ତୃତୀୟ ଲିଙ୍ଗ

ତୃତୀୟ ଲିଙ୍ଗ 
ସୁବଳ ମହାପାତ୍ର

ଏ ଶାହରୁଖ ଦେ.. ନା..
ଏ ଚିକନେ, ଏ ସଲମାନ ଦେ.. ନା ..
ଏ ହିରୋ .. ଦେ.. ନା..
ହାତରେ ମେଞ୍ଚେ ଦଶ ଟଙ୍କିଆ ଧରି ତାଳି ବଜେଇ ବଜେଇ ଟ୍ରେନ ର ବଗି ଭିତରକୁ ପଶିଲା ସେ I ବୟସ ୨୮-୩୦ ହେବ I ମଝିରୁ ଭଙ୍ଗା ଯାଇଥିବା ଦଶ ଟଙ୍କିଆ ଗୁଡିଏ ତା ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ମଝିରେ ପଶି ରହିଥାନ୍ତି I ଏମିତି ଭାବରେ ଧରି ରଖିଥାଏ ଯେ ଗୋଟେ ହେଲେ ବି ତଳେ ପଡ଼ିବନି I ଦୁଇ ହାତରେ ଜୋର ରେ ତାଳି ବଜେଇ ବଜେଇ ଆଗକୁ ମାଡି ଚାଲିଥାଏ ସେ ଆଉ କାହାଠୁ ପାଞ୍ଚ କାହାଠୁ ଦଶ ଅବା କାହାଠୁ ପଚାଶ ପାଇ ସେ ଚାଲି ଯାଉଥାଏ ଆଗକୁ ଆଗକୁ I ପ୍ରତି ବର୍ଥ ଭିତରେ ପଶି ସେ ଦେଖୁଥାଏ କିଏ କିଏ ସବୁ ଗଜା ଟୋକା ଅଛନ୍ତି I ଭଲ ମିଳିବ ସେମାନଙ୍କଠୁ I ଏ ବୁଢା ଗୁଡା ପଇସା ଦିଅନ୍ତିନି I କିଏ କିଏ ଛେଇ ଛେଇ ମାର ମାର କରନ୍ତି ଆଉ କିଏ କିଏ ମୁହଁ ଏପରି ମୋଡି ଅନ୍ୟ ଆଡେ ଚାହାନ୍ତି ଯେପରି ସେମାନେ ପୃଥିବୀ ର ସବୁଠୁ ଘୃଣ୍ୟ ବସ୍ତୁ ଟିଏ ଦେଖୁଛନ୍ତି I ଅବଶୋଷ ନଥାଏ ତା’ର I ଯିଏ ଯାହା ଦେଲା I କାହାକୁ ନା ନାହିଁ I କିଏ କିଏ ଅବା ଟଙ୍କାକିଆ କିମ୍ବା ଦି ଟଙ୍କିଆ କଏନ ଗୋଟେ ଯୋଡ଼େ ଦିଅନ୍ତି I ସେ କାହାକୁ ଜୁଲୁମ କରୁ ନଥାଏ ଅବା କାହାକୁ ଅସଭ୍ୟ ଭାଷା ରେ ଗାଳି କରୁ ନଥାଏ I ଅନ୍ୟ ମାନଙ୍କ ପରି ସେ ଜୋର ଜବରଦସ୍ତି କରୁ ନଥାଏ ଅବା ଦେ.. ଦେ.. କହି ଲୁଗା ଉଠାଉ ନଥାଏ I ଶାନ୍ତ ସରଳ ଭାବରେ ଚିରାଚରିତ ଢଙ୍ଗରେ ଏ ଶାହରୁଖ ଦେ.. ନା.. ଏ ଚିକନେ, ଏ ସଲମାନ ଦେ.. ନା .. କହି କହି ହାତ ପତଉଥାଏ ବଗି ଭିତରେ ବସିଥିବା ପ୍ରତିଟି ମଣିଷଙ୍କ ପାଖରେ ଆଉ ଯିଏ ଯାହା ଦେଲା ତାକୁ ମଝିରୁ ଭାଙ୍ଗି ନିଜ ବାମ ହାତରେ ଧରୁଥାଏ I ତାକୁ ଦେଖି କିଏ କିଏ ନିଜ ଜାଗା ଛାଡି ଚାଲି ଚାଲି କବାଟ ପାଖକୁ ଯାଉଥାନ୍ତି ଯେମିତି ସେ ଏମାନଙ୍କୁ ପଇସା ମାଗିବନି କିମ୍ବା ସେ ଆସିଲା ବେଳକୁ ପଶି ଯାଇ ହେବ ଶୌଚାଳୟ ଭିତରେ I
ଟ୍ରେନ ଚାଲିଥାଏ ତା ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ I ମଝିରେ ମଝିରେ କୌଣସି ଷ୍ଟେସନ ଅବା ସିଗ୍ନାଲ ନ ମିଳିଲେ ଠିଆ ହୋଇ ଯାଉଥାଏ ଘଡ଼ିଏ, ପୁଣି ଚାଲିବାକୁ ଆରମ୍ଭ କରୁଥାଏ ହ୍ୱିସିଲ ବଜେଇ I ତାକୁ କିନ୍ତୁ କିଛି ଫରକ ପଡୁ ନଥାଏ I ପଛ ଷ୍ଟେସନ ଗଲା ବ୍ରହ୍ମପୁର I ଟ୍ରେନ ଚାଲୁଥାଏ ଭୁବନେଶ୍ୱର ରୁ ବାଙ୍ଗାଲୋର I ଯାତ୍ରୀମାନେ ସକାଳ ୬ ଟା ରୁ ଟ୍ରେନ ରେ ବସିଛନ୍ତି I କିଏ କିଏ ଅବା ଅପର ବର୍ଥ ରେ ଶୋଇଛନ୍ତି I କିଏ ଢୁଳାଉ ଥାଏ ତ କିଏ ତାସ ଖେଳରେ ମଗ୍ନ I କିଏ ଅବା ଖବରକାଗଜ କିମ୍ବା ଗପ ବହିଟିଏ ଧରି ପଢ଼ୁଥାନ୍ତି I ଆଉ କିଏ କିଏ ନିଜ ପାଖ ପଡୋଶୀ ର ଘର କେଉଁଠି, ସମ୍ପର୍କ ର ଅଡୁଆ ସୁତା ଭିତରୁ ସେ କାହାର ସାଙ୍ଗ ଅବା ସେ କେମିତି ତା ର ଚିନ୍ହା, କେବେ ଯାଇଥିଲା ତାଙ୍କ ଗାଁ ଆଡେ, କି ତାଙ୍କ ଗାଁ ପାଖରେ ତା ର କେଉଁ ସାଙ୍ଗ ର ଘର, ଏଭଳି ଗପ ରେ ମଗ୍ନ I ଛୁଆ ମାନେ ସବୁ ବିସ୍କୁଟ କିମ୍ବା କୁରକୁରେ ପ୍ୟାକେଟ ଟିଏ ଧରି ଖାଇବାରେ ବ୍ୟସ୍ତ କିମ୍ବା ଖେଳିବାରେ ବ୍ୟସ୍ତ I ଛୋଟ ପିଲା କିଏ ଭେଁ ଭାଁ ରଡି ଛାଡ଼ୁଛି I କିଏ ଅବା, ସିଟ ଟି ତା’ର କିନ୍ତୁ ୱେଟିଂ ଲିଷ୍ଟ ଵାଲା ଜଣେ ସେ ସିଟ ରେ ବସିଥିବାରୁ ତାକୁ ଉଠେଇବାରେ ବ୍ୟସ୍ତ I ଏହିପରି ଏକ ସମୟ ଭିତରେ ପଶିଲା ସେ I କିଏ କଣ କରୁଛି କିମ୍ବା କିଏ କଣ ଭାବିବ ଏ କଥା ବୁଝିବାକୁ ସମୟ ନାହିଁ ତା’ର I ବଗି ଭିତରେ ପଶିଲା ପରଠୁ ସେ ହାତ ପତେଇ କୁହାଟ ଛାଡି ତାଳି ବାଡେଇ ନେଇ ଯାଉଥାଏ ଦଶ ଟଙ୍କା ଲେଖାଏଁ I ତା ହାତରେ ଥିବା ଦଶ ଟଙ୍କିଆ ମାନଙ୍କର କଳେବର ବଢ଼େଇ ବଢ଼େଇ ଗୋଟେ ପରେ ଗୋଟେ ବର୍ଥ ସେ ଅତିକ୍ରମ କରି ଚାଲିଥାଏ I
ହଠାତ କାହାର ମୁହଁ ଦେଖି ଅଟକି ଗଲା ସେ I ବର୍ଥ ଭିତରେ ତଳ ସିଟ ରେ ଶୋଇଥାନ୍ତି ୫୫-୬୦ ବର୍ଷ ବୟସ ର ବ୍ୟକ୍ତି ଜଣେ I ପାଖରେ ୫୦- ୫୫ ବର୍ଷ ବୟସ୍କା ସ୍ତ୍ରୀ ଲୋକ I ତାଙ୍କ ସ୍ତ୍ରୀ ହେବେ ବୋଧେ I ଆର ପଟ ସିଟ ରେ ୩୦ ବର୍ଷ ବୟସ୍କା ଆଉ ଜଣେ ସ୍ତ୍ରୀ ଲୋକ I କଡରେ ୩୫ ବର୍ଷ ର ଜଣେ ଲୋକ ହାତରେ ୨-୩ ବର୍ଷ ର ଛୋଟ ଛୁଆ I ୩୦ ବର୍ଷ ବୟସ୍କା ସ୍ତ୍ରୀ ଲୋକ ଜଣଙ୍କ ଛୁଆକୁ ପେଣ୍ଟ ପିନ୍ଧଉଥାନ୍ତି ଆଉ ବୁଢା ଜଣଙ୍କ ସେ ଛୁଆ ସହ ଖେଳୁଥାନ୍ତି I ମନରେ କିନ୍ତୁ ହରଷ ନଥାଏ I କୌଣସି ଏକ ରୋଗରେ ପଡି ଦେଖା ଯାଉଥାନ୍ତି ୭୦-୮୦ ବର୍ଷ ବୁଢା ପରିକା I ମଝିରେ ମଝିରେ ଉଃ.. ଆଃ.. ଆହୁରି କରୁଣ କରି ଦେଉଥାଏ ତାଙ୍କ ମୁହଁ କୁ I ୫୦-୫୫ ବର୍ଷିଆ ବୁଢ଼ୀ ଜଣଙ୍କ ବ୍ୟସ୍ତ ହୋଇ ପଡୁଥାନ୍ତି ତାଙ୍କ ଉଃ.. ଆଃ.. ଶୁଣି I
ସେ ବର୍ଥ ଭିତରେ ପଶୁ ପଶୁ ଅଟକି ଗଲା I ଅତର୍ଛୟା ବାହାରି ଆସିଲା ସେ ବର୍ଥ ଭିତରୁ I ଏତେ ବର୍ଷ ପରେ ବି ସେ ଠିକ ଚିନ୍ହି ପାରୁଥିଲା ଏ ଚେହେରା ଦୁଇଟି କୁ I ନିଜ ଜନ୍ମ କଲା ବାପା ମାଙ୍କୁ କ’ଣ କିଏ କେବେ ଭୁଲି ପାରେ? ଆଉ ଗୋଟେ ବର୍ଥ ପରେ ଶୌଚାଳୟ I କିନ୍ତୁ ଆଗ ବର୍ଥ ଟିକୁ ଛାଡି ସେ ଚାଲିଗଲା ଆର ବଗିକୁ I ଆଉ କାହାକୁ ଟଙ୍କା ମାଗିବାକୁ ଇଛା ନଥିଲା ତା’ର I କାନ୍ଦିବାକୁ ବହୁତ ଇଛା ହେଉଥିଲା ତା’ର I ଆଗ ବଗିର କବାଟ ପାଖରେ ଠିଆ ହୋଇ ସେ ବାହାରକୁ ଅନେଇଲା I ଆଖି ଲୁହ ରେ ଉବୁଟୁବୁ I ଲୁହ, ଦି ଧାର ହୋଇ ବୋହି ଯିବା ଆଗରୁ ସେ ଶାଢ଼ୀ କାନି ରେ ଲୁହ ପୋଛିଲା I ଏଠି ଏତେ ଲୋକଙ୍କ ଆଗରେ ସେ କଣ କାନ୍ଦି ପାରିବ? ନା I ଆଉ କେହି ଦେଖିବା ପୂର୍ବରୁ ସେ ପଶିଗଲା ସେ ବଗି ରେ ଥିବା ଶୌଚାଳୟ ଭିତରେ I ଗଳା ଫଟେଇ ଚିତ୍କାର କଲେ ବି ସେ ଚିତ୍କାର ଶୁଣା ଯାଉନଥିଲା ବାହାରକୁ I ଟ୍ରେନ ଟି ସେତେବେଳେ କୌଣସି ଏକ ବ୍ରିଜ ଉପରେ ଯାଉଥାଏ I ତା କାନ୍ଦ ଅପେକ୍ଷା ଟ୍ରେନ ବ୍ରିଜ ଉପରେ ଯାଉଥିବାରୁ ଖଡ଼ ଖାଡ଼, ଧଡ଼ ଧାଡ଼ ଶବ୍ଦ ବେଶୀ ଶୁଭୁଥାଏ I କିଛି ସମୟ ଜୋର ପାଟିରେ କାନ୍ଦିଲା ପରେ ଆସ୍ତେ ଆସ୍ତେ ନିଜକୁ ନିଜେ ଶାନ୍ତ କଲା ସେ I ଶୌଚାଳୟ ଭିତରେ ଥିବା ବେସିନ ରେ ମୁହଁ ଧୋଇ ଶାଢ଼ୀ କାନି ରେ ମୁହଁ ପୋଛି ବାହାରକୁ ଆସିଲା ସେ I କବାଟ ତଳେ ଥିବା ସ୍ଥାନରେ ବସି ପଡିଲା ଆଉ ବାହାରକୁ ଚାହିଁଲା I ମନେ ପଡି ଯାଉଥିଲେ ସେ ପୁରୁଣା କଥା ଗୁଡିକ I ଆଜିକୁ କୋଡିଏ ବର୍ଷ ତଳ ର ଘଟଣା I
ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ ସେ ଭଲ ପାଏ ଛୁଆ ବେଳୁ I ପ୍ରଥମେ ପ୍ରଥମେ ଛୋଟ ପିଲା ଖେଳୁଛି ବୋଲି ଭାବି ତା ଘର ଲୋକ ଏତେ ଧ୍ୟାନ ଦେଉ ନଥିଲେ I କିନ୍ତୁ ସେ ତୃତୀୟ ଚତୁର୍ଥ ପଢିଲା ବେଳକୁ ଜିଦ କଲା ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ I ନାନୀ ର ଡ୍ରେସ ସବୁ ଲୁଚେଇ ଲୁଚେଇ ପିନ୍ଧିବାକୁ ଲାଗିଲା I କିଛି ଦିନ ପରେ ପରେ ଘରେ ଜାଣି ବାକୁ ପାଇଲେ ତା କାରନାମା ସବୁ I ସେ ଗାଁ ରେ ଚୋରି କରୁଥିଲା ଝିଅ ମାନଙ୍କ ପିନ୍ଧା ବସ୍ତ୍ର I ଘରେ କବାଟ ବନ୍ଦ କରି ସେ ପିନ୍ଧୁଥିଲା ମା ର ଶାଢ଼ୀ, ବ୍ଲାଉଜ I ଛାତି ରେ ପକାଉଥିଲା ଚୋରି କରି ଆଣିଥିବା ଓଢଣୀ I ପୁଅପିଲା ହେଲେ ବି ସେ ଭଲ ପାଉଥିଲା ଝିଅ ମାନଙ୍କ ପରି ସଜେଇ ହେବାକୁ I ଆଖିରେ କଳା, ଓଠରେ ଲିପିସ୍ଟିକ, ଚୁଟି ରେ ରବର ଆଉ ନାନୀ ର ଚୁଡ଼ି ସବୁ ପିନ୍ଧି ଏକା ଏକା ବସି ରହୁଥିଲା ଦର୍ପଣ ପାଖରେ I ଭଲ ଲାଗୁଥିଲା ତାକୁ ଝିଅଙ୍କ ପରି ଡ୍ରେସ ପିନ୍ଧିବାକୁ ଆଉ ଅଣ୍ଟା ହଲେଇ ଚାଲିବାକୁ I ପ୍ରଥମେ ପ୍ରଥମେ ଭାଇ ଏ ସବୁ ଦେଖି ମା କୁ କହିଲା I ନାନୀ, ତା ଚୁଡ଼ି ଭାଙ୍ଗି ଯିବାରୁ ଓ କଳା ଓ ଲିପସ୍ଟିକ ଅସମୟ ରେ ସରୁଥିବାରୁ କମ୍ପ୍ଲେନ କଲା I ଗାଁ ରେ ଜାଣିଲେ ଅସୁବିଧା ହେବ ବୋଲି ମା ଲୁଚେଇ ରଖିଥିଲା ଏ କଥା ସମସ୍ତଙ୍କ ଠୁ ଓ ବେଳେ ବେଳେ ପିଟୁଥିଲା ନିର୍ଦ୍ଧୁମ ଏ ପରି ବ୍ୟବହାର ଦେଖିଲେ I କିଛି ଦିନ ପରେ ସ୍କୁଲ ପିଲା ଜାଣି ଗଲେ ୟା ର ଏ ପ୍ରକୃତି I କିଏ ଡାକିଲା ନାନୀ, କିଏ ଡାକିଲା ହିଞ୍ଜିଡା, କିଏ ଛକା କିଏ ଅବା ଖାଲି ଛ’ଅ ଆଉ କିଏ କିଏ ତା ଦେହରେ ମୁଣ୍ଡରେ ହାତ ବୁଲେଇ ଆଣୁଥିଲେ I ଆସ୍ତେ ଆସ୍ତେ କଥା ସବୁ ବାପାଙ୍କ କାନ କୁ ଗଲା I ବାପା ଖୁବ ରାଗିଲେ ବି କଣ କରିବେ କିଛି ବୁଦ୍ଧି ପଶୁନଥିଲା ତାଙ୍କ ମୁଣ୍ଡରେ I ଏପଟେ ସାଇ ଭାଇଙ୍କ ଛି.. ଛାକର.. କୁ ସେପଟେ ଏକମାତ୍ର ଭଉଣୀ ର ବାହାଘର ଚିନ୍ତା ପଶୁଥିଲା ତାଙ୍କ ମୁଣ୍ଡରେ I ଭାଇ ଜଣେ ହିଞ୍ଜିଡା ବୋଲି ଜାଣିଲେ କେହି ବାହା ହେବେନି ଭଉଣୀ କୁ I ସେଇ ଚିନ୍ତା ରେ ଶେଷ ନିଷ୍ପତି ନେଲେ ୟାକୁ ଘରୁ ବାହାର କରିବାକୁ I ମା କାନ୍ଦି କାନ୍ଦି ମନା କଲେ ବି ବାପା ଶୁଣି ନଥିଲେ ମା କଥା I ରଥଯାତ୍ରା ଦେଖି ଯିବା କହି ଘରର ସବୁ ସଦସ୍ୟ ବାପା, ମା, ଭାଇ, ନାନୀ ଆଉ ସେ ଆସିଲେ ପୁରୀ ବୁଲିବାକୁ I କୌଣସି ଏକା ଧର୍ମଶାଳା ରେ ରହିଲେ ୫ ଦିନ ଆଉ ଗଲା ଦିନ ୟାକୁ ପୁରୀ ରେ ଛାଡି ଦେଇ ସମସ୍ତେ ଫେରିଗଲେ ଗାଁ କୁ I
ବୟସ ୯ -୧୦ ବର୍ଷ ହେବ ୟାକୁ ସେତେବେଳେ I ଧର୍ମଶାଳା ରେ ଏକା ଏକା ଶୋଇଥାଏ ସେ I ଉଠିଲା ବେଳକୁ କେହି ନଥାନ୍ତି ପାଖରେ I ଖୋଜି ଖୋଜି ଧର୍ମଶାଳା ର ମାଲିକ କୁ ବାପା ମା କଥା ପଚାରିଲା ବେଳକୁ ସେମାନେ ଯାଇ ସାରିଥିଲେ ତିନି ଘଣ୍ଟା ପୂର୍ବରୁ I ଏକୁଟିଆ ପିଲା କଣ କରିବ? ପାଖରେ ପଇସା ନାହିଁ I ଲୁଗାପଟା ନାହିଁ I ଖାଇବାକୁ କିଛି ନାହିଁ I ଆଖିରେ ଭାସି ଯାଉଥିଲା ସେ ଶୋଇବା ପୂର୍ବର କଥା I ଧର୍ମଶାଳା ର ରୁମ ବାହାରେ ବସି ମା’ ତା’ର ଲୁହଭିଜା ଆଖିରେ ବାପାଙ୍କ ଆଗରେ ଗୁହାରି କରୁଥିଲା I କେମିତି ତାକୁ ଏକେଲା ଛାଡ଼ିଦେବା ? ଯାହା ହେଲେ ବି ଆମ ରକ୍ତ ନା I ସେତେବେଳେ କିଛି ବୁଝି ନ ଥିଲା ସେ, କିନ୍ତୁ ଏବେ ସେ ବୁଝି ପାରୁଥିଲା ବାପା ମା ଙ୍କ କଥୋପକଥନ ର ସାରାଂଶ I କିନ୍ତୁ ମା ବି କ’ଣ କରିଥାନ୍ତା? କେମିତି ଯାଇଥାନ୍ତା ସେ ବାପାଙ୍କ ବିରୁଦ୍ଧରେ? ଯାହାର ପାଟି ଖୋଲିବା ସେ ଦେଖିନି କେବେ I ବାପା ଯାହା କହିବେ ସେଇଟା ହିଁ ଫାଇନାଲ I ଏଇୟା ହିଁ ତ ଚାଲି ଆସିଛି ତାଙ୍କ ଘରେ, ଦେଖି ଆସିଛି ସେ ତା’ର ହେତୁ ହେବା ପରଠୁ I ଭୋକ ରେ ପେଟ କଁ କଁ କରୁଥାଏ I ପାଖରେ କିଛି ଖାଇବା ନାହିଁ, ନା ଅଛି ପଇସା I ଶୁଣିଛି ପୁରୀ ରେ କେହି କେବେ ରାତିରେ ଭୋକରେ ଶୁଏନି I କିନ୍ତୁ ସେ ଏବେ କରିବ କଣ? କାହାକୁ କହିବ ଖାଇବା କଥା? ନା ଭିକ ମାଗିବ? ନା ନା ଏତେ ବଡ ଘର ତାଙ୍କର I ଗାଁ ରେ ପାଞ୍ଚ ଲୋକ ବାପାଙ୍କୁ ମୁଣ୍ଡିଆ ମାରନ୍ତି I ଜମି ୨୦ ଏକର ଉପରେ I ଅମଳ ବର୍ଷ ସାରା ଖାଇ ପିଇ ବଳେ I ସମୟ ଅସମୟ ରେ ଲୋକ ଧାର ଉଧାର ନିଅନ୍ତି I ସେଭଳି ଘର ର ବଂଶଧର ହୋଇ ସେ ଭିକ ମାଗିବ ? କିନ୍ତୁ ଏପଟେ ପେଟ ପୋଡି ଯାଉଛି I ଏବେ ନା ଅଛି ବଂଶ ନା ସେ କାହାର ବଂଶଧର I ସମ୍ପର୍କ ର ସୁତା ଖିଅ କୁ ତ ଛିଡେଇ ଦେଇ ସମସ୍ତେ ଫେରିଗଲେ ଗାଁ କୁ, ୟାକୁ ଏକା ଏଠି ମରିବାକୁ ଛାଡି ଦେଇ I
କେମିତି କେଜାଣି ବାପା ଏମିତି କରି ପାରିଲେ? ନିଜ ରକ୍ତ କୁ କେମିତି ଅଲଗା କରି ପାରିଲେ ନିଜ ପାଖରୁ I ଏମିତି ହେଇ ଜନ୍ମ ହେବା କଣ ତା’ର ଭୁଲ ଥିଲା ନା ଥିଲା ନିୟତି ର ନିର୍ଦେଶ? ବଡ ଭାଇ କୁଳ ରକ୍ଷା କରିବ I କନ୍ୟା ଦାନ କରିବାକୁ ନାନୀ ଅଛି I ଯଦି ମୋ ପ୍ରତି ଏତେ ନିଷ୍ଠୁର ହେବାର ଥିଲା ତେବେ ଜନ୍ମ ଦେଉଥିଲ କଣ ପାଇଁ? ଘରକୁ ଫେରି ଗଲା ବେଳକୁ ଭାଇ କି ନାନୀ କେହିବି କେମିତି ପଚାରିଲେନି ଜିଲୁ କୁଆଡେ ଗଲା ? ସେ ଆମ ସହ ଗାଁ କୁ ଯିବନି କି ? କେହି ତ ହେଲେ ଉଠେଇଥାନ୍ତେ ତାକୁ? ନା, ଭାଇ ସବୁ ବେଳେ କଳି କରେ ତା ସହ I ନାନୀ ର ଲିପସ୍ଟିକ ସାରିଦିଏ, ଚୁଡ଼ି ଭାଙ୍ଗିଦିଏ ବୋଲି ତା ର ବି ରାଗ ମୋ ଉପରେ I କିନ୍ତୁ ଯାହା ହେଲେ ବି ମୁଁ ତ ତାଙ୍କ ସାନ ଭାଇ ନା ? ସେମାନେ କଣ ଥରେ ବି ଭାବିଲେନି ମୋ କଥା? ଥରେ ବି ଭାବିଲେନି ମୁଁ ଖାଇବି କଣ? କେଉଁଠି ରହିବି? କେମିତି ରହିବି? ସମସ୍ତେ ଜାଣିଛନ୍ତି ମୁଁ ଭୋକ ସମ୍ଭାଳି ପାରେ ନି I କିନ୍ତୁ ଏଠି ଏକୁଟିଆ ଛାଡି ଦେଇ ପଳେଇଲେ I କିଛି ବି ନାହିଁ ଖାଇବାକୁ I ଭୋକ ରେ ପେଟ ଟା ମୋଡି ହୋଇଗଲା ପରି ଲାଗୁଥିଲା I ମୁଣ୍ଡ ବି ବୁଲାଉ ଥିଲା I କଣ କରିବି ଏବେ? ନା, ମୁଁ ବଞ୍ଚିବି ଯାହା ବି ହେଉ I ଯେମିତି ବି ହେଉ I କିନ୍ତୁ ଏ ନିଆଁ ଲଗା ପେଟ? ଆଗ କିଛି ଖାଇବି I କିନ୍ତୁ କ’ଣ ?
ମନେ ପଡିଗଲା ଦିନ ବେଳେ ଅବଢ଼ା ଖାଇବାର ଦୃଶ୍ୟ I ଅବଢ଼ା ଆଣି ସାରିଲା ପରେ ବାପା କହିଥିଲେ ସମସ୍ତେ ଗୋଲେଇ ହେଇ କି ବସ ନହେଲେ ଏଠି ବୁଲୁଥିବା ଭିକାରି ଆଉ ପାଗଳ ମାନେ ଆସି ତମ ପାଖରେ ବସି କୁଡୁଆ ରୁ ନିଜେ ନିଜେ ନେଇ ଖାଇ ଦେବେ I ଏଠି କାହାକୁ ମନା କରନ୍ତିନି କି ଏଠି ବାଢି କି ଖିଆ ଯାଏନି I କିଛି ଲୋକ ସେଠି ବୁଲୁ ଥିବାର ବି ସେ ଦେଖିଥିଲା ଆଉ କିଛି ଛାଡି ଯାଇଥିବା କୁଡୁଆ ରୁ ଭାତ ସାଉଣ୍ଟୁ ଥିବାର ବି ସେ ଦେଖିଥିଲା I ଭୋକରେ ଆଉଟୁ ପାଉଟୁ ୧୦ ବର୍ଷ ର ପିଲା ଟା, କେତେ ବେଳେ ଯେ ଆନନ୍ଦ ବଜାର ଭିତରେ ପହଞ୍ଚି ସାରିଥିଲା ଏ କଥା ହୋଶ ନଥିଲା ତା’ର I ଆନନ୍ଦ ବଜାର ରେ ପହଞ୍ଚିବା ପରେ ତା ଭୋକ ଆହୁରି ବଢିଯାଇଥିଲା ଅବଢ଼ା ର ବାସ୍ନା ରେ I କିଛି ଲୋକ ଛାଡି ଯାଇଥିବା ଖାଦ୍ୟ କୁ ପାଟିରେ ପୁରାଉ ପୁରାଉ ତର ନଥିଲା ତାକୁ I କେହି ଜଣେ ସହୃଦୟ ବ୍ୟକ୍ତି ବଳି ଯାଇଥିବା କିଛି ଅବଢ଼ା ତାକୁ ଦେଇଥିଲେ ଆଉ ସେଥିରେ ପେଟ ଭରି ଗଲା ପରେ ସେ ଗୋଟେ କୋଣ ରେ ଢୁଳେଇ ପଡିଥିଲା ସେଦିନ I ପ୍ରଥମ ଦିନ ଯାହିତାହି କଟି ଯାଇଥିଲା I ହେଲେ ଦ୍ଵିତୀୟ ଦିନ ପୁଣି ତାକୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡିଥିଲା I ହାତ ପତେଇ ଭିକ ନ ମାଗିଲେ ବି କାହାର ହାତ ଟେକା କୁ ଚାହିଁ ରହୁଥିଲା I ଦୁଇଦିନ, ତିନିଦିନ, ଚାରିଦିନ, ପାଞ୍ଚଦିନ ବିତି ସାରିଥିଲା ଏ ଭିତରେ I ପିନ୍ଧା ପେଣ୍ଟ ଆଉ ସାର୍ଟ ବ୍ୟତୀତ ଆଉ କିଛି ବି ନଥିଲା ତା ପାଖେ I ମଇଳା କୋଚଟା ଧରି ଆସୁଥିଲା ଆସ୍ତେ ଆସ୍ତେ ସାର୍ଟ ପେଣ୍ଟ ଦିଟା ଯାକ I ଦେହ ମଳି ହୋଇ ଗଲେ ପାଖରେ ଥିବା ଟ୍ୟାପ ତଳେ ଠିଆ ହୋଇ ଯାଉଥିଲା ଆଉ ଦେହରେ ଦେହରେ ହିଁ ଶୁଖୁଥିଲେ ଓଦା ପେଣ୍ଟ ସାର୍ଟ I
ସେଦିନ କିଛି ହିଞ୍ଜିଡା ଆସିଥିଲେ ମନ୍ଦିର ବୁଲିବାକୁ I ବୁଲି ସାରି ସେମାନେ ଅବଢ଼ା ଖାଇବାକୁ ବସିଲା ବେଳେ ୟେ ଠିଆ ହୋଇଥିଲା ତାଙ୍କୁ ଚାହିଁ ବଡ କାକୁସ୍ଥ ଭାବରେ କିଛି ଖାଦ୍ୟ ପାଇଁ I ସେମାନେ ଡାକି ପାଖରେ ବସେଇଲେ ଆଉ ପଚାରିଲେ ଘର କଥା, ଗାଁ କଥା, ବାପା ମାଙ୍କ କଥା ଆଉ ସବୁ ଶୁଣି ସରିଲା ପାରେ ନେଇଗଲେ ନିଜ ସାଙ୍ଗରେ I ତାଙ୍କ ଭିତରେ ଥିବା କାଜୋଲ ମାଉସୀ ୟାକୁ ଆପଣେଇ ନେଇଥିଲେ I ଭୁବନେଶ୍ୱର ରେ ରୁହନ୍ତି ସେମାନେ ବସ୍ତି ରେ I ତା ପରଠୁ ୟା ନାଁ ହୋଇ ଗଲା ପାୟଲ I ସେ ମିଶି ଗଲା ହିଞ୍ଜିଡା ଗୋଷ୍ଠିରେ, ଗଣା ହେଲା ହିଞ୍ଜିଡା ଭାବରେ I ପଇସା ମାଗେ ଟ୍ରେନ ରେ ଆଉ ରୁହେ ବସ୍ତି ରେ I ସକାଳୁ ଉଠି, ନିତ୍ୟକର୍ମ ସାରି, ସଜେଇ ହୋଇ ପଇସା ମାଗିବା ଏମାନଙ୍କ କାମ I କେବେ କେମିତି ବାହାଘର ଆଉ ପୁଅ ଏକୋଇଶିଆ ବେଳେ ଖୋଜାଯାଏ ଏମାନଙ୍କୁ I ପରିବାର ଥାଇ ମଧ୍ୟ ଏମାନେ ମିଶି ପାରନ୍ତିନି ପରିବାର ସହ I ଥରେ ହିଞ୍ଜିଡା ଭାବରେ ଗଣା ହେଲା ପରେ ସବୁ ଦୁଆର ବନ୍ଦ ହୋଇ ଯାଏ ଏମାନଙ୍କ ପାଇଁ I ବସ୍ତି ଆଉ ଟ୍ରେନ ପାଲଟି ଯାଏ ଏମାନଙ୍କ ଦୁନିଆଁ I ଗୋଟିଏ ବେଳା ଖାଇବା ଏଠି ଖାଇଲେ ଆର ବେଳା କେଉଁଠି ଖାଇବେ ତା’ର କିଛି ଠିକ ଠିକଣା ନଥାଏ I ସେଇଠି ରୁହନ୍ତି, ଖାଆନ୍ତି, ପିଅନ୍ତି, ଶୁଅନ୍ତି ଆଉ ସେଇଠି ହିଁ ଶେଷ ନିଶ୍ୱାସ ତ୍ୟାଗ କରନ୍ତି I
ଟ୍ରେନ ରହିବାର ଶବ୍ଦ ଶୁଣି ଭାବନା ରାଇଜ ରୁ ଫେରି ଆସିଲା ପାୟଲ I ନାଁ, ଏତେ ବର୍ଷ ପରେ ତାକୁ କେହି ବି ଚିନ୍ହି ପାରିବେନି I ତା ବେଶ ଭୁଷା ଦେଖି କେହି ବି ଠଉରେଇ ପାରିବେନି ଯେ ସେ ଏ ପରିବାର ର ଗୋଟେ ଅଂଶ I କାହିଁକି ବା ସେ ଏତେ ଭାବିବ ଏମାନଙ୍କ ବିଷୟରେ I କାହିଁକି ସେ ଲୁହ ଗଡେଇବ ଏମାନଙ୍କ ପାଇଁ I ଯେଉଁ ପରିବାରରେ ୟାକୁ ରହିବାକୁ ଜାଗା ଟିକେ ମିଳିଲାନି, ଯେଉଁ ପରିବାର ଆଜିକୁ କୋଡିଏ ବର୍ଷ ତଳେ ସେ ମରିଗଲା ବୋଲି ଧରି ନେଇଛନ୍ତି I ଯେଉଁ ପରିବାର ଚିନ୍ତା ବି କଲେନି ୯-୧୦ ବର୍ଷ ପିଲା ଟି ଖାଇବ କ’ଣ? ବଞ୍ଚିବ କେମିତି ? ସେମାନଙ୍କ ସହ ୟା ର ଆଉ ସମ୍ପର୍କ କଣ ? ସେ ଝାଡ଼ି ଝୁଡି ହୋଇ ଉଠିଲା I ମୁହଁକୁ ଆଉ ଥରେ ବେସିନ ରେ ଧୋଇ ସାଙ୍ଗରେ ଆଣିଥିବା କଳା ଆଉ ଲିପିସ୍ଟିକ ଲଗେଇଲା I ପାଉଡର ରୁ ମେଞ୍ଚେ ବୋଳି ହେଲା ଆଉ ପୁଣି ଥରେ ସେଇ ବର୍ଥ ରୁ ମାଗିବା ଆରମ୍ଭ କରିବ ବୋଲି ନିଷ୍ପତି ନେଲା I
ବର୍ଥ ପାଖରେ ପହଞ୍ଚୁ ପହଞ୍ଚୁ ସେ ଶୁଣି ପାରିଲା କିଛି କଥାବାର୍ତା I ୩୫ ବର୍ଷ ର ଲୋକଟା, ସମ୍ଭବତଃ ତା’ର ବଡ ଭାଇ I ମୁହଁ ବଦଳି ଯାଇଥିଲେ ବି କଥାବାର୍ତା କିନ୍ତୁ ଥିଲା ଠିକ ଆଗ ପରି I ସେ ଛିଞ୍ଚାଡି ହୋଇ କଥାବାର୍ତା କରୁ ଥାଏ, “ଡାକ୍ତର କହିଲା କୋଡିଏ ହଜାର ନେବ, ୟେ ଆଉ କେତେ ଦିନ ବଞ୍ଚିବେ ଯେ ୟାଙ୍କ ପାଇଁ ଏବେ କୋଡିଏ ହଜାର ଖର୍ଚ କରିବି I ଏପଟେ ମୋ ସ୍ତ୍ରୀ ପିଲା ଛୁଆ ଅଛନ୍ତି ନା ନାହିଁ I ମୋର ସବୁ ପଇସା ୟାଙ୍କ ପଛରେ ସାରିଲେ ସେମାନେ ଖାଇବେ କଣ?” I ଅଟକି ଗଲା ସେ I ତିରିଶ ସେକେଣ୍ଡ ଶାନ୍ତ ଭାବରେ ଠିଆ ହେଲା ପରେ ସେ ଚାଲିଗଲା ପଛ ବଗି ଆଡକୁ ଆଉ କିଛି ସମୟ ପରେ ପୁଣି ଫେରି ଆସିଲା ପୂର୍ବ ବଗି କୁ I ଏତିକି ସମୟ ଭିତରେ ବୋଧେ ସେ ଯାଇଥିଲା ତା ସାଙ୍ଗ ମାନଙ୍କ ପାଖକୁ ଯେଉଁ ମାନେ ଅନ୍ୟ ବଗି ରେ ପଇସା ମାଗୁଥିଲେ I
ଏଥର ସେ ଆରମ୍ଭ କଲା ପୁଣି ତା ଢଙ୍ଗ ରେ ପଇସା ମାଗିବା I ଏ ହିରୋ.. ଏ ସଲମାନ.. ଦେ.. ନା… କହି ବଡ ଭାଇ ପାଖରେ ହାତ ପତେଇଲା ବେଳକୁ ହାତ କମ୍ପି ଉଠିଲା ତା’ର I ଉତ୍ତର ଆସିଲା ହେଃ.. ଯା ଏଠୁ.. I ମୁହଁ ମୋଡି ଦେଇ ଜାଣି ଜାଣି ରୁମାଲ କୁ ମା’ ଗୋଡ ପାଖରେ ପକେଇ, ଉଠେଇବା ବାହାନା ରେ ମା ର ପାଦ ଛୁଇଁଲା ସେ I ଚମକି ପଡିଲା ମା ର ହାତ କୁ ନିଜ ମୁଣ୍ଡ ଉପରେ ଆଶୀର୍ବାଦ ଭଙ୍ଗୀ ରେ ଦେଖି I ନିଜ ଆଖି ର ଲୁହ କୁ ଲୁଚେଇବା ପାଇଁ ମୁହଁ ବୁଲେଇ ସେ ଆଗେଇ ଗଲା ଆର ବର୍ଥ କୁ ଏ ସଲମାନ ଦେ.. ନା.. ଏ ଶାହରୁଖ ଦେ.. ନା… କହି କହି I
କିଛି ସମୟ ପରେ ବୁଢ଼ୀ ଜଣଙ୍କ ଗୋଡ଼ରେ କିଛି ବାଜିଲା ପରି ଅନୁଭବ କଲେ I ହାତରେ ଉଠେଇ ଦେଖିଲା ବେଳକୁ ଗୋଟେ ପୁଡିଆ, ଆଉ ପୁଡିଆ ଭିତରେ ଥିଲା ପଚିଶ ହଜାର ଟଙ୍କା ସହ ହାତ ଲେଖା ଖଣ୍ଡେ କାଗଜ I
ଲେଖା ଥିଲା “ବାପାଙ୍କୁ ଡାକ୍ତରଖାନା ନେଇ କି ଯାଅ” –ଜିଲୁ I
ସିଗ୍ନାଲ ନ ମିଳିବାରୁ ଟ୍ରେନ ଟି ସେତେବେଳକୁ କୌଣସି ଏକ ପଡିଆ ମଝିରେ ଅଟକି ଥାଏ I ବୁଢା ଆଖିରୁ ଲୁହ ବୋହି କଣ୍ଠରୁଦ୍ଧ ହୋଇ ଆସୁ ଥାଏ I ବୁଢ଼ୀ, ମୋ ଜିଲୁ ମୋ ଜିଲୁ କହି ବଗି ର କବାଟ ଆଡକୁ ଦୌଡ଼ି ଆସିଲା ବେଳକୁ ଟ୍ରେନ ହର୍ନ ମାରି ଚାଲିବା ଆରମ୍ଭ କରି ସାରିଥାଏ I
ପଛରେ ଛାଡି ଯାଉଥାଏ କିଛି ହିଞ୍ଜିଡା ମାନଙ୍କୁ, ଯେଉଁମାନେ କିଛି ସମୟ ପୂର୍ବରୁ ଓ଼ଲ୍ଳେହି ଯାଇଥିଲେ ଟ୍ରେନ ରୁ .. .. ..

— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I