ଝିଅ

ଝିଅ 
ସୁବଳ ମହାପାତ୍ର

ପଟେଲ ବାବୁ, ଗୋଟେ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ କାର୍ଯ୍ୟରତ I ବୟସ ପାଖାପାଖି ୫୦ I ସକାଳ ୧୦ ରୁ ସନ୍ଧ୍ୟା ୭ ଅଫିସ ରେ କଟେ I ସବୁଦିନ ସକାଳୁ ସେ ଅଫିସ ଯିବା ବେଳେ ଦେଖନ୍ତି ଜଣେ ବୃଦ୍ଧ, ଗୋଟେ ଛୋଟ ଝିଅ କୁ ସ୍କୁଲ ଡ୍ରେସ ପିନ୍ଧାଇ ମୁଣ୍ଡ କୁଣ୍ଡାଇ ଦେଉଥାନ୍ତି I ଏହା ସବୁ ଦିନିଆଁ ଘଟଣା I  ଘରଟି ରାସ୍ତା ରୁ ଟିକେ ଦୂର ଗୋଟେ ନାଳ କଡରେ I ଝିଅଟି ଦେଖିବାକୁ ବହୁତ ସୁନ୍ଦର I ଅଫିସ ଯିବା ବାଟରେ ତାକୁ ଥରେ ନ ଦେଖିଲେ ପଟେଲ ବାବୁଙ୍କୁ ଭଲ ଲାଗେନି I ଆହୁରି ବି ଝିଅଟି ଏତେ ସୁନ୍ଦର ଯେ ତା ଠୁ ଆଖି ଫେରେଇ ପାରନ୍ତିନି ପଟେଲ ବାବୁ I ପଟେଲ ବାବୁଙ୍କର ଦୁଇ ପୁଅ I ବହୁତ ଆଶା ଥିଲା ଝିଅ ଟିଏ ପାଇଁ I କିନ୍ତୁ ଆମେ ଦୁଇ ଆମର ଦୁଇ କଥାରେ ଦୁଇ ଟି ଯାକ ପୁଅ I ସବୁବେଳେ ସେଥିପାଇଁ ତାଙ୍କ ମନ ଦୁଃଖ I ଭାବନ୍ତି ମୋର ଏମିତି ଗୋଟେ ଝିଅ ଥାଆନ୍ତା କି?
ଝିଅଟି ପ୍ରତି ମାୟା ଲାଗି ଯାଇଥିଲା ତାଙ୍କର। ଖବର ନେଇ ଜାଣିଲେ ତାଙ୍କ ଡ୍ରାଇଭର ର ପୁଅ ସହ ଝିଅଟି ପଢେ। ଶ୍ରେଣୀ ରେ ପ୍ରଥମ ହୁଏ। ଖେଳ କୁଦ ରେ ବି ସେ ଆଗୁଆ। ଦିନେ ଦିନେ ତାଙ୍କ ଘରେ ଖାଇବାକୁ ନଥାଏ। ବିଚାରି ନଖାଇ ନ ପିଇ ସ୍କୁଲ କୁ ଆସେ। ସନ୍ଧ୍ୟା ରେ ଘରକୁ ଫେରିଲା ପରେ ଖାଏ।

ସେଦିନ ଅଫିସ ଯାଉ ଯାଉ ଠିକ ସେଇ ଘର ଆଗରେ ଗାଡି ପଙ୍କଚର ହେଲା I ଡ୍ରାଇଭର ଗାଡି ସଜାଡ଼ିବାକୁ ୨୦ ମିନିଟି ଲାଗିବ ବୋଲି କହି ଚକ ବଦଳେଇବାରେ ମନ ଦେଲା I ସେଦିନ ବୋଧେ ସ୍କୁଲ ଛୁଟି ଥାଏ I ଝିଅଟି ମଇଳା କଣ୍ଢେଇଟିଏ ଧରି ଖେଳୁ ଥାଏ I କଣ ମନ ହେଲା ସେ ଗାଡି ରୁ ଓ଼ଲ୍ଳେହି ଝିଅ ଟି ପାଖକୁ ଯାଇ ତା ନାଁ ପଚାରିଲେ I
ବାବୁ:- ତୋ ନାଁ କଣ ?
ଝିଅ:- (ଟିକେ ଡରି ଯାଇ) ରୀନା I
ବାବୁ:-ତମ ଘରେ ଆଉ କିଏ କିଏ ସବୁ ଅଛନ୍ତି ?
ରୀନା:-ଜେଜେ
ବାବୁ:- ଆଉ ?
ରୀନା:- ଆଉ କିଏ ନାହିଁ I
ବାବୁ:- ଜେଜେ କୁଆଡେ ଗଲେ ? (ପଟେଲ ବାବୁଙ୍କୁ ଆଉ ଟିକେ ତା ବିଷୟରେ ଜାଣିବାକୁ ଇଛା ହେଲା I )
ରୀନା:- ଭାତ ରାନ୍ଧୁଜି I
ବାବୁ:- ଡାକିଲୁ ଟିକେ I
ରୀନା:- ଏ ଜେଜେ , ତତେ କିଏ ଡ଼ାକୁଜି I ତୁଇ ଆ ବେଗେ (କହି କହି ଘର ଭିତରକୁ ପଳେଇଲା) I
ତା ଜେଜେ ହାତ ଧୋଇ ଗାମୁଛା ରେ ପୋଛି ଦାଣ୍ଡ ପଟକୁ ଆସିଲା ପରେ ପଟେଲ ବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା I
ବାବୁ:-ତମେ ତା ଜେଜେବାପା?
ଜେଜେ:- ଆଇଜ୍ଞା I
ବାବୁ:- ତା ବାପା?
ଜେଜେ:- ନାଇଁ ଆଇଜ୍ଞା, ୩ ବର୍ଷ ତଳୁ ମରି ସାରିଛି I
ବାବୁ:- ଆଉ ସବୁ, ତା ମା ? ଜେଜେମା ?
ଜେଜେ:- ଆଇଜ୍ଞା ସେ ବହୁତ କଥା I କିନ୍ତୁ ତେମେ କିଏ ? ଏତେଗୁରା କିଆଁ ପଚାରୁଜ ? କିରା ହେଇଜି, ଆଗ କହୁନ I
ବାବୁ:- ନା, ନା I ସେମିତି କିଛି ନୁହଁ I ମୁଁ ସବୁବେଳେ ଏଇପଟେ ଅଫିସ ଯାଏ I ଦେଖେ ତମେ ତାକୁ ମୁଣ୍ଡ କୁଣ୍ଡେଇ ସ୍କୁଲ ଡ୍ରେସ ପିନ୍ଧେଇ ଦିଅ I ଆଜି ଗାଡି ର ଚକ ପଙ୍କଚର ହେଇ ଯାଇଛି ଆଉ ଡ୍ରାଇଭର ଗାଡି ଠିକ କରୁଛି ତ , ସେଥିପାଇଁ ଟିକେ କଥା ହେବାକୁ ଚାଲି ଆସିଲି I କିଛି ଖରାପ ଭାବନ୍ତୁ ନାହିଁ I
ଜେଜେ:- ଓଃ.. ହେକଥା କହୁନ I ଏ ରୀନା, ହେ ହେଂସ ଟା ଘିନି ଆଇଲୁ I ବାବୁ ଟିକେ ବଇ ପଡତୁ (ବସି ପଡନ୍ତୁ)   କହି , ନିଜେ କାନ୍ଧରେ ଥିବା ଗାମୁଛା ଟିକୁ ମାଟି ପିଣ୍ଡା ଉପରେ ଦି ଥର ବାଡେଇ ଦେଇ ବସି ପଡିଲା I ରୀନା ଛିଣ୍ଡା ହେଂସ ଖଣ୍ଡେ ଆଣି ତା ଫ୍ରକ ରେ ପୋଛି ବାବୁଙ୍କ ବସିବା ପାଇଁ ଜାଗା କରି ଦେଲା I
ବୁଢାର ବୟସ ପାଖାପାଖି ୬୦ ଛୁଇଁଲାଣି I କିନ୍ତୁ ହାତ ର ଜୋର ଅଛି I ପଟେଲ ବାବୁ ଝିଅ ଟିକୁ ପାଖରେ ବସିବାକୁ କହିଲେ କିନ୍ତୁ ସେ ଜେଜେ ପଛପଟେ ଯାଇ ଲୁଚି କି ବସିଲା I ପଟେଲ ବାବୁ ପଚାରିଲେ …
ବାବୁ:-ରୀନା ର ବୟସ କେତେ ହେବ ?
ଜେଜେ:- ୯ ବର୍ଷ I
ବାବୁ:-କେଉଁ ସ୍କୁଲ ରେ ପଢୁଛି?
ଜେଜେ:- ଏଇ ସରକାରୀ ଇସକୁଲୁ ରେ I ତୁରୁତୀୟ (ତୃତୀୟ) I
ବାବୁ:-ଆଛା, ତା ବାପା ମା ? କଣ ହେଇଥିଲା ?
ଜେଜେ ଟିକେ ଚୁପ ହୋଇ ଗଲେ, ଆଖି କୋଣ ରେ ଲୁହ ଜକେଇ ଆସିଲା I ସେ କହିବାକୁ ଆରମ୍ଭ କଲେ …
          ଆମର ଚାଷୀ ଘର ଆଇଜ୍ଞା I ଗୁଟିଏ ବୋଲି ପୁଅ I ପାଠ ପଢିଲାନି । ସଦାବେଳେ ଖାଲି ଖେଚଡ (ବାଳୁଙ୍ଗାମି) ହୁଏ I ପାଞ୍ଚଟା ଶେଣୀ ପରେ ଆଉ ଇସକୁଲୁ ଗଲାନି I ମଦପାଣି ପି ଖାଲି ତାସ ଖେଳେ I ବଡ ହେଲାରୁ ତାକୁ ବାହା କରେଇ ଦେଲି I ଭାବିଥିଲି ବାହା ହେଲେ କାଳେ ଟିକେ ବଦଳିବ I କିନ୍ତୁ ନାଇଁ ଜଉଟା କୁ ସେଇଟା I ବହୁତୁ ଗୁଣିଆଁ, ରାଉଳିଆ କଲି ଆଇଜ୍ଞା, କିଛି ହେଲାନି I କେହି ଜଣେ ହେଲେ ତା ମଦ ଛଡେଇ ପାଇଲେନି I ଦିନେ ଗୁଟେ ବାବା ଆଇଧିଲା, ତା ସହ ଦିନାକେତେ ସେ ବୁଲିଲା I ଆସ୍ତେ ଆସ୍ତେ ତା ମଦ ଛାଡି ଛାଡି ଆଇଲା I ଆଗରୁ ଦିନକୁ ୩ ଥର ପିଏ I ସବୁବେଳେ ଟୁଳୁ ଟୁଳୁ ହଉଥିଲା I ଆସ୍ତେ ଆସ୍ତେ ଭଲ ଆଡକୁ ଆଇଲା I ବାବାକୁ ମୁଁଇଁ ଲକ୍ଷେ ମୁଣ୍ଡିଆ ମାରିଚି ଆଇଜ୍ଞା I ହାଉଲେ ହାଉଲେ ସେ ଟିକେ ନିକ (ଭଲ) ଆଡିକୁ ଆଇଲା I ଚାଷ ବାସ ଦେଖିଲା I ମୁଇଁ ଆଇଜ୍ଞା ଟିକେ ନିଶାସ ମାଇଲି I ଯାହା ହଉ ସେ ଭଲ ହେଇଗଲା I ନିଶାପାଣି ଛାଡି ଆଇଜ୍ଞା ସେ ବିଲ ଧଇଲା I ଆମ ବିଲ ସହ ସାହୁକାର ବିଲ ବି ଧଇଲା I ସେଦିନ ଆଇଜ୍ଞା ଧାନ ଗାଡି ଧରି ଯାଇଧିଲା ମଣ୍ଡି କୁ I ସେଠି ସରକାର କୁଆଡେ ଧାନ କିଣେ I ବହୁତ କମ ପଇସା ଦଉଜି ବୁଲି ସବୁ କୁଆଡେ ହରତାଳ କଲେ I ଗାଡିକ ଯାକ ଧାନ ବିଂଛି ଦେଲେ I ମୁଣ୍ଡରେ ଆଇଜ୍ଞା ହାତ ଦେଇ ଘରକୁ ଆଇଲା I କାହାଠୁ କେତେ ଧାର ଉଧାର କରି ଥିଲା I ତାକୁ କିଇନ୍ଧି ଶୁଝିବ ବୁଲି ଚିନ୍ତା ରେ ଆଇଜ୍ଞା ଦଉଡି ଦେଇ ଦେଲା I
କହିସାରି ଜେଜେ ମଇଳା ହୋଇ ଯାଇଥିବା ଗାମୁଛା ରେ ଆଖିରୁ ଲୁହ ପୋଛିଲେ I ପୁଣି କହିଲେ…
ଉଧାରିଆ ଵାଲା ସବୁ ଆସି ଦାଣ୍ଡ ଆଗରେ ଠିଆ I ପୁଅ ତ ଆଇଜ୍ଞା ମଲା , ଜମିବାଡ଼ି ତକ ଯାହା ଥିଲା ସେ ବି ଗଲା I ଚିନ୍ତା ରେ ୟା ଜେଜୀ ର ମୂର୍ଦ୍ଧନା ଫାଟିଗଲା (ହାର୍ଟ ଆଟାକ) ଆଇଜ୍ଞା I ରାତିରେ ଶୋଇଲା ଯେ ଆଉ ସକାଳକୁ ନାହିଁ I ଯୁଡେ ଯୁଡେ ନିମନ୍ତ ଚଳେଇ ପାଇଲିନି ଆଇଜ୍ଞା I ୟା ଜେଜୀ କୁ ମସାଣି ରେ ପୁଡ଼ି, ଏ ମା ଝିଅଙ୍କୁ ଧରି ସିଧା ସିଧା ସହର ରାସ୍ତା ଧଇଲି I ଗାଁ ରେ କଣ ଆଉ ଥିଲା ଯେ ରହି ଧାଇତି ? ହେପଟେ ନିମନ୍ତ ନ କରି ସାଇଭାଇ କଉ ରଖେଇ ଦେବେ ? ପଇସା କଉଢ଼େ (କେଉଁଠି) ଥିଲା ଯେ ଖରଚ କରି ଧାଇତି (ଥାଆନ୍ତି) I
ଟାଉନୁ କୁ ଆଇଲା ପରେ ଜାଣିଲି ଆଇଜ୍ଞା , ଏ ଟା କେଡେ ମାରାତ୍ମକ I ଦୁରୁରୁ ସୁନ୍ଦର ଆଇଜ୍ଞା , ପାଖରେ ହଳାହଳ I ଏଠି ଆସି କୁଡ଼ିଆ ଟିଏ କଲି I ୟା ମା ଆଉ ମୁଁଇଁ ମୂଲ ଲାଗିଲୁ I ଯାହା ଦି ପଇସା ଆସେ I ଏ ସହର ନୁକରା (ଲୋକ ଗୁଡା) ଭଲନି I ସବୁ ଶଳେ ଗାଁ ରୁ ଆଇଜିତି (ଆସିଛନ୍ତି) କିନ୍ତୁ ଏଠି ସବୁ ବାବୁ ଆଇଜ୍ଞା I ଦୂରୁ ଦୂରୁ କରୁଜିତି (କରୁଛନ୍ତି) I ଆମେ ଆଇଜ୍ଞା ଖଟିଖିଆ ନୁକ (ଲୋକ) I ଦାଣ୍ଡ ରୁ ଆଇଲେ ହାଣ୍ଡିରେ ପଇବ I କଣ ଆଉ କରି ଧାଇତୁ ? ଏଠି ନାଁ ବିଲ ଅଛି ନାଁ ଚାଷ I ଦିହ (ଶରୀର) ରେ ନୁଗା ଚିରିଲେ ଆଇଜ୍ଞା ବିଲରେ ଫସଲ ନହରୀ ଭାଙ୍ଗେ I ଏ ନୁକ ସବୁ କହିତି (କୁହନ୍ତି) ଆମ ଦିହ କୁଆଡେ ଝାଳୁଆ ଝାଳୁଆ ଗନ୍ଧେ I ଶଳେ ଆମେ ଚାଷ ନକଲେ ତମେ ଖାଇବାକୁ ପାଇବ ? ଯଉଠି ଜରି କୁଡ଼ିଆ କରିଥିଲି ଆଇଜ୍ଞା, ସେଠି ବି ବଟି ନେଇତି (ନିଅନ୍ତି)I ଦିନେ ଆଇଜ୍ଞା ସେ ନୁକ ସହ ୟା ମା ରସିଲା କି କଣ , ତା ସହ ପଳେଇଲା I ଥରେ ବି ଏ ଝିଅ କଥା ମନ ରେ ହେଜିଲାନି (ମନେପକେଇବା) I ହେଠୁ ବି ଛାଡି କି ଆଇଲି I ଏବେ ଆଇଜ୍ଞା, ମୂଲ ଲାଗି ଜେଜେ ନାତୁଣୀ ଚଳୁଜୁ, ତାକୁ ଇସ୍କୁଲ ପଠଉଜି I ଦି ଅକ୍ଷର ପଢିଲେ ସିନା କଣ ଜାଣିବ ବାବୁ , ନହେଲେ ମାଇକିନା ଝିଅ ମୁଁଇଁ ମଲା ପରେ କଣ କରିବ I ଏ ଟାଉନୁ ରେ ମୁଲିଆ ରାକର (ମାନଙ୍କର) ଭାରି ଖରାପ ନଜର ଆଇଜ୍ଞା I ସେ ହସିନା ଦିଦି ନେଖେ (ପରି) ଦି ଅକ୍ଷର ପଢିଧିଲେ ଏ ଶଳେଙ୍କୁ ଠିକ ଜବାବ ଦବ I ନହେଲେ କେତେବେଳେ କଣ କରିବେ ଜଣା ନାହିଁ ଆଇଜ୍ଞା I
**********
ଗାଡି ଠିକ ହୋଇଗଲା ବୋଲି ଡ୍ରାଇଭର ଡାକିବାକୁ ଆସିଲା I ତାକୁ “ତୁ ଚାଲ, ମୁଁ ଆସୁଛି” ବୋଲି କହି ପଟେଲ ବାବୁ ବୁଢା କୁ କଣ କହିବେ କହିବେ ବୋଲି ରହିଗଲେ I
କଥା ସବୁ ତଣ୍ଟି ପାଖରେ ଅଟକି ଗଲେ I ପାକେଟ ରୁ ରୁମାଲ କାଢି ମୁହଁ ପୋଛି କହିଲେ…
ବାବୁ:- ଆଛା ମୁଁ ଯଦି ତମ ନାତୁଣୀ କୁ ପଢେଇବାର ଦାୟିତ୍ୱ ନିଏ ?
ଜେଜେ:- (ନାହିଁ କରିବା ଭଙ୍ଗୀ ରେ ହାତ ହଲେଇ ) ନାଁଇଁ ବାବୁ i ଏଠି କାହାକୁ ବିସାଶ (ବିଶ୍ୱାସ) ନାହିଁ I ମୁଁଇଁ ମୋ ନାତୁଣୀ କୁ କୁଆଡେ ଛାଡିବିନି I
ବାବୁ:- ଆରେ ତୁମେ ବି ତା ସହ ରହିବ I କିନ୍ତୁ ମୋ ଘରେ I ତୁମେ ମୋ ଘରେ ରହି ଛୋଟ ମୋଟ କାମ କରିବ ଓ ସେ ପାଠ ପଢିବ I ତମ ଦି ଜଣଙ୍କୁ ମୁଁ ଅଲଗା କରିବିନି I ହେଲା?
ଜେଜେ:- ହେଲେ ମୁଇଁ କିଆଁ ? ଆହୁରି ତ କେତେ ବୁଲୁଯିତି I ତମେ ମୋ ଠି କିଆଁ ଆଖି ପକେଇଲ? (ଜେରା କରିବା ଭଙ୍ଗୀରେ ସେ ପଚାରିଲେ)
ବାବୁ:- ମୁଁ ସବୁଦିନ ଗଲା ବେଳେ ଦେଖେ, ଏଠି କେତେ ପିଲା ଅଛନ୍ତି I ସମସ୍ତେ କିନ୍ତୁ ଖେଳ ବୁଲା ରେ ମାତିଥାନ୍ତି I ଏଇ ଝିଅଟିର ଆଗ୍ରହ ଅଛି ପଢ଼ିବା ପାଇଁ I ମୋର ଦି ପୁଅ I ବହୁତ ଆଶା କରିଥିଲି ଝିଅଟିଏ ପାଇଁ କିନ୍ତୁ… ୟେ ଆଜିଠୁ ମୋ ଝିଅ ହୋଇ ରହିବ I ମୁଁ ତାକୁ ପଢ଼େଇବି, ବାହାଘର କରିବି ସବୁ I ହେଲା ? ଯଦି ବିଶ୍ୱାସ ନ ହେଉଛି ଏବେ ଚାଲ ଆମ ଘରକୁ ଦେଖି କି ଆସିବ I  ଘରେ ମୁଁ ଆଉ ମୋ ସ୍ତ୍ରୀ ଅଛୁ I ପୁଅ ଦି ଜଣ ବାହାରେ ପଢୁଛନ୍ତି I   ତମ ମନକୁ ପାଇଲେ ରହିବ ନହେଲେ ନାହିଁ I ମୁଁ ତୁମକୁ ବାଧ୍ୟ କରିବିନି I
କିଛି ସମୟ ପରେ ଝିଅ ଟି ନୂଆ ଡ୍ରେସ ପିନ୍ଧି ପରୀ ଭଳି ଦିଶୁଥିଲା ଆଉ ଜେଜେ ଧୋବ ଧୋବଳିଆ ଲୁଗା ଆଉ କୁର୍ତା ପିନ୍ଧି ମହାଜନ ପରି I
ପଟେଲ ବାବୁଙ୍କ ସ୍ତ୍ରୀ ଏମାନଙ୍କୁ ପାଛୋଟି ନେବାକୁ ଘରର ମୁଖ୍ୟ ଦରଜା ପାଖରେ ଠିଆ ହୋଇଥିଲେ I
ସମାପ୍ତ….

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I