଇସାରିଥିଲି I ବାପା, ବାଡ଼ି ଧରି ମାରିବାକୁ ଗୋଡ଼େଇଲେ I ମା’ ଗୋଟେ ଚେପା ଟୁଲା କଂସା ରେ ଭାତ ଗଣ୍ଡେ ବାଢ଼ିଦେଲା ଆଉ କଂସାକୁ ଭିକାରୀଙ୍କୁ ଖାଇବାକୁ ଦେଲା ପରି ଆଡେଇଦେଲା I ନଖାଇ ଫେରି ଆସିଲି, ସେଇଦିନୁ ଆଉ ଗାଁ କୁ ଯାଇନି I ଜଣେ ଡାକ୍ତରଙ୍କ ଗୋଟିଏ ଭୁଲ କଥା ମୋ ଜୀବନ କୁ ବରବାଦ କରି ଦେଲା ଆଜ୍ଞା !”  

 

ରାହୁଲ – ଆଛା, ତୁ ଭିକାରି ଦଳ ରେ ସାମିଲ ହେଲୁ, ତା’ପରେ? ରାହୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଲା I

ଭିକାରି — ପାଗେଳୀ ବୁଢ଼ୀ, ତା ଝିଅ କୁ ଆଉ ମୋତେ ନିଜ ଛୁଆ ପରି ପାଳିବାକୁ ଲାଗିଲା I ମୁଁ ବି ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ ମାଗିବାକୁ ଲାଗିଲି I ଆସ୍ତେ ଆସ୍ତେ ମୁଁ ପାଗେଳୀ କୁ ମୋ ମା ପରି ଦେଖିବାକୁ ଲାଗିଲି I ଆମେ ସେଇ ମନ୍ଦିର ରେ ବସି ଭିକ ମାଗୁ, ମନ୍ଦିର ରେ ଖାଉ ଆଉ ସେଇଠି ଶୋଇ ପଡୁ I ନା ଘର ଥାଏ ନା ଜାଗା I ଯିଏ ଆଗ ଗାମୁଛା ପକେଇଲା ସେ ଜାଗା ତା’ର, ଗୋଟେ ରାତି ପାଇଁ I ଏମିତି ଚାଲିଥାଏ ଜୀବନ I ସମୟ କ୍ରମ ରେ ଜାଣିବାକୁ ପାଇଲି ଯେ, ଏ ଝିଅ ବି ପାଗେଳୀ ର ନୁହଁ I ଅବାଂଛିତ ପିଲା ଟିକୁ କେହି ଜଣେ ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା I ବୁଢ଼ୀ ତାକୁ ପାଳିଛି ୭ ବର୍ଷ ହେଲା I କିଛି ବର୍ଷ ପରେ ବୁଢ଼ୀ ମରିଗଲା I ବୁଢ଼ୀ ର ଝିଅ ଆଉ ମୁଁ ରହିଲୁ I ଆମେ ଦି ଜଣ ଭଲ ସାଙ୍ଗ ହେଇ ଗଲୁ I ଅନ୍ୟ ଭିକାରି ମାନେ ଆମକୁ ଅଲଗା କରିଦେଲେ I ଆମେ ଏକାଠି ଭିକମାଗୁ, ଏକାଠି ଖାଉ, ଏକାଠି ଶୋଉ I ସେତେବେଳେ ଦୁଇ ଜଣ ଯାକ ଯୌବନ ରେ ପହଞ୍ଚି ଥାଉ I ସେ ମୋ ପାଇଁ ବଞ୍ଚେ ଆଉ ମୁଁ ତା ପାଇଁ I ମନ୍ଦିର ରୁ ଡାଲି ତରକାରୀ ମିଳିଲେ ସେ ମୋ ପାଇଁ ଆଣେ ମୁଁ ତା ପାଇଁ I ଆଉ କେହି ତ କଥା ବି ହୁଅନ୍ତିନି I ଆମେ ଦି ଜଣ ଆମ ଦୁନିଆଁ ରେ ଥାଉ I ଆସ୍ତେ ଆସ୍ତେ ଆଜ୍ଞା ତାକୁ ଭଲ ପାଇ ବସିଲି I ସେ ବି ମୋତେ I

 

(ରାହୁଲ ମନେମନେ ଭାବିଲା, ଭିକାରି ହେଇ ପ୍ରେମ !! ବାଃ… )

 

ଭିକାରି କହି ଚାଲିଥାଏ, ଦୁନିଆଁ ରେ ଆମ ଦି ଜଣଙ୍କୁ ଛାଡି ଦେଲେ ଆଉ କେହି ନଥିଲେ ଆମ ପାଇଁ I କାହାକୁ କହିବୁ କାହାକୁ ପଚାରିବୁ? ସପ୍ତମ ଶ୍ରେଣୀ ରେ ସାର କହିଥିଲେ, ଗୋଟେ ଭଲ ସାଙ୍ଗ ଗୋଟେ ପାଠାଗାର ସହ ସମାନ I ସେଥିପାଇଁ ମୋର ସବୁଠୁ ଭଲ ସାଙ୍ଗ ଆଉ ଗୋଟିଏ ବୋଲି ସାଙ୍ଗ କୁ ବାହା ହେଇ ପଡିଲି I

 

ରାହୁଲ — ତମେ ତେବେ ବାହା ହେଇଛ? କେଉଁଠି? ସେଇ ମନ୍ଦିରରେ?  

 

ଭିକାରି — ଭିକାରି ର ବାହାଘର କ’ଣ ଆଜ୍ଞା ! ଆମକୁ ମନ୍ଦିରରେ କିଏ ପୁରେଇବ? ଦି ଜଣ ଏକାଠି ରହିଲୁ I ଯୌବନ ଆଜ୍ଞା, କିଛି ଦେଖେନି I ସେ ମୋତେ ଆଉ ମୁଁ ତାକୁ ଭରସା କଲି ବାସ, ଆଉ କଣ ଦରକାର? ମୋତେ ଆଉ ମନ୍ଦିର ବେଢାରେ ରହିବାକୁ ଭଲ ଲାଗିଲା ନାହିଁ I ମୁଁ କାଠ, ବାଉଁଶ, ଭଙ୍ଗା ଟିଣ, ପଲିଥିନ ସବୁ ସଂଗ୍ରହ କରି ମନ୍ଦିର ବାହାରେ ନାରଣସାଗର ପାଖରେ ଥିବା ଗୋଟେ ସରକାରୀ ଜାଗା ରେ ମୁଣ୍ଡ ଗୁଞ୍ଜି ରହିବା ପାଇଁ ବଖୁରିଆ ନୁଆଁଣିଆ ଚାଳିଆ ଖଣ୍ଡେ କଲି I ସେଠାରେ ରହିଲୁ ଆମେ I କିଛିଦିନ ପରେ ସେ ମା ହେଲା I ସେଇ ଚାଳିଆ ରେ ସେ ଏଇ ଝିଅଟିକୁ ଜନ୍ମ ଦେଲା I ବାପା ମା ଛୁଆ ତିନି ଜଣ ରହିଲୁ ସେଠି I ମନ୍ଦିର ଆଗରୁ ଭିକ ମଗା ପଇସା ନ ଅଣ୍ଟିବାରୁ ମୁଁ ବାହାର ଗାଁ କୁ ଭିକ ମାଗି ଯାଏ ଆଉ ମୋ ସ୍ତ୍ରୀ ଆଉ ଝିଅ ମନ୍ଦିର ଆଗରେ ଭିକ ମାଗନ୍ତି I”

 

ଭିକାରି ପାଖରେ ଥିବା ମଳିଛିଆ ବୋତଲରୁ ପାଣି ମୁନ୍ଦେ ପିଇଲା ଆଉ ପୁଣି ଥରେ କହି ଚାଲିଲା,” ଭଲରେ ଭଲରେ ଚାଲିଥିଲା ଆଜ୍ଞା, ଆସ୍ତେ ଆସ୍ତେ ମୁଁ ପୁରୁଣା ସାଇକଲ ଖଣ୍ଡେ ଟଙ୍କା ଦୁଇଶହ ଦେଇ କିଣିଲି ଆଉ ଦୂର ଗାଁ କୁ ଭିକ ମାଗିବାକୁ ଗଲି I ଝିଅ ଆଜ୍ଞା ବଡ ହେଉଥାଏ I ବଡ ଆଶା ଥାଏ, ତାକୁ ପାଠ ପଢ଼େଇବି I ସେଠି ପାଇଁ ବେଶୀ ବେଶୀ ପରିଶ୍ରମ କଲି I ସାଇକଲ ରେ ଗୋଟେ ଗୋଟେ ଦିନରେ ଦୁଇ-ତିନିଟା ଗାଁ ରେ ବୁଲି ଭିକ ମାଗେ I ଝିଅ କୁ ଚାରି ବର୍ଷ ହେଲା ପରେ ଗୋଟେ ସ୍କୁଲ ରେ ତା ନାଁ ଲେଖେଇଦେଲି I ଝିଅ ପ୍ରଥମ ରେ ପଢୁଛି ଆଜ୍ଞା I

 

ରାହୁଲ — ହେଲେ ତମ ଘର କେମିତି ପୋଡ଼ିଲା ?

ଭିକାରି — ସେଦିନ ରାତିରେ କିଛି ଲୋକ ପୋଖରୀ ରୁ ମାଛ ଚୋରି କରିବାକୁ ଆସିଲେ I ୟା ମା, ବାହାରକୁ ପରିସ୍ରା ଆସିଥାଏ I ସେ ଲୋକ ମାନଙ୍କୁ ଦେଖି ଦେଲା I ସେ ଲୋକ ମାନେ ବି ତାକୁ ଦେଖିଲେ I କାଳେ ସକାଳୁ କାହାକୁ କହିଦେବ, ସେଥି ପାଇଁ ରାତିରେ ହିଁ ମୋ ଘରେ ନିଆଁ ଲଗେଇ ଦେଲେ I ମୋ ସ୍ତ୍ରୀ ପୋଡି ହେଇଗଲା ବେଳେ ସେଇ ଲୋକ ମାନଙ୍କୁ ହିଁ ସମ୍ପୁ (ଗାଳି କରିବା) ଥିଲା I ପରେ ଡାକ୍ତର ଖାନା ରେ ବି ସେକଥା କହିଲା I ଦି ଦିନ ପରେ ବୁଢ଼ୀ ମରିଗଲା ଆଜ୍ଞା I ସେଇ ଦିନୁ ଆମେ ଦି ଜଣ ଏଠିକି ପଳେଇ ଆସିଲୁ I କହିସାରି ଭିକାରି ଟି ଲୁହ ପୋଛିଲା I

ହଠାତ ରାହୁଲ ମୋବାଇଲ ରିଙ୍ଗ ହେଲା I ସକାଳ ହୋଇ ସାରିଥିଲା I ରାହୁଲ ମା ଫୋନ କରିଥିଲେ I ରାହୁଲ  ଫୋନ ଉଠେଇ କହିଲା, “ହଁ, ମୁଁ ଷ୍ଟେସନ ରେ ଅଛି I ବାହାରୁଛି ଏବେ I ଅଧ ଘଣ୍ଟେ ରେ ପହଞ୍ଚିବି ଘରେ I”

 

ଫୋନ ଟା ପକେଟ ରେ ରଖିଲା ବେଳେ ହାତ ସିଗାରେଟ ପ୍ୟାକେଟ ରେ ବାଜିଲା I

ରାହୁଲ, କହୁ କହୁ କହିଦେଲା ତୁ ସିଗାରେଟ ଟାଣୁ? ଚାଲ ଯିବା ବାହାରକୁ I

ଭିକାରିସିଗାରେଟ ଟାଣିବାକୁ ପଇସା କୁଆଡୁ ପାଇବି ବାବୁ I ବେଳେ ବେଳେ ବିଡି ଖଣ୍ଡେ ଖଣ୍ଡେ ଟାଣେ I

ରାହୁଲହଉ ଚାଲ, ଯିବା ବାହାରକୁ I

ରାହୁଲ ବସିବା ଜାଗାରୁ ଉଠିଲା ଆଉ ତା ବ୍ୟାଗ ଧରି ଆଗେଇଲା I ପଛେ ପଛେ ଭିକାରି ବି ବାହାରକୁ ଆସିଲା I

ବାହାରକୁ ଆସି ରାହୁଲ ଖଣ୍ଡେ ସିଗାରେଟ ରେ ନିଆଁ ଲଗେଇଲା ଆଉ ଭିକାରିକୁ ବି ଗୋଟେ ସିଗାରେଟ ଦେଲା I

 

ସିଗାରେଟ ଟାଣିଲା ଭିତରେ ରାହୁଲ ଚିନ୍ତା କରୁଥାଏ, ୟା କୁ କିଛି ଟଙ୍କା ସାହାର୍ଯ୍ୟ କଲେ ଭଲ ହେବ I ବିଚରା କେତେ କଷ୍ଟ ରେ ଅଛି I ଝିଅ ପାଇଁ ଫ୍ରକ ଗୋଟେ ବି କିଣି ପାରୁନି I ଖାଇବାକୁ ବି ପଇସା ନାହିଁ I

 

ରାହୁଲ ପାଖ ଦୋକାନ ରୁ କିଛି ପାଉଁରୁଟି ଆଉ ଘୁଗୁନି କିଣି ଝିଅ ଖାଇବା ପାଇଁ ଦେଲା I ନିଜ ପର୍ସ ବାହାର କରି ଦୁଇ ହଜାର ଟଙ୍କା ତା ହାତରେ ଦେଲା I ଆଉ କହିଲା ଆଜି ବଜାରକୁ ଯାଇ, ଝିଅ ପାଇଁ ଭଲ ଡ୍ରେସ ଗୋଟେ ଦୁଇଟା କିଣି କି ଆଣିବୁ I ଆଉ ତା ପାଇଁ ସାବୁନ ଖଣ୍ଡେ ଆଉ ତେଲ ବି ଆଣିବୁ I ହେଲା !!

ପଇସା ପାଇ ଭିକାରି ଟି କାନ୍ଦ କାନ୍ଦ ହୋଇଗଲା I ରାହୁଲ ତା ଆଖି ରେ କୃତଜ୍ଞତା ଅଶ୍ରୁ ଦେଖି ପାରିଲା I ଭିକାରି ହାତ ଯୋଡି ରାହୁଲ କୁ ମୁଣ୍ଡିଆ ମାରିଲା I ରାହୁଲ ତା କାନ୍ଧ ରେ ହାତ ରଖି କହିଲା,” ଥାଉ, ଯା, ଝିଅ ସିଆଡେ ଏକା ଅଛି I” ଆଉ ଅଟୋ ଧରି ଘରକୁ ବାହାରିଲା I  

ପରଦିନ

ରାହୁଲ କୁ ଇଛା ହେଲା ଥରେ ଯାଇ ସେ କୁନି ଝିଅ ଟିକେ ଦେଖି ଆସିବ I ନୂଆ ଡ୍ରେସ ରେ ଝିଅ ଟି ବହୁତ ସୁନ୍ଦର ଦେଖା ଯାଉଥିବ I ରଜ ରେ ଝିଅ ମାନେ ନୂଆ ଡ୍ରେସ ପିନ୍ଧି ଖୁସି ରେ କୁରୁଳିଲା ପରି ସେ ବି ଖୁସି ରେ ନାଚି ଯାଉଥିବ I

ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, ଡ୍ରେସ ପିନ୍ଧି ବାହାରି ପଡିଲା I ମା କହିଲେ, ଚା ଟିକେ ପିଇ ଦେଇ ଯାଆ I ମାଙ୍କ ହାତରୁ ଚା କପ ନେଇ ସେ ଚୌକି ରେ ବସି ପଡିଲା I ଟି-ପଏ ଉପରେ ପଡିଥିବା ଦୈନିକ ଖବରକାଗଜ ଉପରେ ଟିକେ ଆଖି ବୁଲେଇ ଆଣିବାର ଲୋଭ ସମ୍ବରଣ କରି ନପାରି ଖବରକାଗଜ ଟିକୁ ଉଠେଇ ଆଣିଲା I ଦ୍ଵିତୀୟ ପୃଷ୍ଠା ଟିକୁ ଆଡଉ ଆଡଉ, ତା ଆଖି ଗୋଟେ ଜାଗାରେ ଅଟକି ଗଲା I ଖବର ଟିକୁ ସେ ଗୋଟେ ନିଶ୍ୱାସ ରେ ପଢି ଗଲା I ସେଥିରେ ଲେଖା ଥିଲା


ଅନୁଗୁଳ ଷ୍ଟେସନ ରୁ ଲୁଟେରା ଗିରଫ

ଅନୁଗୁଳ,୨୯/୧୨, କାଲି ସକାଳୁ ଅନୁଗୁଳ ଷ୍ଟେସନ ରୁ ଏକ ଲୁଟେରା କୁ ଗିରଫ କରା ଯାଇଛି I ଲୁଟେରା ସହ ଗୋଟେ ବର୍ଷ ଝିଅ କୁ ବି ଉଦ୍ଧI କରା ଯାଇଛି I ଲୁଟେରା ପ୍ରକୃତ ନାମ ଆଉ ସେ କେଉଁଠିକାର  ବାସିନ୍ଦା, ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି I ଛୋଟ ଝିଅଟିକୁ ସେ କେଉଁଠୁ ଚୋରି କରି ଆଣିଥିବା ସନ୍ଦେହ କରା ଯାଉଛି I ଝିଅଟିର ନା ରିନୁ ଆଉ ବାପା ନା ମଣ୍ଟୁ ପାଇକରାୟ ବୋଲି ଜଣା ପଢିଛି, କିନ୍ତୁ ତା ଗାଁ ବିଷୟରେ ସେ କିଛି କହି ପାରୁନି I

ସୂଚନା ଯୋଗ୍ୟ ଯେ, ୨୮ ତାରିଖ ସକାଳୁ ଅନୁଗୁଳ ଷ୍ଟେସନ ରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଗୋଟେ ଛୋଟ ଝିଅ ମିଲିଟାରୀ କମ୍ବଳ ଘୋଡ଼ି ହୋଇ ଏକା ଶୋଇ ଥିବାର ଦେଖି ପୋଲିସ କୁ ସନ୍ଦେହ ହେଲା I ସମୟରେ ଝିଅଟିର ମୁଣ୍ଡ ତଳେ ଥିବା ଗୋଟେ ବୁଜୁଳି ରୁ ମୋବାଇଲ ରିଂ ହେବାର ସାଉଣ୍ଡ ଆସିଲା I ଝିଅଟିକୁ ଉଠେଇଲା ପରେ, ସେ ଏକ ଭିକାରି ଝିଅ ପରି ଦେଖା ଯାଉଥିଲା I ଚିରା ଡ୍ରେସ ପିନ୍ଧି ଥିଲା I ପୋଲିସ କୁ ଦେଖି ହଡ଼ବଡେ଼ଇ ଯାଇ ସେ କହିଲା ଯେ ସେ ଚୋର ନୁହଁ I ଗୋଟେ ଲୋକ ତାକୁ ଚୋରି କରି ଆଣି ଭିକ ମାଗିବାକୁ ବାଧ୍ୟ କରୁଛି ଆଉ ତାକୁ ବାପା ନଡାକିଲେ ମାରି ଦବ ବୋଲି କହିଛି I ପୋଲିସ ହୁସିଆର ରେ ଝିଅକୁ ଛାଡି ସେ ଲୋକକୁ ଅପେକ୍ଷା କରି ପାଖା ପାଖି ଜାଗାରେ ଲୁଚି ବସିରହିଥିଲେ I ଲୋକଟି ଆସିବା କ୍ଷଣି ତାକୁ କାବୁ କରି ନେଲେ I ଲୁଟେରା କିଛି ଦିନ ହେଲା ଅନୁଗୁଳ ଷ୍ଟେସନ କୁ ଆସିଥିଲା I ସେ ରାତିରେ ଯିବା ଆସିବା ଯାତ୍ରୀ ଆଉ ଟ୍ରେନ ରୁ ଚୋରି କରୁଥିଲା I ଦିନରେ, ପୋଡା ଦାଗ ଥିବା ଷ୍ଟିକର ହାତ ଗୋଡ଼ରେ ଲଗାଇ ଝିଅ ସହ ଭିକ ମାଗୁଥିଲା I ରାତିରେ ଟ୍ରେନ ରହିବା କ୍ଷଣି ସେ ବଗି ଭିତରେ ପଶି ଶୋଇଥିବା ଯାତ୍ରୀ ମାନଙ୍କ ଠାରୁ ପର୍ସ, ମୋବାଇଲ, ସୁନା ଚେନ ଚୋରି କରୁଥିଲା ଆଉ ଟ୍ରେନ ଛାଡିବା ପୂର୍ବରୁ ଓ଼ଲ୍ଳେହି ଯାଉଥିଲା I ତା ପାଖରୁ ୧୫ ଟି ମୋବାଇଲ, ନଗଦ ୧୭୦୦୦ ଟଙ୍କା, ଦୁଇଟି ସୁନା ଚେନ ଉଦ୍ଧାର କରା ଯାଇଛି I ଲୁଟେରା କୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି ଆଉ ଝିଅଟି କୁ, ତା ବାପା ମାଙ୍କ ପରିଚୟ ମିଳିବା ଯାଏ ମାଳତୀ ଚୌଧୁରୀ ଆଶ୍ରମ ରେ ରଖିବାର ବ୍ୟବସ୍ତା କରା ଯାଇଛି I   

    

ଖବରକାଗଜ ରେ ଦିଆ ଯାଇଥିବା ଫୋଟୋ ରେ ରାହୁଲ ମିଲିଟାରୀ କମ୍ବଳ ଆଉ ଚାରିଟି ପାଞ୍ଚଶହ ଟଙ୍କିଆ ନୋଟ ରାହୁଲ କୁ ମିଲି ମିଲି କରି ଚାହିଁ ରହିଥିଲେ…….

ସେପଟେ ଟିପଏ ଉପରେ ରଖା ଯାଇଥିବା ଚା ଥଣ୍ଡା ହେବାରେ ଲାଗିଥିଲା I

 

—-x—-

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ସପ୍ତଫେଣି

ସପ୍ତଫେଣି

(www.aahwaan.com ରେ December 2017 ରେ ପ୍ରକାଶିତ )

ସୁବଳ ମହାପାତ୍ର

ମା….ମା…. ବୋଲି ଡାକି ଡାକି ଘର ଭିତରକୁ ପଶି ଆସିଲେ ଡାକ୍ତରାଣୀ ଶତଭିଷା ପଟ୍ଟନାୟକ I ସାଙ୍ଗରେ ଜଣେ ମ୍ଲେଚ୍ଛ ଭିକାରୁଣୀ I ଭିକାରୁଣୀ କୁ ବାରଣ୍ଡା ରେ ବସେଇ ଦେଇ ସେ ଘର ଭିତରକୁ ଯାଇ ମା ଆଉ ଘରର ଚାକରାଣୀ ଯମୁନା କୁ ଖୋଜିଲେ I କାହାକୁ ନପାଇ ବାଡ଼ି ପଟକୁ ଯାଇ ଦେଖିଲେ ମା ଠିଆ ହୋଇଛି ଆଉ ଯମୁନା କଣ ଗୋଟେ ଗଛ ଲଗେଇବା ପାଇଁ ଗାତ ଖୋଳୁଛି I ମା, ଯମୁନା କୁ କହୁ ଥାଏ, ଟିକେ ଜଲଦି କର, ଏ କାମ ସାରିଲେ ପୁଣି ସେ ଦାଣ୍ଡ ପଟେ ଥିବା ସପ୍ତଫେଣି ଗଛଟାକୁ କାଟିବୁ I କଣ୍ଟା ଗଛଟା ଘର ଆଗରେ ରହିବା ଭଲ ନୁହଁ I
ଯମୁନା କୁ ଦେଖୁ ଦେଖୁ ଶତଭିଷା କହିଲେ, ” ଗଲୁ ଗଲୁ, ଗୋଟେ ଡେ଼କଚି ରେ ପାଣି ଗରମ କରିବୁ ଆଉ ସାବୁନ, ଶାମ୍ପୂ ବି ନେଇ କି ଆସିବୁ I ମୁଁ ବାରଣ୍ଡା ରେ ଅଛି I
ମା ରୁକ୍ମୁଣୀ ଦେବୀ ଙ୍କୁ ଜଣା ପଡିଗଲା ଯେ, ମାମୁନି ଆଜି ପୁଣି କେଉଁ ଗୋଟେ ଭିକାରି କିମ୍ବା ପାଗଳ ବୁଢା କି ବୁଢ଼ୀ କୁ ଧରିକି ଆସିଛି, ଏବେ ତାକୁ ଗାଧୋଇ ଦେବ, ଖାଇବାକୁ ଦେବ ଆଉ ସେ ସାଷ୍ଟାମ ହେଲା ପରେ ତାକୁ ନେଇ ଵୃଦ୍ଧାଶ୍ରମ ରେ ଛାଡିବ I ପିଲା ଦିନୁ ମାମୁନି ଟା ଏମିତି I ଦୁଖୀ ରଙ୍କିଙ୍କ ଦୁଃଖ ଦେଖି ପାରେନି I ମନେ ପକାଉଥିଲେ ରୁକ୍ମୁଣୀ ଦେବୀ, ସେ ବି ଦିନେ ଏପରି ଘର ଛାଡି ପଳେଇ ଆସିଥିଲେ ଆଉ ଭିକାରି ହେବା ପାଇଁ ସଜବାଜ ହେଉଥିଲେ I କିନ୍ତୁ କିଛି ଲୋକଙ୍କ ସହାୟତା, ଆଜି ତାଙ୍କୁ ଏଠି ଗୋଟେ ସମ୍ମାନନୀୟ ଜୀବନ ବଂଚିବାରେ ସାହା ହୋଇଛି I
ଭାବୁ ଭାବୁ ସେ ଦାଣ୍ଡ ପିଣ୍ଡା ରେ ପହଞ୍ଚି ଯାଇଥିଲେ I ଭିକାରି ବୁଢ଼ୀଟିଏ ପିଣ୍ଡା ତଳେ ବସି ଥାଏ I ଦେହରେ ମଇଳା କୋଚଟା ସାତ ସିଆଁ ଚିରା ଲୁଗା ଖଣ୍ଡେ I ମୁଣ୍ଡରେ ବର୍ଷେ ହେଲା ତେଲ ବାଜିନି, ନୁଖୁରା, ଅଲରା I ଆଖି ଯୋଡିକ ଶୁଖିଲା I ପେଟ ଯାଇ ପିଠିରେ ଲାଗିଛି I ପାଖରେ ଗୋଟେ ବୁଜୁଳୀ ଆଉ ଗୋଟେ କଣା ଚେପା ରସ ତାଟିଆ I ମୁହଁଟା ଭଲ ରେ ଦିଶୁ ନଥାଏ I ଅଲରା ବାଳ ଗୁଡିକ ମୁହଁ ସାରା ଖେଳେଇ ହୋଇ ରହି ଥାଏ I ଆଖି ଦେଖି ଦୋ ଦୋ ଚିହ୍ନI ହେଲେ ରୁକ୍ମୁଣୀ ଦେବୀ I
ଭିକାରି ବୁଢ଼ୀ ରୁକ୍ମୁଣୀ ଦେବୀଙ୍କୁ ଦେଖି କରେଣ୍ଟ ମାରିଲା ପରିକା ଚମକି ପଡିଲା ଆଉ ଉଠି ଚାଲି ଯିବାକୁ ବସିଲା I ରୁକ୍ମୁଣୀ ଦେବୀ ପଛରୁ ଡାକିଲେ, ଆରେ ଆରେ ରୁହ I କୁଆଡେ ଯାଉଛ ? ଏ ମାମୁନି, ଆ ଦେଖିବୁ ତ… I ଶତଭିଷା ମାଡାମ ଆସି ଦେଖିଲେ ବୁଢ଼ୀ ଚାଲି ଯିବାକୁ ବସିଛି I ଦୌଡ଼ି ଯାଇ ଫାଟକ ପାଖରୁ ତାକୁ ଫେରେଇ ଆଣିଲେ I ବୁଢ଼ୀ ଆସିବାକୁ ଅମଙ୍ଗ ହେଉ ଥିଲା I ହେଲେ ବହୁତ ବୁଝେଇ ଶୁଝେଇ ତାକୁ ବାରଣ୍ଡା ଉପରକୁ ଆଣିଲେ I ଅଲରା ବାଳ ସଜାଡି ଦେବା ପରେ ରୁକ୍ମୁଣୀ ଦେବୀଙ୍କୁ ଆଉ ବୁଝିବାକୁ ବାକି ନଥିଲା ଯେ, ବୁଢ଼ୀ ଓଲଟି ପଡି ପଳେଇ ଯାଉଥିଲେ କ’ଣ ପାଇଁ I
ରୁକ୍ମୁଣୀ ଦେବୀ ଫେରି ଯାଉଥିଲେ ୨୭ ବର୍ଷ ତଳକୁ ……..
ହଠାତ କାଚ ଗ୍ଲାସ ଟା ଖସି ପଡି ଝଣ ଝଣ ହୋଇ ଭାଙ୍ଗିଗଲା ଆଉ ରୁକ୍ମୁଣୀ ଦେବୀ ଙ୍କ ମୁଣ୍ଡ ବୁଲେଇବାରୁ ସେ କାନ୍ଥ ରେ ହାତ ଦେଇ ବସି ପଡିଲେ I ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆ ଗଲା ଆଉ ଜଣା ପଡିଲା ଯେ ସେ ଗର୍ଭବତୀ I ଘରେ ଖୁସି ର ମାହୋଲ I ଜଣ ଜଣ କରି ବଧେଇ ଜଣାଉଥାନ୍ତି I ଶାଶୂଙ୍କର କିନ୍ତୁ ପୁଅ ଦରକାର I ଆଉ ଝିଅ ଦରକାର ନାହିଁ I କିଛି ଦିନ ପରେ ଜୋର ଜବରଦସ୍ତି ତାଙ୍କୁ ପଠାଗଲା ଚେକ କରିବା ପାଇଁ ପୁଅ ନା ଝିଅ I ରିପୋର୍ଟ ଆସିଲା ଏଥର ବି ଝିଅ I ଶାଶୁଙ୍କ ରାଗ ଆଉ ଦେଖେ କିଏ ? ତାଙ୍କୁ ଭୃଣ ହତ୍ୟା କରିବା ପାଇଁ ବାଧ୍ୟ କରାଗଲା I ପ୍ରାଇଭେଟ କ୍ଲିନିକ ରେ ଏସବୁ କରିବାର ଫାଇନାଲ ହେଇଗଲା I ଡାକ୍ତର ବି ଠିକ କରାଗଲା I କ୍ଲିନିକ ଵାଲା ଅଧିକ ଟିକେ ପଇସା ନେବେ, ସବୁ ଜିନିଷ ସୁରୁଖୁରୁ ରେ ହୋଇଯିବ I କିନ୍ତୁ ଶେଷ ମୁହୁର୍ତରେ ରୁକ୍ମୁଣୀ ଦେବୀ ଭୃଣହତ୍ୟା କରିବାକୁ ମନା କରିଦେଲେ I ମା ମନ ତାଙ୍କର ମାନୁ ନଥିଲା ଏସବୁ କରିବା ପାଇଁ I ଯାହା ହେଲେ ବି ଛୋଟ ଛୁଆ ଟା ର ଦୋଷ କ’ଣ? ଗୋଟିଏ ତ ଝିଅ ଅଛି ଆଉ ଗୋଟେ ହେଲେ ଅସୁବିଧା କ’ଣ? ନା.. ସେ ଭୃଣହତ୍ୟା କରିବେନି I ଯାହା ବି ହେଇଯାଉ ସେ ଏଇ ଛୁଆ କୁ ଜନ୍ମ ଦେବେ I  ଏଥର ଆରମ୍ଭ ହୋଇଗଲା ଶାଶୂଙ୍କର ଅତ୍ୟାଚାର I ଶ୍ୱଶୁର, ଦିଅର ଆଉ ନଣନ୍ଦ ଙ୍କର ବି ଅତ୍ୟାଚାର ବଳି ପଡିଲା ଶାଶୁଙ୍କ ସହ ତାଳ ଦେଇ I ସ୍ୱାମୀ ସବୁ ଜାଣୁଥିଲେ ବି ତାଙ୍କର ବାପା, ମା, ଭାଇ ଆଉ ଭଉଣୀଙ୍କ ବିରୁଦ୍ଧରେ କିଛି କରିବାର ନଥିଲା I ଏଇ ବାପା, ଭାଇ ତ ସେମାନଙ୍କ ଘର ଚଳାଉଛନ୍ତି, ପଇସା ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଗଲେ ଚାରି ପ୍ରାଣୀ ଚଳିବେ କେମିତି ? ତାଙ୍କର ତ କିଛି ରୋଜଗାର ନାହିଁ I ତେଣୁ ଏମାନଙ୍କୁ ବିରୋଧ କରିବାକୁ ବି ସେ ସାହସ କଲେନି ବରଂ ରୁକ୍ମୁଣୀ ଦେବୀଙ୍କୁ ବୁଝେଇଲେ ପିଲାଟାକୁ ନଷ୍ଟ କରିଦେବା ପାଇଁ I କିନ୍ତୁ ରୁକ୍ମୁଣୀ ଦେବୀ ମନ ସ୍ଥିର କରି ସାରିଥିଲେ I ଦରକାର ପଡିଲେ ସେ ପଛେ ଘର ଛାଡି ଚାଲିଯିବେ କିନ୍ତୁ ଭୃଣହତ୍ୟା କରିବେନି I
ଦିନକୁ ଦିନ ଅତ୍ୟାଚାର ସୀମା ଟପିବାକୁ ଲାଗିଲା I ଶାଶୁ ପେଟ କୁ ଗୋଇଠା ମାରିଲେ I ପିଲାଟା ମରିଯାଉ ବୋଲି ସେ ଚାହୁଁଥିଲେ I ସବୁ କିଛି କରି ସାରିବା ପରେ ଫଳ କିଛି ନ ହେବାରୁ, ରୁକ୍ମୁଣୀ ଦେବୀଙ୍କ ଖାଇବାରେ ନିଶା ଔଷଧ ମିଶେଇ, ତାଙ୍କୁ ଜବରଦସ୍ତି କ୍ଲିନିକ କୁ ନେଇ ଗର୍ଭପାତ କରେଇବାର ଯୋଜନା କରା ଗଲା I କୌଣସି ସୂତ୍ରରୁ ସ୍ୱାମୀ ଏସବୁ ଜାଣି ପାରିଲେ ଆଉ ରୁକ୍ମୁଣୀ ଦେବୀଙ୍କୁ କହିଦେଲେ I ରୁକ୍ମୁଣୀ ଦେବୀ ରାତାରାତି ଶାଶୂଘର ଛାଡି ବାପା ଘରକୁ ପଳେଇ ଆସିଲେ I ବାପ ଘରେ ମାମୁନି ର ଜନ୍ମ I ବାପା ନାଁ ରଖିଲେ ଶତଭିଷା ପଟ୍ଟନାୟକ I ବାହାହେବା ଝିଅ ବାପ ଘରେ କେତେଦିନ ଅବା ରହି ପାରିବ? ବର୍ଷ ଗୋଟା ନ ପୂରୁଣୁ ଲୋକେ ଟୁପୁରୁ ଟାପୁରୁ ହେବI ଆରମ୍ଭ କରିଦେଲେ I ଆଉ ରୁକ୍ମୁଣୀ ଦେବୀ ଲୋକ ଲଜ୍ୟା କୁ ଡରି ବାପ ଘର ବି ଛାଡିଲେ I ଶାଶୂଘରେ ତ ରୁକ୍ମୁଣୀ ଦେବୀଙ୍କୁ ମୃତ ଘୋଷଣା କରି ଶ୍ରାଦ୍ଧ ଦେଇ ଦେଲେ I କିନ୍ତୁ ଏବେ ଯିବେ କୁଆଡେ? ଝିଅ କୁ ଧରି ସହର ମୁହାଁ ହେଲେ I ସମୟକ୍ରମରେ ଆଉ ପରିବାରର ଚାପ ରେ ପଡି ସ୍ୱାମୀ ଦ୍ଵିତୀୟ ବିବାହ କଲେ I ବାପ ଘରେ ଥିବା ଯାକେ ସ୍ୱାମୀ ମଝିରେ ମଝିରେ ଆସି ଏମାନଙ୍କୁ ଦେଖି ଯାନ୍ତି କିନ୍ତୁ ବାପ ଘର ଛାଡିବା ପରେ ସେସବୁ ବି ବନ୍ଦ I
ସହରକୁ ଆସି ସେ କ’ଣ କରିବେ କିଛି ଭାବି ପାରୁ ନଥାନ୍ତି I ପାଖରେ ପଇସା ନଥାଏ I କିନ୍ତୁ ନିଆଁ ଲଗା ପେଟ ପାଇଁ ତ ଖାଦ୍ୟ ଦରକାର I ସେ ସିନା ସମ୍ଭାଳି ଯିବେ, ଛୁଆଟା? ସେ କ’ଣ ଖାଇବ? ପର ଘରେ ପାଇଟି କରିବା କଥା ଚିନ୍ତା କଲେ କିନ୍ତୁ ଅଚିନ୍ହା ହେତୁ, ତାଙ୍କୁ କେହି ବି କାମ ଦେବାକୁ ରାଜି ହେଲେ ନାହିଁ I ସମୟ ଚକ୍ର ରେ ପଡି ସେ ପର ପାଖରେ ହାତ ପାତିଲେ I ଛକ କୁ ଛକ ବୁଲି ଭିକ ମାଗିଲେ I କେହି କେହି ତାଙ୍କୁ ପିଲା ଚୋର ଆଉ କେହି କେହି ତାଙ୍କୁ ଭିକାରି ବୋଲି କହି ଦୂର ଦୂର ମାର ମାର କଲେ I କିଛିଦିନ ଖାଇବାକୁ ନପାଇ ସେ ଡଷ୍ଟବିନ ରୁ ଖାଦ୍ୟ ସଂଗ୍ରହ କରି ମାମୁନି କୁ ଖୁଆଇଥିଲେ I କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ନେଇ ପାଖରେ ଥିବା ଵୃଦ୍ଧାଶ୍ରମ ରେ ଛାଡିଲେ ଆଉ ତାଙ୍କୁ ଚାକିରୀ ଖଣ୍ଡେ ଦେଲେ I ତାଙ୍କ କାମ ହେଲା ବୁଢା ବୁଢ଼ୀ ମାନଙ୍କର ଯତ୍ନ ନେବା, ତାଙ୍କୁ ଠିକ ସମୟରେ ଖାଇବା ଆଉ ଔଷଧ ଦେବା, ସେମାଙ୍କ ଲୁଗାପଟା ସଫା କରିବା ଆଉ ରୁମ ସଫା ରଖିବା I ଆଉ ଜଣେ ସହକର୍ମୀ ବି ରୁକ୍ମୁଣୀ ଦେବୀଙ୍କୁ ସାହାଯ୍ୟ କରନ୍ତି I ସେଠାରେ ବୁଢା ବୁଢ଼ୀ ମାନେ ନିଜ ନିଜ ଘରୁ ତଡା ଖାଇ, ପୁଅ ବୋହୂମାନଙ୍କ ର ଅବହେଳା ର ଶିକାର ହୋଇ ଆସିଥାନ୍ତି, ମାମୁନି କୁ ଦେଖି ସେମାନେ ବି ବହୁତ ଖୁସି ହେଲେ I ସେମାନଙ୍କୁ ଗୋଟେ ଜିଅନ୍ତା କଣ୍ଢେଇ ମିଳି ଯାଇଥିଲା ଖେଳିବା ପାଇଁ I ସକାଳୁ ସନ୍ଧ୍ୟା ଯାଏ ମାମୁନି ସହ ସେମାନେ ଖେଳରେ ମାତି ଥାନ୍ତି ଆଉ ରୁକ୍ମୁଣୀ ଦେବୀ ତାଙ୍କ କାମ କରନ୍ତି I ଆସ୍ତେ ଆସ୍ତେ ମାମୁନି ବଡ ହେବାରେ ଲାଗିଲା I ଵୃଦ୍ଧାଶ୍ରମ ର କିଛି ବୁଢା, ବୁଢ଼ୀ ମାମୁନି କୁ ପାଠ ପଢେଇବାକୁ ଲାଗିଲେ I ମାମୁନି ସମସ୍ତଙ୍କର ନାତୁଣୀ ଆଉ ସମସ୍ତେ ମାମୁନିର ଅଜା ଆଉ ଆଇ I ଛୋଟ ବେଳୁ ମାମୁନିର ବୁଢା ବୁଢ଼ୀଙ୍କ ପ୍ରତି ଦରଦ ଟିକେ ଅଧିକା I
ମାଟ୍ରିକ ଫାଷ୍ଟ କ୍ଲାସ ପାଇଲା ପରେ ରୁକ୍ମୁଣୀ ଦେବୀ ଆଉ ଆଗକୁ ପଢିବା ପାଇଁ ମାମୁନି କୁ ମନା କଲେ I ପଇସା କାଇଁ ତାଙ୍କ ପାଖରେ? ଖାଇବା ରହିବା ସିନା ଆଶ୍ରମରେ କିନ୍ତୁ ଅଲଗା ଖର୍ଚ ପାଇଁ ପଇସା କାଇଁ ? ଆଶ୍ରମର ସବୁ ବୁଢା ବୁଢ଼ୀ ନିଶ୍ଚୟ କଲେ ମାମୁନି କୁ ସେମାନେ ପାଠ ପଢ଼େଇବେ I ମାମୁନି ର ପଢା ପାଇଁ ଯାହା ବି ଖର୍ଚ ହେବ ସେମାନେ ଦେବେ I ଯାହା ପାଇଁ ସେମାନେ ନିଜ ପେଟ କାଟି ପଇସା ସଂଚୟ କରିଥିଲେ, ଏତେ ପଇସା ଖର୍ଚ କରି ପାଠ ପଢ଼େଇଥିଲେ, ସେମାନେ ତ ଘରୁ ଧକ୍କା ମାରି ବାହାର କରିଦେଲେ, ଆଉ ଏ ବୁଢା ବୟସ ରେ ପଇସା ରଖି କି କରିବେ କ’ଣ ? ମାମୁନି ବି ସେମାନଙ୍କ ଆଶା କେବେ ବ୍ୟର୍ଥ ଯିବାକୁ ଦେଇନି I ପାଠ ପଢି ସେ ଆଜି ଡାକ୍ତରାଣୀ I ଵୃଦ୍ଧାଶ୍ରମ ର ସମସ୍ତ ଅନ୍ତେବାସୀ ତାର ଅଜା ଆଇ I ବାଟରେ ଘାଟରେ ଯେଉଁଠି ବି ସେ ଅସହାୟ ବୁଢା ବୁଢୀଙ୍କୁ ଦେଖେ ସେମାନଙ୍କୁ ଆଣି ଵୃଦ୍ଧାଶ୍ରମ ରେ ରଖେ ଆଉ ସେମାନଙ୍କର ସମସ୍ତ ଖର୍ଚ ବି ନିଜେ ବହନ କରେ I ଆଗରୁ ସେମାନେ ବି ଆଶ୍ରମରେ ରହୁଥିଲେ I ଏବେ ଡାକ୍ତର ଖାନା ରେ ପୋଷ୍ଟିଙ୍ଗ ହେଲା ପରେ କ୍ଵାଟର ମିଳିଛି I ସକାଳେ ସନ୍ଧ୍ୟା ରେ ସେ ଆଶ୍ରମ କୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରେ ଆଉ ସମସ୍ତଙ୍କୁ ଖୁବ ମନ ଭରି ଭଲ ପାଏ I କେବେବି ସେ କାହାକୁ ମନ ଦୁଃଖ କରିବାକୁ ଦିଏନି I
ମା… ମା….  କଣ ଭାବୁଚୁ? କେତେ ବେଳୁ ଡାକୁଛି I ଗୋଟେ ଶାଢ଼ୀ ଆଣି କି ଦେ I ଆଇ କୁ ଗାଧୋଇ ଦେଇ ସାରିଲିଣି I
ଆଇ ଡାକ ଶୁଣି ବୁଢ଼ୀ ଚମକି ପଡିଲା I ରୁକ୍ମୁଣୀ ଦେବୀ ବି ଭାବନା ରାଇଜ ରୁ ଫେରି ଆସିଲେ ଆଉ ଗୋଟେ ନୂଆ ଶାଢ଼ୀ ଆଣି ମାମୁନି କୁ ବଢେଇ ଦେଲେ I ମାମୁନି ବୁଢ଼ୀ କୁ ଶାଢ଼ୀ ପିନ୍ଧେଇ, ଖାଇବା ପିଇବା କୁ ଦେଇ, ବୁଢ଼ୀ ସାଷ୍ଟାମ ହେଲା ପରେ, ବୁଢ଼ୀ କୁ ନେଇ ଵୃଦ୍ଧାଶ୍ରମ କୁ ଯିବାକୁ ବାହାରିଲା I
ରୁକ୍ମୁଣୀ ଦେବୀ କିନ୍ତୁ ତାକୁ ଅଟକାଇ ଦେଲେ ଆଉ କହିଲେ ତାଙ୍କୁ ଏଠି ରହିବାକୁ ଦେ I ମାମୁନି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖିଲା I ଏଠି କଣ ପାଇଁ ରହିବେ? ରୁକ୍ମୁଣୀ ଦେବୀ କିଛି କହିବା ପୂର୍ବରୁ, ଛଳ ଛଳ ଆଖିରେ ବୁଢ଼ୀ କହିଲା, ତୁ କେମିତି ଜାଣିଲୁ ମୁଁ ତୋ ଜେଜେମା ବୋଲି?
ଜେଜେମା? ମୁଁ ତ ସମସ୍ତଙ୍କୁ ଆଇ ବୋଲି ଡାକେ I ମାମୁନି ଆହୁରି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖୁ ଥିଲା I ଆଉ ଅଧିକା ଆଶ୍ଚର୍ଯ୍ୟ ହେଉଥିଲା ବୁଢ଼ୀ କୁ ଦେଖି I ସେ କିଛି ବୁଝି ପାରୁନଥିଲା କ’ଣ ଚାଲିଛି I ଏତିକି ବେଳେ ବୁଢ଼ୀ ଥର ଥର କଣ୍ଠ ରେ କହିବାକୁ ଆରମ୍ଭ କଲା I
ହଁ ଲୋ ମା, ମୁଁ ତୋର ହତଭାଗିନୀ ଜେଜେମା I ଯିଏ ଚାହୁଁଥିଲା ତୁ ଜନ୍ମ ହେବା ପୂର୍ବରୁ ମରିଯା ବୋଲି I ତୋତେ ବଂଚେଇବାକୁ ଯାଇ ତୋ ମା ଘର ଛାଡି ପଳେଇ ଆସିଲା I ସେ ମରି ଯାଇଛି ବୋଲି ଘୋଷଣା କରି ଆମେ ତାର ଶ୍ରାଦ୍ଧ ଦେଇ ଦେଲୁ ଆଉ ତୋ ବାପା ର ଦ୍ଵିତୀୟ ବିବାହ କରେଇ ଦେଲୁ I ତୋ ବାପା ତୋ ମା କୁ ବହୁତ ଭଲ ପାଉଥିଲା ଆଉ ତା’ ଠୁ ଅଲଗା ହେଲା ପରେ ସେ କେମିତି ଅଧା ପାଗଳ ହେଇ ଯାଇଥିଲା I ଭଗବାନ ଆମକୁ ଦଣ୍ଡ ଦେବା ଆରମ୍ଭ କରି ଦେଇଥିଲେ I ତୋ ସାବତ ମା ଗୋଟେ ପୁଅ ଜନ୍ମ କରି ମରିଗଲା I ତୋ ବଡ ଭଉଣୀ ୭ ବର୍ଷ ବୟସ ରେ ଅଜଣା ଜର ରେ ଆମକୁ ଛାଡି ଚାଲିଗଲା I ତୋ ଖୁଡି ସହର ଝିଅ I ସେ କେବେବି ଆମକୁ ପଚାରେନି I ତା ବାପଘର ଭଲ ତ ସେ ଭଲ I କୁହା ବୋଲା କରି ତୋ କାକା କୁ ଆମଠୁ ଅଲଗା କରିଦେଲା I ତୋ କାକା ତା ଭାଗ ର ଜମି, ବାଡ଼ି, ଘର ସବୁ ବିକ୍ରି କରି ସହର କୁ ଚାଲି ଆସିଲା I ତୋ ପିଉସୀ ର ଗୁଣ ଯୋଗୁଁ, ତା ଶ୍ୱଶୁର ଘର ଲୋକ ତାକୁ ଘରୁ ବାହାର କରି ଦେଲେ I ଯାହା ଯେମିତି ଚଳି ଯାଉଥିଲୁ I କିନ୍ତୁ ଭଗବାନଙ୍କ ରାଗ ଶାନ୍ତ ହେଇ ନଥିଲା I ତୋ ବାପା ଆହୁରି ପାଗଳ ହେଇ ଗଲା ଆଉ ଗୋଟେ ଦିନ ତୋ ମା କୁ ଖୋଜିବା ପାଇଁ ଘର ଛାଡି କୁଆଡେ ପଳେଇଲା I ଦି ଦିନ ପରେ ଗାଡି ଧକ୍କା ରେ …  ଆଗକୁ କହିବା ପାଇଁ ସେ କୋହ ସମ୍ଭାଳି ପାରୁ ନଥାନ୍ତି I
ଗାଡି ଧକ୍କା କଥା ଶୁଣି ରୁକ୍ମୁଣୀ ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I ପଡି ଯାଉ ଯାଉ ଝରକା ର ଗ୍ରିଲ କୁ ଧରି ରହି ଗଲେ ଆଉ ପାଖରେ ଥିବା ଚୌକି ରେ ବସି ପଡିଲେ I ମାମୁନି ହାଁ କରି ସବୁ ଶୁଣୁ ଥାଏ I ବୁଢ଼ୀ ପୁଣି ଥରେ କହିବା ଆରମ୍ଭକଲା I
ତୋ ପିଉସୀ ର ଗୁଣ ବହୁତ ଖରାପ ଥିଲା I ଘର ର ଝିଅ ହେଲେ ବି ପଇସା ପାଇଁ ସେ ଘରୁ ଜିନିଷ ଲୁଚେଇ ଚୋରେଇ ବିକ୍ରି କରିବା ଆରମ୍ଭ କରିଥିଲା I ସରକାର ଆଇନି କଲା ପରେ, ଝିଅର ଅଧା ଭାଗ ଅଛି କହି ସେ ଜମି ବାଡ଼ି ରେ ଭାଗ ବସେଇଲା ଆଉ ଦିନେ ସବୁ ବିକି ଭାଙ୍ଗି ଆର ଗାଁ ର ଗୋଟେ ଟୋକା ସହ କୁଆଡେ ପଳେଇଲା I ଘରେ ବାକି ରହିଲୁ ଆମେ ବୁଢା ବୁଢ଼ୀ ଆଉ ତୋ ଭାଇ I ଘର ଡିହ ବ୍ୟତୀତ ଆଉ ମାଣେ ହବ ଜମି ଥିଲା ଆମ ପାଖରେ I ବାପା ମା ନଥିଲେ ତା’ର I ଗାଁ ଟୋକା ଙ୍କ ସହ ମିଶି ସେ ଟାଉଟରୀ କଲା, ଆଜି କାହା ଟଙ୍କା ତ କାଲି କାହା ଧାନ, ଏମିତି କରୁ କରୁ ଦିନେ ଗୋଟେ ଝିଅକୁ ଧରି ଆସିଲା I ଝିଅ ଘର ଆସି ଆମ ଘରେ ପଶି ତାକୁ ବାଡିଆ ବାଡ଼ି କଲେ I ବୁଢା ଏସବୁ ଦେଖି ସମ୍ଭାଳି ପାରିଲା ନାହିଁ, ଟଳି ପଡିଲା I ଆଉ ଉଠିଲା ନାହିଁ I
ନାତି ଟୋକା ପଇସା ପାଇଁ ମୋତେ ବେଳେ ବେଳେ ମାରଧର କରେ I ମୁଁ ତ ବୁଢ଼ୀ ମଣିଷ I ମୋ ପାଖେ ପଇସା କୁଆଡୁ ଆସିବ ? ଦିନେ ମଦ ପିଇ ଆସି ମୋତେ ମାରି ମାରି ଦରମରା କଲା I କିଛି ଦିନ ପରେ ନାତୁଣୀ ବୋହୁ ପୁରୀ ବୁଲିଯିବା କହି ମୋତେ ଆଣି ପୁରୀ ରେ ଛାଡ଼ିଦେଇ ଗଲା I ଏଇଠୁ ଆସୁଛି କହି ଗଲା ଯେ ଆଉ ଫେରିଲାନି I ଦି ଦିନ କାଳ ଅଖିଆ ଅପିଆ ବଡ ଦାଣ୍ଡ ରେ ପଡି ରହିଲି, ସେ ଦିନଠୁ ଭିକ ମାଗି ମାଗି ବୁଲୁଚି I ଭଗବାନ ମୋତେ ଶାସ୍ତି ଦେଇଛନ୍ତି I ଗାଁ ରେ ଥିଲା ବେଳେ ଯେଉଁ ଗର୍ବ ଥିଲା, ମୋ ଗର୍ବ ଭାଙ୍ଗି ଦେଇଛନ୍ତି I ଆଜି, ଯେଉଁ ଝିଅ କୁ ମୁଁ ମାରିବାକୁ ବସିଥିଲି, ସେ ହିଁ ମୋର ସେବା କରୁଛି I ଆଉ ଯେଉଁ ବୋହୁ ର ଏଇ ହାତରେ ଶ୍ରାଦ୍ଧ ଦେଇଥିଲି ତା ଓଳି ତଳେ ମୁଁ ଠିଆ ହେଇଛି I ବୁଢ଼ୀ ଆଖିରୁ ଅନୁତାପ ର ଲୁହ ବୋହି ଯାଉଥାଏ I ରୁକ୍ମୁଣୀ ଦେବୀଙ୍କୁ ଚାହିଁ, ହଜାରେ ଥର ହାତ ଯୋଡୁଥାଏ I
ରୁକ୍ମୁଣୀ ଦେବୀ ନିଜକୁ ସହଜ କରି ଶାଶୁଙ୍କ ପାଖରେ ଯାଇ ବସି ପଡିଲେ I ଲୁଗା କାନି ରେ ଲୁହ ପୋଛି ଦେଲେ ଆଉ ଯମୁନା କୁ ତାଙ୍କ ବଖରା ରେ ଆଉ ଗୋଟେ ଖଟ ପକେଇବାକୁ କହିଲେ I ମାମୁନି ବି ଦୌଡ଼ି ଆସି ମା ଆଉ ଜେଜେମା କୁ କୁଣ୍ଢେଇ ପକେଇଲା I
ରୁକ୍ମୁଣୀ ଦେବୀ ଲୁହ ଭିଜା ଆଖିରେ ବାହାରକୁ ଚାହିଁ ଦେଖିଲେ ଘର ଆଗ ସପ୍ତଫେଣି ଗଛରେ ଫୁଲ ଧରି ଆସୁଥିଲା I
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଚୋର ର ହୃଦୟ

ଚୋର ର ହୃଦୟ

ସୁବଳ ମହାପାତ୍ର

ବେଳ ରତ ରତ, ଟ୍ରେନ ଛାଡିବାକୁ ଆହୁରି ଦି ଘଣ୍ଟା ବାକି I ସମୟ ରାତି ୧୨ ଟା ବାଜି ୧୫ ମିନିଟ I ଗାଁ ର ଲେଖାଯୋଖା ଦାଦି ମକରାଦି ଠୁ ତାର (ଟେଲିଗ୍ରାମ) ପାଇ ଦିବ ଷ୍ଟେସନ ରେ ଠିଆ ହେଇ ଥାଏ Iଭଲ ନାଁ ଦେବଦତ୍ତ I ପରେ ଦେବ ରୁ ଏବେ ଦିବ ହେଇ ଯାଇଛି I ମନ ଘର ଧରି ଗଲାଣି I ସାଙ୍ଗରେ କେହି ନାହାନ୍ତି I ଏକା ଏକା ସୁରଟ ରୁ ତା’ଗାଁ ଆଠମଲ୍ଲିକ ର ଲାଉପାଳ I ଘରକୁ ଛୁଟିରେ ଗଲେ ସବୁ ସାଙ୍ଗହେଇ ଯାଆନ୍ତି I ଏଠି ସୁରଟ ରେ ଲୁଗାକଳ ରେ ସେ ସୁପର ଭାଇଜର I ଆଜି ଏକା ଏକା ଯିବାକୁ ପଡିବ I ମକରାଦି, ତାର ପଠେଇଛି “ବସିବାଠୁ ଉଠି ଆଇବୁ, ତ ଜେଜୀ ଦିହ ଭଲ ନେଇଁ” I ଦରମା ଆହୁରି ମିଳିନିI ମାସ ଶେଷ, ପଇସା ବି ଗୋଟେ ପାଖରେ ନାହିଁ I ଧାର ଉଧାର କରି ଟଙ୍କା ୨୦୦୦ ମୁଠେଇଚି I ଏକା ଏକା ଏତେବାଟ ଡର ଡର ଲାଗୁଚି I ମାସ ଦି ଟା ହେଇନି ଘରୁ ଆଇବାର I ମକରା, ସନିଆ, ପେଟୁ ସମିତେମନା କଲେ I କହିଲେ ତୁ ଯା, ଆମେ ଏବେ ଯିବୁନି I ଦଶରା ଆଡେ ଦେଖିବା I ସେପଟେ ଗାଁ ରେ ପହଁଚିଲା ବେଳକୁ ଜେଜୀ ଥିବ କି ନଥିବ I ବାହାରେ ରହୁଛି ବୋଲି ମତେ ଜଣେଇ ନଥିବେ, କେଜାଣି ଜେଜୀଅଛି କି ଆର ପାରିକୁ ପଳେଇଲାଣି I ବାପା ମା ମଲା ଦିନୁ ସେ ହିଁ ପାଳି ପୋଷି ମଣିଷ କରିଛି Iକେତେ କାହା ଘରେ ପାଇଟି କରି ଦି ପଇସା ଆଣେ I ସେଥିରେ ଦି

ପ୍ରାଣୀ ଚଳନ୍ତି I

ଆଜି ସେ ମଲା ବେଳକୁ ତା ମୁହଁ ରେ ପାଣି ଟିକେ ଦେବାକୁ ଦିବ ତା ପାଖରେ ନାହିଁ I ନାତୁଣୀ ବହୁ ଗେଲ୍ଲୀ ଜେଜୀ ର ଜୀବନ I ବର୍ଷେ ହେଲା ଘରକୁ ଆଇଚି I ଏକୁଟିଆ ମାଇକିନା କ’ଣ କରିବ? ମରଦପୁଅ ଘରୁ ଗୁଡ ନକାଢ଼ିଲେ ବି ନଚଳେ I ତିନି ପ୍ରାଣୀ ଚଳିବୁ କେମିତି I ଦି ସନ ହେଲା ଧୋଇ ଆଉ ମରୁଡି ଅଣ୍ଟା ଭାଙ୍ଗି ଦେଇଛି I ଏ ସନ ଖାଇବାକୁ ଧାନ କଣି ଗୋଟେ ବି ଘରେ ନଥିଲା I ଗାଁ ର କେତେ ନୁକଦାଦନ ଖଟି ଗଲେ I ଏଠି ମକରା ଆଉ ସନିଆ ଥିଲେ ବୋଲି ସିନା ସେ ପଳେଇ ଆସିଲା ନହଲେ ଗାଁ ରେ ଏତେ ବେଳକୁ କାହା ଠି ମୁଲିଆ କାମ କରିଥାନ୍ତା I ଛୁଟ ବେଳେ ପାଠ ମାଇନର ଯାଇ ପଢିଥିଲା ବୋଲି,ଏଠି ବାବୁ ତାକୁ ସୁପର ଭାଇଜର ରଖିଲା I ଭଲ ଦି ପଇସା ଦେଲା ବୋଲି ଚଳି ଯାଉଛି I ଓଭର ଟାଇମି କରି ଆଉ ଦି ପଇସା ବି ମିଳୁଛି ବୋଲି ଘରକୁ ପଠେଇ, ଖାଇ ପିଇ ତିନି ପ୍ରାଣୀ ବଞ୍ଚିଛନ୍ତି I ଜେଜୀ ଟା ବୁଢ଼ୀହେଇ ଗଲାଣି I ତାକୁ ଛାଡି ଆସିବାକୁ ଜମାରୁ ଇଚ୍ଛା ନଥିଲା ଦିବ ର I କିନ୍ତୁ ଦଇବ ଦୌଡ଼ି ମଣିଷ ଗାଈ,  ଯେଣିକି ଓଟାରେ ତେଣିକି ଯାଇ I ଗାଁ ଛାଡି ଦିବ ଆସି ଏଠି ସୁରଟ ରେ I ଭାବୁ ଭାବୁ ଦିବ କୁ ଯେ କେତେବେଳେ ନିଦ ଲାଗି ଯାଇଛି ସେ ଜାଣିନି I

ଟ୍ରେନ ହର୍ନ ଶୁଣି ତା ନିଦ ଭାଙ୍ଗିଲା I ଉଠିକି ଦେଖିଲା ଏବେ ଯାଏ ଟାଇମି ହେଇନି ଆହୁରି ଅଧ ଘଣ୍ଟେ ବାକି I ଜିନିଷ ଗୁଡା ଆଉ ଥରେ ସଜାଡି ଦେଲା I ହେଲେ ପର୍ସ ଟା ଗଲା କୁଆଡେ? ଏଇଠି ତ ସେପାକିଟି ରେ ରଖିକି ଶୁଇଥିଲା I ତା ମୁଣ୍ଡ ବାଇଆ ହେଇଗଲା I ଜିନିଷ ପତ୍ର ସବୁ କାଢି ଆଉ ଥରେ ଖୋଜି ପକେଇଲା I ହେଲେ ନାଁ କଉଠି ବି ନାହିଁ I ଗଲା କୁଆଡେ I ସନିଆ କେତେ ଥର କହିଥିଲା, ଚାଲେ ଆମେତତେ ଗାଡି ଚଢେଇ ଦେଇ ଆସିବୁ I କିନ୍ତୁ ସେ ମନା କଲା I ସନିଆ ର ସକାଳ ସିଫ୍ଟ I ରାତି ଯାକ ଅନିଦ୍ରା ରହିଲେ ସକାଳେ କାମ କରି ପାରିବନି I ଥାଉ I କେତେ ଥର ସେ କାନେ କାନେ କହିଥିଲା, ଟେ..ସନ ରେଚୁର ଖଣ୍ଟ ବୁଲୁଯିତି I ଦେଖିକି ଯିବୁ I ବାଟ ରେ ହୁସିଆର ଥିବୁ I ଜିନିଷ ଛାଡି କୁଆଡେ ବି ଯିବୁନି I ନହେଲେ ଆଇଲା ବେଳକୁ କିଛି ନଥିବ I ସେ ବି ତ ହୁସିଆର ଥିଲା I ଝୁଲା ଟା ତ ହାତରେ ଧରି କି ଶୁଇଥିଲା Iସେ କଣ ଶୁଇଥିଲା ନା କ’ଣ I ଭାବୁ ଭାବୁ ଆଖି ଟିକେ ଲାଗି ଯାଇଛି I ହେଲେ ପର୍ସ ଟା ଗଲା କୁଆଡେ I ପାକିଟି ରେ ହାତ ଭର୍ତି କରି ଆଉ ଥରେ ଅଣ୍ଡାଳିଲା I ଏଁ, ଏ କ’ଣ ପାକିଟି କଣା I କିଏ ଗୋଟେ ବ୍ଲେଡ ରେକାଟି ଦେଇଛି I ତା ର ତାହେଲେ ପକେଟମାର ହେଇ ଯାଇଛି I ସେ କାନ୍ଦ କାନ୍ଦ ହେଇ ଗଲା I କଣ କରିବ, ଏପଟେ ଜେଜୀ ର ଏ ଅବସ୍ଥା, ମାସ ଶେଷ ବେଳକୁ ଧାର କରି ଟଙ୍କା ୨୦୦୦ ମିଳିଥିଲା I କଣ କରିବ?ଦିବ ମୁଣ୍ଡ କଣ ହେଇ ଗଲା I ମୁଣ୍ଡ ବୁଲେଇବାରୁ ପଡିଲା ପଡିଲା ହେଇ ତଳେ ବସି ପଡିଲା I ଚାରି ପଟ ଅନ୍ଧାର ଦେଖା ଯାଉଥାଏ I ବାନ୍ତି ବାନ୍ତି ଲାଗୁଥାଏ I କାନ୍ଦ କାନ୍ଦ ହେଇ ଆଖିରୁ ଲୁହ ପୋଛିଲା I ଚାରି ଆଡକୁଚାହିଁଲା I କେତେ ଲୋକ ଯିବା ଆସିବା କରୁଥାନ୍ତି, କିଛି ଲୋକ ୟାକୁ ଦେଖିକି ପଳେଇ ଯାଉଥାନ୍ତି I ସମସ୍ତେ ନିଜ ନିଜ ବାଟେ ବ୍ୟସ୍ତ I ସେ ମୁଣ୍ଡରେ ହାତ ଦେଇ ବସି ପଡିଲା I ଏପଟେ ଟ୍ରେନ ଆସିବାର ସୂଚନାମାଇକି ରେ ଡାକୁ ଥାଏ I ଲୋକ ହାଉଯାଉ I କିଏ କେତେ ପାଟି କରୁଥାନ୍ତି I ହୋ ହୋ ଘୋ ଘୋ ଶୁଭୁଥାଏ I କିନ୍ତୁ ଦିବ ର ଆଖି କାନ ସବୁ ବନ୍ଦ ହେଇ ଯାଇଥାଏ I ତାକୁ କିଛି ଦେଖା ଯାଉ ନଥାଏ କିଛି ଶୁଭୁ ନଥାଏI ଆକାଶ ଟା ଖଣ୍ଡ ଖଣ୍ଡ ହୋଇ ତା ମୁଣ୍ଡରେ ଛିଡି ପଡିଲା ପରି ଲାଗୁଥାଏ I ଆଖିରେ ଜୁଳୁଜୁଳିଆ ବୁଲୁ ଥାନ୍ତି I ଗାଁ କୁ ଯିବ କି ଫେରି ଯିବ ଭାବୁ ଥାଏ I ବୁଦ୍ଧି ସୁଦ୍ଧି ହଜି ଗଲାଣି ତା’ର I କ’ଣ କରିବ ଏବେ? ପଇସାନଥିଲେ କଣ କରିବ? ନ ଖାଇ କି ସିନା ପଳେଇବ କିନ୍ତୁ ଟ୍ରେନ ର ଟିକଟ? ସେଟା ବି ତ ପର୍ସ ରେ ଥିଲା I ଆଖିରୁ ଧାର ଧାର ଲୁହ ବୋହି ଯାଉ ଥାଏ I ମନ ମାରି ହା ହତାଶ ଆଖିରେ ସମସ୍ତଙ୍କୁ ଦେଖୁ ଥାଏ କିନ୍ତୁକିଏ ବା କେମିତି ଜାଣିବ ୟା ଅବସ୍ଥା I

ଏତିକି ବେଳେ ଗୋଟେ ୧୨-୧୪ ବର୍ଷ ର ପିଲା ଧାଇଁ ଧାଇଁ ଆସିଲା ଆଉ ଗୋଟେ ଜରିବଂଧା ପୁଡିଆ ତା ଉପରକୁ ଫିଙ୍ଗି ଦେଇ ଭିଡ ଭିତରେ କୁଆଡେ ହଜି ଗଲା I କ’ଣ ଗୋଟେ ଘଟିଗଲା ଦିବ କିଛି ବୁଝିପାରିଲା ନାହିଁ I ପୁଡିଆ ଖୋଲି ଦେଖିଲା ପରେ ତା ଆଖି ଉଜ୍ୱଳ ହୋଇ ଉଠିଲା I ପୁଡିଆ ଭିତରେ ତା ପର୍ସ ? ସେ ପୁଡିଆ ଖୋଲି ପର୍ସ ଅଣ୍ଡାଳି ପକେଇଲା I ପର୍ସ ରେ ତା ଟ୍ରେନ ଟିକେଟ, ୨୦୦୦ ଟଙ୍କା ସହଗୋଟେ ଚିଠି I ଚିଠି ଟା ଟିକେ ମୋଟା ମୋଟା ଲାଗୁଥାଏ I ସେ ଚିଠି ଖୋଲିଲା I କିନ୍ତୁ ଏ କ’ଣ? ଚିଠି ଭିତରେ ୫୦୦୦ ଟଙ୍କା? ସେପଟେ ପ୍ଲାଟଫର୍ମ ରେ ଟ୍ରେନ ଛାଡିବ ଛାଡିବ ହେଉଥାଏ I ସେ ଆଉ ଡେରି ନକରିଦୌଡ଼ି ଦୌଡ଼ି ଟ୍ରେନ ରେ ଚଢ଼ିଗଲା ଆଉ ତା ସଂରକ୍ଷିତ ଜାଗା ରେ ବସି ପଡିଲା I ଆସ୍ତେ ଆସ୍ତେ ଟ୍ରେନ ଷ୍ଟେସନ ଛାଡି ଆଗକୁ ବଢ଼ିଲା I ତା ପାଟିରୁ କଥା ବାହାରୁ ନଥାଏ I ସିନେମା ପରି କଣ ସବୁ ଘଟି ଗଲା, ତାଆଖି ଆଗରେ ଗୋଟି ଗୋଟି କରି ସବୁ ଜଳ ଜଳ ଦିଶି ଯାଉଥାଏ I ଏବେ ସେ ଚିଠିଟା କାଢି ପଢିବାକୁ ଲାଗିଲା I ଚିଠିରେ ଲେଖାଥିଲା I

ଭାଇ,

“ମୁଁ ଚୋର, ତମଠୁ ଚୋରି କରିବା ବହୁତ ସହଜ ଥିଲା I ତମ ପର୍ସ ରୁ ୨୦୦୦ ଟଙ୍କା ପାଇଥିଲି I ପର୍ସ ଆଉ ବାକି ଜିନିଷ ଫିଙ୍ଗିବାକୁ ଗଲା ବେଳେ ଟେଲିଗ୍ରାମ ଟା ଦେଖିଲି I ଜେଜେଙ୍କ ଦେହ ଖରାପ Iଲୋକ ମରି ସାରିଲା ପରେ ଅବା ଅଧିକା ସିରିଏସ ଥିଲେ ହିଁ  ଟେଲିଗ୍ରାମ ଆସେ I ଏମିତି ଗୋଟେ ଟେଲିଗ୍ରାମ ଆସିଥିଲା ମୋ ଘରୁ ୧୨ ବର୍ଷ ତଳେ I କିନ୍ତୁ ଷ୍ଟେସନ ରେ ମୋର ସବୁ ଜିନିଷ ସହ ପଇସା ବ୍ୟାଗବି ଅନ୍ୟ ଟ୍ରେନ ରେ ରହିଗଲା I ଆଉ ମୁଁ ଘରକୁ ଯିବାରେ ଡେରି ହେଇଗଲା I ଗାଁ ରେ ପହଁଚିଲା ବେଳକୁ ମୋ ମା ତିନି ଦିନ ଆଗରୁ ମରି ସାରିଥିଲା I ମୁଁ, ମୋ ମା ର ମଲା ମୁହଁ ବି ଦେଖି ପାରିନି ଆଉ ପଇସାନଥିବାରୁ ତା’ର ଶ୍ରାଦ୍ଧ ବି କରି ପାରି ନଥିଲି I ମୁଁ ବହୁତ ଜଣଙ୍କ ପାଖରୁ ଚୋରି କରିଛି କିନ୍ତୁ ଆଜି ଏ ଟେଲିଗ୍ରାମ ଦେଖିଲା ପରେ ମୋର ପଛ କଥା ସବୁ ମନେ ପଡିଗଲା I ତୁମର ୨୦୦୦ ଟଙ୍କା ସହ ମୋର୫୦୦୦ ଟଙ୍କା ପଠାଉଛି I ଏଇ ଟା ମୋ ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି I ଆଜିଠୁ ଚୋରି ଛାଡି ଭଲ କାମ କରିବାକୁ ଚେଷ୍ଟା କରିବି I ମୋ ଆଖି ଖୋଲିଦେଇ ଥିବାରୁ ଧନ୍ୟବାଦ ”  I

ଇତି…

ଦିବ ର ଆଖି ପୁଣି ଥରେ ଛଳ ଛଳ ହୋଇ ଆସିଲା I

–X–

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ

ମଦ ରାକ୍ଷସ …

ମଦ ରାକ୍ଷସ …

ସୁବଳ ମହାପାତ୍ର

 ଆଜି ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ କେବଳ ବିଦେଶୀ ଭାବରେ ଚିତ୍ରିତ କରା ଯାଉଛି ତା ନୁହଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ଏକ ଟଙ୍କା ମେସିନ ବୋଲି ଭାବୁଛନ୍ତି। ମଦ କେତେଯେ ଲୋକଙ୍କୁ କବଳିତ କରିଛି ଏହା ନିଜେ ନ ଦେଖିଲେ ଜାଣି ହେବନି। ଅଷ୍ଟମ , ନବମ ରେ ପଢ଼ୁଥିବା ପିଲା , ବୟସ 14/15 ଭିତରେ, ସେମାନେ ବି ମଦ ପିଇବା ଆରମ୍ଭ କଲେଣି। ଯୁଆଡେ ଯାଅ”ଭାଇନା , 100 ଦଉନ” ଶୁଣି ଶୁଣି ନିଜ ଉପରେ ଘୃଣା ଆସୁଛି। ଦୋକାନ , ବଜାର, ଚିହ୍ନ।, ଜଣା, ବନ୍ଧୁ , ବାନ୍ଧବ, ପାଖ ପଡୋଶୀ ଙ୍କ ବ୍ୟବହାର ଆଶ୍ଚର୍ଯ୍ୟ ଜନକ, କେବଳ 100 ଟଙ୍କା ପାଇଁ। 100 ଟଙ୍କାପାଇଲେ ଆଉ କିଛି ମିଶେଇ ଏ ଓଳି ର ମଦ ଖର୍ଚ ବାହାରି ଯିବ। ପୁରୁଣା ସାଙ୍ଗ ମାନଙ୍କୁ ଦେଖି ଖୁସି ହେବା ବଦଳରେ ଆଗ ଶୁଣିବାକୁ ପଡୁଛି “ମଗା ଗୋଟେ ଛୋଟିଆ ଟେ”, ତା ପରେ ଗପିବା। କି ହୀନବୁଦ୍ଧି।

ଆମ ପୂର୍ବ ପୁରୁଷ ବିର ଥିଲେ। ଏ ଜାତି ବିର ଥିଲା। ଆତ୍ମସମ୍ମାନ ପାଇଁ ଜୀବନ କୁ ବାଜି ଲାଗେଇଥିଲା ଏ ଓଡ଼ିଆ ଜାତି। ଆଜି? ମଦ ଭିକାରି ର ଜାତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଘରେ ସ୍ତ୍ରୀ ଚିରାଲୁଗା ଖଣ୍ଡେ ପିନ୍ଧି ଲଜ୍ୟା ନିବାରଣ କୁ ଅକ୍ଷମ ଥିବା ବେଳେ , ସ୍ବାମୀ ହଜାର ହଜାର ଟଙ୍କା ପିଇବାରେ ଖର୍ଚ କରୁଛି। ମଦ ଜୁଆ , ଆଜି ଗରିବ, ଧନୀ, ସ୍କୁଲ, କଲେଜ ଠୁ ଆରମ୍ଭ କରି ଇଞ୍ଜିନିଅରିଂ ପିଲାଙ୍କୁକବଳିତ କରି ରଖିଛି। କେତେ ଯେ ଚୋରି , ଡକାୟତି, ଲୁଟ, ଚେନ ଛୀନତାଇ ପରି ଘଟଣା ଆଜି ନିତିଦିନିଆ। କାହାର ବି ଚିନ୍ତା ନାହିଁ। ଗୋଟିଏ ଘଟଣା ବାରମ୍ବାର ଘଟିଲେ ଦେହସୁହା ହେବାପରି, ଆଜି ଏସବୁ ଜିନିଷ ସବୁ ଦେହସୁହା। ସରକାର କରୁଛି କହି ଚୁପ ରେ ବସି ଯାଉଛନ୍ତି। ଭଗବାନ, ଚକାଡୋଳା ଭରସା କହି ଚୁପ।

ଉଠ ଉଠ ଆରେ ଉତ୍କଳ ସନ୍ତାନ,

ଉଠିବୁ ତୁ ଆଉ କେତେ ଦିନେ।

ପୂରୁବ ଗୌରବ ପୂରୁବ ମହିମା,

ପଡୁନାହିଁ କିରେ ତୋର ମନେ।

ହୋସ ରେ ଥିଲେ ସିନା ମନେ ପଡିବ? ଆଜି ସମସ୍ତେ ମଦ ପିଇ ନିଶାରେ, କିଏ ମନେ ପକେଇବ ଓ କାହିଁକି?

ଜନ୍ମ ହେଉ ହେଉ ଆଜି ପିଲା ପଇସା ରୋଜଗାର କରୁଛି । 6000 ଟଙ୍କା ସରକାର ଦେଉଛି। ଖାଇବା ପାଇଁ  ଟଂକାକିଆ ଚାଉଳ,ସ୍କୁଲ ରେ ସାଇକେଲ, laptop, ମଧ୍ୟ।ନ୍ନ ଭୋଜନ, ଇନ୍ଦିରା ଆବାସ,ବେକାରୀ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ରୁ ଆରମ୍ଭ କରି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଯାଏ, ସବୁ ସରକାର ଦେଉଛି। କାମ କରିବା କଣ ଦର୍କାର। ମଦ ପଇସା ଆଜି ୟାଠୁ, କାଲି ତାଠୁ ହେଲେ ହେଲା। କିଛିନହେଲେ, ବାପା ମାଙ୍କୁ ବାଡ଼େଇଲେ ସେମାନେ ଦେବେ। ଜାତି ଆଜି ହୀନବୀର୍ଯ୍ୟ, ଅକର୍ମଣ୍ୟ ହୋଇ ସାରିଛି।

ଚାଷୀ କଣ ପାଇଁ ଚାଷ କରିବ? ଟୋକା ମାନେ ଏତେ ସୁବିଧା ପାଇଲା ପରେ ଚାଷ କୁ ନା କହି ମଦ ର କବଳରେ। ମିଛରେ ଧୋଇ, ମରୁଡି ରେ ଫସଲ ନଷ୍ଟ ବୋଲି କହି ଋଣ ଛାଡ ର ଫାଇଦାହାତଉଛନ୍ତି। ବୟସ୍କ ଚାଷୀ ନା ଉଚିତ ପାରିଶ୍ରମିକ ପାଉଛି ନା ଭଲ ବିହନ। ଯଦି ଅବା ଫସଲ ଭଲ ହେଲା, ଦି ପଇସା ହାତକୁ ଆସିଲେ, ଭେଣ୍ଡିଆ ପୁଅ ଡରେଇ , ଧମକେଇ ନେଇ ମଦ ପିଇବ। କିଦୁର୍ବୁଦ୍ଧି!!

ଲାଞ୍ଚ, ମିଛ ରେ ଏ ଜାତି ଆଜି ଭରପୁର। କିଛି କରିବାକୁ, କହିବାକୁ ଚାହିଁଲେ ବି ଚାରିପଟୁ ଲୋକ ମାଡି ଆସୁଛନ୍ତି ଶତ୍ରୁ ଭାବି। ଏ ଜାଗାରେ, ଆପେ ବଂଚିଲେ ବାପା ର ନାଁ ନ୍ୟାୟ ରେ ଖସି ଯିବାହିଁବୁଦ୍ଧିମାନ ର କାମ ପରି ଲାଗୁଛି।

ତେବେ ବେଳେ ବେଳେ ଘରର ମାଇକିନା ମାନେ ହାତରେ ଠେଙ୍ଗା ଧରି ମଦ ଦୋକାନ ଭାଙ୍ଗିବାର ଭଲ ଖବର ବି ଆସୁଛି। କିନ୍ତୁ ଯେଉଁଠି ସରକାର ଚାହୁଁନି, ସେଠି ଗୁଣ୍ଡୁଚି ମୂଷା ଯେତେ ବାଲିପକେଇଲେ କଣ ଗୋଟେ ପୋଲ ତିଆରି ହୋଇପାରିବ ଶ୍ରୀଲଙ୍କା ଯାଏ? ବୋଧହୁଏ ନାଁ।

ସବୁଦିନ ମଦ ପିଇ ଘରକୁ ଫେରୁଥିବା ସାଙ୍ଗ ମାନଙ୍କୁ ଦେଖି  ହୃଦୟ କାନ୍ଦେ।

କହିଲେ, ଯୁକ୍ତି ହୁଏ।

ଗାଲୁ ରେ ପେଟ ପୁରେ।

ପକେଟ ରୁ ଅନିଚ୍ଛା ସତ୍ତ୍ୱେ 100 ଯାଏ।

ନଦେଲେ ଗାଳି ମିଳେ।

ସୁଣ୍ଠା ର ଉପାଧି ମିଳେ।

ଆଉ କିଛି ସମୟ ପରେ…

ସେମାନେ ଟାଙ୍କି ଫୁଲ କରି,

ଆଖି ଲାଲ କରି,

ବୋଲ ମାନୁ ନଥିବା ଗୋଡ ଗୁଡିକୁ

ଘୋଷାରି ଘୋଷାରି,

ଅସଭ୍ୟ ଭାଷା ରେ କହୁଥିବା କଥା ଗୁଡିକ

କାନ ରେ ବାଜେ।

ସେଥିରେ ତୁମ ପ୍ରତି ଥିବା ଦୋଅଖିରି ତିନି ଅଖିରି ଗୁଡିକ ଶୁଣି ନିଜ ପ୍ରତି ଘୃଣା ଆସେ।

ରାସ୍ତା ରେ ଯାଉଥିବା ଗାଡି ଆଗରେ ଠିଆ ହୋଇଯିବାପାଇଁ ମନ କହେ।

ପୁଣି , କିଛି ସମୟ ପରେ,

ନାଳ ଉପରେ ପଡିଥିବା ସାଙ୍ଗଟିକୁ ଦେଖି ଅଟକି ଯାଏ,

ମୁହଁ ଉପରେ ମାଛି ଭଣ ଭଣ,

ପେଣ୍ଟ ର ବୋତାମ ଖୋଲା,

ସାର୍ଟ ପଛ କାଦୁଅ ରେ ଭର୍ତି ,

ଆଉ ପାଟିରୁ ଗଁ ଗଁ ଶବ୍ଦ ଶୁଣି ପଛକୁ ଚାହେଁ।

ଫେରିଯାଏ ସ୍କୁଲ ଜୀବନକୁ।

ଏଇ ପିଲା, ଦିନେ ପ୍ଲାକାର୍ଡ ଧରି ରାସ୍ତା ଉପରେ ଚାଲିଥିଲା ,

ମଦ ବିରୋଧ ରେ ସ୍ଲୋଗାନ ଦେଇ …

—-X—-

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ଝିଅ

ଝିଅ 
ସୁବଳ ମହାପାତ୍ର

ପଟେଲ ବାବୁ, ଗୋଟେ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ କାର୍ଯ୍ୟରତ I ବୟସ ପାଖାପାଖି ୫୦ I ସକାଳ ୧୦ ରୁ ସନ୍ଧ୍ୟା ୭ ଅଫିସ ରେ କଟେ I ସବୁଦିନ ସକାଳୁ ସେ ଅଫିସ ଯିବା ବେଳେ ଦେଖନ୍ତି ଜଣେ ବୃଦ୍ଧ, ଗୋଟେ ଛୋଟ ଝିଅ କୁ ସ୍କୁଲ ଡ୍ରେସ ପିନ୍ଧାଇ ମୁଣ୍ଡ କୁଣ୍ଡାଇ ଦେଉଥାନ୍ତି I ଏହା ସବୁ ଦିନିଆଁ ଘଟଣା I  ଘରଟି ରାସ୍ତା ରୁ ଟିକେ ଦୂର ଗୋଟେ ନାଳ କଡରେ I ଝିଅଟି ଦେଖିବାକୁ ବହୁତ ସୁନ୍ଦର I ଅଫିସ ଯିବା ବାଟରେ ତାକୁ ଥରେ ନ ଦେଖିଲେ ପଟେଲ ବାବୁଙ୍କୁ ଭଲ ଲାଗେନି I ଆହୁରି ବି ଝିଅଟି ଏତେ ସୁନ୍ଦର ଯେ ତା ଠୁ ଆଖି ଫେରେଇ ପାରନ୍ତିନି ପଟେଲ ବାବୁ I ପଟେଲ ବାବୁଙ୍କର ଦୁଇ ପୁଅ I ବହୁତ ଆଶା ଥିଲା ଝିଅ ଟିଏ ପାଇଁ I କିନ୍ତୁ ଆମେ ଦୁଇ ଆମର ଦୁଇ କଥାରେ ଦୁଇ ଟି ଯାକ ପୁଅ I ସବୁବେଳେ ସେଥିପାଇଁ ତାଙ୍କ ମନ ଦୁଃଖ I ଭାବନ୍ତି ମୋର ଏମିତି ଗୋଟେ ଝିଅ ଥାଆନ୍ତା କି?
ଝିଅଟି ପ୍ରତି ମାୟା ଲାଗି ଯାଇଥିଲା ତାଙ୍କର। ଖବର ନେଇ ଜାଣିଲେ ତାଙ୍କ ଡ୍ରାଇଭର ର ପୁଅ ସହ ଝିଅଟି ପଢେ। ଶ୍ରେଣୀ ରେ ପ୍ରଥମ ହୁଏ। ଖେଳ କୁଦ ରେ ବି ସେ ଆଗୁଆ। ଦିନେ ଦିନେ ତାଙ୍କ ଘରେ ଖାଇବାକୁ ନଥାଏ। ବିଚାରି ନଖାଇ ନ ପିଇ ସ୍କୁଲ କୁ ଆସେ। ସନ୍ଧ୍ୟା ରେ ଘରକୁ ଫେରିଲା ପରେ ଖାଏ।

ସେଦିନ ଅଫିସ ଯାଉ ଯାଉ ଠିକ ସେଇ ଘର ଆଗରେ ଗାଡି ପଙ୍କଚର ହେଲା I ଡ୍ରାଇଭର ଗାଡି ସଜାଡ଼ିବାକୁ ୨୦ ମିନିଟି ଲାଗିବ ବୋଲି କହି ଚକ ବଦଳେଇବାରେ ମନ ଦେଲା I ସେଦିନ ବୋଧେ ସ୍କୁଲ ଛୁଟି ଥାଏ I ଝିଅଟି ମଇଳା କଣ୍ଢେଇଟିଏ ଧରି ଖେଳୁ ଥାଏ I କଣ ମନ ହେଲା ସେ ଗାଡି ରୁ ଓ଼ଲ୍ଳେହି ଝିଅ ଟି ପାଖକୁ ଯାଇ ତା ନାଁ ପଚାରିଲେ I
ବାବୁ:- ତୋ ନାଁ କଣ ?
ଝିଅ:- (ଟିକେ ଡରି ଯାଇ) ରୀନା I
ବାବୁ:-ତମ ଘରେ ଆଉ କିଏ କିଏ ସବୁ ଅଛନ୍ତି ?
ରୀନା:-ଜେଜେ
ବାବୁ:- ଆଉ ?
ରୀନା:- ଆଉ କିଏ ନାହିଁ I
ବାବୁ:- ଜେଜେ କୁଆଡେ ଗଲେ ? (ପଟେଲ ବାବୁଙ୍କୁ ଆଉ ଟିକେ ତା ବିଷୟରେ ଜାଣିବାକୁ ଇଛା ହେଲା I )
ରୀନା:- ଭାତ ରାନ୍ଧୁଜି I
ବାବୁ:- ଡାକିଲୁ ଟିକେ I
ରୀନା:- ଏ ଜେଜେ , ତତେ କିଏ ଡ଼ାକୁଜି I ତୁଇ ଆ ବେଗେ (କହି କହି ଘର ଭିତରକୁ ପଳେଇଲା) I
ତା ଜେଜେ ହାତ ଧୋଇ ଗାମୁଛା ରେ ପୋଛି ଦାଣ୍ଡ ପଟକୁ ଆସିଲା ପରେ ପଟେଲ ବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା I
ବାବୁ:-ତମେ ତା ଜେଜେବାପା?
ଜେଜେ:- ଆଇଜ୍ଞା I
ବାବୁ:- ତା ବାପା?
ଜେଜେ:- ନାଇଁ ଆଇଜ୍ଞା, ୩ ବର୍ଷ ତଳୁ ମରି ସାରିଛି I
ବାବୁ:- ଆଉ ସବୁ, ତା ମା ? ଜେଜେମା ?
ଜେଜେ:- ଆଇଜ୍ଞା ସେ ବହୁତ କଥା I କିନ୍ତୁ ତେମେ କିଏ ? ଏତେଗୁରା କିଆଁ ପଚାରୁଜ ? କିରା ହେଇଜି, ଆଗ କହୁନ I
ବାବୁ:- ନା, ନା I ସେମିତି କିଛି ନୁହଁ I ମୁଁ ସବୁବେଳେ ଏଇପଟେ ଅଫିସ ଯାଏ I ଦେଖେ ତମେ ତାକୁ ମୁଣ୍ଡ କୁଣ୍ଡେଇ ସ୍କୁଲ ଡ୍ରେସ ପିନ୍ଧେଇ ଦିଅ I ଆଜି ଗାଡି ର ଚକ ପଙ୍କଚର ହେଇ ଯାଇଛି ଆଉ ଡ୍ରାଇଭର ଗାଡି ଠିକ କରୁଛି ତ , ସେଥିପାଇଁ ଟିକେ କଥା ହେବାକୁ ଚାଲି ଆସିଲି I କିଛି ଖରାପ ଭାବନ୍ତୁ ନାହିଁ I
ଜେଜେ:- ଓଃ.. ହେକଥା କହୁନ I ଏ ରୀନା, ହେ ହେଂସ ଟା ଘିନି ଆଇଲୁ I ବାବୁ ଟିକେ ବଇ ପଡତୁ (ବସି ପଡନ୍ତୁ)   କହି , ନିଜେ କାନ୍ଧରେ ଥିବା ଗାମୁଛା ଟିକୁ ମାଟି ପିଣ୍ଡା ଉପରେ ଦି ଥର ବାଡେଇ ଦେଇ ବସି ପଡିଲା I ରୀନା ଛିଣ୍ଡା ହେଂସ ଖଣ୍ଡେ ଆଣି ତା ଫ୍ରକ ରେ ପୋଛି ବାବୁଙ୍କ ବସିବା ପାଇଁ ଜାଗା କରି ଦେଲା I
ବୁଢାର ବୟସ ପାଖାପାଖି ୬୦ ଛୁଇଁଲାଣି I କିନ୍ତୁ ହାତ ର ଜୋର ଅଛି I ପଟେଲ ବାବୁ ଝିଅ ଟିକୁ ପାଖରେ ବସିବାକୁ କହିଲେ କିନ୍ତୁ ସେ ଜେଜେ ପଛପଟେ ଯାଇ ଲୁଚି କି ବସିଲା I ପଟେଲ ବାବୁ ପଚାରିଲେ …
ବାବୁ:-ରୀନା ର ବୟସ କେତେ ହେବ ?
ଜେଜେ:- ୯ ବର୍ଷ I
ବାବୁ:-କେଉଁ ସ୍କୁଲ ରେ ପଢୁଛି?
ଜେଜେ:- ଏଇ ସରକାରୀ ଇସକୁଲୁ ରେ I ତୁରୁତୀୟ (ତୃତୀୟ) I
ବାବୁ:-ଆଛା, ତା ବାପା ମା ? କଣ ହେଇଥିଲା ?
ଜେଜେ ଟିକେ ଚୁପ ହୋଇ ଗଲେ, ଆଖି କୋଣ ରେ ଲୁହ ଜକେଇ ଆସିଲା I ସେ କହିବାକୁ ଆରମ୍ଭ କଲେ …
          ଆମର ଚାଷୀ ଘର ଆଇଜ୍ଞା I ଗୁଟିଏ ବୋଲି ପୁଅ I ପାଠ ପଢିଲାନି । ସଦାବେଳେ ଖାଲି ଖେଚଡ (ବାଳୁଙ୍ଗାମି) ହୁଏ I ପାଞ୍ଚଟା ଶେଣୀ ପରେ ଆଉ ଇସକୁଲୁ ଗଲାନି I ମଦପାଣି ପି ଖାଲି ତାସ ଖେଳେ I ବଡ ହେଲାରୁ ତାକୁ ବାହା କରେଇ ଦେଲି I ଭାବିଥିଲି ବାହା ହେଲେ କାଳେ ଟିକେ ବଦଳିବ I କିନ୍ତୁ ନାଇଁ ଜଉଟା କୁ ସେଇଟା I ବହୁତୁ ଗୁଣିଆଁ, ରାଉଳିଆ କଲି ଆଇଜ୍ଞା, କିଛି ହେଲାନି I କେହି ଜଣେ ହେଲେ ତା ମଦ ଛଡେଇ ପାଇଲେନି I ଦିନେ ଗୁଟେ ବାବା ଆଇଧିଲା, ତା ସହ ଦିନାକେତେ ସେ ବୁଲିଲା I ଆସ୍ତେ ଆସ୍ତେ ତା ମଦ ଛାଡି ଛାଡି ଆଇଲା I ଆଗରୁ ଦିନକୁ ୩ ଥର ପିଏ I ସବୁବେଳେ ଟୁଳୁ ଟୁଳୁ ହଉଥିଲା I ଆସ୍ତେ ଆସ୍ତେ ଭଲ ଆଡକୁ ଆଇଲା I ବାବାକୁ ମୁଁଇଁ ଲକ୍ଷେ ମୁଣ୍ଡିଆ ମାରିଚି ଆଇଜ୍ଞା I ହାଉଲେ ହାଉଲେ ସେ ଟିକେ ନିକ (ଭଲ) ଆଡିକୁ ଆଇଲା I ଚାଷ ବାସ ଦେଖିଲା I ମୁଇଁ ଆଇଜ୍ଞା ଟିକେ ନିଶାସ ମାଇଲି I ଯାହା ହଉ ସେ ଭଲ ହେଇଗଲା I ନିଶାପାଣି ଛାଡି ଆଇଜ୍ଞା ସେ ବିଲ ଧଇଲା I ଆମ ବିଲ ସହ ସାହୁକାର ବିଲ ବି ଧଇଲା I ସେଦିନ ଆଇଜ୍ଞା ଧାନ ଗାଡି ଧରି ଯାଇଧିଲା ମଣ୍ଡି କୁ I ସେଠି ସରକାର କୁଆଡେ ଧାନ କିଣେ I ବହୁତ କମ ପଇସା ଦଉଜି ବୁଲି ସବୁ କୁଆଡେ ହରତାଳ କଲେ I ଗାଡିକ ଯାକ ଧାନ ବିଂଛି ଦେଲେ I ମୁଣ୍ଡରେ ଆଇଜ୍ଞା ହାତ ଦେଇ ଘରକୁ ଆଇଲା I କାହାଠୁ କେତେ ଧାର ଉଧାର କରି ଥିଲା I ତାକୁ କିଇନ୍ଧି ଶୁଝିବ ବୁଲି ଚିନ୍ତା ରେ ଆଇଜ୍ଞା ଦଉଡି ଦେଇ ଦେଲା I
କହିସାରି ଜେଜେ ମଇଳା ହୋଇ ଯାଇଥିବା ଗାମୁଛା ରେ ଆଖିରୁ ଲୁହ ପୋଛିଲେ I ପୁଣି କହିଲେ…
ଉଧାରିଆ ଵାଲା ସବୁ ଆସି ଦାଣ୍ଡ ଆଗରେ ଠିଆ I ପୁଅ ତ ଆଇଜ୍ଞା ମଲା , ଜମିବାଡ଼ି ତକ ଯାହା ଥିଲା ସେ ବି ଗଲା I ଚିନ୍ତା ରେ ୟା ଜେଜୀ ର ମୂର୍ଦ୍ଧନା ଫାଟିଗଲା (ହାର୍ଟ ଆଟାକ) ଆଇଜ୍ଞା I ରାତିରେ ଶୋଇଲା ଯେ ଆଉ ସକାଳକୁ ନାହିଁ I ଯୁଡେ ଯୁଡେ ନିମନ୍ତ ଚଳେଇ ପାଇଲିନି ଆଇଜ୍ଞା I ୟା ଜେଜୀ କୁ ମସାଣି ରେ ପୁଡ଼ି, ଏ ମା ଝିଅଙ୍କୁ ଧରି ସିଧା ସିଧା ସହର ରାସ୍ତା ଧଇଲି I ଗାଁ ରେ କଣ ଆଉ ଥିଲା ଯେ ରହି ଧାଇତି ? ହେପଟେ ନିମନ୍ତ ନ କରି ସାଇଭାଇ କଉ ରଖେଇ ଦେବେ ? ପଇସା କଉଢ଼େ (କେଉଁଠି) ଥିଲା ଯେ ଖରଚ କରି ଧାଇତି (ଥାଆନ୍ତି) I
ଟାଉନୁ କୁ ଆଇଲା ପରେ ଜାଣିଲି ଆଇଜ୍ଞା , ଏ ଟା କେଡେ ମାରାତ୍ମକ I ଦୁରୁରୁ ସୁନ୍ଦର ଆଇଜ୍ଞା , ପାଖରେ ହଳାହଳ I ଏଠି ଆସି କୁଡ଼ିଆ ଟିଏ କଲି I ୟା ମା ଆଉ ମୁଁଇଁ ମୂଲ ଲାଗିଲୁ I ଯାହା ଦି ପଇସା ଆସେ I ଏ ସହର ନୁକରା (ଲୋକ ଗୁଡା) ଭଲନି I ସବୁ ଶଳେ ଗାଁ ରୁ ଆଇଜିତି (ଆସିଛନ୍ତି) କିନ୍ତୁ ଏଠି ସବୁ ବାବୁ ଆଇଜ୍ଞା I ଦୂରୁ ଦୂରୁ କରୁଜିତି (କରୁଛନ୍ତି) I ଆମେ ଆଇଜ୍ଞା ଖଟିଖିଆ ନୁକ (ଲୋକ) I ଦାଣ୍ଡ ରୁ ଆଇଲେ ହାଣ୍ଡିରେ ପଇବ I କଣ ଆଉ କରି ଧାଇତୁ ? ଏଠି ନାଁ ବିଲ ଅଛି ନାଁ ଚାଷ I ଦିହ (ଶରୀର) ରେ ନୁଗା ଚିରିଲେ ଆଇଜ୍ଞା ବିଲରେ ଫସଲ ନହରୀ ଭାଙ୍ଗେ I ଏ ନୁକ ସବୁ କହିତି (କୁହନ୍ତି) ଆମ ଦିହ କୁଆଡେ ଝାଳୁଆ ଝାଳୁଆ ଗନ୍ଧେ I ଶଳେ ଆମେ ଚାଷ ନକଲେ ତମେ ଖାଇବାକୁ ପାଇବ ? ଯଉଠି ଜରି କୁଡ଼ିଆ କରିଥିଲି ଆଇଜ୍ଞା, ସେଠି ବି ବଟି ନେଇତି (ନିଅନ୍ତି)I ଦିନେ ଆଇଜ୍ଞା ସେ ନୁକ ସହ ୟା ମା ରସିଲା କି କଣ , ତା ସହ ପଳେଇଲା I ଥରେ ବି ଏ ଝିଅ କଥା ମନ ରେ ହେଜିଲାନି (ମନେପକେଇବା) I ହେଠୁ ବି ଛାଡି କି ଆଇଲି I ଏବେ ଆଇଜ୍ଞା, ମୂଲ ଲାଗି ଜେଜେ ନାତୁଣୀ ଚଳୁଜୁ, ତାକୁ ଇସ୍କୁଲ ପଠଉଜି I ଦି ଅକ୍ଷର ପଢିଲେ ସିନା କଣ ଜାଣିବ ବାବୁ , ନହେଲେ ମାଇକିନା ଝିଅ ମୁଁଇଁ ମଲା ପରେ କଣ କରିବ I ଏ ଟାଉନୁ ରେ ମୁଲିଆ ରାକର (ମାନଙ୍କର) ଭାରି ଖରାପ ନଜର ଆଇଜ୍ଞା I ସେ ହସିନା ଦିଦି ନେଖେ (ପରି) ଦି ଅକ୍ଷର ପଢିଧିଲେ ଏ ଶଳେଙ୍କୁ ଠିକ ଜବାବ ଦବ I ନହେଲେ କେତେବେଳେ କଣ କରିବେ ଜଣା ନାହିଁ ଆଇଜ୍ଞା I
**********
ଗାଡି ଠିକ ହୋଇଗଲା ବୋଲି ଡ୍ରାଇଭର ଡାକିବାକୁ ଆସିଲା I ତାକୁ “ତୁ ଚାଲ, ମୁଁ ଆସୁଛି” ବୋଲି କହି ପଟେଲ ବାବୁ ବୁଢା କୁ କଣ କହିବେ କହିବେ ବୋଲି ରହିଗଲେ I
କଥା ସବୁ ତଣ୍ଟି ପାଖରେ ଅଟକି ଗଲେ I ପାକେଟ ରୁ ରୁମାଲ କାଢି ମୁହଁ ପୋଛି କହିଲେ…
ବାବୁ:- ଆଛା ମୁଁ ଯଦି ତମ ନାତୁଣୀ କୁ ପଢେଇବାର ଦାୟିତ୍ୱ ନିଏ ?
ଜେଜେ:- (ନାହିଁ କରିବା ଭଙ୍ଗୀ ରେ ହାତ ହଲେଇ ) ନାଁଇଁ ବାବୁ i ଏଠି କାହାକୁ ବିସାଶ (ବିଶ୍ୱାସ) ନାହିଁ I ମୁଁଇଁ ମୋ ନାତୁଣୀ କୁ କୁଆଡେ ଛାଡିବିନି I
ବାବୁ:- ଆରେ ତୁମେ ବି ତା ସହ ରହିବ I କିନ୍ତୁ ମୋ ଘରେ I ତୁମେ ମୋ ଘରେ ରହି ଛୋଟ ମୋଟ କାମ କରିବ ଓ ସେ ପାଠ ପଢିବ I ତମ ଦି ଜଣଙ୍କୁ ମୁଁ ଅଲଗା କରିବିନି I ହେଲା?
ଜେଜେ:- ହେଲେ ମୁଇଁ କିଆଁ ? ଆହୁରି ତ କେତେ ବୁଲୁଯିତି I ତମେ ମୋ ଠି କିଆଁ ଆଖି ପକେଇଲ? (ଜେରା କରିବା ଭଙ୍ଗୀରେ ସେ ପଚାରିଲେ)
ବାବୁ:- ମୁଁ ସବୁଦିନ ଗଲା ବେଳେ ଦେଖେ, ଏଠି କେତେ ପିଲା ଅଛନ୍ତି I ସମସ୍ତେ କିନ୍ତୁ ଖେଳ ବୁଲା ରେ ମାତିଥାନ୍ତି I ଏଇ ଝିଅଟିର ଆଗ୍ରହ ଅଛି ପଢ଼ିବା ପାଇଁ I ମୋର ଦି ପୁଅ I ବହୁତ ଆଶା କରିଥିଲି ଝିଅଟିଏ ପାଇଁ କିନ୍ତୁ… ୟେ ଆଜିଠୁ ମୋ ଝିଅ ହୋଇ ରହିବ I ମୁଁ ତାକୁ ପଢ଼େଇବି, ବାହାଘର କରିବି ସବୁ I ହେଲା ? ଯଦି ବିଶ୍ୱାସ ନ ହେଉଛି ଏବେ ଚାଲ ଆମ ଘରକୁ ଦେଖି କି ଆସିବ I  ଘରେ ମୁଁ ଆଉ ମୋ ସ୍ତ୍ରୀ ଅଛୁ I ପୁଅ ଦି ଜଣ ବାହାରେ ପଢୁଛନ୍ତି I   ତମ ମନକୁ ପାଇଲେ ରହିବ ନହେଲେ ନାହିଁ I ମୁଁ ତୁମକୁ ବାଧ୍ୟ କରିବିନି I
କିଛି ସମୟ ପରେ ଝିଅ ଟି ନୂଆ ଡ୍ରେସ ପିନ୍ଧି ପରୀ ଭଳି ଦିଶୁଥିଲା ଆଉ ଜେଜେ ଧୋବ ଧୋବଳିଆ ଲୁଗା ଆଉ କୁର୍ତା ପିନ୍ଧି ମହାଜନ ପରି I
ପଟେଲ ବାବୁଙ୍କ ସ୍ତ୍ରୀ ଏମାନଙ୍କୁ ପାଛୋଟି ନେବାକୁ ଘରର ମୁଖ୍ୟ ଦରଜା ପାଖରେ ଠିଆ ହୋଇଥିଲେ I
ସମାପ୍ତ….

ଜୀବନ ର ଲୋଭ

ଜୀବନ ର ଲୋଭ
(ଡିସେମ୍ବର ୨୦୧୭ ବେଦାନ୍ତୀ ଇ-ପତ୍ରିକା ରେ ପ୍ରକାଶିତ )
(www.vedantimagazine.com )
ସୁବଳ ମହାପାତ୍ର

 

ମୁଁ ହିତେଶ୍ ପ୍ରଧାନ I ବୟଷ ୫ ବର୍ଷ I ମୁଁ ମରିଗଲି I ଘରେ ସମସ୍ତେ କାନ୍ଦୁଥାନ୍ତି I ଜେଜେମା ମୁଣ୍ଡ ପିଟି କାନ୍ଦୁଥାଏ I ବାପାଙ୍କ ଆଖିରୁ ଲୁହ ବୋହୁଥାଏ I ମା ମୋତେ କୋଳରେ ଧରି କାନ୍ଦୁଥାଏ I ବାପା ମୋତେ ମା କୋଳରୁ ଛଡାଇ ନେଲେ I ମା ଠାରୁ ଅଲଗା ହେବା ଦୁଖ ରେ ମୁଁ ବି କାନ୍ଦିଲି I ଗାଁ ର ଶେଷ ମୁଣ୍ଡରେ ,ଗୋଟେ ଗାତ ଖୋଳି ମୋତେ ପୋତି ଦେଲେ ଆଉ ମୋ ଖେଳନା ସବୁ ବି ମୋ ସହ ପୋତା ହେଲେ I ମୁଁ ସବୁ ଦେଖୁ ଥାଏ I କାନ୍ଦୁଥାଏ ବି I ମା ଡାକିଲା I ଉଠି ଦେଖିଲି ମା ମୋତେ କୋଳରେ ଧରି ଗେଲ କରୁଛି I ମୁଁ ଖୁସି ହେଲି I ତାକୁ ଦେଖି କି ହସିଲି I ମୁଁ ବଞ୍ଚିଥିଲି I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୧୦ ବର୍ଷ I ମୁଁ ମରିଗଲି I ମୋ ଶରୀରରୁ ମୋ ଆତ୍ମା ବାହାରି ଗଲା ପରେ ଦେଖିଲି ଘରେ ସମସ୍ତେ ଶୋଇଛନ୍ତି I ମୋ ମରିବା କାହାକୁ ବି ଜଣା ନାହିଁ I ବାହାରକୁ ଆସିଲି I ମୋତେ ନେବା ପାଇଁ ଦୁଇ ଜଣ ପରି ଆସିଥିଲେ I ମୁଁ ବାହାରକୁ ଯାଇ ସେମାନଙ୍କ ସହ ଖେଳିଲି I ତାଙ୍କ ଭିତରେ ଗୋଟେ ସୁନ୍ଦର ପରି ଥିଲା I ଜେଜେମା କଥା ସତ ବୋଲି ଭାବିଲି ଆଉ ଠିକ କଲି ତାକୁ ବାହା ହେବି I ସେ ମୋତେ ନୁଆ ନୁଆ ଖେଳ ସବୁ ଶିଖାଉଥାଏ I ବହୁତ୍ ସମୟ ଖେଳିଲା ପରେ ବି ରାତି ପାହୁ ନଥାଏ I ମା ଡାକିଲା i ଉଠ, ଆଜି ସ୍କୁଲ୍ ରେ ପରୀକ୍ଷା ଅଛି I ଯିବୁନି କି? ଉଠି ଦେଖିଲି ମୁଁ ବଞ୍ଚିଛି  I ଦୁଖ ଲାଗିଲା ଯେ ଏବେ ମୋତେ ପରୀକ୍ଷା ଦେବାପାଇଁ ଯିବାକୁ ପଡିବ I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୨୦ ବର୍ଷ I ମୁଁ ମରିଗଲି I ରୁମ୍ ରୁ ବାହାରି ମୋ ପ୍ରେମିକା ପାଖକୁ ଗଲି I ବାଟରେ ଗଲା ବେଳେ ,ଲୋକ ମାନେ ମୋତେ ଦେଖି ପାରୁନାହାନ୍ତି ଜାଣି ଖୁସି ଲାଗିଲା I ସିଧା ଗଲି ମୋ ପ୍ରେମିକା ର ବେଡ୍ ରୁମ୍ କୁ I ସେ ଶୋଇଥାଏ I ତା ନିଦୁଆ ମୁହଁ ଦେଖି ଭଲ ଲାଗିଲା I ତା’ର ପୁରା ଶରୀର ଉପରେ ଆଖି ବୁଲେଇ ଆଣିଲି I ଏତେ ପାଖରୁ ଏତେ ନିବିଡ ଭାବରେ ତାକୁ କେବେ ବି ଦେଖି ନଥିଲି I ତା ଓଠ କୁ ଛୁଇଁଲି I ସେ ଜାଣିପାରୁ ନଥାଏ I ପୁରା ଘର ବୁଲିକି ଦେଖିଲି I ସମସ୍ତେ ଶୋଇ ଥାନ୍ତି I ତାଙ୍କ କୁକୁର ମୋତେ ଦେଖିକି କୁଁ  କୁଁ ହେଲା I ପୁଣି ଫେରିଲି ମୋ ପ୍ରେମିକା ର ବେଡରୁମ୍ କୁ I ହଠାତ୍ ତା ତକିଆ ତଳେ କ’ଣ ଗୋଟେ ଦେଖିକି ସେଠିକି ଗଲି I ମୋ ସାଙ୍ଗ ର ଫୋଟୋ ତା ତକିଆ ତଳେ ଥିଲା I ଦେଖି ଛାତି ଫାଟି ଗଲା ପରି ଲାଗିଲା I ଆତ୍ମହତ୍ୟା କରିବାକୁ ଇଚ୍ଛା ହେଲା I ଦୌଡି ଦୌଡି ପଲେଇ ଆସିଲି I ଆଉ ବାଟରେ ଗୋଟେ ଖାଲରେ ଖସି ପଡିଲି I ମା ଡାକିଲା, ଉଠ, କ’ଣ ସବୁ ବିଳି-ବିଳେଇ ହଉଛୁ? ଉଠିକି ଦେଖିଲି ମୁଁ ଖଟ ତଳକୁ ଖସି ପଡିଛି I ଖୁସି ଲାଗିଲା ଯେ ମୁଁ ବଞ୍ଚିଛି I ଗୋଡ, ଖଟ ବାଡ ରେ ବାଜି କାଟୁ ଥାଏ I ପୁଣି ପ୍ରେମିକା କଥା ମନେ ପଡି ଦୁଃଖ ଲାଗିଲା I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୩୦ ବର୍ଷ I ମୁଁ ମରିଗଲି I ମରଶରୀର ରୁ ମୁଁ ଅଲଗା ହେଲା ପରେ ଦେଖିଲି ମୋ ସ୍ତ୍ରୀ ମୋ ପାଖରେ ଶୋଇଛି i ମୁଁ ମରିବାର ସେ ଜାଣିନି I ତା ମଥା ର ସିନ୍ଦୁର, ନାଲି ଟିକିଲି , ହାତରେ ଶଂଖା , ପାଦ ରେ ପାଉଁଜି , ନାଲି ଶାଢୀ ରେ ସେ ବହୁତ୍ ସୁନ୍ଦର ଦେଖା ଯାଉଥାଏ I ଦେଖିକି ଖୁସି ଯେତିକି ଲାଗିଲା ,ଦୁଖ ବି ସେତିକି ଲାଗିଲା ,ଆଉ କିଛି ଦିନ ପରେ ଏସବୁ କିଛି ନଥିବ I ତା ଜୀବନ ର ନର୍କ ଯନ୍ତ୍ରଣା  ଆରମ୍ଭ ହୋଇଯିବ I ଗୋଟେ ସ୍ବାମୀ ତା ଜୀବନରେ କେବେବି ସ୍ତ୍ରୀ ର ବିଧବା ରୁପ ଦେଖି ପାରେନି I ଏସବୁ କଥା ମନେ ପଡିଲା ବେଳେ ଛାତି କୋରି ହୋଇ ଯାଉଥାଏ I ମୁଁ ନୁଆ ନୁଆ ବାହା ହେଇଛି i ବାହାଘର ର ବର୍ଷେ  ବି ପୁରିନି I ମୁଁ କ’ଣ ଭାବିଥିଲି ଯେ ମୁଁ ଏତେ ଶୀଘ୍ର ମରିଯିବି ବୋଲି ? ହନିମୁନ୍ ର ସିନ୍ ସବୁ ଆଖି ଆଗରେ ଭାଷି ବୁଲୁଥାଏ I ସକାଳ ର ମର୍ନିଙ୍ଗ କିସ, ରାତିର ନାଇଟ୍ କିସ, ପ୍ରେମ ଭରା କଥା, ହସ ଖୁସି, ରୋମାନଟିକ୍ ଦିନ ସବୁ ମନେ ପଡି ଯାଉଥାଏ I ଭଗବାନଙ୍କୁ ମନ ଇଛା ଗାଳି ଦେଲି I ଯଦି ଏତେ ଶୀଘ୍ର ମାରିବାର  ଥିଲା ଏତେ ସୁନ୍ଦର ଦିନ ସବୁ କଣ ପାଇଁ ଦେଖାଉ ଥିଲ ? ମୋତେ ଆହୁରି ବଞ୍ଚିବାକୁ ଇଚ୍ଛା ଥିଲା I କାହାକୁ ବା ଏସବୁ ଜିନିଷ ଛାଡିକି ମରିବାକୁ ଇଚ୍ଛା ହବ ? ମୁଁ ମୋ ସ୍ତ୍ରୀ ର ସୁନ୍ଦର ମୁହଁ କୁ ଦେଖୁ ଥାଏ I ତା ନିଦୁଆ ମୁହଁ ,ପାଟିରୁ ନାଳ ବାହାରି ତକିଆ ରେ ଲାଗି ଥାଏ I ତା ପାଖକୁ ଟିକେ ଲାଗିଗଲି I ଗାଲକୁ ଟିକେ ଆଉଁସି ଦେଲି I ସେ କିଛି ଜାଣିପାରୁ ନ ଥାଏ I ମନ ଦୁଃଖ ରେ ବାହାରକୁ ଆସିଲି I ଆସିଲା ବେଳେ ଗୋଟେ ଗିଫଟ୍ ଖଟ ତଳେ ଦେଖିକି ଅଟକି ଗଲି I ପାଖକୁ ଯାଇ ଦେଖିଲି ଗିଫଟ୍ ଉପରେ ଲେଖା ହୋଇଛି “ହାପି ବାର୍ଥ ଡେ, ମାଇଁ ଡ଼ିଅର ହବି” I ମନେ ପଡିଲା ଆଜି ମୋର ଜନ୍ମ ଦିନ I ଥାକ ପାଖକୁ ଗଲି I ଥାକ ରେ କେକ୍ ର ଅଡର୍ ରିସିପଟ୍ ଦେଖି ଜାଣିଲି, ମୋ ପାଇଁ କେକ୍ ଅଡର୍ ଦିଆ ସରିଚି I ଆହୁରି ଦୁଖ ଲାଗିଲା I ବାହାରକୁ ପଲେଇ ଆସିଲି I ରାତି ତଥାପି ପାହି ନଥାଏ I ପୁର୍ବ ଆକାଶ ରେ ସିନ୍ଦୁରା ଫାଟି ଆସୁଥାଏ I ମୁଁ ମୋ ସ୍ତ୍ରୀ କଥା ଭାବୁଥାଏ I ସକାଳୁ ଉଠିକି ସମସ୍ତେ ଜାଣିବେ ମୁଁ ମରି ଯାଇଛି I ମୋ ସ୍ତ୍ରୀ ତା ବେହୋସ୍ ହେଇ ଯିବ I କେତେ ଭଲ ପାଏ ସେ ମୋତେ I ସେ କ’ଣ ସହି ପାରିବ ମୋ ମରଣ ର ଦୁଃଖ କୁ ? ସକାଳୁ ଉଠି ମା, ବାପା, ଭାଇ,ନାନୀ ସମସ୍ତେ ଘରକୁ ଆସି କି କାନ୍ଦିବେ I ମା, ବାପା କ’ଣ ସହି ପାରିବେ ? ଶାଶୁ ଶ୍ବଶୁର ତ ତାଙ୍କ ଝିଅ କୁ ତାଙ୍କ ଘର କୁ ନେଇ ଯିବେ, ପୁଣି ଥରେ ବାହା କରେଇବା ପାଇଁ  ଲାଗି ପଡିବେ I ମୋ ସ୍ତ୍ରୀ କ’ଣ ପୁଣି ଥରେ ବାହା ହବା ପାଇଁ ରାଜି ହୋଇଯିବ? ସେ କଣ ଭୁଲିଯିବ ମୋ ସହ ବିତେଇ ଥିବା ଦିନ ଗୁଡିକ ? ହଁ ମଣିଷ ଆଜି ମଲେ କାଲି କି ଦି ଦିନ, କିଏ କିଆଁ କାହାକୁ ମନେ ରଖିବ? ସକାଳ ହୋଇ ଗଲା I ସମସ୍ତେ ଡକା ହକା ହେଇ ଆସି ମୋ ଘରେ କାନ୍ଦୁ ଥାନ୍ତି I କେହି କେହି ଆହା ଚୁ ଚୁ କରୁଥାନ୍ତି I କେହି କେହି ବୁଢୀ ସ୍ତ୍ରୀ ଲୋକ ମୋ ସ୍ତ୍ରୀ ର ଭାଗ୍ୟ କୁ ନିନ୍ଦୁ ଥାନ୍ତି I ତାକୁ ଗାଳି ଦେଉଥାନ୍ତି I ମାଲଭାଇ ଆସିଲେ I କୋକେଇ ରେ ମୋତେ ଲଦି “ରାମ୍ ନାମ୍ ସତ୍ୟ ହେ ” କହି ମୋତେ ଶ୍ମଶାନ କୁ ନେଇ କି ଗଲେ ଓ ବାକି କାମ ସବୁ ସାରିଲା ପରେ ମୋ ଦେହରେ ନିଆଁ ଲଗେଇ ଦେଲେ I ମୋ ହାତ ପାଖରୁ ଜୋର୍ ରେ ନିଆଁ ଉଠିଲା ଆଉ ମୋ ହାତ ର ବିଶି ଆନଗୁଠି ପୋଡି ଗଲା ପରି ଲାଗିଲା I  ମୁଁ ହଠାତ୍ ଉଠି ପଡିଲି I ଉଠି ଦେଖିଲି ମୋ ହାତ ର ବିଶି ଆନଗୁଠି  ଚା କପ୍ ରେ ଅଛି ଆଉ ମୋ ସ୍ତ୍ରୀ ହସୁଛି I ସେ ପ୍ରେମରେ ଗୋଟେ ମର୍ନିଙ୍ଗ କିସ୍ ଦେଇ ଉଠେଇଲା, ମୁଁ ନ ଉଠିବାରୁ ମୋ ହାତ କୁ ଚା କପ୍ ରେ ବୁଡେଇ ଦେଲା I ଉଠି ଦେଖିଲି ମୁଁ ବଞ୍ଚିଛି I ଖୁସି ଲାଗିଲା I ବେଶୀ ଖୁସି ଲାଗିଲା ମୁଁ ମରିନି ବୋଲି I ସ୍ତ୍ରୀ କୁ କୋଲ କୁ ଟାଣି ନେଲି ଆଉ ତା ସକାଳ କିସ ର ଉତ୍ତର ଫେରେଇବାକୁ ପ୍ରୟାସ କଲି I  ଆଜି ମୋ ଜନ୍ମ ଦିନ ବି ଥିଲା I ଖଟ ତଳେ ଥିବା ଗିଫଟ୍ ଟା ମୋ ଆଗରେ ରଖା ହୋଇଥିଲା I

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୪୦ ବର୍ଷ I ମୁଁ ମରିଗଲି I ମୋ ଆତ୍ମା, ଶରୀର ରୁ ବାହାରିଗଲା ପରେ ମୁଁ ଏ ରୁମ୍ ରୁ ସେ ରୁମ୍ କୁ ଉଡି ବୁଲିଲି I ମୋ ପାଖରେ ମୋ ସ୍ତ୍ରୀ ଅଚିନ୍ତା ରେ ଶୋଇ ଥାଏ I ଆର ରୁମ୍ ରେ ମୋ ୮ ବର୍ଷ ର ପୁଅ  ଆଉ ୬ ବର୍ଷ ର ଝିଅ  ଶୋଇ ଥାନ୍ତି I  ମୁଁ ଉଡି ଉଡି ସେମାନଙ୍କ ପାଖକୁ ଗଲି I ପୁଅ ନିଦରେ ଶୋଇ ଥାଏ ,ଝିଅ ବୋଧେ କଣ ଗୋଟେ ସ୍ବପ୍ନ ଦେଖି କି ହସୁଥାଏ I ଦି ଜଣଙ୍କ  ମୁଣ୍ଡକୁ ଆଉଁସି ଦେଲି ଆଉ ଭାବିବାକୁ ଲାଗିଲି ଏବେ ଏ ଦି ଜଣଙ୍କ ଭବିଷ୍ୟତ କ’ଣ? କ’ଣ କରିବ ମୋ ସ୍ତ୍ରୀ ? ମୋର ତ ସରକାରୀ ଚାକିରୀ I ଗୋଟେ ସରକାରୀ ଅଫିସ୍ ରେ ହେଡ୍ କ୍ଲରକ୍ I ଦରମା ମାସର ୧୫ ତାରିଖ ରୁ ଶେଷ I ମୋ ପିଲାଙ୍କ ପାଇଁ ମୁଁ କିଛି ବି କରି ପାରିନି I କ’ଣ ଖାଇବେ ସେମାନେ ? କେମିତି ଚଳିବେ? ଯେଉଁଠି ଦରମା ରେ ଘର ଚଳେଇ ହେଉନି ସେଠି ପେନସନ୍ ରେ କେମିତି ଘର ଚଳିବ? ଆଉ କିଛିଦିନ ହେଲେ ବଞ୍ଚିଥାନ୍ତି ? କମ୍ ସେ କମ୍ ପିଲା ଦି ଟା କୁ ମଣିଷ କରି ସାରିବା ଯାଏ I ଭାବି ଭାବି ମୁଣ୍ଡ ବିନ୍ଧିଲା, ବାହାରକୁ ପଲେଇ ଆସିଲି ଆଉ ଭାବିବାକୁ ଲାଗିଲି ମୋ ବିଷୟରେ I ମୋର ଗୂଂଠେ ବୋଲି ଜମି ନାହିଁ I ଗାଁ ରେ ଘର ଡିହ ଟି ଯାହା ପଡିଚି I ସେଠି ବି ଏବେ ଭୁତ ରହୁଛନ୍ତି I ବାପା, ମାଙ୍କର ମୁଁ ଗୋଟିଏ ବୋଲି ପୁଅ i ନାନୀ ର ବାହାଘର କେବେଠୁ ସରିଛି I ବାପା ପର ଜମି ରେ ଚାଷ କରି ମୋତେ ପାଠ ପଢେଇଲେ I ମୋ ମୁଣ୍ଡକୁ ହାତ ପାଇଲା ବେଳକୁ ବାପା ମା ଦୁହେଁ ଡକା ହକା ହୋଇ ଆର ପାରିକୁ ଚାଲିଗଲେ I ଦିନେ ଜମିରେ କାମ କଲା ବେଳେ ବଜ୍ରପାତ ରେ ବାପା ଚାଲିଗଲେ ,ତାଙ୍କୁ  ଝୁରି ଝୁରି ମା ବି ମାସ ଦିଟା ରେ ଚାଲିଗଲା I ସେମାନେ ଅବଶ୍ୟ ଯିବା ପୁର୍ବରୁ ମୋତେ ହାତ କୁ ଦି ହାତ କରି ସାରିଥିଲେ I ପାଠ ପଢି ସରକାରୀ ଚାକିରୀ କରିଥିଲି , ଆଉ ଟାଉନ୍ ରେ ରହୁଥିଲି I ଟାଉନ୍ ଘରେ ଶାଶୁ ଶ୍ଵଶୁରଙ୍କ ଝିନ୍ ଝଟ୍ ନାହିଁ ବୋଲି ମୋ ଶ୍ବଶୁର ତାଙ୍କ ଝିଅ କୁ ଖୁସି ଖୁସି ବିଦା କଲେ I ମୋର କିଛି ଡିମାଣ୍ଡ୍ ନଥିଲା I କେବଳ ଜଣେ ସାଥୀ ଦର୍କାର୍ ଥିଲା I ମୁଁ ବି ଖୁସି ଥିଲି I କିଛି ଦିନ ଆମର ହସ ଖୁସି ରେ ଚାଲିଗଲା I ତାପରେ ପିଣ୍ଟୁ ଆଉ ମୁନି ଆମ ଜୀବନରେ ଆସିଲେ i ପଇସା ର ଦରକାର ବଢିଲା I ଦରମା ମାସ ଶେଷ କୁ ନିଅଣ୍ଟ I ଯାହା ବି ହଉ କଷ୍ଟେ ମଷ୍ଟେ  ଜୀବନ ଗଡି ଚାଲିଥିଲା I ପିଲା ଦୁହେଁ ସ୍କୁଲ୍ ଯାଉଛନ୍ତି I ଏତିକି ବେଳେ ମୋର ମରିବାର ଥିଲା? ଭଗବାନ୍ ଆଉ କିଛି ବର୍ଷ ମୋତେ ଆୟୁଷ ଦେଇ ପାରିଲେନି? ଯମ କୁ ଏତିକି ବେଳେ ଆସିବାକୁ ଥିଲା ? ଭାବି ଭାବି ପୁଣି ଘର ଭିତରକୁ ଆସିଲି I ମୋ ସ୍ତ୍ରୀ କାନ୍ଦି କାଟି ଘର ଉଛୁଳାଉ ଥାଏ I ପିଲା ଦିହେଁ କିଛି ନବୁଝି ମା ର କାନ୍ଦ ଦେଖି କାନ୍ଦୁଥାନ୍ତି I ଟାଉନ୍ ରେ ବି କିଛି ସାହି ଭାଇ ଆସି ସାରିଥାନ୍ତି I ଡାକ୍ତର ଆସି ମୋ ନାଡି ଦେଖି ମୁଁ ମରି ଯାଇଛି ବୋଲି ଜଣେଇ ଦେଲେ I ମୋ ସ୍ତ୍ରୀ ର ଆଖିରୁ ଧାର ଧାର ଲୁହ ବୋହୁ ଥାଏ ଆଉ ସବୁ ଲୁହ ମୋ ମୁହଁ ରେ ପଡୁଥାଏ I ଉଠି ଦେଖିଲି ମୋ ଝିଅ ମୋ ଉପରେ ପାଣି ପକଉଛି I ସେ ମୋତେ ଡାକିଲା, ମୁଁ ନ ଉଠିବାରୁ,ମୋ ଉପରେ ପାଣି ପକେଇଲା I ଏଇଟା ସେ ମୋ ଠୁ ଶିଖିଛି I ମୁଁ ସକାଳୁ ତା ସହ ଏମିତି କରେ I ମୁଁ ଉଠିଲି I ମୋ ଝିଅ କୁ ମୋ ପାଖକୁ ଟାଣି ଆଣି ତାକୁ ଗେଲ କଲି I ମୁଁ ଖୁସି ଥିଲି ଯେ ମୁଁ ମରିନି, ବଞ୍ଚିଛି I

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୫୦ ବର୍ଷ I ମୁଁ ମରିଗଲି  I ସକାଳ ହେବାକୁ କିଛି ସମୟ ବାକି ଥାଏ I ବାହାରକୁ ଆସିଲି i ମୋ ବଗିଚା ରୁ କିଏ ଗୋଟେ ଫୁଲ ଛିଡାଉ ଥାଏ, ତାକୁ ପାଟି କରି ଗାଳି ଦେଲି I ସେ କିଛି ଶୁଣି ପାରୁ ନ ଥାଏ I ତା ପାଖକୁ ଗଲି I ସେ ନିଶ୍ଚିନ୍ତ ହୋଇ ଫୁଲ ତୋଳୁଥାଏ I ତାକୁ ଧମକେଇଲି I ସେ ଶୁଣିଲାନି I ରାଗରେ ଘରକୁ ଆସିଲି I ଗୋଟେ ବାଡି ଧରି ବାହାରକୁ ଗଲି I ସେ ପଲେଇଥାଏ I ତାପରେ ମର୍ନିଙ୍ଗ ୱାକ ରେ ବାହାରିଲି I ମୋତେ କେହି ଦେଖି ପାରୁ ନଥାନ୍ତି ଆଉ ମୋ କଥା ବି କେହି ଶୁଣି ପାରୁ ନଥାନ୍ତି I ମୋ ସାଙ୍ଗ ମାନଙ୍କ ସହ ଚାଲି ଚାଲି ଚା ଦୋକାନ୍ କୁ ଗଲି I ସେମାନେ ସବୁ ମୋ ବିଷୟ ରେ କଥା ହେଉ ଥିଲେ I  ମୋତେ ମଜା ଲାଗୁଥାଏ I ମୁଁ ସେମାନଙ୍କ କଥା ସବୁ ଶୁଣୁଥାଏ I ସମସ୍ତେ ଚା ପିଇଲେ ଆଉ ଖବର୍ କାଗଜ ଗୋଟେ ଗୋଟେ ଧରି ଘରକୁ ଫେରିଲେ I ମୁଁ ବି ଘରକୁ ଆସିଲି I ଆସି ଦେଖିଲି ଘରେ କାନ୍ଦ ବୋବାଳି ପଡିଛି I ପୁଅ ଗୋଟେ କଣ ରେ ମୁହଁ ଶୁଖେଇ ଠିଆ ହୋଇଛି I ଝିଅ ତା ମା କୁ କୁଣ୍ଢେଇ କାନ୍ଦୁଛି I ମୋତେ ବି ଦୁଖ ଲାଗିଲା ଦି ଟା କାରଣ ପାଇଁ. ୧. ମୋ ପିଲାଙ୍କ ଭବିଷ୍ୟତ ଆଉ ୨. କିଛି ସମୟ ପୁର୍ବରୁ ମୁଁ ଖୁସି ଥିଲି ବୋଲି I ପ୍ରଥମେ ମୁଁ ଛୋଟ ଦୁଃଖ କଥା ଭାବିଲି ଯେ କିଛି ସମୟ ପୁର୍ବରୁ ମୁଁ ଖୁସି ଥିଲି I ମୋତେ ଜଞ୍ଜାଳ ଭିତରୁ ମୁକ୍ତି ମିଳି ଯାଇଛି I କିଛି ସମୟ ପୁର୍ବରୁ ମୋର କିଛି ବି ଟେନସନ ନଥିଲା I ମୁଁ ଖୁସି ରେ ବୁଲି ବାକୁ ଯାଇ ଥିଲି I ତା ପରେ ମୁଁ ପିଲାଙ୍କ ଭବିଷ୍ୟତ କଥା ଭାବିଲି I ମୋ ପୁଅ ଏବେ ଇଞ୍ଜିନିଅରିଂ ପଢୁଛି ଆଉ ଝିଅ ର +୨ I ଏବେ ସେମାନେ କ’ଣ କରିବେ? ପୁଅର କଲେଜ୍ ଫିସ୍ ଏବେ ଦେବାର ଥିଲା I ସେ ତ ଏବେ ଫାଷ୍ଟ ଇଅର୍ ରେ ପଢୁଛି I ଆଉ ଟିକେ ହେଲେ ବଡ ହୋଇ ଯାଇଥାନ୍ତା ? ତା’ର ପଢା ହେଲେ ସରି ଯାଇଥାନ୍ତା ? ଏବେ ତ ସେ  କିଛି ବି କରି ପାରିବ ନାହିଁ I ଭାଗବାନଙ୍କର କଣ ଟିକେ ବି ଦୟା ହେଲା ନାହିଁ ? ସେ କଣ ଜାଣି ପାରୁ ନାହାନ୍ତି ଯେ ମୋ ସଂସାର ଭାସି ଯିବ ବୋଲି ? ଝିଅ ଟା ବି ଭଲ ପଢୁଛି I ମୋର କେତେ ସ୍ବପ୍ନ ଥିଲା ତାକୁ ଡାକ୍ତର କରିବି ? ସବୁ ସ୍ବପ୍ନ ମିଳେଇ ଗଲା I ଏବେ ପଇସା କୁଆଡୁ ଆସିବ ସେମାନେ ପଢିବା ପାଇଁ ? ମୁଁ ତ ଆଉ କୋଟିପତି ନଥିଲି ? ଯାହା ଆସୁଥିଲା କଷ୍ଟେ ମଷ୍ଟେ ସଂସାର ଚଳେଇ ପିଲା ଦି ଟା ଙ୍କୁ ପଢ଼େଇଲି I କେବେ ତ କାହାକୁ ବି ଠକିନି I ସରକାରୀ ଚାକିରୀ କରି କି ବି କେବେ ଲାଞ୍ଚ ନେଇନି I ତେବେ ମୋ ଉପରେ ଏତେ ଦୁଖ କଣ ପାଇଁ  ଦେଲ ପ୍ରଭୁ ? ମୋ ଛୁଆ ଦି ଟା ତାଙ୍କ ଗୋଡ ରେ ଛିଡା ହବା ଯାଏ ହେଲେ ବଞ୍ଚି ଥାନ୍ତି ? ହେ ଭଗବାନ୍ ତୁମକୁ ଭଗବାନ୍ ବି ସହିବେ ନାହିଁ I ମୋ ଆଖି ରେ ଲୁହ ଆସିଗଲା I ମୁଁ ଭେଁ ଭେଁ ରଡି  କରି କାନ୍ଦିଲି I ହଠାତ୍ ଭଗବାନ୍ ମୋ ଆଗରେ ଠିଆ ହେଲେ ଆଉ ମୋ ମୁଣ୍ଡକୁ ଆଉଁସି ଦେଲେ I ମୁଁ ଉଠି ଦେଖିଲି ମୋ ଶ୍ରୀମତୀ ମୋ ମୁଣ୍ଡ ରେ ହାତ ବୁଲେଇ କହୁଛନ୍ତି “କାଇଁ ସକାଳଟାରୁ ରଡି ପକଉଚ ଶୁଣେ? ବୁଢାଟେ ହେଲେଣି ସ୍ବପ୍ନ ଦେଖା ସରୁନି I ଉଠ ଆଉ ଯାଇ କି ଖିର ନେଇ କି ଆସ, ଖିର ଆଣିଲେ ଚା ହବ” I ପୁଅ ଆଉ ଝିଅ ପାଖରେ ଠିଆ ହୋଇ ହସୁ ଥାନ୍ତି I ମୋତେ ଲାଜ ଲାଗିଲା I ମୁହଁ ଧୋଇବାକୁ ଗଲାବେଳେ ଭାବି ପାରୁ ନଥିଲି ଖୁସି ହେବି ନା ଦୁଃଖ କରିବି ?

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୬୦ ବର୍ଷ I ମୁଁ ମରିଗଲି  I ମାସେ ହେଲା ରିଟାର୍ଡ଼ କରିଥିଲି I ଏ ମାସେ ହେଲା ଦିନ ସବୁ ରହିଗଲା ପରି ମନେ ହେଉ ଥିଲେ I କାମ କିଛି ନଥିଲା I ଗୋଡ ହାତ ହଲେଇ ବାକୁ ଇଛା ଥିଲା I ସକାଳେ ସନ୍ଧ୍ୟାରେ ଦାଣ୍ଡ ରେ ବସି ବସି ଦିନ ଯାଉଥିଲା I ଯାହା ହଉ ଜଞ୍ଜାଳ ରୁ ରକ୍ଷା ମିଳିଗଲା I ପୁଅ ତା’ର ଚାକିରୀ ଜାଗାରେ ଆଉ ଝିଅ ବର୍ଷେ ହେଲା ଶାଶୂଘରେ I ଯାହା ହଉ ପୁଅ ଝିଅ କୂଳରେ ଲାଗି ଯାଇ ଥିଲେ I ବୁଢ଼ୀ ଟା ପାଇଁ ଦୁଃଖ ଲାଗୁଥିଲା I ଏକୁଟିଆ ଟା ରହିବ କେମିତି I ଓଡିଶା ବାହାରେ ରହିବାକୁ ବୁଢ଼ୀ ର ଜମା ଇଛା ନାହିଁ I ପୁଅ ତ ବାଙ୍ଗାଲୋର ରେ I ବୁଢ଼ୀ ଯିବନି ସେଠିକୁ I ଏବେ କଣ କରିବ ବୋଲି ଭାବୁଥିଲି I ଭାବି ଭାବି ତା ପାଖକୁ ଗଲି I ସମୟ ପାହାନ୍ତା I ସେ ଆରାମରେ ଘୁଙ୍ଗୁଡ଼ି ମାରୁ ଥାଏ I ୭ ଟା ନ ବାଜିଲେ ତ ସେ ଉଠିବନି I ଜାଣି ବି ପାରିବନି ଯେ ମୁଁ ମରି ଯାଇଛି I ଯାହା ହଉ କିଛି ସମୟ ପରେ ପୁଅ ଫୋନ କଲାରୁ ବୁଢ଼ୀ ଉଠିଲା I ମୋତେ ମରି ପଡିଥିବାର ଦେଖି କାନ୍ଦ ବୋବାଳି ପକେଇଲା I ସାଇ ପଡିସା ଆସି ରୁଣ୍ଡ ହେଲେ I ପୁଅ ଝିଅଙ୍କୁ ଖବର ଦିଆ ଗଲା I ଝିଅ ପହଞ୍ଚି ବହୁତ କାନ୍ଦିଲା I ଇନ୍ସୁରାନ୍ସ ଵାଲା ଆସିକି ମୋ ବିଷୟରେ ଖବର ସଂଗ୍ରହ କଲେ I ମୋ ସକାଳ ବୁଲା ସାଙ୍ଗ ମାନେ ମୋତେ ଦେଖିବାକୁ ଆସିଲେ I କେତେ କିଏ ଆହା, ଚୁ ଚୁ କଲେ I ଖାଲି ଦୁଃଖ ରହିଗଲା ପୁଅ ର ବାହାଘର, ସାରି ଦେଇଥିଲେ ଚିନ୍ତା ଯାଇଥାନ୍ତା I ଭଗବାନ ଆଉ ଦି ଟା ବର୍ଷ ହେଲେ ଆୟୁଷ ଦେଇଥାନ୍ତେ I ସବୁ କାମ ସାରି ଆସିବାକୁ I ତେଣେ ଗାଁ ରେ ଜମିଗୁଡା ସବୁ ଭୁତ ଖାଇ ଯିବେ I ପୁଅ ତ ଚାକିରୀ ଜାଗାରୁ ଆସିକି ଯିବନି ଏସବୁ ବୁଝିବାକୁ I ଦି ଦିନ ତଳେ ଚିନ୍ତା କରିଥିଲି ସବୁ ବିକ୍ରି କରି ପୁଅ ପାଇଁ ଭୁବନେଶ୍ୱର ରେ ଘର ଖଣ୍ଡେ କିଣି ଦେବି କିନ୍ତୁ ସେଥିପାଇଁ ବି ସମୟ ମିଳିଲାନି I ବନ୍ଧୁ ବାନ୍ଧବ ସବୁ ସଙ୍ଖୋଳି ବାକୁ ଆସି ସାରିଥାନ୍ତି I ମୋ ଶବ କୁ ବରଫ ରେ ରଖାଗଲା ପୁଅ ଆସିବା ଯାଏ I ମୋତେ ଶୀତ ଲାଗୁଥାଏ I ହଠାତ ମୋ ନିଦ ଭାଙ୍ଗିଗଲା I ଉଠି କି ଦେଖିଲି ମୁଁ ବଞ୍ଚିଛି I ଏସି ଟା ହାଇ ଅଛି ବୋଲି ଶୀତ ହେଉଥିଲା I ଖୁସି ଲାଗିଲା I ଏଥର କିନ୍ତୁ ଯାହା ବି ହେଉ ପୁଅ ବାହାଘର ସାରିବି ଆଉ ଗାଁ ଘର ଶୀଘ୍ର ବିକ୍ରି କରି ପୁଅ ପାଇଁ ଘର ଖଣ୍ଡେ କିଣିବି I  I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୭୦ ବର୍ଷ I ମୁଁ ମରିଗଲି  I ସେମିତି ବି ବଞ୍ଚିବାର ସ୍ପୃହା ନଥିଲା I ଆଣ୍ଠୁଗଣ୍ଠି ବାତ ବାହାରି ଯାଇଥିଲା I ଚାଲିବୁଲି ପାରୁ ନଥିଲି I ବୋହୁ ଗର ଗର ହେଉଥିଲା I ପୁଅ ଦେଖି ନଦେଖିଲା ପରି ହେଉଥିଲା I ନାତି ଟୋକା ପାଖକୁ ଆସିଲେ ବୋହୁ ମନା କରୁଥିଲା, ଇନଫେକ୍ସନ ଲାଗିଯିବ ବୋଲି I ମରିବାଠୁ ଘୋଷରା ଅଧିକା ବାଧୁଥିଲା I ବୁଢ଼ୀ ୩ ବର୍ଷ ତଳୁ ମରି ସାରିଥିଲା I ବୁଢ଼ୀ ଥିଲା ବେଳେ ସେ ଯାହା ଟିକେ ମୋ ଖବର ବୁଝୁଥିଲା I ସେ ଗଲା ପରେ ମୋ ପାଖରେ କଥା ହେବା ପାଇଁ କେହି ଜଣେ ନଥିଲେ I ପୁଅ କୁ ମଣିଷ କରିବା ପାଇଁ ମୁ ଏତେ ବ୍ୟସ୍ତ ଥିଲି ଯେ ମୋର ସାଙ୍ଗ ମାନେ ମୋଠୁ କେବେ ଦୁରେଇ ଗଲେ ଜାଣି ପାରିଲିନି I ବନ୍ଧୁ ବାନ୍ଧବଙ୍କଠୁ ମୁଁ ଦୁରେଇ ଯାଇଥିଲି I ପୁଅ କୁ ପଢେଇବା ପାଇଁ ପଇସା ଦରକାର ଥିଲା I ସେମାନଙ୍କ ବାହାଘର, ଶୁଦ୍ଧଘର ର ବେଭାର ବର୍ଷ କୁ ବର୍ଷ ଅଧିକା ହେଉଥିଲା I ଏବେ ବୁଝିପାରୁଛି, ଯାହା ପାଇଁ ସବୁ କରୁଥିଲି ସେ ମୋତେ ଗୋଡ଼ରେ ଆଡେଇ ଦେଉଛି I ଘର ଜମିବାଡ଼ି ସବୁ ତା ନାଁ ରେ କରିବାକୁ ଚାହୁଁଥିଲା I ତା ନାଁ ରେ କଲା ପରେ ସେ ମୋତେ ଵୃଦ୍ଧାଶ୍ରମ ରେ ଛାଡି ଦେଇଥାନ୍ତା I କରିନି ବୋଲି ପାଖରେ ରଖିଛି I କିନ୍ତୁ ମୁଁ ବରଂ ଵୃଦ୍ଧାଶ୍ରମ ରେ ଥିଲେ ଭଲରେ ଥାନ୍ତି I ମୁଁ ମରିବାର ୨ ଘଣ୍ଟା ହେଇ ସାରିଥିଲା I ସନ୍ଧ୍ୟା ୬ ଟା ହେଲାଣି କିନ୍ତୁ ଏବେ ଯାଏ କେହି ଜାଣି ନାହାନ୍ତି ମୁଁ ମରି ଯାଇଛି ବୋଲି I ବୋହୁ ୮ଟା ରେ ଖାଇବା ନେଇ କି ଆସିବ I ସେତେବେଳେ ଦେଖିବ ମୁଁ ମରି ଯାଇଛି I ଏବେ ରାତି ୮ଟା I ବୋହୁ ଖାଇବା ଧରିକି ଆସିଲା I ଆସି ଦେଖିଲା ମୁଁ ମରି ଯାଇଛି I ନାଡୀ ଚେକ କଲା I ନାକ ପାଖରେ ଆଙ୍ଗୁଠି ଦେଇ ଦେଖିଲା I ଖାଇବାକୁ ଟେବୁଲ ଉପରେ ଥୋଇଦେଇ ଆଉ ଥରେ ଡାକି କି ଉଠେଇଲା I ମୁଁ କବାଟ ପାଖରେ ଠିଆ ହୋଇ ସବୁ ଦେଖୁ ଥାଏ I ଏବେ କନଫର୍ମ ହେଲା ପରେ ନାଚି ଉଠିଲା I କହିଲା,” ଯାହା ହଉ, ଟେନସନ ଗଲା” I ତା ପରେ ମିଛ ମିଛ କାନ୍ଦ କାନ୍ଦ ହେଇ ପୁଅ କୁ ଡାକ ପକେଇଲା I ପୁଅ ଆସି ପୁଣି ଥରେ ନାଡୀ, ନାକ ଚେକ କଲା I ବାପା ବାପା ବୋଲି ଡାକିଲା I ସ୍ତ୍ରୀ ଆଡେ ଥରେ ଚାହିଁଲା ଆଉ କହିଲା ଫୋନ ନମ୍ବର ସବୁ ବାହାର କର, ସମସ୍ତଙ୍କୁ ଖବର ଦେବାର ଅଛି I ବାହାରକୁ ଯାଇ, ସାଇ ପଡିଶାଙ୍କୁ ଡାକି କି ଆଣିଲା I ଭୋ ଭୋ କରି ରଡି ପକାଉଥାଏ I ଫୋନ ରେ ସବୁ ବନ୍ଧୁବାନ୍ଧବଙ୍କୁ ଖବର ଦେଉଥାଏ I ମୋତେ ବାହାରକୁ ଟେକି ଆଣିଲେ I ବାରଣ୍ଡା ରେ ଶୁଏଇ ଦେଲେ I ପୁଅ ଆଉ ବୋହୁ ଲୋକଙ୍କୁ ଦେଖେଇ ଦେଖେଇ କାନ୍ଦୁଥାନ୍ତି I ଫୁଲ ମାଳ ଆଉ ଧୂପ ଲଗେଇ ଦେଇଥାନ୍ତି I ଧୂପ ମୋ ଗୋଡ ପାଖରେ ଲାଗି ଥାଏ  I  ହଠାତ ଧୂପଦାନି ଟା ଓଲଟି ପଡିଲା I  ମୋ ଗୋଡ଼ରେ ଚିଆଁ ଲାଗିଗଲା I  ମୁଁ ଚମକି ପଡିଲି I  କିନ୍ତୁ ଏଥର ମୁଁ ସତରେ ମରିଯାଇଥିଲି I ଆଉ ବଞ୍ଚିବାର ସ୍ପୃହା ନଥିଲା I ମରି ନଥିଲି ତ ତରି ଯାଇଥିଲି I ଭଗବାନଙ୍କୁ ପ୍ରଣାମ କଲି ଆଉ ଏ ଜନ୍ମରୁ ଉଦ୍ଧIର କଲେ ବୋଲି ଧନ୍ୟବାଦ ଦେଲି I
——x——
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ

ଭିନ୍ନ ଏକ ଏକଲବ୍ୟ

ଭିନ୍ନ ଏକ ଏକଲବ୍ୟ

ସୁବଳ ମହାପାତ୍ର

ରଖ ହୋ ତମ ଗପ…

ଏପଟେ ହାଣ୍ଡି ମାଙ୍କଡଚିତ ମାରୁଛି, ସେପଟେ ବାବୁଙ୍କ ଗପ ଲେଖା ସରୁନି…

ମୋ ବାପା କାହିଁକି ଏ ଅଳସୁଆ ହାତରେ ମୋତେ ବାନ୍ଧିଲେ କେଜାଣି…

ଗପ ଲେଖା ତ ଏମିତି ଚାଲିଛି ଯେ… ଯେମିତି ବ୍ରହ୍ମାଙ୍କ ବେଦ…

ଲୋକ ସବୁ ତ ଅନେଇ କି ବସିଛନ୍ତି ତମ ଗପ ପଢିବା ପାଇଁ…

ଘର ଆଗରେ କେତେ ଲମ୍ବା ଲାଇନ ଲାଗିଛି ଦେଖୁନ…

ଯାଅ ଯାଅ, ଆଳୁ ଦି କିଲୋ ଆଣିଲେ ରୋଷେଇ ହବ I ସେପଟେ ପିଲାଟାର ଦେହ ଖରାପ ଯେ ଦି ଦିନ ହେଲା ମୁହଁ ରେ ପଥି ଟିକେ ଦେବାକୁ ପଇସା ନାହିଁ I ବାବୁ ଇଆଡ଼େଗପ ଉପରେ ଗପ ଲେଖି ଚାଲିଛନ୍ତି I ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ I

ଯାଅ ଯାଅ …

ସ୍ତ୍ରୀ କୌଶଲ୍ୟା ପାଖରୁ ତାଚ୍ଛଲ୍ୟ ପୁର୍ଣ ବାକ୍ୟ ମାନ ଶୁଣି କାନ ମୁଣ୍ଡ ଝାଇଁ ଝାଇଁ କରୁଥିଲା ରମେଶ ଦାସ ଙ୍କର I ଲେଖକ ଟିଏ ସେ I ଚାକିରୀ କରି ଲେଖିବାକୁ ସମୟ ଅଣ୍ଟିଲାନି ବୋଲି ଚାକିରୀ ଖଣ୍ଡିକ ଛାଡି ଯେଉଁ ଦର୍ପ ରେ ଚାଲିଆସିଥିଲେ ଆଜି ମନ ଘର ଧରି ଗଲାଣି ତାଙ୍କର I ବାପା ଦିନେ କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି “I ଆଜି ଅଙ୍ଗେ ନିଭାଉଛନ୍ତି ସେ I

ମନେ ପଡିଯାଉଥିଲା ସେ ଦିନ ଗୁଡିକ ….

ସ୍କୁଲ ଜୀବନରୁ ଆରମ୍ଭ ହୋଇ ଯାଇଥିଲା ଲେଖାଲେଖି I ଅଷ୍ଟମ ଶ୍ରେଣୀ ରେ ପଢିଲା ବେଳେ ଯେତେବେଳେ ପ୍ରଥମ କରି ଗଳ୍ପ ଟିଏ ଲେଖି ସାଙ୍ଗ ମାନଙ୍କୁ ଦେଖେଇଲେ କିଛି ଖୁସି, କିଛି ଦୁଃଖ, କିଛି ଇର୍ଷା ଆଉ କିଛି ପିଠିଥାପୁଡ଼ା ପାଇ ସେ ମିଶାମିଶି ମନୋରଥ ନେଇ ଫେରିଥିଲେ ଘରକୁ I ଯେତିକି ଉତ୍କଣ୍ଠା ର ସହ ସେ କହିଥିଲେ ସାଙ୍ଗ ମାନଙ୍କୁ ସେତିକି ପ୍ରଶଂସା ନପାଇ ମନ ଭାଙ୍ଗି ଯାଇଥିଲା ତାଙ୍କର I କିଛି ଦିନ ପରେ ପୁଣି ଗଳ୍ପ ଟିଏ ମନ ଭିତରେ ଗୋଳେଇ ଘାଣ୍ଟି ହେଲା I ମନ କୁ ବହୁତ ଚାପି ରଖି ଏଡେଇ ଯାଉଥିଲେ ସେ, କିନ୍ତୁ ଦିନେ ରାତି ଅଧାରେ ଉଠି ଗଳ୍ପ ଟି ରଫ ଖାତାରେ ଲେଖି ସାରିଲା ପରେ ଯାଇ ପୁଣି ଥରେ ନିଦ ହେଲା I ସେଇ ଦିନୁ ଭଲ ପାଇ ଯାଇଥିଲେ ଗଳ୍ପ କୁ I ହେଲେ ଗଣିତ ପିରିୟଡ଼ ରେ ରଫ ଖାତା ରେ ଗଣିତ କଷି ସାର ଙ୍କୁ ଦେଖିବାକୁ ଦେଇ ସେ ହରଡ ଘଣା ରେ ପଡି ଯାଇଥିଲେ I ଭଗବାନଙ୍କୁ ଯେତେ ଡାକିଥିଲେ ବି ଗଣିତ ସାରଙ୍କ ନଜରରୁ ବଞ୍ଚି ପାରି ନଥିଲା ଗଳ୍ପଟି I ସେଦିନ ପିଠିରେ ନୋଳା ଫାଟିଲା ପରେ ଅପର୍ଯ୍ୟାପ୍ତ ଗାଳି ଥିଲା ତାଙ୍କ ପାରିଶ୍ରମିକ I ଦେଖୁ ଦେଖୁ ସ୍କୁଲସାରା ଏ କଥାଟି ରାଷ୍ଟ୍ର ହୋଇ ଯାଇଥିଲା I ସାହିତ୍ୟ ଦିଦି ମଗେଇଥିଲେ ଖାତା ଟି ଦେଖିବା ପାଇଁ I କିନ୍ତୁ ଗପଟି ସେତେବେଳେ କାଗଜ ଟୁକୁରା ରେ ପରିଣତ ହୋଇ ସାରିଥିଲା ରାଗରେ I ରମେଶ କୁ ଦୁଇ ଆଖିରେ ଦେଖି ପାରୁନଥିବା କିଛି ସାଙ୍ଗ, କାଗଜ ଟୁକୁରା ଗୁଡିକୁ ଏକାଠି କରି ଅଠା ରେ ଯୋଡି ସାହିତ୍ୟ ଦିଦିଙ୍କ ପାଖରେ ପହଞ୍ଚେଇଥିଲେ ଆଉ କିଛି ମାଡ଼ ଖୁଏଇବା ଚକ୍ରାନ୍ତରେ I

ଡରି ଡରି ସେ ଯାଇଥିଲେ ଟିଚର କମନ ରୁମ କୁ, ଆଖିରେ ଆଖିଏ ଲୁହ, ଡରରେ ପାଦ ଦୁଇଟି ଚାଲିବାକୁ ଅକ୍ଷମ, ହାତ ଦୁଇଟି ଗାଲ ରୁ ତଳକୁ ଖସିବାକୁ ଅନିଛୁକ ଥିବା ବେଳେ, ସାହିତ୍ୟ ଦିଦି କୋଳେଇ ନେଇଥିଲେ ଆଉ ଚିନ୍ହି ପାରିଥିଲେ ତାଙ୍କ ପ୍ରତିଭା ଟିକୁ I ବାଃ… କି ସୁନ୍ଦର.. କି ମୌଳିକ ଚିନ୍ତାଧାରା… ଅଦ୍ଭୁତ.. ପରି ଶବ୍ଦ ଗୁଡିକ ଆସି ପିଟି ହେଉଥିଲେ କର୍ଣ୍ଣ ଗହ୍ୱରରେ I ନିଜକୁ ବିଶ୍ୱାସ ହେଉ ନଥିଲେ ବି, ଗଣିତ ସାରଙ୍କୁ ଛାଡି ଅନ୍ୟ ସାର ଆଉ ଦିଦି ଙ୍କ ତାଳି ମାଡ଼ରେ ସମ୍ବିତ ଫେରିପାଇଥିଲେ ସେ I ଶିକ୍ଷକ ମାନଙ୍କ ତରଫରୁ ଦୁଇ ଟଙ୍କାର ମୁଢି ମିକ୍ସଚର ଆଉ ଦୁଇଟି ନଡିଆକୋରା ଥିଲା ତାଙ୍କ ପ୍ରାପ୍ୟ ସେଦିନ ର,  ଆଉ ସାହିତ୍ୟ ଅନୁଗାମୀ କରେଇବା ପାଇଁ ତାଙ୍କର ପ୍ରଥମ ଖୋରାକି I କିଛି ଦିନ ପରେ ସ୍କୁଲ ରେ ତାଙ୍କ ନାଁ ହୋଇଥିଲା ଲେଖକ I ଗଣିତ ସାର ତାଚ୍ଛଲ୍ୟ ର ସହ ଲେଖକ ଡାକୁଥିବା ବେଳେ ଅନ୍ୟ ସାର, ଦିଦି ମାନେ କିନ୍ତୁ ଡାକୁଥିଲେ ସ୍ନେହ ର ସହ I ସାହିତ୍ୟ ଦିଦି ସବୁଦିନ କିଛି କିଛି ଲେଖିବାକୁ ପରାମର୍ଶ ବି ଦେଉଥିଲେ ଆଉ ଗପ ଗୋଟିଏ ଲେଖି ଦେଖେଇବା ପରେ ପାରିଶ୍ରମିକ ମିଳୁଥିଲା ଦୁଇଟି ନଡ଼ିଆ କୋରା ଅବା ରାଶି ଲଡୁ I

* * * * * * * * * * * * * * * *

କଲେଜ ମ୍ୟାଗାଜିନ ରେ ରମେଶଙ୍କ ଗପଟି ପ୍ରଥମ ପ୍ରାଇଜ ପାଇଲା ପରେ କେତେ ଝିଅ ଯେ ତାଙ୍କୁ ପ୍ରପୋଜ କରିଥିଲେ ତା ର ହିସାବ ବି ସେ ରଖି ନଥିଲେ I ଏତିକି ମନେଥିଲା ଯେ ସବୁଦିନ ଜଣେ ଦୁଇ ଜଣ ଆସି ଗପ ଟି ବହୁତ ଭଲ ହୋଇଛି କହିବା ଛଳ ରେ ଆଖିରେ ଆଖିରେ ଦେଇ ଯାଉଥିଲେ ପ୍ରେମ ସନ୍ଦେଶ I ଆସ୍ତେ ଆସ୍ତେ ଗପ ଗୁଡିକୁ ସେ ପଠେଇବା ଆରମ୍ଭ କରିଥିଲେ ବିଭିନ୍ନ ମ୍ୟଗାଜିନ, ଦୈନିକ ଖବରକାଗଜ, ସାପ୍ତାହିକି, ମାସିକ ପତ୍ରିକା, ପୂଜା ସଂଖ୍ୟା ପରି ଅନେକ ପତ୍ରିକା କୁ I କିଛି ବାହାରେ ଆଉ କିଛି ବାହାରେନି I ବେଳେ ବେଳେ କିଛି କିଛି ପାରିଶ୍ରମିକ ସହ ସୌଜନ୍ୟ ମୂଳକ କପି ଟିଏ ଆସିଥାଏ ଡାକରେ I ଗପମନସ୍କ ସେ ଏତେ ହୋଇଯାଇଥିଲେ ଯେ ଭୁଲି ଯାଇଥିଲେ ପାଠପଢା, କଲେଜ କ୍ଲାସ, ଟିଉସନ ପରି ଜାଗା ଗୁଡିକୁ I ସମୟ ତାଙ୍କର କଟୁଥିଲା ବିଲ ମଝିରେ, ପୁଷ୍କରିଣୀ କୂଳରେ, କେଉଁ ପଡିଆ ମଝିରେ ଅବା ହଷ୍ଟେଲ ର ଛାତ ଉପରେ I ପ୍ରଥମବର୍ଷ ପରୀକ୍ଷାଫଳ ର ଲଫାପା ଟି କଲେଜ ଅଧ୍ୟକ୍ଷ ଙ୍କଠୁ ଡାକ ରେ ପାଇ, ବାପା ଡକେଇଥିଲେ ତାଙ୍କ ଗୁଣମନ୍ତ ପୁତ୍ରକୁ ଆଉ ପିଠିରେ ଚାରୋଟି ଅମରି ବାଡ଼ି ସହ ଗୁହାଳରେ ଥିବା ପାଞ୍ଚଣ ଟିର ସେଦିନ ଅକାଳ ବିୟୋଗ ଘଟିଥିଲା I ପରଦିନ ସକାଳୁ ବାପା ଡାକିଲେ ସ୍ନେହ ରେ I ପାଖରେ ବସେଇ ବନ୍ଧୁଟିଏ ପରି ବୁଝେଇଥିଲେ ଜୀବନ ର ଗୁଢ ରହସ୍ୟ I କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି”, ଯେତିକି ହେଜିବୁ, ସେତିକି ଉଧେଇବୁ I ଯା, ଆଜିଠୁ ମୁଁ ମଲା ଯାଏ ଆଉ କେବେ ତୋ ଦେହରେ ହାତ ଦେବିନି I ଯାହା ଇଚ୍ଛା ତା କର I କିନ୍ତୁ ଦିନେ ନା ଦିନେ ତୁ ମନେ ପକେଇବୁ ଏ କଥା ଟିକୁ I ଦି ବର୍ଷ ପରେ ବାପା ଚାଲିଗଲେ I ସେ ଗଲା ପରେ ବୋଉର ବାହୁନା ରୁ ସେ ଜାଣିଲେ ଯେ , ସେଦିନ ବାପା ୟାଙ୍କୁ ବାଡେଇ ସାରିଲା ପରେ ଦିନ ସାରା କିଛି ଖାଇ ନଥିଲେ କି ପାଣି ଟୋପେ ବି ପିଇ ନଥିଲେ I ଜୀବନ ରେ ସବୁବେଳେ ହସ ହସ ମୁହଁରେ ଥିବା ବାପା ସେଦିନଠୁ କେମିତି ଉଦାସ ହୋଇ ଯାଇଥଲେ, ମଲା ଯାଏ I

କଲେଜ ଟି ଯେନ ତେନ କରି ପାସ କରିଯାଇଥଲେ ବି ପ୍ରଥମ ରୁ ପାଠ ରେ ଅବହେଳା ତାଙ୍କୁ ଦ୍ଵିତୀୟ ଶ୍ରେଣୀ ରୁ ପ୍ରଥମ ଶ୍ରେଣୀ ଯାଏ ଆସିବାକୁ ଦେଲାନି I ଗ୍ରାଜୁଏଟ ହେଲା ପରେ ବହୁ କଷ୍ଟ ରେ କୁହା ବୋଲା କରି, ମଉସା, ପିଉସା କହି ଚାକିରୀ ଖଣ୍ଡେ ହାତେଇଥିଲେ ସେ I ମାସକୁ ମାସ ପଇସା ଆସିବାରେ ଲାଗିଥିଲା I ଚଳିବାକୁ ଅସୁବିଧା ନଥିଲା I ଗାଁ ବିଲରୁ ଅମଳ ତକ, ମା ର ଖାଇ ପିଇ ବଳୁଥିଲା, ତେଣୁ ୟାଙ୍କ ଉପରେ କିଛି ବର୍ଡନ ନ ଥିଲା I ଏବେ ମନ ପୁଣି ଡାକୁଥିଲା ଗଳ୍ପ ଆଡେ I ବାପାଙ୍କ କହିବା ଅନୁସାରେ ଏବେ ତ ଆଉ କିଛି ଅସୁବିଧା ନାହିଁ I ଖାଲି ସମୟ ତକ ଗଳ୍ପ ଲେଖିବାରେ ଅସୁବିଧା କଣ? ପୁଣି ସେ ପଶି ଯାଇଥିଲେ ଗଳ୍ପ ର ପରିଧି ଆଉ ପରିସୀମା ମାପିବା ପାଇଁ I ଗପ ଲେଖିବା ଆରମ୍ଭ କରିବା ମାତ୍ରେ ୟାଙ୍କର ବାଚାଳାମି କିନ୍ତୁ ଧରି ପାରିଥିଲା ବୋଉ I ଆଉ ଝିଅ ଖୋଜିବା ଆରମ୍ଭ କରି ଦେଇଥିଲା I କିଛି ମାସ ପରେ ବିନା ଆଡମ୍ବର ରେ ବାହାଘର ସରିଯାଇଥିଲା I ସ୍ତ୍ରୀ କୁ ମା ପାଖରେ ଛାଡି ପୁଣି ଥରେ ଚାକିରୀ ଜାଗା ରେ ଗପକୁ ପ୍ରେମିକା ଆଉ ପତ୍ନୀ ହିସାବରେ ସଜେଇ ଆନନ୍ଦ ସାଉଣ୍ଟୁଥିଲେ ରମେଶ ବାବୁ I ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା I କୋଳ କୁ ଛୁଆଟିଏ ନ ଆସିବାରୁ ବୋଉ ର ସମ୍ପା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ସ୍ୱାମୀଙ୍କ ଗଳ୍ପ ଲେଖା ନିଶା କୁ ସ୍ତ୍ରୀ ର ଗଳ୍ପ ପଢା ନିଶା ବଳି ଯାଇଥିଲା I

ମାସକୁ ଥରେ ଘରକୁ ଆସିଲେ ସ୍ୱାମୀ ସ୍ତ୍ରୀ ଗଳ୍ପ ଆଲୋଚନା ସାଙ୍ଗକୁ ନୂଆ ନୂଆ ଗଳ୍ପ ପାଇଁ ପ୍ଲଟ ଖୋଜିବାରେ ରାତି ପାହି ଯାଉଥିଲା I ପ୍ରଥମେ ପ୍ରଥମେ କୌଶଲ୍ୟା, ଗପ କୁ ଭଲ ନ ପାଉଥିଲେ ବି ସ୍ୱାମୀଙ୍କ ମନଦୁଃଖ ହେବ ବୋଲି ଭାବି ଆଦରି ନେଇଥିଲେ ଗଳ୍ପ ର ଆଲୋଚନା କୁ ଆଉ ଉତ୍ଫୁଳିତ ହେଉଥିଲେ ସ୍ୱାମୀଙ୍କ ଖୁସି ଦେଖି I ଆସ୍ତେ ଆସ୍ତେ ସେ ବି ଟାଣି ହେଇ ଯାଇଥିଲେ ଗପ ର ବଳୟ ଭିତରକୁ ଯେଉଁଠି ସେ ଖୋଜି ପାଉଥିଲେ ଅନ୍ୟ ଏକ ଦୁନିଆଁ ନୀତିଦିନ ପ୍ରତିକ୍ଷଣରେ I ଯେତିକି ଯେତିକି ଭିତରକୁ ଭିତରକୁ ଯାଉଥିଲେ ସେତିକି ସେତିକି ସେ ଦେଖିବାକୁ ପାଉଥିଲେ ଅନ୍ୟ ଏକ ସଂସାର ଯେଉଁଠି ନା ଅଛି ଜଞ୍ଜାଳ, ନା ଅଛି ଭଲ ପାଇବା, ନା ଅଛି ସ୍ନେହ, ନା ଅଛି ରାଗ ରୁଷା I ଅଛି ତ ସବୁ କିଛି କିନ୍ତୁ  ସ୍ବପ୍ନ ର ଦୁନିଆଁ ରେ ଏବଂ କିଛି କ୍ଷଣ ପାଇଁ I ବହିରୁ ମୁହଁ ଉଠେଇଲେ ହଜି ଯିବ ସବୁକିଛି ପୁଣି ମୁହଁ ଫେରେଇଲେ ଫେରି ଆସିବ ସବୁକିଛି I ବାଃ… କି ସ୍ୱପ୍ନିଳ ଏ ଦୁନିଆଁ I ଖୁବ ବଢିଆ… I

ଶାଶୁଙ୍କ ସମ୍ପାକଟା ପରେ କୌଶଲ୍ୟା ଫେରି ଯାଇଥିଲେ କଳ୍ପନା ରୁ ବାସ୍ତବ ଜୀବନକୁ ପୁଣି ଥରେ ଆଉ ଲାଗିଯାଇଥିଲେ ସଂସାର ର ନିୟମ ବଞ୍ଚେଇବା ପାଇଁ I କୋଳକୁ ପିଲା ଟିଏ ଆସିବା ପରେ, ତାଙ୍କ ସ୍ବପ୍ନ ବଦଳି ଯାଇଥିଲା I ଜଞ୍ଜାଳ ବଢି ଯାଇଥିଲା I ଭଲ ପାଇବା ଓ ରାଗ ରୁଷା ପ୍ରାକୃତିକ ହୋଇ ଯାଇଥିଲା ଆଉ ସେ ଜାଣି ପାରୁଥିଲେ ଏ ଦୁଇଟି ଭିତରେ ପାର୍ଥକ୍ୟ I ରମେଶ ବାବୁ କିନ୍ତୁ ବାହାରି ପାରି ନଥିଲେ ସେ ଦୁନିଆଁ ରୁ I ଏତେ ଦିନ ଧରି ଯିଏ ନିଶାଗ୍ରସ୍ତ କରି ରଖିଛି ସେ କଣ ଛାଡ଼ିଯିବ ଏତେ ଶୀଘ୍ର?

ଘରେ ଖାଇବା ପିଇବାର ଅଭାବ ନଥିଲା I ଚାକିରୀ ପଇସା ରେ ନିଜେ ଚଳି ଅଳ୍ପ କିଛି ସଞ୍ଚୟ ମଧ୍ୟ ହେଉଥିଲା I ଗଳ୍ପ ଲେଖା ର ନିଶା ଆସ୍ତେ ଆସ୍ତେ ବଢି ବଢି ଚାଲିଥିଲା ଆଉ ସମତାଳ ରେ ବଢି ଚାଲିଥିଲା ବହିଟିଏ ଛପେଇବାର ଜିଜ୍ଞାସା I ଘରେ ନ ଜଣେଇ ନିଜର ସଞ୍ଚିତ ଅର୍ଥ ସହ ଆଉ କିଛି ହାତ ଉଧାରୀ ପରେ ଆରମ୍ଭ ହୋଇଥିଲା ବହି ସଂକଳନ ର କାର୍ଯ୍ୟ I ଯେତେ ପତ୍ର ପତ୍ରିକା ରେ ବାହାରିଲେ ମଧ୍ୟ ନାମୀ ଦାମୀ ଲେଖକ ନହେଲେ ବହି ଟିଏ ଛାପିବା କେତେ ଯେ କଷ୍ଟକର କାର୍ଯ୍ୟ ଏ କଥା ଆସ୍ତେ ଆସ୍ତେ ସେ ବୁଝି ପାରୁଥିଲେ I ଏତେ ଧାଁ ଦଉଡ ଭିତରେ ଅଫିସ କାର୍ଯ୍ୟ ରେ ବିଳମ୍ବ ଘଟୁଥିଲା ଆଉ ଗୋଟେ ପରେ ଗୋଟେ ନୋଟିସ ଆସି ପହଞ୍ଚୁ ଥିଲା ତାଙ୍କ ଟେବୁଲ ଉପରେ I କିନ୍ତୁ ସବୁ କୁ ଅଣଦେଖା କରି ସେ ଚାଲିଥିଲେ ନିଜ ସ୍ବପ୍ନ ରେ I ଶୋଇ ଶୋଇ ମୁକ୍ତ ଆକାଶ ରେ ଇନ୍ଦ୍ରଧନୁ ବିଛାଉଥିଲେ ତ କେବେ କେବେ ଅମାବାସ୍ୟାର ଅନ୍ଧକାର ରେ ମଧ୍ୟ ତାଙ୍କୁ ଇନ୍ଦ୍ରଧନୁ ଦେଖା ଯାଉଥିଲା I କହିବା ବାହୁଲ୍ୟ ତାଙ୍କ ବହି ଟିର ନାଁ ଥିଲା “ଇନ୍ଦ୍ରଧନୁ” I

କାଳ ର କରାଳ ରୂପ ରୁ କେହି କେବେ ବଞ୍ଚି ନାହିଁ କି ବଞ୍ଚିବ ନାହିଁ I ବେଳେ ବେଳେ ଏମିତି ସମୟ ଆସେ ଯାହାକୁ ଜ୍ୟୋତିଷ ଶାସ୍ତ୍ର ରେ କହନ୍ତି ଶନିଦଶା I ଏପରିକି ଗାଁ ଗହଳି ରେ ଜଣେ ଅନ୍ୟ ଜଣଙ୍କୁ ଅଭିଶାପ ଦେବା ଛଳ ରେ ବି କହନ୍ତି ତୋତେ ଶନିଦଶା ପଡୁ I ଏହିପରି କିଛି ସମୟ ଆସିଲା ବୋଧେ I ଅଫିସ ରେ କାର୍ଯ୍ୟ ରେ ଅବହେଳା ଯୋଗୁଁ ତାକୁ ଚତୁର୍ଥ ନୋଟିସ ବି ଆସି ସାରିଥିଲା I ପରେ ପରେ ବଡ଼ବାବୁଙ୍କ ସହୃଦୟତା ଓ ତାଙ୍କ ଦୂର ସମ୍ପର୍କୀୟ ଶଳା ପ୍ରେମ ପାଇଁ ୟାକୁ ଚାକିରୀ ଖଣ୍ଡିକ ହରେଇବାକୁ ପଡିଥିଲା I ୟାଙ୍କ ଜାଗାରେ ନିଯୁକ୍ତି ମିଳିଥିଲା ବଡ ବାବୁଙ୍କ ଦୂର ସମ୍ପର୍କୀୟ ଶଳା କୁ I ଚାକିରୀ ଖଣ୍ଡିକ ଛାଡି ବୀର ଦର୍ପ ରେ ଚାଲିଆସିଥିଲେ I “ଗାଁ ରେ ଚାଷ ତ ଅଛି, ବହି ଖଣ୍ଡିକ ବାହାରି ଗଲେ ପଇସା ଆସି ଯିବନି? ଯେତେ ଚେଷ୍ଟା କଲେ ବି ଏମାନେ ମୋର କିଛି କରି ପାରିବେନି I ଗାଁ ଜମି ରୁ ମିଳୁଥିବା ଖୋରାକି ରେ ମା, ଛୁଆ ଚଳିଯିବେ” I ଏ ପ୍ରକାର ମନୋବୃତି ନେଇ ବଡ଼ବାବୁଙ୍କୁ ଦି ପଦ କଡା କଥା ବି ଶୁଣେଇବାକୁ ବି ପଛେଇ ନଥିଲେ I ଫଳରେ ତାଙ୍କ ସାର୍ଟିଫିକେଟ ରେ ଲାଗିଥିଲା ନାଲି ଗାର ଓ ପରେ ବହୁତ ଚେଷ୍ଟା ପରେ ବି ଚାକିରୀ ଖଣ୍ଡିଏ ମିଳିନଥିଲା ଆଉ କେଉଁଠି I

କୁହନ୍ତି ଶନି ଯଦି ଆଖି ପକେଇଲା ତଳିତଳାନ୍ତ କରି ଛାଡିବା କଥା ଛାଡିବ I ବିପଦ ଯେତେବେଳେ ଆସେ ସେ ତା ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ଧରି ଆସେ I ବାଡ଼ିକି ଶୌଚ ହେବା ପାଇଁ ଯାଇଥିବା ବୋଉ, ଝୁଣ୍ଟି ପଡି ପ୍ରାଣ ହରେଇ ଥିଲା I ବୋଉ ର ଦଶାହ ସାରି ଫେରିଲା ବେଳକୁ ବହି ଛାପିବାକୁ ଟଙ୍କା ନେଇଥିବା ପ୍ରେସ ଟି ସବୁଦିନ ପାଇଁ ବନ୍ଦ ହୋଇ ସାରିଥିଲା ଓ ପ୍ରେସ ମାଲିକ ଅନ୍ୟୁନ ପଚାଶ ସରିକି ଲୋକଙ୍କ ଠାରୁ ପଇସା ଧରି ଚମ୍ପଟ ମାରିଥିଲା I ଏପଟେ ଉଧାର ଆଣିଥିବା ଲୋକ ମାନେ ଏ ସବୁ ଜାଣିବା ପରେ, ପଇସା ବୁଡିଯିବା ଭୟରେ ତାକୁ ଉଠେଇ ବସେଇ ବି ଦେଉ ନଥିଲେ I ଯାହା ଫଳରେ ତାକୁ ବିକ୍ରି କରିବାକୁ ପଡିଥିଲା ସ୍ତ୍ରୀ ର ଗହଣା I

ସ୍ତ୍ରୀ ଲୋକ ସବୁ ସହିବେ କିନ୍ତୁ ତା ସ୍ୱାମୀ ଓ ତା ଗହଣା ଉପରେ ଆଖି ପକେଇଥିବା ଲୋକ କୁ ସହିବେନି I ସ୍ୱାମୀ ଉପରେ ଆଖି ପକେଇଥିବା ସ୍ତ୍ରୀ ଲୋକ ଆଉ ଗହଣା ଉପରେ ଆଖି ପକେଇଥିବା ସ୍ୱାମୀ ଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ I ଗହଣା ବିକ୍ରି ହେବା ପରଠୁ, ଏବେ ଯାଏ ମନ ଭିତରେ  ଭଲ ପାଉଥିବା ଗଳ୍ପ କୁ ସବୁ ଦୋଷ ମୁଣ୍ଡେଇବାକୁ ପଡିଥିଲା ଆଉ କୌଶଲ୍ୟା? ଗପବହି, ପତ୍ର ପତ୍ରିକା କୁ ନିଜ ସଉତୁଣୀ ତୁଲ୍ୟ ମନେ କରୁଥିଲେ I ସମୟାନୁକ୍ରମେ ରେ କୌଶଲ୍ୟା ଓ ପୁଅ ଆସି ସାରିଥିଲେ ସହର କୁ I ଘରଭଡା ପଇସା ଅଧିକ ହେବାରୁ ରହିବାକୁ ପଡୁଥିଲା ସହର ତଳି ବସ୍ତି ରେ I ଗାଁ ର ଜମି ବାଡ଼ି ଆସ୍ତେ ଆସ୍ତେ ବିକ୍ରି ହେବାକୁ ବସିଥିଲେ ଓ ଦୁଇ ଦିନ ତଳେ ଦେହ ଖରାପ ହୋଇଥିବା ପୁଅ ପାଟିରେ ଔଷଧ ଟିକେ ଦେବା ପାଇଁ ପଇସା ନଥିଲା I

କୌଶଲ୍ୟା ର କିଳିକିଳା ରଡି ରେ ଧ୍ୟାନ ଭାଙ୍ଗିଲା ରମେଶ ବାବୁଙ୍କର, “କାଇଁ ସେଠି ଖୁଣ୍ଟ ଟା ପରି ଠିଆ ହୋଇଛ ଶୁଣେ? ଯାଅ, ଆଳୁ ଟିକେ ଆଣ I ଆସିଲା ବେଳେ ପୁଅ ର ଔଷଧ ବି ଧରିକି ଆସିବ” I କୌଶଲ୍ୟାଙ୍କ କଥା ଏ କାନ ରେ ପଶି ଆର କାନ ରେ ବାହାରି ଗଲା I ପଇସା ଥିଲେ ସିନା ଆଳୁ ଆଉ ଔଷଧ ଆଣିବେ I ପାଖରେ ଟଙ୍କାଟେ ନାହିଁ I ନିଧି ଦୋକାନ ରୁ ସଉଦା ବାକି ରେ ଆସୁଛି I ଦି ମାସ ହେଲା ପଇସା ଦିଆ ହେଇନି ବୋଲି ସେ ଗର ଗର ହଉଛି I ହାଟ ରେ ଯାହା ୫ ଟଙ୍କା ନିଧି ଦୋକାନ ରେ ୭ I ତଥାପି ତାଠୁ ନ ଆଣିଲେ ନ ଚଳେ I ପଇସା କଉ ଅଛି ଯେ ଛାତି ଫୁଲେଇ ହାଟ ରୁ ବ୍ୟାଗ ଭର୍ତି ପରିବା ଆଣିବେ I ଭାବି ଭାବି ହାତରେ ବ୍ୟାଗ ଖଣ୍ଡିକ ଧରି ଘରୁ ବାହାରି ଗଲେ I ବାଟରେ ପଡେ ଚା ଦୋକାନ I ଚା ଦୋକାନ ରେ ରମେଶ ବାବୁଙ୍କର ଭଲ ନାଁ ଡାକ I ଚା ଦୋକାନୀ ଆଉ ଦି ଚାରିଜଣ ବୁଢା ୟାଙ୍କର ସବୁ ଦିନିଆ ଗ୍ରାହକ I ବାଟରେ ଗଲା ଆଇଲା ଲୋକ ବି, ଦି ଘଡି ଠିଆ ହୋଇ ଯାଆନ୍ତି ଗପ ରୁ ଫାଳେ ଅଧେ ଶୁଣିବା ପାଇଁ I ଯାଉ ଯାଉ ଚା ଦୋକାନ ପାଖରେ ଅଟକି ଗଲେ I କିଛି ନହେଲେ ଚା କପେ ଆଉ ସିଗାରେଟ ଦି ଖଣ୍ଡ ତ ମାଗଣା ରେ ମିଳି ଯିବ I ସକାଳୁ ସିଗାରେଟ ଖଣ୍ଡେ ବି ଟାଣି ନାହାନ୍ତି I ଲେଖକ ମାନଙ୍କର କିଛି ନ ହଉ ପଛେ ସିଗାରେଟ ଟିଏ ଲୋଡ଼ା I ନହେଲେ ମୁଣ୍ଡରେ ପଶେନି କିଛି I ଏକା ଏକା ବସି ଭାବିଲା ବେଳେ ସିଗାରେଟ ଖଣ୍ଡେ ଟାଣି ଦେଲେ ଭଲ ଲେଖି ହୁଏ I ଅଭ୍ୟାସ ଟା ରହି ଯାଇଛି I ଏବେ ପଇସା ନାହିଁ ବୋଲି ବିଡି ଖଣ୍ଡେ ଖଣ୍ଡେ ଚଳେ I ହେଲେ ନିଧି ତ କାଲି ସଫା ସଫା ଶୁଣେଇ ଦେଲା, “ପୁରୁଣା ପଇସା ଦବ ତ କାଲିଠୁ ଆସିବ, ନହେଲେ ତମ ପରି ଗ୍ରାହକ ଦରକାର ନାହିଁ ମୋତେ ” I ଶକ୍ତ ଧକ୍କା ଟିଏ ଲାଗିଲା I ପାଖରେ ପାଞ୍ଚ ଲୋକ ଠିଆ ହୋଇଛନ୍ତି I ଏମିତି କହିବାଟା କଣ ଠିକ? ବିଡି ଦିଆସିଲି ନ ନେଇ କି ପଳେଇ ଆସିଲେ ସେ I ଆଉ ଆଜି, କେମିତି ଯିବେ ତା ଦୋକାନ କୁ ଆଳୁ ଆଣିବା ପାଇଁ? କେଉଁ ମୁହଁ ରେ? ଚା ଦୋକାନ ପାଖରେ କିଛି ସମୟ ବିତେଇ ଦେଲେ, ବେଳ ଗଡି ଗଲାଠୁ ଯିବେ ଘରକୁ I କୌଶଲ୍ୟା ଦି ପଦ ଶୁଣେଇବ ପଛେ, ପଡୋଶୀ ଠୁ ମାଗି ଯାଚି କିଛି ଖାଇବା ରୋଷେଇ କରି ସାରିଥିବ I ଏପଟେ ଗାଁ ଜମି ଦି ଖଣ୍ଡ ବିକ୍ରି ହେଇ ପାରୁନି, ନହେଲେ କିଛି ଦିନ ଦୁଃଖେ କଷ୍ଟେ ଚଳି ଯାଆନ୍ତା I

ଭାବୁ ଭାବୁ ଚା ଦୋକାନ ରେ ପହଂଚି ସାରିଥିଲେ I ଦୋକାନୀ ଚା ଗ୍ଲାସ ଟିଏ ବଢ଼େଇ ଦେଲା I ସେ କେବେ ପଇସା ମାଗେନି I କେବଳ ଅନୁରୋଧ କରେ ଗପଟିଏ ଶୁଣାଅ I ସେ ବି ଜାଣେ, ଚା ଗ୍ଲାସେ ସିନା ମାଗଣା ରେ ଯିବ, କିନ୍ତୁ ଗପ ଶୁଣିବାକୁ କିଛି ନହେଲେ ବି ୧୫-୨୦ ଲୋକ ଆସିବେ I ଆଉ ସମସ୍ତେ ଚା ସିଗାରେଟ ଖାଇବେ I ତା’ ର ହିଁ ଲାଭ I ବାବୁଙ୍କୁ ବି ଭଲ I ଗପ ରୁ ଆଉ କିଛି ମିଳୁ ନ ମିଳୁ ସକାଳୁ ସନ୍ଧ୍ୟା ରେ ଚା ଦି କପ ଆଉ ଗପ ଶୁଣାଉ ଶୁଣାଉ, ଶ୍ରୋତାଙ୍କ ଦୟା ରୁ ସିଗାରେଟ ଦି, ଚାରି ଖଣ୍ଡ ମିଳିଯାଏ I ବେଳେ ବେଳେ ରାତି ପାଇଁ ଖଣ୍ଡେ ଦିଖଣ୍ଡ ବି ବଳେ I ଚା ଗ୍ଲାସ ଟି ବଢ଼େଇ ଦେଇ ଦୋକାନୀ ଚିରାଚରିତ ଢଙ୍ଗ ରେ ଅନୁରୋଧ କଲା ଗୋଟିଏ ଭଲ ଗପ ଶୁଣେଇବା ପାଇଁ I ମଳୁ ଖୋଜୁଥିଲା ଯାହା ବଇଦ ବତେଇଲା ତାହା ନ୍ୟାୟ ରେ ରମେଶ ବାବୁଙ୍କୁ ବି ମଉକା ମିଳିଗଲା I କହିଦେଲେ ଆଜି ଗୋଟେ ନୁହଁ ତିନିଟା ଗପ ଶୁଣେଇବି I ବୁଢା ଶ୍ରୋତା ଓ ଆଖପାଖ ଲୋକ ମାନେ ବି ବଢିଆ ବଢିଆ କହି ଘେରି ଗଲେ I ଡାହାଣ ହାତରେ ଚା ଓ ବାମ ହାତରେ ସିଗାରେଟ ଖଣ୍ଡେ ଧରି ବାବୁ ଆରମ୍ଭ କଲେ ଗପ କହିବା I ବାଃ ବାଃ.. ବଢିଆ ବଢିଆ.. ତାପରେ.. ସେଠୁ.. ଆହଃହ.. କଣ କଲାସେ.. ହଉ ହଉ.. ପରି ଶବ୍ଦ ଗୁଡିକ ଗୁଂଜରିତ ହେବାକୁ ଲାଗିଲେ ଓ ଶ୍ରୋତା ଙ୍କ ସଂଖ୍ୟା କେତେ ବେଳେ କମ ତ କେତେ ବେଳେ ବେଶୀ ହେବାକୁ ଲାଗିଲେ I

ଆସ୍ତେ ଆସ୍ତେ ସମୟ ବିତି ଚାଲିଲା I ଦିନ ଗୋଟେ ବାଜି ଦି ଟା ବାଜିବାକୁ ବସିଲାଣି କିନ୍ତୁ ବାବୁଙ୍କ ଗପ ସରୁ ନଥାଏ I ଶ୍ରୋତା ମାନେ ବି ଗୋଟେ, ଯୋଡ଼େ, ଫାଳେ, ଚଉଠେ ଗପ ଶୁଣି କିଛି କିଛି ମନ୍ତବ୍ୟ ଦେଇ ଯାଇ ସାରିଲେଣି I ଜଣେ ଦି ଜଣଙ୍କୁ ଛାଡିଦେଲେ ଆଉ କେହି ନଥାନ୍ତି ସେଠି I ଚା ଦୋକାନୀ ମନ ବି ଖୁସି I ବଢିଆ ବେପାର ହେଇଛି ଆଜି I ସକାଳୁ ସନ୍ଧ୍ୟା ଯାଏ ଦଶ ଲିଟର କ୍ଷୀର ର ଚା ସରୁ ନଥିବା ବେଳେ ଆଜି ଗୋଟେ ଓଳି ରେ ପନ୍ଦର ଲିଟର ସରିଛି I ଖୁସି ରେ ସେ ଆଉ ଦି ଖଣ୍ଡ ସିଗାରେଟ ବଢ଼େଇ ଦେଲା I ଆଗରୁ ଶ୍ରୋତା ମାନେ ଦେଇଥିବା ସିଗାରେଟ ରୁ ଦି ଖଣ୍ଡ ବଳିଥିଲା ଆଉ ଏବେ ଦି ଖଣ୍ଡ ମିଶେଇ ବାବୁ ଚାରିଖଣ୍ଡ ସିଗାରେଟ ଧରି, ସେଦିନ ର ଖବର କାଗଜ ଟି ଚା ଦୋକାନୀ ଠୁ ମାଗି ଘରକୁ ଯିବାକୁ ବସିଲେ I ଖବର କାଗଜ ଟି ଆଡଉ ଆଡଉ ଦେଖିଲେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ I ତାଙ୍କର ଆଜି ଏ ଦଶା ପାଇଁ ସାହିତ୍ୟ ଦିଦି ହିଁ ଦାୟୀ ବୋଲି ଭାବି, ଭାରି ରାଗ ଲାଗୁଥିଲା ତାଙ୍କୁ ସାହିତ୍ୟ ଦିଦିଙ୍କ ଉପରେ I ପାଖରେ ଥିଲେ ଶୁଣେଇ ଥାନ୍ତେ, “ଦିଦି, ସାହିତ୍ୟ ରେ ପେଟ ପୂରେନି ” I

ଏତେ ସମୟ ଧରି ନଥିବା ଚିନ୍ତାଟା ପୁଣି ମାଡି ବସିଲା I କଣ କହିବ କୌଶଲ୍ୟା? ରାଗି ତ ଯାଇଥିବ I ରୋଷେଇ କଣ କରିଥିବ? ପଡୋଶୀ ମାନଙ୍କୁ ଠୁ ବି କେତେ ଆଣିବ? ଯଦି କେହି କିଛି ଦେଇ ନଥିବେ ତେବେ? କାଲି ତ କୌଶଲ୍ୟା କହୁଥିଲା ମଳିକ ଘରକୁ ଯାଇଥିଲା ଚିନି ଟିକେ ପାଇଁ ଯେ ସେମାନେ ନାହିଁ କହି ଫେରେଇ ଦେଲେ I ହଉ ଦେଖାଯାଉ I ଘରେ ପହଞ୍ଚେ I ଯାହା ହବା କଥା ହବ I ଆଉ କଣ? ଆସ୍ତେ ଆସ୍ତେ ସେ ଘରମୁହାଁ ହେଲେ I ଯେତେ ଯେତେ ଘର ପାଖକୁ ଆସୁଥାନ୍ତି ଆଶଙ୍କା ସେତେ ସେତେ ବଢି ବଢି ଚାଲି ଥାଏ I ଦୋଷୀଟିଏ ପରି ମୁହଁ ତଳକୁ କରି ଚାଲିଥାନ୍ତି I ଘର ପାଖରେ ପହଂଚି, ଘର ବାହାରେ ଦୁଇ ହଳ ଜୋତା ଦେଖି ସେ ଚମକି ପଡିଲେ I କିଏ ଆସିଛି ? ଧାର ଉଧାର ଟଙ୍କା ତ ସେ ସୁଝି ସାରିଛନ୍ତି I ଆଉ କିଏ? କୁଣିଆ ମୈତ୍ର ନ ଆସନ୍ତୁ କେହି ଏ ସମୟ ରେ I ଭଗବାନଙ୍କୁ ହାତ ଯୋଡି ଯୋଡି, ଭୟ ଓ ଆଶଙ୍କା ରେ ଆତଙ୍କିତ ମନ ନେଇ ସେ ଘର ଭିତରେ ପଶିଲେ I

* * * * * * * * * * * * * * * * * * *

ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ,  ବିରକ୍ତ ହେଇ କୌଶଲ୍ୟା ବାହାରି ଗଲେ ପାଖ ଘରୁ ଆଳୁ ଦୁଇଟି ଆଣିବା ପାଇଁ I ରାଗ ରେ ଗର ଗର ହେଉଥାନ୍ତି I କେମିତିଆ ମଣିଷ ୟେ କେଜାଣି? ଯେଉଁଠି ଠିଆ ହେଇଥିବେ ହେଇଥିବେ, ଗପୁଥିବେ ତ ଗପୁଥିବେ I ପୁଅ ମାଈପ ମନେ ପଡନ୍ତି ନାହିଁ ସେତେବେଳେ I ଏମିତି ମଣିଷ ବାହା ନ ହେବା ଭଲ I ବାହା ହେଇ ଆଉ ଦୁଇଟି ଜୀବନ କୁ ହନ୍ତସନ୍ତ କରିବ କିଆଁ? ଅଭିଆଡା ରହି ଯାହା କରିବା କଥା କରୁନ I କିଏ ପଚାରୁଛି ନା କାହାର କଣ ଯାଉଛି? ରାଗରେ ପାଚି ଲାଲ ହୋଇଯାଇଥିଲେ ସେ I ଆସନ୍ତୁ ଆଜି, ଆଜି ତାଙ୍କର ଦିନେ କୁ ମୋର ଦିନେ I ଆଜି ହିଁ ପଳେଇବି ମୋ ବାପ ଘରକୁ I ୟାଙ୍କ ସହ ଆଉ ଚଳି ହବନି I ଆଳୁ ଦିଟା ପଡିସା ଘରୁ ପାଇବା ପରେ ମନ ଟିକେ ଶାନ୍ତ ହେଲେ ବି ରାଗ କମି ନଥିଲା I ଘରକୁ ଆସି ଭାତ ଫୁଟୁଥିବା ପାଣି ରେ ଆଳୁ ଦୁଇଟି ସିଝେଇବା ପାଇଁ ଛାଡିଦେଲେ I ସେପଟେ ଡାଲି ବଘାରିବା ପାଇଁ ଯିବା ବେଳେ କବାଟ ରେ କାହାର କରାଘାତ ଶୁଣି, ହାତରେ ଡ଼ାଲିଚଟୁ ସହ କବାଟ ଖୋଲିବାକୁ ଆସିଲେ I ରାଗ ଆଉ ବିରକ୍ତି ମିଶା ମୁହଁ ରେ ସ୍ୱାମୀଙ୍କୁ କଣ କହି ଭର୍ଚ୍ଛନା କରିବେ ତାହା ବି ଭାବି ସାରିଥିଲେ ଏତିକି ସମୟ ଭିତରେ I କିନ୍ତୁ କବାଟ ଖୋଲିଲା ପରେ ଆଉ ଦୁଇ ଜଣ ଲୋକଙ୍କୁ ଦେଖି ଟିକେ ହଡ଼ବଡେ଼ଇ ଗଲେ I

ଆଶ୍ଚର୍ଯ୍ୟ ଆଖିରେ ସେମାନଙ୍କୁ ଚାହିଁ ଆଖିର ଇସାରା ରେ କିଏ? କଣ ଦରକାର? ବୋଲି ପଚାରିଲେ I

ଆଗନ୍ତୁକ ଦୁଇଜଣଙ୍କ ଭିତରୁ ଜଣେ ପଚାରିଲା, ” ଆଛା, ଏଇଟା ଲେଖକ ରମେଶ ଦାସ ଙ୍କ ଘର କି?”

ଲେଖକ ଶବ୍ଦ ଟି ଶୁଣି ପୁଣି ଥରେ ତାଙ୍କ ଆଖି ତାଳୁ ଉପରକୁ ଉଠିଗଲା ଓ ମନକୁ ମନ ପାଟିରୁ ବାହାରି ଗଲା “କେତେ ନେଇଛନ୍ତି ତମଠୁ? ମୋତେ ତ କହୁଥିଲେ ସବୁ ପଇସା ସୁଝି ଯାଇଛି I ମୋ ଗହଣା ସବୁ ବିକି ଭାଙ୍ଗି ସୁଝି ସାରିଛନ୍ତି I ସେ ନାହାନ୍ତି ଏବେ I ପରେ ଆସିବ I”

ଏକ ନିଶ୍ୱାସ ରେ ଏତକ କହି ସାରି ସେ ଅନେଇଲେ ଆଗନ୍ତୁକ ଦୁଇଜଣ ଙ୍କୁ I

“ନା, ନା , ଆମେ ପଇସା ନେବାକୁ ନୁହଁ, ଦେବାକୁ ଆସିଛୁ”

ଚୁଲି ନିଆଁ ରେ ପାଣି ପଡିଲା ପରି ଥମ କରି ରହିଗଲେ କୌଶଲ୍ୟା ଦେବୀ I ଏତେବେଳେ ସେ ଆବିଷ୍କାର କଲେ ଯେ, ଆଗନ୍ତୁକ ଦୁଇଜଣଙ୍କ ବେଶ ଭୁଷା ଖୁବ ବଡ ଲୋକ ପରି I ହାତ ରେ ସୁନା ର ବଳା I ବେକ ରେ ସୁନାଚେନ I ପେଣ୍ଟ ସାର୍ଟ ସୁନ୍ଦର I ପ୍ରଚୁର ଧନୀ ଘର ପିଲା ପରି ଲାଗୁଛନ୍ତି I ବୟସ ୨୮-୩୦ ଭିତରେ ହେବ I କଣ କରିବେ କିଛି ଭାବି ନ ପାରି ସେ “ଆସ ଆସ ଭିତରକୁ ଆସ, ସେ ଏଇ ଆସୁଥିବେ କହି” ଘର ଭିତରେ ତେଲ ମାଡି କଳା ପଡି ଯାଇଥିବା କାଠ ଚୌକି ଦୁଇଟିକୁ କାନିରେ ପୋଛି ପକେଇଲେ I ଆଗନ୍ତୁକ ଦୁଇଟି ବାହାରେ ଜୋତା ଖୋଲି ଭିତରକୁ ଗଲେ I କୌଶଲ୍ୟା ଦେବୀ ପାଣି ଦି ଗ୍ଲାସ ଦି ଜଣଙ୍କୁ ଦେଇ ଅପେକ୍ଷା କରି ରହିଲେ ଜାଣିବା ପାଇଁ ଯେ, ଏମାନେ କିଏ? କଣ ପାଇଁ ପଇସା ଦେବେ?

ଆଗନ୍ତୁକ ଦୁଇଜଣ ପାଣି ଢୋକେ ଢୋକେ ପିଇ କେଉଁଠୁ ଆରମ୍ଭ କରିବେ? କଣ କହିବେ? ଭାବୁ ଭାବୁ ରମେଶ ବାବୁ ମୁଣ୍ଡରେ ମୁଣ୍ଡେ ଚିନ୍ତା ଧରି ଘର ଭିତରେ ପ୍ରବେଶ କଲେ I ନମସ୍କାର ଦିଆ ନିଆ ପୂର୍ବକ କାର୍ଯ୍ୟକ୍ରମ ସରିଲା ପରେ ରମେଶ ବାବୁ ଓ କୌଶଲ୍ୟା ଅପେକ୍ଷା କରିଥାନ୍ତି ଆଗନ୍ତୁକ ଦୁଇ ଜଣଙ୍କ ପରିଚୟ କୁ I ସେମାନଙ୍କ ଭିତରୁ ଜଣେ ପକେଟ ରୁ ବାହାର କଲା ଚାରି ଚଉତା ଜେରକ୍ସ କାଗଜ ଖଣ୍ଡେ ଆଉ ରମେଶ ବାବୁଙ୍କ ହାତ କୁ ବଢ଼େଇ ଦେଲା I ରମେଶ ବାବୁ କାଗଜ ଟି ଧରି ଆମୁଳଚୁଳ ପଢି ଗଲେ I ଏହା ତ କଲେଜ ଟାଇମ ରେ ସେ ଲେଖିଥିବା ଗଳ୍ପ ଗୋଟିଏ I ଗଳ୍ପ ର ନାଁ ଦେଇଥିଲେ “ବରା” ଯାହା କି ଏକ ଖବର କାଗଜ ରେ ପ୍ରକାଶିତ ହୋଇଥିଲା ଆଉ ସତେବେଳ ଟାଇମ ରେ ସବୁଠୁ ଅଧିକ ପାରିଶ୍ରମିକ ଦେଇଥିଲା ଏହି ଖବରକାଗଜ ଟି I

ମନେ ପକାଉଥିଲେ ରମେଶ ବାବୁ I କଲେଜ ସାଙ୍ଗମାନେ ଯାଇଥାନ୍ତି ବାଙ୍ଗାଲୋର I ସକାଳୁ ସକାଳୁ ଜଳଖିଆ ଖାଇବାପାଇଁ ବହୁତ ଅସୁବିଧା ହୋଇଥିଲା ଆଉ ସେ ବାଙ୍ଗାଲୋର ରୁ ଫେରି ଲେଖିଥିଲେ “ବରା” ଗଳ୍ପ ଟି I ଗଳ୍ପ ଟି ଥିଲା ଏହିପରି …

ବରା

ଗରିବ ପିଲାଟିଏ ବୁଲୁ I ବୟସ ୨୦-୨୨ ଭିତରେ ହେବ I ଗାଁ ରେ ବୁଲାବୁଲି କରେ I ବେଳେବେଳେ କାଳିଆ ଦୋକାନ ରେ ବସେ I କାଳିଆ ତା ସାଙ୍ଗ I ଗାଁ ଛକ ରେ ବରା ଛାଣେ I ବୁଲୁ ବି ଦେଖି ଦେଖି ତାଠୁ କିଛି କିଛି ଶିଖିଛି I ବାପା ମା ମରିଗଲା ପରେ ପିଉସୀ ପୁଅ ଭାଇ ସହ ପଳେଇଲା ବାଙ୍ଗାଲୋର I କିଛି ଦିନ ଭାଇ ପାଖେ ରହି ଏଆଡ଼େ ସିଆଡେ ବୁଲା ବୁଲି କଲା ପରେ ନିଜେ କିଛି କରିବା ପାଇଁ ଚିନ୍ତା କଲା I ଭାଇକୁ କହି କିଛି ଟଙ୍କା ଉଧାରୀ ଆଣି ସେ ରହୁଥିବା ଜାଗା ରେ ବରା ଛାଣି ବିକ୍ରି କରିବାକୁ ଲାଗିଲା I ପ୍ରଥମେ ପ୍ରଥମେ ଘରେ ବରା ଛାଣି ସାଇକେଲ ରେ ଢାବଲ ବାନ୍ଧି ସେଠି ବୁଲି ବୁଲି ବିକ୍ରି କରିବାକୁ ଲାଗିଲା I ଭାଷା ମଧ୍ୟ କିଛି କିଛି ଶିଖିଲା I ଆସ୍ତେ ଆସ୍ତେ ପଇସା ସବୁ ସୁଝି ଯିବାରୁ ଆଉ କିଛି ପଇସା ରଖି ଚାଲିଆ ଖଣ୍ଡେ ପକେଇଲା ସେଠି I ଓଡିଶା ବରା ଯିଏ ଖାଇଲା ତା ପାଟିରେ ଲାଗିଲା I ଭଲ ଲାଗୁଥିଲା ସମସ୍ତଙ୍କୁ ତା କଡା ବରା I  ସ୍ୱାଦ ବି ଥିଲା ବହୁତ ଭଲ I ଆସ୍ତେ ଆସ୍ତେ ତା ନାଁ ଡାକ ହେବାକୁ ଲାଗିଲା I ବାଙ୍ଗାଲୋର ରେ ଓଡ଼ିଆ ଭର୍ତି I ସେଠି ଓଡ଼ିଆ ବସ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ I ଓଡ଼ିଆ ଲୋକ ସବୁ ଆସନ୍ତି ତା ପାଖକୁ I ତା ବେପାର ବି ବଢ଼ିବାରୁ ସେ ଆଉ କିଛି ଅଧିକ କରିବା ପାଇଁ ଚାହିଁଲା I ଖରାଦିନ I ଏତେ ଓଡ଼ିଆ ଥାନ୍ତି ସେଠି I ଦିନେ ଭାବିଲା ପଖାଳ କରି ବିକିଲେ କେମିତି ହୁଅନ୍ତା ? ଦି ଚାରି ଜଣଙ୍କୁ ପଚାରିଲା I ସମସ୍ତେ ଭଲ ହେବ ବୋଲି କହିଲେ I ତା ପରଦିନ ସକାଳୁ ବିକ୍ରି ହେବ ନ ହେବ ଭାବି ଦଶ ଜଣଙ୍କ ପାଇଁ ପଖାଳ ତିଆରି କଲା I ଭଲ ଚାଉଳ ରେ ଭାତ ରାନ୍ଧି, ଦହି ପକେଇ, ଛୁଙ୍କ ଦେଇ, ଧନିଆଁ ପତ୍ର ଆଉ କଞ୍ଚା ଲଙ୍କା ସହ ବଡ଼ିଚୁରା, ଶାଗ, ମାଛ ଭଜା, ଆଳୁ ଆଉ ବାଇଗଣ ଭର୍ତ୍ତା ରାନ୍ଧି ଥୋଇଦେଲା I ଦେଖୁ ଦେଖୁ ବିକ୍ରି ହୋଇଗଲା ସବୁ I ତାପରଦିନ କୋଡିଏ, ତିରିଶି, ପଚାଶ ଏମିତି ଶହେ ଯାଏ ପହଞ୍ଚିଗଲା I ସବୁଦିନ ସକାଳୁ ବରା, ଦିନବେଳେ ପଖାଳ, ସନ୍ଧ୍ୟା ରେ ବରା କରେ I ଆସ୍ତେ ଆସ୍ତେ ତା ବେପାର ଆହୁରି ବଢିବାକୁ ଲାଗିଲା I ଘରଟିକୁ ଚାଲିଆ ରୁ ଆଜବେଷ୍ଟସ କଲା I ଆଜବେଷ୍ଟସ ରୁ ଛାତ I ବଢି ବଢି ଚାଲିଥାନ୍ତି ତା ଗ୍ରାହକ ଓ ବଢିଚାଲିଥାଏ ତାର ଲାଭ I

ଦିନେ ସକାଳୁ ସକାଳୁ ସେ ଗୋଟେ ଅତି ଗରିବ ପିଲା ଟିକୁ ତା ଦୋକାନ ଆଗରେ ବସି ଥିବାର ଦେଖିଲା I ପିଲାଟି ୟାକୁ ଦେଖି ଡ଼ରିମରି ଘୁଞ୍ଚି ଗଲା I କିଛି ସମୟ ପରେ ୟା ର ପ୍ରଥମ ଭାଡ଼ି ବରା ବାହାରିଲା ପରେ ସେ ପିଲାଟିକୁ ଡାକି ଖାଇବାକୁ ଦେଲା I ପିଲାଟି ମୁହଁ ରେ ଖୁସି ଦେଖି ଯେତିକି ଆତ୍ମତୃପ୍ତି ମିଳିଲା ତାକୁ ଆଗରୁ କେବେବି ଏମିତି ଅନୁଭବ ହୋଇ ନଥିଲା I ସେଦିନ ଥାଏ ଗୁରୁବାର I ତା ପରଠୁ ସେ ନିଷ୍ପତି ନେଲା ଯେ ସବୁ ଗୁରୁବାର ରେ ସେ ଅନାଥ ଆଶ୍ରମ କୁ ଜଳଖିଆ ନେଇ ଯିବ ଆଉ ମାଗଣା ରେ ସମସ୍ତଙ୍କୁ ବରା ଖୁଏଇବ I

ଦୋକାନ କୁ ଆସୁଥିବା ଗ୍ରାହକ ମାନେ ବି ଶୁଣି ଖୁସି ହେଲେ ଓ କିଛି କିଛି ସାହାର୍ଯ୍ୟ ବି କଲେ I ବୁଲୁ ତା ଦୋକାନ ରେ ଗୋଟେ ସ୍କିମ ବାହାର କଲା I ନୋଟିସ ଝୁଲେଇଲା ପରି ଦୋକାନ ଆଗରେ ଲେଖି ଝୁଲେଇ ଦେଲା, “ତମେ ଯେତିକି ଦବ, ମୁଁ ସେତିକି ଦେବି I ଚାଲ ସମସ୍ତେ ମିଶି ଅନାଥ ମାନଙ୍କ ମୁହଁ ରେ ହସ ଟିକେ ଫୁଟେଇବା ” I ସମସ୍ତେ ପଚାରିଲେ ୟେ କଣ? ସେ ବୁଝେଇ ଦେଲା I ତମେ ଦଶ ଟଙ୍କା ସେ ଥଳି ରେ ପକାଅ, ମୁଁ ବି ପକେଇ ବି I ତମେ ୫୦୦ ପକାଅ, ମୁଁ ବି ୫୦୦ ଦେବି I ତମେ ୫୦୦୦୦ ଦିଅ, ମୁଁ ବି ୫୦୦୦ ଦେବି I ଗୁରୁବାର ସକାଳୁ ଯେତିକି ପଇସା ହବ ସେ ପଇସା ରେ ବରା ଛାଣି ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଯାଇ ସମସ୍ତଙ୍କୁ ବରା ଖୁଏଇବା I ସକାଳୁ ସେତିକି ଟଙ୍କା ର ବରା ଛାଣି ସାରିଲା ପରେ ଦୋକାନ ବନ୍ଦ I ତମେ ବି ମୋ ସହ ଆସ ମିଶି କି ଯିବା ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ I ଆଖ ପାଖ ଲୋକେ, ଗ୍ରାହକ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମସ୍ତେ ସହଯୋଗ ର ହାତ ବଢ଼େଇଲେ I ଆସ୍ତେ ଆସ୍ତେ ତା ଦୋକାନ ର ନାଁ ଆହୁରି ବ୍ୟାପିବାକୁ ଲାଗିଲା I

ପାଖାପାଖି ୧୦ ବର୍ଷ ର ସେବା ପରେ ସରକାରଙ୍କ ଠୁ ସେ ମାନପତ୍ର ଓ ପ୍ରାଇଜ ବି ପାଇଲା I ପ୍ରାଇଜ ପାଇଥିବା ଅର୍ଥ କୁ ସେ ସେଇ ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଦାନ କରି ଦେଲା I ଆଜି ଯାଏ ବି ସେ ନିଷ୍ଠାପର ଭାବରେ କାମ କରୁଛି I ଏବେ ତା ଦୋକାନ ରେ ସକାଳ ଜଳଖିଆ ଠୁ ଆରମ୍ଭ କରି, ମଧ୍ୟାନ୍ନ ଭୋଜନ, ସନ୍ଧ୍ୟା ରେ ଜଳଖିଆ, ରାତ୍ରି ଭୋଜନ ସବୁ ମିଳୁଛି I ଆମିଷ ଓ ନିରାମିଷ ବି ହେଉଛି I ଆଉ ତା ମାସିକ ଲାଭ ର କୋଡିଏ ଶତକଡା ରେ ସେ ଅନାଥ ମାନଙ୍କର ପାଠପଢା ଖର୍ଚ ଉଠାଉଛି I ନିଜେ ଜଣେ ଅନାଥ ହୋଇ ଥିବାରୁ ସେ ବୁଝି ପାରିଛି ଅନାଥ ମାନଙ୍କ ଦୁଃଖ I ତା ପଇସା ରେ ପାଠ ପଢି କେତେ ଯେ ଅନାଥ ଆଜି କେତେ ବଡ ବଡ ପଦ ପଦବୀ ରେ ଅଛନ୍ତି I ଯିଏ ବି ଯେବେ ଦେଖିଲେ ବୁଲୁ ର ପାଦ ଧୂଳି ନେବାକୁ ଭୁଲନ୍ତି ନାହିଁ I

—- ସମାପ୍ତ —-

* * * * * * * * * * * * * * * * * * *

ରମେଶ ଓ କୌଶଲ୍ୟା ଗଳ୍ପ ଟି ପଢିସାରି, ଆଗନ୍ତୁକ ଦୁଇ ଜଣ ଙ୍କୁ ଚାହିଁଲେ I ମନ ରେ ପ୍ରଶ୍ନ ଭର୍ତି I କଣ କହିବାକୁ ଚାହୁଁଛନ୍ତି ଏ ଦି ଜଣ? ଏମିତି ତ କେତେ ଗପ ସେ ଲେଖିଛନ୍ତି I ଏ ଗପଟି ଦେଖେଇବା କାରଣ କଣ? ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ଏମାନେ I

ଏବେ ଆଗନ୍ତୁକ ଜଣେ ଆରମ୍ଭ କଲେ…

ମୋ ବାପା ଥିଲେ ଘର ର ସବୁଠୁ ନିକମା ମଣିଷ I କେବଳ ଖାଇବା ଆଉ ବୁଲିବା ଛଡା ଆଉ କିଛି କାମ ନଥିଲା ତାଙ୍କର I ଜେଜେ ଆଉ ବଡବାପା ଯାହା ରୋଜଗାର କରି ଆଣନ୍ତି ସେଥିରେ ଘର ଚାଲେ I ମୋ ବାପାଙ୍କ ଉପରେ ସମସ୍ତେ ରାଗନ୍ତି, ଗାଳି କରନ୍ତି I କାରଣ ୟେ ରୋଜଗାର ତ କିଛି କରନ୍ତି ନାହିଁ ଓଲଟା ଘରୁ ପଇସା ଚୋରି କରି ଜୁଆ ଖେଳନ୍ତି I ଏମିତି ଦିନେ ଜୁଆ ଖେଳୁ ଖେଳୁ ହାରି ଯାଇଥାନ୍ତି ଦଶ ହଜାର ଟଙ୍କା I ଯାହାକି ପିଉସୀଙ୍କ ବାହାଘର ପାଇଁ ଜେଜେ ବ୍ୟାଙ୍କ ରୁ ଉଠେଇ ଥିଲେ I ଘରକୁ ଯିବାକୁ ଡର ଲାଗିଲା ତାଙ୍କୁ I ଗୋଟେ ଦୋକାନ ରେ ମନ ଦୁଃଖ ରେ ବସି ସେଦିନ ର ଖବରକାଗଜ ଟି ଆଡେଇଲା ବେଳେ ସେ ପଢିଲେ ଆପଣଙ୍କ ଗପଟି I ଆଖି ଆଗରେ ଭବିଷ୍ୟତ ଦେଖିଲା ପରି, ସେ ଦେଖି ପାରୁଥିଲେ ତାଙ୍କ ଭବିଷ୍ୟତ I ଘରେ କାହାକୁ କିଛି ନ ଜଣେଇ ସେ ପଳେଇଲେ ବାଙ୍ଗାଲୋର I ଖୋଜି ଖୋଜି ଓଡ଼ିଆ ରହୁଥିବା ଜାଗାରେ ସେ ଆରମ୍ଭ କଲେ ବରା ଦୋକାନ I ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡିଲେ ବି ପରେ ଭଲ ବେପାର ହେଲା ଆଉ ସେ ରୋଜଗାର କଲେ କୋଟି କୋଟି ଟଙ୍କା I ଆପଣଙ୍କୁ ଗୁରୁ ବୋଲି ମାନୁଥିଲେ I ଲେଖା ର ପ୍ରତି ଟି ଧାଡି କୁ ସେ ଭଗବାନ ବୋଲି ମାନୁଥିଲେ ଓ ଲେଖା ଯେମିତି ହୋଇଛି ସେପରି ସେ କାମ କରି ଚାଲିଲେ I ଆଜି ପ୍ରତି ମାସ ରେ ଆସୁଥିବା ଲାଭ ରୁ କୋଡିଏ ପ୍ରତିଶତ ଅର୍ଥ ଯାଏ ଅନାଥ ଆଶ୍ରମ ରେ ରହୁଥିବା ପିଲାଙ୍କ ପାଠ ପଢା ପାଇଁ I ସବୁ ଗୁରୁବାର ତିନି ଓଳି ଆମିଷ ଓ ନିରାମିଷ ଖାଇବା ଯାଏ ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ କୁ I ଘରେ ଓ ଦୋକାନ ରେ ଠାକୁର ଙ୍କର ଫୋଟୋ ନାହିଁ I ଠାକୁରଙ୍କ ଜାଗାରେ ସେ ପୂଜା କରନ୍ତି ଏ ଗପଟି କୁ I ଏତିକି କହି ସେ ଆଣିଥିବା ଫୋଟୋ ଗୁଡିଏ ଦେଖେଇଲା ରମେଶ ବାବୁ ଆଉ କୌଶଲ୍ୟା ଦେବୀଙ୍କୁ I ଖବରକାଗଜ ର କଟା ଅଂଶ ଖଣ୍ଡେ ସୁନାର ଫ୍ରେମ ରେ ସଜେଇ ହେଇ ପୂଜା ପାଉଛନ୍ତି ଠାକୁର ଘରେ ଓ ଦୋକାନ ରେ I

କୌଶଲ୍ୟା ଦେବୀଙ୍କ ଆଖିରେ ଆସ୍ତେ ଆସ୍ତେ ଲୁହ ଭରି ଆସୁଥାଏ I ଡାଲିଚଟୁ ଟା ସେମିତି ଥାଏ ତାଙ୍କ ହାତରେ I ଲୁଗା କାନି ରେ ସେ ଲୁହ ପୋଛିଲେ I ରମେଶ ବାବୁ ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥାଏ I ଗୋଟିଏ ଗପ ର ଯେ ଏତେ ଶକ୍ତି ସେ ଆଜି ବୁଝି ପାରୁଥିଲେ I ଆଶ୍ଚର୍ଯ୍ୟ ଆଉ ଖୁସି ମିଶା ସ୍ୱର ରେ ପଚାରିଲେ, “ହେଲେ ଆପଣଙ୍କର ଏଠିକୁ ଆସିବାର କାରଣ”?

ଆଗନ୍ତୁକ ଜଣକ ପୁଣି ଥରେ ଆରମ୍ଭ କଲେ…

ତିନିମାସ ତଳେ ଏକ ଦୁର୍ଘଟଣା ରେ ବାପାଙ୍କର ମୃତ୍ୟୁ ହୋଇଗଲା I ଓକିଲ ତାଙ୍କ ଉଇଲ ପେପର ଦେଖିଲା ପରେ ଜଣେଇଲେ ଯେ ସେ ଆପଣଙ୍କ ପାଇଁ ଏକ କୋଟି ପଚାଶ ଲକ୍ଷ ଟଙ୍କା ରଖି ଯାଇଛନ୍ତି I ମୁଁ ଉଇଲ ପଢିଲା ପରେ ମୋ ମନ ରେ ପାପ ଛୁଇଁଲା I ଭାବିଲି କାହାକୁ କିଛି ନ ଦେଲେ କଣ ଅସୁବିଧା ହେଉଛି? କିନ୍ତୁ ପ୍ରାୟ ପନ୍ଦର ଦିନ ହେଲାଣି ସବୁଦିନ ସେ ମୋ ସ୍ବପ୍ନ ରେ ଆସି ପଚାରୁଛନ୍ତି “ମୋ ଗୁରୁଙ୍କୁ ପଇସା ଦେଲୁ ନା ନାହିଁ”? ପରେ ଆଉ ଥରେ ଉଇଲ ପଢିଲା ପରେ ଜାଣିଲି, ଯଦି ତାଙ୍କର ମୃତ୍ୟୁ ର ଛଅ ମାସ ଭିତରେ ମୁଁ ଆପଣଙ୍କୁ ଖୋଜି ଆପଣଙ୍କ ପଇସା ନଦିଏ ତେବେ, ବାପାଙ୍କର ସବୁ ସମ୍ପତ୍ତି ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ ଭିତରେ ସମାନ ଭାବରେ ବାଣ୍ଟି ଦିଆଯିବ I ଉଇଲ ପଢିଲା ପରେ ମୁଁ ଦୋକାନ କୁ ମ୍ୟାନେଜର ହାତରେ ଦେଇ ପ୍ରଥମେ ଏ କାଗଜ ରୁ ଠିକଣା ନେଇ ପହଞ୍ଚିଲି ଆପଣଙ୍କ କଲେଜ ରେ I ବହୁତ କଷ୍ଟ ରେ କଲେଜ ରୁ ଆପଣଙ୍କ ଗାଁ ର ଠିକଣା ପାଇ ଯାଇଥିଲି ଗାଁ କୁ ଆଉ ଗାଁ ଲୋକଙ୍କ ଠୁ ଠିକଣା ପାଇ ଆସି ପହଞ୍ଚିଲି ଏଠି, ଆପଣଙ୍କ ଘରେ I

ଆଜି ଗୁରୁ ଦିବସ I ମୋ ବାପାଙ୍କ ଗୁରୁ ହିସାବରେ ଦୟାକରି ଏ ଟଙ୍କା କୁ ଗ୍ରହଣ କରନ୍ତୁ ଗୁରୁ ଦକ୍ଷିଣା ଭାବରେ ଆଉ ମୋ ବାପାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ I କହୁ କହୁ ସେ ରମେଶ ବାବୁଙ୍କ ଗୋଡ ତଳେ ପଡିଗଲେ I ରମେଶ ବାବୁଙ୍କର ମନେ ପଡି ଯାଉଥିଲା ମହାଭାରତ ର ଏକଲବ୍ୟ କାହାଣୀ ଟି I

ରମେଶ ବାବୁ ତାଙ୍କୁ ତଳୁ ଉଠେଇ କୁଣ୍ଢେଇ ପକେଇଲେ I ଆଖିରୁ ଆନନ୍ଦ ର ଲୁହ ବୋହି ଯାଉଥାଏ… କୌଶଲ୍ୟା ଦେବୀ, ରମେଶ ବାବୁଙ୍କ ପାଇଁ ସଜେଇ ରଖିଥିବା ତାଚ୍ଛଲ୍ୟ ଭରା କଥା ଗୁଡିକୁ ମନେ ପକେଇ ଜିଭ କାମୁଡି ଦେଲେ…

ଖୁସି ମନରେ ଆଗନ୍ତୁକ ଦୁଇ ଜଣ ଘରୁ ବାହୁଡ଼ି ଯିବା ପରେ …

କୌଶଲ୍ୟା ଦେବୀ ହାଁ କରି ଅନେଇଥିଲେ ଏକ କୋଟି ପଚାଶ ଲକ୍ଷ ଲେଖା ହୋଇଥିବା ଚେକ ଟିକୁ ଆଉ ରମେଶ ବାବୁ ଗୁରୁ ଦିବସ ରେ ସାହିତ୍ୟ ଦିଦିଙ୍କୁ ହାତ ଯୋଡି ପ୍ରଣାମ କରୁଥିଲେ I

—- ସମାପ୍ତ —-

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ପାରିଶ୍ରମିକ

ପାରିଶ୍ରମିକ

ସୁବଳ ମହାପାତ୍ର

ବସଷ୍ଟାଣ୍ଡ ରେ ବସ ରୁ ଓ଼ଲ୍ଳେହି ସାରିଲା ପରେ ଚାରି ଆଡକୁ ଚାହିଁଲା ସେ I ଖୋଜୁ ଥିଲା ଗୋଟେ ରିକ୍ସା I ପାଖରେ ଅଟୋ ଗୁଡିକ ଥିଲେ ବି ତାକୁ କାହିଁକି ଭଲ ଲାଗେନି ଅଟୋ ରେ ଯିବା ପାଇଁ I ଆଜି କାଲି ଅଟୋ ର ପ୍ରାବଲ୍ୟ ରେ ପେଷି ହେଇ ଗଲେଣି ରିକ୍ସା ଵାଲା ଗୁଡିକ I ଅଟୋ ଵାଲା ତିନି କିଲୋମିଟର କୁ ନିଅନ୍ତି ୫୦ ଟଙ୍କା I ସମୟ ନଷ୍ଟ କରିବାକୁ କେହି ଚାହାନ୍ତି ନାହିଁ I ସବୁଠି ଦୌଡ I ଯେମିତି ପ୍ରତିଯୋଗିତା ଲାଗିଛି I ଶୀଘ୍ର ନ ପହଁଚିଲେ ସବୁ ସରିଯିବ I ହେଲେ କେବେ କିଏ ଭାବେ ଏ ରିକ୍ସା ବାଲାଙ୍କ କଥା ? କଣ ଖାଉଥିବେ ସେମାନେ? କେମିତି ରହୁଥିବେ ସେମାନେ? ଅଧିକାଂଶ ରିକ୍ସା ବାଲାଙ୍କ ପାଖେ ନିଜର ରିକ୍ସା ଖଣ୍ଡିଏ ନ ଥାଏ I ସେମାନେ ଭଡା ରେ ଆଣନ୍ତି I ଦିନକୁ ୫୦ ଟଙ୍କା I ବାକି ଯାହା ଲାଭ ହେଲା ତାଙ୍କର I ହେଲେ କେତେ? ଦିନ ସାରା ଯଦି ଭଲ ଭଡା ମିଳିଲା ତ ମିଳିବ ୨୦୦ ଅବା ୨୫୦ ଟଙ୍କା I ରିକ୍ସା ମାଲିକ ନେଇଯିବ ୫୦ ଆଉ ୨୦୦ ଟଙ୍କା ରେ ସବୁ I କେବେ କେବେ ଭଡା ନ ଜୁଟିଲେ ହାତରୁ ଦେବାକୁ ପଡେ I ରିକ୍ସା ଵାଲା ତିନି କିଲୋମିଟର କୁ ଡାକେ ୨୫ ନିଏ ୨୦ I

ଏ ରିକ୍ସା, ଦୁର୍ଗାଦେବୀ ଛକ ଯିବୁ?

ହଁ, ଆଜ୍ଞା !!

କେତେ ନବୁ?

୩୦ ଦେବେ .. ଦାନ୍ତ ନିକୁଟି କହିଲା ରିକ୍ସା ଵାଲା ଟି I

ବୟସ ୧୮-୨୦ ହେବ I ବଳିଷ୍ଠ ଚେହେରା I ଝୁମ୍ପୁରା ବାଳ I ବୋଲ ବମ ପେଣ୍ଟ କୁ ବୋଲ ବମ ସାର୍ଟ ଖଣ୍ଡେ ପିନ୍ଧି ଥାଏ I ପେଡାଲ ଉପରେ ଗୋଟେ ଗୋଡ ରେ ଠିଆ ହୋଇ ଆର ଗୋଡ ଟିକୁ ରିଲାକ୍ସ କରୁଥାଏ I ରିକ୍ସା ଟିକୁ ରଙ୍ଗୀନ ଝାଲର ସହ ସଜେଇ ଥାଏ I ନିଶ ଟିକେ ଟିକେ ଗଜୁରି ଆସୁଥାଏ I ଡଉଲ ଡାଉଲ ଚେହେରା ଟି I

୩୦? ୨୦ ରେ ଯାହାକୁ ଯେତେ…

ନାଇଁ ବାବୁ ପୋଷେଇବନି.. ଏଠୁ ସାଢେ ତିନି କିଲୋମିଟର ହବ I ପୁଣି ସେପଟେ ରାସ୍ତା ଖରାପ I

କଣ ପୋଷେଇବନି!! ଅଟୋ ରେ ସିନା ତେଲ ପଡୁଛି I ତମର କଣ ରିକ୍ସା ରେ ବି ତେଲ ପଡୁଛି କି ? ପୋଷେଇବନି ହୁଁ.. ଚାଲ.. ଚାଲ..

ନାଇଁ ବାବୁ.. ଏତେ ଗୁଡ଼େ ବାଟ ପୁଣି ଫେରିଲା ବେଳକୁ ଭଡା ମିଳିବନି I ସନ୍ଧ୍ୟା ଆସି ହେଲାଣି I

ତ ? ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟ ରେ ଘରେ ପହଞ୍ଚି ବି I ପଇସା ଟିକେ କମ ନକଲେ ମୁଁ ତୋ ସହ କାଇଁ ଯିବି ?

ନାଇଁ ବାବୁ ୩୦ !!

ଥାଉ ଥାଉ… ଯା… ମୁଁ ଅନ୍ୟ ଆଡେ ଦେଖେ I

ହଉ.. ବାବୁ.. ୨୫ ଦିଅନ୍ତୁ !!

କହିଲି ପରା ୨୦ I ପୁଣି ୨୫ କଣ ?

ହଉ.. ବସନ୍ତୁ…

ଦୁଇଟି ଭାରି ଟ୍ରଙ୍କ ସହ ଗୋଟିଏ ବସ୍ତା ଉଷୁନା ଚାଉଳ ଆଉ ସେ ନିଜେ ଲୋଡ ହେଇ ଗଲା ରିକ୍ସା ରେ I ରିକ୍ସା ଟି ବି ଆଗେଇ ଚାଲିଲା ଆବଡ଼ା ଖାବଡ଼ା ରାସ୍ତା ରେ I ମନେ ମନେ ଖୁସି ଥିଲା ସେ I ଯାହା ହଉ ୨୦ ଟଙ୍କା ରେ ଛିଣ୍ଡିଲା I ଛଅ ମାସ ତଳେ ବି ସେ ୨୦ ଟଙ୍କା ଦେଇଥିଲା I ପିଲାଟି ଖୁବ ଶୀଘ୍ର ଶୀଘ୍ର ଚଳାଉ ଥାଏ I ଭଡା କୁ ଶୀଘ୍ର ଛାଡି ଫେରିଲେ ଆଉ ଗୋଟେ ଦି ଟା ଭଡା ମାରିବା ଉଦ୍ଦେଶ୍ୟ ରେ I ଯାହା ହେଉ ଖୁବ ଶୀଘ୍ର ପହଞ୍ଚିଗଲା I ପିଲାଟି କୁ ୨୦ ଟଙ୍କା ଦେଇ ବିଦା କଲା I ପିଲାଟି ବି ସଲାମ ଟିଏ ଠୁଙ୍କି ରିକ୍ସା ବୁଲେଇ ପଳେଇଗଲା I

ସବୁ ଜିନିଷ ସଜାଡି କି ରଖିବା ବେଳେ ଦେଖିଲା ପକେଟ ରେ ଭାଣିଜୀ ବାହାଘର ପାଇଁ ଆଣିଥିବା ସୁନା ହାର ଟି କେଉଁଠି ଖସି ପଡିଥିଲା I

ଦି ଦିନ ପରେ ଭାଣିଜୀ ବାହାଘର I ଚାଉଳ ବସ୍ତା ସହ ଦି ଟା ଟ୍ରଙ୍କ ରେ ଜିନିଷ ଭରି ସେ ଆଣିଛି I କାଳେ କେଉଁଠି ହଜି ଯିବା ବୋଲି ସୁନା ଚେନ ଟି ରଖିଥିଲା ପଞ୍ଜାବୀ ପକେଟ ରେ I ଏବେ ଖୋଜିବ କେଉଁଠି? ବସ ରେ ଖସି ପଡିଲା ? କି ରିକ୍ସା ରେ ? ଯେଉଁଠି ପଡ଼ିଥିଲେ ବି ଯିଏ ପାଇବ ସେ କଣ ଆଉ ଦବ ? ବସ ରୁ ଓ଼ଲ୍ଳେହିଲା ପରେ ସେ ବୋଧ ହୁଏ ପକେଟ ରେ ହାତ ମାରି ଦେଖିଥିଲା I ସେତେବେଳେ ଥିଲା ବୋଧେ I ତେବେ ରିକ୍ସା ଧରିବା ପୂର୍ବରୁ କି ଧରିବା ପରେ ରିକ୍ସା ରେ ପଡ଼ିଥିବ ସେ ଭାବି ପାରୁ ନଥିଲା I ବୁଦ୍ଧି ବାଟ ଦିସୁ ନଥିଲା ତାକୁ I ଏବେ କରିବ କଣ ? ମାମୁ ଘର ଯେହେତୁ ଭଲ କାଟି ଗୋଟେ ନ ଦେଲେ ଦିଶିବନି ବୋଲି ଭାବି ପୁରା ୨୦ ଗ୍ରାମ ଓଜନ ର ହାର ଟି I ମୁଣ୍ଡରେ ହାତ ଦେଇ ବସି ପଡିଲା I ନାନୀ, ଭିଣୋଇ , ଭାଣିଜୀ , ଭଣଜା ଯିଏ ଯେତେ ବୁଝେଇଲେ ବି ବୁଝି ପାରୁ ନଥିଲା ସେ I କି ଯୋଗ ଥିଲା ଆଜି କେ ଜାଣି I ଭଗବାନଙ୍କୁ ବହୁତ ଗାଳି କରି କରି ଶୋଇବାକୁ ଗଲା ସେ I

ସକାଳୁ ଉଠୁ ଉଠୁ ଭଗବାନଙ୍କୁ ଦେଖି ପାରିଲା ସେ I

କହିବା ବାହୁଲ୍ୟ ସେ ରିକ୍ସା ଵାଲା ପିଲାଟି ଆସିଥିଲା ରିକ୍ସା ରେ ପଡ଼ିଥିବା ସୁନାହାର ଟିକୁ ଫେରେଇବାକୁ ….ଆଉ ଦାବି କରୁଥିଲା ୨୦ ଟଙ୍କା…

ବସଷ୍ଟାଣ୍ଡ ରୁ ଦୁର୍ଗାଦେବୀ ଛକ ଯାଏ ତା ପାରିଶ୍ରମିକ …..

—X—

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ରକ୍ତ ଦାନ ମହତ ଦାନ

ରକ୍ତ ଦାନ ମହତ ଦାନ

 

       ରବିବାର, ସକାଳୁ ସକାଳୁ ନିଦ ଭାଙ୍ଗିଗଲା I ଉଠି ଦେଖିଲି ରାସ୍ତା ଉପରେ ଗାଈ, ବଳଦ ଧରି ବେପାରୀ ସବୁ ହାଟକୁ ଯାଉଥାନ୍ତି I ପନିପରିବା ଧରି ଚାଷୀ ବି ଯାଉଥାନ୍ତି ହାଟକୁ I ବହୁତ ଦିନ ପରେ କାହିଁକି କେଜାଣି ମନ ହେଲା ହାଟ ଆଡେ ଟିକେ ବୁଲି ଆସିବା ପାଇଁ I ଛୋଟ ବେଳେ ଅଜାଙ୍କ ସହ ହାଟକୁ ଯାଏ I ପରିବା ବ୍ୟାଗ କାନ୍ଧେଇ ହାଟ ରୁ ଫେରୁ I ଓଡିଶା ବାହାରକୁ ଆସିବା ପରଠୁ ଆଉ ହାଟ ଆଡେ କେବେ ଯାଇ ନଥିଲି ମୁଁ I ଘରେ କାହାକୁ କିଛି ନ ଜଣେଇ ମୁଁ ବାହାରି ଗଲି ହାଟ ଆଡେ I ପରିବା ପତ୍ର ର ଦାମ ତ ଜଣା ନଥାଏ, କାଳେ ଠକି ଗଲେ ମା ଗାଳି ଦେବ, ସେ ଡର ରେ ଏଇଠୁ ଆସୁଛି କହି ବାହାରି ଗଲି I ହାଟକୁ ପଶୁ ପଶୁ ବହୁତ କିଛି ବଦଳି ଯାଇଥିବାର ମନେ ହେଲା I ଆଗରୁ ସାଇକେଲ ଷ୍ଟାଣ୍ଡ ଜାଗା ରେ ଏବେ ବାଇକ ଷ୍ଟାଣ୍ଡ I ଆଗରୁ ଲୋକ ସବୁ ଧୋତି ଗାମୁଛା ପିନ୍ଧି ଆସୁଥିବା ବେଳେ ଏବେ ସବୁ ପେଣ୍ଟ ସାର୍ଟ ପିନ୍ଧା ବାବୁ I ଆଗ ପରି ଚାଷୀ ଆଉ ମଳିମୁଣ୍ଡିଆ ଏବେ ଆଉ ଦେଖାଯାଉ ନଥାନ୍ତି I ଏମିତି ପରିବା ଦାମ ପଚାରି ପଚାରି ବୁଲୁ ବୁଲୁ ଗୋଟେ ଜାଗାରେ ଜଣେ ଲୋକ ମଇଳା ଲୁଗା ପିନ୍ଧି ଗୋଟେ ପ୍ଲାକାର୍ଡ଼ ଧରି ଠିଆ ହୋଇଥିବାର ଦେଖିଲି I ଶୀର୍ଣ୍ଣକାୟ ଶରୀର, ଲମ୍ବା ନାକ ଟି ଚଢେଇ ର ଥଣ୍ଟ ପରି ଆଗକୁ ବାହାରି ଥାଏ I ମୁଣ୍ଡରେ ଜଟା, ପାଖରେ ଛିଣ୍ଡା ଝୁଲା (ବ୍ୟାଗ) ଖଣ୍ଡେ, ନିଶ ଦାଢ଼ି ପାଚି ଆସିଲାଣି, ପିନ୍ଧିଥାଏ ମଇଳା କୁର୍ତା କୁ ତେଲ ଚିକିଟା ହୋଇ କଳା ହୋଇ ଯାଇଥିବା ଧଳା ଲୁଗା ଖଣ୍ଡେ I ଟିକେ କୌତୁହଳ ହେଲାରୁ ପାଖକୁ ଯାଇ ପ୍ଲାକାର୍ଡ଼ ର ଲେଖା ପଢ଼ିଲି I ଦୂରରୁ “ରକ୍ତ ଦାନ କରନ୍ତୁ” ବଡ ବଡ ଅକ୍ଷର ରେ ଲେଖା ଯାଇଥିବାର ଦେଖା ଗଲେ ବି ପାଖରୁ ଛୋଟ ଛୋଟ ଅକ୍ଷର ରେ ଲେଖା ଯାଇଥିଲା “ଅନୁଗୁଳ ଡାକ୍ତରଖାନା ବେଡ଼ ନମ୍ବର ୩୬ ପାଇଁ ରକ୍ତଦାନ କରନ୍ତୁ I ବ୍ଲଡ଼ ଗୃପ A+ve ” I

 

      ପ୍ରଥମ ଥର ପାଇଁ ଏପରି ଗୋଟେ ଅଜବ ଜିନିଷ ହାଟ ରେ ଦେଖି କୌତୁହଳ ଆଉ ଟିକେ ବଢ଼ିଲା I ପାଖ ଦୋକାନୀ କୁ ପଚାରିଲି I ସେ କହିଲା “ହଁ ବାବୁ , ସେ ସବୁ ରବିବାର ଆସି ଏଇଠି ଠିଆ ହୁଏ I କିନ୍ତୁ ପ୍ଲାକାର୍ଡ଼ ରେ ସବୁ ଥର ଅଲଗା ଅଲଗା ବେଡ଼ ନମ୍ବର ଆଉ ବ୍ଲଡ଼ ଗୃପ ଲେଖା ଯାଇଥାଏ I କିଏ ଦିଏ କି ଦିଏନି ସେ ସବୁ ମୁଁ ଜାଣିନି I ମୁଁ ତାକୁ ପ୍ରାୟ ବର୍ଷେ ହେଲାଣି ଏଇଠି ଦେଖି ଆସୁଛି ” I ତା କଥା ଶୁଣି କୌତୁହଳ ଆଉ ଟିକେ ବଢ଼ିଲା କିନ୍ତୁ ହାଟ ରେ ଦି ତିନି ଜଣ ସାଙ୍ଗ ଦେଖା ହୋଇ ଯିବାରୁ ଅନ୍ୟ ମନସ୍କ ଭାବେ ମୁଁ ଅନ୍ୟ ଆଡେ ବୁଲାବୁଲି କରି କିଛି ନ ଆଣି ଘରକୁ ଫେରିଲି I ଗାଧୋଇ ଖାଇ ଖଟ ରେ ଟିକେ ଗଡୁ ଗଡୁ ସେ ଲୋକ ଟି କଥା ମନ ରେ ଆସିଲା I କିଏ ସେ? କଣ କରୁଛି ? ଯଦି କାହାର ରକ୍ତ ଦରକାର ସେ ତ ବ୍ଲଡ଼ ବ୍ୟାଙ୍କ ରୁ ପାଇ ପାରିବ ନହେଲେ ଏବେ ତ ସ୍ୱେଚ୍ଛାସେବୀ ସଂସ୍ଥା ସବୁ ଅଛନ୍ତି ସେମାନେ ତ ସାହାର୍ଯ୍ୟ କରୁଛନ୍ତି I ପୁଣି ୟା ବେଶ ଭୁଷା ଦେଖି କିଏ ୟା ପାଖକୁ ଆସିବ ? ନା କିଏ ରକ୍ତ ଦେବ? ଏଇଟା ଗୋଟେ ଠକ ନୁହେଁ ତ ? ଏବେ ତ ବିଭିନ୍ନ ଉପାୟ ରେ ଲୋକ ଠକୁଛନ୍ତି I ରକ୍ତ ବିକି ପଇସା ଆଣୁଛନ୍ତି I  ତେବେ ପ୍ରକୃତ ଘଟଣା କଣ? ଜାଣିବାକୁ ଇଛା ହେଲା I ହେଲେ ଜାଣିବି କେମିତି ଭାବି ଭାବି ଶୋଇ ପଡିଲି I
       ସନ୍ଧ୍ୟା ରେ ଉଠି ଛକ ଆଡେ ବାହାରିଲି I ଛକ ରେ ଜଣେ ବଡଭାଇ ଦେଖାହେଲେ ଯିଏ କି ଜଣେ ସ୍ବେଛାସେବୀ I ତାଙ୍କୁ ଏ ଲୋକ ବିଷୟରେ ପଚାରିଲି ଆଉ ହାଟରେ ଦେଖିଥିବା ଘଟଣା ଟି କହିଲି I ସେ କହିଲେ,” ହଁ, ସେ, ଦିନାଭାଇ I ରକ୍ତ ଦରକାର ହେଉଥିବା ରୋଗୀ ମାନଙ୍କ ପାଇଁ ରକ୍ତ ମାଗେ I ସବୁ ଥର ସେ ଡାକ୍ତରଖାନା ରେ କାହାଠୁ ନା କାହାଠୁ ରୋଗୀ ର ବେଡ଼ ନମ୍ବର ଆଉ ବ୍ଲଡ଼ ଗୃପ ତା ପ୍ଲାକାର୍ଡ଼ ରେ ଲେଖି ନିଏ ଆଉ ସବୁ ରବିବାର ଆସି ଏ ହାଟରେ ଠିଆ ହୁଏ” I
— କିନ୍ତୁ କେହି ଆସନ୍ତି ବ୍ଲଡ଼ ଦେବାକୁ? ମୁଁ ପଚାରିଲି !!!
— ହଁ, ସବୁ ଥର କିଛି କିଛି ଲୋକ ଆସନ୍ତି I କିଛି ଲୋକ କୌତୁହଳ ବଶତଃ ଦେଖିବାକୁ ଆସନ୍ତି ଘଟଣା କ’ଣ? ଆଉ ବ୍ଲଡ଼ ଦେଇକି ଯାଆନ୍ତି I ଏପରିକି କିଛି କିଛି ରେୟାର ବ୍ଲଡ଼ ଗୃପ ର ରକ୍ତ ବି ଏହିପରି ମିଳିଯାଏ ଆଉ ରୋଗୀମାନେ ବହୁତ ଧନ୍ୟବାଦ ଦିଅନ୍ତି ଦିନାଭାଇ କୁ I ବେଳେବେଳେ ତ ବହୁତ ଲୋକ ଆସନ୍ତି ଆଉ ସବୁ ବ୍ଲଡ଼ ବ୍ଲଡ଼ ବ୍ୟାଙ୍କ ରେ ରହେ I
ମୋତେ ଆଉ ଟିକେ ଜାଣିବାକୁ ଇଛା ହେଲା ତ ମୁଁ ପୁଣି ପଚାରିଲି,” ଆଛା, ୟା ପଛରେ ଘଟଣା କଣ? ଏମିତି କାହିଁକି ?”
— ସେ କହିଲେ … ଦିନାଭାଇ ର ଘର ଏଠୁ ୧୬ କିଲୋମିଟର ଦୂର ଏକ ଗାଁ ରେ I ଧନ ସମ୍ପତି ଜମିବାଡ଼ି ବହୁତ ଥିଲା ତା’ର I ତା ସ୍ତ୍ରୀ କୁ ଥରେ ଜର ହେଲା ଆଉ ପରୀକ୍ଷା କରିବା ପରେ ଜଣ ପଡିଲା ଯେ ତାକୁ ବ୍ଲଡ଼କ୍ୟାନ୍ସର I ସବୁ ମାସ ରେ ତାକୁ ପ୍ରାୟ ତିନି ଚାରି ଥର ରୁ ଅଧିକ ଥର ବ୍ଲଡ଼ ଦେବାକୁ ପଡେ I ସ୍ତ୍ରୀ କୁ ଭଲ କରିବାକୁ ସେ ତା ଜମି ବାଡ଼ି ସବୁ, ଶାଗ ମାଛ ଦର ରେ ବିକ୍ରି କରି ଦେଲା କିନ୍ତୁ ବଞ୍ଚେଇ ପାରିଲା ନାହିଁ I ରକ୍ତ ନ ପାଇ ବିଚାରି ଦେଢ଼ ବର୍ଷ ତଳେ ମରିଗଲା I ତା ପରଠୁ ସେ ସେଇ ଡାକ୍ତର ଖାନା ରେ ହିଁ ରହେ, ସେଇଠି ଖାଏ ସେଇଠି ଶୁଏ ଆଉ ସବୁ ଦିନ ଭିନ୍ନ ଭିନ୍ନ ହାଟ କୁ ଯାଇ ଏହିପରି ପ୍ଲାକାର୍ଡ଼ ଧରି ଠିଆ ହୁଏ I ବର୍ଷେ ଭିତରେ ତା ପାଇଁ ପାଖାପାଖି ଶହେ ଦୁଇଶହ ଲୋକ ବଞ୍ଚିଲେଣି I ଡାକ୍ତର ଖାନା ରେ ଦିନା ଭାଇ କୁ ସମସ୍ତେ ଜାଣିଛନ୍ତି ଆଉ ରୋଗୀଙ୍କ ସମ୍ପର୍କୀୟ ମାନେ ହିଁ ତାକୁ ପାଳି କରି ଖାଇବା ପିଇବାକୁ ଦିଅନ୍ତି I ଗାଁ ରେ ତ ତାର ଆଉ କିଛି ନାହିଁ I ଗାଁ ଲୋକ ଡାକିଲେ ବି ସେ ଆଉ ଯାଉନି ସେଠିକି I
          ଏତକ ଶୁଣିଲା ପରେ ମୋ ମନ କାହିଁ ଗୋଳେଇ ଘାଣ୍ଟି ହେଲା I କିଛି ନଥିବା ଗୋଟେ ଲୋକ ର ଏତେ ବଡ ହୃଦୟ? ମୁଁ ତ ତାକୁ ପ୍ରଥମେ ଠକ ବୋଲି ଭାବିଥିଲି I ମୋତେ କାହିଁକି କେଜାଣି ଟିକେ ମାଡି ମାଡି ପଡିଲା I ଆଜି ଯାଏ କେବେ ବି ରକ୍ତ ଦେଇ ନ ଥିବା ଏ ଦେହ ଭିତରେ ରକ୍ତ ଗୁଡିକ ଯେମିତି ଆନ୍ଦୋଳନ କଲାପରି ତୀବ୍ର ବେଗ ରେ ଦୌଡିବାକୁ ଲାଗିଲେ I ରାତିରେ ନିଦ ହେଲାନାହିଁ I ସକାଳୁ ଉଠି ମୁଁ କାହାକୁ କିଛି ନ ଜଣେଇ ଡାକ୍ତରଖାନା ଅଭିମୁଖେ ବାହାରିଲି I ମନରେ ଥାଏ ଆଜି ଯାହା ହେଲେ ବି ଦିନାଭାଇ ସହ ଦେଖା କରିବି I ଡାକ୍ତର ଖାନା ରେ ପହଞ୍ଚି ପ୍ରଥମେ ଦିନାଭାଇ କୁ ଖୋଜିଲି I ନଳକୂଅ ପାଖରେ ନିଜର ଭଙ୍ଗା ଚେପା ରସ ତାଟିଆ ରେ ସେ ଢକ ଢକ କରି ପାଣି ପିଇସାରି, ତାଟିଆ କୁ ତା ଛିଣ୍ଡା ଝୁଲା (ବ୍ୟାଗ) ରେ ରଖି ବାହାରୁଥିଲା କେଉଁ ଏକ ହାଟ ଉଦ୍ଦେଶ୍ୟ ରେ I ତାପାଖରେ ପହଞ୍ଚି ତା ସହ ଅଳ୍ପ ବହୁତ କଥା ହୋଇ ଜାଣିବାକୁ ଚାହିଁଲି ତା ବିଷୟ ରେ ଆଉ ତା’ର ଏ କାମ ବିଷୟ ରେ I କାହିଁକି ରୁ ଆରମ୍ଭ କଲି ମୋ ପ୍ରଶ୍ନ I ସେ ବି ଧୀର ସ୍ଥିର ଭାବରେ ମୋ ସବୁ ପ୍ରଶ୍ନ ର ଉତ୍ତର ଦେବାକୁ ଲାଗିଲା I
— ଏସବୁ କେବେଠୁ କରୁଛ ?
— ପ୍ରାୟ ଦେଢ଼ବର୍ଷ ହେଲା I
— କାହିଁକି? କିଏ ତମକୁ କହିଲା କରିବା ପାଇଁ ନା ଏମିତି ଖାଲି ?
— ଦୀର୍ଘ ଶ୍ୱାସ ନେଇ ସେ କହିଲା .. ” ମୋ ସ୍ତ୍ରୀ ଯେମିତି ରକ୍ତ ଟିକେ ନପାଇ ମରିଗଲା, ସେମିତି ଆଉ କେହି ନ ମରନ୍ତୁ” I
  ମୁଁ ଏବେ ଜାଣିବା ପାଇଁ ଚାହିଁଲି ତା ର ପୁରା ଇତିହାସ, ଜୀବନ କାହାଣୀ I ସେ କହିଚାଲିଲା ..
       ବାପା ମଲା ବେଳକୁ ମୋତେ ଦଶବର୍ଷ I ଛାଡି ଯାଇଥିଲେ ବହୁତ ଜମି ବାଡ଼ି, କୋଠିଆ, ଚାକର, ସୁନାରୂପା ଆଉ ଧନ ସମ୍ପତି I ମା ମୋତେ ପଢ଼େଇ ଲେଖେଇ ବଡ କଲେ କିନ୍ତୁ କିଛି ଦିନ ପରେ ସେ ବି ଆଖି ବୁଜିଲେ I ବାପା ମା ଛେଉଣ୍ଡ ହେଲା ବେଳକୁ ମୋତେ ପନ୍ଦର ବର୍ଷ ବୟସ I ମୋର ଦଶମ ପରୀକ୍ଷା ଥାଏ ଦି ମାସ ପରେ I ମା କୁ ମନେ ପକେଇ ମୁଁ ଆଉ ପଢି ପାରିଲିନି I ଫେଲ ହେଲି ଆଉ ଜମିବାଡ଼ି ରେ ମନ ଦେଲି I ବାପା ଗଲା ପରେ ମା ସବୁ ଦେଖୁଥିଲା, ବୁଝୁଥିଲା I ଏବେ ମୁଁ ଏକା ହୋଇଗଲା ପରେ ଚାକର ବାକର ସବୁ ଠକିବାକୁ ଲାଗିଲେ I କେବଳ ଧୀର ମଉସା ହିଁ ମୋତେ ବାଟ ଦେଖେଇଥିଲେ ଆଉ ସବୁ ସମ୍ଭାଳି ନେଲେ I ଧୀର ମଉସା, ଆମ ଘରେ ହଳିଆ ଥିଲେ ତାଙ୍କ ବାହାଘର ପରେ ପରେ I ତାଙ୍କ ସ୍ତ୍ରୀ ମୋ ମା ଘର ଗାଁ ରୁ, ତ.. ମୁଁ ତାଙ୍କୁ ମାଉସୀ ଡାକେ ଆଉ ୟାଙ୍କୁ ମଉସା I କିଛି ଦିନ ପରେ ସେ ସୁରଟ ପଳେଇଥିଲେ ଆଉ ଦି ବର୍ଷ ପୂର୍ବରୁ ଆସି ତାଙ୍କ ଗାଁ ରେ ଗୋଟେ ଛୋଟ ଦୋକାନ ଦେଇ ଚଳୁଥିଲେ I ବାପା ଗଲା ପରେ ମା ଏକା ସବୁ କାମ କୁ ନ ପାରିବାରୁ ପୁଣି ତାଙ୍କୁ ଡକେଇଥିଲେ I ସେ ଆଉ ମାଉସୀ ଆର ଗାଁ ରେ ରୁହନ୍ତି I ତାଙ୍କର ଗୋଟିଏ ବୋଲି ଝିଅ ସେ ତା ଆଇ ଘରେ ରୁହେ I ବେଳେ ବେଳେ ଛୋଟ ବେଳେ ଆମ ଘରକୁ ଆସେ କିନ୍ତୁ ବଡ ହେଲାପରେ ସେ ଆଉ ଆସେନି I ବର୍ଷେ ପରେ ସେ ଜମିବାଡ଼ି ସବୁ ବୁଝା ବୁଝି କଲାରୁ ମୁଁ ପୁଣି ଦଶମ ପରୀକ୍ଷା ଦେଲି ଆଉ ପ୍ରଥମ ଶ୍ରେଣୀ ରେ ପାସ କରି ବିଜ୍ଞାନ ରେ ନାଁ ଲେଖେଇଲି I ନୂଆ ନୂଆ କଲେଜ ଯାଉଥାଏ ମୁଁ , ମନ ଯେମିତି ଗଗନ ରେ ଉଡୁଥାଏ I ନୂଆ କଲେଜ, ନୂଆ ନଲେଜ, ନୂଆ ସାଙ୍ଗ ଆଉ କୁତୁକୁତିଆ ମନ I ସାଙ୍ଗ ମାନଙ୍କୁ ଦେଖି ପ୍ରେମ କରିବାକୁ ଇଛା ହେଲା I ସବୁ ଦିନ ଗଲା ଆସିଲା ବାଟ ରେ ଝିଅ ଟିଏ ଖୋଜୁଥାଏ ମୁଁ I କଲେଜ ଭିତରେ ବାହାରେ, କ୍ଲାସ ରେ ସବୁ ଆଡେ I ସେଦିନ କଥା ଆଜି ବି ମନେ ଅଛି I ଗଣିତ କ୍ଲାସ ପରେ ଓଡ଼ିଆ କ୍ଲାସ ଥାଏ I ଆମେ ସବୁ ସାଙ୍ଗ ଟିକେ ଦୁଷ୍ଟାମୀ କରିବା ପାଇଁ ସେଦିନ ଓଡ଼ିଆ କ୍ଲାସ ରେ ପଛ ବେଞ୍ଚ ରେ ବସିଥାଉ I ସେଦିନ ଆଉ ଏକ ଗୃପ ର କ୍ଲାସ ବି ଆମ ସହ ଥାଏ I ଶିକ୍ଷକ ଆହୁରି ଆସି ନଥାନ୍ତି I ଏତିକି ବେଳେ କ୍ଲାସ କୁ ପଶି ଆସିଲା ଧୀର ମଉସାଙ୍କ ଝିଅ “ଲିପି” I ମୋଠୁ ବର୍ଷେ ସାନ I ଛୋଟ ବେଳେ କେବେ କେମିତି ତାକୁ ଦେଖିଛି କିନ୍ତୁ ବଡ ହେଲା ପରେ ଆଉ ଦେଖି ନଥିଲି ତାକୁ I ଦେଖୁ ଦେଖୁ କେମିତି ସମ୍ମୋହିତ ହୋଇଗଲି I ପୁରା କ୍ଲାସ ରେ ଭାଙ୍ଗ ଖାଇଲା ପରି ମୁଁ କେବଳ ତାକୁ ହିଁ ଦେଖୁ ଥାଏ I ଏତେ ସୁନ୍ଦର ମୁହଁ, ଶୁଆ ଥଣ୍ଟ ପରି ନାକ, ମୁଲୁମୁଲୁ ଆଖି, ରେଶମ ପରି ବାଳ, ବଳିଲା ବଳିଲା ଦେହ ଆଉ ଚାଲି !!! ଓଃ … ଆଗରୁ ଏମିତି ଝିଅ ମୁଁ ଦେଖିନି I ଦେଖୁ ଦେଖୁ ଆଖି ଲାଗି ଯାଇଥାଏ I ସେ ଆମ ଚାକର ର ଝିଅ ହେଲେ ବି କାହିଁକି କେଜାଣି ମୁଁ ଆଉ ମୋ ଆୟତ ରେ ନ ଥାଏ I ଯେମିତି ସେମିତି କରି କ୍ଲାସ ସରିଲା I କ୍ଲାସ ରେ କଣ କଣ ସବୁ ପଢା ହେଲା ମୁଁ ଜାଣିନି I ଏ ଅବସ୍ଥା ମୋର ଦୁଇଦିନ ଧରି ଲାଗି ରହିଲା I ଆସ୍ତେ ଆସ୍ତେ ଜାଣିବାକୁ ପାଇଲି ସେ ଏବେ ଆସି ତାଙ୍କ ନିଜ ଘରେ ରହୁଛି ଓ ଆମ ଗାଁ କଲେଜ ରେ arts ପଢୁଛି I ମୋ ମନ ତ କୁଣ୍ଢେ ମୋଟ I ଆଉ କି କ୍ଲାସ? କି ପାଠ? I ମୁଁ କେବଳ କଲେଜ ଯାଏ ତାକୁ ଦେଖିବାକୁ I ବେଳେ ବେଳେ ମଉସାଙ୍କୁ କହେ ମାଉସୀ ଆଉ ଲିପି କୁ ଧରି ଆସିବାକୁ I ଏମିତି ଏମିତି ରେ ବର୍ଷେ ବିତି ଗଲା I କିଛି ପଇସା ଖର୍ଚ କରି ବାଇକ ଟେ କିଣିଲି I ଏଥର ସବୁଦିନ ମୁଁ କଲେଜ ଯାଏ କିନ୍ତୁ ପଢିବାକୁ ନୁହଁ କେବଳ ଲିପି କୁ ଦେଖିବାକୁ ଆଉ ତାକୁ କଲେଜ ନେବା ଆଣିବା କରିବାକୁ I
        ଆମେ ସବୁଦିନ ମୋ ବାଇକ ରେ କଲେଜ ଯାଉ, ଆଉ ଆସୁ I ସେ କ୍ଲାସ ଗଲା ପରେ ମୁଁ କ୍ଲାସ କୁ ଯାଉଛି କହି କଲେଜ ପାଖ ପାନ ଦୋକାନ ରେ ବସେ ଆଉ ତାକୁ ଅପେକ୍ଷା କରେ I ତାକୁ ଛାଡି କଲେଜ ର ବାକି ସମସ୍ତେ ଜାଣିଥିଲେ ଯେ ସେ ମୋ ପ୍ରେମିକା I କଣ କହିବି? କେମିତି କହିବି? ସେ କଣ ଭାବିବ? କଣ କହିବ? ଏସବୁ ଚିନ୍ତା କରି କରି ରାତିରେ ନିଦ ବି ହେଉ ନ ଥାଏ I ଛାତି ଧଡ଼ ଧଡ଼ ହୁଏ I ମନେ ମନେ ଡର ଲାଗେ ଆଉ କିଏ ଯଦି ତାକୁ “ଆଇ ଲଭ ୟୁ” କହି ଦିଏ ଆଉ ଇଏ ଯଦି ରାଜି ହେଇ ଯାଏ I ରାତି ରାତି ଧରି ଏ କଥା ମୋ ମନ ରେ ଆସିଲା ଆଉ ମୁଁ ବିଚଳିତ ହୋଇ ପଡିଲି I  ଏମିତି ରାତି ଅନିଦ୍ରା ହେଉ ହେଉ ମୋ ଦେହ ଖରାପ ହୋଇ ଗଲା I ଭୀଷଣ ଜର I ମୁଁ ଖଟ ରୁ ଉଠି ପାରୁ ନ ଥାଏ I ମାଉସୀ ମୋ ଖାଇବା କଥା ବୁଝୁଥାନ୍ତି I ଲିପି ବେଳେ ବେଳେ ଆସି ମୋ ପାଖେ ବସେ I ଏମିତି ଏମିତି ରେ ଦି ଦିନ ବିତିଗଲା I ମାଉସୀ ଆଉ ଲିପି ଆମ ଘରେ ହିଁ ରହି ଯାଆନ୍ତି ରାତିରେ I ସେଦିନ ରାତି ଅଧା ରେ ମୁଁ ପରିସ୍ରା ଉଠିଲି I କିନ୍ତୁ ଶେଜ ରୁ ଉଠି ପାରୁ ନ ଥାଏ I ମୋ ପାଟି ଶୁଣି ଲିପି ମୋ ହାତ ଧରି ଉଠେଇଲା ଆଉ ମୋତେ ବାହାରକୁ ନେଇ କି ଗଲା I ମୋ ମନ ରେ କଣ ଆସିଲା କେଜାଣି ? ମୁଁ ତା ହାତ ଧରି କହିଦେଲି, ” ସବୁ ଦିନ ଏମିତି ହାତ ଧରି ଚାଲି ପାରିବୁ” ? ସେ ଚମକି ପଡି ମୋ ହାତ ଛାଡିଦେଲା I ମୁଁ ପଡୁ ପଡୁ କାନ୍ଥ ଧରି ରହିଗଲି I ତା ପରଠୁ ସେ ଲାଜ ଲାଜ ହୋଇ ରହିଲା I କଲେଜ ଗଲା ବେଳକୁ ଆଗରୁ କେତେ କଥା ଗପି ଗପି ଯାଏ I ଏବେ ଚୁପଚାପ ରହୁଥିଲା I ମୋତେ ଦେଖିଲେ ଲାଜ କରୁଥିଲା I ଆଉ ଦିନେ ସେ ମୁହଁ ଖୋଲିଲା I ଆଖି ରେ ଆଖିଏ ଲୁହ ନେଇ କହିଲା,” ମୁଁ ଜଣେ ଚାକର ର ଝିଅ I ଆମ ସମ୍ପର୍କ କୁ ଏ ସମାଜ ଗ୍ରହଣ କରିବ ତ… ? ” I
           ମୁଁ ବି ଫୁଲ ଜୋଶ ରେ କହିଦେଲି, ” ମୋର ବାପା ମା ନାହାନ୍ତି I ମଉସା ମାଉସୀ ହିଁ ଆମ ଦି ଜଣଙ୍କ ବାପା ମା I ଏକା ଜାତି ଆମର I ସମାଜ ଯଦି ଗ୍ରହଣ ନ କରେ ମୁଁ ବୁଝିବି I ତୋର କିଛି ଚିନ୍ତା କରିବା ଦରକାର ନାହିଁ  ” I ସେ କିନ୍ତୁ ସେବେ ଯାଏ ମୋତେ ହଁ କରି ନଥାଏ I ମୁଁ ତା ଠୁ “ହଁ” ପଦେ ଶୁଣିବା ପାଇଁ ଚାତକ ପରି ଚାହିଁଥାଏ ଆଉ ସବୁଦିନ ରାଣ ଦେଲା ପରି ପଚାରୁ ଥାଏ “କଣ ଭାବିଲୁ ?” I ସେ ସବୁଦିନ ଏକା ଉତ୍ତର ଦିଏ… “ପରେ” I
          ସେଦିନ ମୁଁ ଲିପି ଧରି କୁ କଲେଜ ରୁ ସିଧା ଆମ ଘରକୁ ଆସିଲି I ମୋତେ ତାକୁ, ତାଙ୍କ ଘରେ ଛାଡି ଆସିବାର ଥିଲା I କିନ୍ତୁ ଜାଣି ଜାଣି ତାକୁ ଧରି ଆମ ଘରକୁ ଆସିଲି I ପଡୋଶୀ ଘରୁ ଚାବି ଆଣି ଘର ଖୋଲିଲି I ମଉସା ଯାଇଥାନ୍ତି ବିଲ ଆଡେ ସବୁଦିନ ପରି I ମାଉସୀ ତାଙ୍କ ଘରେ ଥାନ୍ତି I ଲିପି ର ହାତ ଧରି ଟାଣି ଟାଣି ମୋ ବଖରା ରେ ପଶିଗଲି ଆଉ ସେ ମନା କରୁ କରୁ ଜବରଦସ୍ତି ତା ଓଠ ରେ ଚୁମା ଟେ ଦେଇଦେଲି ଆଉ କହିଲି, ସବୁଦିନ ମୋ ସହ ଖେଳୁଛୁ I ଆଜି କହ ତୁ ମୋତେ ବାହା ହବୁ ନା ନାହିଁ ? ନହେଲେ ମୁଁ ଅନ୍ୟ ଝିଅ ଖୋଜିବି I ମୁଁ ଆଉ ଏମିତି ଦହଗଞ୍ଜ ହୋଇ ବଞ୍ଚି ପାରିବିନି” I
         ସେ ମୋଠୁ ଏମିତି ବ୍ୟବହାର ଆଶା କରି ନଥିଲା I ସବୁ ଝିଅ ଯେମିତି ବାହାନା କରନ୍ତି ସେମିତି ବାହାନା କରି କହିଲା ,” ମୁଁ ଚାକର ର ଝିଅ, ତୋତେ ସ୍ବପ୍ନ ଦେଖିବା ଭଳି ଅବସ୍ଥା ଆମର ନାହିଁ I ତମର ଧନୀ ଘର, ତୁ ମୋ ଠୁ ଭଲ ପଢୁ I ମୁଁ ତ ମୂର୍ଖ I ମୁଁ କାହିଁକି ତୋ ପରି ଗୋଟେ ପିଲା ର ସ୍ବପ୍ନ ଦେଖିବି I ମୋତେ ଏବେ ୧୭ ବର୍ଷ ହେଲା I ବାବା ଆଉ ମାମା ମୋ ବାହାଘର ବିଷୟରେ କଥା ହଉଥିଲେ I ପାଖ ଗାଁ ରୁ ଗୋଟେ ପିଲା ଦେଖିଛନ୍ତି I ଚାଷ ଜମି ଦି ଏକର ଅଛି ତାଙ୍କର ଆଉ ଗାଈ ମଇଁଷି ମିଶେଇ ଚାରି ହଳ I ପିଲା ଚାଷ କରେ I ମୋର କଣ କହିବାର ଅଛି ? ଆମେ ଗରିବ ଲୋକ, ତୋ ପରି ଜଣେ ପିଲାକୁ ଭଲ ପାଇବାକୁ ଅଉକାତ ମୋର ନାହିଁ I ବାମନ ହୋଇ ଚନ୍ଦ୍ର କୁ କଣ ପାଇଁ ହାତ ବଢେଇବି ? ତୁ ସାଇନ୍ସ ପଢ଼ୁଛୁ , ମୁଁ ମୂର୍ଖ ବୋଲି ଆର୍ଟ୍ସ I ସବୁ ଆଡୁ ସବୁ ଆଡୁ ଚିନ୍ତା କଲେ ମୁଁ କୌଣସି ବି ଗୁଣ ରେ ତୋ ସହ ସମାନ ନୁହଁ I ତେଣୁ ଆଉ କିଛି ନ କହି ମୋତେ ଭୁଲି ଯା ଆଉ ମୋତେ ମୋ ହାଲତ ରେ ଛାଡି ଦେ” I ଏତିକି କହି ସାରି ସେ କଇଁ କଇଁ ହୋଇ କାନ୍ଦି ପକେଇଲା ଆଉ ଓଢଣୀ ରେ ଲୁହ ପୋଛିଲା I
       ମୁଁ ବି କେଉଁ କମ କି? କୌଣସି ଏକ ଉପନ୍ୟାସ ରେ ପଢିଥିବା ଡାଇଲଗ ଟିଏ ମନେ ପଡିଗଲା ତ ସେଠି ମାରିଦେଲି,” ଦେଖ ଲିପି, ବିଜ୍ଞାନ ମତରେ ହାର୍ଟ ହେଉଛି ମଣିଷ ର ବ୍ଲଡ଼ ପମ୍ପିଂଗ ସିଷ୍ଟମ I ଯେଉଁଠୁ ସାରା ଶରୀରକୁ ରକ୍ତ ସଞ୍ଚାଳନ ହୁଏ I କିନ୍ତୁ ଆର୍ଟ୍ସ ବା କଳା ର ମତ ରେ ହାର୍ଟ ଅର୍ଥାତ ହୃଦୟ ହେଉଛି ସେଇ ସ୍ଥାନ ଯେଉଁଠି ମଣିଷ ତା ସୁଖ, ଦୁଃଖ, ଭଲପାଇବା, ସ୍ନେହ, ପ୍ରେମ ସବୁ କିଛି ଅନୁଭବ କରିପାରେ ଆଉ ଗୋଟିଏ ବିନା ଆରଟି ଅସମ୍ପୂର୍ଣ୍ଣ I ତେଣୁ ମୁଁ ବିଜ୍ଞାନ ର ଛାତ୍ର ହେଲେ ବି ତୋ ପରି ଗୋଟେ କଳା ର ଛାତ୍ରୀ କୁ ଭଲ ପାଏ ଆମ ଜୀବନ କୁ ପରିପୂର୍ଣ୍ଣତା ରେ ଭରି ଦେବା ପାଇଁ “I ମୋ କଥା ଶୁଣି ସେ ତା କାନ କୁ ବିଶ୍ୱାସ କରି ନ ପାରି ମୋତେ ବଲବଲ ହୋଇ ଆଖି କୁ ଢିମା ଢିମା କରି ଚାହିଁ ରହିଲା ଆଉ କହିଲା,” ହଁ ମୁଁ ବି ତୁମକୁ ବହୁତ ଭଲ ପାଏ I କିନ୍ତୁ….”
         ଏତିକି ବେଳେ ବାହାରୁ କେହିଜଣେ ଘର ଭିତର କୁ ପଶି ଆସିଲେ I ଏତେ ସମୟ ଧରି ମଉସା ଆମ କଥା ଶୁଣୁଥିଲେ ଆଉ ତାଙ୍କୁ ହଠାତ ଆମ ଘରେ ଦେଖି ଦି ଜଣ ଯାକ ହଡ଼ବଡେ଼ଇ ଗଲୁ I ସେ ଲୁହ ଛଳ ଛଳ ଆଖିରେ ମୋତେ “ଦିନା ବାବୁ” ଡାକୁ ଡାକୁ ମୁଁ ତାଙ୍କ ପାଟିରେ ହାଟ ଦେଇ “ନାଁ, ବାପା” ବୋଲି କହିଲି I ବାସ, ତା ପରଠୁ ଆଉ କିଛି ଦରକାର ନଥିଲା I ମାଉସୀ ଶୁଣି କୃତ୍ୟ କୃତ୍ୟ ହୋଇଗଲେ I ଆଉ କେତେ ଦେବତାଙ୍କ ପାଖରେ ଆମ ର ଶହେବର୍ଷ ର ଆୟୁଷ ମାଗି କେତେ କଣ ମାନସିକ କରି ପକେଇଲେ I
         ପ୍ରେମ ରେ ଉବୁଟୁବୁ ପ୍ରେମ ପକ୍ଷୀ ଦୁଇଟି ପାଇଁ ଏବେ ଆଉ ବନ୍ଧ ବାଡ଼ ନଥିଲା I କଲେଜ ରେ ମୋ ସାଙ୍ଗ ମାନେ ତାକୁ ଭାଉଜ ଆଉ ତା’ ସାଙ୍ଗ ମାନେ ମୋତେ ଜିଜୁ ଡାକିବା ଆରମ୍ଭ କରିଦେଲେ I ଆସ୍ତେ ଆସ୍ତେ କଥା ଦାଣ୍ଡ ରେ ପଡି ହାଟ ରେ ଗଡ ଗଡେଇଲା I ଗାଁ ଲୋକ ସବୁ ଜାଣିଲେ I ମୁଖିଆ ଆସି ମୋତେ ଏ ବିଷୟ ରେ ପଚାରିଲେ I ମୁଁ ସିଧା ସିଧା ଶୁଣେଇ ଦେଲି I ଆଉ କାହାର କିଛି କହିବାର ନଥିଲା I ଏମିତି ଏମିତି ରେ ଆଉ ବର୍ଷେ ବିତିଗଲା I ପ୍ରେମ ରେ ଆମେ ଏତେ ମାତିଥିଲୁ ଯେ ସେ ବର୍ଷ ଦିଜଣ ଯାକ ବୁଢା ଫେଲ ହେଲୁ I ଆଉ ପଢିବାକୁ ଇଛା ନଥିଲା I ଚାଷ ବାସ ରେ ମନ ଦେଲି I ଦି ବର୍ଷ ପରେ ମୁଁ ଲିପି କୁ ବାହା ହୋଇ ଗଲି I ସେଇ ବର୍ଷ କିନ୍ତୁ ହଇଜା ରେ ମଉସା ଆଉ ମାଉସୀ ଦି ଜଣ ଯାକ ହାତ ଧରା ଧରି ହୋଇ ଚାଲିଗଲେ I ବର୍ଷ ପରେ ବର୍ଷ ବିତି ଚାଲିଥାଏ କିନ୍ତୁ କୋଳ କୁ ଛୁଆ ଟିଏ ଆସୁ ନଥାଏ I କେହି କେହି କହିଲେ ଯାଇକି ଡାକ୍ତର ଦେଖା I ହାଁ ଯିବୁ, ହାଁ ଯିବୁ ହୋଇ ଆଉ ଦି ବର୍ଷ ବିତିଗଲା I ଦିନେ ଲିପି ର ଦେହ ଖରାପ ହେଲା ତାକୁ ଧରି ଏ ଡାକ୍ତର ଖାନା କୁ ଆସିଲି I ବହୁତ କଷ୍ଟ ପାଉଥାଏ ବିଚାରୀ I ଭଗବାନଙ୍କୁ କହିବି ମୋ ଶତ୍ରୁ କୁ ବି ଏମିତି କଷ୍ଟ ନ ଦିଅନ୍ତୁ I ସେ ଆଗରୁ ଏସବୁ ମୋତେ ଲୁଚେଇଥିଲା I ଏବେ କିନ୍ତୁ ଡେରି ହୋଇ ଯାଇଥିଲା I ଡାକ୍ତର କହିଲେ ଲିପି କୁ କ୍ୟାନ୍ସର I ବହୁତ ଟଙ୍କା ଲାଗିବ I ଜମିବାଡ଼ି, ସୁନାରୂପା, ଗାଇ ବଳଦ ସବୁ ବିକି ଟଙ୍କା ତ ଯୋଗାଡ କରିଦେଲି କିନ୍ତୁ ରକ୍ତ ? ବହୁତ ରକ୍ତ ଦରକାର ହେଉଥାଏ I କିଛି ଦିନ ପରେ ଡାକ୍ତର କହିଲେ ଏବେ ସପ୍ତାହକୁ ଦୁଇଟି ରକ୍ତ ଦରକାର I କେତେ ରକ୍ତ କୁଆଡୁ ଯୋଗାଡ କରିବି I ବ୍ଲଡ଼ ବ୍ୟାଙ୍କ ରେ ରକ୍ତ ନାହିଁ, ଲୋକ ଙ୍କୁ ନେହୁରା ହେଲେ ବି ରକ୍ତ ଯୋଗାଡ ହୋଇପାରିଲାନି I ଦେଢ଼ ବର୍ଷ ତଳେ ସେ ମରିଗଲା I ଲିପି ନାହିଁ, ଧନ ସମ୍ପତି ନାହିଁ, ଜମିବାଡ଼ି ନାହିଁ, ଗାଁ କୁ ଆଉ କଣ ପାଇଁ ଯାଇଥାନ୍ତି ? ଯାହାକୁ ଏତେ ଭଲ ପାଉଥିଲି ସେ ମୋତେ ଛାଡି ଚାଲିଗଲା I ଟଙ୍କା, ପଇସା, ଧନ, ସମ୍ପତି କିଛି ବି କାମ ରେ ଆସିଲେନି I ତାକୁ ଭାବି ଭାବି ମୁଁ ପାଗଳ ହୋଇଗଲି I କିଛି ଦିନ ପାଗଳଙ୍କ ପରି ଇଆଡ଼େ ସିଆଡେ ବୁଲାବୁଲି କଲି I ସେ’ ମରିବାର କାରଣ ଖୋଜି ହେଲି ଆଉ ପାଇଲି “ବୁନ୍ଦେ ରକ୍ତ ନପାଇ ସେ ମରିଗଲା” I ରକ୍ତ ମିଳିଥିଲେ ତାକୁ ଆଉ କିଛି ଦିନ ବଞ୍ଚେଇ ରଖି ପାରିଥାନ୍ତି I ବହୁତ ଲୋକଙ୍କୁ ନେହୁରା ହୋଇଛି , ହେଲେ.. ନା … ତା ପରେ ଠିକ କଲି ଆଉ କାହାକୁ ରକ୍ତ ପାଇଁ ମରିବାକୁ ଦେବିନି I ଯେତେ ହୋଇପାରିବ ସାହାର୍ଯ୍ୟ କରିବି I ମୋ ଭଲପାଇବା କୁ ମୁଁ ଯେମିତି ଭାଳି ହେଉଛି ଆଉ କେହି ମୋ ପରି କଷ୍ଟ ନ ପାଆନ୍ତୁ I ସେଇଦିନୁ ଏଇ ଡାକ୍ତରଖାନା ମୋ ଘର ଆଉ ଏ ସବୁ ରୋଗୀ ମୋ ବନ୍ଧୁବାନ୍ଧବ I ଏମାନେ ପାଳି କରି ମୋତେ କିଛି କିଛି ଖାଇବାକୁ ଦିଅନ୍ତି I  ମୁଁ , ଯାହାର ରକ୍ତ ଦରକାର ହୁଏ ତା ପାଇଁ ଏ ପ୍ଲାକାର୍ଡ଼ ଦେଖେଇ ହାଟ ରେ ଠିଆ ହୁଏ I କିଛି ଲୋକ ତାଚ୍ଛଲ୍ୟ କରନ୍ତି ଆଉ କିଛି କୌତୁହଳ ରେ ଆସନ୍ତି I ରକ୍ତ ଦିଅନ୍ତି I ଥରେ ଜାଣିଲା ପରେ ସେମାନେ ନିଜେ ନିଜେ ଆସି ରକ୍ତ ଦେଇ ଯାଆନ୍ତି I ଯେଉଁ ମାନେ ତାଚ୍ଛଲ୍ୟ କରନ୍ତି ସେମାନଙ୍କ ଭିତରୁ କିଛି ଲୋକ କେବେ କେବେ ଆସି ମୋତେ ନେହୁରା ହୁଅନ୍ତି ସେମାନଙ୍କ ବନ୍ଧୁବାନ୍ଧବ ମାନଙ୍କ ପାଇଁ I ମୁଁ କାହା ଉପରେ କେବେ ରାଗ ରୁଷା ରଖେନି, ମୋ କର୍ମ କରିଚାଲେ I ହଉ… ଭଗବାନ ତୁମର ମଙ୍ଗଳ କରନ୍ତୁ I ମୁଁ ଯାଏ, ଆଜି ଗୁରୁବାର , ତାଳଚେର ହାଟ ପାଳି…” ତା ଶୁଖିଲା ଆଖିରେ ବୁନ୍ଦେ ଲୁହ ଟଳ ଟଳ ହେଉଥିଲା I ଏତିକି କହି ସେ ତା ଶୁଖିଲା ଆଖିରେ ହାତ ବୁଲେଇ ଆଣିଲା ଆଉ ପ୍ଲାକାର୍ଡ଼ ଆଉ ଗଣ୍ଠିଲି ଟି ଧରି ଉଠିଲା I
    ସେ ଗଲା ପରେ ବି ମୁଁ ସେଇ ଜାଗା ରେ ବସି ରହିଲି ଆଉ ଭାବିବାକୁ ଲାଗିଲି, ମୋତେ ୩୦ ବର୍ଷ ହୋଇଗଲା କିନ୍ତୁ ଆଜିଯାଏ ମୁଁ ଥରେ ହେଲେ ବି ରକ୍ତ ଦେଇନି I ଶୁଣା କଥା ରେ ବିଶ୍ୱାସ କରି ସବୁବେଳେ ବାହାନା କରି ଆସିଛି ଯେ…
ରକ୍ତଦାନ କ୍ୟାମ୍ପ ଵାଲା ରକ୍ତ ସବୁ ନେଇ ବିକ୍ରି କରନ୍ତି ….
    ଯେବେ ନିଜେ ଦେଖିବି କାହାର ରକ୍ତ ଦରକାର ତେବେ ତାକୁ ଦେବି… କିନ୍ତୁ ଥରେ ହେଲେ ବି ଆଜି ଯାଏ ଡାକ୍ତର ଖାନା ଏ ଉଦ୍ଦେଶ୍ୟ ନେଇ ଯାଇନି I
    ଯଦି ମୋ ବନ୍ଧୁବାନ୍ଧବ କାହାର ଦରକାର ହୁଏ ତେବେ ରକ୍ତ ଦେବି…. କିନ୍ତୁ ଯେତେବେଳେ ବି କାହାର ଦରକାର ହୁଏ ସେତେବେଳେ ମୁଁ ରାଜ୍ୟ ବାହାରେ ଥାଏ ଆଉ ଆହା.. ଚୁ..ଚୁ.. କରି ମୋ କର୍ତବ୍ୟ ସାରେ I
     ସେ ଗଲା ନାହିଁ ଯେ … ମୋ ପରି ଜଣେ ଉଚ୍ଚ ଶିକ୍ଷିତ ର ଗାଲ ରେ ଗୋଟେ ଅଦେଖା ଚଟକଣା ମାରି ଦେଇ ଗଲା I ଜଣେ ମାଟ୍ରିକ ପାସ କରିଥିବା ଲୋକ, ମଇଳା କୋଚଟା ପିନ୍ଧା, ଧନ ସମ୍ପତି ନଥିବା ଲୋକ, ମୋ ପରି ମାସକୁ ଲକ୍ଷେ ରୋଜଗାର କରୁଥିବା, କାର ରେ ବୁଲୁଥିବା ଇଞ୍ଜିନିଅର କୁ ଆଜି କେତେବଡ ଶିକ୍ଷା ଦେଇ ଗଲା I ମନୁଷ୍ୟ ଆଜି ସବୁ କିଛି ଉଦ୍ଭାବନ କରି ସାରିଲାଣି କିନ୍ତୁ ବିଜ୍ଞାନ ଯେତେ ଉନ୍ନତ ହେଲେ ବି ରକ୍ତ ର ବିକଳ୍ପ ଆଜି ଯାଏ ତିଆରି କରିପାରିଲାନି I ରକ୍ତ ଯେ କେତେ ଦରକାରି ଏହା ଜଣେ ନିଜେ ଅଙ୍ଗେ ନ ନିଭେଇଲେ ଜାଣି ପାରିବନି I କିନ୍ତୁ ତଥାପି ମୋ ପରି ବହୁତ ଲୋକ ରକ୍ତ ଟିକେ ଦେବାକୁ କୁଣ୍ଠିତ …
    ଠିକ କଲି ଯେବେ ବି ମୋତେ ସୁବିଧା ହେବ, ରକ୍ତ ଦାନ କରିବି ନିଶ୍ଚିତ I ଏବେ ମୋ ପାଦ ଦୁଇଟି ରକ୍ତ ଭଣ୍ଡାର ଆଡକୁ ଟାଣି ହେଇ ଯାଉଥିଲେ ଆଉ ମୁଁ ???… ସେ ମହାନ ଆତ୍ମା ର ପାଦ ଥିବା ସ୍ଥାନ ରୁ ପାଦଧୂଳି ଟିକେ ହାତ ରେ ନେଇ ତାଙ୍କ ଉଦ୍ଦେଶ୍ୟ ରେ ହାତଯୋଡ଼ି ନମସ୍କାର କରୁଥିଲି ….
ରକ୍ତ ଦାନ ମହତ ଦାନ …. ବୁନ୍ଦେ ରକ୍ତ ଆପଣଙ୍କ ନିଜର ଲୋକ କୁ ମୃତ୍ୟୁ ମୁଖରୁ ଟାଣି ଆଣି ପାରେ… ରକ୍ତ ଦାନ କରନ୍ତୁ I
ଜୟ ଜଗନ୍ନାଥ …
–ସମାପ୍ତ–

ଦାଦନ

ଦାଦନ

ସୁବଳ ମହାପାତ୍ର

ବାମ ହାତର ଚାରୋଟି ଆଙ୍ଗୁଠି ନଥିବା ବୁରୁ, ତା ଖଣ୍ଡିଆ ହାତରେ ଖବର କାଗଜ ଟିକୁ ଧରି ବସି ଥାଏ I ମୁହଁ ଥମ ଥମ, ଆଖି ଶୁଖିଲା, ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ଭିତର କୋରି ହେଉ ଯାଉଥାଏ ତାର I ଗୋଡ ହାତ ଛାଟି, କାନ୍ଦିବାକୁ ଇଛା ହେଉ ଥାଏ I ନୁଆଁଳିଆ ଚାଳ ଘର ର ବାରଣ୍ଡା ରେ ବସିଥାଏ ସକାଳ ପହରୁ I ଝିଅଟାର ମଲା ମୁହଁ ବି ସେ ଦେଖି ପାରିଲାନି I ଶ୍ରାଦ୍ଧ ଦେବ କ’ଣ I ସ୍ତ୍ରୀ ବିମଳା ଆସି ମୁଣ୍ଡ କୁ ଆଉଁସି ଦେଲା I ସ୍ତ୍ରୀ ଆଖିରେ ଆଖିଏ ଲୁହ I ଛାତି ପିଟି ବାହୁନି ବାହୁନି କାନ୍ଦି ଥାନ୍ତା ଆଜି I କିନ୍ତୁ ଭାଗ୍ୟ ଦେଖ, ଝିଅ ପାଇଁ ଲୁଚି ଲୁଚି ଲୁହ ଗଡେଇବା ବ୍ୟତୀତ ଆଉ କିଛି କରି ପାରୁ ନଥିଲେ ସ୍ୱାମୀ ସ୍ତ୍ରୀ ଦି ଟା I ଧିକ ସେ ବାପା, ଧିକ ସେ ମା I ଯିଏ ଝିଅ କୁ ଝିଅ କହିବା ଅବସ୍ଥା ରେ ନଥିଲେ I ବୁରୁ ଧିକ୍କାରିଥିଲା ନିଜ କୁ ନିଜେ I ବିମଳା, ଘର ଭିତରେ ମୁଣ୍ଡ ବାଡେଇ କାନ୍ଦିଥିଲେ ବି ବାହାରେ ଥିଲା ଚୁପ ଚାପ I ପଡିସା ଘରକୁ, କିଛି ବି ଜାଣିବାକୁ ଦେଇ ନଥିଲା I ଗୋଟେ ଝିଅ ତ ଗଲା, ପୁଅଟାର କ’ଣ ହେଲା ? ତା’ ବି ଜାଣିବାର କୌଣସି ଉପାୟ ନଥିଲା I ଦିହେଁ ଥିଲେ ନାଚାର I ଗାଁକୁ ଫେରିଲା ପର ଠାରୁ ଘର ତାଙ୍କୁ ଖାଇ ଗୋଡାଉ ଥିଲା I ବୁରୁ ର ମା ସମ୍ପୂଥିଲା ଏ ସ୍ୱାମୀ ସ୍ତ୍ରୀ କୁ I ଝିଅ ଗଲା ବୋଲି ଦୁଃଖ ନଥିଲା, କିନ୍ତୁ ପୁଅ କୁ ହଜେଇ ଦେଇ ଥିବାରୁ ସେ ବେଶୀ ଦୁଃଖି ଥିଲା I ବଡ ପୁଅ ଝିଅ ଆଉ ଗାଁ ଲୋକଙ୍କ ପ୍ରଶ୍ନ ବାଣ ରେ ଅତିଷ୍ଠ ହୋଇ ପଡୁଥିଲେ ବି ଧର୍ଯ୍ୟ ର ସହ ସବୁ ର ଉତ୍ତର ଦେଉଥିଲେ I ହେଲେ ବୁରୁ ଆଉ ବିମଳା ଯାହା ହରେଇ ଥିଲେ ତାହା ଆଉ ଫେରିବାର ନଥିଲା I

ବୁରୁ ଫେରିଯାଉଥିଲା ଅତୀତ କୁ I ଏଇ ଘରେ ଖେଳି ବୁଲି ବଡ ହୋଇଥିଲେ ଦୁଇ ପୁଅ ଆଉ ଦୁଇ ଝିଅ I ଝିଅ ଆଉ ପୁଅ ଜନ୍ମ ହୋଇଥିଲେ ଗୋଟେ ପରେ ଗୋଟେ ଛାଡି I ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଯାଇଥିଲା ବୁରୁ ର I

ବୁରୁ, ବୁରୁନ୍ଦା, ବୃନ୍ଦାବନ ମହାରଣା I ବାପା ମା ନାଁ ଦେଇଥିଲେ ବୃନ୍ଦାବନ I ଗାଁ ରେ ଡାକିଲେ ବୁରୁନ୍ଦା, ସାଙ୍ଗ ମାନେ ଡାକିଲେ ବୁରୁ I ବୁରୁ ଆଜି ତା ଅସଲ ନାଁ ବି ଭୁଲି ଯାଇଥିଲା I ଇସ୍କୁଲ ରେ ଥିବା ଯାଏ ତା’ର ମନେ ଥିଲା ତା ନାଁ ବୃନ୍ଦାବନ I ଇସ୍କୁଲ ଛାଡିଲା ଦିନୁ ସେ ନାଁ ଟା ସେ ଭୁଲି ଯାଇଥିଲା I ଗାଁ ଇସ୍କୁଲ ରୁ ତୃତୀୟ ଫେଲ I ବା’ଆ ଯେତେ କହିଲେ ବି ଇସ୍କୁଲ ଗଲା ନେଇଁ I ବା’ଆ ଥିଲା ବେଳେ କେତେ ଖୁସି ରେ ଥିଲା ସେ I ଜମିବାଡ଼ି ବୋଇଲେ ଘର ଡିହ କୁ ଛାଡି ଦି ମାଣ ଗହିରି ବିଲ I ବର୍ଷା ନହେଲେ ବି ଚାଷ ଭଲ ହୁଏ, ସାଆନ୍ତଙ୍କ ଜମି ଚଷି ବର୍ଷକର ଖାଇବା ଆସି ଯାଏ ତାଙ୍କ ଘରକୁ I ଡୁଲୀ ଗୋଟେ ଥିଲା ବା’ଆ ଅମଳରୁ I ଦିନ ଥିଲା ତା ବା’ଆ ଡୁଲୀ ରେ ଡୁଲୀଏ ଧାନ ରଖୁଥିଲା I ନୂଆ ଚାଉଳ ବା’ଆ ଛୁଏଁନାହିଁ I ଦି ବର୍ଷ ତଳ ଚାଉଳ ର ଭାତ ଖାଇବ I ବିଲ ଦି ମାଣ ରୁ ଦି ଏକର କରିଥିଲା ସେ I ବା’ଆ ଗଲା ପରେ ଲକ୍ଷ୍ମୀ ଛାଡି ଗଲେ ତା ଘରୁ I ଦି ଏକର ରୁ ପୁଣି ଦି ମାଣ କୁ ଆସିଲା ତା ଜମି I ସାଆନ୍ତ ଙ୍କ ଜମି ଚଷୁଥିଲା ବୁରୁ I ହେଲେ ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଗଲା I

ଘରେ ସତ ପ୍ରାଣୀ କୁଟୁମ୍ବ I ଖାଇବାକୁ କିଛି ବି ନଥିଲା ସେଦିନ I ସେମାନେ ସିନା ନଖାଇ ପେଜ ତୋରାଣି ପିଇ ରହିଯିବେ, ଛୁଆ ଗୁଡା କଣ କରିବେ? ଭେଁ ଭାଁ ରଡି ଛାଡୁଥିଲେ I ମା, କ’ଣ ଖାଇବି ବୋଲି ପଚାରୁ ଥିଲେ I ଆଉ ସମ୍ଭାଳି ପାରିଲାନି I ବସିବାଠୁ ଉଠି ଚାଲିଗଲା ବିଜୁ ବାବୁ ପାଖକୁ I ହଁ, ସେ ଯିବ ଦାଦନ ଖଟି I ଏଠି ଓପାସ ଭୋକରେ ମରିଯିବା ଅପେକ୍ଷା ଦାଦନ ଖଟିବା ଭଲ I ଅଗ୍ରିମ ହଜାରେ ଟଙ୍କା ଆଣିଲା ବିଜୁ ବାବୁ ପାଖରୁ I ଘରେ ଚାଉଳ ଧରି ପହଁଚିଲା ବେଳକୁ, ବିମଳା ଆଉ ବୁରୁର ମା ବୁଝି ଯାଇଥିଲେ I ତା’ ମା ରଡି ପକେଇ ବାହୁନି ଥିଲା I ବିମଳା କୁ ଦାଦନ ଅପେକ୍ଷା ଛୁଆଙ୍କ ଭୋକ ବଡ ଲାଗିଥିଲା I ହାତରୁ ଚାଉଳ କୁ ଝାମ୍ପି ନେଇ ସେ ଭାତ ବସେଇଲା I ଦି ଦିନ ପରେ ବିଜୁ ବାବୁ ଆସି ଆଉ ଦି ହଜାରେ ହାତରେ ଧରେଇ ଦେଇ ଗଲା I କହି ଦେଇ ଗଲା ପୁର୍ଣିମା କୁ ଛ ଦିନ ଥବ ବାହାରିବା ଏଠୁ I ସଜ ହେଇଥିବୁ I ସେଦିନ ଭାରି ଚିନ୍ତା ରେ ପଡି ଯାଇଥିଲା ବୁରୁ I ପଇସା ଆଣି ତ ଖାଇ ସାରିଛି, ଆଉ ଖସିବାକୁ ବାଟ ନାହିଁ I ଗାଁ ଛାଡି ଯିବାକୁ ଜମାରୁ ଇଛା ନଥିଲା ତା’ର I ଦିନ ସାରା କେମିତି କେମିତି ଲାଗୁଥିଲା ତାକୁ I ରାତିରେ ଶୋଇଲା ବେଳେ ବିମଳା ଆସି ବୁରୁ ର ଛାତି ରେ ମୁଣ୍ଡ ରଖି ଗେଲ୍ହେଇ ହେଲା I କହିଲା ତମ ସହ ମୁଁ ବି ଯିବି I ସିଆଡେ କେତେ ଡାହାଣୀ, ଚିରିଗୁଣୀ ବୁଲୁଛନ୍ତି I ତମକୁ ଯଦି କିଏ କିମିଆ କରେ ତେବେ? ବୁରୁ ବାଁ ହାତ ରେ ଗୋଟେ ଧକ୍କା ମାରି କହିଲା,”ଶଳା ମାଇକିନା I ତମର ତ ଆଉ କିଛି ଚିନ୍ତା ନାହିଁ I ମୂଷାଛୁଆ ପରି ତ ପଲେ ଅଛ, କଣ ଖାଇବ ଚିନ୍ତା ନାହିଁ I ମୁଁ ସେଠି କାହାକୁ ମାଈପ କରିବି ସେଟା ଆଗେ ଚିନ୍ତା” I ବିମଳା ମୁହଁ ମୋଡି ଶୋଇ ପଡିଲା I

ବିମଳା ବି ବୁରୁ ସହ ଯିବାକୁ ବାହାରିଲା I ହେଲେ ମା କୁ ଏଠି ରୋଷେଇ କରି ଖାଇବାକୁ ଦବ କିଏ? ପିଲା ଛୁଆ ଏଠି ରହିବେ କେମିତି I ବଡ ଝିଅ କୁ ୧୫ ଚାଲୁଛି I ତା ତଳେ ବଡ ପୁଅ କୁ ୧୪ I ତା ତଳ କୁ ଝିଅ, ୧୨ ଚାଲିବ ଆର ମାସକୁ I ତା ତଳ ଟା ପୁଅ ୮ ପୁରିଲା ଏବେ I କଥା ହେଲା ସାନ ପୁଅ ଝିଅ ଯିବେ ବୁରୁ ଆଉ ବିମଳା ସହ I ବଡ ରହିବେ ଏଠି ମା ପାଖରେ I ଚାହୁଁ ଚାହୁଁ ଦିନ ଆସିଗଲା I ବିଜୁ ବାବୁ ଦେଇଥିବା କୋଡିଏ ହଜାର ରୁ ମାଆ କୁ ଲୁଚେଇ କି ଦଶ ହଜାର ଦେଲା ବୁରୁ I କହିଲା ରଖିଥା I ଚଳୁଥିବୁ, ଆମେ ଗଲା ପରେ ମୁଁ ମାସକୁ ମାସ ପଇସା ପଠେଇବି I ଆଉ ଦଶ ହଜାର ରେ ବାକି କରଜ ଶୁଝିଲା ସବୁ I ପୁଅକୁ ଆଉ ଝିଅ କୁ କହି ଦେଇ ଗଲା, ବଡ ହେଲଣି I ଚାଷ ବାସ ଦେଖ ଏବେ I ବର୍ଷ ଦିଟା ରେ ସବୁ ସୁଝିଯିବ I ମୁଁ ଆସିଲେ ପୁଣି ଚାଷ ବାସ କରିବା I

ବୁରୁ, ବିମଳା, ଝିଅ ଚଣ୍ଡୀ ଆଉ ପୁଅ ପପୁ ସକାଳୁ ସକାଳୁ ରେଡି ହୋଇ ବସିଥାନ୍ତି I ବିଜୁ ବାବୁ ଟ୍ରାକ୍ଟର ଧରି ପହଁଚିଲା I ସମସ୍ତେ ବସି ପଡିଲେ ଗାଡ଼ିରେ I ତା ପରି ଆହୁରି ୧୫ ଜଣ ଥାନ୍ତି ଆର ଗାଁ ରୁ I ସମସ୍ତେ ସମସ୍ତଙ୍କ ମୁହଁ ଚାହଁ ଚୁହିଁ ହେଲେ I ହେଲେ ବେନିଜନେ ସମଦସା I କହିବେ କାହାକୁ, କରିବେ କଣ I ଟ୍ରାକ୍ଟର ଚାଲିଲା I ଗାଁ ଛାଡି ସେମାନେ ପହଁଚିଲେ ଷ୍ଟେସନ ରେ I ଏଠୁ ଯିବେ ଆନ୍ଧ୍ର I ସେଠୁ ଇଟା ଫ୍ୟାକ୍ଟ୍ରି I

ଇଟା ଫ୍ୟାକ୍ଟ୍ରି ରେ ପହଁଚିଲା ପରେ ସେମାନଙ୍କୁ କାମ ବତେଇ ଦିଆଗଲା I ବିମଳା ର କାମ ହେଲା ମାଟି ଚକଟିବା, ବୁରୁ ଇଟା ଗଢ଼ିବ, ଚଣ୍ଡୀ ଆଉ ପପୁ ର କାମ ହେଲା ଇଟା ସଜେଇବା I ସମସ୍ତେ ମନ ଧ୍ୟାନ ଦେଇ କାମରେ ଲାଗି ଗଲେ I ମାସ ପୁରିଲା, ହେଲେ ଦରମା କାଇଁ ? ଦି ମାସ ଗଲା I ଇଟାଭାଟି ମାଲିକ ଆସି ଖାଇବା ପାଇଁ ପଇସା ଦେଇ ଯାଏ I ହେଲେ ଦରମା ନାହିଁ I ମୁଲିଆ ମାନେ ପଚାରିବାରୁ କହିଲା, “ମୋ ପାଖେ ଜମା ଥାଉ, ଘରକୁ ଗଲା ବେଳେ ନେଇ କି ଯିବ” I ଏବେ ପାଖରେ ରଖିଲେ ଚୋରି ହେଇ ଯିବ I ବୁଝି ଗଲେ ସମସ୍ତେ I ପ୍ରଥମେ ପ୍ରଥମେ ଗାଁ କଥା ଭାରି ମନେ ପଡୁଥିଲା, ହେଲେ ମନକୁ ବୁଝେଇ ରହିଯାନ୍ତି I

ଛଅ ମାସ ଗଲା I ବୁରୁ ର ଚିନ୍ତା ପଶିଲା I ଦଶ ହଜାର ଦେଇ କି ଆସିଥିଲା ମା କୁ I ତିନିପ୍ରାଣୀ ଅଛନ୍ତି ଗାଁ ରେ I ପଇସା ସରି ଜିବଣି I ଅଶିଣ ରୁ ଆସିଲେଣି ସେମାନେ, ଚଇତ ହେଲା ଆସିକି I ମାଲିକ ଆସିବାରୁ ତାକୁ ପଇସା ମାଗିଲା ବୁରୁ I ଗାଁ କୁ ପଠେଇବ I କଥା ଅନୁସାରେ ତା’ର ମାସକୁ ପନ୍ଦର ହଜାର, ବିମଳା ର ଦଶ, ଚଣ୍ଡୀ ଆଉ ପପୁ ର ମିଶେଇ କି ଆଠ I ମାସକୁ ଏତେ ପଇସା ହେଲେ ଛ ମାସକୁ ବହୁତ ହେଇ ଜିବଣି I ସେ ହିସାବ ପାଉ ନଥିଲା, କିନ୍ତୁ ବହୁତ ତ ହବଣି I ଭାବିଲା ମାଲିକ ର ପଇସା ସୁଝି ଦେଇ ଗାଁ କୁ ପଳେଇବ I ସେ ଏକା ଆସିବାର ଥିଲା ବୋଲି ସିନା ଦି ବରଷ ହିସାବ କରିଥିଲା I କିନ୍ତୁ ଆସିଲେ ତ ଚାରିଜଣ I ପଇସା ସବୁ ସୁଝି ଜିବଣି I ବାକି ଯାହା ବଳିଲା ନେଇ ଯିବ ଭାରି ଗାଁ କୁ I ଏଠି ପଇସା ସିନା ମିଳିବ ହେଲେ ଗାଁ ଯାହା ହେଲେ ଗାଁ I କେତେ ପୁନିଅଁ, ପରବ, ପିଠା ପଣା I ଏଠି ସେ ସବୁ କିଛି ନାହିଁ I ଓଡ଼ିଆ ଚାରି ଘର I ବାକି ସବୁ ବିହାରୀ, ନହେଲେ ତେଲେଙ୍ଗା I ସେମାନେ କଣ ଜାଣିବେ ଆମ ଗାଁ ର ପୁନିଅଁ ପରବ କୁ? ଓଡ଼ିଆ ବି ଯେଉଁ ମାନେ ଅଛନ୍ତି ସବୁ ଅଲଗା ଜାଗାରୁ I ଗାଁ ପାଖ ଲୋକ ଯେଉଁ ମାନେ ଆସିଥିଲେ ସେମାନେ କୁଆଡେ ଗଲେ ବୁରୁ ଜାଣିନି I ଏଠି ସବୁ ଅଲଗା ଅଲଗା I କେହି କାହା ସହ ମିଶି ପାରନ୍ତିନି I କଥା ହେଲେ ମାଲିକର ଗାରଡ଼ (ଗାର୍ଡ) କଳି ଲାଗେ I ଚାପୁଡ଼େ ବିଧେ ପକାଏ I

ବୁରୁ କଥା ହେବା ପାଇଁ ମାଲିକ ପାଖକୁ ଗଲା I କାମ ଛାଡି ଦେଇ ଯିବ ବୋଲି ଶୁଣି ମାଲିକ ରାଗିଗଲା I ପଇସା ତ ଦେଲାନି ଦେଲାନି , ହେଲେ ସେଇ ଦିନ ଠୁ ଏମାନଙ୍କ ଉପରେ ଅତ୍ୟାଚାର ଚାଲୁ ହୋଇଗଲା ମାଲିକ ଆଉ ଗାର୍ଡ ମାନଙ୍କର I ବୁରୁ ଆଉ ତା ପରିବାର କୁ ଅଲଗା ଜାଗାକୁ ପଠେଇ ଦିଆଗଲା I ଜଙ୍ଗଲ ଭିତରେ ସେମାନେ ବାର ଟା ପରିବାର I ୟାକୁ ଛାଡି ବାକି ସବୁ ତେଲେଙ୍ଗା I କାହା କଥା ବୁଝିବାକୁ କି କାହାକୁ କିଛି କହିବାକୁ ନାହିଁ I ୟା ଭାଷା କେହି ବୁଝୁ ନଥାନ୍ତି I ଖାଇବା ସମସ୍ତଙ୍କର ଏକାଠି ରୋଷେଇ ହୁଏ I ବଗଡ଼ା ଭାତ କୁ ରସମ ଆଉ ଲେମ୍ବୁ ଆଚାର ରୁ ଖଣ୍ଡେ ଖଣ୍ଡେ I ନାଁ ରସମ, ହେଲେ ତୁଚ୍ଛା କଇଁଆଁ (ତେନ୍ତୁଳି) ପାଣି I ଭାଷା ତ ଯେମିତି ଅମୁଲ ଟିଣ ଡବା ଭିତରେ ମେଞ୍ଚେ ଗୋଡି ପୁରେଇ କିଏ ହଲାଉଛି I କାଆଡୁ କାଆଡୁ I ପୁରୁଣା ଗାର୍ଡ ହେଲେ ଟିକେ ଭଲ ଥିଲେ, ଏମାନେ ସବୁ ରାକ୍ଷସ ଗୁଡା I ଦିନ ଯାକ ଗଞ୍ଜେଇ ଟାଣି ବୁଲୁଥିବେ, ରାତି ହେଲେ ତାଡି ନହେଲେ ମହୁଲି I

ସେଦିନ ଥିଲା ବୁରୁ ର ପରିବାର ପାଇଁ କାଳ ରାତ୍ରି I ଯେଉଁଦିନ ଚାରିଟା ଗାର୍ଡ, ଗୋଟେ ତେର ବର୍ଷ ର ଝିଅ କୁ ଜଣ ଜଣ କରି ରାତି ସାରା ଗଣ ଦୁଷ୍କର୍ମ କଲେ I ରାତିରେ ଚଣ୍ଡୀ ବାହାରକୁ ପରିସ୍ରା କରିବାକୁ ଯାଇଥିଲା I ଗାର୍ଡ ମାନେ ସବୁ ମଦ ପିଇ ନିଶାରେ ଟୁଲ ଥାଆନ୍ତି I ବାଡ଼ି ପଟୁ ଝିଅ ଟାକୁ ଟେକି ନେଲେ, ସକାଳୁ ଆଣି ଘର ଭିତରେ ଫିଙ୍ଗି ଦେଇ ଗଲେ I ବିମଳା କାନ୍ଦି କାଟି ଅଥୟ I ବୁରୁ ଆଖିରୁ ଧାର ଧାର ଲୁହ ବୋହୁଥାଏ I ଝିଅଟା ରକ୍ତ ଜୁଡୁବୁଡୁ ହୋଇ ପଡିଥାଏ I କାହାକୁ କିଛି କହିବାର ନଥିଲା ନା କିଛି କରିବାର ଥିଲା I କାନ ମୁଣ୍ଡ ଆଉଁସି ନିଜ ଭାଗ୍ୟ କୁ ନିନ୍ଦିବା ବ୍ୟତୀତ ଆଉ କିଛି ଚାରା ନଥିଲା I ସେମାନଙ୍କୁ ବାହାରକୁ କୁଆଡେ ଯିବାକୁ ଦିଆ ଯାଉ ନଥିଲା I ବିମଳା ଝିଅ ଟାକୁ ଗାଧୋଇ ଦେଲା I ଖାଇବାକୁ ଗଣ୍ଡେ ଦେଇ ସପ ଉପରେ ଛିଡା ଲୁଗା ଖଣ୍ଡେ ପକେଇ ଶୁଆଇ ଦେଲା I ସନ୍ଧ୍ୟା ରେ ଗୋଟେ ଗାର୍ଡ ଆସି ଔଷଧ ମେଞ୍ଚେ ଦେଇ ଠାର ରେ କହିଲା ଖାଇବାକୁ ଦେଇ ଦବୁ, ଭଲ ହେଇ ଯିବ I ବୁରୁ ଭାବି ପାରୁନଥିଲା ଆଗକୁ କ’ଣ ହବ I ମରି ଯାଇଥିଲେ ଭଲ ହେଇଥାନ୍ତା ଏ ସବୁ ଦେଖିବା ପୂର୍ବରୁ I ଛୁଆଟା ଉପରେ ଯେ ଏମାନେ ଏତେ ନିଷ୍ଠୁର ହୋଇ ପାରିବେ, କଳ୍ପନା ବାହାରେ ଥିଲା I କିଛି କରିବାର ଚାରା ନଥିଲା I କିଛି ଦିନ ପରେ ଚଣ୍ଡୀ ଥରେ ଆତ୍ମହତ୍ୟା କରିବାକୁ ପାଖରେ ଥିବା ରେଳ ଲାଇନ କୁ ଯାଇଥିଲା I ଗୋଟେ ଗାର୍ଡ ଦେଖି, ତାକୁ ଟେକି ଟେକି ନେଇ ଆସିଲା ଆଉ ଧମକ ଦେଲା କି, ଆଉ ଥରେ କଲେ, ସେ ବୁରୁ, ବିମଳା ଆଉ ପପୁ କୁ ବି ମାରି ଦବ I

ତେଲେଙ୍ଗା ଲୋକ ସବୁ ତାଙ୍କ ତାଙ୍କ ଭିତରେ କଥା ହେଲେ ବି, ସମସ୍ତଙ୍କ ଅବସ୍ଥା ଏକା ପ୍ରକାର ଥିଲା I ନାଁ ସେମାନେ ବାହାରକୁ ଯାଇ ପାରୁଥିଲେ, ନାଁ କାହା ସହ ମିଶି ପାରୁଥିଲେ I ପଇସା ମାଗିଲେ ପଡୁଥିଲା ଗୋଇଠା I ମିଣିପ, ମାଈପ, ଛୁଆ ପିଲା, ସେମାନେ କିଛି ବି ଦେଖୁ ନଥିଲେ I ରୁଲ ବାଡ଼ିରେ କଷି ଦେଇ ଯାଉଥିଲେ I ଆଖି, ନାକ, କାନ, ପିଠି, ଜାଗା ଅଜାଗା ଯେଉଁଠି ବାଜୁ I ଦିନ ଯାକର ପରିଶ୍ରମ ପରେ ମଜୁରୀ ମିଳୁଥିଲା ବିଧା ଗୋଇଠା I

  ଚଣ୍ଡୀ ସହ ଦୁଷ୍କର୍ମ ପରେ ସାହସ ବଢି ଯାଇଥିଲା ସେମାନଙ୍କର I ନିଇତି କାହାର ନାଁ କାହାର ଝିଅ କିମ୍ବା ସ୍ତ୍ରୀ କୁ ଉଠେଇ କି ନେଉଥିଲେ ସେମାନେ ଆଉ ସକାଳୁ ଆଣି ଘର ଆଗରେ ଫିଙ୍ଗି ଦେଇ ଯାଉଥିଲେ I ବୁରୁ କିନ୍ତୁ ସହି ପାରୁ ନଥିଲା I କେଉଁ ବାପା ସହିବ ଯେ I ମନ ଭିତରେ ଯେତେକ ରାଗ ସବୁ ସାଇତି ରଖୁଥିଲା, ଆଉ ଦିନେ ଏସବୁର ବଦଲା ନେବ ଏହା ବି ଠିକ କରି ସାରିଥିଲା I ପ୍ରଥମେ ପ୍ରଥମେ ସକାଳୁ ଯାହା ଘରୁ କାନ୍ଦ ଶୁଭେ, ସମସ୍ତେ ଜାଣନ୍ତି ଯେ ରାତିରେ ତାଙ୍କ ଘରୁ କାହାକୁ ନେଇ କି ଯାଇଥିଲେ I ବିମଳା ପରି ଦରବୁଢ଼ୀ ବି ବାଦ ପଡିଲେ ନି ସେ ରାକ୍ଷସ ମାନଙ୍କ କବଳରୁ I

ସେଦିନ ବିମଳା କୁ ଉଠେଇ ନେଲା ବେଳେ ସହି ପରି ନଥିଲା ବୁରୁ I ଆଗରୁ ଲୁଚେଇ ରଖିଥିବା ଟାଙ୍ଗିଆଟା ଆଣି ଗାର୍ଡ କୁ ଚୋଟେ ପକେଇଲା I କିନ୍ତୁ ସେ ଘୁଞ୍ଚି ଯିବାରୁ ଚୋଟ ବାଜିଲା ତା ବୁଟ ରେ I ଗଛ ହଣା ହାତ ର ଜୋର ଏତେ ଥିଲା ଯେ ତା ପାଦର ତିନିଟା ଆଙ୍ଗୁଠି ପାଦରୁ ଅଲଗା ହୋଇ ଯାଇଥିଲା I ପିଚ ପିଚ ରକ୍ତ ବାହାରି ବୁରୁ ର ଘର ସାରା ଲାଲ ହୋଇ ଯାଇଥିଲା I ପରେ ଅବଶ୍ୟ ବୁରୁ କୁ ହିସାବ ତୁଟେଇବାକୁ ପଡିଥିଲା I ସେମାନେ ଦଶ ବାର ଜଣ ଆସି ବୁରୁ କୁ ଉଠେଇ ନେଲେ ଆଉ ଅକଥନୀୟ ଯନ୍ତ୍ରଣା ସହି ସେ ଫେରିଥିଲା ୨ ଦିନ ପରେ I ସେତେ ବେଳକୁ ତା ବାମ ହାତ ର ଚାରୋଟି ଆଙ୍ଗୁଠି ତା ହାତ ରୁ ଅଲଗା ହୋଇ ସାରିଥିଲେ I ନିତି ନିତି ଏପରି ଘଟଣା ପରେ ଦିହସୁହା ହେଇ ଗଲା ସମସ୍ତଙ୍କର I ଆଉ କାନ୍ଦ ଶୁଭେନି କାହା ଘରୁ I ସବୁଦିନ ରାତିରେ ଝିଅ ଆଉ ସ୍ତ୍ରୀଲୋକ ମାନେ, ମନେ ମନେ ପ୍ରମାଦ ଗଣନ୍ତି I କେଉଁଦିନ  କାହାକୁ ନେବେ ଜଣା ନାହିଁ I କିନ୍ତୁ କିଛି କରିବାର ନଥାଏ I

ଦିନ ଆଉ ରାତି ର ହିସାବ ନଥାଏ I କେତେ ମାସ ହେଲା ସେ ଆସିଲାଣି I ଏବେ କେଉଁ ମାସ ଚାଲିଛି I ଆଜିର ତାରିଖ କେତେ I କିଛି ଦରକାର ନଥାଏ କାହାର I ଜାଣି ବା ଲାଭ କ’ଣ? ଆଗ କାଳେ, କୁଆଡେ କ୍ରୀତଦାସ ଥିଲେ ବୋଲି ବୁରୁ ଶୁଣି ଥିଲା I ଏମାନେ ବି ଗୋଟେ ଗୋଟେ କ୍ରୀତଦାସ ପାଲଟି ଯାଇଥିଲେ I ଜିଅନ୍ତା ଭୁତ କହିଲେ ଠିକ ହେବ I ନାଁ ହସ ଥିଲା ମୁହଁ ରେ, ନାଁ କାନ୍ଦି ପାରୁଥିଲେ I ଆଖିରୁ ପାଣି ଶୁଖି ଯାଇଥିଲା I ଦେହରେ ରକ୍ତ ନଥିଲା I ପେଟକୁ ଗଣ୍ଡେ ଖାଉଥିଲେ ବୋଲି ଲାଗୁଥିଲା ସେମାନେ ମଣିଷ I

ସେମାନଙ୍କ ଅତ୍ୟାଚାର ର ସୀମା ନଥାଏ I କେବେକେବେ ପୋଲିସ ମାନେ ବି ଆସନ୍ତି I ସେଦିନ ଚଣ୍ଡୀ ଆଉ ଚଣ୍ଡୀ ପରି ଛୋଟ ଝିଅ ମାନଙ୍କୁ ସେମାନେ ରାତି ରେ ନିଅନ୍ତିI ଏମାନଙ୍କୁ ଆଗୁଆ କହିଦେଇଥାନ୍ତି ଛଅ ଟା ଶୁଦ୍ଧା ରେଡି ହେବାକୁ I ଯେଉଁଠି ପୋଲିସ ମାନେ ବି ଏମାନଙ୍କ ସହ ହାତ ମିଶେଇଛନ୍ତି ସେଠି କାହାର ବା ପାଟି ଫିଟେଇବାକୁ ଯୁ ଅଛି I ଆସ୍ତେ ଆସ୍ତେ ଚଣ୍ଡୀ ସେମାନଙ୍କ ଭାଷା ଶିଖି ଯାଇଥିଲା I ବୁଝି ପାରୁଥିଲା ଆଉ କିଛି କିଛି କହି ପାରୁଥିଲା I ଚଣ୍ଡୀ ପୂର୍ବରୁ ସମସ୍ତଙ୍କୁ କହି ରଖି ଥାଏ, କାହାକୁ କିଛି ନଜଣେଇ, ଗାର୍ଡ ମାନେ ମଦ ପିଇବାରେ ବ୍ୟସ୍ତ ଥିଲା ବେଳେ ଲୁଚି ଲୁଚି ପଳେଇ ଯିବା ପାଇଁ I ପ୍ରତି ବୁଧବାର ସନ୍ଧ୍ୟା ୭.୩୦ ରେ ଗୋଟେ ଟ୍ରେନ ଯାଏ, ସେ ଟ୍ରେନ କୁ ନାଲି କନା ଦେଖେଇଲେ ସେ ରହି ଯିବ I ଜିନିଷ ପତ୍ର କିଛି ନନେଇ, ପିନ୍ଧା ଲୁଗା ଆଉ ପଇସା ପତ୍ର ନେଇ ଚାଲିଯିବ I ମୋ ପାଇଁ ଚିନ୍ତା କରିବନି I ମୁଁ ପରେ ଆସିବି I

ସେଦିନ ବି ସେମାନେ ଆସିଥିଲେ ଚଣ୍ଡୀ କୁ ନେବା ପାଇଁ I ବୁଧବାର ଥିଲା I ସନ୍ଧ୍ୟା ଛଅ ଟା ପୂର୍ବରୁ ଚଣ୍ଡୀ ବୁଲି ବୁଲି ସମସ୍ତଙ୍କୁ କହି ସାରିଥିଲା I ଗାର୍ଡ ମାନେ ଯେମିତି ନ ଜାଣିବେ ସେଥି ପାଇଁ ସମସ୍ତେ ସତର୍କ ଥିଲେ I ନିଜ ନିଜ କାମ କରୁଥିଲେ ବି ଭିତରେ ଭିତରେ ସାହସ ସଂଚୟ କରି ସାରିଥିଲେ I କିନ୍ତୁ ଆଉ ଗୋଟେ ଦୁର୍ଭାଗ୍ୟ ଅପେକ୍ଷା କରିଥିଲା ବୁରୁ କୁ I ସେମାନେ ଆସିଲା ବେଳକୁ ପପୁ, ଚଣ୍ଡୀ ର ଡ୍ରେସ ପିନ୍ଧି ଖେଳୁ ଥାଏ I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଯିବାକୁ ବସିଲେ I ବୁରୁ ର ମୁଣ୍ଡ କିଛି କାମ କରୁ ନଥିଲା I ଚଣ୍ଡୀ ତାଙ୍କ ଗାଡ଼ିରେ ବସି ସାରିଥାଏ, ପପୁକୁ ଛାଡି ଦେବାକୁ ନେହୁରା ହୋଇ କହୁଥାଏ I କିନ୍ତୁ ସେମାନେ ଛାଡିବାକୁ ନାରାଜ I ଚଣ୍ଡୀ କଣ ଭାବିଲା କେଜାଣି, ଗାଡ଼ିରୁ ଓ଼ଲ୍ଳେହି ଆସି ବିମଳା ହାତରୁ ପରିବା କଟା ଛୁରୀ ଟା ନେଇ ତା ପେଣ୍ଟ ପକେଟ ରେ ଲୁଚେଇ ଦେଲା ଆଉ ଠାର ରେ କହି ଦେଇ ଗଲା ତମେ ଚାଲି ଯିବ I ମୁଁ ପପୁ କୁ ନେଇ କି ଆସିବି I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଗଲେ I

ଗାର୍ଡ ମାନେ ସବୁ ମଦ ପିଇବାରେ ମସଗୁଲ ଥିଲା ବେଳେ, ଲୁଚି ଲୁଚି ସମସ୍ତେ ଟ୍ରେନ ଲାଇନ ପାଖକୁ ପଳେଇ ଆସିଲେ I ସେପଟୁ ଟ୍ରେନ ଆସୁଥାଏ I ତେଲେଙ୍ଗା ଲୋକ ଟେ ତା ନାଲି ସାର୍ଟ କୁ ଦେଖେଇବାରୁ ଟ୍ରେନ ରହିଲା I ସମସ୍ତେ ସେଥିରେ ବସି ପଳେଇ ଆସିଲେ I ହେଲେ ବୁରୁ ଆଉ ବିମଳା ତାଙ୍କ କଲିଜା ଦି ଟା କୁ ଛାଡି ଆସିଥିଲେ I ଆସିବାକୁ ଇଛା ନଥିଲେ ବି ଚଣ୍ଡୀ ର ତ୍ୟାଗ ଆଉ ଏ ନର୍କ ରୁ ସମସ୍ତଙ୍କୁ ରକ୍ଷା କରିବାର ପ୍ରତିଶୃତି, ସେମାନଙ୍କୁ ଆସିବାକୁ ବାଧ୍ୟ କଲା I ଟ୍ରେନ ଛାଡି ସାରିବା ପରେ, ତେଲେଙ୍ଗା ଲୋକ ମାନେ ଭଗବାନ ଙ୍କୁ ମୁଣ୍ଡିଆ ମାରିବା ପରି ବୁରୁ ଆଉ ବିମଳା ର ପାଦ ତଳେ ପଡି ଗଲେ I ଚଣ୍ଡୀ ର ତ୍ୟାଗ ପାଇଁ ଆଖିରେ ଲୁହ ଆଉ ବୁକୁ ରେ କୋହ ଧରି ତାଙ୍କ ଭାଷାରେ କଣ କଣ ସବୁ  କହି ଯାଉଥାନ୍ତି ଆଉ ବାରମ୍ବାର ବୁରୁ ଆଉ ବିମଳା ର ହାତ, ଓଠ, ଗୋଡ ଧରି ମୁଣ୍ଡିଆ ମାରୁଥାନ୍ତି I ପୁଅ ଝିଅଙ୍କୁ ହରେଇ ଥିଲେ ବି ବୁରୁ ଆଉ ବିମଳାଙ୍କ ଛାତି ଫୁଲି ଉଠୁ ଥାଏ I ଭଗବାନ ଙ୍କୁ ଧନ୍ୟବାଦ ଦେଉଥାନ୍ତି ଆଉ ନିଜ ଝିଅ ବୋଲି ଗର୍ବ କରୁ ଥାନ୍ତି I ହାଇଦ୍ରାବାଦ ଷ୍ଟେସନ ରେ ପହଞ୍ଚି ସମସ୍ତେ ଅଲଗା ଅଲଗା ନିଜ ନିଜ ଗାଁ କୁ ଯିବା ପାଇଁ ପ୍ରସ୍ତୁତ ହେଲେ I ତାଙ୍କ ଭାଷା ରେ କଣ କଣ କହି କୁଣ୍ଢା କୁଣ୍ଢି ହୋଇ ବୁରୁ ଆଉ ବିମଳାଙ୍କ ପାଖରୁ ବିଦାୟ ନେଲେ I ସମସ୍ତେ ବୁଝି ପାରୁଥିଲେ ମୁକ୍ତି ରେ କେତେ ଆନନ୍ଦ ଥାଏ I ଚଢେଇ କୁ ପଞ୍ଜୁରୀ ରୁ ଛାଡି ଦେଲେ, ତାକୁ ଯେତିକି ଆନନ୍ଦ ଲାଗେ ଆଜି ତାଠୁ କାହିଁ କେତେ ଗୁଣ ରେ ଆନନ୍ଦ ଥିଲା ଏମାନଙ୍କ ମୁହଁରେ I

ଏବେ ସମସ୍ତେ ଚାଲି ଗଲା ପରେ ବୁରୁ ଆଉ ବିମଳାଙ୍କ ମୁଣ୍ଡରେ ଚିନ୍ତା ପଶିଲା I ପୁଅ ଝିଅଙ୍କୁ ନ ନେଇ ଗାଁ କୁ ଯିବେ କେମିତି I କଣ କହିବେ ଗାଁ ରେ I କ’ଣ ଜବାବ ଦେବେ ମା କୁ ଆଉ ପୁଅ ଝିଅ ଦିଟା ଙ୍କୁ I ନାଁ କହି ପାରିବେ ଝିଅ ଆଉ ବିମଳା ପ୍ରତି ଏ ଅତ୍ୟାଚାର, ନାଁ କହି ପାରିବେ ସେମାନଙ୍କ କଷ୍ଟ I ଗାଁ ରେ ଲୋକ ଯେମିତି କଥା କୁ ନଥା କରି ଛିଗୁଲେଇବେ, ଉଘେଇବେ I କଳି ତକରାଳ ହେଲେ ସାତ ପୁରୁଷ ର ଶ୍ରାଦ୍ଧ ଦେବେ I ଏତେ ସମୟ ଧରି ଚୁପ ଥିବା ବୁରୁ କିନ୍ତୁ ଆଉ ସମ୍ଭାଳି ପାରି ନଥିଲା I କାନ୍ଦିଥିଲା ମୁଣ୍ଡପିଟି, ଗଲା ଫଟାଇ I ଏତେ କଷ୍ଟ ସହିବା ପରେ ବି କେବେ ତା ଆଖି ରୁ ଲୁହ ବାହାରି ନଥିଲା I ରାଗ ରେ ସେ ସବୁ ଲୁହ ପିଇ ଯାଉଥିଲା I ରାଗ ଥିଲା ଚଣ୍ଡୀ ସହିଥିବା ଅତ୍ୟାଚାର ପାଇଁ , ରାଗ ଥିଲା ବିମଳା ର ଇଜ୍ଜତ ପାଇଁ , ରାଗ ଥିଲା ତା ବାମ ହାତର ଚାରିଟା ଆଙ୍ଗୁଠି ପାଇଁ ଆଉ ରାଗ ଥିଲା ମଜୁରୀ ପାଇଁ I କିନ୍ତୁ ଏବେ? ନାଁ ସେ ଆଉ କାହା ଉପରେ ରାଗ ଶୁଝେଇ ପାରିବ ନାଁ ଫେରିପାଇବ ଏସବୁ I ଯାହା ତ ଯାଇଥିଲା ଯାଇଥିଲା, ପୁଅ ଝିଅ ଦି ଟା ବଞ୍ଚିଥିଲେ ଯେ ଏବେ ସେମାନେ ବି ଗଲେ I ସେ ରାକ୍ଷସ ଗୁଡା ଆଉ କଣ ରଖିବେ ଚଣ୍ଡୀ ଆଉ ପପୁ କୁ? ଯେତେ ବେଳେ ଜାଣିବେ ଯେ ସବୁ ପରିବାର ଲୁଛି କି ପଳେଇ ଯାଇଛନ୍ତି I ନିଶ୍ଚୟ ମାରିଦେବେ I ବାପା ଆଉ ମା ର ଦେହ ସହୁ ନଥିଲା I କିନ୍ତୁ ଆଉ କିଛି ବି ଚାରା ନଥିଲା କାହା ପାଖରେ I

ବହୁତ ସମୟ ପରେ ଦିହେଁ ନିଶ୍ଚୟ କଲେ ଯେ ଗାଁ ରେ କହିବେ, ଝିଅ ଆଉ ପୁଅ ଦୁହେଁ ଟ୍ରେନ ରେ ଗଲା ବେଳେ ହଜି ଯାଇଛନ୍ତି I ବହୁତ ଖୋଜିଲେ ବି ମିଳିଳେନି Iସେମାନେ ଆଉ ବଞ୍ଚିଥିବାର ଆଶା ନଥିଲେ ବି କେଉଁ ବାପା,ମା ଅବା ନିଜ ପୁଅ ଝିଅର ମଲା କଥା ପାଟିରେ ଧରି ପାରିବେ I ସେମାନେ ଟ୍ରେନ ରେ ଏବେ ଗାଁ ରେ ଆସି ପହଞ୍ଚିଲେ ଆଉ ଲୋକଙ୍କ ପ୍ରଶ୍ନ ରେ ଅତିଷ୍ଠ ହୋଇ ଯାଇ ଥିଲେ I ସେପଟେ ମା ଟା ବି ସମ୍ପୁଛି କାଲିଠୁ I ଚଣ୍ଡୀ ନହେଲେ ଚଳିବ କିନ୍ତୁ ପପୁ ଦରକାର ତାକୁ I ପୁଅ ଦରକାର I କଥାରେ ଅଛି ପରା ଯେତେ ଭାଇ ସେତେ ଘର I କିନ୍ତୁ ଚଣ୍ଡୀ ଝିଅ ଟେ ହୋଇ ଯାହା କରିଛି କେଉଁ ପୁଅ ବି କରି ପାରିବନି I ବାର ଟା ପରିବାରକୁ ସାହସ ଦେଇ ସେ ରାକ୍ଷସ ମାନଙ୍କ କବଳରୁ ମୁକ୍ତି କରିବା କଣ କମ କଥା I

ଖବର କାଗଜ ଟା ତା’ ହାତ ରେ ମୋଡି ହେଇ ଯାଇଥିଲା I ସେ ଆଉ ଥରେ ଖବର କାଗଜ ଟିକୁ ଦେଖିଲା I ଚଣ୍ଡୀର ଦେହ ଟା ଦି ଖଣ୍ଡ ହୋଇ ଟ୍ରେନ ଲାଇନ ରେ ପଡିଥିଲା I ମୁହଁ ଆଉ ଦେହରେ ରକ୍ତ ର ଛିଟା ଗୁଡା ଶୁଖି କଳା ହୋଇ ଯାଇଥିଲେ ବି ନିଜ ଝିଅ କୁ ସେ ଠିକ ଚିନ୍ହି ପାରୁଥିଲା I ସକାଳୁ ସକାଳୁ ଛକ ପାଖ ବରା ଦୋକାନ ରେ କାଲି ର ପେପର ଟା ପଡିଥିଲା I ବୁରୁ ଖବର କାଗଜ ରେ ଫୋଟୋ ଦେଖୁ ଦେଖୁ ଚଣ୍ଡୀ କୁ ଚିନ୍ହି ସାରିଥିଲା I ସ୍କୁଲ ପିଲା ଟିଏ କୁ କହି ପେପର ପଢେଇଲା ସେ I ପେପର ରେ ଲେଖା ହୋଇଥିବା ଗୋଟେ ଗୋଟେ ଶବ୍ଦ ତା କାନ ପାଖରେ ଗୁଣୁ ଗୁଣେଇ ହେଉ ଥିଲେ “ଜଙ୍ଗଲ ମଝିରେ ନାବାଳିକା ର ଆତ୍ମହତ୍ୟା, ବିଶାଖାପାଟଣା ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲ ରେ ୧୪-୧୫ ବର୍ଷ ର ନାବାଳିକା ଆତ୍ମହତ୍ୟା କରିଛି I ତା ପରିଚୟ ମିଳି ପାରି ନାହିଁ I ବେଶ ଭୁଷା ରୁ ଓଡିଶା ର ଝିଅ ବୋଲି ଜଣା ପଡୁଛି”….. ଆଉ କିଛି ଶୁଭି ନଥିଲା ବୁରୁକୁ I ଚଣ୍ଡୀ ର ମଲା ଖବର ତ ପାଇଗଲା I ହେଲେ ପପୁ? କେତେ କଷ୍ଟ ଦେଇ ମାରି ନଥିବେ ଦି ଭାଇ ଭଉଣୀଙ୍କୁ I ପେପର ରେ ଚଣ୍ଡୀ ର ଫୋଟଟିକୁ ଆଉଁସି ଦେଇ ଗାମୁଛା ରେ ଆଖି ପୋଛିଲା ସେ I ତା ଜାଲୁ ଜାଲୁଆ ଆଖିରେ ପପୁ ର ମୁହଁ ଦିଶି ଯାଉଥିଲା I ପପୁ ହସି ହସି ବା’ଆ ବା’ଆ କହି ଗାଁ ମୁଣ୍ଡ ରୁ ଦୌଡ଼ି ଦୌଡ଼ି ଆସୁଥିଲା I ବୁରୁ ଆଖି ବନ୍ଦ କରି ତା ଦି ଛୁଆଙ୍କ ଆତ୍ମା କୁ ପ୍ରଣାମ ଜଣେଇଲା I

ଆଖି ଖୋଲିବା ପୂର୍ବରୁ ପପୁ ର ଡାକ ତା କାନ ରେ ପଡିଲା ଆଉ ପପୁ ଆସି ବୁରୁ ର ବେକ ରେ ଓହଳେଇ ହେଇ ପଡି ଗେଲ୍ହେଇ ହେଲା I ବୁରୁ ଭାବି ପାରୁ ନଥିଲା ସ୍ବପ୍ନ ଦେଖୁଛି ନା ସତ I ଆଖିକୁ ବିଶ୍ୱାସ ହେଉ ନଥିଲା ତା’ର I ପପୁ କୁ କୁଣ୍ଢେଇ ପକେଇ ବୋକ ପରେ ବୋକ ଦେଇ ଗଲା I ଆଉ କେହି ଦେଖିବା ପୂର୍ବରୁ ସେ ପପୁକୁ ଘର ଭିତରକୁ ନେଇ କଣ ହେଇଥିଲା ଆଉ ସେ ଏଠିକୁ ଆସିଲା କେମିତି ଜାଣିବାକୁ ଚେଷ୍ଟା କଲା I ବିମଳା ବି ଘର ଭିତରକୁ ଆସି ସାରିଥିଲା I ବିମଳା ପପୁ କୁ କୋଳ କୁ ନେଇ ସେମାନେ ପୁରା ଘଟଣା କଣ କହ… ବୋଲି ପପୁ କୁ ପଚାରିଲେ I

ପପୁ କହିଲା,”ସେଦିନ ନାନୀ ଆଉ ମୋତେ ସେମାନେ ଗାଡ଼ିରେ ବସେଇ ନେଇ ଗଲେ I ସେଠି ଆହୁରି ବି ତିନିଟା ଝିଅ ଥିଲେ I ସବୁ ନାନୀ ପରି I ମୁଁ ପୁଅ ଟା ବୋଲି ଜାଣିଲା ପରେ ମୋ ପେଣ୍ଟ ସାର୍ଟ ଖୋଲି ଦେଇ ମୋତେ ନାଚିବାକୁ କହିଲେ I ମୁଁ ଖଟ ଉପରେ ନାଚୁଥିଲି I ବନ୍ଧୁକ ଥିଲା ତାଙ୍କ ପାଖରେ I ସେମାନେ ସବୁ ମଦ ପିଉଥିଲେ ଆଉ କଥା ହଉଥିଲେ ଝିଅ ମାନଙ୍କ ସହ I ସମସ୍ତେ ଜଣେ ଜଣେ ଝିଅ ସହ ଗୋଟେ ଗୋଟେ ବଖରା ଭିତରକୁ ଗଲେ I କିଛି ସମୟ ପରେ ନାନୀ ବାହାରକୁ ଆସିଲା I ତା ହାତରେ ରକ୍ତ ଲାଗିଥିଲା I ସେ ଅନ୍ୟ ବଖରାକୁ ଯାଇ କବାଟ ବାଡେଇଲା ଆଉ ଭିତରକୁ ଗଲା I ସେ ବଖରାରୁ ବାହାରିଲା ବେଳେ ତା ହାତରେ ଆଉ ସେ ଝିଅ ହାତରେ ବି ରକ୍ତ ଲାଗିଥିଲା I ସେମାନେ ଆର ଝିଅ ଦି ଜଣଙ୍କୁ ବି ଆଣିଲେ I ମୁଁ କବାଟ ପାଖରୁ ଦେଖିଲି ସେ ଲୋକଟା ମୁହଁ ମାଡି ତଳେ ପଡିଥିଲା I ତା ବେକରୁ ପିଚ ପିଚ ହେଇ ରକ୍ତ ବାହାରୁ ଥିଲା I ଆମେ ସବୁ ଦୌଡ଼ି ଦୌଡ଼ି ଟ୍ରେନ ଲାଇନ ପାଖକୁ ଆସିଲୁ I ସେତେବେଳେ ଗୋଟେ ଟ୍ରେନ ଯାଉଥିଲା, ଯଉଥିରେ କୋଇଲା ଯାଏ I ନାନୀ ତା’ ନାଲିଆ ଓଢଣୀ ଟା ଟ୍ରେନ କୁ ଦେଖେଇଲା I ଟ୍ରେନ ରହିଲା ପରେ ଆମେ ସବୁ ସେ କୋଇଲା ଡବା ରେ ଚଢ଼ିଗଲୁ I ନାନୀ ସମସ୍ତଙ୍କୁ ଚଢେଇ ଦେଇ ନିଜେ ଚଢିଲା ବେଳକୁ ଟ୍ରେନ ଛାଡି ଦେଲା I କାଳିଆ ଗାର୍ଡ ଗୋଟେ କଉଠି ଥିଲା କେଜାଣି, ନାନୀ ଚଢିଲା ବେଳକୁ ତା ଗୋଡ କୁ ଧରି ପକେଇଲା I ନାନୀ ସେ ଟ୍ରେନ ତଳେ ପଡିଗଲା I ତା ପରେ ମୁଁ ଜାଣିନି ନାନୀ କୁଆଡେ ଗଲା I ମୁଁ ଆସିକି ଗୋଟେ ଷ୍ଟେସନ ରେ ପହଞ୍ଚିଲି I ସେ ଝିଅ ଗୁଡା ସେଠୁ କୁଆଡେ ଗଲେ ମୁଁ ଜାଣିନି Iସେଠି ଆମ ଗାଁ ନାଁ କହିବାରୁ ସେମାନେ ମୋତେ ଆଉ ଗୋଟେ ଟ୍ରେନ ରେ ବସେଇ ଦେଲେ I ମୁଁ ଆସି କି ଏଠି ଷ୍ଟେସନ ରେ ଓ଼ଲ୍ଳେହିଲି I ତା ପରେ ନିଧିଆ ବସ ରେ ଗାଁ କୁ ଆଇଲି I

ପପୁ, ଘର ବାହାରକୁ ଜେଜୀ ପାଖକୁ ଯାଉ ଯାଉ କହିଲା, “ନାନୀ ତମକୁ କହିବାକୁ କହିଥିଲା I କହିଲା, ବା’ଆ କୁ କହିବୁ ମୁଁ ସମସ୍ତଙ୍କୁ ମାରି ଦେଇଛି I ଛଅ ଜଣଙ୍କୁ ମାରିଛି ବୋଲି କହିଲା ” I ବୁରୁ ର ପ୍ରତିଶୋଧ ଚଣ୍ଡୀ ନେଇ ସାରିଥିଲା I ଚଣ୍ଡୀ ର ମଲା ଦେହ ଟାକୁ ଆଣିବାକୁ ପୁଣି ଥରେ ସେ ଜାଗାକୁ ଯିବାକୁ ବୁରୁ ସାହସ ସଞ୍ଚୟ କରି ପାରୁ ନଥିଲା I ବିମଳା ଆଉ ବୁରୁ ଆଖିରୁ ଲୁହ ବୋହୁଥାଏ I ମଣିଷ ନୁହଁ ସ୍ୱୟଂ ମା ଚଣ୍ଡୀ ଆସିଥିଲେ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ I ବୁରୁ ଆଉ ବିମଳା ସେ ଦେବୀଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲେ I

ବୁରୁ ଫେରି ଆସିଛି ବୋଲି ଖବର ପାଇବା ପର ଠାରୁ ବିଜୁ ବାବୁ ର ଦେଖା ନଥିଲା ଗାଁ ରେ …..

 

–X–

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ଫୁଲ ଚୋରି

ଫୁଲ ଚୋରି

ସୁବଳ ମହାପାତ୍ର
ବାଙ୍କନିଧି ବାବୁଙ୍କ ସକାଳ ବୁଲା ଭଲ ତ ସେ ଭଲ । ଅଭ୍ୟାସଟା ୩୦ ବର୍ଷ ତଳର, ଯେତେବେଳେ ସେ ଚାକିରୀ କରୁଥିଲେ ମୟୁରଭଞ୍ଜର ଠାକୁରମୁଣ୍ଡା ପୋଷ୍ଟ ଅଫିସରେ । ହେଡ଼ ପୋଷ୍ଟ ମାଷ୍ଟର ପଦବୀରେ ଢେର ଦିନ ରହି ଗଲେ ଏ ଅଫିସରେ । ପ୍ରକୃତ ଘର ଭୁବନ । ରିଟାୟାର୍ଡ଼ ପରେ ଭୁବନେଶ୍ୱର ରେ ଘର କିଣି ରହୁଛନ୍ତି । ରାତି ୪ଟା ରୁ ବାଙ୍କନିଧି ବାବୁ ରୁଲ ବାଡ଼ି ଖଣ୍ଡେ ଧରି ଘରୁ ବାହାରି ଯାନ୍ତି । ସକାଳ ବୁଲା, ହୋ ହୋ କ୍ଲବ (ହସ କ୍ଲୁବ) ସାରି, ପାର୍କ ରେ ଦୁଇ ରାଉଣ୍ଡ ମାରି, ଚା ଖାଇ, ପାଉଚ କ୍ଷୀର ୨ ଲିଟର କିଣି ବାବୁ ଘରକୁ ଫେରନ୍ତି । କିନ୍ତୁ ମଝିରେ ଗୋଟେ କେଁ ଅଛି । ରାତି ୪ଟା ରେ ସେ ଯେଉଁ ଯେଉଁ ବାଟ ଦେଇ ଯାଆନ୍ତି, ସେ ବାଟ ଯାକ ଗୋଟେ ବି ଗଛରେ ଗୋଟେ ବି ଫୁଲ ରହେନି । ବାବୁଙ୍କର ଫୁଲ ପ୍ରତି ଲୋଭ ଟିକେ ଅଧିକା ।
ଠାକୁରମୁଣ୍ଡାରେ ଥିଲା ବେଳେ ସରକାରୀ ପିଅନ ଦ୍ୱାରା ଘର ଆଗରେ ଫୁଲ ବଗିଚା ଗୋଟେ କରି ଥିଲେ । ଆଉ ଆଉ ଫୁଲ ବି ସକାଳୁ ଘେରେ ବୁଲି ଆସିଲେ ରାସ୍ତା କଡ଼ରୁ ମିଳି ଯାଏ । ସ୍ତ୍ରୀ ବାସନ୍ତୀଙ୍କ ଖୁସି ପାଇଁ ସେ ଫୁଲ ଆଣି ଦିଅନ୍ତି । ବାସନ୍ତୀଙ୍କୁ ୫୦ ବର୍ଷ ହେଲା ବେଳକୁ ସେ ଭଗବାନଙ୍କର ବଡ ଭକ୍ତ । ସକାଳୁ ସକାଳୁ ଗାଧୋଇ, ଠାକୁର ଘରକୁ ଭଳିକି ଭଳି ଫୁଲରେ ସୁନ୍ଦର ଭାବେ ନ ସଜେଇଲେ ଦିନ ସାରା ଭଲ ଲାଗେନି ତାଙ୍କୁ । ବାଙ୍କନିଧି ବାବୁ ବି ସାଥ ଦିଅନ୍ତି ତାଙ୍କର । ବୁଢା ବୁଢ଼ୀ ଦି ଜଣ ସକାଳ ୭ଟା ରୁ ଗାଧୋଇ ପାଧୋଇ ଠାକୁର ଘରେ ପଶନ୍ତି ଯେ ଦିନ ୯ଟା ରେ ପୂଜା ସରେ । ଭଲ ଭଲ ପର୍ବ ପର୍ବାଣିରେ ତ ଆଉ ଘଣ୍ଟେ ଅଧିକା ଲାଗେ । ଦିନେ ଦିନେ ମକରା (ବାବୁଙ୍କ ପିଅନ) ମାଲିକାଣୀଙ୍କୁ ଖୁସି କରିବାକୁ କଇଁ ଆଉ ପଦ୍ମ ଫୁଲ ବି ଆଣି ଦିଏ । ବାବୁଆଣୀ ଆଠଣା, ଟଙ୍କେ ବକ୍ସିସ ଦିଅନ୍ତି ।
ଭୁବନେଶ୍ୱର ଆସିଲା ପରେ ଏଠି ଏ କଂକ୍ରିଟ ଜଙ୍ଗଲରେ ଫୁଲ କଉଠୁ ଆସିବ । ଘର ଆଗରେ ଗୋବେ ବୋଲି ଜାଗା ନାହିଁ । ତୁଳସୀ ଗଛ ଗୋଟେ ଲାଗିଛି ଯେ ପୂଜା କରିବାକୁ ଜାଗା ଅଣ୍ଟୁନି । ଯାହା ବି ଫୁଲ ଦିଶେ, ସେ ସବୁ ପାଚେରୀ ଭିତରେ । ଲୋକ ମାନେ ନିଜ ନିଜ ଘରେ ଲଗେଇଛନ୍ତି । ମାଗିଲେ ଦିଅନ୍ତି ନାହିଁ । ସେଥିପାଇଁ ଏତେ ସବୁ ପାଲା । ସକାଳୁ ସକାଳୁ ଉଠିକି ମର୍ନିଙ୍ଗ ୱାକ ନାଁ ରେ କିଛି କିଛି ଫୁଲ ଏକାଠି ହେଇ ଯାଏ । ବାକି କାମ ବି ସରି ଯାଏ । ବେଳେ ବେଳେ ତଟକା ପନିପରିବା ଧରି ବାବୁ ଘରକୁ ଆସନ୍ତି । ବାଙ୍କନିଧି ବାବୁଙ୍କର ଦି ପୁଅ । ବାହାରେ ରହନ୍ତି । ବଡର ଗୋଟିଏ ପୁଅ , ନାଁ ରିଙ୍କୁ । ସାନ ଏବେ ଏବେ ବାହା ହେଇଛି । ରିଙ୍କୁ ସପ୍ତମରେ ପଢେ । ଖରାଦିନ ଛୁଟିରେ ଭୁବନେଶ୍ୱର ବୁଲିବାକୁ ଆସି ଥାଏ । ବାପା ମା ଚାକିରୀ, ଏତେ ଦିନ ଛୁଟି ରେ ରହିପାରିବେନି । ରିଙ୍କୁକୁ ଆଣି ଜେଜେ ପାଖରେ ଛାଡି ଦେଇ ଗଲେ । ରିଙ୍କୁ ଆସିଲା ପରେ ଘର ଏବେ ଗହଳି ଗହଳି ଲାଗୁଛି । ରିଙ୍କୁ ଉଠିଲା ବେଳକୁ ଜେଜେ ନଥାନ୍ତି । ବୁଲି ବାଲି ଫେରନ୍ତି ୭ଟା ରେ ।
ସେଦିନ ରାତିରେ ରିଙ୍କୁ ପଚାରିଲା, “ଜେଜେ, ତମେ ସକାଳୁ ସକାଳୁ କୁଆଡେ ଯାଉଛ “?
ଜେଜେ – ମର୍ନିଙ୍ଗ ୱାକ ରେ ।
ରିଙ୍କୁ — ମୁଁ ଯିବି ?
ଜେଜେ – ନାଁ, ସକାଳୁ ତୁ ଉଠିପାରିବୁନି, ଥାଉ ।
ରିଙ୍କୁ — ମୁଁ ପାରିବି, ମୁଁ କାଲିଠୁ ତମ ସହ ମର୍ନିଙ୍ଗ ୱାକ ରେ ଯିବି ।
ଜେଜେ – ହଉ ।
ପରଦିନ ରିଙ୍କୁ ଉଠିଲା ବେଳକୁ ଜେଜେ ମର୍ନିଙ୍ଗ ୱାକ ରୁ ଫେରି ଚା ପିଉଛନ୍ତି । ରିଙ୍କୁ କହିଲା, ମୋତେ ନ ଉଠେଇକି ପଲେଇଲ ? ହଉ , କାଲି ଦେଖିବା । ଜେଜେ ହସି ଦେଲେ । କିନ୍ତୁ ବାବୁଙ୍କର ରିଙ୍କୁକୁ ନବାକୁ ଇଚ୍ଛା ନଥାଏ । କାରଣ ଛୋଟ ପିଲା ସକାଳୁ ଉଠି କଣ କରିବ ? ଆଉ ତା ଆଗରେ ଏ ବୁଢା ବୟସ ରେ ପାଚେରୀ ଚଢି ଫୁଲ ଆଣିବାକୁ ଲାଜ ଲାଗିବ । ହଉ ଦେଖିବା ।
ଲାଗ ଲାଗ ପାଞ୍ଚ ଦିନ ଜେଜେ, ରିଙ୍କୁକୁ ନ ନେଇ କି ପଳେଇଲେ । ସବୁଦିନ ରିଙ୍କୁ ପଚାରେ, ଜେଜେ କହନ୍ତି, “ହଉ, ଦେଖିବା” କିନ୍ତୁ ସକାଳୁ ନ ଉଠେଇ ପଳାନ୍ତି । ପରଦିନ ବି ଜେଜେ ସକାଳୁ ସକାଳୁ ଉଠି ବାହାରି ଗଲେ । ରିଙ୍କୁ କିନ୍ତୁ ନଛୋଡବନ୍ଧା । ରାତିରେ ରେ ମୋବାଇଲ ରେ ଆଲାର୍ମ ଦେଇଥାଏ । ୩.୩୦ ରୁ ଉଠି ମୁହଁ ଧୋଇ, ଚେଇଁକି ଶୋଇ ଥାଏ । ଜେଜେ ଗଲା ପରେ ସେ ତାଙ୍କ ପଛେ ପଛେ ଚାଲିଲା । ଜେଜେ, ଗୋଟେ ପରେ ଗୋଟେ ଗଛ ଖାଲି କରି କରି ଯାଉଥାନ୍ତି । ରିଙ୍କୁକୁ ଟି କେ ଖରାପ ଲାଗିଲା । ଗଛ ଗୁଡିକ କେତେ ସୁନ୍ଦର ଦେଖା ଯାଉଥାନ୍ତି । ଚନ୍ଦ୍ର କିରଣ ଅଳ୍ପ ଅଳ୍ପ ପଡି ଥାଏ । ସୂର୍ଯ୍ୟ ଦେବତା ଆସିବେ ଆସିବେ ହେଉ ଥାନ୍ତି । ସିନ୍ଦୁରା ଫାଟି ଟିକେ ଟିକେ ଫରଚା ହେଇ ଯାଇଥାଏ । ଗୋଲାପ, ଟଗର, ଚମ୍ପା, ଆଉ ବି ସବୁ ଫୁଲ ଗଛ ଗୁଡିକ ସ୍ୱର୍ଗର ପରି ଭଳି ଦେଖା ଯାଉଥାନ୍ତି । ଜେଜେ କିନ୍ତୁ ନିଷ୍ଠୁର ଭାବେ ସବୁ ଫୁଲ ତୋଳି ଆଣୁଥାନ୍ତି । ଜେଜେ ଫୁଲ ତୋଳି ସାରିଲା ପରେ ଗଛ ଗୁଡିକୁ ଚାହିଁ ହେଉ ନଥାଏ । ଯେମିତି କି ରାତିର ଅନ୍ଧକାର ରେ ଲଙ୍ଗଳା ଭୁତ ମାନେ ହାତ ଗୋଡ ହଲଉଛନ୍ତି । ଜେଜେ କିନ୍ତୁ ଥରେ ଦି ଥର ଏପଟ ସେପଟ ଚାହିଁ ଦେଇ ସବୁ ଗଛ ଲଣ୍ଡା କରି ଚାଲିଥାନ୍ତି ।
ରିଙ୍କୁ ଭାବି ଚାଲି ଥାଏ, ପୁଣେ ରେ ତାଙ୍କ ଫ୍ଲାଟ ରେ ସିକୁରିଟି ଗାର୍ଡ ଗୋଟେ ଛୋଟ ଫୁଲ ବଗିଚା କରିଥାଏ । ଜାତି ଜାତିକା ଫୁଲ ଆଉ ସୋ ଗଛ ସବୁ ଲଗେଇ ଥାଏ । ବେଳେବେଳେ ତାଙ୍କ ସୋସାଇଟି ର କିଛି ପିଲା ଆସି ଗଛ ଭାଙ୍ଗି ଦିଅନ୍ତି ଆଉ ଫୁଲ ଛିଡେଇ ଦିଅନ୍ତି । ସେ ଭାରି ମନ ଦୁଃଖ କରେ । କାହାକୁ କିଛି କହି ପାରେନି । ସେ ତ ଗରିବ ଲୋକ, କିଛି କହିଲେ କାଳେ ଚାକିରୀରୁ ବାହାର କରିଦେବେ । ରିଙ୍କୁ ର ମନ ବି ଦୁଃଖ ହୁଏ । ଜେଜେ ଏଠି ସବୁ ଗଛ ଲଣ୍ଡା କରି ଚାଲିଛନ୍ତି । ବଗିଚାର ମାଲିକକୁ କେତେ ଦୁଃଖ ନ ଲାଗୁଥିବ ।
ଛି.. ଏଗୁଡା ଖରାପ କଥା । ଠାକୁରଙ୍କୁ କଣ ଗୋଟେ ଫୁଲ ଦେଇ ପୂଜା କରି ହବନି ? ଚୋରି କରା ଫୁଲରେ ଠାକୁର ଘର ସଜେଇବା କଣ ଭଲ କଥା । ଠାକୁର କଣ ଖୁସି ହୁଅନ୍ତି ଅନ୍ୟକୁ ଦୁଃଖ ଦେଇ ଆଣିଥିବା ଫୁଲରେ ? ଫୁଲ ତା ଗଛରେ ସୁନ୍ଦର ଦିଶେ । ଛିଣ୍ଡେଇ ଆଣି, ଠାକୁରଙ୍କୁ ଲଗେଇବା କ’ଣ ଦରକାର ? ଯେତିକି ଦରକାର ସେତିକି ଆଣିଲେ ହବନି ? ଯିଏ ଫୁଲ ଗଛ ଲଗେଇଛି , ତା’ର ବି ତ ଘରେ ଠାକୁର ପୂଜା ହେଉଥିବ । ସବୁ ଫୁଲ ନେଇ ଗଲେ, ସେ କଣ କରିବ ? ସେମିତି ବି ଗଛକୁ ପୁରା ଲଣ୍ଡା କରିଦେଲେ କ’ଣ ଭଲ ଦିଶେ ? କେତେ ସୁନ୍ଦର ଦିଶେ ଗଛଗୁଡ଼ିକ ଫୁଲ ଥିଲେ, କେତେ ମହୁମାଛି ଆସନ୍ତି, ପ୍ରଜାପତି ଉଡନ୍ତି, କେତେ ଭଲ ଦେଖା ଯାଏ ପାର୍କ ଗୁଡା । ଏଠି କିନ୍ତୁ ନିଜେ ତ ଗଛ ଲଗେଇବେନି ଓଲଟା ଯାହାର ଗଛ ଅଛି ତା ଗଛରୁ ଚୋରି କରିବେ । ଛି.. ଛି… ଏଗୁଡା ଭଲ କଥା ନୁହଁ । ରିଙ୍କୁ କୁ ଖରାପ ଲାଗୁଥାଏ କିନ୍ତୁ ସେ ତ ଲୁଚି ଲୁଚି ଦେଖୁଚି । ଜେଜେ ତାହେଲେ ସବୁଦିନ ଏୟା କରୁଛନ୍ତି । ସେଥିପାଇଁ ମୋତେ ସକାଳୁ ବୁଲେଇବାକୁ ଆଣୁ ନଥିଲେ ।
ଜେଜେ ତାଙ୍କର ଫୁଲ ତୋଳିବାରେ ଲାଗିଥାନ୍ତି । ହଠାତ, ବିରୁଡି ଗୋଟେ କଉଠି ଥିଲା, ଜେଜେଙ୍କ ଆଖି ତଳକୁ ବିନ୍ଧି ଦେଲା । ଫୁଲ ବ୍ୟାଗ ଟା ଜେଜେଙ୍କ ହାତରୁ ଛିଟିକି ପଡିଲା । ମା.. ଲୋ କହି ଜେଜେ ବୁଲି ପଡିଲା ବେଳକୁ ଗୋଡ ଖସିଗଲା । ପାଚେରୀ ଉପରୁ ସିଧା ତଳେ । ପାଚେରୀ ତଳେ ପଥର ଗଦା । ଜେଜେ ପଥର ଉପରେ ପଡିଲେ । ବାମ ଗୋଡ ଟା ଭାଙ୍ଗି ଗଲା ଆଉ ମୁଣ୍ଡ ବି ଫାଟି ଯାଇ ଥାଏ । ତଳେ ପଡି ଜେଜେଙ୍କର ଆଉ ହୋଶ ନାହିଁ ।
ରିଙ୍କୁ କେତେ କଥା ଭାବୁ ଭାବୁ କଣ ଗୋଟେ ଦୁମ କରି ଶବ୍ଦ ହେଲା । ରିଙ୍କୁ ଦେଖିଲା ବେଳକୁ ଜେଜେ ତଳେ ପଡିଛନ୍ତି । ରିଙ୍କୁ ଜେଜେଙ୍କ ପାଖକୁ ଦୌଡ଼ି ଗଲା । କଣ କରିବ ବୁଦ୍ଧି ଦିଶୁ ନଥାଏ । ରୁମାଲ ଟା କାଢି ମୁଣ୍ଡରେ ବାନ୍ଧି ଦେଲା । ଆଖ ପାଖରେ କେହି ବି ନଥାନ୍ତି । ତାକୁ ଭାରି ଡର ଲାଗୁଥାଏ । ଜେଜେଙ୍କଠୁ ଶୁଣିଥିଲା ଯେ ଆଗ ଛକରେ ଚା ଦୋକାନ ଅଛି । ଯେଉଁଠି ଜେଜେ ସବୁଦିନ ଚା ପିଅନ୍ତି । ସେ ରାତି ୩ଟା ରୁ ଦୋକାନ ଖୋଲେ । ରିଙ୍କୁ ଦୌଡ଼ି ଦୌଡ଼ି ଯାଇ ଛକ ରେ ପହଁଚିଲା । ୟାକୁ ଦେଖି ଚା ଦୋକାନୀ କାବା । ଏତେ ସକାଳୁ ବାଙ୍କନିଧି ବାବୁଙ୍କ ନାତି ଏଠି କଣ । କାଲି କହୁଥିଲେ, ନାତି ଟୋକାଟା ମର୍ନିଙ୍ଗ ୱାକ ରେ ଆସିବାକୁ କହୁଛି । ଆଜି ବୋଧେ ନେଇ କି ଆସିଛନ୍ତି । କିନ୍ତୁ ବାଙ୍କନିଧି ବାବୁ କୁଆଡେ ଗଲେ? ୟେ କଣ ଏକା ।
ରିଙ୍କୁ ଦୌଡ଼ି ଦୌଡ଼ି ହାଲିଆ ହେଇ ଯାଇ ଥାଏ । କଥା କହି ପାରୁ ନଥାଏ । ଚା ବାଲା ପଚାରିଲା ପରେ ଖଣ୍ଡି ଖଣ୍ଡି ଭାଷା ରେ ରାହା ନେଇ ନେଇ କହିଲା, ଜେଜେ.. ପଡି ଯା ଇ ଇ ଇ ଛନ୍ତି … ମୁ ଉ ଉ ନ ଣ୍ଡ… ଫାଟି ଯା ଆ ଇ ଇ ଛି । ଚା ବାଲା ଆଉ କାଳ ବିଳମ୍ବ ନକରି ରିଙ୍କୁ କୁ ତା ସ୍କୁଟର ରେ ବସେଇ କି ନେଇ କି ଆସିଲା । ଚା ବାଲା ବାଙ୍କନିଧି ବାବୁଙ୍କ ମୁହଁ ରେ ପାଣି ମାରି ଚେତା କଲା । ବାଙ୍କନିଧି ବାବୁ ଯନ୍ତ୍ରଣା ରେ ଉଃ.. ଆଃ.. ହଉ ଥାନ୍ତି ।ସଙ୍ଗେ ସଙ୍ଗେ ଚା ବାଲା, ତାଙ୍କୁ ସ୍କୁଟର ରେ ବସେଇ, ରିଙ୍କୁ କୁ ସାଙ୍ଗରେ ନେଇ ହସ୍ପିଟାଲ ଗଲା । ଡାକ୍ତର ବାବୁ କହିଲେ ଗୋଡ ଭାଙ୍ଗି ଯାଇଛି । ମୁଣ୍ଡ ରେ ୩ ଟା ଷ୍ଟିଚ ପକେଇ, ଗୋଡ ପ୍ଳାଷ୍ଟର କରିଦେଲେ, ବିରୁଡି ମରା କଷ୍ଟ କମ ହେବା ପାଇଁ ମେଡ଼ିସିନ ଲେଖିଦେଲେ । ଜେଜେଙ୍କୁ ଇଞ୍ଜେକସନ ଦିଆ ହେଲା ଆଉ ଜେଜେ ଶୋଇ ପଡିଲେ । ଖବର ପାଇ ଜେଜୀ, ସାଙ୍ଗରେ ପିଣ୍ଟୁ ନନାଙ୍କୁ (ପଡୋଶୀ) ଧରି ହସ୍ପିଟାଲ ପହଞ୍ଚିଲେ । ମେଡ଼ିସିନ ଧରି ସମସ୍ତେ ଘରକୁ ଆସିଲେ । ଏବେ ସମସ୍ତେ ଘଟଣା କ’ଣ ଜାଣିବା ପାଇଁ ଚାହିଁଲେ କିନ୍ତୁ ଜେଜେ ତ କହିବା ଅବସ୍ଥାରେ ନ ଥାନ୍ତି । ରିଙ୍କୁକୁ ସମସ୍ତେ ପଚାରୁ ଥାନ୍ତି, ସେ କିନ୍ତୁ ଜାଣି ଜାଣି ମିଛ କହିଲା । କହିଲା, “ଜେଜେ ଚାଲୁ ଚାଲୁ ଗୋଟେ ବିରୁଡି ତାଙ୍କୁ ମାରିବାରୁ ସେ ରାସ୍ତା ରେ ଝୁଣ୍ଟି ପଡିଲେ ଆଉ ପଥର ଗଦା ଉପରେ ପଡିଲେ, ଗୋଡ ଆଉ ମୁଣ୍ଡରେ ପଥର ବାଜିବାରୁ ଏ ଅବସ୍ଥା” ।
ସମସ୍ତେ ରିଙ୍କୁ କୁ ବାଃ ବାଃ କରୁ ଥାନ୍ତି । କିନ୍ତୁ ରିଙ୍କୁ ମନରେ ଖୁସି ନଥାଏ । ସେ କଣ ଗୋଟେ ଖୋଜିଲା ଖୋଜିଲା ପରିକା ହଉଥାଏ । କାହାକୁ କିଛି କହୁ ନଥାଏ । ମନଦୁଃଖରେ ସେ ଯାଇ ଛାତ ଉପରେ ବସିଲା । ଦିନ ୧୧ଟା ହବ । ଖରା ଜୋର ହେଲାଣି । ଭୁବନେଶ୍ୱର ର ତାପମାତ୍ରା ୪୨ ଡିଗ୍ରୀ ହେଲାଣି । ଅନ୍ୟ ମନସ୍କ ଭାବରେ ବସୁ ବସୁ ସେ ପାଚେରୀ ଉପରେ ଖରାରେ ବସି ପଡିଲା । ପଛ ପଟୁ ପେଣ୍ଟ ତାତିଗଲା । ମା’ ଲୋ କହି ଉଠିଆସିଲା ସେ । କେତେ ଗରମ ହେଲାଣି । ଘର ଟା ବି ତାତି ଯାଉଛି । ଗୋଟିକିଆ ଘର, ତଳେ ରୁମରୁ ତ ବାମ୍ଫ ବାହାରୁଚି । ଛାତ ର ଗୋଟେ କୋଣରେ ଗଛ ଛାଇ ଟିକେ ପଡି ଥାଏ । ସେଠି ଯାଇ ସେ ବସି ପଡିଲା । ଥଣ୍ଡା ଥଣ୍ଡା ପବନ ସହ ଗଛ ଛାଇ ରେ ଆରାମ ଲାଗୁଥାଏ । ଭାବୁ ଭାବୁ ଟା ଆଖି କି ନିଦ ମାଡି ଆସିଲା ।
ହଠାତ କିଛି ଗୋଟେ ମିଳିଗଲା ପରିକା, ସେ ଚମକି କି ଉଠି ପଡିଲା, ତା ମୁହଁ ଉଜ୍ୱଳ ହୋଇ ଉଠିଲା । ସେ ଧାଇଁ ଧାଇଁ ଯାଇ ଚା ବାଲା ପାଖରେ ପହଁଚିଲା । ତା’ ଠୁ କବାଡି ବାଲାର ଦୋକାନ କେଉଁଠି ଅଛି ବୁଝି, କବାଡି ବାଲା ଦୋକାନ ରେ ପହଞ୍ଚି ଗଲା । କବାଡି ଵାଲା ପାଖରୁ ବାଛି ବାଛି କିଛି ପୁରୁଣା ତେଲ ଟିଣ, ପ୍ଲାଷ୍ଟିକ ର ବଡ ବଡ ଜାଗା ଆଉ କିଛି ପ୍ଲାଷ୍ଟିକ କୁଣ୍ଡ ବି, ବାପା ମା ଖର୍ଚ୍ଚ ପାଇଁ ଦେଇଥିବା ପଇସା ରେ କିଣି ଆଣିଲା । ସ୍କୁଲ ରେ ସାର ଥରେ କହୁଥିଲେ ରୂଫଟପ ଗାର୍ଡେନ ବିଷୟରେ । ଏବେ ସେ ଛାତ ଉପରେ ରୂଫଟପ ଗାର୍ଡେନ ତିଆରି କରିବାର ପ୍ଲାନ କଲା । ପ୍ରଥମେ କିଛି କିଛି ଛୋଟ ବଡ ପ୍ଲାଷ୍ଟିକ କୁଣ୍ଡ, ତେଲ ଟିଣ ଆଣିଲା । ତା’ ପରେ ଜେଜେଙ୍କ ଚାକର ଆଉ ପିଣ୍ଟୁ ନନାଙ୍କ ସହାୟତା ରେ ସେଥିରେ ମାଟି ଭର୍ତି କରି ଛାତ ଉପରେ ରଖିଲା । ଜେଜେ ତ ଘରେ ଖଟ ଉପରେ ଶୋଇଥାନ୍ତି । ଜେଜୀର ଅଣ୍ଟା ବ୍ୟଥା ଯୋଗୁଁ ସେ ଛାତ କୁ ଯାଇ ପାରନ୍ତିନି । ଏସବୁ ତାଙ୍କୁ କିଛି ବି ଜଣା ନଥାଏ । ରିଙ୍କୁ ବି ପିଣ୍ଟୁ ନନା ଆଉ ଚାକର କୁ କହି ଥାଏ ଯେ ଜେଜେଙ୍କୁ ଏସବୁ କିଛି ନ କହିବା ପାଇଁ । ଫୁଲ ଗଛ ଚାରା, ମନ୍ଦାର ଫୁଲ, ଟଗର ଫୁଲ, ଆହୁରି ବି ବହୁତ ପ୍ରକାର ର ଗଛ ସବୁ ଆଣି ଛାତ ଉପରେ ଲଗେଇଲା ଆଉ ସବୁଦିନ ସକାଳେ, ସନ୍ଧ୍ୟା ରେ ପାଣି ଦେଲା । ରିଙ୍କୁ ସବୁଦିନ ବାଲ୍ଟି ରେ ପାଣି ନେଇ ଗଛରେ ଦିଏ । ପିଣ୍ଟୁ ନନା ବି କମ୍ପୋଷ୍ଟ ଆଉ ଚାରା ଆଣି ତାକୁ ଦିଅନ୍ତି । ଜେଜେଙ୍କୁ ଜଣା ନଥାଏ । ଏମାନେ ସବୁ ଲୁଚେଇ ଲୁଚେଇ କରୁଥାନ୍ତି । ଆସ୍ତେ ଆସ୍ତେ ଗଛ ସବୁ ବଡ ହେବାରେ ଲାଗିଲେ । କିଛି କିଛି ଗଛରେ ଫୁଲ ଫୁଟିବାକୁ ଲାଗିଲେ । କମ୍ପୋଷ୍ଟ ଖତ ଆଉ ପାଣି ପାଇ ସେମାନେ ସବୁ ହୃଷ୍ଟ ପୃଷ୍ଟ ହେଇ ଥାନ୍ତି । ରିଙ୍କୁ କିଛି ଲଙ୍କା ଆଉ ଟମାଟୋ ଚାରା ବି ଲଗେଇ ଥାଏ । ସେଗୁଡା ବି ବଢ଼ୁ ଥାନ୍ତି । ବଗିଚା ଦେଖିଲେ ମନ ପୁରି ଯାଉ ଥାଏ । ଘର ଉପରେ ସୂର୍ଯ୍ୟ କିରଣ ନପଡିବା ଯୋଗୁଁ ଆଉ ସକାଳେ ସନ୍ଧ୍ୟାରେ ପାଣି ଦେବା ଯୋଗୁଁ ଘର ବି ଥଣ୍ଡା ରହୁ ଥାଏ । ଜେଜେ ତ ଖଟ ଉପରୁ ଉଠି ପାରୁ ନଥାନ୍ତି, ସେ ଭାବୁ ଥାନ୍ତି ଯେ ଏବର୍ଷ ଖରା ଅପେକ୍ଷାକୃତ କମ ହୋଇଛି । କିଛି ଦିନ ପରେ ଜେଜେ ଟିକେ ଭଲ ହେଲେ । ଭଲ ହେଲା ପରେ ରିଙ୍କୁ କଥା ଶୁଣିଲେ । ଭାବିଲେ ଭଲ ହେଲା, ଟୋକା ଟା କିଛି ଜାଣିନି । ନହେଲେ କି ହିନସ୍ଥା ହେଇଥାନ୍ତା । କେହି ବି ଜାଣି ନାହାନ୍ତି ଯେ ସେ ଫୁଲ ଚୋରି କରୁଥିଲେ ବୋଲି, ନହେଲେ ଏ ବାଟ ଦାଣ୍ଡ ରେ ସେ କଣ ମୁହଁ ଟେକି ଚାଲି ପାରି ଥାନ୍ତେ ।
ରିଙ୍କୁର ଛୁଟି ସରି ସରି ଆସିଲା । ଜେଜେ ବି ଆସ୍ତେ ଆସ୍ତେ ଚଲା ବୁଲା କରି ପାରିଲେ । ବାଡ଼ି ଧରି ଆସ୍ତେ ଆସ୍ତେ ଚାଲୁ ଥାନ୍ତି । ଦିନେ ସନ୍ଧ୍ୟାରେ ସମସ୍ତେ ଏକାଠି ବସି କଥା ହେଉଥାନ୍ତି । ଜେଜେ କହିଲେ, “ଯାହା ହେଉ, ଏବର୍ଷ ଏ ବିପଦ ସମୟରେ ଖରା ଟିକେ କମ ହୋଇଛି, ଗରମ ନଥିବା ଯୋଗୁଁ ମଣିଷ ବଞ୍ଚି ଗଲା । ନହେଲେ କଣ ଯେ ଅବସ୍ଥା ହୋଇଥାନ୍ତା କିଏ ଜାଣେ ” । ରିଙ୍କୁ ମୁରୁକି ମୁରୁକି ହସୁ ଥାଏ । ସେ ଠିକ କଲା ଯେ ପର ଦିନ ସକାଳୁ ସେ ଜେଜେ ଆଉ ଜେଜୀଙ୍କୁ ନେଇ ଛାତ କୁ ଯିବ ।
ଜେଜେ ବି ବହୁତ ଦିନ ହେଲା ବାହାରକୁ ଯାଇ ନଥାନ୍ତି । ମନ ପୁରା ପିତା ହେଇ ସାରି ଥାଏ । ଘରେ କେତେ ଶୋଇବ, କେତେ ଘରେ ରହିବ ? ବୁଲାରିଆ ଲୋକ ଘରେ ରହିଲେ ଯାହା ହୁଏ । ଜେଜେ ପୁରା ଚିଡିଚିଡା ଧରି ସାରି ଥାନ୍ତି । ଟିକେ ଟିକେ କଥା ରେ ରାଗି ଯାଉଥାନ୍ତି । ପର ଦିନ ସକାଳୁ, ଚା ଜଳଖିଆ ପର୍ବ ସରିଲା ପରେ ସେ ଜେଜେ ଆଉ ଜେଜୀଙ୍କୁ କହିଲା, “ଆସ ଟିକେ ଛାତ ଉପରେ ବୁଲିକି ଆସିବା, ତମକୁ ଭଲ ଲାଗିବ” । ଜେଜୀ କହିଲେ ଛାତ ଉପରକୁ ଗଲେ ମୋ ଅଣ୍ଟା ଧରି ଦେବ । ତମେ ଦି ଜଣ ଯାଅ ବୁଲିକି ଆସ । ରିଙ୍କୁ କିନ୍ତୁ ନଛୋଡବନ୍ଧା । କହିଲା ମୁଁ ଦି ଜଣଙ୍କ ହାତ ଧରି ନେଇ ଯିବି, ଚାଲ । ଜେଜେ, ଜେଜୀ, ରିଙ୍କୁ ଆଉ ପିଣ୍ଟୁ ନନା ଛାତ ଉପରକୁ ଗଲେ । ପିଣ୍ଟୁ ନନା ତ ସବୁ ଜାଣିଥାନ୍ତି କିନ୍ତୁ କିଛି ବି କହୁ ନଥାନ୍ତି । ସେ ଜେଜେ ଆଉ ଜେଜୀଙ୍କ ପ୍ରତିକ୍ରିୟା ଦେଖିବାକୁ ଅପେକ୍ଷା କରି ଥାନ୍ତି । ଆସ୍ତେ ଆସ୍ତେ ପାହାଚ ଗଣି ଗଣି ସମସ୍ତେ ଛାତ ଉପରେ ପହଞ୍ଚି ସାରିଥାନ୍ତି ।
ଜେଜେ ଆଉ ଜେଜୀ ଆଉ କାହା ଛାତ ଉପରେ ଅଛନ୍ତି ବୋଲି ଭାବୁଥାନ୍ତି । ଆଖିକୁ ବିଶ୍ୱାସ ହେଉ ନଥାଏ । ଏତେ ଗଛ ପତ୍ର କୁଆଡୁ ଆସିଲା । ଛୋଟ ଛୋଟ ଟଗର ଗଛରେ ଫୁଲ ଫୁଟି ଥାଏ । ଗଛରେ ଲଙ୍କା ବି ଫୁଲ ଧରି ଆସୁଥାଏ । ଗୋଲାପ ଫୁଲ ଫୁଟି ଥାଏ । କେତେ କଣ ଗଛ ସବୁ ଲାଗି ଥାଏ । ଦି ଜଣ ଯାକ ବିସ୍ମୟ ହୋଇ ଚାହିଁଥାନ୍ତି । ଇଏ ସବୁ କଣ? କିଏ କଲା ଏସବୁ? କେତେ ଫୁଲ ଗଛ, ସୋ ଗଛ, କେତେ ପ୍ରକାର କାକଟସ, ଘିକୁଆଁରି, ରଜନୀ ଗନ୍ଧା, ମନି ପ୍ଲାଣ୍ଟ, ଆହୁରି କେତେ କେତେ ଗଛ, ଛାତ ସାରା ଲାଗି ଥାଏ । ବହୁତ ବଢିଆ ଭାବରେ ସବୁ ଗୁଡିକ ସଜା ହୋଇଥାଏ । ଜେଜୀ ତ ଡେଇଁ ପଡିଲେ, ଗଛ ପ୍ରତି ତାଙ୍କର କେତେ ଶ୍ରଦ୍ଧା, ଏଠି ଜାଗା ନାହିଁ ବୋଲି ମନ ମାରି ରହୁଥିଲେ । ସବୁ ଗଛ ଗୁଡିକୁ ଟିକେ ଟିକେ ଆଉଁସି ଦେଉଥାନ୍ତି । କାହା ଫୁଲକୁ ଟିକେ ଗେଲ କରି ଦେଉଥାନ୍ତି ତ, କେଉଁ ପତ୍ର କୁ ବଡ ଶ୍ରଦ୍ଧାରେ ଦେଖୁଥାନ୍ତି । ମନେ ମନେ ସେ ଯେ କେତେ ଖୁସି, ଏକଥା ବ୍ୟକ୍ତ କରି ପାରୁ ନଥାନ୍ତି । ଆଉ କାହା ଆଡକୁ ବି ନଜର ନଥାଏ ତାଙ୍କର । ଛାତ ସାରା ଚାରି ପାଞ୍ଚ ଥର ବୁଲି ସାରିଲା ପରେ, ଜେଜେଙ୍କ ମୁହଁକୁ ଦେଖି ସେ ଅଟକି ଗଲେ । ରିଙ୍କୁ ଆଉ ପିଣ୍ଟୁ ନନା, ଜେଜୀଙ୍କୁ ସେତେବେଳୁ ଦେଖୁଥିଲେ । ଜେଜୀଙ୍କ ଖୁସି ଦେଖି ହସୁଥିଲେ । କିନ୍ତୁ ଜେଜେଙ୍କ ଆଡେ କାହାର ବି ନଜର ନାହିଁ । ଏବେ ଜେଜୀ ଅଟକି ଯାଇ ଜେଜେଙ୍କ ଆଡେ ଚାହିଁଲା ପରେ, ଏମାନେ ବି ଜେଜେଙ୍କୁ ଦେଖିଲେ । ଜେଜେ ଚୁପ ଚାପ ହୋଇ ଠିଆ ହୋଇ ଥାନ୍ତି । ଆଖି ଛଳ ଛଳ । ଆଖିରେ ଲୁହ ଭର୍ତି । କୋହ ଉଠୁ ଥାଏ । କିନ୍ତୁ ତାକୁ ଚାପି ରଖିଥାନ୍ତି । ପିଣ୍ଟୁ ନନା ଦୌଡ଼ି ଯାଇ ତଳୁ ପ୍ଲାଷ୍ଟିକ ଚୌକି ଦି ଟା ନେଇ ଆସିଲେ । ଜେଜୀ, ଜେଜେଙ୍କ ପାଖକୁ ଆସି ପଚାରିଲେ କ’ଣ ହେଲା । ଏମିତି ପିଲାଙ୍କ ପରି କାନ୍ଦୁଛ କାହିଁକି? ଜେଜେଙ୍କ ଲୁହ ଆଉ କୋହ ଏବେ ତାଙ୍କ କଥା ଶୁଣିବା ଅବସ୍ଥାରେ ନଥାନ୍ତି । ଜେଜେ ଭୋ ଭୋ ହୋଇ ବଡ ପାଟିରେ କାନ୍ଦି ଉଠିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାନ୍ତି । କ’ଣ ହେଲା ? ଜେଜେ କାନ୍ଦିଲେ କାହିଁକି ? ରିଙ୍କୁ ଯାଇ ପାଣି ଆଣି ପିଆଇଲା । ଜେଜେ ଟିକେ ସାଷ୍ଟାମ ହେଲା ପରେ କହିଲେ, ଏଡିକି ବକଟେ ପିଲା, ଆଜି ମୋ ଆଖି ଖୋଲି ଦେଲା । ଖାଲି ଯେ ଛୋଟ ମାନେ ବଡ ମାନଙ୍କଠୁ ଶିଖନ୍ତି ସେ କଥା ନୁହଁ, ଛୋଟ ମାନେ ବି ବେଳେ ବେଳେ ବଡ ମାନଙ୍କୁ ବହୁତ ବଡ ଶିକ୍ଷା ଦିଅନ୍ତି । ଆଜି ମୋ ନାତି ମୋ ପାଇଁ ବଗିଚା ତିଆରି କରିଛି । କଣ ପାଇଁ ଜାଣିଛ ? ସେଦିନ ମୁଁ ରାସ୍ତାରେ ଝୁଣ୍ଟି କି ପଡି ନଥିଲି । ମୁଁ ମିଶ୍ରବାବୁଙ୍କ ପାଚେରୀ ଉପରେ ଚଢି ଫୁଲ ଚୋରି କରୁଥିଲି । ଗୋଟେ ବିରୁଡି କଉଠି ଥିଲା କେଜାଣି ମୋ ଆଖିତଳକୁ ବିନ୍ଧିଦେଲା । ମୁଁ ମା..ଲୋ କହି ବୁଲି ପଡିଲା ବେଳକୁ, ମୋ ଗୋଡ ଖସି ଗଲା ଆଉ ମୁଁ ପଥର ଗଦା ଉପରେ ପଡ଼ିଗଲି । ଏକଥା ସବୁ ରିଙ୍କୁ ଜାଣିଛି । କିନ୍ତୁ କାଳେ ମୋତେ ଖରାପ ଲାଗିବ ବୋଲି ସେ କାହାକୁ ବି କହିନି । ଆଉ ଆଜି ମୋ ପାଇଁ ଏତେ ବଡ ବଗିଚା ତିଆରି କରିଛି । ଇଏ ମୋ ନାତି ନୁହଁ, ଇଏ ମୋ ଜେଜେ । ଆଜି ମୋତେ କେତେ ବଡ ଶିକ୍ଷା ଦେଲା । ଏତିକି କହି ଜେଜେ ରିଙ୍କୁକୁ କୋଳେଇ ନେଲେ ଆଉ ଗେଲ କଲେ । ଜେଜୀ ଆଉ ପିଣ୍ଟୁ ନନା ଆଖିରେ ବି ଲୁହ ଆସି ଯାଇଥିଲା । ସେମାନେ ବି ରିଙ୍କୁ ମୁଣ୍ଡକୁ ଆଉଁସି ଦେଲେ । ଜେଜେ ପ୍ରତିଜ୍ଞା କଲେ ଯେ ଆଉ କେବେ ବି ସେ କାହା ବାଡିରୁ ଫୁଲ ଚୋରି କରିବେନି । ଯାହା ଫୁଲ ପୂଜା ପାଇଁ ଦରକାର, ସେ ସବୁ ଏଇ ବଗିଚାରେ ଲଗେଇବେ । ଜେଜୀ ତ ଫୁଲ ଗଛର ସୌନ୍ଦର୍ଯ୍ୟ ଆଉ ବଗିଚା ର ସୁନ୍ଦରତା ଦେଖି ଫୁଲ ଛିଡେଇବା ପାଇଁ ମନା କଲେ । ଏବେଠୁ ଗୋଟେ ଦିଟା ଫୁଲରେ ଠାକୁର ପୂଜା ହବ । ଫୁଲ ସବୁ ବଗିଚାରେ ଭଲ ଲାଗୁଛନ୍ତି ।
କିଛି ଦିନ ପରେ ରିଙ୍କୁର ଛୁଟି ସରିଗଲା । ବାପା ମା ତାକୁ ନେବା ପାଇଁ ଆସିଲେ ଆଉ ରିଙ୍କୁର ବଗିଚା ଦେଖି ବହୁତ ଖୁସି ହେଲେ । ଜେଜେ ଆଉ ଜେଜୀ ତ ତା’ର ବହୁତ ବହୁତ ପ୍ରଶଂସା କରୁ ଥାନ୍ତି । ସମସ୍ତଙ୍କ ଆଗରେ କହୁଥାନ୍ତି, “ଫୁଲ କୁ ଫୁଲ, ପନିପରିବା, ତା ସହ ଥଣ୍ଡା ଘର, ରିଙ୍କୁ ଆମ ପାଇଁ ସବୁ ର ସମାଧାନ ଏକାଥରେ କରି ଦେଇ ଗଲା ” ।
–ସମାପ୍ତ —

ସମ୍ପର୍କ

ସମ୍ପର୍କ

ସୁବଳ ମହାପାତ୍ର
“ହ୍ୟାଲୋ!”
ଆରପାଖରୁ କେହି ଜଣେ ଫୋନ ଉଠେଇବାର ସୂଚନା ପାଇବା ସାଙ୍ଗେ ସାଙ୍ଗେ ସେ ଆତୁର ସ୍ୱରରେ କହିଲା ।
“ହ୍ୟାଲୋ ! କିଏ କହୁଛନ୍ତି ?”
ଆରପଟୁ ପ୍ରଶ୍ନ ଆସିଲା । ସେ ସ୍ୱରକୁ ରାଜେଶ ଚିହ୍ନି ପାରୁଥିଲା ଭଲ ଭାବେ ।
ସେ ଖୁସି ଆଉ ଭାବପ୍ରବଣତା ମିଶା ସ୍ୱରରେ କହିଲା, “ସୁନନ୍ଦା ! ସୁନନ୍ଦା, ମୁଁ … ମୁଁ ରାଜେଶ କହୁଚି…।”
“ସରି, ରଙ୍ଗ ନମ୍ବର । ” ସେପଟୁ ପରିଚିତ ସ୍ୱରଟା କହିଲା । ସାଙ୍ଗେ ସାଙ୍ଗେ ଫୋନ ବି କଟିଗଲା ।
ଫୋନ ର ରିସିଭର ଟା ଥୋଇ ଦେଇ, ଦୋକାନୀ କୁ ଦି ଟଙ୍କା ବଢ଼େଇ ଦେଲା ଆଉ ଚାଲିବାକୁ ଲାଗିଲା । ତାକୁ ସବୁ ଜିନିଷ ପାଣିଚିଆ ପାଣିଚିଆ ଦେଖା ଯାଉ ଥାଏ । ଚାଲୁ ଚାଲୁ ସିନେମା ର ରିଲ ଭଳି ଦୃଶ୍ୟ ସବୁ ତା ଆଖି ଆଗରେ ବୁଲିବାକୁ ଲାଗିଲେ ।
ସୁନନ୍ଦା ଥିଲା ଅସମ୍ଭବ ଭାବରେ ସୁନ୍ଦରୀ ଆଉ ଉଚ୍ଚାକାଂକ୍ଷୀ । ବାପା ରମେଶ ମହାକୁଡ଼ ଆଉ ମା ବାସନ୍ତୀ କୁ ନେଇ ତାଙ୍କର ଚାରି ଜଣିଆ ସଂସାର । ରାଜେଶ ଆଉ ସୁନନ୍ଦା ଭାଇ ଭଉଣୀ । ରାଜେଶ ଟିକେ ଅଧିକା ଭାବପ୍ରବଣ ହେଇ ଯାଏ ଟିକେ ଟିକେ କଥାରେ । ସୁନନ୍ଦାକୁ କିନ୍ତୁ ଖାତିର ନଥାଏ କୌଣସି ବି କଥାର । ଗୋଟିଏ ଝିଅ ପୁଣି ସାନ ବୋଲି ବାପା ମା ଗେହ୍ଲା କରି ଦେଇ ଥାନ୍ତି । ପିଲା ଦିନରୁ ବି ସେ ଭାରି ଜିଦଖୋର । ପାଟିରୁ ଯାହା ବାହାରିଲା ସେଟା ଦରକାର ମାନେ ଦରକାର । ବାପା ମା ବି ଅଖିଆ ଅପିଆ ତା ଜିଦ ସବୁ ପୂରଣ କରନ୍ତି । ବାପାଙ୍କର ଗୋଟେ ତେଜରାତି ଦୋକାନ ଥାଏ ଗାଁ ରେ ଆଉ ଚାଷ ରୁ ଚାଉଳ, ଆଳୁ ଆଉ ବି କିଛି କିଛି ପନିପରିବା ମିଳି ଯାଏ । ସେଇଥିରେ ଘର ଚଳେ । ମାଟ୍ରିକ ପାସ କଲା ପରେ, ଗାଁ ପାଖ କଲେଜ ରେ ପଢିଲା ରାଜେଶ, ଚାଷ ଓ ଦୋକାନ କାମ ରେ ବି ବାପାଙ୍କୁ ସାହାଯ୍ୟ କଲା । ଟ୍ୟୁସନ ରୁ ବି କିଛି କିଛି ପଇସା ମିଳିଲା ତାକୁ । ସୁନନ୍ଦା ସ୍କୁଲରେ ଭଲ ପଢେ । ମାଟ୍ରିକ ପରେ ଯୁକ୍ତ ଦୁଇ ପଢିବା ପାଇଁ ସେ ସହର କୁ ଗଲା । ବାପା ପୁଅ ଦୁହେଁ ଦିନ ରାତି ଏକ କରି ଦେଲେ, ସୁନନ୍ଦାକୁ ପଢେଇବା ପାଇଁ । ସେମିତି ତ ସେ ଭଲ ପଢେ, ଯୁକ୍ତ ଦୁଇ ରେ ସେ ଭଲ ନମ୍ବର ରେ ପାସ କଲା । ଏବେ ଏଣ୍ଟ୍ରାନ୍ସ ଦେଇ ଇଞ୍ଜିନିଅରିଂ ରେ ବି ସିଟ ପାଇ ଗଲା ।
ବାପା ପୁଅଙ୍କ ଖୁସି ଦେଖେ କିଏ ? ସୁନନ୍ଦା ହବ ଏ ଗାଁ ର ପ୍ରଥମ ଇଞ୍ଜିନିଅର । ଗର୍ବରେ ବାପା ମା ପୁଅ ତିନି ଜଣଙ୍କ ଛାତି ଫୁଲି ଉଠୁ ଥାଏ । ଦିନ ରାତି କୁ ଖାତିର ନଥାଏ । ଦୋକାନ, ଚାଷ ଆଉ ଟ୍ୟୁସନ ପରେ ପଢିବାକୁ ସମୟ ନଥାଏ ରାଜେଶର । ଯୁକ୍ତ ତିନି ଦ୍ଵିତୀୟ ବର୍ଷ ରେ ହିଁ ତାର ପାଠରେ ଡୋରି ବନ୍ଧା ହେଲା । ଯାହା ହେଲେ ବି ଭଉଣୀ କୁ ପଢେଇବ । ଯେତେ କଷ୍ଟ ପଡୁ ପଛେ । ଭଉଣୀ ଇଞ୍ଜିନିଅର ହେଲେ ତା ବାପାଙ୍କ ନାଁ ରହିବ । ଗାଁ ରେ ତା’ର ବି ତ ଇଜ୍ଜତ ବଢ଼ିଯିବ ।
ସୁନନ୍ଦା ର କିନ୍ତୁ କାହା ପ୍ରତି ନିଘା ନଥାଏ । ଜନ୍ମ ଦେଇଛନ୍ତି ଯେତେ ବେଳେ କରିବେନି କଣ ପାଇଁ । ଭାଇ ତ ସେମିତି ଭଲ ସ୍ଟୁଡେଣ୍ଟ ନଥିଲା, ପାଠ ଛାଡି ଦେଲା ତ କଣ ହେଇ ଗଲା । ଏପରି ଭାବନା ରେ ସେ ତ ନିଜ ପାଇଁ ସବୁ କରି ଚାଲି ଥାଏ । ସହରରେ କିନ୍ତୁ ସାଙ୍ଗ ମାନଙ୍କ ସହ ପଡି ଅଧିକା ଦେଖେଇ ହବା ପ୍ରକୃତି ତାର ବଢି ଯାଇ ଥାଏ । ବାପା ଯେତିକି ପଇସା ଦେଉଥାନ୍ତି ସେତିକି ଅଣ୍ଟୁ ନଥଏ ସୁନନ୍ଦା କୁ । ତା’ର ଆହୁରି ଦରକାର । ଭଲ ବ୍ରାଣ୍ଡେଡ ଡ୍ରେସ, ଘଣ୍ଟା, ୨୦୦୦ ଟଙ୍କାର ଚପଲ, ଏସବୁ ପାଇଁ ପଇସା ଅଣ୍ଟୁ ନଥାଏ ତାକୁ । ସେ ଧନୀ ହେବାର ସ୍ୱପ୍ନ ଦେଖେ । ଦାମୀ ଗାଡି, ଡ୍ରେସ, ଘର, ବାଙ୍କ ବାଲାନ୍ସ ସବୁ ଦରକାର । ଆହୁରି ଦରକାର ତାକୁ । କିନ୍ତୁ ଆସିବ କେଉଁଠୁ ? ତା ବାପା ତ ଆଉ କୋଟିପତି ନୁହନ୍ତି । କିଛି ଦିନ ପରେ ସେ ଗାଁ କୁ ଯିବା ଆସିବା ବନ୍ଦ କରି ଦେଲା । ବାପା ଭାଇ କୁ ଫୋନ କରି ପଇସା ପଠେଇବା ପାଇଁ କୁହେ । ବାସ, ତା ବ୍ୟତୀତ ଆଉ କିଛି କାମ ନଥାଏ ତାର । ଗାଁ ଲୋକ ଗୁଡା ସବୁ ମଫୁ । ସେମାନେ କିଛି ବି ଜାଣନ୍ତି ନାହିଁ । ଏଠି ସହରର ଚାକଚକ୍ୟ ଭରା ଜୀବନ ସେମାନେ କେବେ କଣ ଦେଖି ପାରିବେ, ଜାଣି ପାରିବେ ? ସେଇମିତି ବିଲରେ ଖଟି ଖଟି ସେମାନଙ୍କ ଜୀବନ ସରିଯିବ ।
ଦିନେ ତା ସାଙ୍ଗ ଜଣେ ପ୍ରସ୍ତାବ ଦେଲା, ଯଦି ପଇସା ଇନକମ କରିବାର ଅଛି ତେବେ ଆସ । ପୁରା ପ୍ରସ୍ତାବ ଶୁଣି ସେ ଖୁସି ହେଇଗଲା । କିଛି ବି କରିବାର ନାହିଁ, କେବଳ ଦିନକୁ ୩୦ ଟା ଟିକେଟ ବିକ୍ରି କରିପାରିଲେ ଯଥେଷ୍ଟ । ଗୋଟେ ଟିକେଟ ୩୦୦୦ ଟଙ୍କା ଆଉ ଟିକେଟ ବିକ୍ରି ହେଲେ ୧୦% କମିଶନ । ଟିକେଟ ଥିଲା ଗୋଟେ ନାଇଟ କ୍ଲବର ଯେଉଁଠି ମଦ, ଗଂଜେଇ, ଚରସ, ଅଫିମ ଆଉ ଡ୍ରଗ୍ସ ଭଳି ନିଷେଧ ନିଶା ଦ୍ରବ୍ୟ ସବୁ ବିକ୍ରି ହୁଏ ଆଉ ସେମାନଙ୍କର ଟାର୍ଗେଟ ହେଲା କୋମଳମତି ସ୍କୁଲ ଆଉ କଲେଜ ସ୍ଟୁଡେଣ୍ଟ । ୩୦ ଟା ଯାକ ଟିକେଟ ବିକ୍ରି ହେଇଗଲେ ତମର ଏଣ୍ଟ୍ରି ଫ୍ରି । ବାଃ କି ବଢିଆ ଆଇଡ଼ିଆ ।
ଆସ୍ତେ ଆସ୍ତେ ସୁନନ୍ଦା ପାଠ ଛାଡି ଏସବୁ କରିବାକୁ ଲାଗିଲା ଆଉ ୨ ମାସ ଭିତରେ ସେ ଜଣେ କୁଇନ ହେଇ ଗଲା । କ୍ଲୁବ କୁ ଅବାଧ ପ୍ରବେଶ, ମଦ, ନିଶା ଦ୍ରବ୍ୟ ଆଉ ପୁରୁଷ ସାଙ୍ଗ ତା ପାଖରେ ଯାହାକୁ ଯେତେ । ଟଙ୍କା ତ ତା ହାତର ମଳି । ପାଣି ଭଳି ଟଙ୍କା ଖର୍ଚ୍ଚ କରେ ସେ । ଘରେ କିନ୍ତୁ ବାପା ମା ଆଉ ଭାଇ କୁ ଏସବୁ ଜଣା ନଥାଏ । ସେମାନେ ଖଟି ଖଟି ଜିଅନ୍ତା କଙ୍କାଳ ଭଳି ଦେଖା ଯାଉଥାନ୍ତି । କଲେଜ ଫିସ ଦେବାପାଇଁ ଦୋକାନ ଘର ବିକ୍ରି କରିବାକୁ ପଡେ । ରାଜେଶକୁ ପର ଜମି ଭାଗୁଆ ନେବାକୁ ପଡେ । କିନ୍ତୁ ଦୁଃଖ ନଥାଏ । ଭଉଣୀ ଇଞ୍ଜିନିଅର ହେବ,ଏ ଆଶା ଆଉ ବିଶ୍ୱାସ ରେ ଏସବୁ ଯନ୍ତ୍ରଣା କୁଆଡେ ଉଭେଇ ଯାଏ । ବଢି ଆଉ ମରୁଡିରେ ଫସଲ ଉଜୁଡି ଗଲେ ବର୍ଷ ସାରା ଗୋଟେ ଓଳି ଖାଇ ଆରଓଳି ଓପାସ ରହିବାକୁ ପଡେ । କିନ୍ତୁ ଦୁଃଖ ନଥାଏ ।
ଚାରି ବର୍ଷ ପୁରି ପାଞ୍ଚ ବର୍ଷ ହୋଇଗଲା କିନ୍ତୁ ସୁନନ୍ଦାର ପଢା ସରିଲାନି । ତୁଣ୍ଡ ବାଇଦ ସହସ୍ର କୋଶ ପରି ସୁନନ୍ଦାର କାରନାମା ସବୁ ଆସି ଗାଁ ର ହାଟରେ ପଡି ଦାଣ୍ଡ ରେ ଗଡ ଗଡେଇଲେ । ସବୁ ଶୁଣି ଆଉ ଧୈର୍ଯ୍ୟ ଧରି ରହି ପାରିଲାନି ରାଜେଶ । ଦିନେ ଯାଇ ସହରରେ ପହଁଚିଲା ଆଉ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କଲା । ସୁନନ୍ଦା ରହୁଥିବା ହଷ୍ଟେଲ ପାଖରେ ଅପେକ୍ଷା କଲା । ସନ୍ଧ୍ୟା ୭ଟା, ସୁନନ୍ଦା ଗୋଟେ ଦାମୀ କାର ରୁ ଓହ୍ଲେଇଲା । ମଦ ନାକ ଯାଏ ପିଇ ଥାଏ । ଚାଲି ପାରୁ ନଥ।ଏ । ହଷ୍ଟେଲ ର ଗାର୍ଡ ଦି ଜଣ ତାକୁ ଧରି କି ନେଉଥାନ୍ତି । ରାଜେଶ ଆଉ ସମ୍ଭାଳି ପାରିଲା ନାହିଁ । ଦୌଡ଼ି ଯାଇ ସୁନନ୍ଦା ଗାଲରେ ଢାଏ କରି ଚଟକଣୀ ଟାଏ ବସେଇ ଦେଲା । ସୁନନ୍ଦା ଜାଣି ପାରୁ ନଥାଏ କିଛି, ସେ ହୋଶ ରେ ନ ଥାଏ । ସୁନନ୍ଦା ମୁହଁ କୁ ଛାପ ଲେଣ୍ଡାଟାଏ ପକେଇ ରାଜେଶ ପଳେଇ ଆସିଲା । ଷ୍ଟେସନ ରେ ରାତିରେ ଶୋଇ, ଭାବୁଥାଏ ବାପା ମାଙ୍କୁ କେମିତି ମୁହଁ ଦେଖେଇବ, କଣ କହିବ ତାଙ୍କୁ ? ତାଙ୍କ ଗେଲ ବସରର ଝିଅ ଏଠି ଆସି କି କାରନାମା କରୁଛି କ’ଣ କହି ହବ ? ନାଁ । ଗାଁ କୁ ଯାଇ ବାପା ମାଙ୍କୁ କହିଲା ସୁନନ୍ଦା ଭଲ ଅଛି । କିନ୍ତୁ ଭିତରୁ ଭିତରୁ ସେ କୋରି ହେଇ ଯାଉ ଥାଏ ।
ଦିନେ ଦିପହରେ ସେ ବିଲରେ ହଳ କରି ଫେରିଲା ବେଳକୁ ଦେଖିଲା, ତା ଘର ଆଗରେ ଲୋକ ଭର୍ତି । ଝରକା ପଟେ ସମସ୍ତେ ଡୁଙ୍ଗୁଥାନ୍ତି । ସେ ବି ଲଙ୍ଗଳ ଆଉ ଜୁଆଳି ପକେଇ ଦେଇ ଦୌଡ଼ି ଦୌଡ଼ି ଯାଇ ଦେଖିଲା ବେଳକୁ ବାପା ମା ଦି ଜଣ ଯାକ ପଡିଛନ୍ତି । ପାଟିରୁ ଫେଣ ବାହାରି ଯାଇଛି । କବାଟ ଭିତର ପଟୁ ବନ୍ଦ ଥାଏ । ଗୋଟେ ହାତରେ ଦାନାଦାର ର ପୁଡିଆ ଆଉ ଗୋଟେ ହାତରେ ଗୋଟେ ଖବର କାଗଜ । ଗାଁ ଲୋକ କବାଟ ଭାଙ୍ଗି ଭିତରେ ପଶିଲେ । ବାପା ମା ଦି ଜଣ ଯାକ ଆଉ ନାହାନ୍ତି , ଖବର କାଗଜ ରେ ସୁନନ୍ଦା ର ଫୋଟୋ ସହ ଖବର ବାହାରି ଥାଏ “ଭୁବନେଶ୍ୱରର ତିନି ତାରକା ହୋଟେଲ ରୁ ପାଞ୍ଚ ଜଣ ଦେହଜୀବିଙ୍କ ସହ ୩ ଗିରଫ ” ।
ଚାଲୁ ଚାଲୁ ପଥର ରେ ଝୁଣ୍ଟି ପଡିଲା ସେ । ଅନ୍ୟ ମନସ୍କ ରୁ ଫେରି ହୋଶ ଆସିଲା ବେଳକୁ ତାର ନିଜ ଅବସ୍ଥା କଥା ମନେ ପଡିଲା । ଏବେ ବି ମହାଜନ ଠାରୁ ଦୋକାନ ଆଉ ଜମି ମୁକୁଳେଇ ପାରି ନାହିଁ । ପିଲା ଦି ଟା ଅପପୃଷ୍ଟି ରୋଗ ରେ ଆକ୍ରାନ୍ତ । ସ୍ତ୍ରୀ ର ଦେହରେ ରକ୍ତ ଟିକେ ବୋଲି ନାହିଁ । ଡାକ୍ତର କହିଛି ମାଛ ମାଂସ ଆଉ ଅଣ୍ଡା ଖାଇବାକୁ ଦିଅ । ଭିଟାମିନ ଲେଖିଥିଲା, କିନ୍ତୁ ପଇସା ଥିଲେ ସିନା ଆଣିବ । ନାହିଁ ନାହିଁ ର ସଂସାର ଭିତରେ ସେ ବଞ୍ଚିଛି । ମାଛ ମାଂସ କୁ ପଚାରେ କିଏ, ଏଠି ଦିନେ ଖାଇଲେ ଆର ଓଳି ଓପାସ ।
୩୦ ବର୍ଷ ପରେ ଆଜି ସୁନନ୍ଦା ମାଡାମ ଏବେ ବହୁତ ବଡ ସମାଜସେବି । ଚାରି ଚାରିଟା ଏନଜିଓରେ ସେ ମୁଖ୍ୟ । ଝିଅ ମାନଙ୍କୁ ଖରାପ ରାସ୍ତା ରୁ ଆଣି ସମାଜର ମୁଖ୍ୟ ସ୍ରୋତ ରେ ମିଶାଇବା ତାଙ୍କ ଏନଜିଓ ର କାମ । ଏନଜିଓ କୁ ଓଡିଶା, ଭାରତ ଆଉ ଭାରତ ବାହାରୁ ବି ଟଙ୍କା ଆସେ ।
ଏବେ ତାଙ୍କ ପାଖରେ ଟଙ୍କା, ସୁନା ଅପର୍ଯ୍ୟାପ୍ତ । ଏନଜିଓର ଟଙ୍କା ରେ ଅୟେଶ କରନ୍ତି ସେ । ଦାମୀ ଗାଡି, ଦାମୀ ଘର, ଦାମୀ ଶାଢ଼ୀ, ପଇସା ର ଶେଜ ରେ ଶୁଅନ୍ତି ସେ । ଏନଜିଓ ର ମୁଖ୍ୟ କାମ ହେଲା ଝିଅ ମାନଙ୍କୁ ଖରାପ ରାସ୍ତା ରୁ ଆଣି ସମାଜ ର ମୁଖ୍ୟ ସ୍ରୋତ ରେ ମିଶାଇବା କିନ୍ତୁ ତାଙ୍କ କାମ ହେଲା ସୁନ୍ଦର ଝିଅ ମାନଙ୍କୁ ବଡ ବଡ ବ୍ୟବସାୟୀ, ନେତା, ମନ୍ତ୍ରୀ ଆଉ ଧନୀ ଲୋକଙ୍କ ଘରକୁ ଆଉ ହୋଟେଲ କୁ ପଠେଇବା । ଏକଥା ବିଶ୍ଵସ୍ଥ କେତେ ଜଣଙ୍କୁ ଛାଡି ଦେଲେ ଆଉ କେହି ଜାଣନ୍ତି ନାହିଁ ।
ଗାଁ ର ମୁରବି କେତେ ଜଣ ଆଉ ସ୍ତ୍ରୀ ର କଥା ମାନି ସେ ଯାଇଥିଲା ସୁନନ୍ଦା କୁ କିଛି ସାହାର୍ଯ୍ୟ ମାଗିବାକୁ । ଯାହା ହେଲେ ବି ତା ଭଉଣୀ ସେ । ଆଗରୁ ସେ କଣ ଥିଲା, କଣ ନାହିଁ, ସେ ସବୁ ପୁରୁଣା କଥା । ଏବେ ତ ସେ ଭଲ ମଣିଷ । କେତେ ଲୋକଙ୍କୁ ସାହାଯ୍ୟ କରୁଛି । ନିଜ ଭାଇଟାକୁ କଣ ଦି ପଇସା ଦେଇ ପାରିବନି । ହେଲେ ହେଲା କ’ଣ? ସରି, ରଙ୍ଗ ନମ୍ବର ! …
ତା ପାଣିଚିଆ ଆଖିରେ ଏବେ ଛେପ ଲେଣ୍ଡାଏ ବ୍ୟତୀତ ଆଉ କିଛି ଦିଶୁ ନଥିଲା ।
—X—

କବିତା — କାହିଁଗଲା ମୋ ଶୈଶବ ?

କବିତା

କାହିଁଗଲା ମୋ ଶୈଶବ ?
ସୁବଳ ମହାପାତ୍ର
 
କାହିଁଗଲା ମୋ ଶୈଶବ, କିଏ ଜଣେ ଖୋଜି ଆଣି ଦିଅନ୍ତା କି ?
ଆଜିର ଏ ଟେନସନଭରା ଦୁନିଆଁରୁ ମୁକ୍ତି ପାଇ ଯାଆନ୍ତି କି ?
ମନଖୋଜେ ସେ କିତିକିତି, ବାଡ଼ିଡିଆଁ ଆଉ ବୋହୁଚୋରି ଖେଳକୁ,
ଭାଳିହୁଏ ପୁଣି ପୁଆବାଡ଼ି, ବାଟି ଆଉ ଗାଁ ପଡିଆର ଫୁଟବଲ କୁ ।
ମନେପଡେ ପୁଣି କ୍ରିକେଟର ଚୌକା ଆଉ ଛକା ,
କ୍ୟାରମ ଖେଳା ଆଉ କ୍ଲବ ଘର ପକ୍କା ।
ଦେଖିହୁଏ ଗାଁ ଝିଅ ବୋହୁଙ୍କ ଗଜଗମନୀ ଚାଲି ,
ପ୍ରେମିକାର ଆଖିଠାର ଆଉ ବୁଲାବିକାଳିର ଝୀଲମିଲ ମାଳି ।
 ଅଫିସରେ ବସିବସି, ବସଠାରୁ ଖାଉଥାଏ ଗାଳି,
ଭଲ ଥିଲା ଗାଁମୁଣ୍ଡ ଆମ୍ବତୋଟା ଟୋକା ମେଳି ।
ମନେପଡେ ଆଜି ଜେଜୀର ଆରିସା, ଚକୁଳି ଆଉ ଛୁଞ୍ଚିପତ୍ର ପିଠା,
ପୋଡ଼ପିଠା, ବୁଢା ଚକୁଳି, ସିଝାମଣ୍ଡା ଆଉ ଗଇଁଠା ।
ଏ କଂକ୍ରିଟର ଜଙ୍ଗଲରେ କାହିଁ ସେ ଭଲ ପାଇବା,
ଯଦୁ ନନା ବାଡ଼ି ବରକୋଳି ଆଉ ସୁଧାଅଜା ବାରମଜା ।
କଞ୍ଚା ଆମ୍ବ, କଇଁଚି କାକୁଡି, ଲୁଣ ଲଙ୍କା ଗୁଣ୍ଡ ସହ ଝିଲିର ଖିଲିଖିଲି ହସ,
ଯେତେ ଭାବିଲେ କଣ ହବ, ଏଠି ବଡାପାଓଂ ଆଉ ପୋହା ଖାଇ ବସ ।
ନମିଳେ ଏଠି ବାବୁଲା ବରା, ଆଉ ନାଥ ଦୋକାନ ଲସି,
ଭାବିଭାବି ଦିନ ଗଲା ଅଫିସରେ ବସି ବସି ।

ଜେଜେଙ୍କ ଲାଠି ଆଉ ନଈ ପହଁରା,
କେତେ ଭଲଲାଗେ ଦ୍ୱିପହରେ ଆମ୍ବପରା ।
ଗାଁରେ, ବାହାଘର ଆଉ ଶୁଦ୍ଧ ଘର ଭୋଜି,
ଯିଏ ଖାଇଛି ସେ ହିଁ ଜାଣିଛି ।
ବାପାଙ୍କ ନାଲିଆଖି ଆଉ ହେଡ ମାଷ୍ଟ୍ରେଙ୍କ ଛାଟ,
ଇଲୋ ମୋ ବୋପା, ପରୀକ୍ଷା ଆସିଲେ ସବୁ ନାଟ ।
ଭାରି ଭଲ ଲାଗେ ଖରା ଦିନ ଛୁଟି ,
ଦୋଳ,ହୋଲି, ଦଶହରା ଆଉ ଧାନକଟା ଛୁଟି ।
ଲୋକ କହନ୍ତି ପାଠ ପଢ଼ ବଡ ମଣିଷ ହବୁ,
ମୁଁ କହେ ବାପରେ, ଓଡିଶା ପଖାଳ ଆଉ ନ ପାଇବୁ ।
ପଖାଳ ସାଙ୍ଗେ ବଡ଼ି ଚୁରା, ଚୁନା ମାଛ ଆଉ କୋଶଳା ଶାଗ,
କାହିଁ ଗଲା ମୋ ଶୈଶବ, କିଏ ମୋତେ ଖୋଜି ଆଣି ଦେବ ।
—X—

ପ୍ରେମ ବିବାହ

ପ୍ରେମ ବିବାହ

ସକାଳୁ ସକାଳୁ ମର୍ନିଙ୍ଗ ୱାକ ରୁ ଫେରି ଅଧା ଖୋଲା ଦରଜା ଦେଖି ଧର୍ମେନ୍ଦ୍ର ବାବୁ ଟିକେ ଅଟକି ଗଲେ I ଘରେ ଚୋର ପଶିଛି କି ଆଉ I ଏତେ ସକାଳୁ ତ କେହି ବି ଉଠିବେନି I ସେ ତ ତାଲା ପକେଇ ଯାଇଥିଲେ I ଏବେ ବି ଚାବି ପଇତା ରେ ଝୁଲୁଛି I ହେଲେ କବାଟ ଟା ଖୋଲା ଅଛି କଣ ପାଇଁ I ଘରେ ପଶିଲା ବେଳକୁ ବଂଶ ଯାକ ଲୋକ ଦୁଆରେ ଠୁଳ I କ’ଣ ହେଲା କାହାର, ଚିନ୍ତା ରେ ପଡିଗଲେ ସେ I ସମସ୍ତଙ୍କ ମୁହଁକୁ ଚାହୁଁଥାନ୍ତି ସେ, କିନ୍ତୁ କେହି ବି କିଛି କହୁ ନଥାନ୍ତି I ନାତି ଟୋକା ବୀର, ମୁଣ୍ଡ ତଳକୁ କରି ଠିଆ ହୋଇଥାଏ I ତା ବାପା ହାତରେ ଗୋଟେ ରୁଲ ବାଡ଼ି I ତା ମା ଉର୍ମିଳା, ଖୁଡି ସୁଶୀଳା ଆଉ ଧର୍ମେନ୍ଦ୍ର ବାବୁଙ୍କ ସ୍ତ୍ରୀ ଦମୟନ୍ତୀ ମୁହଁରେ ଲୁଗା ଦେଇ ଠିଆ ହୋଇଥାନ୍ତି I ଆଖିରୁ ଲୁହ ବୋହୁଥାଏ I ଧର୍ମେନ୍ଦ୍ର ବାବୁଙ୍କୁ ଦେଖି ବୀର ର ଟିକେ ହୋଶ ଆସିଲା I ବୀର ପାଖରେ ଗୋଟେ ଝିଅ ଠିଆ ହୋଇଥାଏ I ଧର୍ମେନ୍ଦ୍ର ବାବୁ ସେ ଝିଅ କୁ କେବେ ଦେଖି ନଥାନ୍ତି I କଥା ବୁଝୁ ବୁଝୁ ବୀର ଗୋଟେ ଝିଅ କୁ ଧରିକି ପଳେଇ ଆସିଛି I ବାପା ତାର ଠେଙ୍ଗା ଧରି ଠିଆ ହୋଇଛି I କଣ ନା ତାକୁ ଘରେ ପୂରେଇବନି I ଘର ର ପରିପାର୍ଶ୍ଵିକ ଅବସ୍ଥା ଦେଖି ଲାଗୁ ଥାଏ ଆଜି କିଛି ଗୋଟେ ହେଇ ଯିବ I

ଧର୍ମେନ୍ଦ୍ର ବାବୁଙ୍କ ବଡ ପୁଅ ରତନ, କହିଲା “ବାପା, ତମେ ବୁଝ, ଆମେ ଆଉ ପାରିବୁନି I ଆଜିକାଲି ର ଟୋକା ସବୁ କିଛି ନବୁଝି ନଶୁଝି କଣ ସବୁ କରୁଛନ୍ତି ଦେଖ I ମୁଁ ଯାଉଛି ” I ଧର୍ମେନ୍ଦ୍ର ବାବୁ କାହାକୁ କଣ କହିବେ? ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା I ବୀରକୁ କଣ କହିଲେ, ସେ ଯେମିତିଆ ପିଲା ଘର ଛାଡି ପଳେଇବ I ଏପଟେ ରତନ କାହାକୁ ବି ଘରେ ପୁରେଇବାକୁ ରାଜି ନୁହଁ I ଅଗତ୍ୟା ଅବସ୍ଥା ସମ୍ଭାଳିବାକୁ ଧର୍ମେନ୍ଦ୍ର ବାବୁ କହିଲେ , ଆରେ ପିଲା ଦି ଟା ସେତେବେଳୁ ଠିଆ ହେଇଛନ୍ତି ଆଗ ସାଷ୍ଟାମ ହବାକୁ ଦେ I ତାପରେ ବୁଝିବା କ’ଣ ହେଇଚି I ମୁଁ ବି ଏତେ ବାଟ ଚାଲି କି ଆସିଛି ମୋ ଧଇଁ ବାହାରି ଗଲାଣି I ମୋ ପାଇଁ ଆଗ ପାଣି ମୁନ୍ଦେ ଆଣିଲ I ବଡ ବୋହୁ ପାଣି ଗ୍ଲାସେ ଆଣି ଧରେଇ ଦେଲା I ସମସ୍ତଙ୍କୁ ଗହଳି ଭାଙ୍ଗିବାକୁ କହି ସେ ଚୌକି ରେ ବସି ପଡିଲେ I ସମସ୍ତେ ରାଗ ତମ ତମ ହେଇ ନିଜ ନିଜ ରୁମ ରେ ପଶିଲେ I ବୀର ଆଉ ସେ ଝିଅ ସେଇମିତି ମୁଣ୍ଡ ତଳକୁ କରି ଠିଆ ହୋଇ ଥାନ୍ତି I

ଝିଅ କୁ ପାଖକୁ ଡାକିଲେ ଧର୍ମେନ୍ଦ୍ର ବାବୁ I ପଚାରିଲେ ତୋ ନା କ’ଣ? ଝିଅଟି କହିଲା,”ସମ୍ଭାବନା I ସମ୍ଭାବନା ମହାନ୍ତି ” I ଧର୍ମେନ୍ଦ୍ର ବାବୁ ବୁଝିଗଲେ କଥା କ’ଣ I ଝିଅ ଆମ ଜାତିର ନୁହଁ I ଆଉ ଗୋଟେ ଭିତିରିଆ କଥା ବି ଅଛି I ବଡ ବୋହୂଟା ଟିକେ ଲୋଭି I ପୁଅ ବାହାଘର କରି ଯୌତୁକ ଆଣିଥାନ୍ତା କିନ୍ତୁ ଏବେ ଆଉ ସେଟା ହବନି I ସେଥିପାଇଁ ଏତେ ନାଟ I ଆଜିକାଲି ଯୌତୁକ ଜନିତ ହତ୍ୟା ଆଉ ବଧୂ ନିର୍ଯ୍ୟାତନା ର ଦୃଶ୍ୟ ସବୁ ତାଙ୍କ ଆଖି କୁ ଜଳ ଜଳ ହୋଇ ଦେଖା ଗଲା I ଫି ଦିନ ପେପର ରେ ପଢି ପଢି ଏଗୁଡା ସବୁ ତାଙ୍କର ମାନସପଟ୍ଟ ରେ ଉଙ୍କି ମାରିଲେ I ସେ କିନ୍ତୁ ଯୌତୁକର ଘୋର ବିରୋଧୀ I ଦି ଟା ପୁଅଙ୍କୁ ବାହା କରି ମଧ୍ୟ କାହାଠୁ ବି କାଣି କଉଡି ଟିଏ ସେ ଆଣି ନାହାନ୍ତି I ବଡ ବୋହୁ କିଛି ଯୌତୁକ ନ ଆଣିଥିଲେ ବି ପୁଅ ଜନ୍ମ କରିଛି ଯେତେବେଳେ ଯୌତୁକ ପ୍ରତି ଲୋଭ ତାର ଟିକେ ଅଧିକ I କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କ ମୁହଁରେ ପଶି କିଛି କହି ପାରେନି I ସାନ ପୁଅ ଯତୀନ ର ଗୋଟେ ଝିଅ, ତେଣୁ ସେମାନେ ସ୍ୱାମୀ ସ୍ତ୍ରୀ ଦି ଜଣ ଯୌତୁକ ବିରୋଧୀ I ଏପଟେ କିନ୍ତୁ ଯୌତୁକ ସହ ମାମଲା ଟା ଆଉ ଟିକେ ଅଧିକ I ଜାତି ଅଲଗା I ଲୋକେ କଣ କହିବେ ? ଭାବୁ ଭାବୁ ବୀର ଆଉ ସମ୍ଭାବନା  କୁ ଭିତରକୁ ଯାଇ ଟିକେ ରେଷ୍ଟ ନେବାକୁ କହିଲେ I ସେ ଦିହେଁ ଚାଲିଗଲା ପରେ ଧର୍ମେନ୍ଦ୍ର ବାବୁ ମୁଣ୍ଡରେ ହାତ ଦେଇ ବସି ପଡିଲେ I ୫୦ ବର୍ଷ ତଳର ଅବସ୍ଥା ଯେ ପୁଣି ଆସି ପହଞ୍ଚିବ ଏକଥା ସେ ସ୍ବପ୍ନ ରେ ବି ଭାବି ନଥିଲେ I

ଗାଁ ରେ ଥିଲା ଵାଲା ଘର ତାଙ୍କର I ବାପା ହୃଦାନନ୍ଦ ମିଶ୍ର, ପାଞ୍ଚ ଲୋକ ଦେଖିଲେ ମୁଣ୍ଡିଆ ମାରନ୍ତି I କଳି ତକରାଳ ର ମୀମାଂସା ସେ କରନ୍ତି I ଗୋଟିଏ ବୋଲି ପୁଅ ଧର୍ମେନ୍ଦ୍ର ମିଶ୍ର I ପାଠ ପଢିବାକୁ ସହର ଆସିଲେ I ପଢୁ ପଢୁ ପ୍ରେମ କରି ବସିଲେ ଦମୟନ୍ତୀଙ୍କୁ I ପିଲା ବେଳ, ପ୍ରେମ କଣ ନ ଜାଣିଲେ ବି ଦମୟନ୍ତୀ କେମିତି ଭଲ ଲାଗିବାକୁ ଲାଗିଲେ I ଗୋଟିଏ କ୍ଲାସ, ସାଙ୍ଗ ହଉ ହଉ କେବେ କେମିତି ପ୍ରେମ ହେଇ ଗଲା ଜଣା ନାହିଁ I କଲେଜ ସରିଲା ବେଳକୁ କେମିତି ଗୋଟେ ଖାପ ଛଡା, ଖାପ ଛଡା ଲାଗିଲା I କହୁ କହୁ “ଆଇ ଲଭ ୟୁ” କହିଦେଲେ I କିନ୍ତୁ ତା ପରେ ଯେ ଏତେ କଥା ଘଟି ଯିବ ସେ ତାର କଳନା କରି ନଥିଲେ ସେ I

ପଢା ସାରି ଘରକୁ ଆସିବା ପରେ ବାପା ମା, ବାହାଘର ପାଇଁ ପ୍ରସ୍ତାବ ଦେଖିବାକୁଲାଗିଲେ I ଧର୍ମେନ୍ଦ୍ର ବାବୁ  ସବୁ ଜାଣିଲା ପରେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁ ନଥିଲାତାଙ୍କୁ I ଦିନେ ସକାଳୁ ସକାଳୁ ସେ ଦମୟନ୍ତୀଙ୍କୁ ଧରି ଘରେ ପହଞ୍ଚି ଗଲେ ଆଉ ବାହାହେବାକୁ କହିଲେ I ସବୁ ଠିକ ଥିଲା ହେଲେ କାଳ ହେଲା ଜାତି I ଦମୟନ୍ତୀ ଥିଲେ ଖଣ୍ଡାୟତଘର ଝିଅ ଆଉ ଧର୍ମେନ୍ଦ୍ର ହେଲେ କୁଳୀନ ବ୍ରାହ୍ମଣ I ବାପା ତ ରୋକଠୋକ ମନା କରିଦେଲେ Iହୋଇ ପାରିବ ନାହିଁ I ଆରେ ଏ ପାଞ୍ଚ ଖଣ୍ଡ ଗାଁ ରେ ଲୋକ କଣ କହିବେ? ଭରଦ୍ୱାଜ ଗୋତ୍ରର କୁଳୀନ ବ୍ରାହ୍ମଣ ବାହା ହେବ ଗୋଟେ ଖଣ୍ଡାୟତ ଘରେ ? ନା କେବେ ନୁହଁ I

ସେପଟେ ଦମୟନ୍ତୀଙ୍କ ଘରେ ଜାଣିଲେ ଝିଅ ଘର ଛାଡି ଗୋଟେ ବ୍ରାହ୍ମଣ ଟୋକା ସହପଳେଇଯାଇଛି I ଆଉ କିଛି କରିବାର ନଥିଲା I ସେମାନେ ତ ଦମୟନ୍ତୀଙ୍କର ଶ୍ରାଦ୍ଧ ଦେଇଦେଲେ I ବାସ, ନା ଏ କୁଳକୁ ଯିବାର ଥିଲା ନା ସେ କୂଳକୁ I ସେଇ ଦିନୁ ଧର୍ମେନ୍ଦ୍ର ବାବୁ ଘରଛାଡି ଆସିଥିଲେ ଯେ ବାପା ମା ମଲା ପରେ ଯାଇ ଗାଁ କୁ ଗଲେ I ଶେଷରେ ଗାଁ ଲୋକ ବିବାପାଙ୍କୁ ବୁଝେଇଲେ I ଏବେ ଏସବୁ ଚଳିଲାଣି, ରାଗ ଛାଡ଼ I ଯାହା ହେଲେ ବି ଗୋଟିଏବୋଲି ପୁଅ ତମର I ଯାହା ହେଲାଣି ହେଲାଣି I ଏବେ ପୁଅ ବୋହୁଙ୍କୁ ଘରକୁ ଆଣ I କିନ୍ତୁ ନା,ତାଙ୍କର ଏକା ଜିଦ, ମୁଁ ବଂଚି ଥିଲା ଯାଏ ସେ ଖଣ୍ଡାୟତ ଘର ଝିଅ ମୋ ହାଣ୍ଡିଶାଳେ ପଶିବନି Iଗାଁ ଲୋକ ଧର୍ମେନ୍ଦ୍ର ଙ୍କୁ ବୁଝେଇ ଶୁଝେଇ ଥରେ ନେଇ କି ଗଲେ ଘରକୁ I ସାଙ୍ଗରେଦମୟନ୍ତୀ, ରତନ ଆଉ ଯତୀନ I ବାପା, ନାତି ଦି ଜଣଙ୍କୁ ଘରକୁ ନେଲେ କିନ୍ତୁ ଧର୍ମେନ୍ଦ୍ର ଆଉଦମୟନ୍ତୀ ଙ୍କୁ ବାରଣ୍ଡା ଉପରକୁ ଉଠିବାକୁ ଦେଲେନି I ସେଇଦିନୁ ରତନ ଆଉ ଯତୀନଜେଜେଙ୍କ କଥା ବୁଝୁଥିଲେ, ସେ ମଲା ଯାଏ I ମା ର କିଛି କହିବାର ନଥିଲା I ମା ଚାହୁଁଥିଲାଯେ ପୁଅ ବୋହୁ ଘରକୁ ଆସନ୍ତୁ I କିନ୍ତୁ ବାପାଙ୍କ ଡରରେ ସେ ଚୁପ I ପୁଅ କୁ ଦେଖିବାକୁ ଇଛାହେଲେ, ନାତି ଦୁଇ ଜଣକୁ ଦେଖି ମନ ବୋଧ କରୁଥିଲା I ଅଜାଣତରେ ଧର୍ମେନ୍ଦ୍ର ବାବୁଙ୍କଆଖିରୁ ଦି ଧାର ଲୁହ ବୋହି ଆସିଥିଲା I ଲୁହ ପୋଛି ଧର୍ମେନ୍ଦ୍ର ବାବୁ ଟିକେ ସହଜ ହେବାକୁଚେଷ୍ଟା କଲେ I ରତନ ଆଉ ଯତୀନ ତ ଆଜି ଯାଏ ଜାଣି ନାହାନ୍ତି ଯେ ତାଙ୍କ ମା ଖଣ୍ଡାୟତଘର ଝିଅ I  ସେମାନେ ଜାଣନ୍ତି ଯେ ବାପା ଛୋଟ ବେଳେ କଣ ଗୋଟେ ଭୁଲ କରିଥିଲେବୋଲି ଜେଜେ ତାଙ୍କୁ ତ୍ୟେଜପୁତ୍ର କରିଥିଲେ I

ଆଜିର ଏ ଅବସ୍ଥାରେ ସେ କଣ କରିବେ ଭାବି ହେଉଥିଲେ I ବଡପୁଅ ରତନ,ବାପାଙ୍କ ପାଖରେ ରହି ତାଙ୍କ ଗୁଣ ସବୁ ରଖିଛି I ବଡ ଜିଦଖୋର ସେ I ହଁ ତ ହଁ , ନାହିଁ ତନାହିଁ I ଆଉ କିଛି ଭାଷା ବୁଝେନି ସେ I ଗାଁ ର ଜମି ବାଡି଼ଠୁ ଆରମ୍ଭ କରି ଚାକିରୀ ଯାଏ ସେସବୁ ବୁଝେ I ସାନ ପୁଅ ର କିଛି ନଥାଏ I ତା’ର ମାଇରେ ଯାଏ ନି କି ଗାଈରେ ଯାଏନି Iଧୋଇ ରେ ଯାଏନି କି ମରୁଡି ରେ ଯାଏନି I ଯାହା ହେଲେ ଚଳିବ I ସେ କିଛି ବି ମାନେନି Iବ୍ରାହ୍ମଣ ହେଇକି ବି ତା କାନ୍ଧରେ କେବେ ପଇତା ନଥାଏ I କହିଲେ କହିବ “ହଁ ମ,ଯେତେବେଳେ ଦରକାର ପିନ୍ଧି ଦେବିନି I ଚିନ୍ହା ବ୍ରାହ୍ମଣର ପଇତା କଣ ଦରକାର” ?

ବୀର, ବୀରଭଦ୍ର ମିଶ୍ର I ରତନ ର ପୁଅ ହେଇକି ଏମିତି କରିବ, ଏହା ତାଙ୍କ କଳ୍ପନାବାହାରେ ଥିଲା I କିନ୍ତୁ ସେ ବି ତ ହୃଦାନନ୍ଦ ମିଶ୍ରଙ୍କ ପୁଅ ହେଇକି ଠିକ ସେଇୟା ହିଁ କରିଥିଲେI ଏବେ କିନ୍ତୁ ଫଇସଲା ତାଙ୍କୁ ହିଁ କରିବାର ଅଛି I କଣ ଯେ ସେ ନିର୍ଣ୍ଣୟ ନେବେ ସେ ଭାବିପାରୁ ନଥିଲେ I

ମଣିଷ ତା ଜୀବନରେ କେବେ ନା କେବେ ଏମିତି ଏକ ଦୋଛକି ରେ ଠିଆ ହୋଇଥାଏ, ଯେଉଁଥିରେ ରାସ୍ତା ତ ଦି ଟା ଥାଏ, କିନ୍ତୁ ଚାଲିବା ପାଇଁ ବାଟ ନଥାଏ I ନା ଏପଟକୁଯାଇ ହୁଏ ନା ସେପଟକୁ ଯାଇ ହୁଏ I କାହା ସପକ୍ଷରେ ସେ ରାୟ ଦେବେ ସେ ଭାବି ପାରୁନଥିଲେ I ରତନ ତ ରାଗ ତମ ତମ ହେଇ ଅଫିସ ବାହାରି ଗଲା I ସାନ ପୁଅ କେତେବେଳୁଅଫିସ ଚାଲି ଗଲାଣି I ଘରେ ଆଜି ଜଳଖିଆ ତିଆରି ବି ହେଇନି I ତାଙ୍କୁ ଭୋକ ଲାଗୁଥିଲାହେଲେ କାହାକୁ କିଛି କହିବା ଅବସ୍ଥାରେ ନଥିଲେ I ଦମୟନ୍ତୀ ଛତୁଆ ଟିକେ ଗୋଳେଇଧର୍ମେନ୍ଦ୍ର ବାବୁଙ୍କ ପାଖରେ ଆସି ବସିଲେ I କହିଲେ ଖାଇଦିଅ କଣ ଟିକେ I ବୁଢା ବୁଢୀ ଦିଜଣ କାହାକୁ କିଛି ନ କହିଲେ ବି ବୁଝି ପାରୁଥିଲେ ଅବସ୍ଥା କଣ ଆଉ କଣ ହେବାକୁ ଯାଉଛି Iବାହା ହେଲା ପରେ ଦମୟନ୍ତୀ ଆଜି ଯାଏ ତାଙ୍କ ବାପ ଘରକୁ ଯାଇ ନାହାନ୍ତି I ଏପଟେ ବାପାମାଙ୍କ ସ୍ନେହ ବି ପାଇଲେନି ନା ପାଇଲେ ଶାଶୁ ଶ୍ଵଶୁରଙ୍କ ସ୍ନେହ I ଆଖି ଓଦା ହେଇ ଆସୁଥାଏତାଙ୍କର I ଖାଲି ଏତିକି କହିଲେ ଛୁଆ ଦିଟାକୁ ଆମ ସ୍ନେହ ରୁ ବଞ୍ଚିତ କରନି I ଧର୍ମେନ୍ଦ୍ର ବାବୁବୁଝି ପାରୁଥିଲେ କେତେ ଯେ ଯନ୍ତ୍ରଣା ଲୁଚି ରହିଛି ଏଇ କଥା ପଦକରେ I ଏବେ ସେ ନିର୍ଣ୍ଣୟନେଇ ସାରିଥିଲେ ଖାଲି ଅପେକ୍ଷା ଥିଲା ସନ୍ଧ୍ୟା ସମୟକୁ I

ସନ୍ଧ୍ୟା ରେ ବଡପୁଅ, ବୋହୁ, ସାନପୁଅ, ବୋହୁ, ଦମୟନ୍ତୀ, ଯତୀନ ଝିଅ ମାଳା,ସମସ୍ତେ ଆସି ଧର୍ମେନ୍ଦ୍ର ବାବୁଙ୍କ ପାଖରେ ପହଁଚିଲେ I ଧର୍ମେନ୍ଦ୍ର ବାବୁ ଆଗରୁ ବୀର ଆଉସମ୍ଭାବନା କୁ ଡାକି ପାଖରେ ବସେଇଥାନ୍ତି I ସମସ୍ତେ ଆସିଲା ପରେ ଧର୍ମେନ୍ଦ୍ରବାବୁ ଆରମ୍ଭକଲେ, “ମୁଁ ଜାଣିଚି ତମେ ମାନେ ସମସ୍ତେ ମୋତେ ମାନ I ମୁଁ ଯାହା କହିବି ମନ ଦେଇ ଶୁଣ Iଆଉ ମୁଁ ଯାହା ନିର୍ଣ୍ଣୟ ନେଇଛି ସେଇଟା ଫାଇନାଲ I ତା ଉପରେ ମୁଁ କାହା କଥା ବି ଶୁଣିବିନିI ମୋର ନିର୍ଣ୍ଣୟ ହେଲା କାଲି ସକାଳୁ ଆମେ ଝିଅ ଘରକୁ ପ୍ରସ୍ତାବ ନେଇ କି ଯିବା ଆଉବାହାଘର ଠିକ କରି କି ଆସିବା I ଏଇ ମାସ ରେ ଦି ଜଣଙ୍କ ବାହାଘର ହେବ I “

ରତନ– କିନ୍ତୁ ବାପା..

ସେ ଆଉ କିଛି କହିବା ପୂର୍ବରୁ ଧର୍ମେନ୍ଦ୍ର ବାବୁ ତାକୁ ଅଟକାଇ ଦେଲେ ଓ କହିଲେ, “ଆଗ ତୋମା ଆଉ ମୋତେ ଘରୁ ବାହାର କରି ଦେ I କାରଣ ତୋ ମା ଖଣ୍ଡାୟତ ଘର ଝିଅ I ବ୍ରାହ୍ମଣନୁହଁ I ତୋ ଜେଜେ ବି ସେଇଥିପାଇଁ ମୋତେ ତ୍ୟେଜପୁତ୍ର କରିଥିଲେ ଆଉ ଏବେ ଯାଏଆମେ ବାପା ମାଙ୍କ ସ୍ନେହ ପାଇଁ ଝୁରି ହେଉଛୁ I ତମେ ମାନେ ଆଜି ଯାଏ ମାମୁଁ ଘର କଣଜାଣିନ କାରଣ ତୋ ମା ର ଶ୍ରାଦ୍ଧ ସେମାନେ ଦେଇ ସାରିଛନ୍ତି I ମୋ ବାପା, ମଲା ଯାଏ ବିଆମ ଦି ଜଣଙ୍କୁ କ୍ଷମା କରି ନଥିଲେ ଆଉ ଘରେ ପୁରେଇ ଦେଉ ନଥିଲେ I ଆରେ ତୋ ମାଯଦି ଖଣ୍ଡାୟତ, ତା ଔରସ ରୁ ଜନ୍ମ ନେଇ ତମେ ଦି ଜଣ କେମିତି ବ୍ରାହ୍ମଣ ହେଲ? ଆଜି କାଲିବେଳ କାଳ ଯାହା ହେଲାଣି ପୁଅ ମାନେ ପୁଅ ମାନଙ୍କୁ ଆଉ ଝିଅ ମାନେ ଝିଅ ମାନଙ୍କୁ ବାହାହେଇ ରହୁଛନ୍ତି I ବୀର ତ ଗୋଟେ ଝିଅକୁ ନେଇ କି ଆସିଛି I ସେ ପୁଣି ଅଛୁଆଁ ଜାତି ନୁହଁଛୁଆଁ ଜାତିରୁ I “

ସମସ୍ତେ ହାଁ କରି ଧର୍ମେନ୍ଦ୍ର ବାବୁ ଆଉ ଦମୟନ୍ତୀଙ୍କୁ ଦେଖୁଥିଲେ I ବୀର ଆଉସମ୍ଭାବନା ଧର୍ମେନ୍ଦ୍ର ବାବୁଙ୍କ ଗୋଡ ତଳେ ପଡିଗଲେ I  ଧର୍ମେନ୍ଦ୍ର ବାବୁ ଦୁଇ ଜଣଙ୍କୁ କୋଳେଇନେଉ ନେଉ କହିଲେ I କାଲି ସକାଳୁ ରେଡି ହେଇଯିବ I ଝିଅ କୁ ଝିଅଘରକୁ ନେଇ କିଯିବାର ଅଛି I

ଧର୍ମେନ୍ଦ୍ର ବାବୁଙ୍କ ନିଷ୍ପତି ଶୁଣି ଦମୟନ୍ତୀଙ୍କ ମୁହଁରେ ଧାରେ ହସ ଲାଖି ରହିଥିଲା I

—————————-XXX—————————-

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ
(www.ameodia.com ରେ ପ୍ରକାଶିତ)
ଉଦ୍ଧବ ନାଏକ, ଜାତିରେ ହରିଜନ । ମଫସଲର କେଉଁ ଗୋଟେ ଅନାମଧେୟ ଗାଁରେ ତା ଘର । ବାପା ତା’ର ପର ବିଲରେ ଖଟେ I ମା ପର ଘରେ ପାଇଟି କରେ ।
ସୁଖ, ଦୁଃଖ, ନାହିଁନାହିଁ ର ଦୁନିଆଁ ଭିତରେ କଷ୍ଟେ ମଷ୍ଟେ ଚାଲିଥାଏ ତାଙ୍କ ସଂସାର । ହେତୁ ହେଲା ପରଠୁ ସେ କେବେ ବି ଜାଣିନି ମାଡ କ’ଣ ? ତା’ ବାପା ମା ତାକୁ ବହୁତ ଗେହ୍ଲା କରନ୍ତି । ଗୋଟିଏ ବୋଲି ତ ପୁଅ, କଉ ନ’ଟା କି ଛ’ଟା ହେଇଛନ୍ତି ଯେ ଭାଗ ମାଗିବେ । ସୁଖ, ଦୁଃଖ, ଗେଲ ବସରରେ ବଢ଼ୁବଢ଼ୁ କେବେ ଯେ ସେ ଅମଡ଼ା ବାଟ ଆଡେ ଚାଲିଗଲା ସେ ବି ଜାଣିନି । ଯେତିକି ଯେତିକି ସେ ବଡ ହେଉଥାଏ ସେତେ ସେତେ ସେ ଖରାପ ରାସ୍ତାରେ ଆଗକୁ ଆଗକୁ ମାଡି ଚାଲି ଥାଏ ।
ପାଞ୍ଚ ବର୍ଷରେ ସେ ବିଡି ପିଆ ଶିଖିଲା । ତା’ ବାପା ବିଡି ଟାଣି ସାରିଲା ପରେ ଖଣ୍ଡିଆ ବିଡିକୁ ତା ଓଠରେ ଲଗେଇ ଦିଏ । ସେ ଦିଥର ସୁକୁ ସୁକୁ କରି ତାକୁ ଫୋପାଡ଼ି ଦିଏ । ବା’ଆଠୁ ଶୁଣିଥିଲା ଯେ ତା ଜେଜୀ ବି ଏମିତି ତା ବାପାକୁ ବିଡି ପିଆ ଶିଖେଇ ଥିଲା । ଆଜି ବାପା ନିଜ ପଇସାରେ ବିଡି କିଣିକି ଟାଣୁଛି, ଯେତେବେଳେ ବୁଢା ହବ ସେତେବେଳେ ତ ପାଖରେ ପଇସା ନ ଥିବ । ପୁଅ ବିଡିପିଆ ଶିଖିଥିଲେ ସିନା ପୁଅ ପାକିଟିରୁ ବିଡି ଚୋରି କରିବ ନ ହେଲେ ବୁଢାବେଳେ କିଏ ପଚାରିବ ଯେ ।
ଆସ୍ତେ ଆସ୍ତେ ଯେତେବେଳେ ସେ ୯ବର୍ଷର ହେଲା ସେତେବେଳେ ସାଙ୍ଗମାନଙ୍କ ସହ ମିଶି ତାଡି ଆଉ ହାଣ୍ଡିଆ ପିଇଲା । ଗରିବ ଘରେ ତାଡି ଆଉ ହାଣ୍ଡିଆକୁ ମଦ ବୋଲି ମାନନ୍ତି ନାହିଁ । ଏ ଗୁଡା ପିଇଲେ କୁଆଡେ ବଳ ଆସେ । କାମ କରିବାକୁ ଶକ୍ତି ମିଳେ । ଦିହରୁ ପୀଡା ପଳାଏ । ନ ହେଲେ କାମ କେମିତି କରିବ । କାମ ନ କଲେ ପଇସା କଉଠୁ ଆସିବ ।
ବା’ଆ ଦିନେ ଖରାରେ ହଳ କରୁ କରୁ ଟଳି ପଡିଲା । ଲୋକେ କହିଲେ ଅଂଶୁଘାତ । କିନ୍ତୁ ତା ମା ବୁଝିଲା ଯେ ସେ ସେଦିନ ଡେରି କରିଦେଲା ପଖାଳ ନେବା ପାଇଁ । ସେଥିପାଇଁ ବୁଢା ରାଗରେ ବିଲରେ ଶୋଇଗଲା ଆଉ ଘରକୁ ଆସିଲାନି । ବାବୁ ଘର କୁଣିଆ ଆସିଥିଲେ ସେଦିନ । କାମ ସରୁସରୁ ଟିକେ ଡେରି ହେଇଗଲା । ବୁଢା ସକାଳ ପହରୁ ଭୁଜାଦିଟା ପାଟିରେ ପକେଇ ଦେଇ ହଳ ନେଇ ବିଲକୁ ଯାଇଥିଲା । କହିକି ଯାଇଥିଲା ଟିକେ ସଅଳ ଭାତ ନେଇ ଯିବାକୁ । ଘରେ ଖୁଦ କଣି ଗୋଟେ ବି ନ ଥିଲା । ବାବୁ ଘରୁ ଚାଉଳ ଆଣି ରୋଷେଇ କରିକି ନେଲା ବେଳକୁ ଦିନ ଦିଘଡି । ମା ଭାତ ଆଉ ପାଣି ନେଇ ବିଲରେ ପହଁଚିଲା ବେଳକୁ ବା’ଆ ଗଛତଳେ ଶୋଇ ଯାଇଥିଲା, ଯେତେ ଡାକିଲେ ବି ଆଉ ଉଠିଲାନି । ବଳଦ ଦିଟା ଗଛମୂଳେ ଶୋଇକି ପାକୁଳି କରୁଥିଲେ । କାଳିଆ କୁକୁରଟା ଧକେଇ ହଉଥିଲା, ଝାଞ୍ଜିପବନ ବୋହୁଥିଲା, କାଉ କୋଇଲି ବି କୁଆଡେ ନ ଥିଲେ । ମା ଯେତେ ଡାକିଲେ ବି ବା’ଆ ଆଉ ଶୁଣିଲାନି । ମା ଗୋଡ ଧରି ଉଠେଇଲା । ହାତ ଓଠ ଧରି ନେହୁରା ହେଲା , କିନ୍ତୁ ବା’ଆ ଆଉ ଶୁଣିଲାନି । ଘନ କକା ସେଇ ବାଟ ଦେଇ ଆସୁଥିଲା । ନାଡୀ ଦେଖି କହିଲା ବା’ଆ ଆଉ ନାହିଁ । ସେଇ ଦିନୁ ମା ପାଗେଳୀ ହେଇ ଗଲା ।
ଉଦ୍ଧବ, ଡାକ ନା ଓଧ, ସେଇ ଦିନୁ ବାପ ମା ଛେଉଣ୍ଡ ହେଇଗଲା । ମା ଥାଇ ନ ଥିଲା ପରି । ସବୁ ବେଳେ ଗାଁ ଲୋକଙ୍କୁ ଅଶ୍ର।ବ୍ୟ ଭାଷାରେ ଗାଳିକରେ । ନଙ୍ଗଳା, ମୁତୁରା ହେଇ କେତେ ବେଳେ ଶାଳବଣ ତ କେତେବେଳେ ଆମ୍ବତୋଟାରେ ବୁଲୁ ଥାଏ । ଗଣ୍ଠିଲିରେ କଣ ସବୁ ଚିରା ଛିଡା ଲୁଗା, ଜରି, କାଠି କୁଟା ସବୁ ଧରିକି ବୁଲୁଥାଏ । ମନ ହେଲେ ଘରକୁ ଆସେ ନ ହେଲେ ନାହିଁ । କେତେ ବେଳେ ମୁଣ୍ଡ ଠିକ ଥିଲେ ଘରକୁ ଆସି ରନ୍ଧା ବଢ଼ା କରେ ନ ହେଲେ ଅଖିଆ ଅପିଆ କୁଆଡେ ବୁଲୁଥାଏ । ଓଧ ବୁଲି ବାଲି ଯାହା ମିଳେ ତା ପାଟିରେ ଗୁଣ୍ଡେ ଦିଏ ।
ଦିନେ ସକାଳୁ ଗାଁ ଲୋକ ଆସି କହିଲେ ପୋଖରୀ କୂଳରେ ତୋ ମା ପଡିଛି । ଓଧ ଦୌଡ଼ି ଯାଇ ଦେଖିଲା ବେଳକୁ ମା ତା’ର ଓଦା ସରସର । ସକାଳୁ ବୋଧେ ପୋଖରୀ ପାଣି କରିବାକୁ ଯାଇଥିଲା । ବୁଡି ଯାଇଛି । ଆଖ ପାଖରେ କେହି ନ ଥିଲେ । ଗାଁ ଝିଅ ବୋହୁ ସବୁ ସକାଳୁ ଗାଧେଇ ଆସିଲା ବେଳେ ଦେଖିଲେ । ଗାଁ ଯାକ ହୁରି ହେଇଗଲା “ପାଗେଳୀ ମରିଗଲା” । ଲୋକେ ପାଣିରୁ କାଢି ତୁଠ ଉପରେ ଶୁଏଇ ଦେଇଥାନ୍ତି । ଓଧର ରାତିର ନିଶା ଉତୁରି ନଥାଏ ସେତେବେଳେ । ବୟସ ବା କେତେ ତା’ର ୧୩ବର୍ଷ । ସେଥିରେ ପୁଣି ହାଣ୍ଡିଆରେ ବଟିକା ମିଶେଇକି ରାତିରେ ପିଇଥିଲା । ପୋଖରୀ ପାଖକୁ ଯାଇ ଦେଖିଲା ବେଳକୁ ମା ଆଉ ନାହିଁ । ମା ବା’ଆ ଦିଟା ଯାକ ଡକାହକା ହେଇ ବର୍ଷ ଗୋଟା ନ ପୂରୁଣୁ ଚାଲି ଗଲେ ।
ସେଇ ଦିନୁ ଓଧ ଏକା ହୋଇଗଲା । ନା ଆଗକୁ କିଏ ନା ପଛକୁ କିଏ । ମହାଜନ ଆସି ସାକୁଲେଇ ହେଇ ତାକୁ କହିଲା “ବାପ ଓଧ, ତୁ ଭାବେନି ତୁ ଏକା ହୋଇଗଲୁ । ମୁଁ ଅଛି ତୋ ପଛରେ । କିଛି ଚିନ୍ତା କରନି । ଯେତେବେଳେ ଯାହା ଦରକାର କହିବୁ ମୁଁ ଦେବି । ପଇସା ଦରକାର ହେଲେ କହିବୁ । ସବୁଦିନ ଆମ ଘରକୁ ଆସି ବାବୁଆଣୀଙ୍କୁ ଖାଇବାକୁ ମାଗି କ’ଣ ଗଣ୍ଡେ ଖାଇ ଦେଇ ଯିବୁ । ଯାହାହେଲେ ବି ତୋ ମା ମୋ ପାଖରେ କାମ କରୁଥିଲା । ମୁଁ କଣ ତୋତେ ଖାଇବାକୁ ଗଣ୍ଡେ ଦେଇ ପାରିବିନି ? ଆସିବୁ ବାପ କିଛି ମନ କରିବୁନି ” ।
ଗାଁ ଲୋକ କିଏ କେତେ ତାକୁ ମନା କରିଥିଲେ, କହିଥିଲେ ମହାଜନଟା ଖରାପ ଲୋକ । ତୋ ଘର ଡିହ ଉପରେ ତା’ର ଆଖି । ତୁ ଜମାରୁ ତା କଥାରେ ପଡନି , କିନ୍ତୁ ଏ ପେଟ ପାଖରେ ତ ସବୁ ତୁଚ୍ଛ । ନିଆଁ ଲଗା ପେଟ ପାଇଁ ତା ପାଖକୁ ଯିବାକୁ ପଡିଲା ଆଉ ସେ ଯାହା ଚାହୁଁଥିଲା ସେଇୟା ହେଲା । ଦିନେ ମହାଜନ ତା ଘରଡିହ ଖଣ୍ଡିକ ନିଜ ନାଁରେ କରେଇ ନେଲା । ତାକୁ ହାତ ଗଣତି କିଛି ପଇସା ଦେଇ ଚଟେଇ ଲେଖେଇ ନେଲା । ଯେଉଁ ଦି ଖୋବାଘର ଡିହ ଥିଲା ଆଜି ସେସବୁ ତା’ର ।
ପଇସା ପାଇ ନିଜକୁ କିଛି ଦିନ ରାଜା ବୋଲି ଭାବିଲା ଓଧ । ଦିନ ରାତି ମଦରେ ବୁଡିକି ରହିଲା । ସାଙ୍ଗ ସାଥି ମାନଙ୍କୁ ପେଟେ ଲେଖା ମଦ ପିଆଇଲା ଆଉ ନିଜେ ଟାଙ୍କେ ଟାଙ୍କେ ପକେଇ ଦେଇ ରାତିରାତି ରାସ୍ତା କଡ ଆଉ ନାଳରେ ପଡିଲା । କିଛିଦିନ ଉତ୍ତାରୁ ପଇସା ସରିଲା ପରେ ପୁଣି ଫୋକଡ ରାମ ଗିରିଧାରୀ । ଏବେ ଆଉ ସାଙ୍ଗ ନା ସାଥି । କେହି ଧରା ଦେଲେ ନାହିଁ । ଖାଇବାକୁ ପଇସା ନାହିଁ , ମଦ କିଏ ଦବ । ୧୩ବର୍ଷର ଛେଉଣ୍ଡ ଛୁଆଟା ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଲା । ଗାଁରେ କେତେବେଳେ କିଏ କଣ ଦେଲେ ଖାଉଥିଲା ନ ହେଲେ ନାଇଁ । ସେ ତ ଆଉ ଛୁଆଁ ଜାତିର ନୁହଁ ଯେ ତାକୁ କିଏ ନିଜର କହିବ । ଲେଖା ଯୋଖାରେ ଯେଉଁ ବନ୍ଧୁବାନ୍ଧବ ଥିଲେ ସେମାନେ ବି ଆଡେଇ ହେଇ ଗଲେ । ୟାପାଖରେ ତ କିଛି ନାହିଁ , କଣ ପାଇଁ ନିଜର କରିବେ ? ନିଜ ସଂସାର ତ ନିଜକୁ ଅସମ୍ଭାଳ ୟାକୁ କିଏ ଦେଖୁଚି । କିଛି ଦିନ ମହାଜନର ଗାଈ ଜଗିଲା । ସକାଳୁ ସଂଜେ ଭାତ ଗୂଂଡେ ମିଳେ ତାସହ ଭୁଜା ଦିକଳ । ଦିନେ ଓଲେଇ ଗାଈଟା ସାଆନ୍ତାରା ଘର ବିଲରେ ପଶିଗଲା ବୋଲି ମହାଜନ ତା ପିଠିରେ ନୋଳା ଫଟେଇ ଦେଲା । ଜୀବନରେ କେବେ ବି ମାଡ ଖାଇ ନ ଥିଲା ସେ । ବା’ଆ, ମା ତା’ର କେବେ ବି ତା ଉପରେ ହାତ ଉଠେଇ ନ ଥିଲେ । କେତେ ଗେଲବସରରେ ବଢିଥିଲା ସେ । ଆଉ ଆଜି ମହାଜନ ତାକୁ ମାଇଲା । ଗୁହାଳେ ବସି ବହେ କାନ୍ଦିଲା । ମା ବା’ଆ କୁ କେତେ ମନେ ପକେଇଲା । ବାବୁଆଣୀ ଆସି ଖାଇବାକୁ ଡାକିଲେ , ଗଲାନାହିଁ । ରାତି କେତେ ଘଡିଯାଏ ଆକାଶକୁ ଦେଖି ତା ବା’ଆ ଆଉ ମା କୁ ଖୋଜିଲା । ମା କହୁଥିଲା ମଣିଷ ମରିଗଲା ପରେ କୁଆଡେ ତାରା ହେଇ ଯାଏ । ତା ହେଲେ ମୋ ବା’ଆ ଆଉ ମା ବି ତାରା ହେଇ ଯାଇ ଥିବେ । ସେମାନେ ବି ଦେଖିଥିବେ ଯେ ମହାଜନ ଆଜି ତାକୁ ପିଟିଚି । ତାକୁ ଆହୁରି ବେଶୀ ବେଶୀ କାନ୍ଦ ଲାଗିଲା । ଗାଁ କୁଛି.. କରି ଦେଲା । କିଏ ଅଛି ଆଉ ଯେ ରହିବ ଏଇ ଗାଁ ରେ । ରାତି ରାତି ସେ ଚାଲିଚାଲି ଗାଁରୁ ବାହାରି ଗଲା ।
ଆକାଶରେ ଅର୍ଦ୍ଧଚନ୍ଦ୍ର, ତାରାମାନଙ୍କର ମିଞ୍ଜିମିଞ୍ଜି ଆଲୋକ, ଝିଙ୍କାରିର ଝୀଂଝୀଂ ଶବ୍ଦ, ରହିରହି ପବନର ସୁସୁ ଡାକ, ବରଡାଳର କଟକଟ କି ସ୍ଵ।ନ ସ୍ଵ।ପଦଙ୍କର ଡାକ କିଛି ବି ଆଜି ତାକୁ ଶୁଣା ଯାଉ ନ ଥିଲା । ଆଜି କେହି ବି ତାକୁ ଡରେଇ ପାରୁ ନ ଥିଲେ । ଗାଁ ମଶାଣିକୁ ସମସ୍ତଙ୍କର ଡର ଥାଏ । ସେ ବି ଡରୁଥିଲା । କିନ୍ତୁ ଆଜି ତାକୁ ଡର ଲାଗୁ ନ ଥିଲା । ଆସିଲା ବେଳେ ତା ବା’ଆ ଆଉ ମାକୁ ଯେଉଁଠି ପୋଡା ଯାଇଥିଲା ସେଠି କିଛି ସମୟ ଠିଆ ହେଲା । ବା’ଆ ଆଉ ମାକୁ ହାତ ଯୋଡିଲା ଆଉ କହିଲା ଯାଉଛି.. କେବେ ମନ ହେଲେ ଆସିବି । ସେ ଆସିଲା ବେଳେ ତା ପିଲାଦିନ କଥା, ବା’ଆ ଆଉ ମା କଥା, ସାଙ୍ଗ ମାନଙ୍କ କଥା, ଗାଁ ପୋଖରୀ, ଦୋଳ ଯାତ୍ରା,ବାଡ଼ି ଖେଳ, ହୋଲି, ଦୀପାବଳି, ଗାଁ ପୂଜା, ଯାତ୍ରା, ମା’ର ମଣ୍ଡାପିଠା, ସରୁଚକୁଳି, ଛୁଞ୍ଚିପତ୍ର ପିଠା, ଦୋଳ, ପୋଡ଼ ପିଠା, ରଜ, ମେଳଣ ଆଉ ଆଉ ବହୁତ କଥା ଭାବି ଭାବି ଆସୁଥାଏ । କେତେବେଳେ ଯେ ସେ ଷ୍ଟେସନ ପାଖରେ ପହଁଚି ଯାଇଛି ସେ ଜାଣି ପାରିଲାନି । ପାସେଞ୍ଜର ଟ୍ରେନଟା ଷ୍ଟେସନରେ ଠିଆ ହେଇ ଥାଏ । କିଏ କେତେ ଲୋକ ଦୌଡ଼ା ଦୌଡ଼ି କରି ଟ୍ରେନରେ ଚଢ଼ୁଥାନ୍ତି ଆଉ କିଏ କେତେ ଓହ୍ଲାଉ ଥାନ୍ତି । କିଛି ନ ଭାବି ସେଗୋଟେ ବଗିରେ ଚଢ଼ିଗଲା । ତାକୁ ଭାରି ଭୋକ ଲାଗୁଥାଏ । କ’ଣ କରିବ କିଛି ଭାବି ପାରୁ ନ ଥାଏ । ଛିଣ୍ଡା ପେଣ୍ଟ ଆଉ ଚିରା ଶାର୍ଟ ଗୋଟେ ପିନ୍ଧି ଥାଏ । ଗୋଟେ ଲୋକ ତାକୁ ତା’ର ବଳକା ରୁଟି କେତେ ଖଣ୍ଡ ବଢ଼େଇ ଦେଲା । ସେ ନବ କି ନ ନେବ ଭାବୁଭାବୁ, ହାତଟା ଖାଇବା ପାଖକୁ ପଳେଇଲା । ମନେମନେ ଭାବିଲା ଛି.. ଶେଷରେ ମୁ ଭିକ ମାଗିଲି । କିନ୍ତୁ ପେଟ ପୋଡି ଯାଉଥିଲା ଲୋକର ନା ମାନ ଥାଏ ନା ଅଭିମାନ । ଚୁପ ଚାପ ଶୁଖିଲା ରୁଟି କେଇ ଖଣ୍ଡ ଖାଇସାରି ଟ୍ରେନ ବେସିନରୁ ପେଟେ ପାଣି ପିଇଲା । ଆଉ ଲାଟ୍ରିନ ପାଖରେ ଗାମୁଛା ପକେଇ ଶୋଇଗଲା । ସୁଇପରର ଡାକରେ ତା ନିଦ ଭାଙ୍ଗିଲା । ହେ ଟୋକା ଉଠ । ଯାଉଛୁ ନା ଦେଖିବୁ ଏଇଲେ । ସେ ଉଠିକି ଦେଖିଲା ଗାଡି ଷ୍ଟେସନରେ ଅଟକିଛି । ସବୁଲୋକ ଓହ୍ଲେଇ ସାରିଲେଣି । କେତେ ଯେ ବେଳ ହେଲାଣି ଜଣା ନାହିଁ । ଷ୍ଟେସନରେ ଲୋକ ଭର୍ତ୍ତି । ସେ ଆଜି ଯାଏ କେବେ ଗାଁରୁ ବାହାରକୁ ଯାଇ ନ ଥିଲା । ଏଠି ଏତେ ଲୋକ ? ଲୋକ ଦେଖି ଦେଖି ସେ ଷ୍ଟେସନରେ କିଛି ସମୟ ବୁଲା ବୁଲି କଲା । ଟ୍ୟାପରୁ ପେଟେ ପାଣି ପିଇଲା । ଭୋକ ଲାଗୁଥିଲେ ବି ଟ୍ୟାପପାଣି ପିଇକି, କିଛି ଅଂଶରେ ତା ଭୋକ କମି ଗଲା । ସେ ଷ୍ଟେସନରେ ବୁଲି ବୁଲି ଲୋକ ଦେଖୁ ଥାଏ । କିଏ ଶୋଇଥାଏ ତ କିଏ ବସି ଥାଏ । କିଛି ଲୋକ ବୁଲା ବୁଲି କରୁ ଥାନ୍ତି । ଏତେ ବଡ ଷ୍ଟେସନ, ତାଙ୍କ ଗାଁ ଷ୍ଟେସନରେ କିଛି ବି ନ ଥିଲା । ପାଣି ଟିକେ ପିଇବାକୁ ଟ୍ୟାପ ଗୋଟେ ହିଁ ଅଛି ଆଉ କିଛି ନାହିଁ । ଏଠି ତ କେତେ ଦୋକାନ, କେଉଁ ଦୋକାନରେ ବରା ତ କେଉଁଠି ଚା, କେଉଁଠି ଲସି ତ କେଉଁଠି ଭାତ । ଭଳିକି ଭଳି ଖାଇବା ତିଆରି ଆଉ ବିକ୍ରି ଚାଲି ଥାଏ । ଦ୍ୱିପ୍ରହର ହେଲା ବେଳକୁ ତାକୁ ଭୋକ ଲାଗିଲା । ତା’ପାଖରେ ଟଙ୍କା ନାହିଁ କି ଖାଦ୍ୟ ବି ନାହିଁ । ସବୁ ଦୋକାନ ବୁଲି ବୁଲି ଆଉ ଖାଇବା ଜିନିଷ ଦେଖି ଦେଖି ତା ଭୋକ ଆହୁରି ବଢି ଯାଉ ଥାଏ । ହେଲେ କରିବ କ’ଣ । ପୁଣି ଥରେ ଥଣ୍ଡା ପାଣି ଟ୍ୟାପରୁ ପେଟେ ପାଣି ପିଇଲା । ଗାଁ’ରେ ଆଇସକ୍ରିମ ଖାଇଲେ ଯେମିତି ଲାଗେ ତାକୁ ଥଣ୍ଡା ପାଣି ପିଇଲା ବେଳକୁ ସେମିତି ଲାଗିଲା ।
ପାଣି ପିଇସାରି ଗୋଟେକୋଣରେ ତା ମଇଳା ଚିରା ଗାମୁଛାଟା ପକେଇ ଦେଇ ଗଡି ପଡିଲା । ଭୋକେ ଓଡ଼ିଆ ନିଦ ଯାଏ ନ୍ୟାୟରେ ତାକୁବି ସାଙ୍ଗେ ସାଙ୍ଗେ ନିଦ ହେଇଗଲା ।
ପୁଲିସ ଆସିକି ପଛରେ ଦିବାଡ଼ି ପକେଇଲା ପରେ ତା ନିଦ ଭାଙ୍ଗିଲା । ଭୋକରେ ପେଟ କଇଁ କଇଁ ଡାକ ଛାଡୁଥାଏ । ଗାଁ କଥା ତାର ମନେ ପଡିଲା । ଆଉ ଭୋକରେ କାନ୍ଦ ବି ଲାଗିଲା ।
ଗାଁରେ କିଛି ନ ହେଲେ ବି ଖାଇବା ଗଣ୍ଡେ ମିଳୁଥିଲା । ମହାଜନ ବାଡେଇଲା ବୋଲି ସିନା ନ ହେଲେ ବାବୁଆଣୀ ତ, ତା ମନ ଜାଣି ଖାଇବାକୁ ଗଣ୍ଡେ ଦେଉଥିଲେ ।
କେବେ କେମିତି ଲୁଚେଇକି ଆମ୍ବସଡା ଆଉ ଆଚାର ଟିକେ ଆଉ କେବେ କେମିତି ପିଠାପଣା ବାଡ଼ିପଟେ ତାକୁ ଦେଉଥିଲେ । ଗାଈ ଚରେଇଲେ ବି ଭଲରେ ଗଣ୍ଡେ ଖାଇ କି ଥିଲା । ସନ୍ଧ୍ୟାରେ ପୋଖରୀ ହୁଡ଼ାରେ ବୁଲାବୁଲି କରୁ କରୁ ଭୁଜା ଖାଉଥିଲା । ଭାବିଲା ଗାଁକୁ ପଳେଇବି କି ? ପୁଣି ଭାବୁଥିଲା ନା, ଏବେ ଗାଁକୁ ଫେରିଲେ ତା ସାଙ୍ଗମାନେ ତାକୁ ଚିଡେଇବେ । ମହାଜନ ପୁଣି ପିଟିବ । ଭାବୁଥିଲା ସବୁହେଲେ ବି ଗାଁରେ ଖାଇବାକୁ ଗଣ୍ଡେ ତ ମିଳିବ । ତାକୁ ସନାଦା ଉପରେ ରାଗ ଲାଗୁଥିଲା । ସନାଦା କଲିକତାରେ ରହେ ।
ତାଠୁ ଶୁଣିଚି ବଡ ଟାଉନୁରେ କେମିତି କେତେ ଲୋକଥାନ୍ତି । କେତେ ଗାଡ଼ିମଟର ଥାଏ । ସେଠି କେମିତି ଲୋକସବୁ ବଡବଡ କୋଠାଘରେ ରହନ୍ତି । ଆଉ ଛୋଟ ବଡ ସବୁଲୋକଙ୍କୁ ସହର କେମିତି ଆପଣାର କରିଦିଏ । କିନ୍ତୁ ତାକୁ ତ ଏଠି ଖାଇବାକୁ ଟିକେ ବି ମିଳୁନି । କାଲି ରାତିରେ ସେ ଶୁଖିଲା ରୁଟି ଦିପଟ ଖାଇଥିଲା ଯେ ଆଜିଆସି ଏତେବେଳ ହେଲାଣି ପେଟରେ ପାଣି ବ୍ୟତୀତ ଆଉ କିଛି ପଡିଲାନି । ଭାବି ଭାବି ସେ ଷ୍ଟେସନ ବାହାରକୁ ଆସିଲା ।
ଷ୍ଟେସନ ବାହାରେ ଏତେ ବଡ ବଡ ଅଟ୍ଟାଳିକା, କୋଠାବାଡ଼ି, ଗାଡିମଟର ଦେଖି ତା ଆଖି ଖୋସି ହେଇଗଲା । ଇଲୋମା ଏଠି ଏତେ ଲୋକ ! କିଏ କୁଆଡୁ ମାଡି ଆସୁଛନ୍ତି । ଗାଡି ମଟର ସବୁ ପେଁ ପାଁ କରି ମାଡିଯାଉଥାନ୍ତି । ରାସ୍ତାରେ ଚାଲୁ ଚାଲୁ ଦୁଇଥର ଧକ୍କା ହଉହଉ ବଞ୍ଚିଲା ସେ । ରାସ୍ତା ମଝିରେ ଚାଲୁଥାଏ, ସେପଟୁ ଗୋଟେ ଟ୍ରକ ଆସୁଥାଏ । ସେ ଜାଣି ନ ପାରି ଟ୍ରକ ଆଗକୁ ପଳେଇ ଆସିଲା । ତା ମୁଣ୍ଡ ବୁଲେଇ ଦଉଥାଏ । ତାକୁ କିଛି ଦେଖା ଯାଉ ନ ଥାଏ । ଆଗରୁ କଣ ଗୋଟେ ଆସିଲା ପରି ଲାଗୁଥାଏ କିନ୍ତୁ ଜାଲିଜାଲୁଆ ଦେଖା ଯାଉଥାଏ । ଏବେ କୁଆଡେ ଯିବ ସେ, କଣ କରିବ ବୋଲି କିଛି ମୁଣ୍ଡରେ ପଶୁ ନ ଥାଏ । ଭୋକରେ ପେଟ ଆଉଟୁ ପାଉଟୁ । ଚାଲୁ ଚାଲୁ ତା ହଂସା ଉଡ଼ିଗଲା ପରି ଲାଗୁଥାଏ । ହେହେହେ …. ଦୁମ… କଚାଡି ହେଇ ରାସ୍ତା ଉପରେ ପଡିଲା ସେ । ଟ୍ରକ ଡାଇଭର ବ୍ରେକମାରିଲା ବୋଲି ସେ ବଞ୍ଚିଗଲା । ପାଖରେ ଲାଲଟୁ ଭାଇ ତାରିକ୍ସାରେ ବସିକି ବିଡି ପିଉଥିଲା । କଣ ହେଲା, କଣ ହେଲା ବୋଲି ଧାଇଁ ଆସିଲା । ମୁଁହରେ ପାଣି ଛିଞ୍ଚି ଚେତାକଲା । ନାଁ ଗାଁ ପଚାରିଲା । ଓଧ କିଛି କହିଲା ନାହିଁ । ଲାଲଟୁ ଭାଇ ତା ରିକ୍ସାରେ ବସେଇ ୟାକୁ ଘରକୁ ନେଇଗଲା ।
ଘରେ ତାର ଗୋଟିଏ ବୋଲି ଭଉଣୀ, ବାପା ମା କେଉଁ ଦିନୁ ସଫା । ପୁରୁଣା ବଜ଼ାର ପାଖରେ ଘର ତିଆରି ଚାଲିଥିଲା ବେଳେ ଭୁଶୁଡି ପଡିଲା । ତା ବାପା ଆଉ ମା କାନ୍ଥତଳେ ଚାପିହେଇ ମରିଗଲେ । ଅନୁକମ୍ପା କିଛି ମିଳିଲା ସରକାରଠୁ । ସେଇପଇସାରେ ଖଣ୍ଡେ ରିକ୍ସା କରିକି ଚଳାଉ ଛିଆଉ ଏ ଝୁଁପୁଡି ଖଣ୍ଡିଏ କରିଛି ଏ ବସ୍ତିରେ । ବସ୍ତିରେ କାହାର କିଛି ଠିକଣା ନାହିଁ । କିଏ ଆସେ କିଏ ଯାଏ , କାହାର କିଛି ଯାଏ ଆସେ ନାହିଁ । ସକାଳୁ ସରକାରୀ ଶୌଚାଳୟ ଯିବାକୁ ଆଉ ସରକାରୀ ପାଇପିରୁ ପାଣିନବାକୁ ନିଈତି ଝଗଡା ହୁଏ ।
କିଏ ରିକ୍ସା ଧରି କାମକୁ ଯାଏ ତ କିଏ ମୁଲିଆ କାମ କରେ । କିଏ ଚୋରା ଦେଶୀ ମଦ ବିକେ ତ କିଏ ଦଲାଲି ଗିରି କରି ଦିପଇସା କମାଏ । କିଏ କିଏ ଅବା ଚୋରି କରନ୍ତି ଆଉ କେହି କେହି ଦେହ ଦଲାଲ ବି ଥାନ୍ତି । କିଛି କିଛି ଲୋକ ସଚୋଟ ବି ଅଛନ୍ତି କିନ୍ତୁ ସେମାନେ କେବେ ବି ମୁହଁ ଖୋଲନ୍ତି ନାହିଁ । ମୋଟାମୋଟୀ ଭାବେ ସବୁ ଲୋକ ଗରିବ । ଚା ଗୁଣ୍ଡ ଚିନି ମଗା ମଗି ଚଳେ ।
ଲାଲଟୁଭାଇର ବୟସ ୧୮ବର୍ଷ ଭଉଣୀର ୧୨ବର୍ଷ କିନ୍ତୁ ଦୁହେଁ ଦୁହିଁଙ୍କୁ ବୁଝନ୍ତି । ଲାଲଟୁଭାଇ ରିକ୍ସା ଚଳାଏ ଆଉ ଭଉଣୀ ଘରେ ରନ୍ଧା ବଢ଼ା କରେ । ଖୁସି ଖୁସିରେ ଚାଲୁଥାଏ ଘର । ଏବେ ଆଉ ଗୋଟେ ପ୍ରାଣୀକୁ ପୋଷିବାକୁ ପଡିବ । କିନ୍ତୁ ମନ ଖୁସିଥାଏ ଲାଲଟୁଭାଇର । ଛୋଟ ପିଲାଙ୍କଠାରେ ଜାତିଗତ ଭେଦଭାବ ନ ଥାଏ । ସେ ଭାବୁଥାଏ ଯେ ଯାହା ହଉ ଭଉଣୀକୁ ଆଉ ଗୋଟେ ଭାଇ ମିଳିଗଲା । ଏବେ ଦିଜଣଯାକ କାମ କରିବୁ ଆଉ ଭଉଣୀର ବାହାଘର ଖୁବ ଧୁମଧାମରେ କରିବୁ ।
କିଛିଦିନ ପରେ ଓଧ ଠିକ ହେଇଗଲା । ଖାଇପିଇ ଦେହରେ ବଳ ଆସିଲା ପରେ ଦିନେ ଲାଲଟୁଭାଇକୁ ପଚାରିଲା “ମୋ ପାଇଁ ଗୋଟେ କାମ ଖୋଜିଦିଅ । ମୁଁ ବି କାମ କରିବି । ଗୁଡ଼ିଆ ଘର ପୁଅ ମୁଁ , ସବୁକାମ କରି ପାରିବି ” । ହରିଜନ ବୋଲି ସେ ଜାଣି ଜାଣି କହିଲାନି ନ ହେଲେ ସମସ୍ତେ ବାରଣ କରିବେ, ଛୁଆଁଅଛୁଆଁ ବାରିବେ। ଲାଲଟୁଭାଇ ବି ଖୁସି ହେଇଗଲା । ସେମାନେ ବି ଗୁଡ଼ିଆ । ଦଇବର କରୁଣ ନିର୍ଦ୍ଦେଶରେ ସେମାନେ ଆଜି ତଳିତଳାନ୍ତ । ନହେଲେ ସେ କଣ ରିକ୍ସା ଚଳାଉଥାନ୍ତା । ଲାଲଟୁଭାଇ କହିଲା ତୁ କିଛି ଚିନ୍ତା କରନି ଆଗ ରିକ୍ସା ଚଲେଇବା ଶିଖିଯା ତାପରେ ମହାଜନଠୁ ଭଡାରେ ଆଣିକି ଚଳେଇବୁ । ଆଗତାକୁ ୩୦୦ଟଙ୍କା ଦେବାକୁ ପଡିବ ସେଇଟା ମୁଁ ଦେଇଦେବି , ତାପରେ ଦିନକୁ ୨୦ଟଙ୍କା ଭଡା । କିଛି ଦିନ ଭିତରେ ଓଧ ରିକ୍ସା ଚଲେଇବା ଶିଖିଗଲା ଆଉ ଆସ୍ତେ ଆସ୍ତେ ରାସ୍ତାରେ ଚଳେଇବାରେ ଲାଗିଲା ।
ରିଲା (ଲାଲଟୁରଭଉଣୀ) ଓଧକୁ ଭାଇ ଡାକିବାକୁ ମନାକଲା । ଓଧର ଦେହ ଖରାପ ଥିଲାବେଳେ ଲାଲଟୁ ଓଧ ପ୍ରତି ଟିକେ ଅଧିକା ଧ୍ୟାନ ଦେଲା ବୋଲି ରିଲା ଭାବିଲା “ମୋ ଭାଇ ମୋତେ ଏକା ଭଲ ପାଉଥିଲା, କେତେ ଗେହ୍ଲା କରୁଥିଲା, ଏ ଟୋକାଟା ଆସିଲା ପରେ ସେ ବେଶୀ ଧ୍ୟାନ ତାକୁ ଦଉଚି ମୋତେ ପଚାରୁନି । ଯା ଏଟା ମୋ ଭାଇ ନୁହେଁ , ଯିଏ ମୋଠି ଭାଗ ବସାଉଛି । ଭାଇଏବେ ମୋତେ ଖାଲି କାମ କର, କାମ କର କହୁଛି । ମୋର ଦରକାର ନାହିଁ । ମୋ ଭାଇ ଭଲ ତ ମୁଁ ଭଲ । ଏଟା ଗୋଟେ କଉଠୁ ଉଡିଆସି କି ବୁଡି ବସିଲା , ୟାକୁ କିଏ ଭାଇ କରିବ” ।
ଓଧ ଆସ୍ତେ ଆସ୍ତେ ରିକ୍ସା ଚଲେଇବା ଶିଖିବା ପରେ ବଜାରରେ ରିକ୍ସା ଲଗେଇଲା । ଲାଲଟୁ ଯେଉଁଠି ବସେ ସେଠି ବସିଲା । ଲୋକମାନେ ବି ଆସ୍ତେ ଆସ୍ତେ ତାକୁ ଆଦରିଗଲେ । ବେଳେ ବେଳେ ଲାଲଟୁ ତା ଭଡା ବି ଓଧକୁ ଦେଇଦିଏ । ଛେଉଣ୍ଡ ଛୁଆଟା କିଛି ଭଲ ପଇସା ପାଉ । ଆଗକୁ ଜୀବନ ତ ପଡିଛି । ଓଧ କିଛି କିଛି ଭଲ ପଇସା ପାଇଲା । ବେଳେବେଳେ ନିଜ ପଇସାରୁ ରିଲା ପାଇଁ ନେଲପଲିସି, କାଚ, ମାଳି ଆଦି କିଣି ଆଣେ । ରିଲା କିଛି ବି ଛୁଁଏନି । ଲାଲଟୁ ତାକୁ ବୁଝାଏ । ପୁଣି ହସି ଖେଳି ସଂସାର ଚାଲେ । ସକାଳୁ ଉଠି ଓଧ ଆଉ ଲାଲଟୁ ପଖାଳ ଖାଇ ରିକ୍ସା ନେଇ ବଜାରକୁ ଯାନ୍ତି । ଦିନବେଳେ ଖାଇବାକୁ ଆସନ୍ତି । ପୁଣି ସନ୍ଧ୍ୟା ହେଲେ ମାଲିକକୁ ଭଡାଦେଇ ସେଠି ରିକ୍ସା ରଖି ଘରକୁ ଆସନ୍ତି । ଆଗଆଗ ଛୋଟପିଲା ବୋଲି ଲୋକମାନେ ଡରୁଥିଲେ ହେଲେ ପରେ ବେଶୀ ବେଶୀ ତା ରିକ୍ସାରେ ଯିବାକୁ ଲାଗିଲେ । ତା ହାତକୁ କିଛି ପଇସା ବି ଆସିଗଲା ।
ବେଳେବେଳେ କିନ୍ତୁ ରିଲା ଆଉ ଓଧ ଝଟାପଟା କଳି କରନ୍ତି ଆଉ ଲାଲଟୁ ସବୁ ସମାଧାନ କରେ । ବେଶୀ ସମୟ ଲାଲଟୁ ଓଧ ପଟନିଏ କାରଣ ରିଲା ଜାଣିଜାଣି ଓଧ ସହ କଳିକରେ, ଓଧ ଭାଗ ବସାଉଛି ବୋଲି । ଲାଲଟୁ ସବୁ ଜାଣେ ଆଉ ଦି ଜଣଯାକୁ ବୁଝାଏ । ବେଳେବେଳେ କହେ “ତମେ ଦିଟା ମଣିଷକୁ ଟିକେ ଶାନ୍ତିରେ ରହିବାକୁ ଦବନି ! ମୁଁ ମରିଯାନ୍ତି ହେଲେ, ତମ ଦିଟାଠୁ ରକ୍ଷା ପାଇଁଯାନ୍ତି । ଭଲରେ ଭଲରେ ରହିପାରୁନା ଦିଟା ଯାକ । ଆଜିଠୁ ତମଦିଜଣଙ୍କର କଥାବାର୍ତ୍ତା ବନ୍ଦ । କେହି କାହା ସହ ମିଶିବନି”। କିନ୍ତୁ ଦି ଘଣ୍ଟା ପରେ ଯଉଟାକୁ ସେଇଟା । ଦିଟା ଯାକ ହସଖେଳରେ ମାତିଯିବେ ।
ଆସ୍ତେଆସ୍ତେ ରିଲା ଆଉ ଓଧ କେବେ ଯେ ସାଙ୍ଗ ହେଇଗଲେ ଜଣା ପଡିଲାନି । ସାଙ୍ଗସାଙ୍ଗରେ ଚିଡ଼ା ଚିଡି ହଅନ୍ତି ପୁଣି ମିଶନ୍ତି । ଲାଲଟୁ ଖୁସି ପାଏ । ଭାବେ ଏଇ ଦିଟା ଯଦି ଏମିତି ହସିଖେଳି ରହିବେ, ଭଲ । ସେ ରିଲାର ବାହାଘରର ସ୍ୱପ୍ନ ଦେଖେ । ତା ଭଉଣୀ ପାଇଁ ସେ ସବୁଠୁ ଭଲପ୍ରସ୍ତାବ ଆଣିବ । ତାକୁ ଭଲଘରେ ବିଭାଦବ । ଝିଅ ବିଦାବେଳେ ସେ ଏମିତି ଜିନିଷ ଦବ ଯେ ଦେଖିଲା ଲୋକ ଟେରା ହେଇଯିବ । ଏବେଠୁ ତ ତା’ପାଇଁ ବାହାଘର ପ୍ରସ୍ତାବ ଆସିଲାଣି କିନ୍ତୁ ନା’ ସେ ବଡହଉ । ୧୮ବର୍ଷ ପରେ ଯାଇ ତାକୁ ବାହା କରିବ । ଏବେ ତ ତା’ର ଖେଳିବା ବୁଲିବା ବୟସ । ବାପା, ମା ନାହାନ୍ତି ମୁଣ୍ଡରୁ ଚିନ୍ତା ଯିବ ବୋଲି କଣ ନାବାଳିକା ଭଉଣୀକୁ ବିଭା କରେଇଦବ । ନା ନା ସେମିତି ହେଇ ପାରିବନି ।
ରିଲା ଆଉ ଓଧର ବୟସ ବଢିବା ସାଙ୍ଗେସାଙ୍ଗେ ଯୌବନ ବି ବଢିବଢି ଚାଲିଥାଏ । ଯୌବନ ଆସିଲେ ମନ ଭିତରେ କଣ ଗୋଟେ କୁତୁକୁତୁ କରେ । ପ୍ରେମ କରିବାକୁ ଇଚ୍ଛା ହୁଏ । ମନ ଚାହେଁ ସାଥିଟିଏ । ଯାହାସହ ସେ ସବୁ ଦୁଃଖ ସୁଖ ବାଣ୍ଟି ପାରିବ । ମନ ଖୋଲା କଥା ହେଇପାରିବ, ଯେଉଁ କଥା କି କେବେସରିବନି । ଅନିର୍ଦ୍ଦିଷ୍ଟ କାଳଯାଏ ଚାଲିଥିବ । ସବୁ ପ୍ରେମିକ-ପ୍ରେମିକା ଏହିପରି, ସେମାନେ ଚାହାନ୍ତି ରାତି କେବେବି ନସରୁ । ମୋବାଇଲରୁ ବାଲାନ୍ସ କେବେ ବି ନସରୁ । ସମୟ ଏଇଠିହିଁ ଅଟକି ଯାଉ । ସେମାନେ ସ୍ୱପ୍ନ ରାଇଜରେ ଉଡିବୁଲନ୍ତି । ସ୍ୱପ୍ନରେ କେତେ କଥା ଯେ ଭାବିଯାନ୍ତି ତା’ର କିଛି ଥଳକୁଳ ନଥାଏ । ଆଉ ଯଦି ସେମାନେ ଏକାଠି କେଉଁଠି ପାର୍କରେ ଅଥବା ସାଙ୍ଗ ମେଳରେ କଲେଜରେ ଦେଖା ହେଇଗଲେ ତ କଥା ସରିଲା । ଆଖିରେ ଆଖିରେ ସବୁ କଥା ସେମାନେ କଥା ହୋଇ ପାରନ୍ତି । ବିନା ବାକ୍ୟବ୍ୟୟରେ ସେମାନେ ମନ କଥା ଜାଣିପାରନ୍ତି ଆଉ ଦୁନିଆଁର କେଉଁ ଏକ ଅଲଗା ଜାଗାରେ ପହଁଚି ଯାନ୍ତି ଯେଉଁଠି ନା ଥାଏ କାହାର ଆକଟ ନା ଥାଏ କାହାର କଟକଣା । ପ୍ରେମିକାର ଗୋଟିଏ ଚାହାଣି ହିଁ ପ୍ରେମିକ ପାଇଁ ଯଥେଷ୍ଟ । ଆଖିରେ ଆଖିଏ ସ୍ୱପ୍ନ । ସେମାନେ ଖାଇବାପିଇବା ବି ଭୁଲିଯାନ୍ତି ।
ରିଲା ଆଉ ଓଧ ବି କେତେବେଳେ ଯେ ପ୍ରେମରେ ପଡିଗଲେ ସେମାନେ ବି ଜାଣି ପାରିଲେନି । ରିଲାର ଟଣାଟଣା ଆଖି , ତା’ର ବାଙ୍କ ଚାହାଣି, ତା’ର ହାବଭାବ ଏବେ ଓଧକୁ ପାଗଳ କରିଦିଏ । ରିଲାର କଥାରୁ ମହୁ ଝରେ । ଆଉ ଯଦି ରିଲା କେବେ ଗେହ୍ଲଇ ହୋଇ ଓଧକୁ କିଛି କହେ ତ, ଓଧ ରାତି ସାରା ଶୋଇ ପାରେନି । ରିଲା ଏଣିକି ଆହୁରି ଆହୁରି ଭଲ ଲାଗେ ଓଧକୁ, କିନ୍ତୁ ଓଧ ନିଜକୁ ସମ୍ଭାଳି ନିଏ । ରିଲାକୁ କିଛି ବି କହିପାରେନି । ଠିକ ସେମିତି ଓଧର ପୁରୁଷ ଚେହେରା, ବଳିଷ୍ଠ ବାହୁ ଆଉ ୩୬ଇଞ୍ଚର ଛାତି ବି ରିଲାକୁ ବାଇଆ କରିଦିଏ । ଓଧର କଥା ତାକୁ ମତୁଆଲା କରେ । ରିଲା ଯାହା କହିଲେ ଓଧ ତା’ର ସବୁ କାମ କରିଦିଏ । ଓଧକୁ ଦେଖିଲେ ରିଲାକୁ ଲାଜ ଲାଗେ । ସେ ଲୁଚିକି ବାରିପଟକୁ ପଳାଏ । ଭାଇଥିଲେ ସେ ନାଚାର । ନା ଲାଜକୁ ମୁହଁରେ ଦେଖାଏ ନା କିଛି କହେ । ଚୁପଚାପ ଖାଇବା ବାଢିଦେଇ ଆର ଘରକୁ ପଳାଏ ।
ସେଦିନ ଥାଏ ଫେବୃଆରୀ ୧୪ତାରିଖ । ସହରରେ ଟୋକାଟୋକି ସବୁ ଭାଲେଣ୍ଟାଇନ ଡେ ପାଳନକରୁଥାନ୍ତି । ଓଧର ସାଙ୍ଗ ରିକ୍ସା ବାଲା କହିଲା “ଆଜି ଭଲ ବେପାର ହବ, ଟୋକାଟୋକି ସବୁ ଆଜି ପାର୍କକୁ ଆସିବେ । ଚାଲ ପାର୍କ ପାଖରେ ଠିଆ ହବା ” ।
ଓଧ ପଚାରିଲା — ଆଜି କଣ କି ?
ସାଙ୍ଗ — ଆଜି ଫେବୃଆରୀ୧୪ , ଆଜି କୁଆଡେ ଟୋକାଟୋକି ସବୁ ନିଜନିଜ ଭିତରେ କାର୍ଡ ଆଉ ଗିଫ୍ଟ ଦିଆନିଆ ହୁଅନ୍ତି ।
ଓଧ — କଣ କିଛି ପେସାଲ ଆଜି ?
ସାଙ୍ଗ — ହଁ ! ଆଜି କୁଆଡେ ଟୋକାମାନେ ଟୋକିମାନଙ୍କୁ ସେମାନଙ୍କ ମନ କଥା କୁହନ୍ତି, ଆଉ ଟୋକିମାନେ ବି କୁଆଡେ ରାଜି ହେଇ ଯାନ୍ତି । କେହି ବି ମନା କରନ୍ତି ନାହିଁ ।
ଓଧ କିଛି ସମୟ କ’ଣ ସବୁ ଭାବିଲା । ଆଉ କହିଲା ତୁ ଯା, ମୁଁ ଟିକେ ପରେ ଆସୁଛି ।
ଲାଲଟୁ ଭାଇତ ରିକ୍ସା ଉପରେ ବସି ଚିରାଚରିତ ଢଙ୍ଗରେ ବିଡି ପିଉଥାଏ । ଓଧ ତ ପାଖକୁ ଯାଇ ଗୋଟେ ବିଡି ଆଣିଲା ଆଉ କହିଲା ମୁଁ ପୋଖରୀଆଡେ ଯାଇ କି ଆସୁଛି, ପେଟଟା କାଇଁ ମୋଡି ହଉଚି ।
ଓଧ ସିଧା ଆସି ରିଲା ପାଖେ ହାଜର । ଆଉ କଣ କହିବ କହିବ ଚିନ୍ତା କଲା ପୂର୍ବରୁ ରିଲା ଟିକେ ଲାଜେଇ ଗଲା ଆଉ ଆଶ୍ଚର୍ଯ୍ୟ ହୋଇ କହିଲା, ମୁଁ ଏବେଯାଏ ଭାତ ବସେଇନି, ଏତେ ଶୀଘ୍ର କଣ ଚାଲି ଆସିଲ ।
ଚାଲି ଆସିଲ ? ତୁ ରୁ ତମେ ବୋଲି ଶୁଣି ଓଧ ଟିକେ ସମୟ ରହିଗଲା, ମନ ତା’ର ଖୁସିରେ ଗଦଗଦ ହୋଇଗଲା । କିନ୍ତୁ ବାହାରକୁ ନ ଦେଖେଇ ସେ କହିଲା, “ମୁଁ ଏକା ଆସିଛି” ।
ରିଲା କହିଲା — ହଁ ମୁଁ ତମକୁ ହିଁ କହୁଛି ।
ବାସ, ଏବେ ଓଧର ମନ ଗଗନରେ ଉଡିବାକୁ ଲାଗିଲା । ସେ କ’ଣ କହିବ, କେମିତି କହିବ ଆଉ ଆରମ୍ଭ କେଉଁଠୁ କରିବ ଭାବୁ ଭାବୁ, ତା ଭାବନାରେ ପୂର୍ଣ୍ଣଛେଦ ପକାଇ ରିଲା ପଚାରିଲା, “କ’ଣ କିଛି କହିବ” ?
ଓଧ — ତୁ ଜାଣିଚୁ ଆଜି କ’ଣ?
ରିଲା – ନାଁ ।
ଓଧ — ଆଜି ଫେବୃଆରୀ ୧୪ତାରିଖ ।
ରିଲା – କଣ ହେଲା ସେଇଠୁ?
ଓଧ — ଆଜି ବେପାର ଭଲହବ ।
ରିଲା – କଣପାଇଁ, ଆଜି କଣ ନେତା ଆସୁଛନ୍ତି କି ?
ଓଧ — ତୁ ବୋକୀଟା କିଛି ବି ଜାଣିନୁ । ଆଜି ଭାଲୁଟଣାଟଣିଡେ । (ଭାଲେଣ୍ଟାଇନଟା ପାଟିରେ ପଶିଲାନି)
ରିଲା – ଭାଲୁ କଣଜଙ୍ଗଲରୁ ଆସିବ ।
ଓଧ — ହେତ, ଭାଲୁଟଣାଟଣିଡେରେ ପୁଅମାନେ ସବୁ ଝିଅମାନଙ୍କୁ ତାଙ୍କ ମନ କଥା କୁହନ୍ତି ।
ରିଲା – ମୁଁ ଜାଣିଚି ତମ ମନ କଥା କଣ ।
(ଓଧ ପୁଣି ଭାବନା ରାଇଜରେ ବିତରଣ କଲା । ଭାବିଲା ରିଲା ବି ତାହେଲେ ମୋତେ ଭଲପାଏ । ତେବେ ତ ଆଉ କିଛି ବି ଅସୁବିଧା ନାହିଁ । କହିବ କହିବ ହେଇ ପୁଣି ଭାବିଲା, ଏବେ ରିଲାକୁ ପରୀକ୍ଷା କରାଯାଉ । ସେ କଣ ଜାଣିଚି ମୋ ମନ କଥା ବଳେ ଜଣା ପଡିଯିବନି। )
ଓଧ — କ’ଣ ମୋ ମନ କଥା ଜାଣିଚୁ କହିଲୁ ?
ରିଲା – ମୁଁ ଜାଣିଚି ଆଜି ବୁଧବାର । ଭାଇ ଆଜି ପୁଟା, ଲିଭର ଆଉ କରାଟ ନେଇକି ଆସିବ ସନ୍ଧ୍ୟାରେ । ଭଲକରି ରାନ୍ଧିବି, ଏଇଆ କହୁଚ ତ ?
(ଓଧ, ମନେମନେ କହିଲା ଧେତ, ଏଟା ଖମ୍ବଆଳୁ ବୁଝୁଛି । ମଣିଷ କ’ଣ କହିବାକୁ ଆସିଥିଲା, ଏଠି ଆସି ଭାଲୁ ,କୁକୁଡ଼ା ପୁଟା ଦେଖୁଚି । ଛେତ । ମୋତେ ହିଁ କହିବାକୁ ପଡିବ । )
ଓଧ – ଆରେ ସେଟା ତ ଠିକ ଯେ !କିନ୍ତୁ ମୁଁ ..ମୁଁ .. ପାଣି ପିଇବାକୁ ଆସିଥିଲି । (କଥାଟା ତା ତଣ୍ଟି ପାଖରେ ଅଟକି ଗଲା । ଭାବିଲା ଯଦି ରିଲା ନା କହେ ଆଉ ଲାଲଟୁଭାଇକୁ କହିଦିଏ ,ତେବେ ?)
କିନ୍ତୁ ପର ମୁହୂର୍ତ୍ତରେ ଚିନ୍ତାକଲା ଯେ – ଯଦି ନ କହେ ତେବେ ତ, ନାଁ ଏକୂଳକୁ ହବ ନାଁ ସେ କୂଳକୁ । ଛାତି ତାର ଧକଧକ ହେଉଥାଏ । ଧମନୀରେ ରକ୍ତଗୁଡା ୧୦୦ସ୍ପିଡ଼ରେ ଦଉଡୁ ଥାନ୍ତି, ମୁଣ୍ଡ ଟାଇଁଟାଇଁ କରୁଥାଏ ଆଉ ତଣ୍ଟିକୁ କିଏ ଯେମିତି ଚିପି ଧରିଥାଏ । ଚାଲଚାଲ ହେଇ ସେ ଓକାଳି ପକେଇଲା — ରିଲା, ମୁଁ ତୋତେ ଭଲପାଏ ।
ରିଲା ହାତରୁ ଡାଲିଚଟୁଟା ଖସିପଡିଲା, ସେ ଆବାକାବା ହେଇ ଓଧ ମୁହଁକୁ ଚାହିଁଲା ।
ଓଧ ଦେହରୁ ଝାଳ ବାହାରି ଗଲା । ସେ ଭାବି ପାରିଲାନି ରିଲା ଏବେ କଣ କରିବ ! ବଡ ପାଟିରେ କାନ୍ଦିବ, ନାଁ ସାଇଭାଇଙ୍କୁ ଡାକ ପକେଇବ, ନାଁ ତଳୁ ଡାଲିଚଟୁଟା ଉଠେଇକି ତା ଆଡକୁ ଫିଙ୍ଗିବ, ନାଁ ଦୌଡ଼ି ଆସି ତା ଗାଲରେ ଢ଼ୋ କରି ଗୋଟେ ଚଟକଣା ମାରିବ ।
ନାଁ, ସେମିତି କିଛି ହେଲାନି । ରିଲା ଧାଇଁ ଆସି ଓଧକୁ କୁଣ୍ଢେଇ ପକେଇଲା ଆଉ କହିଲା ଏତିକି ଟିକେ କଥା ଶୁଣିବା ପାଇଁ ମୁଁ ବର୍ଷେ ହେଲା ଅପେକ୍ଷା କରିଛି, ତମେ କ’ଣ କିଛି ବି ଜାଣି ପାରୁ ନ ଥିଲ?
ଓଧ ଦେହରେ ଜୀବନ ପଶିଲା । ସେ ବାଉଳାରେ ଭାତ ପାଇଁ ରଖା ହେଇଥିବା ଉଷୁମପାଣି ଅଧକଂସେ ପିଇ ପକେଇଲା ଆଉ ଖରାପ ସ୍ୱପ୍ନ ଦେଖିକି ବିଳିବିଳେଇ ହେଲା ପରି ବାହାରକୁ ଧାଇଁ ଯାଉଯାଉ କହିଲା, “ଘଣ୍ଟେ ପରେ ପୁଣି ଆସିବି” ।
ଘରୁ ବାହାରି ଆସି ସେ ନଳ କୂପରେ ମୁହଁ ଧୋଇଲା । କାନ୍ଧରୁ ଗାମୁଛା କାଢି ମୁହଁ ଆଉ ଝାଳ ପୋଛିଲା । ଛାତି ତାର ଧକଧକ ହେଉଥାଏ । ଛାତିଟା ଚିରିଦେଲେ ଯେମିତି ଭିତରୁ କଣ ଗୋଟେ ବାହାରି ଦୌଡ଼ିଦୌଡ଼ି ପଳେଇବ । ନଳକୂପ ପାଖ ମାଙ୍କଡ଼ା ପଥର ଉପରେ ସେ ବସି ପଡିଲା । ସେ ଦିନ ଷ୍ଟେସନରେ ଭୋକରେ ଝୋଲା ମାରିଲା ବେଳକୁ ବି ତାକୁ ଏମିତି ଲାଗି ନ ଥିଲା ଯେମିତି ତାକୁ ଆଜି ଲାଗୁଥିଲା । ସେ ଜାଣି ପାରୁନଥିଲା କଣ ହଉଚି । ଘଡି କି ଘଡି ତା’ ତଣ୍ଟି ଶୁଖି ଯାଉଥାଏ । ପାକେଟରୁ ବିଡି ବାହାର କଲା । ଦିଆସିଲି ଲଗେଇଲା ବେଳକୁ ଦେଖିଲା ତା ହାତ ଥରୁଛି । ଖାଲି ହାତ ନୁହେଁ ଏବେ ଏବେ ଗୋଡ ଆଉ ଦେହକୁ ବି ଦେଖିଲା, ତା’ର ପୁରା ଦେହ ଥରୁ ଥିଲା । ଖରାଦିନେ କୁକୁର ନାଳ ପାଣିରେ ଶୋଇ ଜିଭ କାଢି ଧକେଇ ହେଲା ପରି ସେ ଧକେଇ ହଉଥିଲା ।
ରିଲା ପାଖରୁ ଓଧ ଚାଲିଗଲା ପରେ ରିଲା ମସଲା ବଟା ଶିଳ ଉପରେ ବସି ପଡିଲା । ମନ ପୁରା ଦମରେ ଖୁସି ଥିଲେ ବି ସେ ହସି ପାରୁ ନଥିଲା । କାନ୍ଦ କାନ୍ଦ ହେଇ ଯାଇଥିଲା । ଏତେ ଦିନ ହେଲା ସେ ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରିଥିଲା, ସେ ସମୟ ଆଉ ଘଟଣା ଆଜି ଘଟି ସାରିଥିଲା । ତା ଆଖିରୁ ଲୁହ ବୋହି ଯାଉଥିଲା କିନ୍ତୁ ଏ ଲୁହ ଦୁଃଖ ର ନଥିଲା, ଥିଲା ଖୁସିର । ସେ ଭାବି ଚାଲିଥିଲା ଓଧ ଘରକୁ ଆସିବ ଦିନ ଠାରୁ ଆଜି ଯାଏ କଣ କଣ ସବୁ ଘଟି ଯାଇଛି । ଏଇ ଘରେ ଯଦି ଓଧକୁ ସେ ଭାଇ ଡାକିଥାନ୍ତା ତେବେ ଆଜି ଏସବୁ ହେଇ ନଥାନ୍ତା । ଏଟା ଭଗବାନଙ୍କ ଆଶୀର୍ବାଦ ନୁହେଁ ତ ଆଉ କ’ଣ ।
ଏତେ ସବୁ କଥା ଭିତରେ ଭାତ ପୋଡି ସାରିଥିଲା, କିନ୍ତୁ ଧ୍ୟାନ ନଥିଲା ରିଲା ର । ପଡ଼ିଶା ଘର ମାଉସୀ ଡ଼ାକିଲାରୁ ତା ଧ୍ୟାନ ଭାଙ୍ଗିଲା । ସେ ଉଠି ଯାଉ ଯାଉ ତା ଗୋଡ ମୋଡି ହେଇ ଗଲା ଆଉ ସେ ପଡିଗଲା । ଉଠି ପଡି ଗୋଟେ ଛୋଟ ମୁଚୁକୁନ୍ଦ ମାରି ସେ ପୁଣି ଥରେ ଭାତ ବସେଇବାକୁ ଗଲା ବେଳେ ଦେଖିଲା ଆଉ ଚାଉଳ ନାହିଁ । କଣ କରିବ ଏବେ ? ଭାଇ ଆସି ଖାଇବାକୁ ମାଗିଲେ କ’ଣ ଦେବ ? ପୁଣି ଥରେ ସେ କାନ୍ଦ କାନ୍ଦ ହେଇଗଲା । ନିଜ ବୋକାମୀ ଉପରେ ତାକୁ ରାଗ ଲାଗୁଥିଲା । କ’ଣ କରିବ କ’ଣ କରିବ ଭାବି ଭାବି ସେ ନିଧି ଦୋକାନକୁ ଗଲା ଚାଉଳ ଆଣିବା ପାଇଁ ।
ଓଧ ଗଲା ପରେ, ଲାଲଟୁକୁ ଗୋଟେ ଭଡା ମିଳିଗଲା । ସେ ଭଡା ନେଇ ଯାଇଥିଲା ଆଉ ଫେରି ଆସି ଦେଖେ ତ ଓଧ ଏବେ ଯାଏ ଆସିନି । ଓଧକୁ ଖୋଜିବା ପାଇଁ ସେ ପୋଖରୀ ଆଡେ ଆସିଲା । ବାଟରେ ଓଧ ନଳକୂଅ ପାଖରେ ବସିଥିବାର ଦେଖି ତାକୁ ପଚାରିଲା କଣ ହେଲା କିରେ? ପାଖକୁ ଆସି ଦେଖିଲା ଓଧ ଝାଳ ନାଳ ହେଇ ଯାଇଛି ଆଉ ଧଇଁସଇଁ ହେଉଛି । ଓଧ ତାକୁ ବାଆଁରେଇ ଦେଲା କହିଲା କୁକୁର ତଡି଼ଲା ବୋଲି ଧାଇଁ ଧାଇଁ ଆସୁଥିଲା ସେଥିପାଇଁ ଏ ଅବସ୍ଥା । ଦି ଜଣ ଯାକ ସାଙ୍ଗ ହେଇ କି ରିକ୍ସା ପାଖକୁ ଗଲେ । ଲାଲଟୁ ଭାଇ କାଳେ କ’ଣ ସନ୍ଦେହ କରିବ ସେଥିପାଇଁ ଓଧ ରିକ୍ସା ନେଇ ପାର୍କ ପାଖକୁ ପଳେଇଲା । ପାର୍କ ପାଖରେ ବସି ଭଡାକୁ ଅପେକ୍ଷା କଲା । ତାକୁ କିଛି ଭଡା ବି ମିଳିଗଲା ଆଉ ଆଜି ବେପାର ତାର ଜୋର ହେଲା । ଦିନ ବେଳେ ଓଧ ଖାଇବା ପାଇଁ ଆସିଲା ନାହିଁ । ତାକୁ ଆଜି ଭୋକ ହଉ ନଥିଲା । ଭଡା ବି ୩, ୪ ଟା ମିଳିଗଲା । ଲାଲଟୁ ଘରକୁ ଯାଇ ଖାଇ ଦେଇ ଆସିଲା, ଭାବିଲା ଓଧ ଭଡା ନେଇ କୁଆଡେ ଯାଇଥିବ, ଆସିଲେ ସେ ତାର ଯିବ । କିନ୍ତୁ ଓଧ କୁ ନାଁ ଭୋକ ଥିଲା ନାଁ ମନ ନିଜ ଅଧୀନରେ ଥିଲା । ବେପାର ବି ଆଜି ଭଲ ହଉଥିଲା । ସେ ଭାବିନେଲା ଯେ ରିଲା ତା ପାଇଁ ଲକ୍ଷ୍ମୀ । ନହେଲେ ଏତେ କମ ସମୟରେ ଏତେ ଭଡା ତା ଭାଗ୍ୟ ରେ କେବେ ବି ଜୁଟି ନଥିଲା । ଆଉ ଗ୍ରାହକ ମାନେ ବି ଆଜି ତାକୁ ଦି ପଇସା ଅଧିକା ଦେଉଥିଲେ ।
ଫାଙ୍କା ସମୟରେ ସେ ରିଲା କଥା ଭାବୁଥିଲା ଆଉ ତାକୁ ସବୁଆଡେ ରିଲା, ରିଲା ହିଁ ଦେଖା ଯାଉଥିଲା । ଏବେ ସେ ବୁଝୁଥିଲା ଯେ ପ୍ରେମ ହେଲେ କଣ ହୁଏ ? ମନ ଖୁସି ରେ ଉଛୁଳୁ ଥିଲା । ସେ ଦି ପାକିଟି ବିଡି ପିଇ ସାରିଥିଲା । ଆଜି ଟିକେ ଦେଶୀ କି ହାଣ୍ଡିଆ ପିଇବାକୁ ଇଚ୍ଛା ହଉଥିଲା କିନ୍ତୁ କାଳେ ରିଲା ରାଗିବ ବୋଲି ମନକୁ ନିୟନ୍ତ୍ରଣରେ ରଖୁଥିଲା । ନିଜ ପ୍ରେମ କୁ ପାଇବାର ପ୍ରଥମ ଦିନରେ ତାକୁ ରଗେଇବାକୁ ସେ ଚାହୁଁ ନଥିଲା ।
ରିଲା ଚାଉଳ ଆଣି ଶୀଘ୍ର ଶୀଘ୍ର ଭାତ ବସେଇଲା । ଭାଇ ଆସି ଖାଇ କି ଯାଇସାରିଲା ପରେ ସେ ଓଧ ର ଆସିବା ବାଟକୁ ଚାହିଁ ରହିଲା । ତାକୁ ଆଜି ନାଁ ଭୋକ ଥିଲା ନାଁ ଶୋଷ । ସେ ତ ପ୍ରେମର ନଦୀ ରେ ଉବୁଟୁବୁ ହଉଥିଲା । ତା ସ୍ୱପ୍ନ ଆଜି ସତ ହୋଇଛି । ଏତେ ଦିନ ଅପେକ୍ଷା ପରେ ଓଧ ତା ମନ କଥା ବୁଝି ପାରିଛି । ଓଧ ର ଛାଟିପିଟି ହୋଇ ପଲେଇବା କଥା ଭାବି କି ସେ ହସ ରୋକି ପାରୁ ନଥିଲା । କିନ୍ତୁ ବେଳ ତିନି ଘଡି ଗଡି ଯିବା ପରେ ସେ ଚିନ୍ତାରେ ପଡିଗଲା । ଆଜି ଓଧ ଖାଇବାକୁ ଆସିଲାନି କ’ଣ ପାଇଁ । ସେ ମୋତେ ମିଛ କହୁ ନଥିଲା ତ’ ? ରିଲା ଚାଲି ଚାଲି ଓଧ କୁ ଖୋଜିବାକୁ ବାହାରିଲା । ବାଟରେ କିଛି ଚିହ୍ନା ଲୋକଙ୍କୁ ପଚାରି ଜାଣିଲା ଓଧ ପାର୍କ ପାଖରେ ଅଛି । ସେ ପାର୍କ ପାଖକୁ ଯାଇ ଦୂରରୁ ଓଧକୁ ଦେଖିଲା । ଓଧ ସେତେବେଳେ ରିକ୍ସା ଉପରେ ଶୋଇ ଥକ୍କା ମାରୁ ଥାଏ ଆଉ କ’ଣ କ’ଣ ସବୁ ଭାବୁଥାଏ । ରିଲା ଲୁଚି ଲୁଚି ଓଧକୁ ବହୁତ ସମୟ ଯାଏ ଦେଖିଲା ଆଉ ମନେ ମନେ କୁରୁଳି ଉଠିଲା । କିଛି ସମୟ ପରେ ସେ ଘରକୁ ପଳେଇ ଆସିଲା ଆଉ ଶୋଇ ଶୋଇ କଣ ସବୁ ଚିନ୍ତା କଲା ।
ସନ୍ଧ୍ୟା ସୁଦ୍ଧା ଓଧ ଆଉ ଲାଲଟୁ ସବୁଦିନ ଅପେକ୍ଷା ଅଧିକା ପଇସା ପାଇଥିଲେ । ମହାଜନ ଘରେ ରିକ୍ସା ଛାଡି ଫେରିଲା ବେଳକୁ ଓଧ କହିଲା, “ଲାଲଟୁ ଭାଇ ଆଜି ଟିକେ ଖାସି ମାଂସ ନେଇ କି ଯିବା, ଆଜି ବେପାର ଜୋର ହେଇଚି ଆଉ ଏମିତି ବି ବହୁତ ଦିନ ତଳେ ଖାସି ମାଂସ ଖାଇ ଥିଲେ ” । ଲାଲଟୁ ଆଉ ଓଧ ଖାସି ମାଂସ ନେଇକି ଆସିଲେ । ଓଧ ଆଉ ରିଲା ଆଖିରେ ଆଖିରେ ଇସାରା କରି ଖୁସି ହଉଥିଲେ ଯେ ଆଜି ଖାସି କଣ ପାଇଁ ଆସିଛି । ଲାଲଟୁ କୁ କିନ୍ତୁ କିଛି ବି ଜଣା ନଥିଲା । ଲାଲଟୁ ଗାଁ ବୁଲିବାକୁ ପଳେଇଲା ପରେ ରିଲା ଓଧକୁ କଣେଇ କଣେଇ ଚାହିଁଲା ଆଉ ଗୋଟେ ବୋତଲ ହାଣ୍ଡିଆ ବଢ଼େଇ ଦେଲା । ଏମିତି ରେ ହାଣ୍ଡିଆ ପିଇଲେ ରିଲା ଚିଡ଼େ କିନ୍ତୁ ଆଜିର ଏଇ ଖୁସି ର ମୁହୂର୍ତ୍ତରେ ସେ ଜାଣିଥିଲା ଯେ ଓଧର ଟିକେ ପିଇବାକୁ ଇଚ୍ଛା ହଉଥିବ ଆଉ ସେ ଓଧର ଖୁସି ରେ ବାଧା ଦେବାପାଇଁ ଚାହୁଁ ନଥିଲା । ଆଉ ଦିଟା ବୋତଲ ବଢ଼େଇ ଦେଇ ସେ ଓଧ କୁ କହିଲା, “ଯା.. ତୋ ସାଙ୍ଗ ମାନଙ୍କୁ ଆଜି ପାର୍ଟି ଦେଇ ଦେ “। ଓଧ ଟିକେ ଆଶ୍ଚର୍ଯ୍ୟ ହୋଇ ରିଲା କୁ ଚାହିଁଲା ଆଉ ତାକୁ ଆଖି ମାରିଦେଇ ବାହାରିଗଲା ।
ରାତିରେ ଭାତ ଆଉ ଖାସି ମାଂସ ଖାଇସାରି ଲାଲଟୁ ଆଉ ଓଧ ବାହାରେ ଶୋଇବାକୁ ଚାଲିଗଲେ । ରିଲା ଘରର କବାଟ ବନ୍ଦ କରି ଶୋଇବାକୁ ଆସିଲା । ହେଲେ ପ୍ରଥମ ପ୍ରେମର ରଙ୍ଗ ଯେତେବେଳେ ଲାଗିଛି ନାଁ ରିଲାକୁ ନିଦ ଆସିଲା ନାଁ ଓଧ କୁ । ଦି ଜଣ ଯାକ ଶୋଇ ଶୋଇ ସ୍ୱପ୍ନ ରେ ଭାସିବାକୁ ଲାଗିଲେ । ସ୍ୱପ୍ନ ମାନେ ଆସି ଧସେଇ ପଶିଲେ ଆଉ କେତେ ଯେ କୁଆଡେ ଲୁଚି ଛପି ଗଲେ ଜଣା ନାହିଁ । ଗୋଟେ ସ୍ୱପ୍ନ ନ ସରୁଣୁ ଆଉ ଗୋଟେ ଆସି ମନର ଭାବନାରେ ପଶି ଯାଉଥାଏ ।
ସ୍ୱପ୍ନ, ମନର ଏକ ଆଭ୍ୟନ୍ତରୀଣ ଭାବନା, ଏଠି କେତେ ଯେ ଚରିତ୍ର ଗଢା ହୁଏ ଆଉ କେତେ ଯେ ଚରିତ୍ର ଭାଙ୍ଗି ଯାଏ । ଏଠି ଚରିତ୍ର ମାନେ ଲୀଳା ଖେଳା କରନ୍ତି ଆଉ ସମୟ ଆସିଲେ ବାହୁଡ଼ି ଯାନ୍ତି । କିଛି କିଛି ଚରିତ୍ରତ ସେମାନଙ୍କର ଆସିବା ଆଉ ଯିବାର ନିର୍ଣ୍ଣୟ ନିଜେ ହିଁ କରନ୍ତି । କିଛି ଲୋକ ରାତିରେ ଶୋଇ ସ୍ୱପ୍ନ ଦେଖନ୍ତି ଆଉ କେତେ ଲୋକ ଦିନ ବେଳେ ଆଖି ଖୋଲା ରଖି ସ୍ୱପ୍ନ ଦେଖନ୍ତି । ରାତିର ସ୍ୱପ୍ନ ସତ ହୁଏ ନାହିଁ । ସେଠି ଚରିତ୍ର ମାନେ କିଏ କୁଆଡୁ ଆସି କୁଆଡେ ଯାଆନ୍ତି ଜଣା ନଥାଏ କିନ୍ତୁ ଯେଉଁ ମାନେ ଦିନରେ ଆଖି ଖୋଲା କରି ସ୍ୱପ୍ନ ଦେଖନ୍ତି ସେମାନେ ସ୍ୱପ୍ନ ସତ କରିବାରେ ଲାଗି ଯାଆନ୍ତି । ଦିନ ବେଳେ ଆଖି ଖୋଲା ଥିଲା ବେଳେ ଯେଉଁ ସ୍ୱପ୍ନ ଦେଖା ଯାଏ, ସେଥିରେ ଜଣା ଥାଏ ତୁମ ନିଜର ପରିପାର୍ଶ୍ଵିକ ଅବସ୍ଥା, ନିଜର ସ୍ଥିତି, ନିଜର ଦୈନଦିନ ଜୀବନ ଆଉ ନିଜର ଷ୍ଟେଟସ । କଥା କଥା ରେ କୁହା ଯାଏ ଯେ ଦିବାସ୍ୱପ୍ନ ମାନେ ମିଛସ୍ୱପ୍ନ କିନ୍ତୁ ଦିବାସ୍ୱପ୍ନ ମାନେ ହିଁ ସତ ହବାର କ୍ଷମତା ରଖନ୍ତି ।
ଏମିତି ଏମିତି ର ବିତି ଯାଏ ୬ ବର୍ଷ । ଏଇ ୬ ବର୍ଷ ଭିତରେ ଓଧ ଯେ ରିଲାକୁ ଭଲ ପାଇ ବସିଛି ଆଉ ରିଲା ବି ଓଧକୁ ଭଲ ପାଉଛି, ଏ କଥା ଲାଲଟୁକୁ ଜଣା ନଥିଲା । ଲାଲଟୁତ ସେମାନଙ୍କୁ ଭାଇ ଓ ଭଉଣୀ ବୋଲି ଭାବୁଥିଲା । ଦିନ ବେଳେ ଓଧ ବେଳେ ବେଳେ ରିକ୍ସା ଛାଡି କୁଆଡେ ପଳାଏ । ଲାଲଟୁ ଭାବେ ହଁ ଏଠି କଉଠି ଥିବ କିନ୍ତୁ ସେ କେବେ ବି ଭାବି ନଥିଲା ଯେ ଓଧ ରିକ୍ସା ଛାଡି ଘରକୁ ଆସେ ଆଉ ରିଲା ସହ କିଛି ସମୟ ବିତେଇଲା ପରେ ପୁଣି ଯାଏ । ଦିନେ ଲାଲଟୁକୁ ଭୋକ ଲାଗିବାରୁ ସେ ଓଧକୁ ଖୋଜିଲା ଖାଇବା ପାଇଁ ଘରକୁ ଯିବାକୁ । ହେଲେ ପାଇଲାନି ଆଉ ଏକା ଏକା ଘର ମୁହଁ ହେଲା । ଘରେ ପହଞ୍ଚି ଦେଖେ ତ ଓଧ ଘରେ ଅଛି ଆଉ ଲାଲଟୁର ପ୍ରଶ୍ନର ବି ଠିକ ସେ ଉତ୍ତର ବି ଦେଲାନି । ଲାଲଟୁର କାହିଁକି ଟିକେ ସନ୍ଦେହ ହେଲା କିନ୍ତୁ ସେ କିଛି କହିଲାନି । ଖାଇ ଦେଇ ପୁଣି ରିକ୍ସା ପାଖକୁ ପଳେଇଲା । ଏବେ ଲାଲଟୁ ଓଧ ଉପରେ ନଜର ରଖିଲା ଆଉ ଜାଣିବାକୁ ପାଇଲା ଯେ ଓଧ ମଝିରେ ମଝିରେ ଘରକୁ ଆସୁଛି । କିନ୍ତୁ ଘରେ ତାର କାମ କଣ ? ସେ ଦିନେ ଓଧ ପଛେ ପଛେ ଘରକୁ ଆସିଲା ଆଉ ଯାହା ଦେଖିଲା ସେ ନିଜ ଆଖି କୁ ବି ବିଶ୍ୱାସ କରି ପାରିଲା ନାହିଁ । ସେ ଓଧକୁ ଘରୁ ବାହାରି ଯିବ ପାଇଁ କହିଲା ଆଉ ରିଲାକୁ ବି ତାଗିଦ କଲା ଓଧ ସହ ନା ମିଶିବା ପାଇଁ । ତା ପରଠୁ ଓଧ ବାହାରେ ଘର ଭଡା ନେଇ କି ରହିଲା ।
କିଛି ଦିନ ପରେ ଜଣା ପଡିଲା ଯେ ରିଲା ଅନ୍ତଃସତ୍ଵା । ରିଲା, ଓଧ ପାଖକୁ ଖବର ପଠେଇଲା ଦେଖା କରିବ ପାଇଁ ଆଉ ଓଧ ବି ଠିକ ସମୟରେ ଆସି ପହଁଚିଲା । କିନ୍ତୁ ଏବେ ସେମାନେ କରିବେ କ’ଣ । ଗୋଟିଏ ସମାଧାନ ହେଲା ବାହାଘର । କିନ୍ତୁ ଲାଲଟୁ ରାଜି ହେଲେ ତ । ଲାଲଟୁ ତ କେତେ ସ୍ୱପ୍ନ ଦେଖିଥିଲା ଭଉଣୀ ର ବାହାଘର ଖୁବ ଧୁମ ଧାମରେ କରିବ । ଭଲ ଘର ଭଲ ବର ଦେଖି ଜ୍ୱାଇଁ କରିବ ଯେମିତି ରିଲା ଆଉ କେବେ ଦୁଃଖ ରେ ରହିବନି । କିନ୍ତୁ କଣ ସବୁ ଘଟିଗଲା । ରିଲା କହିଲା ମୁଁ ଭାଇକୁ କହି ପାରିବିନି, ତୁ ଯଦି କିଛି କରିବୁ କର ନହେଲେ ମୁଁ ବିଷ ପିଇ ଦେବି । ସେଦିନର ସେ ଘଟଣା ପରେ ଓଧର ବି ଲାଲଟୁ ମୁହଁ କୁ ଯିବାକୁ ସାହସ ନଥିଲା । ଯାହା ହେଲେ ବି ସେ ବଡ ଭାଇ ପରି ଥିଲା, ତାକୁ କାମ ଶିଖେଇ ଥିଲା, କାମ ରେ ଲଗେଇ ଥିଲା, ଏପରିକି ତା ରିକ୍ସା ର ୩୦୦ ଟଙ୍କା ବି ଦେଇ ଥିଲା ଯେଉଁଟା କି ଓଧ ଆଜି ଯାଏ ଫେରେଇନି । ସେ ବି ତ ଓଧ ର ଜୀବନ ବଞ୍ଚେଇ ଥିଲା ଆଉ ଘରେ ଆଶ୍ରୟ ବି ଦେଇଥିଲା । ଓଧ ର ମନ କୁ ବି ପାପ ଛୁଁଥିଲା ଆଉ ସେ ମନେ ମନେ ପସ୍ତାଉଥିଲା ଯେ ସେ ଏମିତି କିଛି ଗୋଟେ କରି ଦେଇଛି ବୋଲି ।
ପ୍ରେମ ନା ଜାତି ଦେଖେ ନା ଧର୍ମ, ନା ବୟସ ଦେଖେ ନା ସମୟ । ନା ରାଶି ଦେଖେ ନା ଗୋତ୍ର ଆଉ ନା ରାଜ୍ୟ ଦେଖେ ନା ଦେଶ । ପ୍ରେମ ତ ହଉ ହଉ ହେଇ ଯାଏ । ପୁଅ ଆଉ ଝିଅ ଯୌବନର ଉତ୍ତାଳ ତରଙ୍ଗ ରେ ତରଙ୍ଗାୟିତ ହୋଇ ଯେତେ ବେଳେ ଭାସି ଭାଇ ଚାଲି ଥାନ୍ତି ସେତେ ବେଳେ ନା ଭାଇ ଦେଖାଯାଏ ନା ଭଉଣୀ , ନା ବାପା ମା ନା ବନ୍ଧୁ ବାନ୍ଧବ । ନା ସମାଜ ନା ଆଉକିଛି । ପ୍ରେମ ତ ଏକ ମଧୁର ଅନୁଭବ, ଏଥିରେ ନା ଥାଏ ଆବିଳତା ନା ଥାଏ କପଟ । ନା ଥାଏ ଡର ନା ଥାଏ ବିକୃତ ମାନସିକତା । ଗୋଲାପ ପ୍ରେମ କରେ ତା ସୁଗନ୍ଧ କୁ, ଚନ୍ଦ୍ର ପ୍ରେମ କରେ ତା ଆଲୁଅକୁ । ଝରଣା ପ୍ରେମ କରେ ତା କୁଳୁ କୁଳୁ ନାଦ କୁ ଆଉ ଜଙ୍ଗଲ ପ୍ରେମକରେ ତା ସବୁଜତାକୁ । ପ୍ରେମ ଏକ ଐଶ୍ୱରିକ ଆନନ୍ଦ । ପ୍ରେମର ଆନନ୍ଦ ଯିଏ ପାଇଛି ସେ ଜାଣିଛି । ପ୍ରେମ ତ ଶାଶ୍ୱତ ଆଉ ପ୍ରେମ ତ ଅନାବନା ସ୍ୱପ୍ନର ଗଁନ୍ତା ଘର ।
ଓଧ ଆଉ ରିଲା ଠିକ କଲେ ଯେ ସେମାନେ ଏ ଜାଗା ଛାଡି ଚାଲିଯିବେ । ଆଉ କିଛି ବିକଳ୍ପ ସେମାନଙ୍କୁ ଦେଖା ଯାଉ ନଥିଲା । କିନ୍ତୁ ଯିବେ କୁଆଡେ । ଯୁଆଡେ ଗଲେ ବି ସେମାନଙ୍କୁ ରହିବା ଆଉ ଖାଇବା ପାଇଁ କିଛି ତ ପଇସା ଦରକାର । ପୁଣି ଅଚିହ୍ନା ଜାଗା ଆଉ ଅଚିହ୍ନା ଲୋକ, ସେମାନଙ୍କୁ କାମ କିଏ ଦବ? ଏତିକି ବେଳେ ଓଧ ବି ଠିକ କଲା ଯେ ସେମାନେ ଯିବେ କିନ୍ତୁ ଯିବା ପୂର୍ବରୁ ରିଲା କୁ ସେ ସତ କଥା କହିଦେବ । ସେ ଯେ ଜାତିରେ ଗୁଡ଼ିଆ ନୁହେଁ ହରିଜନ ।
ରିଲା ମୁଣ୍ଡରେ ପାହାଡ ଟା ଖଣ୍ଡ ଖଣ୍ଡ ହେଇ ଛିଡି ପଡିଲା । ତା ନିଜ ପ୍ରତି ତାକୁ ଘୃଣା ଆସିଲା ଆଉ ଓଧ ଉପରେ ରାଗ ବି । ଲୋକେ କଣ କହିବେ ? ସମାଜ କଣ କହିବ? ଏ ସମାଜ ତାଙ୍କର ଏଇ ସମ୍ପର୍କକୁ ଗ୍ରହଣ କରିବ ତ ? ସେ କିଛି ବି ଚିନ୍ତା କରି ପାରୁ ନଥିଲା କଣ କରିବ ଏବେ, କଣ ହବ, ଆଉ ସେ ଯିବ କୁଆଡେ । ମନ ହେଉଥିଲା ଆତ୍ମହତ୍ୟା କରିବାକୁ କିନ୍ତୁ ପେଟରେ ଥିବା ଛୁଆଟା କଥା ଚିନ୍ତା କରି ସେ ଜିଭ କାମୁଡି ଦେଲା । ଭୁଲ ସେ କରିଛି ତା ଛୁଆ ନୁହଁ । ଏବେ ତ ଲାଲଟୁ ଭାଇ ଜମାରୁ ରାଜି ହବନି । ଏକ ତ ଓଧ ହରିଜନ କିନ୍ତୁ ମିଛ କହିଥିଲା । ଦୁଇ ସେ ଆଜି ବିନା ବାହାଘର ରେ ତା ଛୁଆ ର ବାପା ହବ । ତିନି ରେ ସେ ଘରେ ରହି ଲାଲଟୁ ଭାଇକୁ ଧୋକା ଦେଲା । ଭାଇ ଭାବୁଥିଲା ଓଧ ଆଉ ରିଲା ଭାଇ ଭଉଣୀ ହେଲେ ଏସବୁ … ନା ଆଉ ନୁହଁ । ଇଚ୍ଛା ବିରୁଦ୍ଧରେ ବି ସେ ଓଧ ସହ ଯିବା ପାଇଁ ରାଜି ହେଲା । ଘୃଣା ରେ, ରାଗ ରେ ଆଉ ଅଭିମାନ ରେ ତା ମୁହଁ ଲାଲ ହୋଇ ଯାଇଥିଲା । ସଫା ସଫା ସେ ଓଧ କୁ କହିଦେଲା ତୁ ମୋତେ ଆଉ ମୋ ଭାଇ କୁ ଧୋକା ଦେଲୁ, ମୁଁ ତୋ ସହ ଯିବା ପାଇଁ ରାଜି ଅଛି କିନ୍ତୁ ମୋ ଘରୁ ମୁଁ କାଣୀ କଉଡ଼ି ଟିଏ ବି ଆଣିବିନି । ତୁ ଆମ ମା ଆଉ ଛୁଆ କୁ କେମିତି ରଖିବୁ ରଖ । ରିଲାର ସବୁ କଥା ରେ ଓଧ ହଁ ଭରିଲା । ଓଧ ରିଲା କୁ ସତରେ ଭଲ ପାଉଥିଲା, ତା ପାଖରେ ଜାତି, ଧର୍ମର କିଛି ମାନେ ନଥିଲା । ଭୋକ ମଣିଷର ସବୁ ଜାତି ଧର୍ମ ଭୁଲେଇ ଦିଏ । ପାଠ ଦି ଅକ୍ଷର ସିନା ପଢି ନଥିଲା କିନ୍ତୁ ଏ ସଂସାର ର ସଳିତାରେ ତିଳ ତିଳ କରି ଜଳିଲା ପରେ ଜୀବନକୁ ଭଲ ରେ ବୁଝି ପାରିଥିଲା ।
ମଣିଷ ଯେତେ ବେଳେ ଜନ୍ମ ହେଲା, ସେତେବେଳେ ନା ଜାତି ଥିଲା ନା ଧର୍ମ । ସେ ତ ଗୋଟେ ମାତ୍ର ଜାତି ଥିଲା “ମଣିଷ” । ଆସ୍ତେ ଆସ୍ତେ ମଣିଷ ପଶୁ ଶିକାର କଲା । ନିଆଁ ଆଉ ପାଣି ର ବ୍ୟବହାର ଶିଖିଲା । ଗୋଷ୍ଠୀ ରେ ରହିବା ଶିଖିଲା । ଚାଷ ବାସ କରିବା ଶିଖିଲା । ଆଉ ତାପରେ ଜନ୍ମ ହେଲା ଜାତି । ସେତେବେଳେ ଯିଏ ଯେଉଁ କାମ କରୁଥିଲା ସେଇ ଅନୁସାରେ ସେ ସେଇ ଜାତି ର ଅନ୍ତର୍ଭୁକ୍ତ ହେଉ ଥିଲା । ସେଥିପାଇଁ ତ କିଛି ଲୋକଙ୍କର ଗୋତ୍ର ସମାନ ଥାଏ କିନ୍ତୁ ଜାତି ଅଲଗା । ଗୋତ୍ର ନିଜ ପୂର୍ବ ପୁରୁଷଙ୍କ ଦାନ କିନ୍ତୁ ଜାତି, କର୍ମ ଅନୁସାରେ ନିର୍ଣ୍ଣୟ ହୁଏ ।
ଏ ସବୁ ସେ କେଉଁ ଗୋଟେ ପ୍ରବଚନ ରେ ଶୁଣିଥିଲା କିନ୍ତୁ ଏତେ ସବୁ ଅଡୁଆ ସୁତା ଭିତରେ ଘାଣ୍ଟି ନ ହୋଇ ସେ କେବଳ ଏତିକି ଜାଣି ଥିଲା ଯେ ମୋ ଗୋତ୍ରର ଲୋକ ବ୍ରାହ୍ମଣ ବି ଅଛନ୍ତି ଆଉ କେଉଟ ବି ଅଛନ୍ତି । ଆଜି ଯଦି ମୁଁ ରିକ୍ସା ଟାଣୁଛି ମୋ ଜାତି ଯାହା ଲାଲଟୁ ଭାଇ ବି ରିକ୍ସା ଟାଣୁଛି ତା ଜାତି ବି ସେଇୟା । ତେବେ ସେ ଆଉ ରିଲା ବାହା ହବାରେ ଅସୁବିଧା କ’ଣ ।
ବାହାଘର କ’ଣ ଗୋଟେ ପିଲା ଖେଳ । ଖାଲି ପାଞ୍ଚ ଲୋକଙ୍କୁ ଜଣେଇଲେ ଯାଇ ବାହାଘର ହେବ ନହେଲେ ନାହିଁ । ଯଦି ସ୍ୱାମୀ ସ୍ତ୍ରୀ ଭିତରେ ମନ ନ ମିଶିଲା ତେବେ ସେଟା କି ବାହାଘର ? ଜାତି, ସମାଜ ନାଁ ରେ ଲୋକ ମାନେ ଯାହା ଇଚ୍ଛା ତା କରିବେ ? ସେମିତି ବି ବହୁତ ଦମ୍ପତି ଅଛନ୍ତି ଯେଉଁ ମାନେ ଲୋକ ଲଜ୍ୟାକୁ ଡରି କିଛି ବି କହୁ ନାହାନ୍ତି । ସେମାନଙ୍କ ଭିତରେ ନାଁ ଅଛି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ନାଁ ଅଛି ଭଲ ପାଇବା । ନିଜ ନିଜ ଭିତରେ ଜଳି ଜଳି ଜୀବନ ବଞ୍ଚିବା ଆଉ ଲୋକ ଲଜ୍ୟା କୁ ଡରି ଏକାଠି ରହି ସବୁଦିନ ବାଡିଆପିଟା ହେବା କାହାକୁ ଶୋଭା ଦେଉଛି । ନାଁ ନିଜେ ବଞ୍ଚୁଚ ନାଁ ଆଉ କାହାକୁ ବଞ୍ଚିବାକୁ ଦେଉଛ । ତା ଠୁ ତ ଶତ ଗୁଣରେ ଭଲ ଅଲଗା ହେଇ ନିଜ ବାଟରେ ବଞ୍ଚିବା । ଆମ ସମାଜ ଏହାକୁ ଅନୁମତି ଦିଏ ନାହିଁ । ରାସ୍ତାରେ ଗୋଟେ ପୁଅ, ଗୋଟେ ଝିଅର ହାତ ଧରିବା ଖରାପ । ପାଞ୍ଚ ଲୋକ ପାଞ୍ଚ କଥା କହିବେ କିନ୍ତୁ ସେଇ ରାସ୍ତାରେ ସ୍ୱାମୀ ସ୍ତ୍ରୀ କୁ ବାଡ଼େଇଲେ ସେଟା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର, କାହା ମୁହଁରୁ ପଦେ ବି କଥା ବାହାରିବ ନାହିଁ । ସମାଜର ବଡ ପଣ୍ଡା ମାନେ ଯାହା କହିବେ ସେଟା ବେଦର ଗାର କିନ୍ତୁ ସେଇ ବଡ ପଣ୍ଡା ମାନଙ୍କ ପୁଅ ଝିଅ ସମାନ କାମ କଲେ ସେଟା ଚଳିବ । ଇଏ କେଉଁ ପ୍ରକାର ନ୍ୟାୟ ? ଯେମିତି କଥାରେ ଅଛି ପଣ୍ଡିତ ପୁଅ ଷଣ୍ଢ ବାଡ଼େଇଲେ ଦୋଷ ନାହିଁ । କିନ୍ତୁ ନାଁ ସେ ପଣ୍ଡିତ ପୁଅ ନାଁ ସମାଜ କୁ ସେ ବଦଳେଇ ପାରିବ । ବାତ୍ୟା ଆସିଲା ବେଳେ ଯେଉଁ ଗଛ ମାନେ ଲଇଁ ପଡନ୍ତି ସେମାନେ ହିଁ ବଞ୍ଚି ଯାନ୍ତି ସେମିତି ସମାଜର ଚିରାଚରିତ ପ୍ରଥା କୁ ମାନିନେଇ ଏସବୁ ଠାରୁ ଦୁରକୁ ଚାଲିଯିବାକୁ ସେ ଠିକ କଲା । କେତେ ବି ବାଧା ବିଘ୍ନ ଆସୁ ସେ ରିଲା କୁ ଆଉ ତାଙ୍କ ଛୁଆ କୁ ସବୁ ବିପଦରୁ ରକ୍ଷା କରିବାର ଶପଥ ନେଲା ଆଉ ସେ ସହର ଛାଡି କେଉଁ ଗୋଟେ ଅନାମଧେୟ ଅଞ୍ଚଳକୁ ଚାଲି ଗଲା । ଯେଉଁଠି ନା ତାର କିଏ ଚିହ୍ନା ଜଣା ଲୋକ ଥିଲେ ନା ବନ୍ଧୁ ବାନ୍ଧବ । ସେମିତି ବି ଲାଲଟୁ ଭାଇ କୁ ଛାଡିଲେ ଏ ପୁରା ଦୁନିଆଁ ରେ ସେମାନେ ଏକା । ବିନା ବାହାଘରରେ ସେମାନେ ସ୍ୱାମୀ ସ୍ତ୍ରୀ ହୋଇ ଖୁସିରେ ରହିଲେ ।
ଲାଲଟୁ ଭାଇ ଯେତେବେଳେ ଜାଣିଲା ରିଲା, ଓଧ ସହ ଘରୁ ଲୁଚି କି ପଳେଇଚି, ସେ କିଛି ଦିନ ମନ ଦୁଃଖରେ ରହିଲା । ତା ପରେ ଘର ଆଉ ରିକ୍ସା ବିକ୍ରି କରି ସେ ତା ନିଜ ଗାଁ କୁ ପଳେଇ ଆସିଲା । ଯେଉଁଠି ତାର ଘର ଡିହ ଖଣ୍ଡକ ବ୍ୟତୀତ ଆଉ କିଛି ବି ନଥିଲା । ରିଲାର ବାହାଘର ପାଇଁ ରଖିଥିବା ପଇସାରେ ଜମି ଦୁଇ ଖଣ୍ଡ କିଣି ବାହା ହେଇ ଖୁସିରେ ରହିଲା । ବେଳେ ବେଳେ ମନହୁଏ ରିଲା କୁ ଟିକେ ଦେଖିବା ପାଇଁ, ତା ଖବର ଜାଣିବା ପାଇଁ । କିନ୍ତୁ ସେ ନାଚାର । ମନରେ ତା’ର ବିଶ୍ୱାସ ଥାଏ କେବେ ନା କେବେ ରିଲା ଫେରିବ । ତାକୁ ଭୁଲ ମାଗି ବହୁତ କାନ୍ଦିବ ଆଉ ସେ ବି ରିଲା କୁ କ୍ଷମା କରିଦେବ । ଯାହା ହେଲେ ବି ଗୋଟିଏ ବୋଲି ଭଉଣୀ ତା’ର । ବାପା ମା ଛେଉଣ୍ଡ ପରେ ସେ ହିଁ ଥିଲା ତା’ର ବାପା,ମା ।
କିନ୍ତୁ ଏବେ ଯାଏ ବି ଲାଲଟୁ ଜାଣି ନଥିଲା ଯେ ଓଧ ଜଣେ ହରିଜନ ପିଲା । ……
ଜୀବନରେ ସୁଖ ଥିଲେ ଦୁଃଖ ଥାଏ । କିନ୍ତୁ କିଛି ଲୋକଙ୍କ ଜୀବନ ଯେ ଦୁଃଖ ଆଉ ଦୁଃଖ ରେ ଭରା ଏକଥା ନକହିଲେ ଜାଣି ହୁଏନି । ସବୁଦିନ ଆମେ କେତେ ଲୋକଙ୍କୁ ଭେଟୁ । କେତେ ଲୋକଙ୍କ ସହ କଥା ହେଉ ଆଉ କେତେ ଲୋକଙ୍କୁ ବାଟ ଭାଙ୍ଗି ଚାଲି ଯାଉ । କେହି କଣ ଭାବେ ଏଇ ଲୋକ ମାନଙ୍କ କଥା । କେତେ ଦୁଃଖ ଆଉ କେତେ ସୁଖରେ ସେମାନେ ଅଛନ୍ତି । ନା ! ସମସ୍ତେ ନିଜ ନିଜ ଜଞ୍ଜାଳ ରେ ବ୍ୟସ୍ତ । କିଛି ଲୋକ ତ ସଜ ମାଛରେ ବି ପୋକ ପକେଇ ଦିଅନ୍ତି । ଆଉ କିଛି ପର ର ସୁଖ ଦେଖି ପାରନ୍ତି ନାହିଁ । ଏମିତି କିଛି ଘଟି ଗଲା ଓଧ ଆଉ ରିଲାର ଜୀବନରେ । ସହର ଛାଡି ଗାଁ କୁ ଆସିଲା ପରେ ଓଧ ଆଉ ରିଲା ନୂଆ ନୂଆ ସଂସାର କରିବାକୁ ଲାଗିଲେ ।
ସମୟ ତ ଗଡି ଚାଲେ, ନା ସେ କାହାକୁ ଅପେକ୍ଷା କରେ ନା କାହା ସହ ଆଗୁଆ ଚାଲି ଯାଏ । ସେ ତ ଚାଲି ଥାଏ ତା ନିଜ ବାଟରେ । ମଣିଷ କୁ ହିଁ ସମୟ ସହ ଚାଲିବାକୁ ପଡେ । ରିଲା ଆଉ ଓଧ ସମୟ ସହ ତାଳ ଦେଇ ଚାଲିବାକୁ ଆରମ୍ଭ କଲେ । ନୂଆ ଜାଗା, ଅଚିହ୍ନା ମଣିଷ ଆଉ ନାହିଁ ନାହିଁର ସଂସାର । ରିଲାର ୭ ମାସ ପୁରି ୮ ମାସ ଚାଲି ଥାଏ । ଏତିକି ସମୟ ଭିତରେ ଓଧ ଗାଁ ମୁଣ୍ଡ ଅନାବାଦୀ ଜମିରେ ଚାଲ ଛପର ଘର ଖଣ୍ଡେ କରି ସାରି ଥାଏ । ମୂଲ ଲାଗି ଯାହା ଯେମିତି ଚାଲୁ ଥାଏ ଘର । ରିଲା ଆଉ ତା ଛୁଆ କୁ କେମିତି ଭଲ ରେ ରଖିବ, ସେ ଚିନ୍ତା ତା’ର ସବୁବେଳେ । ନା ସେ କାହାର ଖାଏ ନା କାହାଠୁ ଧାରେ । ନିଜ ଚିନ୍ତା ଆଉ ଘର ଚିନ୍ତା । ଶୋଇ ଶୋଇ ସ୍ଵପ୍ନ ଦେଖେ । ତା’ର ଗୋଟେ ପୁଅ ହବ । ପୁଅ କୁ ସେ ବହୁତ ପାଠ ପଢେଇବ ଆଉ ବଡ ମଣିଷ କରିବ । ବାବୁ କରିବ । ପୁଅ ତାର ବୁଟ, ଟାଇ ପିନ୍ଧି ଇସ୍କୁଲ ଯିବ । ଆହୁରି ଆହୁରି କେତେ କଥା ।
ସେଦିନ ସେ ମଦନା ବିଲରେ ମୂଲ ଲାଗୁଥାଏ । ପଡିଶା ଘର ନିମ ଧାଇଁ ଧାଇଁ ଆସି କହିଲା, ବେଗେ ଆ । ତୋ ସ୍ତ୍ରୀ ବହୁତ କଷ୍ଟ ପାଉଛି । ଓଧ କଣ କରିବ ଭାବି ଭାବି କାମ ଦାମ ଛାଡି ଦୌଡିଲା । ସକାଳୁ ତ ସେମିତି କିଛି ନଥିଲା । ହଉ ଦେଖାଯାଉ କଣ ହଉଚି । ଘରେ ପହଁଚିଲା ବେଳକୁ ନିଶା ଦିଦି ଘର ଭିତରେ । କବାଟ ଭିତର ପଟୁ ବନ୍ଦ । ଆଖ ପାଖ ସ୍ତ୍ରୀ ଲୋକ ଦି ଚାରି ଜଣ ଘର ବାହାରେ । ସମସ୍ତଙ୍କୁ ଥରେ ଥରେ ଚାହିଁ ଦେଇ ଓଧ ପିଣ୍ଡା ଉପରେ ବସି ପଡିଲା । ରିଲା ବହୁତ କଷ୍ଟ ପାଉ ଥାଏ । ଭିତରୁ ତା ପାଟି ଜୋର ଶୁଭୁଥାଏ । ଓଧ ବିଡି ବାହାର କରି ନିଆଁ ଲଗେଇଲା । ଭଗବାନ ଭରସା କହି କହି ସେ ସୁକୁ ସୁକୁ କରି ବିଡି ଟାଣିଲା । କିଛି ସମୟ ପରେ ନିଶା ଦିଦି ବାହାରିଲେ । ରିଲା ଭିତରେ ପଡି ଥାଏ । ନିଶା ଦିଦି ହାତରେ ତା ପିଲା । ଓଧକୁ ଥରେ ଚାହିଁ ଦେଇ ନିଶା ଦିଦି ପାଖରେ ଥିବା ସ୍ତ୍ରୀ ଲୋକଙ୍କୁ କହିଲେ ରିଲାକୁ ଜଗିଥା । ଓଧ ପାଖକୁ ଆସି ପିଲାକୁ ଦେଖେଇଲେ । ମଲା ଛୁଆଟା ଠେଁଙ୍ଗଣ। ହେଇ ଯାଇ ଥାଏ । ଓଧ ତା ମୁହଁକୁ ଥରେ ଚାହିଁଦେଇ ସେଠୁ ଉଠି ପଳେଇଲା ।
କେତେ ଆଶା, କେତେ ବିଶ୍ୱାସ, କେତେ ସ୍ଵପ୍ନ, କେତେ ଭରସା, ସବୁ ଭାଙ୍ଗିରୁଜି ଗଲେ । ରିଲା ରାହା ଧରି କାନ୍ଦୁଥାଏ । ଓଧ କୁ କାନ୍ଦିବାକୁ ଇଛା ହେଲେ ବି ସେ କ’ଣ କାନ୍ଦି ପାରିବ? ସେ ପରା ମରଦ ପୁଅ । ମରଦ ପୁଅ କଣ କେବେ କାନ୍ଦେ ? ଆଖିର ଲୁହ ଆଉ ମନର କୋହ ସବୁ ଚାପି ରଖି ଚାଲିବାକୁ ପଡେ ।
କଅଁଳା ଛୁଆ ଟା ଲାଲଟୁ ଭାଇ ପରି ଦେଖା ଯାଉ ଥିଲା । ରିଲା ର ଆଖି ଆଉ ନାକ । ଓଧ ପରି କାନ ଆଉ ଓଠ , ଆଉ ଲାଲଟୁ ଭାଇ ର ଚେହେରା ଆଣିଥିଲା । ବହୁତ ସୁନ୍ଦର ଦେଖା ଯାଉଥିଲା । କାହିଁକି କେଜାଣି ଲାଲଟୁ ଭାଇ ଆଜି ବହୁତ ମନେ ପଡୁଥିଲା । କଅଁଳା ଛୁଆଟା ର ଶବ ସଂସ୍କାର କଲା ବେଳେ ଛାତି ତାର କୋରି ହେଇ ଯାଉଥାଏ । ରିଲା କୁ କ’ଣ କହି ବୁଝେଇବ, କ’ଣ ପାଇଁ ଦଇବ ତାକୁ ଏତେ ଦଣ୍ଡ ଦେଉଛି । ନା ମୁଣ୍ଡ ଉପରେ ବା’ଆ ମା ର ହାତ ଅଛି ନା କୋଳ କୁ ଛୁଆ । ଧେତ, ଏ ଶଳା ଜୀବନ ବଞ୍ଚି ଲାଭ କ’ଣ? ମନରେ ୟାଡୁ ସ୍ୟାଡୁ ଭାବନା ସବୁ ଉଙ୍କି ମାରୁଥାନ୍ତି । କିନ୍ତୁ ନା, ତାକୁ ବଞ୍ଚିବାକୁ ହେବ । ରିଲା ପାଇଁ ବଞ୍ଚିବ ସେ । କେତେ କଷ୍ଟ ପାଇ ବିଚାରି ପିଲାଟେ ଜନ୍ମ କଲା ଯେ ସେଟା ବି ମଲା ଛୁଆ ।
ସାତ ଦିନ, ସାତ ରାତି ବିତି ଗଲାଣି । ନା ଓଧ, ନା ରିଲା କେହି କାହା ସହ କଥା ପଦେ ବି ହେଇ ନାହାନ୍ତି । ଦିନ ରାତି କାନ୍ଦି କାନ୍ଦି ସମୟ ଗଲା । ଓଧ, ରିଲା କୁ ନା କିଛି କହି ପାରୁଛି ନା କିଛି ବୁଝେଇ ପାରୁଛି । ନିଶା ଦିଦି ଆସି ମଝିରେ ମଝିରେ ଗାଳି କଲେ ସେ ଭାତ ଗୁଣ୍ଡେ ପାଟିରେ ଦଉଚି ନହେଲେ ଖାଲି କାନ୍ଦୁଚି । ଓଧ କୁ ରାଗ ଯେତିକି ଲାଗୁଥିଲା, ରିଲା ଉପରେ ଦୟା ବି ସେତିକି ଆସୁଥିଲା । ଯାହା ହେଲେ ବି ମା ମନ । ସେ କଣ କେବେ ସମ୍ଭାଳେ । ନିଜ ଛୁଆ ପାଇଁ ମା ଜୀବନ ଦେଇ ଦିଏ । ଓଧ ର ନିଜ ମା କଥା ମାନେ ପଡୁଥିଲା । ପାଗେଳୀ ହେଲେ ବି ସେ ଘରକୁ ଆସି ଓଧ ପାଇଁ ଖାଇବା ଗଣ୍ଡେ ରାନ୍ଧି ଦିଏ । କେତେ ବେଳେ ତା ମୁଣ୍ଡ ଖରାପ ଥିଲେ ଅସଭ୍ୟ ଭାଷା ରେ ଗାଳି ଦିଏ, ନହେଲେ ପାଖରେ ବସି ମୁଣ୍ଡ ଆଉଁସି ଦିଏ, ଗେଲ କରେ । ଓଧ କେମିତି ବୁଝେଇବ ବୋଲି ଭାବୁ ଭାବୁ ରିଲା କୁ ଛାତି ଉପରକୁ ଟାଣି ନେଲା । ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ମୁଁହକୁ ମୁହଁ ଚାହାଁଚାହିଁ ହୋଇ କାନ୍ଦିଲେ କିଛି ସମୟ ପୁଣି ଦିହେଁ ଦିହିଙ୍କି ବୋଧ ଦେଇ ତୁନି ହେଲେ । ପୁଣି ଥରେ ସଂସାର କୁ ନୂଆ କରି ଗଢିବାକୁ ଆଖିରେ ଆଖିରେ ପ୍ରତିଜ୍ଞା କଲେ ଦି ଜଣ ଦି ଜଣଙ୍କ ପାଖେ ।
ହେଲେ ଦୁଃଖ ଯେତେ ବେଳେ ଆସେ ତା ସାଙ୍ଗ ସାଥି ଭାଇ ଭଉଣୀ ଆଉ ସହୋଦରଙ୍କୁ ସାଙ୍ଗରେ ଧରି ଆସେ । ତୁଣ୍ଡ ବାଇଦ ସହସ୍ର କୋଶ ପରି ଆସ୍ତେ ଆସ୍ତେ ଓଧ ଆଉ ରିଲା ବାହା ନହେଇଥିବା କଥା ବ୍ୟାପିବାକୁ ଲାଗିଲା । ଟାଉନୁ ଲୋକ ଗାଁ କୁ ଯିବା ଆସିବା କରୁଥାନ୍ତି । କିଏ ଗୋଟେ ଓଧ କୁ ଚିହ୍ନି ପକେଇ ଗାଁ ର କୌଣସି ଗୋଟେ ଲୋକ କୁ କହିଦେଲା । ଦେଖୁ ଦେଖୁ କଥା ଟା ଗାଁ ସାରା ରାଷ୍ଟ୍ର ହେଇ ଗଲା । ଗାଁ ରେ ସଭା ବସିଲା । ଆଉ ସରପଞ୍ଚ ୟାଙ୍କ ସପକ୍ଷରେ ରାୟ ଦେଲେ । ହେଲେ ୧୦୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡିବ ଆଉ ଗାଁ ଲୋକଙ୍କୁ ଖାଇବାକୁ ଦେବାକୁ ପଡିବ । ନହେଲେ ନିଆଁ ପାଣି ବାଛନ୍ଦ ।
ଓଧ ଦି ଦିନ ହେଲା କାମକୁ ଯାଇନି । ଘରେ ଯାହା ଖୁଦ କଣି ଥିଲା ରିଲା ତାକୁ ଜାଉ କରି ଦେଇଛି । ପାଟିକୁ ଖାଦ୍ୟ ୠଚୁନି । ଦଶ ହଜାର ଟଙ୍କା ଏବେ କୁଆଡୁ ଆଣିବେ ? ପୁଣି ଗାଁ ଲୋକଙ୍କୁ ଖାଇବାକୁ ଦେବାକୁ ପଡିବ । କିଛି ନହେଲେ ବି ପଚାଶ କିଲୋ ଚାଉଳ, ଡାଲି, ପନି ପରିବା ଆଉ ମାଛ, ମିଶେଇ ମାଶେଇ ଆଉ ଦଶ ହଜାର । ଏତେ ଟଙ୍କା ତା ପାଖରେ ଥିଲେ ସେ କଣ ମୂଲ ଲାଗୁଥାନ୍ତା ? ଜମି ବାଡ଼ି ବି ନାହିଁ ଯେ କାହା ପାଖେ ବନ୍ଧା ପକେଇ ଦବ । ନା, ଆଉ ନୁହଁ । ଗରିବ ମାଈପ ସବୁରି ଶାଳୀ ନ୍ୟାୟ ରେ ଏମାନେ କଣ ଯାହା ଚାହିଁବେ ସେଇୟା କରିବେ ଆଉ ଆମ ପରି ଗରିବ ଗୁରୁବା ସବୁ ଜାଗା ରେ ଖଟି ଖଟି ମରିବେ । ଆମେ ବାହା ହେଇନୁ, କାହା ବୋପା ର କ’ଣ ଗଲା? ଏଇଟା ନା ମୋ ଗାଁ, ନା ମୁଁ ଏଠି କାହାର ଖାଇଛି । ରାତା ରାତି ସେ ଗାଁ ଛାଡିବାର ନିଷ୍ପତି ନେଲା । ବାସ, ପରଦିନ ସକାଳୁ ଓଧ ଆଉ ରିଲା କୁ ସେ ଗାଁ ରେ ଆଉ କେହି ଦେଖି ନାହାନ୍ତି ।
କିଛି ଦିନ ଆଡେ ସାଡେ ଯାଯାବରଙ୍କ ପରି ବୁଲା ବୁଲି କରି ସେ ପହଁଚିଲା ଯାଇ କି ରିଲା ର ଗାଁ ରେ । ଯେଉଁଠି ଲାଲଟୁ ରହୁଥିଲା । ଲାଲଟୁ ତା ଜମି ରେ କାମ କରୁ ଥାଏ । ଲାଲଟୁ ସ୍ତ୍ରୀ ଘରେ ଭାତ ରାନ୍ଧୁ ଥାଏ । ଲାଲଟୁ ର ସ୍ତ୍ରୀ ତ ଏମାନଙ୍କୁ ଚିହ୍ନି ନଥାଏ । ସେ ଦୋ ଦୋ ଚିହ୍ନା ହୋଇ ବାରଣ୍ଡା ରେ ବସେଇଲା । ଲାଲଟୁ ପାଖକୁ ଖବର ପଠେଇଲା । ରିଲା କିନ୍ତୁ ଭାଉଜ କୁ ଦେଖି ଭାରି ଖୁସି । ଲାଲଟୁ ଆସି ପହଁଚିଲା ପରେ, ଭାଇ ଭଉଣୀ ଦୁହେଁ କୁଣ୍ଢା କୁଣ୍ଢି ହୋଇ କନ୍ଦାକଟା କଲେ । ଓଧ ର ଲାଲଟୁ ମୁହଁ କୁ ଯିବାକୁ ସାହସ ନଥିଲା । କିନ୍ତୁ ଲାଲଟୁ ତାକୁ କୋଳେଇ ନେଲା । ଯାହା ହେଲେ ବି ଏଇ ହାତରେ ତାକୁ ମଣିଷ କରିଛି । ବାପା ନହେଇ ବି ବାପା ର ଭଲ ପାଇବା ଦେଇଛି । ଯେତେ ଯାହା ହେଲେ ବି, ବାପା ମା କଣ କେବେ ତାଙ୍କ ସନ୍ତାନ ଉପରେ ରାଗି ପାରିବେ । ଲାଲଟୁ ରିଲା କୁ ଦେଖି ବହୁତ ଖୁସି ହେଲା ଆଉ ତା ଦୁଃଖ କାହାଣୀ ଶୁଣି ଦୁଃଖ ବି କଲା । ଯାହା ହେଲେ ବି ଭଉଣୀ ପୁଣି ଘରକୁ ଫେରି ଆସିଛି । ତା’ର ଖୁସି କହିଲେ ନସରେ । ରିଲା ମୁଣ୍ଡ ତଳକୁ କରି ଠିଆ ହେଇ ଥାଏ । ଲାଲଟୁ ତାକୁ ବୋଧ ଦେଲା ଆଉ ସବୁ ଭୁଲି ଯାଇ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବାକୁ କହିଲା ।
ଏବେ ଓଧ ଆଉ ଲାଲଟୁ ମିଶି ତା ଜମି ରେ କାମ କରିବାକୁ ଲାଗିଲେ । ଲାଲଟୁ ସ୍ତ୍ରୀ ର ଜମାରୁ ଇଛା ନଥାଏ ଏମାନେ ଏଠି ରୁହନ୍ତୁ ବୋଲି । କାଲି ସକାଳୁ ତା’ର ବି ପିଲା ପିଲି ହବ ।ଏଡିକି ଟିକେ ଘରେ ପାଞ୍ଚ ଜଣ ରହିବେ କିପରି ? ସେ ଚାହୁଁଥାଏ ଏମାନେ ଏଠୁ ଯାଆନ୍ତୁ ଭାରି, କିନ୍ତୁ ଲାଲଟୁ ଏମାନଙ୍କୁ ଛାଡିବାକୁ ଚାହୁଁ ନଥାଏ । ଆସ୍ତେ ଆସ୍ତେ ଲାଲଟୁ ର ଘର ଅଶାନ୍ତ ହେବାରେ ଲାଗିଲା । ଲାଲଟୁ ଆଉ ସ୍ତ୍ରୀ ର କଥା ନମିଶିବା ଆଉ ଲାଲଟୁ ତା ସ୍ତ୍ରୀ କଥା ନଶୁଣିବା ଫଳରେ, କଳି ତକରାଳ ଲାଗି ରହିଲା । ଲାଲଟୁ ନା ସ୍ତ୍ରୀ କୁ ବିରୋଧ କରିପାରେ ନା ଭଉଣୀ କୁ କିଛି କହେ । ଆସ୍ତେ ଆସ୍ତେ କଳି ତକରାଳ ବଡ ରୂପ ନେଲା ଆଉ ଘରେ ସବୁ ବେଳେ ଅଶାନ୍ତି ଲାଗି ରହିଲା । ଲାଲଟୁ ର ସ୍ତ୍ରୀ ରିଲା କୁ ହିଁ ଏଥି ପାଇଁ ଦାୟୀ କରେ ।
ନାରୀ ମାୟା ନାରାୟଣଙ୍କୁ ଅଗୋଚର । ସ୍ତ୍ରୀ ମାୟା ଆଜି ଯାଏ ତ ସ୍ୱୟଂ ବ୍ରହ୍ମା ବି ଜାଣି ପାରିଲେନି । ସ୍ତ୍ରୀ କଥା ରେ ତ ଠାକୁର ଖଣ୍ଡିଆ । ସ୍ତ୍ରୀ ଲୋକ କେତେ ବେଳେ କେଉଁ ମାୟା ଲଗାଏ ତା’ କେହି ବି ଜାଣନ୍ତିନି । ଲାଲଟୁ ର ସ୍ତ୍ରୀ ହାତରେ ଏମିତି ଗୋଟେ ଖବର ଲାଗିଗଲା ଯେଉଁଟା କି ଓଧ ଦୀର୍ଘ ୧୦ ବର୍ଷ ଧରି ଏ ଦୁନିଆ ପାଖରୁ ଲୁଚେଇ କି ରଖିଥିଲା । ଲାଲଟୁ ସ୍ତ୍ରୀ ର ଲେଖାଯୋଖା ମାମୁଁ ର ମାଉସୀ ପୁଅ ଭାଇ ର ଝିଅ ର ଶାଶୁ ଘର ଓଧ ଗାଁ ରେ । ସେମାନେ ଦିନେ ଲାଲଟୁ ଘରକୁ ବୁଲି ଆସିଥିଲେ । ଓଧ କୁ ଦେଖି ସେ ଦୋ ଦୋ ଚିହ୍ନା ହେଇ ସମ୍ପର୍କର ସୁତା ଖିଅ ଯୋଡୁ ଯୋଡୁ କେଉଁଠୁ କେମିତି ସୁରାଗ ମିଳିଲା ଯେ ଓଧ ର ବାପା ମା ମରିଗଲା ପରେ ସେ ସବୁ ଜମିବାଡି ମହାଜନ କୁ ବିକ୍ରି କରି ଗାଁ ଛାଡି ଚାଲି ଯାଇ ଥିଲା । ଆଉ ସେ ଜଣେ ହରିଜନ । ବାସ, ଏତିକି ଯଥେଷ୍ଟ ଥିଲା ଲାଲଟୁ ର ସ୍ତ୍ରୀ ପାଇଁ । ସେ ଘରେ ଅଶାନ୍ତି ର ନିଆଁ ଲଗେଇ ଦେଲା ଆଉ ରିଲା ଓ ଓଧ କୁ ଘରୁ ବାହାର କରିଦେଲା । ଲାଲଟୁ ଶୁଣିଲା ପରେ ମୁଣ୍ଡରେ ହାତ ଦେଇ ବସି ପଡିଲା । ଏତେ ବଡ କଥା, ଆଉ ବିଶ୍ୱାସ ରେ ବିଷ ତାର ହଜମ କରିବା ବାହାରେ ଥିଲା । ଆଉ ଯେତେବେଳେ ଜାଣିଲା ଯେ ରିଲା ଏକଥା ଆଗରୁ ଜାଣିଛି, ସେ ଆଉ ସମ୍ଭାଳି ପାରିଲା ନାହିଁ । ଆଜି ଯାଏ ହାତ ଉଠେଇ ନଥିବା ଭଉଣୀ ଉପରକୁ ସେ ପାଞ୍ଚଣ ଉଠେଇ ଦେଲା । ତା’ ଘର ଛାଡି ଚାଲି ଯିବାକୁ କହିଲା । ରିଲା ଆଉ ଓଧ ବି ସବୁ କିଛି ସହି ନେଲେ । ଭୁଲ ତ କରି ସାରିଛନ୍ତି । ଆଉ କଣ ବାଟ ଅଛି ? ନିଜର କାନ ମୁଣ୍ଡ ଆଉଁସି କର୍ମ ଫଳ ଭୋଗିବାକୁ ଲାଗିଲେ । ଲାଲଟୁ ଯେତେ ପାରେ ନିଜକୁ ସମ୍ଭାଳି ନେଇ ରିଲା ଆଉ ଓଧ ଠାରୁ ସମ୍ପର୍କ ଛିନ୍ନ କରିଦେଲା । ଏବେ ସେମାନେ କୁଆଡେ ଗଲେ, ନଗଲେ, ରହିଲେ, ନ ରହିଲେ ତା’ର କିଛି କହିବାର ନାହିଁ ।
କଥା ଏତିକି ରେ ସରି ଯାଇଥାନ୍ତା ଯଦି ଲାଲ ଟୁ ର ସ୍ତ୍ରୀ ଏ କଥା ଗାଁ ପଞ୍ଚଙ୍କ ପାଖକୁ ନ ନେଇଥାନ୍ତା । ଘରେ ଗୋବର ପାଣି ଆଉ ଗଙ୍ଗା ପାଣି ପକେଇ ସଫା କଲା ପରେ, ଲୁଗା ପଟା ସବୁ ଧୋବା ତୁଠ ରେ ପକେଇ, ପଞ୍ଚଙ୍କୁ ନାଲିଶ କଲା ଲାଲଟୁ ର ସ୍ତ୍ରୀ । ଗାଁ ରେ ତ ଗୋଟେ ପ୍ରକାର ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଗଲା । ଟୋକା ଟାକିଳିଆ ପିଲା ସବୁ ତାତି ଉଠିଲେ । ଗୋଟେ ହରିଜନ, ଅସବର୍ଣ୍ଣ, ଅଛୁଆଁ ଜାତି ଟୋକା ର ଏତେ ସାହସ, ସେ ଆମ ଗାଁ ଗୁଡ଼ିଆ ଘର ଝିଅକୁ ଉଠେଇ ନବ ? ଆଉ ଆମେ କଣ ସବୁ ଚୁଡ଼ି ପିନ୍ଧି ବସିଛୁ ? ନା, ଯେମିତି ହେଲେ ତା’କୁ ମଜା ଚଖେଇବାକୁ ପଡିବ । ସନ୍ଧ୍ୟାରେ ଠାକୁରାଣୀ ମନ୍ଦିର ପାଖରେ ମିଟିଂ ବସିଲା ଆଉ ପଞ୍ଚାୟତ ର ରାୟ ରେ ଲାଲଟୁ କୁ ଶୁଦ୍ଧି ହୋଇ ଜାତି ହବା ପାଇଁ ଗାଁ ଯାକ ଲୋକଙ୍କୁ ଭୋଜି ଦେବା ପାଇଁ କୁହା ଗଲା । ସେପଟେ କିନ୍ତୁ ଗାଁ ର ପଞ୍ଚ ମାନେ ମିଶି ନିର୍ଣ୍ଣୟ ନେଲେ ଯେ ରିଲା ଆଉ ଓଧ କୁ ମାରି ଦେବାକୁ ପଡିବ । ସେମାନେ ସମାଜ କୁ ଅବମାନନା କରିଛନ୍ତି । ଜାତି ର ଇଜ୍ଜତ କରି ନାହାନ୍ତି । ଆଜି ସେମାନଙ୍କୁ ଦଣ୍ଡ ନଦେଲେ କାଲି ଗାଁ ର ପିଲା ବି ସେଇୟା କରିବେ । ତେଣୁ ସେମାନଙ୍କୁ ମରିବାକୁ ପଡିବ । କିଛି ଟୋକା ଙ୍କୁ ନେଇ ଗୋଟେ ଟିମ ଗଢା ହେଲା । ଗାଁ ର ପଞ୍ଚ ମାନେ ବି ସେମାନଙ୍କର ସାଥ ଦେଲେ ଆଉ ଓଧ ଆଉ ରିଲା କୁ ଖୋଜିବାର ଅଭିଯାନ ଆରମ୍ଭ ହେଲା । ଲାଲଟୁ କୁ ଖବର ମିଳି ଗଲା ଯେ, ଗାଁ ଲୋକ ମିଶି ଓଧ ଆଉ ରିଲା କୁ ମାରି ଦେବାକୁ ଚାହୁଁଛନ୍ତି । ସେ ବି ଖୁସି ନଥିଲା କିନ୍ତୁ ଚାହୁଁଥିଲା ଏ ଦି ଜଣ ବଞ୍ଚି ରୁହନ୍ତୁ । ଏମାନଙ୍କୁ ମାରିବାକୁ ସେ ଚାହୁଁ ନଥିଲା । ଯାହା ହେଲେ ବି ରକ୍ତ, ରକ୍ତ କୁ ଟାଣେ । ଲାଲଟୁ ଓଧ ପାଖକୁ ଖବର ପଠେଇଲା କି ଯେତେ ଶୀଘ୍ର ପାରିବେ ସେମାନେ ଗାଁ ଛାଡି ଚାଲି ଯାଆନ୍ତୁ । ନହେଲେ ଗାଁ ବାଲା ସେମାନଙ୍କୁ ମାରିଦେବେ ।
ରିଲା ଆଉ ଓଧ ଜୀବନ ବିକଳରେ ସେ ଜାଗା ଛାଡି ଚାଲି ଯିବାକୁ ବସିଲେ । ପିନ୍ଧା ଲୁଗା ଛଡା ଆଉ କିଛି ବି ତାଙ୍କ ପାଖରେ ନଥାଏ । ଯେଉଁଠି ଜୀବନ ର ବାଜି ଲାଗିଯାଏ ସେଠି ଆଉ କଣ ବା ଦରକାର ? ଆପେ ବଞ୍ଚିଲେ ବାପ ର ନାଁ । ସେମାନେ ଦିନ ଦ୍ୱିପହରେ ସବୁ କିଛି ଛାଡି ଚାଲି ଗଲେ । କିନ୍ତୁ କେତେ ବାଟ ? ଯେଉଁଠି ପୁରା ପାଞ୍ଚ ଖଣ୍ଡ ଗାଁ ର ଲୋକ ତାଙ୍କ ପଛରେ ପଡିଛନ୍ତି, ସେମାନେ କେତେ ବାଟ ବା ଯାଇ ପାରିବେ । ରାଜ ରାସ୍ତା ରେ ପହଞ୍ଚି ବସ ଧରିବା ପୂର୍ବରୁ ସେମାନେ ଗାଁ ଲୋକଙ୍କ ହାତରେ ଧରା ପଡି ଗଲେ ଆଉ ବିନା କିଛି ବାକ୍ୟ ବ୍ୟୟ ରେ ସେମାନେ ବିଧା, ଚାପୁଡ଼ା, ଗୋଇଠା କଷି ଦେଇ ଗଲେ । ଓଧ ଆଉ ରିଲା କିଛି ସମୟ ପ୍ରତିବାଦ କଲେ, କିନ୍ତୁ ବାତ୍ୟା ଆଗରେ ଶୁଖିଲା ପତ୍ର ପରି ଏମାନଙ୍କ ପ୍ରତିବାଦ କୌଣସି କାମ ଦେଲା ନାହିଁ । ଓଲଟା ସେମାନଙ୍କ ରାଗ ଆହୁରି ବଢ଼ିଲା । ଓଧ ଆଉ ରିଲା ଦୁଇ ଜଣ ଯାକ ହୋଶ ରେ ନଥାନ୍ତି । ୪୫ ମିନିଟ ଧରି କ୍ରିକେଟ ଷ୍ଟମ୍ପ ରେ ମାଡ ପରେ, ତଥାପି ସେମାନଙ୍କର ରାଗ ଶାନ୍ତ ହୋଇ ନଥାଏ । ସେମାନେ ଓଧ ଆଉ ରିଲା ପେଟରେ ଭୁଜାଲି ଭୁସି ଦେଲେ । ନାଳ କଡ଼କୁ ଗଡେଇ ଦେଇ ମରିଗଲେ ବୋଲି ଭାବି ଛାଡ଼ି ଚାଲିଗଲେ ।
ରଖେ ହରି ମାରେ କିଏ ଆଉ ମାରେ ହରି ରଖେ କିଏ । କିଛି ସମୟ ପରେ ଓଧ ର ଚେତା ଆସିଲା । ଯନ୍ତ୍ରଣା ରେ ଦେହ ଶୀତେଇ ଯାଉ ଥାଏ । ଦେଖିଲା ରିଲା ପାଖରେ ପଡିଛି, ହୋଶ ନାହିଁ । ନାକରେ ହାତ ମାରି ଦେଖିଲା ବଞ୍ଚିଛି । ତା କାନ ରେ କାହାର ପାଦ ଶବ୍ଦ ଆସି ବାଜିଲା । ସେମାନେ ଯାଇ ନାହାନ୍ତି ବୋଲି ଭାବି, ସେ ମଲା ପରି ପଡି ରହିଲା । ପାଦ ଶବ୍ଦ ଗୋଟିଏ ଲୋକର ବୋଲି ଠଉରେଇଲା ପରେ ସେ ପାଣି ପାଣି ବୋଲି ଚିତ୍କାର କଲା । ଚିତ୍କାର କିନ୍ତୁ ଦୁଇ ଫୁଟ ରୁ ଅଧିକା ବାଟ ଶୁଣା ଯାଉ ନଥାଏ । ତା ତଣ୍ଟି ଶୁଖି ଯାଉ ଥାଏ । “ଯେତେ ବି ବାଧା ବିଘ୍ନ ଆସୁ ସେ ରିଲା କୁ ସବୁଥିରୁ ରକ୍ଷା କରିବ ” ନିଜକୁ ନିଜେ କରିଥିବା ପ୍ରତିଜ୍ଞା ତା’ର ମନେ ପଡିଗଲା । ରିଲା ର ଶାନ୍ତ ସରଳ, ଶେଥା ପଡି ଆସୁଥିବା ମୁଁହକୁ ଦେଖି ଦେଲା ପରେ ତା ଦେହର ବଳ ଯେମିତି ଶତ ଗୁଣ ବଢିଗଲା ପରି ଲାଗିଲା । ମଝି ନଈରେ ବୁଡି ଯାଉଥିବା ବେଳେ କୁଟା ଖିଅ କୁ ଆଶ୍ରା କଲା ପରି ସେ ତାର ସମସ୍ତ ବଳ ଖଟେଇ ପାଣି ପାଣି ବୋଲି ଚିତ୍କାର କଲା ।
ବାଞ୍ଛାନିଧି ବାବୁ କାରରେ ସହରକୁ ଫେରୁଥାନ୍ତି । ଗାଡି ରଖି ପରିସ୍ରା ଯିବା ବେଳେ ସେ କାହାର ଚିତ୍କାର ଶୁଣି ପାରିଲେ । ଚୋର ଖଣ୍ଟ ହେଇ ଥିବେ ଭାବି ସେ ଟିକେ ଅଟକି ଗଲେ । ପାଣି ପାଣି ର ଡାକ ଶୁଣି ପାଖକୁ ଆସି ଦେଖନ୍ତି ତ, ପୁରୁଷ ଆଉ ସ୍ତ୍ରୀ ଲୋକ ଦୁଇ ଜଣ ପାଖ ପାଖି ପଡ଼ିଥାନ୍ତି । ରକ୍ତ ବୋହି ମାଟି ଓଦା ହେଇ ଯାଇ ଥାଏ । ସ୍ତ୍ରୀ ଲୋକ ର ହୋଶ ନଥାଏ । କିନ୍ତୁ ପୁରୁଷ ଲୋକ ଜଣକ ତା’ର ସମସ୍ତ ବଳ ପ୍ରୟୋଗ କରି ଉଠିବାକୁ ଚେଷ୍ଟା କରୁ ଥାଏ । ପିନ୍ଧା ଲୁଗା ରକ୍ତ ରେ ଜୁଡୁବୁଡୁ । କଣ ହେଲା କଣ ହେଲା ପଚାରିଲା ବେଳକୁ ପୁରୁଷ ଲୋକର ଚେତା ବୁଡି ଯାଉ ଥାଏ, ପୁଣି ପାଣି ମାରି ଚେତା କରୁଥାନ୍ତି । ବାଞ୍ଛାନିଧି ବାବୁ ତୁରନ୍ତ ଦୁଇ ଜଣଙ୍କୁ ଡାକ୍ତରଖାନା ନେବା ବ୍ୟବସ୍ତା କଲେ ।
ବାଞ୍ଛାନିଧି ବାବୁ ବହୁତ ବଡ ବ୍ୟବସାୟୀ । ସହରରେ ତାଙ୍କର ବହୁତ ନାଁ ଡାକ । ପୁଅ ଦି ଜଣ ବଡ ଇଞ୍ଜିନିଅର । ବିଦେଶରେ ରହନ୍ତି । ଘରେ ବୁଢା ବୁଢ଼ୀ ଦି ଜଣ । ଓଧ ଆଉ ରିଲା ଭଲ ହୋଇ ଡାକ୍ତର ଖାନା ରୁ ଫେରିଲେ । ବହୁତ ପଇସା ଖର୍ଚ୍ଚ ହେଲା । ବାଞ୍ଛାନିଧି ବାବୁ ସବୁ ପଇସା ଖର୍ଚ୍ଚ କଲେ । ଗୋଟେ ବିଶ୍ଵସ୍ଥ ଲୋକ ଦରକାର ଥିଲା । ଓଧ ଆଉ ରିଲାଙ୍କ ପାଇଁ ନିଜ ଘର ର ଅଗଣା ଭିତରେ ଘର ଖଣ୍ଡେ ତିଆରି କରି ଦେଲେ ଆଉ ପାଖରେ ରଖିଲେ । ଭାଗ୍ୟ ଯେତେ ବେଳେ ସାଙ୍ଗରେ ଥାଏ ସେତେବେଳେ ଭିକାରି ବି ଘୋଡା ଚଢେ ଆଉ ଭାଗ୍ୟ ସାଙ୍ଗରେ ନଥିଲେ ନଳ ରାଜା ବି ଘୋଡା ପାଇଁ ଘାସ କାଟେ । ଓଧ ଆଉ ରିଲା ଜୀବନ ର ସଂଘର୍ଷ ରେ ଜିତି ଗଲେ । ଆଉ ବାପ ମା ହେବାର ସୌଭାଗ୍ୟ ବି ପାଇଲେ । ପ୍ରଥମ କରି ବାପ ମା ହେଲା ପରେ ଓଧ ଆଉ ରିଲା ଦୁଇ ଜଣଙ୍କ ଖୁସି ଦେଖେ କିଏ ? ପିଲାଟି ର ଛୋଟ ଛୋଟ ହାତ ଗୋଡ, କୁନି କୁନି ଆଙ୍ଗୁଠି, ଚେପେଟା ନାକ, କୁଆଁ କୁଆଁ କାନ୍ଦ, ସେମାନଙ୍କ ସବୁ ଦୁଃଖ ଦୂର କରିବ ପାଇଁ ଯଥେଷ୍ଟ ଥିଲା । ଆସ୍ତେ ଆସ୍ତେ ପିଲା ଟି ବଡ ହେବାରେ ଲାଗିଲା । ତାର ଦରୋଟି କଥା ଶୁଣି ଓଧ ଆଉ ରିଲା ଯେମିତି ଦୁନିଆଁ ର ସବୁ ଦୁଃଖ ଭୁଲି ଭୁଲି ଯାଉଥିଲେ ।
ପିଲାଟି ର ମୁହଁକୁ ଚାହିଁ ସେ ସବୁ ଦୁଃଖ, ପଛ କଥା ସବୁ ଭୁଲି ଯିବାକୁ ବସିଲେ । ମରଣ ମୁହଁ ରୁ ବଞ୍ଚେଇବା ଲୋକ କୁ କଣ କିଏ କେବେ ଧୋକା ଦେଇ ପାରେ । ଓଧ ଆଉ ରିଲା ବି ବାଞ୍ଛାନିଧି ବାବୁଙ୍କ ପ୍ରତି ବିଶ୍ଵସ୍ଥ ହୋଇ ରହିଲେ । ଆସ୍ତେ ଆସ୍ତେ ଓଧ, ବାଞ୍ଛାନିଧି ବାବୁଙ୍କ ପ୍ରିୟ ପାତ୍ର ହୋଇ ଗଲା । ଏବେ ସେ ବାଞ୍ଛାନିଧି ବାବୁଙ୍କ ମ୍ୟାନେଜର ।
ସହରରେ ଲୋକେ ଜାତି କି ଗୋତ୍ର ଦେଖନ୍ତି ନାହିଁ ଦେଖନ୍ତି ପଇସା । ଯାହାର ଯେତେ ପଇସା ସେ ସେତେ ବଡ଼ଲୋକ । ତା’ର ସେତେ ବଡ ଜାତି । ଏଠି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୁଦ୍ର ଜାତି ନଥାଏ, ଏଠି ଥାଏ ପଇସା ର ଜାତି, ଧନୀ ଆଉ ଗରିବ । ଓଧ ପୁଣି ଥରେ ଉଦ୍ଧବ ହୋଇ ଗଲା । ଏବେ ସେ ଉଦ୍ଧବ ବାବୁ । ମ୍ୟାନେଜର ସାର । ଏଠି କେହିବି ତାକୁ କେବେ ତା ଜାତି କି ଗୋତ୍ର ପଚାରି ନାହାନ୍ତି । ଏପରିକି ବାଞ୍ଛାନିଧି ବାବୁ ବି ନୁହଁ । ସେ ଏବେ ଘର ର ଜଣେ ମେମ୍ବର ।
ଉଦ୍ଧବ ବାବୁଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ । ରିଲା ର ସଂସାର କହିଲେ ଓଧ, ପୁଅ ଆଉ ଝିଅ । ପୁଅ ଏବେ ଯୁକ୍ତ ଦୁଇ ପରୀକ୍ଷା ଦେବ ଆଉ ଝିଅ ର କ୍ଲାସ ୧୦ । ପୁଅ ର ନାଁ ସୌମ୍ୟ ସୁଦର୍ଶନ ଆଉ ଝିଅ ର ନାଁ ପ୍ରିୟଙ୍କା ପ୍ରିୟଦର୍ଶିନୀ । ନାଏକ ର ସାଙ୍ଗିଆ କୁ ସେ କେବେଠୁ ପୋଛି ଦେଇଛି । ନିଜ ନାଁ ରଖିଛି ଉଦ୍ଧବ ଚରଣ ।
ଖଲାରି, ଅନୁଗୋଳ, ଓଡ଼ିଶା ପିନ୍:-୭୫୯୧୨୨

ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ

ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ

 

ବି.ଦ୍ର. –ଏହି ଦୁଇଟି ଗପ ମଧ୍ୟରେ କୌଣସି ସମ୍ପର୍କ ନାହିଁ I

ବୋର୍ଡିଙ୍ଗ ସ୍କୁଲ

ଲିଟୁ ର ବାପା ଆଉ ମା ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଲିଟୁ ପାଇଁ କାହାର ବି ସମୟ ନଥାଏ I ଲିଟୁ, ୧ ବର୍ଷ ରୁ ଆୟା ପାଖରେ ରହେ I ତା ପାଖରେ ଖାଏ, ଶୁଏ, ଗପ ଶୁଣେ, କାନ୍ଦେ, ବୋବାଏ, ତାକୁ ମାରେ, ତାଠୁ ମାଡ ବି ଖାଏ, ପୁଣି କାନ୍ଦେ, ପୁଣି ମାଡ ଖାଏ ଆଉ କାନ୍ଦି କାନ୍ଦି ଶୋଇପଡେ I ଉଠିଲା ବେଳକୁ ଭୁଲି ଯାଇଥାଏ ମାଡ କଥା I ଭୋକ ଲାଗିଲେ ଖାଇବାକୁ ମାଗେ I ଖାଇ ସାରି ଖେଳନା ଧରିକି ଖେଳେ I ଆୟା ସହ ଗୁଲୂରୁ ଗୁଲୂରୁ ହୁଏ I କିଏ ଶୁଣୁ ନଶୁଣୁ ନିଜେ ନିଜେ କଥା ହୁଏ I ରାତି ୯ ଟା ରେ ବାପା ଆଉ ମା ଆସନ୍ତି I ତାଙ୍କ ଭିତରେ କଣ ସବୁ କଥା ହୁଅନ୍ତି I ଲିଟୁ କୁ ଟିକେ କୋଳ କରି ଗେଲ୍ହେଇ ହୁଅନ୍ତି ଆଉ ପୁଣି ନିଜ ନିଜ ଲାପଟପ ଆଉ ମୋବାଇଲ  ଧରି ଟି.ଭି. ଦେଖନ୍ତି ନହେଲେ ଅଫିସ କାମ କରନ୍ତି I ଲିଟୁ କୁ ଏବେ ୫ ବର୍ଷ I ବାପା ଆଉ ମା କଥା ହେଉଥିଲେ ତାକୁ ବୋର୍ଡିଙ୍ଗ ସ୍କୁଲ ରେ ଛାଡି ଦେବାପାଇଁ I ଏଠି ତାଙ୍କୁ ଟାଇମ ନାହିଁ ଲିଟୁ କଥା ବୁଝିବାକୁ I ଦି ଜଣ ଯାକ ତ ଅଫିସ ଯିବେ, କାମ କରିବେ I ଆଜିକାଲି ତ ଦି ଜଣଙ୍କ ଦରମା ନହେଲେ ଚଳି ହବନି I ଗାଡି, ଘର, ବାଙ୍କ ବାଲାନ୍ସ, AC କାର, ଡୁପ୍ଲେକ୍ସ ସେଣ୍ଟ୍ରାଲ ଏ.ସି. ଘର, ଡବଲ କାର, ଦାମୀ ମୋବାଇଲ, ଦାମୀ ଲାପଟପ, ବ୍ରାଣ୍ଡେଡ ଡ୍ରେସ, ଏ ସବୁ ପାଇଁ ତ ପଇସା ଦରକାର ନା ? ପିଲା କଥା ବୁଝିଲେ ଏ ସବୁ କରି ହବନି I ତା ପାଇଁ କଣ ଆମେ ଆମ କ୍ୟାରିଅର ନଷ୍ଟ କରିବୁ ? ସେ ତ ବୋର୍ଡିଙ୍ଗ ସ୍କୁଲ ରେ ରହି ପାରିବ I ଛୋଟ ବେଳୁ ନିଜ କଥା ନିଜେ ବୁଝିବା ଦରକାର I ନହେଲେ ବଡ ହେଲେ କଣ କରିବ ? ସବୁ ପିଲା ତ ପୁଣି ସେଠି ରହୁଛନ୍ତି I ଭଲ ଖାଇବା, ଭଲ ଟିଚର, ସେଣ୍ଟ୍ରାଲ ଏ.ସି. ସ୍କୁଲ, ଆଟାଚ ହଷ୍ଟେଲ ଆଉ କଣ ଦରକାର I ଏଠି ଆୟା କୁ ପଇସା ଦେବାକୁ ପଡୁଛି I ଲିଟୁ କୁ ସ୍କୁଲ ଛାଡିବା ଆଉ ଆଣିବା ଅସୁବିଧା I ସେ ଆସିଲା ବେଳକୁ ଘରେ କେହି ନଥିବେ I ଚାକର ବାକରଙ୍କୁ ବିଶ୍ୱାସ ନାହିଁ I ଚୋରି ଡକାୟତି ର ଭୟ I ଭଲ ହେଲା ସେ ଯଦି ବୋର୍ଡିଙ୍ଗ ସ୍କୁଲ ରେ ରହିବ I ଲିଟୁ ୫ ବର୍ଷ ବୟସ ରୁ ବୋର୍ଡିଙ୍ଗ ସ୍କୁଲ କୁ ଚାଲିଗଲା I

ଵୃଦ୍ଧାଶ୍ରମ

ଲିଟୁ ଆଉ ତା ସ୍ତ୍ରୀ ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଆସିବାର ଠିକ ଠିକଣା ନଥାଏ I  ଘରେ ବାପା ମା ଦି ଜଣ I  ବୟସ ହେଇ ଗଲାଣି I ଏବେ ଆଉ ଉଠି ବସି ପାରୁ ନାହାନ୍ତି I ବାହାରକୁ ଗଲେ ସାଙ୍ଗରେ ଯିବାକୁ ପଡେ I  ଏକ ଦୁଇ ବେଳେ ବେଳେ ଲୁଗାପଟା ରେ ହେଇ ଯାଏ I ସବୁବେଳେ ତାଙ୍କୁ ଜଣେ ଲୋକ ଦରକାର କଥା ହେବାକୁ I ଆଜିକାଲି ଦିନରେ ଟାଇମ କାଇଁ କାହାକୁ ? ନିଜକୁ ତ ମରିବାକୁ ଫୁରସତ ନାହିଁ, ଏମାନଙ୍କ କଥା କିଏ ବୁଝିବ ? ଚାକର ରଖିଲେ ତାକୁ ଗାଳି କରିବେ ଯେ ସେ ଦି ଦିନରେ ଛାଡି କି ପଳେଇବ I ଅଫିସ ରୁ ଆସି ଦଣ୍ଡେ ବସିଥିବ କି ନାହିଁ ପୁଣି କାଲି ପାଇଁ ପ୍ରିପାର ହେବାକୁ ପଡିବ I ତା’ ପରେ ଆଜିକାଲି ଜିନିଷ ଯାହା ମହଙ୍ଗା ହେଲାଣି ଦି ଜଣଙ୍କ ଦରମା ନହେଲେ ନଚଳେ I ଦର ଦାମ ତ ହୁ ହୁ ହେଇ ବଢୁଛି I ସେଥିରେ ପୁଣି ଛୁଆ ପାଇଁ ପ୍ଲାନିଂ କଲେ ତା ଖର୍ଚ I ବୁଢା ବୁଢ଼ୀଙ୍କ ପାଇଁ ତ ଆଉ ଚାକିରୀ ଛାଡି ହବନି I ପୁଣି ଏମାନେ ଏକା ରହିଲେ, ଆଜିକାଲି ଯାହା ହେଲାଣି, କେଉଁଠି ବୁଢା ବୁଢୀଙ୍କୁ ମାରି ସୁନା ଗହଣା ଲୁଟ ତ କେଉଁଠି ଡକାୟତି I ଭଲ ହବ ଯଦି ଏମାନଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଦିଆ ଯାଏ I ସେଠି ସମବୟସର ସାଥି, ଭଲ ଖାଇବା, କାମ କରିବାକୁ ନର୍ସ, ଡାକ୍ତର, ଏ.ସି. ରୁମ ସବୁ ତ ଅଛି I ମାସକୁ ମାସ ପଇସା ଦେଲେ ସବୁ ମିଳିଯିବ I ବୁଢା ବୁଢ଼ୀ ଦି ଜଣଙ୍କୁ ଵୃଦ୍ଧାଶ୍ରମ କୁ ପଠେଇ ଦିଆ ଗଲା I

                            ——————–xxx——————–

       ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟ ରୁ ନ ଜାଣିଲା, ସେ କଣ ପାଇଁ ବୁଢା ବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ I ସେଇ ପିଲା ଯଦି ବାପା ମାଙ୍କ ସ୍ନେହ ଶ୍ରଦ୍ଧା ପାଇ କି ବଢ଼ିଲା ତେବେ ଯାଇ ତାର ଆକର୍ଷଣ ରହିବ I ଛୋଟ ବେଳେ ସେ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ହେଲେ, ସେ କଣ ଶିଖିଵ, କଣ ଜାଣିବ, କଣ ବୁଝିବ, ଗୋଟେ ମନ ର କଥା ? ଛୋଟ ବେଳେ ତା ମନ କଥା କିଏ ବୁଝିଥିଲା ? ସେ ବି ତ ଚାହୁଁ ଥିଲା, ବାପା ମା ତ ସହ ଖେଳନ୍ତୁ, ବୁଲନ୍ତୁ, ତାକୁ ସମୟ ଦିଅନ୍ତୁ, ଗେଲ କରନ୍ତୁ I ସେ କଣ ପାଇଥିଲା ସେ ସବୁ ? ନା I

ଆଗରୁ ଗାଁ ରେ ଯୌଥ ପରିବାର ରହୁଥିଲେ, ବାପା, ମା, ବଡ ବାପା, ବଡ ମା, ଜେଜେବାପା, ଜେଜେ ମା, କାକା, ଖୁଡି, ଆଉ ତା ଭାଇ ଭଉଣୀ ମାନେ I କେତେ ଭଲ ଲାଗୁଥିଲା I ଜେଜେଙ୍କ କଥା ମାନି ସମସ୍ତେ ଭଲ ରେ ଥିଲେ I ନା ଥିଲା ପାତର ଅନ୍ତର, ନା କମ ବେଶୀ ର ଭୟ I ସମସ୍ତେ ସମାନ ଖାଇବେ, ରୋଷେଇ ଏକାଠି ହବ, ଏକା ସାଙ୍ଗରେ ମିଳିମିଶି ଖାଇବେ, ପଢିବେ, ସ୍କୁଲ ଯିବେ I ସ୍ତ୍ରୀ ଲୋକ ମାନେ ବାସନ ମଜା, ଘର ଓଳା, ରୋଷେଇ ଠୁ ପିଲାଙ୍କ କଥା ସବୁ ବୁଝୁ ଥିଲେ I କିଏ କଣ କାମ କରିବ ସେ ସବୁ ଜେଜେମା ବୁଝୁ ଥିଲା I ସେଠି ନା ଥିଲା ତୋ ପୁଅ, ମୋ ପୁଅ ର ବାଛ ବିଚାର ନା ଥିଲା ହିଂସା, ଛିଡା ଅବା ପ୍ରତିବାଦ ର ସ୍ୱର I ବୁଢା ବୁଢ଼ୀ ମାନେ ବୋହୁ ପରଷIଖାଇ, ନାତି ନାତୁଣୀଙ୍କ ସହ ଖେଳି, ବୁଲି ଭଲ ରେ ଥିଲେ I ଛୁଆମାନେ ବି ଜେଜେ, ଜେଜୀ ବୋଲି ପାଣି ପିଉ ନଥିଲେ I ନା ଥିଲା ଏକେଲା ପଣ ର ଦୁଃଖ, ନା ଥିଲା ଚୋରି ଡକାୟତି ର ଭୟ I ଛୁଆ ମାନେ ଦୁଷ୍ଟ ହେଲେ ମା ମାନେ ଗାଳି କରନ୍ତି, ବାଡ଼ାନ୍ତି I ସେତେବେଳେ ଆସି ଜେଜେ ଆଉ ବଡବାପା ଙ୍କ ପାଖରେ ଚୁପ ଚାପ ବସି ଯାଅ I ମା, ନା ଶଶୁରଙ୍କ ଆଗକୁ ଆସିବ ନା ଦେଢ଼ଶୂରଙ୍କ ଆଗକୁ I ବାସ, ବଞ୍ଚିଗଲା ମଣିଷ I ସେ ମଜା ଯିଏ ପାଇଛି, ସେ ହିଁ ଜାଣିଛି I

ଭାଇମାନେ ବେଳୁ ସାବଧାନ, ସୁଧୁରିବା ଲୋକ ସୁଧୁରି ଯାନ୍ତୁ I

 

ଉପର ବରଡା ଖସୁଛି, ତଳ ବରଡା ହସୁଛି, ମଝି ବରଡା ଥାଇ କହୁଛି, ମୋ ଦିନ କାଳ ଆସୁଛି I

—X—

ଗପ ର ଅଗ ଆଉ ମୁଳ…

ଗପ ର ଅଗ ଆଉ ମୁଳ… 

ମୁଁ ଆପଣକୁ ଗୋଟେ ଗପ କହୁଚି …ଯାହାର ୪ ଟା ଭାଗ..

ଭାଗ-୧:- ବାପା ମା ଗାଡି ରେ ଯାଉଛନ୍ତି I  ତେଲ ସରିଗଲା I 

ମା : ଏବେ କଣ କରିବା ? କେମିତି ଯିବା ?

ବାପା ଗୋଟେ ଯୋରଦାର୍  ଚାପୁଡା ମାରିଲା  ଆଉ କହିଲା : ଗାଡି ମୁଁ ଚଳଉଚି  ନାତମେ? 

.

.

.

.

ଭାଗ-2 :- ମା ରୋଟୀ ତିଆରି କରୁଚି I  ପିଲାମାନେ ଖାଉ ଖାଉ ସବୁ ରୋଟୀ ଖାଇଦେଲେ I 

ବାପା : ଏବେ ଅମେ କଣ ଖାଇବା ?

ମା ର ମନେ ପଡିଗଲା ..ସେ ଗୋଟେ ଯୋରଦାର୍ ଚାପୁଡା ମାରିଲା  ଆଉ କହିଲା :ରୋଟୀ ମୁଁ  ତିଆରି କରୁଚି ନା ତମେ ?  

.

.

ଆଉ ତା ପରେ …

.

.

ଭାଗ-୪ :- ବାପା , ମା ଦି ଜଣ ଯାକ ବଗିଚା ରେ  କାମ କରୁଛନ୍ତି ,ପୁଅ କାଂଦିଲା I 

ଦୁଇ ଜଣ ଯାକ ଉଠିକି ପୁଅ ପାଖକୁ ଧାଇଁଲେ…

ଗପ ଶେଷ ..  ଧନ୍ୟବାଦ୍ 


କେବେ ବି ପଚାରିବନି ଭାଗ :-୩ କୁଆଡେ ଗଲା?.. ନହେଲେ ଗୋଟେ ଢୋ କରିଚାପୁଡା ଖାଇବ ଆଉ ତା ପରେ ମୁଁ କହିବି : ଗପ ମୁଁ କହୁଚି ନା ତମେ ?   ହା ହା ହା …

ଶେଷ ନଥିବା ଗପ …

ଶେଷ ନଥିବା ଗପ

ଏହା ମୋ ନିଜ କଥା ଓ ଗୋଟିଏ ସତ ଘଟଣା . ..

ମୋ ଅଜା ମୋତେ କେବେ ବି ଗପ କହି  ନାହାନ୍ତି I  … କେବଳ  ଗୋଟିଏ  କୁ  ଛାଡି I..

ଦିନେ  ମୁଁ   ତାଂକୁ ବହୁତ  ବାଧ୍ୟ  କରିବା  ପରେ  ସେ  ରାଜି  ହେଲେ, ଓ  କହିଲେ : .ମୁଁଗୋଟେ  ଗପ କହିବି  ଯେଉଁଟା   କେବେ  ବି  ସରିବନି ..

ମୁଁ   ଭାବିଲି …ବହୁତ  ବଢିଆ.. 

ସେ  ଆରମ୍ଭ  କଲେ ..

ଗୋଟେ  ରାଜ୍ୟ  ଥିଲା I ରାଜ୍ୟ  ରେ  ବହୁତ୍  ଦିନ  ହେଲା  ମରୁଡି  ପଡୁଥିଲା I ଲୋକ ମାନେ  ଖାଇବାକୁ  କି  ପାଣି  ମୁନ୍ଦେ  ପି ବାକୁ  ପାଉ  ନଥିଲେ I

ଦିନେ  ସେ  ରାଜ୍ୟ  କୁ  ଗୋଟେ  କାଉ  ଉଡି ଉଡି  ଆସିଲା I ସେ  ରାଜ୍ୟବାସିଂକ ଅବସ୍ତା  ଦେଖିଲା I ତାକୁ ବହୁତ  ଦୁଖ ଲାଗିଲା I ସେ  ଚିନ୍ତା  କଲା କଣ  କରା  ଯାଇ ପାରିବ ?

ସମସ୍ତେ  କହନ୍ତି  କାଉ  ବୁଧିଆ I ..ସେ  ଭାବିଲା  ମୋତେ  କିଛି  ଗୋଟେ  କରିବାକୁ ପଡିବ ..

କିଛି ସମୟ  ଚିନ୍ତା  କଲା  ପରେ ,ସେ  ତା  କାମ  ଆରମ୍ଭ  କଲା ..

ସେ  ଉଡି  ଉଡି  ପାଖ  ରାଜ୍ୟ  କୁ  ଗଲା  ଆଉ  ଥନ୍ତରେ  ପାଣି  ଆଣି   ଏପଟ  ରାଜ୍ୟ ର  ପୋଖରି  ରେ  ପକେଇଲା I

ପୁଣି  ଉଡି  ଉଡି  ଗଲା ,ଆଉ ପାଣି  ଆଣି   ଏପଟ  ରାଜ୍ୟ  ର  ପୋଖରି  ରେ ପକେଇଲା ..

ପୁଣି  ଉଡି  ଉଡି  ଗଲା ,ଆଉ ପାଣି  ଆଣି  ପୋଖରି  ରେ  ପକେଇଲା ..

ପୁଣି  ଉଡି  ଉଡି  ଗଲା  ଆଉ  ପାଣି  ଆଣି  ପୋଖରି  ରେ  ପକେଇଲା ..

ଏତିକି  କହି ,ଅଜା  ଶୋଇ  ପଡିଲେ !!!….

ମୁଁ  ତାଂକୁ   ଉଠେଇ  କି  ପଚାରିଲି …ଅଜା  ତା  ପରେ  କଣ  ହେଲା ??

ସେ  କହିଲେ :: କିଛିଦିନ   ଅପେକ୍ଷା  କର I …ପୋଖରି  ରେ  ପାଣି  ପୁରି  ଗଲେ କହିବୁ …ତା  ପରେ  ମୁଁ   ପୁଣି  କହିବି …

.

.

.

.

ମୁଁ  ଏବେ  ଯାଏ  ବି  ଅପେକ୍ଷା  କରିଚି  ସେ  ପୋଖରି  କେବେ  ପୁରିଯିବ I …ଯଉ ରାଜ୍ୟ ରେ  ବହୁତ୍  ବର୍ଷ ହେଲା  ମରୁଡି  ପଡିଚି  ସେଠି  ସେ  କାଉ , ତା  ଥନ୍ତରେ ରେ  କେତେ  ପାଣି  ଆଣିବ ଯେ  ପୋଖରୀ ପୁର୍ଣ  କରିବ??

ସେ  ମୋତେ  ଏଇ   ଗପ  କହି  ଥିଲେ  ଯେତେ  ବେଳେ  ମୁଁ   ମାତ୍ର ୬  ବର୍ଷ ର  ଥିଲି I ..ଏବେ  ମୋତେ  ୩୧+ ..

କିଛି  ଦିନ  ପୁର୍ବରୁ  ତାଂକୁ   ପଚାରିଥିଲି  : ଅଜା ..ତା  ପରେ  କଣ  ହେଲା ?

ଅଜା କହିଲେ : ପୋଖରୀ  ପୁରା  ହେଇ  ଗଲାଣି ??

ମୁଁ  ତାଂକୁ   କିଛି   ସମୟ  ଚାହିଁଲି  ଆଉ  କହିଲି : ନାଁ  ..ହେଇନି ..

ଅଜା କହିଲେ : ଯେବେ  ପୁରା  ହବ  ମୋତେ  କହିବୁ ..

ମୁଁ କହିଲି : ହଉ ..

ପାଠକ  ମାନନ୍କୁ    ମୁଁ   ଜଣେଇ  ଦେବା  ପାଇଁ   ଚାହେଁ   ଯେ …ମୋ  ଅଜାଙ୍କୁ ଏବେ 92  ବର୍ଷ ଆଉ  ବୁଢା  ଯୋଗୁଁ  ତାଙ୍କର କିଛି  ମନେ ରହୁନି ..ଏପରିକି  ମୁଁ  ,ମୋ  ଭାଇ, ମା ,ଘରଲୋକ ,ଆଇ ,ବନ୍ଧୁବାନ୍ଧବ  କାହାକୁ  ବି   ଚିନ୍ହି  ପାରୁନାହାନ୍ତି ..

ମୁଁ  ଆଶ୍ଚର୍ଯ୍ୟ ହେଉଛି ଯେ  କେମିତି  ତାଙ୍କର ସେ  ଗପ  ଆଜି  ଯାଏ  ମନେ  ଅଛି  ??

ହଁ …ଏଇଟା ଭଲ ପାଇବା ..ମୁଁ  ବି  ମନେ  ରଖିଚି  ମୋ  ପିଲାବେଳୁ ..

ବେଳେ  ବେଳେ  ଭାବେ  ତାଂକୁ  କହିଦେବି ..ଅଜା  ପୋଖରି  ପୁରି  ଗଲା …

କିନ୍ତୁ  ନା ..କେବେ  ବି  କହି  ପାରିନି …କାରଣ  ସେ  ବି  ଅପେକ୍ଷା  କରିଛନ୍ତି ..

.

.

.

ଗୋଟେ  ଦିନ  ମୁଁ  ମୋ  ଆଇଙ୍କୁ ଏକଥା  କହିଲି ..ସେ  କହିଲେ  ହଁ  ..ଯେତେବେଳେ ତୋ  ଅଜା  ଛୋଟ   ଥିଲେ  ତାଂକ  ଜେଜେବାପା  ତାଂକୁ   ଏଇ   କାହାଣୀ  କହିଥିଲେ..ଆଉ  ସେ ଆଜି  ଯାଏ  ଅପେକ୍ଷା   କାରିଛନ୍ତି ..କେବେ  ପୋଖରି  ପୁରା  ହେବ ..

.

.

.

.

.

ଆଉ  ଏବେ  ମୁଁ   ଭାବୁଚି  ମୁଁ  ବି  ମୋ  ନାତି  କୁ  ଏଇ  ଗପ  କହିବି …ଆଉ…ବୋଧହୁଏ  ଏହି   ଧାରା  ଚାଲୁ  ରହିବ

 

—X—

ରାଜା , ପଂଗପାଳ ଓ ଅସରନ୍ତି ଗପ..

ରାଜା , ପଂଗପାଳ ଓ ଅସରନ୍ତି ଗପ.. 
 
ଲୋକ କଥା ରେ ପ୍ରଚଳିତ..
ଗୋଟେ ରାଜ୍ୟ ରେ ଜଣେ ରାଜା ଥିଲେ I  ତାଂକର ଗୋଟେ ବହୁତ୍ ବଡ ରାଜ୍ୟ ଥିଲା I  ସେଠାରୁ ବହୁତ୍ ରାଜସ୍ବ ଆଦାୟ ହେଉଥିଲା I  ସେ ସବୁ ଶସ୍ୟ କୁ  ଅମାର ଘରେ ରଖୁଥିଲେ I ତାଂକ ଅମାର ଘର ବହୁତ୍ ବଡ ଥିଲା I ଏତେ ବଡ ଥିଲା ଯେ ପୁରା ରାଜ୍ୟ ର ଲୋକେ ୧୦ ବର୍ସ ଧରି କି ଖାଇଲେ ବି ସରିବନି I  ରାଜା ସେଥିପାଇଁ ନିଜକୁ ଭାଗୟବାନ୍ ମାନେ କରୁଥିଲେ ଓ ବହୁତ୍ ଗରବ ବି କରୁଥିଲେ I 
 
ଦିନେ ତାଂକ ରାଜ୍ୟ କୁ ଦଳେ ପଂଗପାଳ ଆସିଲେ I ସେତେବେଳେ ଧାନ ଅମଳ ସରି ଯାଇଥାଏ I ଆଉ ରାଜା ସମସ୍ତଂକ ଠାରୁ କର ଆଦାୟ କରି ସାରି ଅମାର ଘରେ ରଖିଥାନ୍ତି I କିନ୍ତୁ ରାଜଂIକୁ ଜଣା ନଥାଏ ଯେ ତାଂକ ଅମାର ଘରେ ଗୋଟେ ଛୋଟ କଣା ଅଛି I 
 
ପଂଗପାଳ ଦଳ ସବୁ ଆଡେ ବୁଲି ବୁଲି କିଛି ପାଇଲେ ନାହିଁ I କାରଣ ସେତେ ବେଳକୁ ତ ସମସ୍ତେ ଧାନ ଅମଳ କରି ସାରି ଥାନ୍ତି ଆଉ ସମସ୍ତେ ଶସ୍ୟ ସବୁ   ସୁରକ୍ଷିତ ଜାଗାରେ ରଖି ସରିଥାନ୍ତି I ପଂଗପାଳ ଦଳ ସବୁ ଆଡେ ଖୋଜିଲେ କିନ୍ତୁ କୌଠି କିଛି ବି ପାଇଲେ ନାହିଁ I ସବୁ ଆଡେ ଖୋଜୁ ଖୋଜୁ ଗୋଟେ ପଂଗପାଳ ରଜାଂକ ଅମାର ଘରେ ଥିବା କଣା ଟା ପାଇ ଗଲା I ସେ ସବୁ ପଂଗପାଲଂକୁ ଜଣେଇ ଦେଲା I କିନ୍ତୁ ଗୋଟେ ଅସୁବିଧା ଥିଲା I  କଣା ଟା ଏତେ ଛୋଟ ଥିଲା ଯେ ସେଥିରେ କେବଳ ଗୋଟେ ପଂଗପାଳ ପସି ପାରିବ I ସେମାନେ ବିଚାର କଲେ ଯେ ଜଣ ଜଣ କରି ଭିତରକୁ ଯିବେ ଆଉ ଧାନ ଖାଇ କି ଆସିବେ I 
 
ତା ପରେ..
 
ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I 
ଆଉ ଗୋଟେ ପଂଗପାଳ ଆସିଲା, କଣା ପଟେ ଅମାର ଘରେ ପସିଲା, ଗୋଟେ ଧାନ ଧରି କି ବାହାରକୁ ଆସିଲା I  …
 
 
ସବୁ ପଂଗପାଳ ଧାନ ଖାଇ ସାରିଲେ , ମୋତେ କହିବ.. ତାପରେ କଣ ହେଲା ମୁଁ କହିଦେବି I 
 
 
ଅପେକ୍ଷା କର ….
 
                                                            —————–xxx—————–
 
ପଂଗପାଳ : ଛୋଟ କୀଟ ଜାତୀୟ ଜୀବ I ଗୋଟେ ଦଳ ରେ ସେମାନେ ଲକ୍ଷ ଲକ୍ଷ ସଂଖା ରେ ଥାଆନ୍ତି I  

ଶୁକୁରୀ ଦେଇ

ଶୁକୁରୀ ଦେଇ

        ଶୁକୁରୀଦେଇ ଚାଲିଗଲା I ସେ ଥିଲା ଆମ ସାହି ର ମୁରବୀ I ସେ ଗୋଟେ ଗାଁ ରଗୋଟେ ଗରିବ ପରିବIର ରୁ ଆସିଥିଲା I ବାପା ଚାଲିଗଲା ପରେ ମା’ର ସେ ଥିଲା ସାହସI ସେ ପାଠ ପଢି ଥିଲା ଆଉ ଗୋଟେ ଟାଇପିଂଗ୍ ସେନଟର୍ ରେ ଟାଇପିସ୍ଟ୍ ଥିଲା I ମାତାକୁ ଗୋଟେ ଭଲ ଘର ଦେଖି ବାହା ଦେଇଥିଲେ I କିନ୍ତୁ କିଛି ଦିନ ପରେ ଜଣା ପଡିଲାଯେ ତା ସ୍ବାମୀ ଗୋଟେ ନିକମା I କିଛି କାମ କରେ ନାହିଁ ,ସବୁବେଳେ ମଦ ପି ବୁଲୁଥାଏ Iଘରେ ସବୁବେଳେ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ଶାଶୁ ଶ୍ବଶୁର ଭାବି ଥିଲେ ,ବାହାକରିଦେଲେ ଭଲ ହୋଇ ଯିବ I କିନ୍ତୁ ନାଁ , ଯେଉଁଟା କୁ ସେଇଟା , କିଛି ବି ବଦଳିଲା ନାହିଁ Iତାକୁ ବାହା ହେଲା ପରେ ଗୋଟେ ଝିଅ ର ଜୀବନ ଯେ ନସ୍ଟ ହୋଇଯିବ ଏକଥାଶାଶୁ,ଶ୍ବଶୁର ସେତେବେଳେ ଭାବି ନଥିଲେ I

        କିଛିଦିନ ଶାଶୁ ଘରେ କାଟିବା ପରେ ଶୁକୁରୀ ଦେଇ ବାହାରକୁ ଗୋଡ କାଢିଲା ଆଉତା ଚାକିରୀ ରେ ଯୋଗ ଦେଲା I ସେ କଟକ ର ଗୋଟେ ଅଫିସ୍ ରେ ଟାଇପିସ୍ଟ୍ ଥିଲା  Iତା ସ୍ବାମୀ ସେଠାକୁ ମଝିରେ ମଝିରେ ଯାଇ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ମାସ ଆରମ୍ଭରେ ତା ଠାରୁ ସବୁ ପଇସI ନେଇଯାଏ ଆଉ ଦେଖା ଦିଏ ନାହିଁ I କିଛିଦିନ ପରେ ଶୁକୁରୀ ଦେଇ ତା ଅତ୍ୟାଚାର ରେ ଅତିସ୍ଠ ହୋଇ ଉଠିଲା ଆଉ ତାକୁ ଛାଡି ଦେବାର ନିସ୍ପତି ନେଲାI ଗୋଟେ ଦିନ କାହାକୁ କିଛି ନକହି, ସେ ଚାକିରୀ ଛାଡି  ଅନ୍ୟ ଜାଗା କୁ ପଳାଇ ଗଲା Iଏବେ ସେ ଏକାଥିଲା ଆଉ ଗୋଟେ ଚାକିରୀ ଖୋଜୁଥିଲା I ତା ପାଖରେ ପଇସା ସବୁ ସରିସରି ଆସୁଥାଏ I କାହା ସହ ବି ତା’ର ସମ୍ପର୍କ  ନଥାଏ I କ’ଣ କରିବ ତାକୁ ବୁଦ୍ଧି ବାଟ ଦେଖାଯାଉ ନଥାଏ I ଏମିତି ଦିନେ interview ଦେଇ ସାରି , ଭାବି ଭାବି ସେ ବସା କୁଫେରୁଥାଏ , କଣ ଗୋଟେ ମାଡ ରେ ସେ ଛିଟିକି ପଡିଲା I ଉଠିକି ଦେଖିଲା ,ଗୋଟେଲୁନା ତାକୁ ଧକ୍କା ଦେଇଛି I ଲୁନା ର ଚାଳକ ବି କିଛି ଦୁରକୁ ଛିଟିକି ପଡିଛି I ଶୁକୁରୀ ଦେଇର କିଛି ହେଇନି କିନ୍ତୁ ଲୁନା ଚାଳକ ର ମୁଣ୍ଡ ଫାଟି ରକ୍ତ ବୋହୁଥାଏ ଆଉ ଗୋଡ ,ହାତ ବିଖଣ୍ଡିଆ ହେଇ ଯାଇ ଥାଏ I ଦୁହେଁ ଦୁହିଁକୁ ଭୁଲ୍ ମାଗିଲେ I ଭୁଲ୍ କିନ୍ତୁ ଶୁକୁରୀ ଦେଇରଥିଲା I ସେ ଅନ୍ୟମନସ୍କ ହୋଇ ରାସ୍ତା ମଝିକୁ ଆସି ଯାଇଥିଲା I ଏବେ ଦୁହେଁ ଯାକପାଖରେ ଥିବା ହସ୍ପିଟାଲ୍ କୁ ଗଲେ I ଗଲା ବେଳେ ଶୁକୁରୀ ଦେଇ ଜାଣିଲା ତା ନାଁ ବିବେକ୍ Iସେ  ଜଣେ କଳାକାର I ନାଟକ ନିଜେ ଲେଖନ୍ତି ଆଉ ଯାତ୍ରା ବି କରନ୍ତି I ତାଂକର ନିଜରଗୋଟେ ଛୋଟ ଯାତ୍ରା ପାର୍ଟି ଅଛି I ସେଠି ୧୦-୧୨ ଜଣା ପିଲା ବି କାମ କରୁଛନ୍ତି ଆଉନିଜର ଗୋଟେ ଦୋକାନ ବି କଟକ ରେ ଅଛି I 

      ଏବେ ସେମାନେ ହସ୍ପିଟାଲ୍ ରେ ପହଂଚି ସIରିଥିଲେ I ସେଠାକାର ଡାକ୍ତର୍ ବିବେକ୍ ରପରିଚିତ I ସେ ଶୁକୁରୀ ଦେଇ ବିଷୟ ରେ ଜାଣିଲI ପରେ ତାକୁ ଚାକିରୀ ରେ ରଖିଲେ Iଏମିତି ଏମିତି ଦିନ ସବୁ ବିତି ଚାଲିଲା I କିଚିଦିନ ପରେ ସେମାନେ ନିକଟତର ହେବାକୁଲାଗିଲେ ଆଉ ସେମାନଂକ ଭିତରେ ପ୍ରେମ ଚଢେଇ ଝିଲ୍ ମିଲ୍ କରିବାକୁ ଲାଗିଲା I

     ବହୁତ୍ ଦିନ ପରେ ଶୁକୁରୀ ଦେଇର ସମ୍ପର୍କିୟ ଭାଇ ଓ ମା ତାକୁ ଖୋଜି ଖୋଜି ଶୁକୁରୀ ଦେଇ ଘରେ ଆସିକି ପହଁଚିଲେ I ସେତେବେଳେ ଶୁକୁରୀ ଦେଇ ଆମ ସାହିରେ ରହୁଥାଏ Iସେ ମୋ ଲେଖା-ଯୋଖା ମାମୁଁ ,ବିବେକ୍ ମIମୁଂକୁ ବାହାହେଇ ସରିଥାଏ ଆଉ ତାରଗୋଟେ ପୁଅ ବି ଥାଏ I ଶୁକୁରୀ ଦେଇ ର ଭାଇ ସେ ପୁଅ କୁ ଦେଖି ପଚାରିଲେ ଇଏ କିଏ?ସୁକୁରୀ ଦେଇ କହିଲା ମୋ ପୁଅ I ସେତେବେଳ ଯାଏ ସେ ଓ ତାଂକ ମା ଏସବୁ ବିଷୟ ରେକିଛି ବି ଜାଣି ନଥାନ୍ତି I ଶୁଣି ଆଶ୍ଚଯ ହେଲେ I ତା’ପରେ ସୁକୁରୀ ଦେଇଠୁ ସବୁ ଜାଣିଲାପରେ ଆଉ କିଛି କହି ନଥିଲେ I

              ଶୁକୁରୀଦେଇ ଆମ ସାହି କୁ ଆସିଲା ପରେ ସେ ନିଜ ଆପଣାପଣ ରେସମସ୍ତଂକୁ ନିଜର କରି ସାରିଥିଲା I ଆଉ ସାହି ର ସମସ୍ତଂକ ର ଦେଇ ହୋଇ ସାରିଥିଲା Iବାପା ର ଦେଇ ,ମା ର ଦେଇ, ପୁଅ ଆଉ ଝିଅଂକର ବି ଦେଇ , ଯେମିତି ଚନ୍ଦ୍ର ସମସ୍ତଂକ ରମାମୁଁ  I ସେ ସାହିର ସମସ୍ତଂକ ଭଲ ପାଇଁ ଚିନ୍ତା କରୁଥିଲା I ଆସ୍ତେ ଆସ୍ତେ ପଇସା ରଖିଗୋଟେ ନିଜେ ଗୋଟେ ଦୋକାନ୍ କଲା I ସାହିରେ ଗୋଟେ କ୍ଲବ୍ କଲା I ସାହି ର ଉର୍ନତିପାଇଁ ସେ ସବୁ କରିବାକୁ ତୟାର୍ ଥିଲା I କେତେ ପିଲାଂକୁ school ପଠେଇଚି ,କେତେଝିଅଂକୁ ବିନା ଯୌତୁକ ରେ ବାହାଘର କରେଇଚି,କେତେ ଲୋକଂକ ମଦ ଛଡେଇଚି, ମଦପାଇଁ କେତେ ଲୋକଂକ ଉପରକୁ ହାତ ବି ଉଠେଇଚି I ତା ପାଇଁ ହିଁ ସାହି ରେ ଝିଅଂକସଂଖ୍ୟା ବଢିଲା , କେତେ ଝିଅଂକୁ ସେ କନ୍ୟା ଭ୍ରୁଣ ହତ୍ୟା ରୁ ବନ୍ଚେଇଚୀ I ତା କଥାକହିଲେ ସରିବନି I ସାହି ର ସବୁ ମା ଚାହାନ୍ତି ତାଂକ ଝିଅ ବି ଶୁକୁରୀ ଦେଇ ହଉ I ସବୁଠିଶୁକୁରୀ ଦେଇ ର ଉଦାହରଣ ଦିଆ ଯାଏ I ସାହି ର ସମସ୍ତଂକୁ ସବୁ ପ୍ରକାର ସାହାଯ କରେI ଏବେ ସାହିରେ କେହି ଝିଅ ଜନ୍ମ କରିବାକୁ ଡରୁ ନାହାନ୍ତି I ସାହିର ସମସ୍ତେ ତାକୁ ଭଲପାନ୍ତି ଆଉ ଡରନ୍ତି ବି I କାହାର କେଉଁଠି ଭୁଲ୍ ଦେଖିଲେ କି କେହି ପାଟିତୁଣ୍ଡ କଲେ ସେହାତ ଉଠେଇବାକୁ ବି ପଛାଏନି I ସେ ଏକ ଧାରରେ ଗୋଟେ ଭଲ ସ୍ତ୍ରୀ ,ଭଲ ମା , ଭଲପଡିଶା , ଆଉ ଆଉ ସବୁ ଭଲ ଥିଲା I

         କିଛି ଦିନ ପୁର୍ବରୁ ଜଣା ପଡିଲା ତାକୁ କଣ ଗୋଟେ ରୋଗ ହୋଇଛି I ସେ ଆଉବେଶୀ ଦିନ ବନ୍ଚିବନୀ I ସାହି ର ସମସ୍ତେ ଜାଣିଲା ପରେ ମନଦୁଖ କଲେ I ଗୋଟେ ପରଝିଅ ହୋଇକି ସେ ଯାହା କରି ଯାଇଛି ତାହା ଆଉ କାହାକୁ କରିବାକୁ ୨ ଥର ଜନ୍ମ ନେବାକୁପଡିବ I ସେ ଆମ ସାହି ର ଗର୍ବ ଆଉ ଗୌରବ I ଆଉ ଆଜି ସେ ଚାଲିଗଲା i ପୁରାସାହିର ମୁରବୀ ଚାଲିଗଲା I  ଯେଉଁଠୁ କେହି କେବେ ବି ଫେରି କି ଆସିନାହାନ୍ତି  I


         ଭାଗବାନଂକୁ ପ୍ରାଥନା କରୁଛି ଦେଶର ସବୁ ସାହି, ସବୁ ଗାଁ ରେ ଏମିତି ଗୋଟେଗୋଟେ ଶୁକୁରୀ ଦେଇ କୁ ଜନ୍ମ ଦିଅନ୍ତୁ I

—X—

ଅନାବିଳ ପ୍ରେମ ..

ଅନାବିଳ ପ୍ରେମ

ସୁବଳ ମହାପାତ୍ର

            ସୁଦୁର ଗୁଜୁରାଟ ର ଗାନ୍ଧିନଗର I ସେଦିନ ଥାଏ ରବିବାର I ଆକାଶ ଏକା ଏକା ଖଟରେ ଶୋଇ କଣ ସବୁ ଭାବୁଥାଏ I  କିଛି ଥଳ କୁଳ ନଥାଏ ଭାବନାର I   କେତେବେଳେ ଝରକା ଦେଇ ବାହାରେ ଆକାଶର ସୌନ୍ଦର୍ଯ ଦେଖୁଥାଏ ତ କେତେବେଳେ ବୁଲୁଥିବା ଫ୍ୟାନ୍ କୁ ଚାହିଁ ତାର ପରକୁ ଦେଖିବାକୁ ଚେଷ୍ଟା କରୁଥାଏ  I  କୌଣସି  କାମ ବି କରିବାକୁ ଇଚ୍ଛା ନଥାଏ ତାର I  ” ଛେଃ  , ଦିନଟI  ପୁରା ବେକାର ! କିଛି କାମ ନାହିଁ I  କ’ଣ କରିବ ମଣିଷ ?

           ଏକା ରହି ରହି ବିରକ୍ତ ହୋଇ ଯାଇଥିଲା ସେ I  ସୋମବାର ରୁ ଶନିବାର ଅଫିସ୍ I  ଚାକିରୀ କରେ software କମ୍ପାନି ରେ I  ଯାହା ଯେମିତି କଟି ଯାଉଥାଏ ଜୀବନ I  କିନ୍ତୁ ରବିବାର ଟା ଭାରୀ ମାନ୍ଦା I  କିଛି କାମ ନଥାଏ I  ଶୋଇ ଶୋଇ ବିରକ୍ତ ଲାଗୁଥାଏ ତାକୁ I  କେତେ ଫିଲିମ୍ ଦେଖିବ ଲାପଟପ୍ ରେ I  ନହେଲେ ଫେସବୁକ୍ I  କିନ୍ତୁ କେତେ ସମୟ ? ଅଫିସ୍ ର  କଲିଗ୍ ମାନେ ତ ସବୁ ଦିନ କାମରେ ବ୍ୟସ୍ତ I  ଶନିବାର ଅଫିସ୍ ସରିଲା ପରେ ସମସ୍ତେ ଚାଲିଯିବେ ୬୦-୮୦ କି.ମି. ଦୁରରେ ଥିବା ସେମାନଙ୍କ ଘରକୁ I  ବାକି କଲିଗ୍ ଯେଉଁମାନେ ଗାନ୍ଧିନଗର ରେ ପରିବାର ନେଇକି ଅଛନ୍ତି ,ସେମାନେ ନିଜ ନିଜ ସଂସାର ରେ ବ୍ୟସ୍ତ I  କେହି ଜଣେ ହେଲେ ବି ସାଙ୍ଗ ନାହାଁନ୍ତି କୁଆଡେ ଗୋଟେ ବୁଲି ଯିବାପାଇଁ  I  ଏକା ଏକା ବୁଲିବାକୁ ଜମା ଭଲ ଲାଗେ ନାହିଁ ଆକାଶକୁ I  ହେଃ , ଏକା ଏକା କଣ ଗୋଟେ ବୁଲିବ I  ଗୋଠ ଛଡା ଭଳି ଲାଗେ ତାକୁ I  ପାର୍କ୍ ଗଲେ ଏକା , କିଛି ଚଟ୍ ପଟା ଖାଦ୍ୟ ଖାଇଲେ ଏକା , ଏୟା କଣ ଜୀବନ ?  ସ୍ତ୍ରୀ , ପିଲାଛୁଆ ହେଲେ ଥାନ୍ତେ I  କମ୍ ସେ କମ୍ ଏକା ତ ଲାଗନ୍ତI  ନାହିଁ I  କିନ୍ତୁ ସେ ତ ବାହା ହେଇନି I  ଗାର୍ଲଫ୍ରେଣ୍ଡ ହେଲେ ଥାନ୍ତା I  ତା ସହ ବି ସମୟ ବିତି ଯାଆନ୍ତା I  କିନ୍ତୁ ନାଁ କେହି ନାହାନ୍ତି I  ଜୀବନରେ କେବେ କୌଣସି ଝିଅ ପ୍ରତି ସେ ତା ପ୍ରେମକୁ ଦେଖେଇ ପାରିନି I  ମୋଟ୍ ଉପରେ ସେ କେବେ ସାହସ କରି ପାରିନି କୌଣସି ଝିଅକୁ ପ୍ରେମରେ ଫସେଇବା ପାଇଁ I  ସବୁବେଳେ ଗୋଟେ ଡର “କାଳେ କିଏ ମନା କରିଦବ ,ଅପମାନିତ କରିବ ” I

            ଗାଁରେ ସାଙ୍ଗ ସାଥୀ ମାନଙ୍କୁ ଛାଡି ଆସିବାକୁ ତାର ଜମା ଇଚ୍ଛା ନଥିଲା I  ହେଇଥାନ୍ତା ହେଲେ ଏ ଚାକିରୀ ଭୁବନେଶ୍ବର୍ ରେ I  କିଛି ନହେଲେ ଓଡିଆ ଲୋକ  ତ ମିଳି ଯାଇଥାନ୍ତେ ଗପିବା ଆଉ ବୁଲାବୁଲି କରିବା ପାଇଁ I  ଏଠି ଗୋଟେ ଜାଗା ଯେ ଓଡିଆ ଲୋକଙ୍କୁ ବହୁତ୍ କମ୍ ଦେଖେ I  ସାଙ୍ଗ କରିବାକୁ ସମୟ ନାହିଁ I  ସବୁବେଳେ ତ ଅଫିସ୍ I  ସଫ୍ଟୱାର ଚାକିରୀ I  ଦିନ କି ରାତି ନଥାଏ I

       ଭାବି ଭାବି ଆକାଶ କୁ ନିଦ ଲାଗି ଯାଇଥାଏ I  ହଠାତ୍ କଣ ଗୋଟେ ଶଦ୍ଦରେ ତା ନିଦ ଭାଙ୍ଗିଗଲା I  ଉଠିକି ବସିଲା ସେ  I  ଦେଖିଲା କିଛି ନାହିଁ I  ବୋତଲ ରୁ ପାଣି ପିଇଲା I  କ’ଣ କରିବ ଏବେ ?କିଛି ସମୟ ଚିନ୍ତା କରି ଗୋଟେ ଓଡିଆ ଗପ ବହି ଉଠାଇ ଆଣିଲା ଥାକରୁ I  ସେ ବହିଟI  ଆଗରୁ ପଢି ସାରିଥିଲେ ବି ଓଲଟେଇଲI  ଆଉଥରେ I  ସବୁ ଗପ ମନେ ଅଛି I  ବହିଟାକୁ ପୁଣି ଫୋପାଡି ଦେଲା ଥାକ ଉପରକୁ I  ଆଉ ଖଟରେ ଗଡି ପଡିଲା I

        କିଛି ଗୋଟେ ଘଟିଗଲା ପରି ତା ମନ ଭିତରକୁ କିଛି ଭାବନା ପଶି ଆସିଲା I  କେମିତି କଟୁଥିବ ସମୟ ,ଯେଉଁମାନେ ବନ୍ଦୀ ହୋଇ ବିଭିନ୍ନ ଜେଲ୍ ରେ ଅଛନ୍ତି I  ସେମାନେ ତ ବୋର୍ ହୋଇ ଯାଉଥିବେ I  ଯେଉଁଠି ଗୋଟେ ଦିନ ସେ ସହ୍ୟ କରି ପାରୁନି , ସେମାନେ କଣ କରୁଥିବେ ତାଙ୍କର ସମୟ କାଟିବା ପାଇଁ I  ଯେଉଁ ବୁଢା ବୁଢୀ ମାନେ ସବୁ ବୃଦ୍ଧI ଶ୍ରମ ରେ ଅଛନ୍ତି I  ସେମାନେ କେମିତି କାଟୁଥିବେ ଜୀବନ I  ଭାବି ଭାବି ତା ମନ ଭାରାକ୍ରାନ୍ତ ହୋଇଗଲା I  ହଠାତ୍ ତା ମନ ଭିତରେ କିଛି ଝଲକ୍ ଦେଖାଗଲା I  କେମିତି ହୁଅନ୍ତା ଯଦି ଏଇ କଏଦୀ ଓ ବୁଢା ବୁଢୀ , ଅକର୍ମନ୍ୟ ଓ ଏମିତି ଜୀବନ କାଟୁଥିବା ଲୋକଙ୍କ ପାଇଁ ସେ କିଛି କରି ପାରନ୍ତI  I  କିନ୍ତୁ କଣ ସେ କରିବ ? କଣ କଲେ ଏମାନେ ଖୁସି ହେବେ ?  ହଠାତ୍ ତା ଆଖି ସେଇ ବହି ଉପରେ ପଡିଲା , ଯେଉଁଟI  କିଛି ସମୟ ପୁର୍ବରୁ ଥାକ ଉପରକୁ ଫୋପାଡି ଦେଇଥିଲା I  କିଛି ଗୋଟେ ପାଇଗଲା  ପରି ତା ମନ ଉତ୍ଫୁଲିତ ହୋଇ ଉଠିଲା I  ହଁ ,ଏଇଟI  ଗୋଟେ ଭଲ ଆଇଡିଆ I  ସେମାନେ ସେମାନଙ୍କ ଅବସର ସମୟ କୁ ବହି ପଢି କି କାଟି ପାରିବେ I  କିନ୍ତୁ ଏତେ ବହି ଆସିବ କେଉଁଠୁ ? ସେ ତ ଗୁଜରାଟୀ ପଢି କି ଲେଖି ଜାଣିନି I  ଏଠି ସେ କେମିତି କାହାକୁ ସାହାର୍ଯ କରିବ ? ତଥାପି ଥରେ  ଚେଷ୍ଟା କରା ଯାଉ I  ଯଦି କିଛି ହୋଇପାରିଲା I

         ସେ ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି ବାହାରିଲା ତଳ ମହଲାରେ ଥିବା ତାର ଘର ମାଲିକ ଘରକୁ I  ମନରେ ଚିନ୍ତା ଥିଲା ଯେ ମଉସାଙ୍କ ସହ କଥା ହୋଇ କିଛି ଅଦରକାରୀ ବହି କି ମ୍ୟାଗାଜିନ୍ ଏକାଠି କରିବା I  ସେଠି କଥା ହୋଇ ସାରିଲା ଓ ଚାରିଟI  ପୁରୁଣା ବହି ଓ କିଛି ପୁରୁଣା ମ୍ୟାଗାଜିନ୍ ଧରି ସେ ରୁମ୍ କୁ ଫେରି ଆସିଲା  I  ତା ମନ ଖୁସି ହୋଇଗଲା I  ଯଦି ସେ ଏମିତି ପ୍ରତି ସପ୍ତାହରେ ୪/୫ ଟା ଘର ବୁଲିପାରନ୍ତା ତେବେ ମାସ ଶେଷକୁ କିଛି ବହି ଏକାଠି କରିପାରନ୍ତI  I  ଏବଂ ତା ପରେ କଣ କଣ ସବୁ କରିବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା I

          ପ୍ରଥମେ ତାକୁ କିଛି ବହି ଓ ମ୍ୟାଗାଜିନ୍ ଏକାଠି କରିବାକୁ ପଡିବ I  ତାପରେ ତାକୁ ଜେଲ୍, ଅନାଥାଶ୍ରମ, ବୃଦ୍ଧାଶ୍ରମ ବିଷୟରେ ଜାଣିବାକୁ ପଡିବ ଓ ତାର ଠିକଣା ଏକାଠି କରିବାକୁ ପଡିବ I  ତାପରେ ସେ ବୁଲି ବୁଲି ସେମାନଙ୍କୁ ଏହି ବହି ପଢିବାକୁ ଦେଇ ପାରିବ I  “ହେଃ ଏତେ ସବୁ କାମ ଏକା କରିବାକୁ ପଡିବ, ସାଙ୍ଗରେ କିଏ ଗୋଟେ ହେଲେ ଥାଆନ୍ତା ” I   ସେ ମନକୁ ମନ କହି ଉଠିଲା ଓ ମନେ ପକେଇବାକୁ ଲାଗିଲା “ଏକେଲା ଚଲୋ ରେ” ଗିତଟିକୁ I  ମନେ ମନେ ଏହି ଗିତଟିକୁ ଗୁଣୁଗୁଣେଇ ସେ ପୁଣି ବାହାରି ଗଲା ଆଉ କିଛି ଘରୁ ବହି ଓ ମ୍ୟାଗାଜିନ୍ ସଂଗ୍ରହ କରିବା ଉଦ୍ଦେଶ୍ୟ ରେ I

    ତିନି ସପ୍ତାହ ପରେ …

       ପୁଣି ଏକ ରବିବାର I  ସକାଳୁ ଉଠିବାର ଅଭ୍ୟାସ ନଥିଲେ ମଧ୍ୟ ସେ ସକାଳୁ ଉଠି ପଡିଲା I  ଗତ ଦୁଇ ସପ୍ତାହ ଭିତରେ ସେ ବୁଝି ପାରିଛି ଲୋକ ମାନଙ୍କୁ କେମିତି convI nce କରିବାକୁ ହୁଏ I  କିଛି ଲୋକ ତ ପୁରୁଣା ବହି ଓ ମ୍ୟାଗାଜିନ୍ ସବୁ କବାଡି ବାଲାଙ୍କୁ ୩ ଟଙ୍କା କିଲୋରେ ବିକ୍ରି କରିବେ ପଛେ କିନ୍ତୁ ଲୋକଙ୍କ ହିତ ପାଇଁ ଦେବେନି I  କିଛି ଘରୁ ସିଏ ଗାଳି ବି ଖାଇ ସାରିଲାଣି I  କିନ୍ତୁ ଯେତେ ଯେତେ ଲୋକ ହତାଦର କରୁଥାନ୍ତି ତାର ଜିଦ୍ ସେତେ ସେତେ ବଢି ଚାଲିଥାଏ I  କିଛି କିଛି ସହୃଦୟ ଲୋକ ବି ଅଛନ୍ତି ,ଯେଉଁମାନେ ଚଳନ୍ତି ମାସର ମ୍ୟାଗାଜିନ୍ ଓ ବହି ସବୁ ଦେଇ ଦେଉଥାନ୍ତି I  କିଛି ଲୋକ ତ ଏପରିବି କହୁଥାନ୍ତି ଯେ “ଭାଇ ତୁମେତ ଗୁଜରାଟୀ ନୁହଁ ,ଏ ବହି ସବୁ ଅଧା ଦାମ୍ ରେ ବାହାରେ ବିକ୍ରି କରିବାକୁ ନେଉଛ ” I

          ସେ ଯାହାବି ହେଉ ଏବେ କିଛି ବହି ଓ ମ୍ୟାଗାଜିନ୍ ତା ପାଖରେ ଅଛି I  I nternet ରୁ ଗୋଟେ ବୃଦ୍ଧାଶ୍ରମ ର ଠିକଣା ବି ସେ ସଂଗ୍ରହ କରି ସାରିଛି I  ଆଜି ସେଠାକୁ ଯାଇ ସେ ଦେଖିବ, ଜାଣିବ ଓ କିଛି ବହି ସେମାନଙ୍କୁ ଦେଇକି ଆସିବ ପଢିବା ପାଇଁ I

           ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, କଣ ଦିଟI  ଜଲଖିଆ ଖାଇନେଇ ଘରୁ ବାହାରି ଗଲା I  ସ୍କୁଟର୍ ଷ୍ଟାର୍ଟ କଲାବେଳେ ତାର ମନେପଡିଲା ଯେ ସେ ବହିସବୁ ଆଣିବାକୁ ଭୁଲିଯାଇଛି I  ପୁଣି ରୁମ୍ କୁ ଫେରିଲା ଓ କିଛି ଭଲ ମଲାଟ ଦେଖାଯାଉଥିବା ବହି ଓ ମ୍ୟାଗାଜିନ୍ ଧରି ବାହାରି ଗଲା I  ବୃଦ୍ଧାଶ୍ରମ ରେ ପହଞ୍ଚି ସେ ପ୍ରଥମେ ତାର ମ୍ୟାନେଜର୍ କୁ ଦେଖାକରି ସବୁ କଥା କହିଲା I  ସବୁ ଶୁଣି ସାରିଲା ପରେ ମ୍ୟାନେଜର୍ ରାଜି ହେଲେ ଯେ ଯଦି ଆଶ୍ରମର ଅନ୍ତେବାସୀ ଚାହିଁବେ ତେବେ ସେ ବହି ସେମାନଙ୍କୁ ଦେଇ ପାରିବ ଓ ପୁଣି ପ୍ରତି ୭-୧୫ ଦିନ ଅନ୍ତରରେ ଆସି ପୁରୁଣା ବହି ସବୁ ଫେରେଇ ନେଇ ନୁଆ ବହି ସବୁ ଦେଇ ପାରିବ I

         ସମସ୍ତଙ୍କ ଆଗକୁ ଗଲା ବେଳକୁ ତାକୁ କେମିତି ନର୍ଭସ୍ ଲାଗୁଥାଏ I  ତଥାପି ସାହସ ସଞ୍ଚୟ କରି ସେମାନଙ୍କ ପାଖକୁ ଗଲା ଓ ବାଟରୁ ନେଇଥିବା ମିଠା ସେମାନଙ୍କ ଭିତରେ ବାଣ୍ଟି ଦେଲା I  ତାପରେ ତାର ସାରଗର୍ଭକ ଭାଷଣ ଦେଲା ଓ ସମସ୍ତଙ୍କ ଠାରୁ ପ୍ରଶଂସI  ପାଇ ଖୁସି ହୋଇଗଲା I

            ଏବେ ତାର ବହି ଓ ମ୍ୟାଗାଜିନ୍ କଲେକ୍ସନ୍ ଓ ଭିନ୍ନ୍ ଭିନ୍ନ୍ ବୃଦ୍ଧାଶ୍ରମ, ଜେଲ୍, ଅନାଥାଶ୍ରମ ଗୁଡିକୁ ଯିବା ଆସିବା ଓ ବହି ଦେବI  ନେବା ଚାଲୁରହିଲା I  ସେମାନଙ୍କ ପ୍ରତି ଆତ୍ମିୟତା ବଢିଚାଲିଲା ଓ ତାର ଛୁଟି ସମୟ କଟିବାକୁ ଲାଗିଲା I  ତା ଅଫିସ୍ ର ଲୋକ ମାନେ ଜାଣିଲI  ପରେ କିଛି ଖୁସି ହେଲେ ,କିଛି ସାହାର୍ଯ କଲେ ,ଆଉ କିଛି ତାକୁ ହତୋସ୍ଚI ହ ବି କଲେ I  କିନ୍ତୁ କେହି ଜଣେ ବି ତା ସହ ଆଗେଇ ଆସିଲେ ନାହିଁ I  ସେ ଯେଉଁ ଏକI  କୁ ସେଇ ଏକI  ହିଁ ସବୁ କରି ଚାଲିଲା I

           କିଛି ଗୋଟେ ଛୁଟି ଦିନ I  ସେଦିନ କୁଆଡେ ଯିବାକୁ ତାର ମନ ନଥାଏ I  ଖରା ବଢି ଯାଇଥାଏ I  ଦୋକାନରୁ ଗୋଟେ ଘୋଳ ଦହୀ କିଣି, ପିଇ ପିଇ ବାଟରେ ଆସୁଥାଏ ଚାଲି ଚାଲି I  ହଠାତ୍ ଗୋଟେ ଘର ଆଗରୁ ଦୁମ୍ କରି ଗୋଟେ ଶବ୍ଦ ହେଲା I  ସେ ଚାହିଁ ଦେଖିଲI  ବେଳକୁ ଗୋଟେ ୧୭-୧୮ ବର୍ଷର ଝିଅ ଗୋଟେ ବଡ ବହିକୁ ତଳେ କଚାଡି ଦେଇ ବାପାଲୋ ମାଲୋ କହି ଘର ଭିତରକୁ ଦୌଡି ପଳେଇଲI  I  ଆକାଶ ସେଠାକୁ ଯାଇ ଦେଖିଲI  ବହି ଉପରେ ଗୋଟେ ମଲା ଅସରପା I  ସେ ବହିଟିକୁ ସଫI କରି ସାରିଲା ବେଳକୁ ସେ ଝିଅଟି ତା ପଛ ପଟେ ଠିଆ ହୋଇଥାଏ I  ଗୋଟେ ଛୋଟ “ଥାଙ୍କ ୟୁ” କହି ଝିଅଟି ମୁରୁକି ହସିଦେଲା ଓ ପଚାରିଲା “ତୁମେ ସିଏନା, ଯିଏ ସେଦିନ ଆମ ଘରକୁ ବହି ମାଗିବାକୁ ଆସିଥିଲ ଓ ବାପା ତୁମକୁ ଗାଳି ଦେଇ ଫେରେଇ ଦେଇଥିଲେ” I

ଆକାଶ – ହଁ କହି ବହିଟି ଝିଅ ହାତକୁ ବଢେଇ ଦେଲା I

ଝିଅ – ଆପଣ ବହି ସବୁ ନେଇ କଣ କରନ୍ତି?

ଆକାଶ – ବହି ଓ ମ୍ୟାଗାଜିନ୍ ନେଇ ମୁଁ ଜେଲ୍ ରେ ଥିବା କଏଦୀ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମ କୁ ଯାଏ ଓ ସେମାନଙ୍କୁ ପଢିବାକୁ ଦିଏ I

 ଝିଅ – ଆପଣ କଣ ସମାଜସେବୀ?

ଆକାଶ – ପାର୍ଟ ଟାଇମ

ଝିଅ – (ତାସ୍ଛଲ୍ୟର ସହ ହସ ଖେଳେଇ ) ଫୁଲ ଟାଇମ ରେ ଆପଣ କଣ କରନ୍ତି ?

ଆକାଶ – ମୁଁ ଜଣେ ସଫ୍ଟୱାର ଇଞ୍ଜିନିଅର .

          ଝିଅଟିର ମୁହଁରୁ ତାସ୍ଛଲ୍ୟର ହସ ଲିଭିଗଲI  ଓ ସେ ଆଶ୍ଚଯ୍ୟ ହୋଇ କି ପଚାରିଲା, ତେବେ ଆପଣ ସେଦିନ କିଛି କହିଲେ ନାହିଁ କାହିଁକି , ଯେତେବେଳେ ବାପା ଆପଣଙ୍କୁ ୟାଡୁ ସାଡୁ କହୁଥିଲେ I

 ଆକାଶ – ମ୍ୟାଡାମ୍! ମୁଁ ବହି ମାଗିବାକୁ ଆସିଥିଲି ଅନାଥ, ବୃଦ୍ଧ ଓ ଜେଲ୍ ର କଏଦୀ ମାନଙ୍କ ପାଇଁ , ଗଣ୍ଡଗୋଳ କରିବାକୁ ନୁହେଁ I

          ଏତିକି କହି ଆକାଶ ଚାଲିବାକୁ ଆରମ୍ଭ କଲା I  ଆକାଶ ର ଦୁରକୁ ଯିବା ସଙ୍ଗେ ସଙ୍ଗେ ଝିଅଟିର ଆକାଶ ପ୍ରତି ଥିବା ଭୁଲ୍ ଧାରଣା ବି ଦୁରେଇ ଦୁରେଇ ଯାଉଥିଲା I

          ଝିଅଟି ସେମିତି ଠିଆ ହୋଇ ରହିଥିଲା ଓ ଆକାଶର ଯିବା ବାଟକୁ ଚାହିଁଥିଲା I  ଦୃଷ୍ଟି ର ଅନ୍ତରାଳକୁ ଯିବା ପରେ ଝିଅଟି ଘରକୁ ଫେରି ଆସିଲା ଓ ଆକାଶ ପ୍ରତି ତା ବାପା କରିଥିବା ବ୍ୟବହାର ପାଇଁ ଅନୁତପ୍ତ ହେବାକୁ ଲାଗିଲା I  କିଛି ଦିନ ପରେ ସେ ଝିଅ ଆକାଶ ଯାଇଥିବା ବୃଦ୍ଧI ଶ୍ରମ ଓ ଅନାଥାଶ୍ରମ କୁ ଯାଇ ଆକାଶ ବିଷୟ ରେ ଖବର ସଂଗ୍ରହ କରିବାକୁ ଲାଗିଲା I  ଯେତେ ଯେତେ ସେ ଆକାଶ ର ପ୍ରଶଂସI  ଶୁଣୁଥାଏ, ସେତେ ସେତେ ଅନୁତପ୍ତ ହେଉଥାଏ I

                                     ଏକ ମାସ ପରେ….

          ରବିବାର, ଆକାଶ ର ନିଦ ଭାଙ୍ଗି ନଥାଏ I  ସକାଳ ୭ ଟା I  ଆକାଶ ର ସେଦିନ ଡେରିରେ ଗୋଟେ ଅନାଥାଶ୍ରମକୁ ଯିବାର ଥାଏ I  ସେଥିପାଇଁ ସେ ସକାଳ ୮ ଟା ରେ ଉଠିବା ପାଇଁ ଆଲାରାମ୍ ଦେଇଥାଏ I  ହଠାତ୍ କବାଟ ଠକ୍ ଠକ୍ ହେଲା I  ଆକାଶ ନିଦ ମଳ ମଳ ଆଖିରେ ଦେଖିଲା ୭ ଟା ବାଜିଛି I  ପୁଣି ତା କବାଟରେ ଠକ୍ ଠକ୍? ସେ ଭାବି ପାରିଲାନି କିଏ ହେଇଥିବ I  ଏଠାକୁ ଆସିବାର ଦେଢ ବର୍ଷ ହେଲାଣି, କେବେବି କେହି ତା ଘରକୁ ଆସନ୍ତି ନାହିଁ I  ଆଜି କିଏ? ପୁଣି ଏତେ ସକାଳୁ?

         ଆକାଶ କବାଟ ଖୋଲି ଦେଖିଲା I  ୬-୭ ଜଣ ପୁଅ, ଝିଅ ତା ରୁମ୍ ଆଗରେ ଠିଆ ହୋଇଥାନ୍ତି I  ସେ ଆଶ୍ଚଯ୍ୟ ହେଇ ପଚାରିଲା କଣ ହେଲା I  ସେମାନଙ୍କ ଭିତରୁ ଜଣେ କହିଲା, ସାର ଆମେ ବି ଆପଣଙ୍କ ସହ ମିସିବI କୁ ଚାହୁଁ I

ଆକାଶ – ମାନେ ?

ପିଲା – ସାର୍ ଆମେ ଜାଣିଛୁ ,ଆପଣ ବହୁତ୍ ବଡ କାମ କରୁଛନ୍ତି I  ପୁଣି ଏକI  ଏକI  I

ଆକାଶ – ତମେ ମାନେ କଣ ଚାହଁ ?

ପିଲା – କିଛିଦିନ ପୁର୍ବରୁ ଅନମୋଲ୍ ଆମମାନଂକୁ ଆପଣଂକ ବିଷୟରେ କହିଲା I  ଆମେ ସମସ୍ତେ ମିଶି ଆପଣ ଯାଇଥିବା ଜାଗା ଗୁଡିକୁ ଗଲୁ ,ସେଠାରେ ଆପଣ କ’ଣ କ’ଣ କରୁଛନ୍ତି ଜାଣିବା ପାଇଁ I  ସବୁ ବୃଦ୍ଧI ଶ୍ରମ ,ଅନାଥାଶ୍ରମ ବୁଲି ସାରିଲା ପରେ ଆମେ ଜାଣିଲୁ ଆପଣ କେତେ ମହାନ୍ କାମ କରୁଛନ୍ତି I  ତେଣୁ ଆମେବି ଆପଣଙ୍କୁ ସାହାର୍ଯ୍ୟ କରିବାକୁ ଆସିଲୁ I

ଆକାଶ – କିନ୍ତୁ ତମେ ମାନେ କିଏ?

ପିଲା – ସାର୍ ,ଆମେ ସମସ୍ତେ ସାଙ୍ଗ I  +୨ ରେ ପଢୁଛୁ I  ଆମେ ମାନେ ସମସ୍ତେ ଆପଣଙ୍କ ଫ୍ୟାନ୍ ହୋଇଯାଇଛୁ I  ପ୍ଲିଜ ମନା କରନ୍ତୁ ନାହିଁ I  ଆମକୁ ବି କିଛି ସେବା କରିବାର ସୁଯୋଗ ଦିଅନ୍ତୁ I  ଆମେ ଆମ ଘରେ ଏ ବିଷୟରେ କହିକି ଆସିଛୁ I  ସେମାନେ ବି ସମସ୍ତେ ଖୁସି I  ପ୍ଲିଜ ସାର, ମନା କରନ୍ତୁ ନାହିଁ I

ସମସ୍ତେ ଏକ ସ୍ଵରରେ — ପ୍ଲିଜ ସାର, ପ୍ଲିଜ, ପ୍ଲିଜ, ପ୍ଲିଜ.

ଆକାଶ – ଠିକ୍ ଅଛି, କିନ୍ତୁ ଆଜି ନୁହେଁ I  ତମେମାନେ ଆସନ୍ତା ରବିବାର ଠିକ୍ ୯ ଟା ରେ ଏଠାକୁ ଆସ I  ତା ପରେ ଚିନ୍ତା କରିବା I

            ସମସ୍ତେ ଗଲା ପରେ ଆକାଶ କବାଟ ବନ୍ଦକରି ଭିତରକୁ ଆସିଲା ଓ ଭାବିବାକୁ ଲାଗିଲା I  ସେ ଝିଅଟି ନାଁ ତାହେଲେ ଅନମୋଲ୍ I  ଯେଉଁଠି ବଡ ମାନେ ବୁଝି ପାରୁନାହାଁନ୍ତି ସେଠି ଏଇ ଟିକି ଟିକି ପିଲା ମାନେ ତାକୁ ସହଯୋଗ ର ହାତ ବଢାଉଛନ୍ତି I  ବାଃ ରେ ଦୁନିଆ I

            ତାପର ରବିବାର, ସମୟ ୮:୫୦ I  ସବୁ ପିଲା ଆସି ଆକାଶ ର ଘରେ ପହଁଚିଲେ I  ସାଙ୍ଗରେ କିଛି ବହି ଓ ମ୍ୟାଗାଜିନ୍ ନିଜ ନିଜ ଘରୁ ଓ ଅନ୍ୟମାନଙ୍କ ଠାରୁ ଆଣି ଆସିଥାନ୍ତି I  କଥାବାର୍ତା ପରେ ସମସ୍ତେ ଠିକ୍ କଲେ ଯେ ସେମାନେ ମିଳି ମିଶି କାମ କରିବେ I  କିଏ କେଉଁଠିକୁ ଯିବ ବହି ମାଗିବା ପାଇଁ ଆଉ କିଏ କିଏ ସବୁ କେଉଁ ଆଶ୍ରମକୁ ଯିବେ I  ବହି collect ହବ ଓ ନୁଆ ବହି ଦିଆଯିବ I  କାହାକୁ କେଉଁ ବହି ଦିଆ ଯିବ ତାର ଗୋଟେ ଲିଷ୍ଟ ରହିବ I  କେଉଁଠୁ କେଉଁ ବହି ଆସିଲା ,କିଏ ନେଲା ,କେବେ ଫେରେଇଲା ସବୁର ଲିଷ୍ଟ I  ଅନମୋଲ୍ ସେ ଦାୟିତ୍ୱ ନେଲା I  ପ୍ରଥମେ ଆକାଶ ରାଜି ହେଉ ନଥିଲା ଏସବୁ ପାଇଁ I  ପିଲା ମାନେ ପଇସା ଖର୍ଚ କରିବେ ଯିବା ଆସିବା ପାଇଁ I  ସେମାନଙ୍କ ଘରେ କଣ କହିବେ ସେଥିପI ଇଁ I  କିନ୍ତୁ ସବୁ ପିଲା କହିଲେ ଯେ ଆମେ ଘରେ କହିଚୁ ଓ ଘରେ ପରମିସନ ବି ଦେଇଛନ୍ତି I  ଆମେ ଘରୁ ଏକ୍ସଟ୍ରା ପଇସା ବି ଆଣୁନୁ I  ଆମ ନିଜ ଇଛାରେ ଆମ ପକେଟ ମନି ରୁ ଆମେ ଏ ସବୁ କାମ କରିବୁ I  ତା ପରେ ଆକାଶ ରାଜି ହେଲା ଓ ସମସ୍ତେ କାମରେ ଲାଗିଗଲେ I

            କିଛିଦିନ ପରେ ଆକାଶ ଜାଣିଲI  ଯେ, ପିଲାମାନେ ସବୁବେଳେ ମିଠା କିମ୍ବା ଚକୋଲେଟ୍ ସାଙ୍ଗରେ ନେଇ ଆଶ୍ରମ ମାନଙ୍କୁ ଯାଉଛନ୍ତି I  ପଇସା କେଉଁଠୁ ଆସୁଛି ? ଅନମୋଲ୍ କହିଲା ଆମେ ଗୋଟେ ପାଣ୍ଠି କରିଛୁ I  ପିଲାମାନେ ଯିଏ ଯାହା ଦେଲା ଏସବୁ ସେଇଥିରୁ ଖର୍ଚ ହେଉଛି I  ଆକାଶ ଶୁଣି ଖୁସି ହେଲା ଓ ନିଜ ଦରମାରୁ ୧୦୦୦ ଟଙ୍କା କାଢି ସେ ପାଣ୍ଠି ରେ ମିଶାଇଲା I

ଏସବୁ କାମ ଭିତରେ ଅନମୋଲ୍ ଯେ ଆକାଶ ର ପ୍ରେମ ରେ ପଡି ସାରିଲାଣି, ସେକଥା କାହାକୁ ଜଣା ନ ଥାଏ I  ଆକାଶ ପାଖେ ପାଖେ ରହିବାକୁ, ଆକଶ୍ ସହ କଥା ହେବାକୁ, ଆକଶ୍ ବିଷୟ ରେ ଭାବିବାକୁ, ଜାଣି ଜାଣି ଭୁଲ୍ କରି ଆକଶ୍ ଠୁ ଗାଳି ଖାଇବାକୁ ତାକୁ ଭଲ ଲାଗୁଥାଏ I  ସେ ମିଛ ମିଛ ରେ ଡରି ଯାଉ ଥାଏ ଆଉ ଜାଣି ଜାଣି ଆକଶ୍ କୁ ସରି କହିବାକୁ ବାଧ୍ୟ କରୁ ଥାଏ I  ଏସବୁ ତାକୁ ଭଲ ଲାଗୁଥାଏ I  ଅନମୋଲ୍ ଭାବୁଥାଏ, ସବୁଦିନ ରବିବାର ହୁଅନ୍ତାନି? ସବୁଦିନ ଆମେ ଏକାଠି କାମ କରନ୍ତୁ I  ଏବେ କେବଳ ରବିବାର, ଅନ୍ୟ ଦିନ ମାନଙ୍କ ରେ ତ ସମସ୍ତେ ବ୍ୟସ୍ତ I  କେବେ କେମିତି ଶନିବାର ସମସ୍ତେ ଏକାଠି ହୁଅନ୍ତି କିନ୍ତୁ ସବୁଦିନ ଅନମୋଲ୍ ର ଆକାଶ ସହ ଦେଖା ହୁଏନି I  ଆକଶ୍ ଅଫିସ୍ ଗଲା ବେଳେ ଅନମୋଲ୍ ଝରକା ଭିତରୁ ଉଙ୍କି ମାରେ କିନ୍ତୁ କେବେ ଦେଖି ହୁଏ କେବେ ଦେଖି ବି ପାରେନି I  ସୋମବାର ରୁ ଶନିବାର ଯାଏ ଅନମୋଲ୍ ଆଖିରେ ନିଦ ନ ଥାଏ I  ସେ ଅପେକ୍ଷା କରେ ରବିବାର କୁ I  ବେଳେ ବେଳେ ଏତେ ଅନ୍ୟ ମନସ୍କ ହୋଇ ଯାଏ ଯେ, ତା ସାଂଗମାନେ ପଚାରନ୍ତି କ’ଣ ଭାବୁଚି, ସେ କଥା ଟାଳି ଦିଏ I

କିଛି ଦିନ ପରେ ଆକଶ୍ ଅନୁଭବ କଲା ଯେ, ଅନମୋଲ୍ ତାକୁ ଲୁଚି ଲୁଚି ଦେଖୁଚି I  ବେଳେ ବେଳେ ତାକୁ ଲାଜ କରୁଛି I  ସୋମବାର ରୁ ଶନିବାର ଅପେକ୍ଷା ପରେ ରବିବାର ସେ ଉତ୍ଫୁଲିତ ହୋଇ ଉଠୁଚି ଓ ସେ ନଦେଖିଲା ବେଳେ ତାକୁ କଣେଇ କଣେଇ ଚାହୁଁଚି I  ଆକଶ୍ ବେଳେ ବେଳେ ଭାବେ ଏହା କଣ ପ୍ରେମ? କିନ୍ତୁ ସେ ଯେ ପ୍ରେମ କରି ପାରିବ ନାହିଁ I  ୨୮ ବର୍ଷ ର ପିଲା I  ଘର ଓଡିଶା ରେ, ଘରେ ବିଧବା ମା, ଦୁଇଟି ଅବିବାହିତ ଭଉଣୀ, ଜମି ବୋଲି ଗୁଣ୍ଠେ ନାହିଁ I  ବାପାଙ୍କ ପେନସନ୍ ମାସ ଅଧା ରେ ଶେଷ I   ଛୋଟ ବେଳେ ଭଲ ପାଠ ପଢୁଥିଲା ବୋଲି ସମ୍ପର୍କିୟ ମାନଙ୍କ ସହାୟତା ରେ ଧାର୍ ଉଧାର୍ କରି ତା ମା ତାକୁ ପାଠ ପଢାଇଲେ I   ସେ ଏବେ ଚାକିରୀ କଲା ପରେ ଷ୍ଟଡି ଲୋନ, ଧାର୍ ଉଧାର୍ , ସୁଝିଲା ବେଳକୁ ପାଖରେ ୧୦୦୦-୨୦୦୦ ଟଙ୍କା ରହୁଚି ,ସେଥିରେ ପୁଣି ବନ୍ଧୁ ବାନ୍ଧବଙ୍କ କାମ ନିମନ୍ତ I  ପଇସା ଶେଷ I  ତା ସ୍ବପ୍ନ ସବୁ ସ୍ବପ୍ନ ରେ ରହିଛି I  ଜମି କିଣି ଘର କରିବ, ଭଉଣୀ ମାନଙ୍କୁ ବାହା ଦେବ, ଗାଡି କିଣିବ,ଘର ସଂସାର କରିବ, ମା କୁ ଭଲରେ ରଖିବ ଇତ୍ୟାଦି ଇତ୍ୟାଦି I  ସବୁ ସ୍ବପ୍ନ ସ୍ବପ୍ନ ରେ ହିଁ ଅଛି I  ଏଠି ଅଫିସ୍ ଯିବାକୁ ଅସୁବିଧା ହେଲା ବୋଲି ତା’ ଘର ମାଲିକ ର ପୁରୁଣା ସ୍କୁଟର୍ କୁ ସେ ବ୍ୟବହାର କରୁଚି ବେଳେ ବେଳେ I

             ସେ କଣ ପ୍ରେମ କରିପାରିବ ଗୋଟେ କ୍ଲାସ୍-୧ ଅଫିସର୍ ର ଝିଅ କୁ? ଯାହା ପାଖରେ ଦୁଇ ଦୁଇଟା କାର୍, ଗୋଟେ ଦାମୀ ମଟର୍ ସାଇକେଲ୍,ଝିଅ  ପାଇଁ ସ୍କୁଟି, ଚାକର ପାଇଁ ବାଇକ, ତିନି ମହଲା କୋଠା, ସବୁ ଘରେ AC ଲାଗିଛି, ଘର ଆଗରେ ଦି ଟା ଲୋକ ସବୁ ବେଳେ ଠିଆ ହୋଇ ଥାନ୍ତି, ତା ସହ ଅଚଳାଚଳ ସମ୍ପତି I  ସେ କଣ ଭଲ ପାଇ ପାରିବ? ନାଁ, ଏହା ସମ୍ଭବ ନୁହଁ I  କେବେ ବି ନୁହଁ I

            ବେଳେ ବେଳେ ଅନମୋଲ୍ ଆଉ ତା ସାଙ୍ଗ, ଆକଶ୍ କୁ ଦେଖି ଚିମୁଟା ଚିମୁଟୀ ହୋଇ ହସନ୍ତି I  ଆକଶ୍ ଭାବେ ଯଦି କେବେ ଅନମୋଲ୍ ତାକୁ ଭଲପାଏ ବୋଲି ସାମନା ରେ କହେ ସେ କଣ କରିବ ? କ’ଣ କହିବ ଅନମୋଲ୍ କୁ ? କଣ ଉତ୍ତର ଦେବ ତା’ ପ୍ରଶ୍ନ ର? ହଁ କହିବ ନା ନାଁ କହିବ ? ଆକଶ୍ କିଛି ଭାବିପାରେ ନାହିଁ I  ସେ ନାଁ ହିଁ କରିବ I  କିନ୍ତୁ ତା’ପରେ ଅନମୋଲ୍ କଣ କରିବ ? ଏଠାକୁ ଆସିବ ନାଁ, ଆସିବା ବନ୍ଦ କରିଦେବ ? ସେ କିଛି ଚିନ୍ତା କରିପାରେ ନାହିଁ I  ଯାହା ହେବ ଦେଖା ଯିବ I  କିନ୍ତୁ ସେ ଏତେ କଣ ପାଇଁ ଭାବୁଚି ? ଅନମୋଲ୍ ତ ଏଯାଏ କିଛି କହିନି I  କେଜାଣି ତା ମନରେ ପ୍ରେମ ଅଛି ନା ନାହିଁ I      I

            ତା ପର ରବିବାର , ସେଦିନର ପ୍ଲାନ୍ ଅନୁସାରେ ସମସ୍ତେ ବାହାରକୁ ଯାଇଥାନ୍ତି ,କେବଳ ଅନମୋଲ୍ ଆଉ ଆକଶ୍ କୁ ଛାଡି I  ଦିଜଣ ଯାକ ବହି ଆଉ ପଇସା ର ହିସାବ ଦେଖୁଥାନ୍ତି I  ହଠାତ୍ ଅନମୋଲ୍ କଣ ଗୋଟେ କହିବ କହିବ ହୋଇ ରହିଗଲା I  କିଛି ସମୟ ପରେ କହିଲା “ଆକଶ୍, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହେଁ ” I

              (ଆକଶ୍ ଆଶ୍ଚର୍ଯ ହୋଇ ଅନମୋଲ୍ କୁ ଚାହିଁଲା, ଆକଶ୍ ଭାଇ ରୁ ଆକଶ୍ ? )

ଆକଶ୍ :- କୁହ…

ଅନମୋଲ୍ :- ପ୍ଲିଜ୍ ମୋତେ ଭୁଲ୍ ବୁଝିବେନି I  କିନ୍ତୁ ମୁଁ ଆପଣଙ୍କୁ ବହୁତ୍ ଭଲ ପାଏ I

     (ଆକଶ୍ ଆଶ୍ଚର୍ଯ ହୋଇ ଅନମୋଲ୍ କୁ ଚାହିଁ ଥାଏ I  ସେ ତା’ହେଲେ ଯାହା ଭାବୁଥିଲା ସବୁ ଠିକ ? ଅନମୋଲ୍ ତାକୁ ଭଲପାଏ I  ଆକଶ୍ କଣ କରିବ କିଛି ବୁଝି ନପାରି କାମରେ ମନ ଦେଲା I  )

ଆକାଶ :- ଆଛା , ସ୍ବାମିନାରାୟଣ ବୃଦ୍ଧାଶ୍ରମ କୁ ୧୭ ତାରିଖ ରେ ୨୫ ଟା ବହି ଦିଆ ଯାଇଥିଲା ,ସେଥିରୁ ୧୫ ଟା ୩୦ ତାରିଖ ରେ ଫେରସ୍ତ ମିଳିଛି ,ବାକି ସବୁ ଲିସ୍ଟ୍ ଅଛି କି ନାହିଁ ଦେଖିଲ I

ଅନମୋଲ୍ :- ଆପଣ କ’ଣ ମୋତେ ଭଲ ପାନ୍ତି ନାହିଁ ? ମୁଁ କଣ ସୁନ୍ଦର ନୁହେଁ ?

ଆକାଶ :- ସେ ବାଜେକଥା ଛାଡ ଆଉ କାମରେ ମନଦିଅ I  ଅମେ ଏଠାକୁ ସମାଜସେବା କରିବାକୁ ଆସିଛେ I  ପ୍ରେମ କରିବାକୁ ନୁହଁ I  ତୁମ ବାପା ମା ଏଠାକୁ ସମାଜସେବା କରିବାକୁ ଛାଡିଛନ୍ତି ,  ପ୍ରେମ କରିବାକୁ ନୁହଁ I  ତେଣୁ କାମ ରେ ମନଦିଅ I

        ଅନମୋଲ୍ କିଛି ନକହି ଉଠି ଚାଲିଗଲା I  ଆକଶ୍ ମନେ ମନେ କହିଲା କ’ଣ ଭୁଲ୍ କଲି ? ମୁଁ ୧୬-୧୭ ବର୍ଷ ର ପିଲା ନୁହେଁ ଯେ ପ୍ରେମ କୁ ନେଇକି ଖେଳ ଖେଳିବି I  ମୋ ଉପରେ ଯେତିକି ପ୍ରେସର୍ ଅଛି, ମୋର ଯେତେ କାମ ଅଛି ,ସେ ସବୁର କ’ଣ ହେବ ?

       ତା’ପର ର ଦୁଇଟା ରବିବାର ଅନମୋଲ୍ ଆସିଲା ନାହିଁ I  ଆକଶ୍ କୁ ବିରକ୍ତ ଲାଗିଲା, କଣ ଭାବୁଚି ସେ ଝିଅ ? ଧନୀଘରର ବୋଲି କଣ ଯାହା ଚାହିଁବ ହେବ? ମୋର ବି ତ କିଛି ଅଛି I  ମୁଁ ଯେଉଁ ସିଚୁଏସନ ରେ ଅଛି, ଏଠି ପ୍ରେମ କ’ଣ, ସ୍ବପ୍ନ ଦେଖିବା ବି ମନା I  ମୁଁ କ’ଣ ଭୁଲ୍ କଲି ? ସେ ଛୁଆଙ୍କ ପରିକା ପଚାରିବ ଆଉ ମୁଁ , ହଁ କରିଦେବି? ମୋତେ ପୁଣି ଭାବିବାକୁ କିଛି ସମୟ ଦର୍କାର୍ କି ନାହିଁ ?

ଦୁଇ ସପ୍ତାହ ପରେ ବି ଅନମୋଲ୍ ଆସିଲା ନାହିଁ I  ଆକାଶ ତ ସାଂଗ ମାନଂକୁ ପଚାରି କି ଜାଣିବାକୁ ପାଇଲା ଯେ ,ସେ ଠିକ ଠାକ୍ ଅଛି କିନ୍ତୁ କହୁଚି ତା ଦେହ ଖରାପ୍ I  ଅନ୍ୟ କେହି ନଜାଣିଲେ ବି ଆକାଶ ଠିକ ଜାଣିପାରିଲା ଯେ କାରଣ ଟା କ’ଣ?

       ତା’ପର ରବିବାର, ଅନମୋଲ୍ ଆସି ପହଞ୍ଚିଲା ସାଙ୍ଗ ମାନଙ୍କ ସହ ଆଉ ପୁର୍ବ ପରି କାମ କରିବାକୁ ଲାଗିଲା ,ଯେପରି କିଛି ବି ହୋଇନି I   ଅନ୍ୟ ମାନଙ୍କୁ ଜାଣିବାର ସୁଯୋଗ ନଦେଲେବି ଆକାଶ ଜାଣି ପାରୁଥିଲା, ଅନମୋଲ୍ ର ବ୍ୟବହାର କୁ I   ସେ କେମିତି ଟିକେ ଦୁରେଇ ଦୁରେଇ ରହୁଥିଲା ଓ ଆକାଶ ନ ଜାଣିପାରିଲା ପରି ତାକୁ କଣେଇ କଣେଇ ଚାହୁଁଥିଲା I   ଆକାଶ କିଛି ନ କହିଲେ ବି ତାକୁ ଏସବୁ ଭଲ ଲାଗୁନଥିଲା I   ଭାବୁଥିଲା କହିଦେବ ତା ଘର ଆଉ ପରିବାର ବିଷୟରେ କିନତୁ ଏଠିକାର ଧନୀ ପିଲାମାନେ କଣ ବୁଝିବେ ଗରିବ ର ଅସହୟତାକୁ ? କେବଳ ଦୟା ଦେଖାଇବେ I   ସେଥିପାଇଁ ସେ କହିପାରିଲାନି ଓ ଠିକ କଲା ଏ ଜାଗା ଛାଡି ଚାଲିଯିବ I

         କିଛିଦିନର ଅପେକ୍ଷା ପରେ ତାକୁ ଭୁବନେଶ୍ବର୍ ରେ ଗୋଟେ ଭଲ ଚାକିରୀ ମିଳିଗଲା I   ଏଇ କିଛିଦିନ ହେବ ସେ ଆଉ ଆଗ ପରି କାମ କିଛି ବୁଝୁ ନଥିଲା I   କିଛି ପିଲାଙ୍କୁ କାମର ଦାୟିତ୍ବ ଦେଇ ସେ ଇଣ୍ଟରଭିଉ ପାଇଁ ପ୍ରିପ୍ୟାର ହେଉଥିଲା I   ମଝିରେ ମଝିରେ ଖାଲି ଯାହା ଖବର୍ ରଖୁଥିଲା I

      ଚାକିରୀ ପାଇ ସେ ଖୁସି ହେଲେବି ,ପିଲାମାନଙ୍କୁ କାହାକୁ ବି ସେ ଏ ବିଷୟରେ ଜଣାଇ ନଥିଲା I  ଆଉ ଗୋଟେ ଶନିବାର ରାତିରେ ସେ ତା ଜିନିଷ pack କରି ଗାନ୍ଧିନଗର୍ ଛାଡି ଚାଲିଗଲା I  ଗଲାବେଳେ ଘର ମାଲିକକୁ ,ଘର ର ଚାବି ଆଉ ଗୋଟେ ଚିଠି ଦେଲା ପିଲାମାନଙ୍କୁ ଦେଇ ଦେବା ପାଇଁ I  ପରଦିନ ପିଲାମାନେ ଆସି ଦେଖିଲେ ଆକାଶ ଭାଇ ନାହାଁନ୍ତି I  ଚିଠି ପଢିଲେ I  ଚିଠି ରେ ଲେଖାଥିଲା :-

ସ୍ନେହ ର ଭାଇ ଓ ଭଉଣୀ ମାନେ,

  ପ୍ରଥମେ ମୋତେ କ୍ଷମା କରିଦେବ I  ବଡଭାଇ ର ଗୋଟେ ନିର୍ବୋଧତା ବୋଲି ଧରି ନେବ I  ତୁମେମାନେ ଏ ଚିଠି ପଢିଲା ବେଳକୁ ମୁ ଗାନ୍ଧିନଗର ରେ ନଥିବି I  କିଛି ନଜଣାଈ ଚାଲି ଯାଉଛି ବୋଲି ଭୁଲ୍ ବୁଝିବନି I  ଯେତେଦିନ ଯାଏ ପାରିବ ବୁଢା ବୁଢୀ ମାନଙ୍କୁ ଓ ଛୋଟ ପିଲା ମାନଙ୍କୁ ସ୍ନେହ ଦେବ I  ବହି ବାଣ୍ଟୁଥିବ I  ତୁମେମାନେ ମୋ ବିଷୟରେ କିଛି ବି ଜାଣିନ I  ମୁଁ ଜଣେଇବା ପାଇଁ ବି ଚାହୁଁନି I  ମୁଁ ଗାନ୍ଧିନଗର୍ ଛାଡିବା ଜରୁରି ଥିଲା I  ସେଥିପାଇଁ ଚାଲି ଯାଉଛି I  ଘରେ ବହି ଓ ଅନ୍ୟାନ୍ୟ ଜିନିଷ ସବୁ ଅଛି I  ଚାବି ଆଣି ଘର ଖୋଲିବ I

                                                                                             ଇତି

                                                                                          ଆକାଶ

ଆକାଶ ଭୁବନେଶ୍ବର୍ ରେ ଆସି ପହଞ୍ଚିଲା ଆଉ ତା ନୁଆ କମ୍ପାନୀ ରେ ଯୋଗ ଦେଲା I  ଏଠାରେ ତାକୁ ବହୁତ୍ ସାଙ୍ଗ ମିଳିଗଲେ I  ଘର ର କାମ ସବୁ ଯେପରିକି ଜମି କିଣିବା, ଘର କରିବା, ଭଉଣୀ ମାନଙ୍କୁ ବାହା ଦେବା ଆଦି କାମ ରେ ବ୍ୟସ୍ତ ରହିଲା I  କିନ୍ତୁ କେବେବି ଅନମୋଲ୍ ଆଉ ଅନ୍ୟ ପିଲା ମାନଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଲାନୀ I  ସମ୍ପର୍କ ରଖିଲେ କାଳେ ଅନମୋଲ୍ ତା ବିଷୟ ରେ ଜାଣିଯିବ , ସେଥିପାଇଁ  ସେ ମୋବାଇଲ୍ ରୁ ବି ସବୁ ନମ୍ବର୍ ଡିଲିଟ୍ କରିଦେଲା I  ଆଉ ଗାନ୍ଧିନଗର ବିଷୟରେ ଭୁଲିଯିବାକୁ ଚେଷ୍ଟା କଲା ଓ ନିଜକୁ ବ୍ୟସ୍ତ ରଖିଲା I  କିନ୍ତୁ କେବେ କେହି ସମାଜ ସେବା କରିବାକୁ ଡାକିଲେ ସେ କଥାକୁ ଆଡେଇ ଯାଉଥିଲା I

୩୦ ବର୍ଷ ପରେ . . .

ଆକଶ୍ ବାବୁ ଆଜି ରିଟାର୍ଡ଼ କରୁଛନ୍ତି I  ଅଫିସ୍ ରେ ତାଙ୍କର ଶେଷ ଦିନ I  ଅଫିସ୍ ର ଝିନଝଟ ସବୁ ଯେପରିକି ଭାଷଣ ଦେବା, ଖାଇବା ପିଇବା, ସମ୍ବର୍ଦ୍ଧନା ପର୍ବ ଶେଷ କରିବା ପରେ ଆକଶ୍ ଆସି ନିଜ ଘରେ ସୋଫା ରେ ବସି ପଡିଲା I  ଦେଖୁ ଦେଖୁ ୩୦ ବର୍ଷ ବିତିଗଲା ଭୁବନେଶ୍ବର୍ ରେ I  ତା’ର ବିଗତ ଦିନ ର କଥା ସବୁ ମନେ ପଡି ଯାଉଥାଏ I  ଏଠାରେ ଜାଗା କିଣି, ଘର କରି ସାରିଚି I  ଭଉଣୀ ମାନଙ୍କୁ ଭଲ ଘର ଦେଖିକି ବାହା ଦେଇ ସାରିଚି I  ସବୁ କାମ ସରିଲା ବେଳକୁ ତାକୁ ୪୦ ବର୍ଷ I  ମା ଲଗେଇଥିଲା ବାହାଘର ପାଇଁ I ହେଲେ ଆକାଶ ମନା କଲା I ଜୀବନ ର ଦୁଇ ତୃତୀୟାଂଶ ବିତି ଗଲାଣି, ଆଉ ୫ – ୧୦ ଟା ବର୍ଷ ପାଇଁ ବାହାଘର ଭଳି ଝିନ୍ଝଟ୍ ସେ ପସିବାକୁ ଚାହିଁଲାନୀ I  ତେଣୁ ସେ ବାହା ହେଲା ନାହିଁ I  ଏବେ ଘରେ ସେ ଆଉ ତାଙ୍କ ଚାକର, ମକରା  I  ଭଉଣୀ ମାନେ ସବୁ ନିଜ ନିଜ ସଂସାର ରେ ବ୍ୟସ୍ତ I  ମା ଚାଲିଗଲାଣି ୧୨ ବର୍ଷ ହେଲା I  ଏବେ ଜୀବନ କେମିତି କଟିବ ? କ’ଣ କରିବ ସେ ଦିନସାରା ଘରେ ବସି ବସି I

   ହଠାତ୍ ତା’ର ପୁରୁଣା ଦିନ କଥା ମନେ ପଡିଲା I  ଠିକ ଏମିତି ସେଦିନ ସେ ଭାବିଥିଲା ଗାନ୍ଧିନଗର ରେ , ରବିବାରରେ I  ଗାନ୍ଧିନଗର ରେ ବିତେଇ ଥିବା ଦିନ ସବୁ ତା’ର ମାନସ ପଟ୍ଟ ରେ ଭାସି ବୁଲିଲେ I  କଣ କରୁଥିବ ଅନମୋଲ୍ ? ତାକୁ ଭୁଲି ଆଉ କାହାକୁ ବାହା ହୋଇ ଘର ସଂସାର କରୁଥିବ I ବୁଢୀ ହୋଇ ଯିବଣି I ପୁଅ କି ଝିଅ ବାହାଘର କରି ସାରିବଣି I  କ’ଣ ହେଲା ପୁଣି ସେ ସମାଜସେବା ର ? ଚାଲିଥିବ ନା ବନ୍ଦ ହୋଇ ଯାଇଥିବ? କଲେଜ୍ ରେ ଥିବା ବେଳେ ପିଲା ମାନଙ୍କ ର ଯୋଶ୍ ଥାଏ I  ଏବେ ସମସ୍ତେ ଘର ସଂସାର କରିବେଣି I  ନିଜ ନିଜ ସଂସାର ରେ ବ୍ୟସ୍ତ ଥିବେ I  ଆଉ କେହି ଏସବୁ କରୁ ନଥିବେ I  କେଜାଣି କାହିଁକି ଆକାଶ ର ମନ ହେଲା ଥରେ ଗାନ୍ଧିନଗର ବୁଲି ଯିବା ପାଇଁ I  ଥରେ ଦେଖି ଆସିବ ସେଠାକାର ପରିସ୍ଥତି I  କିଛି ନହେଲେ ବି ତା ମନର ସଂଶୟ ତ ଦୁର ହୋଇଯିବ I

   ଟ୍ରେନ ରେ ଚଢିଲା ବେଳକୁ ତା ମନ ଥାଏ କେମିତି ଗାନ୍ଧିନଗର ରେ ପହଞ୍ଚିବ I  ସେ ଫ୍ଲାଇଟ୍ ରେ ଯାଇ ପାରିଥାନ୍ତI  କିନ୍ତୁ କିଛି ସମୟ ଗାନ୍ଧିନଗର ବିଷୟରେ ଭାବି ଭାବି ଯିବ ବୋଲି ଟ୍ରେନ ରେ ଟିକେଟ୍ କରିଛି I  ସାଙ୍ଗରେ ମକରା ବି ଆସିଛି I  ମକରା ର ଆଜି ଭାରି ଖୁସି I  ସେ କେବେବି  ଟ୍ରେନ ରେ ବସିନି I  ଆଜି ବାବୁଙ୍କ ଦୟାରୁ ଟ୍ରେନ ରେ ବସିବ I  ପୁଣି ଯିବ ଗୋଟେ ନୁଆ ରାଜ୍ୟ କୁ I  ଯେଉଁଠି ମହାତ୍ମା ଗାନ୍ଧି ଜନ୍ମ ହୋଇଥିଲେ I  ତାଙ୍କ ନାଁ ଅନୁସାରେ ସେଟା ଗାନ୍ଧିନଗର୍ I  ଏମିତି କେତେ କଣ ଭାବି ଚାଲିଥାଏ ସେ I

    ଆକାଶ ଓ ମକରା ନିଜ ନିଜ ଭାବନା ରାଜ୍ୟ ରେ ବିଚରଣ କରୁଥାନ୍ତି I  ଆକାଶ ମନେ ପକଉଥାଏ ଅନମୋଲ୍ ର ଚେହେରା , ତା’ର କଥା କହିବା ଠାଣୀ, ମୁଚୁକୀ ହସ ,ଆଖିନଚା କଥା, ଠାର, ରାଗ, ରୁଷା, ଏମିତି ଅନେକ କିଛି I  ଭାବୁଥାଏ ଯଦି ସେଦିନ ସେ ହଁ କହିଥାନ୍ତା ତେବେ କଣ ହୋଇଥାନ୍ତା I  ଇତ୍ୟାଦି ଇତ୍ୟାଦି ……

   ବାବୁଙ୍କୁ ଏତେ ଚିନ୍ତା ରେ ଥିବା ଦେଖି, ମକରା ବାବୁଙ୍କୁ ପଚାରିଲା ଗାନ୍ଧିନଗର ବିଷୟରେ I  ଟ୍ରେନ ରେ ସମୟ କାଟିବା ଲାଗି ଆକାଶ ବି ମକରା ଆଗରେ ସବୁ କଥା କହି ବସିଲା I  ଆକାଶ ତା ଜୀବନ କାହାଣୀ ଆଉ ଗାନ୍ଧିନଗର ଆସିବାର ଉଦେଶ୍ୟ ବି ମକରା କୁ କହିଲା I

     ଏମିତି ଏମିତି କଟିଗଲା ଟ୍ରେନ ର ରାସ୍ତା I  ସେମାନେ ଆସି ଅହମଦାବାଦ୍ ରେ ପହଞ୍ଚିଲେ I  ସେଠୁ ଗାନ୍ଧିନଗର I  ବାଟରେ ଆସିଲା ବେଳେ ଆକାଶ ଦେଖୁ ଥାଏ ରାସ୍ତା ଘାଟ, ପାର୍କ୍, ଘର, ଦୋକାନ, ସବୁ ବଦଳି ଯାଇଛି I  ଖାଲି ପଡିଆ ଜାଗାରେ ଠିଆ ହୋଇଚି ସୁରମ୍ୟ ଅଟାଳିକା I ହୋଟେଲ୍ ରେ ପହଞ୍ଚି, ଫ୍ରେଶ ହୋଇ ,କ’ଣ ଦି ଟା ଖାଇ ଦେଇ ,ଆକାଶ ଆଉ ମକରା ବାହାରିଲେ ଆକାଶ ୩୦ ବର୍ଷ ତଳେ ରହୁଥିବା ଜାଗା କୁ I

             ଅନମୋଲ୍ ର ଘର ଆସିବା ପୁର୍ବରୁ ଆକଶ୍ ର ହୃଦସ୍ପନ୍ଦନ ବଢି ଯାଇଥାଏ I  ଗୋଟେ କଲେଜ୍ ପିଲା ପ୍ରଥମ ଥର ପାଇଁ ଗୋଟେ ଝିଅ କୁ ପ୍ରପୋଜ କଲା ପରି, ସେ ନର୍ଭସ୍ ଜଣା ପଡୁ ଥାଏ I  ଶୀତଦିନ ରେ ବି ତା ଦେହରୁ ଝାଳ ବାହାରୁ ଥାଏ I  ସେ ବାରମ୍ବାର ରୁମାଲ୍ ରେ ମୁହଁ ପୋଛୁ ଥାଏ I  ହଠାତ୍ ଗୋଟେ ସାଇନ୍ ବୋଡ୍ ଦେଖି ଆକଶ୍ ଚମକି ପଡିଲା I  ଏ କ’ଣ ? ଅନମୋଲ୍ ର ତିନି ମହଲା ଘର ଆଗରେ ଗୋଟେ ବିରାଟ ସାଇନ୍ ବୋଡ୍ I  ଆଉ ସେଥିରେ ଲେଖା ହୋଇଛି “ଆକାଶ ବୃଦ୍ଧାଶ୍ରମ ” I  କିନ୍ତୁ କାହିଁକି?

            ସେ ଅଟୋ ରଖି ଭିତରକୁ ଗଲା I ଘର ଭିତରେ ଗୋଟେ ବଡ ଫୋଟୋ ଫ୍ରେମ୍ ରେ ତା ନିଜର ଫୋଟୋ ଦେଖି ପୁଣି ଥରେ ଆକଶ୍ ଚମକି ପଡିଲା I ସେ ମନେ ପକାଇବାକୁ ଚେଷ୍ଟା କଲା, ଏଇ ଫୋଟୋଟା ସେଦିନ ସେ ଅନମୋଲ୍ କୁ ଦେଇଥିଲା ଥାକ ରେ ରଖିଦେବI ପାଇଁ ,ଯେଉଁ ଦିନ ଅନମୋଲ୍ ତାକୁ ପ୍ରପୋଜ କରିଥିଲା ଆଉ ସେ ଚିଡିକି ଗାଳି ଦେଇଥିଲା I  ତେବେ ଅନମୋଲ୍ ସେଦିନ ଏ ଫୋଟୋ ଟା ଥାକ ରେ ନ ରଖି ନେଇ ଯାଇଥିଲା !!!

             ଆକଶ୍ ର ଏ ବୃଦ୍ଧାଶ୍ରମ ବିଷୟ ରେ ଜାଣିବାକୁ ଆଗ୍ରହ ହେଲା ଆଉ ତା ସହ ଅନମୋଲ୍ କୁ ବି ଦେଖିବାକୁ ବ୍ୟଗ୍ର ହୋଇ ଉଠିଲା I  ଆଟେନ୍ଡାଣଟ କୁ ପଚାରିବାରୁ ଜଣାଗଲା ଯେ ଅନମୋଲ୍ ଏବେ ଗାଂଧିନଗର୍ ରେ ନାହିଁ I  ଆଜି ଆସିବ I ସେ ତିନି ଦିନ ହେଲା କୌଣସି ଗୋଟେ କାମ ରେ ବାହାରକୁ ଯାଇଛି I  ଆକଶ୍ ଏ ବୃଦ୍ଧାଶ୍ରମ  ବିଷୟରେ ଜାଣିବାକୁ ଚାହିଁଲା, ଆଉ ଯାହା ଶୁଣିଲା, ତା’ ଆଖି ରେ ଲୁହ ଆସିଗଲା I  ଆଟେଣ୍ଡIଣ୍ଟ କହି ଚାଲିଥାଏ I

    ଘଟଣା ଟି ଏହିପରି… ସେଦିନ ଆକଶ୍ ର ଚିଠି ପଢି ସାରିଲା ପରେ ସବୁ ପିଲାଙ୍କ ଭିତରେ ଭାଳେଣି ପଡିଲା, ଏବେ କଣ କରିବା? କାହା ମନରେ ବି ଆଉ ଆଶା ନଥାଏ କି ସେମାନେ କିଛି ବି କରି ପାରିବେ I ଅନମୋଲ୍ ଚିଠି ଟା ଛଡେଇ ନେଇ କହିଲା, ନାଁ ! ଆମେ ୟାକୁ ବଂଦ ହେବାକୁ ଦେବାନାହିଁ I ଆକଶ୍ ନଥିଲେ ନାହିଁ….. ଆମ ଲୋକଙ୍କ ସେବା ଆମେ କରି ପାରିବା I  ତା’ ପରେ ଅନମୋଲ୍ ର ଗାରେଜ ଘରେ ଅଫିସ୍ ତିଆରି ହେଲା I  ନାଁ ରହିଲା “ଆକଶ୍ ହେଲପିଙ୍ଗ ହାଣ୍ଡ” I  ପିଲାମାନେ ସବୁ ସେଇଠାରୁ ପୁର୍ବ ପରି କାମ କରିବାକୁ ଲାଗିଲେ I  ଅନମୋଲ୍ ସବୁ ଗI ଇଡ଼ କରୁ ଥାଏ I  ଅନମୋଲ୍ ପାଇଁ ଯେତେବେଳେ ବାହାଘର ପ୍ରସ୍ତାବ୍ ସବୁ ଆସିଲା ,ସେ ମନା କଲା ବାହା ହେବା ପାଇଁ I  ଆଉ ସେ ଆଜି ଯାଏ ବି ବାହା ହୋଇନି I  ଏବେ ଠୁ ୧୫ ବର୍ଷ ପୁର୍ବରୁ ଅନମୋଲ୍ ର ବାପା,ମା କାର ଦୁର୍ଘଟଣା ରେ ପ୍ରାଣ ହରାଇଲା ପରେ, ଏ ଘର “ଆକଶ୍ ବୃଦ୍ଧାଶ୍ରମ ” ହୋଇଛି I  ଆଉ ଏହିପରି ଦୁଇଟା ବୃଦ୍ଧାଶ୍ରମ , ଗୋଟେ ଶିଶୁ ଭବନ ଓ ଗୋଟିଏ ମୁକ ବଧିର ଶୀକ୍ଷI  କେନ୍ଦ୍ର, ଅନମୋଲ୍ ଖୋଲି ସIରିଛି I  ଅନମୋଲ୍ ତା ନିଜର ସବୁ ସମ୍ପତି “ଆକାଶ Trust ” ନାଁ ରେ କରି ଦେଇଛି I

    ଏତିକି ବେଳେ ଗୋଟେ କାର ଆସି ବୃଦ୍ଧାଶ୍ରମ ଆଗରେ ରହିଲା I ବାହାରେ ମକରା କୁ ଦେଖି ଅନମୋଲ୍ ତା ବିଷୟ ରେ ପଚାରିଲା I  ମକରା ଠୁଁ ସବୁ ଶୁଣି ସାରି,  ଅନମୋଲ୍ ର ଆଖି ଓଦା ହୋଇ ଗଲା କିନ୍ତୁ ଆକଶ୍ ବାହା ହୋଇନି ଶୁଣି, ତା ଅଧର ରେ ଗୋଟେ ଛୋଟ ହସ ର ଧାର ଦେଖାଗଲା ଆଉ  ଅନମୋଲ୍ ଏକ ନିସ୍ବାଶ ରେ ଘର ଭିତରକୁ ଧାଇଁ ଗଲା ଆକାଶ କୁ ଦେଖିବା ପାଇଁ I

ଏତେ ଦିନ ପରେ ଦୁହେଁ ଦୁହିଁକୁ ଦେଖିଲେ I  କାହାର କାହାକୁ କିଛି କହିବାର ନଥିଲା I  ଆଖି ଆଖି ଠାରୁ ଅଲଗା ହେବା ପାଇଁ ଚାହୁଁ ନଥିଲେ, ଦୁହେଁ ଦୁହିଁଙ୍କୁ କେବଳ ଚାହିଁ ରହିଥିଲେ I  ଆଉ ଦୁହିଁଙ୍କ ଆଖିରେ ଆଜିବି ଦୁହିଁଙ୍କ ପାଇଁ ପ୍ରେମ ଝଟକୁ  ଥିଲା I  ଆଜି ସେମାନଙ୍କ ପାଇଁ କୌଣସି ବାଧା ନଥିଲା, ନା ଥିଲା କୌଣସି ପ୍ରତିବନ୍ଧକ I ସେମାନେ ଦୁହେଁ ଦୁହିଙ୍କ ପାଇଁ ପ୍ରତିସୃତୀବଦ୍ଧ ହେବାର ସମୟ ଆସି ସାରିଥିଲା I

ପ୍ରେମ ର ଆନନ୍ଦ କେବଳ ଯେ ବିବାହ ରେ ଥାଏ ……ଏଇ କଥା ଏମାନେ ଦୁହେଁ ଖଣ୍ଡନ କରୁଥିଲେ I

——xxx——

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ଚୁଡା —-ଛୋଟ ଗଳ୍ପ

ଚୁଡା  —-ଛୋଟ ଗଳ୍ପ

ସୁବଳ ମହାପାତ୍ର

ବି.ଦ୍ରଗୁଜରାଟ ରେ ପୋହା – ଚୁଡା ସନ୍ତୁଳା , ମମରା – ମୁଢି

()

ସକାଳୁ ସକାଳୁ ପୁଅ ମା କୁ ଖାଇବାକୁ ମାଗିଲା I

ପୁଅ— ମା , କଣ ଦି’ଟା ଦେଲୁ ଖାଇବି I

ମାଚୁଡା କଦଳୀ ଦେବି ?

ପୁଅ– ହେଃଚୁଡା କଦଳୀ କଣ ସବୁ ମଣିଷ ଖାଆନ୍ତି ?

ମା– ଆଉଚୁଡା ସନ୍ତୁଳା କରିଦେବି?

ପୁଅ– ହେଃମୁଁ କଣ ଗାଁ ରୁ ଆଇଚି ? ଚୁଡା ଖାଇବି I

ମା– ମୁଢି ଦି ଟା ଦେବି ମିକ୍ସଚର ପକେଇ ଚୋବେଇବୁ?

ପୁଅ— ହେଃ , ତୁ ଛାଡ଼ I ମୁଁ ଯାଉଛି ମକରା ଦୋକାନ ରୁ କଣ ଟିକେ ଖାଇଦେବି I

()

ପୁଅ ରହୁଛି ଗୁଜରାଟ ରେ I କାମ କରୁଛି ସଫ୍ଟଓୟାର କମ୍ପାନୀ ରେ..

ପୁଅ (ଦୋକାନୀ କୁ)—ଭାଇ, ପୋହା ପ୍ଲେଟ ( ବଡ ଚାମଚକେତେ ?

ଦୋକାନୀ— ୧୫ ଟଙ୍କା !

ପୁଅ—  ପ୍ଲେଟ ଦେଲ I ଆଉ ମମରା ପ୍ୟାକେଟ କେତେ ?

ଦୋକାନୀ— ୧୦ ଟଙ୍କା !

ପୁଅ—  ଟା ଦିଅ I

ପୁଅ ଖାଇ ଖାଇ ଅଫିସ ଗଲା ବେଳେ ମା କଥା ତାର ମନେ ପଡୁଥିଲା I

 

—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଶେଷ ନଥିବା ଗପ …

ଶେଷ ନଥିବା ଗପ

ସୁବଳ ମହାପାତ୍ର

ଏହା ମୋ ନିଜ କଥା ଓ ଗୋଟିଏ ସତ ଘଟଣା . ..

ମୋ ଅଜା ମୋତେ କେବେ ବି ଗପ କହି  ନାହାନ୍ତି I  … କେବଳ  ଗୋଟିଏ  କୁ  ଛାଡି I..

ଦିନେ  ମୁଁ   ତାଂକୁ ବହୁତ  ବାଧ୍ୟ  କରିବା  ପରେ  ସେ  ରାଜି  ହେଲେ, ଓ  କହିଲେ : .ମୁଁଗୋଟେ  ଗପ କହିବି  ଯେଉଁଟା   କେବେ  ବି  ସରିବନି ..

ମୁଁ   ଭାବିଲି …ବହୁତ  ବଢିଆ.. 

ସେ  ଆରମ୍ଭ  କଲେ ..

ଗୋଟେ  ରାଜ୍ୟ  ଥିଲା I ରାଜ୍ୟ  ରେ  ବହୁତ୍  ଦିନ  ହେଲା  ମରୁଡି  ପଡୁଥିଲା I ଲୋକ ମାନେ  ଖାଇବାକୁ  କି  ପାଣି  ମୁନ୍ଦେ  ପି ବାକୁ  ପାଉ  ନଥିଲେ I

ଦିନେ  ସେ  ରାଜ୍ୟ  କୁ  ଗୋଟେ  କାଉ  ଉଡି ଉଡି  ଆସିଲା I ସେ  ରାଜ୍ୟବାସିଂକ ଅବସ୍ତା  ଦେଖିଲା I ତାକୁ ବହୁତ  ଦୁଖ ଲାଗିଲା I ସେ  ଚିନ୍ତା  କଲା କଣ  କରା  ଯାଇ ପାରିବ ?

ସମସ୍ତେ  କହନ୍ତି  କାଉ  ବୁଧିଆ I ..ସେ  ଭାବିଲା  ମୋତେ  କିଛି  ଗୋଟେ  କରିବାକୁ ପଡିବ ..

କିଛି ସମୟ  ଚିନ୍ତା  କଲା  ପରେ ,ସେ  ତା  କାମ  ଆରମ୍ଭ  କଲା ..

ସେ  ଉଡି  ଉଡି  ପାଖ  ରାଜ୍ୟ  କୁ  ଗଲା  ଆଉ  ଥନ୍ତରେ  ପାଣି  ଆଣି   ଏପଟ  ରାଜ୍ୟ ର  ପୋଖରି  ରେ  ପକେଇଲା I

ପୁଣି  ଉଡି  ଉଡି  ଗଲା ,ଆଉ ପାଣି  ଆଣି   ଏପଟ  ରାଜ୍ୟ  ର  ପୋଖରି  ରେ ପକେଇଲା ..

ପୁଣି  ଉଡି  ଉଡି  ଗଲା ,ଆଉ ପାଣି  ଆଣି  ପୋଖରି  ରେ  ପକେଇଲା ..

ପୁଣି  ଉଡି  ଉଡି  ଗଲା  ଆଉ  ପାଣି  ଆଣି  ପୋଖରି  ରେ  ପକେଇଲା ..

ଏତିକି  କହି ,ଅଜା  ଶୋଇ  ପଡିଲେ !!!….

ମୁଁ  ତାଂକୁ   ଉଠେଇ  କି  ପଚାରିଲି …ଅଜା  ତା  ପରେ  କଣ  ହେଲା ??

ସେ  କହିଲେ :: କିଛିଦିନ   ଅପେକ୍ଷା  କର I …ପୋଖରି  ରେ  ପାଣି  ପୁରି  ଗଲେ କହିବୁ …ତା  ପରେ  ମୁଁ   ପୁଣି  କହିବି …

.

.

.

.

ମୁଁ  ଏବେ  ଯାଏ  ବି  ଅପେକ୍ଷା  କରିଚି  ସେ  ପୋଖରି  କେବେ  ପୁରିଯିବ I …ଯଉ ରାଜ୍ୟ ରେ  ବହୁତ୍  ବର୍ଷ ହେଲା  ମରୁଡି  ପଡିଚି  ସେଠି  ସେ  କାଉ , ତା  ଥନ୍ତରେ ରେ  କେତେ  ପାଣି  ଆଣିବ ଯେ  ପୋଖରୀ ପୁର୍ଣ  କରିବ??

ସେ  ମୋତେ  ଏଇ   ଗପ  କହି  ଥିଲେ  ଯେତେ  ବେଳେ  ମୁଁ   ମାତ୍ର ୬  ବର୍ଷ ର  ଥିଲି I ..ଏବେ  ମୋତେ  ୩୧+ ..

କିଛି  ଦିନ  ପୁର୍ବରୁ  ତାଂକୁ   ପଚାରିଥିଲି  : ଅଜା ..ତା  ପରେ  କଣ  ହେଲା ?

ଅଜା କହିଲେ : ପୋଖରୀ  ପୁରା  ହେଇ  ଗଲାଣି ??

ମୁଁ  ତାଂକୁ   କିଛି   ସମୟ  ଚାହିଁଲି  ଆଉ  କହିଲି : ନାଁ  ..ହେଇନି ..

ଅଜା କହିଲେ : ଯେବେ  ପୁରା  ହବ  ମୋତେ  କହିବୁ ..

ମୁଁ କହିଲି : ହଉ ..

ପାଠକ  ମାନନ୍କୁ    ମୁଁ   ଜଣେଇ  ଦେବା  ପାଇଁ   ଚାହେଁ   ଯେ …ମୋ  ଅଜାଙ୍କୁ ଏବେ 92  ବର୍ଷ ଆଉ  ବୁଢା  ଯୋଗୁଁ  ତାଙ୍କର କିଛି  ମନେ ରହୁନି ..ଏପରିକି  ମୁଁ  ,ମୋ  ଭାଇ, ମା ,ଘରଲୋକ ,ଆଇ ,ବନ୍ଧୁବାନ୍ଧବ  କାହାକୁ  ବି   ଚିନ୍ହି  ପାରୁନାହାନ୍ତି ..

ମୁଁ  ଆଶ୍ଚର୍ଯ୍ୟ ହେଉଛି ଯେ  କେମିତି  ତାଙ୍କର ସେ  ଗପ  ଆଜି  ଯାଏ  ମନେ  ଅଛି  ??

ହଁ …ଏଇଟା ଭଲ ପାଇବା ..ମୁଁ  ବି  ମନେ  ରଖିଚି  ମୋ  ପିଲାବେଳୁ ..

ବେଳେ  ବେଳେ  ଭାବେ  ତାଂକୁ  କହିଦେବି ..ଅଜା  ପୋଖରି  ପୁରି  ଗଲା …

କିନ୍ତୁ  ନା ..କେବେ  ବି  କହି  ପାରିନି …କାରଣ  ସେ  ବି  ଅପେକ୍ଷା  କରିଛନ୍ତି ..

.

.

.

ଗୋଟେ  ଦିନ  ମୁଁ  ମୋ  ଆଇଙ୍କୁ ଏକଥା  କହିଲି ..ସେ  କହିଲେ  ହଁ  ..ଯେତେବେଳେ ତୋ  ଅଜା  ଛୋଟ   ଥିଲେ  ତାଂକ  ଜେଜେବାପା  ତାଂକୁ   ଏଇ   କାହାଣୀ  କହିଥିଲେ..ଆଉ  ସେ ଆଜି  ଯାଏ  ଅପେକ୍ଷା   କାରିଛନ୍ତି ..କେବେ  ପୋଖରି  ପୁରା  ହେବ ..

.

.

.

.

.

ଆଉ  ଏବେ  ମୁଁ   ଭାବୁଚି  ମୁଁ  ବି  ମୋ  ନାତି  କୁ  ଏଇ  ଗପ  କହିବି …ଆଉ…ବୋଧହୁଏ  ଏହି   ଧାରା  ଚାଲୁ  ରହିବ

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ବାପା ଓ ମା …

ବାପା ଓ ମା 

ସୁବଳ ମହାପାତ୍ର

ଡାକ୍ତର ଅବିନାଶ୍ ହସ୍ପିଟାଲର ରାଉଣ୍ଡ୍ ସାରି ନିଜ କେବିନ୍ ରେ ବସି ଥାନ୍ତି I ହଠାତ୍ ଫୋନ୍ ରିଂଗ୍ ହେଲା I

ଡାକ୍ତର ଅବିନାଶ୍ ଫୋନ୍ ଦେଖି — ମାମା ? ଏବେ ? ଡାକ୍ତର ଅବିନାଶ୍ ଫୋନ୍ ଉଠାଇଲେ .
ଅବିନାଶ୍ :- ହଁ ମାମା , କଣ ହେଲା ?
ଜଣେ ମହିଳା କାନ୍ଦି କାନ୍ଦି ସେ ପଟରୁ କହୁଥାନ୍ତି :- ହଁ ଭାଇନା , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି I ଜଲଦି ଆ I
ଅବିନାଶ୍ :- କିଏ କୁନି ? କଣ ହୋଇଛି ? କେମିତି ହେଲା?
କୁନି (ଅବିନାଶ୍ ର ଭଉଣୀ ) :- ହଁ , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି I ସେମାନେ ଏବେ ହସ୍ପିଟାଲ୍ ରେ I ମୁଁ ଖବର ପାଇ କି ଏବେ ଆସିକି ପହଞ୍ଚିଲି I ଇଏ ବି ଆସିଛନ୍ତି I ଆମେ ହସ୍ପିଟାଲ୍ ରେ ଅଛୁ I ତୁ ଜଲଦି ଆ I
ଅବିନାଶ୍ :- କେମିତି ହେଲା କିଛି ଜାଣିଚୁ? ତୁ ବ୍ୟସ୍ତ ହ ନା I ମୁଁ ଏବେ ଫ୍ଲାଇଟ୍ ରେ ଟିକେଟ୍ କରି ବାହାରୁଚି I
କୁନି :- ବାପା,ମା , ସୁଦିପ୍ତା ମାଉସିଙ୍କ ଘରୁ ଡିନର୍ ସାରି କି ଫେରୁଥିଲେ I ବାଟରେ ଏକ୍ସସିଡେଣ୍ଟ ହେଲା I
ଅବିନାଶ୍ :- ହଉ ହଉ , ତୁ ଜମାରୁ ବ୍ୟସ୍ତ ହ ନା I ମୁଁ ୨-୪ ଘଣ୍ଟା ରେ ଯାଇ କି ପହଞ୍ଚିବି I

କୁନି ଠାରୁ ଖବର ପାଇ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ପହଁଚିଲେ I କିଛି ସମୟ ପରେ ଡଃ.ଅବିନାଶ୍ ବି ପହଁଚିଲେ I ଡଃ.ଅବିନାଶ୍ ଯାଇ ଡାକ୍ତର ମାନଙ୍କ ସହ କଥା ହେଉଥାନ୍ତି I

ଡାକ୍ତର:- ଡଃ.ଅବିନାଶ୍ ପେସେନଟ୍ ଦୁଇ ଜଣକ ପାଇଁ ବ୍ଲଡ଼ ଦରକାର I
ଅବିନାଶ୍ :- ଓ.କେ. ଡକ୍ଟର ବ୍ଲଡ଼ ବ୍ୟାଙ୍କ ରୁ ବ୍ଲଡ଼ ମିଳିଯିବ ତ ?
ଡାକ୍ତର:- ହଁ , କିନ୍ତୁ ଯଦି ନ ମିଳିଲା ତେବେ ଆପଣକୁ ବାହାରୁ ଆଣିବାକୁ ପଡିବ I its urgent.

ଡଃ.ଅବିନାଶ୍ ବ୍ଲଡ଼ ଆଣିବାକୁ ଚାକର ମକରା କୁ ଡ୍ରାଇଭର ସହ ପଠାଇଲେ I
କୁନି:- କଣ ହେଲା ଭାଇ ? ବାପା, ମା ଭଲ ଅଛନ୍ତି ତ ?
ଡଃ.ଅବିନାଶ୍ :- ହଁ, କିନ୍ତୁ ବ୍ଲଡ଼ ଦର୍କାର୍ I ଯଦି ବ୍ଲଡ଼ ବ୍ୟାଙ୍କ ରେ ନମିଳେ ,ତେବେ ଆମକୁ ବାହାରୁ ଆଣିବାକୁ ପଡିବ I
କୁନି:- ଆମେ ବି ତ ଦେଇ ପାରିବା ?
ଡଃ.ଅବିନାଶ୍ :- ଆରେ ହଁ ତ ? ଚାଲ ..
ଅବିନାଶ୍ ଆଉ କୁନି ବ୍ଲଡ଼ ଟେଷ୍ଟ କରିବାକୁ ଗଲେ I କିନ୍ତୁ ଭାଇ ଓ ଭଉଣୀଙ୍କ ବ୍ଲଡ଼, ବାପା ମା କାହା ସହ ବି ମେଳ ଖାଇଲା ନାହିଁ I

ଡାକ୍ତର:- ଡଃ.ଅବିନାଶ୍ ବ୍ଲଡ଼ ଆସିଗଲା?
ଡଃ.ଅବିନାଶ୍ :- ହଁ ଡକ୍ଟର. ମକରା ବ୍ଲଡ଼ ନେଇ କି ଆସୁଚି I
କିଛି ସମୟ ପରେ ମକରା ବ୍ଲଡ଼ ଆଣିକି ପହଁଚିଲା ଆଉ ବାପା ମା ଙ୍କୁ ବ୍ଲଡ଼ ଦିଆଗଲା I

କୁନି ଓ ଅବିନାଶ୍ ରୁମ୍ ବାହାରେ ବସିଥାନ୍ତି I ହଠାତ୍ ଡଃ.ଅବିନାଶ୍ ଙ୍କ ର ମନେ ପଡିଲା ଯେ କୁନି ଓ ତାଙ୍କର ,କାହାର ବି ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ I
ଅବିନାଶ୍ :- ଆଛା କୁନି ,ମୋ ବ୍ଲଡ଼ କି ତୋ ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ କାହିଁକି?
କୁନି:- ମୁଁ କେମିତି ଜାଣିବି ? ତୁ ପରା ଡାକ୍ତର,ତୁ ଜାଣିଥିବୁ I

ଡାକ୍ତର ଆଉ ନର୍ସ୍ ଅପରେସନ୍ ଥିଏଟର୍ ରୁ ବାହାରିଲେ I
ଅବିନାଶ୍ :- ଡକ୍ଟର. ??
ଡାକ୍ତର:- ଦୁଇ ଜଣ ଯାକ ପେସେନଟ୍ ଭଲ ଅଛନ୍ତି, କିନ୍ତୁ ଆମକୁ ୪୮ ଘଣ୍ଟା ସମୟ ଦରକାର I ତାପରେ କିଛି ଅସୁବିଧା ନାହିଁ I
ଅବିନାଶ୍ :- ଧନ୍ୟବାଦ୍ ଡକ୍ଟର.

ରାତିରେ ସୁଦିପ୍ତା ମାଉସୀ ଓ କୁନି ହସ୍ପିଟାଲ୍ ରେ ରହିଲେ I ଅବିନାଶ୍ ଆଉ କୁନି ର ପତି, ଘରକୁ ଆସିଲେ I ଅବିନାଶ୍ ସୋଫା ରେ ବସି ଭାବିବାକୁ ଲାଗିଲେ I
ଅସମ୍ଭବ !! , ମେଡିକାଲ ସାଇନସ ଭୁଲ୍ ନହୋଇପାରେ I ବାପା ମାଙ୍କ ବ୍ଲଡ଼ କେମିତି ଆମ ବ୍ଲଡ଼ ସହ ମିସିବନି ? ଅମେ କଣ ତାଙ୍କ ଛୁଆ ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଡଃ.ଅବିନାଶ ଙ୍କ ମୁଣ୍ଡ ଖରାପ୍ ହୋଇଯାଉଥିଲା I ସେ କିଛି ଭାବି ପାରୁ ନଥିଲେ I

କୁନି ର ପତି :- ଭାଇ, ଆସନ୍ତୁ କିଛି ଖାଇନେବେ I ମୁଁ ହୋଟେଲ୍ ରୁ ଖାଇବା ନେଇ ଆସିଛି I କୁନି ଆଉ ମାଉସୀ ଙ୍କ ପାଇ ବି ମକରା ହାତରେ ଖାଇବା ପଠେଇ ଦେଇଛି I
ଅବିନାଶ୍ :- ଆଛା କହିଲ, ଏହା କଣ ସମ୍ଭବ ? ଆମ ଦି ଜଣକ ବ୍ଲଡ଼ ସେମାନଙ୍କ ସହ କେମିତି ସମାନ ହେବନାହିଁ ? ତାମାନେ କଣ ଅମେ ଦି ଜଣ ଯାକ ତାଙ୍କ ସନ୍ତାନ ନୁହେଁ ?
କୁନି ର ପତି :- ଆପଣ ଏବେ ସେକଥା ଚିନ୍ତା କରନ୍ତୁ ନାହିଁ I ସେମାନେ ଭଲ ହେଲା ପରେ ,ସେମାନଙ୍କୁ ପଚାରିବେ I
ଅବିନାଶ୍ :- ନାଁ , ମୋତେ ଏବେ ସବୁ ଜାଣିବାକୁ ପଡିବ I କିଛି ଗୋଟେ ତ ଅଛି ୟା ଭିତରେ I
ଅବିନାଶ୍ କାର୍ ଧରି ହସ୍ପିଟାଲ୍ କୁ ବାହାରି ଗଲେ …

ହସ୍ପିଟାଲ୍ ….କୁନି ଓ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ବସିଥାନ୍ତି I ମକରା ଖାଇବା ଧରି ପହଁଚିଲା I
ମକରା:- ମାଉସୀ,କୁନି ଅପା , ଆସ ଖାଇନବ I ମୁ ବାଢି ଦଉଛି I
ସୁଦିପ୍ତା :- ନାଁ , ମୋତେ ଭୋକ ନାହିଁ I
ହଠାତ୍ ଅବିନାଶ୍ କୁ ହସ୍ପିଟାଲ୍ ରେ ଦେଖି ,
କୁନି:- ଭାଇ, କଣ ହେଲା ? ତୁ କଣ ଘରକୁ ଯାଇନୁ ?
ଅବିନାଶ୍ :- ହଁ ଯାଇଥିଲି , କିନ୍ତୁ ଫେରି ଆସିଲି I
କୁନି:- କଣ ପାଇଁ , କଣ ହେଲା?
ଅବିନାଶ୍:- କୁନି, ତୋ ବ୍ଲଡ଼ କି ମୋ ବ୍ଲଡ଼,ମା କି ବାପା କାହା ସହ ବି ମେଳ ଖାଉନି I କାହିଁକି ? ଅମେ କଣ ସେମାନଙ୍କ ପିଲା ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଅମେ କଣ ଅନାଥ ?
ସୁଦିପ୍ତା :- ନାଁ,ତମେ ମାନେ ଅନାଥ ନୁହଁ I ତମେ ମାନେ ତାଙ୍କ ପୁଅ ଝିଅ I ତାଙ୍କ ଜୀବନ I
ଅବିନାଶ୍:-ଅସମ୍ଭବ ମାଉସୀ I ତେବେ ବ୍ଲଡ଼ କାହିଁକି ମ୍ୟାଚ କରୁନି ? ସେମାନେ ନିଶ୍ଚୟ ଠକ I ମେଡିକାଲ ସାଇନସ କେବେବି ଭୁଲ୍ ହୋଇନପାରେ I ସେମାନେ ଆମକୁ କିଛି ଲୁଚାଇଛନ୍ତି I ଆମ ବାପା ମା ଙ୍କ ପାଖରୁ ଦୁରେଇ ରଖିଛନ୍ତି I ଆମେ ସେ ମାନଙ୍କୁ କ୍ଷମା କରି ପାରିବୁ ନାହିଁ I ସେମାନେ ଠକ !! ଠକ !! ଠକ !! I
ସୁଦିପ୍ତା:- ହଁ ସେମାନେ ଠକ I କିନ୍ତୁ ନିଜେ ନିଜକୁ ଠକିଛନ୍ତି I ତୁମ ମାନଙ୍କୁ ନୁହଁ I ମୁଁ ସେମାନଙ୍କୁ ସେବେଠୁ ଜାଣିଚି, ଯେବେ ସେମାନେ ପଢା ସାରି କି ଚାକିରୀ ଖୋଜିବାକୁ ଦିଲୀ ଆସିଥିଲେ I ତୋ ମା ଆଉ ମୋର ଦେଖା ଗୋଟେ କୋଚିଂ ସେଣ୍ଟର ରେ I ଆମେ ଏକାଠି କୋଚିଂ ନେଉଥିଲୁ I କିଛିଦିନ ପରେ ମୁ ଜାଣିଲି ଯେ ତୋ ମା ଗୋଟେ ପିଲା କୁ ଭଲ ପାଏ I ତାପରେ କିଛି ଦିନ ପରେ ତୋ ବାପାଙ୍କ ସହ ଦେଖା ହେଲା I ସେବେଠୁ ଆମେ ସମସ୍ତେ ସାଙ୍ଗ ହେଇ କି ଅଛୁ I ସେଠାରେ ଦିନ ଗୁଡା କେମିତି ବିତି ଯାଉଥିଲେ ଜଣା ପଡୁ ନଥିଲା I ସେତେବେଳେ ଆମେ ସାଙ୍ଗମାନେ ଜାଣିଲୁ ଯେ ତୋ ମା ଆଉ ବାପା ଛୋଟ ବେଳୁ ଦି ଜଣ ଦି ଜଣଙ୍କୁ ଭଲ ପାଆନ୍ତି I
କିଛି ଦିନ ପରେ ତୋ ମା’ଙ୍କୁ ଚାକିରୀ ମିଳିଗଲା ଦିଲୀ ରେ ଆଉ କିଛିଦିନ ପରେ ତୋ ବାପାଙ୍କୁ ଚାକିରୀ ମିଳିଲା ଧାମରା ରେ I ତୋ ବାପା ଆଉ ମା ଅଲଗା ହୋଇଗଲେ I କିନ୍ତୁ କେବେବି ଦୁଇ ଜଣକ ଭିତରେ ଭଲ ପାଇବା କମ୍ ହୋଇନି I ଦିଲୀ ରେ ରହି ତୋ ମା ତାଙ୍କ ଘର ଲୋକଙ୍କୁ ଆଉ ତୋ ବାପା ତାଙ୍କ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ I କିଛିଦିନ ପରେ ସେମାନେ ନିସ୍ପତି ନେଲେ ସେମାନେ ବାହା ହେବେନି କିନ୍ତୁ ଏକାଠି ରହିବେ ଯେତେବେଳେ ଦୁଇଜଣଙ୍କ ଗାଁ ଲୋକ ଏମାନଙ୍କ ବାହାଘରକୁ ବିରୋଧ କଲେ I ତମେ ମାନେ ଜାଣିନ, ସେମାନେ ଆଜି ଯାଏ ବାହା ହୋଇ ନାହାନ୍ତି I ତ ତୁମେମାନେ କେମିତି ଜନ୍ମ ହେବ ଆଉ ତମ ମାନଂକ ସହ ସେମାନଙ୍କ ବ୍ଲଡ଼ କେମିତି ମିସିବ ?

ଅବିନାଶ୍ ଓ କୁନି ଏକସ୍ବରରେ :- କଣ? ସେମାନେ ବାହା ହୋଇ ନାହାନ୍ତି?

ଅବିନାଶ୍ :- ତେବେ ଦାଣ୍ଡ ଘରେ ଯେଉଁ ଫୋଟୋ ଟା ଅଛି ସେ କାହାର ?
ସୁଦିପ୍ତା:- ସେଇଟା ? ସେଇଟା ଏଡିଟ କରା ହୋଇଛି I ତା କି ତମ ମାନଙ୍କୁ ଲାଗିବ ଯେ ସେମାନେ ବାହା ହୋଇଛନ୍ତି I
କୁନି:- ଆଉ ଆମେ?
ସୁଦିପ୍ତା:- ଏକଥା ସେମାନେ ତମକୁ ଜଣାଇ ନାହାନ୍ତି I ଆଜି ସେମାନଙ୍କୁ ଠକ ବୋଲି କହିଲା ପରେ ମୁଁ ସହି ପାରିଲି ନାହିଁ I ସେଥିପାଇଁ କହିଦେଲି I
ଅବିନାଶ୍ :- ମାଉସୀ ଆମେ କାହାର ପୁଅ ଝିଅ ? ଦୟା କରି ଆମକୁ କୁହ I
ସୁଦିପ୍ତା:- ତମେମାନେ ? ମୁଁ ସବୁବେଳେ ସେମାନଙ୍କୁ କହେ ଯେ “ତୁମେ ତ ଏକାଠି ରହିଲ I ବାହା ନହେଲେ ନାହିଁ ଗୋଟେ ଛୁଆ ଜନ୍ମ କର ” କିନ୍ତୁ ସେମାନେ ସବୁବେଳେ ମୋ କଥା କୁ ଟାଳି ଦିଅନ୍ତି I ସେତେବେଳେ ମୁଁ ଚେନାଇ ରେ ଚାକିରୀ କରୁଥାଏ I ସେମାନେ ମୋ ପାଖକୁ ବୁଲିବାକୁ ଆସିଥାନ୍ତି I ତାପରେ ଆମେ ସବୁ କେରଳ ବୁଲିବାକୁ ଗଲୁ I ତୋ ବାପା ମା ସକାଳୁ ମର୍ନିଙ୍ଗ ୱାକ ରେ ଯାଇଥାନ୍ତି I ସେମାନେ ସକାଳୁ ସକାଳୁ ହୋଟେଲ୍ ରୁ ବାହାରି ଗଲେ I ବାଟରେ ହସ୍ପିଟାଲ୍ ପଡେ I ହସ୍ପିଟାଲ୍ ବାହାରେ ଗୋଟେ ଦୁଇ ମାସର ପିଲା ତା ମଲା ମା ପାଖରେ ପଡି କାଂଦୁଥାଏ I ସବୁ ଲୋକ ଦେଖୁଥାନ୍ତି କିନ୍ତୁ କେହି କିଛି କରୁନଥାନ୍ତି I ଏମାନେ ବୁଲି କି ଫେରିଲା ବେଳକୁ ଏଇ ଘଟଣା ଦେଖିଲେ ଓ ଆଖ ପାଖ ଲୋକଂକୁ ପଚାରି କି ଜାଣିଲେ ଯେ , ସେ ମହିଳା ଗୋଟେ ପାଗେଳି I ବରସେ ,ଦେଢ ବର୍ସ ପୁର୍ବରୁ ସେ ଏଠାରେ ବୁଲାବୁଲି କରୁଥିଲା I କିଛି ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ର ଶିକାର ହେବା ପରେ ସେ କୁଆଡେ ଚାଲିଗଲା ଆଉ ଏବେ ତିନି ମାସ ପୁର୍ବରୁ ଏଠିକି ଆସିଥିଲା I କିଛି ଦିନ ପୁର୍ବରୁ ହସ୍ପିଟାଲ୍ ରେ ଗୋଟେ ପୁଅ ଜନ୍ମ କଲା I କିଛିଦିନ ଏଠି ସେଠି ବୁଲିବା ପରେ ଖାଇବା ଓ ଓଉସଦ ନପାଇ ଆଜି ସକାଳେ ମରିଗଲା I ତୋ ବାପା ଆଉ ମା ପାଗେଳି ର ଦାହ ସଂସ୍କାର ସାରି ସଂଧ୍ୟା ରେ ଫେରିଲେ ଓ ତୋତେ ମୋ ହାତକୁ ବଢେଇ ଦେଇ କହିଲେ “ଇଏ ଆମ ପୁଅ I ସବୁବେଳେ କହୁଥିଲୁ ନା – ଛୁଆ ଜନ୍ମ କର ବୋଲି ” I

ସୁଦିପ୍ତା କିଛି ସମୟ ଚୁପ୍ ରହିଲେ I କୁନି ଆଖିରୁ ଲୁହ ପୋଛି ପଚାରିଲା ଆଉ ମୁଁ?

ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଯେଉଁ କମ୍ପାନୀ ରେ ଚାକିରୀ କରୁଥିଲେ,ସେଠାରୁ ଘର ବାର କିଲୋମିଟର୍ ଦୁର I ସେ ସବୁଦିନ ୧୦ ଟା ରେ ଯାଇ ୭.୩୦ ରେ ଘରକୁ ଆସନ୍ତି I ସେଦିନ ବହୁତ୍ କାମ ଥାଏ I ତାଙ୍କର ଫେରିବାରେ ବିଳମ୍ବ ହେଲା I କିଛି କାମ ସାରି କି ଆସିବାକୁ ଥିଲା I ବାଟରେ ଗୋଟେ ନିଛାଟିଆ ଯାଗା ପଡେ I ସେ ତରତର ରେ ଆସୁ ଆସୁ ଗୋଟେ କଅଁଳା ଛୁଆ ର କାନ୍ଦ ଶୁଭିଲା I ତୋ ବାପା ଗାଡି ରଖି ଆଗକୁ ଗଲେ I ମୋବାଇଲ୍ ଲାଇଟ୍ ରେ ଦେଖିବା ବେଳକୁ “ଗୋଟେ କଅଁଳା ଛୁଆ ଗୋଟେ ଛିଡା ଚାଦର ଘୋଡି ହୋଇଛି ଆଉ ତା ଚାରିପଟେ ପିଂପୁଡି ବେଢି ଗଲେଣି ” I ସେ ରାହାଧରି କାନ୍ଦୁଥାଏ I ତୋ ବାପା ତାକୁ କୋଳକୁ ନେଇ ବୋତଲ ରୁ ପାଣି ପିଆଇଲେ ଓ କିଛି ସମୟ ଅପେକ୍ଷା କଲେ I ଅଧଘଣ୍ଟା ଯାଏ କେହି ନ ଆସିବାରୁ ସେ ପିଲାକୁ ନେଇ ଘରକୁ ଆସିଲେ I ଆଉ ତୋ ମା ବି ତାକୁ ଦେଖି ବହୁତ୍ ଖୁସି I ଗୋଟେ ପୁଅ ଥିଲା ଏବେ ଗୋଟେ ଝିଅ ଆସିଗଲା I ମୋତେ ଫୋନ୍ କରି ଦୁଇ ଜଣ ଯାକ କହିଲେ ଆମେ ବାହା ନହେଲୁ ନାହିଁ କିନ୍ତୁ ଦୁଇ ଦୁଇଟା ପିଲା ଙ୍କର ବାପା, ମା I ଏବେ କହ କଣ କହୁଚୁ ? ମୁଁ ସେଦିନ ସେମାନଙ୍କୁ କିଛି କହି ପାରି ନଥିଲି I ସେମାନଙ୍କ ତ୍ୟାଗ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲି I

ଅବିନାଶ୍:- କିନ୍ତୁ ମାଉସୀ ,ସେମାନେ ବାହା କଣ ପାଇଁ ହେଇନଥିଲେ ?

ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଆଉ ମା ବିଷୟ ରେ ତୋ ମା ର ଘର ଲୋକ ସମସ୍ତେ ଜାଣିଥିଲେ I କିନ୍ତୁ ତୋ ବାପା ତାଙ୍କ ଘରେ କିଛି ଜଣାଇ ନଥିଲେ I ସେ ଅପେକ୍ଷା କରିଥିଲେ ଯେ ସମୟ ଆସିଲେ କହିବେ I କାରଣ ତୋ ମା ଆଉ ବାପାଙ୍କର ଜାତି ଅଲଗା I ତୋ ବାପା ଗୌଡ ଆଉ ମା କୁମ୍ଭାର I ସେମାନେ ଗୋଟେ ଗାଁ ର I ଗାଁ ଲୋକ ସେମାନଙ୍କ ବାହାଘର କୁ ବିରୋଧ କରିବେ I ଏ ବିସୟ କୁ ନେଇ କି ସେ ଗାଁ ରେ ଅଶାନ୍ତି ଚାହୁଁ ନଥିଲେ I କିଛିଦିନ ପରେ ତୋ ବାପା ତାଙ୍କ ଘରେ ଏକଥା କହିଲେ କିନ୍ତୁ ତୋ ମା , ବାପାଙ୍କର ଘର ଲୋକ ଏହାକୁ ବିରୋଧ କଲେ I ସେମାନେ ବାହାଘର ପାଇଁ ଅନୁମତି ଦେଲେ ନାହିଁ I ଗାଁ ରେ ବି ଏଇ ବିଷୟ କୁ ନେଇ ବହୁତ୍ ପାଟିତୁଣ୍ଡ ହେଲା ଆଉ ଗାଁ ବାଲା ମନା କଲେ ଏ ମାନଙ୍କୁ ଗାଁ କୁ ଆସିବାକୁ I ଘରଲୋକ ବି ବାହାଘର ପାଇଁ ଅନୁମତି ଦେଲେନାହିଁ I ସେଇଠାରୁ ତୋ ବାପା ନିସ୍ପତି ନେଲେ ଯେ ଯଦି ବାହା ହେବେ, ତେବେ ତୋ ମା କୁ ଆଉ ବାପା ମାଙ୍କ ଅନୁମତି ମିଳିଲେ ନହେଲେ ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ବଞ୍ଚିଥିବା ଯାଏ ବାହା ହେବେ ନାହିଁ I ତୋ ମା ବି ଏଇ କଥା କୁ ମାନିନେଲା I ଆଉ ସେମାନେ ଆଜି ଯାଏ ବାହା ହେଇ ନାହାନ୍ତି I ଏପରିକି ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ସମସ୍ତେ ଚାଲିଗଲା ପରେ ବି I ଆଉ ତୁମ ଦୁଇ ଜଣଂକୁ ପାଇଲା ପରେ ସେମାନେ ସବୁ ଭୁଲି ଗଲେ I ତୋ ବାପା ମା ସବୁବେଳେ ଚାହୁଁଥିଲେ ତୋତେ ଡାକ୍ତର କରିବା ପାଇଁ କାରଣ ତୋ ନିଜ ମା (ପାଗେଳି ) ର ମୃତ୍ୟୁ ଖରାପ ଖାଇବା ଆଉ ଔଷଧ ଅଭାବ ରୁ ହୋଇଥିଲା I

ସୁଦିପ୍ତା ଏତିକି କହି ଚୁପ୍ ରହିଲେ I ଆଉ ତିନି ଜଣ ଯାକ , କେହି କାହାକୁ କିଛି ନକହି ନିରବ ରେ ଲୁହ ପୋଛୁଥିଲେ I

ତିନି ମାସ ପରେ…

ଘର ଆଗରେ ଲେଖା ଥିଲା “ବାପା ସହିତ ମାମା” ର ବାହାଘର I

— ସମାପ୍ତ —

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଟଗର ଫୁଲ

ଟଗର ଫୁଲ 
ସୁବଳ ମହାପାତ୍ର
ସତ୍ୟବ୍ରତ ଦାସ ଓରଫ୍ ସତ୍ୟବାବୁ, ବୟସ ୬୮ ବର୍ଷ । କୋରାପୁଟର କୌଣସି ଏକ ଅନାମ ଧନ୍ୟ ମୁଣ୍ଡାପଲ୍ଲୀରେ ନିଜର ହାତ ତିଆରି କୁଡ଼ିଆରେ ଅବସ୍ଥିତ । କୁଡ଼ିଆ ସାମ୍ନାରେ ନିଜର ହାତ ତିଆରି ବଗିଚା । ବଗିଚାରେ ବିଭିନ୍ନ ରଙ୍ଗର ଫୁଲ । ବଗିଚା ବିଶେଷ କରି ଟଗର ଫୁଲରେ ଭର୍ତ୍ତି । ଟଗର ଫୁଲ ପ୍ରତି ସତ୍ୟବାବୁଙ୍କର ବିଶେଷ ଆକର୍ଷଣ । ଆଗରୁ ନ ଥିଲା କିନ୍ତୁ ସ୍ତ୍ରୀଙ୍କ ମୃତ୍ୟୁ ପରେ ଆକର୍ଷଣ ବଢ଼ି ଯାଇଛି । ସେଥିପାଇଁ ତ ଭୁବନେଶ୍ୱରର ଚାକଚକ୍ୟ ଭରା ଦୁନିଆଁ ଛାଡ଼ି ସେ ପଳେଇ ଆସିଛନ୍ତି ଏ ମୁଣ୍ଡା ପଲ୍ଲୀକୁ, ଯେଉଁଠି ନଙ୍ଗଳା ପିଲା, ନଙ୍ଗଳା ଲୋକ ଆଉ କ’ଣ ଖାଇବିର ହାହାକାର । ଯେଉଁଠି ନା ଅଛି ଡାକ୍ତରଖାନା ନା ବସ୍ ଆଉ କାର୍‌ର ସୁବିଧା । ଯୁଆଡ଼େ ଯା’ ପାଦରେ ଚାଲିଚାଲି । ସବୁ ଆଡ଼େ ଜଙ୍ଗଲ ଆଉ ପାହାଡ଼ । ପିଇବାକୁ ଝରଣା ପାଣି । ଖାଇବାକୁ କେବେ ଭାତ ମିଳେ ତ କେବେ ଆମ୍ୱ ଟାକୁଆ ଜାଉ । ହାଣ୍ଡିଆ ପିଇବାରେ ସେ ଏତେ ଅଭ୍ୟସ୍ତ ହେଇ ଗଲେଣି । ଆଗରୁ ଭଲ ଲାଗୁ ନଥିଲା । କାହିଁ ବିଦେଶୀ ପାନୀୟ ଆଉ କାହିଁ ହାଣ୍ଡିଆ ।
କିଛି ମୁଣ୍ଡା ବାବୁ ବୋଲି ମାନନ୍ତି, କେବେ କେବେ ଜଙ୍ଗଲୀ ମାଉଁସ ଭାଗ୍ୟରେ ଜୁଟେ । କୁଟୁରା ଅବା ବାରହା । ସତ୍ୟବାବୁ ବି ସବୁ ବେଳେ ମୁଣ୍ଡାମାନଙ୍କୁ ସାହାଯ୍ୟ କରନ୍ତି । କେବେ କାହା ଦେହ ଖରାପ ତ କେବେ ମ୍ୟାଲେରୀ, ଔଷଧ ସବୁବେଳେ ପାଖରେ ଥାଏ । ଯମୁନା ବୋଲି ଝିଅଟିଏ ଆସି କ’ଣ ଦି’ଟା ଫୁଟେଇ ଦେଇ କି ଯାଏ । ଖାଇବାକୁ ତ ଏକୁଟିଆ ମଣିଷ । ବେଳେବେଳେ ଯମୁନା, ସତ୍ୟବାବୁଙ୍କ ଘରେ ଖାଇ କି ଯାଏ ଆଉ ତା’ ଘର ଲୋକଙ୍କ ପାଇଁ ନେଇ କି ବି ଯାଏ । ସପ୍ତାହରେ ଥରେ ହାଟ । ହାଟ ୧୫ କି.ମି. ଦୂର । ଯମୁନାର ବାପା ପଇସା ନେଇ କରି ଦିଏ । କେବେ କେବେ ସତ୍ୟବାବୁ ନିଜେ ଯାନ୍ତି । ଭଲ ମନ୍ଦ ଦେଖିକି ଗାଁ ଲୋକଙ୍କ ପାଇଁ ଆଉ ଯମୁନା ପାଇଁ କିଛି କିଛି ଚିଜ ନେଇ କି ଆସନ୍ତି । ଯମୁନାକୁ ଦେଖିଲେ ସ୍ତ୍ରୀ କଥା ମନେ ପଡ଼େ ସତ୍ୟବାବୁଙ୍କର । ନାଁ ସୁଶୀଳା । ଭାରି ଗୁଣର କିନ୍ତୁ ସତ୍ୟବାବୁଙ୍କୁ ଗୁଣ ଚିହ୍ନିବାକୁ ଲାଗିଗଲା ୪୦ ବର୍ଷ । ଗୁଣ ଚିହ୍ନିଲା ବେଳକୁ ସୁଶୀଳା ଆଉ ଇହଧାମରେ ନାହାନ୍ତି ।
ଦିନଥିଲା ସତ୍ୟବାବୁ ଥିଲେ ଓଡ଼ିଶାର ନାମ କରା ଇଞ୍ଜିନିଅର୍ । ପଇସା ଯାହାକୁ ଯେତେ । ଖାଇ ପିଇ ଫିଙ୍ଗିଲେ ବି ସରିବନି । ମଦ, ମାଂସ, ନାରୀ ଥିଲା ତାଙ୍କ ଜୀବନ । ୨୩ ବର୍ଷରେ ସେ ଚାକିରୀ କଲେ, ୨୪ରେ ବାହାଘର । ବାହା ହେଇ ନୂଆ ନୂଆ ଘରକୁ ଆସିଥାନ୍ତି ସୁଶୀଳା । ସମସ୍ତଙ୍କୁ ନିଜର କରିବାର କଳା ତାଙ୍କୁ ଜଣାଥିଲା । ଶାଶୁ, ଶଶୁର, ଦିଅର, ନଣନ୍ଦ ସମସ୍ତେ ନିଜର । ସେମାନେ ବି ସୁଶୀଳାକୁ ଦଣ୍ଡେ ନ ଦେଖିଲେ ରହିପାରନ୍ତିନି । ସୁଶୀଳା କିନ୍ତୁ ନିଜ ସ୍ୱାମୀକୁ ନିଜର କରି ପାରିଲେନି । ସତ୍ୟବାବୁ ତାଙ୍କ ଗାଁରେ ଏକ ମାତ୍ର ଇଞ୍ଜିନିଅର ହିସାବରେ ତାଙ୍କର ଗର୍ବ ଯେ କାହିଁରେ କ’ଣ । ସିଭିଲ୍ ଇଞ୍ଜିନିଅର୍ ସେ । ମାସକୁ ଟ.୫୦୦୦୦ଙ୍କା ରୋଜଗାର ତାଙ୍କର । ସେତେବେଳେ ଟଙ୍କା ୧୦୦୦ରେ ପୁରା ପରିବାର ମାସେ ଚଳୁଥିଲେ । ସେ କ’ଣ କାହା ବୋପାକୁ ଡରିଛନ୍ତି ।
ମାସକୁ ୨୫ ଦିନ ବାହାରେ କଟେ । ଆଜି ସାଇଟ୍ ଭିଜିଟ୍ ତ କାଲି ଅଫିସ୍ ମିଟିଂ । ସାଇଟ୍ ଭିଜିଟ୍‌ରେ ଉପୁରି ଭଲ ମିଳେ । କେବେ ପଇସା ତ କେବେ ଦାମୀ ଇଂରାଜୀ ମଦ ବୋତଲ । କେବେ କେବେ ହୋଟେଲ୍‌ରେ ନାରୀ ଶଯ୍ୟା ସଙ୍ଗିନୀ । ସେ ଏମିତି କେତେ ଯେ ଝିଅଙ୍କ ସହ ରାତି ବିତେଇଛନ୍ତି ତା’ର ହିସାବ ନାହିଁ । ସୁଶୀଳା କିନ୍ତୁ ଗାଁରେ ଥାଆନ୍ତି । ଗାଁରେ ତାଙ୍କ ଘର । ଯୁକ୍ତ ଦୁଇ ଯାଏ ପାଠ ପଢ଼ିଛନ୍ତି । କିନ୍ତୁ ମଫୁ ବୋଲି ସତ୍ୟବାବୁ ତାଙ୍କୁ କେବେ ବାହାରକୁ ନିଅନ୍ତିନି ।
ଏମିତି ଏମିତିରେ କଟି ଯାଏ ଜୀବନ । ସୁଶୀଳା କେବେ କିନ୍ତୁ ଅଭିଯୋଗ କରିନାହାନ୍ତି । ୪୦ ବର୍ଷ ବୟସରେ ଥରେ ମାତ୍ର କହିଥିଲେ ଏବେ ଏସବୁ ଛାଡ଼ । ପୁଅ ୨ ଜଣ ହେଲେଣି । କ’ଣ ଭାବିବେ ସେମାନେ । କିନ୍ତୁ ଠୋ’ ଠୋ’ ହସରେ ଉଡ଼େଇ ଦେଇଥିଲେ ସେ । ଇଞ୍ଜିନିଅର୍ ସତ୍ୟବ୍ରତ ଦାସର ପୁଅ ଏମାନେ । ଏସବୁ ଏବେଠୁ ଶିଖିବେନି ତ ବଡ଼ ହେଲେ କ’ଣ ଅଫିସର ଆଗରେ କୋଲଡ଼ ଡ୍ରିଂକ୍ସ ଧରିକି ପାର୍ଟିରେ ବୁଲିବେ । ଏବେଠୁ ସବୁ ଶିଖିବା ଦରକାର । ମୋ ପୁଅ ସେମାନେ । ପରେ ଥରେ ଅଧେ ସେ ବି ଭାବିଛନ୍ତି ଏକଥା କିନ୍ତୁ ପରେ ପୁଣି ଯେଉଁ କଥାକୁ ସେଇ କଥା । ଚାଳିଶି ପରା ଯୌବନର କାଳେସି । ଏତେଦିନର ଅଭ୍ୟାସ କ’ଣ ଏମିତି ଛାଡ଼ିଯିବ ।
ସେ ଗୋଲାପ ଫୁଲକୁ ସବୁ ବେଳେ ଭଲପାନ୍ତି । ଗୋଲାପ ହେଲା ଗୋଟେ ଫୁଲ ଯାହାର ବାସନା ଅଛି । ସେ ବାସନା ସମସ୍ତଙ୍କୁ ଆତ୍ମବିଭୋର କରିଦିଏ । ଗୋଲାପ ପାଖକୁ ଭଅଁର ବେଶି ଯାଆନ୍ତି । ପ୍ରେମିକ ପ୍ରେମିକାରଙ୍କର ତ ଜୀବନ ଗୋଲାପ । ଗୋଲାପ ହେଲା ପ୍ରେମର ପ୍ରତୀକ । ସେଥିରେ ପୁଣି ଲାଲ୍ ଗୋଲାପ ତାଙ୍କର ଭାରି ପସନ୍ଦ । ସୁଶୀଳା କିନ୍ତୁ ଭଲପାନ୍ତି ଟଗର ଫୁଲକୁ । ହେଃ, ଟଗର ଗୋଟେ ଫୁଲରେ ଗଣା । ନା ରଙ୍ଗ ଅଛି ନା ଅଛି ମାଦକତା । ନା ବାସ୍ନା ଅଛି ନା ଅଛି ପ୍ରେମର ଗଭୀରତା । କେତେ ନିରଠା ଲୋକ ସୁଶୀଳା । ପ୍ରେମ ଜଣାନାହିଁ । ଯେତେବେଳେ ଦେଖ ଖାଲି କାମ ଆଉ କାମ । ସେଥିପାଇଁ ତ ଘରକୁ ଯିବାକୁ ଇଚ୍ଛା ହୁଏନି । ସବୁ କାମ ସାରି ବେଡ୍ ରୁମ୍‌କୁ ଆସିଲା ବେଳକୁ ରାତି ୧୨ । ସେତେବେଳକୁ ତ ଗାଁରେ ଛୁଆମାନେ ଆଉ ଥରେ ଉଠନ୍ତି ଖାଇବା ପାଇଁ । ପୁଣି ରାତି ୪ଟାରୁ ସୁଶୀଳା ଉଠିକି ଯିବ ଗାଧେଇବା ପାଇଁ । କୁଳବଧୂମାନେ କୁଆଡ଼େ ସୂର୍ଯ୍ୟୋଦୟ ପୂର୍ବରୁ ମାଛି ଅନ୍ଧାରରୁ ପୋଖରୀରେ ଗାଧୋଇ କି ଆସିବେ । କିଏ ଏତେ ସବୁ ମାନୁଛି ଆଜି କାଲି । ସ୍ୱାମୀକୁ ଦେବା ପାଇଁ ଯଦି ଟିକେ ସମୟ ନାହିଁ ସ୍ତ୍ରୀ ପାଖରେ ତେବେ ଘରକୁ ଆସିବା ହିଁ ବେକାର । ୟା’ ଠୁ ତ ସେଇ ହୋଟେଲ୍ରେ କଲ୍‌ଗାର୍ଲମାନେ ଭଲ । କମ୍ ସେ କମ୍ ଆଠ ଘଣ୍ଟା ତ ତମ ପାଖରେ ରହିବେ । ଚାହିଁଲେ ପୁରା ଦିନ ଆଉ ରାତି ବି ରହିବେ । ଖାଲି ପଇସା ଟିକେ ଅଧିକା ।
ଥରେ କହୁ କହୁ ସେ ସୁଶୀଳାକଙ୍କୁ କହି ଦେଲେ, “ତମ ପରିକା ନିରଠା ଲୋକ ମୁଁ କେଉଁଠି ବି ଦେଖିନି । ସବୁବେଳେ ଖାଲି କାମ । ସେଥିରେ ପୁଣି ଭଲପାନ୍ତି ଟଗର ଫୁଲକୁ । ଛିଃ, କି ବାଜେ ଚୟେସ୍ ତମର ।” ସେଦିନ ସୁଶୀଳା କହିଥିଲେ, “ଗୋଲାପକୁ ଦେଖିଲେ ସିନା ପ୍ରେମିକା କଥା ମନେ ପଡ଼େ, କିନ୍ତୁ ସେସବୁ କ୍ଷଣସ୍ଥାୟୀ । ଟଗର ଫୁଲକୁ ଦେଖିଲେ ମନେପଡ଼େ ଭଗବାନଙ୍କ କଥା । ତାଙ୍କ ପାଦ ତଳେ ମୋ ମନ ସବୁବେଳେ ଥାଉ । ଆଉ ଭୁଲିଯାଅନି ଯେ ମୋ ଭଗବାନ ହେଲ ତୁମେ । ତୁମ ପାଦ ତଳେ ମୋ ମନ ସବୁବେଳେ ଥାଉ । ତୁମ ବାପା ମା’ ଯିଏ ତୁମକୁ ଜନ୍ମ ଦେଇଛନ୍ତି ସେମାନଙ୍କ ସେବା ମୁଁ କରୁଥାଏ । ତୁମେ ଯେଉଁଠି ବି ଥାଅ ଭଲରେ ଥାଅ ।”
ବାପା ମା’ଙ୍କ ସେବାରେ ସୁଶୀଳା କେବେ ଅବହେଳା କରି ନାହାନ୍ତି । ସତ୍ୟବାବୁ ତ ଜାଣି ବି ନାହାନ୍ତି ବାପା ମା’ଙ୍କ ସେବା କ’ଣ ? ଥରେ ଏଇ ଗାଁରେ ଗୋଟେ ୧୧ କେ.ଭି. ବିଦ୍ୟୁତ ଲାଇନ୍ ଯିବାର ଥିଲା । ଖାଇବା ରହିବାରେ ଅସୁବିଧା ହେଲା ବୋଲି ବାପା ମା’ଙ୍କୁ କହି ସୁଶୀଳାକୁ ଆଣିବାକୁ ଚାହିଁଲେ, କିନ୍ତୁ ସୁଶୀଳା ଆସିବାକୁ ମନା କଲେ । ବାପା ମା’ଙ୍କୁ ଖାଇବା ପିଇବାରେ ଅସୁବିଧା ହେବ ବୋଲି । ସେବେଠୁ ସେ ସୁଶୀଳାଙ୍କୁ କେବେ ବି ନେଇ ନାହାନ୍ତି କୁଆଡ଼େ । ଏବେ ୬୮ବର୍ଷ ବୟସରେ ସେ ବୁଝି ପାରୁଛନ୍ତି ବାପା ମା’ଙ୍କର କ’ଣ ଦରକାର ଥିଲା ! ଆଉ କ’ଣ ପାଇଁ ସୁଶୀଳା ମନା କଲେ ଆସିବା ପାଇଁ । ଏବେ ସୁଶୀଳା ନାହାନ୍ତି । ପୁଅ ଦି’ଜଣ ତାଙ୍କ ସ୍ତ୍ରୀ, ପିଲା ଛୁଆ ଧରି ବାହାରେ । ଜଣେ ଆମେରିକାରେ ତ ଜଣେ ଲଣ୍ଡନରେ । ବୋହୂମାନେ ଶଶୁରର ସେବା କରିବାକୁ ମନା କରିଦେଲେ । ସିଧା ସିଧା ଶୁଣେଇ ଦେଲେ, ଯଦି ଆମକୁ ସାଙ୍ଗରେ ନବ ନିଅ ନ ହେଲେ ଆମେ ବାପ ଘରେ ରହିବୁ । ଏଠି ବୁଢ଼ାର ସେବା କରିବାକୁ ଆମେ ତମକୁ ବାହା ହେଇ ନଥିଲୁ । ପିଲାମାନେ ବି ନାଚାର । ସେଥିପାଇଁ ତ ସତ୍ୟବାବୁ ଭୁବନେଶ୍ୱର ଛାଡ଼ି ଏଠିକୁ ଚାଲିଆସିଲେ । ଏଇଟା ଦିନେ ଥିଲା ତାଙ୍କ କର୍ମ ଭୂମି । ବର୍ଷେ କାଳ ସେ ଏଠି ରହି କି କାମ କରେଇଛନ୍ତି । କିନ୍ତୁ ସେତେବେଳେ ଏ ଜାଗା ଭଲ ଲାଗୁ ନଥିଲା । ପ୍ରତି ୧୦ ଦିନ ଅନ୍ତରରେ ସେ ଜିପ୍ ନେଇ ସହରକୁ ଯାନ୍ତି ଆଉ ସେଠୁ ପେଟି ପେଟି ମଦ ବୋତଲ ନେଇ କି ଆସନ୍ତି ଏଠି ମିଳେନି ବୋଲି । ଖାଇବାରେ ଅସୁବିଧା ବୋଲି ଗୋଟେ ରୋଷେଆ ବି ସାଙ୍ଗରେ ଥାଏ । ଯୁଆଡ଼େ ଗଲେ କମ୍ପାନୀ ଜିପରେ । ଗୋଡ଼ ତଳେ ଲାଗେନି । ଏବେ ସେସବୁ ଜୀବନ ଛିଃ ଲାଗୁଚି । ଅପର୍ଯ୍ୟାପ୍ତ ପଇସା ଅଛି ତାଙ୍କ ପାଖରେ କିନ୍ତୁ ଆଉ ସେ ବେଳ ମନ ନାହିଁ । ଘୃଣା ଆସିଗଲା ଜୀବନ ପ୍ରତି, ଯେଉଁଦିନ ବଡ଼ ବୋହୂ ତାଙ୍କ ଖାଇବା ଥାଳିରେ ପାଣି ଭର୍ତ୍ତି କରିଦେଲା ପୁଅ ସହ ପାଟି କରି । କଥା ଏତିକି ଥିଲା ଯେ ବଡ଼ପୁଅ କ’ଣ କାମ ଥିଲା ଚେନ୍ନାଇରେ ଆଉ ସେ ବୋହୂକୁ ନ ନେଇ ଏକା ଚାଲିଗଲା । ଫୋନ୍‌ରେ ଯେତେ ପାରେ ଗାଳି କଲା ପୁଅକୁ ଆଉ ରାଗରେ ଆସି ଖାଇବା ଥାଳିରେ ପାଣି ଢାଳି ଦେଲା । ସେଇ ଦିନ ହିଁ ସେ ନିଷ୍ପତ୍ତି କଲେ ଘର ବୃଦ୍ଧାଶ୍ରମକୁ ଦାନ କରି କେଉଁ ଗୋଟେ ଜାଗାକୁ ପଳେଇବେ ଯେଉଁଠି ତାଙ୍କୁ କେହି ଚିହ୍ନି ନ ଥିବେ କି ଜାଣି ନଥିବେ ।
ଏଠିକୁ ଆସିବା ବର୍ଷେ ହୋଇଗଲା । ସୁଶୀଳା ଯେ ଗୋଟେ ଦେବୀ ଥିଲେ ସେ ଏବେ ବୁଝି ପାରୁଛନ୍ତି । କେବେ ବି ସେ ସମ୍ମାନ କରି ନାହାନ୍ତି ତାଙ୍କୁ । ସବୁବେଳେ ମିଛ ଆଉ ଧୋକା । ଆଉ କିଛି ବି ଦେଇ ନାହାନ୍ତି ସେ ସୁଶୀଳାଙ୍କୁ । ବାପା ମା’ଙ୍କ ସେବା ତାଙ୍କର ଦାୟିତ୍ୱ । ପିଲାଙ୍କ ଦାୟିତ୍ୱ ତାଙ୍କର । ଦିଅର, ନଣନ୍ଦଙ୍କ ଦାୟିତ୍ୱ ତାଙ୍କର । ସତ୍ୟବାବୁ ଖାଲି ପଇସା ପଠେଇ ଦିଅନ୍ତି । ଚାକିରୀ ସରିବା ବେଳକୁ ବାପା ମା’ ଆର ପାରିରେ । ସୁଶୀଳାଙ୍କୁ ଜରାୟୁ କ୍ୟାନ୍ସର୍ । ଥରେ ଦି’ଥର ଡାକ୍ତର ପାଖକୁ ଯିବାକୁ କହିଥିଲେ ସୁଶୀଳା କିନ୍ତୁ ତାଙ୍କ ଅବହେଳା ଯୋଗୁଁ ଡାକ୍ତର ପାଖକୁ ଗଲେ ଲାଷ୍ଟ୍ ଷ୍ଟେଜ୍‌ରେ ଆଉ ୬ ମାସ ପରେ ସୁଶୀଳା ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ । ସେଥିପାଇଁ ନିଜକୁ ଦାୟୀ କରନ୍ତି ସତ୍ୟବାବୁ ।
ସୁଶୀଳାଙ୍କ ସ୍ମୃତିରେ ସେ ତିଆରି କରିଛନ୍ତି ଟଗର ବଗିଚା ଆଉ ଗୋଟେ ଚାଳ ଘର ନିଜ ହାତରେ । ଦରକାର ନାହିଁ ତାଙ୍କର କୋଠା ଘର କି ସେ ପଇସାର ଶେଜ । ଦରକାର ନାହିଁ ସେ ପୁଅ ବୋହୂ ବା ବୋହୂର ହାତ ପରସା । ଏଠି ଶାନ୍ତି ଅଛି, ସ୍ମୃତି ସବୁ ମନେ ପକେଇବାକୁ ସମୟ ଅଛି, ପାହାଡ଼ ଅଛି, ନଦୀ ଝରଣାର କୁଳୁକୁଳୁ ନାଦ ଅଛି, ଅଛି ପ୍ରକୃତିରେ ସୌନ୍ଦର୍ଯ୍ୟ । ଆଉ ଅଛି ଭଲ ପାଇବା, ମଣିଷ ପଣିଆ, ଭାଇଚାରା । ଗାଁ ଯେ ଏତେ ସୌନ୍ଦର୍ଯ୍ୟରେ ଭରା ସେ ଜାଣି ନଥିଲେ । ଏଇ ଗାଁକୁ ସେ ଘୃଣା କରୁଥିଲେ ଆଉ ଆଜି ଏଇ ଗାଁକୁ ଭଲ ପାଇ ବସିଛନ୍ତି । ନାହିଁ ଏଠି ମଣିଷର ମୌଳିକ ସୁବିଧା । ନା ଅଛି ଡାକ୍ତରଖାନା, ନା ଅଛି ଖାଇବାକୁ ଟଙ୍କାକିଆ ଚାଉଳ, ନା ମୁଣ୍ଡ ଗୁଞ୍ଜିବାକୁ ଅଛି କୋଠା ବାଡ଼ି । କିନ୍ତୁ ଅଛି ଏଠି ଜୀବନ, ଜୀବନ ଜୀଇଁବାର ଶକ୍ତି ଆଉ ସତେଜତା ।
ବଣ୍ଡ ପେପରରେ ତାଙ୍କ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ସେ ଯମୁନା ନାଁରେ କରି ଦେଇଛନ୍ତି । ପେପରରେ ଦସ୍ତଖତ କରୁ କରୁ କେତେବେଳେ ଯେ ସେ ଶୋଇ ପଡ଼ିଛନ୍ତି ଜଣାନାହିଁ । ଯମୁନାର ଡାକରେ ନିଦ ଭାଙ୍ଗିଲା । ସେ କହୁଥିଲା, “ଏ ବାବୁ, ସାକାଲଟାରୁ ଏ ଫୁଲ କ୍ଷେତରେ ସୁଇଚୁ ଯେ ଆସି ୧୨ଟା ବାଜିଲାନ, ଆ ଖାଇବୁ, ବା ଆଜି କୁଟ୍ରା କେ ମାଉଁସ ଆନି ଥିଲା, ମୁଇଁ ତୋର ପାଇଁ ଘିନି କି ଆଇଚି । ନାଲି ଭାତ, ମାଉଁସ ଆର ହାଣ୍ଡିଆ ।” ସେ କିନ୍ତୁ ଜାଣିନଥିଲା ଯେ ସେ ଆଜି ଏକ କୋଟି ୭୦ ଲକ୍ଷ ଟଙ୍କାର ମାଲିକାଣି ।
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ବଳି ଓ ନିର୍ବାଚନ

ବଳି ଓ ନିର୍ବାଚନ
 
 
ଗାଁ ମୁଣ୍ଡରେ ସଭା । ସଭାରେ ଲୋକ ଭର୍ତ୍ତି । ପାଞ୍ଚ ଜଣ ବକ୍ତା ଆସିଥାନ୍ତି । ସରପଞ୍ଚ (ଜିଗୁ ଭାଇ) ବି ଥାନ୍ତି । ବଳି ପ୍ରଥା ବିରୁଦ୍ଧରେ ଚାଲିଥିଲା ପ୍ରତିବାଦ ସଭା । କିଏ କେତେ ସାର ଗର୍ଭକ ଭାଷଣ ଦେଲେ । “ଆମେ ମଣିଷ । ଆମର ବିବେକ ଅଛି । ବୁଦ୍ଧି ଅଛି । ଆମେ ବିଶ୍ୱ ର ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ଜୀବେ ଦୟା ଆମର ଧର୍ମ । ଦେବୀ ଆମର ମା । ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ ପୂଜା କଲେ, ମା ଖୁସି ହବ । ଆଜିଠୁ ସମସ୍ତେ ପ୍ରତିଜ୍ଞା କର । ଗାଁ ରେ କୁକୁଡ଼ା, ବୋଦା, ପୋଢ଼ ବଳି ବନ୍ଦ । କେହି ଚାହିଁଲେ ପାଣି କଖାରୁ ବଳି ଦେଇ ପାରିବ” । ବଳି ବନ୍ଦ କରିବା ପାଇଁ ସମସ୍ତେ ପ୍ରତିଜ୍ଞା ବଦ୍ଧ ହେଲେ । ସେଇ ଦିନଠୁ ଗାଁ ରେ ବଳି ବନ୍ଦ ।
୨ ବର୍ଷ ପରେ..
ନିର୍ବାଚନ ଆଉ ୭ ଦିନ ରହିଲା । ସରପଞ୍ଚ ପ୍ରାର୍ଥୀ ସମସ୍ତଙ୍କ ଘରକୁ ଯାଇ ଭୋଟ ଭିକ୍ଷ୍ୟା କରୁଥାନ୍ତି । ମଦ ମାଂସ ରେ ଗାଁ ବୁଡି କି ଥାଏ । ଗାଁ ମୁଣ୍ଡ ବଳି ପଡିଆ ରେ ଚାଲି ଥାଏ ଭୋଜି । କୁକୁଡ଼ା, ଖାସି ମାଂସ ଯାହାକୁ ଯେତେ । ଖାଅ, ଘରକୁ ନିଅ, ବନ୍ଧୁ ବାନ୍ଧବଙ୍କୁ ଡାକି ଖାଇବାକୁ ଦିଅ, କିନ୍ତୁ ଭୋଟ ଦିଅ । “ଆମର ଭାଇ, ତୁମର ଭାଇ ଜିଗୁ ଭାଇ ଜିନ୍ଦାବାଦ” ସ୍ଲୋଗାନ ରେ ଗାଁ ଉଠୁଥାଏ ପଡୁଥାଏ । ପାଞ୍ଚ ଖଣ୍ଡ ଗାଁ ର ଲୋକ ସେଠି ଭର୍ତ୍ତି । ଲଙ୍ଗଳା ପିଲାଠୁ ବୁଢା ଯାଏ, ସମସ୍ତେ ଭୋଜିରେ ବ୍ୟସ୍ତ । କିଏ କେତେ ଖାଉ ଥାନ୍ତି, କିଏ କେତେ ନଉ ଥାନ୍ତି, ତା’ର ହିସାବ ନଥାଏ ।
ସୁକୁଟା, (ଗାଁର ଦେବୀ ମନ୍ଦିରର ମାଳି) ଭୋଜି ରେ କହି କହି ବୁଲୁ ଥାଏ । ଆରେ, ମା’କୁ ଟିକେ ରକ୍ତ ଦିଅରେ । ମୋ ମା କଉ ଦିନୁ ରକ୍ତ ଟିକେ ପିଇନି ।
—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com