ସପ୍ତଫେଣି

ସପ୍ତଫେଣି

(www.aahwaan.com ରେ December 2017 ରେ ପ୍ରକାଶିତ )

ସୁବଳ ମହାପାତ୍ର

ମା….ମା…. ବୋଲି ଡାକି ଡାକି ଘର ଭିତରକୁ ପଶି ଆସିଲେ ଡାକ୍ତରାଣୀ ଶତଭିଷା ପଟ୍ଟନାୟକ I ସାଙ୍ଗରେ ଜଣେ ମ୍ଲେଚ୍ଛ ଭିକାରୁଣୀ I ଭିକାରୁଣୀ କୁ ବାରଣ୍ଡା ରେ ବସେଇ ଦେଇ ସେ ଘର ଭିତରକୁ ଯାଇ ମା ଆଉ ଘରର ଚାକରାଣୀ ଯମୁନା କୁ ଖୋଜିଲେ I କାହାକୁ ନପାଇ ବାଡ଼ି ପଟକୁ ଯାଇ ଦେଖିଲେ ମା ଠିଆ ହୋଇଛି ଆଉ ଯମୁନା କଣ ଗୋଟେ ଗଛ ଲଗେଇବା ପାଇଁ ଗାତ ଖୋଳୁଛି I ମା, ଯମୁନା କୁ କହୁ ଥାଏ, ଟିକେ ଜଲଦି କର, ଏ କାମ ସାରିଲେ ପୁଣି ସେ ଦାଣ୍ଡ ପଟେ ଥିବା ସପ୍ତଫେଣି ଗଛଟାକୁ କାଟିବୁ I କଣ୍ଟା ଗଛଟା ଘର ଆଗରେ ରହିବା ଭଲ ନୁହଁ I
ଯମୁନା କୁ ଦେଖୁ ଦେଖୁ ଶତଭିଷା କହିଲେ, ” ଗଲୁ ଗଲୁ, ଗୋଟେ ଡେ଼କଚି ରେ ପାଣି ଗରମ କରିବୁ ଆଉ ସାବୁନ, ଶାମ୍ପୂ ବି ନେଇ କି ଆସିବୁ I ମୁଁ ବାରଣ୍ଡା ରେ ଅଛି I
ମା ରୁକ୍ମୁଣୀ ଦେବୀ ଙ୍କୁ ଜଣା ପଡିଗଲା ଯେ, ମାମୁନି ଆଜି ପୁଣି କେଉଁ ଗୋଟେ ଭିକାରି କିମ୍ବା ପାଗଳ ବୁଢା କି ବୁଢ଼ୀ କୁ ଧରିକି ଆସିଛି, ଏବେ ତାକୁ ଗାଧୋଇ ଦେବ, ଖାଇବାକୁ ଦେବ ଆଉ ସେ ସାଷ୍ଟାମ ହେଲା ପରେ ତାକୁ ନେଇ ଵୃଦ୍ଧାଶ୍ରମ ରେ ଛାଡିବ I ପିଲା ଦିନୁ ମାମୁନି ଟା ଏମିତି I ଦୁଖୀ ରଙ୍କିଙ୍କ ଦୁଃଖ ଦେଖି ପାରେନି I ମନେ ପକାଉଥିଲେ ରୁକ୍ମୁଣୀ ଦେବୀ, ସେ ବି ଦିନେ ଏପରି ଘର ଛାଡି ପଳେଇ ଆସିଥିଲେ ଆଉ ଭିକାରି ହେବା ପାଇଁ ସଜବାଜ ହେଉଥିଲେ I କିନ୍ତୁ କିଛି ଲୋକଙ୍କ ସହାୟତା, ଆଜି ତାଙ୍କୁ ଏଠି ଗୋଟେ ସମ୍ମାନନୀୟ ଜୀବନ ବଂଚିବାରେ ସାହା ହୋଇଛି I
ଭାବୁ ଭାବୁ ସେ ଦାଣ୍ଡ ପିଣ୍ଡା ରେ ପହଞ୍ଚି ଯାଇଥିଲେ I ଭିକାରି ବୁଢ଼ୀଟିଏ ପିଣ୍ଡା ତଳେ ବସି ଥାଏ I ଦେହରେ ମଇଳା କୋଚଟା ସାତ ସିଆଁ ଚିରା ଲୁଗା ଖଣ୍ଡେ I ମୁଣ୍ଡରେ ବର୍ଷେ ହେଲା ତେଲ ବାଜିନି, ନୁଖୁରା, ଅଲରା I ଆଖି ଯୋଡିକ ଶୁଖିଲା I ପେଟ ଯାଇ ପିଠିରେ ଲାଗିଛି I ପାଖରେ ଗୋଟେ ବୁଜୁଳୀ ଆଉ ଗୋଟେ କଣା ଚେପା ରସ ତାଟିଆ I ମୁହଁଟା ଭଲ ରେ ଦିଶୁ ନଥାଏ I ଅଲରା ବାଳ ଗୁଡିକ ମୁହଁ ସାରା ଖେଳେଇ ହୋଇ ରହି ଥାଏ I ଆଖି ଦେଖି ଦୋ ଦୋ ଚିହ୍ନI ହେଲେ ରୁକ୍ମୁଣୀ ଦେବୀ I
ଭିକାରି ବୁଢ଼ୀ ରୁକ୍ମୁଣୀ ଦେବୀଙ୍କୁ ଦେଖି କରେଣ୍ଟ ମାରିଲା ପରିକା ଚମକି ପଡିଲା ଆଉ ଉଠି ଚାଲି ଯିବାକୁ ବସିଲା I ରୁକ୍ମୁଣୀ ଦେବୀ ପଛରୁ ଡାକିଲେ, ଆରେ ଆରେ ରୁହ I କୁଆଡେ ଯାଉଛ ? ଏ ମାମୁନି, ଆ ଦେଖିବୁ ତ… I ଶତଭିଷା ମାଡାମ ଆସି ଦେଖିଲେ ବୁଢ଼ୀ ଚାଲି ଯିବାକୁ ବସିଛି I ଦୌଡ଼ି ଯାଇ ଫାଟକ ପାଖରୁ ତାକୁ ଫେରେଇ ଆଣିଲେ I ବୁଢ଼ୀ ଆସିବାକୁ ଅମଙ୍ଗ ହେଉ ଥିଲା I ହେଲେ ବହୁତ ବୁଝେଇ ଶୁଝେଇ ତାକୁ ବାରଣ୍ଡା ଉପରକୁ ଆଣିଲେ I ଅଲରା ବାଳ ସଜାଡି ଦେବା ପରେ ରୁକ୍ମୁଣୀ ଦେବୀଙ୍କୁ ଆଉ ବୁଝିବାକୁ ବାକି ନଥିଲା ଯେ, ବୁଢ଼ୀ ଓଲଟି ପଡି ପଳେଇ ଯାଉଥିଲେ କ’ଣ ପାଇଁ I
ରୁକ୍ମୁଣୀ ଦେବୀ ଫେରି ଯାଉଥିଲେ ୨୭ ବର୍ଷ ତଳକୁ ……..
ହଠାତ କାଚ ଗ୍ଲାସ ଟା ଖସି ପଡି ଝଣ ଝଣ ହୋଇ ଭାଙ୍ଗିଗଲା ଆଉ ରୁକ୍ମୁଣୀ ଦେବୀ ଙ୍କ ମୁଣ୍ଡ ବୁଲେଇବାରୁ ସେ କାନ୍ଥ ରେ ହାତ ଦେଇ ବସି ପଡିଲେ I ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆ ଗଲା ଆଉ ଜଣା ପଡିଲା ଯେ ସେ ଗର୍ଭବତୀ I ଘରେ ଖୁସି ର ମାହୋଲ I ଜଣ ଜଣ କରି ବଧେଇ ଜଣାଉଥାନ୍ତି I ଶାଶୂଙ୍କର କିନ୍ତୁ ପୁଅ ଦରକାର I ଆଉ ଝିଅ ଦରକାର ନାହିଁ I କିଛି ଦିନ ପରେ ଜୋର ଜବରଦସ୍ତି ତାଙ୍କୁ ପଠାଗଲା ଚେକ କରିବା ପାଇଁ ପୁଅ ନା ଝିଅ I ରିପୋର୍ଟ ଆସିଲା ଏଥର ବି ଝିଅ I ଶାଶୁଙ୍କ ରାଗ ଆଉ ଦେଖେ କିଏ ? ତାଙ୍କୁ ଭୃଣ ହତ୍ୟା କରିବା ପାଇଁ ବାଧ୍ୟ କରାଗଲା I ପ୍ରାଇଭେଟ କ୍ଲିନିକ ରେ ଏସବୁ କରିବାର ଫାଇନାଲ ହେଇଗଲା I ଡାକ୍ତର ବି ଠିକ କରାଗଲା I କ୍ଲିନିକ ଵାଲା ଅଧିକ ଟିକେ ପଇସା ନେବେ, ସବୁ ଜିନିଷ ସୁରୁଖୁରୁ ରେ ହୋଇଯିବ I କିନ୍ତୁ ଶେଷ ମୁହୁର୍ତରେ ରୁକ୍ମୁଣୀ ଦେବୀ ଭୃଣହତ୍ୟା କରିବାକୁ ମନା କରିଦେଲେ I ମା ମନ ତାଙ୍କର ମାନୁ ନଥିଲା ଏସବୁ କରିବା ପାଇଁ I ଯାହା ହେଲେ ବି ଛୋଟ ଛୁଆ ଟା ର ଦୋଷ କ’ଣ? ଗୋଟିଏ ତ ଝିଅ ଅଛି ଆଉ ଗୋଟେ ହେଲେ ଅସୁବିଧା କ’ଣ? ନା.. ସେ ଭୃଣହତ୍ୟା କରିବେନି I ଯାହା ବି ହେଇଯାଉ ସେ ଏଇ ଛୁଆ କୁ ଜନ୍ମ ଦେବେ I  ଏଥର ଆରମ୍ଭ ହୋଇଗଲା ଶାଶୂଙ୍କର ଅତ୍ୟାଚାର I ଶ୍ୱଶୁର, ଦିଅର ଆଉ ନଣନ୍ଦ ଙ୍କର ବି ଅତ୍ୟାଚାର ବଳି ପଡିଲା ଶାଶୁଙ୍କ ସହ ତାଳ ଦେଇ I ସ୍ୱାମୀ ସବୁ ଜାଣୁଥିଲେ ବି ତାଙ୍କର ବାପା, ମା, ଭାଇ ଆଉ ଭଉଣୀଙ୍କ ବିରୁଦ୍ଧରେ କିଛି କରିବାର ନଥିଲା I ଏଇ ବାପା, ଭାଇ ତ ସେମାନଙ୍କ ଘର ଚଳାଉଛନ୍ତି, ପଇସା ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଗଲେ ଚାରି ପ୍ରାଣୀ ଚଳିବେ କେମିତି ? ତାଙ୍କର ତ କିଛି ରୋଜଗାର ନାହିଁ I ତେଣୁ ଏମାନଙ୍କୁ ବିରୋଧ କରିବାକୁ ବି ସେ ସାହସ କଲେନି ବରଂ ରୁକ୍ମୁଣୀ ଦେବୀଙ୍କୁ ବୁଝେଇଲେ ପିଲାଟାକୁ ନଷ୍ଟ କରିଦେବା ପାଇଁ I କିନ୍ତୁ ରୁକ୍ମୁଣୀ ଦେବୀ ମନ ସ୍ଥିର କରି ସାରିଥିଲେ I ଦରକାର ପଡିଲେ ସେ ପଛେ ଘର ଛାଡି ଚାଲିଯିବେ କିନ୍ତୁ ଭୃଣହତ୍ୟା କରିବେନି I
ଦିନକୁ ଦିନ ଅତ୍ୟାଚାର ସୀମା ଟପିବାକୁ ଲାଗିଲା I ଶାଶୁ ପେଟ କୁ ଗୋଇଠା ମାରିଲେ I ପିଲାଟା ମରିଯାଉ ବୋଲି ସେ ଚାହୁଁଥିଲେ I ସବୁ କିଛି କରି ସାରିବା ପରେ ଫଳ କିଛି ନ ହେବାରୁ, ରୁକ୍ମୁଣୀ ଦେବୀଙ୍କ ଖାଇବାରେ ନିଶା ଔଷଧ ମିଶେଇ, ତାଙ୍କୁ ଜବରଦସ୍ତି କ୍ଲିନିକ କୁ ନେଇ ଗର୍ଭପାତ କରେଇବାର ଯୋଜନା କରା ଗଲା I କୌଣସି ସୂତ୍ରରୁ ସ୍ୱାମୀ ଏସବୁ ଜାଣି ପାରିଲେ ଆଉ ରୁକ୍ମୁଣୀ ଦେବୀଙ୍କୁ କହିଦେଲେ I ରୁକ୍ମୁଣୀ ଦେବୀ ରାତାରାତି ଶାଶୂଘର ଛାଡି ବାପା ଘରକୁ ପଳେଇ ଆସିଲେ I ବାପ ଘରେ ମାମୁନି ର ଜନ୍ମ I ବାପା ନାଁ ରଖିଲେ ଶତଭିଷା ପଟ୍ଟନାୟକ I ବାହାହେବା ଝିଅ ବାପ ଘରେ କେତେଦିନ ଅବା ରହି ପାରିବ? ବର୍ଷ ଗୋଟା ନ ପୂରୁଣୁ ଲୋକେ ଟୁପୁରୁ ଟାପୁରୁ ହେବI ଆରମ୍ଭ କରିଦେଲେ I ଆଉ ରୁକ୍ମୁଣୀ ଦେବୀ ଲୋକ ଲଜ୍ୟା କୁ ଡରି ବାପ ଘର ବି ଛାଡିଲେ I ଶାଶୂଘରେ ତ ରୁକ୍ମୁଣୀ ଦେବୀଙ୍କୁ ମୃତ ଘୋଷଣା କରି ଶ୍ରାଦ୍ଧ ଦେଇ ଦେଲେ I କିନ୍ତୁ ଏବେ ଯିବେ କୁଆଡେ? ଝିଅ କୁ ଧରି ସହର ମୁହାଁ ହେଲେ I ସମୟକ୍ରମରେ ଆଉ ପରିବାରର ଚାପ ରେ ପଡି ସ୍ୱାମୀ ଦ୍ଵିତୀୟ ବିବାହ କଲେ I ବାପ ଘରେ ଥିବା ଯାକେ ସ୍ୱାମୀ ମଝିରେ ମଝିରେ ଆସି ଏମାନଙ୍କୁ ଦେଖି ଯାନ୍ତି କିନ୍ତୁ ବାପ ଘର ଛାଡିବା ପରେ ସେସବୁ ବି ବନ୍ଦ I
ସହରକୁ ଆସି ସେ କ’ଣ କରିବେ କିଛି ଭାବି ପାରୁ ନଥାନ୍ତି I ପାଖରେ ପଇସା ନଥାଏ I କିନ୍ତୁ ନିଆଁ ଲଗା ପେଟ ପାଇଁ ତ ଖାଦ୍ୟ ଦରକାର I ସେ ସିନା ସମ୍ଭାଳି ଯିବେ, ଛୁଆଟା? ସେ କ’ଣ ଖାଇବ? ପର ଘରେ ପାଇଟି କରିବା କଥା ଚିନ୍ତା କଲେ କିନ୍ତୁ ଅଚିନ୍ହା ହେତୁ, ତାଙ୍କୁ କେହି ବି କାମ ଦେବାକୁ ରାଜି ହେଲେ ନାହିଁ I ସମୟ ଚକ୍ର ରେ ପଡି ସେ ପର ପାଖରେ ହାତ ପାତିଲେ I ଛକ କୁ ଛକ ବୁଲି ଭିକ ମାଗିଲେ I କେହି କେହି ତାଙ୍କୁ ପିଲା ଚୋର ଆଉ କେହି କେହି ତାଙ୍କୁ ଭିକାରି ବୋଲି କହି ଦୂର ଦୂର ମାର ମାର କଲେ I କିଛିଦିନ ଖାଇବାକୁ ନପାଇ ସେ ଡଷ୍ଟବିନ ରୁ ଖାଦ୍ୟ ସଂଗ୍ରହ କରି ମାମୁନି କୁ ଖୁଆଇଥିଲେ I କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ନେଇ ପାଖରେ ଥିବା ଵୃଦ୍ଧାଶ୍ରମ ରେ ଛାଡିଲେ ଆଉ ତାଙ୍କୁ ଚାକିରୀ ଖଣ୍ଡେ ଦେଲେ I ତାଙ୍କ କାମ ହେଲା ବୁଢା ବୁଢ଼ୀ ମାନଙ୍କର ଯତ୍ନ ନେବା, ତାଙ୍କୁ ଠିକ ସମୟରେ ଖାଇବା ଆଉ ଔଷଧ ଦେବା, ସେମାଙ୍କ ଲୁଗାପଟା ସଫା କରିବା ଆଉ ରୁମ ସଫା ରଖିବା I ଆଉ ଜଣେ ସହକର୍ମୀ ବି ରୁକ୍ମୁଣୀ ଦେବୀଙ୍କୁ ସାହାଯ୍ୟ କରନ୍ତି I ସେଠାରେ ବୁଢା ବୁଢ଼ୀ ମାନେ ନିଜ ନିଜ ଘରୁ ତଡା ଖାଇ, ପୁଅ ବୋହୂମାନଙ୍କ ର ଅବହେଳା ର ଶିକାର ହୋଇ ଆସିଥାନ୍ତି, ମାମୁନି କୁ ଦେଖି ସେମାନେ ବି ବହୁତ ଖୁସି ହେଲେ I ସେମାନଙ୍କୁ ଗୋଟେ ଜିଅନ୍ତା କଣ୍ଢେଇ ମିଳି ଯାଇଥିଲା ଖେଳିବା ପାଇଁ I ସକାଳୁ ସନ୍ଧ୍ୟା ଯାଏ ମାମୁନି ସହ ସେମାନେ ଖେଳରେ ମାତି ଥାନ୍ତି ଆଉ ରୁକ୍ମୁଣୀ ଦେବୀ ତାଙ୍କ କାମ କରନ୍ତି I ଆସ୍ତେ ଆସ୍ତେ ମାମୁନି ବଡ ହେବାରେ ଲାଗିଲା I ଵୃଦ୍ଧାଶ୍ରମ ର କିଛି ବୁଢା, ବୁଢ଼ୀ ମାମୁନି କୁ ପାଠ ପଢେଇବାକୁ ଲାଗିଲେ I ମାମୁନି ସମସ୍ତଙ୍କର ନାତୁଣୀ ଆଉ ସମସ୍ତେ ମାମୁନିର ଅଜା ଆଉ ଆଇ I ଛୋଟ ବେଳୁ ମାମୁନିର ବୁଢା ବୁଢ଼ୀଙ୍କ ପ୍ରତି ଦରଦ ଟିକେ ଅଧିକା I
ମାଟ୍ରିକ ଫାଷ୍ଟ କ୍ଲାସ ପାଇଲା ପରେ ରୁକ୍ମୁଣୀ ଦେବୀ ଆଉ ଆଗକୁ ପଢିବା ପାଇଁ ମାମୁନି କୁ ମନା କଲେ I ପଇସା କାଇଁ ତାଙ୍କ ପାଖରେ? ଖାଇବା ରହିବା ସିନା ଆଶ୍ରମରେ କିନ୍ତୁ ଅଲଗା ଖର୍ଚ ପାଇଁ ପଇସା କାଇଁ ? ଆଶ୍ରମର ସବୁ ବୁଢା ବୁଢ଼ୀ ନିଶ୍ଚୟ କଲେ ମାମୁନି କୁ ସେମାନେ ପାଠ ପଢ଼େଇବେ I ମାମୁନି ର ପଢା ପାଇଁ ଯାହା ବି ଖର୍ଚ ହେବ ସେମାନେ ଦେବେ I ଯାହା ପାଇଁ ସେମାନେ ନିଜ ପେଟ କାଟି ପଇସା ସଂଚୟ କରିଥିଲେ, ଏତେ ପଇସା ଖର୍ଚ କରି ପାଠ ପଢ଼େଇଥିଲେ, ସେମାନେ ତ ଘରୁ ଧକ୍କା ମାରି ବାହାର କରିଦେଲେ, ଆଉ ଏ ବୁଢା ବୟସ ରେ ପଇସା ରଖି କି କରିବେ କ’ଣ ? ମାମୁନି ବି ସେମାନଙ୍କ ଆଶା କେବେ ବ୍ୟର୍ଥ ଯିବାକୁ ଦେଇନି I ପାଠ ପଢି ସେ ଆଜି ଡାକ୍ତରାଣୀ I ଵୃଦ୍ଧାଶ୍ରମ ର ସମସ୍ତ ଅନ୍ତେବାସୀ ତାର ଅଜା ଆଇ I ବାଟରେ ଘାଟରେ ଯେଉଁଠି ବି ସେ ଅସହାୟ ବୁଢା ବୁଢୀଙ୍କୁ ଦେଖେ ସେମାନଙ୍କୁ ଆଣି ଵୃଦ୍ଧାଶ୍ରମ ରେ ରଖେ ଆଉ ସେମାନଙ୍କର ସମସ୍ତ ଖର୍ଚ ବି ନିଜେ ବହନ କରେ I ଆଗରୁ ସେମାନେ ବି ଆଶ୍ରମରେ ରହୁଥିଲେ I ଏବେ ଡାକ୍ତର ଖାନା ରେ ପୋଷ୍ଟିଙ୍ଗ ହେଲା ପରେ କ୍ଵାଟର ମିଳିଛି I ସକାଳେ ସନ୍ଧ୍ୟା ରେ ସେ ଆଶ୍ରମ କୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରେ ଆଉ ସମସ୍ତଙ୍କୁ ଖୁବ ମନ ଭରି ଭଲ ପାଏ I କେବେବି ସେ କାହାକୁ ମନ ଦୁଃଖ କରିବାକୁ ଦିଏନି I
ମା… ମା….  କଣ ଭାବୁଚୁ? କେତେ ବେଳୁ ଡାକୁଛି I ଗୋଟେ ଶାଢ଼ୀ ଆଣି କି ଦେ I ଆଇ କୁ ଗାଧୋଇ ଦେଇ ସାରିଲିଣି I
ଆଇ ଡାକ ଶୁଣି ବୁଢ଼ୀ ଚମକି ପଡିଲା I ରୁକ୍ମୁଣୀ ଦେବୀ ବି ଭାବନା ରାଇଜ ରୁ ଫେରି ଆସିଲେ ଆଉ ଗୋଟେ ନୂଆ ଶାଢ଼ୀ ଆଣି ମାମୁନି କୁ ବଢେଇ ଦେଲେ I ମାମୁନି ବୁଢ଼ୀ କୁ ଶାଢ଼ୀ ପିନ୍ଧେଇ, ଖାଇବା ପିଇବା କୁ ଦେଇ, ବୁଢ଼ୀ ସାଷ୍ଟାମ ହେଲା ପରେ, ବୁଢ଼ୀ କୁ ନେଇ ଵୃଦ୍ଧାଶ୍ରମ କୁ ଯିବାକୁ ବାହାରିଲା I
ରୁକ୍ମୁଣୀ ଦେବୀ କିନ୍ତୁ ତାକୁ ଅଟକାଇ ଦେଲେ ଆଉ କହିଲେ ତାଙ୍କୁ ଏଠି ରହିବାକୁ ଦେ I ମାମୁନି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖିଲା I ଏଠି କଣ ପାଇଁ ରହିବେ? ରୁକ୍ମୁଣୀ ଦେବୀ କିଛି କହିବା ପୂର୍ବରୁ, ଛଳ ଛଳ ଆଖିରେ ବୁଢ଼ୀ କହିଲା, ତୁ କେମିତି ଜାଣିଲୁ ମୁଁ ତୋ ଜେଜେମା ବୋଲି?
ଜେଜେମା? ମୁଁ ତ ସମସ୍ତଙ୍କୁ ଆଇ ବୋଲି ଡାକେ I ମାମୁନି ଆହୁରି ଆଶ୍ଚର୍ଯ୍ୟ ହୋଇ ରୁକ୍ମୁଣୀ ଦେବୀଙ୍କୁ ଦେଖୁ ଥିଲା I ଆଉ ଅଧିକା ଆଶ୍ଚର୍ଯ୍ୟ ହେଉଥିଲା ବୁଢ଼ୀ କୁ ଦେଖି I ସେ କିଛି ବୁଝି ପାରୁନଥିଲା କ’ଣ ଚାଲିଛି I ଏତିକି ବେଳେ ବୁଢ଼ୀ ଥର ଥର କଣ୍ଠ ରେ କହିବାକୁ ଆରମ୍ଭ କଲା I
ହଁ ଲୋ ମା, ମୁଁ ତୋର ହତଭାଗିନୀ ଜେଜେମା I ଯିଏ ଚାହୁଁଥିଲା ତୁ ଜନ୍ମ ହେବା ପୂର୍ବରୁ ମରିଯା ବୋଲି I ତୋତେ ବଂଚେଇବାକୁ ଯାଇ ତୋ ମା ଘର ଛାଡି ପଳେଇ ଆସିଲା I ସେ ମରି ଯାଇଛି ବୋଲି ଘୋଷଣା କରି ଆମେ ତାର ଶ୍ରାଦ୍ଧ ଦେଇ ଦେଲୁ ଆଉ ତୋ ବାପା ର ଦ୍ଵିତୀୟ ବିବାହ କରେଇ ଦେଲୁ I ତୋ ବାପା ତୋ ମା କୁ ବହୁତ ଭଲ ପାଉଥିଲା ଆଉ ତା’ ଠୁ ଅଲଗା ହେଲା ପରେ ସେ କେମିତି ଅଧା ପାଗଳ ହେଇ ଯାଇଥିଲା I ଭଗବାନ ଆମକୁ ଦଣ୍ଡ ଦେବା ଆରମ୍ଭ କରି ଦେଇଥିଲେ I ତୋ ସାବତ ମା ଗୋଟେ ପୁଅ ଜନ୍ମ କରି ମରିଗଲା I ତୋ ବଡ ଭଉଣୀ ୭ ବର୍ଷ ବୟସ ରେ ଅଜଣା ଜର ରେ ଆମକୁ ଛାଡି ଚାଲିଗଲା I ତୋ ଖୁଡି ସହର ଝିଅ I ସେ କେବେବି ଆମକୁ ପଚାରେନି I ତା ବାପଘର ଭଲ ତ ସେ ଭଲ I କୁହା ବୋଲା କରି ତୋ କାକା କୁ ଆମଠୁ ଅଲଗା କରିଦେଲା I ତୋ କାକା ତା ଭାଗ ର ଜମି, ବାଡ଼ି, ଘର ସବୁ ବିକ୍ରି କରି ସହର କୁ ଚାଲି ଆସିଲା I ତୋ ପିଉସୀ ର ଗୁଣ ଯୋଗୁଁ, ତା ଶ୍ୱଶୁର ଘର ଲୋକ ତାକୁ ଘରୁ ବାହାର କରି ଦେଲେ I ଯାହା ଯେମିତି ଚଳି ଯାଉଥିଲୁ I କିନ୍ତୁ ଭଗବାନଙ୍କ ରାଗ ଶାନ୍ତ ହେଇ ନଥିଲା I ତୋ ବାପା ଆହୁରି ପାଗଳ ହେଇ ଗଲା ଆଉ ଗୋଟେ ଦିନ ତୋ ମା କୁ ଖୋଜିବା ପାଇଁ ଘର ଛାଡି କୁଆଡେ ପଳେଇଲା I ଦି ଦିନ ପରେ ଗାଡି ଧକ୍କା ରେ …  ଆଗକୁ କହିବା ପାଇଁ ସେ କୋହ ସମ୍ଭାଳି ପାରୁ ନଥାନ୍ତି I
ଗାଡି ଧକ୍କା କଥା ଶୁଣି ରୁକ୍ମୁଣୀ ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I ପଡି ଯାଉ ଯାଉ ଝରକା ର ଗ୍ରିଲ କୁ ଧରି ରହି ଗଲେ ଆଉ ପାଖରେ ଥିବା ଚୌକି ରେ ବସି ପଡିଲେ I ମାମୁନି ହାଁ କରି ସବୁ ଶୁଣୁ ଥାଏ I ବୁଢ଼ୀ ପୁଣି ଥରେ କହିବା ଆରମ୍ଭକଲା I
ତୋ ପିଉସୀ ର ଗୁଣ ବହୁତ ଖରାପ ଥିଲା I ଘର ର ଝିଅ ହେଲେ ବି ପଇସା ପାଇଁ ସେ ଘରୁ ଜିନିଷ ଲୁଚେଇ ଚୋରେଇ ବିକ୍ରି କରିବା ଆରମ୍ଭ କରିଥିଲା I ସରକାର ଆଇନି କଲା ପରେ, ଝିଅର ଅଧା ଭାଗ ଅଛି କହି ସେ ଜମି ବାଡ଼ି ରେ ଭାଗ ବସେଇଲା ଆଉ ଦିନେ ସବୁ ବିକି ଭାଙ୍ଗି ଆର ଗାଁ ର ଗୋଟେ ଟୋକା ସହ କୁଆଡେ ପଳେଇଲା I ଘରେ ବାକି ରହିଲୁ ଆମେ ବୁଢା ବୁଢ଼ୀ ଆଉ ତୋ ଭାଇ I ଘର ଡିହ ବ୍ୟତୀତ ଆଉ ମାଣେ ହବ ଜମି ଥିଲା ଆମ ପାଖରେ I ବାପା ମା ନଥିଲେ ତା’ର I ଗାଁ ଟୋକା ଙ୍କ ସହ ମିଶି ସେ ଟାଉଟରୀ କଲା, ଆଜି କାହା ଟଙ୍କା ତ କାଲି କାହା ଧାନ, ଏମିତି କରୁ କରୁ ଦିନେ ଗୋଟେ ଝିଅକୁ ଧରି ଆସିଲା I ଝିଅ ଘର ଆସି ଆମ ଘରେ ପଶି ତାକୁ ବାଡିଆ ବାଡ଼ି କଲେ I ବୁଢା ଏସବୁ ଦେଖି ସମ୍ଭାଳି ପାରିଲା ନାହିଁ, ଟଳି ପଡିଲା I ଆଉ ଉଠିଲା ନାହିଁ I
ନାତି ଟୋକା ପଇସା ପାଇଁ ମୋତେ ବେଳେ ବେଳେ ମାରଧର କରେ I ମୁଁ ତ ବୁଢ଼ୀ ମଣିଷ I ମୋ ପାଖେ ପଇସା କୁଆଡୁ ଆସିବ ? ଦିନେ ମଦ ପିଇ ଆସି ମୋତେ ମାରି ମାରି ଦରମରା କଲା I କିଛି ଦିନ ପରେ ନାତୁଣୀ ବୋହୁ ପୁରୀ ବୁଲିଯିବା କହି ମୋତେ ଆଣି ପୁରୀ ରେ ଛାଡ଼ିଦେଇ ଗଲା I ଏଇଠୁ ଆସୁଛି କହି ଗଲା ଯେ ଆଉ ଫେରିଲାନି I ଦି ଦିନ କାଳ ଅଖିଆ ଅପିଆ ବଡ ଦାଣ୍ଡ ରେ ପଡି ରହିଲି, ସେ ଦିନଠୁ ଭିକ ମାଗି ମାଗି ବୁଲୁଚି I ଭଗବାନ ମୋତେ ଶାସ୍ତି ଦେଇଛନ୍ତି I ଗାଁ ରେ ଥିଲା ବେଳେ ଯେଉଁ ଗର୍ବ ଥିଲା, ମୋ ଗର୍ବ ଭାଙ୍ଗି ଦେଇଛନ୍ତି I ଆଜି, ଯେଉଁ ଝିଅ କୁ ମୁଁ ମାରିବାକୁ ବସିଥିଲି, ସେ ହିଁ ମୋର ସେବା କରୁଛି I ଆଉ ଯେଉଁ ବୋହୁ ର ଏଇ ହାତରେ ଶ୍ରାଦ୍ଧ ଦେଇଥିଲି ତା ଓଳି ତଳେ ମୁଁ ଠିଆ ହେଇଛି I ବୁଢ଼ୀ ଆଖିରୁ ଅନୁତାପ ର ଲୁହ ବୋହି ଯାଉଥାଏ I ରୁକ୍ମୁଣୀ ଦେବୀଙ୍କୁ ଚାହିଁ, ହଜାରେ ଥର ହାତ ଯୋଡୁଥାଏ I
ରୁକ୍ମୁଣୀ ଦେବୀ ନିଜକୁ ସହଜ କରି ଶାଶୁଙ୍କ ପାଖରେ ଯାଇ ବସି ପଡିଲେ I ଲୁଗା କାନି ରେ ଲୁହ ପୋଛି ଦେଲେ ଆଉ ଯମୁନା କୁ ତାଙ୍କ ବଖରା ରେ ଆଉ ଗୋଟେ ଖଟ ପକେଇବାକୁ କହିଲେ I ମାମୁନି ବି ଦୌଡ଼ି ଆସି ମା ଆଉ ଜେଜେମା କୁ କୁଣ୍ଢେଇ ପକେଇଲା I
ରୁକ୍ମୁଣୀ ଦେବୀ ଲୁହ ଭିଜା ଆଖିରେ ବାହାରକୁ ଚାହିଁ ଦେଖିଲେ ଘର ଆଗ ସପ୍ତଫେଣି ଗଛରେ ଫୁଲ ଧରି ଆସୁଥିଲା I
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I