ଦାୟାଦ

ଦାୟାଦ
ସୁବଳ ମହାପାତ୍ର

 

ଘର ର ଦୁଆର ମୁହଁ ଖୋଲା I ଶକୁନ୍ତଳା ଦେବୀ ଦୁଆର ପିଣ୍ଡା ରେ ବସି ଚାଉଳ ବାଛୁଥାନ୍ତି I ହଠାତ ଘର ଭିତରେ କିଏ ଜଣେ ପ୍ରବେଶ କଲା I ଆସ୍ତେ ଆସ୍ତେ ଶକୁନ୍ତଳା ଦେବୀଙ୍କ ପାଖକୁ ଯାଇ ପଛପଟୁ ତାଙ୍କ ବେକ ରେ ଓହଳେଈ ହେଇ ପଡିଲା I
ଶକୁନ୍ତଳା ଦେବୀ ଚାଉଳ ବାଛୁଥିଲେ ସତ, କିନ୍ତୁ ଅନ୍ୟ ମନସ୍କ ଥିଲେ I କେତେ କଣ ଭାବି ଯାଉଥିଲେ I ମନଟା ଆଜି ଗୋଳେଇ ଘାଣ୍ଟି ହେଉଥିଲା I ରଥଯାତ୍ରା ଆଉ ଦି ଦିନ ରହିଲା I ପାଞ୍ଚ ବର୍ଷ ତଳେ ଜଣେ କଥା ଦେଇଥିଲା ରଥଯାତ୍ରା ରେ ଗାଁ କୁ ଆସିବ, କିନ୍ତୁ ଆଉ ଆସିଲାନି I ଫୋନ ରେ କିଛି ଦିନ କଥାବାର୍ତା, କିନ୍ତୁ ତାପରେ ସବୁ ବନ୍ଦ I ସେ ବି କଣ କରିପାରିଥାନ୍ତେ? ଏଠି ଗାଁ ରେ ଘର ତାଙ୍କର I ଗାଁ ରେ ଲୋକ ମାନେ ଜାତିପ୍ରଥା କୁ ନେଇ ଭାରି ସିରିଏସ I ନିଜ ଘରେ ପଛେ ପାଣିରେ ବୁଡ଼ିଯାଉ, ଅନ୍ୟ କୁ ଦେଖେଇ ଶିଖେଇ କହିବା ଲୋକ କିଛି କମ ନାହାନ୍ତି I ଅଜାଣତରେ ତାଙ୍କ ଆଖି ରୁ ଦି ଧାର ଲୁହ ବୋହି ଯାଇ ଥାଏ I
କିଏ ଜଣେ ପଛରୁ ଧରି ପକେଇଲାରୁ ସେ ଚମକି ପଡି ଉଠି ପଡିଲେ I ପିଲାଟା ବେକରେ ଓହଳେଈ ହେଇଥିଲା I ଶକୁନ୍ତଳା ଦେବୀ ଉଠିପଡ଼ିଲା ରୁ ସେ କିଛି ବାଟ ଉପରକୁ ଉଠି ଯାଇ ଖସି ପଡିଲା I ମୁଣ୍ଡ ଟା ମାଟିଘର ଚଟାଣ ରେ ପିଟି ହେଇ ଗଲା I କିନ୍ତୁ କିଛି ହେଇନି I ପିଲାଟା ତଥାପି ହସୁ ଥାଏ I ଭୂଇଁରୁ ପିଲାଟାକୁ ଟେକି ଆଣି …ଆଃ ଲୋ ଲୋ ମୋ ଛୁଆ…. କହି କୋଳେଇ ନେଲେ ତାକୁ I ଲୁଗା କାନି ରେ ମୁଣ୍ଡଟାକୁ ଆଉଁସି ଦେଲେ I ପିଠିଟାକୁ ଥାପୁଡ଼େଇ ଦେଲେ I ପିଲାଟା ଶକୁନ୍ତଳା ଦେବୀଙ୍କୁ ଚାହିଁ “ଜେଜେମା” ବୋଲି ଡାକି ଦେଲା ଆଉ ଗାଲରେ ହାତ ବୁଲେଇ ଚୁମା ଟେ ଦେଲା I ଚମକି ପଡିଲେ ଶକୁନ୍ତଳା ଦେବୀ “ଜେଜେମା” ? କିଏ ଇଏ ? ମୁଁ ତ ୟାକୁ କେବେ ଦେଖିନି ଗାଁ ରେ I କାହାର ଛୁଆ?
ଛୁଆଟା ୩-୪ ବର୍ଷ ର I ଗୁଲୁଗଳିଆ ହୋଇ ଭାରି ସୁନ୍ଦରିଆ ଛୁଆଟିଏ I ଭଲ ଘର ର ଛୁଆ ପରି ଲାଗୁଥାଏ I ନୂଆ ଡ୍ରେସ ପିନ୍ଧିଥାଏ I ଛୁଆ କୁ କାଖେଇ ବାହାରକୁ ଆସିଲେ ଶକୁନ୍ତଳା ଦେବୀ I ବାହାରେ ବି କେହି ନାହାନ୍ତି I ଆରେ ଆରେ କିଏ ଅଛ କଉଠି ? କିନ୍ତୁ ନା କେହି ବି ନାହାନ୍ତି ବାହାରେ I ସେ ସ୍ବପ୍ନ ଦେଖୁଛନ୍ତି କି ଆଉ ? ନିଜକୁ ଚିମୁଟି ଦେଖିଲେ I ହେଲେ ଏ ଛୁଆ କାହାର ? ବ୍ୟସ୍ତ ହେଇ ପଡୁଥିଲେ ସେ I
ଆରେ, ତୋ ନାଁ କ’ଣ ?
ଦରୋଟି ଭାଷା ରେ ଛୁଆଟି କହିଲା, “ଲି..ପୁ..ନ, ଛଦାଛିବ ମିଶ ଲ” I
ତୋ ବାପାଙ୍କ ନା କଣ?
ଜା..ନି..ନି I
ଏଠିକୁ କେମିତି ଆସିଲୁ ?
ଏ..ଇ..ଟା ଆମ ଘ ..ଲ.. I ତମେ ମୋ ଜେ..ଜେ..ମା I
ଶକୁନ୍ତଳା ଦେବୀଙ୍କ ଆଖି ବାହାରେ କାହାକୁ ଖୋଜୁଥିଲା I କିନ୍ତୁ କେହି ନଥିଲେ ବାହାରେ I ପିଲାଟା ଶକୁନ୍ତଳା ଦେବୀଙ୍କ କାନର ଝୁମୁକା ସହ ଖେଳିବା ଆରମ୍ଭ କରି ଦେଇ ଥାଏ I ବ୍ୟସ୍ତ ହେଇ ପଡୁଥିଲେ ଶକୁନ୍ତଳା ଦେବୀ I ଛୁଆଟା ନିଜର ନିଜର ଲାଗୁଥାଏ I ଦେହର ବାସ୍ନା, ପ୍ରକାଶ ପରି I ହେଲେ ଇଏ କଣ ପ୍ରକାଶ ର ଛୁଆ I ନା, ପ୍ରକାଶ ତା ପାଞ୍ଚ ବର୍ଷ ହେଲା ଘରକୁ ଆସିନି I କିନ୍ତୁ ଇଏ ମୋତେ ଜେଜେମା ଡାକୁଛି କାହିଁକି ? ପ୍ରକାଶ ତ ମୋର ଗୋଟିଏ ବୋଲି ପୁଅ I
ତୋ ବାପା ମା କୁଆଡେ ଗଲେ?
ବାପା.. ଙ୍କୁ.. ମୁଁ ଦେଖି.. ନି I ମା ମୋତେ ଏଠି ଛାଡି ଦେଇ ଗ.. ଲା.. ଭା.. ଲି.. I
ଏ ଛୁଆ କିଏ ? କିଏ ତା ବାପା ମା ? କିଛି ଜଣାନାହିଁ I କିଏ ଜଣେ ଛାଡି ଦେଇ ଗଲା ଭାରି I ଶକୁନ୍ତଳା ଦେବୀ କଣ କରିବେ କିଛି ଭାବି ପାରୁ ନଥିଲେ I ଛୁଆ କୁ କୋଳ ରୁ ଓଲ୍ଲାହୁ ଓଲ୍ଲାହୁ ତା ପକେଟ ରେ କିଛି ଥିବା ଅନୁଭବ କଲେ I ପିଲା ଟିକୁ ଓ଼ଲ୍ଳେହି ଦେଇ ପକେଟ ରେ ହାତ ଭର୍ତି କରି ଚିଠି ଗୋଟେ ପାଇଲେ ସେ I ତର ତର ହୋଇ ଚିଠିଟିକୁ ପଢିବାକୁ ଲାଗିଲେ I
ମା,
ପ୍ରଣାମ ନେବେ I ମୁଁ ଆପଣଙ୍କ ବୋହୁ I ବୋହୁ ବୋଲି ତ କହିବାର ଅଧିକାର ନାହିଁ , କିନ୍ତୁ ଲିପୁନ ଆପଣଙ୍କ ନାତି I
ଆପଣଙ୍କର ମନେଥିବ ଆପଣଙ୍କ ପୁଅ ପ୍ରକାଶ ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଗାଁ କୁ ଆସିଥିଲେ ଆଉ ତାଙ୍କ ବାହାଘର ବିଷୟରେ କହିଥିଲେ I କିନ୍ତୁ ଗାଁ ଲୋକଙ୍କ ଭୟରେ ଆପଣ ଆଉ ବାପା ତାଙ୍କୁ ମନା କରିଥିଲେ ଯେ ସେ ଯେଉଁ ଜାଗାରେ ଚାହୁଁଛନ୍ତି ସେଠି ବାହାଘର କରିବା ସମ୍ଭବ ନୁହଁ I ପ୍ରକାଶ ଗାଁ ରୁ ଗଲା ପରେ ବହୁତ ଡିପ୍ରେସ ଥିଲେ I କିଛି ଦିନ ଅଫିସ କୁ ବି ଯାଇ ନଥିଲେ I ବେଳେ ବେଳେ ଆପଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଏତେ ଡିପ୍ରେସ ଥିଲେ ଯେ ତାଙ୍କୁ ଡାକ୍ତର ଦେଖେଇ ମେଡ଼ିସିନ ଦେବାକୁ ହେଉ ଥିଲା I ଡାକ୍ତର କହିଲେ ସେ କେତେ ବେଳେ ବି ଆତ୍ମହତ୍ୟା କରି ପାରନ୍ତି I ତାଙ୍କର ଦେଖାଶୁଣା ଭଲରେ କର I ସେତେବେଳେ ତାଙ୍କର ଦେଖାଶୁଣା କରିବାକୁ ପାଖରେ କେହି ନଥାନ୍ତି I ମୁଁ ବାଧ୍ୟ ହୋଇ ମୋ ରୁମ ଛାଡି ତାଙ୍କ ପାଖରେ ଆସି ରହିଲି I କିଛି ଦିନ ପରେ ସେ ଆସ୍ତେ ଆସ୍ତେ ଭଲ ହୋଇ ଆସିଲେ I ସେତେବେଳେ ମୁଁ ତାଙ୍କ ରୁମ ରେ ହିଁ ରହୁଥାଏ I ମାତ୍ର କିଛି ଦୁର୍ବଳ ମୁହୂର୍ତ ରେ ମୁଁ ହେଲି ଗର୍ଭବତୀ I କିଛି କରିବାର ନଥିଲା I ଦିନେ ସେ ଘର ଛାଡି କୁଆଡେ ଚାଲି ଗଲେ I ଏ ଅବାଂଛିତ ମାତୃତ୍ୱ କୁ ଧରି ମୁଁ ପଡି ରହିଲି ତାଙ୍କ ଅପେକ୍ଷା ରେ I ବିଗତ ପାଞ୍ଚ ବର୍ଷ ହେଲା ମୁଁ ଅପେକ୍ଷା କରିଛି ତାଙ୍କ ଫେରିବା ବାଟକୁ I
କିଛି ଦିନ ପୂର୍ବରୁ ମୋର ଦେହ ଖରାପ ହେଲା I ଡାକ୍ତର କହିଲେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ I ମୋତେ ବ୍ଲଡ଼ କ୍ୟାନ୍ସର I ସେଥିପାଇଁ ଲିପୁନ କୁ ଆପଣଙ୍କ ପାଖେ ଛାଡିବାର ନିଷ୍ପତି ନେଲି I
ମୁଁ ଏବେ ପୁଣି ଫେରି ଯାଉଛି ହସ୍ପିଟାଲ କୁ I ମୋ ପାଖରେ ବୋଧ ହୁଏ ଆଉ ମାସେ ରୁ ଅଧିକ ସମୟ ନାହିଁ I ଦୟା କରି କ୍ଷମା କରି ଦେବେ I ଆପଣଙ୍କ ନାତି ଆପଣଙ୍କୁ ଲାଗିଲା I ପ୍ରକାଶ ଯଦି କେବେ ଫେରି ଆସନ୍ତି ତେବେ ଏ ଚିଠିଟା ତାଙ୍କୁ ଦେବେ ଓ କହିବେ ଲିପୁନ ତାଙ୍କ ପୁଅ I ରହୁଛି I
ଇତି
ଆପଣଙ୍କର ହତଭାଗିନି ବୋହୁ
ଚିଠିଟିକୁ ଏକ ନିଶ୍ୱାସ ରେ ପଢି ସାରି ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଯାଇଥିଲେ I ଆଖିରୁ ଧାର ଧାର ଲୁହ ବୋହୁ ଥାଏ I ପୁଅ କୁ ହରାଇବାର ଦୁଃଖ ଦ୍ବିଗୁଣିତ କରୁଥାଏ ଲିପୁନ ର ମୁହଁ କୁ ଦେଖି I କାହାର କଣ କ୍ଷତି କରିଥିଲା ପିଲାଟି I ନା କେବେ ଦେଖିଛି ବାପା କୁ, ନା ପାଇଲା ମା ର ସ୍ନେହ I ପୁଅ ପ୍ରକାଶ ର କିଛି ଖୋଜ ଖବର ନାହିଁ I କୁଆଡେ ଗଲା ସେ ? ବାପା, ମା ଆଉ ଗାଁ କୁ ଭଲ ପାଉଥିବା ପିଲାଟା ଏତେ ବଦଳି ଗଲା କେମିତି?
ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଅପେକ୍ଷା କରିଥିଲେ ସ୍ୱାମୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କୁ I କିଛି ବୁଦ୍ଧି ଦିଶୁ ନଥିଲା I ଛୁଆ ଟିକୁ ପୁଣି ଥରେ କୋଳେଇ ନେଲେ I
ମନେ ପଡି ଯାଉଥିଲା ତାଙ୍କର…
ପାଞ୍ଚ ବର୍ଷ ତଳେ ପ୍ରକାଶ ଆସିଥିଲା ଗାଁ କୁ I ବାହା ହେବା ପାଇଁ ଝିଅ ଠିକ କରି ସାରିଛି ବୋଲି କହିଲା I ହେଲେ ଝିଅ ଟି ଖ୍ରୀଷ୍ଟିଆନ I ଗାଁ ରେ ଦୁଇ ଚାରି ଜଣ ଜାଣିଲା ପରେ ଘୋର ବିରୋଧ କଲେ I ଗାଁ ଵାଲା ତାଙ୍କୁ ବାଛନ୍ଦ କରିବେ ବୋଲି ଧମକ ଦେଲେ I ବ୍ରାହ୍ମଣ ର ପୁଅ ହୋଇକି ସେ ବାହା ହେବା କିରସ୍ତାନ କୁ?
ଦୁଇ ଚାରିଦିନ ରହି ପ୍ରକାଶ ଫେରି ଯାଇଥିଲା ତା କର୍ମକ୍ଷେତ୍ର ପୁନେ କୁ I କିଛି ଦିନ ଫୋନ ରେ କଥାବାର୍ତା I କଥାବାର୍ତା ବେଳେ ବି ସେ ବହୁତ ଟେନସନ ରେ ରହିଲା ପରି ଲାଗୁଥିଲା I ଅଳ୍ପ କିଛି ଦିନର କଥାବାର୍ତା ପରେ ଫୋନ ବି ବନ୍ଦ କରି ଦେଲା I ଯେତେ ଫୋନ କଲେ ବି ବାରମ୍ବାର ଫୋନ ସ୍ବୀଚ ଅଫ ଆସୁ ଥାଏ I ଶକୁନ୍ତଳା ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I କିଛି ଅନିଷ୍ଟ ହୋଇଥିବା ଭାବି ସ୍ୱାମୀଙ୍କୁ ପୁନେ ପଠେଇଲେ ଖୋଜ ଖବର ନେବା ପାଇଁ I କିନ୍ତୁ ପ୍ରକାଶ ର ଅଫିସ ରେ ବି କେହି କିଛି କହି ପାରିଲେ ନାହିଁ I କେବଳ ଏତିକି କହିଲେ କିଛି ଦିନ ହେବ ସେ ପାଗଳଙ୍କ ପରି ବ୍ୟବହାର କରୁଥିଲା I ଧୁମ ମଦ ପିଉଥିଲା I କିଛିଦିନ ମଦ ପିଇ ଅଫିସ ଆସିବାରୁ ତାକୁ ନୋଟିସ ବି ଦିଆ ହେଇଥିଲା I କିଛି ଦିନ ପରେ ସେ ଅଫିସ ଆସିବା ବନ୍ଦ କରି ଦେଲା I ଅଫିସ ର କିଛି ଲୋକ ତା ଖୋଜ ଖବର ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ I ତା ବିଷୟରେ କେହି ବି କିଛି ଜାଣି ନାହାନ୍ତି I ବିଫଳ ହୋଇ ଫେରିଥିଲେ ସୌମ୍ୟ ରଞ୍ଜନ ବାବୁ I
**********
ବାପା ମା ଙ୍କର ଏକୋଇରବଳା ବିସିକେଶନ କେଉଁଠି ହଜି ଯାଇଛି I ଆଜି ଯାଏ ତା’ର ଖୋଜ ଖବର କିଛି ମିଳିନି I ଏଇ ସମୟରେ ପ୍ରକାଶ ର ପୁଅ ଆସି ଘରେ I ମୁଣ୍ଡ କାମ କରୁ ନଥିଲା I ସ୍ୱାମୀଙ୍କ ବାଟକୁ ଅନେଇ ବସିଥିଲେ I ଗାଁ ଲୋକେ କଣ କହିବେ ଭାବୁଥିଲେ I ସେପଟେ ଚାଉଳ ଅଧା ବଛା ହୋଇ ଥୁଆ ହୋଇ ଥାଏ I ଚୁଲି ରେ ଭାତ ପାଇଁ ପାଣି ଫୁଟୁ ଥାଏ I କୌଣସି କଥା କୁ ଆଉ ଧ୍ୟାନ ନଥାଏ ତାଙ୍କର I ଦାଣ୍ଡ ପିଣ୍ଡା ରେ ବସି ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଦେଖା ଯାଉ ନଥାଏ ତାଙ୍କୁ I
ସୌମ୍ୟ ରଞ୍ଜନ ବାବୁ ଆସିଲା ପରେ ସବୁ ଶୁଣି ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡିଲେ I
ଭାବି ଯାଉଥିଲେ,
ଗାଁ ଲୋକଙ୍କ ବିରୋଧ I ବାଛନ୍ଦ I ସାଇ ଭାଇଙ୍କ ଟାହି ଟାପରା ..
ଏପଟେ ପୁଅ ର ପୁଅ ଆଉ ସେପଟେ ଗାଁ ..
ପୁଅ ର ଦାୟ ନା ଗାଁ ର…
କଣ କରିବେ..?
ସମ୍ପର୍କ ର ଦୋ ଛକି ରେ ଠିଆ ହୋଇଥିଲେ ସେ ..
ଭାବି ପାରୁ ନଥିଲେ ଏବେ ଅବସ୍ଥା କଣ ହେବ?
ମୁଣ୍ଡ ବୁଲେଇ ଦେଉଥିଲା ତାଙ୍କର…
ପଡି ଯାଉ ଯାଉ ଚୌକି ଉପରେ ବସି ପଡିଲେ ସେ ..
କିଛି ସମୟ ପରେ ମୁହଁ ଟା ତାଙ୍କର ଲାଲ ହୋଇ ଉଠିଲା I ସେ ଭୀଷଣ ନିଷ୍ପତି ନେଇ ସାରିଥିଲେ ଏତିକି ସମୟ ଭିତରେ I ଶେଷ ନିଷ୍ପତି ଥିଲା ,”ଯିଏ ଯାହା କହୁ ପଛେ ମୋ ନାତି ମୋ ପାଖରେ ରହିବ I କାଲି ଯାଇ ମୋ ବୋହୁ କୁ ମୁଁ ନେଇ କି ଆସିବି I ତା’ର ଶେଷ ସମୟ ତକ ସେ ଆମ ପାଖେ ରହିବ I ଗାଁ ଲୋକ ବାଛନ୍ଦ କରିବେ ତ କରନ୍ତୁ I ମଣିଷ କୁ ନେଇ ସମାଜ ନା ସମାଜ କୁ ନେଇ ମଣିଷ? ”
ଶକୁନ୍ତଳା ଦେବୀଙ୍କ ମୁଣ୍ଡରୁ କୁଞ୍ଚିତ ରେଖା ଗୁଡିକ କ୍ରମଶଃ ସିଧା ହୋଇ ଆସୁଥିଲେ I ନିଜେ ଜଗନ୍ନାଥ ଯେ ନିଜେ ଆଜି ଏ ଘରେ ପାଦ ଦେଇଛନ୍ତି, ଏକଥା ସେ ହୃଦୟଙ୍ଗମ କରୁଥିଲେ I ମୁହଁ ରେ ଧାରେ ହସ ଲାଖି ରହିଥିଲା I କାଳିଆ ଉଦ୍ଦେଶ୍ୟରେ ହାତ ଯୋଡି ସାରି ସେ ଛୁଆ ଟିକୁ ପଚାରିଲେ ଖାଇଛୁ କଣ?
ସକାଲେ.. ପୁଲି.. ଖାଇଥିଲି I
ଦିନ ଆସି ବାରଟା ହେଲାଣି I ଛୁଆ ଟା ଖାଇନି କିଛି I ଶକୁନ୍ତଳା ଦେବୀ ସ୍ୱାମୀଙ୍କ ପାଖରେ ପିଲାକୁ ଛାଡି ତର ତର ହୋଇ ଉଠି ଗଲେ କିଛି ଖାଦ୍ୟ ଆଣିବାକୁ I
ସୌମ୍ୟ ରଞ୍ଜନ ବାବୁ ପିଲାକୁ କୋଳ କୁ ନେଇ ତା ମୁଣ୍ଡ ଆଉଁସି ଦେଉଥିଲେ I
–x–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I