ଦାଦନ
ସୁବଳ ମହାପାତ୍ର
ବାମ ହାତର ଚାରୋଟି ଆଙ୍ଗୁଠି ନଥିବା ବୁରୁ, ତା ଖଣ୍ଡିଆ ହାତରେ ଖବର କାଗଜ ଟିକୁ ଧରି ବସି ଥାଏ I ମୁହଁ ଥମ ଥମ, ଆଖି ଶୁଖିଲା, ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ଭିତର କୋରି ହେଉ ଯାଉଥାଏ ତାର I ଗୋଡ ହାତ ଛାଟି, କାନ୍ଦିବାକୁ ଇଛା ହେଉ ଥାଏ I ନୁଆଁଳିଆ ଚାଳ ଘର ର ବାରଣ୍ଡା ରେ ବସିଥାଏ ସକାଳ ପହରୁ I ଝିଅଟାର ମଲା ମୁହଁ ବି ସେ ଦେଖି ପାରିଲାନି I ଶ୍ରାଦ୍ଧ ଦେବ କ’ଣ I ସ୍ତ୍ରୀ ବିମଳା ଆସି ମୁଣ୍ଡ କୁ ଆଉଁସି ଦେଲା I ସ୍ତ୍ରୀ ଆଖିରେ ଆଖିଏ ଲୁହ I ଛାତି ପିଟି ବାହୁନି ବାହୁନି କାନ୍ଦି ଥାନ୍ତା ଆଜି I କିନ୍ତୁ ଭାଗ୍ୟ ଦେଖ, ଝିଅ ପାଇଁ ଲୁଚି ଲୁଚି ଲୁହ ଗଡେଇବା ବ୍ୟତୀତ ଆଉ କିଛି କରି ପାରୁ ନଥିଲେ ସ୍ୱାମୀ ସ୍ତ୍ରୀ ଦି ଟା I ଧିକ ସେ ବାପା, ଧିକ ସେ ମା I ଯିଏ ଝିଅ କୁ ଝିଅ କହିବା ଅବସ୍ଥା ରେ ନଥିଲେ I ବୁରୁ ଧିକ୍କାରିଥିଲା ନିଜ କୁ ନିଜେ I ବିମଳା, ଘର ଭିତରେ ମୁଣ୍ଡ ବାଡେଇ କାନ୍ଦିଥିଲେ ବି ବାହାରେ ଥିଲା ଚୁପ ଚାପ I ପଡିସା ଘରକୁ, କିଛି ବି ଜାଣିବାକୁ ଦେଇ ନଥିଲା I ଗୋଟେ ଝିଅ ତ ଗଲା, ପୁଅଟାର କ’ଣ ହେଲା ? ତା’ ବି ଜାଣିବାର କୌଣସି ଉପାୟ ନଥିଲା I ଦିହେଁ ଥିଲେ ନାଚାର I ଗାଁକୁ ଫେରିଲା ପର ଠାରୁ ଘର ତାଙ୍କୁ ଖାଇ ଗୋଡାଉ ଥିଲା I ବୁରୁ ର ମା ସମ୍ପୂଥିଲା ଏ ସ୍ୱାମୀ ସ୍ତ୍ରୀ କୁ I ଝିଅ ଗଲା ବୋଲି ଦୁଃଖ ନଥିଲା, କିନ୍ତୁ ପୁଅ କୁ ହଜେଇ ଦେଇ ଥିବାରୁ ସେ ବେଶୀ ଦୁଃଖି ଥିଲା I ବଡ ପୁଅ ଝିଅ ଆଉ ଗାଁ ଲୋକଙ୍କ ପ୍ରଶ୍ନ ବାଣ ରେ ଅତିଷ୍ଠ ହୋଇ ପଡୁଥିଲେ ବି ଧର୍ଯ୍ୟ ର ସହ ସବୁ ର ଉତ୍ତର ଦେଉଥିଲେ I ହେଲେ ବୁରୁ ଆଉ ବିମଳା ଯାହା ହରେଇ ଥିଲେ ତାହା ଆଉ ଫେରିବାର ନଥିଲା I
ବୁରୁ ଫେରିଯାଉଥିଲା ଅତୀତ କୁ I ଏଇ ଘରେ ଖେଳି ବୁଲି ବଡ ହୋଇଥିଲେ ଦୁଇ ପୁଅ ଆଉ ଦୁଇ ଝିଅ I ଝିଅ ଆଉ ପୁଅ ଜନ୍ମ ହୋଇଥିଲେ ଗୋଟେ ପରେ ଗୋଟେ ଛାଡି I ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଯାଇଥିଲା ବୁରୁ ର I
ବୁରୁ, ବୁରୁନ୍ଦା, ବୃନ୍ଦାବନ ମହାରଣା I ବାପା ମା ନାଁ ଦେଇଥିଲେ ବୃନ୍ଦାବନ I ଗାଁ ରେ ଡାକିଲେ ବୁରୁନ୍ଦା, ସାଙ୍ଗ ମାନେ ଡାକିଲେ ବୁରୁ I ବୁରୁ ଆଜି ତା ଅସଲ ନାଁ ବି ଭୁଲି ଯାଇଥିଲା I ଇସ୍କୁଲ ରେ ଥିବା ଯାଏ ତା’ର ମନେ ଥିଲା ତା ନାଁ ବୃନ୍ଦାବନ I ଇସ୍କୁଲ ଛାଡିଲା ଦିନୁ ସେ ନାଁ ଟା ସେ ଭୁଲି ଯାଇଥିଲା I ଗାଁ ଇସ୍କୁଲ ରୁ ତୃତୀୟ ଫେଲ I ବା’ଆ ଯେତେ କହିଲେ ବି ଇସ୍କୁଲ ଗଲା ନେଇଁ I ବା’ଆ ଥିଲା ବେଳେ କେତେ ଖୁସି ରେ ଥିଲା ସେ I ଜମିବାଡ଼ି ବୋଇଲେ ଘର ଡିହ କୁ ଛାଡି ଦି ମାଣ ଗହିରି ବିଲ I ବର୍ଷା ନହେଲେ ବି ଚାଷ ଭଲ ହୁଏ, ସାଆନ୍ତଙ୍କ ଜମି ଚଷି ବର୍ଷକର ଖାଇବା ଆସି ଯାଏ ତାଙ୍କ ଘରକୁ I ଡୁଲୀ ଗୋଟେ ଥିଲା ବା’ଆ ଅମଳରୁ I ଦିନ ଥିଲା ତା ବା’ଆ ଡୁଲୀ ରେ ଡୁଲୀଏ ଧାନ ରଖୁଥିଲା I ନୂଆ ଚାଉଳ ବା’ଆ ଛୁଏଁନାହିଁ I ଦି ବର୍ଷ ତଳ ଚାଉଳ ର ଭାତ ଖାଇବ I ବିଲ ଦି ମାଣ ରୁ ଦି ଏକର କରିଥିଲା ସେ I ବା’ଆ ଗଲା ପରେ ଲକ୍ଷ୍ମୀ ଛାଡି ଗଲେ ତା ଘରୁ I ଦି ଏକର ରୁ ପୁଣି ଦି ମାଣ କୁ ଆସିଲା ତା ଜମି I ସାଆନ୍ତ ଙ୍କ ଜମି ଚଷୁଥିଲା ବୁରୁ I ହେଲେ ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଗଲା I
ଘରେ ସତ ପ୍ରାଣୀ କୁଟୁମ୍ବ I ଖାଇବାକୁ କିଛି ବି ନଥିଲା ସେଦିନ I ସେମାନେ ସିନା ନଖାଇ ପେଜ ତୋରାଣି ପିଇ ରହିଯିବେ, ଛୁଆ ଗୁଡା କଣ କରିବେ? ଭେଁ ଭାଁ ରଡି ଛାଡୁଥିଲେ I ମା, କ’ଣ ଖାଇବି ବୋଲି ପଚାରୁ ଥିଲେ I ଆଉ ସମ୍ଭାଳି ପାରିଲାନି I ବସିବାଠୁ ଉଠି ଚାଲିଗଲା ବିଜୁ ବାବୁ ପାଖକୁ I ହଁ, ସେ ଯିବ ଦାଦନ ଖଟି I ଏଠି ଓପାସ ଭୋକରେ ମରିଯିବା ଅପେକ୍ଷା ଦାଦନ ଖଟିବା ଭଲ I ଅଗ୍ରିମ ହଜାରେ ଟଙ୍କା ଆଣିଲା ବିଜୁ ବାବୁ ପାଖରୁ I ଘରେ ଚାଉଳ ଧରି ପହଁଚିଲା ବେଳକୁ, ବିମଳା ଆଉ ବୁରୁର ମା ବୁଝି ଯାଇଥିଲେ I ତା’ ମା ରଡି ପକେଇ ବାହୁନି ଥିଲା I ବିମଳା କୁ ଦାଦନ ଅପେକ୍ଷା ଛୁଆଙ୍କ ଭୋକ ବଡ ଲାଗିଥିଲା I ହାତରୁ ଚାଉଳ କୁ ଝାମ୍ପି ନେଇ ସେ ଭାତ ବସେଇଲା I ଦି ଦିନ ପରେ ବିଜୁ ବାବୁ ଆସି ଆଉ ଦି ହଜାରେ ହାତରେ ଧରେଇ ଦେଇ ଗଲା I କହି ଦେଇ ଗଲା ପୁର୍ଣିମା କୁ ଛ ଦିନ ଥବ ବାହାରିବା ଏଠୁ I ସଜ ହେଇଥିବୁ I ସେଦିନ ଭାରି ଚିନ୍ତା ରେ ପଡି ଯାଇଥିଲା ବୁରୁ I ପଇସା ଆଣି ତ ଖାଇ ସାରିଛି, ଆଉ ଖସିବାକୁ ବାଟ ନାହିଁ I ଗାଁ ଛାଡି ଯିବାକୁ ଜମାରୁ ଇଛା ନଥିଲା ତା’ର I ଦିନ ସାରା କେମିତି କେମିତି ଲାଗୁଥିଲା ତାକୁ I ରାତିରେ ଶୋଇଲା ବେଳେ ବିମଳା ଆସି ବୁରୁ ର ଛାତି ରେ ମୁଣ୍ଡ ରଖି ଗେଲ୍ହେଇ ହେଲା I କହିଲା ତମ ସହ ମୁଁ ବି ଯିବି I ସିଆଡେ କେତେ ଡାହାଣୀ, ଚିରିଗୁଣୀ ବୁଲୁଛନ୍ତି I ତମକୁ ଯଦି କିଏ କିମିଆ କରେ ତେବେ? ବୁରୁ ବାଁ ହାତ ରେ ଗୋଟେ ଧକ୍କା ମାରି କହିଲା,”ଶଳା ମାଇକିନା I ତମର ତ ଆଉ କିଛି ଚିନ୍ତା ନାହିଁ I ମୂଷାଛୁଆ ପରି ତ ପଲେ ଅଛ, କଣ ଖାଇବ ଚିନ୍ତା ନାହିଁ I ମୁଁ ସେଠି କାହାକୁ ମାଈପ କରିବି ସେଟା ଆଗେ ଚିନ୍ତା” I ବିମଳା ମୁହଁ ମୋଡି ଶୋଇ ପଡିଲା I
ବିମଳା ବି ବୁରୁ ସହ ଯିବାକୁ ବାହାରିଲା I ହେଲେ ମା କୁ ଏଠି ରୋଷେଇ କରି ଖାଇବାକୁ ଦବ କିଏ? ପିଲା ଛୁଆ ଏଠି ରହିବେ କେମିତି I ବଡ ଝିଅ କୁ ୧୫ ଚାଲୁଛି I ତା ତଳେ ବଡ ପୁଅ କୁ ୧୪ I ତା ତଳ କୁ ଝିଅ, ୧୨ ଚାଲିବ ଆର ମାସକୁ I ତା ତଳ ଟା ପୁଅ ୮ ପୁରିଲା ଏବେ I କଥା ହେଲା ସାନ ପୁଅ ଝିଅ ଯିବେ ବୁରୁ ଆଉ ବିମଳା ସହ I ବଡ ରହିବେ ଏଠି ମା ପାଖରେ I ଚାହୁଁ ଚାହୁଁ ଦିନ ଆସିଗଲା I ବିଜୁ ବାବୁ ଦେଇଥିବା କୋଡିଏ ହଜାର ରୁ ମାଆ କୁ ଲୁଚେଇ କି ଦଶ ହଜାର ଦେଲା ବୁରୁ I କହିଲା ରଖିଥା I ଚଳୁଥିବୁ, ଆମେ ଗଲା ପରେ ମୁଁ ମାସକୁ ମାସ ପଇସା ପଠେଇବି I ଆଉ ଦଶ ହଜାର ରେ ବାକି କରଜ ଶୁଝିଲା ସବୁ I ପୁଅକୁ ଆଉ ଝିଅ କୁ କହି ଦେଇ ଗଲା, ବଡ ହେଲଣି I ଚାଷ ବାସ ଦେଖ ଏବେ I ବର୍ଷ ଦିଟା ରେ ସବୁ ସୁଝିଯିବ I ମୁଁ ଆସିଲେ ପୁଣି ଚାଷ ବାସ କରିବା I
ବୁରୁ, ବିମଳା, ଝିଅ ଚଣ୍ଡୀ ଆଉ ପୁଅ ପପୁ ସକାଳୁ ସକାଳୁ ରେଡି ହୋଇ ବସିଥାନ୍ତି I ବିଜୁ ବାବୁ ଟ୍ରାକ୍ଟର ଧରି ପହଁଚିଲା I ସମସ୍ତେ ବସି ପଡିଲେ ଗାଡ଼ିରେ I ତା ପରି ଆହୁରି ୧୫ ଜଣ ଥାନ୍ତି ଆର ଗାଁ ରୁ I ସମସ୍ତେ ସମସ୍ତଙ୍କ ମୁହଁ ଚାହଁ ଚୁହିଁ ହେଲେ I ହେଲେ ବେନିଜନେ ସମଦସା I କହିବେ କାହାକୁ, କରିବେ କଣ I ଟ୍ରାକ୍ଟର ଚାଲିଲା I ଗାଁ ଛାଡି ସେମାନେ ପହଁଚିଲେ ଷ୍ଟେସନ ରେ I ଏଠୁ ଯିବେ ଆନ୍ଧ୍ର I ସେଠୁ ଇଟା ଫ୍ୟାକ୍ଟ୍ରି I
ଇଟା ଫ୍ୟାକ୍ଟ୍ରି ରେ ପହଁଚିଲା ପରେ ସେମାନଙ୍କୁ କାମ ବତେଇ ଦିଆଗଲା I ବିମଳା ର କାମ ହେଲା ମାଟି ଚକଟିବା, ବୁରୁ ଇଟା ଗଢ଼ିବ, ଚଣ୍ଡୀ ଆଉ ପପୁ ର କାମ ହେଲା ଇଟା ସଜେଇବା I ସମସ୍ତେ ମନ ଧ୍ୟାନ ଦେଇ କାମରେ ଲାଗି ଗଲେ I ମାସ ପୁରିଲା, ହେଲେ ଦରମା କାଇଁ ? ଦି ମାସ ଗଲା I ଇଟାଭାଟି ମାଲିକ ଆସି ଖାଇବା ପାଇଁ ପଇସା ଦେଇ ଯାଏ I ହେଲେ ଦରମା ନାହିଁ I ମୁଲିଆ ମାନେ ପଚାରିବାରୁ କହିଲା, “ମୋ ପାଖେ ଜମା ଥାଉ, ଘରକୁ ଗଲା ବେଳେ ନେଇ କି ଯିବ” I ଏବେ ପାଖରେ ରଖିଲେ ଚୋରି ହେଇ ଯିବ I ବୁଝି ଗଲେ ସମସ୍ତେ I ପ୍ରଥମେ ପ୍ରଥମେ ଗାଁ କଥା ଭାରି ମନେ ପଡୁଥିଲା, ହେଲେ ମନକୁ ବୁଝେଇ ରହିଯାନ୍ତି I
ଛଅ ମାସ ଗଲା I ବୁରୁ ର ଚିନ୍ତା ପଶିଲା I ଦଶ ହଜାର ଦେଇ କି ଆସିଥିଲା ମା କୁ I ତିନିପ୍ରାଣୀ ଅଛନ୍ତି ଗାଁ ରେ I ପଇସା ସରି ଜିବଣି I ଅଶିଣ ରୁ ଆସିଲେଣି ସେମାନେ, ଚଇତ ହେଲା ଆସିକି I ମାଲିକ ଆସିବାରୁ ତାକୁ ପଇସା ମାଗିଲା ବୁରୁ I ଗାଁ କୁ ପଠେଇବ I କଥା ଅନୁସାରେ ତା’ର ମାସକୁ ପନ୍ଦର ହଜାର, ବିମଳା ର ଦଶ, ଚଣ୍ଡୀ ଆଉ ପପୁ ର ମିଶେଇ କି ଆଠ I ମାସକୁ ଏତେ ପଇସା ହେଲେ ଛ ମାସକୁ ବହୁତ ହେଇ ଜିବଣି I ସେ ହିସାବ ପାଉ ନଥିଲା, କିନ୍ତୁ ବହୁତ ତ ହବଣି I ଭାବିଲା ମାଲିକ ର ପଇସା ସୁଝି ଦେଇ ଗାଁ କୁ ପଳେଇବ I ସେ ଏକା ଆସିବାର ଥିଲା ବୋଲି ସିନା ଦି ବରଷ ହିସାବ କରିଥିଲା I କିନ୍ତୁ ଆସିଲେ ତ ଚାରିଜଣ I ପଇସା ସବୁ ସୁଝି ଜିବଣି I ବାକି ଯାହା ବଳିଲା ନେଇ ଯିବ ଭାରି ଗାଁ କୁ I ଏଠି ପଇସା ସିନା ମିଳିବ ହେଲେ ଗାଁ ଯାହା ହେଲେ ଗାଁ I କେତେ ପୁନିଅଁ, ପରବ, ପିଠା ପଣା I ଏଠି ସେ ସବୁ କିଛି ନାହିଁ I ଓଡ଼ିଆ ଚାରି ଘର I ବାକି ସବୁ ବିହାରୀ, ନହେଲେ ତେଲେଙ୍ଗା I ସେମାନେ କଣ ଜାଣିବେ ଆମ ଗାଁ ର ପୁନିଅଁ ପରବ କୁ? ଓଡ଼ିଆ ବି ଯେଉଁ ମାନେ ଅଛନ୍ତି ସବୁ ଅଲଗା ଜାଗାରୁ I ଗାଁ ପାଖ ଲୋକ ଯେଉଁ ମାନେ ଆସିଥିଲେ ସେମାନେ କୁଆଡେ ଗଲେ ବୁରୁ ଜାଣିନି I ଏଠି ସବୁ ଅଲଗା ଅଲଗା I କେହି କାହା ସହ ମିଶି ପାରନ୍ତିନି I କଥା ହେଲେ ମାଲିକର ଗାରଡ଼ (ଗାର୍ଡ) କଳି ଲାଗେ I ଚାପୁଡ଼େ ବିଧେ ପକାଏ I
ବୁରୁ କଥା ହେବା ପାଇଁ ମାଲିକ ପାଖକୁ ଗଲା I କାମ ଛାଡି ଦେଇ ଯିବ ବୋଲି ଶୁଣି ମାଲିକ ରାଗିଗଲା I ପଇସା ତ ଦେଲାନି ଦେଲାନି , ହେଲେ ସେଇ ଦିନ ଠୁ ଏମାନଙ୍କ ଉପରେ ଅତ୍ୟାଚାର ଚାଲୁ ହୋଇଗଲା ମାଲିକ ଆଉ ଗାର୍ଡ ମାନଙ୍କର I ବୁରୁ ଆଉ ତା ପରିବାର କୁ ଅଲଗା ଜାଗାକୁ ପଠେଇ ଦିଆଗଲା I ଜଙ୍ଗଲ ଭିତରେ ସେମାନେ ବାର ଟା ପରିବାର I ୟାକୁ ଛାଡି ବାକି ସବୁ ତେଲେଙ୍ଗା I କାହା କଥା ବୁଝିବାକୁ କି କାହାକୁ କିଛି କହିବାକୁ ନାହିଁ I ୟା ଭାଷା କେହି ବୁଝୁ ନଥାନ୍ତି I ଖାଇବା ସମସ୍ତଙ୍କର ଏକାଠି ରୋଷେଇ ହୁଏ I ବଗଡ଼ା ଭାତ କୁ ରସମ ଆଉ ଲେମ୍ବୁ ଆଚାର ରୁ ଖଣ୍ଡେ ଖଣ୍ଡେ I ନାଁ ରସମ, ହେଲେ ତୁଚ୍ଛା କଇଁଆଁ (ତେନ୍ତୁଳି) ପାଣି I ଭାଷା ତ ଯେମିତି ଅମୁଲ ଟିଣ ଡବା ଭିତରେ ମେଞ୍ଚେ ଗୋଡି ପୁରେଇ କିଏ ହଲାଉଛି I କାଆଡୁ କାଆଡୁ I ପୁରୁଣା ଗାର୍ଡ ହେଲେ ଟିକେ ଭଲ ଥିଲେ, ଏମାନେ ସବୁ ରାକ୍ଷସ ଗୁଡା I ଦିନ ଯାକ ଗଞ୍ଜେଇ ଟାଣି ବୁଲୁଥିବେ, ରାତି ହେଲେ ତାଡି ନହେଲେ ମହୁଲି I
ସେଦିନ ଥିଲା ବୁରୁ ର ପରିବାର ପାଇଁ କାଳ ରାତ୍ରି I ଯେଉଁଦିନ ଚାରିଟା ଗାର୍ଡ, ଗୋଟେ ତେର ବର୍ଷ ର ଝିଅ କୁ ଜଣ ଜଣ କରି ରାତି ସାରା ଗଣ ଦୁଷ୍କର୍ମ କଲେ I ରାତିରେ ଚଣ୍ଡୀ ବାହାରକୁ ପରିସ୍ରା କରିବାକୁ ଯାଇଥିଲା I ଗାର୍ଡ ମାନେ ସବୁ ମଦ ପିଇ ନିଶାରେ ଟୁଲ ଥାଆନ୍ତି I ବାଡ଼ି ପଟୁ ଝିଅ ଟାକୁ ଟେକି ନେଲେ, ସକାଳୁ ଆଣି ଘର ଭିତରେ ଫିଙ୍ଗି ଦେଇ ଗଲେ I ବିମଳା କାନ୍ଦି କାଟି ଅଥୟ I ବୁରୁ ଆଖିରୁ ଧାର ଧାର ଲୁହ ବୋହୁଥାଏ I ଝିଅଟା ରକ୍ତ ଜୁଡୁବୁଡୁ ହୋଇ ପଡିଥାଏ I କାହାକୁ କିଛି କହିବାର ନଥିଲା ନା କିଛି କରିବାର ଥିଲା I କାନ ମୁଣ୍ଡ ଆଉଁସି ନିଜ ଭାଗ୍ୟ କୁ ନିନ୍ଦିବା ବ୍ୟତୀତ ଆଉ କିଛି ଚାରା ନଥିଲା I ସେମାନଙ୍କୁ ବାହାରକୁ କୁଆଡେ ଯିବାକୁ ଦିଆ ଯାଉ ନଥିଲା I ବିମଳା ଝିଅ ଟାକୁ ଗାଧୋଇ ଦେଲା I ଖାଇବାକୁ ଗଣ୍ଡେ ଦେଇ ସପ ଉପରେ ଛିଡା ଲୁଗା ଖଣ୍ଡେ ପକେଇ ଶୁଆଇ ଦେଲା I ସନ୍ଧ୍ୟା ରେ ଗୋଟେ ଗାର୍ଡ ଆସି ଔଷଧ ମେଞ୍ଚେ ଦେଇ ଠାର ରେ କହିଲା ଖାଇବାକୁ ଦେଇ ଦବୁ, ଭଲ ହେଇ ଯିବ I ବୁରୁ ଭାବି ପାରୁନଥିଲା ଆଗକୁ କ’ଣ ହବ I ମରି ଯାଇଥିଲେ ଭଲ ହେଇଥାନ୍ତା ଏ ସବୁ ଦେଖିବା ପୂର୍ବରୁ I ଛୁଆଟା ଉପରେ ଯେ ଏମାନେ ଏତେ ନିଷ୍ଠୁର ହୋଇ ପାରିବେ, କଳ୍ପନା ବାହାରେ ଥିଲା I କିଛି କରିବାର ଚାରା ନଥିଲା I କିଛି ଦିନ ପରେ ଚଣ୍ଡୀ ଥରେ ଆତ୍ମହତ୍ୟା କରିବାକୁ ପାଖରେ ଥିବା ରେଳ ଲାଇନ କୁ ଯାଇଥିଲା I ଗୋଟେ ଗାର୍ଡ ଦେଖି, ତାକୁ ଟେକି ଟେକି ନେଇ ଆସିଲା ଆଉ ଧମକ ଦେଲା କି, ଆଉ ଥରେ କଲେ, ସେ ବୁରୁ, ବିମଳା ଆଉ ପପୁ କୁ ବି ମାରି ଦବ I
ତେଲେଙ୍ଗା ଲୋକ ସବୁ ତାଙ୍କ ତାଙ୍କ ଭିତରେ କଥା ହେଲେ ବି, ସମସ୍ତଙ୍କ ଅବସ୍ଥା ଏକା ପ୍ରକାର ଥିଲା I ନାଁ ସେମାନେ ବାହାରକୁ ଯାଇ ପାରୁଥିଲେ, ନାଁ କାହା ସହ ମିଶି ପାରୁଥିଲେ I ପଇସା ମାଗିଲେ ପଡୁଥିଲା ଗୋଇଠା I ମିଣିପ, ମାଈପ, ଛୁଆ ପିଲା, ସେମାନେ କିଛି ବି ଦେଖୁ ନଥିଲେ I ରୁଲ ବାଡ଼ିରେ କଷି ଦେଇ ଯାଉଥିଲେ I ଆଖି, ନାକ, କାନ, ପିଠି, ଜାଗା ଅଜାଗା ଯେଉଁଠି ବାଜୁ I ଦିନ ଯାକର ପରିଶ୍ରମ ପରେ ମଜୁରୀ ମିଳୁଥିଲା ବିଧା ଗୋଇଠା I
ଚଣ୍ଡୀ ସହ ଦୁଷ୍କର୍ମ ପରେ ସାହସ ବଢି ଯାଇଥିଲା ସେମାନଙ୍କର I ନିଇତି କାହାର ନାଁ କାହାର ଝିଅ କିମ୍ବା ସ୍ତ୍ରୀ କୁ ଉଠେଇ କି ନେଉଥିଲେ ସେମାନେ ଆଉ ସକାଳୁ ଆଣି ଘର ଆଗରେ ଫିଙ୍ଗି ଦେଇ ଯାଉଥିଲେ I ବୁରୁ କିନ୍ତୁ ସହି ପାରୁ ନଥିଲା I କେଉଁ ବାପା ସହିବ ଯେ I ମନ ଭିତରେ ଯେତେକ ରାଗ ସବୁ ସାଇତି ରଖୁଥିଲା, ଆଉ ଦିନେ ଏସବୁର ବଦଲା ନେବ ଏହା ବି ଠିକ କରି ସାରିଥିଲା I ପ୍ରଥମେ ପ୍ରଥମେ ସକାଳୁ ଯାହା ଘରୁ କାନ୍ଦ ଶୁଭେ, ସମସ୍ତେ ଜାଣନ୍ତି ଯେ ରାତିରେ ତାଙ୍କ ଘରୁ କାହାକୁ ନେଇ କି ଯାଇଥିଲେ I ବିମଳା ପରି ଦରବୁଢ଼ୀ ବି ବାଦ ପଡିଲେ ନି ସେ ରାକ୍ଷସ ମାନଙ୍କ କବଳରୁ I
ସେଦିନ ବିମଳା କୁ ଉଠେଇ ନେଲା ବେଳେ ସହି ପରି ନଥିଲା ବୁରୁ I ଆଗରୁ ଲୁଚେଇ ରଖିଥିବା ଟାଙ୍ଗିଆଟା ଆଣି ଗାର୍ଡ କୁ ଚୋଟେ ପକେଇଲା I କିନ୍ତୁ ସେ ଘୁଞ୍ଚି ଯିବାରୁ ଚୋଟ ବାଜିଲା ତା ବୁଟ ରେ I ଗଛ ହଣା ହାତ ର ଜୋର ଏତେ ଥିଲା ଯେ ତା ପାଦର ତିନିଟା ଆଙ୍ଗୁଠି ପାଦରୁ ଅଲଗା ହୋଇ ଯାଇଥିଲା I ପିଚ ପିଚ ରକ୍ତ ବାହାରି ବୁରୁ ର ଘର ସାରା ଲାଲ ହୋଇ ଯାଇଥିଲା I ପରେ ଅବଶ୍ୟ ବୁରୁ କୁ ହିସାବ ତୁଟେଇବାକୁ ପଡିଥିଲା I ସେମାନେ ଦଶ ବାର ଜଣ ଆସି ବୁରୁ କୁ ଉଠେଇ ନେଲେ ଆଉ ଅକଥନୀୟ ଯନ୍ତ୍ରଣା ସହି ସେ ଫେରିଥିଲା ୨ ଦିନ ପରେ I ସେତେ ବେଳକୁ ତା ବାମ ହାତ ର ଚାରୋଟି ଆଙ୍ଗୁଠି ତା ହାତ ରୁ ଅଲଗା ହୋଇ ସାରିଥିଲେ I ନିତି ନିତି ଏପରି ଘଟଣା ପରେ ଦିହସୁହା ହେଇ ଗଲା ସମସ୍ତଙ୍କର I ଆଉ କାନ୍ଦ ଶୁଭେନି କାହା ଘରୁ I ସବୁଦିନ ରାତିରେ ଝିଅ ଆଉ ସ୍ତ୍ରୀଲୋକ ମାନେ, ମନେ ମନେ ପ୍ରମାଦ ଗଣନ୍ତି I କେଉଁଦିନ କାହାକୁ ନେବେ ଜଣା ନାହିଁ I କିନ୍ତୁ କିଛି କରିବାର ନଥାଏ I
ଦିନ ଆଉ ରାତି ର ହିସାବ ନଥାଏ I କେତେ ମାସ ହେଲା ସେ ଆସିଲାଣି I ଏବେ କେଉଁ ମାସ ଚାଲିଛି I ଆଜିର ତାରିଖ କେତେ I କିଛି ଦରକାର ନଥାଏ କାହାର I ଜାଣି ବା ଲାଭ କ’ଣ? ଆଗ କାଳେ, କୁଆଡେ କ୍ରୀତଦାସ ଥିଲେ ବୋଲି ବୁରୁ ଶୁଣି ଥିଲା I ଏମାନେ ବି ଗୋଟେ ଗୋଟେ କ୍ରୀତଦାସ ପାଲଟି ଯାଇଥିଲେ I ଜିଅନ୍ତା ଭୁତ କହିଲେ ଠିକ ହେବ I ନାଁ ହସ ଥିଲା ମୁହଁ ରେ, ନାଁ କାନ୍ଦି ପାରୁଥିଲେ I ଆଖିରୁ ପାଣି ଶୁଖି ଯାଇଥିଲା I ଦେହରେ ରକ୍ତ ନଥିଲା I ପେଟକୁ ଗଣ୍ଡେ ଖାଉଥିଲେ ବୋଲି ଲାଗୁଥିଲା ସେମାନେ ମଣିଷ I
ସେମାନଙ୍କ ଅତ୍ୟାଚାର ର ସୀମା ନଥାଏ I କେବେକେବେ ପୋଲିସ ମାନେ ବି ଆସନ୍ତି I ସେଦିନ ଚଣ୍ଡୀ ଆଉ ଚଣ୍ଡୀ ପରି ଛୋଟ ଝିଅ ମାନଙ୍କୁ ସେମାନେ ରାତି ରେ ନିଅନ୍ତିI ଏମାନଙ୍କୁ ଆଗୁଆ କହିଦେଇଥାନ୍ତି ଛଅ ଟା ଶୁଦ୍ଧା ରେଡି ହେବାକୁ I ଯେଉଁଠି ପୋଲିସ ମାନେ ବି ଏମାନଙ୍କ ସହ ହାତ ମିଶେଇଛନ୍ତି ସେଠି କାହାର ବା ପାଟି ଫିଟେଇବାକୁ ଯୁ ଅଛି I ଆସ୍ତେ ଆସ୍ତେ ଚଣ୍ଡୀ ସେମାନଙ୍କ ଭାଷା ଶିଖି ଯାଇଥିଲା I ବୁଝି ପାରୁଥିଲା ଆଉ କିଛି କିଛି କହି ପାରୁଥିଲା I ଚଣ୍ଡୀ ପୂର୍ବରୁ ସମସ୍ତଙ୍କୁ କହି ରଖି ଥାଏ, କାହାକୁ କିଛି ନଜଣେଇ, ଗାର୍ଡ ମାନେ ମଦ ପିଇବାରେ ବ୍ୟସ୍ତ ଥିଲା ବେଳେ ଲୁଚି ଲୁଚି ପଳେଇ ଯିବା ପାଇଁ I ପ୍ରତି ବୁଧବାର ସନ୍ଧ୍ୟା ୭.୩୦ ରେ ଗୋଟେ ଟ୍ରେନ ଯାଏ, ସେ ଟ୍ରେନ କୁ ନାଲି କନା ଦେଖେଇଲେ ସେ ରହି ଯିବ I ଜିନିଷ ପତ୍ର କିଛି ନନେଇ, ପିନ୍ଧା ଲୁଗା ଆଉ ପଇସା ପତ୍ର ନେଇ ଚାଲିଯିବ I ମୋ ପାଇଁ ଚିନ୍ତା କରିବନି I ମୁଁ ପରେ ଆସିବି I
ସେଦିନ ବି ସେମାନେ ଆସିଥିଲେ ଚଣ୍ଡୀ କୁ ନେବା ପାଇଁ I ବୁଧବାର ଥିଲା I ସନ୍ଧ୍ୟା ଛଅ ଟା ପୂର୍ବରୁ ଚଣ୍ଡୀ ବୁଲି ବୁଲି ସମସ୍ତଙ୍କୁ କହି ସାରିଥିଲା I ଗାର୍ଡ ମାନେ ଯେମିତି ନ ଜାଣିବେ ସେଥି ପାଇଁ ସମସ୍ତେ ସତର୍କ ଥିଲେ I ନିଜ ନିଜ କାମ କରୁଥିଲେ ବି ଭିତରେ ଭିତରେ ସାହସ ସଂଚୟ କରି ସାରିଥିଲେ I କିନ୍ତୁ ଆଉ ଗୋଟେ ଦୁର୍ଭାଗ୍ୟ ଅପେକ୍ଷା କରିଥିଲା ବୁରୁ କୁ I ସେମାନେ ଆସିଲା ବେଳକୁ ପପୁ, ଚଣ୍ଡୀ ର ଡ୍ରେସ ପିନ୍ଧି ଖେଳୁ ଥାଏ I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଯିବାକୁ ବସିଲେ I ବୁରୁ ର ମୁଣ୍ଡ କିଛି କାମ କରୁ ନଥିଲା I ଚଣ୍ଡୀ ତାଙ୍କ ଗାଡ଼ିରେ ବସି ସାରିଥାଏ, ପପୁକୁ ଛାଡି ଦେବାକୁ ନେହୁରା ହୋଇ କହୁଥାଏ I କିନ୍ତୁ ସେମାନେ ଛାଡିବାକୁ ନାରାଜ I ଚଣ୍ଡୀ କଣ ଭାବିଲା କେଜାଣି, ଗାଡ଼ିରୁ ଓ଼ଲ୍ଳେହି ଆସି ବିମଳା ହାତରୁ ପରିବା କଟା ଛୁରୀ ଟା ନେଇ ତା ପେଣ୍ଟ ପକେଟ ରେ ଲୁଚେଇ ଦେଲା ଆଉ ଠାର ରେ କହି ଦେଇ ଗଲା ତମେ ଚାଲି ଯିବ I ମୁଁ ପପୁ କୁ ନେଇ କି ଆସିବି I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଗଲେ I
ଗାର୍ଡ ମାନେ ସବୁ ମଦ ପିଇବାରେ ମସଗୁଲ ଥିଲା ବେଳେ, ଲୁଚି ଲୁଚି ସମସ୍ତେ ଟ୍ରେନ ଲାଇନ ପାଖକୁ ପଳେଇ ଆସିଲେ I ସେପଟୁ ଟ୍ରେନ ଆସୁଥାଏ I ତେଲେଙ୍ଗା ଲୋକ ଟେ ତା ନାଲି ସାର୍ଟ କୁ ଦେଖେଇବାରୁ ଟ୍ରେନ ରହିଲା I ସମସ୍ତେ ସେଥିରେ ବସି ପଳେଇ ଆସିଲେ I ହେଲେ ବୁରୁ ଆଉ ବିମଳା ତାଙ୍କ କଲିଜା ଦି ଟା କୁ ଛାଡି ଆସିଥିଲେ I ଆସିବାକୁ ଇଛା ନଥିଲେ ବି ଚଣ୍ଡୀ ର ତ୍ୟାଗ ଆଉ ଏ ନର୍କ ରୁ ସମସ୍ତଙ୍କୁ ରକ୍ଷା କରିବାର ପ୍ରତିଶୃତି, ସେମାନଙ୍କୁ ଆସିବାକୁ ବାଧ୍ୟ କଲା I ଟ୍ରେନ ଛାଡି ସାରିବା ପରେ, ତେଲେଙ୍ଗା ଲୋକ ମାନେ ଭଗବାନ ଙ୍କୁ ମୁଣ୍ଡିଆ ମାରିବା ପରି ବୁରୁ ଆଉ ବିମଳା ର ପାଦ ତଳେ ପଡି ଗଲେ I ଚଣ୍ଡୀ ର ତ୍ୟାଗ ପାଇଁ ଆଖିରେ ଲୁହ ଆଉ ବୁକୁ ରେ କୋହ ଧରି ତାଙ୍କ ଭାଷାରେ କଣ କଣ ସବୁ କହି ଯାଉଥାନ୍ତି ଆଉ ବାରମ୍ବାର ବୁରୁ ଆଉ ବିମଳା ର ହାତ, ଓଠ, ଗୋଡ ଧରି ମୁଣ୍ଡିଆ ମାରୁଥାନ୍ତି I ପୁଅ ଝିଅଙ୍କୁ ହରେଇ ଥିଲେ ବି ବୁରୁ ଆଉ ବିମଳାଙ୍କ ଛାତି ଫୁଲି ଉଠୁ ଥାଏ I ଭଗବାନ ଙ୍କୁ ଧନ୍ୟବାଦ ଦେଉଥାନ୍ତି ଆଉ ନିଜ ଝିଅ ବୋଲି ଗର୍ବ କରୁ ଥାନ୍ତି I ହାଇଦ୍ରାବାଦ ଷ୍ଟେସନ ରେ ପହଞ୍ଚି ସମସ୍ତେ ଅଲଗା ଅଲଗା ନିଜ ନିଜ ଗାଁ କୁ ଯିବା ପାଇଁ ପ୍ରସ୍ତୁତ ହେଲେ I ତାଙ୍କ ଭାଷା ରେ କଣ କଣ କହି କୁଣ୍ଢା କୁଣ୍ଢି ହୋଇ ବୁରୁ ଆଉ ବିମଳାଙ୍କ ପାଖରୁ ବିଦାୟ ନେଲେ I ସମସ୍ତେ ବୁଝି ପାରୁଥିଲେ ମୁକ୍ତି ରେ କେତେ ଆନନ୍ଦ ଥାଏ I ଚଢେଇ କୁ ପଞ୍ଜୁରୀ ରୁ ଛାଡି ଦେଲେ, ତାକୁ ଯେତିକି ଆନନ୍ଦ ଲାଗେ ଆଜି ତାଠୁ କାହିଁ କେତେ ଗୁଣ ରେ ଆନନ୍ଦ ଥିଲା ଏମାନଙ୍କ ମୁହଁରେ I
ଏବେ ସମସ୍ତେ ଚାଲି ଗଲା ପରେ ବୁରୁ ଆଉ ବିମଳାଙ୍କ ମୁଣ୍ଡରେ ଚିନ୍ତା ପଶିଲା I ପୁଅ ଝିଅଙ୍କୁ ନ ନେଇ ଗାଁ କୁ ଯିବେ କେମିତି I କଣ କହିବେ ଗାଁ ରେ I କ’ଣ ଜବାବ ଦେବେ ମା କୁ ଆଉ ପୁଅ ଝିଅ ଦିଟା ଙ୍କୁ I ନାଁ କହି ପାରିବେ ଝିଅ ଆଉ ବିମଳା ପ୍ରତି ଏ ଅତ୍ୟାଚାର, ନାଁ କହି ପାରିବେ ସେମାନଙ୍କ କଷ୍ଟ I ଗାଁ ରେ ଲୋକ ଯେମିତି କଥା କୁ ନଥା କରି ଛିଗୁଲେଇବେ, ଉଘେଇବେ I କଳି ତକରାଳ ହେଲେ ସାତ ପୁରୁଷ ର ଶ୍ରାଦ୍ଧ ଦେବେ I ଏତେ ସମୟ ଧରି ଚୁପ ଥିବା ବୁରୁ କିନ୍ତୁ ଆଉ ସମ୍ଭାଳି ପାରି ନଥିଲା I କାନ୍ଦିଥିଲା ମୁଣ୍ଡପିଟି, ଗଲା ଫଟାଇ I ଏତେ କଷ୍ଟ ସହିବା ପରେ ବି କେବେ ତା ଆଖି ରୁ ଲୁହ ବାହାରି ନଥିଲା I ରାଗ ରେ ସେ ସବୁ ଲୁହ ପିଇ ଯାଉଥିଲା I ରାଗ ଥିଲା ଚଣ୍ଡୀ ସହିଥିବା ଅତ୍ୟାଚାର ପାଇଁ , ରାଗ ଥିଲା ବିମଳା ର ଇଜ୍ଜତ ପାଇଁ , ରାଗ ଥିଲା ତା ବାମ ହାତର ଚାରିଟା ଆଙ୍ଗୁଠି ପାଇଁ ଆଉ ରାଗ ଥିଲା ମଜୁରୀ ପାଇଁ I କିନ୍ତୁ ଏବେ? ନାଁ ସେ ଆଉ କାହା ଉପରେ ରାଗ ଶୁଝେଇ ପାରିବ ନାଁ ଫେରିପାଇବ ଏସବୁ I ଯାହା ତ ଯାଇଥିଲା ଯାଇଥିଲା, ପୁଅ ଝିଅ ଦି ଟା ବଞ୍ଚିଥିଲେ ଯେ ଏବେ ସେମାନେ ବି ଗଲେ I ସେ ରାକ୍ଷସ ଗୁଡା ଆଉ କଣ ରଖିବେ ଚଣ୍ଡୀ ଆଉ ପପୁ କୁ? ଯେତେ ବେଳେ ଜାଣିବେ ଯେ ସବୁ ପରିବାର ଲୁଛି କି ପଳେଇ ଯାଇଛନ୍ତି I ନିଶ୍ଚୟ ମାରିଦେବେ I ବାପା ଆଉ ମା ର ଦେହ ସହୁ ନଥିଲା I କିନ୍ତୁ ଆଉ କିଛି ବି ଚାରା ନଥିଲା କାହା ପାଖରେ I
ବହୁତ ସମୟ ପରେ ଦିହେଁ ନିଶ୍ଚୟ କଲେ ଯେ ଗାଁ ରେ କହିବେ, ଝିଅ ଆଉ ପୁଅ ଦୁହେଁ ଟ୍ରେନ ରେ ଗଲା ବେଳେ ହଜି ଯାଇଛନ୍ତି I ବହୁତ ଖୋଜିଲେ ବି ମିଳିଳେନି Iସେମାନେ ଆଉ ବଞ୍ଚିଥିବାର ଆଶା ନଥିଲେ ବି କେଉଁ ବାପା,ମା ଅବା ନିଜ ପୁଅ ଝିଅର ମଲା କଥା ପାଟିରେ ଧରି ପାରିବେ I ସେମାନେ ଟ୍ରେନ ରେ ଏବେ ଗାଁ ରେ ଆସି ପହଞ୍ଚିଲେ ଆଉ ଲୋକଙ୍କ ପ୍ରଶ୍ନ ରେ ଅତିଷ୍ଠ ହୋଇ ଯାଇ ଥିଲେ I ସେପଟେ ମା ଟା ବି ସମ୍ପୁଛି କାଲିଠୁ I ଚଣ୍ଡୀ ନହେଲେ ଚଳିବ କିନ୍ତୁ ପପୁ ଦରକାର ତାକୁ I ପୁଅ ଦରକାର I କଥାରେ ଅଛି ପରା ଯେତେ ଭାଇ ସେତେ ଘର I କିନ୍ତୁ ଚଣ୍ଡୀ ଝିଅ ଟେ ହୋଇ ଯାହା କରିଛି କେଉଁ ପୁଅ ବି କରି ପାରିବନି I ବାର ଟା ପରିବାରକୁ ସାହସ ଦେଇ ସେ ରାକ୍ଷସ ମାନଙ୍କ କବଳରୁ ମୁକ୍ତି କରିବା କଣ କମ କଥା I
ଖବର କାଗଜ ଟା ତା’ ହାତ ରେ ମୋଡି ହେଇ ଯାଇଥିଲା I ସେ ଆଉ ଥରେ ଖବର କାଗଜ ଟିକୁ ଦେଖିଲା I ଚଣ୍ଡୀର ଦେହ ଟା ଦି ଖଣ୍ଡ ହୋଇ ଟ୍ରେନ ଲାଇନ ରେ ପଡିଥିଲା I ମୁହଁ ଆଉ ଦେହରେ ରକ୍ତ ର ଛିଟା ଗୁଡା ଶୁଖି କଳା ହୋଇ ଯାଇଥିଲେ ବି ନିଜ ଝିଅ କୁ ସେ ଠିକ ଚିନ୍ହି ପାରୁଥିଲା I ସକାଳୁ ସକାଳୁ ଛକ ପାଖ ବରା ଦୋକାନ ରେ କାଲି ର ପେପର ଟା ପଡିଥିଲା I ବୁରୁ ଖବର କାଗଜ ରେ ଫୋଟୋ ଦେଖୁ ଦେଖୁ ଚଣ୍ଡୀ କୁ ଚିନ୍ହି ସାରିଥିଲା I ସ୍କୁଲ ପିଲା ଟିଏ କୁ କହି ପେପର ପଢେଇଲା ସେ I ପେପର ରେ ଲେଖା ହୋଇଥିବା ଗୋଟେ ଗୋଟେ ଶବ୍ଦ ତା କାନ ପାଖରେ ଗୁଣୁ ଗୁଣେଇ ହେଉ ଥିଲେ “ଜଙ୍ଗଲ ମଝିରେ ନାବାଳିକା ର ଆତ୍ମହତ୍ୟା, ବିଶାଖାପାଟଣା ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲ ରେ ୧୪-୧୫ ବର୍ଷ ର ନାବାଳିକା ଆତ୍ମହତ୍ୟା କରିଛି I ତା ପରିଚୟ ମିଳି ପାରି ନାହିଁ I ବେଶ ଭୁଷା ରୁ ଓଡିଶା ର ଝିଅ ବୋଲି ଜଣା ପଡୁଛି”….. ଆଉ କିଛି ଶୁଭି ନଥିଲା ବୁରୁକୁ I ଚଣ୍ଡୀ ର ମଲା ଖବର ତ ପାଇଗଲା I ହେଲେ ପପୁ? କେତେ କଷ୍ଟ ଦେଇ ମାରି ନଥିବେ ଦି ଭାଇ ଭଉଣୀଙ୍କୁ I ପେପର ରେ ଚଣ୍ଡୀ ର ଫୋଟଟିକୁ ଆଉଁସି ଦେଇ ଗାମୁଛା ରେ ଆଖି ପୋଛିଲା ସେ I ତା ଜାଲୁ ଜାଲୁଆ ଆଖିରେ ପପୁ ର ମୁହଁ ଦିଶି ଯାଉଥିଲା I ପପୁ ହସି ହସି ବା’ଆ ବା’ଆ କହି ଗାଁ ମୁଣ୍ଡ ରୁ ଦୌଡ଼ି ଦୌଡ଼ି ଆସୁଥିଲା I ବୁରୁ ଆଖି ବନ୍ଦ କରି ତା ଦି ଛୁଆଙ୍କ ଆତ୍ମା କୁ ପ୍ରଣାମ ଜଣେଇଲା I
ଆଖି ଖୋଲିବା ପୂର୍ବରୁ ପପୁ ର ଡାକ ତା କାନ ରେ ପଡିଲା ଆଉ ପପୁ ଆସି ବୁରୁ ର ବେକ ରେ ଓହଳେଇ ହେଇ ପଡି ଗେଲ୍ହେଇ ହେଲା I ବୁରୁ ଭାବି ପାରୁ ନଥିଲା ସ୍ବପ୍ନ ଦେଖୁଛି ନା ସତ I ଆଖିକୁ ବିଶ୍ୱାସ ହେଉ ନଥିଲା ତା’ର I ପପୁ କୁ କୁଣ୍ଢେଇ ପକେଇ ବୋକ ପରେ ବୋକ ଦେଇ ଗଲା I ଆଉ କେହି ଦେଖିବା ପୂର୍ବରୁ ସେ ପପୁକୁ ଘର ଭିତରକୁ ନେଇ କଣ ହେଇଥିଲା ଆଉ ସେ ଏଠିକୁ ଆସିଲା କେମିତି ଜାଣିବାକୁ ଚେଷ୍ଟା କଲା I ବିମଳା ବି ଘର ଭିତରକୁ ଆସି ସାରିଥିଲା I ବିମଳା ପପୁ କୁ କୋଳ କୁ ନେଇ ସେମାନେ ପୁରା ଘଟଣା କଣ କହ… ବୋଲି ପପୁ କୁ ପଚାରିଲେ I
ପପୁ କହିଲା,”ସେଦିନ ନାନୀ ଆଉ ମୋତେ ସେମାନେ ଗାଡ଼ିରେ ବସେଇ ନେଇ ଗଲେ I ସେଠି ଆହୁରି ବି ତିନିଟା ଝିଅ ଥିଲେ I ସବୁ ନାନୀ ପରି I ମୁଁ ପୁଅ ଟା ବୋଲି ଜାଣିଲା ପରେ ମୋ ପେଣ୍ଟ ସାର୍ଟ ଖୋଲି ଦେଇ ମୋତେ ନାଚିବାକୁ କହିଲେ I ମୁଁ ଖଟ ଉପରେ ନାଚୁଥିଲି I ବନ୍ଧୁକ ଥିଲା ତାଙ୍କ ପାଖରେ I ସେମାନେ ସବୁ ମଦ ପିଉଥିଲେ ଆଉ କଥା ହଉଥିଲେ ଝିଅ ମାନଙ୍କ ସହ I ସମସ୍ତେ ଜଣେ ଜଣେ ଝିଅ ସହ ଗୋଟେ ଗୋଟେ ବଖରା ଭିତରକୁ ଗଲେ I କିଛି ସମୟ ପରେ ନାନୀ ବାହାରକୁ ଆସିଲା I ତା ହାତରେ ରକ୍ତ ଲାଗିଥିଲା I ସେ ଅନ୍ୟ ବଖରାକୁ ଯାଇ କବାଟ ବାଡେଇଲା ଆଉ ଭିତରକୁ ଗଲା I ସେ ବଖରାରୁ ବାହାରିଲା ବେଳେ ତା ହାତରେ ଆଉ ସେ ଝିଅ ହାତରେ ବି ରକ୍ତ ଲାଗିଥିଲା I ସେମାନେ ଆର ଝିଅ ଦି ଜଣଙ୍କୁ ବି ଆଣିଲେ I ମୁଁ କବାଟ ପାଖରୁ ଦେଖିଲି ସେ ଲୋକଟା ମୁହଁ ମାଡି ତଳେ ପଡିଥିଲା I ତା ବେକରୁ ପିଚ ପିଚ ହେଇ ରକ୍ତ ବାହାରୁ ଥିଲା I ଆମେ ସବୁ ଦୌଡ଼ି ଦୌଡ଼ି ଟ୍ରେନ ଲାଇନ ପାଖକୁ ଆସିଲୁ I ସେତେବେଳେ ଗୋଟେ ଟ୍ରେନ ଯାଉଥିଲା, ଯଉଥିରେ କୋଇଲା ଯାଏ I ନାନୀ ତା’ ନାଲିଆ ଓଢଣୀ ଟା ଟ୍ରେନ କୁ ଦେଖେଇଲା I ଟ୍ରେନ ରହିଲା ପରେ ଆମେ ସବୁ ସେ କୋଇଲା ଡବା ରେ ଚଢ଼ିଗଲୁ I ନାନୀ ସମସ୍ତଙ୍କୁ ଚଢେଇ ଦେଇ ନିଜେ ଚଢିଲା ବେଳକୁ ଟ୍ରେନ ଛାଡି ଦେଲା I କାଳିଆ ଗାର୍ଡ ଗୋଟେ କଉଠି ଥିଲା କେଜାଣି, ନାନୀ ଚଢିଲା ବେଳକୁ ତା ଗୋଡ କୁ ଧରି ପକେଇଲା I ନାନୀ ସେ ଟ୍ରେନ ତଳେ ପଡିଗଲା I ତା ପରେ ମୁଁ ଜାଣିନି ନାନୀ କୁଆଡେ ଗଲା I ମୁଁ ଆସିକି ଗୋଟେ ଷ୍ଟେସନ ରେ ପହଞ୍ଚିଲି I ସେ ଝିଅ ଗୁଡା ସେଠୁ କୁଆଡେ ଗଲେ ମୁଁ ଜାଣିନି Iସେଠି ଆମ ଗାଁ ନାଁ କହିବାରୁ ସେମାନେ ମୋତେ ଆଉ ଗୋଟେ ଟ୍ରେନ ରେ ବସେଇ ଦେଲେ I ମୁଁ ଆସି କି ଏଠି ଷ୍ଟେସନ ରେ ଓ଼ଲ୍ଳେହିଲି I ତା ପରେ ନିଧିଆ ବସ ରେ ଗାଁ କୁ ଆଇଲି I
ପପୁ, ଘର ବାହାରକୁ ଜେଜୀ ପାଖକୁ ଯାଉ ଯାଉ କହିଲା, “ନାନୀ ତମକୁ କହିବାକୁ କହିଥିଲା I କହିଲା, ବା’ଆ କୁ କହିବୁ ମୁଁ ସମସ୍ତଙ୍କୁ ମାରି ଦେଇଛି I ଛଅ ଜଣଙ୍କୁ ମାରିଛି ବୋଲି କହିଲା ” I ବୁରୁ ର ପ୍ରତିଶୋଧ ଚଣ୍ଡୀ ନେଇ ସାରିଥିଲା I ଚଣ୍ଡୀ ର ମଲା ଦେହ ଟାକୁ ଆଣିବାକୁ ପୁଣି ଥରେ ସେ ଜାଗାକୁ ଯିବାକୁ ବୁରୁ ସାହସ ସଞ୍ଚୟ କରି ପାରୁ ନଥିଲା I ବିମଳା ଆଉ ବୁରୁ ଆଖିରୁ ଲୁହ ବୋହୁଥାଏ I ମଣିଷ ନୁହଁ ସ୍ୱୟଂ ମା ଚଣ୍ଡୀ ଆସିଥିଲେ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ I ବୁରୁ ଆଉ ବିମଳା ସେ ଦେବୀଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲେ I
ବୁରୁ ଫେରି ଆସିଛି ବୋଲି ଖବର ପାଇବା ପର ଠାରୁ ବିଜୁ ବାବୁ ର ଦେଖା ନଥିଲା ଗାଁ ରେ …..
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
କବିତା
ପ୍ରେମ ବିବାହ
ସକାଳୁ ସକାଳୁ ମର୍ନିଙ୍ଗ ୱାକ ରୁ ଫେରି ଅଧା ଖୋଲା ଦରଜା ଦେଖି ଧର୍ମେନ୍ଦ୍ର ବାବୁ ଟିକେ ଅଟକି ଗଲେ I ଘରେ ଚୋର ପଶିଛି କି ଆଉ I ଏତେ ସକାଳୁ ତ କେହି ବି ଉଠିବେନି I ସେ ତ ତାଲା ପକେଇ ଯାଇଥିଲେ I ଏବେ ବି ଚାବି ପଇତା ରେ ଝୁଲୁଛି I ହେଲେ କବାଟ ଟା ଖୋଲା ଅଛି କଣ ପାଇଁ I ଘରେ ପଶିଲା ବେଳକୁ ବଂଶ ଯାକ ଲୋକ ଦୁଆରେ ଠୁଳ I କ’ଣ ହେଲା କାହାର, ଚିନ୍ତା ରେ ପଡିଗଲେ ସେ I ସମସ୍ତଙ୍କ ମୁହଁକୁ ଚାହୁଁଥାନ୍ତି ସେ, କିନ୍ତୁ କେହି ବି କିଛି କହୁ ନଥାନ୍ତି I ନାତି ଟୋକା ବୀର, ମୁଣ୍ଡ ତଳକୁ କରି ଠିଆ ହୋଇଥାଏ I ତା ବାପା ହାତରେ ଗୋଟେ ରୁଲ ବାଡ଼ି I ତା ମା ଉର୍ମିଳା, ଖୁଡି ସୁଶୀଳା ଆଉ ଧର୍ମେନ୍ଦ୍ର ବାବୁଙ୍କ ସ୍ତ୍ରୀ ଦମୟନ୍ତୀ ମୁହଁରେ ଲୁଗା ଦେଇ ଠିଆ ହୋଇଥାନ୍ତି I ଆଖିରୁ ଲୁହ ବୋହୁଥାଏ I ଧର୍ମେନ୍ଦ୍ର ବାବୁଙ୍କୁ ଦେଖି ବୀର ର ଟିକେ ହୋଶ ଆସିଲା I ବୀର ପାଖରେ ଗୋଟେ ଝିଅ ଠିଆ ହୋଇଥାଏ I ଧର୍ମେନ୍ଦ୍ର ବାବୁ ସେ ଝିଅ କୁ କେବେ ଦେଖି ନଥାନ୍ତି I କଥା ବୁଝୁ ବୁଝୁ ବୀର ଗୋଟେ ଝିଅ କୁ ଧରିକି ପଳେଇ ଆସିଛି I ବାପା ତାର ଠେଙ୍ଗା ଧରି ଠିଆ ହୋଇଛି I କଣ ନା ତାକୁ ଘରେ ପୂରେଇବନି I ଘର ର ପରିପାର୍ଶ୍ଵିକ ଅବସ୍ଥା ଦେଖି ଲାଗୁ ଥାଏ ଆଜି କିଛି ଗୋଟେ ହେଇ ଯିବ I
ଧର୍ମେନ୍ଦ୍ର ବାବୁଙ୍କ ବଡ ପୁଅ ରତନ, କହିଲା “ବାପା, ତମେ ବୁଝ, ଆମେ ଆଉ ପାରିବୁନି I ଆଜିକାଲି ର ଟୋକା ସବୁ କିଛି ନବୁଝି ନଶୁଝି କଣ ସବୁ କରୁଛନ୍ତି ଦେଖ I ମୁଁ ଯାଉଛି ” I ଧର୍ମେନ୍ଦ୍ର ବାବୁ କାହାକୁ କଣ କହିବେ? ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା I ବୀରକୁ କଣ କହିଲେ, ସେ ଯେମିତିଆ ପିଲା ଘର ଛାଡି ପଳେଇବ I ଏପଟେ ରତନ କାହାକୁ ବି ଘରେ ପୁରେଇବାକୁ ରାଜି ନୁହଁ I ଅଗତ୍ୟା ଅବସ୍ଥା ସମ୍ଭାଳିବାକୁ ଧର୍ମେନ୍ଦ୍ର ବାବୁ କହିଲେ , ଆରେ ପିଲା ଦି ଟା ସେତେବେଳୁ ଠିଆ ହେଇଛନ୍ତି ଆଗ ସାଷ୍ଟାମ ହବାକୁ ଦେ I ତାପରେ ବୁଝିବା କ’ଣ ହେଇଚି I ମୁଁ ବି ଏତେ ବାଟ ଚାଲି କି ଆସିଛି ମୋ ଧଇଁ ବାହାରି ଗଲାଣି I ମୋ ପାଇଁ ଆଗ ପାଣି ମୁନ୍ଦେ ଆଣିଲ I ବଡ ବୋହୁ ପାଣି ଗ୍ଲାସେ ଆଣି ଧରେଇ ଦେଲା I ସମସ୍ତଙ୍କୁ ଗହଳି ଭାଙ୍ଗିବାକୁ କହି ସେ ଚୌକି ରେ ବସି ପଡିଲେ I ସମସ୍ତେ ରାଗ ତମ ତମ ହେଇ ନିଜ ନିଜ ରୁମ ରେ ପଶିଲେ I ବୀର ଆଉ ସେ ଝିଅ ସେଇମିତି ମୁଣ୍ଡ ତଳକୁ କରି ଠିଆ ହୋଇ ଥାନ୍ତି I
ଝିଅ କୁ ପାଖକୁ ଡାକିଲେ ଧର୍ମେନ୍ଦ୍ର ବାବୁ I ପଚାରିଲେ ତୋ ନା କ’ଣ? ଝିଅଟି କହିଲା,”ସମ୍ଭାବନା I ସମ୍ଭାବନା ମହାନ୍ତି ” I ଧର୍ମେନ୍ଦ୍ର ବାବୁ ବୁଝିଗଲେ କଥା କ’ଣ I ଝିଅ ଆମ ଜାତିର ନୁହଁ I ଆଉ ଗୋଟେ ଭିତିରିଆ କଥା ବି ଅଛି I ବଡ ବୋହୂଟା ଟିକେ ଲୋଭି I ପୁଅ ବାହାଘର କରି ଯୌତୁକ ଆଣିଥାନ୍ତା କିନ୍ତୁ ଏବେ ଆଉ ସେଟା ହବନି I ସେଥିପାଇଁ ଏତେ ନାଟ I ଆଜିକାଲି ଯୌତୁକ ଜନିତ ହତ୍ୟା ଆଉ ବଧୂ ନିର୍ଯ୍ୟାତନା ର ଦୃଶ୍ୟ ସବୁ ତାଙ୍କ ଆଖି କୁ ଜଳ ଜଳ ହୋଇ ଦେଖା ଗଲା I ଫି ଦିନ ପେପର ରେ ପଢି ପଢି ଏଗୁଡା ସବୁ ତାଙ୍କର ମାନସପଟ୍ଟ ରେ ଉଙ୍କି ମାରିଲେ I ସେ କିନ୍ତୁ ଯୌତୁକର ଘୋର ବିରୋଧୀ I ଦି ଟା ପୁଅଙ୍କୁ ବାହା କରି ମଧ୍ୟ କାହାଠୁ ବି କାଣି କଉଡି ଟିଏ ସେ ଆଣି ନାହାନ୍ତି I ବଡ ବୋହୁ କିଛି ଯୌତୁକ ନ ଆଣିଥିଲେ ବି ପୁଅ ଜନ୍ମ କରିଛି ଯେତେବେଳେ ଯୌତୁକ ପ୍ରତି ଲୋଭ ତାର ଟିକେ ଅଧିକ I କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କ ମୁହଁରେ ପଶି କିଛି କହି ପାରେନି I ସାନ ପୁଅ ଯତୀନ ର ଗୋଟେ ଝିଅ, ତେଣୁ ସେମାନେ ସ୍ୱାମୀ ସ୍ତ୍ରୀ ଦି ଜଣ ଯୌତୁକ ବିରୋଧୀ I ଏପଟେ କିନ୍ତୁ ଯୌତୁକ ସହ ମାମଲା ଟା ଆଉ ଟିକେ ଅଧିକ I ଜାତି ଅଲଗା I ଲୋକେ କଣ କହିବେ ? ଭାବୁ ଭାବୁ ବୀର ଆଉ ସମ୍ଭାବନା କୁ ଭିତରକୁ ଯାଇ ଟିକେ ରେଷ୍ଟ ନେବାକୁ କହିଲେ I ସେ ଦିହେଁ ଚାଲିଗଲା ପରେ ଧର୍ମେନ୍ଦ୍ର ବାବୁ ମୁଣ୍ଡରେ ହାତ ଦେଇ ବସି ପଡିଲେ I ୫୦ ବର୍ଷ ତଳର ଅବସ୍ଥା ଯେ ପୁଣି ଆସି ପହଞ୍ଚିବ ଏକଥା ସେ ସ୍ବପ୍ନ ରେ ବି ଭାବି ନଥିଲେ I
ଗାଁ ରେ ଥିଲା ଵାଲା ଘର ତାଙ୍କର I ବାପା ହୃଦାନନ୍ଦ ମିଶ୍ର, ପାଞ୍ଚ ଲୋକ ଦେଖିଲେ ମୁଣ୍ଡିଆ ମାରନ୍ତି I କଳି ତକରାଳ ର ମୀମାଂସା ସେ କରନ୍ତି I ଗୋଟିଏ ବୋଲି ପୁଅ ଧର୍ମେନ୍ଦ୍ର ମିଶ୍ର I ପାଠ ପଢିବାକୁ ସହର ଆସିଲେ I ପଢୁ ପଢୁ ପ୍ରେମ କରି ବସିଲେ ଦମୟନ୍ତୀଙ୍କୁ I ପିଲା ବେଳ, ପ୍ରେମ କଣ ନ ଜାଣିଲେ ବି ଦମୟନ୍ତୀ କେମିତି ଭଲ ଲାଗିବାକୁ ଲାଗିଲେ I ଗୋଟିଏ କ୍ଲାସ, ସାଙ୍ଗ ହଉ ହଉ କେବେ କେମିତି ପ୍ରେମ ହେଇ ଗଲା ଜଣା ନାହିଁ I କଲେଜ ସରିଲା ବେଳକୁ କେମିତି ଗୋଟେ ଖାପ ଛଡା, ଖାପ ଛଡା ଲାଗିଲା I କହୁ କହୁ “ଆଇ ଲଭ ୟୁ” କହିଦେଲେ I କିନ୍ତୁ ତା ପରେ ଯେ ଏତେ କଥା ଘଟି ଯିବ ସେ ତାର କଳନା କରି ନଥିଲେ ସେ I
ପଢା ସାରି ଘରକୁ ଆସିବା ପରେ ବାପା ମା, ବାହାଘର ପାଇଁ ପ୍ରସ୍ତାବ ଦେଖିବାକୁଲାଗିଲେ I ଧର୍ମେନ୍ଦ୍ର ବାବୁ ସବୁ ଜାଣିଲା ପରେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁ ନଥିଲାତାଙ୍କୁ I ଦିନେ ସକାଳୁ ସକାଳୁ ସେ ଦମୟନ୍ତୀଙ୍କୁ ଧରି ଘରେ ପହଞ୍ଚି ଗଲେ ଆଉ ବାହାହେବାକୁ କହିଲେ I ସବୁ ଠିକ ଥିଲା ହେଲେ କାଳ ହେଲା ଜାତି I ଦମୟନ୍ତୀ ଥିଲେ ଖଣ୍ଡାୟତଘର ଝିଅ ଆଉ ଧର୍ମେନ୍ଦ୍ର ହେଲେ କୁଳୀନ ବ୍ରାହ୍ମଣ I ବାପା ତ ରୋକଠୋକ ମନା କରିଦେଲେ Iହୋଇ ପାରିବ ନାହିଁ I ଆରେ ଏ ପାଞ୍ଚ ଖଣ୍ଡ ଗାଁ ରେ ଲୋକ କଣ କହିବେ? ଭରଦ୍ୱାଜ ଗୋତ୍ରର କୁଳୀନ ବ୍ରାହ୍ମଣ ବାହା ହେବ ଗୋଟେ ଖଣ୍ଡାୟତ ଘରେ ? ନା କେବେ ନୁହଁ I
ସେପଟେ ଦମୟନ୍ତୀଙ୍କ ଘରେ ଜାଣିଲେ ଝିଅ ଘର ଛାଡି ଗୋଟେ ବ୍ରାହ୍ମଣ ଟୋକା ସହପଳେଇଯାଇଛି I ଆଉ କିଛି କରିବାର ନଥିଲା I ସେମାନେ ତ ଦମୟନ୍ତୀଙ୍କର ଶ୍ରାଦ୍ଧ ଦେଇଦେଲେ I ବାସ, ନା ଏ କୁଳକୁ ଯିବାର ଥିଲା ନା ସେ କୂଳକୁ I ସେଇ ଦିନୁ ଧର୍ମେନ୍ଦ୍ର ବାବୁ ଘରଛାଡି ଆସିଥିଲେ ଯେ ବାପା ମା ମଲା ପରେ ଯାଇ ଗାଁ କୁ ଗଲେ I ଶେଷରେ ଗାଁ ଲୋକ ବିବାପାଙ୍କୁ ବୁଝେଇଲେ I ଏବେ ଏସବୁ ଚଳିଲାଣି, ରାଗ ଛାଡ଼ I ଯାହା ହେଲେ ବି ଗୋଟିଏବୋଲି ପୁଅ ତମର I ଯାହା ହେଲାଣି ହେଲାଣି I ଏବେ ପୁଅ ବୋହୁଙ୍କୁ ଘରକୁ ଆଣ I କିନ୍ତୁ ନା,ତାଙ୍କର ଏକା ଜିଦ, ମୁଁ ବଂଚି ଥିଲା ଯାଏ ସେ ଖଣ୍ଡାୟତ ଘର ଝିଅ ମୋ ହାଣ୍ଡିଶାଳେ ପଶିବନି Iଗାଁ ଲୋକ ଧର୍ମେନ୍ଦ୍ର ଙ୍କୁ ବୁଝେଇ ଶୁଝେଇ ଥରେ ନେଇ କି ଗଲେ ଘରକୁ I ସାଙ୍ଗରେଦମୟନ୍ତୀ, ରତନ ଆଉ ଯତୀନ I ବାପା, ନାତି ଦି ଜଣଙ୍କୁ ଘରକୁ ନେଲେ କିନ୍ତୁ ଧର୍ମେନ୍ଦ୍ର ଆଉଦମୟନ୍ତୀ ଙ୍କୁ ବାରଣ୍ଡା ଉପରକୁ ଉଠିବାକୁ ଦେଲେନି I ସେଇଦିନୁ ରତନ ଆଉ ଯତୀନଜେଜେଙ୍କ କଥା ବୁଝୁଥିଲେ, ସେ ମଲା ଯାଏ I ମା ର କିଛି କହିବାର ନଥିଲା I ମା ଚାହୁଁଥିଲାଯେ ପୁଅ ବୋହୁ ଘରକୁ ଆସନ୍ତୁ I କିନ୍ତୁ ବାପାଙ୍କ ଡରରେ ସେ ଚୁପ I ପୁଅ କୁ ଦେଖିବାକୁ ଇଛାହେଲେ, ନାତି ଦୁଇ ଜଣକୁ ଦେଖି ମନ ବୋଧ କରୁଥିଲା I ଅଜାଣତରେ ଧର୍ମେନ୍ଦ୍ର ବାବୁଙ୍କଆଖିରୁ ଦି ଧାର ଲୁହ ବୋହି ଆସିଥିଲା I ଲୁହ ପୋଛି ଧର୍ମେନ୍ଦ୍ର ବାବୁ ଟିକେ ସହଜ ହେବାକୁଚେଷ୍ଟା କଲେ I ରତନ ଆଉ ଯତୀନ ତ ଆଜି ଯାଏ ଜାଣି ନାହାନ୍ତି ଯେ ତାଙ୍କ ମା ଖଣ୍ଡାୟତଘର ଝିଅ I ସେମାନେ ଜାଣନ୍ତି ଯେ ବାପା ଛୋଟ ବେଳେ କଣ ଗୋଟେ ଭୁଲ କରିଥିଲେବୋଲି ଜେଜେ ତାଙ୍କୁ ତ୍ୟେଜପୁତ୍ର କରିଥିଲେ I
ଆଜିର ଏ ଅବସ୍ଥାରେ ସେ କଣ କରିବେ ଭାବି ହେଉଥିଲେ I ବଡପୁଅ ରତନ,ବାପାଙ୍କ ପାଖରେ ରହି ତାଙ୍କ ଗୁଣ ସବୁ ରଖିଛି I ବଡ ଜିଦଖୋର ସେ I ହଁ ତ ହଁ , ନାହିଁ ତନାହିଁ I ଆଉ କିଛି ଭାଷା ବୁଝେନି ସେ I ଗାଁ ର ଜମି ବାଡି଼ଠୁ ଆରମ୍ଭ କରି ଚାକିରୀ ଯାଏ ସେସବୁ ବୁଝେ I ସାନ ପୁଅ ର କିଛି ନଥାଏ I ତା’ର ମାଇରେ ଯାଏ ନି କି ଗାଈରେ ଯାଏନି Iଧୋଇ ରେ ଯାଏନି କି ମରୁଡି ରେ ଯାଏନି I ଯାହା ହେଲେ ଚଳିବ I ସେ କିଛି ବି ମାନେନି Iବ୍ରାହ୍ମଣ ହେଇକି ବି ତା କାନ୍ଧରେ କେବେ ପଇତା ନଥାଏ I କହିଲେ କହିବ “ହଁ ମ,ଯେତେବେଳେ ଦରକାର ପିନ୍ଧି ଦେବିନି I ଚିନ୍ହା ବ୍ରାହ୍ମଣର ପଇତା କଣ ଦରକାର” ?
ବୀର, ବୀରଭଦ୍ର ମିଶ୍ର I ରତନ ର ପୁଅ ହେଇକି ଏମିତି କରିବ, ଏହା ତାଙ୍କ କଳ୍ପନାବାହାରେ ଥିଲା I କିନ୍ତୁ ସେ ବି ତ ହୃଦାନନ୍ଦ ମିଶ୍ରଙ୍କ ପୁଅ ହେଇକି ଠିକ ସେଇୟା ହିଁ କରିଥିଲେI ଏବେ କିନ୍ତୁ ଫଇସଲା ତାଙ୍କୁ ହିଁ କରିବାର ଅଛି I କଣ ଯେ ସେ ନିର୍ଣ୍ଣୟ ନେବେ ସେ ଭାବିପାରୁ ନଥିଲେ I
ମଣିଷ ତା ଜୀବନରେ କେବେ ନା କେବେ ଏମିତି ଏକ ଦୋଛକି ରେ ଠିଆ ହୋଇଥାଏ, ଯେଉଁଥିରେ ରାସ୍ତା ତ ଦି ଟା ଥାଏ, କିନ୍ତୁ ଚାଲିବା ପାଇଁ ବାଟ ନଥାଏ I ନା ଏପଟକୁଯାଇ ହୁଏ ନା ସେପଟକୁ ଯାଇ ହୁଏ I କାହା ସପକ୍ଷରେ ସେ ରାୟ ଦେବେ ସେ ଭାବି ପାରୁନଥିଲେ I ରତନ ତ ରାଗ ତମ ତମ ହେଇ ଅଫିସ ବାହାରି ଗଲା I ସାନ ପୁଅ କେତେବେଳୁଅଫିସ ଚାଲି ଗଲାଣି I ଘରେ ଆଜି ଜଳଖିଆ ତିଆରି ବି ହେଇନି I ତାଙ୍କୁ ଭୋକ ଲାଗୁଥିଲାହେଲେ କାହାକୁ କିଛି କହିବା ଅବସ୍ଥାରେ ନଥିଲେ I ଦମୟନ୍ତୀ ଛତୁଆ ଟିକେ ଗୋଳେଇଧର୍ମେନ୍ଦ୍ର ବାବୁଙ୍କ ପାଖରେ ଆସି ବସିଲେ I କହିଲେ ଖାଇଦିଅ କଣ ଟିକେ I ବୁଢା ବୁଢୀ ଦିଜଣ କାହାକୁ କିଛି ନ କହିଲେ ବି ବୁଝି ପାରୁଥିଲେ ଅବସ୍ଥା କଣ ଆଉ କଣ ହେବାକୁ ଯାଉଛି Iବାହା ହେଲା ପରେ ଦମୟନ୍ତୀ ଆଜି ଯାଏ ତାଙ୍କ ବାପ ଘରକୁ ଯାଇ ନାହାନ୍ତି I ଏପଟେ ବାପାମାଙ୍କ ସ୍ନେହ ବି ପାଇଲେନି ନା ପାଇଲେ ଶାଶୁ ଶ୍ଵଶୁରଙ୍କ ସ୍ନେହ I ଆଖି ଓଦା ହେଇ ଆସୁଥାଏତାଙ୍କର I ଖାଲି ଏତିକି କହିଲେ ଛୁଆ ଦିଟାକୁ ଆମ ସ୍ନେହ ରୁ ବଞ୍ଚିତ କରନି I ଧର୍ମେନ୍ଦ୍ର ବାବୁବୁଝି ପାରୁଥିଲେ କେତେ ଯେ ଯନ୍ତ୍ରଣା ଲୁଚି ରହିଛି ଏଇ କଥା ପଦକରେ I ଏବେ ସେ ନିର୍ଣ୍ଣୟନେଇ ସାରିଥିଲେ ଖାଲି ଅପେକ୍ଷା ଥିଲା ସନ୍ଧ୍ୟା ସମୟକୁ I
ସନ୍ଧ୍ୟା ରେ ବଡପୁଅ, ବୋହୁ, ସାନପୁଅ, ବୋହୁ, ଦମୟନ୍ତୀ, ଯତୀନ ଝିଅ ମାଳା,ସମସ୍ତେ ଆସି ଧର୍ମେନ୍ଦ୍ର ବାବୁଙ୍କ ପାଖରେ ପହଁଚିଲେ I ଧର୍ମେନ୍ଦ୍ର ବାବୁ ଆଗରୁ ବୀର ଆଉସମ୍ଭାବନା କୁ ଡାକି ପାଖରେ ବସେଇଥାନ୍ତି I ସମସ୍ତେ ଆସିଲା ପରେ ଧର୍ମେନ୍ଦ୍ରବାବୁ ଆରମ୍ଭକଲେ, “ମୁଁ ଜାଣିଚି ତମେ ମାନେ ସମସ୍ତେ ମୋତେ ମାନ I ମୁଁ ଯାହା କହିବି ମନ ଦେଇ ଶୁଣ Iଆଉ ମୁଁ ଯାହା ନିର୍ଣ୍ଣୟ ନେଇଛି ସେଇଟା ଫାଇନାଲ I ତା ଉପରେ ମୁଁ କାହା କଥା ବି ଶୁଣିବିନିI ମୋର ନିର୍ଣ୍ଣୟ ହେଲା କାଲି ସକାଳୁ ଆମେ ଝିଅ ଘରକୁ ପ୍ରସ୍ତାବ ନେଇ କି ଯିବା ଆଉବାହାଘର ଠିକ କରି କି ଆସିବା I ଏଇ ମାସ ରେ ଦି ଜଣଙ୍କ ବାହାଘର ହେବ I “
ରତନ– କିନ୍ତୁ ବାପା..
ସେ ଆଉ କିଛି କହିବା ପୂର୍ବରୁ ଧର୍ମେନ୍ଦ୍ର ବାବୁ ତାକୁ ଅଟକାଇ ଦେଲେ ଓ କହିଲେ, “ଆଗ ତୋମା ଆଉ ମୋତେ ଘରୁ ବାହାର କରି ଦେ I କାରଣ ତୋ ମା ଖଣ୍ଡାୟତ ଘର ଝିଅ I ବ୍ରାହ୍ମଣନୁହଁ I ତୋ ଜେଜେ ବି ସେଇଥିପାଇଁ ମୋତେ ତ୍ୟେଜପୁତ୍ର କରିଥିଲେ ଆଉ ଏବେ ଯାଏଆମେ ବାପା ମାଙ୍କ ସ୍ନେହ ପାଇଁ ଝୁରି ହେଉଛୁ I ତମେ ମାନେ ଆଜି ଯାଏ ମାମୁଁ ଘର କଣଜାଣିନ କାରଣ ତୋ ମା ର ଶ୍ରାଦ୍ଧ ସେମାନେ ଦେଇ ସାରିଛନ୍ତି I ମୋ ବାପା, ମଲା ଯାଏ ବିଆମ ଦି ଜଣଙ୍କୁ କ୍ଷମା କରି ନଥିଲେ ଆଉ ଘରେ ପୁରେଇ ଦେଉ ନଥିଲେ I ଆରେ ତୋ ମାଯଦି ଖଣ୍ଡାୟତ, ତା ଔରସ ରୁ ଜନ୍ମ ନେଇ ତମେ ଦି ଜଣ କେମିତି ବ୍ରାହ୍ମଣ ହେଲ? ଆଜି କାଲିବେଳ କାଳ ଯାହା ହେଲାଣି ପୁଅ ମାନେ ପୁଅ ମାନଙ୍କୁ ଆଉ ଝିଅ ମାନେ ଝିଅ ମାନଙ୍କୁ ବାହାହେଇ ରହୁଛନ୍ତି I ବୀର ତ ଗୋଟେ ଝିଅକୁ ନେଇ କି ଆସିଛି I ସେ ପୁଣି ଅଛୁଆଁ ଜାତି ନୁହଁଛୁଆଁ ଜାତିରୁ I “
ସମସ୍ତେ ହାଁ କରି ଧର୍ମେନ୍ଦ୍ର ବାବୁ ଆଉ ଦମୟନ୍ତୀଙ୍କୁ ଦେଖୁଥିଲେ I ବୀର ଆଉସମ୍ଭାବନା ଧର୍ମେନ୍ଦ୍ର ବାବୁଙ୍କ ଗୋଡ ତଳେ ପଡିଗଲେ I ଧର୍ମେନ୍ଦ୍ର ବାବୁ ଦୁଇ ଜଣଙ୍କୁ କୋଳେଇନେଉ ନେଉ କହିଲେ I କାଲି ସକାଳୁ ରେଡି ହେଇଯିବ I ଝିଅ କୁ ଝିଅଘରକୁ ନେଇ କିଯିବାର ଅଛି I
ଧର୍ମେନ୍ଦ୍ର ବାବୁଙ୍କ ନିଷ୍ପତି ଶୁଣି ଦମୟନ୍ତୀଙ୍କ ମୁହଁରେ ଧାରେ ହସ ଲାଖି ରହିଥିଲା I
—————————-XXX—————————-
ବି.ଦ୍ର. –ଏହି ଦୁଇଟି ଗପ ମଧ୍ୟରେ କୌଣସି ସମ୍ପର୍କ ନାହିଁ I
ବୋର୍ଡିଙ୍ଗ ସ୍କୁଲ
ଲିଟୁ ର ବାପା ଆଉ ମା ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଲିଟୁ ପାଇଁ କାହାର ବି ସମୟ ନଥାଏ I ଲିଟୁ, ୧ ବର୍ଷ ରୁ ଆୟା ପାଖରେ ରହେ I ତା ପାଖରେ ଖାଏ, ଶୁଏ, ଗପ ଶୁଣେ, କାନ୍ଦେ, ବୋବାଏ, ତାକୁ ମାରେ, ତାଠୁ ମାଡ ବି ଖାଏ, ପୁଣି କାନ୍ଦେ, ପୁଣି ମାଡ ଖାଏ ଆଉ କାନ୍ଦି କାନ୍ଦି ଶୋଇପଡେ I ଉଠିଲା ବେଳକୁ ଭୁଲି ଯାଇଥାଏ ମାଡ କଥା I ଭୋକ ଲାଗିଲେ ଖାଇବାକୁ ମାଗେ I ଖାଇ ସାରି ଖେଳନା ଧରିକି ଖେଳେ I ଆୟା ସହ ଗୁଲୂରୁ ଗୁଲୂରୁ ହୁଏ I କିଏ ଶୁଣୁ ନଶୁଣୁ ନିଜେ ନିଜେ କଥା ହୁଏ I ରାତି ୯ ଟା ରେ ବାପା ଆଉ ମା ଆସନ୍ତି I ତାଙ୍କ ଭିତରେ କଣ ସବୁ କଥା ହୁଅନ୍ତି I ଲିଟୁ କୁ ଟିକେ କୋଳ କରି ଗେଲ୍ହେଇ ହୁଅନ୍ତି ଆଉ ପୁଣି ନିଜ ନିଜ ଲାପଟପ ଆଉ ମୋବାଇଲ ଧରି ଟି.ଭି. ଦେଖନ୍ତି ନହେଲେ ଅଫିସ କାମ କରନ୍ତି I ଲିଟୁ କୁ ଏବେ ୫ ବର୍ଷ I ବାପା ଆଉ ମା କଥା ହେଉଥିଲେ ତାକୁ ବୋର୍ଡିଙ୍ଗ ସ୍କୁଲ ରେ ଛାଡି ଦେବାପାଇଁ I ଏଠି ତାଙ୍କୁ ଟାଇମ ନାହିଁ ଲିଟୁ କଥା ବୁଝିବାକୁ I ଦି ଜଣ ଯାକ ତ ଅଫିସ ଯିବେ, କାମ କରିବେ I ଆଜିକାଲି ତ ଦି ଜଣଙ୍କ ଦରମା ନହେଲେ ଚଳି ହବନି I ଗାଡି, ଘର, ବାଙ୍କ ବାଲାନ୍ସ, AC କାର, ଡୁପ୍ଲେକ୍ସ ସେଣ୍ଟ୍ରାଲ ଏ.ସି. ଘର, ଡବଲ କାର, ଦାମୀ ମୋବାଇଲ, ଦାମୀ ଲାପଟପ, ବ୍ରାଣ୍ଡେଡ ଡ୍ରେସ, ଏ ସବୁ ପାଇଁ ତ ପଇସା ଦରକାର ନା ? ପିଲା କଥା ବୁଝିଲେ ଏ ସବୁ କରି ହବନି I ତା ପାଇଁ କଣ ଆମେ ଆମ କ୍ୟାରିଅର ନଷ୍ଟ କରିବୁ ? ସେ ତ ବୋର୍ଡିଙ୍ଗ ସ୍କୁଲ ରେ ରହି ପାରିବ I ଛୋଟ ବେଳୁ ନିଜ କଥା ନିଜେ ବୁଝିବା ଦରକାର I ନହେଲେ ବଡ ହେଲେ କଣ କରିବ ? ସବୁ ପିଲା ତ ପୁଣି ସେଠି ରହୁଛନ୍ତି I ଭଲ ଖାଇବା, ଭଲ ଟିଚର, ସେଣ୍ଟ୍ରାଲ ଏ.ସି. ସ୍କୁଲ, ଆଟାଚ ହଷ୍ଟେଲ ଆଉ କଣ ଦରକାର I ଏଠି ଆୟା କୁ ପଇସା ଦେବାକୁ ପଡୁଛି I ଲିଟୁ କୁ ସ୍କୁଲ ଛାଡିବା ଆଉ ଆଣିବା ଅସୁବିଧା I ସେ ଆସିଲା ବେଳକୁ ଘରେ କେହି ନଥିବେ I ଚାକର ବାକରଙ୍କୁ ବିଶ୍ୱାସ ନାହିଁ I ଚୋରି ଡକାୟତି ର ଭୟ I ଭଲ ହେଲା ସେ ଯଦି ବୋର୍ଡିଙ୍ଗ ସ୍କୁଲ ରେ ରହିବ I ଲିଟୁ ୫ ବର୍ଷ ବୟସ ରୁ ବୋର୍ଡିଙ୍ଗ ସ୍କୁଲ କୁ ଚାଲିଗଲା I
ଵୃଦ୍ଧାଶ୍ରମ
ଲିଟୁ ଆଉ ତା ସ୍ତ୍ରୀ ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଆସିବାର ଠିକ ଠିକଣା ନଥାଏ I ଘରେ ବାପା ମା ଦି ଜଣ I ବୟସ ହେଇ ଗଲାଣି I ଏବେ ଆଉ ଉଠି ବସି ପାରୁ ନାହାନ୍ତି I ବାହାରକୁ ଗଲେ ସାଙ୍ଗରେ ଯିବାକୁ ପଡେ I ଏକ ଦୁଇ ବେଳେ ବେଳେ ଲୁଗାପଟା ରେ ହେଇ ଯାଏ I ସବୁବେଳେ ତାଙ୍କୁ ଜଣେ ଲୋକ ଦରକାର କଥା ହେବାକୁ I ଆଜିକାଲି ଦିନରେ ଟାଇମ କାଇଁ କାହାକୁ ? ନିଜକୁ ତ ମରିବାକୁ ଫୁରସତ ନାହିଁ, ଏମାନଙ୍କ କଥା କିଏ ବୁଝିବ ? ଚାକର ରଖିଲେ ତାକୁ ଗାଳି କରିବେ ଯେ ସେ ଦି ଦିନରେ ଛାଡି କି ପଳେଇବ I ଅଫିସ ରୁ ଆସି ଦଣ୍ଡେ ବସିଥିବ କି ନାହିଁ ପୁଣି କାଲି ପାଇଁ ପ୍ରିପାର ହେବାକୁ ପଡିବ I ତା’ ପରେ ଆଜିକାଲି ଜିନିଷ ଯାହା ମହଙ୍ଗା ହେଲାଣି ଦି ଜଣଙ୍କ ଦରମା ନହେଲେ ନଚଳେ I ଦର ଦାମ ତ ହୁ ହୁ ହେଇ ବଢୁଛି I ସେଥିରେ ପୁଣି ଛୁଆ ପାଇଁ ପ୍ଲାନିଂ କଲେ ତା ଖର୍ଚ I ବୁଢା ବୁଢ଼ୀଙ୍କ ପାଇଁ ତ ଆଉ ଚାକିରୀ ଛାଡି ହବନି I ପୁଣି ଏମାନେ ଏକା ରହିଲେ, ଆଜିକାଲି ଯାହା ହେଲାଣି, କେଉଁଠି ବୁଢା ବୁଢୀଙ୍କୁ ମାରି ସୁନା ଗହଣା ଲୁଟ ତ କେଉଁଠି ଡକାୟତି I ଭଲ ହବ ଯଦି ଏମାନଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଦିଆ ଯାଏ I ସେଠି ସମବୟସର ସାଥି, ଭଲ ଖାଇବା, କାମ କରିବାକୁ ନର୍ସ, ଡାକ୍ତର, ଏ.ସି. ରୁମ ସବୁ ତ ଅଛି I ମାସକୁ ମାସ ପଇସା ଦେଲେ ସବୁ ମିଳିଯିବ I ବୁଢା ବୁଢ଼ୀ ଦି ଜଣଙ୍କୁ ଵୃଦ୍ଧାଶ୍ରମ କୁ ପଠେଇ ଦିଆ ଗଲା I
——————–xxx——————–
ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟ ରୁ ନ ଜାଣିଲା, ସେ କଣ ପାଇଁ ବୁଢା ବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ I ସେଇ ପିଲା ଯଦି ବାପା ମାଙ୍କ ସ୍ନେହ ଶ୍ରଦ୍ଧା ପାଇ କି ବଢ଼ିଲା ତେବେ ଯାଇ ତାର ଆକର୍ଷଣ ରହିବ I ଛୋଟ ବେଳେ ସେ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ହେଲେ, ସେ କଣ ଶିଖିଵ, କଣ ଜାଣିବ, କଣ ବୁଝିବ, ଗୋଟେ ମନ ର କଥା ? ଛୋଟ ବେଳେ ତା ମନ କଥା କିଏ ବୁଝିଥିଲା ? ସେ ବି ତ ଚାହୁଁ ଥିଲା, ବାପା ମା ତ ସହ ଖେଳନ୍ତୁ, ବୁଲନ୍ତୁ, ତାକୁ ସମୟ ଦିଅନ୍ତୁ, ଗେଲ କରନ୍ତୁ I ସେ କଣ ପାଇଥିଲା ସେ ସବୁ ? ନା I
ଆଗରୁ ଗାଁ ରେ ଯୌଥ ପରିବାର ରହୁଥିଲେ, ବାପା, ମା, ବଡ ବାପା, ବଡ ମା, ଜେଜେବାପା, ଜେଜେ ମା, କାକା, ଖୁଡି, ଆଉ ତା ଭାଇ ଭଉଣୀ ମାନେ I କେତେ ଭଲ ଲାଗୁଥିଲା I ଜେଜେଙ୍କ କଥା ମାନି ସମସ୍ତେ ଭଲ ରେ ଥିଲେ I ନା ଥିଲା ପାତର ଅନ୍ତର, ନା କମ ବେଶୀ ର ଭୟ I ସମସ୍ତେ ସମାନ ଖାଇବେ, ରୋଷେଇ ଏକାଠି ହବ, ଏକା ସାଙ୍ଗରେ ମିଳିମିଶି ଖାଇବେ, ପଢିବେ, ସ୍କୁଲ ଯିବେ I ସ୍ତ୍ରୀ ଲୋକ ମାନେ ବାସନ ମଜା, ଘର ଓଳା, ରୋଷେଇ ଠୁ ପିଲାଙ୍କ କଥା ସବୁ ବୁଝୁ ଥିଲେ I କିଏ କଣ କାମ କରିବ ସେ ସବୁ ଜେଜେମା ବୁଝୁ ଥିଲା I ସେଠି ନା ଥିଲା ତୋ ପୁଅ, ମୋ ପୁଅ ର ବାଛ ବିଚାର ନା ଥିଲା ହିଂସା, ଛିଡା ଅବା ପ୍ରତିବାଦ ର ସ୍ୱର I ବୁଢା ବୁଢ଼ୀ ମାନେ ବୋହୁ ପରଷIଖାଇ, ନାତି ନାତୁଣୀଙ୍କ ସହ ଖେଳି, ବୁଲି ଭଲ ରେ ଥିଲେ I ଛୁଆମାନେ ବି ଜେଜେ, ଜେଜୀ ବୋଲି ପାଣି ପିଉ ନଥିଲେ I ନା ଥିଲା ଏକେଲା ପଣ ର ଦୁଃଖ, ନା ଥିଲା ଚୋରି ଡକାୟତି ର ଭୟ I ଛୁଆ ମାନେ ଦୁଷ୍ଟ ହେଲେ ମା ମାନେ ଗାଳି କରନ୍ତି, ବାଡ଼ାନ୍ତି I ସେତେବେଳେ ଆସି ଜେଜେ ଆଉ ବଡବାପା ଙ୍କ ପାଖରେ ଚୁପ ଚାପ ବସି ଯାଅ I ମା, ନା ଶଶୁରଙ୍କ ଆଗକୁ ଆସିବ ନା ଦେଢ଼ଶୂରଙ୍କ ଆଗକୁ I ବାସ, ବଞ୍ଚିଗଲା ମଣିଷ I ସେ ମଜା ଯିଏ ପାଇଛି, ସେ ହିଁ ଜାଣିଛି I
ଭାଇମାନେ ବେଳୁ ସାବଧାନ, ସୁଧୁରିବା ଲୋକ ସୁଧୁରି ଯାନ୍ତୁ I
ଉପର ବରଡା ଖସୁଛି, ତଳ ବରଡା ହସୁଛି, ମଝି ବରଡା ଥାଇ କହୁଛି, ମୋ ଦିନ କାଳ ଆସୁଛି I
—X—
ଗପ ର ଅଗ ଆଉ ମୁଳ…
ମୁଁ ଆପଣକୁ ଗୋଟେ ଗପ କହୁଚି …ଯାହାର ୪ ଟା ଭାଗ..
ଭାଗ-୧:- ବାପା ମା ଗାଡି ରେ ଯାଉଛନ୍ତି I ତେଲ ସରିଗଲା I
ମା : ଏବେ କଣ କରିବା ? କେମିତି ଯିବା ?
ବାପା ଗୋଟେ ଯୋରଦାର୍ ଚାପୁଡା ମାରିଲା ଆଉ କହିଲା : ଗାଡି ମୁଁ ଚଳଉଚି ନାତମେ?
.
.
.
.
ଭାଗ-2 :- ମା ରୋଟୀ ତିଆରି କରୁଚି I ପିଲାମାନେ ଖାଉ ଖାଉ ସବୁ ରୋଟୀ ଖାଇଦେଲେ I
ବାପା : ଏବେ ଅମେ କଣ ଖାଇବା ?
ମା ର ମନେ ପଡିଗଲା ..ସେ ଗୋଟେ ଯୋରଦାର୍ ଚାପୁଡା ମାରିଲା ଆଉ କହିଲା :ରୋଟୀ ମୁଁ ତିଆରି କରୁଚି ନା ତମେ ?
.
.
ଆଉ ତା ପରେ …
.
.
ଭାଗ-୪ :- ବାପା , ମା ଦି ଜଣ ଯାକ ବଗିଚା ରେ କାମ କରୁଛନ୍ତି ,ପୁଅ କାଂଦିଲା I
ଦୁଇ ଜଣ ଯାକ ଉଠିକି ପୁଅ ପାଖକୁ ଧାଇଁଲେ…
ଗପ ଶେଷ .. ଧନ୍ୟବାଦ୍
କେବେ ବି ପଚାରିବନି ଭାଗ :-୩ କୁଆଡେ ଗଲା?.. ନହେଲେ ଗୋଟେ ଢୋ କରିଚାପୁଡା ଖାଇବ ଆଉ ତା ପରେ ମୁଁ କହିବି : ଗପ ମୁଁ କହୁଚି ନା ତମେ ? ହା ହା ହା …
ଶେଷ ନଥିବା ଗପ
ଏହା ମୋ ନିଜ କଥା ଓ ଗୋଟିଏ ସତ ଘଟଣା . ..
ମୋ ଅଜା ମୋତେ କେବେ ବି ଗପ କହି ନାହାନ୍ତି I … କେବଳ ଗୋଟିଏ କୁ ଛାଡି I..
ଦିନେ ମୁଁ ତାଂକୁ ବହୁତ ବାଧ୍ୟ କରିବା ପରେ ସେ ରାଜି ହେଲେ, ଓ କହିଲେ : .ମୁଁଗୋଟେ ଗପ କହିବି ଯେଉଁଟା କେବେ ବି ସରିବନି ..
ମୁଁ ଭାବିଲି …ବହୁତ ବଢିଆ..
ସେ ଆରମ୍ଭ କଲେ ..
ଗୋଟେ ରାଜ୍ୟ ଥିଲା I ରାଜ୍ୟ ରେ ବହୁତ୍ ଦିନ ହେଲା ମରୁଡି ପଡୁଥିଲା I ଲୋକ ମାନେ ଖାଇବାକୁ କି ପାଣି ମୁନ୍ଦେ ପି ବାକୁ ପାଉ ନଥିଲେ I
ଦିନେ ସେ ରାଜ୍ୟ କୁ ଗୋଟେ କାଉ ଉଡି ଉଡି ଆସିଲା I ସେ ରାଜ୍ୟବାସିଂକ ଅବସ୍ତା ଦେଖିଲା I ତାକୁ ବହୁତ ଦୁଖ ଲାଗିଲା I ସେ ଚିନ୍ତା କଲା କଣ କରା ଯାଇ ପାରିବ ?
ସମସ୍ତେ କହନ୍ତି କାଉ ବୁଧିଆ I ..ସେ ଭାବିଲା ମୋତେ କିଛି ଗୋଟେ କରିବାକୁ ପଡିବ ..
କିଛି ସମୟ ଚିନ୍ତା କଲା ପରେ ,ସେ ତା କାମ ଆରମ୍ଭ କଲା ..
ସେ ଉଡି ଉଡି ପାଖ ରାଜ୍ୟ କୁ ଗଲା ଆଉ ଥନ୍ତରେ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା I
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ଆଉ ପାଣି ଆଣି ପୋଖରି ରେ ପକେଇଲା ..
ଏତିକି କହି ,ଅଜା ଶୋଇ ପଡିଲେ !!!….
ମୁଁ ତାଂକୁ ଉଠେଇ କି ପଚାରିଲି …ଅଜା ତା ପରେ କଣ ହେଲା ??
ସେ କହିଲେ :: କିଛିଦିନ ଅପେକ୍ଷା କର I …ପୋଖରି ରେ ପାଣି ପୁରି ଗଲେ କହିବୁ …ତା ପରେ ମୁଁ ପୁଣି କହିବି …
.
.
.
.
ମୁଁ ଏବେ ଯାଏ ବି ଅପେକ୍ଷା କରିଚି ସେ ପୋଖରି କେବେ ପୁରିଯିବ I …ଯଉ ରାଜ୍ୟ ରେ ବହୁତ୍ ବର୍ଷ ହେଲା ମରୁଡି ପଡିଚି ସେଠି ସେ କାଉ , ତା ଥନ୍ତରେ ରେ କେତେ ପାଣି ଆଣିବ ଯେ ପୋଖରୀ ପୁର୍ଣ କରିବ??
ସେ ମୋତେ ଏଇ ଗପ କହି ଥିଲେ ଯେତେ ବେଳେ ମୁଁ ମାତ୍ର ୬ ବର୍ଷ ର ଥିଲି I ..ଏବେ ମୋତେ ୩୧+ ..
କିଛି ଦିନ ପୁର୍ବରୁ ତାଂକୁ ପଚାରିଥିଲି : ଅଜା ..ତା ପରେ କଣ ହେଲା ?
ଅଜା କହିଲେ : ପୋଖରୀ ପୁରା ହେଇ ଗଲାଣି ??
ମୁଁ ତାଂକୁ କିଛି ସମୟ ଚାହିଁଲି ଆଉ କହିଲି : ନାଁ ..ହେଇନି ..
ଅଜା କହିଲେ : ଯେବେ ପୁରା ହବ ମୋତେ କହିବୁ ..
ମୁଁ କହିଲି : ହଉ ..
ପାଠକ ମାନନ୍କୁ ମୁଁ ଜଣେଇ ଦେବା ପାଇଁ ଚାହେଁ ଯେ …ମୋ ଅଜାଙ୍କୁ ଏବେ 92 ବର୍ଷ ଆଉ ବୁଢା ଯୋଗୁଁ ତାଙ୍କର କିଛି ମନେ ରହୁନି ..ଏପରିକି ମୁଁ ,ମୋ ଭାଇ, ମା ,ଘରଲୋକ ,ଆଇ ,ବନ୍ଧୁବାନ୍ଧବ କାହାକୁ ବି ଚିନ୍ହି ପାରୁନାହାନ୍ତି ..
ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କେମିତି ତାଙ୍କର ସେ ଗପ ଆଜି ଯାଏ ମନେ ଅଛି ??
ହଁ …ଏଇଟା ଭଲ ପାଇବା ..ମୁଁ ବି ମନେ ରଖିଚି ମୋ ପିଲାବେଳୁ ..
ବେଳେ ବେଳେ ଭାବେ ତାଂକୁ କହିଦେବି ..ଅଜା ପୋଖରି ପୁରି ଗଲା …
କିନ୍ତୁ ନା ..କେବେ ବି କହି ପାରିନି …କାରଣ ସେ ବି ଅପେକ୍ଷା କରିଛନ୍ତି ..
.
.
.
ଗୋଟେ ଦିନ ମୁଁ ମୋ ଆଇଙ୍କୁ ଏକଥା କହିଲି ..ସେ କହିଲେ ହଁ ..ଯେତେବେଳେ ତୋ ଅଜା ଛୋଟ ଥିଲେ ତାଂକ ଜେଜେବାପା ତାଂକୁ ଏଇ କାହାଣୀ କହିଥିଲେ..ଆଉ ସେ ଆଜି ଯାଏ ଅପେକ୍ଷା କାରିଛନ୍ତି ..କେବେ ପୋଖରି ପୁରା ହେବ ..
.
.
.
.
.
ଆଉ ଏବେ ମୁଁ ଭାବୁଚି ମୁଁ ବି ମୋ ନାତି କୁ ଏଇ ଗପ କହିବି …ଆଉ…ବୋଧହୁଏ ଏହି ଧାରା ଚାଲୁ ରହିବ…
—X—
ଶୁକୁରୀ ଦେଇ
ଶୁକୁରୀଦେଇ ଚାଲିଗଲା I ସେ ଥିଲା ଆମ ସାହି ର ମୁରବୀ I ସେ ଗୋଟେ ଗାଁ ରଗୋଟେ ଗରିବ ପରିବIର ରୁ ଆସିଥିଲା I ବାପା ଚାଲିଗଲା ପରେ ମା’ର ସେ ଥିଲା ସାହସI ସେ ପାଠ ପଢି ଥିଲା ଆଉ ଗୋଟେ ଟାଇପିଂଗ୍ ସେନଟର୍ ରେ ଟାଇପିସ୍ଟ୍ ଥିଲା I ମାତାକୁ ଗୋଟେ ଭଲ ଘର ଦେଖି ବାହା ଦେଇଥିଲେ I କିନ୍ତୁ କିଛି ଦିନ ପରେ ଜଣା ପଡିଲାଯେ ତା ସ୍ବାମୀ ଗୋଟେ ନିକମା I କିଛି କାମ କରେ ନାହିଁ ,ସବୁବେଳେ ମଦ ପି ବୁଲୁଥାଏ Iଘରେ ସବୁବେଳେ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ଶାଶୁ ଶ୍ବଶୁର ଭାବି ଥିଲେ ,ବାହାକରିଦେଲେ ଭଲ ହୋଇ ଯିବ I କିନ୍ତୁ ନାଁ , ଯେଉଁଟା କୁ ସେଇଟା , କିଛି ବି ବଦଳିଲା ନାହିଁ Iତାକୁ ବାହା ହେଲା ପରେ ଗୋଟେ ଝିଅ ର ଜୀବନ ଯେ ନସ୍ଟ ହୋଇଯିବ ଏକଥାଶାଶୁ,ଶ୍ବଶୁର ସେତେବେଳେ ଭାବି ନଥିଲେ I
କିଛିଦିନ ଶାଶୁ ଘରେ କାଟିବା ପରେ ଶୁକୁରୀ ଦେଇ ବାହାରକୁ ଗୋଡ କାଢିଲା ଆଉତା ଚାକିରୀ ରେ ଯୋଗ ଦେଲା I ସେ କଟକ ର ଗୋଟେ ଅଫିସ୍ ରେ ଟାଇପିସ୍ଟ୍ ଥିଲା Iତା ସ୍ବାମୀ ସେଠାକୁ ମଝିରେ ମଝିରେ ଯାଇ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ମାସ ଆରମ୍ଭରେ ତା ଠାରୁ ସବୁ ପଇସI ନେଇଯାଏ ଆଉ ଦେଖା ଦିଏ ନାହିଁ I କିଛିଦିନ ପରେ ଶୁକୁରୀ ଦେଇ ତା ଅତ୍ୟାଚାର ରେ ଅତିସ୍ଠ ହୋଇ ଉଠିଲା ଆଉ ତାକୁ ଛାଡି ଦେବାର ନିସ୍ପତି ନେଲାI ଗୋଟେ ଦିନ କାହାକୁ କିଛି ନକହି, ସେ ଚାକିରୀ ଛାଡି ଅନ୍ୟ ଜାଗା କୁ ପଳାଇ ଗଲା Iଏବେ ସେ ଏକାଥିଲା ଆଉ ଗୋଟେ ଚାକିରୀ ଖୋଜୁଥିଲା I ତା ପାଖରେ ପଇସା ସବୁ ସରିସରି ଆସୁଥାଏ I କାହା ସହ ବି ତା’ର ସମ୍ପର୍କ ନଥାଏ I କ’ଣ କରିବ ତାକୁ ବୁଦ୍ଧି ବାଟ ଦେଖାଯାଉ ନଥାଏ I ଏମିତି ଦିନେ interview ଦେଇ ସାରି , ଭାବି ଭାବି ସେ ବସା କୁଫେରୁଥାଏ , କଣ ଗୋଟେ ମାଡ ରେ ସେ ଛିଟିକି ପଡିଲା I ଉଠିକି ଦେଖିଲା ,ଗୋଟେଲୁନା ତାକୁ ଧକ୍କା ଦେଇଛି I ଲୁନା ର ଚାଳକ ବି କିଛି ଦୁରକୁ ଛିଟିକି ପଡିଛି I ଶୁକୁରୀ ଦେଇର କିଛି ହେଇନି କିନ୍ତୁ ଲୁନା ଚାଳକ ର ମୁଣ୍ଡ ଫାଟି ରକ୍ତ ବୋହୁଥାଏ ଆଉ ଗୋଡ ,ହାତ ବିଖଣ୍ଡିଆ ହେଇ ଯାଇ ଥାଏ I ଦୁହେଁ ଦୁହିଁକୁ ଭୁଲ୍ ମାଗିଲେ I ଭୁଲ୍ କିନ୍ତୁ ଶୁକୁରୀ ଦେଇରଥିଲା I ସେ ଅନ୍ୟମନସ୍କ ହୋଇ ରାସ୍ତା ମଝିକୁ ଆସି ଯାଇଥିଲା I ଏବେ ଦୁହେଁ ଯାକପାଖରେ ଥିବା ହସ୍ପିଟାଲ୍ କୁ ଗଲେ I ଗଲା ବେଳେ ଶୁକୁରୀ ଦେଇ ଜାଣିଲା ତା ନାଁ ବିବେକ୍ Iସେ ଜଣେ କଳାକାର I ନାଟକ ନିଜେ ଲେଖନ୍ତି ଆଉ ଯାତ୍ରା ବି କରନ୍ତି I ତାଂକର ନିଜରଗୋଟେ ଛୋଟ ଯାତ୍ରା ପାର୍ଟି ଅଛି I ସେଠି ୧୦-୧୨ ଜଣା ପିଲା ବି କାମ କରୁଛନ୍ତି ଆଉନିଜର ଗୋଟେ ଦୋକାନ ବି କଟକ ରେ ଅଛି I
ଏବେ ସେମାନେ ହସ୍ପିଟାଲ୍ ରେ ପହଂଚି ସIରିଥିଲେ I ସେଠାକାର ଡାକ୍ତର୍ ବିବେକ୍ ରପରିଚିତ I ସେ ଶୁକୁରୀ ଦେଇ ବିଷୟ ରେ ଜାଣିଲI ପରେ ତାକୁ ଚାକିରୀ ରେ ରଖିଲେ Iଏମିତି ଏମିତି ଦିନ ସବୁ ବିତି ଚାଲିଲା I କିଚିଦିନ ପରେ ସେମାନେ ନିକଟତର ହେବାକୁଲାଗିଲେ ଆଉ ସେମାନଂକ ଭିତରେ ପ୍ରେମ ଚଢେଇ ଝିଲ୍ ମିଲ୍ କରିବାକୁ ଲାଗିଲା I
ବହୁତ୍ ଦିନ ପରେ ଶୁକୁରୀ ଦେଇର ସମ୍ପର୍କିୟ ଭାଇ ଓ ମା ତାକୁ ଖୋଜି ଖୋଜି ଶୁକୁରୀ ଦେଇ ଘରେ ଆସିକି ପହଁଚିଲେ I ସେତେବେଳେ ଶୁକୁରୀ ଦେଇ ଆମ ସାହିରେ ରହୁଥାଏ Iସେ ମୋ ଲେଖା-ଯୋଖା ମାମୁଁ ,ବିବେକ୍ ମIମୁଂକୁ ବାହାହେଇ ସରିଥାଏ ଆଉ ତାରଗୋଟେ ପୁଅ ବି ଥାଏ I ଶୁକୁରୀ ଦେଇ ର ଭାଇ ସେ ପୁଅ କୁ ଦେଖି ପଚାରିଲେ ଇଏ କିଏ?ସୁକୁରୀ ଦେଇ କହିଲା ମୋ ପୁଅ I ସେତେବେଳ ଯାଏ ସେ ଓ ତାଂକ ମା ଏସବୁ ବିଷୟ ରେକିଛି ବି ଜାଣି ନଥାନ୍ତି I ଶୁଣି ଆଶ୍ଚଯ ହେଲେ I ତା’ପରେ ସୁକୁରୀ ଦେଇଠୁ ସବୁ ଜାଣିଲାପରେ ଆଉ କିଛି କହି ନଥିଲେ I
ଶୁକୁରୀଦେଇ ଆମ ସାହି କୁ ଆସିଲା ପରେ ସେ ନିଜ ଆପଣାପଣ ରେସମସ୍ତଂକୁ ନିଜର କରି ସାରିଥିଲା I ଆଉ ସାହି ର ସମସ୍ତଂକ ର ଦେଇ ହୋଇ ସାରିଥିଲା Iବାପା ର ଦେଇ ,ମା ର ଦେଇ, ପୁଅ ଆଉ ଝିଅଂକର ବି ଦେଇ , ଯେମିତି ଚନ୍ଦ୍ର ସମସ୍ତଂକ ରମାମୁଁ I ସେ ସାହିର ସମସ୍ତଂକ ଭଲ ପାଇଁ ଚିନ୍ତା କରୁଥିଲା I ଆସ୍ତେ ଆସ୍ତେ ପଇସା ରଖିଗୋଟେ ନିଜେ ଗୋଟେ ଦୋକାନ୍ କଲା I ସାହିରେ ଗୋଟେ କ୍ଲବ୍ କଲା I ସାହି ର ଉର୍ନତିପାଇଁ ସେ ସବୁ କରିବାକୁ ତୟାର୍ ଥିଲା I କେତେ ପିଲାଂକୁ school ପଠେଇଚି ,କେତେଝିଅଂକୁ ବିନା ଯୌତୁକ ରେ ବାହାଘର କରେଇଚି,କେତେ ଲୋକଂକ ମଦ ଛଡେଇଚି, ମଦପାଇଁ କେତେ ଲୋକଂକ ଉପରକୁ ହାତ ବି ଉଠେଇଚି I ତା ପାଇଁ ହିଁ ସାହି ରେ ଝିଅଂକସଂଖ୍ୟା ବଢିଲା , କେତେ ଝିଅଂକୁ ସେ କନ୍ୟା ଭ୍ରୁଣ ହତ୍ୟା ରୁ ବନ୍ଚେଇଚୀ I ତା କଥାକହିଲେ ସରିବନି I ସାହି ର ସବୁ ମା ଚାହାନ୍ତି ତାଂକ ଝିଅ ବି ଶୁକୁରୀ ଦେଇ ହଉ I ସବୁଠିଶୁକୁରୀ ଦେଇ ର ଉଦାହରଣ ଦିଆ ଯାଏ I ସାହି ର ସମସ୍ତଂକୁ ସବୁ ପ୍ରକାର ସାହାଯ କରେI ଏବେ ସାହିରେ କେହି ଝିଅ ଜନ୍ମ କରିବାକୁ ଡରୁ ନାହାନ୍ତି I ସାହିର ସମସ୍ତେ ତାକୁ ଭଲପାନ୍ତି ଆଉ ଡରନ୍ତି ବି I କାହାର କେଉଁଠି ଭୁଲ୍ ଦେଖିଲେ କି କେହି ପାଟିତୁଣ୍ଡ କଲେ ସେହାତ ଉଠେଇବାକୁ ବି ପଛାଏନି I ସେ ଏକ ଧାରରେ ଗୋଟେ ଭଲ ସ୍ତ୍ରୀ ,ଭଲ ମା , ଭଲପଡିଶା , ଆଉ ଆଉ ସବୁ ଭଲ ଥିଲା I
କିଛି ଦିନ ପୁର୍ବରୁ ଜଣା ପଡିଲା ତାକୁ କଣ ଗୋଟେ ରୋଗ ହୋଇଛି I ସେ ଆଉବେଶୀ ଦିନ ବନ୍ଚିବନୀ I ସାହି ର ସମସ୍ତେ ଜାଣିଲା ପରେ ମନଦୁଖ କଲେ I ଗୋଟେ ପରଝିଅ ହୋଇକି ସେ ଯାହା କରି ଯାଇଛି ତାହା ଆଉ କାହାକୁ କରିବାକୁ ୨ ଥର ଜନ୍ମ ନେବାକୁପଡିବ I ସେ ଆମ ସାହି ର ଗର୍ବ ଆଉ ଗୌରବ I ଆଉ ଆଜି ସେ ଚାଲିଗଲା i ପୁରାସାହିର ମୁରବୀ ଚାଲିଗଲା I ଯେଉଁଠୁ କେହି କେବେ ବି ଫେରି କି ଆସିନାହାନ୍ତି I
ଭାଗବାନଂକୁ ପ୍ରାଥନା କରୁଛି ଦେଶର ସବୁ ସାହି, ସବୁ ଗାଁ ରେ ଏମିତି ଗୋଟେଗୋଟେ ଶୁକୁରୀ ଦେଇ କୁ ଜନ୍ମ ଦିଅନ୍ତୁ I
—X—