ମଦ ରାକ୍ଷସ …
ସୁବଳ ମହାପାତ୍ର
ଆଜି ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ କେବଳ ବିଦେଶୀ ଭାବରେ ଚିତ୍ରିତ କରା ଯାଉଛି ତା ନୁହଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ଏକ ଟଙ୍କା ମେସିନ ବୋଲି ଭାବୁଛନ୍ତି। ମଦ କେତେଯେ ଲୋକଙ୍କୁ କବଳିତ କରିଛି ଏହା ନିଜେ ନ ଦେଖିଲେ ଜାଣି ହେବନି। ଅଷ୍ଟମ , ନବମ ରେ ପଢ଼ୁଥିବା ପିଲା , ବୟସ 14/15 ଭିତରେ, ସେମାନେ ବି ମଦ ପିଇବା ଆରମ୍ଭ କଲେଣି। ଯୁଆଡେ ଯାଅ”ଭାଇନା , 100 ଦଉନ” ଶୁଣି ଶୁଣି ନିଜ ଉପରେ ଘୃଣା ଆସୁଛି। ଦୋକାନ , ବଜାର, ଚିହ୍ନ।, ଜଣା, ବନ୍ଧୁ , ବାନ୍ଧବ, ପାଖ ପଡୋଶୀ ଙ୍କ ବ୍ୟବହାର ଆଶ୍ଚର୍ଯ୍ୟ ଜନକ, କେବଳ 100 ଟଙ୍କା ପାଇଁ। 100 ଟଙ୍କାପାଇଲେ ଆଉ କିଛି ମିଶେଇ ଏ ଓଳି ର ମଦ ଖର୍ଚ ବାହାରି ଯିବ। ପୁରୁଣା ସାଙ୍ଗ ମାନଙ୍କୁ ଦେଖି ଖୁସି ହେବା ବଦଳରେ ଆଗ ଶୁଣିବାକୁ ପଡୁଛି “ମଗା ଗୋଟେ ଛୋଟିଆ ଟେ”, ତା ପରେ ଗପିବା। କି ହୀନବୁଦ୍ଧି।
ଆମ ପୂର୍ବ ପୁରୁଷ ବିର ଥିଲେ। ଏ ଜାତି ବିର ଥିଲା। ଆତ୍ମସମ୍ମାନ ପାଇଁ ଜୀବନ କୁ ବାଜି ଲାଗେଇଥିଲା ଏ ଓଡ଼ିଆ ଜାତି। ଆଜି? ମଦ ଭିକାରି ର ଜାତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଘରେ ସ୍ତ୍ରୀ ଚିରାଲୁଗା ଖଣ୍ଡେ ପିନ୍ଧି ଲଜ୍ୟା ନିବାରଣ କୁ ଅକ୍ଷମ ଥିବା ବେଳେ , ସ୍ବାମୀ ହଜାର ହଜାର ଟଙ୍କା ପିଇବାରେ ଖର୍ଚ କରୁଛି। ମଦ ଜୁଆ , ଆଜି ଗରିବ, ଧନୀ, ସ୍କୁଲ, କଲେଜ ଠୁ ଆରମ୍ଭ କରି ଇଞ୍ଜିନିଅରିଂ ପିଲାଙ୍କୁକବଳିତ କରି ରଖିଛି। କେତେ ଯେ ଚୋରି , ଡକାୟତି, ଲୁଟ, ଚେନ ଛୀନତାଇ ପରି ଘଟଣା ଆଜି ନିତିଦିନିଆ। କାହାର ବି ଚିନ୍ତା ନାହିଁ। ଗୋଟିଏ ଘଟଣା ବାରମ୍ବାର ଘଟିଲେ ଦେହସୁହା ହେବାପରି, ଆଜି ଏସବୁ ଜିନିଷ ସବୁ ଦେହସୁହା। ସରକାର କରୁଛି କହି ଚୁପ ରେ ବସି ଯାଉଛନ୍ତି। ଭଗବାନ, ଚକାଡୋଳା ଭରସା କହି ଚୁପ।
ଉଠ ଉଠ ଆରେ ଉତ୍କଳ ସନ୍ତାନ,
ଉଠିବୁ ତୁ ଆଉ କେତେ ଦିନେ।
ପୂରୁବ ଗୌରବ ପୂରୁବ ମହିମା,
ପଡୁନାହିଁ କିରେ ତୋର ମନେ।
ହୋସ ରେ ଥିଲେ ସିନା ମନେ ପଡିବ? ଆଜି ସମସ୍ତେ ମଦ ପିଇ ନିଶାରେ, କିଏ ମନେ ପକେଇବ ଓ କାହିଁକି?
ଜନ୍ମ ହେଉ ହେଉ ଆଜି ପିଲା ପଇସା ରୋଜଗାର କରୁଛି । 6000 ଟଙ୍କା ସରକାର ଦେଉଛି। ଖାଇବା ପାଇଁ ଟଂକାକିଆ ଚାଉଳ,ସ୍କୁଲ ରେ ସାଇକେଲ, laptop, ମଧ୍ୟ।ନ୍ନ ଭୋଜନ, ଇନ୍ଦିରା ଆବାସ,ବେକାରୀ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ରୁ ଆରମ୍ଭ କରି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଯାଏ, ସବୁ ସରକାର ଦେଉଛି। କାମ କରିବା କଣ ଦର୍କାର। ମଦ ପଇସା ଆଜି ୟାଠୁ, କାଲି ତାଠୁ ହେଲେ ହେଲା। କିଛିନହେଲେ, ବାପା ମାଙ୍କୁ ବାଡ଼େଇଲେ ସେମାନେ ଦେବେ। ଜାତି ଆଜି ହୀନବୀର୍ଯ୍ୟ, ଅକର୍ମଣ୍ୟ ହୋଇ ସାରିଛି।
ଚାଷୀ କଣ ପାଇଁ ଚାଷ କରିବ? ଟୋକା ମାନେ ଏତେ ସୁବିଧା ପାଇଲା ପରେ ଚାଷ କୁ ନା କହି ମଦ ର କବଳରେ। ମିଛରେ ଧୋଇ, ମରୁଡି ରେ ଫସଲ ନଷ୍ଟ ବୋଲି କହି ଋଣ ଛାଡ ର ଫାଇଦାହାତଉଛନ୍ତି। ବୟସ୍କ ଚାଷୀ ନା ଉଚିତ ପାରିଶ୍ରମିକ ପାଉଛି ନା ଭଲ ବିହନ। ଯଦି ଅବା ଫସଲ ଭଲ ହେଲା, ଦି ପଇସା ହାତକୁ ଆସିଲେ, ଭେଣ୍ଡିଆ ପୁଅ ଡରେଇ , ଧମକେଇ ନେଇ ମଦ ପିଇବ। କିଦୁର୍ବୁଦ୍ଧି!!
ଲାଞ୍ଚ, ମିଛ ରେ ଏ ଜାତି ଆଜି ଭରପୁର। କିଛି କରିବାକୁ, କହିବାକୁ ଚାହିଁଲେ ବି ଚାରିପଟୁ ଲୋକ ମାଡି ଆସୁଛନ୍ତି ଶତ୍ରୁ ଭାବି। ଏ ଜାଗାରେ, ଆପେ ବଂଚିଲେ ବାପା ର ନାଁ ନ୍ୟାୟ ରେ ଖସି ଯିବାହିଁବୁଦ୍ଧିମାନ ର କାମ ପରି ଲାଗୁଛି।
ତେବେ ବେଳେ ବେଳେ ଘରର ମାଇକିନା ମାନେ ହାତରେ ଠେଙ୍ଗା ଧରି ମଦ ଦୋକାନ ଭାଙ୍ଗିବାର ଭଲ ଖବର ବି ଆସୁଛି। କିନ୍ତୁ ଯେଉଁଠି ସରକାର ଚାହୁଁନି, ସେଠି ଗୁଣ୍ଡୁଚି ମୂଷା ଯେତେ ବାଲିପକେଇଲେ କଣ ଗୋଟେ ପୋଲ ତିଆରି ହୋଇପାରିବ ଶ୍ରୀଲଙ୍କା ଯାଏ? ବୋଧହୁଏ ନାଁ।
ସବୁଦିନ ମଦ ପିଇ ଘରକୁ ଫେରୁଥିବା ସାଙ୍ଗ ମାନଙ୍କୁ ଦେଖି ହୃଦୟ କାନ୍ଦେ।
କହିଲେ, ଯୁକ୍ତି ହୁଏ।
ଗାଲୁ ରେ ପେଟ ପୁରେ।
ପକେଟ ରୁ ଅନିଚ୍ଛା ସତ୍ତ୍ୱେ 100 ଯାଏ।
ନଦେଲେ ଗାଳି ମିଳେ।
ସୁଣ୍ଠା ର ଉପାଧି ମିଳେ।
ଆଉ କିଛି ସମୟ ପରେ…
ସେମାନେ ଟାଙ୍କି ଫୁଲ କରି,
ଆଖି ଲାଲ କରି,
ବୋଲ ମାନୁ ନଥିବା ଗୋଡ ଗୁଡିକୁ
ଘୋଷାରି ଘୋଷାରି,
ଅସଭ୍ୟ ଭାଷା ରେ କହୁଥିବା କଥା ଗୁଡିକ
କାନ ରେ ବାଜେ।
ସେଥିରେ ତୁମ ପ୍ରତି ଥିବା ଦୋଅଖିରି ତିନି ଅଖିରି ଗୁଡିକ ଶୁଣି ନିଜ ପ୍ରତି ଘୃଣା ଆସେ।
ରାସ୍ତା ରେ ଯାଉଥିବା ଗାଡି ଆଗରେ ଠିଆ ହୋଇଯିବାପାଇଁ ମନ କହେ।
ପୁଣି , କିଛି ସମୟ ପରେ,
ନାଳ ଉପରେ ପଡିଥିବା ସାଙ୍ଗଟିକୁ ଦେଖି ଅଟକି ଯାଏ,
ମୁହଁ ଉପରେ ମାଛି ଭଣ ଭଣ,
ପେଣ୍ଟ ର ବୋତାମ ଖୋଲା,
ସାର୍ଟ ପଛ କାଦୁଅ ରେ ଭର୍ତି ,
ଆଉ ପାଟିରୁ ଗଁ ଗଁ ଶବ୍ଦ ଶୁଣି ପଛକୁ ଚାହେଁ।
ଫେରିଯାଏ ସ୍କୁଲ ଜୀବନକୁ।
ଏଇ ପିଲା, ଦିନେ ପ୍ଲାକାର୍ଡ ଧରି ରାସ୍ତା ଉପରେ ଚାଲିଥିଲା ,
ମଦ ବିରୋଧ ରେ ସ୍ଲୋଗାନ ଦେଇ …
—-X—-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com