ଭିକାରି

ଭିକାରି

 

ସୁବଳ ମହାପାତ୍ର

     

ଅହମଦାବାଦ-ପୁରୀ ଏକ୍ସପ୍ରେସ ଅନଗୁଳ ଷ୍ଟେସନ ରେ ପହଁଚିଲା I ରାତି ପ୍ରାୟ ୩.୫୦ I ଶୀତ ରାତି ଯୋଗୁଁ ଷ୍ଟେସନ ଟା ଘୁମେଇ ପଡି ଥାଏ I ରାହୁଲ ଅହମଦାବାଦ ରୁ ଗାଁ କୁ ଆସୁଥାଏ I ଶୀତ ଦିନ I ଏ.ସି. ରେ ଟିକେଟ ନ ମିଳିବାରୁ ସ୍ଲିପର ରେ ସିଟ କରି ଥାଏ I ଶୀତ ଅସମ୍ଭାଳ I ଏତେ ଶୀତରେ ତା ଦେହ ହାତ ଥରି ଯାଉଥାଏ I ଆସ୍ତେ ଆସ୍ତେ ବ୍ୟାଗ ଧରି ସେ ଏକ ନମ୍ବର ପ୍ଲାଟଫର୍ମ ଆଡେ ପାଦ ବଢ଼େଇଲା I ପ୍ଲାଟଫର୍ମ କୁ ଆସୁ ଆସୁ ଗୋଟେ ଛୋଟ ଝିଅ ଉପରେ ତା ଆଖି ପଡିଗଲା I ବୟସ ପ୍ରାୟ ୫-୬ ବର୍ଷ ହେବ I କୁଙ୍କୁଣୀ-କାଙ୍କୁଣୀ ହୋଇ କାନ୍ଥ କୁ ଲାଗି ଶୋଇ ଥାଏ I ଚିରା ଫ୍ରକ ତାର ପୁରା ଶରୀର କୁ ଘୋଡାଇବାକୁ ସକ୍ଷମ ନଥିଲା I ଉପରେ ଗୋଟେ ଛିଡା କନ୍ଥା I ଏତେ ଜାଗାରୁ ଚିରା ଯେ ଶୀତ କୁ ବି ଲାଜ ଲାଗିବ I ପାଖରେ ଗୋଟେ ବୁଜୁଳୀ I ତା ଉପରେ ମୁଣ୍ଡ ଦେଇ ସେ ଶୋଇ ଥାଏ I ଗୋଡ ବାହାରକୁ ବାହାରି ଥାଏ ଆଉ ନିଦରେ ବି ସେ ଗୋଡ ଦୁଇଟିକୁ ଘୋଡ଼େଇବାକୁ ବୃଥା ପ୍ରୟାସ କରୁଥାଏ I ପାଖରେ ଆଉ କେହି ନଥାନ୍ତି I ଶୀତ ବହୁତ ହେଉ ଥାଏ I କିଛି ଲୋକ ଦୂରରେ ନିଆଁ ପୂହିଁ ହେଉଥାନ୍ତି I ରାହୁଲ କୁ ଟିକେ ଅଜବ ଲାଗିଲା I ଏକୁଟିଆ ଝିଅଟି ଶୋଇଛି, ପାଖରେ କେହି ବି ନାହାନ୍ତି I ପୁଣି ଏତେ ଶୀତ ଯେ, ଜ୍ୟାକେଟ, ମଫଲାର, ହାତରେ ଗ୍ଳୋବ୍ସ ପିନ୍ଧିକି ବି ସେ ଥରି ଯାଉଛି I କେମିତିଆ ବାପା ମା କେଜାଣି, ଛୋଟ ଝିଅଟିକୁ ଏକୁଟିଆ ଛାଡି ଦେଇଛନ୍ତି I ସେ ତା ପାଖରେ ଥିବା ମିଲିଟାରୀ କମ୍ବଳଟା ଦେଇ ଦବ ବୋଲି ଭାବିଲା I ସେମିତିଵି ୫ ବର୍ଷ ତଳେ ସେ କମ୍ବଳ ଟା ନେଇ କି ସେ ଅହମଦାବାଦ ଯାଇଥିଲା I ଏବେ ଭଲ ମୁଲାୟମ କମ୍ବଳ ଅଛି ତା ପାଖରେ I ଏଇଟାର କିଛି କାମ ନାହିଁ I ଶୀତ ରାତି, ଟ୍ରେନ ରେ ସିଟ ଉପରେ ପକେଇଲେ ଉଷୁମ ଲାଗିବ ବୋଲି ଭାବି ସେ ନେଇ କି ଆସିଥିଲା I ଝିଅ ଟିକୁ ଦେଖି ଦୟା ଲାଗିଲା I ଘରକୁ ନେଲେ ମା କାହାକୁ ଗୋଟେ ଦେଇ ଦେବେ ନହେଲେ କନ୍ଥା ରେ ସିଲେଇ କରି ଦେବେ I ତା’ଠୁ ଭଲ ଝିଅଟି ହେଲେ ଶୀତ ରୁ ରକ୍ଷା ପାଇବ I  

 

       କମ୍ବଳ ଟି କାଢି ଝିଅ ଉପରେ ପକାଇବା କ୍ଷଣି ଭିକାରି ଟେ କେଉଁଠି ଥିଲା “ମୋ ଝିଅ, ମୋ ଝିଅ” କହି ଧାଇଁ ଆସିଲା I ଭିକାରି କୁ ଦେଖି ରାହୁଲ ଟିକେ ଘୁଞ୍ଚି ଗଲା ଆଉ ଭିକାରିଟିକୁ ଦେଖିବାକୁ ଲାଗିଲା I ମନେ ମନେ ଭାବିଲା “ୟେ ପିଲା ଚୋର ନୁହେଁ ତ”? ଏବେ କେତେ ଯେ ପିଲା ଚୋର ବୁଲୁଛନ୍ତି I ନିଶା ଦେଇ ଛୋଟ ଛୁଆଙ୍କୁ ଶୁଆଇ ଦେଉଛନ୍ତି, ତାପରେ ଅଲଗା ଜାଗାକୁ ନେଇ ବିକ୍ରି କରୁଛନ୍ତି I ନିଶ୍ଚୟ ୟେ ପିଲା ଚୋର I ଝିଅଟିକୁ ନିଶା ଦେଇ ଶୁଆଇ ଦେଇଛି ନହେଲେ ଏତେ ଶୀତରେ, ଖଣ୍ଡେ ମାତ୍ର ଛିଡା କନ୍ଥା ରେ କଣ କେହି ଏତେ ନିଦରେ ଶୋଇପାରେ?

 

ରାହୁଲ ଭିକାରି ଟିକୁ ଅବିଶ୍ୱାସ ଭରା ଚାହାଣି ରେ ଦେଖିଲା I ଭିକାରି ପରିକା ତ ଲାଗୁଛି I କିନ୍ତୁ ଏ ଝିଅ ଆସିଲା କେଉଁଠୁ? ସେ ଭିକାରିକୁ ପଚାରିଲା “ଆଛା, ଏ ଝିଅ କଣ ତୋ ନିଜ ଝିଅ? ତା’ ମା କୁଆଡେ ଗଲା? ସେ ଏତେ ଶୀତରେ ଏଠି ଶୋଇଛି କେମିତି? କେଉଁଠୁ ଆସିଲୁ ଆଉ କେଉଁଠିକୁ ଯିବୁ?” ସତ ସତ କହ ନହେଲେ ଏବେ ପୋଲିସ ଡାକିବି I ସତ କହ କେଉଁଠୁ ଚୋରି କରିଛୁ ଏ ପିଲାକୁ ? କହୁଚୁ ନା ଦେଖିବୁ ଏଇଲେ I ଧମକେଇ ପଚାରିଲା ରାହୁଲ I ରାହୁଲ ର ପାଟି ଶୁଣି ଝିଅଟି ଉଠି ପଡିଲା ଆଉ “ବା’ଆ” ବୋଲି କହି ଭିକାରିକୁ କୁଣ୍ଢେଇ ପକେଇଲା I ପାଟି ଶୁଣି ଝିଅଟି ଡରି ଯାଇଥିଲା I ଭିକାରି କିଛି ନକହିଲେ ବି ରାହୁଲ ବୁଝିଯାଇଥିଲା, ଏ ଝିଅ ଭିକାରି ର ନିଜ ଝିଅ I କିନ୍ତୁ କିଛି ଲୋକ ଏପରି ବି ଅଛନ୍ତି, ଛୋଟ ପିଲାଙ୍କୁ ଚୋରି କରି ନିଜର ପରିଚୟ ଦିଅନ୍ତି ଆଉ ବଡ ହେଲା ପରେ ତାକୁ ନେଇ ଦଲାଲ କୁ ବିକ୍ରି କରନ୍ତି I ପୋଲିସ ଆସିଲେ ବି ଝିଅଟି ଯେହେତୁ ବାପା ଡାକୁଛି, ପୋଲିସ ବି କିଛି କରି ପାରିବନି I ତେଣୁ ସେ ଆଉ କିଛି ପ୍ଲାନ କଲେ ସତ ଟା ଜାଣି ହେବ I

 

ଭିକାରି, ଝିଅଟିକୁ କୋଳରେ ପୁରେଇ କହିଲା, “ନାଇଁ ଆଜ୍ଞା, ୟେ ମୋ ଝିଅ I ମୁଁ କେଉଁଠୁ ଚୋରି କରିନି I

 

ଭିକାରି ଆଉ ତା ଝିଅ ଆଖିରେ ଲୁହ ଦେଖି ରାହୁଲ ଟିକେ ତରଳି ଗଲା I

 

ରାହୁଲ — ତା’ ମା କୁଆଡେ ଗଲା?

ଭିକାରି — ମରି ଯାଇଛି I  

ରାହୁଲ — କେମିତି?

ଭିକାରି — ଘର ପୋଡି ରେ ତା ମା ମରିଗଲା I

ରାହୁଲ — କେବେ ହେଲା ଘର ପୋଡି?

ଭିକାରି — ମାସେ ହେଲାଣି I

ରାହୁଲ – ସେବେଠୁ, ଏ ଷ୍ଟେସନ ରେ ରହୁଛୁ?

ଭିକାରି – ହଁ !

ରାହୁଲ — ଘର କେମିତି ପୋଡ଼ିଲା?

ଭିକାରି — କେହି ଜଣେ ଆସି ନିଆଁ ଲଗେଇ ଦେଲା I ଆମେ ସବୁ ଶୋଇଥିଲୁ I ଝିଅକୁ ବାହାରକୁ ଫିଙ୍ଗି ଦେଲି, ସେ ବଞ୍ଚିଗଲା I ମୋର ହାତ ଆଉ ଗୋଡ ଖଣ୍ଡେ ଖଣ୍ଡେ ଜାଗାରୁ ପୋଡି ଯାଇଛି I ସେ ଘୋଡ଼ି ହୋଇଥିବା କୋଚଟା ଗାମୁଛା କାଢି ହାତ ଆଉ ଗୋଡ ଦେଖେଇଲା I (ଗୋଡ ଆଉ ହାତରେ ପୋଡା ଦାଗ, ଏବେ ବି ଶୁଖି ନଥିଲା) ସ୍ତ୍ରୀ ଭିତରେ ପୋଡି ହେଇ ଗଲା I ଡାକ୍ତର ଖାନା ରେ ଦି ଦିନ ପଡିଲା, ତାପରେ ମରିଗଲା I

 

ସେ ଏମିତି କହିଲା ଯେମିତି କି ତା’ର କିଛି ଅନୁଶୋଚନା ନାହିଁ କିମ୍ବା କାନ୍ଦି କାନ୍ଦି ଆଖି ର ଲୁହ ସବୁ ଶୁଖି ଗଲେଣି , ଆଉ ଲୁହ ନାହିଁ ବାହାରିବାକୁ I ଏବେ କେବଳ ଗୋଟିଏ ଚିନ୍ତା, ଝିଅ କୁ କେମିତି ପୋଷିବ I    

ରାହୁଲ — ଦେଖିବାକୁ ତ ଠିକ ଠାକ ଅଛୁ, ଭିକ ମାଗିବାକୁ ଲାଜ ଲାଗେନି?

ଭିକାରି — ଲାଜ କାହିଁକି ଲାଗିବ? ସମସ୍ତେ ତ ଭିକାରି I ମନ୍ଦିର ରେ ତିନି ଜଣ ଭିକାରି ଭିକ ମାଗନ୍ତି I ଆମେ ଭିକାରି ଦଳ ବାହାରେ ଭିକ ମାଗୁ, ଧନୀ ଲୋକ ମାନେ ମନ୍ଦିର ଭିତରେ ଭଗବାନଙ୍କଠୁ ଭିକ ମାଗନ୍ତି ଆଉ ପଣ୍ଡା ମାନେ ଲୋକଙ୍କଠୁ ଭିକ ମାଗନ୍ତି I

 

ରାହୁଲ — ଏବେ ତ ସରକାର କେତେ ଯୋଜନା କଲେଣି, ଟଙ୍କାକିଆ ଚାଉଳ, ଆହାର କେନ୍ଦ୍ର ଆହୁରି କେତେ କ’ଣ I ଭିକ ନମାଗି କିଛି କାମଦାମ କଲେ ଚଳନ୍ତାନି?

ଭିକାରି — ଆମର ଆଜ୍ଞା କଣ କାର୍ଡ ଅଛି ଯେ ମିଳିବ ଟଙ୍କାକିଆ ଚାଉଳ? କିଏ ଦବ ଆମକୁ କାର୍ଡ ? ନାଁ ଘର ଅଛି ନାଁ ଗାଁ I

 

(ରାହୁଲ ଟିକେ ଭାବନା ରେ ପଡିଗଲା I ସେମିତି ବି ଟଙ୍କାକିଆ ଚାଉଳ ନେଇ ଲୋକ ମାନେ କରୁଛନ୍ତି କ’ଣ I ୩୦ ଟଙ୍କା ରେ ୩୦ କିଲୋ ଚାଉଳ କିଣିଲେ I ଘର ପାଇଁ ୧୫ କିଲୋ ରଖି ୧୫ କିଲୋ, କିଲୋ ପ୍ରତି ୩୦ ଟଙ୍କା ଦର ରେ ବିକ୍ରି କଲେ I ବାସ, ମାସ ଯାକର ତେଲ ଲୁଣ ପଇସା ହେଇ ଗଲା I ବାଡିରୁ ପତ୍ର ଫୁଲ ପରି କିଛି ମିଳିଗଲା ତରକାରୀ ଆଉ ଭଜା ପାଇଁ I ଦିନେ ଖଟିଲେ ମାସ ଯାକର ମଦ ଖର୍ଚ ଚଳିଲା I ପୁଣି ଆର ମାସ ପାଇଁ ୩୦ ଦିନରେ ପିଇଥିବା ୩୦ ଟା ବୋତଲ ବିକ୍ରି କଲେ, ୩୦ ଟଙ୍କା ମିଳିଯିବ I ପୁଣି ଚାଉଳ ୩୦ କିଲୋ ଆସିଯିବ I ସେଥି ପାଇଁ ତ ଆଜି କାଲି କାମ କରିବା ପାଇଁ ମୁଲିଆ ମିଳୁ ନାହାନ୍ତି I ଘର କାମ ପାଇଁ ମୁଲିଆ ନାହାନ୍ତି I ଚାଷବାସ ପାଇଁ ମୁଲିଆ ନାହାନ୍ତି I ସେଥିରେ ପୁଣି ସରକାର ସେମାନଙ୍କର ଦିନିକିଆ ଭଡା ବଢ଼େଇ ୩୦୦ କଲେଣି I ଏଠି ପିଲା ଇଞ୍ଜିନିଅରିଂ କରିସାରି ଦରମା ପାଉଛନ୍ତି ଟଙ୍କା ୩୦୦୦ ମାସକୁ I କିନ୍ତୁ ମୁଲିଆ ପାଉଛି ୯୦୦୦ )   

  

ରାହୁଲ ର ଭାବନା ରେ ପୂର୍ଣ୍ଣଛେଦ ପକାଇ ଭିକାରି କହିଲା ଆହାର କେନ୍ଦର (କେନ୍ଦ୍ର) କଥା କୁହନ୍ତୁନି ଆଜ୍ଞା ! ସବୁ ପ୍ରହସନ I ସେଠି ଗରିବ କମ ବାବୁ ବେଶୀ ଆସୁଛନ୍ତି ଖାଇବାକୁ I ନୁକ (ଲୋକ) ତ, ପାଖ ହୋଟେଲ ରୁ ଅଣ୍ଡା କିମ୍ବା ମାଛ ଧରି ଆସି ଆହାର କେନ୍ଦ୍ର ରୁ ଭାତ ଡାଲି ଆଣି ଖାଉଛନ୍ତି I କେହି କେହି ତ କାର ରେ ଆସୁଛନ୍ତି, କାର କୁ କିଛି ଦୂରରେ ରଖି ଦେଇ, କେନ୍ଦର (କେନ୍ଦ୍ର) ରେ ଖାଇ କି ପୁଣି କାର ରେ ବସିକି ପଳାଉଛନ୍ତି I ସେଠି ଆମକୁ ପଚାରେ କିଏ ? ଗଲେ ଦୂର ଦୂର, ମାର ମାର କରୁଛନ୍ତି I   

 

ରାହୁଲ ଭାବିଲା ସେମିତି ବି ଏବେ ରାତି ଅଛି I ଘରେ ସମସ୍ତେ ଶୋଇଥିବେ I ପାହାନ୍ତିଆରୁ କାହିଁକି ଘର ଲୋକଙ୍କୁ ହଇରାଣ କରିବ, ସକାଳ ହେଉ, ଯିବ ଘରକୁ I ସେତିକି ସମୟ ୟା ସହ କଥା ହେଇ କାଟି ହେବ I ଏହା ଭାବି ରାହୁଲ ତାକୁ ପଚାରିଲା

 

ରାହୁଲ – ଆଛା, ତୋ ଘର କେଉଁଠି ଆଉ ତୁ ଏଠିକୁ ଆସିଲୁ କେମିତି?

ଭିକାରି — ସେ ବହୁତ କଥା ଆଜ୍ଞା !

ରାହୁଲ — ତୁ କଣ ଭିକାରି ହେଇ ଜନ୍ମ ହେଇ ଥିଲୁ ନାଁ କିଏ ତୋତେ ଭିକାରି କଲା?

 

ଭିକାରି କହିବାକୁ ଆରମ୍ଭ କଲା,” ନାଁ ନାଁ, ମୋ ଘର ଗାଁ ରେ I ଭାଇ ଭଉଣୀ ଆମେ ପାଞ୍ଚ ଜଣ I ଦୁଇ ଭାଇ ଆଉ ତିନି ଭଉଣୀ I ବାପା ଚାଷ କରନ୍ତି I ଭଲରେ ଭଲରେ ଚାଲୁଥିଲା ଆମ ସଂସାର I ମୁଁ ସପ୍ତମ ଯାଏ ପାଠ ପଢିଛି I ସପ୍ତମରେ ପଢିଲା ବେଳେ ସ୍କୁଲ କୁ ଛଉ ଡାକ୍ତର ଆସି ପରୀକ୍ଷା କରି କହିଲେ, ମୁଁ କୁଆଡେ କୁଷ୍ଠ ରୋଗୀ I ମୋ ହାତରେ ସେତେବେଳେ ଗୋଟେ ଧଳା ଛଉ ହୋଇଥାଏ I ଗାଁ ର ପୁରୁଖା ଲୋକେ କହୁଥିଲେ ସେଟା କୁଆଡେ ବୟସ ଛଉ I ଆପେ ଚାଲିଯିବ I ମୋ ମା କେତେ ଜାଗାରୁ କେତେ ଔଷଧ ଆଣି ଦେଲା ଖାଇବାକୁ, ଲଗେଇବାକୁ I ଶିବଙ୍କ ଛଡା ଫୁଲ, ପାଦୁକ, କେତେ କଣ ଲଗେଇଲା, କିନ୍ତୁ ଫଳ କିଛି ହେଲା ନାହିଁ I ଡାକ୍ତରଙ୍କ କହିବା ପରେ ସମସ୍ତେ ବିଶ୍ୱାସ କଲେ ମୁଁ କୁଷ୍ଠ ରୋଗୀ I ଗାଁ ରେ ନିଶାପ ହେଲା I ମୋତେ ଗାଁ ଛାଡି ଚାଲି ଯିବାକୁ କୁହାଗଲା I ନହେଲେ ଆମ ପରିବାର କୁ ବାଛନ୍ଦ କରାଯିବ I ମା’ ତ କାନ୍ଦିକାଟି ଗଡୁଥାଏ I ବାପା, ଆଉ ଚାରି ଜଣ ପିଲାଙ୍କ ମୁହଁକୁ ଚାହିଁ ମୋତେ ଘର ଛାଡି ଚାଲି ଯିବାକୁ କହିଲେ I ନହେଲେ କୁଆଡେ ମୋ ଭଉଣୀ ମାନେ ବାହା ହେଇ ପାରିବେନି I ବାରବର୍ଷ ବୟସ ର ପିଲାଟା କୁଆଡେ ଯିବ ଆଜ୍ଞା I (ତା ଆଖିରେ ଲୁହ ଟଳ ଟଳ କରୁଥାଏ) କିନ୍ତୁ ବାପା ମା, ଭାଇ ଭଉଣୀଙ୍କ ମୁହଁ କୁ ଚାହିଁ ମୁଁ ଘର ଛାଡ଼ିଲି I

ଚାଲି ଚାଲି, ଦି ଦିନ କାଳ ନଖାଇ ନ ପିଇ, କାନ୍ଦି କାନ୍ଦି ମୋ ମୁହଁ ହାତ ଫୁଲି ଯାଇ ଥାଏ I ମୁଁ ଆସି ପହଞ୍ଚିଲି ଏଇ ଅନୁଗୁଳ ର ଜଗନ୍ନାଥ ମନ୍ଦିରରେ I ଭୋକରେ ପେଟ ଜଳୁ ଥାଏ I ଦିନ ପ୍ରାୟ ତିନିଟା ହେବ I ଜଗନ୍ନାଥ ଙ୍କ ଅବଢ଼ା ଆଉ ମା ବୁଢ଼ୀ ଠାକୁରାଣୀଙ୍କ ପାଖରେ ହେଉଥିବା ଭୋଗ ବଳିଗଲେ, ସେମାନେ ଭିକାରି ମାନଙ୍କୁ ଦେଇ ଦିଅନ୍ତି I କିଛି ଭିକାରି ଖାଇ ବସିଥାନ୍ତି I ଭୋକରେ ମୋତେ କିଛି ଦେଖା ଯାଉ ନଥାଏ I ସମସ୍ତେ ନିଜ ନିଜ ଠୁ ଛଡେଇ ଖାଉଥାନ୍ତି I ଭୋକ ହେଉ ଥିଲେ ବି ଭିକାରି ମାନଙ୍କ ସହ ବସି ଖାଇବାକୁ ମୋତେ ଲାଜ ଲାଗିଲା I ମୁଁ କିଛି ଦୂର ରେ ଠିଆ ହୋଇ ତାଙ୍କ ଖାଦ୍ୟ ଆଡେ ଚାହିଁ ଥାଏ I କିଛି ଦୂରରେ ଗୋଟେ ପାଗେଳୀ ଆଉ ତା କୁନି ଝିଅ ବସି ଖାଉ ଥାନ୍ତି I ପାଗେଳୀ କଣ ଭାବିଲା କେଜାଣି ତା ଖାଇବା ଗିନା ଧରି ମୋ ପାଖକୁ ଆସିଲା ଆଉ ତା ହାତରେ କିଛି ଖାଦ୍ୟ ଧରି ମୋତେ ଖୁଆଇଦେଲା I ମୁଁ ଏତେ ଭୋକ ରେ ଥିଲି ଯେ କେତେ ବେଳେ ତା ହାତରୁ ମୁଁ ଖାଦ୍ୟ ଖାଇ ସାରିଥିଲି ମୁଁ ବି ଜାଣିନି I ସେଇ ଦିନଠୁ ମୁଁ ବି ଭିକାରି ଦଳ ରେ ସାମିଲ ହୋଇ ଗଲି I

. (ଭିକାରି ର ଝିଅ ଟି ଭିକାରି କୋଳରେ ଢୁଳାଉ ଥିଲା I ତେଣୁ ଭିକାରିଟି ଝିଅକୁ ଶୁଏଇ ଦେଲା I ଆଉ ରାହୁଲ ଦେଇ ଥିବା କମ୍ବଳ ଟି ତା ଉପରେ ଘୋଡେଇ ଦେଲା I ରାହୁଲ ବି ପାହାଚରେ ବସି ପଡିଲା ଆଉ ଭିକାରିଠୁ ଅଧିକ କିଛି ଜାଣିବାକୁ ଚାହିଁଲା I)  

 

ରାହୁଲ — କିନ୍ତୁ ତୋ ଠି ତ କୁଷ୍ଠ ରୋଗୀ ର କୌଣସି ଲକ୍ଷଣ ଦେଖା ଯାଉନି?

ଭିକାରି — ହଁ ଆଜ୍ଞା, ମୁଁ ବି ଆଶ୍ଚର୍ଯ୍ୟ ହେଲି ଯେତେ ବେଳେ ମୋ ଠି କିଛି ବି ଲକ୍ଷଣ ଦେଖା ଗଲା ନାହିଁ I ଏଠି ମନ୍ଦିର ଆଗରେ କେତେ କୁଷ୍ଠ ରୋଗୀ ଅଛନ୍ତି I ସେମାନଙ୍କ ହାତ ଗୋଡ ର ଆଙ୍ଗୁଠି ଛିଡି ଛିଡି ଯାଏ ଆଉ ସେମାନେ ରକ୍ତ ପୂଜ କୁ ପୋଛି ଆଙ୍ଗୁଠି ରେ କନା ବାନ୍ଧି ରୁହନ୍ତି I ମୋ ଠି କୌଣସି ଲକ୍ଷଣ ଦେଖା ନଯିବାରୁ ଥରେ ସାହସ କରି ଜଣେ ଡାକ୍ତରଙ୍କୁ ଦେଖେଇଲି, ସେ କହିଲେ ମୁଁ କୁଷ୍ଠ ରୋଗୀ ନୁହେଁ I ଏଇଟା ଗୋଟେ ବୟସ ଛଉ I ତା’ପରେ ଖୁସି ହୋଇ ଗାଁ କୁ ଗଲି I କିନ୍ତୁ ଗାଁ ରେ ମୋତେ ପୂରେଇଲେନି, କାରଣ ମୁଁ ଭିକାରି ହୋଇସାରିଥିଲି I ବାପା, ବାଡ଼ି ଧରି ମାରିବାକୁ ଗୋଡ଼େଇଲେ I ମା’ ଗୋଟେ ଚେପା ଟୁଲା କଂସା ରେ ଭାତ ଗଣ୍ଡେ ବାଢ଼ିଦେଲା ଆଉ କଂସାକୁ ଭିକାରୀଙ୍କୁ ଖାଇବାକୁ ଦେଲା ପରି ଆଡେଇଦେଲା I ନଖାଇ ଫେରି ଆସିଲି, ସେଇଦିନୁ ଆଉ ଗାଁ କୁ ଯାଇନି I ଜଣେ ଡାକ୍ତରଙ୍କ ଗୋଟିଏ ଭୁଲ କଥା ମୋ ଜୀବନ କୁ ବରବାଦ କରି ଦେଲା ଆଜ୍ଞା !”  

 

ରାହୁଲ – ଆଛା, ତୁ ଭିକାରି ଦଳ ରେ ସାମିଲ ହେଲୁ, ତା’ପରେ? ରାହୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଲା I

ଭିକାରି — ପାଗେଳୀ ବୁଢ଼ୀ, ତା ଝିଅ କୁ ଆଉ ମୋତେ ନିଜ ଛୁଆ ପରି ପାଳିବାକୁ ଲାଗିଲା I ମୁଁ ବି ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ ମାଗିବାକୁ ଲାଗିଲି I ଆସ୍ତେ ଆସ୍ତେ ମୁଁ ପାଗେଳୀ କୁ ମୋ ମା ପରି ଦେଖିବାକୁ ଲାଗିଲି I ଆମେ ସେଇ ମନ୍ଦିର ରେ ବସି ଭିକ ମାଗୁ, ମନ୍ଦିର ରେ ଖାଉ ଆଉ ସେଇଠି ଶୋଇ ପଡୁ I ନା ଘର ଥାଏ ନା ଜାଗା I ଯିଏ ଆଗ ଗାମୁଛା ପକେଇଲା ସେ ଜାଗା ତା’ର, ଗୋଟେ ରାତି ପାଇଁ I ଏମିତି ଚାଲିଥାଏ ଜୀବନ I ସମୟ କ୍ରମ ରେ ଜାଣିବାକୁ ପାଇଲି ଯେ, ଏ ଝିଅ ବି ପାଗେଳୀ ର ନୁହଁ I ଅବାଂଛିତ ପିଲା ଟିକୁ କେହି ଜଣେ ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା I ବୁଢ଼ୀ ତାକୁ ପାଳିଛି ୭ ବର୍ଷ ହେଲା I କିଛି ବର୍ଷ ପରେ ବୁଢ଼ୀ ମରିଗଲା I ବୁଢ଼ୀ ର ଝିଅ ଆଉ ମୁଁ ରହିଲୁ I ଆମେ ଦି ଜଣ ଭଲ ସାଙ୍ଗ ହେଇ ଗଲୁ I ଅନ୍ୟ ଭିକାରି ମାନେ ଆମକୁ ଅଲଗା କରିଦେଲେ I ଆମେ ଏକାଠି ଭିକମାଗୁ, ଏକାଠି ଖାଉ, ଏକାଠି ଶୋଉ I ସେତେବେଳେ ଦୁଇ ଜଣ ଯାକ ଯୌବନ ରେ ପହଞ୍ଚି ଥାଉ I ସେ ମୋ ପାଇଁ ବଞ୍ଚେ ଆଉ ମୁଁ ତା ପାଇଁ I ମନ୍ଦିର ରୁ ଡାଲି ତରକାରୀ ମିଳିଲେ ସେ ମୋ ପାଇଁ ଆଣେ ମୁଁ ତା ପାଇଁ I ଆଉ କେହି ତ କଥା ବି ହୁଅନ୍ତିନି I ଆମେ ଦି ଜଣ ଆମ ଦୁନିଆଁ ରେ ଥାଉ I ଆସ୍ତେ ଆସ୍ତେ ଆଜ୍ଞା ତାକୁ ଭଲ ପାଇ ବସିଲି I ସେ ବି ମୋତେ I

 

(ରାହୁଲ ମନେମନେ ଭାବିଲା, ଭିକାରି ହେଇ ପ୍ରେମ !! ବାଃ… )

 

ଭିକାରି କହି ଚାଲିଥାଏ, ଦୁନିଆଁ ରେ ଆମ ଦି ଜଣଙ୍କୁ ଛାଡି ଦେଲେ ଆଉ କେହି ନଥିଲେ ଆମ ପାଇଁ I କାହାକୁ କହିବୁ କାହାକୁ ପଚାରିବୁ? ସପ୍ତମ ଶ୍ରେଣୀ ରେ ସାର କହିଥିଲେ, ଗୋଟେ ଭଲ ସାଙ୍ଗ ଗୋଟେ ପାଠାଗାର ସହ ସମାନ I ସେଥିପାଇଁ ମୋର ସବୁଠୁ ଭଲ ସାଙ୍ଗ ଆଉ ଗୋଟିଏ ବୋଲି ସାଙ୍ଗ କୁ ବାହା ହେଇ ପଡିଲି I

 

ରାହୁଲ — ତମେ ତେବେ ବାହା ହେଇଛ? କେଉଁଠି? ସେଇ ମନ୍ଦିରରେ?  

 

ଭିକାରି — ଭିକାରି ର ବାହାଘର କ’ଣ ଆଜ୍ଞା ! ଆମକୁ ମନ୍ଦିରରେ କିଏ ପୁରେଇବ? ଦି ଜଣ ଏକାଠି ରହିଲୁ I ଯୌବନ ଆଜ୍ଞା, କିଛି ଦେଖେନି I ସେ ମୋତେ ଆଉ ମୁଁ ତାକୁ ଭରସା କଲି ବାସ, ଆଉ କଣ ଦରକାର? ମୋତେ ଆଉ ମନ୍ଦିର ବେଢାରେ ରହିବାକୁ ଭଲ ଲାଗିଲା ନାହିଁ I ମୁଁ କାଠ, ବାଉଁଶ, ଭଙ୍ଗା ଟିଣ, ପଲିଥିନ ସବୁ ସଂଗ୍ରହ କରି ମନ୍ଦିର ବାହାରେ ନାରଣସାଗର ପାଖରେ ଥିବା ଗୋଟେ ସରକାରୀ ଜାଗା ରେ ମୁଣ୍ଡ ଗୁଞ୍ଜି ରହିବା ପାଇଁ ବଖୁରିଆ ନୁଆଁଣିଆ ଚାଳିଆ ଖଣ୍ଡେ କଲି I ସେଠାରେ ରହିଲୁ ଆମେ I କିଛିଦିନ ପରେ ସେ ମା ହେଲା I ସେଇ ଚାଳିଆ ରେ ସେ ଏଇ ଝିଅଟିକୁ ଜନ୍ମ ଦେଲା I ବାପା ମା ଛୁଆ ତିନି ଜଣ ରହିଲୁ ସେଠି I ମନ୍ଦିର ଆଗରୁ ଭିକ ମଗା ପଇସା ନ ଅଣ୍ଟିବାରୁ ମୁଁ ବାହାର ଗାଁ କୁ ଭିକ ମାଗି ଯାଏ ଆଉ ମୋ ସ୍ତ୍ରୀ ଆଉ ଝିଅ ମନ୍ଦିର ଆଗରେ ଭିକ ମାଗନ୍ତି I”

 

ଭିକାରି ପାଖରେ ଥିବା ମଳିଛିଆ ବୋତଲରୁ ପାଣି ମୁନ୍ଦେ ପିଇଲା ଆଉ ପୁଣି ଥରେ କହି ଚାଲିଲା,” ଭଲରେ ଭଲରେ ଚାଲିଥିଲା ଆଜ୍ଞା, ଆସ୍ତେ ଆସ୍ତେ ମୁଁ ପୁରୁଣା ସାଇକଲ ଖଣ୍ଡେ ଟଙ୍କା ଦୁଇଶହ ଦେଇ କିଣିଲି ଆଉ ଦୂର ଗାଁ କୁ ଭିକ ମାଗିବାକୁ ଗଲି I ଝିଅ ଆଜ୍ଞା ବଡ ହେଉଥାଏ I ବଡ ଆଶା ଥାଏ, ତାକୁ ପାଠ ପଢ଼େଇବି I ସେଠି ପାଇଁ ବେଶୀ ବେଶୀ ପରିଶ୍ରମ କଲି I ସାଇକଲ ରେ ଗୋଟେ ଗୋଟେ ଦିନରେ ଦୁଇ-ତିନିଟା ଗାଁ ରେ ବୁଲି ଭିକ ମାଗେ I ଝିଅ କୁ ଚାରି ବର୍ଷ ହେଲା ପରେ ଗୋଟେ ସ୍କୁଲ ରେ ତା ନାଁ ଲେଖେଇଦେଲି I ଝିଅ ପ୍ରଥମ ରେ ପଢୁଛି ଆଜ୍ଞା I

 

ରାହୁଲ — ହେଲେ ତମ ଘର କେମିତି ପୋଡ଼ିଲା ?

ଭିକାରି — ସେଦିନ ରାତିରେ କିଛି ଲୋକ ପୋଖରୀ ରୁ ମାଛ ଚୋରି କରିବାକୁ ଆସିଲେ I ୟା ମା, ବାହାରକୁ ପରିସ୍ରା ଆସିଥାଏ I ସେ ଲୋକ ମାନଙ୍କୁ ଦେଖି ଦେଲା I ସେ ଲୋକ ମାନେ ବି ତାକୁ ଦେଖିଲେ I କାଳେ ସକାଳୁ କାହାକୁ କହିଦେବ, ସେଥି ପାଇଁ ରାତିରେ ହିଁ ମୋ ଘରେ ନିଆଁ ଲଗେଇ ଦେଲେ I ମୋ ସ୍ତ୍ରୀ ପୋଡି ହେଇଗଲା ବେଳେ ସେଇ ଲୋକ ମାନଙ୍କୁ ହିଁ ସମ୍ପୁ (ଗାଳି କରିବା) ଥିଲା I ପରେ ଡାକ୍ତର ଖାନା ରେ ବି ସେକଥା କହିଲା I ଦି ଦିନ ପରେ ବୁଢ଼ୀ ମରିଗଲା ଆଜ୍ଞା I ସେଇ ଦିନୁ ଆମେ ଦି ଜଣ ଏଠିକି ପଳେଇ ଆସିଲୁ I କହିସାରି ଭିକାରି ଟି ଲୁହ ପୋଛିଲା I

ହଠାତ ରାହୁଲ ମୋବାଇଲ ରିଙ୍ଗ ହେଲା I ସକାଳ ହୋଇ ସାରିଥିଲା I ରାହୁଲ ମା ଫୋନ କରିଥିଲେ I ରାହୁଲ  ଫୋନ ଉଠେଇ କହିଲା, “ହଁ, ମୁଁ ଷ୍ଟେସନ ରେ ଅଛି I ବାହାରୁଛି ଏବେ I ଅଧ ଘଣ୍ଟେ ରେ ପହଞ୍ଚିବି ଘରେ I”

 

ଫୋନ ଟା ପକେଟ ରେ ରଖିଲା ବେଳେ ହାତ ସିଗାରେଟ ପ୍ୟାକେଟ ରେ ବାଜିଲା I

ରାହୁଲ, କହୁ କହୁ କହିଦେଲା ତୁ ସିଗାରେଟ ଟାଣୁ? ଚାଲ ଯିବା ବାହାରକୁ I

ଭିକାରିସିଗାରେଟ ଟାଣିବାକୁ ପଇସା କୁଆଡୁ ପାଇବି ବାବୁ I ବେଳେ ବେଳେ ବିଡି ଖଣ୍ଡେ ଖଣ୍ଡେ ଟାଣେ I

ରାହୁଲହଉ ଚାଲ, ଯିବା ବାହାରକୁ I

ରାହୁଲ ବସିବା ଜାଗାରୁ ଉଠିଲା ଆଉ ତା ବ୍ୟାଗ ଧରି ଆଗେଇଲା I ପଛେ ପଛେ ଭିକାରି ବି ବାହାରକୁ ଆସିଲା I

ବାହାରକୁ ଆସି ରାହୁଲ ଖଣ୍ଡେ ସିଗାରେଟ ରେ ନିଆଁ ଲଗେଇଲା ଆଉ ଭିକାରିକୁ ବି ଗୋଟେ ସିଗାରେଟ ଦେଲା I

 

ସିଗାରେଟ ଟାଣିଲା ଭିତରେ ରାହୁଲ ଚିନ୍ତା କରୁଥାଏ, ୟା କୁ କିଛି ଟଙ୍କା ସାହାର୍ଯ୍ୟ କଲେ ଭଲ ହେବ I ବିଚରା କେତେ କଷ୍ଟ ରେ ଅଛି I ଝିଅ ପାଇଁ ଫ୍ରକ ଗୋଟେ ବି କିଣି ପାରୁନି I ଖାଇବାକୁ ବି ପଇସା ନାହିଁ I

 

ରାହୁଲ ପାଖ ଦୋକାନ ରୁ କିଛି ପାଉଁରୁଟି ଆଉ ଘୁଗୁନି କିଣି ଝିଅ ଖାଇବା ପାଇଁ ଦେଲା I ନିଜ ପର୍ସ ବାହାର କରି ଦୁଇ ହଜାର ଟଙ୍କା ତା ହାତରେ ଦେଲା I ଆଉ କହିଲା ଆଜି ବଜାରକୁ ଯାଇ, ଝିଅ ପାଇଁ ଭଲ ଡ୍ରେସ ଗୋଟେ ଦୁଇଟା କିଣି କି ଆଣିବୁ I ଆଉ ତା ପାଇଁ ସାବୁନ ଖଣ୍ଡେ ଆଉ ତେଲ ବି ଆଣିବୁ I ହେଲା !!

ପଇସା ପାଇ ଭିକାରି ଟି କାନ୍ଦ କାନ୍ଦ ହୋଇଗଲା I ରାହୁଲ ତା ଆଖି ରେ କୃତଜ୍ଞତା ଅଶ୍ରୁ ଦେଖି ପାରିଲା I ଭିକାରି ହାତ ଯୋଡି ରାହୁଲ କୁ ମୁଣ୍ଡିଆ ମାରିଲା I ରାହୁଲ ତା କାନ୍ଧ ରେ ହାତ ରଖି କହିଲା,” ଥାଉ, ଯା, ଝିଅ ସିଆଡେ ଏକା ଅଛି I” ଆଉ ଅଟୋ ଧରି ଘରକୁ ବାହାରିଲା I  

ପରଦିନ

ରାହୁଲ କୁ ଇଛା ହେଲା ଥରେ ଯାଇ ସେ କୁନି ଝିଅ ଟିକେ ଦେଖି ଆସିବ I ନୂଆ ଡ୍ରେସ ରେ ଝିଅ ଟି ବହୁତ ସୁନ୍ଦର ଦେଖା ଯାଉଥିବ I ରଜ ରେ ଝିଅ ମାନେ ନୂଆ ଡ୍ରେସ ପିନ୍ଧି ଖୁସି ରେ କୁରୁଳିଲା ପରି ସେ ବି ଖୁସି ରେ ନାଚି ଯାଉଥିବ I

ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, ଡ୍ରେସ ପିନ୍ଧି ବାହାରି ପଡିଲା I ମା କହିଲେ, ଚା ଟିକେ ପିଇ ଦେଇ ଯାଆ I ମାଙ୍କ ହାତରୁ ଚା କପ ନେଇ ସେ ଚୌକି ରେ ବସି ପଡିଲା I ଟି-ପଏ ଉପରେ ପଡିଥିବା ଦୈନିକ ଖବରକାଗଜ ଉପରେ ଟିକେ ଆଖି ବୁଲେଇ ଆଣିବାର ଲୋଭ ସମ୍ବରଣ କରି ନପାରି ଖବରକାଗଜ ଟିକୁ ଉଠେଇ ଆଣିଲା I ଦ୍ଵିତୀୟ ପୃଷ୍ଠା ଟିକୁ ଆଡଉ ଆଡଉ, ତା ଆଖି ଗୋଟେ ଜାଗାରେ ଅଟକି ଗଲା I ଖବର ଟିକୁ ସେ ଗୋଟେ ନିଶ୍ୱାସ ରେ ପଢି ଗଲା I ସେଥିରେ ଲେଖା ଥିଲା


ଅନୁଗୁଳ ଷ୍ଟେସନ ରୁ ଲୁଟେରା ଗିରଫ

ଅନୁଗୁଳ,୨୯/୧୨, କାଲି ସକାଳୁ ଅନୁଗୁଳ ଷ୍ଟେସନ ରୁ ଏକ ଲୁଟେରା କୁ ଗିରଫ କରା ଯାଇଛି I ଲୁଟେରା ସହ ଗୋଟେ ବର୍ଷ ଝିଅ କୁ ବି ଉଦ୍ଧI କରା ଯାଇଛି I ଲୁଟେରା ପ୍ରକୃତ ନାମ ଆଉ ସେ କେଉଁଠିକାର  ବାସିନ୍ଦା, ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି I ଛୋଟ ଝିଅଟିକୁ ସେ କେଉଁଠୁ ଚୋରି କରି ଆଣିଥିବା ସନ୍ଦେହ କରା ଯାଉଛି I ଝିଅଟିର ନା ରିନୁ ଆଉ ବାପା ନା ମଣ୍ଟୁ ପାଇକରାୟ ବୋଲି ଜଣା ପଢିଛି, କିନ୍ତୁ ତା ଗାଁ ବିଷୟରେ ସେ କିଛି କହି ପାରୁନି I

ସୂଚନା ଯୋଗ୍ୟ ଯେ, ୨୮ ତାରିଖ ସକାଳୁ ଅନୁଗୁଳ ଷ୍ଟେସନ ରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଗୋଟେ ଛୋଟ ଝିଅ ମିଲିଟାରୀ କମ୍ବଳ ଘୋଡ଼ି ହୋଇ ଏକା ଶୋଇ ଥିବାର ଦେଖି ପୋଲିସ କୁ ସନ୍ଦେହ ହେଲା I ସମୟରେ ଝିଅଟିର ମୁଣ୍ଡ ତଳେ ଥିବା ଗୋଟେ ବୁଜୁଳି ରୁ ମୋବାଇଲ ରିଂ ହେବାର ସାଉଣ୍ଡ ଆସିଲା I ଝିଅଟିକୁ ଉଠେଇଲା ପରେ, ସେ ଏକ ଭିକାରି ଝିଅ ପରି ଦେଖା ଯାଉଥିଲା I ଚିରା ଡ୍ରେସ ପିନ୍ଧି ଥିଲା I ପୋଲିସ କୁ ଦେଖି ହଡ଼ବଡେ଼ଇ ଯାଇ ସେ କହିଲା ଯେ ସେ ଚୋର ନୁହଁ I ଗୋଟେ ଲୋକ ତାକୁ ଚୋରି କରି ଆଣି ଭିକ ମାଗିବାକୁ ବାଧ୍ୟ କରୁଛି ଆଉ ତାକୁ ବାପା ନଡାକିଲେ ମାରି ଦବ ବୋଲି କହିଛି I ପୋଲିସ ହୁସିଆର ରେ ଝିଅକୁ ଛାଡି ସେ ଲୋକକୁ ଅପେକ୍ଷା କରି ପାଖା ପାଖି ଜାଗାରେ ଲୁଚି ବସିରହିଥିଲେ I ଲୋକଟି ଆସିବା କ୍ଷଣି ତାକୁ କାବୁ କରି ନେଲେ I ଲୁଟେରା କିଛି ଦିନ ହେଲା ଅନୁଗୁଳ ଷ୍ଟେସନ କୁ ଆସିଥିଲା I ସେ ରାତିରେ ଯିବା ଆସିବା ଯାତ୍ରୀ ଆଉ ଟ୍ରେନ ରୁ ଚୋରି କରୁଥିଲା I ଦିନରେ, ପୋଡା ଦାଗ ଥିବା ଷ୍ଟିକର ହାତ ଗୋଡ଼ରେ ଲଗାଇ ଝିଅ ସହ ଭିକ ମାଗୁଥିଲା I ରାତିରେ ଟ୍ରେନ ରହିବା କ୍ଷଣି ସେ ବଗି ଭିତରେ ପଶି ଶୋଇଥିବା ଯାତ୍ରୀ ମାନଙ୍କ ଠାରୁ ପର୍ସ, ମୋବାଇଲ, ସୁନା ଚେନ ଚୋରି କରୁଥିଲା ଆଉ ଟ୍ରେନ ଛାଡିବା ପୂର୍ବରୁ ଓ଼ଲ୍ଳେହି ଯାଉଥିଲା I ତା ପାଖରୁ ୧୫ ଟି ମୋବାଇଲ, ନଗଦ ୧୭୦୦୦ ଟଙ୍କା, ଦୁଇଟି ସୁନା ଚେନ ଉଦ୍ଧାର କରା ଯାଇଛି I ଲୁଟେରା କୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି ଆଉ ଝିଅଟି କୁ, ତା ବାପା ମାଙ୍କ ପରିଚୟ ମିଳିବା ଯାଏ ମାଳତୀ ଚୌଧୁରୀ ଆଶ୍ରମ ରେ ରଖିବାର ବ୍ୟବସ୍ତା କରା ଯାଇଛି I   

    

ଖବରକାଗଜ ରେ ଦିଆ ଯାଇଥିବା ଫୋଟୋ ରେ ରାହୁଲ ମିଲିଟାରୀ କମ୍ବଳ ଆଉ ଚାରିଟି ପାଞ୍ଚଶହ ଟଙ୍କିଆ ନୋଟ ରାହୁଲ କୁ ମିଲି ମିଲି କରି ଚାହିଁ ରହିଥିଲେ…….

ସେପଟେ ଟିପଏ ଉପରେ ରଖା ଯାଇଥିବା ଚା ଥଣ୍ଡା ହେବାରେ ଲାଗିଥିଲା I

 

—-x—-

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ସପ୍ତଫେଣି

ସପ୍ତଫେଣି

(www.aahwaan.com ରେ December 2017 ରେ ପ୍ରକାଶିତ )

ସୁବଳ ମହାପାତ୍ର

ମା….ମା…. ବୋଲି ଡାକି ଡାକି ଘର ଭିତରକୁ ପଶି ଆସିଲେ ଡାକ୍ତରାଣୀ ଶତଭିଷା ପଟ୍ଟନାୟକ I ସାଙ୍ଗରେ ଜଣେ ମ୍ଲେଚ୍ଛ ଭିକାରୁଣୀ I ଭିକାରୁଣୀ କୁ ବାରଣ୍ଡା ରେ ବସେଇ ଦେଇ ସେ ଘର ଭିତରକୁ ଯାଇ ମା ଆଉ ଘରର ଚାକରାଣୀ ଯମୁନା କୁ ଖୋଜିଲେ I କାହାକୁ ନପାଇ ବାଡ଼ି ପଟକୁ ଯାଇ ଦେଖିଲେ ମା ଠିଆ ହୋଇଛି ଆଉ ଯମୁନା କଣ ଗୋଟେ ଗଛ ଲଗେଇବା ପାଇଁ ଗାତ ଖୋଳୁଛି I ମା, ଯମୁନା କୁ କହୁ ଥାଏ, ଟିକେ ଜଲଦି କର, ଏ କାମ ସାରିଲେ ପୁଣି ସେ ଦାଣ୍ଡ ପଟେ ଥିବା ସପ୍ତଫେଣି ଗଛଟାକୁ କାଟିବୁ I କଣ୍ଟା ଗଛଟା ଘର ଆଗରେ ରହିବା ଭଲ ନୁହଁ I
ଯମୁନା କୁ ଦେଖୁ ଦେଖୁ ଶତଭିଷା କହିଲେ, ” ଗଲୁ ଗଲୁ, ଗୋଟେ ଡେ଼କଚି ରେ ପାଣି ଗରମ କରିବୁ ଆଉ ସାବୁନ, ଶାମ୍ପୂ ବି ନେଇ କି ଆସିବୁ I ମୁଁ ବାରଣ୍ଡା ରେ ଅଛି I
ମା ରୁକ୍ମୁଣୀ ଦେବୀ ଙ୍କୁ ଜଣା ପଡିଗଲା ଯେ, ମାମୁନି ଆଜି ପୁଣି କେଉଁ ଗୋଟେ ଭିକାରି କିମ୍ବା ପାଗଳ ବୁଢା କି ବୁଢ଼ୀ କୁ ଧରିକି ଆସିଛି, ଏବେ ତାକୁ ଗାଧୋଇ ଦେବ, ଖାଇବାକୁ ଦେବ ଆଉ ସେ ସାଷ୍ଟାମ ହେଲା ପରେ ତାକୁ ନେଇ ଵୃଦ୍ଧାଶ୍ରମ ରେ ଛାଡିବ I ପିଲା ଦିନୁ ମାମୁନି ଟା ଏମିତି I ଦୁଖୀ ରଙ୍କିଙ୍କ ଦୁଃଖ ଦେଖି ପାରେନି I ମନେ ପକାଉଥିଲେ ରୁକ୍ମୁଣୀ ଦେବୀ, ସେ ବି ଦିନେ ଏପରି ଘର ଛାଡି ପଳେଇ ଆସିଥିଲେ ଆଉ ଭିକାରି ହେବା ପାଇଁ ସଜବାଜ ହେଉଥିଲେ I କିନ୍ତୁ କିଛି ଲୋକଙ୍କ ସହାୟତା, ଆଜି ତାଙ୍କୁ ଏଠି ଗୋଟେ ସମ୍ମାନନୀୟ ଜୀବନ ବଂଚିବାରେ ସାହା ହୋଇଛି I
ଭାବୁ ଭାବୁ ସେ ଦାଣ୍ଡ ପିଣ୍ଡା ରେ ପହଞ୍ଚି ଯାଇଥିଲେ I ଭିକାରି ବୁଢ଼ୀଟିଏ ପିଣ୍ଡା ତଳେ ବସି ଥାଏ I ଦେହରେ ମଇଳା କୋଚଟା ସାତ ସିଆଁ ଚିରା ଲୁଗା ଖଣ୍ଡେ I ମୁଣ୍ଡରେ ବର୍ଷେ ହେଲା ତେଲ ବାଜିନି, ନୁଖୁରା, ଅଲରା I ଆଖି ଯୋଡିକ ଶୁଖିଲା I ପେଟ ଯାଇ ପିଠିରେ ଲାଗିଛି I ପାଖରେ ଗୋଟେ ବୁଜୁଳୀ ଆଉ ଗୋଟେ କଣା ଚେପା ରସ ତାଟିଆ I ମୁହଁଟା ଭଲ ରେ ଦିଶୁ ନଥାଏ I ଅଲରା ବାଳ ଗୁଡିକ ମୁହଁ ସାରା ଖେଳେଇ ହୋଇ ରହି ଥାଏ I ଆଖି ଦେଖି ଦୋ ଦୋ ଚିହ୍ନI ହେଲେ ରୁକ୍ମୁଣୀ ଦେବୀ I
ଭିକାରି ବୁଢ଼ୀ ରୁକ୍ମୁଣୀ ଦେବୀଙ୍କୁ ଦେଖି କରେଣ୍ଟ ମାରିଲା ପରିକା ଚମକି ପଡିଲା ଆଉ ଉଠି ଚାଲି ଯିବାକୁ ବସିଲା I ରୁକ୍ମୁଣୀ ଦେବୀ ପଛରୁ ଡାକିଲେ, ଆରେ ଆରେ ରୁହ I କୁଆଡେ ଯାଉଛ ? ଏ ମାମୁନି, ଆ ଦେଖିବୁ ତ… I ଶତଭିଷା ମାଡାମ ଆସି ଦେଖିଲେ ବୁଢ଼ୀ ଚାଲି ଯିବାକୁ ବସିଛି I ଦୌଡ଼ି ଯାଇ ଫାଟକ ପାଖରୁ ତାକୁ ଫେରେଇ ଆଣିଲେ I ବୁଢ଼ୀ ଆସିବାକୁ ଅମଙ୍ଗ ହେଉ ଥିଲା I ହେଲେ ବହୁତ ବୁଝେଇ ଶୁଝେଇ ତାକୁ ବାରଣ୍ଡା ଉପରକୁ ଆଣିଲେ I ଅଲରା ବାଳ ସଜାଡି ଦେବା ପରେ ରୁକ୍ମୁଣୀ ଦେବୀଙ୍କୁ ଆଉ ବୁଝିବାକୁ ବାକି ନଥିଲା ଯେ, ବୁଢ଼ୀ ଓଲଟି ପଡି ପଳେଇ ଯାଉଥିଲେ କ’ଣ ପାଇଁ I
ରୁକ୍ମୁଣୀ ଦେବୀ ଫେରି ଯାଉଥିଲେ ୨୭ ବର୍ଷ ତଳକୁ ……..
ହଠାତ କାଚ ଗ୍ଲାସ ଟା ଖସି ପଡି ଝଣ ଝଣ ହୋଇ ଭାଙ୍ଗିଗଲା ଆଉ ରୁକ୍ମୁଣୀ ଦେବୀ ଙ୍କ ମୁଣ୍ଡ ବୁଲେଇବାରୁ ସେ କାନ୍ଥ ରେ ହାତ ଦେଇ ବସି ପଡିଲେ I ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆ ଗଲା ଆଉ ଜଣା ପଡିଲା ଯେ ସେ ଗର୍ଭବତୀ I ଘରେ ଖୁସି ର ମାହୋଲ I ଜଣ ଜଣ କରି ବଧେଇ ଜଣାଉଥାନ୍ତି I ଶାଶୂଙ୍କର କିନ୍ତୁ ପୁଅ ଦରକାର I ଆଉ ଝିଅ ଦରକାର ନାହିଁ I କିଛି ଦିନ ପରେ ଜୋର ଜବରଦସ୍ତି ତାଙ୍କୁ ପଠାଗଲା ଚେକ କରିବା ପାଇଁ ପୁଅ ନା ଝିଅ I ରିପୋର୍ଟ ଆସିଲା ଏଥର ବି ଝିଅ I ଶାଶୁଙ୍କ ରାଗ ଆଉ ଦେଖେ କିଏ ? ତାଙ୍କୁ ଭୃଣ ହତ୍ୟା କରିବା ପାଇଁ ବାଧ୍ୟ କରାଗଲା I ପ୍ରାଇଭେଟ କ୍ଲିନିକ ରେ ଏସବୁ କରିବାର ଫାଇନାଲ ହେଇଗଲା I ଡାକ୍ତର ବି ଠିକ କରାଗଲା I କ୍ଲିନିକ ଵାଲା ଅଧିକ ଟିକେ ପଇସା ନେବେ, ସବୁ ଜିନିଷ ସୁରୁଖୁରୁ ରେ ହୋଇଯିବ I କିନ୍ତୁ ଶେଷ ମୁହୁର୍ତରେ ରୁକ୍ମୁଣୀ ଦେବୀ ଭୃଣହତ୍ୟା କରିବାକୁ ମନା କରିଦେଲେ I ମା ମନ ତାଙ୍କର ମାନୁ ନଥିଲା ଏସବୁ କରିବା ପାଇଁ I ଯାହା ହେଲେ ବି ଛୋଟ ଛୁଆ ଟା ର ଦୋଷ କ’ଣ? ଗୋଟିଏ ତ ଝିଅ ଅଛି ଆଉ ଗୋଟେ ହେଲେ ଅସୁବିଧା କ’ଣ? ନା.. ସେ ଭୃଣହତ୍ୟା କରିବେନି I ଯାହା ବି ହେଇଯାଉ ସେ ଏଇ ଛୁଆ କୁ ଜନ୍ମ ଦେବେ I  ଏଥର ଆରମ୍ଭ ହୋଇଗଲା ଶାଶୂଙ୍କର ଅତ୍ୟାଚାର I ଶ୍ୱଶୁର, ଦିଅର ଆଉ ନଣନ୍ଦ ଙ୍କର ବି ଅତ୍ୟାଚାର ବଳି ପଡିଲା ଶାଶୁଙ୍କ ସହ ତାଳ ଦେଇ I ସ୍ୱାମୀ ସବୁ ଜାଣୁଥିଲେ ବି ତାଙ୍କର ବାପା, ମା, ଭାଇ ଆଉ ଭଉଣୀଙ୍କ ବିରୁଦ୍ଧରେ କିଛି କରିବାର ନଥିଲା I ଏଇ ବାପା, ଭାଇ ତ ସେମାନଙ୍କ ଘର ଚଳାଉଛନ୍ତି, ପଇସା ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଗଲେ ଚାରି ପ୍ରାଣୀ ଚଳିବେ କେମିତି ? ତାଙ୍କର ତ କିଛି ରୋଜଗାର ନାହିଁ I ତେଣୁ ଏମାନଙ୍କୁ ବିରୋଧ କରିବାକୁ ବି ସେ ସାହସ କଲେନି ବରଂ ରୁକ୍ମୁଣୀ ଦେବୀଙ୍କୁ ବୁଝେଇଲେ ପିଲାଟାକୁ ନଷ୍ଟ କରିଦେବା ପାଇଁ I କିନ୍ତୁ ରୁକ୍ମୁଣୀ ଦେବୀ ମନ ସ୍ଥିର କରି ସାରିଥିଲେ I ଦରକାର ପଡିଲେ ସେ ପଛେ ଘର ଛାଡି ଚାଲିଯିବେ କିନ୍ତୁ ଭୃଣହତ୍ୟା କରିବେନି I
ଦିନକୁ ଦିନ ଅତ୍ୟାଚାର ସୀମା ଟପିବାକୁ ଲାଗିଲା I ଶାଶୁ ପେଟ କୁ ଗୋଇଠା ମାରିଲେ I ପିଲାଟା ମରିଯାଉ ବୋଲି ସେ ଚାହୁଁଥିଲେ I ସବୁ କିଛି କରି ସାରିବା ପରେ ଫଳ କିଛି ନ ହେବାରୁ, ରୁକ୍ମୁଣୀ ଦେବୀଙ୍କ ଖାଇବାରେ ନିଶା ଔଷଧ ମିଶେଇ, ତାଙ୍କୁ ଜବରଦସ୍ତି କ୍ଲିନିକ କୁ ନେଇ ଗର୍ଭପାତ କରେଇବାର ଯୋଜନା କରା ଗଲା I କୌଣସି ସୂତ୍ରରୁ ସ୍ୱାମୀ ଏସବୁ ଜାଣି ପାରିଲେ ଆଉ ରୁକ୍ମୁଣୀ ଦେବୀଙ୍କୁ କହିଦେଲେ I ରୁକ୍ମୁଣୀ ଦେବୀ ରାତାରାତି ଶାଶୂଘର ଛାଡି ବାପା ଘରକୁ ପଳେଇ ଆସିଲେ I ବାପ ଘରେ ମାମୁନି ର ଜନ୍ମ I ବାପା ନାଁ ରଖିଲେ ଶତଭିଷା ପଟ୍ଟନାୟକ I ବାହାହେବା ଝିଅ ବାପ ଘରେ କେତେଦିନ ଅବା ରହି ପାରିବ? ବର୍ଷ ଗୋଟା ନ ପୂରୁଣୁ ଲୋକେ ଟୁପୁରୁ ଟାପୁରୁ ହେବI ଆରମ୍ଭ କରିଦେଲେ I ଆଉ ରୁକ୍ମୁଣୀ ଦେବୀ ଲୋକ ଲଜ୍ୟା କୁ ଡରି ବାପ ଘର ବି ଛାଡିଲେ I ଶାଶୂଘରେ ତ ରୁକ୍ମୁଣୀ ଦେବୀଙ୍କୁ ମୃତ ଘୋଷଣା କରି ଶ୍ରାଦ୍ଧ ଦେଇ ଦେଲେ I କିନ୍ତୁ ଏବେ ଯିବେ କୁଆଡେ? ଝିଅ କୁ ଧରି ସହର ମୁହାଁ ହେଲେ I ସମୟକ୍ରମରେ ଆଉ ପରିବାରର ଚାପ ରେ ପଡି ସ୍ୱାମୀ ଦ୍ଵିତୀୟ ବିବାହ କଲେ I ବାପ ଘରେ ଥିବା ଯାକେ ସ୍ୱାମୀ ମଝିରେ ମଝିରେ ଆସି ଏମାନଙ୍କୁ ଦେଖି ଯାନ୍ତି କିନ୍ତୁ ବାପ ଘର ଛାଡିବା ପରେ ସେସବୁ ବି ବନ୍ଦ I
ସହରକୁ ଆସି ସେ କ’ଣ କରିବେ କିଛି ଭାବି ପାରୁ ନଥାନ୍ତି I ପାଖରେ ପଇସା ନଥାଏ I କିନ୍ତୁ ନିଆଁ ଲଗା ପେଟ ପାଇଁ ତ ଖାଦ୍ୟ ଦରକାର I ସେ ସିନା ସମ୍ଭାଳି ଯିବେ, ଛୁଆଟା? ସେ କ’ଣ ଖାଇବ? ପର ଘରେ ପାଇଟି କରିବା କଥା ଚିନ୍ତା କଲେ କିନ୍ତୁ ଅଚିନ୍ହା ହେତୁ, ତାଙ୍କୁ କେହି ବି କାମ ଦେବାକୁ ରାଜି ହେଲେ ନାହିଁ I ସମୟ ଚକ୍ର ରେ ପଡି ସେ ପର ପାଖରେ ହାତ ପାତିଲେ I ଛକ କୁ ଛକ ବୁଲି ଭିକ ମାଗିଲେ I କେହି କେହି ତାଙ୍କୁ ପିଲା ଚୋର ଆଉ କେହି କେହି ତାଙ୍କୁ ଭିକାରି ବୋଲି କହି ଦୂର ଦୂର ମାର ମାର କଲେ I କିଛିଦିନ ଖାଇବାକୁ ନପାଇ ସେ ଡଷ୍ଟବିନ ରୁ ଖାଦ୍ୟ ସଂଗ୍ରହ କରି ମାମୁନି କୁ ଖୁଆଇଥିଲେ I କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ନେଇ ପାଖରେ ଥିବା ଵୃଦ୍ଧାଶ୍ରମ ରେ ଛାଡିଲେ ଆଉ ତାଙ୍କୁ ଚାକିରୀ ଖଣ୍ଡେ ଦେଲେ I ତାଙ୍କ କାମ ହେଲା ବୁଢା ବୁଢ଼ୀ ମାନଙ୍କର ଯତ୍ନ ନେବା, ତାଙ୍କୁ ଠିକ ସମୟରେ ଖାଇବା ଆଉ ଔଷଧ ଦେବା, ସେମାଙ୍କ ଲୁଗାପଟା ସଫା କରିବା ଆଉ ରୁମ ସଫା ରଖିବା I ଆଉ ଜଣେ ସହକର୍ମୀ ବି ରୁକ୍ମୁଣୀ ଦେବୀଙ୍କୁ ସାହାଯ୍ୟ କରନ୍ତି I ସେଠାରେ ବୁଢା ବୁଢ଼ୀ ମାନେ ନିଜ ନିଜ ଘରୁ ତଡା ଖାଇ, ପୁଅ ବୋହୂମାନଙ୍କ ର ଅବହେଳା ର ଶିକାର ହୋଇ ଆସିଥାନ୍ତି, ମାମୁନି କୁ ଦେଖି ସେମାନେ ବି ବହୁତ ଖୁସି ହେଲେ I ସେମାନଙ୍କୁ ଗୋଟେ ଜିଅନ୍ତା କଣ୍ଢେଇ ମିଳି ଯାଇଥିଲା ଖେଳିବା ପାଇଁ I ସକାଳୁ ସନ୍ଧ୍ୟା ଯାଏ ମାମୁନି ସହ ସେମାନେ ଖେଳରେ ମାତି ଥାନ୍ତି ଆଉ ରୁକ୍ମୁଣୀ ଦେବୀ ତାଙ୍କ କାମ କରନ୍ତି I ଆସ୍ତେ ଆସ୍ତେ ମାମୁନି ବଡ ହେବାରେ ଲାଗିଲା I ଵୃଦ୍ଧାଶ୍ରମ ର କିଛି ବୁଢା, ବୁଢ଼ୀ ମାମୁନି କୁ ପାଠ ପଢେଇବାକୁ ଲାଗିଲେ I ମାମୁନି ସମସ୍ତଙ୍କର ନାତୁଣୀ ଆଉ ସମସ୍ତେ ମାମୁନିର ଅଜା ଆଉ ଆଇ I ଛୋଟ ବେଳୁ ମାମୁନିର ବୁଢା ବୁଢ଼ୀଙ୍କ ପ୍ରତି ଦରଦ ଟିକେ ଅଧିକା I
ମାଟ୍ରିକ ଫାଷ୍ଟ କ୍ଲାସ ପାଇଲା ପରେ ରୁକ୍ମୁଣୀ ଦେବୀ ଆଉ ଆଗକୁ ପଢିବା ପାଇଁ ମାମୁନି କୁ ମନା କଲେ I ପଇସା କାଇଁ ତାଙ୍କ ପାଖରେ? ଖାଇବା ରହିବା ସିନା ଆଶ୍ରମରେ କିନ୍ତୁ ଅଲଗା ଖର୍ଚ ପାଇଁ ପଇସା କାଇଁ ? ଆଶ୍ରମର ସବୁ ବୁଢା ବୁଢ଼ୀ ନିଶ୍ଚୟ କଲେ ମାମୁନି କୁ ସେମାନେ ପାଠ ପଢ଼େଇବେ I ମାମୁନି ର ପଢା ପାଇଁ ଯାହା ବି ଖର୍ଚ ହେବ ସେମାନେ ଦେବେ I ଯାହା ପାଇଁ ସେମାନେ ନିଜ ପେଟ କାଟି ପଇସା ସଂଚୟ କରିଥିଲେ, ଏତେ ପଇସା ଖର୍ଚ କରି ପାଠ ପଢ଼େଇଥିଲେ, ସେମାନେ ତ ଘରୁ ଧକ୍କା ମାରି ବାହାର କରିଦେଲେ, ଆଉ ଏ ବୁଢା ବୟସ ରେ ପଇସା ରଖି କି କରିବେ କ’ଣ ? ମାମୁନି ବି ସେମାନଙ୍କ ଆଶା କେବେ ବ୍ୟର୍ଥ ଯିବାକୁ ଦେଇନି I ପାଠ ପଢି ସେ ଆଜି ଡାକ୍ତରାଣୀ I ଵୃଦ୍ଧାଶ୍ରମ ର ସମସ୍ତ ଅନ୍ତେବାସୀ ତାର ଅଜା ଆଇ I ବାଟରେ ଘାଟରେ ଯେଉଁଠି ବି ସେ ଅସହାୟ ବୁଢା ବୁଢୀଙ୍କୁ ଦେଖେ ସେମାନଙ୍କୁ ଆଣି ଵୃଦ୍ଧାଶ୍ରମ ରେ ରଖେ ଆଉ ସେମାନଙ୍କର ସମସ୍ତ ଖର୍ଚ ବି ନିଜେ ବହନ କରେ I ଆଗରୁ ସେମାନେ ବି ଆଶ୍ରମରେ ରହୁଥିଲେ I ଏବେ ଡାକ୍ତର ଖାନା ରେ ପୋଷ୍ଟିଙ୍ଗ ହେଲା ପରେ କ୍ଵାଟର ମିଳିଛି I ସକାଳେ ସନ୍ଧ୍ୟା ରେ ସେ ଆଶ୍ରମ କୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରେ ଆଉ ସମସ୍ତଙ୍କୁ ଖୁବ ମନ ଭରି ଭଲ ପାଏ I କେବେବି ସେ କାହାକୁ ମନ ଦୁଃଖ କରିବାକୁ ଦିଏନି I
ମା… ମା….  କଣ ଭାବୁଚୁ? କେତେ ବେଳୁ ଡାକୁଛି I ଗୋଟେ ଶାଢ଼ୀ ଆଣି କି ଦେ I ଆଇ କୁ ଗାଧୋଇ ଦେଇ ସାରିଲିଣି I
ଆଇ ଡାକ ଶୁଣି ବୁଢ଼ୀ ଚମକି ପଡିଲା I ରୁକ୍ମୁଣୀ ଦେବୀ ବି ଭାବନା ରାଇଜ ରୁ ଫେରି ଆସିଲେ ଆଉ ଗୋଟେ ନୂଆ ଶାଢ଼ୀ ଆଣି ମାମୁନି କୁ ବଢେଇ ଦେଲେ I ମାମୁନି ବୁଢ଼ୀ କୁ ଶାଢ଼ୀ ପିନ୍ଧେଇ, ଖାଇବା ପିଇବା କୁ ଦେଇ, ବୁଢ଼ୀ ସାଷ୍ଟାମ ହେଲା ପରେ, ବୁଢ଼ୀ କୁ ନେଇ ଵୃଦ୍ଧାଶ୍ରମ କୁ ଯିବାକୁ ବାହାରିଲା I
ରୁକ୍ମୁଣୀ ଦେବୀ କିନ୍ତୁ ତାକୁ ଅଟକାଇ ଦେଲେ ଆଉ କହିଲେ ତାଙ୍କୁ ଏଠି ରହିବାକୁ ଦେ I ମାମୁନି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖିଲା I ଏଠି କଣ ପାଇଁ ରହିବେ? ରୁକ୍ମୁଣୀ ଦେବୀ କିଛି କହିବା ପୂର୍ବରୁ, ଛଳ ଛଳ ଆଖିରେ ବୁଢ଼ୀ କହିଲା, ତୁ କେମିତି ଜାଣିଲୁ ମୁଁ ତୋ ଜେଜେମା ବୋଲି?
ଜେଜେମା? ମୁଁ ତ ସମସ୍ତଙ୍କୁ ଆଇ ବୋଲି ଡାକେ I ମାମୁନି ଆହୁରି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖୁ ଥିଲା I ଆଉ ଅଧିକା ଆଶ୍ଚର୍ଯ୍ୟ ହେଉଥିଲା ବୁଢ଼ୀ କୁ ଦେଖି I ସେ କିଛି ବୁଝି ପାରୁନଥିଲା କ’ଣ ଚାଲିଛି I ଏତିକି ବେଳେ ବୁଢ଼ୀ ଥର ଥର କଣ୍ଠ ରେ କହିବାକୁ ଆରମ୍ଭ କଲା I
ହଁ ଲୋ ମା, ମୁଁ ତୋର ହତଭାଗିନୀ ଜେଜେମା I ଯିଏ ଚାହୁଁଥିଲା ତୁ ଜନ୍ମ ହେବା ପୂର୍ବରୁ ମରିଯା ବୋଲି I ତୋତେ ବଂଚେଇବାକୁ ଯାଇ ତୋ ମା ଘର ଛାଡି ପଳେଇ ଆସିଲା I ସେ ମରି ଯାଇଛି ବୋଲି ଘୋଷଣା କରି ଆମେ ତାର ଶ୍ରାଦ୍ଧ ଦେଇ ଦେଲୁ ଆଉ ତୋ ବାପା ର ଦ୍ଵିତୀୟ ବିବାହ କରେଇ ଦେଲୁ I ତୋ ବାପା ତୋ ମା କୁ ବହୁତ ଭଲ ପାଉଥିଲା ଆଉ ତା’ ଠୁ ଅଲଗା ହେଲା ପରେ ସେ କେମିତି ଅଧା ପାଗଳ ହେଇ ଯାଇଥିଲା I ଭଗବାନ ଆମକୁ ଦଣ୍ଡ ଦେବା ଆରମ୍ଭ କରି ଦେଇଥିଲେ I ତୋ ସାବତ ମା ଗୋଟେ ପୁଅ ଜନ୍ମ କରି ମରିଗଲା I ତୋ ବଡ ଭଉଣୀ ୭ ବର୍ଷ ବୟସ ରେ ଅଜଣା ଜର ରେ ଆମକୁ ଛାଡି ଚାଲିଗଲା I ତୋ ଖୁଡି ସହର ଝିଅ I ସେ କେବେବି ଆମକୁ ପଚାରେନି I ତା ବାପଘର ଭଲ ତ ସେ ଭଲ I କୁହା ବୋଲା କରି ତୋ କାକା କୁ ଆମଠୁ ଅଲଗା କରିଦେଲା I ତୋ କାକା ତା ଭାଗ ର ଜମି, ବାଡ଼ି, ଘର ସବୁ ବିକ୍ରି କରି ସହର କୁ ଚାଲି ଆସିଲା I ତୋ ପିଉସୀ ର ଗୁଣ ଯୋଗୁଁ, ତା ଶ୍ୱଶୁର ଘର ଲୋକ ତାକୁ ଘରୁ ବାହାର କରି ଦେଲେ I ଯାହା ଯେମିତି ଚଳି ଯାଉଥିଲୁ I କିନ୍ତୁ ଭଗବାନଙ୍କ ରାଗ ଶାନ୍ତ ହେଇ ନଥିଲା I ତୋ ବାପା ଆହୁରି ପାଗଳ ହେଇ ଗଲା ଆଉ ଗୋଟେ ଦିନ ତୋ ମା କୁ ଖୋଜିବା ପାଇଁ ଘର ଛାଡି କୁଆଡେ ପଳେଇଲା I ଦି ଦିନ ପରେ ଗାଡି ଧକ୍କା ରେ …  ଆଗକୁ କହିବା ପାଇଁ ସେ କୋହ ସମ୍ଭାଳି ପାରୁ ନଥାନ୍ତି I
ଗାଡି ଧକ୍କା କଥା ଶୁଣି ରୁକ୍ମୁଣୀ ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I ପଡି ଯାଉ ଯାଉ ଝରକା ର ଗ୍ରିଲ କୁ ଧରି ରହି ଗଲେ ଆଉ ପାଖରେ ଥିବା ଚୌକି ରେ ବସି ପଡିଲେ I ମାମୁନି ହାଁ କରି ସବୁ ଶୁଣୁ ଥାଏ I ବୁଢ଼ୀ ପୁଣି ଥରେ କହିବା ଆରମ୍ଭକଲା I
ତୋ ପିଉସୀ ର ଗୁଣ ବହୁତ ଖରାପ ଥିଲା I ଘର ର ଝିଅ ହେଲେ ବି ପଇସା ପାଇଁ ସେ ଘରୁ ଜିନିଷ ଲୁଚେଇ ଚୋରେଇ ବିକ୍ରି କରିବା ଆରମ୍ଭ କରିଥିଲା I ସରକାର ଆଇନି କଲା ପରେ, ଝିଅର ଅଧା ଭାଗ ଅଛି କହି ସେ ଜମି ବାଡ଼ି ରେ ଭାଗ ବସେଇଲା ଆଉ ଦିନେ ସବୁ ବିକି ଭାଙ୍ଗି ଆର ଗାଁ ର ଗୋଟେ ଟୋକା ସହ କୁଆଡେ ପଳେଇଲା I ଘରେ ବାକି ରହିଲୁ ଆମେ ବୁଢା ବୁଢ଼ୀ ଆଉ ତୋ ଭାଇ I ଘର ଡିହ ବ୍ୟତୀତ ଆଉ ମାଣେ ହବ ଜମି ଥିଲା ଆମ ପାଖରେ I ବାପା ମା ନଥିଲେ ତା’ର I ଗାଁ ଟୋକା ଙ୍କ ସହ ମିଶି ସେ ଟାଉଟରୀ କଲା, ଆଜି କାହା ଟଙ୍କା ତ କାଲି କାହା ଧାନ, ଏମିତି କରୁ କରୁ ଦିନେ ଗୋଟେ ଝିଅକୁ ଧରି ଆସିଲା I ଝିଅ ଘର ଆସି ଆମ ଘରେ ପଶି ତାକୁ ବାଡିଆ ବାଡ଼ି କଲେ I ବୁଢା ଏସବୁ ଦେଖି ସମ୍ଭାଳି ପାରିଲା ନାହିଁ, ଟଳି ପଡିଲା I ଆଉ ଉଠିଲା ନାହିଁ I
ନାତି ଟୋକା ପଇସା ପାଇଁ ମୋତେ ବେଳେ ବେଳେ ମାରଧର କରେ I ମୁଁ ତ ବୁଢ଼ୀ ମଣିଷ I ମୋ ପାଖେ ପଇସା କୁଆଡୁ ଆସିବ ? ଦିନେ ମଦ ପିଇ ଆସି ମୋତେ ମାରି ମାରି ଦରମରା କଲା I କିଛି ଦିନ ପରେ ନାତୁଣୀ ବୋହୁ ପୁରୀ ବୁଲିଯିବା କହି ମୋତେ ଆଣି ପୁରୀ ରେ ଛାଡ଼ିଦେଇ ଗଲା I ଏଇଠୁ ଆସୁଛି କହି ଗଲା ଯେ ଆଉ ଫେରିଲାନି I ଦି ଦିନ କାଳ ଅଖିଆ ଅପିଆ ବଡ ଦାଣ୍ଡ ରେ ପଡି ରହିଲି, ସେ ଦିନଠୁ ଭିକ ମାଗି ମାଗି ବୁଲୁଚି I ଭଗବାନ ମୋତେ ଶାସ୍ତି ଦେଇଛନ୍ତି I ଗାଁ ରେ ଥିଲା ବେଳେ ଯେଉଁ ଗର୍ବ ଥିଲା, ମୋ ଗର୍ବ ଭାଙ୍ଗି ଦେଇଛନ୍ତି I ଆଜି, ଯେଉଁ ଝିଅ କୁ ମୁଁ ମାରିବାକୁ ବସିଥିଲି, ସେ ହିଁ ମୋର ସେବା କରୁଛି I ଆଉ ଯେଉଁ ବୋହୁ ର ଏଇ ହାତରେ ଶ୍ରାଦ୍ଧ ଦେଇଥିଲି ତା ଓଳି ତଳେ ମୁଁ ଠିଆ ହେଇଛି I ବୁଢ଼ୀ ଆଖିରୁ ଅନୁତାପ ର ଲୁହ ବୋହି ଯାଉଥାଏ I ରୁକ୍ମୁଣୀ ଦେବୀଙ୍କୁ ଚାହିଁ, ହଜାରେ ଥର ହାତ ଯୋଡୁଥାଏ I
ରୁକ୍ମୁଣୀ ଦେବୀ ନିଜକୁ ସହଜ କରି ଶାଶୁଙ୍କ ପାଖରେ ଯାଇ ବସି ପଡିଲେ I ଲୁଗା କାନି ରେ ଲୁହ ପୋଛି ଦେଲେ ଆଉ ଯମୁନା କୁ ତାଙ୍କ ବଖରା ରେ ଆଉ ଗୋଟେ ଖଟ ପକେଇବାକୁ କହିଲେ I ମାମୁନି ବି ଦୌଡ଼ି ଆସି ମା ଆଉ ଜେଜେମା କୁ କୁଣ୍ଢେଇ ପକେଇଲା I
ରୁକ୍ମୁଣୀ ଦେବୀ ଲୁହ ଭିଜା ଆଖିରେ ବାହାରକୁ ଚାହିଁ ଦେଖିଲେ ଘର ଆଗ ସପ୍ତଫେଣି ଗଛରେ ଫୁଲ ଧରି ଆସୁଥିଲା I
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

ଚୋର ର ହୃଦୟ

ଚୋର ର ହୃଦୟ

ସୁବଳ ମହାପାତ୍ର

ବେଳ ରତ ରତ, ଟ୍ରେନ ଛାଡିବାକୁ ଆହୁରି ଦି ଘଣ୍ଟା ବାକି I ସମୟ ରାତି ୧୨ ଟା ବାଜି ୧୫ ମିନିଟ I ଗାଁ ର ଲେଖାଯୋଖା ଦାଦି ମକରାଦି ଠୁ ତାର (ଟେଲିଗ୍ରାମ) ପାଇ ଦିବ ଷ୍ଟେସନ ରେ ଠିଆ ହେଇ ଥାଏ Iଭଲ ନାଁ ଦେବଦତ୍ତ I ପରେ ଦେବ ରୁ ଏବେ ଦିବ ହେଇ ଯାଇଛି I ମନ ଘର ଧରି ଗଲାଣି I ସାଙ୍ଗରେ କେହି ନାହାନ୍ତି I ଏକା ଏକା ସୁରଟ ରୁ ତା’ଗାଁ ଆଠମଲ୍ଲିକ ର ଲାଉପାଳ I ଘରକୁ ଛୁଟିରେ ଗଲେ ସବୁ ସାଙ୍ଗହେଇ ଯାଆନ୍ତି I ଏଠି ସୁରଟ ରେ ଲୁଗାକଳ ରେ ସେ ସୁପର ଭାଇଜର I ଆଜି ଏକା ଏକା ଯିବାକୁ ପଡିବ I ମକରାଦି, ତାର ପଠେଇଛି “ବସିବାଠୁ ଉଠି ଆଇବୁ, ତ ଜେଜୀ ଦିହ ଭଲ ନେଇଁ” I ଦରମା ଆହୁରି ମିଳିନିI ମାସ ଶେଷ, ପଇସା ବି ଗୋଟେ ପାଖରେ ନାହିଁ I ଧାର ଉଧାର କରି ଟଙ୍କା ୨୦୦୦ ମୁଠେଇଚି I ଏକା ଏକା ଏତେବାଟ ଡର ଡର ଲାଗୁଚି I ମାସ ଦି ଟା ହେଇନି ଘରୁ ଆଇବାର I ମକରା, ସନିଆ, ପେଟୁ ସମିତେମନା କଲେ I କହିଲେ ତୁ ଯା, ଆମେ ଏବେ ଯିବୁନି I ଦଶରା ଆଡେ ଦେଖିବା I ସେପଟେ ଗାଁ ରେ ପହଁଚିଲା ବେଳକୁ ଜେଜୀ ଥିବ କି ନଥିବ I ବାହାରେ ରହୁଛି ବୋଲି ମତେ ଜଣେଇ ନଥିବେ, କେଜାଣି ଜେଜୀଅଛି କି ଆର ପାରିକୁ ପଳେଇଲାଣି I ବାପା ମା ମଲା ଦିନୁ ସେ ହିଁ ପାଳି ପୋଷି ମଣିଷ କରିଛି Iକେତେ କାହା ଘରେ ପାଇଟି କରି ଦି ପଇସା ଆଣେ I ସେଥିରେ ଦି

ପ୍ରାଣୀ ଚଳନ୍ତି I

ଆଜି ସେ ମଲା ବେଳକୁ ତା ମୁହଁ ରେ ପାଣି ଟିକେ ଦେବାକୁ ଦିବ ତା ପାଖରେ ନାହିଁ I ନାତୁଣୀ ବହୁ ଗେଲ୍ଲୀ ଜେଜୀ ର ଜୀବନ I ବର୍ଷେ ହେଲା ଘରକୁ ଆଇଚି I ଏକୁଟିଆ ମାଇକିନା କ’ଣ କରିବ? ମରଦପୁଅ ଘରୁ ଗୁଡ ନକାଢ଼ିଲେ ବି ନଚଳେ I ତିନି ପ୍ରାଣୀ ଚଳିବୁ କେମିତି I ଦି ସନ ହେଲା ଧୋଇ ଆଉ ମରୁଡି ଅଣ୍ଟା ଭାଙ୍ଗି ଦେଇଛି I ଏ ସନ ଖାଇବାକୁ ଧାନ କଣି ଗୋଟେ ବି ଘରେ ନଥିଲା I ଗାଁ ର କେତେ ନୁକଦାଦନ ଖଟି ଗଲେ I ଏଠି ମକରା ଆଉ ସନିଆ ଥିଲେ ବୋଲି ସିନା ସେ ପଳେଇ ଆସିଲା ନହଲେ ଗାଁ ରେ ଏତେ ବେଳକୁ କାହା ଠି ମୁଲିଆ କାମ କରିଥାନ୍ତା I ଛୁଟ ବେଳେ ପାଠ ମାଇନର ଯାଇ ପଢିଥିଲା ବୋଲି,ଏଠି ବାବୁ ତାକୁ ସୁପର ଭାଇଜର ରଖିଲା I ଭଲ ଦି ପଇସା ଦେଲା ବୋଲି ଚଳି ଯାଉଛି I ଓଭର ଟାଇମି କରି ଆଉ ଦି ପଇସା ବି ମିଳୁଛି ବୋଲି ଘରକୁ ପଠେଇ, ଖାଇ ପିଇ ତିନି ପ୍ରାଣୀ ବଞ୍ଚିଛନ୍ତି I ଜେଜୀ ଟା ବୁଢ଼ୀହେଇ ଗଲାଣି I ତାକୁ ଛାଡି ଆସିବାକୁ ଜମାରୁ ଇଚ୍ଛା ନଥିଲା ଦିବ ର I କିନ୍ତୁ ଦଇବ ଦୌଡ଼ି ମଣିଷ ଗାଈ,  ଯେଣିକି ଓଟାରେ ତେଣିକି ଯାଇ I ଗାଁ ଛାଡି ଦିବ ଆସି ଏଠି ସୁରଟ ରେ I ଭାବୁ ଭାବୁ ଦିବ କୁ ଯେ କେତେବେଳେ ନିଦ ଲାଗି ଯାଇଛି ସେ ଜାଣିନି I

ଟ୍ରେନ ହର୍ନ ଶୁଣି ତା ନିଦ ଭାଙ୍ଗିଲା I ଉଠିକି ଦେଖିଲା ଏବେ ଯାଏ ଟାଇମି ହେଇନି ଆହୁରି ଅଧ ଘଣ୍ଟେ ବାକି I ଜିନିଷ ଗୁଡା ଆଉ ଥରେ ସଜାଡି ଦେଲା I ହେଲେ ପର୍ସ ଟା ଗଲା କୁଆଡେ? ଏଇଠି ତ ସେପାକିଟି ରେ ରଖିକି ଶୁଇଥିଲା I ତା ମୁଣ୍ଡ ବାଇଆ ହେଇଗଲା I ଜିନିଷ ପତ୍ର ସବୁ କାଢି ଆଉ ଥରେ ଖୋଜି ପକେଇଲା I ହେଲେ ନାଁ କଉଠି ବି ନାହିଁ I ଗଲା କୁଆଡେ I ସନିଆ କେତେ ଥର କହିଥିଲା, ଚାଲେ ଆମେତତେ ଗାଡି ଚଢେଇ ଦେଇ ଆସିବୁ I କିନ୍ତୁ ସେ ମନା କଲା I ସନିଆ ର ସକାଳ ସିଫ୍ଟ I ରାତି ଯାକ ଅନିଦ୍ରା ରହିଲେ ସକାଳେ କାମ କରି ପାରିବନି I ଥାଉ I କେତେ ଥର ସେ କାନେ କାନେ କହିଥିଲା, ଟେ..ସନ ରେଚୁର ଖଣ୍ଟ ବୁଲୁଯିତି I ଦେଖିକି ଯିବୁ I ବାଟ ରେ ହୁସିଆର ଥିବୁ I ଜିନିଷ ଛାଡି କୁଆଡେ ବି ଯିବୁନି I ନହେଲେ ଆଇଲା ବେଳକୁ କିଛି ନଥିବ I ସେ ବି ତ ହୁସିଆର ଥିଲା I ଝୁଲା ଟା ତ ହାତରେ ଧରି କି ଶୁଇଥିଲା Iସେ କଣ ଶୁଇଥିଲା ନା କ’ଣ I ଭାବୁ ଭାବୁ ଆଖି ଟିକେ ଲାଗି ଯାଇଛି I ହେଲେ ପର୍ସ ଟା ଗଲା କୁଆଡେ I ପାକିଟି ରେ ହାତ ଭର୍ତି କରି ଆଉ ଥରେ ଅଣ୍ଡାଳିଲା I ଏଁ, ଏ କ’ଣ ପାକିଟି କଣା I କିଏ ଗୋଟେ ବ୍ଲେଡ ରେକାଟି ଦେଇଛି I ତା ର ତାହେଲେ ପକେଟମାର ହେଇ ଯାଇଛି I ସେ କାନ୍ଦ କାନ୍ଦ ହେଇ ଗଲା I କଣ କରିବ, ଏପଟେ ଜେଜୀ ର ଏ ଅବସ୍ଥା, ମାସ ଶେଷ ବେଳକୁ ଧାର କରି ଟଙ୍କା ୨୦୦୦ ମିଳିଥିଲା I କଣ କରିବ?ଦିବ ମୁଣ୍ଡ କଣ ହେଇ ଗଲା I ମୁଣ୍ଡ ବୁଲେଇବାରୁ ପଡିଲା ପଡିଲା ହେଇ ତଳେ ବସି ପଡିଲା I ଚାରି ପଟ ଅନ୍ଧାର ଦେଖା ଯାଉଥାଏ I ବାନ୍ତି ବାନ୍ତି ଲାଗୁଥାଏ I କାନ୍ଦ କାନ୍ଦ ହେଇ ଆଖିରୁ ଲୁହ ପୋଛିଲା I ଚାରି ଆଡକୁଚାହିଁଲା I କେତେ ଲୋକ ଯିବା ଆସିବା କରୁଥାନ୍ତି, କିଛି ଲୋକ ୟାକୁ ଦେଖିକି ପଳେଇ ଯାଉଥାନ୍ତି I ସମସ୍ତେ ନିଜ ନିଜ ବାଟେ ବ୍ୟସ୍ତ I ସେ ମୁଣ୍ଡରେ ହାତ ଦେଇ ବସି ପଡିଲା I ଏପଟେ ଟ୍ରେନ ଆସିବାର ସୂଚନାମାଇକି ରେ ଡାକୁ ଥାଏ I ଲୋକ ହାଉଯାଉ I କିଏ କେତେ ପାଟି କରୁଥାନ୍ତି I ହୋ ହୋ ଘୋ ଘୋ ଶୁଭୁଥାଏ I କିନ୍ତୁ ଦିବ ର ଆଖି କାନ ସବୁ ବନ୍ଦ ହେଇ ଯାଇଥାଏ I ତାକୁ କିଛି ଦେଖା ଯାଉ ନଥାଏ କିଛି ଶୁଭୁ ନଥାଏI ଆକାଶ ଟା ଖଣ୍ଡ ଖଣ୍ଡ ହୋଇ ତା ମୁଣ୍ଡରେ ଛିଡି ପଡିଲା ପରି ଲାଗୁଥାଏ I ଆଖିରେ ଜୁଳୁଜୁଳିଆ ବୁଲୁ ଥାନ୍ତି I ଗାଁ କୁ ଯିବ କି ଫେରି ଯିବ ଭାବୁ ଥାଏ I ବୁଦ୍ଧି ସୁଦ୍ଧି ହଜି ଗଲାଣି ତା’ର I କ’ଣ କରିବ ଏବେ? ପଇସାନଥିଲେ କଣ କରିବ? ନ ଖାଇ କି ସିନା ପଳେଇବ କିନ୍ତୁ ଟ୍ରେନ ର ଟିକଟ? ସେଟା ବି ତ ପର୍ସ ରେ ଥିଲା I ଆଖିରୁ ଧାର ଧାର ଲୁହ ବୋହି ଯାଉ ଥାଏ I ମନ ମାରି ହା ହତାଶ ଆଖିରେ ସମସ୍ତଙ୍କୁ ଦେଖୁ ଥାଏ କିନ୍ତୁକିଏ ବା କେମିତି ଜାଣିବ ୟା ଅବସ୍ଥା I

ଏତିକି ବେଳେ ଗୋଟେ ୧୨-୧୪ ବର୍ଷ ର ପିଲା ଧାଇଁ ଧାଇଁ ଆସିଲା ଆଉ ଗୋଟେ ଜରିବଂଧା ପୁଡିଆ ତା ଉପରକୁ ଫିଙ୍ଗି ଦେଇ ଭିଡ ଭିତରେ କୁଆଡେ ହଜି ଗଲା I କ’ଣ ଗୋଟେ ଘଟିଗଲା ଦିବ କିଛି ବୁଝିପାରିଲା ନାହିଁ I ପୁଡିଆ ଖୋଲି ଦେଖିଲା ପରେ ତା ଆଖି ଉଜ୍ୱଳ ହୋଇ ଉଠିଲା I ପୁଡିଆ ଭିତରେ ତା ପର୍ସ ? ସେ ପୁଡିଆ ଖୋଲି ପର୍ସ ଅଣ୍ଡାଳି ପକେଇଲା I ପର୍ସ ରେ ତା ଟ୍ରେନ ଟିକେଟ, ୨୦୦୦ ଟଙ୍କା ସହଗୋଟେ ଚିଠି I ଚିଠି ଟା ଟିକେ ମୋଟା ମୋଟା ଲାଗୁଥାଏ I ସେ ଚିଠି ଖୋଲିଲା I କିନ୍ତୁ ଏ କ’ଣ? ଚିଠି ଭିତରେ ୫୦୦୦ ଟଙ୍କା? ସେପଟେ ପ୍ଲାଟଫର୍ମ ରେ ଟ୍ରେନ ଛାଡିବ ଛାଡିବ ହେଉଥାଏ I ସେ ଆଉ ଡେରି ନକରିଦୌଡ଼ି ଦୌଡ଼ି ଟ୍ରେନ ରେ ଚଢ଼ିଗଲା ଆଉ ତା ସଂରକ୍ଷିତ ଜାଗା ରେ ବସି ପଡିଲା I ଆସ୍ତେ ଆସ୍ତେ ଟ୍ରେନ ଷ୍ଟେସନ ଛାଡି ଆଗକୁ ବଢ଼ିଲା I ତା ପାଟିରୁ କଥା ବାହାରୁ ନଥାଏ I ସିନେମା ପରି କଣ ସବୁ ଘଟି ଗଲା, ତାଆଖି ଆଗରେ ଗୋଟି ଗୋଟି କରି ସବୁ ଜଳ ଜଳ ଦିଶି ଯାଉଥାଏ I ଏବେ ସେ ଚିଠିଟା କାଢି ପଢିବାକୁ ଲାଗିଲା I ଚିଠିରେ ଲେଖାଥିଲା I

ଭାଇ,

“ମୁଁ ଚୋର, ତମଠୁ ଚୋରି କରିବା ବହୁତ ସହଜ ଥିଲା I ତମ ପର୍ସ ରୁ ୨୦୦୦ ଟଙ୍କା ପାଇଥିଲି I ପର୍ସ ଆଉ ବାକି ଜିନିଷ ଫିଙ୍ଗିବାକୁ ଗଲା ବେଳେ ଟେଲିଗ୍ରାମ ଟା ଦେଖିଲି I ଜେଜେଙ୍କ ଦେହ ଖରାପ Iଲୋକ ମରି ସାରିଲା ପରେ ଅବା ଅଧିକା ସିରିଏସ ଥିଲେ ହିଁ  ଟେଲିଗ୍ରାମ ଆସେ I ଏମିତି ଗୋଟେ ଟେଲିଗ୍ରାମ ଆସିଥିଲା ମୋ ଘରୁ ୧୨ ବର୍ଷ ତଳେ I କିନ୍ତୁ ଷ୍ଟେସନ ରେ ମୋର ସବୁ ଜିନିଷ ସହ ପଇସା ବ୍ୟାଗବି ଅନ୍ୟ ଟ୍ରେନ ରେ ରହିଗଲା I ଆଉ ମୁଁ ଘରକୁ ଯିବାରେ ଡେରି ହେଇଗଲା I ଗାଁ ରେ ପହଁଚିଲା ବେଳକୁ ମୋ ମା ତିନି ଦିନ ଆଗରୁ ମରି ସାରିଥିଲା I ମୁଁ, ମୋ ମା ର ମଲା ମୁହଁ ବି ଦେଖି ପାରିନି ଆଉ ପଇସାନଥିବାରୁ ତା’ର ଶ୍ରାଦ୍ଧ ବି କରି ପାରି ନଥିଲି I ମୁଁ ବହୁତ ଜଣଙ୍କ ପାଖରୁ ଚୋରି କରିଛି କିନ୍ତୁ ଆଜି ଏ ଟେଲିଗ୍ରାମ ଦେଖିଲା ପରେ ମୋର ପଛ କଥା ସବୁ ମନେ ପଡିଗଲା I ତୁମର ୨୦୦୦ ଟଙ୍କା ସହ ମୋର୫୦୦୦ ଟଙ୍କା ପଠାଉଛି I ଏଇ ଟା ମୋ ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି I ଆଜିଠୁ ଚୋରି ଛାଡି ଭଲ କାମ କରିବାକୁ ଚେଷ୍ଟା କରିବି I ମୋ ଆଖି ଖୋଲିଦେଇ ଥିବାରୁ ଧନ୍ୟବାଦ ”  I

ଇତି…

ଦିବ ର ଆଖି ପୁଣି ଥରେ ଛଳ ଛଳ ହୋଇ ଆସିଲା I

–X–

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ

ମଦ ରାକ୍ଷସ …

ମଦ ରାକ୍ଷସ …

ସୁବଳ ମହାପାତ୍ର

 ଆଜି ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ କେବଳ ବିଦେଶୀ ଭାବରେ ଚିତ୍ରିତ କରା ଯାଉଛି ତା ନୁହଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ଏକ ଟଙ୍କା ମେସିନ ବୋଲି ଭାବୁଛନ୍ତି। ମଦ କେତେଯେ ଲୋକଙ୍କୁ କବଳିତ କରିଛି ଏହା ନିଜେ ନ ଦେଖିଲେ ଜାଣି ହେବନି। ଅଷ୍ଟମ , ନବମ ରେ ପଢ଼ୁଥିବା ପିଲା , ବୟସ 14/15 ଭିତରେ, ସେମାନେ ବି ମଦ ପିଇବା ଆରମ୍ଭ କଲେଣି। ଯୁଆଡେ ଯାଅ”ଭାଇନା , 100 ଦଉନ” ଶୁଣି ଶୁଣି ନିଜ ଉପରେ ଘୃଣା ଆସୁଛି। ଦୋକାନ , ବଜାର, ଚିହ୍ନ।, ଜଣା, ବନ୍ଧୁ , ବାନ୍ଧବ, ପାଖ ପଡୋଶୀ ଙ୍କ ବ୍ୟବହାର ଆଶ୍ଚର୍ଯ୍ୟ ଜନକ, କେବଳ 100 ଟଙ୍କା ପାଇଁ। 100 ଟଙ୍କାପାଇଲେ ଆଉ କିଛି ମିଶେଇ ଏ ଓଳି ର ମଦ ଖର୍ଚ ବାହାରି ଯିବ। ପୁରୁଣା ସାଙ୍ଗ ମାନଙ୍କୁ ଦେଖି ଖୁସି ହେବା ବଦଳରେ ଆଗ ଶୁଣିବାକୁ ପଡୁଛି “ମଗା ଗୋଟେ ଛୋଟିଆ ଟେ”, ତା ପରେ ଗପିବା। କି ହୀନବୁଦ୍ଧି।

ଆମ ପୂର୍ବ ପୁରୁଷ ବିର ଥିଲେ। ଏ ଜାତି ବିର ଥିଲା। ଆତ୍ମସମ୍ମାନ ପାଇଁ ଜୀବନ କୁ ବାଜି ଲାଗେଇଥିଲା ଏ ଓଡ଼ିଆ ଜାତି। ଆଜି? ମଦ ଭିକାରି ର ଜାତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଘରେ ସ୍ତ୍ରୀ ଚିରାଲୁଗା ଖଣ୍ଡେ ପିନ୍ଧି ଲଜ୍ୟା ନିବାରଣ କୁ ଅକ୍ଷମ ଥିବା ବେଳେ , ସ୍ବାମୀ ହଜାର ହଜାର ଟଙ୍କା ପିଇବାରେ ଖର୍ଚ କରୁଛି। ମଦ ଜୁଆ , ଆଜି ଗରିବ, ଧନୀ, ସ୍କୁଲ, କଲେଜ ଠୁ ଆରମ୍ଭ କରି ଇଞ୍ଜିନିଅରିଂ ପିଲାଙ୍କୁକବଳିତ କରି ରଖିଛି। କେତେ ଯେ ଚୋରି , ଡକାୟତି, ଲୁଟ, ଚେନ ଛୀନତାଇ ପରି ଘଟଣା ଆଜି ନିତିଦିନିଆ। କାହାର ବି ଚିନ୍ତା ନାହିଁ। ଗୋଟିଏ ଘଟଣା ବାରମ୍ବାର ଘଟିଲେ ଦେହସୁହା ହେବାପରି, ଆଜି ଏସବୁ ଜିନିଷ ସବୁ ଦେହସୁହା। ସରକାର କରୁଛି କହି ଚୁପ ରେ ବସି ଯାଉଛନ୍ତି। ଭଗବାନ, ଚକାଡୋଳା ଭରସା କହି ଚୁପ।

ଉଠ ଉଠ ଆରେ ଉତ୍କଳ ସନ୍ତାନ,

ଉଠିବୁ ତୁ ଆଉ କେତେ ଦିନେ।

ପୂରୁବ ଗୌରବ ପୂରୁବ ମହିମା,

ପଡୁନାହିଁ କିରେ ତୋର ମନେ।

ହୋସ ରେ ଥିଲେ ସିନା ମନେ ପଡିବ? ଆଜି ସମସ୍ତେ ମଦ ପିଇ ନିଶାରେ, କିଏ ମନେ ପକେଇବ ଓ କାହିଁକି?

ଜନ୍ମ ହେଉ ହେଉ ଆଜି ପିଲା ପଇସା ରୋଜଗାର କରୁଛି । 6000 ଟଙ୍କା ସରକାର ଦେଉଛି। ଖାଇବା ପାଇଁ  ଟଂକାକିଆ ଚାଉଳ,ସ୍କୁଲ ରେ ସାଇକେଲ, laptop, ମଧ୍ୟ।ନ୍ନ ଭୋଜନ, ଇନ୍ଦିରା ଆବାସ,ବେକାରୀ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ରୁ ଆରମ୍ଭ କରି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଯାଏ, ସବୁ ସରକାର ଦେଉଛି। କାମ କରିବା କଣ ଦର୍କାର। ମଦ ପଇସା ଆଜି ୟାଠୁ, କାଲି ତାଠୁ ହେଲେ ହେଲା। କିଛିନହେଲେ, ବାପା ମାଙ୍କୁ ବାଡ଼େଇଲେ ସେମାନେ ଦେବେ। ଜାତି ଆଜି ହୀନବୀର୍ଯ୍ୟ, ଅକର୍ମଣ୍ୟ ହୋଇ ସାରିଛି।

ଚାଷୀ କଣ ପାଇଁ ଚାଷ କରିବ? ଟୋକା ମାନେ ଏତେ ସୁବିଧା ପାଇଲା ପରେ ଚାଷ କୁ ନା କହି ମଦ ର କବଳରେ। ମିଛରେ ଧୋଇ, ମରୁଡି ରେ ଫସଲ ନଷ୍ଟ ବୋଲି କହି ଋଣ ଛାଡ ର ଫାଇଦାହାତଉଛନ୍ତି। ବୟସ୍କ ଚାଷୀ ନା ଉଚିତ ପାରିଶ୍ରମିକ ପାଉଛି ନା ଭଲ ବିହନ। ଯଦି ଅବା ଫସଲ ଭଲ ହେଲା, ଦି ପଇସା ହାତକୁ ଆସିଲେ, ଭେଣ୍ଡିଆ ପୁଅ ଡରେଇ , ଧମକେଇ ନେଇ ମଦ ପିଇବ। କିଦୁର୍ବୁଦ୍ଧି!!

ଲାଞ୍ଚ, ମିଛ ରେ ଏ ଜାତି ଆଜି ଭରପୁର। କିଛି କରିବାକୁ, କହିବାକୁ ଚାହିଁଲେ ବି ଚାରିପଟୁ ଲୋକ ମାଡି ଆସୁଛନ୍ତି ଶତ୍ରୁ ଭାବି। ଏ ଜାଗାରେ, ଆପେ ବଂଚିଲେ ବାପା ର ନାଁ ନ୍ୟାୟ ରେ ଖସି ଯିବାହିଁବୁଦ୍ଧିମାନ ର କାମ ପରି ଲାଗୁଛି।

ତେବେ ବେଳେ ବେଳେ ଘରର ମାଇକିନା ମାନେ ହାତରେ ଠେଙ୍ଗା ଧରି ମଦ ଦୋକାନ ଭାଙ୍ଗିବାର ଭଲ ଖବର ବି ଆସୁଛି। କିନ୍ତୁ ଯେଉଁଠି ସରକାର ଚାହୁଁନି, ସେଠି ଗୁଣ୍ଡୁଚି ମୂଷା ଯେତେ ବାଲିପକେଇଲେ କଣ ଗୋଟେ ପୋଲ ତିଆରି ହୋଇପାରିବ ଶ୍ରୀଲଙ୍କା ଯାଏ? ବୋଧହୁଏ ନାଁ।

ସବୁଦିନ ମଦ ପିଇ ଘରକୁ ଫେରୁଥିବା ସାଙ୍ଗ ମାନଙ୍କୁ ଦେଖି  ହୃଦୟ କାନ୍ଦେ।

କହିଲେ, ଯୁକ୍ତି ହୁଏ।

ଗାଲୁ ରେ ପେଟ ପୁରେ।

ପକେଟ ରୁ ଅନିଚ୍ଛା ସତ୍ତ୍ୱେ 100 ଯାଏ।

ନଦେଲେ ଗାଳି ମିଳେ।

ସୁଣ୍ଠା ର ଉପାଧି ମିଳେ।

ଆଉ କିଛି ସମୟ ପରେ…

ସେମାନେ ଟାଙ୍କି ଫୁଲ କରି,

ଆଖି ଲାଲ କରି,

ବୋଲ ମାନୁ ନଥିବା ଗୋଡ ଗୁଡିକୁ

ଘୋଷାରି ଘୋଷାରି,

ଅସଭ୍ୟ ଭାଷା ରେ କହୁଥିବା କଥା ଗୁଡିକ

କାନ ରେ ବାଜେ।

ସେଥିରେ ତୁମ ପ୍ରତି ଥିବା ଦୋଅଖିରି ତିନି ଅଖିରି ଗୁଡିକ ଶୁଣି ନିଜ ପ୍ରତି ଘୃଣା ଆସେ।

ରାସ୍ତା ରେ ଯାଉଥିବା ଗାଡି ଆଗରେ ଠିଆ ହୋଇଯିବାପାଇଁ ମନ କହେ।

ପୁଣି , କିଛି ସମୟ ପରେ,

ନାଳ ଉପରେ ପଡିଥିବା ସାଙ୍ଗଟିକୁ ଦେଖି ଅଟକି ଯାଏ,

ମୁହଁ ଉପରେ ମାଛି ଭଣ ଭଣ,

ପେଣ୍ଟ ର ବୋତାମ ଖୋଲା,

ସାର୍ଟ ପଛ କାଦୁଅ ରେ ଭର୍ତି ,

ଆଉ ପାଟିରୁ ଗଁ ଗଁ ଶବ୍ଦ ଶୁଣି ପଛକୁ ଚାହେଁ।

ଫେରିଯାଏ ସ୍କୁଲ ଜୀବନକୁ।

ଏଇ ପିଲା, ଦିନେ ପ୍ଲାକାର୍ଡ ଧରି ରାସ୍ତା ଉପରେ ଚାଲିଥିଲା ,

ମଦ ବିରୋଧ ରେ ସ୍ଲୋଗାନ ଦେଇ …

—-X—-

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ଝିଅ

ଝିଅ 
ସୁବଳ ମହାପାତ୍ର

ପଟେଲ ବାବୁ, ଗୋଟେ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ କାର୍ଯ୍ୟରତ I ବୟସ ପାଖାପାଖି ୫୦ I ସକାଳ ୧୦ ରୁ ସନ୍ଧ୍ୟା ୭ ଅଫିସ ରେ କଟେ I ସବୁଦିନ ସକାଳୁ ସେ ଅଫିସ ଯିବା ବେଳେ ଦେଖନ୍ତି ଜଣେ ବୃଦ୍ଧ, ଗୋଟେ ଛୋଟ ଝିଅ କୁ ସ୍କୁଲ ଡ୍ରେସ ପିନ୍ଧାଇ ମୁଣ୍ଡ କୁଣ୍ଡାଇ ଦେଉଥାନ୍ତି I ଏହା ସବୁ ଦିନିଆଁ ଘଟଣା I  ଘରଟି ରାସ୍ତା ରୁ ଟିକେ ଦୂର ଗୋଟେ ନାଳ କଡରେ I ଝିଅଟି ଦେଖିବାକୁ ବହୁତ ସୁନ୍ଦର I ଅଫିସ ଯିବା ବାଟରେ ତାକୁ ଥରେ ନ ଦେଖିଲେ ପଟେଲ ବାବୁଙ୍କୁ ଭଲ ଲାଗେନି I ଆହୁରି ବି ଝିଅଟି ଏତେ ସୁନ୍ଦର ଯେ ତା ଠୁ ଆଖି ଫେରେଇ ପାରନ୍ତିନି ପଟେଲ ବାବୁ I ପଟେଲ ବାବୁଙ୍କର ଦୁଇ ପୁଅ I ବହୁତ ଆଶା ଥିଲା ଝିଅ ଟିଏ ପାଇଁ I କିନ୍ତୁ ଆମେ ଦୁଇ ଆମର ଦୁଇ କଥାରେ ଦୁଇ ଟି ଯାକ ପୁଅ I ସବୁବେଳେ ସେଥିପାଇଁ ତାଙ୍କ ମନ ଦୁଃଖ I ଭାବନ୍ତି ମୋର ଏମିତି ଗୋଟେ ଝିଅ ଥାଆନ୍ତା କି?
ଝିଅଟି ପ୍ରତି ମାୟା ଲାଗି ଯାଇଥିଲା ତାଙ୍କର। ଖବର ନେଇ ଜାଣିଲେ ତାଙ୍କ ଡ୍ରାଇଭର ର ପୁଅ ସହ ଝିଅଟି ପଢେ। ଶ୍ରେଣୀ ରେ ପ୍ରଥମ ହୁଏ। ଖେଳ କୁଦ ରେ ବି ସେ ଆଗୁଆ। ଦିନେ ଦିନେ ତାଙ୍କ ଘରେ ଖାଇବାକୁ ନଥାଏ। ବିଚାରି ନଖାଇ ନ ପିଇ ସ୍କୁଲ କୁ ଆସେ। ସନ୍ଧ୍ୟା ରେ ଘରକୁ ଫେରିଲା ପରେ ଖାଏ।

ସେଦିନ ଅଫିସ ଯାଉ ଯାଉ ଠିକ ସେଇ ଘର ଆଗରେ ଗାଡି ପଙ୍କଚର ହେଲା I ଡ୍ରାଇଭର ଗାଡି ସଜାଡ଼ିବାକୁ ୨୦ ମିନିଟି ଲାଗିବ ବୋଲି କହି ଚକ ବଦଳେଇବାରେ ମନ ଦେଲା I ସେଦିନ ବୋଧେ ସ୍କୁଲ ଛୁଟି ଥାଏ I ଝିଅଟି ମଇଳା କଣ୍ଢେଇଟିଏ ଧରି ଖେଳୁ ଥାଏ I କଣ ମନ ହେଲା ସେ ଗାଡି ରୁ ଓ଼ଲ୍ଳେହି ଝିଅ ଟି ପାଖକୁ ଯାଇ ତା ନାଁ ପଚାରିଲେ I
ବାବୁ:- ତୋ ନାଁ କଣ ?
ଝିଅ:- (ଟିକେ ଡରି ଯାଇ) ରୀନା I
ବାବୁ:-ତମ ଘରେ ଆଉ କିଏ କିଏ ସବୁ ଅଛନ୍ତି ?
ରୀନା:-ଜେଜେ
ବାବୁ:- ଆଉ ?
ରୀନା:- ଆଉ କିଏ ନାହିଁ I
ବାବୁ:- ଜେଜେ କୁଆଡେ ଗଲେ ? (ପଟେଲ ବାବୁଙ୍କୁ ଆଉ ଟିକେ ତା ବିଷୟରେ ଜାଣିବାକୁ ଇଛା ହେଲା I )
ରୀନା:- ଭାତ ରାନ୍ଧୁଜି I
ବାବୁ:- ଡାକିଲୁ ଟିକେ I
ରୀନା:- ଏ ଜେଜେ , ତତେ କିଏ ଡ଼ାକୁଜି I ତୁଇ ଆ ବେଗେ (କହି କହି ଘର ଭିତରକୁ ପଳେଇଲା) I
ତା ଜେଜେ ହାତ ଧୋଇ ଗାମୁଛା ରେ ପୋଛି ଦାଣ୍ଡ ପଟକୁ ଆସିଲା ପରେ ପଟେଲ ବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା I
ବାବୁ:-ତମେ ତା ଜେଜେବାପା?
ଜେଜେ:- ଆଇଜ୍ଞା I
ବାବୁ:- ତା ବାପା?
ଜେଜେ:- ନାଇଁ ଆଇଜ୍ଞା, ୩ ବର୍ଷ ତଳୁ ମରି ସାରିଛି I
ବାବୁ:- ଆଉ ସବୁ, ତା ମା ? ଜେଜେମା ?
ଜେଜେ:- ଆଇଜ୍ଞା ସେ ବହୁତ କଥା I କିନ୍ତୁ ତେମେ କିଏ ? ଏତେଗୁରା କିଆଁ ପଚାରୁଜ ? କିରା ହେଇଜି, ଆଗ କହୁନ I
ବାବୁ:- ନା, ନା I ସେମିତି କିଛି ନୁହଁ I ମୁଁ ସବୁବେଳେ ଏଇପଟେ ଅଫିସ ଯାଏ I ଦେଖେ ତମେ ତାକୁ ମୁଣ୍ଡ କୁଣ୍ଡେଇ ସ୍କୁଲ ଡ୍ରେସ ପିନ୍ଧେଇ ଦିଅ I ଆଜି ଗାଡି ର ଚକ ପଙ୍କଚର ହେଇ ଯାଇଛି ଆଉ ଡ୍ରାଇଭର ଗାଡି ଠିକ କରୁଛି ତ , ସେଥିପାଇଁ ଟିକେ କଥା ହେବାକୁ ଚାଲି ଆସିଲି I କିଛି ଖରାପ ଭାବନ୍ତୁ ନାହିଁ I
ଜେଜେ:- ଓଃ.. ହେକଥା କହୁନ I ଏ ରୀନା, ହେ ହେଂସ ଟା ଘିନି ଆଇଲୁ I ବାବୁ ଟିକେ ବଇ ପଡତୁ (ବସି ପଡନ୍ତୁ)   କହି , ନିଜେ କାନ୍ଧରେ ଥିବା ଗାମୁଛା ଟିକୁ ମାଟି ପିଣ୍ଡା ଉପରେ ଦି ଥର ବାଡେଇ ଦେଇ ବସି ପଡିଲା I ରୀନା ଛିଣ୍ଡା ହେଂସ ଖଣ୍ଡେ ଆଣି ତା ଫ୍ରକ ରେ ପୋଛି ବାବୁଙ୍କ ବସିବା ପାଇଁ ଜାଗା କରି ଦେଲା I
ବୁଢାର ବୟସ ପାଖାପାଖି ୬୦ ଛୁଇଁଲାଣି I କିନ୍ତୁ ହାତ ର ଜୋର ଅଛି I ପଟେଲ ବାବୁ ଝିଅ ଟିକୁ ପାଖରେ ବସିବାକୁ କହିଲେ କିନ୍ତୁ ସେ ଜେଜେ ପଛପଟେ ଯାଇ ଲୁଚି କି ବସିଲା I ପଟେଲ ବାବୁ ପଚାରିଲେ …
ବାବୁ:-ରୀନା ର ବୟସ କେତେ ହେବ ?
ଜେଜେ:- ୯ ବର୍ଷ I
ବାବୁ:-କେଉଁ ସ୍କୁଲ ରେ ପଢୁଛି?
ଜେଜେ:- ଏଇ ସରକାରୀ ଇସକୁଲୁ ରେ I ତୁରୁତୀୟ (ତୃତୀୟ) I
ବାବୁ:-ଆଛା, ତା ବାପା ମା ? କଣ ହେଇଥିଲା ?
ଜେଜେ ଟିକେ ଚୁପ ହୋଇ ଗଲେ, ଆଖି କୋଣ ରେ ଲୁହ ଜକେଇ ଆସିଲା I ସେ କହିବାକୁ ଆରମ୍ଭ କଲେ …
          ଆମର ଚାଷୀ ଘର ଆଇଜ୍ଞା I ଗୁଟିଏ ବୋଲି ପୁଅ I ପାଠ ପଢିଲାନି । ସଦାବେଳେ ଖାଲି ଖେଚଡ (ବାଳୁଙ୍ଗାମି) ହୁଏ I ପାଞ୍ଚଟା ଶେଣୀ ପରେ ଆଉ ଇସକୁଲୁ ଗଲାନି I ମଦପାଣି ପି ଖାଲି ତାସ ଖେଳେ I ବଡ ହେଲାରୁ ତାକୁ ବାହା କରେଇ ଦେଲି I ଭାବିଥିଲି ବାହା ହେଲେ କାଳେ ଟିକେ ବଦଳିବ I କିନ୍ତୁ ନାଇଁ ଜଉଟା କୁ ସେଇଟା I ବହୁତୁ ଗୁଣିଆଁ, ରାଉଳିଆ କଲି ଆଇଜ୍ଞା, କିଛି ହେଲାନି I କେହି ଜଣେ ହେଲେ ତା ମଦ ଛଡେଇ ପାଇଲେନି I ଦିନେ ଗୁଟେ ବାବା ଆଇଧିଲା, ତା ସହ ଦିନାକେତେ ସେ ବୁଲିଲା I ଆସ୍ତେ ଆସ୍ତେ ତା ମଦ ଛାଡି ଛାଡି ଆଇଲା I ଆଗରୁ ଦିନକୁ ୩ ଥର ପିଏ I ସବୁବେଳେ ଟୁଳୁ ଟୁଳୁ ହଉଥିଲା I ଆସ୍ତେ ଆସ୍ତେ ଭଲ ଆଡକୁ ଆଇଲା I ବାବାକୁ ମୁଁଇଁ ଲକ୍ଷେ ମୁଣ୍ଡିଆ ମାରିଚି ଆଇଜ୍ଞା I ହାଉଲେ ହାଉଲେ ସେ ଟିକେ ନିକ (ଭଲ) ଆଡିକୁ ଆଇଲା I ଚାଷ ବାସ ଦେଖିଲା I ମୁଇଁ ଆଇଜ୍ଞା ଟିକେ ନିଶାସ ମାଇଲି I ଯାହା ହଉ ସେ ଭଲ ହେଇଗଲା I ନିଶାପାଣି ଛାଡି ଆଇଜ୍ଞା ସେ ବିଲ ଧଇଲା I ଆମ ବିଲ ସହ ସାହୁକାର ବିଲ ବି ଧଇଲା I ସେଦିନ ଆଇଜ୍ଞା ଧାନ ଗାଡି ଧରି ଯାଇଧିଲା ମଣ୍ଡି କୁ I ସେଠି ସରକାର କୁଆଡେ ଧାନ କିଣେ I ବହୁତ କମ ପଇସା ଦଉଜି ବୁଲି ସବୁ କୁଆଡେ ହରତାଳ କଲେ I ଗାଡିକ ଯାକ ଧାନ ବିଂଛି ଦେଲେ I ମୁଣ୍ଡରେ ଆଇଜ୍ଞା ହାତ ଦେଇ ଘରକୁ ଆଇଲା I କାହାଠୁ କେତେ ଧାର ଉଧାର କରି ଥିଲା I ତାକୁ କିଇନ୍ଧି ଶୁଝିବ ବୁଲି ଚିନ୍ତା ରେ ଆଇଜ୍ଞା ଦଉଡି ଦେଇ ଦେଲା I
କହିସାରି ଜେଜେ ମଇଳା ହୋଇ ଯାଇଥିବା ଗାମୁଛା ରେ ଆଖିରୁ ଲୁହ ପୋଛିଲେ I ପୁଣି କହିଲେ…
ଉଧାରିଆ ଵାଲା ସବୁ ଆସି ଦାଣ୍ଡ ଆଗରେ ଠିଆ I ପୁଅ ତ ଆଇଜ୍ଞା ମଲା , ଜମିବାଡ଼ି ତକ ଯାହା ଥିଲା ସେ ବି ଗଲା I ଚିନ୍ତା ରେ ୟା ଜେଜୀ ର ମୂର୍ଦ୍ଧନା ଫାଟିଗଲା (ହାର୍ଟ ଆଟାକ) ଆଇଜ୍ଞା I ରାତିରେ ଶୋଇଲା ଯେ ଆଉ ସକାଳକୁ ନାହିଁ I ଯୁଡେ ଯୁଡେ ନିମନ୍ତ ଚଳେଇ ପାଇଲିନି ଆଇଜ୍ଞା I ୟା ଜେଜୀ କୁ ମସାଣି ରେ ପୁଡ଼ି, ଏ ମା ଝିଅଙ୍କୁ ଧରି ସିଧା ସିଧା ସହର ରାସ୍ତା ଧଇଲି I ଗାଁ ରେ କଣ ଆଉ ଥିଲା ଯେ ରହି ଧାଇତି ? ହେପଟେ ନିମନ୍ତ ନ କରି ସାଇଭାଇ କଉ ରଖେଇ ଦେବେ ? ପଇସା କଉଢ଼େ (କେଉଁଠି) ଥିଲା ଯେ ଖରଚ କରି ଧାଇତି (ଥାଆନ୍ତି) I
ଟାଉନୁ କୁ ଆଇଲା ପରେ ଜାଣିଲି ଆଇଜ୍ଞା , ଏ ଟା କେଡେ ମାରାତ୍ମକ I ଦୁରୁରୁ ସୁନ୍ଦର ଆଇଜ୍ଞା , ପାଖରେ ହଳାହଳ I ଏଠି ଆସି କୁଡ଼ିଆ ଟିଏ କଲି I ୟା ମା ଆଉ ମୁଁଇଁ ମୂଲ ଲାଗିଲୁ I ଯାହା ଦି ପଇସା ଆସେ I ଏ ସହର ନୁକରା (ଲୋକ ଗୁଡା) ଭଲନି I ସବୁ ଶଳେ ଗାଁ ରୁ ଆଇଜିତି (ଆସିଛନ୍ତି) କିନ୍ତୁ ଏଠି ସବୁ ବାବୁ ଆଇଜ୍ଞା I ଦୂରୁ ଦୂରୁ କରୁଜିତି (କରୁଛନ୍ତି) I ଆମେ ଆଇଜ୍ଞା ଖଟିଖିଆ ନୁକ (ଲୋକ) I ଦାଣ୍ଡ ରୁ ଆଇଲେ ହାଣ୍ଡିରେ ପଇବ I କଣ ଆଉ କରି ଧାଇତୁ ? ଏଠି ନାଁ ବିଲ ଅଛି ନାଁ ଚାଷ I ଦିହ (ଶରୀର) ରେ ନୁଗା ଚିରିଲେ ଆଇଜ୍ଞା ବିଲରେ ଫସଲ ନହରୀ ଭାଙ୍ଗେ I ଏ ନୁକ ସବୁ କହିତି (କୁହନ୍ତି) ଆମ ଦିହ କୁଆଡେ ଝାଳୁଆ ଝାଳୁଆ ଗନ୍ଧେ I ଶଳେ ଆମେ ଚାଷ ନକଲେ ତମେ ଖାଇବାକୁ ପାଇବ ? ଯଉଠି ଜରି କୁଡ଼ିଆ କରିଥିଲି ଆଇଜ୍ଞା, ସେଠି ବି ବଟି ନେଇତି (ନିଅନ୍ତି)I ଦିନେ ଆଇଜ୍ଞା ସେ ନୁକ ସହ ୟା ମା ରସିଲା କି କଣ , ତା ସହ ପଳେଇଲା I ଥରେ ବି ଏ ଝିଅ କଥା ମନ ରେ ହେଜିଲାନି (ମନେପକେଇବା) I ହେଠୁ ବି ଛାଡି କି ଆଇଲି I ଏବେ ଆଇଜ୍ଞା, ମୂଲ ଲାଗି ଜେଜେ ନାତୁଣୀ ଚଳୁଜୁ, ତାକୁ ଇସ୍କୁଲ ପଠଉଜି I ଦି ଅକ୍ଷର ପଢିଲେ ସିନା କଣ ଜାଣିବ ବାବୁ , ନହେଲେ ମାଇକିନା ଝିଅ ମୁଁଇଁ ମଲା ପରେ କଣ କରିବ I ଏ ଟାଉନୁ ରେ ମୁଲିଆ ରାକର (ମାନଙ୍କର) ଭାରି ଖରାପ ନଜର ଆଇଜ୍ଞା I ସେ ହସିନା ଦିଦି ନେଖେ (ପରି) ଦି ଅକ୍ଷର ପଢିଧିଲେ ଏ ଶଳେଙ୍କୁ ଠିକ ଜବାବ ଦବ I ନହେଲେ କେତେବେଳେ କଣ କରିବେ ଜଣା ନାହିଁ ଆଇଜ୍ଞା I
**********
ଗାଡି ଠିକ ହୋଇଗଲା ବୋଲି ଡ୍ରାଇଭର ଡାକିବାକୁ ଆସିଲା I ତାକୁ “ତୁ ଚାଲ, ମୁଁ ଆସୁଛି” ବୋଲି କହି ପଟେଲ ବାବୁ ବୁଢା କୁ କଣ କହିବେ କହିବେ ବୋଲି ରହିଗଲେ I
କଥା ସବୁ ତଣ୍ଟି ପାଖରେ ଅଟକି ଗଲେ I ପାକେଟ ରୁ ରୁମାଲ କାଢି ମୁହଁ ପୋଛି କହିଲେ…
ବାବୁ:- ଆଛା ମୁଁ ଯଦି ତମ ନାତୁଣୀ କୁ ପଢେଇବାର ଦାୟିତ୍ୱ ନିଏ ?
ଜେଜେ:- (ନାହିଁ କରିବା ଭଙ୍ଗୀ ରେ ହାତ ହଲେଇ ) ନାଁଇଁ ବାବୁ i ଏଠି କାହାକୁ ବିସାଶ (ବିଶ୍ୱାସ) ନାହିଁ I ମୁଁଇଁ ମୋ ନାତୁଣୀ କୁ କୁଆଡେ ଛାଡିବିନି I
ବାବୁ:- ଆରେ ତୁମେ ବି ତା ସହ ରହିବ I କିନ୍ତୁ ମୋ ଘରେ I ତୁମେ ମୋ ଘରେ ରହି ଛୋଟ ମୋଟ କାମ କରିବ ଓ ସେ ପାଠ ପଢିବ I ତମ ଦି ଜଣଙ୍କୁ ମୁଁ ଅଲଗା କରିବିନି I ହେଲା?
ଜେଜେ:- ହେଲେ ମୁଇଁ କିଆଁ ? ଆହୁରି ତ କେତେ ବୁଲୁଯିତି I ତମେ ମୋ ଠି କିଆଁ ଆଖି ପକେଇଲ? (ଜେରା କରିବା ଭଙ୍ଗୀରେ ସେ ପଚାରିଲେ)
ବାବୁ:- ମୁଁ ସବୁଦିନ ଗଲା ବେଳେ ଦେଖେ, ଏଠି କେତେ ପିଲା ଅଛନ୍ତି I ସମସ୍ତେ କିନ୍ତୁ ଖେଳ ବୁଲା ରେ ମାତିଥାନ୍ତି I ଏଇ ଝିଅଟିର ଆଗ୍ରହ ଅଛି ପଢ଼ିବା ପାଇଁ I ମୋର ଦି ପୁଅ I ବହୁତ ଆଶା କରିଥିଲି ଝିଅଟିଏ ପାଇଁ କିନ୍ତୁ… ୟେ ଆଜିଠୁ ମୋ ଝିଅ ହୋଇ ରହିବ I ମୁଁ ତାକୁ ପଢ଼େଇବି, ବାହାଘର କରିବି ସବୁ I ହେଲା ? ଯଦି ବିଶ୍ୱାସ ନ ହେଉଛି ଏବେ ଚାଲ ଆମ ଘରକୁ ଦେଖି କି ଆସିବ I  ଘରେ ମୁଁ ଆଉ ମୋ ସ୍ତ୍ରୀ ଅଛୁ I ପୁଅ ଦି ଜଣ ବାହାରେ ପଢୁଛନ୍ତି I   ତମ ମନକୁ ପାଇଲେ ରହିବ ନହେଲେ ନାହିଁ I ମୁଁ ତୁମକୁ ବାଧ୍ୟ କରିବିନି I
କିଛି ସମୟ ପରେ ଝିଅ ଟି ନୂଆ ଡ୍ରେସ ପିନ୍ଧି ପରୀ ଭଳି ଦିଶୁଥିଲା ଆଉ ଜେଜେ ଧୋବ ଧୋବଳିଆ ଲୁଗା ଆଉ କୁର୍ତା ପିନ୍ଧି ମହାଜନ ପରି I
ପଟେଲ ବାବୁଙ୍କ ସ୍ତ୍ରୀ ଏମାନଙ୍କୁ ପାଛୋଟି ନେବାକୁ ଘରର ମୁଖ୍ୟ ଦରଜା ପାଖରେ ଠିଆ ହୋଇଥିଲେ I
ସମାପ୍ତ….

ଜୀବନ ର ଲୋଭ

ଜୀବନ ର ଲୋଭ
(ଡିସେମ୍ବର ୨୦୧୭ ବେଦାନ୍ତୀ ଇ-ପତ୍ରିକା ରେ ପ୍ରକାଶିତ )
(www.vedantimagazine.com )
ସୁବଳ ମହାପାତ୍ର

 

ମୁଁ ହିତେଶ୍ ପ୍ରଧାନ I ବୟଷ ୫ ବର୍ଷ I ମୁଁ ମରିଗଲି I ଘରେ ସମସ୍ତେ କାନ୍ଦୁଥାନ୍ତି I ଜେଜେମା ମୁଣ୍ଡ ପିଟି କାନ୍ଦୁଥାଏ I ବାପାଙ୍କ ଆଖିରୁ ଲୁହ ବୋହୁଥାଏ I ମା ମୋତେ କୋଳରେ ଧରି କାନ୍ଦୁଥାଏ I ବାପା ମୋତେ ମା କୋଳରୁ ଛଡାଇ ନେଲେ I ମା ଠାରୁ ଅଲଗା ହେବା ଦୁଖ ରେ ମୁଁ ବି କାନ୍ଦିଲି I ଗାଁ ର ଶେଷ ମୁଣ୍ଡରେ ,ଗୋଟେ ଗାତ ଖୋଳି ମୋତେ ପୋତି ଦେଲେ ଆଉ ମୋ ଖେଳନା ସବୁ ବି ମୋ ସହ ପୋତା ହେଲେ I ମୁଁ ସବୁ ଦେଖୁ ଥାଏ I କାନ୍ଦୁଥାଏ ବି I ମା ଡାକିଲା I ଉଠି ଦେଖିଲି ମା ମୋତେ କୋଳରେ ଧରି ଗେଲ କରୁଛି I ମୁଁ ଖୁସି ହେଲି I ତାକୁ ଦେଖି କି ହସିଲି I ମୁଁ ବଞ୍ଚିଥିଲି I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୧୦ ବର୍ଷ I ମୁଁ ମରିଗଲି I ମୋ ଶରୀରରୁ ମୋ ଆତ୍ମା ବାହାରି ଗଲା ପରେ ଦେଖିଲି ଘରେ ସମସ୍ତେ ଶୋଇଛନ୍ତି I ମୋ ମରିବା କାହାକୁ ବି ଜଣା ନାହିଁ I ବାହାରକୁ ଆସିଲି I ମୋତେ ନେବା ପାଇଁ ଦୁଇ ଜଣ ପରି ଆସିଥିଲେ I ମୁଁ ବାହାରକୁ ଯାଇ ସେମାନଙ୍କ ସହ ଖେଳିଲି I ତାଙ୍କ ଭିତରେ ଗୋଟେ ସୁନ୍ଦର ପରି ଥିଲା I ଜେଜେମା କଥା ସତ ବୋଲି ଭାବିଲି ଆଉ ଠିକ କଲି ତାକୁ ବାହା ହେବି I ସେ ମୋତେ ନୁଆ ନୁଆ ଖେଳ ସବୁ ଶିଖାଉଥାଏ I ବହୁତ୍ ସମୟ ଖେଳିଲା ପରେ ବି ରାତି ପାହୁ ନଥାଏ I ମା ଡାକିଲା i ଉଠ, ଆଜି ସ୍କୁଲ୍ ରେ ପରୀକ୍ଷା ଅଛି I ଯିବୁନି କି? ଉଠି ଦେଖିଲି ମୁଁ ବଞ୍ଚିଛି  I ଦୁଖ ଲାଗିଲା ଯେ ଏବେ ମୋତେ ପରୀକ୍ଷା ଦେବାପାଇଁ ଯିବାକୁ ପଡିବ I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୨୦ ବର୍ଷ I ମୁଁ ମରିଗଲି I ରୁମ୍ ରୁ ବାହାରି ମୋ ପ୍ରେମିକା ପାଖକୁ ଗଲି I ବାଟରେ ଗଲା ବେଳେ ,ଲୋକ ମାନେ ମୋତେ ଦେଖି ପାରୁନାହାନ୍ତି ଜାଣି ଖୁସି ଲାଗିଲା I ସିଧା ଗଲି ମୋ ପ୍ରେମିକା ର ବେଡ୍ ରୁମ୍ କୁ I ସେ ଶୋଇଥାଏ I ତା ନିଦୁଆ ମୁହଁ ଦେଖି ଭଲ ଲାଗିଲା I ତା’ର ପୁରା ଶରୀର ଉପରେ ଆଖି ବୁଲେଇ ଆଣିଲି I ଏତେ ପାଖରୁ ଏତେ ନିବିଡ ଭାବରେ ତାକୁ କେବେ ବି ଦେଖି ନଥିଲି I ତା ଓଠ କୁ ଛୁଇଁଲି I ସେ ଜାଣିପାରୁ ନଥାଏ I ପୁରା ଘର ବୁଲିକି ଦେଖିଲି I ସମସ୍ତେ ଶୋଇ ଥାନ୍ତି I ତାଙ୍କ କୁକୁର ମୋତେ ଦେଖିକି କୁଁ  କୁଁ ହେଲା I ପୁଣି ଫେରିଲି ମୋ ପ୍ରେମିକା ର ବେଡରୁମ୍ କୁ I ହଠାତ୍ ତା ତକିଆ ତଳେ କ’ଣ ଗୋଟେ ଦେଖିକି ସେଠିକି ଗଲି I ମୋ ସାଙ୍ଗ ର ଫୋଟୋ ତା ତକିଆ ତଳେ ଥିଲା I ଦେଖି ଛାତି ଫାଟି ଗଲା ପରି ଲାଗିଲା I ଆତ୍ମହତ୍ୟା କରିବାକୁ ଇଚ୍ଛା ହେଲା I ଦୌଡି ଦୌଡି ପଲେଇ ଆସିଲି I ଆଉ ବାଟରେ ଗୋଟେ ଖାଲରେ ଖସି ପଡିଲି I ମା ଡାକିଲା, ଉଠ, କ’ଣ ସବୁ ବିଳି-ବିଳେଇ ହଉଛୁ? ଉଠିକି ଦେଖିଲି ମୁଁ ଖଟ ତଳକୁ ଖସି ପଡିଛି I ଖୁସି ଲାଗିଲା ଯେ ମୁଁ ବଞ୍ଚିଛି I ଗୋଡ, ଖଟ ବାଡ ରେ ବାଜି କାଟୁ ଥାଏ I ପୁଣି ପ୍ରେମିକା କଥା ମନେ ପଡି ଦୁଃଖ ଲାଗିଲା I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୩୦ ବର୍ଷ I ମୁଁ ମରିଗଲି I ମରଶରୀର ରୁ ମୁଁ ଅଲଗା ହେଲା ପରେ ଦେଖିଲି ମୋ ସ୍ତ୍ରୀ ମୋ ପାଖରେ ଶୋଇଛି i ମୁଁ ମରିବାର ସେ ଜାଣିନି I ତା ମଥା ର ସିନ୍ଦୁର, ନାଲି ଟିକିଲି , ହାତରେ ଶଂଖା , ପାଦ ରେ ପାଉଁଜି , ନାଲି ଶାଢୀ ରେ ସେ ବହୁତ୍ ସୁନ୍ଦର ଦେଖା ଯାଉଥାଏ I ଦେଖିକି ଖୁସି ଯେତିକି ଲାଗିଲା ,ଦୁଖ ବି ସେତିକି ଲାଗିଲା ,ଆଉ କିଛି ଦିନ ପରେ ଏସବୁ କିଛି ନଥିବ I ତା ଜୀବନ ର ନର୍କ ଯନ୍ତ୍ରଣା  ଆରମ୍ଭ ହୋଇଯିବ I ଗୋଟେ ସ୍ବାମୀ ତା ଜୀବନରେ କେବେବି ସ୍ତ୍ରୀ ର ବିଧବା ରୁପ ଦେଖି ପାରେନି I ଏସବୁ କଥା ମନେ ପଡିଲା ବେଳେ ଛାତି କୋରି ହୋଇ ଯାଉଥାଏ I ମୁଁ ନୁଆ ନୁଆ ବାହା ହେଇଛି i ବାହାଘର ର ବର୍ଷେ  ବି ପୁରିନି I ମୁଁ କ’ଣ ଭାବିଥିଲି ଯେ ମୁଁ ଏତେ ଶୀଘ୍ର ମରିଯିବି ବୋଲି ? ହନିମୁନ୍ ର ସିନ୍ ସବୁ ଆଖି ଆଗରେ ଭାଷି ବୁଲୁଥାଏ I ସକାଳ ର ମର୍ନିଙ୍ଗ କିସ, ରାତିର ନାଇଟ୍ କିସ, ପ୍ରେମ ଭରା କଥା, ହସ ଖୁସି, ରୋମାନଟିକ୍ ଦିନ ସବୁ ମନେ ପଡି ଯାଉଥାଏ I ଭଗବାନଙ୍କୁ ମନ ଇଛା ଗାଳି ଦେଲି I ଯଦି ଏତେ ଶୀଘ୍ର ମାରିବାର  ଥିଲା ଏତେ ସୁନ୍ଦର ଦିନ ସବୁ କଣ ପାଇଁ ଦେଖାଉ ଥିଲ ? ମୋତେ ଆହୁରି ବଞ୍ଚିବାକୁ ଇଚ୍ଛା ଥିଲା I କାହାକୁ ବା ଏସବୁ ଜିନିଷ ଛାଡିକି ମରିବାକୁ ଇଚ୍ଛା ହବ ? ମୁଁ ମୋ ସ୍ତ୍ରୀ ର ସୁନ୍ଦର ମୁହଁ କୁ ଦେଖୁ ଥାଏ I ତା ନିଦୁଆ ମୁହଁ ,ପାଟିରୁ ନାଳ ବାହାରି ତକିଆ ରେ ଲାଗି ଥାଏ I ତା ପାଖକୁ ଟିକେ ଲାଗିଗଲି I ଗାଲକୁ ଟିକେ ଆଉଁସି ଦେଲି I ସେ କିଛି ଜାଣିପାରୁ ନ ଥାଏ I ମନ ଦୁଃଖ ରେ ବାହାରକୁ ଆସିଲି I ଆସିଲା ବେଳେ ଗୋଟେ ଗିଫଟ୍ ଖଟ ତଳେ ଦେଖିକି ଅଟକି ଗଲି I ପାଖକୁ ଯାଇ ଦେଖିଲି ଗିଫଟ୍ ଉପରେ ଲେଖା ହୋଇଛି “ହାପି ବାର୍ଥ ଡେ, ମାଇଁ ଡ଼ିଅର ହବି” I ମନେ ପଡିଲା ଆଜି ମୋର ଜନ୍ମ ଦିନ I ଥାକ ପାଖକୁ ଗଲି I ଥାକ ରେ କେକ୍ ର ଅଡର୍ ରିସିପଟ୍ ଦେଖି ଜାଣିଲି, ମୋ ପାଇଁ କେକ୍ ଅଡର୍ ଦିଆ ସରିଚି I ଆହୁରି ଦୁଖ ଲାଗିଲା I ବାହାରକୁ ପଲେଇ ଆସିଲି I ରାତି ତଥାପି ପାହି ନଥାଏ I ପୁର୍ବ ଆକାଶ ରେ ସିନ୍ଦୁରା ଫାଟି ଆସୁଥାଏ I ମୁଁ ମୋ ସ୍ତ୍ରୀ କଥା ଭାବୁଥାଏ I ସକାଳୁ ଉଠିକି ସମସ୍ତେ ଜାଣିବେ ମୁଁ ମରି ଯାଇଛି I ମୋ ସ୍ତ୍ରୀ ତା ବେହୋସ୍ ହେଇ ଯିବ I କେତେ ଭଲ ପାଏ ସେ ମୋତେ I ସେ କ’ଣ ସହି ପାରିବ ମୋ ମରଣ ର ଦୁଃଖ କୁ ? ସକାଳୁ ଉଠି ମା, ବାପା, ଭାଇ,ନାନୀ ସମସ୍ତେ ଘରକୁ ଆସି କି କାନ୍ଦିବେ I ମା, ବାପା କ’ଣ ସହି ପାରିବେ ? ଶାଶୁ ଶ୍ବଶୁର ତ ତାଙ୍କ ଝିଅ କୁ ତାଙ୍କ ଘର କୁ ନେଇ ଯିବେ, ପୁଣି ଥରେ ବାହା କରେଇବା ପାଇଁ  ଲାଗି ପଡିବେ I ମୋ ସ୍ତ୍ରୀ କ’ଣ ପୁଣି ଥରେ ବାହା ହବା ପାଇଁ ରାଜି ହୋଇଯିବ? ସେ କଣ ଭୁଲିଯିବ ମୋ ସହ ବିତେଇ ଥିବା ଦିନ ଗୁଡିକ ? ହଁ ମଣିଷ ଆଜି ମଲେ କାଲି କି ଦି ଦିନ, କିଏ କିଆଁ କାହାକୁ ମନେ ରଖିବ? ସକାଳ ହୋଇ ଗଲା I ସମସ୍ତେ ଡକା ହକା ହେଇ ଆସି ମୋ ଘରେ କାନ୍ଦୁ ଥାନ୍ତି I କେହି କେହି ଆହା ଚୁ ଚୁ କରୁଥାନ୍ତି I କେହି କେହି ବୁଢୀ ସ୍ତ୍ରୀ ଲୋକ ମୋ ସ୍ତ୍ରୀ ର ଭାଗ୍ୟ କୁ ନିନ୍ଦୁ ଥାନ୍ତି I ତାକୁ ଗାଳି ଦେଉଥାନ୍ତି I ମାଲଭାଇ ଆସିଲେ I କୋକେଇ ରେ ମୋତେ ଲଦି “ରାମ୍ ନାମ୍ ସତ୍ୟ ହେ ” କହି ମୋତେ ଶ୍ମଶାନ କୁ ନେଇ କି ଗଲେ ଓ ବାକି କାମ ସବୁ ସାରିଲା ପରେ ମୋ ଦେହରେ ନିଆଁ ଲଗେଇ ଦେଲେ I ମୋ ହାତ ପାଖରୁ ଜୋର୍ ରେ ନିଆଁ ଉଠିଲା ଆଉ ମୋ ହାତ ର ବିଶି ଆନଗୁଠି ପୋଡି ଗଲା ପରି ଲାଗିଲା I  ମୁଁ ହଠାତ୍ ଉଠି ପଡିଲି I ଉଠି ଦେଖିଲି ମୋ ହାତ ର ବିଶି ଆନଗୁଠି  ଚା କପ୍ ରେ ଅଛି ଆଉ ମୋ ସ୍ତ୍ରୀ ହସୁଛି I ସେ ପ୍ରେମରେ ଗୋଟେ ମର୍ନିଙ୍ଗ କିସ୍ ଦେଇ ଉଠେଇଲା, ମୁଁ ନ ଉଠିବାରୁ ମୋ ହାତ କୁ ଚା କପ୍ ରେ ବୁଡେଇ ଦେଲା I ଉଠି ଦେଖିଲି ମୁଁ ବଞ୍ଚିଛି I ଖୁସି ଲାଗିଲା I ବେଶୀ ଖୁସି ଲାଗିଲା ମୁଁ ମରିନି ବୋଲି I ସ୍ତ୍ରୀ କୁ କୋଲ କୁ ଟାଣି ନେଲି ଆଉ ତା ସକାଳ କିସ ର ଉତ୍ତର ଫେରେଇବାକୁ ପ୍ରୟାସ କଲି I  ଆଜି ମୋ ଜନ୍ମ ଦିନ ବି ଥିଲା I ଖଟ ତଳେ ଥିବା ଗିଫଟ୍ ଟା ମୋ ଆଗରେ ରଖା ହୋଇଥିଲା I

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୪୦ ବର୍ଷ I ମୁଁ ମରିଗଲି I ମୋ ଆତ୍ମା, ଶରୀର ରୁ ବାହାରିଗଲା ପରେ ମୁଁ ଏ ରୁମ୍ ରୁ ସେ ରୁମ୍ କୁ ଉଡି ବୁଲିଲି I ମୋ ପାଖରେ ମୋ ସ୍ତ୍ରୀ ଅଚିନ୍ତା ରେ ଶୋଇ ଥାଏ I ଆର ରୁମ୍ ରେ ମୋ ୮ ବର୍ଷ ର ପୁଅ  ଆଉ ୬ ବର୍ଷ ର ଝିଅ  ଶୋଇ ଥାନ୍ତି I  ମୁଁ ଉଡି ଉଡି ସେମାନଙ୍କ ପାଖକୁ ଗଲି I ପୁଅ ନିଦରେ ଶୋଇ ଥାଏ ,ଝିଅ ବୋଧେ କଣ ଗୋଟେ ସ୍ବପ୍ନ ଦେଖି କି ହସୁଥାଏ I ଦି ଜଣଙ୍କ  ମୁଣ୍ଡକୁ ଆଉଁସି ଦେଲି ଆଉ ଭାବିବାକୁ ଲାଗିଲି ଏବେ ଏ ଦି ଜଣଙ୍କ ଭବିଷ୍ୟତ କ’ଣ? କ’ଣ କରିବ ମୋ ସ୍ତ୍ରୀ ? ମୋର ତ ସରକାରୀ ଚାକିରୀ I ଗୋଟେ ସରକାରୀ ଅଫିସ୍ ରେ ହେଡ୍ କ୍ଲରକ୍ I ଦରମା ମାସର ୧୫ ତାରିଖ ରୁ ଶେଷ I ମୋ ପିଲାଙ୍କ ପାଇଁ ମୁଁ କିଛି ବି କରି ପାରିନି I କ’ଣ ଖାଇବେ ସେମାନେ ? କେମିତି ଚଳିବେ? ଯେଉଁଠି ଦରମା ରେ ଘର ଚଳେଇ ହେଉନି ସେଠି ପେନସନ୍ ରେ କେମିତି ଘର ଚଳିବ? ଆଉ କିଛିଦିନ ହେଲେ ବଞ୍ଚିଥାନ୍ତି ? କମ୍ ସେ କମ୍ ପିଲା ଦି ଟା କୁ ମଣିଷ କରି ସାରିବା ଯାଏ I ଭାବି ଭାବି ମୁଣ୍ଡ ବିନ୍ଧିଲା, ବାହାରକୁ ପଲେଇ ଆସିଲି ଆଉ ଭାବିବାକୁ ଲାଗିଲି ମୋ ବିଷୟରେ I ମୋର ଗୂଂଠେ ବୋଲି ଜମି ନାହିଁ I ଗାଁ ରେ ଘର ଡିହ ଟି ଯାହା ପଡିଚି I ସେଠି ବି ଏବେ ଭୁତ ରହୁଛନ୍ତି I ବାପା, ମାଙ୍କର ମୁଁ ଗୋଟିଏ ବୋଲି ପୁଅ i ନାନୀ ର ବାହାଘର କେବେଠୁ ସରିଛି I ବାପା ପର ଜମି ରେ ଚାଷ କରି ମୋତେ ପାଠ ପଢେଇଲେ I ମୋ ମୁଣ୍ଡକୁ ହାତ ପାଇଲା ବେଳକୁ ବାପା ମା ଦୁହେଁ ଡକା ହକା ହୋଇ ଆର ପାରିକୁ ଚାଲିଗଲେ I ଦିନେ ଜମିରେ କାମ କଲା ବେଳେ ବଜ୍ରପାତ ରେ ବାପା ଚାଲିଗଲେ ,ତାଙ୍କୁ  ଝୁରି ଝୁରି ମା ବି ମାସ ଦିଟା ରେ ଚାଲିଗଲା I ସେମାନେ ଅବଶ୍ୟ ଯିବା ପୁର୍ବରୁ ମୋତେ ହାତ କୁ ଦି ହାତ କରି ସାରିଥିଲେ I ପାଠ ପଢି ସରକାରୀ ଚାକିରୀ କରିଥିଲି , ଆଉ ଟାଉନ୍ ରେ ରହୁଥିଲି I ଟାଉନ୍ ଘରେ ଶାଶୁ ଶ୍ଵଶୁରଙ୍କ ଝିନ୍ ଝଟ୍ ନାହିଁ ବୋଲି ମୋ ଶ୍ବଶୁର ତାଙ୍କ ଝିଅ କୁ ଖୁସି ଖୁସି ବିଦା କଲେ I ମୋର କିଛି ଡିମାଣ୍ଡ୍ ନଥିଲା I କେବଳ ଜଣେ ସାଥୀ ଦର୍କାର୍ ଥିଲା I ମୁଁ ବି ଖୁସି ଥିଲି I କିଛି ଦିନ ଆମର ହସ ଖୁସି ରେ ଚାଲିଗଲା I ତାପରେ ପିଣ୍ଟୁ ଆଉ ମୁନି ଆମ ଜୀବନରେ ଆସିଲେ i ପଇସା ର ଦରକାର ବଢିଲା I ଦରମା ମାସ ଶେଷ କୁ ନିଅଣ୍ଟ I ଯାହା ବି ହଉ କଷ୍ଟେ ମଷ୍ଟେ  ଜୀବନ ଗଡି ଚାଲିଥିଲା I ପିଲା ଦୁହେଁ ସ୍କୁଲ୍ ଯାଉଛନ୍ତି I ଏତିକି ବେଳେ ମୋର ମରିବାର ଥିଲା? ଭଗବାନ୍ ଆଉ କିଛି ବର୍ଷ ମୋତେ ଆୟୁଷ ଦେଇ ପାରିଲେନି? ଯମ କୁ ଏତିକି ବେଳେ ଆସିବାକୁ ଥିଲା ? ଭାବି ଭାବି ପୁଣି ଘର ଭିତରକୁ ଆସିଲି I ମୋ ସ୍ତ୍ରୀ କାନ୍ଦି କାଟି ଘର ଉଛୁଳାଉ ଥାଏ I ପିଲା ଦିହେଁ କିଛି ନବୁଝି ମା ର କାନ୍ଦ ଦେଖି କାନ୍ଦୁଥାନ୍ତି I ଟାଉନ୍ ରେ ବି କିଛି ସାହି ଭାଇ ଆସି ସାରିଥାନ୍ତି I ଡାକ୍ତର ଆସି ମୋ ନାଡି ଦେଖି ମୁଁ ମରି ଯାଇଛି ବୋଲି ଜଣେଇ ଦେଲେ I ମୋ ସ୍ତ୍ରୀ ର ଆଖିରୁ ଧାର ଧାର ଲୁହ ବୋହୁ ଥାଏ ଆଉ ସବୁ ଲୁହ ମୋ ମୁହଁ ରେ ପଡୁଥାଏ I ଉଠି ଦେଖିଲି ମୋ ଝିଅ ମୋ ଉପରେ ପାଣି ପକଉଛି I ସେ ମୋତେ ଡାକିଲା, ମୁଁ ନ ଉଠିବାରୁ,ମୋ ଉପରେ ପାଣି ପକେଇଲା I ଏଇଟା ସେ ମୋ ଠୁ ଶିଖିଛି I ମୁଁ ସକାଳୁ ତା ସହ ଏମିତି କରେ I ମୁଁ ଉଠିଲି I ମୋ ଝିଅ କୁ ମୋ ପାଖକୁ ଟାଣି ଆଣି ତାକୁ ଗେଲ କଲି I ମୁଁ ଖୁସି ଥିଲି ଯେ ମୁଁ ମରିନି, ବଞ୍ଚିଛି I

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୫୦ ବର୍ଷ I ମୁଁ ମରିଗଲି  I ସକାଳ ହେବାକୁ କିଛି ସମୟ ବାକି ଥାଏ I ବାହାରକୁ ଆସିଲି i ମୋ ବଗିଚା ରୁ କିଏ ଗୋଟେ ଫୁଲ ଛିଡାଉ ଥାଏ, ତାକୁ ପାଟି କରି ଗାଳି ଦେଲି I ସେ କିଛି ଶୁଣି ପାରୁ ନ ଥାଏ I ତା ପାଖକୁ ଗଲି I ସେ ନିଶ୍ଚିନ୍ତ ହୋଇ ଫୁଲ ତୋଳୁଥାଏ I ତାକୁ ଧମକେଇଲି I ସେ ଶୁଣିଲାନି I ରାଗରେ ଘରକୁ ଆସିଲି I ଗୋଟେ ବାଡି ଧରି ବାହାରକୁ ଗଲି I ସେ ପଲେଇଥାଏ I ତାପରେ ମର୍ନିଙ୍ଗ ୱାକ ରେ ବାହାରିଲି I ମୋତେ କେହି ଦେଖି ପାରୁ ନଥାନ୍ତି ଆଉ ମୋ କଥା ବି କେହି ଶୁଣି ପାରୁ ନଥାନ୍ତି I ମୋ ସାଙ୍ଗ ମାନଙ୍କ ସହ ଚାଲି ଚାଲି ଚା ଦୋକାନ୍ କୁ ଗଲି I ସେମାନେ ସବୁ ମୋ ବିଷୟ ରେ କଥା ହେଉ ଥିଲେ I  ମୋତେ ମଜା ଲାଗୁଥାଏ I ମୁଁ ସେମାନଙ୍କ କଥା ସବୁ ଶୁଣୁଥାଏ I ସମସ୍ତେ ଚା ପିଇଲେ ଆଉ ଖବର୍ କାଗଜ ଗୋଟେ ଗୋଟେ ଧରି ଘରକୁ ଫେରିଲେ I ମୁଁ ବି ଘରକୁ ଆସିଲି I ଆସି ଦେଖିଲି ଘରେ କାନ୍ଦ ବୋବାଳି ପଡିଛି I ପୁଅ ଗୋଟେ କଣ ରେ ମୁହଁ ଶୁଖେଇ ଠିଆ ହୋଇଛି I ଝିଅ ତା ମା କୁ କୁଣ୍ଢେଇ କାନ୍ଦୁଛି I ମୋତେ ବି ଦୁଖ ଲାଗିଲା ଦି ଟା କାରଣ ପାଇଁ. ୧. ମୋ ପିଲାଙ୍କ ଭବିଷ୍ୟତ ଆଉ ୨. କିଛି ସମୟ ପୁର୍ବରୁ ମୁଁ ଖୁସି ଥିଲି ବୋଲି I ପ୍ରଥମେ ମୁଁ ଛୋଟ ଦୁଃଖ କଥା ଭାବିଲି ଯେ କିଛି ସମୟ ପୁର୍ବରୁ ମୁଁ ଖୁସି ଥିଲି I ମୋତେ ଜଞ୍ଜାଳ ଭିତରୁ ମୁକ୍ତି ମିଳି ଯାଇଛି I କିଛି ସମୟ ପୁର୍ବରୁ ମୋର କିଛି ବି ଟେନସନ ନଥିଲା I ମୁଁ ଖୁସି ରେ ବୁଲି ବାକୁ ଯାଇ ଥିଲି I ତା ପରେ ମୁଁ ପିଲାଙ୍କ ଭବିଷ୍ୟତ କଥା ଭାବିଲି I ମୋ ପୁଅ ଏବେ ଇଞ୍ଜିନିଅରିଂ ପଢୁଛି ଆଉ ଝିଅ ର +୨ I ଏବେ ସେମାନେ କ’ଣ କରିବେ? ପୁଅର କଲେଜ୍ ଫିସ୍ ଏବେ ଦେବାର ଥିଲା I ସେ ତ ଏବେ ଫାଷ୍ଟ ଇଅର୍ ରେ ପଢୁଛି I ଆଉ ଟିକେ ହେଲେ ବଡ ହୋଇ ଯାଇଥାନ୍ତା ? ତା’ର ପଢା ହେଲେ ସରି ଯାଇଥାନ୍ତା ? ଏବେ ତ ସେ  କିଛି ବି କରି ପାରିବ ନାହିଁ I ଭାଗବାନଙ୍କର କଣ ଟିକେ ବି ଦୟା ହେଲା ନାହିଁ ? ସେ କଣ ଜାଣି ପାରୁ ନାହାନ୍ତି ଯେ ମୋ ସଂସାର ଭାସି ଯିବ ବୋଲି ? ଝିଅ ଟା ବି ଭଲ ପଢୁଛି I ମୋର କେତେ ସ୍ବପ୍ନ ଥିଲା ତାକୁ ଡାକ୍ତର କରିବି ? ସବୁ ସ୍ବପ୍ନ ମିଳେଇ ଗଲା I ଏବେ ପଇସା କୁଆଡୁ ଆସିବ ସେମାନେ ପଢିବା ପାଇଁ ? ମୁଁ ତ ଆଉ କୋଟିପତି ନଥିଲି ? ଯାହା ଆସୁଥିଲା କଷ୍ଟେ ମଷ୍ଟେ ସଂସାର ଚଳେଇ ପିଲା ଦି ଟା ଙ୍କୁ ପଢ଼େଇଲି I କେବେ ତ କାହାକୁ ବି ଠକିନି I ସରକାରୀ ଚାକିରୀ କରି କି ବି କେବେ ଲାଞ୍ଚ ନେଇନି I ତେବେ ମୋ ଉପରେ ଏତେ ଦୁଖ କଣ ପାଇଁ  ଦେଲ ପ୍ରଭୁ ? ମୋ ଛୁଆ ଦି ଟା ତାଙ୍କ ଗୋଡ ରେ ଛିଡା ହବା ଯାଏ ହେଲେ ବଞ୍ଚି ଥାନ୍ତି ? ହେ ଭଗବାନ୍ ତୁମକୁ ଭଗବାନ୍ ବି ସହିବେ ନାହିଁ I ମୋ ଆଖି ରେ ଲୁହ ଆସିଗଲା I ମୁଁ ଭେଁ ଭେଁ ରଡି  କରି କାନ୍ଦିଲି I ହଠାତ୍ ଭଗବାନ୍ ମୋ ଆଗରେ ଠିଆ ହେଲେ ଆଉ ମୋ ମୁଣ୍ଡକୁ ଆଉଁସି ଦେଲେ I ମୁଁ ଉଠି ଦେଖିଲି ମୋ ଶ୍ରୀମତୀ ମୋ ମୁଣ୍ଡ ରେ ହାତ ବୁଲେଇ କହୁଛନ୍ତି “କାଇଁ ସକାଳଟାରୁ ରଡି ପକଉଚ ଶୁଣେ? ବୁଢାଟେ ହେଲେଣି ସ୍ବପ୍ନ ଦେଖା ସରୁନି I ଉଠ ଆଉ ଯାଇ କି ଖିର ନେଇ କି ଆସ, ଖିର ଆଣିଲେ ଚା ହବ” I ପୁଅ ଆଉ ଝିଅ ପାଖରେ ଠିଆ ହୋଇ ହସୁ ଥାନ୍ତି I ମୋତେ ଲାଜ ଲାଗିଲା I ମୁହଁ ଧୋଇବାକୁ ଗଲାବେଳେ ଭାବି ପାରୁ ନଥିଲି ଖୁସି ହେବି ନା ଦୁଃଖ କରିବି ?

 

——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୬୦ ବର୍ଷ I ମୁଁ ମରିଗଲି  I ମାସେ ହେଲା ରିଟାର୍ଡ଼ କରିଥିଲି I ଏ ମାସେ ହେଲା ଦିନ ସବୁ ରହିଗଲା ପରି ମନେ ହେଉ ଥିଲେ I କାମ କିଛି ନଥିଲା I ଗୋଡ ହାତ ହଲେଇ ବାକୁ ଇଛା ଥିଲା I ସକାଳେ ସନ୍ଧ୍ୟାରେ ଦାଣ୍ଡ ରେ ବସି ବସି ଦିନ ଯାଉଥିଲା I ଯାହା ହଉ ଜଞ୍ଜାଳ ରୁ ରକ୍ଷା ମିଳିଗଲା I ପୁଅ ତା’ର ଚାକିରୀ ଜାଗାରେ ଆଉ ଝିଅ ବର୍ଷେ ହେଲା ଶାଶୂଘରେ I ଯାହା ହଉ ପୁଅ ଝିଅ କୂଳରେ ଲାଗି ଯାଇ ଥିଲେ I ବୁଢ଼ୀ ଟା ପାଇଁ ଦୁଃଖ ଲାଗୁଥିଲା I ଏକୁଟିଆ ଟା ରହିବ କେମିତି I ଓଡିଶା ବାହାରେ ରହିବାକୁ ବୁଢ଼ୀ ର ଜମା ଇଛା ନାହିଁ I ପୁଅ ତ ବାଙ୍ଗାଲୋର ରେ I ବୁଢ଼ୀ ଯିବନି ସେଠିକୁ I ଏବେ କଣ କରିବ ବୋଲି ଭାବୁଥିଲି I ଭାବି ଭାବି ତା ପାଖକୁ ଗଲି I ସମୟ ପାହାନ୍ତା I ସେ ଆରାମରେ ଘୁଙ୍ଗୁଡ଼ି ମାରୁ ଥାଏ I ୭ ଟା ନ ବାଜିଲେ ତ ସେ ଉଠିବନି I ଜାଣି ବି ପାରିବନି ଯେ ମୁଁ ମରି ଯାଇଛି I ଯାହା ହଉ କିଛି ସମୟ ପରେ ପୁଅ ଫୋନ କଲାରୁ ବୁଢ଼ୀ ଉଠିଲା I ମୋତେ ମରି ପଡିଥିବାର ଦେଖି କାନ୍ଦ ବୋବାଳି ପକେଇଲା I ସାଇ ପଡିସା ଆସି ରୁଣ୍ଡ ହେଲେ I ପୁଅ ଝିଅଙ୍କୁ ଖବର ଦିଆ ଗଲା I ଝିଅ ପହଞ୍ଚି ବହୁତ କାନ୍ଦିଲା I ଇନ୍ସୁରାନ୍ସ ଵାଲା ଆସିକି ମୋ ବିଷୟରେ ଖବର ସଂଗ୍ରହ କଲେ I ମୋ ସକାଳ ବୁଲା ସାଙ୍ଗ ମାନେ ମୋତେ ଦେଖିବାକୁ ଆସିଲେ I କେତେ କିଏ ଆହା, ଚୁ ଚୁ କଲେ I ଖାଲି ଦୁଃଖ ରହିଗଲା ପୁଅ ର ବାହାଘର, ସାରି ଦେଇଥିଲେ ଚିନ୍ତା ଯାଇଥାନ୍ତା I ଭଗବାନ ଆଉ ଦି ଟା ବର୍ଷ ହେଲେ ଆୟୁଷ ଦେଇଥାନ୍ତେ I ସବୁ କାମ ସାରି ଆସିବାକୁ I ତେଣେ ଗାଁ ରେ ଜମିଗୁଡା ସବୁ ଭୁତ ଖାଇ ଯିବେ I ପୁଅ ତ ଚାକିରୀ ଜାଗାରୁ ଆସିକି ଯିବନି ଏସବୁ ବୁଝିବାକୁ I ଦି ଦିନ ତଳେ ଚିନ୍ତା କରିଥିଲି ସବୁ ବିକ୍ରି କରି ପୁଅ ପାଇଁ ଭୁବନେଶ୍ୱର ରେ ଘର ଖଣ୍ଡେ କିଣି ଦେବି କିନ୍ତୁ ସେଥିପାଇଁ ବି ସମୟ ମିଳିଲାନି I ବନ୍ଧୁ ବାନ୍ଧବ ସବୁ ସଙ୍ଖୋଳି ବାକୁ ଆସି ସାରିଥାନ୍ତି I ମୋ ଶବ କୁ ବରଫ ରେ ରଖାଗଲା ପୁଅ ଆସିବା ଯାଏ I ମୋତେ ଶୀତ ଲାଗୁଥାଏ I ହଠାତ ମୋ ନିଦ ଭାଙ୍ଗିଗଲା I ଉଠି କି ଦେଖିଲି ମୁଁ ବଞ୍ଚିଛି I ଏସି ଟା ହାଇ ଅଛି ବୋଲି ଶୀତ ହେଉଥିଲା I ଖୁସି ଲାଗିଲା I ଏଥର କିନ୍ତୁ ଯାହା ବି ହେଉ ପୁଅ ବାହାଘର ସାରିବି ଆଉ ଗାଁ ଘର ଶୀଘ୍ର ବିକ୍ରି କରି ପୁଅ ପାଇଁ ଘର ଖଣ୍ଡେ କିଣିବି I  I
——x——

 

ମୁଁ ହିତେଶ୍ ପ୍ରଧାନ I ବୟଷ ୭୦ ବର୍ଷ I ମୁଁ ମରିଗଲି  I ସେମିତି ବି ବଞ୍ଚିବାର ସ୍ପୃହା ନଥିଲା I ଆଣ୍ଠୁଗଣ୍ଠି ବାତ ବାହାରି ଯାଇଥିଲା I ଚାଲିବୁଲି ପାରୁ ନଥିଲି I ବୋହୁ ଗର ଗର ହେଉଥିଲା I ପୁଅ ଦେଖି ନଦେଖିଲା ପରି ହେଉଥିଲା I ନାତି ଟୋକା ପାଖକୁ ଆସିଲେ ବୋହୁ ମନା କରୁଥିଲା, ଇନଫେକ୍ସନ ଲାଗିଯିବ ବୋଲି I ମରିବାଠୁ ଘୋଷରା ଅଧିକା ବାଧୁଥିଲା I ବୁଢ଼ୀ ୩ ବର୍ଷ ତଳୁ ମରି ସାରିଥିଲା I ବୁଢ଼ୀ ଥିଲା ବେଳେ ସେ ଯାହା ଟିକେ ମୋ ଖବର ବୁଝୁଥିଲା I ସେ ଗଲା ପରେ ମୋ ପାଖରେ କଥା ହେବା ପାଇଁ କେହି ଜଣେ ନଥିଲେ I ପୁଅ କୁ ମଣିଷ କରିବା ପାଇଁ ମୁ ଏତେ ବ୍ୟସ୍ତ ଥିଲି ଯେ ମୋର ସାଙ୍ଗ ମାନେ ମୋଠୁ କେବେ ଦୁରେଇ ଗଲେ ଜାଣି ପାରିଲିନି I ବନ୍ଧୁ ବାନ୍ଧବଙ୍କଠୁ ମୁଁ ଦୁରେଇ ଯାଇଥିଲି I ପୁଅ କୁ ପଢେଇବା ପାଇଁ ପଇସା ଦରକାର ଥିଲା I ସେମାନଙ୍କ ବାହାଘର, ଶୁଦ୍ଧଘର ର ବେଭାର ବର୍ଷ କୁ ବର୍ଷ ଅଧିକା ହେଉଥିଲା I ଏବେ ବୁଝିପାରୁଛି, ଯାହା ପାଇଁ ସବୁ କରୁଥିଲି ସେ ମୋତେ ଗୋଡ଼ରେ ଆଡେଇ ଦେଉଛି I ଘର ଜମିବାଡ଼ି ସବୁ ତା ନାଁ ରେ କରିବାକୁ ଚାହୁଁଥିଲା I ତା ନାଁ ରେ କଲା ପରେ ସେ ମୋତେ ଵୃଦ୍ଧାଶ୍ରମ ରେ ଛାଡି ଦେଇଥାନ୍ତା I କରିନି ବୋଲି ପାଖରେ ରଖିଛି I କିନ୍ତୁ ମୁଁ ବରଂ ଵୃଦ୍ଧାଶ୍ରମ ରେ ଥିଲେ ଭଲରେ ଥାନ୍ତି I ମୁଁ ମରିବାର ୨ ଘଣ୍ଟା ହେଇ ସାରିଥିଲା I ସନ୍ଧ୍ୟା ୬ ଟା ହେଲାଣି କିନ୍ତୁ ଏବେ ଯାଏ କେହି ଜାଣି ନାହାନ୍ତି ମୁଁ ମରି ଯାଇଛି ବୋଲି I ବୋହୁ ୮ଟା ରେ ଖାଇବା ନେଇ କି ଆସିବ I ସେତେବେଳେ ଦେଖିବ ମୁଁ ମରି ଯାଇଛି I ଏବେ ରାତି ୮ଟା I ବୋହୁ ଖାଇବା ଧରିକି ଆସିଲା I ଆସି ଦେଖିଲା ମୁଁ ମରି ଯାଇଛି I ନାଡୀ ଚେକ କଲା I ନାକ ପାଖରେ ଆଙ୍ଗୁଠି ଦେଇ ଦେଖିଲା I ଖାଇବାକୁ ଟେବୁଲ ଉପରେ ଥୋଇଦେଇ ଆଉ ଥରେ ଡାକି କି ଉଠେଇଲା I ମୁଁ କବାଟ ପାଖରେ ଠିଆ ହୋଇ ସବୁ ଦେଖୁ ଥାଏ I ଏବେ କନଫର୍ମ ହେଲା ପରେ ନାଚି ଉଠିଲା I କହିଲା,” ଯାହା ହଉ, ଟେନସନ ଗଲା” I ତା ପରେ ମିଛ ମିଛ କାନ୍ଦ କାନ୍ଦ ହେଇ ପୁଅ କୁ ଡାକ ପକେଇଲା I ପୁଅ ଆସି ପୁଣି ଥରେ ନାଡୀ, ନାକ ଚେକ କଲା I ବାପା ବାପା ବୋଲି ଡାକିଲା I ସ୍ତ୍ରୀ ଆଡେ ଥରେ ଚାହିଁଲା ଆଉ କହିଲା ଫୋନ ନମ୍ବର ସବୁ ବାହାର କର, ସମସ୍ତଙ୍କୁ ଖବର ଦେବାର ଅଛି I ବାହାରକୁ ଯାଇ, ସାଇ ପଡିଶାଙ୍କୁ ଡାକି କି ଆଣିଲା I ଭୋ ଭୋ କରି ରଡି ପକାଉଥାଏ I ଫୋନ ରେ ସବୁ ବନ୍ଧୁବାନ୍ଧବଙ୍କୁ ଖବର ଦେଉଥାଏ I ମୋତେ ବାହାରକୁ ଟେକି ଆଣିଲେ I ବାରଣ୍ଡା ରେ ଶୁଏଇ ଦେଲେ I ପୁଅ ଆଉ ବୋହୁ ଲୋକଙ୍କୁ ଦେଖେଇ ଦେଖେଇ କାନ୍ଦୁଥାନ୍ତି I ଫୁଲ ମାଳ ଆଉ ଧୂପ ଲଗେଇ ଦେଇଥାନ୍ତି I ଧୂପ ମୋ ଗୋଡ ପାଖରେ ଲାଗି ଥାଏ  I  ହଠାତ ଧୂପଦାନି ଟା ଓଲଟି ପଡିଲା I  ମୋ ଗୋଡ଼ରେ ଚିଆଁ ଲାଗିଗଲା I  ମୁଁ ଚମକି ପଡିଲି I  କିନ୍ତୁ ଏଥର ମୁଁ ସତରେ ମରିଯାଇଥିଲି I ଆଉ ବଞ୍ଚିବାର ସ୍ପୃହା ନଥିଲା I ମରି ନଥିଲି ତ ତରି ଯାଇଥିଲି I ଭଗବାନଙ୍କୁ ପ୍ରଣାମ କଲି ଆଉ ଏ ଜନ୍ମରୁ ଉଦ୍ଧIର କଲେ ବୋଲି ଧନ୍ୟବାଦ ଦେଲି I
——x——
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ

ଭିନ୍ନ ଏକ ଏକଲବ୍ୟ

ଭିନ୍ନ ଏକ ଏକଲବ୍ୟ

ସୁବଳ ମହାପାତ୍ର

ରଖ ହୋ ତମ ଗପ…

ଏପଟେ ହାଣ୍ଡି ମାଙ୍କଡଚିତ ମାରୁଛି, ସେପଟେ ବାବୁଙ୍କ ଗପ ଲେଖା ସରୁନି…

ମୋ ବାପା କାହିଁକି ଏ ଅଳସୁଆ ହାତରେ ମୋତେ ବାନ୍ଧିଲେ କେଜାଣି…

ଗପ ଲେଖା ତ ଏମିତି ଚାଲିଛି ଯେ… ଯେମିତି ବ୍ରହ୍ମାଙ୍କ ବେଦ…

ଲୋକ ସବୁ ତ ଅନେଇ କି ବସିଛନ୍ତି ତମ ଗପ ପଢିବା ପାଇଁ…

ଘର ଆଗରେ କେତେ ଲମ୍ବା ଲାଇନ ଲାଗିଛି ଦେଖୁନ…

ଯାଅ ଯାଅ, ଆଳୁ ଦି କିଲୋ ଆଣିଲେ ରୋଷେଇ ହବ I ସେପଟେ ପିଲାଟାର ଦେହ ଖରାପ ଯେ ଦି ଦିନ ହେଲା ମୁହଁ ରେ ପଥି ଟିକେ ଦେବାକୁ ପଇସା ନାହିଁ I ବାବୁ ଇଆଡ଼େଗପ ଉପରେ ଗପ ଲେଖି ଚାଲିଛନ୍ତି I ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ I

ଯାଅ ଯାଅ …

ସ୍ତ୍ରୀ କୌଶଲ୍ୟା ପାଖରୁ ତାଚ୍ଛଲ୍ୟ ପୁର୍ଣ ବାକ୍ୟ ମାନ ଶୁଣି କାନ ମୁଣ୍ଡ ଝାଇଁ ଝାଇଁ କରୁଥିଲା ରମେଶ ଦାସ ଙ୍କର I ଲେଖକ ଟିଏ ସେ I ଚାକିରୀ କରି ଲେଖିବାକୁ ସମୟ ଅଣ୍ଟିଲାନି ବୋଲି ଚାକିରୀ ଖଣ୍ଡିକ ଛାଡି ଯେଉଁ ଦର୍ପ ରେ ଚାଲିଆସିଥିଲେ ଆଜି ମନ ଘର ଧରି ଗଲାଣି ତାଙ୍କର I ବାପା ଦିନେ କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି “I ଆଜି ଅଙ୍ଗେ ନିଭାଉଛନ୍ତି ସେ I

ମନେ ପଡିଯାଉଥିଲା ସେ ଦିନ ଗୁଡିକ ….

ସ୍କୁଲ ଜୀବନରୁ ଆରମ୍ଭ ହୋଇ ଯାଇଥିଲା ଲେଖାଲେଖି I ଅଷ୍ଟମ ଶ୍ରେଣୀ ରେ ପଢିଲା ବେଳେ ଯେତେବେଳେ ପ୍ରଥମ କରି ଗଳ୍ପ ଟିଏ ଲେଖି ସାଙ୍ଗ ମାନଙ୍କୁ ଦେଖେଇଲେ କିଛି ଖୁସି, କିଛି ଦୁଃଖ, କିଛି ଇର୍ଷା ଆଉ କିଛି ପିଠିଥାପୁଡ଼ା ପାଇ ସେ ମିଶାମିଶି ମନୋରଥ ନେଇ ଫେରିଥିଲେ ଘରକୁ I ଯେତିକି ଉତ୍କଣ୍ଠା ର ସହ ସେ କହିଥିଲେ ସାଙ୍ଗ ମାନଙ୍କୁ ସେତିକି ପ୍ରଶଂସା ନପାଇ ମନ ଭାଙ୍ଗି ଯାଇଥିଲା ତାଙ୍କର I କିଛି ଦିନ ପରେ ପୁଣି ଗଳ୍ପ ଟିଏ ମନ ଭିତରେ ଗୋଳେଇ ଘାଣ୍ଟି ହେଲା I ମନ କୁ ବହୁତ ଚାପି ରଖି ଏଡେଇ ଯାଉଥିଲେ ସେ, କିନ୍ତୁ ଦିନେ ରାତି ଅଧାରେ ଉଠି ଗଳ୍ପ ଟି ରଫ ଖାତାରେ ଲେଖି ସାରିଲା ପରେ ଯାଇ ପୁଣି ଥରେ ନିଦ ହେଲା I ସେଇ ଦିନୁ ଭଲ ପାଇ ଯାଇଥିଲେ ଗଳ୍ପ କୁ I ହେଲେ ଗଣିତ ପିରିୟଡ଼ ରେ ରଫ ଖାତା ରେ ଗଣିତ କଷି ସାର ଙ୍କୁ ଦେଖିବାକୁ ଦେଇ ସେ ହରଡ ଘଣା ରେ ପଡି ଯାଇଥିଲେ I ଭଗବାନଙ୍କୁ ଯେତେ ଡାକିଥିଲେ ବି ଗଣିତ ସାରଙ୍କ ନଜରରୁ ବଞ୍ଚି ପାରି ନଥିଲା ଗଳ୍ପଟି I ସେଦିନ ପିଠିରେ ନୋଳା ଫାଟିଲା ପରେ ଅପର୍ଯ୍ୟାପ୍ତ ଗାଳି ଥିଲା ତାଙ୍କ ପାରିଶ୍ରମିକ I ଦେଖୁ ଦେଖୁ ସ୍କୁଲସାରା ଏ କଥାଟି ରାଷ୍ଟ୍ର ହୋଇ ଯାଇଥିଲା I ସାହିତ୍ୟ ଦିଦି ମଗେଇଥିଲେ ଖାତା ଟି ଦେଖିବା ପାଇଁ I କିନ୍ତୁ ଗପଟି ସେତେବେଳେ କାଗଜ ଟୁକୁରା ରେ ପରିଣତ ହୋଇ ସାରିଥିଲା ରାଗରେ I ରମେଶ କୁ ଦୁଇ ଆଖିରେ ଦେଖି ପାରୁନଥିବା କିଛି ସାଙ୍ଗ, କାଗଜ ଟୁକୁରା ଗୁଡିକୁ ଏକାଠି କରି ଅଠା ରେ ଯୋଡି ସାହିତ୍ୟ ଦିଦିଙ୍କ ପାଖରେ ପହଞ୍ଚେଇଥିଲେ ଆଉ କିଛି ମାଡ଼ ଖୁଏଇବା ଚକ୍ରାନ୍ତରେ I

ଡରି ଡରି ସେ ଯାଇଥିଲେ ଟିଚର କମନ ରୁମ କୁ, ଆଖିରେ ଆଖିଏ ଲୁହ, ଡରରେ ପାଦ ଦୁଇଟି ଚାଲିବାକୁ ଅକ୍ଷମ, ହାତ ଦୁଇଟି ଗାଲ ରୁ ତଳକୁ ଖସିବାକୁ ଅନିଛୁକ ଥିବା ବେଳେ, ସାହିତ୍ୟ ଦିଦି କୋଳେଇ ନେଇଥିଲେ ଆଉ ଚିନ୍ହି ପାରିଥିଲେ ତାଙ୍କ ପ୍ରତିଭା ଟିକୁ I ବାଃ… କି ସୁନ୍ଦର.. କି ମୌଳିକ ଚିନ୍ତାଧାରା… ଅଦ୍ଭୁତ.. ପରି ଶବ୍ଦ ଗୁଡିକ ଆସି ପିଟି ହେଉଥିଲେ କର୍ଣ୍ଣ ଗହ୍ୱରରେ I ନିଜକୁ ବିଶ୍ୱାସ ହେଉ ନଥିଲେ ବି, ଗଣିତ ସାରଙ୍କୁ ଛାଡି ଅନ୍ୟ ସାର ଆଉ ଦିଦି ଙ୍କ ତାଳି ମାଡ଼ରେ ସମ୍ବିତ ଫେରିପାଇଥିଲେ ସେ I ଶିକ୍ଷକ ମାନଙ୍କ ତରଫରୁ ଦୁଇ ଟଙ୍କାର ମୁଢି ମିକ୍ସଚର ଆଉ ଦୁଇଟି ନଡିଆକୋରା ଥିଲା ତାଙ୍କ ପ୍ରାପ୍ୟ ସେଦିନ ର,  ଆଉ ସାହିତ୍ୟ ଅନୁଗାମୀ କରେଇବା ପାଇଁ ତାଙ୍କର ପ୍ରଥମ ଖୋରାକି I କିଛି ଦିନ ପରେ ସ୍କୁଲ ରେ ତାଙ୍କ ନାଁ ହୋଇଥିଲା ଲେଖକ I ଗଣିତ ସାର ତାଚ୍ଛଲ୍ୟ ର ସହ ଲେଖକ ଡାକୁଥିବା ବେଳେ ଅନ୍ୟ ସାର, ଦିଦି ମାନେ କିନ୍ତୁ ଡାକୁଥିଲେ ସ୍ନେହ ର ସହ I ସାହିତ୍ୟ ଦିଦି ସବୁଦିନ କିଛି କିଛି ଲେଖିବାକୁ ପରାମର୍ଶ ବି ଦେଉଥିଲେ ଆଉ ଗପ ଗୋଟିଏ ଲେଖି ଦେଖେଇବା ପରେ ପାରିଶ୍ରମିକ ମିଳୁଥିଲା ଦୁଇଟି ନଡ଼ିଆ କୋରା ଅବା ରାଶି ଲଡୁ I

* * * * * * * * * * * * * * * *

କଲେଜ ମ୍ୟାଗାଜିନ ରେ ରମେଶଙ୍କ ଗପଟି ପ୍ରଥମ ପ୍ରାଇଜ ପାଇଲା ପରେ କେତେ ଝିଅ ଯେ ତାଙ୍କୁ ପ୍ରପୋଜ କରିଥିଲେ ତା ର ହିସାବ ବି ସେ ରଖି ନଥିଲେ I ଏତିକି ମନେଥିଲା ଯେ ସବୁଦିନ ଜଣେ ଦୁଇ ଜଣ ଆସି ଗପ ଟି ବହୁତ ଭଲ ହୋଇଛି କହିବା ଛଳ ରେ ଆଖିରେ ଆଖିରେ ଦେଇ ଯାଉଥିଲେ ପ୍ରେମ ସନ୍ଦେଶ I ଆସ୍ତେ ଆସ୍ତେ ଗପ ଗୁଡିକୁ ସେ ପଠେଇବା ଆରମ୍ଭ କରିଥିଲେ ବିଭିନ୍ନ ମ୍ୟଗାଜିନ, ଦୈନିକ ଖବରକାଗଜ, ସାପ୍ତାହିକି, ମାସିକ ପତ୍ରିକା, ପୂଜା ସଂଖ୍ୟା ପରି ଅନେକ ପତ୍ରିକା କୁ I କିଛି ବାହାରେ ଆଉ କିଛି ବାହାରେନି I ବେଳେ ବେଳେ କିଛି କିଛି ପାରିଶ୍ରମିକ ସହ ସୌଜନ୍ୟ ମୂଳକ କପି ଟିଏ ଆସିଥାଏ ଡାକରେ I ଗପମନସ୍କ ସେ ଏତେ ହୋଇଯାଇଥିଲେ ଯେ ଭୁଲି ଯାଇଥିଲେ ପାଠପଢା, କଲେଜ କ୍ଲାସ, ଟିଉସନ ପରି ଜାଗା ଗୁଡିକୁ I ସମୟ ତାଙ୍କର କଟୁଥିଲା ବିଲ ମଝିରେ, ପୁଷ୍କରିଣୀ କୂଳରେ, କେଉଁ ପଡିଆ ମଝିରେ ଅବା ହଷ୍ଟେଲ ର ଛାତ ଉପରେ I ପ୍ରଥମବର୍ଷ ପରୀକ୍ଷାଫଳ ର ଲଫାପା ଟି କଲେଜ ଅଧ୍ୟକ୍ଷ ଙ୍କଠୁ ଡାକ ରେ ପାଇ, ବାପା ଡକେଇଥିଲେ ତାଙ୍କ ଗୁଣମନ୍ତ ପୁତ୍ରକୁ ଆଉ ପିଠିରେ ଚାରୋଟି ଅମରି ବାଡ଼ି ସହ ଗୁହାଳରେ ଥିବା ପାଞ୍ଚଣ ଟିର ସେଦିନ ଅକାଳ ବିୟୋଗ ଘଟିଥିଲା I ପରଦିନ ସକାଳୁ ବାପା ଡାକିଲେ ସ୍ନେହ ରେ I ପାଖରେ ବସେଇ ବନ୍ଧୁଟିଏ ପରି ବୁଝେଇଥିଲେ ଜୀବନ ର ଗୁଢ ରହସ୍ୟ I କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି”, ଯେତିକି ହେଜିବୁ, ସେତିକି ଉଧେଇବୁ I ଯା, ଆଜିଠୁ ମୁଁ ମଲା ଯାଏ ଆଉ କେବେ ତୋ ଦେହରେ ହାତ ଦେବିନି I ଯାହା ଇଚ୍ଛା ତା କର I କିନ୍ତୁ ଦିନେ ନା ଦିନେ ତୁ ମନେ ପକେଇବୁ ଏ କଥା ଟିକୁ I ଦି ବର୍ଷ ପରେ ବାପା ଚାଲିଗଲେ I ସେ ଗଲା ପରେ ବୋଉର ବାହୁନା ରୁ ସେ ଜାଣିଲେ ଯେ , ସେଦିନ ବାପା ୟାଙ୍କୁ ବାଡେଇ ସାରିଲା ପରେ ଦିନ ସାରା କିଛି ଖାଇ ନଥିଲେ କି ପାଣି ଟୋପେ ବି ପିଇ ନଥିଲେ I ଜୀବନ ରେ ସବୁବେଳେ ହସ ହସ ମୁହଁରେ ଥିବା ବାପା ସେଦିନଠୁ କେମିତି ଉଦାସ ହୋଇ ଯାଇଥଲେ, ମଲା ଯାଏ I

କଲେଜ ଟି ଯେନ ତେନ କରି ପାସ କରିଯାଇଥଲେ ବି ପ୍ରଥମ ରୁ ପାଠ ରେ ଅବହେଳା ତାଙ୍କୁ ଦ୍ଵିତୀୟ ଶ୍ରେଣୀ ରୁ ପ୍ରଥମ ଶ୍ରେଣୀ ଯାଏ ଆସିବାକୁ ଦେଲାନି I ଗ୍ରାଜୁଏଟ ହେଲା ପରେ ବହୁ କଷ୍ଟ ରେ କୁହା ବୋଲା କରି, ମଉସା, ପିଉସା କହି ଚାକିରୀ ଖଣ୍ଡେ ହାତେଇଥିଲେ ସେ I ମାସକୁ ମାସ ପଇସା ଆସିବାରେ ଲାଗିଥିଲା I ଚଳିବାକୁ ଅସୁବିଧା ନଥିଲା I ଗାଁ ବିଲରୁ ଅମଳ ତକ, ମା ର ଖାଇ ପିଇ ବଳୁଥିଲା, ତେଣୁ ୟାଙ୍କ ଉପରେ କିଛି ବର୍ଡନ ନ ଥିଲା I ଏବେ ମନ ପୁଣି ଡାକୁଥିଲା ଗଳ୍ପ ଆଡେ I ବାପାଙ୍କ କହିବା ଅନୁସାରେ ଏବେ ତ ଆଉ କିଛି ଅସୁବିଧା ନାହିଁ I ଖାଲି ସମୟ ତକ ଗଳ୍ପ ଲେଖିବାରେ ଅସୁବିଧା କଣ? ପୁଣି ସେ ପଶି ଯାଇଥିଲେ ଗଳ୍ପ ର ପରିଧି ଆଉ ପରିସୀମା ମାପିବା ପାଇଁ I ଗପ ଲେଖିବା ଆରମ୍ଭ କରିବା ମାତ୍ରେ ୟାଙ୍କର ବାଚାଳାମି କିନ୍ତୁ ଧରି ପାରିଥିଲା ବୋଉ I ଆଉ ଝିଅ ଖୋଜିବା ଆରମ୍ଭ କରି ଦେଇଥିଲା I କିଛି ମାସ ପରେ ବିନା ଆଡମ୍ବର ରେ ବାହାଘର ସରିଯାଇଥିଲା I ସ୍ତ୍ରୀ କୁ ମା ପାଖରେ ଛାଡି ପୁଣି ଥରେ ଚାକିରୀ ଜାଗା ରେ ଗପକୁ ପ୍ରେମିକା ଆଉ ପତ୍ନୀ ହିସାବରେ ସଜେଇ ଆନନ୍ଦ ସାଉଣ୍ଟୁଥିଲେ ରମେଶ ବାବୁ I ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା I କୋଳ କୁ ଛୁଆଟିଏ ନ ଆସିବାରୁ ବୋଉ ର ସମ୍ପା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ସ୍ୱାମୀଙ୍କ ଗଳ୍ପ ଲେଖା ନିଶା କୁ ସ୍ତ୍ରୀ ର ଗଳ୍ପ ପଢା ନିଶା ବଳି ଯାଇଥିଲା I

ମାସକୁ ଥରେ ଘରକୁ ଆସିଲେ ସ୍ୱାମୀ ସ୍ତ୍ରୀ ଗଳ୍ପ ଆଲୋଚନା ସାଙ୍ଗକୁ ନୂଆ ନୂଆ ଗଳ୍ପ ପାଇଁ ପ୍ଲଟ ଖୋଜିବାରେ ରାତି ପାହି ଯାଉଥିଲା I ପ୍ରଥମେ ପ୍ରଥମେ କୌଶଲ୍ୟା, ଗପ କୁ ଭଲ ନ ପାଉଥିଲେ ବି ସ୍ୱାମୀଙ୍କ ମନଦୁଃଖ ହେବ ବୋଲି ଭାବି ଆଦରି ନେଇଥିଲେ ଗଳ୍ପ ର ଆଲୋଚନା କୁ ଆଉ ଉତ୍ଫୁଳିତ ହେଉଥିଲେ ସ୍ୱାମୀଙ୍କ ଖୁସି ଦେଖି I ଆସ୍ତେ ଆସ୍ତେ ସେ ବି ଟାଣି ହେଇ ଯାଇଥିଲେ ଗପ ର ବଳୟ ଭିତରକୁ ଯେଉଁଠି ସେ ଖୋଜି ପାଉଥିଲେ ଅନ୍ୟ ଏକ ଦୁନିଆଁ ନୀତିଦିନ ପ୍ରତିକ୍ଷଣରେ I ଯେତିକି ଯେତିକି ଭିତରକୁ ଭିତରକୁ ଯାଉଥିଲେ ସେତିକି ସେତିକି ସେ ଦେଖିବାକୁ ପାଉଥିଲେ ଅନ୍ୟ ଏକ ସଂସାର ଯେଉଁଠି ନା ଅଛି ଜଞ୍ଜାଳ, ନା ଅଛି ଭଲ ପାଇବା, ନା ଅଛି ସ୍ନେହ, ନା ଅଛି ରାଗ ରୁଷା I ଅଛି ତ ସବୁ କିଛି କିନ୍ତୁ  ସ୍ବପ୍ନ ର ଦୁନିଆଁ ରେ ଏବଂ କିଛି କ୍ଷଣ ପାଇଁ I ବହିରୁ ମୁହଁ ଉଠେଇଲେ ହଜି ଯିବ ସବୁକିଛି ପୁଣି ମୁହଁ ଫେରେଇଲେ ଫେରି ଆସିବ ସବୁକିଛି I ବାଃ… କି ସ୍ୱପ୍ନିଳ ଏ ଦୁନିଆଁ I ଖୁବ ବଢିଆ… I

ଶାଶୁଙ୍କ ସମ୍ପାକଟା ପରେ କୌଶଲ୍ୟା ଫେରି ଯାଇଥିଲେ କଳ୍ପନା ରୁ ବାସ୍ତବ ଜୀବନକୁ ପୁଣି ଥରେ ଆଉ ଲାଗିଯାଇଥିଲେ ସଂସାର ର ନିୟମ ବଞ୍ଚେଇବା ପାଇଁ I କୋଳକୁ ପିଲା ଟିଏ ଆସିବା ପରେ, ତାଙ୍କ ସ୍ବପ୍ନ ବଦଳି ଯାଇଥିଲା I ଜଞ୍ଜାଳ ବଢି ଯାଇଥିଲା I ଭଲ ପାଇବା ଓ ରାଗ ରୁଷା ପ୍ରାକୃତିକ ହୋଇ ଯାଇଥିଲା ଆଉ ସେ ଜାଣି ପାରୁଥିଲେ ଏ ଦୁଇଟି ଭିତରେ ପାର୍ଥକ୍ୟ I ରମେଶ ବାବୁ କିନ୍ତୁ ବାହାରି ପାରି ନଥିଲେ ସେ ଦୁନିଆଁ ରୁ I ଏତେ ଦିନ ଧରି ଯିଏ ନିଶାଗ୍ରସ୍ତ କରି ରଖିଛି ସେ କଣ ଛାଡ଼ିଯିବ ଏତେ ଶୀଘ୍ର?

ଘରେ ଖାଇବା ପିଇବାର ଅଭାବ ନଥିଲା I ଚାକିରୀ ପଇସା ରେ ନିଜେ ଚଳି ଅଳ୍ପ କିଛି ସଞ୍ଚୟ ମଧ୍ୟ ହେଉଥିଲା I ଗଳ୍ପ ଲେଖା ର ନିଶା ଆସ୍ତେ ଆସ୍ତେ ବଢି ବଢି ଚାଲିଥିଲା ଆଉ ସମତାଳ ରେ ବଢି ଚାଲିଥିଲା ବହିଟିଏ ଛପେଇବାର ଜିଜ୍ଞାସା I ଘରେ ନ ଜଣେଇ ନିଜର ସଞ୍ଚିତ ଅର୍ଥ ସହ ଆଉ କିଛି ହାତ ଉଧାରୀ ପରେ ଆରମ୍ଭ ହୋଇଥିଲା ବହି ସଂକଳନ ର କାର୍ଯ୍ୟ I ଯେତେ ପତ୍ର ପତ୍ରିକା ରେ ବାହାରିଲେ ମଧ୍ୟ ନାମୀ ଦାମୀ ଲେଖକ ନହେଲେ ବହି ଟିଏ ଛାପିବା କେତେ ଯେ କଷ୍ଟକର କାର୍ଯ୍ୟ ଏ କଥା ଆସ୍ତେ ଆସ୍ତେ ସେ ବୁଝି ପାରୁଥିଲେ I ଏତେ ଧାଁ ଦଉଡ ଭିତରେ ଅଫିସ କାର୍ଯ୍ୟ ରେ ବିଳମ୍ବ ଘଟୁଥିଲା ଆଉ ଗୋଟେ ପରେ ଗୋଟେ ନୋଟିସ ଆସି ପହଞ୍ଚୁ ଥିଲା ତାଙ୍କ ଟେବୁଲ ଉପରେ I କିନ୍ତୁ ସବୁ କୁ ଅଣଦେଖା କରି ସେ ଚାଲିଥିଲେ ନିଜ ସ୍ବପ୍ନ ରେ I ଶୋଇ ଶୋଇ ମୁକ୍ତ ଆକାଶ ରେ ଇନ୍ଦ୍ରଧନୁ ବିଛାଉଥିଲେ ତ କେବେ କେବେ ଅମାବାସ୍ୟାର ଅନ୍ଧକାର ରେ ମଧ୍ୟ ତାଙ୍କୁ ଇନ୍ଦ୍ରଧନୁ ଦେଖା ଯାଉଥିଲା I କହିବା ବାହୁଲ୍ୟ ତାଙ୍କ ବହି ଟିର ନାଁ ଥିଲା “ଇନ୍ଦ୍ରଧନୁ” I

କାଳ ର କରାଳ ରୂପ ରୁ କେହି କେବେ ବଞ୍ଚି ନାହିଁ କି ବଞ୍ଚିବ ନାହିଁ I ବେଳେ ବେଳେ ଏମିତି ସମୟ ଆସେ ଯାହାକୁ ଜ୍ୟୋତିଷ ଶାସ୍ତ୍ର ରେ କହନ୍ତି ଶନିଦଶା I ଏପରିକି ଗାଁ ଗହଳି ରେ ଜଣେ ଅନ୍ୟ ଜଣଙ୍କୁ ଅଭିଶାପ ଦେବା ଛଳ ରେ ବି କହନ୍ତି ତୋତେ ଶନିଦଶା ପଡୁ I ଏହିପରି କିଛି ସମୟ ଆସିଲା ବୋଧେ I ଅଫିସ ରେ କାର୍ଯ୍ୟ ରେ ଅବହେଳା ଯୋଗୁଁ ତାକୁ ଚତୁର୍ଥ ନୋଟିସ ବି ଆସି ସାରିଥିଲା I ପରେ ପରେ ବଡ଼ବାବୁଙ୍କ ସହୃଦୟତା ଓ ତାଙ୍କ ଦୂର ସମ୍ପର୍କୀୟ ଶଳା ପ୍ରେମ ପାଇଁ ୟାକୁ ଚାକିରୀ ଖଣ୍ଡିକ ହରେଇବାକୁ ପଡିଥିଲା I ୟାଙ୍କ ଜାଗାରେ ନିଯୁକ୍ତି ମିଳିଥିଲା ବଡ ବାବୁଙ୍କ ଦୂର ସମ୍ପର୍କୀୟ ଶଳା କୁ I ଚାକିରୀ ଖଣ୍ଡିକ ଛାଡି ବୀର ଦର୍ପ ରେ ଚାଲିଆସିଥିଲେ I “ଗାଁ ରେ ଚାଷ ତ ଅଛି, ବହି ଖଣ୍ଡିକ ବାହାରି ଗଲେ ପଇସା ଆସି ଯିବନି? ଯେତେ ଚେଷ୍ଟା କଲେ ବି ଏମାନେ ମୋର କିଛି କରି ପାରିବେନି I ଗାଁ ଜମି ରୁ ମିଳୁଥିବା ଖୋରାକି ରେ ମା, ଛୁଆ ଚଳିଯିବେ” I ଏ ପ୍ରକାର ମନୋବୃତି ନେଇ ବଡ଼ବାବୁଙ୍କୁ ଦି ପଦ କଡା କଥା ବି ଶୁଣେଇବାକୁ ବି ପଛେଇ ନଥିଲେ I ଫଳରେ ତାଙ୍କ ସାର୍ଟିଫିକେଟ ରେ ଲାଗିଥିଲା ନାଲି ଗାର ଓ ପରେ ବହୁତ ଚେଷ୍ଟା ପରେ ବି ଚାକିରୀ ଖଣ୍ଡିଏ ମିଳିନଥିଲା ଆଉ କେଉଁଠି I

କୁହନ୍ତି ଶନି ଯଦି ଆଖି ପକେଇଲା ତଳିତଳାନ୍ତ କରି ଛାଡିବା କଥା ଛାଡିବ I ବିପଦ ଯେତେବେଳେ ଆସେ ସେ ତା ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ଧରି ଆସେ I ବାଡ଼ିକି ଶୌଚ ହେବା ପାଇଁ ଯାଇଥିବା ବୋଉ, ଝୁଣ୍ଟି ପଡି ପ୍ରାଣ ହରେଇ ଥିଲା I ବୋଉ ର ଦଶାହ ସାରି ଫେରିଲା ବେଳକୁ ବହି ଛାପିବାକୁ ଟଙ୍କା ନେଇଥିବା ପ୍ରେସ ଟି ସବୁଦିନ ପାଇଁ ବନ୍ଦ ହୋଇ ସାରିଥିଲା ଓ ପ୍ରେସ ମାଲିକ ଅନ୍ୟୁନ ପଚାଶ ସରିକି ଲୋକଙ୍କ ଠାରୁ ପଇସା ଧରି ଚମ୍ପଟ ମାରିଥିଲା I ଏପଟେ ଉଧାର ଆଣିଥିବା ଲୋକ ମାନେ ଏ ସବୁ ଜାଣିବା ପରେ, ପଇସା ବୁଡିଯିବା ଭୟରେ ତାକୁ ଉଠେଇ ବସେଇ ବି ଦେଉ ନଥିଲେ I ଯାହା ଫଳରେ ତାକୁ ବିକ୍ରି କରିବାକୁ ପଡିଥିଲା ସ୍ତ୍ରୀ ର ଗହଣା I

ସ୍ତ୍ରୀ ଲୋକ ସବୁ ସହିବେ କିନ୍ତୁ ତା ସ୍ୱାମୀ ଓ ତା ଗହଣା ଉପରେ ଆଖି ପକେଇଥିବା ଲୋକ କୁ ସହିବେନି I ସ୍ୱାମୀ ଉପରେ ଆଖି ପକେଇଥିବା ସ୍ତ୍ରୀ ଲୋକ ଆଉ ଗହଣା ଉପରେ ଆଖି ପକେଇଥିବା ସ୍ୱାମୀ ଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ I ଗହଣା ବିକ୍ରି ହେବା ପରଠୁ, ଏବେ ଯାଏ ମନ ଭିତରେ  ଭଲ ପାଉଥିବା ଗଳ୍ପ କୁ ସବୁ ଦୋଷ ମୁଣ୍ଡେଇବାକୁ ପଡିଥିଲା ଆଉ କୌଶଲ୍ୟା? ଗପବହି, ପତ୍ର ପତ୍ରିକା କୁ ନିଜ ସଉତୁଣୀ ତୁଲ୍ୟ ମନେ କରୁଥିଲେ I ସମୟାନୁକ୍ରମେ ରେ କୌଶଲ୍ୟା ଓ ପୁଅ ଆସି ସାରିଥିଲେ ସହର କୁ I ଘରଭଡା ପଇସା ଅଧିକ ହେବାରୁ ରହିବାକୁ ପଡୁଥିଲା ସହର ତଳି ବସ୍ତି ରେ I ଗାଁ ର ଜମି ବାଡ଼ି ଆସ୍ତେ ଆସ୍ତେ ବିକ୍ରି ହେବାକୁ ବସିଥିଲେ ଓ ଦୁଇ ଦିନ ତଳେ ଦେହ ଖରାପ ହୋଇଥିବା ପୁଅ ପାଟିରେ ଔଷଧ ଟିକେ ଦେବା ପାଇଁ ପଇସା ନଥିଲା I

କୌଶଲ୍ୟା ର କିଳିକିଳା ରଡି ରେ ଧ୍ୟାନ ଭାଙ୍ଗିଲା ରମେଶ ବାବୁଙ୍କର, “କାଇଁ ସେଠି ଖୁଣ୍ଟ ଟା ପରି ଠିଆ ହୋଇଛ ଶୁଣେ? ଯାଅ, ଆଳୁ ଟିକେ ଆଣ I ଆସିଲା ବେଳେ ପୁଅ ର ଔଷଧ ବି ଧରିକି ଆସିବ” I କୌଶଲ୍ୟାଙ୍କ କଥା ଏ କାନ ରେ ପଶି ଆର କାନ ରେ ବାହାରି ଗଲା I ପଇସା ଥିଲେ ସିନା ଆଳୁ ଆଉ ଔଷଧ ଆଣିବେ I ପାଖରେ ଟଙ୍କାଟେ ନାହିଁ I ନିଧି ଦୋକାନ ରୁ ସଉଦା ବାକି ରେ ଆସୁଛି I ଦି ମାସ ହେଲା ପଇସା ଦିଆ ହେଇନି ବୋଲି ସେ ଗର ଗର ହଉଛି I ହାଟ ରେ ଯାହା ୫ ଟଙ୍କା ନିଧି ଦୋକାନ ରେ ୭ I ତଥାପି ତାଠୁ ନ ଆଣିଲେ ନ ଚଳେ I ପଇସା କଉ ଅଛି ଯେ ଛାତି ଫୁଲେଇ ହାଟ ରୁ ବ୍ୟାଗ ଭର୍ତି ପରିବା ଆଣିବେ I ଭାବି ଭାବି ହାତରେ ବ୍ୟାଗ ଖଣ୍ଡିକ ଧରି ଘରୁ ବାହାରି ଗଲେ I ବାଟରେ ପଡେ ଚା ଦୋକାନ I ଚା ଦୋକାନ ରେ ରମେଶ ବାବୁଙ୍କର ଭଲ ନାଁ ଡାକ I ଚା ଦୋକାନୀ ଆଉ ଦି ଚାରିଜଣ ବୁଢା ୟାଙ୍କର ସବୁ ଦିନିଆ ଗ୍ରାହକ I ବାଟରେ ଗଲା ଆଇଲା ଲୋକ ବି, ଦି ଘଡି ଠିଆ ହୋଇ ଯାଆନ୍ତି ଗପ ରୁ ଫାଳେ ଅଧେ ଶୁଣିବା ପାଇଁ I ଯାଉ ଯାଉ ଚା ଦୋକାନ ପାଖରେ ଅଟକି ଗଲେ I କିଛି ନହେଲେ ଚା କପେ ଆଉ ସିଗାରେଟ ଦି ଖଣ୍ଡ ତ ମାଗଣା ରେ ମିଳି ଯିବ I ସକାଳୁ ସିଗାରେଟ ଖଣ୍ଡେ ବି ଟାଣି ନାହାନ୍ତି I ଲେଖକ ମାନଙ୍କର କିଛି ନ ହଉ ପଛେ ସିଗାରେଟ ଟିଏ ଲୋଡ଼ା I ନହେଲେ ମୁଣ୍ଡରେ ପଶେନି କିଛି I ଏକା ଏକା ବସି ଭାବିଲା ବେଳେ ସିଗାରେଟ ଖଣ୍ଡେ ଟାଣି ଦେଲେ ଭଲ ଲେଖି ହୁଏ I ଅଭ୍ୟାସ ଟା ରହି ଯାଇଛି I ଏବେ ପଇସା ନାହିଁ ବୋଲି ବିଡି ଖଣ୍ଡେ ଖଣ୍ଡେ ଚଳେ I ହେଲେ ନିଧି ତ କାଲି ସଫା ସଫା ଶୁଣେଇ ଦେଲା, “ପୁରୁଣା ପଇସା ଦବ ତ କାଲିଠୁ ଆସିବ, ନହେଲେ ତମ ପରି ଗ୍ରାହକ ଦରକାର ନାହିଁ ମୋତେ ” I ଶକ୍ତ ଧକ୍କା ଟିଏ ଲାଗିଲା I ପାଖରେ ପାଞ୍ଚ ଲୋକ ଠିଆ ହୋଇଛନ୍ତି I ଏମିତି କହିବାଟା କଣ ଠିକ? ବିଡି ଦିଆସିଲି ନ ନେଇ କି ପଳେଇ ଆସିଲେ ସେ I ଆଉ ଆଜି, କେମିତି ଯିବେ ତା ଦୋକାନ କୁ ଆଳୁ ଆଣିବା ପାଇଁ? କେଉଁ ମୁହଁ ରେ? ଚା ଦୋକାନ ପାଖରେ କିଛି ସମୟ ବିତେଇ ଦେଲେ, ବେଳ ଗଡି ଗଲାଠୁ ଯିବେ ଘରକୁ I କୌଶଲ୍ୟା ଦି ପଦ ଶୁଣେଇବ ପଛେ, ପଡୋଶୀ ଠୁ ମାଗି ଯାଚି କିଛି ଖାଇବା ରୋଷେଇ କରି ସାରିଥିବ I ଏପଟେ ଗାଁ ଜମି ଦି ଖଣ୍ଡ ବିକ୍ରି ହେଇ ପାରୁନି, ନହେଲେ କିଛି ଦିନ ଦୁଃଖେ କଷ୍ଟେ ଚଳି ଯାଆନ୍ତା I

ଭାବୁ ଭାବୁ ଚା ଦୋକାନ ରେ ପହଂଚି ସାରିଥିଲେ I ଦୋକାନୀ ଚା ଗ୍ଲାସ ଟିଏ ବଢ଼େଇ ଦେଲା I ସେ କେବେ ପଇସା ମାଗେନି I କେବଳ ଅନୁରୋଧ କରେ ଗପଟିଏ ଶୁଣାଅ I ସେ ବି ଜାଣେ, ଚା ଗ୍ଲାସେ ସିନା ମାଗଣା ରେ ଯିବ, କିନ୍ତୁ ଗପ ଶୁଣିବାକୁ କିଛି ନହେଲେ ବି ୧୫-୨୦ ଲୋକ ଆସିବେ I ଆଉ ସମସ୍ତେ ଚା ସିଗାରେଟ ଖାଇବେ I ତା’ ର ହିଁ ଲାଭ I ବାବୁଙ୍କୁ ବି ଭଲ I ଗପ ରୁ ଆଉ କିଛି ମିଳୁ ନ ମିଳୁ ସକାଳୁ ସନ୍ଧ୍ୟା ରେ ଚା ଦି କପ ଆଉ ଗପ ଶୁଣାଉ ଶୁଣାଉ, ଶ୍ରୋତାଙ୍କ ଦୟା ରୁ ସିଗାରେଟ ଦି, ଚାରି ଖଣ୍ଡ ମିଳିଯାଏ I ବେଳେ ବେଳେ ରାତି ପାଇଁ ଖଣ୍ଡେ ଦିଖଣ୍ଡ ବି ବଳେ I ଚା ଗ୍ଲାସ ଟି ବଢ଼େଇ ଦେଇ ଦୋକାନୀ ଚିରାଚରିତ ଢଙ୍ଗ ରେ ଅନୁରୋଧ କଲା ଗୋଟିଏ ଭଲ ଗପ ଶୁଣେଇବା ପାଇଁ I ମଳୁ ଖୋଜୁଥିଲା ଯାହା ବଇଦ ବତେଇଲା ତାହା ନ୍ୟାୟ ରେ ରମେଶ ବାବୁଙ୍କୁ ବି ମଉକା ମିଳିଗଲା I କହିଦେଲେ ଆଜି ଗୋଟେ ନୁହଁ ତିନିଟା ଗପ ଶୁଣେଇବି I ବୁଢା ଶ୍ରୋତା ଓ ଆଖପାଖ ଲୋକ ମାନେ ବି ବଢିଆ ବଢିଆ କହି ଘେରି ଗଲେ I ଡାହାଣ ହାତରେ ଚା ଓ ବାମ ହାତରେ ସିଗାରେଟ ଖଣ୍ଡେ ଧରି ବାବୁ ଆରମ୍ଭ କଲେ ଗପ କହିବା I ବାଃ ବାଃ.. ବଢିଆ ବଢିଆ.. ତାପରେ.. ସେଠୁ.. ଆହଃହ.. କଣ କଲାସେ.. ହଉ ହଉ.. ପରି ଶବ୍ଦ ଗୁଡିକ ଗୁଂଜରିତ ହେବାକୁ ଲାଗିଲେ ଓ ଶ୍ରୋତା ଙ୍କ ସଂଖ୍ୟା କେତେ ବେଳେ କମ ତ କେତେ ବେଳେ ବେଶୀ ହେବାକୁ ଲାଗିଲେ I

ଆସ୍ତେ ଆସ୍ତେ ସମୟ ବିତି ଚାଲିଲା I ଦିନ ଗୋଟେ ବାଜି ଦି ଟା ବାଜିବାକୁ ବସିଲାଣି କିନ୍ତୁ ବାବୁଙ୍କ ଗପ ସରୁ ନଥାଏ I ଶ୍ରୋତା ମାନେ ବି ଗୋଟେ, ଯୋଡ଼େ, ଫାଳେ, ଚଉଠେ ଗପ ଶୁଣି କିଛି କିଛି ମନ୍ତବ୍ୟ ଦେଇ ଯାଇ ସାରିଲେଣି I ଜଣେ ଦି ଜଣଙ୍କୁ ଛାଡିଦେଲେ ଆଉ କେହି ନଥାନ୍ତି ସେଠି I ଚା ଦୋକାନୀ ମନ ବି ଖୁସି I ବଢିଆ ବେପାର ହେଇଛି ଆଜି I ସକାଳୁ ସନ୍ଧ୍ୟା ଯାଏ ଦଶ ଲିଟର କ୍ଷୀର ର ଚା ସରୁ ନଥିବା ବେଳେ ଆଜି ଗୋଟେ ଓଳି ରେ ପନ୍ଦର ଲିଟର ସରିଛି I ଖୁସି ରେ ସେ ଆଉ ଦି ଖଣ୍ଡ ସିଗାରେଟ ବଢ଼େଇ ଦେଲା I ଆଗରୁ ଶ୍ରୋତା ମାନେ ଦେଇଥିବା ସିଗାରେଟ ରୁ ଦି ଖଣ୍ଡ ବଳିଥିଲା ଆଉ ଏବେ ଦି ଖଣ୍ଡ ମିଶେଇ ବାବୁ ଚାରିଖଣ୍ଡ ସିଗାରେଟ ଧରି, ସେଦିନ ର ଖବର କାଗଜ ଟି ଚା ଦୋକାନୀ ଠୁ ମାଗି ଘରକୁ ଯିବାକୁ ବସିଲେ I ଖବର କାଗଜ ଟି ଆଡଉ ଆଡଉ ଦେଖିଲେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ I ତାଙ୍କର ଆଜି ଏ ଦଶା ପାଇଁ ସାହିତ୍ୟ ଦିଦି ହିଁ ଦାୟୀ ବୋଲି ଭାବି, ଭାରି ରାଗ ଲାଗୁଥିଲା ତାଙ୍କୁ ସାହିତ୍ୟ ଦିଦିଙ୍କ ଉପରେ I ପାଖରେ ଥିଲେ ଶୁଣେଇ ଥାନ୍ତେ, “ଦିଦି, ସାହିତ୍ୟ ରେ ପେଟ ପୂରେନି ” I

ଏତେ ସମୟ ଧରି ନଥିବା ଚିନ୍ତାଟା ପୁଣି ମାଡି ବସିଲା I କଣ କହିବ କୌଶଲ୍ୟା? ରାଗି ତ ଯାଇଥିବ I ରୋଷେଇ କଣ କରିଥିବ? ପଡୋଶୀ ମାନଙ୍କୁ ଠୁ ବି କେତେ ଆଣିବ? ଯଦି କେହି କିଛି ଦେଇ ନଥିବେ ତେବେ? କାଲି ତ କୌଶଲ୍ୟା କହୁଥିଲା ମଳିକ ଘରକୁ ଯାଇଥିଲା ଚିନି ଟିକେ ପାଇଁ ଯେ ସେମାନେ ନାହିଁ କହି ଫେରେଇ ଦେଲେ I ହଉ ଦେଖାଯାଉ I ଘରେ ପହଞ୍ଚେ I ଯାହା ହବା କଥା ହବ I ଆଉ କଣ? ଆସ୍ତେ ଆସ୍ତେ ସେ ଘରମୁହାଁ ହେଲେ I ଯେତେ ଯେତେ ଘର ପାଖକୁ ଆସୁଥାନ୍ତି ଆଶଙ୍କା ସେତେ ସେତେ ବଢି ବଢି ଚାଲି ଥାଏ I ଦୋଷୀଟିଏ ପରି ମୁହଁ ତଳକୁ କରି ଚାଲିଥାନ୍ତି I ଘର ପାଖରେ ପହଂଚି, ଘର ବାହାରେ ଦୁଇ ହଳ ଜୋତା ଦେଖି ସେ ଚମକି ପଡିଲେ I କିଏ ଆସିଛି ? ଧାର ଉଧାର ଟଙ୍କା ତ ସେ ସୁଝି ସାରିଛନ୍ତି I ଆଉ କିଏ? କୁଣିଆ ମୈତ୍ର ନ ଆସନ୍ତୁ କେହି ଏ ସମୟ ରେ I ଭଗବାନଙ୍କୁ ହାତ ଯୋଡି ଯୋଡି, ଭୟ ଓ ଆଶଙ୍କା ରେ ଆତଙ୍କିତ ମନ ନେଇ ସେ ଘର ଭିତରେ ପଶିଲେ I

* * * * * * * * * * * * * * * * * * *

ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ,  ବିରକ୍ତ ହେଇ କୌଶଲ୍ୟା ବାହାରି ଗଲେ ପାଖ ଘରୁ ଆଳୁ ଦୁଇଟି ଆଣିବା ପାଇଁ I ରାଗ ରେ ଗର ଗର ହେଉଥାନ୍ତି I କେମିତିଆ ମଣିଷ ୟେ କେଜାଣି? ଯେଉଁଠି ଠିଆ ହେଇଥିବେ ହେଇଥିବେ, ଗପୁଥିବେ ତ ଗପୁଥିବେ I ପୁଅ ମାଈପ ମନେ ପଡନ୍ତି ନାହିଁ ସେତେବେଳେ I ଏମିତି ମଣିଷ ବାହା ନ ହେବା ଭଲ I ବାହା ହେଇ ଆଉ ଦୁଇଟି ଜୀବନ କୁ ହନ୍ତସନ୍ତ କରିବ କିଆଁ? ଅଭିଆଡା ରହି ଯାହା କରିବା କଥା କରୁନ I କିଏ ପଚାରୁଛି ନା କାହାର କଣ ଯାଉଛି? ରାଗରେ ପାଚି ଲାଲ ହୋଇଯାଇଥିଲେ ସେ I ଆସନ୍ତୁ ଆଜି, ଆଜି ତାଙ୍କର ଦିନେ କୁ ମୋର ଦିନେ I ଆଜି ହିଁ ପଳେଇବି ମୋ ବାପ ଘରକୁ I ୟାଙ୍କ ସହ ଆଉ ଚଳି ହବନି I ଆଳୁ ଦିଟା ପଡିସା ଘରୁ ପାଇବା ପରେ ମନ ଟିକେ ଶାନ୍ତ ହେଲେ ବି ରାଗ କମି ନଥିଲା I ଘରକୁ ଆସି ଭାତ ଫୁଟୁଥିବା ପାଣି ରେ ଆଳୁ ଦୁଇଟି ସିଝେଇବା ପାଇଁ ଛାଡିଦେଲେ I ସେପଟେ ଡାଲି ବଘାରିବା ପାଇଁ ଯିବା ବେଳେ କବାଟ ରେ କାହାର କରାଘାତ ଶୁଣି, ହାତରେ ଡ଼ାଲିଚଟୁ ସହ କବାଟ ଖୋଲିବାକୁ ଆସିଲେ I ରାଗ ଆଉ ବିରକ୍ତି ମିଶା ମୁହଁ ରେ ସ୍ୱାମୀଙ୍କୁ କଣ କହି ଭର୍ଚ୍ଛନା କରିବେ ତାହା ବି ଭାବି ସାରିଥିଲେ ଏତିକି ସମୟ ଭିତରେ I କିନ୍ତୁ କବାଟ ଖୋଲିଲା ପରେ ଆଉ ଦୁଇ ଜଣ ଲୋକଙ୍କୁ ଦେଖି ଟିକେ ହଡ଼ବଡେ଼ଇ ଗଲେ I

ଆଶ୍ଚର୍ଯ୍ୟ ଆଖିରେ ସେମାନଙ୍କୁ ଚାହିଁ ଆଖିର ଇସାରା ରେ କିଏ? କଣ ଦରକାର? ବୋଲି ପଚାରିଲେ I

ଆଗନ୍ତୁକ ଦୁଇଜଣଙ୍କ ଭିତରୁ ଜଣେ ପଚାରିଲା, ” ଆଛା, ଏଇଟା ଲେଖକ ରମେଶ ଦାସ ଙ୍କ ଘର କି?”

ଲେଖକ ଶବ୍ଦ ଟି ଶୁଣି ପୁଣି ଥରେ ତାଙ୍କ ଆଖି ତାଳୁ ଉପରକୁ ଉଠିଗଲା ଓ ମନକୁ ମନ ପାଟିରୁ ବାହାରି ଗଲା “କେତେ ନେଇଛନ୍ତି ତମଠୁ? ମୋତେ ତ କହୁଥିଲେ ସବୁ ପଇସା ସୁଝି ଯାଇଛି I ମୋ ଗହଣା ସବୁ ବିକି ଭାଙ୍ଗି ସୁଝି ସାରିଛନ୍ତି I ସେ ନାହାନ୍ତି ଏବେ I ପରେ ଆସିବ I”

ଏକ ନିଶ୍ୱାସ ରେ ଏତକ କହି ସାରି ସେ ଅନେଇଲେ ଆଗନ୍ତୁକ ଦୁଇଜଣ ଙ୍କୁ I

“ନା, ନା , ଆମେ ପଇସା ନେବାକୁ ନୁହଁ, ଦେବାକୁ ଆସିଛୁ”

ଚୁଲି ନିଆଁ ରେ ପାଣି ପଡିଲା ପରି ଥମ କରି ରହିଗଲେ କୌଶଲ୍ୟା ଦେବୀ I ଏତେବେଳେ ସେ ଆବିଷ୍କାର କଲେ ଯେ, ଆଗନ୍ତୁକ ଦୁଇଜଣଙ୍କ ବେଶ ଭୁଷା ଖୁବ ବଡ ଲୋକ ପରି I ହାତ ରେ ସୁନା ର ବଳା I ବେକ ରେ ସୁନାଚେନ I ପେଣ୍ଟ ସାର୍ଟ ସୁନ୍ଦର I ପ୍ରଚୁର ଧନୀ ଘର ପିଲା ପରି ଲାଗୁଛନ୍ତି I ବୟସ ୨୮-୩୦ ଭିତରେ ହେବ I କଣ କରିବେ କିଛି ଭାବି ନ ପାରି ସେ “ଆସ ଆସ ଭିତରକୁ ଆସ, ସେ ଏଇ ଆସୁଥିବେ କହି” ଘର ଭିତରେ ତେଲ ମାଡି କଳା ପଡି ଯାଇଥିବା କାଠ ଚୌକି ଦୁଇଟିକୁ କାନିରେ ପୋଛି ପକେଇଲେ I ଆଗନ୍ତୁକ ଦୁଇଟି ବାହାରେ ଜୋତା ଖୋଲି ଭିତରକୁ ଗଲେ I କୌଶଲ୍ୟା ଦେବୀ ପାଣି ଦି ଗ୍ଲାସ ଦି ଜଣଙ୍କୁ ଦେଇ ଅପେକ୍ଷା କରି ରହିଲେ ଜାଣିବା ପାଇଁ ଯେ, ଏମାନେ କିଏ? କଣ ପାଇଁ ପଇସା ଦେବେ?

ଆଗନ୍ତୁକ ଦୁଇଜଣ ପାଣି ଢୋକେ ଢୋକେ ପିଇ କେଉଁଠୁ ଆରମ୍ଭ କରିବେ? କଣ କହିବେ? ଭାବୁ ଭାବୁ ରମେଶ ବାବୁ ମୁଣ୍ଡରେ ମୁଣ୍ଡେ ଚିନ୍ତା ଧରି ଘର ଭିତରେ ପ୍ରବେଶ କଲେ I ନମସ୍କାର ଦିଆ ନିଆ ପୂର୍ବକ କାର୍ଯ୍ୟକ୍ରମ ସରିଲା ପରେ ରମେଶ ବାବୁ ଓ କୌଶଲ୍ୟା ଅପେକ୍ଷା କରିଥାନ୍ତି ଆଗନ୍ତୁକ ଦୁଇ ଜଣଙ୍କ ପରିଚୟ କୁ I ସେମାନଙ୍କ ଭିତରୁ ଜଣେ ପକେଟ ରୁ ବାହାର କଲା ଚାରି ଚଉତା ଜେରକ୍ସ କାଗଜ ଖଣ୍ଡେ ଆଉ ରମେଶ ବାବୁଙ୍କ ହାତ କୁ ବଢ଼େଇ ଦେଲା I ରମେଶ ବାବୁ କାଗଜ ଟି ଧରି ଆମୁଳଚୁଳ ପଢି ଗଲେ I ଏହା ତ କଲେଜ ଟାଇମ ରେ ସେ ଲେଖିଥିବା ଗଳ୍ପ ଗୋଟିଏ I ଗଳ୍ପ ର ନାଁ ଦେଇଥିଲେ “ବରା” ଯାହା କି ଏକ ଖବର କାଗଜ ରେ ପ୍ରକାଶିତ ହୋଇଥିଲା ଆଉ ସତେବେଳ ଟାଇମ ରେ ସବୁଠୁ ଅଧିକ ପାରିଶ୍ରମିକ ଦେଇଥିଲା ଏହି ଖବରକାଗଜ ଟି I

ମନେ ପକାଉଥିଲେ ରମେଶ ବାବୁ I କଲେଜ ସାଙ୍ଗମାନେ ଯାଇଥାନ୍ତି ବାଙ୍ଗାଲୋର I ସକାଳୁ ସକାଳୁ ଜଳଖିଆ ଖାଇବାପାଇଁ ବହୁତ ଅସୁବିଧା ହୋଇଥିଲା ଆଉ ସେ ବାଙ୍ଗାଲୋର ରୁ ଫେରି ଲେଖିଥିଲେ “ବରା” ଗଳ୍ପ ଟି I ଗଳ୍ପ ଟି ଥିଲା ଏହିପରି …

ବରା

ଗରିବ ପିଲାଟିଏ ବୁଲୁ I ବୟସ ୨୦-୨୨ ଭିତରେ ହେବ I ଗାଁ ରେ ବୁଲାବୁଲି କରେ I ବେଳେବେଳେ କାଳିଆ ଦୋକାନ ରେ ବସେ I କାଳିଆ ତା ସାଙ୍ଗ I ଗାଁ ଛକ ରେ ବରା ଛାଣେ I ବୁଲୁ ବି ଦେଖି ଦେଖି ତାଠୁ କିଛି କିଛି ଶିଖିଛି I ବାପା ମା ମରିଗଲା ପରେ ପିଉସୀ ପୁଅ ଭାଇ ସହ ପଳେଇଲା ବାଙ୍ଗାଲୋର I କିଛି ଦିନ ଭାଇ ପାଖେ ରହି ଏଆଡ଼େ ସିଆଡେ ବୁଲା ବୁଲି କଲା ପରେ ନିଜେ କିଛି କରିବା ପାଇଁ ଚିନ୍ତା କଲା I ଭାଇକୁ କହି କିଛି ଟଙ୍କା ଉଧାରୀ ଆଣି ସେ ରହୁଥିବା ଜାଗା ରେ ବରା ଛାଣି ବିକ୍ରି କରିବାକୁ ଲାଗିଲା I ପ୍ରଥମେ ପ୍ରଥମେ ଘରେ ବରା ଛାଣି ସାଇକେଲ ରେ ଢାବଲ ବାନ୍ଧି ସେଠି ବୁଲି ବୁଲି ବିକ୍ରି କରିବାକୁ ଲାଗିଲା I ଭାଷା ମଧ୍ୟ କିଛି କିଛି ଶିଖିଲା I ଆସ୍ତେ ଆସ୍ତେ ପଇସା ସବୁ ସୁଝି ଯିବାରୁ ଆଉ କିଛି ପଇସା ରଖି ଚାଲିଆ ଖଣ୍ଡେ ପକେଇଲା ସେଠି I ଓଡିଶା ବରା ଯିଏ ଖାଇଲା ତା ପାଟିରେ ଲାଗିଲା I ଭଲ ଲାଗୁଥିଲା ସମସ୍ତଙ୍କୁ ତା କଡା ବରା I  ସ୍ୱାଦ ବି ଥିଲା ବହୁତ ଭଲ I ଆସ୍ତେ ଆସ୍ତେ ତା ନାଁ ଡାକ ହେବାକୁ ଲାଗିଲା I ବାଙ୍ଗାଲୋର ରେ ଓଡ଼ିଆ ଭର୍ତି I ସେଠି ଓଡ଼ିଆ ବସ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ I ଓଡ଼ିଆ ଲୋକ ସବୁ ଆସନ୍ତି ତା ପାଖକୁ I ତା ବେପାର ବି ବଢ଼ିବାରୁ ସେ ଆଉ କିଛି ଅଧିକ କରିବା ପାଇଁ ଚାହିଁଲା I ଖରାଦିନ I ଏତେ ଓଡ଼ିଆ ଥାନ୍ତି ସେଠି I ଦିନେ ଭାବିଲା ପଖାଳ କରି ବିକିଲେ କେମିତି ହୁଅନ୍ତା ? ଦି ଚାରି ଜଣଙ୍କୁ ପଚାରିଲା I ସମସ୍ତେ ଭଲ ହେବ ବୋଲି କହିଲେ I ତା ପରଦିନ ସକାଳୁ ବିକ୍ରି ହେବ ନ ହେବ ଭାବି ଦଶ ଜଣଙ୍କ ପାଇଁ ପଖାଳ ତିଆରି କଲା I ଭଲ ଚାଉଳ ରେ ଭାତ ରାନ୍ଧି, ଦହି ପକେଇ, ଛୁଙ୍କ ଦେଇ, ଧନିଆଁ ପତ୍ର ଆଉ କଞ୍ଚା ଲଙ୍କା ସହ ବଡ଼ିଚୁରା, ଶାଗ, ମାଛ ଭଜା, ଆଳୁ ଆଉ ବାଇଗଣ ଭର୍ତ୍ତା ରାନ୍ଧି ଥୋଇଦେଲା I ଦେଖୁ ଦେଖୁ ବିକ୍ରି ହୋଇଗଲା ସବୁ I ତାପରଦିନ କୋଡିଏ, ତିରିଶି, ପଚାଶ ଏମିତି ଶହେ ଯାଏ ପହଞ୍ଚିଗଲା I ସବୁଦିନ ସକାଳୁ ବରା, ଦିନବେଳେ ପଖାଳ, ସନ୍ଧ୍ୟା ରେ ବରା କରେ I ଆସ୍ତେ ଆସ୍ତେ ତା ବେପାର ଆହୁରି ବଢିବାକୁ ଲାଗିଲା I ଘରଟିକୁ ଚାଲିଆ ରୁ ଆଜବେଷ୍ଟସ କଲା I ଆଜବେଷ୍ଟସ ରୁ ଛାତ I ବଢି ବଢି ଚାଲିଥାନ୍ତି ତା ଗ୍ରାହକ ଓ ବଢିଚାଲିଥାଏ ତାର ଲାଭ I

ଦିନେ ସକାଳୁ ସକାଳୁ ସେ ଗୋଟେ ଅତି ଗରିବ ପିଲା ଟିକୁ ତା ଦୋକାନ ଆଗରେ ବସି ଥିବାର ଦେଖିଲା I ପିଲାଟି ୟାକୁ ଦେଖି ଡ଼ରିମରି ଘୁଞ୍ଚି ଗଲା I କିଛି ସମୟ ପରେ ୟା ର ପ୍ରଥମ ଭାଡ଼ି ବରା ବାହାରିଲା ପରେ ସେ ପିଲାଟିକୁ ଡାକି ଖାଇବାକୁ ଦେଲା I ପିଲାଟି ମୁହଁ ରେ ଖୁସି ଦେଖି ଯେତିକି ଆତ୍ମତୃପ୍ତି ମିଳିଲା ତାକୁ ଆଗରୁ କେବେବି ଏମିତି ଅନୁଭବ ହୋଇ ନଥିଲା I ସେଦିନ ଥାଏ ଗୁରୁବାର I ତା ପରଠୁ ସେ ନିଷ୍ପତି ନେଲା ଯେ ସବୁ ଗୁରୁବାର ରେ ସେ ଅନାଥ ଆଶ୍ରମ କୁ ଜଳଖିଆ ନେଇ ଯିବ ଆଉ ମାଗଣା ରେ ସମସ୍ତଙ୍କୁ ବରା ଖୁଏଇବ I

ଦୋକାନ କୁ ଆସୁଥିବା ଗ୍ରାହକ ମାନେ ବି ଶୁଣି ଖୁସି ହେଲେ ଓ କିଛି କିଛି ସାହାର୍ଯ୍ୟ ବି କଲେ I ବୁଲୁ ତା ଦୋକାନ ରେ ଗୋଟେ ସ୍କିମ ବାହାର କଲା I ନୋଟିସ ଝୁଲେଇଲା ପରି ଦୋକାନ ଆଗରେ ଲେଖି ଝୁଲେଇ ଦେଲା, “ତମେ ଯେତିକି ଦବ, ମୁଁ ସେତିକି ଦେବି I ଚାଲ ସମସ୍ତେ ମିଶି ଅନାଥ ମାନଙ୍କ ମୁହଁ ରେ ହସ ଟିକେ ଫୁଟେଇବା ” I ସମସ୍ତେ ପଚାରିଲେ ୟେ କଣ? ସେ ବୁଝେଇ ଦେଲା I ତମେ ଦଶ ଟଙ୍କା ସେ ଥଳି ରେ ପକାଅ, ମୁଁ ବି ପକେଇ ବି I ତମେ ୫୦୦ ପକାଅ, ମୁଁ ବି ୫୦୦ ଦେବି I ତମେ ୫୦୦୦୦ ଦିଅ, ମୁଁ ବି ୫୦୦୦ ଦେବି I ଗୁରୁବାର ସକାଳୁ ଯେତିକି ପଇସା ହବ ସେ ପଇସା ରେ ବରା ଛାଣି ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଯାଇ ସମସ୍ତଙ୍କୁ ବରା ଖୁଏଇବା I ସକାଳୁ ସେତିକି ଟଙ୍କା ର ବରା ଛାଣି ସାରିଲା ପରେ ଦୋକାନ ବନ୍ଦ I ତମେ ବି ମୋ ସହ ଆସ ମିଶି କି ଯିବା ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ I ଆଖ ପାଖ ଲୋକେ, ଗ୍ରାହକ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମସ୍ତେ ସହଯୋଗ ର ହାତ ବଢ଼େଇଲେ I ଆସ୍ତେ ଆସ୍ତେ ତା ଦୋକାନ ର ନାଁ ଆହୁରି ବ୍ୟାପିବାକୁ ଲାଗିଲା I

ପାଖାପାଖି ୧୦ ବର୍ଷ ର ସେବା ପରେ ସରକାରଙ୍କ ଠୁ ସେ ମାନପତ୍ର ଓ ପ୍ରାଇଜ ବି ପାଇଲା I ପ୍ରାଇଜ ପାଇଥିବା ଅର୍ଥ କୁ ସେ ସେଇ ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଦାନ କରି ଦେଲା I ଆଜି ଯାଏ ବି ସେ ନିଷ୍ଠାପର ଭାବରେ କାମ କରୁଛି I ଏବେ ତା ଦୋକାନ ରେ ସକାଳ ଜଳଖିଆ ଠୁ ଆରମ୍ଭ କରି, ମଧ୍ୟାନ୍ନ ଭୋଜନ, ସନ୍ଧ୍ୟା ରେ ଜଳଖିଆ, ରାତ୍ରି ଭୋଜନ ସବୁ ମିଳୁଛି I ଆମିଷ ଓ ନିରାମିଷ ବି ହେଉଛି I ଆଉ ତା ମାସିକ ଲାଭ ର କୋଡିଏ ଶତକଡା ରେ ସେ ଅନାଥ ମାନଙ୍କର ପାଠପଢା ଖର୍ଚ ଉଠାଉଛି I ନିଜେ ଜଣେ ଅନାଥ ହୋଇ ଥିବାରୁ ସେ ବୁଝି ପାରିଛି ଅନାଥ ମାନଙ୍କ ଦୁଃଖ I ତା ପଇସା ରେ ପାଠ ପଢି କେତେ ଯେ ଅନାଥ ଆଜି କେତେ ବଡ ବଡ ପଦ ପଦବୀ ରେ ଅଛନ୍ତି I ଯିଏ ବି ଯେବେ ଦେଖିଲେ ବୁଲୁ ର ପାଦ ଧୂଳି ନେବାକୁ ଭୁଲନ୍ତି ନାହିଁ I

—- ସମାପ୍ତ —-

* * * * * * * * * * * * * * * * * * *

ରମେଶ ଓ କୌଶଲ୍ୟା ଗଳ୍ପ ଟି ପଢିସାରି, ଆଗନ୍ତୁକ ଦୁଇ ଜଣ ଙ୍କୁ ଚାହିଁଲେ I ମନ ରେ ପ୍ରଶ୍ନ ଭର୍ତି I କଣ କହିବାକୁ ଚାହୁଁଛନ୍ତି ଏ ଦି ଜଣ? ଏମିତି ତ କେତେ ଗପ ସେ ଲେଖିଛନ୍ତି I ଏ ଗପଟି ଦେଖେଇବା କାରଣ କଣ? ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ଏମାନେ I

ଏବେ ଆଗନ୍ତୁକ ଜଣେ ଆରମ୍ଭ କଲେ…

ମୋ ବାପା ଥିଲେ ଘର ର ସବୁଠୁ ନିକମା ମଣିଷ I କେବଳ ଖାଇବା ଆଉ ବୁଲିବା ଛଡା ଆଉ କିଛି କାମ ନଥିଲା ତାଙ୍କର I ଜେଜେ ଆଉ ବଡବାପା ଯାହା ରୋଜଗାର କରି ଆଣନ୍ତି ସେଥିରେ ଘର ଚାଲେ I ମୋ ବାପାଙ୍କ ଉପରେ ସମସ୍ତେ ରାଗନ୍ତି, ଗାଳି କରନ୍ତି I କାରଣ ୟେ ରୋଜଗାର ତ କିଛି କରନ୍ତି ନାହିଁ ଓଲଟା ଘରୁ ପଇସା ଚୋରି କରି ଜୁଆ ଖେଳନ୍ତି I ଏମିତି ଦିନେ ଜୁଆ ଖେଳୁ ଖେଳୁ ହାରି ଯାଇଥାନ୍ତି ଦଶ ହଜାର ଟଙ୍କା I ଯାହାକି ପିଉସୀଙ୍କ ବାହାଘର ପାଇଁ ଜେଜେ ବ୍ୟାଙ୍କ ରୁ ଉଠେଇ ଥିଲେ I ଘରକୁ ଯିବାକୁ ଡର ଲାଗିଲା ତାଙ୍କୁ I ଗୋଟେ ଦୋକାନ ରେ ମନ ଦୁଃଖ ରେ ବସି ସେଦିନ ର ଖବରକାଗଜ ଟି ଆଡେଇଲା ବେଳେ ସେ ପଢିଲେ ଆପଣଙ୍କ ଗପଟି I ଆଖି ଆଗରେ ଭବିଷ୍ୟତ ଦେଖିଲା ପରି, ସେ ଦେଖି ପାରୁଥିଲେ ତାଙ୍କ ଭବିଷ୍ୟତ I ଘରେ କାହାକୁ କିଛି ନ ଜଣେଇ ସେ ପଳେଇଲେ ବାଙ୍ଗାଲୋର I ଖୋଜି ଖୋଜି ଓଡ଼ିଆ ରହୁଥିବା ଜାଗାରେ ସେ ଆରମ୍ଭ କଲେ ବରା ଦୋକାନ I ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡିଲେ ବି ପରେ ଭଲ ବେପାର ହେଲା ଆଉ ସେ ରୋଜଗାର କଲେ କୋଟି କୋଟି ଟଙ୍କା I ଆପଣଙ୍କୁ ଗୁରୁ ବୋଲି ମାନୁଥିଲେ I ଲେଖା ର ପ୍ରତି ଟି ଧାଡି କୁ ସେ ଭଗବାନ ବୋଲି ମାନୁଥିଲେ ଓ ଲେଖା ଯେମିତି ହୋଇଛି ସେପରି ସେ କାମ କରି ଚାଲିଲେ I ଆଜି ପ୍ରତି ମାସ ରେ ଆସୁଥିବା ଲାଭ ରୁ କୋଡିଏ ପ୍ରତିଶତ ଅର୍ଥ ଯାଏ ଅନାଥ ଆଶ୍ରମ ରେ ରହୁଥିବା ପିଲାଙ୍କ ପାଠ ପଢା ପାଇଁ I ସବୁ ଗୁରୁବାର ତିନି ଓଳି ଆମିଷ ଓ ନିରାମିଷ ଖାଇବା ଯାଏ ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ କୁ I ଘରେ ଓ ଦୋକାନ ରେ ଠାକୁର ଙ୍କର ଫୋଟୋ ନାହିଁ I ଠାକୁରଙ୍କ ଜାଗାରେ ସେ ପୂଜା କରନ୍ତି ଏ ଗପଟି କୁ I ଏତିକି କହି ସେ ଆଣିଥିବା ଫୋଟୋ ଗୁଡିଏ ଦେଖେଇଲା ରମେଶ ବାବୁ ଆଉ କୌଶଲ୍ୟା ଦେବୀଙ୍କୁ I ଖବରକାଗଜ ର କଟା ଅଂଶ ଖଣ୍ଡେ ସୁନାର ଫ୍ରେମ ରେ ସଜେଇ ହେଇ ପୂଜା ପାଉଛନ୍ତି ଠାକୁର ଘରେ ଓ ଦୋକାନ ରେ I

କୌଶଲ୍ୟା ଦେବୀଙ୍କ ଆଖିରେ ଆସ୍ତେ ଆସ୍ତେ ଲୁହ ଭରି ଆସୁଥାଏ I ଡାଲିଚଟୁ ଟା ସେମିତି ଥାଏ ତାଙ୍କ ହାତରେ I ଲୁଗା କାନି ରେ ସେ ଲୁହ ପୋଛିଲେ I ରମେଶ ବାବୁ ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥାଏ I ଗୋଟିଏ ଗପ ର ଯେ ଏତେ ଶକ୍ତି ସେ ଆଜି ବୁଝି ପାରୁଥିଲେ I ଆଶ୍ଚର୍ଯ୍ୟ ଆଉ ଖୁସି ମିଶା ସ୍ୱର ରେ ପଚାରିଲେ, “ହେଲେ ଆପଣଙ୍କର ଏଠିକୁ ଆସିବାର କାରଣ”?

ଆଗନ୍ତୁକ ଜଣକ ପୁଣି ଥରେ ଆରମ୍ଭ କଲେ…

ତିନିମାସ ତଳେ ଏକ ଦୁର୍ଘଟଣା ରେ ବାପାଙ୍କର ମୃତ୍ୟୁ ହୋଇଗଲା I ଓକିଲ ତାଙ୍କ ଉଇଲ ପେପର ଦେଖିଲା ପରେ ଜଣେଇଲେ ଯେ ସେ ଆପଣଙ୍କ ପାଇଁ ଏକ କୋଟି ପଚାଶ ଲକ୍ଷ ଟଙ୍କା ରଖି ଯାଇଛନ୍ତି I ମୁଁ ଉଇଲ ପଢିଲା ପରେ ମୋ ମନ ରେ ପାପ ଛୁଇଁଲା I ଭାବିଲି କାହାକୁ କିଛି ନ ଦେଲେ କଣ ଅସୁବିଧା ହେଉଛି? କିନ୍ତୁ ପ୍ରାୟ ପନ୍ଦର ଦିନ ହେଲାଣି ସବୁଦିନ ସେ ମୋ ସ୍ବପ୍ନ ରେ ଆସି ପଚାରୁଛନ୍ତି “ମୋ ଗୁରୁଙ୍କୁ ପଇସା ଦେଲୁ ନା ନାହିଁ”? ପରେ ଆଉ ଥରେ ଉଇଲ ପଢିଲା ପରେ ଜାଣିଲି, ଯଦି ତାଙ୍କର ମୃତ୍ୟୁ ର ଛଅ ମାସ ଭିତରେ ମୁଁ ଆପଣଙ୍କୁ ଖୋଜି ଆପଣଙ୍କ ପଇସା ନଦିଏ ତେବେ, ବାପାଙ୍କର ସବୁ ସମ୍ପତ୍ତି ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ ଭିତରେ ସମାନ ଭାବରେ ବାଣ୍ଟି ଦିଆଯିବ I ଉଇଲ ପଢିଲା ପରେ ମୁଁ ଦୋକାନ କୁ ମ୍ୟାନେଜର ହାତରେ ଦେଇ ପ୍ରଥମେ ଏ କାଗଜ ରୁ ଠିକଣା ନେଇ ପହଞ୍ଚିଲି ଆପଣଙ୍କ କଲେଜ ରେ I ବହୁତ କଷ୍ଟ ରେ କଲେଜ ରୁ ଆପଣଙ୍କ ଗାଁ ର ଠିକଣା ପାଇ ଯାଇଥିଲି ଗାଁ କୁ ଆଉ ଗାଁ ଲୋକଙ୍କ ଠୁ ଠିକଣା ପାଇ ଆସି ପହଞ୍ଚିଲି ଏଠି, ଆପଣଙ୍କ ଘରେ I

ଆଜି ଗୁରୁ ଦିବସ I ମୋ ବାପାଙ୍କ ଗୁରୁ ହିସାବରେ ଦୟାକରି ଏ ଟଙ୍କା କୁ ଗ୍ରହଣ କରନ୍ତୁ ଗୁରୁ ଦକ୍ଷିଣା ଭାବରେ ଆଉ ମୋ ବାପାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ I କହୁ କହୁ ସେ ରମେଶ ବାବୁଙ୍କ ଗୋଡ ତଳେ ପଡିଗଲେ I ରମେଶ ବାବୁଙ୍କର ମନେ ପଡି ଯାଉଥିଲା ମହାଭାରତ ର ଏକଲବ୍ୟ କାହାଣୀ ଟି I

ରମେଶ ବାବୁ ତାଙ୍କୁ ତଳୁ ଉଠେଇ କୁଣ୍ଢେଇ ପକେଇଲେ I ଆଖିରୁ ଆନନ୍ଦ ର ଲୁହ ବୋହି ଯାଉଥାଏ… କୌଶଲ୍ୟା ଦେବୀ, ରମେଶ ବାବୁଙ୍କ ପାଇଁ ସଜେଇ ରଖିଥିବା ତାଚ୍ଛଲ୍ୟ ଭରା କଥା ଗୁଡିକୁ ମନେ ପକେଇ ଜିଭ କାମୁଡି ଦେଲେ…

ଖୁସି ମନରେ ଆଗନ୍ତୁକ ଦୁଇ ଜଣ ଘରୁ ବାହୁଡ଼ି ଯିବା ପରେ …

କୌଶଲ୍ୟା ଦେବୀ ହାଁ କରି ଅନେଇଥିଲେ ଏକ କୋଟି ପଚାଶ ଲକ୍ଷ ଲେଖା ହୋଇଥିବା ଚେକ ଟିକୁ ଆଉ ରମେଶ ବାବୁ ଗୁରୁ ଦିବସ ରେ ସାହିତ୍ୟ ଦିଦିଙ୍କୁ ହାତ ଯୋଡି ପ୍ରଣାମ କରୁଥିଲେ I

—- ସମାପ୍ତ —-

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

ପାରିଶ୍ରମିକ

ପାରିଶ୍ରମିକ

ସୁବଳ ମହାପାତ୍ର

ବସଷ୍ଟାଣ୍ଡ ରେ ବସ ରୁ ଓ଼ଲ୍ଳେହି ସାରିଲା ପରେ ଚାରି ଆଡକୁ ଚାହିଁଲା ସେ I ଖୋଜୁ ଥିଲା ଗୋଟେ ରିକ୍ସା I ପାଖରେ ଅଟୋ ଗୁଡିକ ଥିଲେ ବି ତାକୁ କାହିଁକି ଭଲ ଲାଗେନି ଅଟୋ ରେ ଯିବା ପାଇଁ I ଆଜି କାଲି ଅଟୋ ର ପ୍ରାବଲ୍ୟ ରେ ପେଷି ହେଇ ଗଲେଣି ରିକ୍ସା ଵାଲା ଗୁଡିକ I ଅଟୋ ଵାଲା ତିନି କିଲୋମିଟର କୁ ନିଅନ୍ତି ୫୦ ଟଙ୍କା I ସମୟ ନଷ୍ଟ କରିବାକୁ କେହି ଚାହାନ୍ତି ନାହିଁ I ସବୁଠି ଦୌଡ I ଯେମିତି ପ୍ରତିଯୋଗିତା ଲାଗିଛି I ଶୀଘ୍ର ନ ପହଁଚିଲେ ସବୁ ସରିଯିବ I ହେଲେ କେବେ କିଏ ଭାବେ ଏ ରିକ୍ସା ବାଲାଙ୍କ କଥା ? କଣ ଖାଉଥିବେ ସେମାନେ? କେମିତି ରହୁଥିବେ ସେମାନେ? ଅଧିକାଂଶ ରିକ୍ସା ବାଲାଙ୍କ ପାଖେ ନିଜର ରିକ୍ସା ଖଣ୍ଡିଏ ନ ଥାଏ I ସେମାନେ ଭଡା ରେ ଆଣନ୍ତି I ଦିନକୁ ୫୦ ଟଙ୍କା I ବାକି ଯାହା ଲାଭ ହେଲା ତାଙ୍କର I ହେଲେ କେତେ? ଦିନ ସାରା ଯଦି ଭଲ ଭଡା ମିଳିଲା ତ ମିଳିବ ୨୦୦ ଅବା ୨୫୦ ଟଙ୍କା I ରିକ୍ସା ମାଲିକ ନେଇଯିବ ୫୦ ଆଉ ୨୦୦ ଟଙ୍କା ରେ ସବୁ I କେବେ କେବେ ଭଡା ନ ଜୁଟିଲେ ହାତରୁ ଦେବାକୁ ପଡେ I ରିକ୍ସା ଵାଲା ତିନି କିଲୋମିଟର କୁ ଡାକେ ୨୫ ନିଏ ୨୦ I

ଏ ରିକ୍ସା, ଦୁର୍ଗାଦେବୀ ଛକ ଯିବୁ?

ହଁ, ଆଜ୍ଞା !!

କେତେ ନବୁ?

୩୦ ଦେବେ .. ଦାନ୍ତ ନିକୁଟି କହିଲା ରିକ୍ସା ଵାଲା ଟି I

ବୟସ ୧୮-୨୦ ହେବ I ବଳିଷ୍ଠ ଚେହେରା I ଝୁମ୍ପୁରା ବାଳ I ବୋଲ ବମ ପେଣ୍ଟ କୁ ବୋଲ ବମ ସାର୍ଟ ଖଣ୍ଡେ ପିନ୍ଧି ଥାଏ I ପେଡାଲ ଉପରେ ଗୋଟେ ଗୋଡ ରେ ଠିଆ ହୋଇ ଆର ଗୋଡ ଟିକୁ ରିଲାକ୍ସ କରୁଥାଏ I ରିକ୍ସା ଟିକୁ ରଙ୍ଗୀନ ଝାଲର ସହ ସଜେଇ ଥାଏ I ନିଶ ଟିକେ ଟିକେ ଗଜୁରି ଆସୁଥାଏ I ଡଉଲ ଡାଉଲ ଚେହେରା ଟି I

୩୦? ୨୦ ରେ ଯାହାକୁ ଯେତେ…

ନାଇଁ ବାବୁ ପୋଷେଇବନି.. ଏଠୁ ସାଢେ ତିନି କିଲୋମିଟର ହବ I ପୁଣି ସେପଟେ ରାସ୍ତା ଖରାପ I

କଣ ପୋଷେଇବନି!! ଅଟୋ ରେ ସିନା ତେଲ ପଡୁଛି I ତମର କଣ ରିକ୍ସା ରେ ବି ତେଲ ପଡୁଛି କି ? ପୋଷେଇବନି ହୁଁ.. ଚାଲ.. ଚାଲ..

ନାଇଁ ବାବୁ.. ଏତେ ଗୁଡ଼େ ବାଟ ପୁଣି ଫେରିଲା ବେଳକୁ ଭଡା ମିଳିବନି I ସନ୍ଧ୍ୟା ଆସି ହେଲାଣି I

ତ ? ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟ ରେ ଘରେ ପହଞ୍ଚି ବି I ପଇସା ଟିକେ କମ ନକଲେ ମୁଁ ତୋ ସହ କାଇଁ ଯିବି ?

ନାଇଁ ବାବୁ ୩୦ !!

ଥାଉ ଥାଉ… ଯା… ମୁଁ ଅନ୍ୟ ଆଡେ ଦେଖେ I

ହଉ.. ବାବୁ.. ୨୫ ଦିଅନ୍ତୁ !!

କହିଲି ପରା ୨୦ I ପୁଣି ୨୫ କଣ ?

ହଉ.. ବସନ୍ତୁ…

ଦୁଇଟି ଭାରି ଟ୍ରଙ୍କ ସହ ଗୋଟିଏ ବସ୍ତା ଉଷୁନା ଚାଉଳ ଆଉ ସେ ନିଜେ ଲୋଡ ହେଇ ଗଲା ରିକ୍ସା ରେ I ରିକ୍ସା ଟି ବି ଆଗେଇ ଚାଲିଲା ଆବଡ଼ା ଖାବଡ଼ା ରାସ୍ତା ରେ I ମନେ ମନେ ଖୁସି ଥିଲା ସେ I ଯାହା ହଉ ୨୦ ଟଙ୍କା ରେ ଛିଣ୍ଡିଲା I ଛଅ ମାସ ତଳେ ବି ସେ ୨୦ ଟଙ୍କା ଦେଇଥିଲା I ପିଲାଟି ଖୁବ ଶୀଘ୍ର ଶୀଘ୍ର ଚଳାଉ ଥାଏ I ଭଡା କୁ ଶୀଘ୍ର ଛାଡି ଫେରିଲେ ଆଉ ଗୋଟେ ଦି ଟା ଭଡା ମାରିବା ଉଦ୍ଦେଶ୍ୟ ରେ I ଯାହା ହେଉ ଖୁବ ଶୀଘ୍ର ପହଞ୍ଚିଗଲା I ପିଲାଟି କୁ ୨୦ ଟଙ୍କା ଦେଇ ବିଦା କଲା I ପିଲାଟି ବି ସଲାମ ଟିଏ ଠୁଙ୍କି ରିକ୍ସା ବୁଲେଇ ପଳେଇଗଲା I

ସବୁ ଜିନିଷ ସଜାଡି କି ରଖିବା ବେଳେ ଦେଖିଲା ପକେଟ ରେ ଭାଣିଜୀ ବାହାଘର ପାଇଁ ଆଣିଥିବା ସୁନା ହାର ଟି କେଉଁଠି ଖସି ପଡିଥିଲା I

ଦି ଦିନ ପରେ ଭାଣିଜୀ ବାହାଘର I ଚାଉଳ ବସ୍ତା ସହ ଦି ଟା ଟ୍ରଙ୍କ ରେ ଜିନିଷ ଭରି ସେ ଆଣିଛି I କାଳେ କେଉଁଠି ହଜି ଯିବା ବୋଲି ସୁନା ଚେନ ଟି ରଖିଥିଲା ପଞ୍ଜାବୀ ପକେଟ ରେ I ଏବେ ଖୋଜିବ କେଉଁଠି? ବସ ରେ ଖସି ପଡିଲା ? କି ରିକ୍ସା ରେ ? ଯେଉଁଠି ପଡ଼ିଥିଲେ ବି ଯିଏ ପାଇବ ସେ କଣ ଆଉ ଦବ ? ବସ ରୁ ଓ଼ଲ୍ଳେହିଲା ପରେ ସେ ବୋଧ ହୁଏ ପକେଟ ରେ ହାତ ମାରି ଦେଖିଥିଲା I ସେତେବେଳେ ଥିଲା ବୋଧେ I ତେବେ ରିକ୍ସା ଧରିବା ପୂର୍ବରୁ କି ଧରିବା ପରେ ରିକ୍ସା ରେ ପଡ଼ିଥିବ ସେ ଭାବି ପାରୁ ନଥିଲା I ବୁଦ୍ଧି ବାଟ ଦିସୁ ନଥିଲା ତାକୁ I ଏବେ କରିବ କଣ ? ମାମୁ ଘର ଯେହେତୁ ଭଲ କାଟି ଗୋଟେ ନ ଦେଲେ ଦିଶିବନି ବୋଲି ଭାବି ପୁରା ୨୦ ଗ୍ରାମ ଓଜନ ର ହାର ଟି I ମୁଣ୍ଡରେ ହାତ ଦେଇ ବସି ପଡିଲା I ନାନୀ, ଭିଣୋଇ , ଭାଣିଜୀ , ଭଣଜା ଯିଏ ଯେତେ ବୁଝେଇଲେ ବି ବୁଝି ପାରୁ ନଥିଲା ସେ I କି ଯୋଗ ଥିଲା ଆଜି କେ ଜାଣି I ଭଗବାନଙ୍କୁ ବହୁତ ଗାଳି କରି କରି ଶୋଇବାକୁ ଗଲା ସେ I

ସକାଳୁ ଉଠୁ ଉଠୁ ଭଗବାନଙ୍କୁ ଦେଖି ପାରିଲା ସେ I

କହିବା ବାହୁଲ୍ୟ ସେ ରିକ୍ସା ଵାଲା ପିଲାଟି ଆସିଥିଲା ରିକ୍ସା ରେ ପଡ଼ିଥିବା ସୁନାହାର ଟିକୁ ଫେରେଇବାକୁ ….ଆଉ ଦାବି କରୁଥିଲା ୨୦ ଟଙ୍କା…

ବସଷ୍ଟାଣ୍ଡ ରୁ ଦୁର୍ଗାଦେବୀ ଛକ ଯାଏ ତା ପାରିଶ୍ରମିକ …..

—X—

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com