ଅଧୁରା ପ୍ରେମ…

ଅଧୁରା ପ୍ରେମ…
ସୁବଳ ମହାପାତ୍ର
(ବେଳେବେଳେ ଏମିତି ହୁଏ କି କିଛି ବିଷୟ ଉପରେ ଆମେ ଚିନ୍ତା କଲା ବେଳେ କିଛି ପ୍ରଶ୍ନ ଆମ ମନ ଭିତରେ ପଶି ଆସେ ଓ ଆମେ ନିଜେ ନିଜ ସହ କଥା ହୁଅନ୍ତି I ଗଳ୍ପ ଟି ସେମିତି ଏକ ବିଷୟ ବସ୍ତୁ କୁ ନେଇ ଲିଖିତ I ସେଦିନ ସେ ବସି ଭାବୁଥିଲା କିଛି ଦିନ ପୂର୍ବରୁ ଘଟି ଯାଇଥିବା ଘଟଣା ଟିଏ I ଘଟଣା ତ କହି ହେବନି ଦୁର୍ଘଟଣା ଟିଏ…)
ସେଦିନ ସେ ଆସିଥିଲା …
କାହିଁକି ?…
କେଜାଣି ?…
ସେ ଏମିତି ଆସେ ମଝିରେ ମଝିରେ I ଠିକ ଆସିବ, ଯେତେବେଳେ ମନଦୁଃଖ ଥିବ, ନହେଲେ ଯେତେବେଳେ ଟେନସନ ଅଧିକ ଥିବ କି ଏକା ଏକା ଲାଗୁଥିବ I ଏପରି ସମୟ ରେ ସେ କାହିଁକି ଆସେ କେଜାଣି ? କେମିତି ଜାଣେ ସେ ଏତେ କଥା ? କିଏ କହେ ତାକୁ ଆସିବାକୁ? ନା କିଏ ଦିଏ ତାକୁ ମୋ ଖବର? ମୁଁ ରାଗି କି ଗାଳି ଦେଉଥିବି ଆଉ ସେ ହସି ହସି ସବୁ କଥା କୁ ଆଡେଇ ଯାଉଥିବ I
ସେଦିନ କିନ୍ତୁ ଆସିଥିଲା ରାତି ଅଧାରେ…ଯେତେବେଳେ ସମସ୍ତେ ଶୋଇ ସାରିଥିଲେ… ବାହାରେ ବୁଲା କୁକୁର ହୋ ଓ ଓ ଓ କରି ରଡି ପକାଉଥିଲେ…
ବାହାରେ ଲାଗିଥିବା ବାରଲାଇଟ ତା ଦପ ଦପ ହୋଇ ଜଳୁଥିଲା…. ପବନ ର ସଅଁ ସଅଁ ଶବ୍ଦ ରହି ରହି ଝରକା ର ଫାଙ୍କ ଦେଇ ଘର ଭିତରେ ପଶୁଥିଲା …
ବାପାଙ୍କ ଘୁଙ୍ଗୁଡ଼ି ଆର ଘରୁ ଏଯାଏଁ ଶୁଭୁଥିଲା….ଆସି ଉଠେଇଲା ସେ ମୋତେ I କହିଲା, “ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା I ମନଟା ଜମାରୁ ଭଲ ନାହିଁ ଆଜି” I
ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ତାକୁ I
ଏ ରାତିରେ ?
ପୁଣି ଏତେ ଚୁଲବୁଲି ଝିଅ ର ମନ ଖରାପ ?
ସତ କହିଲେ ଆଜି ଯାଏଁ ତା’ର ମନ ଦୁଃଖ ହେବା ମୁଁ କେବେ ଦେଖି ନଥିଲି I ସବୁ ଅବସ୍ଥା ରେ ଖାପ ଖୁଏଇନେବା ଝିଅଟିଏ ଥିଲା ସେ I ସବୁବେଳେ ହସ ହସ ମୁହଁ I କେଜାଣି ଶେଷ ଥର ସେ କେବେ କାନ୍ଦିଥିଲା I କଷ୍ଟ ହେଲେ ବି ହସୁଥିବ, ଗାଳି ଦେଲେ ବି ହସୁଥିବ I ଛୋପରି ଖଣ୍ଡିଏ I ଆଜି ଯିଏ ତାକୁ ଗାଳି ଦେଇଥିବ, କାରଣ ଥାଉ କି ନଥାଉ, କାଲି ସକାଳୁ ସେ ତା ସହ ଆସି ହସି ହସି କଥା ହେଉଥିବ I ବେଳେବେଳେ ତ ହସି ହସି ଗଡିଯାଏ I କିନ୍ତୁ, ତା’ର ଏହି ଗୁଣ ଗୁଡିକ ତ ମୋତେ ଭଲଲାଗେ I କାହିଁକି ? କାହିଁକି କଣ ମ ? ଗୋଟେ ପୁଅ ଆଉ କଣ ଚାହେଁ କି?
ତାକୁ କେବେ କିଛି କହି ନ ଥିଲି I ନା ମୁଁ ତାକୁ କହିଥିଲି ଭଲପାଏ ବୋଲି ନା ସେ  ମୋତେ କହିଥିଲା I କେହି କାହାକୁ କିଛି କହି ନ ଥିଲେ ବି ମୁଁ ନିଜକୁ ପ୍ରେମିକ ଓ ତାକୁ ପ୍ରେମିକା ହିସାବରେ ସଜେଇ ସାରିଥିଲି କେଉଁଦିନୁ I ବେଳେ ବେଳେ ତା’ ଉପରେ ହକ ଜାହିର କଲାବେଳେ ତା ହସ ହସ ମୁହଁ ରେ କେମିତି ଗୋଟେ ରେଖା ପଡ଼ିଯାଏ, କଣ ଭାବେ ସେ କେଜାଣି ? ମୁଁ କିନ୍ତୁ ଜାଣିଲେ ବି ଆହୁରି ଆହୁରି ତାଗିଦ କରେ ତାକୁ I ଆଜି ସିନା ମୁଁ ତା ପ୍ରେମିକ ହୋଇନି, କାଲି କୁ ତ’ ହେବି ନା I ତେଣୁ ଆଜିଠୁ ହକ ଖୋଜିବାରେ ଅସୁବିଧା କଣ? ତା ମନର ଅବସ୍ଥା କେବେ ମୁଁ ଜାଣିବାକୁ ଚେଷ୍ଟା କରିନଥିଲି I କାହିଁକି କରିବି? ସେ ତ ସବୁବେଳେ ହସୁଥାଏ I
ଜଣେ ମଣିଷ ହସେ କେତେବେଳେ ?
ଯେତେବେଳେ ସେ ଖୁସିଥାଏ I
ଖୁସିଥାଏ ମାନେ…ମନ ଖୁସିଥାଏ I
ତେବେ ମନ ର ଅବସ୍ଥା ଆଉ କଣ ବୁଝିବି? ସେ ତ ଖୁସି ଅଛି I  ସବୁବେଳେ ଖୁସିଥାଏ, ମାନେ ତା ମନ ଖୁସି ଥାଏ ସବୁବେଳେ I ମୁଁ ଗାଳି କଲେ ବି ସେ ହସେ, ମୁଁ ରାଗିଲେ ବି ସେ ହସେ, ତାକୁ ଅଣ୍ଡର ଏସ୍ଟିମେଟ କଲେ ବି ସେ ହସେ I ଯେମିତି ହସ ଟା ତା ଜୀବନ I ନହସିଲେ ସେ ମରିଯିବ I ହେତ… କୁଆଡେ ପଳେଇଲିନି ମୁଁ …
ହଁ, ସେ ଆସିଥିଲା, ରାତି ଅଧା ରେ, ମୋ ବେଡ଼ ପାଖକୁ, ମୋତେ ଉଠେଇଲା ଆଉ କହିଲା, “ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା” I କିନ୍ତୁ ସେ ଆସିଲା କେମିତି ? ପୁଣି ମୋ ବେଡ଼ରୁମ କୁ ରାତି ଅଧା ରେ I ହେଃ.. ସେକଥା କିଏ ଚିନ୍ତା କରେ ସେତେବେଳେ ? ରାତି ଅଧା.. I ସେ ପାଖ ଘରେ ରହୁଥିଲା I ଆମ ପଡୋଶୀ I ଛଅ ବର୍ଷ ହେଲାଣି I ଆମେ ତ ଥିଲୁ ୨୫ ବର୍ଷ ହେଲା I ମୋ ଜନ୍ମ ପୂର୍ବରୁ I ଏଇଟା ଆମ ନିଜ ଘର I ସେମାନେ କିନ୍ତୁ ଆସିଥିଲେ ଛଅ ବର୍ଷ ତଳେ, ଭଡାରେ I କାହିଁକି? ମୁଁ ଜାଣିନି…  ତା ବାପାଙ୍କର ବଦଳି ହୋଇଥିବ, ନହେଲେ ପୁରୁଣା ଘର ମାଲିକ ଭଡା ବଢ଼େଇ ଦେଇଥିବ, ନ ହେଲେ କଲେଜ ପାଖ ହେଉଥିବ I ମୁଁ କଉ ଥିଲି ସେତେବେଳେ ଯେ ଜାଣିବି ? ମୁଁ ତ ରହୁଥିଲି ହଷ୍ଟେଲ ରେ I ଛଅ ମାସରେ ଥରେ  ମୁଁ  ଘରକୁ ଆସେ I ସେଥର ଆସିଲା ବେଳେ ଦେଖିଲି ନୂଆ ଝିଅଟିଏ, ଆମ ଘର ଆଗ ଦେଇ ଡେଇଁ ଡେଇଁ ଗଲା I କି ଅଜବ ଝିଅ ଇଏ ? କଲେଜ ପଢ଼ିଲାଣି କିନ୍ତୁ ଛୁଆଳିଆମୀ ଛାଡ଼ିନି I ଡେଇଁ ଡେଇଁ ଯାଉଛି, ପୁଣି ବାଟରେ ପଡିଥିବା ଗୋଡି , ପଥର କୁ ଲଖ୍ୟ କରି ଗୋଇଠା ମାରୁଛି, ଠିକ ଯେମିତି ପୁଅ ପିଲା ମାରନ୍ତି I ଗୋଟେ ଗୋଡି ଆସି ମୋ ପାଖରେ ପଡିଲା I ମୁଁ ରାଗି କରି ତାକୁ ଅନେଇଲି I ସେ, ସରି, ସରି କହି ପୁଣି ଆଉ ଗୋଟେ ଗୋଡି କୁ ଗୋଇଠା ମାରି ଡେଇଁ ଡେଇଁ ପଳେଇଲା I ମୁଁ ହସିଲି I କାହିଁକି କେଜାଣି ସତର ବର୍ଷ ବୟସ ରେ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା I ଜୋର ରେ I ଏମିତି ବି ହୁଏ ? ନିଜେ ନିଜକୁ ପଚାରିଥିଲି I
ତା’ ପରେ? ତା’ ପରେ କ’ଣ I ସନ୍ଧ୍ୟା ରେ ତା ମା’ ଆଉ ମୋ ମା’ ଫାଟକ ପାଖରେ କଥା ହେଉଥିଲେ I ମୁଁ ବାହାରେ ପବନ ଖାଉଥିଲି I ସେ ଆସି ତା’ ମା ପାଖରେ ଠିଆହେଲା ଆଉ ମୋ ମା, ମୋତେ ଡାକିଲେ I କଥା କରେଇଲେ I ଆମେ ଏକା କ୍ଲାସ ରେ ପଢ଼ୁଥିଲୁ I ସେ ମୋ ଘର ପାଖ କଲେଜ ରେ ଆଉ ମୁଁ? ମୁଁ ଘରଠୁ ଦୁଇଶହ କିଲୋମିଟର ଦୁରରେ I ମନ ନଥିଲା ଏତେ ଦୁରକୁ ଯିବା ପାଇଁ I ସେଥିପାଇଁ ତ ରାଗରେ ଛଅ ମାସରେ ଥରେ ଆସୁଥିଲି ଘରକୁ I ୟା ପରଠୁ କିନ୍ତୁ ରାଗିବା ଆହୁରି ବଢି ଯାଇଥିଲା ଘର ଲୋକଙ୍କ ଉପରେ କିନ୍ତୁ ଘରକୁ ଆସୁଥିଲି ମାସକୁ ଥରେ I ତା’ପରେ ପନ୍ଦର ଦିନ ରେ ଥରେ I ଏ ଭିତରେ ଛଅ ବର୍ଷ ବିତି ଯାଇଥିଲା I  ପାଠ? କିଆଁ ପଚାରୁଛନ୍ତି? ପାଠ ସରି ଯାଇଥିଲା I କଣ ପଢ଼ୁଥୁଲୁ କି? ପନ୍ଦର ଦିନରେ ଥରେ ଘରକୁ ଆସିଲେ ପାଠ ହୁଏ? ତଥାପି ପାସ I ହଁ… ସେ ଅବସ୍ଥା ରେ ପାସ କରିବା ଟା ବି ବଡ କଥା I କଉ ଅବସ୍ଥା ? ଛାଡ ମ.. ଶୁଣିବାର ଅଛି ଶୁଣ, ନହେଲେ ନାହିଁ I କହିଲି ପରା,” ସେଦିନ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା” I ହଁ, ତାକୁ କହି ନଥିଲି I କିନ୍ତୁ ମୁଁ ୱାନ ସାଇଡ ଲଭ କରି ପାରିବି ନା… I ନା, ସେଥିପାଇଁ ବି ଅନୁମତି ଦରକାର??
ହଉ ହଉ ଶୁଣ, ତା ପାଇଁ ପୁଅ ଦେଖା ଚାଲିଥିଲା ଆଉ ମୋ ପାଇଁ ଚାକିରୀ ଖଣ୍ଡେ I କାହାକୁ କିଛି ମିଳୁ ନଥିଲା I ନା ତାକୁ ପୁଅ ନା ମୋତେ ଚାକିରୀ I ଚାକିରୀ ଖଣ୍ଡେ ମିଳି ଯାଇଥିଲେ ଅବା ଦୁଇଟା ଯାକ ମିଳି ଯାଇଥାନ୍ତା I କେମିତି ? ହେଃ.. କେମିତି କଣ ମ , ନବୁଝିଲା ପରି ହଉଛ ? ମୋତେ ଚାକିରୀ ମିଳିଲେ, ମୁଁ ପରା ଗୋଟେ ପୁଅ … କିନ୍ତୁ ମୋତେ ଚାକିରୀ ମିଳୁ ନଥିଲା ଆଉ ତାକୁ ସବୁ ପୁଅ ରିଜେକ୍ଟ କରୁଥିଲେ I ମା, ଆଗରେ ମନଦୁଃଖ କଲେ ବି ଭିତରେ ଭିତରେ ମୁଁ ଖୁସି ହେଉଥିଲି I ଯାହା ହେଲେ ବି ମୋ ପ୍ରେମିକା ଆଉ କାହା ସହ ବାହାହବ ମୁଁ ପ୍ରେମିକ ହୋଇ ସମ୍ଭାଳିବି କି ? ହଁ, ଏବେ ବୁଝି ପାରୁଛ ତ …
ଏତେ ଦିନ ପରେ ମୋତେ ଗୋଟେ କମ୍ପାନୀ ରେ ଚାକିରୀ ମିଳିବାର ସମ୍ଭାବନା ଥିଲା I ଦୁଇଟା ରାଉଣ୍ଡ ସରି ଯାଇଥିଲା I ଖାଲି ଏଚଆର (HR) ରାଉଣ୍ଡ ବାକିଥିଲା I ମନ ଭିତରେ ବହୁତ ଖୁସିଥିଲି I ପଇସା ବେଶୀ ନ ଦିଅନ୍ତୁ ପଛେ, ଆମ ଚାରି ବାପା ମା ଙ୍କର ଦୁଇଟା ଟେନସନ ତ ଦୂରହେବ I ଏବେ ଆଉ ପଚାରନି, ଚାରି ବାପା ମା କେମିତି ଆଉ ଦୁଇଟା ଟେନସନ କଣ I ବୁଝି ଯା I
ସେଇଦିନ ସିଏ ଆସିଲା, ରାତି ଅଧା ରେ I ମୁଁ ଶୋଇଥିଲି I ଉଠେଇଲା ଆଉ ଆମେ ଘରୁ ବାହାରି ଚନ୍ଦ୍ର ଆଲୋକ ରେ ଧିମା ଧିମା ପବନ ରେ ବୁଲିଲୁ I ଚାଲି ଚାଲି କେତେବାଟ ଯିବୁ? ସେଇ ପାଖରେ ବୁଲିଲୁ I ସେ ମୋ ହାତ ଧରିଥିଲା I ଦେହ ଭିତରେ ମୋ ରକ୍ତ ଗୁଡା ଯେମିତି ଧାଉଁଥିଲେ, କହି ପାରିବିନି I ତା ବାଳ ଖୋଲା I ବାଳ ଆଉ ଶାଲୱାର ର ଚୁନି ପବନ ରେ ଉଡୁଥିଲେ I ମୁଁ ତା’ ମୁହଁ କୁ ଅନେଇ ପାରୁନଥିଲି I କାହିଁକି କଣ ? ପୁଅ ପିଲା ଟେ ହେଲେ ବି ମୋର ପୁଣି ଲାଜ ଅଛି ନା ନାହିଁ ? ମୋତେ ଅଫର ମିଳିଲା ପରେ ତାକୁ କେମିତି ପ୍ରପୋଜ କରିବି ସେଇୟା ଚିନ୍ତା କରୁଥିଲି I ଏପଟେ ତା ସହ କଥା ବି ହେଉଥିଲି I ମୁଣ୍ଡ ଦୁଇ ଆଡେ କାମ କରୁଥିଲା I ଆମେ ଏପଟ ସେପଟ ହୋଇ ବୁଲୁଥିଲୁ I ବେଶୀ ସମୟ, କିଛି କଥା ନ ହୋଇ ଚୁପଚାପ ଚାଲୁଥିଲୁ I କିଛି ସମୟ ଏଣୁ ତେଣୁ କଥା ହେଉ ଥିଲୁ I ସେମିତି କିଛି ଅଧିକ କଥା ନୁହଁ I ଯେଉଁ କଥା ଆମେ ପ୍ରାୟ ସବୁ ଦିନ ହେଉ I ଯେମିତି କି..  ଆଜି କଣ ରୋଷେଇ ହେଇଛି ତମ ଘରେ I ଆଜି କେଉଁ ସାଙ୍ଗ କୁ ଫୋନ କରିଥିଲି I କେଉଁ ସାଙ୍ଗ କୁ ଚାକିରୀ ମିଳିଗଲା I କେଉଁ ସାଙ୍ଗ ର ବାହାଘର ଆର ମାସ ରେ I କିଏ ତା ସ୍ତ୍ରୀକୁ ନେଇ କୁଆଡେ ବୁଲିବାକୁ ଗଲା I ଏମିତି ସବୁ …କିଛି ସମୟ ପରେ ଆସିଲୁ ଘରକୁ I
ପରଦିନ ସକାଳୁ ତା ମାଙ୍କ କାନ୍ଦ ରେ ମୋ ନିଦ ଭାଙ୍ଗିଲା I ମୁଁ କିଛି ବୁଝି ପାରୁ ନଥିଲି I ଦୌଡ଼ି ଯାଇ ଦେଖିଲା ବେଳକୁ ତା ମଲା ଶରୀର ଟା ଫ୍ୟାନ ରୁ ତଳକୁ ଝୁଲୁଥିଲା I  ରାତିରେ କେହିଜଣେ ପୁଅଘର ବାହାଘର କରିବେ ବୋଲି ଫୋନ ଦ୍ୱାରା ଜଣେଇ ଦେଇଥିଲେ I ସେ ଚୁପଚାପ ଥିଲା, ନା କିଛି କହିଥିଲା, ନା ବିରକ୍ତି ହୋଇଥିଲା, ନା ଖୁସି ଥିଲା I କେବଳ ଥରେ ମାତ୍ର ତା ସାନ ଭାଇ କୁ କହିଥିଲା,” ଭଲ ହେଲାନି” I
ଆଗରୁ ଥରେ ସେ ବାହାଘର ବିଷୟ ରେ ଘରେ କହିଥିଲା ବୋଲି ତାକୁ କୁଆଡେ ତା’ ବାପା ପ୍ରବଳ ପିଟିଥିଲେ I ତା’ ଝୁଲୁଥିବା ଲାସ ର ଗୋଡ ଦୁଇଟି କୁ ଧରି ତା ମା’ ବାହୁନି ବାହୁନି କାନ୍ଦୁଥିଲେ I ମଝିରେ ମଝିରେ ମୋ ନାଁ ଟି ମୁଁ ଶୁଣିବାକୁ ପାଉଥିଲି I  ଘରର ଅନ୍ୟ ସମସ୍ତଙ୍କ ମୁହଁ ରେ କିଛି କିଛି ଚିନ୍ତା ର ରେଖା ଦେଖା ଯାଉଥିଲା । କାହିଁକି ସେ ଏମିତି କଲା? ଆମକୁ ତ ଜଣେଇ ପାରିଥାନ୍ତା। କିଏ କିଏ ଆହାଃ.. ଚୁ.. ଚୁ.. କରୁଥିଲେ I ପୋଲିସ ଆସି ସାରିଥିଲା I
ଆଉ ମୁଁ?
ମନେପକେଇ ପାରୁନଥିଲି ରାତି ରେ ସେ ସତରେ ଆସିଥିଲା ନା ସ୍ବପ୍ନ ରେ ….
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I