ଦାୟାଦ

ଦାୟାଦ
ସୁବଳ ମହାପାତ୍ର

 

ଘର ର ଦୁଆର ମୁହଁ ଖୋଲା I ଶକୁନ୍ତଳା ଦେବୀ ଦୁଆର ପିଣ୍ଡା ରେ ବସି ଚାଉଳ ବାଛୁଥାନ୍ତି I ହଠାତ ଘର ଭିତରେ କିଏ ଜଣେ ପ୍ରବେଶ କଲା I ଆସ୍ତେ ଆସ୍ତେ ଶକୁନ୍ତଳା ଦେବୀଙ୍କ ପାଖକୁ ଯାଇ ପଛପଟୁ ତାଙ୍କ ବେକ ରେ ଓହଳେଈ ହେଇ ପଡିଲା I
ଶକୁନ୍ତଳା ଦେବୀ ଚାଉଳ ବାଛୁଥିଲେ ସତ, କିନ୍ତୁ ଅନ୍ୟ ମନସ୍କ ଥିଲେ I କେତେ କଣ ଭାବି ଯାଉଥିଲେ I ମନଟା ଆଜି ଗୋଳେଇ ଘାଣ୍ଟି ହେଉଥିଲା I ରଥଯାତ୍ରା ଆଉ ଦି ଦିନ ରହିଲା I ପାଞ୍ଚ ବର୍ଷ ତଳେ ଜଣେ କଥା ଦେଇଥିଲା ରଥଯାତ୍ରା ରେ ଗାଁ କୁ ଆସିବ, କିନ୍ତୁ ଆଉ ଆସିଲାନି I ଫୋନ ରେ କିଛି ଦିନ କଥାବାର୍ତା, କିନ୍ତୁ ତାପରେ ସବୁ ବନ୍ଦ I ସେ ବି କଣ କରିପାରିଥାନ୍ତେ? ଏଠି ଗାଁ ରେ ଘର ତାଙ୍କର I ଗାଁ ରେ ଲୋକ ମାନେ ଜାତିପ୍ରଥା କୁ ନେଇ ଭାରି ସିରିଏସ I ନିଜ ଘରେ ପଛେ ପାଣିରେ ବୁଡ଼ିଯାଉ, ଅନ୍ୟ କୁ ଦେଖେଇ ଶିଖେଇ କହିବା ଲୋକ କିଛି କମ ନାହାନ୍ତି I ଅଜାଣତରେ ତାଙ୍କ ଆଖି ରୁ ଦି ଧାର ଲୁହ ବୋହି ଯାଇ ଥାଏ I
କିଏ ଜଣେ ପଛରୁ ଧରି ପକେଇଲାରୁ ସେ ଚମକି ପଡି ଉଠି ପଡିଲେ I ପିଲାଟା ବେକରେ ଓହଳେଈ ହେଇଥିଲା I ଶକୁନ୍ତଳା ଦେବୀ ଉଠିପଡ଼ିଲା ରୁ ସେ କିଛି ବାଟ ଉପରକୁ ଉଠି ଯାଇ ଖସି ପଡିଲା I ମୁଣ୍ଡ ଟା ମାଟିଘର ଚଟାଣ ରେ ପିଟି ହେଇ ଗଲା I କିନ୍ତୁ କିଛି ହେଇନି I ପିଲାଟା ତଥାପି ହସୁ ଥାଏ I ଭୂଇଁରୁ ପିଲାଟାକୁ ଟେକି ଆଣି …ଆଃ ଲୋ ଲୋ ମୋ ଛୁଆ…. କହି କୋଳେଇ ନେଲେ ତାକୁ I ଲୁଗା କାନି ରେ ମୁଣ୍ଡଟାକୁ ଆଉଁସି ଦେଲେ I ପିଠିଟାକୁ ଥାପୁଡ଼େଇ ଦେଲେ I ପିଲାଟା ଶକୁନ୍ତଳା ଦେବୀଙ୍କୁ ଚାହିଁ “ଜେଜେମା” ବୋଲି ଡାକି ଦେଲା ଆଉ ଗାଲରେ ହାତ ବୁଲେଇ ଚୁମା ଟେ ଦେଲା I ଚମକି ପଡିଲେ ଶକୁନ୍ତଳା ଦେବୀ “ଜେଜେମା” ? କିଏ ଇଏ ? ମୁଁ ତ ୟାକୁ କେବେ ଦେଖିନି ଗାଁ ରେ I କାହାର ଛୁଆ?
ଛୁଆଟା ୩-୪ ବର୍ଷ ର I ଗୁଲୁଗଳିଆ ହୋଇ ଭାରି ସୁନ୍ଦରିଆ ଛୁଆଟିଏ I ଭଲ ଘର ର ଛୁଆ ପରି ଲାଗୁଥାଏ I ନୂଆ ଡ୍ରେସ ପିନ୍ଧିଥାଏ I ଛୁଆ କୁ କାଖେଇ ବାହାରକୁ ଆସିଲେ ଶକୁନ୍ତଳା ଦେବୀ I ବାହାରେ ବି କେହି ନାହାନ୍ତି I ଆରେ ଆରେ କିଏ ଅଛ କଉଠି ? କିନ୍ତୁ ନା କେହି ବି ନାହାନ୍ତି ବାହାରେ I ସେ ସ୍ବପ୍ନ ଦେଖୁଛନ୍ତି କି ଆଉ ? ନିଜକୁ ଚିମୁଟି ଦେଖିଲେ I ହେଲେ ଏ ଛୁଆ କାହାର ? ବ୍ୟସ୍ତ ହେଇ ପଡୁଥିଲେ ସେ I
ଆରେ, ତୋ ନାଁ କ’ଣ ?
ଦରୋଟି ଭାଷା ରେ ଛୁଆଟି କହିଲା, “ଲି..ପୁ..ନ, ଛଦାଛିବ ମିଶ ଲ” I
ତୋ ବାପାଙ୍କ ନା କଣ?
ଜା..ନି..ନି I
ଏଠିକୁ କେମିତି ଆସିଲୁ ?
ଏ..ଇ..ଟା ଆମ ଘ ..ଲ.. I ତମେ ମୋ ଜେ..ଜେ..ମା I
ଶକୁନ୍ତଳା ଦେବୀଙ୍କ ଆଖି ବାହାରେ କାହାକୁ ଖୋଜୁଥିଲା I କିନ୍ତୁ କେହି ନଥିଲେ ବାହାରେ I ପିଲାଟା ଶକୁନ୍ତଳା ଦେବୀଙ୍କ କାନର ଝୁମୁକା ସହ ଖେଳିବା ଆରମ୍ଭ କରି ଦେଇ ଥାଏ I ବ୍ୟସ୍ତ ହେଇ ପଡୁଥିଲେ ଶକୁନ୍ତଳା ଦେବୀ I ଛୁଆଟା ନିଜର ନିଜର ଲାଗୁଥାଏ I ଦେହର ବାସ୍ନା, ପ୍ରକାଶ ପରି I ହେଲେ ଇଏ କଣ ପ୍ରକାଶ ର ଛୁଆ I ନା, ପ୍ରକାଶ ତା ପାଞ୍ଚ ବର୍ଷ ହେଲା ଘରକୁ ଆସିନି I କିନ୍ତୁ ଇଏ ମୋତେ ଜେଜେମା ଡାକୁଛି କାହିଁକି ? ପ୍ରକାଶ ତ ମୋର ଗୋଟିଏ ବୋଲି ପୁଅ I
ତୋ ବାପା ମା କୁଆଡେ ଗଲେ?
ବାପା.. ଙ୍କୁ.. ମୁଁ ଦେଖି.. ନି I ମା ମୋତେ ଏଠି ଛାଡି ଦେଇ ଗ.. ଲା.. ଭା.. ଲି.. I
ଏ ଛୁଆ କିଏ ? କିଏ ତା ବାପା ମା ? କିଛି ଜଣାନାହିଁ I କିଏ ଜଣେ ଛାଡି ଦେଇ ଗଲା ଭାରି I ଶକୁନ୍ତଳା ଦେବୀ କଣ କରିବେ କିଛି ଭାବି ପାରୁ ନଥିଲେ I ଛୁଆ କୁ କୋଳ ରୁ ଓଲ୍ଲାହୁ ଓଲ୍ଲାହୁ ତା ପକେଟ ରେ କିଛି ଥିବା ଅନୁଭବ କଲେ I ପିଲା ଟିକୁ ଓ଼ଲ୍ଳେହି ଦେଇ ପକେଟ ରେ ହାତ ଭର୍ତି କରି ଚିଠି ଗୋଟେ ପାଇଲେ ସେ I ତର ତର ହୋଇ ଚିଠିଟିକୁ ପଢିବାକୁ ଲାଗିଲେ I
ମା,
ପ୍ରଣାମ ନେବେ I ମୁଁ ଆପଣଙ୍କ ବୋହୁ I ବୋହୁ ବୋଲି ତ କହିବାର ଅଧିକାର ନାହିଁ , କିନ୍ତୁ ଲିପୁନ ଆପଣଙ୍କ ନାତି I
ଆପଣଙ୍କର ମନେଥିବ ଆପଣଙ୍କ ପୁଅ ପ୍ରକାଶ ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଗାଁ କୁ ଆସିଥିଲେ ଆଉ ତାଙ୍କ ବାହାଘର ବିଷୟରେ କହିଥିଲେ I କିନ୍ତୁ ଗାଁ ଲୋକଙ୍କ ଭୟରେ ଆପଣ ଆଉ ବାପା ତାଙ୍କୁ ମନା କରିଥିଲେ ଯେ ସେ ଯେଉଁ ଜାଗାରେ ଚାହୁଁଛନ୍ତି ସେଠି ବାହାଘର କରିବା ସମ୍ଭବ ନୁହଁ I ପ୍ରକାଶ ଗାଁ ରୁ ଗଲା ପରେ ବହୁତ ଡିପ୍ରେସ ଥିଲେ I କିଛି ଦିନ ଅଫିସ କୁ ବି ଯାଇ ନଥିଲେ I ବେଳେ ବେଳେ ଆପଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଏତେ ଡିପ୍ରେସ ଥିଲେ ଯେ ତାଙ୍କୁ ଡାକ୍ତର ଦେଖେଇ ମେଡ଼ିସିନ ଦେବାକୁ ହେଉ ଥିଲା I ଡାକ୍ତର କହିଲେ ସେ କେତେ ବେଳେ ବି ଆତ୍ମହତ୍ୟା କରି ପାରନ୍ତି I ତାଙ୍କର ଦେଖାଶୁଣା ଭଲରେ କର I ସେତେବେଳେ ତାଙ୍କର ଦେଖାଶୁଣା କରିବାକୁ ପାଖରେ କେହି ନଥାନ୍ତି I ମୁଁ ବାଧ୍ୟ ହୋଇ ମୋ ରୁମ ଛାଡି ତାଙ୍କ ପାଖରେ ଆସି ରହିଲି I କିଛି ଦିନ ପରେ ସେ ଆସ୍ତେ ଆସ୍ତେ ଭଲ ହୋଇ ଆସିଲେ I ସେତେବେଳେ ମୁଁ ତାଙ୍କ ରୁମ ରେ ହିଁ ରହୁଥାଏ I ମାତ୍ର କିଛି ଦୁର୍ବଳ ମୁହୂର୍ତ ରେ ମୁଁ ହେଲି ଗର୍ଭବତୀ I କିଛି କରିବାର ନଥିଲା I ଦିନେ ସେ ଘର ଛାଡି କୁଆଡେ ଚାଲି ଗଲେ I ଏ ଅବାଂଛିତ ମାତୃତ୍ୱ କୁ ଧରି ମୁଁ ପଡି ରହିଲି ତାଙ୍କ ଅପେକ୍ଷା ରେ I ବିଗତ ପାଞ୍ଚ ବର୍ଷ ହେଲା ମୁଁ ଅପେକ୍ଷା କରିଛି ତାଙ୍କ ଫେରିବା ବାଟକୁ I
କିଛି ଦିନ ପୂର୍ବରୁ ମୋର ଦେହ ଖରାପ ହେଲା I ଡାକ୍ତର କହିଲେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ I ମୋତେ ବ୍ଲଡ଼ କ୍ୟାନ୍ସର I ସେଥିପାଇଁ ଲିପୁନ କୁ ଆପଣଙ୍କ ପାଖେ ଛାଡିବାର ନିଷ୍ପତି ନେଲି I
ମୁଁ ଏବେ ପୁଣି ଫେରି ଯାଉଛି ହସ୍ପିଟାଲ କୁ I ମୋ ପାଖରେ ବୋଧ ହୁଏ ଆଉ ମାସେ ରୁ ଅଧିକ ସମୟ ନାହିଁ I ଦୟା କରି କ୍ଷମା କରି ଦେବେ I ଆପଣଙ୍କ ନାତି ଆପଣଙ୍କୁ ଲାଗିଲା I ପ୍ରକାଶ ଯଦି କେବେ ଫେରି ଆସନ୍ତି ତେବେ ଏ ଚିଠିଟା ତାଙ୍କୁ ଦେବେ ଓ କହିବେ ଲିପୁନ ତାଙ୍କ ପୁଅ I ରହୁଛି I
ଇତି
ଆପଣଙ୍କର ହତଭାଗିନି ବୋହୁ
ଚିଠିଟିକୁ ଏକ ନିଶ୍ୱାସ ରେ ପଢି ସାରି ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଯାଇଥିଲେ I ଆଖିରୁ ଧାର ଧାର ଲୁହ ବୋହୁ ଥାଏ I ପୁଅ କୁ ହରାଇବାର ଦୁଃଖ ଦ୍ବିଗୁଣିତ କରୁଥାଏ ଲିପୁନ ର ମୁହଁ କୁ ଦେଖି I କାହାର କଣ କ୍ଷତି କରିଥିଲା ପିଲାଟି I ନା କେବେ ଦେଖିଛି ବାପା କୁ, ନା ପାଇଲା ମା ର ସ୍ନେହ I ପୁଅ ପ୍ରକାଶ ର କିଛି ଖୋଜ ଖବର ନାହିଁ I କୁଆଡେ ଗଲା ସେ ? ବାପା, ମା ଆଉ ଗାଁ କୁ ଭଲ ପାଉଥିବା ପିଲାଟା ଏତେ ବଦଳି ଗଲା କେମିତି?
ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଅପେକ୍ଷା କରିଥିଲେ ସ୍ୱାମୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କୁ I କିଛି ବୁଦ୍ଧି ଦିଶୁ ନଥିଲା I ଛୁଆ ଟିକୁ ପୁଣି ଥରେ କୋଳେଇ ନେଲେ I
ମନେ ପଡି ଯାଉଥିଲା ତାଙ୍କର…
ପାଞ୍ଚ ବର୍ଷ ତଳେ ପ୍ରକାଶ ଆସିଥିଲା ଗାଁ କୁ I ବାହା ହେବା ପାଇଁ ଝିଅ ଠିକ କରି ସାରିଛି ବୋଲି କହିଲା I ହେଲେ ଝିଅ ଟି ଖ୍ରୀଷ୍ଟିଆନ I ଗାଁ ରେ ଦୁଇ ଚାରି ଜଣ ଜାଣିଲା ପରେ ଘୋର ବିରୋଧ କଲେ I ଗାଁ ଵାଲା ତାଙ୍କୁ ବାଛନ୍ଦ କରିବେ ବୋଲି ଧମକ ଦେଲେ I ବ୍ରାହ୍ମଣ ର ପୁଅ ହୋଇକି ସେ ବାହା ହେବା କିରସ୍ତାନ କୁ?
ଦୁଇ ଚାରିଦିନ ରହି ପ୍ରକାଶ ଫେରି ଯାଇଥିଲା ତା କର୍ମକ୍ଷେତ୍ର ପୁନେ କୁ I କିଛି ଦିନ ଫୋନ ରେ କଥାବାର୍ତା I କଥାବାର୍ତା ବେଳେ ବି ସେ ବହୁତ ଟେନସନ ରେ ରହିଲା ପରି ଲାଗୁଥିଲା I ଅଳ୍ପ କିଛି ଦିନର କଥାବାର୍ତା ପରେ ଫୋନ ବି ବନ୍ଦ କରି ଦେଲା I ଯେତେ ଫୋନ କଲେ ବି ବାରମ୍ବାର ଫୋନ ସ୍ବୀଚ ଅଫ ଆସୁ ଥାଏ I ଶକୁନ୍ତଳା ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I କିଛି ଅନିଷ୍ଟ ହୋଇଥିବା ଭାବି ସ୍ୱାମୀଙ୍କୁ ପୁନେ ପଠେଇଲେ ଖୋଜ ଖବର ନେବା ପାଇଁ I କିନ୍ତୁ ପ୍ରକାଶ ର ଅଫିସ ରେ ବି କେହି କିଛି କହି ପାରିଲେ ନାହିଁ I କେବଳ ଏତିକି କହିଲେ କିଛି ଦିନ ହେବ ସେ ପାଗଳଙ୍କ ପରି ବ୍ୟବହାର କରୁଥିଲା I ଧୁମ ମଦ ପିଉଥିଲା I କିଛିଦିନ ମଦ ପିଇ ଅଫିସ ଆସିବାରୁ ତାକୁ ନୋଟିସ ବି ଦିଆ ହେଇଥିଲା I କିଛି ଦିନ ପରେ ସେ ଅଫିସ ଆସିବା ବନ୍ଦ କରି ଦେଲା I ଅଫିସ ର କିଛି ଲୋକ ତା ଖୋଜ ଖବର ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ I ତା ବିଷୟରେ କେହି ବି କିଛି ଜାଣି ନାହାନ୍ତି I ବିଫଳ ହୋଇ ଫେରିଥିଲେ ସୌମ୍ୟ ରଞ୍ଜନ ବାବୁ I
**********
ବାପା ମା ଙ୍କର ଏକୋଇରବଳା ବିସିକେଶନ କେଉଁଠି ହଜି ଯାଇଛି I ଆଜି ଯାଏ ତା’ର ଖୋଜ ଖବର କିଛି ମିଳିନି I ଏଇ ସମୟରେ ପ୍ରକାଶ ର ପୁଅ ଆସି ଘରେ I ମୁଣ୍ଡ କାମ କରୁ ନଥିଲା I ସ୍ୱାମୀଙ୍କ ବାଟକୁ ଅନେଇ ବସିଥିଲେ I ଗାଁ ଲୋକେ କଣ କହିବେ ଭାବୁଥିଲେ I ସେପଟେ ଚାଉଳ ଅଧା ବଛା ହୋଇ ଥୁଆ ହୋଇ ଥାଏ I ଚୁଲି ରେ ଭାତ ପାଇଁ ପାଣି ଫୁଟୁ ଥାଏ I କୌଣସି କଥା କୁ ଆଉ ଧ୍ୟାନ ନଥାଏ ତାଙ୍କର I ଦାଣ୍ଡ ପିଣ୍ଡା ରେ ବସି ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଦେଖା ଯାଉ ନଥାଏ ତାଙ୍କୁ I
ସୌମ୍ୟ ରଞ୍ଜନ ବାବୁ ଆସିଲା ପରେ ସବୁ ଶୁଣି ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡିଲେ I
ଭାବି ଯାଉଥିଲେ,
ଗାଁ ଲୋକଙ୍କ ବିରୋଧ I ବାଛନ୍ଦ I ସାଇ ଭାଇଙ୍କ ଟାହି ଟାପରା ..
ଏପଟେ ପୁଅ ର ପୁଅ ଆଉ ସେପଟେ ଗାଁ ..
ପୁଅ ର ଦାୟ ନା ଗାଁ ର…
କଣ କରିବେ..?
ସମ୍ପର୍କ ର ଦୋ ଛକି ରେ ଠିଆ ହୋଇଥିଲେ ସେ ..
ଭାବି ପାରୁ ନଥିଲେ ଏବେ ଅବସ୍ଥା କଣ ହେବ?
ମୁଣ୍ଡ ବୁଲେଇ ଦେଉଥିଲା ତାଙ୍କର…
ପଡି ଯାଉ ଯାଉ ଚୌକି ଉପରେ ବସି ପଡିଲେ ସେ ..
କିଛି ସମୟ ପରେ ମୁହଁ ଟା ତାଙ୍କର ଲାଲ ହୋଇ ଉଠିଲା I ସେ ଭୀଷଣ ନିଷ୍ପତି ନେଇ ସାରିଥିଲେ ଏତିକି ସମୟ ଭିତରେ I ଶେଷ ନିଷ୍ପତି ଥିଲା ,”ଯିଏ ଯାହା କହୁ ପଛେ ମୋ ନାତି ମୋ ପାଖରେ ରହିବ I କାଲି ଯାଇ ମୋ ବୋହୁ କୁ ମୁଁ ନେଇ କି ଆସିବି I ତା’ର ଶେଷ ସମୟ ତକ ସେ ଆମ ପାଖେ ରହିବ I ଗାଁ ଲୋକ ବାଛନ୍ଦ କରିବେ ତ କରନ୍ତୁ I ମଣିଷ କୁ ନେଇ ସମାଜ ନା ସମାଜ କୁ ନେଇ ମଣିଷ? ”
ଶକୁନ୍ତଳା ଦେବୀଙ୍କ ମୁଣ୍ଡରୁ କୁଞ୍ଚିତ ରେଖା ଗୁଡିକ କ୍ରମଶଃ ସିଧା ହୋଇ ଆସୁଥିଲେ I ନିଜେ ଜଗନ୍ନାଥ ଯେ ନିଜେ ଆଜି ଏ ଘରେ ପାଦ ଦେଇଛନ୍ତି, ଏକଥା ସେ ହୃଦୟଙ୍ଗମ କରୁଥିଲେ I ମୁହଁ ରେ ଧାରେ ହସ ଲାଖି ରହିଥିଲା I କାଳିଆ ଉଦ୍ଦେଶ୍ୟରେ ହାତ ଯୋଡି ସାରି ସେ ଛୁଆ ଟିକୁ ପଚାରିଲେ ଖାଇଛୁ କଣ?
ସକାଲେ.. ପୁଲି.. ଖାଇଥିଲି I
ଦିନ ଆସି ବାରଟା ହେଲାଣି I ଛୁଆ ଟା ଖାଇନି କିଛି I ଶକୁନ୍ତଳା ଦେବୀ ସ୍ୱାମୀଙ୍କ ପାଖରେ ପିଲାକୁ ଛାଡି ତର ତର ହୋଇ ଉଠି ଗଲେ କିଛି ଖାଦ୍ୟ ଆଣିବାକୁ I
ସୌମ୍ୟ ରଞ୍ଜନ ବାବୁ ପିଲାକୁ କୋଳ କୁ ନେଇ ତା ମୁଣ୍ଡ ଆଉଁସି ଦେଉଥିଲେ I
–x–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ସହରୀ ବୋହୁ….

ସହରୀ ବୋହୁ….
ସୁବଳ ମହାପାତ୍ର

 

ଖରା ଦିନ I ସ୍କୁଲ ଛୁଟି I ବହୁତ ଦିନ ହେଲା ଗାଁ ଆଡେ ଯାଇ ନଥିଲି I ପ୍ରାୟ ୨ ବର୍ଷ ହେଇ ଯିବ I ଭାବିଲି ଯାଏ, ଗାଁ ଆଡେ ଟିକେ ବୁଲି ଆସେ I ମୋ ହିରୋ ହୋଣ୍ଡା ବାଇକ ଧରି ଗାଁ ଅଭିମୁଖେ ବାହାରି ପଡିଲି I ଏକା ଏକା ମଣିଷ, ଯୁଆଡେ ମନ ସିଆଡେ ଯାଅ କିଏ ପଚାରୁଛି I ଖରା ବଢି ବଢି ଚାଲିଥାଏ I ଘରୁ ବାହାରୁ ବାହାରୁ ଦିନ ୧୦ ଟା ହେଇ ଗଲା I ମୋ ରହିବା ଜାଗା ଠୁ ଗାଁ ପ୍ରାୟ ୧୮୦ କିଲୋମିଟର I ପାଖାପାଖି ୪ ଘଣ୍ଟା ଲାଗିବ I ବସ ଛାଡି ବାଇକ ରେ ବାହାରିଲି I ସବୁ ଆଡେ ଦେଖି ଦେଖି ଯାଇ ହବ I ସେମିତି ବି ଗାଁ ରେ ଗଛ ପତ୍ର ବେଶି ତେଣୁ ଗରମ ବେଶି ହୁଏନି I ରାସ୍ତା ସାରା ଗଛ ଭର୍ତି ତେଣୁ ଖରା ବି ବାଧେନି I ପାଖା ପାଖି ୧୨୦ କିଲୋମିଟର ମୁଁ ଅତିକ୍ରମ କରି ସାରିଥାଏ I ରାସ୍ତା କଡ ରେ ଜାମୁକୋଳି ବିକ୍ରି ହେଉଥିବା ଦେଖି ଗାଡି ରଖିଲି I ଜାମୁ କୋଳି ମୋର ବହୁତ ପ୍ରିୟ, କିନ୍ତୁ ଏ ସହରରେ ରହିଲା ପରେ ନା ଜାମୁକୋଳି କିଣି କି ଖାଇ ହେଉଛି ନା ସେ ଜାମୁକୋଳି ର ସ୍ୱାଦ ଅଛି I
ବୁଢ଼ୀ ମାଉସୀ ଜଣେ ଜାମୁକୋଳି ବିକ୍ରି କରୁ ଥାନ୍ତି I ବୟସ ପାଖା ପାଖି ୭୫-୮୦ I ଏକା ଏକା ରାସ୍ତା କଡରେ ବସିଥାଏ ବୁଢ଼ୀ ମାଉସୀ I ଆଖ ପାଖରେ କେହି ବି ନଥାନ୍ତି I ଜାମୁକୋଳି ଭାଗ ୧୦ ଟଙ୍କା I ଗୋଟେ ଭାଗ ରେ ୨୦ ଟା ପାଖାପାଖି କୋଳି ଥାଏ I ସହରିଆ ଲୋକଙ୍କର ଅଭ୍ୟାସ ମୁଲା ମୁଲି କରିବା I ମୁଁ ବି ମାଉସୀ କୁ ଆଉ ଦି ଟା ଆଉ ଦି ଟା କହି ମୋ ଭାଗ ବଢ଼େଇ ଚାଲି ଥାଏ I ମାଉସୀ ବି ନାହିଁ ନାହିଁ କରି ଗୋଟେ ଗୋଟେ ଦେଉ ଥାଏ I ମାଉସୀ ଜାମୁକୋଳି ବଢା଼ଉ ବଢା଼ଉ ଦେଖିଲି ମାଉସୀ ହାତରେ ଗୋଟେ ଆଁଚୁଡା ଦାଗ I ଦାଗ ଟା କହୁଣୀ ପାଖରୁ କାନ୍ଧ ଯାଏ ଲମ୍ବି ଥାଏ I ମଜା ମଜା ରେ ପଚାରିଦେଲି, “କଣ ମାଉସୀ, ଗଛରେ ଚଢ଼ିଥିଲ କି?, ହାତ ଗୋଡ ଖଣ୍ଡିଆ କରି କି ଆସିଛ ” I ମାଉସୀ ମୁହଁ ତଳକୁ କରି ଦେଲା I ମୁଁ ମାଉସୀ କୁ ୨୦ ଟଙ୍କା ଦେଇ ୨ ଭାଗ ଜାମୁକୋଳି ପଲିଥିନ ରେ ଭର୍ତି କଲି I
ଗାଡି ଚଢି ଷ୍ଟାଟ ମାରିବା ପୂର୍ବରୁ ଦେଖିଲି ମାଉସୀ ଆଖି ରେ ଲୁହ ଢଳ ଢଳ କରୁଥିଲା I କ’ଣ ମନ ହେଲା, ଫେରି ଆସି ମାଉସୀ କୁ କହିଲି, ଅଧିକ ଦି ଟା ନେଇ ଗଲି ବୋଲି ମନ ଦୁଃଖ କରୁଛ କି ମାଉସୀ ? ମାଉସୀ କହିଲା ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ? ଆଉ ଟିକେ ମାଉସୀ ସହ କଥା ହବାକୁ ଇଛା ହେଲା I ସେମିତି ବି ଖରା ବଢି ଯାଇଥାଏ I ମୁଁ ଆସୁଛି ବୋଲି ଗାଁ ରେ କାହାକୁ ଜଣେଇ ନଥାଏ, ତେଣୁ ମୋ ପାଇଁ କେହି ବି ବ୍ୟସ୍ତ ହେବାର ନାହିଁ I ଗଛ ମୂଳରେ ଥଣ୍ଡା ପବନ ମନକୁ ଶାନ୍ତ କରି ଦେଉ ଥାଏ I ମନ ହେଉଥାଏ ଦଉଡ଼ିଆ ଖଟ ଗୋଟେ ପକେଇ ଏଇ ଗଛ ମୂଳେ ଶୋଇ ଯିବାକୁ I ସହରରେ କଣ ମିଳିବ ଏ ଆନନ୍ଦ I ମାଉସୀ ସହ କଥା ହେବା ପାଇଁ ତା ପାଲ ଉପରେ ବସି ପଡିଲି I ମାଉସୀ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ବସିଥାଏ I ମାଉସୀ କୁ ପଚାରିଲି ତା’ ଘର କଥା I ମାଉସୀ କହିବ, କହିବନି, କହିବ, କହିବନି ହେଲା I ମୁଁ ବି ନଛୋଡବନ୍ଧା I ସ୍କୁଲ ରେ ପିଲାଙ୍କଠାରୁ ସତ ଆଦାୟ କରିବା କାଇଦା ଜଣା ମୋତେ I ବୁଲେଇ ଵାଲେଇ ମାଉସୀ ଠୁ କଥା ଆଦାୟ କଲି I ମାଉସୀ କୁ ତା ସ୍ୱାମୀ କଥା ପଚାରିଲି I କହୁ କହୁ ମାଉସୀ ମଝିରେ ମଝିରେ କାନ୍ଦି ପକାଉ ଥାଏ ଆଉ ବର୍ଣନା କରୁଥାଏ ତା ଘର କଥା I
୧୬ ବର୍ଷ ରେ ସେ ବୋହୁ ହେଇ ଆସିଥିଲା ଏ ଗାଁ କୁ I ସେତେବେଳେ ତା ସ୍ୱାମୀ ର ବୟସ ୨୭ ବର୍ଷ I ଭେଣ୍ଡିଆ ପିଲା, ବଳିଷ୍ଠ ବାହୁ, ଚଉଡା ଛାତି ସାଙ୍ଗକୁ, ହାତୀଟାକର ବଳ ତା ସ୍ୱାମୀ ଦେହରେ I ଛୋଟ ଛୁଆ ହାତରେ କଣ୍ଢେଇ ପରିକା ଦେଖା ଯାଉ ଥାଏ ମାଉସୀ ତା ସ୍ୱାମୀ ସାଙ୍ଗେ I ଘରେ ଶାଶୁ ଶଶୁର ଆଉ ଗୋଟିଏ ବୋଲି ନଣନ୍ଦ I ସେ କହି ଚାଲି ଥାଏ, ” ବାପ ଘରୁ ଆସିଲା ବେଳେ ମା ମୋତେ ସବୁ ଶିଖେଇ କି ପଠେଇ ଥିଲା I ପିଠା କରା ଠୁ ଘଷି ପରା ଯାଏ, ମାଉଁସ ରନ୍ଧା ଠୁ ଗୋବର ଲିପା ଯାଏ, ସଅବୁ I ବଡ ମାନଙ୍କୁ ସମ୍ମାନ ସହ ସାନ ମାନଙ୍କୁ ସ୍ନେହ ଆଉ ଶାଶୁ ଘରେ କେମିତି ଚଳିବାକୁ ହୁଏ, ସବୁ ମୋ ମା ମୋତେ ଶିଖେଇ ଥିଲା I ମୋ ଶାଶୁ ଶଶୁର ମଲେ ପଛେ କେବେ ବି ଆମ ପାଖରୁ କଡା କଥା ଶୁଣି ନଥିଲେ I ଶଶୁରଙ୍କ ମୁହଁ କୁ ଯିବାକୁ ଡର ଲାଗୁଥିଲା I ଶାଶୁ ଉଠ କହିଲେ ଉଠୁଥିଲୁ, ବସ କହିଲେ ବସୁଥିଲୁ I ନା କହିବାର ଜୁ ନଥିଲା I ନଣନ୍ଦ ମୋ ସାଙ୍ଗ ପରି ଥିଲା I କିଛି ଅଛପା ନଥିଲା ଆମ ଦୁହିଁଙ୍କ ଭିତରେ I ନୂଆଉ, ନୂଆଉ ବୋଲି ପାଣି ପିଉ ନଥିଲା ସେ I ସ୍ନେହ ଆଦର ର ସହ ଚାଲୁଥିଲା ଆମ ଘର ସଂସାର ” I ଆଉ ଏବେ.. ଛିଃ ଛିଃ… ଯଉ ମାଇକିନା ଖଣ୍ଡେ ଖଣ୍ଡେ, ପାଠ ଦି ଅକ୍ଷର କ’ଣ ପଢି ଦେଲେ ବୋଲି ବଡ କୁ ବଡ ଆଉ ସାନ କୁ ସାନ ବୋଲି ମାନୁ ନାହାନ୍ତି I ଆମ ଗାଁ ଝିଅ ଭଲ, ଏ ଯଉ ସହରୀ ଝିଅ ଅଛନ୍ତି ସେ ଭାରି ମାରାତ୍ମକ I
ମୁଁ ପଚାରି ଦେଲି କାଇଁ, କଣ ହେଲା କି ମାଉସୀ? ତମକୁ କିଏ କଣ କହିଲା କି? ମାଉସୀ ର ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା I କହିଲା ମୋତେ ଏବେ ୩କୋଡ଼ି ପୁରି ୧୬ ଚାଲିଲା I ମୋ ଘଇତା କୁ ୪କୋଡ଼ି ୭ I ତାର ଆଉ ବଳ ବୟସ ନାହିଁ I ବୁଢା ଶେଜ ରେ ଶୋଇ ରହୁଛି I ଚାଲିବାକୁ ବଳ ନାହିଁ I ମୋର ଗୋଟିଏ ପୁଅ ଗୋଟିଏ ଝିଅ I ଝିଅ କୁ ବାହା ଦେଇଛି I ସେ ମଝିରେ ମଝିରେ ଘରକୁ ଆସୁଥିଲା I ତା ଭାଇ, ସେ ଶାଶୂଘରକୁ ଗଲା ବେଳେ ଭାର ଆଉ ପଇସା ଦେଲାନି ବୋଲି ଏବେ ଆଉ ଆସୁନି I ପୁଅ ସହରରେ ରହେ I ସେଠାରେ ଗୋଟେ ଦୋକାନ ରେ କାମ କରେ I ମାସକୁ ଥରେ ଘରକୁ ଆସେ I ଦିନେ ଘରକୁ ଆସିଲା ବେଳେ ସହରରୁ ଝିଅଟେ ଧରି କି ଆସିଲା I ମୋର କେତେ ଆଶା ଥିଲା ପୁଅ କୁ ବାହାଘର କରିବି I ହେଲାନି, ସେ କୁଆଡୁ ଗୋଟେ ଧରିକି ଆସିଲା I କହିଲା ମନ୍ଦିର ରେ ବାହା ହେଇ ସାରିଚୁ, ଆଉ ପଇସା ଖର୍ଚ କରିବା ଦରକାର ନାହିଁ I ଯାହା ଟଙ୍କା ସୁନା ତା’ ବାହାଘର ପାଇଁ ରଖିଥିଲି ସବୁ ନେଇ ଗଲା I ଏ ଗଳଗ୍ରହ କୁ ଏଠି ଛାଡ଼ିଦେଇ ଗଲା I ଆମେ ତ ଆଉ କାମ ଦାମ କୁ ପାରୁନୁ I ବୋହୁ ରୋଷେଇ ବାସ, ଘର କାମ ପାଇଟି ସବୁ କରେ I ମାସ ଦି ଟା ଯାଇଛି କି ନାହିଁ ସେ ତା ରଙ୍ଗ ଦେଖେଇବା ଆରମ୍ଭ କଲା I କଥା କଥା ରେ ପାଟି, ଗାଳି, ଅସଭ୍ୟ ଭାଷା ସବୁ କହିଲା I ଥରେ ଅଧେ ପୁଅ କୁ କହିଲି, ପୁଅ ଶୁଣି, ନ ଶୁଣିଲା ପରିକା ହେଲା I କହିଲା, ସେ ସହରୀ ଝିଅ, କାମ ଦାମ କରି ନଥିଲା, ଏଠି ଟିକେ ହଇରାଣ ହଉଚି, କଣ ଯଦି ଟିକେ କହିଦେଲା ତୁ ଦିହ କୁ ନେଏ ନି I ଆସ୍ତେ ଆସ୍ତେ ତା ଦୌରାତ୍ମ୍ୟ ବଢି ବଢି ଚାଲିଲା I ମୁଁ କେତେ ବେଳେ କେମିତି ଆଗରୁ କହି ଦଉ ଥିଲି I ଏବେ ତ ସେ ମାରିବାକୁ ଗୋଡ଼ଉଛି I
ମୁଁ ପଚାରିଲି, ମାଉସୀ ଏ ଜାମୁ କୋଳି କେବେଠୁ ବିକ୍ରି କରୁଛ? ମାଉସୀ ପୁଣି ଆରମ୍ଭ କଲା ,”୧୫ ଦିନ ହେଲାଣି I ଦିନକୁ ୧୦୦ ଟଙ୍କା ର ବିକ୍ରି ନକଲେ, ସେ ଡାହାଣୀ ଖାଇବାକୁ ଦଉନି I ଏ ଜାମୁ ଗଛ ମୁଁ ବାହା ହେଇ ଆସିବାର ବର୍ଷେ ପୁରିବା ଦିନ ବୁଢା ଆଉ ମୁଁ ନିଜ ହାତରେ ଲଗେଇ ଥିଲୁ I ଏବେ ଏଇ ଆମର ଭରସା I ସବୁଦିନ ସକାଳୁ ଉଠି ଆଙ୍କୁଡ଼ି ରେ କୋଳି ପାରେ ଆଉ ଧରିକି ଏଠାକୁ ଆସେ I ୧୦୦ ଟଙ୍କା ନେଇ କି ନଗଲେ ସେ ସବାଖାଇ ରାତିରେ ଖାଇବାକୁ ଦିଏନି I ବୁଢା କୁ ଠିଆ ଗୋଇଠା ମାରେ I ସକାଳୁ ପଖାଳ ଗଣ୍ଡେ ଯାହା ଖାଇ ଥାଏ I ବେଳେ ବେଳେ ବୁଢାକୁ ଖାଇବାକୁ ଦିଏନି I କହେ, ଏଟା ର ତ ଆଉ କିଛି କାମ ନାହିଁ , ଏଟା ବଞ୍ଚିକି ଯାହା ଅନ୍ନ ଧ୍ୱଂସ କରୁଛି I ମରିଗଲେ ଯାଆନ୍ତା I ମୁଁ କାମ କୁ ପାରୁଛି ବୋଲି ମୋତେ ପଖାଳ ମୁଠେ ମୁଠେ ଦିଏ I ମୁଁ ତାକୁ ଲୁଚେଇ ବୁଢା ପାଟିରେ ଗୂଂଡେ ଗୂଂଡେ ଦେଇ ଦିଏ I କାଲି ଜମା ଦି କୋଡ଼ି ୧୦ ଟଙ୍କା ହେଲା ବୋଲି ସେ ବୁଢାକୁ ଖାଇବାକୁ ଦେଲାନି I ମୁଁ ଲୁଚେଇକି ମୋ ଭାଗ ରୁ ଦେଲା ବେଳେ ଦେଖି ଦେଲା ଯେ ମାରି କି ନୋଳା ଫଟେଇ ଦେଇଛି I ହାତ ରେ ଯାହା ପଡିଲା ସେଇଥିରେ ବାଡ଼ଉଛି ” I ଏତିକି କହି ଲୁହ ଢଳ ଢଳ ଆଖିରେ ମାଉସୀ ତା’ ହାତ ର ଆଁଚୁଡା ଦାଗ କୁ ଦେଖେଇଲା I କହିଲା, “ଚୁଲି ମୁଣ୍ଡେ ଜାଳ ପାଇଁ ବାଉଁଶ ଫାଳ ରଖିଥିଲା, ସେଇଥିରେ ବାଡେଇଛି I ” ମାଉସୀ ହାତର ନୋଳା ଦେଖି ମୋ ଆଖି ଓଦା ହେଇ ଆସିଲା I ମଣିଷ ଯେ ଏତେ ନିଷ୍ଠୁର ହେଇ ପାରେ, ମୋ କଳ୍ପନା ବାହାରେ ଥିଲା I
ମୁଁ କହିଲି ମାଉସୀ, ତମେ ଗାଁ ରେ ସରପଞ୍ଚ କୁ କହୁନ, ଏବେ ତ କେତେ ଆଇନ ହେଲାଣି I ମାଉସୀ କହିଲା, “ପୁଅ ରେ, ସାଇ ପଡିସା, ଭାଇ ଭଗାରୀ ମାନେ ତ ସବୁ କଥା ଦେଖି ନାକରେ କାଠି ଗେଞ୍ଜି ହସୁଛନ୍ତି I ଆଉ କଣ କୋରଟ, କଚିରି ରେ କଥା ପକେଇ ନିଜକୁ ଲାଜ ଦେବି I ନିଜ ଘର ଇଜତ ତଳେ ପକେଇବି? ବୟସ ଆଉ ଅଛି, କୋରଟ କୁ ଧାଇଁବାକୁ ? ଆମେ ତ ପାଚିଲା ପତର, କେତେବେଳେ ଛିଡି ପଈଲେ ଗଲା I କଣ ମିଳିବ ସେ କୋରଟ, କଚିରି ରୁ ” I
ମୁଁ ପଚାରିଲି, ଆଚ୍ଛା ମାଉସୀ, ଆଜି ସକାଳୁ କଣ ଖାଇଛ? ମାଉସୀ ଆଉ କୋହ ସମ୍ଭାଳି ପାରିଲା ନାହିଁ I କାନ୍ଦି କାନ୍ଦି କହିଲା, ସକାଳୁ କଂସା ରେ ଭାତ ଗଣି ଗଣି ୨ ଟା ଆଉ ତୋରାଣି ମୁନ୍ଦେ ମୋ ଆଗରେ ଥୋଇ ଦେଲା I ବୁଢା କୁ ଦେଲାନି I ସେ ଗାଧେଇ ଗଲା ବେଳେ ମୁଁ ବୁଢାକୁ ତୋରାଣି ତକ ପିଏଇ ଦେଇ ଆଇଲି I ଆସିଲା ବେଳେ ଗୁଡ଼ିଆ ଘରୁ ଭୁଜା ଦି କଳ ମାଗି କି ଆଣି ଥିଲି ଯେ ଅଣ୍ଟି ରେ ବନ୍ଧା ହେଇଚି I ପାଟିକୁ ୠଚୁନି I ଆଜି ଯଦି ୧୦୦ ଟଙ୍କା ନହେବ, ସେ ଆଜିବି ଖାଇବାକୁ ଦବନି I ମୁଁ ତ ହେଲେ ପାରୁଚି, ବୁଢା ନଖାଇଲେ ଆଉ ବଞ୍ଚିବ? ବୁଢା ପାଇଁ ଏଇ ତକ ରଖିଛି I ସେ ମୋତେ ତା କାନି ରେ ବନ୍ଧା ହୋଇଥିବା ଦି ମୁଠା ମୁଢି ଦେଖେଇଲା I ମୁଢି ସେତେ ବେଳକୁ ଶୁଖି କି ସେମେଟି ଯାଇଥାଏ I ମୋ ଆଖିର ଲୁହ ଆଉ କଥା ମାନିବା ଅବସ୍ଥା ରେ ନଥାନ୍ତି I
ମୁଁ ଚିନ୍ତା କରୁ ଥାଏ, ସକାଳୁ ମୁଁ ବରା ଆଉ ଆଳୁଚପ ୨୦ ଟଙ୍କା ର ଖାଇଛି I ଆସିଲା ବେଳେ ପଛ ଛକରେ ୧୦୦ ଟଙ୍କା ଦେଇ ମାଂସ ଆଉ ଭାତ ଖାଇକି ଆସିଲି I ଏଇ ବୁଢ଼ୀ ପାଖରୁ ଆଉ ଦି ଟା, ଆଉ ଦି ଟା, କରି ଭାଗ ୧୦ ଟଙ୍କା ରେ ୩୦ ଟା ଜାମୁ କୋଳି ହିସାବରେ ୨ ଭାଗ ପଲିଥିନ ରେ ରଖିଛି I ଏଠି ସୁଲୁ ସୁଲିଆ ପବନ ରେ ଆଖି ମାଡି ମାଡି ପଡୁଥିଲା I ଆଉ ଏ ବୁଢ଼ୀ ଲୋକ ଟି ନିଜ ବାସି ତୋରାଣି ତା ସ୍ୱାମୀ କୁ ଦେଇ ମୁଢି ଦି ଟା ବି ନଖାଇ ସକାଳ ପହରୁ କଞ୍ଚା ପାଣି ମୁନ୍ଦେ ପିଇ ଏଠି ବସିଛି, କିନ୍ତୁ କି ମିଠା କଥାରେ ସେ ମୋତେ କହିଥିଲା, “ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ?” I କେତେ ବଡ ହୃଦୟ ଏମାନଙ୍କର I ପାଖରେ ପଇସା ନାହିଁ, ଦି ଦିନ ହେଲା ପେଟରେ ଅନ୍ନ ମୁଠେ ପଡିନି I ବୁଢା ବୁଢ଼ୀ ବୟସ ରେ ବୋହୁ ପାଖରୁ ମାଡ ଖାଉଛନ୍ତି I ତଥାପି ମୁହଁ ରେ ହସ ଅଛି I ସବୁ କିଛି ସହି ନେବାର ଶକ୍ତି ଅଛି ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଜଣଙ୍କ ପ୍ରତି ଆଉ ଜଣକ ର ଭଲ ପାଇବା ଅଛି I ସତରେ ଏମାନେ ମହାନ I
ମୁଁ ଆଉ ସେଠି ବସି ପାରିବା ଅବସ୍ଥା ରେ ନଥିଲି I ପର୍ସ ରୁ ୨୦୦ ଟଙ୍କା ବାହାର କରି ମାଉସୀ ହାତରେ ଧରେଇ ଦେଲି I କହିଲି ମାଉସୀ ଏଇଟା ମୋ ତରଫରୁ ତମ ମିଠା ମିଠା କଥା ପାଇଁ I ବୁଢ଼ୀ କହିଲା, “ବାବୁ, ମୁଁ ଭିକାରି ନୁହଁ ” I
ପୁଅ ରୁ ବାବୁ? କିଛି ସମୟ ପୂର୍ବରୁ କେତେ ଅତ୍ମୀୟତା ରେ ସେ ପୁଅ କହୁଥିଲା I ଏବେ ବାବୁ? କି ସ୍ୱାଭିମାନ ଏ ବୁଢ଼ୀର I ମରି ଯିବେ ପଛେ ଭିକ ନେବେନି I
ମୁଁ କହିଲି ମାଉସୀ, ମୁଁ ଭିକ ଦଉନି I ତମର ସବୁ ଯାକ ଜାମୁକୋଳି ମୁଁ କିଣି ନେଲି I ନିଅ ରଖ I ଆଉ ତମ ବୋହୁ କୁ ଆଜି ୧୦୦ ଟଙ୍କା ଦବ ଆଉ ୧୦୦ ଟଙ୍କା କାଲି ଦବ I ହେଲା I ବୁଢ଼ୀ ମୁହଁ ରେ ହସ ଦେଖି ଯେତେ ଆତ୍ମ ତୃପ୍ତି ମିଳିଲା, ମୋ ଜୀବନରେ ସେ ଭଳି ଖୁସି ମୋତେ ଆଜି ଯାଏ ମିଳି ନଥିଲା I ବୁଢ଼ୀ ମୋତେ ଆଶ୍ରିବାଦ ଦେଉ ଦେଉ ମୋ ପାଇଁ କୋଳି ତକ ପଲିଥିନ ରେ ବାନ୍ଧି ଦେଲା I ଆଉ ତା’ ସରୁ ଟାଣୁଆ ଶିରାଳ ହାତ ଟା ମୋ ମୁଣ୍ଡ ଉପରେ ବୁଲେଇ ଆଣିଲା I
ମୁଁ ଆଉ ଗାଁ କୁ ନଯାଇ ପୁଣି ସହରକୁ ଗାଡି ବୁଲେଇଲି I ଆସିଲା ବେଳେ ବୁଢ଼ୀ ପୁଅ ର ଠିକଣା ଟା ବୁଝି କି ଆସିଥିଲି I ଠିକ କଲି ଘର କୁ ଯିବା ପୂର୍ବରୁ ତା ପୁଅ କୁ ଟିକେ ଦେଖା କରି କି ଯିବି I ଆସିଲା ବେଳେ ଭାବି ଭାବି ଆସୁଥିଲି ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ I ସେଇ ବୁଢ଼ୀ ଗାଁ ଝିଅ, ବୋହୁ ବେଳେ କଣ ନକରି ଥିଲା? ଆଉ ଶାଶୁ ହେଲା ପରେ କଣ ପାଇଲା I ଏଥିରେ ଭୁଲ କାହାର? ନ୍ୟୁକ୍ଲିଅର ଫ୍ୟାମିଲି ର ନା ସହରୀ ଝିଅ ମାନଙ୍କର ନା ସେମାନଙ୍କ ମା ବାପାଙ୍କର?
କିଛିଦିନ ପୂର୍ବରୁ ଫେସବୁକ ରେ ଗୋଟେ ଫୋଟୋ ଦେଖିଥିଲି, ଯେଉଁଥିରେ ଲେଖା ଥିଲା, “ଦରକାର ଥାଉ ଵା ନଥାଉ, ବେଳେ ବେଳେ କିଛି ଜିନିଷ ଅକାରଣ ରେ କିଣିବା କଥା I କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ ପାଇଁ ” I ଆଜି ହୃଦୟଙ୍ଗମ କରୁଥିଲି I
——————————–xxx——————————–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ତୃତୀୟ ଲିଙ୍ଗ

ତୃତୀୟ ଲିଙ୍ଗ 
ସୁବଳ ମହାପାତ୍ର

ଏ ଶାହରୁଖ ଦେ.. ନା..
ଏ ଚିକନେ, ଏ ସଲମାନ ଦେ.. ନା ..
ଏ ହିରୋ .. ଦେ.. ନା..
ହାତରେ ମେଞ୍ଚେ ଦଶ ଟଙ୍କିଆ ଧରି ତାଳି ବଜେଇ ବଜେଇ ଟ୍ରେନ ର ବଗି ଭିତରକୁ ପଶିଲା ସେ I ବୟସ ୨୮-୩୦ ହେବ I ମଝିରୁ ଭଙ୍ଗା ଯାଇଥିବା ଦଶ ଟଙ୍କିଆ ଗୁଡିଏ ତା ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ମଝିରେ ପଶି ରହିଥାନ୍ତି I ଏମିତି ଭାବରେ ଧରି ରଖିଥାଏ ଯେ ଗୋଟେ ହେଲେ ବି ତଳେ ପଡ଼ିବନି I ଦୁଇ ହାତରେ ଜୋର ରେ ତାଳି ବଜେଇ ବଜେଇ ଆଗକୁ ମାଡି ଚାଲିଥାଏ ସେ ଆଉ କାହାଠୁ ପାଞ୍ଚ କାହାଠୁ ଦଶ ଅବା କାହାଠୁ ପଚାଶ ପାଇ ସେ ଚାଲି ଯାଉଥାଏ ଆଗକୁ ଆଗକୁ I ପ୍ରତି ବର୍ଥ ଭିତରେ ପଶି ସେ ଦେଖୁଥାଏ କିଏ କିଏ ସବୁ ଗଜା ଟୋକା ଅଛନ୍ତି I ଭଲ ମିଳିବ ସେମାନଙ୍କଠୁ I ଏ ବୁଢା ଗୁଡା ପଇସା ଦିଅନ୍ତିନି I କିଏ କିଏ ଛେଇ ଛେଇ ମାର ମାର କରନ୍ତି ଆଉ କିଏ କିଏ ମୁହଁ ଏପରି ମୋଡି ଅନ୍ୟ ଆଡେ ଚାହାନ୍ତି ଯେପରି ସେମାନେ ପୃଥିବୀ ର ସବୁଠୁ ଘୃଣ୍ୟ ବସ୍ତୁ ଟିଏ ଦେଖୁଛନ୍ତି I ଅବଶୋଷ ନଥାଏ ତା’ର I ଯିଏ ଯାହା ଦେଲା I କାହାକୁ ନା ନାହିଁ I କିଏ କିଏ ଅବା ଟଙ୍କାକିଆ କିମ୍ବା ଦି ଟଙ୍କିଆ କଏନ ଗୋଟେ ଯୋଡ଼େ ଦିଅନ୍ତି I ସେ କାହାକୁ ଜୁଲୁମ କରୁ ନଥାଏ ଅବା କାହାକୁ ଅସଭ୍ୟ ଭାଷା ରେ ଗାଳି କରୁ ନଥାଏ I ଅନ୍ୟ ମାନଙ୍କ ପରି ସେ ଜୋର ଜବରଦସ୍ତି କରୁ ନଥାଏ ଅବା ଦେ.. ଦେ.. କହି ଲୁଗା ଉଠାଉ ନଥାଏ I ଶାନ୍ତ ସରଳ ଭାବରେ ଚିରାଚରିତ ଢଙ୍ଗରେ ଏ ଶାହରୁଖ ଦେ.. ନା.. ଏ ଚିକନେ, ଏ ସଲମାନ ଦେ.. ନା .. କହି କହି ହାତ ପତଉଥାଏ ବଗି ଭିତରେ ବସିଥିବା ପ୍ରତିଟି ମଣିଷଙ୍କ ପାଖରେ ଆଉ ଯିଏ ଯାହା ଦେଲା ତାକୁ ମଝିରୁ ଭାଙ୍ଗି ନିଜ ବାମ ହାତରେ ଧରୁଥାଏ I ତାକୁ ଦେଖି କିଏ କିଏ ନିଜ ଜାଗା ଛାଡି ଚାଲି ଚାଲି କବାଟ ପାଖକୁ ଯାଉଥାନ୍ତି ଯେମିତି ସେ ଏମାନଙ୍କୁ ପଇସା ମାଗିବନି କିମ୍ବା ସେ ଆସିଲା ବେଳକୁ ପଶି ଯାଇ ହେବ ଶୌଚାଳୟ ଭିତରେ I
ଟ୍ରେନ ଚାଲିଥାଏ ତା ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ I ମଝିରେ ମଝିରେ କୌଣସି ଷ୍ଟେସନ ଅବା ସିଗ୍ନାଲ ନ ମିଳିଲେ ଠିଆ ହୋଇ ଯାଉଥାଏ ଘଡ଼ିଏ, ପୁଣି ଚାଲିବାକୁ ଆରମ୍ଭ କରୁଥାଏ ହ୍ୱିସିଲ ବଜେଇ I ତାକୁ କିନ୍ତୁ କିଛି ଫରକ ପଡୁ ନଥାଏ I ପଛ ଷ୍ଟେସନ ଗଲା ବ୍ରହ୍ମପୁର I ଟ୍ରେନ ଚାଲୁଥାଏ ଭୁବନେଶ୍ୱର ରୁ ବାଙ୍ଗାଲୋର I ଯାତ୍ରୀମାନେ ସକାଳ ୬ ଟା ରୁ ଟ୍ରେନ ରେ ବସିଛନ୍ତି I କିଏ କିଏ ଅବା ଅପର ବର୍ଥ ରେ ଶୋଇଛନ୍ତି I କିଏ ଢୁଳାଉ ଥାଏ ତ କିଏ ତାସ ଖେଳରେ ମଗ୍ନ I କିଏ ଅବା ଖବରକାଗଜ କିମ୍ବା ଗପ ବହିଟିଏ ଧରି ପଢ଼ୁଥାନ୍ତି I ଆଉ କିଏ କିଏ ନିଜ ପାଖ ପଡୋଶୀ ର ଘର କେଉଁଠି, ସମ୍ପର୍କ ର ଅଡୁଆ ସୁତା ଭିତରୁ ସେ କାହାର ସାଙ୍ଗ ଅବା ସେ କେମିତି ତା ର ଚିନ୍ହା, କେବେ ଯାଇଥିଲା ତାଙ୍କ ଗାଁ ଆଡେ, କି ତାଙ୍କ ଗାଁ ପାଖରେ ତା ର କେଉଁ ସାଙ୍ଗ ର ଘର, ଏଭଳି ଗପ ରେ ମଗ୍ନ I ଛୁଆ ମାନେ ସବୁ ବିସ୍କୁଟ କିମ୍ବା କୁରକୁରେ ପ୍ୟାକେଟ ଟିଏ ଧରି ଖାଇବାରେ ବ୍ୟସ୍ତ କିମ୍ବା ଖେଳିବାରେ ବ୍ୟସ୍ତ I ଛୋଟ ପିଲା କିଏ ଭେଁ ଭାଁ ରଡି ଛାଡ଼ୁଛି I କିଏ ଅବା, ସିଟ ଟି ତା’ର କିନ୍ତୁ ୱେଟିଂ ଲିଷ୍ଟ ଵାଲା ଜଣେ ସେ ସିଟ ରେ ବସିଥିବାରୁ ତାକୁ ଉଠେଇବାରେ ବ୍ୟସ୍ତ I ଏହିପରି ଏକ ସମୟ ଭିତରେ ପଶିଲା ସେ I କିଏ କଣ କରୁଛି କିମ୍ବା କିଏ କଣ ଭାବିବ ଏ କଥା ବୁଝିବାକୁ ସମୟ ନାହିଁ ତା’ର I ବଗି ଭିତରେ ପଶିଲା ପରଠୁ ସେ ହାତ ପତେଇ କୁହାଟ ଛାଡି ତାଳି ବାଡେଇ ନେଇ ଯାଉଥାଏ ଦଶ ଟଙ୍କା ଲେଖାଏଁ I ତା ହାତରେ ଥିବା ଦଶ ଟଙ୍କିଆ ମାନଙ୍କର କଳେବର ବଢ଼େଇ ବଢ଼େଇ ଗୋଟେ ପରେ ଗୋଟେ ବର୍ଥ ସେ ଅତିକ୍ରମ କରି ଚାଲିଥାଏ I
ହଠାତ କାହାର ମୁହଁ ଦେଖି ଅଟକି ଗଲା ସେ I ବର୍ଥ ଭିତରେ ତଳ ସିଟ ରେ ଶୋଇଥାନ୍ତି ୫୫-୬୦ ବର୍ଷ ବୟସ ର ବ୍ୟକ୍ତି ଜଣେ I ପାଖରେ ୫୦- ୫୫ ବର୍ଷ ବୟସ୍କା ସ୍ତ୍ରୀ ଲୋକ I ତାଙ୍କ ସ୍ତ୍ରୀ ହେବେ ବୋଧେ I ଆର ପଟ ସିଟ ରେ ୩୦ ବର୍ଷ ବୟସ୍କା ଆଉ ଜଣେ ସ୍ତ୍ରୀ ଲୋକ I କଡରେ ୩୫ ବର୍ଷ ର ଜଣେ ଲୋକ ହାତରେ ୨-୩ ବର୍ଷ ର ଛୋଟ ଛୁଆ I ୩୦ ବର୍ଷ ବୟସ୍କା ସ୍ତ୍ରୀ ଲୋକ ଜଣଙ୍କ ଛୁଆକୁ ପେଣ୍ଟ ପିନ୍ଧଉଥାନ୍ତି ଆଉ ବୁଢା ଜଣଙ୍କ ସେ ଛୁଆ ସହ ଖେଳୁଥାନ୍ତି I ମନରେ କିନ୍ତୁ ହରଷ ନଥାଏ I କୌଣସି ଏକ ରୋଗରେ ପଡି ଦେଖା ଯାଉଥାନ୍ତି ୭୦-୮୦ ବର୍ଷ ବୁଢା ପରିକା I ମଝିରେ ମଝିରେ ଉଃ.. ଆଃ.. ଆହୁରି କରୁଣ କରି ଦେଉଥାଏ ତାଙ୍କ ମୁହଁ କୁ I ୫୦-୫୫ ବର୍ଷିଆ ବୁଢ଼ୀ ଜଣଙ୍କ ବ୍ୟସ୍ତ ହୋଇ ପଡୁଥାନ୍ତି ତାଙ୍କ ଉଃ.. ଆଃ.. ଶୁଣି I
ସେ ବର୍ଥ ଭିତରେ ପଶୁ ପଶୁ ଅଟକି ଗଲା I ଅତର୍ଛୟା ବାହାରି ଆସିଲା ସେ ବର୍ଥ ଭିତରୁ I ଏତେ ବର୍ଷ ପରେ ବି ସେ ଠିକ ଚିନ୍ହି ପାରୁଥିଲା ଏ ଚେହେରା ଦୁଇଟି କୁ I ନିଜ ଜନ୍ମ କଲା ବାପା ମାଙ୍କୁ କ’ଣ କିଏ କେବେ ଭୁଲି ପାରେ? ଆଉ ଗୋଟେ ବର୍ଥ ପରେ ଶୌଚାଳୟ I କିନ୍ତୁ ଆଗ ବର୍ଥ ଟିକୁ ଛାଡି ସେ ଚାଲିଗଲା ଆର ବଗିକୁ I ଆଉ କାହାକୁ ଟଙ୍କା ମାଗିବାକୁ ଇଛା ନଥିଲା ତା’ର I କାନ୍ଦିବାକୁ ବହୁତ ଇଛା ହେଉଥିଲା ତା’ର I ଆଗ ବଗିର କବାଟ ପାଖରେ ଠିଆ ହୋଇ ସେ ବାହାରକୁ ଅନେଇଲା I ଆଖି ଲୁହ ରେ ଉବୁଟୁବୁ I ଲୁହ, ଦି ଧାର ହୋଇ ବୋହି ଯିବା ଆଗରୁ ସେ ଶାଢ଼ୀ କାନି ରେ ଲୁହ ପୋଛିଲା I ଏଠି ଏତେ ଲୋକଙ୍କ ଆଗରେ ସେ କଣ କାନ୍ଦି ପାରିବ? ନା I ଆଉ କେହି ଦେଖିବା ପୂର୍ବରୁ ସେ ପଶିଗଲା ସେ ବଗି ରେ ଥିବା ଶୌଚାଳୟ ଭିତରେ I ଗଳା ଫଟେଇ ଚିତ୍କାର କଲେ ବି ସେ ଚିତ୍କାର ଶୁଣା ଯାଉନଥିଲା ବାହାରକୁ I ଟ୍ରେନ ଟି ସେତେବେଳେ କୌଣସି ଏକ ବ୍ରିଜ ଉପରେ ଯାଉଥାଏ I ତା କାନ୍ଦ ଅପେକ୍ଷା ଟ୍ରେନ ବ୍ରିଜ ଉପରେ ଯାଉଥିବାରୁ ଖଡ଼ ଖାଡ଼, ଧଡ଼ ଧାଡ଼ ଶବ୍ଦ ବେଶୀ ଶୁଭୁଥାଏ I କିଛି ସମୟ ଜୋର ପାଟିରେ କାନ୍ଦିଲା ପରେ ଆସ୍ତେ ଆସ୍ତେ ନିଜକୁ ନିଜେ ଶାନ୍ତ କଲା ସେ I ଶୌଚାଳୟ ଭିତରେ ଥିବା ବେସିନ ରେ ମୁହଁ ଧୋଇ ଶାଢ଼ୀ କାନି ରେ ମୁହଁ ପୋଛି ବାହାରକୁ ଆସିଲା ସେ I କବାଟ ତଳେ ଥିବା ସ୍ଥାନରେ ବସି ପଡିଲା ଆଉ ବାହାରକୁ ଚାହିଁଲା I ମନେ ପଡି ଯାଉଥିଲେ ସେ ପୁରୁଣା କଥା ଗୁଡିକ I ଆଜିକୁ କୋଡିଏ ବର୍ଷ ତଳ ର ଘଟଣା I
ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ ସେ ଭଲ ପାଏ ଛୁଆ ବେଳୁ I ପ୍ରଥମେ ପ୍ରଥମେ ଛୋଟ ପିଲା ଖେଳୁଛି ବୋଲି ଭାବି ତା ଘର ଲୋକ ଏତେ ଧ୍ୟାନ ଦେଉ ନଥିଲେ I କିନ୍ତୁ ସେ ତୃତୀୟ ଚତୁର୍ଥ ପଢିଲା ବେଳକୁ ଜିଦ କଲା ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ I ନାନୀ ର ଡ୍ରେସ ସବୁ ଲୁଚେଇ ଲୁଚେଇ ପିନ୍ଧିବାକୁ ଲାଗିଲା I କିଛି ଦିନ ପରେ ପରେ ଘରେ ଜାଣି ବାକୁ ପାଇଲେ ତା କାରନାମା ସବୁ I ସେ ଗାଁ ରେ ଚୋରି କରୁଥିଲା ଝିଅ ମାନଙ୍କ ପିନ୍ଧା ବସ୍ତ୍ର I ଘରେ କବାଟ ବନ୍ଦ କରି ସେ ପିନ୍ଧୁଥିଲା ମା ର ଶାଢ଼ୀ, ବ୍ଲାଉଜ I ଛାତି ରେ ପକାଉଥିଲା ଚୋରି କରି ଆଣିଥିବା ଓଢଣୀ I ପୁଅପିଲା ହେଲେ ବି ସେ ଭଲ ପାଉଥିଲା ଝିଅ ମାନଙ୍କ ପରି ସଜେଇ ହେବାକୁ I ଆଖିରେ କଳା, ଓଠରେ ଲିପିସ୍ଟିକ, ଚୁଟି ରେ ରବର ଆଉ ନାନୀ ର ଚୁଡ଼ି ସବୁ ପିନ୍ଧି ଏକା ଏକା ବସି ରହୁଥିଲା ଦର୍ପଣ ପାଖରେ I ଭଲ ଲାଗୁଥିଲା ତାକୁ ଝିଅଙ୍କ ପରି ଡ୍ରେସ ପିନ୍ଧିବାକୁ ଆଉ ଅଣ୍ଟା ହଲେଇ ଚାଲିବାକୁ I ପ୍ରଥମେ ପ୍ରଥମେ ଭାଇ ଏ ସବୁ ଦେଖି ମା କୁ କହିଲା I ନାନୀ, ତା ଚୁଡ଼ି ଭାଙ୍ଗି ଯିବାରୁ ଓ କଳା ଓ ଲିପସ୍ଟିକ ଅସମୟ ରେ ସରୁଥିବାରୁ କମ୍ପ୍ଲେନ କଲା I ଗାଁ ରେ ଜାଣିଲେ ଅସୁବିଧା ହେବ ବୋଲି ମା ଲୁଚେଇ ରଖିଥିଲା ଏ କଥା ସମସ୍ତଙ୍କ ଠୁ ଓ ବେଳେ ବେଳେ ପିଟୁଥିଲା ନିର୍ଦ୍ଧୁମ ଏ ପରି ବ୍ୟବହାର ଦେଖିଲେ I କିଛି ଦିନ ପରେ ସ୍କୁଲ ପିଲା ଜାଣି ଗଲେ ୟା ର ଏ ପ୍ରକୃତି I କିଏ ଡାକିଲା ନାନୀ, କିଏ ଡାକିଲା ହିଞ୍ଜିଡା, କିଏ ଛକା କିଏ ଅବା ଖାଲି ଛ’ଅ ଆଉ କିଏ କିଏ ତା ଦେହରେ ମୁଣ୍ଡରେ ହାତ ବୁଲେଇ ଆଣୁଥିଲେ I ଆସ୍ତେ ଆସ୍ତେ କଥା ସବୁ ବାପାଙ୍କ କାନ କୁ ଗଲା I ବାପା ଖୁବ ରାଗିଲେ ବି କଣ କରିବେ କିଛି ବୁଦ୍ଧି ପଶୁନଥିଲା ତାଙ୍କ ମୁଣ୍ଡରେ I ଏପଟେ ସାଇ ଭାଇଙ୍କ ଛି.. ଛାକର.. କୁ ସେପଟେ ଏକମାତ୍ର ଭଉଣୀ ର ବାହାଘର ଚିନ୍ତା ପଶୁଥିଲା ତାଙ୍କ ମୁଣ୍ଡରେ I ଭାଇ ଜଣେ ହିଞ୍ଜିଡା ବୋଲି ଜାଣିଲେ କେହି ବାହା ହେବେନି ଭଉଣୀ କୁ I ସେଇ ଚିନ୍ତା ରେ ଶେଷ ନିଷ୍ପତି ନେଲେ ୟାକୁ ଘରୁ ବାହାର କରିବାକୁ I ମା କାନ୍ଦି କାନ୍ଦି ମନା କଲେ ବି ବାପା ଶୁଣି ନଥିଲେ ମା କଥା I ରଥଯାତ୍ରା ଦେଖି ଯିବା କହି ଘରର ସବୁ ସଦସ୍ୟ ବାପା, ମା, ଭାଇ, ନାନୀ ଆଉ ସେ ଆସିଲେ ପୁରୀ ବୁଲିବାକୁ I କୌଣସି ଏକା ଧର୍ମଶାଳା ରେ ରହିଲେ ୫ ଦିନ ଆଉ ଗଲା ଦିନ ୟାକୁ ପୁରୀ ରେ ଛାଡି ଦେଇ ସମସ୍ତେ ଫେରିଗଲେ ଗାଁ କୁ I
ବୟସ ୯ -୧୦ ବର୍ଷ ହେବ ୟାକୁ ସେତେବେଳେ I ଧର୍ମଶାଳା ରେ ଏକା ଏକା ଶୋଇଥାଏ ସେ I ଉଠିଲା ବେଳକୁ କେହି ନଥାନ୍ତି ପାଖରେ I ଖୋଜି ଖୋଜି ଧର୍ମଶାଳା ର ମାଲିକ କୁ ବାପା ମା କଥା ପଚାରିଲା ବେଳକୁ ସେମାନେ ଯାଇ ସାରିଥିଲେ ତିନି ଘଣ୍ଟା ପୂର୍ବରୁ I ଏକୁଟିଆ ପିଲା କଣ କରିବ? ପାଖରେ ପଇସା ନାହିଁ I ଲୁଗାପଟା ନାହିଁ I ଖାଇବାକୁ କିଛି ନାହିଁ I ଆଖିରେ ଭାସି ଯାଉଥିଲା ସେ ଶୋଇବା ପୂର୍ବର କଥା I ଧର୍ମଶାଳା ର ରୁମ ବାହାରେ ବସି ମା’ ତା’ର ଲୁହଭିଜା ଆଖିରେ ବାପାଙ୍କ ଆଗରେ ଗୁହାରି କରୁଥିଲା I କେମିତି ତାକୁ ଏକେଲା ଛାଡ଼ିଦେବା ? ଯାହା ହେଲେ ବି ଆମ ରକ୍ତ ନା I ସେତେବେଳେ କିଛି ବୁଝି ନ ଥିଲା ସେ, କିନ୍ତୁ ଏବେ ସେ ବୁଝି ପାରୁଥିଲା ବାପା ମା ଙ୍କ କଥୋପକଥନ ର ସାରାଂଶ I କିନ୍ତୁ ମା ବି କ’ଣ କରିଥାନ୍ତା? କେମିତି ଯାଇଥାନ୍ତା ସେ ବାପାଙ୍କ ବିରୁଦ୍ଧରେ? ଯାହାର ପାଟି ଖୋଲିବା ସେ ଦେଖିନି କେବେ I ବାପା ଯାହା କହିବେ ସେଇଟା ହିଁ ଫାଇନାଲ I ଏଇୟା ହିଁ ତ ଚାଲି ଆସିଛି ତାଙ୍କ ଘରେ, ଦେଖି ଆସିଛି ସେ ତା’ର ହେତୁ ହେବା ପରଠୁ I ଭୋକ ରେ ପେଟ କଁ କଁ କରୁଥାଏ I ପାଖରେ କିଛି ଖାଇବା ନାହିଁ, ନା ଅଛି ପଇସା I ଶୁଣିଛି ପୁରୀ ରେ କେହି କେବେ ରାତିରେ ଭୋକରେ ଶୁଏନି I କିନ୍ତୁ ସେ ଏବେ କରିବ କଣ? କାହାକୁ କହିବ ଖାଇବା କଥା? ନା ଭିକ ମାଗିବ? ନା ନା ଏତେ ବଡ ଘର ତାଙ୍କର I ଗାଁ ରେ ପାଞ୍ଚ ଲୋକ ବାପାଙ୍କୁ ମୁଣ୍ଡିଆ ମାରନ୍ତି I ଜମି ୨୦ ଏକର ଉପରେ I ଅମଳ ବର୍ଷ ସାରା ଖାଇ ପିଇ ବଳେ I ସମୟ ଅସମୟ ରେ ଲୋକ ଧାର ଉଧାର ନିଅନ୍ତି I ସେଭଳି ଘର ର ବଂଶଧର ହୋଇ ସେ ଭିକ ମାଗିବ ? କିନ୍ତୁ ଏପଟେ ପେଟ ପୋଡି ଯାଉଛି I ଏବେ ନା ଅଛି ବଂଶ ନା ସେ କାହାର ବଂଶଧର I ସମ୍ପର୍କ ର ସୁତା ଖିଅ କୁ ତ ଛିଡେଇ ଦେଇ ସମସ୍ତେ ଫେରିଗଲେ ଗାଁ କୁ, ୟାକୁ ଏକା ଏଠି ମରିବାକୁ ଛାଡି ଦେଇ I
କେମିତି କେଜାଣି ବାପା ଏମିତି କରି ପାରିଲେ? ନିଜ ରକ୍ତ କୁ କେମିତି ଅଲଗା କରି ପାରିଲେ ନିଜ ପାଖରୁ I ଏମିତି ହେଇ ଜନ୍ମ ହେବା କଣ ତା’ର ଭୁଲ ଥିଲା ନା ଥିଲା ନିୟତି ର ନିର୍ଦେଶ? ବଡ ଭାଇ କୁଳ ରକ୍ଷା କରିବ I କନ୍ୟା ଦାନ କରିବାକୁ ନାନୀ ଅଛି I ଯଦି ମୋ ପ୍ରତି ଏତେ ନିଷ୍ଠୁର ହେବାର ଥିଲା ତେବେ ଜନ୍ମ ଦେଉଥିଲ କଣ ପାଇଁ? ଘରକୁ ଫେରି ଗଲା ବେଳକୁ ଭାଇ କି ନାନୀ କେହିବି କେମିତି ପଚାରିଲେନି ଜିଲୁ କୁଆଡେ ଗଲା ? ସେ ଆମ ସହ ଗାଁ କୁ ଯିବନି କି ? କେହି ତ ହେଲେ ଉଠେଇଥାନ୍ତେ ତାକୁ? ନା, ଭାଇ ସବୁ ବେଳେ କଳି କରେ ତା ସହ I ନାନୀ ର ଲିପସ୍ଟିକ ସାରିଦିଏ, ଚୁଡ଼ି ଭାଙ୍ଗିଦିଏ ବୋଲି ତା ର ବି ରାଗ ମୋ ଉପରେ I କିନ୍ତୁ ଯାହା ହେଲେ ବି ମୁଁ ତ ତାଙ୍କ ସାନ ଭାଇ ନା ? ସେମାନେ କଣ ଥରେ ବି ଭାବିଲେନି ମୋ କଥା? ଥରେ ବି ଭାବିଲେନି ମୁଁ ଖାଇବି କଣ? କେଉଁଠି ରହିବି? କେମିତି ରହିବି? ସମସ୍ତେ ଜାଣିଛନ୍ତି ମୁଁ ଭୋକ ସମ୍ଭାଳି ପାରେ ନି I କିନ୍ତୁ ଏଠି ଏକୁଟିଆ ଛାଡି ଦେଇ ପଳେଇଲେ I କିଛି ବି ନାହିଁ ଖାଇବାକୁ I ଭୋକ ରେ ପେଟ ଟା ମୋଡି ହୋଇଗଲା ପରି ଲାଗୁଥିଲା I ମୁଣ୍ଡ ବି ବୁଲାଉ ଥିଲା I କଣ କରିବି ଏବେ? ନା, ମୁଁ ବଞ୍ଚିବି ଯାହା ବି ହେଉ I ଯେମିତି ବି ହେଉ I କିନ୍ତୁ ଏ ନିଆଁ ଲଗା ପେଟ? ଆଗ କିଛି ଖାଇବି I କିନ୍ତୁ କ’ଣ ?
ମନେ ପଡିଗଲା ଦିନ ବେଳେ ଅବଢ଼ା ଖାଇବାର ଦୃଶ୍ୟ I ଅବଢ଼ା ଆଣି ସାରିଲା ପରେ ବାପା କହିଥିଲେ ସମସ୍ତେ ଗୋଲେଇ ହେଇ କି ବସ ନହେଲେ ଏଠି ବୁଲୁଥିବା ଭିକାରି ଆଉ ପାଗଳ ମାନେ ଆସି ତମ ପାଖରେ ବସି କୁଡୁଆ ରୁ ନିଜେ ନିଜେ ନେଇ ଖାଇ ଦେବେ I ଏଠି କାହାକୁ ମନା କରନ୍ତିନି କି ଏଠି ବାଢି କି ଖିଆ ଯାଏନି I କିଛି ଲୋକ ସେଠି ବୁଲୁ ଥିବାର ବି ସେ ଦେଖିଥିଲା ଆଉ କିଛି ଛାଡି ଯାଇଥିବା କୁଡୁଆ ରୁ ଭାତ ସାଉଣ୍ଟୁ ଥିବାର ବି ସେ ଦେଖିଥିଲା I ଭୋକରେ ଆଉଟୁ ପାଉଟୁ ୧୦ ବର୍ଷ ର ପିଲା ଟା, କେତେ ବେଳେ ଯେ ଆନନ୍ଦ ବଜାର ଭିତରେ ପହଞ୍ଚି ସାରିଥିଲା ଏ କଥା ହୋଶ ନଥିଲା ତା’ର I ଆନନ୍ଦ ବଜାର ରେ ପହଞ୍ଚିବା ପରେ ତା ଭୋକ ଆହୁରି ବଢିଯାଇଥିଲା ଅବଢ଼ା ର ବାସ୍ନା ରେ I କିଛି ଲୋକ ଛାଡି ଯାଇଥିବା ଖାଦ୍ୟ କୁ ପାଟିରେ ପୁରାଉ ପୁରାଉ ତର ନଥିଲା ତାକୁ I କେହି ଜଣେ ସହୃଦୟ ବ୍ୟକ୍ତି ବଳି ଯାଇଥିବା କିଛି ଅବଢ଼ା ତାକୁ ଦେଇଥିଲେ ଆଉ ସେଥିରେ ପେଟ ଭରି ଗଲା ପରେ ସେ ଗୋଟେ କୋଣ ରେ ଢୁଳେଇ ପଡିଥିଲା ସେଦିନ I ପ୍ରଥମ ଦିନ ଯାହିତାହି କଟି ଯାଇଥିଲା I ହେଲେ ଦ୍ଵିତୀୟ ଦିନ ପୁଣି ତାକୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡିଥିଲା I ହାତ ପତେଇ ଭିକ ନ ମାଗିଲେ ବି କାହାର ହାତ ଟେକା କୁ ଚାହିଁ ରହୁଥିଲା I ଦୁଇଦିନ, ତିନିଦିନ, ଚାରିଦିନ, ପାଞ୍ଚଦିନ ବିତି ସାରିଥିଲା ଏ ଭିତରେ I ପିନ୍ଧା ପେଣ୍ଟ ଆଉ ସାର୍ଟ ବ୍ୟତୀତ ଆଉ କିଛି ବି ନଥିଲା ତା ପାଖେ I ମଇଳା କୋଚଟା ଧରି ଆସୁଥିଲା ଆସ୍ତେ ଆସ୍ତେ ସାର୍ଟ ପେଣ୍ଟ ଦିଟା ଯାକ I ଦେହ ମଳି ହୋଇ ଗଲେ ପାଖରେ ଥିବା ଟ୍ୟାପ ତଳେ ଠିଆ ହୋଇ ଯାଉଥିଲା ଆଉ ଦେହରେ ଦେହରେ ହିଁ ଶୁଖୁଥିଲେ ଓଦା ପେଣ୍ଟ ସାର୍ଟ I
ସେଦିନ କିଛି ହିଞ୍ଜିଡା ଆସିଥିଲେ ମନ୍ଦିର ବୁଲିବାକୁ I ବୁଲି ସାରି ସେମାନେ ଅବଢ଼ା ଖାଇବାକୁ ବସିଲା ବେଳେ ୟେ ଠିଆ ହୋଇଥିଲା ତାଙ୍କୁ ଚାହିଁ ବଡ କାକୁସ୍ଥ ଭାବରେ କିଛି ଖାଦ୍ୟ ପାଇଁ I ସେମାନେ ଡାକି ପାଖରେ ବସେଇଲେ ଆଉ ପଚାରିଲେ ଘର କଥା, ଗାଁ କଥା, ବାପା ମାଙ୍କ କଥା ଆଉ ସବୁ ଶୁଣି ସରିଲା ପାରେ ନେଇଗଲେ ନିଜ ସାଙ୍ଗରେ I ତାଙ୍କ ଭିତରେ ଥିବା କାଜୋଲ ମାଉସୀ ୟାକୁ ଆପଣେଇ ନେଇଥିଲେ I ଭୁବନେଶ୍ୱର ରେ ରୁହନ୍ତି ସେମାନେ ବସ୍ତି ରେ I ତା ପରଠୁ ୟା ନାଁ ହୋଇ ଗଲା ପାୟଲ I ସେ ମିଶି ଗଲା ହିଞ୍ଜିଡା ଗୋଷ୍ଠିରେ, ଗଣା ହେଲା ହିଞ୍ଜିଡା ଭାବରେ I ପଇସା ମାଗେ ଟ୍ରେନ ରେ ଆଉ ରୁହେ ବସ୍ତି ରେ I ସକାଳୁ ଉଠି, ନିତ୍ୟକର୍ମ ସାରି, ସଜେଇ ହୋଇ ପଇସା ମାଗିବା ଏମାନଙ୍କ କାମ I କେବେ କେମିତି ବାହାଘର ଆଉ ପୁଅ ଏକୋଇଶିଆ ବେଳେ ଖୋଜାଯାଏ ଏମାନଙ୍କୁ I ପରିବାର ଥାଇ ମଧ୍ୟ ଏମାନେ ମିଶି ପାରନ୍ତିନି ପରିବାର ସହ I ଥରେ ହିଞ୍ଜିଡା ଭାବରେ ଗଣା ହେଲା ପରେ ସବୁ ଦୁଆର ବନ୍ଦ ହୋଇ ଯାଏ ଏମାନଙ୍କ ପାଇଁ I ବସ୍ତି ଆଉ ଟ୍ରେନ ପାଲଟି ଯାଏ ଏମାନଙ୍କ ଦୁନିଆଁ I ଗୋଟିଏ ବେଳା ଖାଇବା ଏଠି ଖାଇଲେ ଆର ବେଳା କେଉଁଠି ଖାଇବେ ତା’ର କିଛି ଠିକ ଠିକଣା ନଥାଏ I ସେଇଠି ରୁହନ୍ତି, ଖାଆନ୍ତି, ପିଅନ୍ତି, ଶୁଅନ୍ତି ଆଉ ସେଇଠି ହିଁ ଶେଷ ନିଶ୍ୱାସ ତ୍ୟାଗ କରନ୍ତି I
ଟ୍ରେନ ରହିବାର ଶବ୍ଦ ଶୁଣି ଭାବନା ରାଇଜ ରୁ ଫେରି ଆସିଲା ପାୟଲ I ନାଁ, ଏତେ ବର୍ଷ ପରେ ତାକୁ କେହି ବି ଚିନ୍ହି ପାରିବେନି I ତା ବେଶ ଭୁଷା ଦେଖି କେହି ବି ଠଉରେଇ ପାରିବେନି ଯେ ସେ ଏ ପରିବାର ର ଗୋଟେ ଅଂଶ I କାହିଁକି ବା ସେ ଏତେ ଭାବିବ ଏମାନଙ୍କ ବିଷୟରେ I କାହିଁକି ସେ ଲୁହ ଗଡେଇବ ଏମାନଙ୍କ ପାଇଁ I ଯେଉଁ ପରିବାରରେ ୟାକୁ ରହିବାକୁ ଜାଗା ଟିକେ ମିଳିଲାନି, ଯେଉଁ ପରିବାର ଆଜିକୁ କୋଡିଏ ବର୍ଷ ତଳେ ସେ ମରିଗଲା ବୋଲି ଧରି ନେଇଛନ୍ତି I ଯେଉଁ ପରିବାର ଚିନ୍ତା ବି କଲେନି ୯-୧୦ ବର୍ଷ ପିଲା ଟି ଖାଇବ କ’ଣ? ବଞ୍ଚିବ କେମିତି ? ସେମାନଙ୍କ ସହ ୟା ର ଆଉ ସମ୍ପର୍କ କଣ ? ସେ ଝାଡ଼ି ଝୁଡି ହୋଇ ଉଠିଲା I ମୁହଁକୁ ଆଉ ଥରେ ବେସିନ ରେ ଧୋଇ ସାଙ୍ଗରେ ଆଣିଥିବା କଳା ଆଉ ଲିପିସ୍ଟିକ ଲଗେଇଲା I ପାଉଡର ରୁ ମେଞ୍ଚେ ବୋଳି ହେଲା ଆଉ ପୁଣି ଥରେ ସେଇ ବର୍ଥ ରୁ ମାଗିବା ଆରମ୍ଭ କରିବ ବୋଲି ନିଷ୍ପତି ନେଲା I
ବର୍ଥ ପାଖରେ ପହଞ୍ଚୁ ପହଞ୍ଚୁ ସେ ଶୁଣି ପାରିଲା କିଛି କଥାବାର୍ତା I ୩୫ ବର୍ଷ ର ଲୋକଟା, ସମ୍ଭବତଃ ତା’ର ବଡ ଭାଇ I ମୁହଁ ବଦଳି ଯାଇଥିଲେ ବି କଥାବାର୍ତା କିନ୍ତୁ ଥିଲା ଠିକ ଆଗ ପରି I ସେ ଛିଞ୍ଚାଡି ହୋଇ କଥାବାର୍ତା କରୁ ଥାଏ, “ଡାକ୍ତର କହିଲା କୋଡିଏ ହଜାର ନେବ, ୟେ ଆଉ କେତେ ଦିନ ବଞ୍ଚିବେ ଯେ ୟାଙ୍କ ପାଇଁ ଏବେ କୋଡିଏ ହଜାର ଖର୍ଚ କରିବି I ଏପଟେ ମୋ ସ୍ତ୍ରୀ ପିଲା ଛୁଆ ଅଛନ୍ତି ନା ନାହିଁ I ମୋର ସବୁ ପଇସା ୟାଙ୍କ ପଛରେ ସାରିଲେ ସେମାନେ ଖାଇବେ କଣ?” I ଅଟକି ଗଲା ସେ I ତିରିଶ ସେକେଣ୍ଡ ଶାନ୍ତ ଭାବରେ ଠିଆ ହେଲା ପରେ ସେ ଚାଲିଗଲା ପଛ ବଗି ଆଡକୁ ଆଉ କିଛି ସମୟ ପରେ ପୁଣି ଫେରି ଆସିଲା ପୂର୍ବ ବଗି କୁ I ଏତିକି ସମୟ ଭିତରେ ବୋଧେ ସେ ଯାଇଥିଲା ତା ସାଙ୍ଗ ମାନଙ୍କ ପାଖକୁ ଯେଉଁ ମାନେ ଅନ୍ୟ ବଗି ରେ ପଇସା ମାଗୁଥିଲେ I
ଏଥର ସେ ଆରମ୍ଭ କଲା ପୁଣି ତା ଢଙ୍ଗ ରେ ପଇସା ମାଗିବା I ଏ ହିରୋ.. ଏ ସଲମାନ.. ଦେ.. ନା… କହି ବଡ ଭାଇ ପାଖରେ ହାତ ପତେଇଲା ବେଳକୁ ହାତ କମ୍ପି ଉଠିଲା ତା’ର I ଉତ୍ତର ଆସିଲା ହେଃ.. ଯା ଏଠୁ.. I ମୁହଁ ମୋଡି ଦେଇ ଜାଣି ଜାଣି ରୁମାଲ କୁ ମା’ ଗୋଡ ପାଖରେ ପକେଇ, ଉଠେଇବା ବାହାନା ରେ ମା ର ପାଦ ଛୁଇଁଲା ସେ I ଚମକି ପଡିଲା ମା ର ହାତ କୁ ନିଜ ମୁଣ୍ଡ ଉପରେ ଆଶୀର୍ବାଦ ଭଙ୍ଗୀ ରେ ଦେଖି I ନିଜ ଆଖି ର ଲୁହ କୁ ଲୁଚେଇବା ପାଇଁ ମୁହଁ ବୁଲେଇ ସେ ଆଗେଇ ଗଲା ଆର ବର୍ଥ କୁ ଏ ସଲମାନ ଦେ.. ନା.. ଏ ଶାହରୁଖ ଦେ.. ନା… କହି କହି I
କିଛି ସମୟ ପରେ ବୁଢ଼ୀ ଜଣଙ୍କ ଗୋଡ଼ରେ କିଛି ବାଜିଲା ପରି ଅନୁଭବ କଲେ I ହାତରେ ଉଠେଇ ଦେଖିଲା ବେଳକୁ ଗୋଟେ ପୁଡିଆ, ଆଉ ପୁଡିଆ ଭିତରେ ଥିଲା ପଚିଶ ହଜାର ଟଙ୍କା ସହ ହାତ ଲେଖା ଖଣ୍ଡେ କାଗଜ I
ଲେଖା ଥିଲା “ବାପାଙ୍କୁ ଡାକ୍ତରଖାନା ନେଇ କି ଯାଅ” –ଜିଲୁ I
ସିଗ୍ନାଲ ନ ମିଳିବାରୁ ଟ୍ରେନ ଟି ସେତେବେଳକୁ କୌଣସି ଏକ ପଡିଆ ମଝିରେ ଅଟକି ଥାଏ I ବୁଢା ଆଖିରୁ ଲୁହ ବୋହି କଣ୍ଠରୁଦ୍ଧ ହୋଇ ଆସୁ ଥାଏ I ବୁଢ଼ୀ, ମୋ ଜିଲୁ ମୋ ଜିଲୁ କହି ବଗି ର କବାଟ ଆଡକୁ ଦୌଡ଼ି ଆସିଲା ବେଳକୁ ଟ୍ରେନ ହର୍ନ ମାରି ଚାଲିବା ଆରମ୍ଭ କରି ସାରିଥାଏ I
ପଛରେ ଛାଡି ଯାଉଥାଏ କିଛି ହିଞ୍ଜିଡା ମାନଙ୍କୁ, ଯେଉଁମାନେ କିଛି ସମୟ ପୂର୍ବରୁ ଓ଼ଲ୍ଳେହି ଯାଇଥିଲେ ଟ୍ରେନ ରୁ .. .. ..

— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଆସେସ ଡିନାଏଡ଼

ଆସେସ ଡିନାଏଡ଼ 

ସୁବଳ ମହାପାତ୍ର

 

ହ୍ୱାଟ୍ସଆପ ଖୋଲୁ ଖୋଲୁ ଜଣେ ବାନ୍ଧବୀଙ୍କ ମେସେଜଟି ପାଇ କଣ କରିବ କଣ କରିବ ଭାବୁ ଭାବୁ ସୁଲୋଚନା ମେସେଜ ଦିଆ ଯାଇଥିବା ଲିଙ୍କ ରେ କେତେ ବେଳେ କ୍ଲିକ କରି ଦେଇଛି ସେ ଜାଣିନି । ମେସେଜ ଟି ଥିଲା ମୋବାଇଲ ଡାଟା ଏକ ବର୍ଷ ପାଇଁ ମାଗଣା । ଲିଙ୍କ ଭିତରକୁ ଯିବା ପରେ ମନଲୋଭା ଅଫର ସବୁ ଦେଖି ସୁଲୋଚନା ବି ଭାବନାରେ ପଡି ଗଲା । ସତରେ କଣ ମୋବାଇଲ ଫୋନ ଟିଏ ମାଗଣା ଆଉ ଏକ ବର୍ଷ ଯାଏ ଡାଟା ବି ? ବାଃ, ଭଲ ଅଫର ତ । ଆସ୍ତେ ଆସ୍ତେ ଯେତେ ଯେତେ ଭିତରକୁ ପଶୁଥାଏ ସେତେ ସେତେ ସେ ହଜି ଯାଉଥାଏ ଭୁଲ ଭୁଲେୟା ରାସ୍ତା ଭିତରେ । ଗୋଟି ଗୋଟି କରି ସବୁ ଫିଲଡ ଫିଲପ କରିଗଲା ସେ । ଯେମିତି କି ନାଁ, ଫୋନ ନମ୍ବର, ଇମେଲ ଆହୁରି କେତେ କଣ । ତା ପରେ ଆଉ ଗୋଟେ ଅଫଶନ ଆସିଲା “ଏ ମେସେଜ ଟିକୁ ପନ୍ଦର ଟି ଲୋକ କିମ୍ବା ଗ୍ରୁପ ରେ ସେଣ୍ଡ କର” । ସେ ପନ୍ଦର ଟି ଗ୍ରୁପ ରେ ପଠେଇ ସାରିଲା ପରେ ଆସିଲା ସେ ଅପେକ୍ଷିତ ମୁହୂର୍ତ । ଆରେ ୟେ କଣ ? ସେ ମନେ ପକେଇବା ପାଇଁ ଚେଷ୍ଟା କଲା । ହଁ ତ , ବିଜ୍ଞାପନ ରେ ଥିଲା “ମାତ୍ର ଏକ ଟଙ୍କା ଦେଇ ପାଆନ୍ତୁ ମୋବାଇଲ ଓ ଏକ ବର୍ଷ ପାଇଁ ଡାଟା ସମ୍ପୂର୍ଣ ମାଗଣା” । ଅପଶନ ଭିତରେ ଥିଲା କେବଳ ଅନ ଲାଇନ ପେମେଣ୍ଟ କରିବ ପାଇଁ ଲିଙ୍କ । ଲୁଚି ଲୁଚି ବାପାଙ୍କ ପକେଟ ରୁ ଡେବିଟ କାର୍ଡ ଟି ଆଣି ଭରି ଦେଇ ଗଲା ଲିଙ୍କ ରେ ଥିବା ଘର ଗୁଡିକୁ । ଏବେ ଏଟିଏମ ପିନ ଦିଅନ୍ତୁ ଜାଗାରେ ସେ ଅଟକି ଗଲା । କିଛି ଦିନ ପୂର୍ବରୁ ବାପା ତାକୁ କହିଥିଲେ ବ୍ୟାଙ୍କ ରୁ ପଇସା ଉଠେଇବା ପାଇଁ । ପିନ ଟିକୁ ରଫ ଖାତାରେ ଲେଖିଥିଲା ସେ । ଖୋଜି ଖୋଜି ଖାତା ଟିକୁ ପାଇଲା ସେ । ଏବେ ଏଟିଏମ ପିନ ଦେଇ ସାରିଲା ପରେ, ଆସେସ ଡିନାଏଡ଼ ବୋଲି ମେସେଜ ଟିଏ ଆସିଲା ଆଉ ସୁଲୋଚନା ରାଗରେ ମୋବାଇଲ ବନ୍ଦ କରି ପୁଣି ଲୁଚି ଲୁଚି ଯାଇ ବାପାଙ୍କ ପକେଟ ରୁ ଆଣିଥିବା ଡେବିଟ କାର୍ଡ ଟି ଥୋଇ ଦେଇ ଶାନ୍ତି ରେ ନିଶ୍ୱାସ ନେଲା ।
ବାପା ଉଠିଲା ପରେ ଦେଖିଲେ, ମୋବାଇଲ ରେ ମେସେଜ ଟିଏ ଆସିଥିଲା । ସୁଲୋଚନା କିଛି ନ ଜାଣିଲା ପରିକା କବାଟ କଣ ରେ ଠିଆ ହୋଇ ବାପାଙ୍କୁ ଦେଖୁଥିଲା ।
ବାପା ମୁଣ୍ଡରେ ହାତ ଦେଇ ରଡି ପକାଉ ଥିଲେ । ସୁଲୋଚନା ବାହାଘର ପାଇଁ ରଖିଥିବା ତିନି ଲକ୍ଷ ଟଙ୍କା କିଏ ଉଠେଇ ନେଇଥିଲା । ଆକାଉଣ୍ଟ ବାଲାନ୍ସ ଏବେ ଶୂନ୍ୟ (0) ଥିଲା …..
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ପ୍ରଥମାଷ୍ଟମୀ, ପଢ଼ୁଆଁ ଅଷ୍ଟମୀ…

ପ୍ରଥମାଷ୍ଟମୀ, ପଢ଼ୁଆଁ ଅଷ୍ଟମୀ… 
ସୁଵଳ ମହାପାତ୍ର

 

କଣ ମାନେ ଅଛି ଏ ଅଷ୍ଟମୀ ର ଯେଉଁ ମାନେ ରାଜ୍ୟ ବାହାରେ ଏକୁଟିଆ ରହୁଛନ୍ତି ପେଟ ପାଟଣା ପାଇଁ। ପାଖରେ ନା ଅଛି ପରିବାର, ନା ଅଛି କୌଣସି ପିଠା ର ମହକ, ନା ଅଛନ୍ତି ବନ୍ଧୁ ବାନ୍ଧବ ନା କେହି ପରିଜନ।
ସତ୍ୟ ସକାଳୁ ସକାଳୁ ଉଠି ପଡ଼ିଲା। ଆଜି ଶନିବାର । ଅଫିସ ଛୁଟି। ସେମିତି ସେ ଟିକେ ଡେରି ରେ ଉଠେ। ଆଜି କିନ୍ତୁ ଟିକେ ସଅଳ ନିଦ ଭାଙ୍ଗି ଗଲା। ସକାଳୁ ଉଠି ଟିକେ facebook ରେ ଆଖି ବୁଲେଇ ଆଣିଲା। ସାଙ୍ଗ ସାଥି, ପରିଜନ ଙ୍କ ପୋଷ୍ଟ ଦେଖି ଅଳ୍ପ ଅଳ୍ପ ଖୁସି ହୋଇଗଲା ସେ। ଆଜି ପ୍ରଥମାଷ୍ଟମୀ। କିଏ ମୁଣ୍ଡରେ ଟୀକା ଲଗେଇ ଫୋଟୋ ଦେଇଛି ତ କିଏ ପୂଜା ରେ ବସି। କିଏ ଏଣ୍ଡୁରି ପିଠା ର ପୋଷ୍ଟ କରିଛି ତ କିଏ ପିଠା କୁ ହଳଦୀ ପତ୍ର ରୁ ବାହାର କରିବାର ଫୋଟୋ। ଭିନ୍ନ ଭିନ୍ନ ପିଠା ର ଭିନ୍ନ ଭିନ୍ନ ପ୍ରକାର ର ଫୋଟୋ। କିଏ ଅବା ଭଳି କି ଭଳି ପିଠା ଓ ମିଠା ଗୋଟେ ଥାଳି ରେ ରଖି ପୋଷ୍ଟ କରିଛି ଫୋଟୋ। ଦେଖି ଦେଖି ସତ୍ୟ ପାଟି ରୁ ଲାଳ ବୋହିବାକୁ ଲାଗିଲା। ସେ ମନେ ପକେଇବାକୁ ଲାଗିଲା ଗାଁ ରେ ବିତେଇ ଥିବା ଦିନ ଗୁଡିକୁ।
ଛୋଟବେଳେ ତାକୁ କୁହାଗଲା ତାଙ୍କ ଘରେ ପ୍ରଥମାଷ୍ଟମୀ ନାହିଁ। ନୂଆ ଜାମା ହେବ ନାହିଁ। ପୂଜା ହେବ ନାହିଁ। ଏପରିକି ପିଠା ପଣା ବି ନାହିଁ ।କାରଣ ପଚାରିବାରୁ ଜଣା ଗଲା ଯେ ପ୍ରଥମାଷ୍ଟମୀ ରେ ତାଙ୍କ ଘରେ କେହି ଜଣେ ମରି ଯାଇଥିଲେ। ସେ ଏବେ ସାତ କ ପଣିକିଆ ବାହାରକୁ ଚାଲି ଗଲେଣି। ମାନେ ସାତପୁରୁଷ ବନ୍ଧୁ ଛାଡ ହୋଇ ସାରିଲାଣି। କିନ୍ତୁ ପରମ୍ପରା ଟି ରହି ଯାଇଛି। ମନ ବିଦ୍ରୋହ କଲେ ବି କାହାକୁ କିଛି କହିବାର ନ ଥିଲା। ସାଙ୍ଗ ମାନେ ସବୁ ନୂଆ ଜାମା ପିନ୍ଧି ଚିତା ଚୈତନ କାଟି, ଭଳି କି ଭଳି ପିଠା ଖାଇଲା ବେଳକୁ, ୟାଙ୍କ ଘରେ କିନ୍ତୁ କିଛି ହୁଏନି। ଅବଶ୍ୟ ସାଇ ପଡିସା ଘରୁ କିଛି କିଛି ପିଠା ଓ ମିଠା ଦିଆ ନିଆ ରେ ଆସେ। ସେତକ ଉଦରସ୍ଥ ହୁଏ। ସେତିକି ଯାହା ସାନ୍ତ୍ୱନା। ଆଉ କିଛି ମିଳିଯାଏ ସାଙ୍ଗ ମାନଙ୍କ ଘରୁ। ଯାହା ହଉ, ଏତକ ବନ୍ଦ କରି ନାହାନ୍ତି, ନହେଲେ ମଣିଷ କୁ ପ୍ରଥମାଷ୍ଟମୀ ରେ ଖାଇବାକୁ ବି ଟିକେ ମିଳନ୍ତାନି।
ଛାଡ, ସେ ଏବେ ରାଜ୍ୟ ବାହାରେ। ଏଠି ନା ଓଡ଼ିଆ ଅଛନ୍ତି ନା ଓଡିଶା ର କୌଣସି ପୁଣ୍ୟ ପର୍ବ। ତାକୁ ଏବେ ଚା ଟିକେ ପାଇଁ ଛକ କୁ ଯିବାକୁ ପଡ଼ିବ। ମନ ଟା ପାଣିଚିଆ ଧରିଗଲା ତା’ର। ଛାଡ…
ନିତ୍ୟକର୍ମ ସାରି ସେ ବାହାରି ଗଲା ଛକ କୁ। ଚା ଟିକେ ପିଇ ସାରି ସେ ଜଳଖିଆ ଖାଇବାକୁ ଖୋଜିଲା ବେଳକୁ, ଛକ ରେ ଠେଲା କରିଥିବା ଇଡିଲି ଵାଲା ର ଦୋକାନ ବି ଆଜି ବନ୍ଦ ଥିଲା।
ଦୋକାନ ରୁ ଗୋଟେ ଦଶ ଟଙ୍କିଆ ମୁଢି ମିକ୍ସଚର ପ୍ୟାକେଟ ଆଉ ପାଞ୍ଚ ଟଙ୍କିଆ ଟୋଣ୍ଟି ଟୋଣ୍ଟି ବିସ୍କୁଟ ପ୍ୟାକେଟ ଧରି ସେ ଫେରୁଥିଲା ଆଜି ର ପ୍ରଥମାଷ୍ଟମୀ ମନେଇବାକୁ ….
–ସମାପ୍ତ–

କମ୍ବଳ

କମ୍ବଳ 
ସୁବଳ ମହାପାତ୍ର

 

ବାହାଘର ର ଚାରିବର୍ଷ ପୁରିଲା ପରେ ବି କୋଳ ରେ ଛୁଆଟେ ନ ଥିବାରୁ କେତେ ଥର ଲୋକ ହସା ହେଲା ପରେ ଚମ୍ପା ବାହାରିଲା ମଙ୍ଗୁ ମା ବତେଇଥିବା ବାବା ପାଖକୁ I ବାବା କୁଆଡେ ଭାରି ପ୍ରତ୍ୟକ୍ଷ I ସିଧା ସିଧା ଭଗବାନଙ୍କ ସହ କଥା ହୁଏ I କେତେ ବଡ ବଡ ଲୋକ ତା’ ଭକ୍ତ I ଲୋକ ଗାଡି କରି ଆସନ୍ତି ତା ପାଖକୁ I ସେଦିନ ଭାବ କୁ ନ ଜଣେଇ ସେ ମଙ୍ଗୁ ମା ସହ ବାହାରି ଗଲା ବାବା ପାଖକୁ I ଭାବ ତା’ ଗେରସ୍ତ I ଛୁଆ ନ ଥିଲେ ତା’ର ମାଈ ରେ ଯାଏ ନି କି ଗାଈ ରେ ଯାଏନି I କହିଲେ କହିବ ଭଗବାନଙ୍କର ଦେବାର ଥିଲେ ଦେବେ , ନ ହେଲେ ନାହିଁ I କିନ୍ତୁ ସେ କ’ଣ ଶୁଣେ ଏ ସାଇ ଭାଇଙ୍କ କଥା ? ସବୁ ତ ଚମ୍ପା କୁ ଶୁଣିବା କୁ ପଡେ, କେତେ ମୁହଁ ମୋଡା, ନାକ ଛିଂଚିଡା ଆଉ ସିଧା ସିଧା କଥା ଶୁଣି ସେ ତୁନି ରହେ I ହେଲେ ସେଦିନ କହୁ କହୁ ସେ ରଥ ବୁଢ଼ୀ ତାକୁ ବାଞ୍ଝ ବୋଲି କହିଦେଲା I ଭାରି ବାଧିଲା ତାକୁ ଏ କଥା ଟି I ହେଲେ କରିବ କଣ? ଡାକ୍ତର ଯେଉଁଠି ମନା କଲା ଆଉ କାହାର କଣ କରିବାର ଅଛି ? ଡାକ୍ତର ମନା କଲା , ଚମ୍ପା କେବେ ମା ହେଇ ପାରିବ ନାହିଁ I ତାପରେ ଭାବ କୁ ସେ କଣ କମ ବୁଝେଇଛି ଦ୍ଵିତୀୟ ହେବା ପାଇଁ I ହେଲେ ସବୁ ବେଳେ ଭାବ କଥା ଟାଳି ଦିଏ I କହେ, “ଭଗବାନଙ୍କର ଦେବାର ଥିଲେ ଆମକୁ ଦେଇ ଥାନ୍ତେ I ନ ଦେଲେ ନାହିଁ I ତୁ ମନ ଦୁଃଖ କରନି କି ମୋତେ ଆଉ କିଛି କହନି I ସେଥିପାଇଁ ସେ ଆଜି ଭାବ କୁ କିଛି ନ ଜଣେଇ, ମଙ୍ଗୁ ମା ସହ ଏ ବାବା ପାଖକୁ ଆସିଛି I
ବାବା ପାଖରେ ପହଁଚିଲା ପରେ ବାବା ୟା ହାତ ମୁହଁ ଦେଖି କହିଲା, “ହବୁ, ହବୁ , ତୁ ବି ମା ହବୁ I କିନ୍ତୁ ତୁ ଅଫଳନ୍ତି ଗଛ I ତୋ ଠୁ ହବନି I ଗୋଟେ କାମ କର, ମୁଁ ପୂଜା କରିବି I ତୁ ଜିନିଷ ଯୋଗାଡ କର I ନିଜର ନ ହେଲେ ବି ଆଉ କାହାର ପାଇବୁ I ପୂଜା ପାଇଁ ଟଙ୍କା ପନ୍ଦର ହଜାର ଖର୍ଚ ହେବ I ଯା.. ଟଙ୍କା ଯୋଗାଡ ସରିଲେ ମୋ ପାଖକୁ ଆସିବୁ ” I
ପନ୍ଦର ହଜାର ଟଙ୍କା ? ଏତେ ଟଙ୍କା କିଏ ଚମ୍ପା କିଏ? ଗେରସ୍ତ ତା’ର ବାବୁଙ୍କ ଘରେ ହଳିଆ I ମାସ କୁ ଚାରି ହଜାର ଟଙ୍କା ପାଏ I ସେଇଥିରେ ଦି ପ୍ରାଣୀ ଚଳନ୍ତି I ଏତେ ଗୁଡ଼େ ଟଙ୍କା ସେ କୁଆଡୁ ଆଣିବ? ହଉ ଦେଖିବା କହି ଭାବି ଭାବି ସେ ଘରକୁ ଆସିଲା I
ସନ୍ଧ୍ୟା ରେ ଭାବ ବାବୁ ଘରୁ, ଘରକୁ ଫେରି ତା ସାର୍ଟ ପକେଟ ରେ ଥିବା କଏନ କେତୋଟି ତା ଠଣା ରେ ଗଳେଇ ଦେଲା I ଚମ୍ପା ସବୁ ଦିନେ ଦେଖେ ଭାବ ଏହିପରି କରେ I ସବୁଦିନ ସନ୍ଧ୍ୟା ରେ କିଛି କିଛି ସେ ଠଣା ରେ ପକାଏ କିନ୍ତୁ ଶୀତଦିନେ ସେଥିରୁ ସବୁ ବାହାର କରି ନେଇ ଯାଏ I ସବୁ ବର୍ଷ ସେ ଏହିପରି କରେ I ଚାରି ବର୍ଷ ହେଲା ଚମ୍ପା ଦେଖୁଛି, ସେ ଏହିପରି କରୁଛି କିନ୍ତୁ କେବେ ତାକୁ କିଛି ପଚାରି ନାହିଁ I ଆଜି ପଇସା ଦରକାର ହେଲାରୁ ତା ର ଏ ଦିଗକୁ ଧ୍ୟାନ ଗଲା I ସେ ଜାଣି ଜାଣି ଭାବ କୁ ପଚାରିଲା , ” ଏଥିରେ କେତେ ପଇସା ହଵଣି?
“କେଜାଣି” ପରି ଛୋଟ ଉତ୍ତର ଟିଏ ଦେଇ ଭାବ ଗାଧୁଆ ଘରକୁ ପଶିଗଲା I
ଚମ୍ପା ର ତ ମନ ଲାଗିଛି, ସେ ବି କେଉଁ ଛାଡିବା ଜନ୍ତୁ ? ସବୁଦିନ ସେ ଠଣା ଉପରେ ନଜର ରଖେ I ଦିନେ ସୁବିଧା ଦେଖି ସେ ଗଣି ବସିଲା I ଦୁଇ ହଜାର ସାତ ଶହ ଚଉତିରିଶି ଟଙ୍କା I ଏବେ ସୀତା ପଡି ଆସିଲାଣି I ଚମ୍ପା ଜାଣେ ଏବେ କେବେ ଭାବ ଏ ଟଙ୍କା ସବୁ ନେଇଯିବ I କୁଆଡେ ନବ ? କାହାକୁ ଦବ କିଛି ସେ ଜାଣିନି I ଏଥର ଦେଖିବ ସେ, କଣ କରୁଛି I
ସେଦିନ କହୁ କହୁ ବାବା କଥା ଭାବ କୁ କହିଦେଲା ଚମ୍ପା I ଭାବ ରାଗିଗଲା I କହିଲା , ” ଥରେ କହିଲେ ଜଣା ପଡୁନି ? କଉ ବାବା, ଫାଵା ପାଖକୁ ଯିବା ଦରକାର ନାହିଁ” I
ଚମ୍ପା ବି ଶୁଣେଇ ଦେଲା, ” ମୋର ଛୁଆ ଟେ ଦରକାର I ତମେ ଦ୍ଵିତୀୟ ହୁଅ ପଛେ I ନହେଲେ ଯା କାହାଠୁ କିଣି କି ଆଣ କି ଚୋରି କରି ଆଣ I ମୁଁ ଜାଣିନି I ସେ ବାବା କହିଛି ପନ୍ଦର ହଜାର ଟଙ୍କା ନବ କିନ୍ତୁ ପୂଜା କରିଦେବ ଛୁଆଟେ ପାଇଁ I ଭଗବାନଙ୍କ ସହ ସେ କଥା ହୁଏ I ନିଶ୍ଚିତ ଆସିବ ଆମ ପାଖକୁ ଛୁଆ ଟେ” I
ପନ୍ଦର ହଜାର କଥା ଶୁଣି ଭାବ ଆହୁରି ରାଗିଗଲା I ମନେ ମନେ ଭାବିଲା ପଇସା ତକ ଏବେଠୁ ନେଇ ନ ଗଲେ , ଚମ୍ପା ଏ ପଇସା କୁ ଅଡ଼ି ବସିବ I ତେଣୁ ସେ ଠଣା ଟି ଧରି ବାହାରକୁ ପଳେଇଲା I
ଏପଟେ ଠଣା ଟି ଧରି ଭାବ କୁ ବାହାରକୁ ଯିବା ର ଦେଖି ଚମ୍ପା କି ଆଉ ସମ୍ଭାଳେ ? ସେ ବି ତା ପଛେ ପଛେ ଚାଲିଲା I ସମୟ ରାତି ଦଶଟା ପାଖାପାଖି ହେବ I ରାଜଧାନୀ ରେ ଶୀତ ପଡି ପଡି ଆସିଲାଣି I ଦିନରେ ବେଶୀ ନ ହେଲେ ବି ରାତିରେ ଅଳ୍ପ ଅଳ୍ପ ଶୀତ ଅଛି I ରାସ୍ତା କଡ ରେ ଲୋକ ମାନେ ଶୋଇବାକୁ ତିଆର ହେଲେଣି I ଦୋକାନ ବଜାର ସବୁ ବନ୍ଦ ହେଇ ଆସିଲାଣି I କିଛି କିଛି କାଠି କୁଟା ଜାଳି ଶୀତ ରୁ ରକ୍ଷା ପାଇବାକୁ ହାତ ଗୋଡ ପୁହିଁ ହେଉଛନ୍ତି I ରାସ୍ତା ରେ ଘଇତା ମାଈପ ଦି ଟା ଆଗ ପଛ ହେଇ ଚାଲିଥାନ୍ତି I ଭାବ ଜାଣି ନଥାଏ ଯେ ଚମ୍ପା ତା ପଛେ ପଛେ ଆସୁଛି I ଚମ୍ପା ବି ଦେଖି ଦେଖି ଚାଲିଥାଏ ଯେମିତି ଭାବ ତାକୁ ନ ଦେଖେ I ସବୁ ବର୍ଷ ପଇସା ସଂଚିବ, ହେଲେ ଏ ଶୀତ ଦିନେ ସବୁ କୁଆଡେ ଦେଇ ଦବ I ଆଜି ଚମ୍ପା ଦେଖିବ ଯେ ଭାବ କଣ କରୁଛି ପଇସା I ମଦ, ଗଂଜେଇ ତ କେବେ ଖାଇନି I ଦୋହରା ସ୍ତ୍ରୀ କହିଲେ ମନା କରୁଛି I କଣ କରୁଛି ତେବେ ? ଭାବ ବି ମଝିରେ ମଝିରେ ପଛକୁ ଚାହୁଁଥାଏ କିଏ ଆସୁଛି କି ବୋଲି ଦେଖିବାକୁ I
ଚାଲୁ ଚାଲୁ ସେ ଅଟକି ଗଲା ଗୋଟେ ନେପାଳୀ ଦୋକାନ ପାଖରେ I ନେପାଳୀ ସ୍ଵେଟର, ମଫଳର, କମ୍ବଳ ଆଦି ବିକ୍ରି କରେ I ତା ଦୋକାନ ରେ ବସି ଭାବ ଆଉ ସେ ନେପାଳୀ ପଇସା ଗଣିବାକୁ ଲାଗିଲେ I କିଛି ସମୟ ପରେ ପଇସା ରଖି ନେପାଳୀ ଭାବ ହାତକୁ କେତେ ଗୁଡିଏ କମ୍ବଳ ବଢ଼େଇ ଦେଲା I ଚମ୍ପା ମୁଣ୍ଡରେ କିଛି ପଶୁ ନଥାଏ I ଏତେ ଗୁଡ଼େ କମ୍ବଳ ଭାବ କଣ କରିବ? ଘରେ ତ ଦି ଟା ଭଲ କମ୍ବଳ ଅଛି I ଆହୁରି କଣ ହେବ? ଗୋଟେ ଦି ଟା ହେଲେ କଣ କରନ୍ତା I ଏତେ ଗୁଡ଼େ? ୨୫ – ୩୦ ଟା ହେବ I
ଏତେ ଗୁଡ଼େ କଣ ହେବ ? ଭାବ କମ୍ବଳ ସବୁ ଧରି ଯାଇ ଗୋଟେ ଛକ ର ଚାନ୍ଦିନୀ ଉପରେ ବସିଲା I ଏପଟେ ଚମ୍ପା କେବିନ ପଛ ପଟେ ଲୁଚି କି ଦେଖୁ ଥାଏ I ରାତି ଏଗାରଟା ପରେ ହେଲାଣି I ଲୋକ ସବୁ ରାସ୍ତା ରେ କୁଙ୍କୁରି କାଙ୍କୁରି ହୋଇ ସୋଇ ପଡିଲେଣି I ଛିଣ୍ଡା ଚାଦର, କମ୍ବଳ ଅବା କନ୍ଥା, ଶୀତ ରଖିବାକୁ ସମର୍ଥ ନୁହଁ I ଶୀତରୁ ରକ୍ଷା ପାଇବାକୁ ଗୋଟେ ଗୋଟେ କନ୍ଥା ତଳେ ଦି ତିନି ଜଣ ପଶି ଥାନ୍ତି I ଭାବ ଏବେ ଉଠିଲା I ନିଜ ମୁହଁ ଘୋଡେଇ ହୋଇ ସମସ୍ତଙ୍କ ଉପରେ ଗୋଟେ ଗୋଟେ କମ୍ବଳ ଘୋଡେଇ ଦେଉଥାଏ ଆଉ ଆଗକୁ ଆଗକୁ ଯାଉଥାଏ I ସେ କମ୍ବଳ ଦେଇ ଦେଇ ଏବେ ଚମ୍ପା ଠିଆ ହୋଇଥିବା କେବିନ ପାଖରେ ଆସି ପହଁଚିଲା I ଚମ୍ପା କିଛି ରାଗ ଆଉ କିଛି ଅଭିମାନ ଭରା ସ୍ୱର ରେ କହିଲା , “ମୋତେ ଜଣେଇ ଥିଲେ କଣ ମୁଁ ମନା କରିଥାନ୍ତି? ନା ମୋ ଛୁଆ ପାଇଁ ପଇସା ମାଗିବି ବୋଲି ସବୁ ବାଣ୍ଟି ଦେଲ? ଚମ୍ପା କୁ ଦେଖି ଭାବ ଚମକି ପଡିଲା I ଶେଷ କମ୍ବଳ ଟି ଗୋଟେ ବୁଢ଼ୀ ଉପରେ ଘୋଡେଇ ଦେଇ ଚମ୍ପା ଆଖିରୁ ଲୁହ ପୋଛି ତା ହାତ ଧରି ପୁଣି ସେ ଚାନ୍ଦିନୀ ପାଖକୁ ଡାକି କି ନେଲା ଆଉ କହିଲା, ” ବସ ଏଠି ସବୁ କହୁଛି” I
ଭାବ ର କଥା ମାନି ଚମ୍ପା ଚାନ୍ଦିନୀ ଉପରେ ବସିଲା I ଭାବ ତା ହାତ ଧରି କହିଲା , ” ନା , ତୁ ମନା କରି ନଥାନ୍ତୁ I ଚାରି ବର୍ଷ ହେଲା କେବେ ପଚାରିନୁ I ମୁଁ ଚାକିରୀ କଲା ଦିନୁ, ସବୁ ଦିନ ଏହିପରି କିଛି କିଛି ପଇସା ରଖେ ଆଉ ଶୀତ ଦିନେ କମ୍ବଳ କିଣି ଏ ବାହାରେ ଶୋଉଥିବା ଲୋକ ମାନଙ୍କ ଉପରେ ଘୋଡେଇ ଦେଇ ଯାଏ I ମୁଁ ଏ ସବୁ ଆଜିକୁ ବାରବର୍ଷ ହେଲା କରୁଛି I ଏଥର କାଳେ ତୁ ସେ ବାବାକୁ ପଇସା ଦେଇ ଦେବୁ ବୋଲି ମୁଁ ଡରରେ ଆଜି ବାଣ୍ଟି ଦେଲି I ଆମର ସିନା ଘର ଟିଏ ଅଛି ହେଲେ ଏ ବାସହରା ଗୁଡିକ ରାତିରେ କେମିତି ଶୋଉଛନ୍ତି ଭାବିଲୁ” I କହୁ କହୁ ତା ଆଖି ଲୁହ ରେ ଟଳଟଳ ହେଇଯାଇଥାଏ I “ଛୋଟ ସମୟରୁ ପରିବାରର ବୋଝ କୁ କାନ୍ଧେଇଛି, ବାପାକୁ ଛୋଟ ସମୟରୁ ହରାଇଛି, ଲୁହକୁ ଅମୃତ ଭାବିଛି , କେତେ ଯେ ରାତି ଭୋକ ଉପାସରେ ଶୋଇଛି, ଟଙ୍କାଟିଏ ପାଇଁ କଣ କଣ ନ କରିଛି। ଏଇ ଆଖିରେ ଦେଖିଛି ମାଆ ଙ୍କ ଉପବାସରେ ଶୋଇବା । ତଥାପି ଅବଶୋଷ ନାହିଁ ଜୀବନରେ। କାହିଁକିନା ଭଗବାନ ଠୁ ବଳି ମାଆ ଟିଏ ପାଇଛି ଆଉ ତାଙ୍କଠୁ ମାନବିକତା ଗୁଣ ଟେ । ” ଏତିକି କହୁ କହୁ କାନ୍ଦି ପକେଇଲା ସେ I
ଭାବ ର ଲୁହ କୁ ନିଜ ହାତରେ ପୋଛି ଦେଲା ଚମ୍ପା ଆଉ ରାସ୍ତା ମଝିରେ କୁଣ୍ଢେଇ ପକେଇଲା ନିଜ ଗେରସ୍ତ କୁ I ଭାବି ଯାଉଥିଲା କେତେ ନିରୀହ ତା ଗେରସ୍ତ ଟା I ବସ୍ତି ର ଅନ୍ୟ ଅଣ୍ଡିରା ଗୁଡା ସବୁ ଦିନ ମଦ ପିଇ ଘରକୁ ଆସନ୍ତି I ସ୍ତ୍ରୀ ପିଲାଙ୍କୁ ମନା ଇଛା ଅସଭ୍ୟ ଭାଷା ରେ ଗାଳି ଦିଅନ୍ତି I ସ୍ତ୍ରୀ ପିଲାଙ୍କ ଠାରୁ ପଇସା ଛଡେଇ ନେଇ ଯାନ୍ତି I କେବେ କେବେ କେଉଁ ବେଶ୍ୟା ପାଖକୁ ଯାଇ ସବୁ ପଇସା ସାରି ଫେରନ୍ତି I ହେଲେ ଭାବ ? ସେ ମଦ , ଗଂଜେଇ , ବିଡି କିଛି ବି ଖାଏନି I କେତେ ଭଲ ପାଏ ଚମ୍ପା କୁ I ଦ୍ଵିତୀୟ ବି ହଉନି I ପୁଣି ଶୀତ ରାତିରେ ଏ ବାସହରା ଗୁଡା କେମିତି ଶୋଇବେ ବୋଲି ଚିନ୍ତା କରି ବାର ବର୍ଷ ହେଲାଣି ସବୁ ବର୍ଷ କମ୍ବଳ କିଣି ବାଂଟୁଛି I ଆଉ କେମିତିଆ ସ୍ୱାମୀ ସେ ପାଇଥାନ୍ତା ? ଭଗବାନଙ୍କୁ ଧନ୍ୟବାଦ ଦେଇ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଏବେ ଘରକୁ ବାହାରିଲେ I କିଛି ବାଟ ଯିବା ପରେ ପଛରୁ କିଛି ଶୁଣିବାକୁ ପାଇଲେ , “ଏ ବାବୁ ରହ ରହ , ୟାକୁ ନେଇ କି ଯା I”
ଚମ୍ପା ଆଉ ଭାବ ପଛକୁ ଚାହିଁଲେ I ଶେଷ କମ୍ବଳ ଘୋଡେଇ ଦେଇଥିବା ବୁଢ଼ୀ ଟା କୋଳ ରେ ଛୁଆଟିଏ ଧରି ଛୋଟେଇ ଛୋଟେଇ ଆସୁଥିଲା I ପାଖକୁ ଆସି କହିଲା , ” ତୁ ଭଲ ଲୋକ I କେତେ ଲୋକଙ୍କ କଥା ଚିନ୍ତା କରୁଛୁ I ଆଜି ସକାଳେ ଗୋଟେ କାର ରେ ଲୋକ ଟେ ଆସି ଏ ଝିଅ ଟିକୁ ମୋ ପାଖରେ ଶୁଏଇ ଦେଇ ଗଲା I ମୁଁ ତ ପାଚିଲା ପତର I କେତେବେଳେ ଝଡି ପଡିବି ଜାଣିନି I ମୁଁ ନ ଶୋଇ ତମ କଥା ଶୁଣୁଥିଲି I ନେ ପାଳିବୁ I
ଭାବ ଆଉ ଚମ୍ପା ଥରେ ଜଣେ ଆଉ ଜଣଙ୍କୁ ଓ ଥରେ ବୁଢ଼ୀ କୁ ଚାହିଁଲା ପରେ ଚମ୍ପା ଛୁଆଟିକୁ କୋଳକୁ ନେଲା। ଏବେ ତାକୁ କୋଟିନିଧି ପାଇଲା ପରି ଲାଗୁଥାଏ।
ଚମ୍ପା ଉପରକୁ ଚାହିଁ, ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲା ବେଳେ ଭାବ ଉପରକୁ ଚାହିଁ ତାରା ମେଳରୁ ତା ମା କୁ ଖୋଜୁଥିଲା।
—ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ

ଚାଷ ଅଛି ଯାହାର…

ଚାଷ ଅଛି ଯାହାର…
ସୁବଳ ମହାପାତ୍ର

 

ସକାଳୁ ସକାଳୁ ଗାଧୋଇ ପାଧୋଇ, ସତ୍ୟ ରେଡି ହୋଇଗଲା ଅଫିସ ଯିବାକୁ I ବାଟରେ ପୁଅକୁ ସ୍କୁଲ ରେ ଛାଡି ସିଧା ଅଫିସ ରେ ପହଞ୍ଚିଗଲା I ମେଲ ଖୋଲି ଆଜି ର କାମ କଣ ଦେଖିନେଲା I ଜୁନିଅର ମାନଙ୍କୁ କାମ ବାଣ୍ଟି ଦେଇ ଟିକେ ନିଶ୍ୱାସ ନେଲା I ହଠାତ ତାର ମନେ ପଡିଲା, ଆରେ ଆଜି ତ ୧୫ ତାରିଖ I କ୍ରେଡିଟ କାର୍ଡ ବିଲ ଆଉ ଇଲେକ୍ଟ୍ରିବିଲ ଦେବାର ଅଛି, ହୋମ ଲୋନ ଆଉ କାର ଲୋନ ର ଇ.ଏମ.ଆଇ ଦେବାର ଅଛି I ସେ ପେମେଣ୍ଟ ସାଇଟ ଖୋଲି ସବୁ ପେମେଣ୍ଟ କରିଦେଲା I ଓହୋ, ଏବେ ମାସେ ପାଇଁ ଚିନ୍ତା ଗଲା I ଏତିକି ବେଳେ ତା ଡେସ୍କ କୁ ଫୋନ ଆସିଲା I କ୍ରିଙ୍ଗ କ୍ରିଙ୍ଗ I ସେ ଫୋନ ଉଠେଇଲା I ଆଉ ଫୋନ ରଖି ସାରିବା ପରେ ମୁଣ୍ଡରେ ହାତ ଦେଇ ବସି ରହିଲା I
ସତ୍ୟଜିତ ସାମନ୍ତରାୟ I ବାଙ୍ଗାଲୋର ର ଏକ ନାମୀ ଦାମୀ ସଫ୍ଟୱାର କମ୍ପାନୀ ରେ କାର୍ଯ୍ୟରତ I ଟେକନିକାଲ ଟିମ ଲିଡର ସେ, ମାସିକ ଦରମା ୯୦୦୦୦ ଟଙ୍କା I ଘରେ ଏଜୁକେଟେଡ଼ ସ୍ତ୍ରୀ, ପୁଅ ଇଂଲିଶ ମିଡ଼ିଅମ ସ୍କୁଲ ରେ ପଢେ I ଘର ଗୋଟେ କିଣିଛି ମାସିକ କିସ୍ତି ରେ I ଆହୁରି ୨୪ ଟା କିସ୍ତି ବାକି ଅଛି I କାର ବି ଲୋନ ରେ I କାର ର ଆଉ ୫ ଟା କିସ୍ତି ବାକି ଅଛି I ପୁଅ ର ସ୍କୁଲ ରିଆଡ଼ମିଶନ ଅଛି ଆର ମାସରେ, ବର୍ଷକର ପଇସା ଦେବାକୁ ପଡିବ I ଏତିକି ବେଳେ କଣ ସବୁ ଘଟି ଗଲା I ସେ ନିଜ ସିଟ ରୁ ଉଠି ଏଚ.ଆର. ପାଖକୁ ଗଲା I ଏଚ.ଆର. ତାକୁ ଗୋଟେ ପିଙ୍କ ସ୍ଲିପ ଧରେଇ ଦେଲା I ଆଉ ସେ ପୁଣି ସିଟ ପାଖକୁ ଫେରି ଆସି ବିନା କିଛି ବାକ୍ୟ ବ୍ୟୟ ରେ ନିଜ ଜିନିଷ ଧରି ଅଫିସ ରୁ ବାହାରି ଗଲା I
ସତ୍ୟଜିତ ସାମନ୍ତରାୟ fired from his company? ଏକଥା ସେ ନିଜେ ବି ବିଶ୍ୱାସ କରିପାରୁ ନଥିଲା I କ’ଣ କରିନି ସେ ଏ କମ୍ପାନୀ ପାଇଁ I ତା ନିଜ ଜୀବନର ୧୫ ବର୍ଷ ଏଇଠି ହିଁ କାଟି ସାରିଛି I ଆଉ ଆଜି ସେ fired? ରିସେସନ ଆସିଲାନି ଯେ ଚିହ୍ନଇ ଦେଲା, କମ୍ପାନୀ କେବେ ବି କାହାର ନୁହେଁ I ମ୍ୟାନେଜମେଣ୍ଟ କେତେ ବେଳେ ବି କାହାକୁ ବି ବାହାର କରି ଦେଇ ପାରିବ I କିନ୍ତୁ ସେ ଏବେ କରିବ କଣ? ଆର ମାସ ଟା ତ ଚଳିଯିବ, କିନ୍ତୁ ତା’ପରେ I ସେ ଏବେ ଘରକୁ ଫେରି ସ୍ତ୍ରୀ ସୁଲଗ୍ନାଙ୍କୁ କହିବ କଣ? କିଛି ଦିନ ପୂର୍ବରୁ ହିଁ ସେ ନିଉଜ ଦେଖି ପଚାରୁ ଥିଲେ infosys, accenture, capgemini ଭଳି କମ୍ପାନୀ ଲୋକଙ୍କୁ ବାହାର କରୁଛନ୍ତି I ତମ କମ୍ପାନୀ ଅବସ୍ଥା କଣ I ସେ ହିଁ କହିଥିଲା, “ହଁ, କିନ୍ତୁ ମୋର ଡର ନାହିଁ, ମୋ ନାଁ ଲିଷ୍ଟ ରେ ନଥିବ” I ଏ କମ୍ପାନୀ ରେ ମୁଁ ୧୫ ବର୍ଷ ହେଲା କାମ କରୁଛି, କମ୍ପାନୀ କଣ ମୋତେ ବାହାର କରି ଦେବ? କେବେ ନୁହଁ I ସେ କାର ଚଳେଇ ଆସିଲା ବେଳେ ଅନ୍ୟ ମନସ୍କ ହୋଇ ପଡୁଥିଲା I ବାଦଲ ଫଟା ବର୍ଷା ହେଲା ପରି ତା ମୁଣ୍ଡ ଭିତରେ ଟେନସନ ଗୁଡା ଅଜାଡି ହୋଇ ପଡୁଥିଲେ I
ନିଜକୁ ସମ୍ଭାଳି ନେଇ ସେ ଘରେ ଆସି ପହଁଚି ଗଲା I ସୁଲଗ୍ନା ସତ୍ୟ କୁ ଦେଖି ଚମକି ପଡିଲା ଆଉ ତା ମୁହଁ ଦେଖି ସବୁ କଥା ଜାଣି ପାରିଲା I ସତ୍ୟ କିଛି ନ କହି ବେଡ଼ରୁମ କୁ ପଶିଗଲା ଆଉ ଜୋତା ନଖୋଲି ବେଡ଼ ରେ ଶୋଇ ପଡିଲା I ସତ୍ୟ ଆଉ ସୁଲଗ୍ନା କାହାକୁ କିଛି ନକହିଲେ ବି ବୁଝି ପାରୁଥିଲେ ଏବେ ଅବସ୍ଥା କେଉଁ ଆଡକୁ ଗତି କରୁଛି I ଦିହେଁ ପରସ୍ପର ସହ କଥା ହେବାକୁ ଚାହୁଁଥିଲେ ବି କାହା ପାଟିରୁ ବି କଥା ସ୍ପୁରୁ ନଥିଲା I କ’ଣ ହବ ଏବେ? ଏ ପ୍ରଶ୍ନ ଦୁହିଁଙ୍କ ମୁଣ୍ଡରେ ଉଙ୍କି ମାରୁଥିଲା କିନ୍ତୁ ତା ର ଉତ୍ତର କାହା ପାଖରେ ବି ନଥିଲା I ଦିନ ଆସି ଚାରିଟା ବାଜିଲାଣି କିନ୍ତୁ କେହି ବି ଆଜି ମଧ୍ୟାନ୍ନ ଭୋଜନ କରି ନାହାନ୍ତି I ଭାତ ହାଣ୍ଡିରେ ଭାତ ଶୁଖି ସାରିଥିଲା, ଆଉ ସତ୍ୟ ର ଟିଫିନ ବାକ୍ସ, ବ୍ୟାଗ ରୁ ବାହାରି ନଥିଲା I ଅନ୍ୟ ଦିନ ହୋଇ ଥିଲେ ଏତେ ବେଳକୁ ସୁଲଗ୍ନା ଖାଇ ସାରି ଖଟରେ ଶୋଇ ସତ୍ୟ କୁ ଫୋନ କରି ଥାନ୍ତା ଆଉ ୧୫ ମିନିଟ କାଳ ଗେଲ୍ହେଇ ହେଇ ଥାନ୍ତା I ଯାହା କି ସେ ୧୨ ବର୍ଷ ହେଲା କରି ଆସିଛି I ଆଜି ର କଥା କିନ୍ତୁ ଅଲଗା ଥିଲା I ଆଜି ନା ମୁହଁରେ ଥିଲା ହସ ନା ଗେଲ୍ହେଇ ହେବାର ମନ I ପୁଅ ରିଣ୍ଟୁ ସ୍କୁଲ ରୁ ଆସିବାର ସମୟ ହେଇ ସାରିଥିଲା I ଦୁହେଁ ଦୁହିଁଙ୍କୁ ବୁଝେଇବା ଅବସ୍ଥା ରେ ଥିଲେ କିନ୍ତୁ କେହି କିଛି ବି କହି ପାରୁ ନଥିଲେ I ରିଣ୍ଟୁ ସ୍କୁଲ ରୁ ଆସି ବାପାଙ୍କୁ ଘରେ ଥିବା ଦେଖି ଖୁସି ହେଇ ଗଲା ଆଉ ଖେଳିବାକୁ ଡାକିଲା I ସତ୍ୟ ର ମନ ନଥିଲେ ବି ସେ ରିଣ୍ଟୁ ସହ ଖେଳିବାକୁ ଗଲା, କିନ୍ତୁ ସୁଲଗ୍ନା ର କୌଣସି କାମରେ ମନ ନଥିଲା I ସେ ଭାବି ପାରୁ ନଥିଲା ଯେ ଆଗକୁ କଣ ହେବ? ଘର ଆଉ ଗାଡି ର ଇ.ଏମ.ଆଇ , ରିଣ୍ଟୁ ର ସ୍କୁଲ ଫିସ, ଘର ଚାଲିବାକୁ ପଇସା ତ ଦରକାର ନା?
ସନ୍ଧ୍ୟା ରେ ବି ସତ୍ୟ ଆଉ ସୁଲଗ୍ନା ଚୁପ ଚାପ, କାହା ମୁହଁରେ କଥା ନାହିଁ I ରିଣ୍ଟୁ କିଛି ବୁଝି ପାରୁ ନଥାଏ I କିନ୍ତୁ ଜାଣି ପାରୁ ଥାଏ ଯେ କିଛି ଗୋଟେ ଘଟି ଯାଇଛି I ସେ ଆଉ ଛୋଟ ପିଲା ନୁହଁ I କ୍ଲାସ six ରେ ପଢୁଛି ସେ I କିନ୍ତୁ ସେ ବା କ’ଣ କରି ପାରିବ ?
ଏଇ ଭିତରେ ଦୁଇ ଦିନ ବିତି ଗଲାଣି I ସତ୍ୟ ଆଉ ସୁଲଗ୍ନା, ରିଣ୍ଟୁ ଆଗରେ କଥା ନ ହେଲେ ବି ରିଣ୍ଟୁ ଟିକେ ଟିକେ ବୁଝି ପାରୁ ଥାଏ I ବାପା ଦୁଇ ଦିନ ହେଲାଣି ଅଫିସ ଯାଉ ନାହାନ୍ତି I ସେ ଜନ୍ମ ହେବା ପରଠୁ ଏମିତି କେବେ ବି ଦେଖିନି I ଘରେ ବି ସମସ୍ତେ ଚୁପ ଚାପ I ସମସ୍ତେ କହିଲେ ବାପା ଓ ମା I ଜେଜେ ଜେଜୀ ତ ସେ ଛୋଟ ଥିଲା ବେଳେ ଆର ପାରିକୁ ଚାଲି ଯାଇଛନ୍ତି I ବାପା, ଜେଜେଙ୍କ ଗୋଟିଏ ବୋଲି ପୁଅ I ଜେଜେ ଥିଲା ଯାଏ, ସେମାନେ ସାଙ୍ଗ ହୋଇ ଗାଁ କୁ ଯାନ୍ତି I କିନ୍ତୁ ଜେଜେ ଗଲା ପରଠୁ, ଆଉ ସେମାନେ ଆଜି ଯାଏ ଯାଇ ନାହାନ୍ତି ଗାଁ କୁ I ତା ସ୍କୁଲ ରେ ଏବେ ଖରା ଛୁଟି ହେଇ ଯିବ I ସେ ମନେ ମନେ କିଛି ଚିନ୍ତା କରି, ବାପାଙ୍କ ପାଖରେ ଯାଇ କି ବସିଲା I
ସତ୍ୟ କିନ୍ତୁ ଅନ୍ୟ ମନସ୍କ, ତେଣେ ଟିଭି ଚାଲି ଥାଏ I ସତ୍ୟ ଟିଭି କୁ ଚାହିଁ କଣ ସବୁ ଭାବୁଥାଏ I ମୁଣ୍ଡରେ ଟେନସନ ଭର୍ତି I ପଇସା କୁଆଡୁ ଆସିବ I ଏବେ ତ ସବୁ କମ୍ପାନୀ ରୁ ଲୋକଙ୍କୁ ବାହାର କରୁଛନ୍ତି I କେଉଁ କମ୍ପାନୀ ରେ ବି ଭ୍ୟାକାନସି ନାହିଁ I High Salaried ଲୋକଙ୍କୁ କେହି ବି ନେବାକୁ ଚାଁହୁ ନାହାନ୍ତି I ଦି ଦିନ ଭିତରେ ସେ ପାଖା ପାଖି ୨୫ ଟା କମ୍ପାନୀ ବୁଲି କି ଆସିଲାଣି କିନ୍ତୁ ସମସ୍ତେ ନାହିଁ କରୁଥାନ୍ତି I ତେବେ ସେ କରିବ କଣ?
ରିଣ୍ଟୁ ଆସି ପାଖରେ ବସିଲା I ସତ୍ୟ କିନ୍ତୁ ରିଣ୍ଟୁ ମୁହଁକୁ ସିଧା ଚାହିଁ ପାରୁ ନଥାଏ I ରିଣ୍ଟୁ କହିଲା ବାପା, ଗୋଟେ କଥା କହିବି?
— ହଁ କଣ କହ I
— ମୋ ସ୍କୁଲ ଆଉ ଦି ଦିନ ପରେ ଛୁଟି ହୋଇଯିବ I ଚାଲନା ଏଥର ଗାଁ ଆଡୁ ଟିକେ ବୁଲି ଆସିବା I
— ହଉ ଦେଖିବା I
ରିଣ୍ଟୁ ଆଉ କିଛି ନକହି ତା ରୁମ କୁ ଚାଲିଗଲା I ସତ୍ୟ ମୁଣ୍ଡରେ କିନ୍ତୁ ଛାଡି ଦେଇ ଗଲା ନୂଆ ଗୋଟେ ଭାବନା I ସତ୍ୟ ଟିଭି ବନ୍ଦ କରି ଦେଇ ଆଖି ବନ୍ଦ କରି ଭାବିବାକୁ ଲାଗିଲା I ୨୦୦୭ ମସିହା ରେ ଏମିତି ଗୋଟେ ସମୟ ଆସିଥିଲା ୨୦୧୧ ଯାଏ I ସେତେବେଳେ ବି ବହୁତ କମ୍ପାନୀ ବହୁତ ଲୋକଙ୍କୁ ବାହାର କରିଥିଲେ, କିନ୍ତୁ କୌଣସି ମତେ ବଞ୍ଚି ଯାଇଥିଲା ସତ୍ୟ I ଆଉ ସମାନ ଜିନିଷ ପୁଣି ଥରେ ୨୦୧୭ ରେ I ଆମେରିକା ଲୋକ ମାନେ କ’ଣ ଠିକା ନେଇଛନ୍ତି ଆମ ଭବିଷ୍ୟତର? ଆମେ କଣ ସେମାନଙ୍କ ଇଚ୍ଛାରେ ଚାଲିବୁ? ୧୫ ବର୍ଷର ସେବା କଣ କମ୍ପାନୀ ପାଇଁ ଯଥେଷ୍ଟ ନଥିଲା, କିନ୍ତୁ କମ୍ପାନୀ ପଲିଟିକ୍ସ ତାକୁ ବର୍ବାଦ କରିଦେଲା I ମ୍ୟାନେଜମେଣ୍ଟ ଶେଷରେ କଲା କ’ଣ? ତାକୁ ହିଁ କମ୍ପାନୀ ରୁ ବାହାର କରିଦେଲା I କିଛି ତ ତ୍ରୁଟି ସେ ରଖି ନଥିଲା I କିନ୍ତୁ ହଁ ତୋଷାମଦିଆ ହେଇ ପାରିଲାନି I ବସ ର ଜୋତା ଚାଟି ପାରିଲାନି I ତାକୁ ତେଲ ମାରି ପାରିଲାନି I ସତ୍ୟ ଯାହା କହେ ମୁହଁରେ I ଠିକ ତ ଠିକ, ଭୁଲ ତ ଭୁଲ I ହେଲେ ଆଉ ନୁହଁ I ଯେଉଁ କମ୍ପାନୀ ଗଲେ ବି ତ ଏମିତି ବସ ଆଉ ସିନିଅର ମିଳିବେ I ତେବେ କଣ ଚାକିରୀ ଆଉ କରିବନି? ଗାଁ ରେ ଯାଇ ଚାଷ କରିବ?
ହଁ, ଗାଁ ରେ ଚାଷ କରିବାରେ ଅସୁବିଧା କ’ଣ? ଆଗରୁ ସିନା ପାରମ୍ପରିକ ପଦ୍ଧତି ରେ ଚାଷ ହେଉଥିଲା, ଏବେ ତ କେତେ ନୂଆ ଯନ୍ତ୍ରପାତି ବାହାରିଲାଣି, କେତେ କେତେ ନୂଆ ଜିନିଷ ସବୁ ଆସିଲାଣି I ସେ ତ ପୁଣି ଛୋଟ ଥିଲା ବେଳେ ବାପା ଚାଷ କରୁଥିଲେ, ଚାଷ ବାସ ସବୁ ବୁଝୁଥିଲେ I ସେ କାହିଁକି ପାରିବନି? ପର ପାଖରେ ମୁଣ୍ଡ ବିକି ରହିବା ଅପେକ୍ଷା ନିଜେ ଚାଷ କରିବା ଭଲ I
ଭାବି ଭାବି ସେ ସୁଲଗ୍ନା ପାଖକୁ ଗଲା I ସୁଲଗ୍ନା କୁ ଏଇ ବିଷୟରେ କହିଲା ପରେ ସୁଲଗ୍ନା ଭୀଷଣ ଭାବରେ ଚିଡି ଉଠିଲା I କାହିଁ ଏ ମେଟ୍ରୋ ସହରର ଚାକଚକ୍ୟ ଭରା ଦୁନିୟା ଆଉ କାହିଁ ଗାଁ ର ସେ ଧୂଳି ମଳି ଭରା ଜୀବନ I ଜେଜେ ଅମଳର ଚାଳ ଖଣ୍ଡେ ଥିଲା ଯେ ସେଟା ବି ୧୨ ବର୍ଷ ହେଲା ଛାଉଣି ହୋଇନି I ବାପା ବୋଉ ତ ମଲା ଯାଏ ଏଠି ରହୁଥିଲେ I ଗାଁ ସହ ତ ଆଉ ସେମିତି କିଛି ବି ସମ୍ପର୍କ ନାହିଁ I କେବଳ ରାମୁ କାକା ବର୍ଷ କୁ ବର୍ଷ କିଛି କିଛି ପଇସା ଭାଗ ର ପଠେଇ ଦିଅନ୍ତି I ନହେଲେ ଗାଁ କିଏ ଆଉ ସେମାନେ କିଏ? ଇଏ ପୁଣି ଜଣେ ସଫ୍ଟୱେର ଇଞ୍ଜିନିଅର, ଗାଁ ରେ ଯାଇ ଚାଷ କରିବେ I ଚାଷ ବିଷୟରେ ତମକୁ କ’ଣ ଜଣା? ଏଠି ଦଶ ଲକ୍ଷ ର ପ୍ୟାକେଜ ଛାଡି ଯିବେ ଗାଁ କୁ ଚାଷ କରିବାକୁ I ତମେ ଯାଆ, ମୁଁ ଆଉ ମୋ ପୁଅ ଏଇଠି ରହିବୁ I ଗାଁ ରେ ଇଂଲିଶ ମିଡ଼ିଅମ ସ୍କୁଲ ନାହିଁ I ଘର ନାହିଁ I ଡାକ୍ତର ଖାନା ନାହିଁ I ହୋଟେଲ ନାହିଁ I କଣ ଅଛି ଗାଁ ରେ?
ସୁଲଗ୍ନା ଠୁ ଏସବୁ ଆଶା କରି ନଥିଲା ସତ୍ୟ I ଚାକିରୀ ର ଟେନସନ ଯାହା, ସେଥିରେ ପୁଣି ପଲିଟିକ୍ସ I ଏବେ ଚାକିରୀ ନାହିଁ I ମିଳିବ କି ନମିଳିବ ତା ବି ଜଣା ନାହିଁ I କେତେଦିନ ଯାଏ ଏ ରିସେସନ ଚାଲିବ ତାର କିଛି ଠିକ ଠିକଣା ନାହିଁ I ସେଥିପାଇଁ ସେ ଏପରି ଚିନ୍ତା କରିଥିଲା I ହେଲେ ସେ ୟାକୁ ତ ସଜେସନ ବୋଲି ଭାବି ସୁଲଗ୍ନା କୁ କହିଥିଲା I ଫାଇନାଲ ତ କରି ନଥିଲା I ଅଗତ୍ୟା ବାଧ୍ୟ ହୋଇ ଆଉ କିଛି ବି ନକହି ସେ ପୁଣି ଟିଭି ରୁମ କୁ ପଳେଇ ଆସିଲା I ରାଗରେ ସୁଲଗ୍ନା ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ସୁଲଗ୍ନା ଚିନ୍ତା କରି ପାରୁ ନଥାଏ ଯେ ଏସବୁ ବାଜେ ଚିନ୍ତା କେମିତି ୟାଙ୍କ ମୁଣ୍ଡକୁ ଆସୁଛି I କଣ ନା, ଚାଷ କରିବେ ଗାଁ ରେ I ଯେଉଁଠି ଦୈବୀ ଦୁର୍ବିପାକ, ମରୁଡି, ନଈବଢି, ଖରାପ ବିହନ ସବୁ ପାଇଁ ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି, ସେଠି ଜଣେ ସଫ୍ଟୱେର ଇଞ୍ଜିନିଅର ଯିବ ଚାଷ କରିବାକୁ I ଯାହାକୁ ଚାଷ ର ଚ ବି ଜଣା ନାହିଁ I
ସତ୍ୟ କିଛି ସମୟ ମୁଣ୍ଡରେ ହାତ ଦେଇ ବସି ରହିଲା I ହଉ, ଦେଖିବା କଣ ହଉଚି ! କହି ସେ ଇଣ୍ଟରନେଟ ରେ ଚାକିରୀ ଖୋଜିବାକୁ ଲାଗିଲା I naukri, monster ଭଳି ଆଉ କେତେ ସାଇଟ ଖୋଜି ସାରିଲା ପରେ କିଛି ନପାଇ ରାଗରେ ଲାପଟପ କୁ ବନ୍ଦ କରିଦେଲା ଆଉ ଆଖି ବୁଜି ବସି ରହିଲା I
ଦୁଇ ଦିନ ପରେ ରିଣ୍ଟୁ ର ସ୍କୁଲ ଛୁଟି ହେଲା I ସେ ସତ୍ୟକୁ ଲଗେଇଲା ଚାଲ ଗାଁ ଆଡେ ବୁଲି ଯିବା I ସତ୍ୟ ବି ରାଜି ହେଲା I ବାପା ମଲା ପରଠୁ ସେ ଗାଁ କୁ ଯାଇ ନଥିଲା I ସୁଲଗ୍ନା ରୋକଠୋକ ମନା କରିଦେଲା ସେ ଗାଁ କୁ ଯିବନି I ସତ୍ୟ ଠିକ କଲା ଯେ ଯାହା ବି ହେଉ ସେ ଗାଁ କୁ ଯିବ I ରିଣ୍ଟୁ କୁ କିନ୍ତୁ ନେବା ପାଇଁ ଚାହିଁଲାନି I କାରଣ ସୁଲଗ୍ନା ନଗଲେ ରିଣ୍ଟୁ ହଇରାଣ ହେବ I ରିଣ୍ଟୁ ମନ ଦୁଃଖ କଲେ ବି ସୁଲଗ୍ନା ତା ଜିଦ ରେ ଅଟଳ ଥିଲା I
ସତ୍ୟ ବାଙ୍ଗାଲୋର ରୁ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚି ବସ ରେ ଗାଁ କୁ ଗଲା I ଗାଁ ରେ ତାଙ୍କ ସବୁ ଘର ଭାଙ୍ଗି ଯାଇ ଥାଏ I ମାଟି ଘର, ରକ୍ଷଣା ବେକ୍ଷଣ ଅଭାବରୁ ଯାହା ହୁଏ I କିଛି ଦିନ ରାମୁ କାକାଙ୍କ ଘରେ ରହିଲା I ତାଙ୍କ ଜମି, ବାଡ଼ି, ଘର ଡିହ, ଆମ୍ବ ତୋଟା, ଗହିରି ବିଲ ସବୁ ଦେଖି ସାରିଲା ପରେ ଠିକ କଲା ଯେ ସେ ଗାଁ ରେ ହିଁ ରହିବ ଆଉ ଚାଷ କରିବ I ତେଣିକି ସୁଲଗ୍ନା ଗାଁ କୁ ଆସିଲେ ଆସୁ ନହେଲେ ନାହିଁ I ସୁଲଗ୍ନା କୁ ସେ ଫୋନ ରେ ତା ଡିସିସନ ଶୁଣେଇ ଦେଲା I ସୁଲଗ୍ନା ବି ରାଗିକି ତା ଡିସିସନ ଶୁଣେଇଲା I ଯାହା ବି ହେଇଯାଉ ସେ ଗାଁ କୁ ଆସିବ ନାହିଁ I ତମେ ତେଣିକି ସିଆଡେ ରୁହ, ମୁଁ ଆଉ ମୋ ପୁଅ ଏଠି ରହିବୁ I ଆମ ପାଖକୁ ପଇସା ବି ପଠେଇବା ଦରକାର ନାହିଁ I ଯେତେବେଳେ ତମକୁ ଲାଗିବ ଯେ ତମେ ଭୁଲ ରାସ୍ତା ରେ ଅଛ, ଅଥବା ବଢି, ମରୁଡି ପରେ ଦେବାଳିଆ ହୋଇଯିବ, ସେତେବେଳେ ଫେରିବ ଆମ ପାଖକୁ I ଆମେ ତମକୁ ଅପେକ୍ଷା କରିବୁ I ସୁଲଗ୍ନା ଫୋନ କାଟିଦେଲା ଆଉ ସୁଇଚ ଅଫ କରିଦେଲା I ସତ୍ୟ ଚାହିଁଲେବି ଆଉ ସୁଲଗ୍ନା ସହ କଥା ହୋଇ ପାରିଲାନି କି ନିଜ ମନ କୁ ବଦଳେଇ ପାରିଲାନି I ହଉ ପଛେ ଦୈବୀ ଦୁର୍ବିପାକ, ହଉ ପଛେ ବଢି ଆଉ ମରୁଡି, ମିଳୁ କମ ପଇସା କିନ୍ତୁ ଏଠି ଶାନ୍ତି ତ ଅଛି I ନା ଅଛି ପଲିଟିକ୍ସ ନା ଅଛି ବସ ର ଡର I ପଲିଟିକ୍ସ, ଟେନସନ, ଆଉ ପ୍ରେସର ରୁ ସେ ଦୁରେଇ ଯିବାକୁ ଚାହୁଁଥିଲା I
ସୁଲଗ୍ନା ବି ଏଜୁକେଟେଡ଼ I ବାଙ୍ଗାଲୋର ରେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଚାକିରୀ ଖଣ୍ଡେ ତାକୁ ମିଳିଗଲା I ମାସକୁ ୩୫୦୦୦ ଦରମା I ସୁଲଗ୍ନା ଆଉ ରିଣ୍ଟୁ ବାଙ୍ଗାଲୋର ରେ ରହିଲେ ଆଉ ସତ୍ୟ ଗାଁ ରେ I ସତ୍ୟ ବେଳେ ବେଳେ ମନେ ପଡନ୍ତି ସୁଲଗ୍ନା ର I ଝଗଡା ନାହିଁ, ମାରପିଟ ନାହିଁ, କେତେ ଶାନ୍ତି ରେ ଚାଲୁଥିଲା ତାଙ୍କ ଘର, କିନ୍ତୁ ଗୋଟେ ଡିସିସନ ହିଁ ବଦଳେଇ ଦେଲା ତାଙ୍କ ଜୀବନ I ସେଥିପାଇଁ ସତ୍ୟ କୁ ଦାୟୀ କରନ୍ତି ସେ I ସତ୍ୟ ର ବି ମନେ ପଡନ୍ତି ସୁଲଗ୍ନା ଆଉ ରିଣ୍ଟୁ, କିନ୍ତୁ ସେ ନାଚାର I ବହୁତ ଥର କଥା ହେବା ପାଇଁ ଚାହିଁଛି ସେ, ସବୁଥର ସୁଲଗ୍ନା ତା ଫୋନ କାଟି ଦିଅନ୍ତି, ଆଉ କିଛି ଦିନ ପରେ ନମ୍ବର ହିଁ ବଦଳେଇ ଦେଲେ I ପଡିସା ଘରକୁ ଫୋନ କରି ସେ କଥା ହେବାପାଇଁ ଚାହିଁଥିଲା, କିନ୍ତୁ ପଡୋଶୀ ଙ୍କୁ ସୁଲଗ୍ନା କଡା କଥା ଶୁଣେଇଲା ପରେ ସେ ଆଉ ଫୋନ କରି ନଥିଲା I ପଡୋଶୀ ଠୁ ଏତିକି ଶୁଣିଥିଲା ଯେ ସୁଲଗ୍ନା ଏବେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଟିଚର ଅଛି I ସେ ବି ରାଣ ଖାଇଲା ଯେ, ଯେବେ ଯାଏ ମୁଁ ଜଣେ ଭଲ ଚାଷୀ ନହେଇ ପାରିଛି, ସେବେ ଯାଏ ସୁଲଗ୍ନା ଆଉ ରିଣ୍ଟୁ କୁ ମୁହଁ ବି ଦେଖେଇବିନି I
ସତ୍ୟ କିଛି ଦିନ ରାମୁ କାକାଙ୍କ ଘରେ ରହିଲା ପରେ ତା ନିଜ ଚାଳ ଘରଟିକୁ ଆଜବେଷ୍ଟସ କଲା I ବାଡ଼ି ଆଉ ଜମି ରେ କିଛି କିଛି ପନିପରିବା ଚାଷ ଆରମ୍ଭ କଲା I ଗାଁ ରେ ମୁଲିଆ ଆଉ କୋଠିଆ ମିଳି ଗଲେ I ନିଜକୁ ଚାଷ ଜଣା ନଥିଲେ ବି ସେ ଦେଖି ଦେଖି କିଛି କିଛି ଶିଖିଲା I ରାମୁ କାକାଙ୍କ ଠୁ ଜାଣିଲା ତାର ୪୦ ଏକର ଜମି କିନ୍ତୁ ସବୁ ଏକାଠି ନଥିଲା I ଗାଁ ଲୋକଙ୍କ ସହ କଥା ହେଇ ଜମି ଅଦଳବଦଳ କରି ସବୁ ଜମି ଏକାଠି କଲା I ଉପର, ତଳ, ଢିପ, ଖାଲ ଜମି ସବୁ ମିଶେଇ ଏବେ ତା ପାଖରେ ୩୫ ଏକର ଥିଲା I
ଗହିରି ବିଲ କୁ ଆହୁରି ଖୋଳି ତାକୁ ପୋଖରୀ କଲା I ପୁରା ଜାଗା କୁ ତାରବାଡ ଦେଇ ବନ୍ଦ କରିଦେଲା I ପୋଖରୀ ଚାରି ପଟେ ନଡ଼ିଆ ଗଛ ଲଗେଇଲା I ଜାଗା ର ଚାରି କଡେ ଆମ୍ବ ଆଉ ପଣସ ଗଛ, ମଝିରେ ଗୋଲାପ ଆଉ ଗେଣ୍ଡୁ ଫୁଲ, ଫୁଲ ଚାରି ପଟେ ସିଜିନାଲ ପନି ପରିବା ଯେମିତିକି ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି ଆଦି, ଆଉ କିଛି କିଛି ଜମିରେ ଧାନ, ବାଦାମ ଆଦି ଚାଷ କଲା I ରାମୁ କାକା ସବୁଦିନ ତା ସହ ଥାନ୍ତି I କେତେବେଳେ କଣ ବୁଣା ଯିବ, କେଉଁଟା ଅମଳ ହବ ଇତ୍ୟାଦି କଥା ସେ ବୁଝା ବୁଝି କରୁଥାନ୍ତି I
କିଛି ସମୟ ଏମିତି ବି ଆସିଲା ଯେତେବେଳେ ସତ୍ୟ କୁ କୃଷି ଋଣ ନେବା ପାଇଁ ବ୍ୟାଙ୍କ ଆଗରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡିଲା I ତା ପାଖରେ ପଇସା ସବୁ ସରି ସରି ଆସୁଥାଏ I ଏପଟେ ଗୋଟେ ପରେ ଗୋଟେ ଜମି ବୁଣା ଚାଲି ଥାଏ, ଅମଳ ହେଲେ ସିନା ପଇସା ଆସିବ, କିନ୍ତୁ ତା ପୂର୍ବରୁ ମୁଲିଆ ପଇସା, ବିହନ, ସାର, ପୋକମରା ଔଷଧ ଆଉ ସବୁ ଆନୁସାଙ୍ଗିକ ପାଇଁ ତ ପଇସା ଦରକାର I ବାଧ୍ୟ ହୋଇ ତାକୁ ତା ବାଙ୍ଗାଲୋର ର ଘର ବନ୍ଧା ପକେଇବାକୁ ପଡିଲା I ସେମିତି ବି ୧୬-୧୮ ମାସ ହେଲା ତା ଇ.ଏମ.ଆଇ. ଦିଆ ହୋଇ ନଥିଲା I ବ୍ୟାଙ୍କ ରୁ ଘନ ଘନ ଫୋନ ଆସୁଥାଏ I କିନ୍ତୁ ତା ପାଖରେ କରିବା ପାଇଁ କିଛି ନଥିଲା I ମାଟି ସହ ମାଟି ହୋଇ ସେ ମୁଲିଆ ହୋଇ ଯାଇଥିଲା I ତାକୁ ଦେଖିଲେ କେହି ବି କହିବେନି ଯେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର I
କିଛି ଦିନ ପରେ ସତ୍ୟ ପୋଖରୀ ରେ ମାଛ ଆଉ ଚିଙ୍ଗୁଡ଼ି ଚାଷ ଆରମ୍ଭ କଲା I ପୋଖରୀ କୂଳରେ ଘର ତିଆରି କରି କୁକୁଡ଼ା ଫାର୍ମ ବି କଲା, ଆଉ ତା ଜମିରେ ଗୋଟେ ଛୋଟ ଚାଳିଆ କରି ସେଠି ରହିଲା I ପଇସା ନଥିବାରୁ ସେ ଦେବାଳିଆ ହୋଇ ଯାଇଥିଲା I ବାଙ୍ଗାଲୋର ରେ ଥିବା ସାଙ୍ଗ ମାନଙ୍କଠୁ ବି ସେ ହାତ ଉଧାରୀ ରେ ୮-୧୦ ଲକ୍ଷ ଟଙ୍କା ଆଣି ସାରିଥିଲା I ବେଳେ ବେଳେ ଭାବେ ଏସବୁ ଠାରୁ ତ ସଫ୍ଟୱେର ଚାକିରୀ ଭଲ ଥିଲା I ସୁଲଗ୍ନା ଠିକ କହୁଥିଲେ I ଏବେ ସେ ଜାଣି ପାରୁଛି ଯେ ଅସୁବିଧା କଣ I ତାକୁ ସବୁ ଜିନିଷ ଆସ୍ତେ ଆସ୍ତେ କରିବାର ଥିଲା I ମାଛ ଚାଷ, କୁକୁଡ଼ା ଫାର୍ମ, ଘର ସବୁ ଏକାବେଳେ କରି ପକେଇବା ତାର ଭୁଲ ଥିଲା I ପିଲା ବେଳେ ଶୁଣିଥିବା ଗପ ଶିବେଇ ସାନ୍ତରା କଥା ତାର ଏବେ ମନେ ପଡୁଥିଲା, ତା ସହ ମନେ ପଡୁଥିଲା ସୁଲଗ୍ନା ର ରାଗ, ରିଣ୍ଟୁ ର କନକନିଆଁ ମୁହଁ ଆଉ ବାପା ଡାକ, ସୁଲଗ୍ନା ର ଭଲ ପାଇବା, ଅଫିସ ର କଲିଗ, ବ୍ୟାଗ ଭିତରେ ଟିଫିନ ବକ୍ସ, ରବିବାର ବୁଲାବୁଲି ଆଉ ସିନେମା ଦେଖା, ଏସି କାର, ଅଫିସ ଟ୍ରିପ, ଜୁନିଅର ଝିଅ ମାନଙ୍କର କୁନୁମୁନିଆଁ ଚାହାଣି, ବସ ର ଗାଳି, ଏଚ.ଆର. ର ପିଙ୍କ ସ୍ଲିପ, ଆଉ ଚାକିରୀ ଖୋଜା I ଅଫିସ କଥା ମନେ ପଡିବା କ୍ଷଣି ତା ମୁହଁ ଲାଲ ହୋଇ ଆସିଲା ଆଉ ସେ ନିଜକୁ ସହଜ କରିବାକୁ ଯାଇ ଆହୁରି ପରିଶ୍ରମ କଲା I
କହନ୍ତି ମାଟି ସହ ମାଟି ହେଲେ ଯାଇ ସୁନା ଫଳେ I ପୋତା ଧନ ବୋଲି କିଛି ବି ନଥାଏ, ମାଟି ଖୋଳି ଦେହରୁ ଝାଳ ନିଗିଡ଼ିଲେ ଯାଇ ମାଟି ମା ତମ ମନ ରଖେ ଆଉ ତା ମାନ ବି ରଖେ I ସତ୍ୟ ଦିନ ରାତି ଏକ କରି ଦେଲା I ଆସ୍ତେ ଆସ୍ତେ ତା ଜମିରେ ସୁନା ଫଳିବାକୁ ଲାଗିଲେ I ଦି ବର୍ଷ ପରେ ସେ ପୋଖରୀ ଉପରେ ମଝା ମଝି ଗୋଟେ ଘର ତିଆରି କଲା ଆଉ ପୋଖରୀ ଉପରେ ବ୍ରିଜ କଲା, ସେ ଘରକୁ ଯିବା ପାଇଁ I ମାଛ ଆଉ ଚିଙ୍ଗୁଡ଼ି ଚାଷ ରୁ ବି ତାର ବହୁତ ଲାଭ ହେଲା I ଏପଟେ ଫୁଲ ବି ବହୁତ ବିକ୍ରି ହେଲା ବିଶେଷ କରି ବାହାଘର ସିଜିନ ଆଉ ଫେଷ୍ଟିଭାଲ ସିଜିନ ରେ I ଆସ୍ତେ ଆସ୍ତେ ତା ହାତକୁ ପଇସା ଆସିବାରେ ଲାଗିଲା I ନୂଆ ନୂଆ instrument use କରି ସେ କମ ଖର୍ଚରେ ଅଧିକ ଉପାର୍ଜନ କରୁଥିଲା I ଫୁଲ, ମାଛ ଆଉ ଚିଙ୍ଗୁଡ଼ି, ପନିପରିବା, ସବୁଥିରୁ ତାକୁ ଲାଭ ମିଳିବାରେ ଲାଗିଲା I ନଡ଼ିଆ, ଆମ୍ବ ଆଉ ପଣସ ର ସବୁ କଲମୀ ଚାରା ଥିବାରୁ ସେଗୁଡିକ ବି ଫଳ ଧରିବାରେ ଲାଗିଲା I ମୋଟା ମୋଟୀ ଏବେ ତା ପାଖକୁ କିଛି କିଛି ପଇସା ଆସିଲା ପରେ ତା ପରିଶ୍ରମର ଫଳ ମିଳିଲା ପରି ତାକୁ ଲାଗୁଥିଲା I ସତ୍ୟ ସବୁ ହାତ ଉଧାରୀ ସୁଝା ସୁଝି କରି ବ୍ୟାଙ୍କ ଲୋନ ବି ସୁଝି ଦେଲା I ଆସ୍ତେ ଆସ୍ତେ ବନ୍ଧା ପକେଇଥିବା ଘରକୁ ମୁକୁଳେଇ ଆଣିଲା I
ଏଇ ଭିତରେ ବିତି ଯାଇଛି ୬ ବର୍ଷ I ସୁଲଗ୍ନା ଆଉ ସତ୍ୟ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଲା ପରେ ବି କେହି କାହା ପାଖକୁ ଫୋନ କରି ନାହାନ୍ତି I ସୁଲଗ୍ନା କୁ ବି ଅସୁବିଧା ର ସାମ୍ନା କରିବାକୁ ପଡିଛି I ସକାଳୁ ରୋଷେଇ ସାରି ସ୍କୁଲ, ସନ୍ଧ୍ୟାରେ ରୋଷେଇ ସହ ରିଣ୍ଟୁ ର ପାଠ ପଢା I ଏକା ଏକା ମଣିଷ I ବଜାର ସଉଦା ଠୁ ରୋଷେଇ ଯାଏ, ଘରକାମଠୁ ବାହାର ଯାଏ, ସବୁ ତାଙ୍କୁ ହିଁ କରିବାକୁ ପଡ଼େ I ରିଣ୍ଟୁ ର ପାଠ ପଢା, କୁ ନେଇ ସେ ସିରିଏସ ଥାନ୍ତି I ରିଣ୍ଟୁ, ଏ ବର୍ଷ +2 ପାସ କଲା ଆଉ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ପାଇ ଇଞ୍ଜିନିଅରିଂ ପଢିବାକୁ ଗଲା I ତା କଲେଜ ଫିସ, ହଷ୍ଟେଲ ଫିସ, ଆଉ ସବୁ ବାବଦରେ ଟଙ୍କା ଦରକାର ଥିଲା, କିନ୍ତୁ ସୁଲଗ୍ନା ଫୋନ ବି କଲାନାହିଁ ସତ୍ୟ କୁ, ନିଜର ସୁନା ବନ୍ଧା ପକେଇ ବ୍ୟାଙ୍କ ରୁ ଟଙ୍କା ଆଣି ତା ନାଁ ଲେଖେଇଲା I ରିଣ୍ଟୁ ହଷ୍ଟେଲ କୁ ପଳେଇଲା ପରେ ସୁଲଗ୍ନା ଏକା ହୋଇଗଲା I ଏଥର ସବୁବେଳେ ସତ୍ୟ ମନରେ ଆସିବାକୁ ଲାଗିଲେ I କିନ୍ତୁ ସୁଲଗ୍ନା କେଉଁ ମୁହଁ ରେ ଫୋନ କରିବେ? ଯେତେବେଳେ ସତ୍ୟ ଫୋନ କରୁଥିଲେ ଆଉ କଥା ହେବାକୁ ଚାହୁଁଥିଲେ ସେତେବେଳେ ତ ସୁଲଗ୍ନା ନିଜେ ଇଗନୋର କରିଛି ଏବେ ଆଉ ମୁହଁ ଅଛି? ସତ୍ୟ ଅବସ୍ଥା ଏବେ କ’ଣ, ସେ କଥା ବି ସୁଲଗ୍ନା ଜାଣିନି I କିନ୍ତୁ ଏକା ଏକା ଘର ତାଙ୍କୁ ଖାଇ ଗୋଡାଉ ଥିଲା I ନାଁ ଆଉ ନୁହଁ, ସୁଲଗ୍ନା ଏବେ ସତ୍ୟ କୁ ହିଁ ଝୁରି ହେଉଥିଲେ I ଯେମିତି ହେଲେ ସତ୍ୟ ବିଷୟରେ ଜାଣିବା ଦରକାର I ସେ ତ ଏମିତି ଯିଦିଆ ଲୋକ ଯେ ଯେତେ ଅସୁବିଧାରେ ଥିଲେ ବି ପଦେ କହିବେନି I ଯେତେ କଷ୍ଟ ହେଲେ ବି ଉଁ କି ଚୁଁ କରିବେନି I ଏତେ ଥର ଫୋନ ନଉଠେଇଲେ ପରେ ବି ସେ ଫୋନ କରୁଥିଲେ କିନ୍ତୁ ଭୁଲ ତ ସୁଲଗ୍ନା କରିଛି ସିମ ବଦଳେଇ I ନୂଆ ନମ୍ବର ତ ତାଙ୍କ ପାଖେ ନାହିଁ I ସେ ଅବା ଫୋନ କରିବେ କେମିତି I ସୁଲଗ୍ନା ଏଥର ସତ୍ୟ ର ନମ୍ବର ଡାଏଲ କଲେ I
ସତ୍ୟ ପାଖରେ ଏବେ ପଇସା ଥିଲା I ମାଛ, ଚିଙ୍ଗୁଡ଼ି, ଫୁଲ, ପନିପରିବା, ଧାନ,ବାଦାମ ବିକ୍ରି କରି ଏବେ ପାଖା ପାଖି ୨୪ ଲକ୍ଷ ଟଙ୍କା ସେ ଇନକମ କରୁଛି ବର୍ଷକୁ I ମୁଲିଆ, କୋଠିଆ ଆଉ ସବୁ ଜିନିଷ ମିଶେଇ ୬-୭ ଲକ୍ଷ ଗଲା ପରେ ବି ଲାଭ ପାଖାପାଖି ୧୫-୧୭ ଲକ୍ଷ I ଏବେ ସେ ଟ୍ରାକଟର କିଣି ନିଜେ ଚାଷ କରୁଛି I ପୋଖତ ଚାଷୀ ହେଇ ଯାଇଛି ଏଇ ୬ ବର୍ଷ ଭିତରେ I ହାଟରେ ତ ତା ପରିବା ପାଇଁ ବାଡିଆ ପିଟା, କାରଣ ସେ ରାସାୟନିକ ସାର ବ୍ୟବହାର କରେ ନାହିଁ I pure organic ରେ ଚାଷ କରେ I ତା ପୋଖରୀ ର ମାଛ ଆଉ ଚିଙ୍ଗୁଡ଼ି ଟେଷ୍ଟ ବି ଭଲ I ଏବେ ତାକୁ ଆଉ ବଜାର କୁ ଯିବାକୁ ପଡୁନି I ବେପାରୀ ମାନେ ଆସି ତା ଜମିରୁ ହିଁ ନେଇ ଯାଉଛନ୍ତି I ସବୁ କାମ ପାଇଁ ମ୍ୟାନେଜର ଅଛନ୍ତି I ସେ ଏବେ ଜଣେ ସଫଳ ଚାଷୀ I
ପୋଖରୀ ମଝାମଝି ଥିବା ଘର ର ଚଉତରା ଉପରେ ବସି ସତ୍ୟ ପଛ କଥା ସବୁ ମନେ ପକାଉଥିଲା I ସୁଲଗ୍ନା କାହିଁକି ଆଜି ବେଶୀ ବେଶୀ ମନେ ପଡୁଥିଲେ I ରିଣ୍ଟୁ ତ କେତେ ବଡ ହୋଇ ଯିବଣି I କଣ ପଢୁଥିବ ଏବେ, କିଛି ବି ଖବର ନାହିଁ ତା ପାଖରେ I ବାପା ହେଇ ପୁଅ ର ଖବର ରଖିନି I କିନ୍ତୁ ସେ ତ ଚେଷ୍ଟା କରିଥିଲା I ସୁଲଗ୍ନା ନମ୍ବର ବଦଳେଇ ଦେଲା I ପଡୋଶୀ କୁ ଗାଳି କଲା, ସେ ଅବା କଣ କରି ପାରିବ? ଏତିକି ବେଳେ ତା ଫୋନ ରିଂ ହେଲା I ସେ ଫୋନ ଉଠେଇ ହାଲୋ ବୋଲି କହିଲା I
— କିଛି ସଁ ସଁ ଶବ୍ଦ I
— ହାଲୋ, କିଏ କହୁଥିଲେ?
— (କେବଳ ନିଶ୍ୱାସ ର ଶବ୍ଦ ଶୁଭୁ ଥାଏ)
ସେପଟୁ କେହି କିଛି କହୁ ନଥିଲେ ବି ନିଶ୍ୱାସ ରୁ ସେ ଜାଣି ପାରିଲା ସୁଲଗ୍ନା ଫୋନ କରିଛି I
— ସୁଲଗ୍ନା !
— (ଏବେ, ସୁଲଗ୍ନା ଆଉ କୋହ ସମ୍ଭାଳି ପାରିଲେ ନାହିଁ I କଇଁ କଇଁ ହୋଇ କାନ୍ଦି ଉଠିଲେ )
ସତ୍ୟ ର ଦେହରେ ପର ଲାଗିଗଲା ଯେମିତି I ତଡ଼ିତ ବେଗରେ ତା ଦେହରେ ୧୦୦୦ ଭୋଲ୍ଟ ର ବିଜୁଳି ପ୍ରବାହିତ ହେଇ ଗଲା I ସେ ବସିବା ଜାଗାରୁ ଉଠି ଆସିଲା ଆଉ କହିଲା, “ସୁଲଗ୍ନା, ମୁଁ .. ମୁଁ ସତ୍ୟ କହୁଛି I କେମିତି ଅଛ? ଏଇ ଗୋଟିଏ ଦିନକୁ ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି I ରିଣ୍ଟୁ, କେମିତି ଅଛି? କଣ କରୁଛି ସେ? ସବୁ ଭଲ? କେମିତି ଅଛ ଦି ଜଣ? ମୋ ଫୋନ କାହିଁକି ଉଠାଉ ନଥିଲ? ”
ଫୋନ କଟିଗଲା I ସତ୍ୟ ଏଥର ସେ ଫୋନ କୁ ଡାଏଲ କଲା I ଆଉ ସୁଲଗ୍ନା ସେପଟୁ ଫୋନ ଉଠେଇଲା I
–ସୁଲଗ୍ନା, ପ୍ଲିଜ, ଫୋନ କାଟନି I ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି ତମ କଥା ପଦେ ଶୁଣିବା ପାଇଁ I ରିଣ୍ଟୁ ଠାରୁ ବାପା ଡାକ ଶୁଣିବାକୁ ପାଗଳ ହେଇ ଗଲିଣି I ପ୍ଲିଜ଼, କଥା ପଦେ କୁହ I କେମିତି ଅଛ I ସତ୍ୟ କଥା ହେଲା ବେଳେ କାନ୍ଦ କାନ୍ଦ ହେଇ ଯାଇଥିଲା I ପଛ ଆଡକୁ ତା କଥା ଗୁଡା କଇଁ କଇଁ ଶୁଭୁ ଥାଏ I
କିଛି ସମୟ ନୀରବତା ପରେ, ଦୁହେଁ ଦୁହିଁ ଙ୍କୁ କ୍ଷମା ମାଗିବା ସହ ନିଜ ନିଜ କୃତ କର୍ମ ର ବିସ୍ଲେସଣ ପୂର୍ବକ କଥା ଦେଲେ ଯେ ସେମାନେ ବହୁତ ଶୀଘ୍ର ଏକାଠି ହେବେ I ସୁଲଗ୍ନା ବି ଏକଥା ରିଣ୍ଟୁ କୁ ଜଣେଇ ଦେଲେ I ରିଣ୍ଟୁର ତ ଖୁସି ଦେଖେ କିଏ I
ଉଡ଼ାଜାହାଜ ରେ ଟିକେଟ କରି ସତ୍ୟ ଏବେ ବାଙ୍ଗାଲୋର ଅଭିମୁଖେ I ସୁଲଗ୍ନା ଆଉ ରିଣ୍ଟୁ ବି ଅପେକ୍ଷା କରି ଥାନ୍ତି airport ରେ I ସତ୍ୟ ବାଙ୍ଗାଲୋର ରେ ପହଁଚିଲା ପରେ, airport ରୁ ବାହାରକୁ ଆସିଲା I ସତ୍ୟ କୁ ଦେଖି ରିଣ୍ଟୁ ଧାଇଁ ଆସି କୁଣ୍ଢେଇ ପକେଇଲା I ସୁଲଗ୍ନାଙ୍କ ଆଖି ରୁ ଧାର ଧାର ଲୁହ ବୋହି ଯାଉଥାଏ I ସତ୍ୟ ଆଉ ସୁଲଗ୍ନା ର ଆଖି ରେ ଆଖି ମିଶିଗଲା I ଏଇ ମୁହୂର୍ତ ରେ ଯେମିତି କି ପୁରା ଦୁନିଆ ସ୍ତବ୍ଦ ହୋଇ ଯାଇଥାଏ I ପବନ ଅଟକି ଯାଇଥାଏ I ଲୋକ ଗୁଡିକ ଚାଲୁ ଚାଲୁ ଅଟକି ଯାଇ ଥାନ୍ତି I କେବଳ ସତ୍ୟ ଆଉ ସୁଲଗ୍ନା କୁ ଛାଡି ବାକି ପୁରା ଦୁନିଆ ମୂର୍ତି ହୋଇ ଯାଇ ଥାଏ I ଏଇ ଦୁଇ ଜଣଙ୍କୁ ନା କିଛି ଦେଖା ଯାଉ ଥାଏ ନା କିଛି ଶୁଣା ଯାଉଥାଏ I ଦୁନିଆ ର ଦୁଇଟି ପ୍ରେମପକ୍ଷୀ ର ମହାମିଳନ ଆଜି ଛଅ ବର୍ଷ ପରେ ହେଉଥାଏ I ଦୁହେଁ ଦୁହିଁଙ୍କୁ ଦେଖୁ ଥାନ୍ତି I ଦୁହିଁଙ୍କ ଆଖିରୁ ଲୁହ ବୋହି ଯାଉଥାଏ …
ଦୁଇ ଦିନ ପରେ ସମସ୍ତେ ଗାଁ କୁ ଆସିଲେ I ସୁଲଗ୍ନା ତ ଜମି ଆଉ ଫସଲ ଦେଖି କାବା ହେଇ ଯାଉଥାନ୍ତି I ଏତେ ବଡ ଜାଗା I ଫସଲ ରେ ଭରପୁର I ହଳିଆ ମୁଲିଆ ସବୁ କାମ ରେ ଲାଗିଥାନ୍ତି I ପୋଖରୀ ଉପରେ ଘର ତାଙ୍କୁ ସ୍ୱର୍ଗରେ ଥିଲା ପରି ଲାଗୁ ଥାଏ I ଘରୁ ପୁରା ଜମି ଦେଖା ଯାଉ ଥାଏ I ବିଭିନ୍ନ ପ୍ରକାର ଫସଲ, ପୋଖରୀ ରେ ମାଛ, ଫାର୍ମ ରେ କୁକୁଡ଼ା, ନଡ଼ିଆ ଗଛ ସବୁ ଦେଖି ସୁଲଗ୍ନା ବୁଝି ପରୁଥାନ୍ତି ଯେ ସତ୍ୟଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ I ନିଜକୁ ନିଜେ ଦୋଷ ଦେଉଥାନ୍ତି ଯେ ସତ୍ୟଙ୍କ ଏ ସଂଘର୍ଷ ବେଳରେ ସେ ତାଙ୍କ ପାଖେ ନଥିଲେ I ସୁଲଗ୍ନା ଏବେ ବୁଝି ପାରୁଥିଲେ ଯେ କୌଣସି କାମ ଛୋଟ ନୁହଁ I ନିଜ ମନ ପ୍ରାଣ ଢାଳି ଚାଷ କଲେ ବି ଏ ଧରିତ୍ରୀ ମା ତମକୁ କେବେ ବି ହତାଶ କରିବନି I ବରଂ ତମେ ଅଧିକ ଉପାର୍ଜନ କରି ପାରିବ I ପର ପାଖରେ ମୁଣ୍ଡ ବିକି ଡରି ଡରି ଜୀବନ ସାରା ଚଳିବା ଅପେକ୍ଷା ନିଜେ ଚାଷ କରି ଉପାର୍ଜନ କରି ସମାଜରେ ମୁଣ୍ଡ ଟେକି ଚାଲିବା ଶ୍ରେୟସ୍କର I ଆହୁରି ବି ବୁଝି ପାରିଥିଲେ ଯେ ଖାଲି ସଫ୍ଟୱେର ଇଣ୍ଡଷ୍ଟ୍ରି ରେ ପଇସା ଅଛି ସେକଥା ନୁହଁ, ଜୀବନ ଯିବାର ଭୟ ବି ଅଛି I କିଛି ଲୋକ ତ ଚାକିରୀ ଯିବା ପରେ ଆତ୍ମହତ୍ୟା କରିଛନ୍ତି ଆଉ କିଛି ଘର ଆଉ କାର ର ଲୋନ ସୁଝି ନପାରି ପଳାତକ ସାଜିଛନ୍ତି I କିଛି ଜଣ ତ ଏବେ ଯାଏ ବି ଚାକିରୀ ଆଉ ଥରେ ନପାଇ ବାଙ୍ଗାଲୋର ରେ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି I ସତ୍ୟ ଯାହା ବି ଡିସିସନ ନେଇଥିଲେ ତାହା ଠିକ ଥିଲା ବୋଲି ସେ ଏବେ ହୃଦୟଙ୍ଗମ କରୁଥିଲେ I
ସୁଲଗ୍ନା, ସତ୍ୟ କୁ କ୍ଷମା ମାଗିବା ପାଇଁ, ତାଙ୍କ ଗୋଡ ଧରି ପକେଇଲେ I କିନ୍ତୁ ସତ୍ୟ ତାଙ୍କୁ ଧରି ପକେଇ କୋଳେଇ ନେଲେ ଆଉ କହିଲେ, ସୁଲଗ୍ନା, ତମ ପାଇଁ ହିଁ ମୁଁ ଆଜି ଏଠାରେ ପହଞ୍ଚିଛି I ତମେ ସେଦିନ ଯଦି ମୋତେ କଡା କଥା କହି ନଥାନ୍ତ, ଆଉ ଫୋନ ବନ୍ଦ କରି ନଥାନ୍ତ, ମୁଁ ମୋ ଜିଦି ରେ ରହି ଏତେ ବାଟ ପହଞ୍ଚି ପାରି ନଥାନ୍ତି I ତେଣୁ ମୋ ଗୋଡ ଧରି ମୋତେ ଛୋଟ କରି ଦିଅନି I ଏସବୁ ତୁମ ତ୍ୟାଗ ର ଫଳ I
ରିଣ୍ଟୁ ସବୁ ଦେଖି କହିଲା, “ବାପା ମୁଁ ବି ଇଞ୍ଜିନିଅରିଂ ସାରିଲା ପରେ ଏଇଠି ରହିବି, ପର ପାଖରେ ଚାକିରୀ କରି ମୁଣ୍ଡ ବିକ୍ରି କରି ପାରିବି ନାହିଁ I ସତ୍ୟ ଆଉ ସୁଲଗ୍ନା ଦୁହେଁ ଦୁହିଁଙ୍କୁ ଚାହିଁ ହସୁଥିଲେ ଆଉ ପୁଅ କୁ କୋଳେଇ ନେଲେ I
ସତ୍ୟ ଏବେ ଗାଁ ର ମଉଡମଣୀ I ଗାଁ ର ପାଖା ପାଖି ୧୦୦ ଲୋକଙ୍କୁ ସେ କାମ ଯୋଗେଇ ଦେଇଛି I ନୂଆ ନୂଆ କିସମର ବିହନ ଆଉ କମ ଖର୍ଚରେ ବେଶୀ ଫଳୁଥିବା ବିହନ ସେ ଆଣି ନୂଆ ନୂଆ ଏକ୍ସପେରିମେଣ୍ଟ ବି କରୁଛି I ଗାଁ ରେ କିଛି ବି ହେଲେ ସତ୍ୟ ବାବୁ I ସତ୍ୟ ଏବେ ଗାଁ ରେ ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲ ବି ଖୋଲିଚି, ଯେଉଁଠି ଗାଁ ର ସବୁ ଛୁଆ ମାଗଣା ରେ ପାଠ ପଢୁଛନ୍ତି I ସ୍କୁଲ ତରଫରୁ ବହି ଆଉ ୟୁନିଫର୍ମ ବି ବିନା ମୂଲ୍ୟ ରେ ଯୋଗେଇ ଦିଆ ଯାଉଛି I ସୁଲଗ୍ନା ହେଲେ ସେ ସ୍କୁଲ ର ମାଷ୍ଟ୍ରାଣୀ I ୩ ବର୍ଷ ହେଲା ଗାଁ ରେ କେହି ଜଣେ ବି ଋଣ ଭାରରେ ବୁଡି ନାହାନ୍ତି I ସତ୍ୟ ବାବୁ ସମସ୍ତଙ୍କୁ ବିନା ସୁଧରେ ପଇସା ଦିଅନ୍ତି ଆଉ ଅମଳ ପରେ ସେମାନେ ସତ୍ୟ ବାବୁଙ୍କୁ ପଇସା ଫେରାନ୍ତି I
ଆହୁରି ବି ସତ୍ୟ ଏବେ ଗାଁ ରେ ଗୋଟେ ଫାର୍ମ ଭିଲା ହୋଟେଲ ଖୋଲିଛି I ଯେଉଁଠି ଲୋକମାନେ ରହିବା ସହ ନିଜେ ବନିସୀ ପକେଇ ମାଛ ଧରି ପାରିବେ I ନିଜେ ନିଜେ ଜମିରୁ ପନିପରିବା ତୋଳି ରୋଷେଇ କରି ପାରିବେ I ନଡ଼ିଆ ଆଉ ଆମ୍ବ ତୋଳି ଖାଇ ପାରିବେ ଆଉ ଚାହିଁଲେ ପୋଖରୀ ମଝିରେ ସନ୍ଧ୍ୟାରେ କ୍ୟାମ୍ପ ଫାଇଆର କରି ମଉଜ ମଜଲିଶ କରି ପାରିବେ I ସତ୍ୟ ର ଏବେ ର ରୋଜଗାର ବର୍ଷକୁ ୩୬ ଲକ୍ଷ ଟଙ୍କା I
ସେଦିନ ସନ୍ଧ୍ୟା ରେ ଦିହେଁ ଏକାଠି ବସି, ଛୋଟ ବେଳେ ସାହିତ୍ୟ ବହିରେ ପଢିଥିବା ଗୀତ “ଚାଷ ଅଛି ଯାହାର, କି ଆନନ୍ଦ ତାହାର” କୁ ମନେ ପକାଉ ଥିଲେ …
ମୁଁ ଗଲି ଯେ ମୋ ସହ କଥା ହେଲେ ନାହିଁ,
ମୁଁ ବି ମୁହଁ ମୋଡି ପଳେଇ ଆସିଲି…ଯା.. ମ… ଭାରି ଗୋଟେ…  
—————ସମାପ୍ତ—————
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

କବିତା — ଚାଲୁ ଚାଲୁ

ଚାଲୁ ଚାଲୁ 

ସୁଵଳ ମହାପାତ୍ର

 

ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ପିଲା ଦିନକୁ,
ଯେଉଁଠି ଥିଲା ମୋ ବାଲିଘର, କଣ୍ଢେଇ,
ବାପାଙ୍କ ନାଲି ଆଖି ଆଉ ମା’ର ପଣତ କାନି । ୧
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ କିଶୋର ଜୀବନ କୁ,
ଯେଉଁଠି ଥିଲା ମୋ ସ୍କୁଲ ଡ୍ରେସ, ସାରଙ୍କ ଛାଟ,
ରିମଝିମ ବର୍ଷାର ମଜା ଆଉ ସାଙ୍ଗ ମାନଙ୍କ ଖେଳ । ୨
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ଯୌବନକୁ,
କଲେଜ ବଙ୍କ, ପାର୍କର ଖଟି, ପ୍ରେମିକାର କୋଳ,
ବାତେରାମି ଆଉ ସିଗାରେଟ ପିଆ । ୩
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ପୌଢ଼ ଅବସ୍ଥାକୁ,
ଯେଉଁଠି ଥିଲା ଅଫିସ, ଫ୍ଲାଟର ଇ.ଏମ.ଆଇ.,
ପିଲାଙ୍କ ସ୍କୁଲ ଫିସ ଆଉ ସ୍ତ୍ରୀ ର ଗହଣା । ୪
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ରିଟାୟାର୍ଡ଼ ଜୀବନକୁ,
ଯେଉଁଠି ଥିଲା ମୋ ପେନଶନ, ଘର ଆଗ ବଗିଚା.
ସକାଳ ବୁଲା, ହସ କ୍ଲବ, ଚା ପିଆ ଆଉ ଏକୁଟିଆ ଜୀବନ । ୫
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଦେଖୁଥିଲି ମୋ ବୃଦ୍ଧାବସ୍ଥାକୁ,
ଯେଉଁଠି ଥିଲା ପୁଅର ରାଗ, ବୋହୁର ଗାଳି,
ଘୋଷରା ଜୀବନ ଆଉ ମୃତ୍ୟୁ କୁ ଅପେକ୍ଷା । ୬
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି,
ଆଉ କିଛି ଦେଖିବାକୁ ଇଚ୍ଛା ନଥିଲା,
ଇଚ୍ଛା ନଥିଲା ଉଠିବାକୁ,
ଭଗବାନଙ୍କୁ ଧନ୍ୟବାଦ, ମୋତେ ହିଁ ଉଠେଇ ନେଲେ । ୭
–ସମାପ୍ତ–

ଛାଡଖାଇ

ଛାଡଖାଇ
ସୁବଳ ମହାପାତ୍ର

 

ଆଜି ଛାଡଖାଇ । ଏଥର ଛାଡଖାଇ ଟା ଠିକ ବାର ରେ ପଡିଛି। ରବିବାର ଥିବାରୁ, କାର୍ତ୍ତିକ ମାସ ସାରା ଆଇଁଷ ଛାଡିଥିବା ଲୋକଙ୍କର ପାଣିଚିଆ ପାଟି ରୁ ପାଣିଚିଆ ସ୍ୱାଦ ଛଡେଇବାକୁ ରଶିମ ମିଆଁ ଦୋକାନ ରେ ପ୍ରବଳ ଭିଡ। କିଲୋ ୪୫୦ ଟପିଲାଣି, ତଥାପି ଲୋକ ହାଉଜାଉ । ଗୋଟେ ପରେ ଗୋଟେ ଖାସି କଟା ଚାଲିଥାଏ। ଗୋଟେ ଖାସି କଟା ସରୁ ସରୁ ସେପଟେ ଲୋକ ଅନେଇ କି ବସିଛନ୍ତି ନେବା ପାଇଁ। ୫-୧୦ମିନିଟ ରେ ଖାଲି ହୋଇ ଯାଉଥାଏ । ଏପଟେ ଖାସି କୁ ମାଡି ବସି, ତା ବେକ କାଟି, ରକ୍ତ ବାହାର କରି, ଛାଲ ଉତ୍ତାରି ରେଡି କରିବାକୁ ଟାଇମ ଲାଗୁଥାଏ। ପାଖରେ ୨ ଟା ଛୁଆ ଜନ୍ମ କରିଥିବା କାଳିଆ କୁତ୍ତି ଟା ଛୁଆ ଦି ଟା ଙ୍କୁ ଧରି ଜିଭ ବାହାର କରି ଧକେଇ ହୋଇ, ଲାଞ୍ଜ ହଲାଉଥାଏ। ଛୁଆ ଦି ଟା, ଖାସି ର ଛାଲ ଉତ୍ତାରି ସାରି ଫିଙ୍ଗି ଦେଉଥିବା ଅବଶେଷ ଭିତରୁ ନିଜ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରୁଥାନ୍ତି।
ସେପଟେ କାହାର ୩ କିଲୋ, କାହାର ୫ କିଲୋ ଦେଲା ବେଳକୁ ସାଙ୍ଗେ ସାଙ୍ଗେ ଶେଷ। ରଶିମ ମିଆଁ ମଝିରେ ମଝିରେ ପାଟି କରୁଥାଏ ତା ପିଲା ଦି ଟା କୁ,”ଶୀଘ୍ର ଶୀଘ୍ର ହାତ ଚଲା, କଣ ଏତେ ଟାଇମ ଲାଗୁଛି? ହଁ ବାବୁ, ଏଇ ଆସିଲା, ବାସ ୨ ମିନିଟ, କଣ କରିବା ଆଉ? ” ଏମିତି କହି ଲୋକ ମାନଙ୍କୁ ବି ଧରି ରଖିବାକୁ ଚେଷ୍ଟା କରୁଥାଏ। ନ ହେଲେ ସେମାନେ ପଳେଇବେ ଆଉ କାହା ଦୋକାନ କୁ।
ମାସେ ପୂର୍ବରୁ ବଇନି ଦେଇ ଆସିଥିଲା ୧୫ ଟା ଖାସି ପାଇଁ। ସକାଳୁ ଡାଲା ଅଟୋ ଭଡା କରି ସବୁ ନେଇ କି ଆସିଛି ଦୋକାନ କୁ। ଭିଡ଼ ପ୍ରବଳ। ଏ ଭିଡ଼ ଭିତରେ, କେତେ କଟା ହେଲାଣି ସେ ହିସାବ ରଖିନି। ପିଲା ଦି ଟା ଏପଟେ କାଟି ଚାଲିଛନ୍ତି। ସେ ସେପଟେ ବିକ୍ରି କରି ଚାଲିଛି। ହଠାତ ସେ ଅଂଚଳ ର ବଡ ନେତା ଙ୍କ ଡ୍ରାଇଭର ଆସି କହିଲା,”ବାବୁ କହିଛନ୍ତି ୧୫ କିଲୋ, ଭଲ ଦବୁ ନହେଲେ ପୁଣି…” । ହଉ ବୋଲି କହି ସେ ବିକ୍ରି ଛାଡି ଆସିଲା କଟା ହେଉଥିବା ଜାଗାକୁ। ଆଉ ଗୋଟିଏ ମାତ୍ର ଖାସି ଅଛି। ଅତି ବେସି ରେ ୭-୮କିଲୋ ଯାଏ ହେବ।
ଫେରି ଆସି ସେ ଡ୍ରାଇଭର କୁ କହିଲା, “ହବନି, ଆଗରୁ ସିନା ଆସିଥାନ୍ତ କି ଫୋନ ବି କରି ଦେଇଥିଲେ ମୁଁ ରଖି ଦେଇ ଥାନ୍ତି। ଏବେ ଦିନ ୯ଟା ହେଲାଣି। ସବୁ ସରିଲାଣି। ଆଉ କୁଆଡୁ ଆଣିବି? ” । ଡ୍ରାଇଭର ସବୁ ଶୁଣି ଫୋନ ଲଗେଇଲା ବାବୁଙ୍କ ପାଖକୁ ଆଉ କିଛି କଥା ହେଲା ପରେ ଫୋନ ଆଣି ଦେଲା ରଶିମ ମିଆଁ କୁ। ବାବୁଙ୍କ ସହ କଥା ହେଲା ପରେ ରଶିମ ମିଆଁ କାନ ଭାଇଁ ଭାଇଁ କରୁଥାଏ। ସରିଗଲା ବୋଲି କହି, ବାକି ଗ୍ରାହକ ଙ୍କୁ ଫେରେଇ ଦେଇ ସେ ଦୋକାନ ବନ୍ଦ କଲା। ଲୋକ ମାନେ ଚିଡି ଚିଡି ହୋଇ ଦୋକାନ ଛାଡିଲେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ରେ। ଡ୍ରାଇଭର କୁ କହିଲା ଅଧଘଣ୍ଟେ ଘଣ୍ଟେ ଛାଡି ଆ… ମୁଁ ରେଡି କରି ରଖିଥିବି। ଡ୍ରାଇଭର ବି ଗଡ଼ ଜିତିଲା ପରି ଖୁସି ରେ ଗାଡି ଷ୍ଟାର୍ଟ କରି ଚାଲିଗଲା।
ଏବେ ରଶିମ ମିଆଁ ର ଭାଲେଣି ପଡିଲା। କଣ କରିବ? ଖାସି ଆଉ ନାହିଁ, ତାକୁ ୧୫ କିଲୋ ନଦେଲେ ସେ ଏଠୁ ଦୋକାନ ଉଠେଇ ଦେବାର ଧମକ ଦଉଛି। ବହୁତ ବଡ଼ ନେତା ସେ। କିଛି ବି କରି ପାରିବ। ବହୁତ ଭାବି ଭାବି ସେ ତା ଭାଇ, ପୁତୁରା ଓ ଅନ୍ୟ ସାଙ୍ଗ ମାନଙ୍କୁ ଫୋନ କଲା, ଯେଉଁ ମାନେ ଅନ୍ୟ ଜାଗାରେ ଖାସି କାଟୁଥିଲେ। ସମସ୍ତେ ମନା କଲେ। କାହାର ସରି ସାରିଥିଲା ତ କାହାର ଆଉ କିଲେ, ଅଧ କିଲେ ବଳିଥିଲା। ନିରୁପାୟ ହୋଇ କାନ ମୁଣ୍ଡ ଆଉଁସି ସେ ବସି ପଡ଼ିଲା। ଆଖିରୁ ଲୁହ ବୋହି ଯାଉଥିଲା ତା’ର। ଦୋକାନ ଭାଙ୍ଗିବା ଚିନ୍ତା ରେ ସେ ଥରେ ଦୋକାନ କୁ ଆଉ ଥରେ ପିଲା ଦୁଇଟି ର ମୁହଁ କୁ ଚାହୁଁଥିଲା।
ଘଣ୍ଟେ ପରେ…..
ଡ୍ରାଇଭର ଆସି ପହଁଚିଲା। ରଶିମ ମିଆଁ, ଡ୍ରାଇଭର ହାତକୁ ଦୁଇଟି ପୁଡ଼ିଆ ବଢ଼େଇ ଦେଲା ଆଉ ଡ୍ରାଇଭର ତାକୁ ୩୫୦ ଟଙ୍କା ହିସାବ ରେ ପଇସା ଗଣି ଦେଲା।
୩୫୦? ଭାଇ ଆଜି କିଛି କୁଆଡେ ମିଳୁନି। ୪୫୦ ନହେଲେ ହବନି। ବହୁତ କଷ୍ଟ ରେ ଯୋଗାଡ଼ କରିଛି। ଖାସ ତମ ପାଇଁ ଯୋଗାଡ଼ କଲି। ମାର୍କେଟ ରେ ୪୫୦ ଚାଲିଛି। ଠିକ ଅଛି, ତମ ପାଇଁ ୪୨୦ ଲଗାଉଛି। ତା ଠୁ କମ ହେଲେ ହବନି। ବେପାର କଥା ଭାଇ। ତମ ପାଇଁ ମୁଁ ମୋ ଗ୍ରାହକ କୁ ଫେରେଇ ଦେଲି। ଏମିତି ହେଲେ କେମିତି ହବ? କହି ରଶିମ ମିଆଁ ନାହିଁ ନାହିଁ କରି ପଇସା କୁ ଡ୍ରାଇଭର ହାତରେ ଧରେଇ ଦେଲା। ଡ୍ରାଇଭର ପୁଣି ବାବୁଙ୍କ ପାଖକୁ ଫୋନ ଲଗେଇଲା। ସେପଟୁ ଧମକ ସହ କିଏ ଜଣେ ରାଗ ରେ କଥା ହେଲା ପରି ଶୁଭୁଥିଲା। ବହୁତ କଷ୍ଟ ରେ ବାବୁ ଜଣକ ୩୯୦ ରେ ରାଜି ହେଲେ। ଆଉ ପଇସା ଦେଇ ମାଂସ ଧରି ଖୁସି ମନରେ ଡ୍ରାଇଭର ଚାଲିଗଲା।
ଦିନବେଳେ…
ନେତା ଜଣଙ୍କ ମାଂସ ଖାଉ ଖାଉ ରଶିମ ମିଆଁ କୁ ଖୁବ ଭଲ ମାଂସ, ପୁରା କଅଁଳିଆ ମାଂସ, ବହୁତ ଟେଷ୍ଟି ଅଛି, ଭଲ ଦେଇଛି ବୋଲି ତାରିଫ କରୁଥିଲେ ଆଉ ସାଙ୍ଗ ମାନଙ୍କ ଠାରୁ ନିଜ ପାରିବା ପଣିଆ ପାଇଁ ବାଃ ବାଃ ନେଉଥିଲେ । ରଶିମ ମିଆଁ ସେ ଜାଗା ଛାଡି ଅନ୍ୟ ଏକ ଜାଗାକୁ ଯିବା ପାଇଁ ତା ଘର ର ଆସବାବପତ୍ର ଏକାଠି କରୁଥିଲା।
କୁତ୍ତି ଆଉ ତା ଛୁଆ ଦି ଟି କିନ୍ତୁ କେଉଁଠି ଆଉ ଦେଖା ଯାଉ ନଥିଲେ….
—x—
କହି ରଖେ … ରଶିମ ମିଆଁ ଅନ୍ୟ ଉପାୟ ନ ପାଇ କୁତ୍ତି ଓ ତା ଛୁଆ ଦି ଟି କୁ କାଟି ସେ ନେତା ଙ୍କୁ ଖାସି ମାଂସ ବୋଲି ବିକ୍ରି କରିଥିଲା…