ଦରପୋଡା କାଠ

ଦରପୋଡା କାଠ 
ସୁବଳ ମହାପାତ୍ର
୨୦୧୭ ମସିହା ର ନୂଆ ବର୍ଷ, ୨୦୧୬ ର ଶେଷ ରାତ୍ରିI ଅରଖ ନୂଆ ପରି ଝିଲ ମିଲ ପୋଷାକ ପରିହିତ ରାଜଧାନୀ ରେ ରାତ୍ରି ର ଚତୁର୍ଥ ପ୍ରହର I ଏକ ତିନି ତାରକା ହୋଟେଲ ରେ ତଥାପି କିଛି ଲୋକ ନୂଆବର୍ଷ ର ଖୁସି ଜାହିର କରୁଥାନ୍ତି I ସମୟ ରାତ୍ରି ପ୍ରାୟ ଦୁଇଟା ବାଜି ପଚାଶ ମିନିଟ I ପ୍ରଶାନ୍ତ ହାତରେ ଗ୍ଲାସ ଧରି ସଂଗୀତ ର ତାଳେ ତାଳେ ଝୁମି ଝୁମି ବଗିଚା ର ଏକ କୋଣ ରେ ଯାଇ ପହଁଚିଲା I ଲୁହା ଚୌକି ରେ ବସୁ ବସୁ ଭାରସାମ୍ୟ ହରେଇ ପଡିଗଲା ସେ I ନିଜକୁ ସମ୍ଭାଳି ନେଇ ଉଠିଲା ବେଳକୁ ଗ୍ଲାସ ରେ ଥିବା ରଙ୍ଗୀନ ପାଣି ଗୁଡିକ ତା ଜ୍ୟାକେଟ ଉପରେ ପଡି ସୁତା ତନ୍ତ୍ରୀ ଗୁଡିକୁ ମତୁଆଲା କରିସାରିଥିଲେ I ନା, ଏଥର ଘରକୁ ଫେରିବାକୁ ପଡିବ I ସ୍ତ୍ରୀ ମିନତୀ ଆଉ ଝିଅ ଶୈଳ ଯାଇଛନ୍ତି ଶୈଳ ର ସ୍କୁଲ ପିକନିକ ରେ I ସେଥିପାଇଁ ସେ ଆଜି ନିଜ ସ୍ୱାଧୀନତା ର ସ୍ୱାଦ ଚାଖିବାକୁ ଆସି ଯାଇଥିଲା ଏକ ନୂଆବର୍ଷ ପାର୍ଟି କୁ I ନଚେତ ବାହାରେ କେଉଁଠି ଟିକେ ପିଇ ଦେଇ ଘରକୁ ଗଲେ ମିନତୀ ସବୁ ବେଳେ ଜାଣି ଦିଏ I ସନ୍ଦେହୀ ଆଖି କୁ ସନ୍ଦେହୀ ନାକ ତା’ର, ପ୍ରଶାନ୍ତ ର ଆଚରଣ ରୁ ହେଉ କିମ୍ବା ମୁହଁ ରୁ ଆସୁଥିବା ବିଦେଶୀ ପାନୀୟ ର ସୁଗନ୍ଧ ରୁ ହେଉ କୌଣସି ପ୍ରକାରେ ଧରା ପକେଇ ଦିଅନ୍ତି I ଆଉ ତା’ପରେ?? ପନ୍ଦର ମିନିଟ ର ଗାଳି ସହ ପାଞ୍ଚ ମିନିଟ ର ତାଗିଦ, ତା ସହ ମିଶନ୍ତି ଝିଅ ଶୈଳ ର ଭବିଷ୍ୟତ ଉପରେ ପ୍ରବଚନ ଆଉ… ଆଉ? ଘର ଛାଡି ବାପା ଘରକୁ ଚାଲିଯିବାର ଧମକ, ସୁଉଁ ସୁଉଁ କାନ୍ଦ, ମୁହଁ ଫୁଲା ଆହୁରି ଆହୁରି କେତେ କଣ, ଶେଷ ହୁଏ କାଲିଠୁ ମଦ ନ ପିଇବାର ଶପଥ ରେ I ରାତି ନ ଟା ରେ ଘରେ ପହଁଚିଲେ ଯାତ୍ରା ସରୁ ସରୁ ରାତି ବାର I ଛଅ ବର୍ଷ ର ଝିଅ ଶୈଳ ସେତେବେଳକୁ ଶୋଇ ସାରିଥାଏ I ତାକୁ ଟିକେ ଗେଲ କରିବାକୁ କି ତା ସହ ଖେଳୁବାକୁ ବି ସମୟ ହୁଏନି I ଛେ…. ସ୍ତ୍ରୀ ଉପରେ ବହୁତ ରାଗି ଯାଏ ସେ I ସେଥିପାଇଁ ସେ ଏବେ ପିଇବା ଛାଡି ଦେଇଛି I ତଥାପି ଲୁଚେଇ ଲୁଚେଇ ଛୁଟି ଦିନ ମାନଙ୍କରେ ଅଫିସ ଅଛି କହି ସାଙ୍ଗ ମାନଙ୍କ ସହ ଦିନ ବେଳେ ପିଇଦିଏ I  ଝିଅ ର ପରୀକ୍ଷା ସରିଲେ, ଖରା ଛୁଟି ହେଉ କି ବଡ଼ଦିନ ଛୁଟି, ଥରେ ଗାଁ କୁ ଆଉ ଥରେ ଶ୍ୱଶୁର ଘରକୁ ପଠେଇ ଦେଇ ଟିକେ ଶାନ୍ତି ରେ ନିଶ୍ୱାସ ମାରେ ସେ I ଏତିକି ଦିନ ସେ ବଞ୍ଚେ ଜଣେ ଅବିବାହିତ ର ହଷ୍ଟେଲ ଲାଇଫ I ଘର ର କୌଣସି ଜିନିଷ ରେ ଧ୍ୟାନ ନଥାଏ ତା’ ର, ସକାଳୁ ଉଠି, ବ୍ରସ କରି, ଗାଧୋଇ ଅଫିସ ଯିବା ଆଉ ସନ୍ଧ୍ୟା ରେ ଫେରିଲା ବେଳେ ମଧ୍ୟମ ଆକାର ର ନାଲି ପାଣି ବୋତଲ ଟିଏ ସହ କିଛି ମିକ୍ସଚର, ଖୁର୍ସିଦ ଭାଇ ଦୋକାନ ରୁ କେବେ ଚିକେନ ପକୋଡା ତ କେବେ ଚିକେନ କବାବ, କେବେ ଅବା ତନ୍ଦୁରି ସହ ଚିକେନ ବିରିୟାନୀ ଗୋଟେ ଆଣି ରାତି ଟି ଘରେ କଟେଇବା ବ୍ୟତୀତ ଆଉ କିଛି ଦେଖେ ନାହିଁ ସେ I ସ୍ତ୍ରୀ ଆଉ ଝିଅ ଫେରିବା ପୂର୍ବଦିନ ସେ ସଜାଡ଼େ ଘରକୁ ଠିକ ସେମିତି, ଯେମିତି ମିନତୀ ଛାଡିକି ଯାଇଥିଲା I ମିନତୀ ବି ସୁରାକ ପାଏନି କିଛି I ସେଥିପାଇଁ ସେ ବନ୍ଦ କରି ଦେଇଛି ଅନ୍ୟ ଦିନ ମାନଙ୍କ ରେ ପିଇବା I ଏଥର କିନ୍ତୁ ଝିଅ ର ପିକନିକ ଥିବାରୁ ବଡ ଦିନ ଛୁଟି ଟା ପୁରା ମାରା ହେଇଗଲା I ଆଜି ଗୋଟେ ଦିନ ଛୁଟି ମିଳିଛି I ରାତି ୧୦ ଟା ରେ ସ୍ତ୍ରୀ ଆଉ ଝିଅ କୁ ସ୍କୁଲ ରେ ଛାଡି ଆସିଲା ପରେ ସେ ଆଜି ରାଜା I ସେମାନେ ଆସି ପହଞ୍ଚିବେ କାଲି ସନ୍ଧ୍ୟା ଆଠଟା ରେ I ସେତେବେଳ ଯାଏ ପ୍ରଶାନ୍ତ ନିଜ ଇଚ୍ଛା ର ମାଲିକ I ସେମାନଙ୍କୁ ସ୍କୁଲ ରେ ଛାଡି ସେ ସିଧା ଆସିଛି ଏ ହୋଟେଲ କୁ I
ଚୌକି ର ହ୍ୟାଣ୍ଡେଲ ରେ ମୁଣ୍ଡ ଟା ବାଡେଇ ହଉ ହଉ ରହିଗଲା I ନା, ଆଉ ନୁହଁ I ଗ୍ଲାସ କୁ ସେଇ ଚୌକି ଉପରେ ରଖି ସେ ବାହାରିଲା ଘରକୁ ଯିବାକୁ I ଟଳି ଟଳି ଗାଡି ପାଖକୁ ଆସି ଗାଡି ର ଡୋର ଖୋଲିଲା ସେ I ଦଶ ବର୍ଷ ର ଗାଡି ଚଲା ଭିତରେ ସେ ଏତେ ନର୍ଭସ କେବେ ବି ହୋଇ ନଥିଲା I ବହୁତ ଦିନ ପରେ ନିଶା ଆଜି ଜୋର ଧରି ଯାଇଥିଲା ତାକୁ I ଯାହା ହେଲେ ବି ଘରେ ପହଞ୍ଚିବାକୁ ହେବ I ରାତି ତିନିଟା ଉପରେ ହୋଇ ଗଲାଣି I ଆଉ ଡେରି କଲେ ହବନି I ଗାଡି ରେ ବସି, ଗାଡି ଷ୍ଟାର୍ଟ କଲା ସେ I ଡୋର ର କାଚ କୁ ଅଳ୍ପ ଖୋଲା କରି, ଡୋର ବନ୍ଦ କଲା I ଆଗ କାଚ ଭିତର ଦେଇ ବାହାର ରାସ୍ତା ଟା କେମିତି ଝାପ୍ସା ଝାପ୍ସା ଦେଖା ଯାଉଥିଲା ତାକୁ I ଆଖି କୁ ଦୁଇଥର ଦଳି, ବଡ ବଡ ଆଖି କରି ଆଉ ଥରେ ରାସ୍ତା କୁ ଦେଖିଲା ସେ I ହଁ, ଏଥର ଟିକେ ଭଲ ଦେଖା ଗଲା I ବାଁ ପଟକୁ ଷ୍ଟିୟରିଂ ମୋଡି ଆଗକୁ ଆଗେଇଲା ସେ I ରାସ୍ତା ଖୋଲା, ରାଜଧାନୀ ର ଲୋକ ଗୁଡା ବାରଟା ବେଳକୁ ହାଲ୍ଲା ଗୁଲ୍ଲା କରି ଶୋଇ ପଡିଲେଣି ସବୁ I ସକାଳୁ ଉଠି ପୁଣି ସମସ୍ତେ ସମସ୍ତଙ୍କୁ ନୂଆ ବର୍ଷ ର ଅଭିନନ୍ଦନ ଜଣେଇବେ, ମିଠା ଖୁଏଇବେ ଆଉ କେତେ କଣ ସବୁ କରିବେ I ଆମ ବେଳକୁ ଗାଁ ରେ କଣ ଥିଲା ଏ ସବୁ ? କେତେ ରଙ୍ଗୀନ ଏ ସହର ଆଉ କେତେ ରଙ୍ଗୀନ ଏ ଲୋକ, କେତେ ରଙ୍ଗୀନ ଏ ରାସ୍ତା ଆଉ କେତେ ରଙ୍ଗୀନ ଏ ବୟସ I ଭାବୁ ଭାବୁ ଆଖି ତା’ ର ମାଡି ମାଡି ପଡୁଥାଏ I ହଠାତ …. କିଛି ବିକଟାଳ ଶବ୍ଦ ସହ ଗାଡି କୁ ଯେମିତି କିଏ ଆଗରୁ ଟାଣି ନେଉଛି, ନିୟଂତ୍ରଣ ନାହିଁ ଏବେ ତା’ ହାତ ରେ I ଗାଡି ଟା ମନକୁ ମନ କୁଆଡେ ଯାଉଛି ଆଉ..  …  ….   ଦୂଉଉ ଉ ଉ ଉ ଉ ମ…………
**********
ନିଦ ଭାଙ୍ଗିଲା ପ୍ରଶାନ୍ତ ର I ବେଡ଼ ଉପରେ ଥାଇ ଚାରି ଆଡକୁ ଚାହିଁଲା ସେ I ଉଠି ଦେଖିଲା ହାତରେ ସାଲାଇନ ର ଛୁଞ୍ଚି I କୌଣସି ଏକ ଡାକ୍ତରଖାନା ର କୋଠରୀ ପରି ଲାଗୁଥାଏ I ପାଖରେ ବିଭିନ୍ନ ପ୍ରକାର ର ଯନ୍ତ୍ରପାତି I ଯନ୍ତ୍ର ର ଟିଭି ରେ କେତେ କଣ ରେଖା ସବୁ ଉପର ତଳ ହୋଇ ମାଡି ଯାଉଥାନ୍ତି I ମଣିଷ କେହି ନଥାନ୍ତି ସେ କୋଠରୀ ରେ I ପୁଣି ଥରେ ଆଖି ବୁଜି ହୋଇ ଆସିଲା ତା’ ର I ମୁଣ୍ଡ ଆଉ ଗୋଡ ରେ ପ୍ରବଳ ଯନ୍ତ୍ରଣା I ଡାହାଣ ଗୋଡ ଟା ନ ଥିଲା ପରି ଲାଗୁଥାଏ କିନ୍ତୁ ଆଂଠୁ ପାଖରୁ ପ୍ରବଳ ଯନ୍ତ୍ରଣା ହେଉ ଥାଏ I ବିକଳ ରେ ଚିତ୍କାର କରି ଉଠିଲା ସେ I କିଛି ସମୟ ପରେ ପୁଣି ଆଖି ବୁଲେଇ ସବୁ ଆଡକୁ ଦେଖିବାକୁ ଚେଷ୍ଟା କଲା ସେ I ଭୀଷଣ ଭାବରେ ଶୋଷ ଲାଗୁଥାଏ ତାକୁ I ଆଖି ବୁଲାଉ ବୁଲାଉ ଦେଖିବାକୁ ପାଇଲା ୨୦୧୭ ମସିହା ର କ୍ୟାଲେଣ୍ଡର I କ୍ୟାଲେଣ୍ଡର ରେ ଜାନୁଆରୀ ୧୮ ତାରିଖ ଟି ଉପରେ ଥାଏ I ସେ ମନେ ପକେଇବାକୁ ଚେଷ୍ଟା କଲା ଏଠିକୁ ଆସିଲା କେମିତି I ମିନତୀ ଆଉ ଶୈଳ କୁ ସ୍କୁଲ ରେ ଛାଡି ସେ କେଉଁ ଏକ ଜାଗାକୁ ଯାଇଥିଲା ବୋଲି ମନେ ପଡିଲା I ତା ପରେ କିନ୍ତୁ ମନେ ନାହିଁ I ଆରେ….ସେ ତ ଯାଇଥିଲା ଡ଼ିସେମ୍ବର ୩୧ ରେ ଆଜି କଣ ଜାନୁଆରୀ ୧୮ ଦେଖାଉଛି ? ଏତିକି ଦିନ ଭିତରେ ତା’ର ତ କିଛି ବି ମନେ ନାହିଁ ? ମିନତୀ ଆଉ ଝିଅ ଆସିଲେ ନା ନାହିଁ? କିଏ ତାଙ୍କୁ ଆଣିଲା? ସେ ନିଜେ ଏଠିକୁ କେମିତି ଆସିଲା? କୌଣସି ପ୍ରଶ୍ନ ର ଉତ୍ତର ପାଉ ନଥିଲା ସେ…
କିଛି ସମୟ ପରେ ନର୍ସ ଜଣେ ଆସିଲେ ଓ ତା’ ର ହୋସ ଆସିଲାଣି ବୋଲି ଜଣେଇ ଦେଲେ ମିନତୀ କୁ। ଆସ୍ତେ ଆସ୍ତେ ସବୁ ଜିନିଷ ଜାଣିବାକୁ ପାଇଲା ସେ I ସେଦିନ ହୋଟେଲ ର ପାର୍ଟି କୁ ଯାଇ ମଦ ପିଇଥିଲା ସେ ଆଉ ଘରକୁ ଫେରିବା ବାଟରେ ବ୍ରିଜ ତଳକୁ ଖସି ପଡିଲା I ସକାଳୁ କେହି ଜଣେ ବାଟୋଇ ଦେଖି 108 କୁ ଡାକି ଡାକ୍ତର ଖାନା ରେ ଭର୍ତି କଲା I ରାତିରେ ମିନତୀ ଓ ଝିଅ ଆସିଲା ପରେ ଖବର ପାଇ ଡାକ୍ତର ଖାନା ଆସିଲେ I ସେବେଠୁ ପ୍ରଶାନ୍ତ କୋମା ରେ ଥିଲା I ଅଠର ଦିନ ପରେ ଚେତା ଆସିଲା ତା’ର I ଡାହାଣ ଗୋଡ ର ହାଡ ଚୁନା ହୋଇ ଯାଇଥିଲା I ପିତ୍ତଳ ର ରଡ଼ ଲାଗିଲା ସେଥିରେ I ଓଃ…କି କଷ୍ଟ… ମଦ ଯେ ଏତେ ମାରାତ୍ମକ, ଏହା ଏବେ ସେ ହୃଦୟଙ୍ଗମ କରୁଥିଲା I
ପ୍ରାୟ ଆଠ ମାସ ପରେ …
ଏବେ ସେ ଭଲ ହୋଇ ଆସୁଥିଲା I କିନ୍ତୁ ଗୋଡ ରେ ଲାଗିଥିବା ପିତ୍ତଳ ରଡ଼ ଯୋଗୁଁ ସେ ଠିକ ରେ ଚାଲବୁଲ କରିପାରୁ ନଥିଲା, ଭରା ଦେଇ ପାରୁ ନଥିଲା I ଆଶାବାଡି ସାହାର୍ଯ୍ୟ ରେ ସେ ଏବେ ଟିକେ ଟିକେ ଚାଲବୁଲ କରୁଥିଲା I ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ। ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡି ଯାଇଛି। ଅଗତ୍ୟା ସେ ହାତରେ କନା ଓ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା। ଏହି ସମୟ ରେ ରାସ୍ତା ରେ ଯାଉଥିବା ଗୋଟେ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ କୁ କହିଲା, “ଆଜ୍ଞା ଟଙ୍କା କୋଡିଏ ଟା ଯଦି ଦେବେ, ମୁଁ ଧୋଇଦେବି।”
ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡି ଧୋଇ ଆସେ? “
ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା। ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କା ର କଥା। ଗ୍ୟାରେଜ କୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲା । ଲୋକଟା କୁ ବାଲଟି ଦେଉ ଦେଉ ପଚାରିଲା ,” ସତରେ ତୁ କୋଡିଏ ଟଙ୍କା ରେ ଧୋଇବାକୁ ଇଛା କରିଛୁ ନା ମୋ ଖଣ୍ଡିଆ ଗୋଡ଼ ଦେଖି ମୋତେ ଦୟା କରୁଛୁ?” I ଆଶାବାଡି ଟି ଧରି ଗୋଟେ ଗୋଡ ରେ ଡେଇଁ ଡେଇଁ କନା ଟି ତା ହାତ କୁ ବଢ଼େଇ ଦେଉ ଦେଉ ପ୍ରଶାନ୍ତ ଲୋକଟି ଆଡକୁ ଚାହିଁ କହିଲା I
ଲୋକ ଟି କହିଲା, “ନା , ନା, ବାବୁ। ମୁଁ ଗରିବ ଲୋକ। ମୁଁ ଆପଣଙ୍କୁ କଣ ଦୟା କରିବି I କାମ ଟିଏ ଖୋଜି ଖୋଜି ବୁଲୁଛି ଆଜ୍ଞା I
:ଆଛା, ଖାଲି ଗାଡି ଧୋଇ ଆସେ ନା ଆଉ କଣ କରି ଆସେ?
: ମୁଁ ଜଣେ ଡ୍ରାଇଭର ଆଜ୍ଞା I କିଛି ଦିନ ପୂର୍ବରୁ ପଟେଲବାବୁ ଘର ଗାଡି ବିକ୍ରି କରିଦେବାରୁ ଏବେ ମୋ ହାତରେ କାମ ନାହିଁ I ସକାଳୁ ସନ୍ଧ୍ୟା ବୁଲି ବୁଲି କାମ ଖୋଜୁଛି I ଆପଣଙ୍କ ର ଯଦି କେହି ଚିନ୍ହା ଥିବେ ମୋ ପାଇଁ କାମ ଟେ ବୁଝି ଦିଅନ୍ତେ ନାହିଁ?
: ହଉ ଦେଖିବା !! ତୁ.. ଆଗ ଗାଡି ଧୋଇ ସାରେ …
ଲୋକଟି ଗାଡି ଧୋଇବା ଭିତରେ ପ୍ରଶାନ୍ତ କିଛି ଚିନ୍ତା କରିବାକୁ ଲାଗିଲା I ଲୋକ ଟିକୁ ଡ୍ରାଇଭର ଭାବେ ରଖିଲେ କିପରି ହୁଅନ୍ତା ? ତାକୁ ଏବେ ଅଫିସ ଯିବା ପାଇଁ ଅସୁବିଧା ହେଉଛି I ମିନତୀ ସବୁଦିନ ଛାଡିବାକୁ ଆଉ ଆଣିବାକୁ ଯାଉଛି I କୁଆଡେ ଯିବାକୁ ହେଲେ କେହି ଜଣେ ସମ୍ପର୍କୀୟ ଙ୍କୁ ଡାକିବାକୁ ପଡୁଛି ଗାଡି ଚଲେଇବା ପାଇଁ I ୟାକୁ ଡ୍ରାଇଭର ରଖିଲେ ସବୁ ସମସ୍ୟା ର ସମାଧାନ ହୋଇ ଯିବ I
:ଆଛା, ତୋର ମାସକୁ ଦରମା କେତେ ?
:ଆଜ୍ଞା, ଚାରି ହଜାର ଦେବେ I କୁଆଡେ ବାହାରକୁ ଗଲେ ଦିନକୁ ୧୦୦ ଟଙ୍କା ଖାଇବା ଖର୍ଚ I
ଏତିକି ଭିତରେ ଗାଡି ଟି ଧୋଇ ଧାଈ ଚିକ ଚିକ କରି ଦେଇଥିଲା ସେ I
:ହଉ, କାଲିଠୁ କାମ କୁ ଆସେ I ମାସକୁ ଚାରି ହଜାର ଦେବି, ତା ସହ ବାହାରକୁ ଗଲେ ଆମ ସହ ଖାଇବୁ I ଠିକ ଅଛି ? ତୋ କାମ ହେଲା ସବୁଦିନ ମୋତେ ନେଇ ଅଫିସ ଯିବୁ ଆଉ ସନ୍ଧ୍ୟା ରେ ମୋତେ ଆଣି ଛାଡ଼ିବୁ I କେବେ କେମିତି ବଜାର ଆଉ ବାକି, ଆଖ ପାଖବୁଲାବୁଲି I ଠିକ ଅଛି ତ?  ପଚାଶ ଟଙ୍କା ର ନୋଟ ଟେ ତାକୁ ବଢ଼େଇ ଦେଉ ଦେଉ କହିଲା ପ୍ରଶାନ୍ତ I
:ହଉ ଆଜ୍ଞା I
ମୁଣ୍ଡିଆ ଟିଏ ମାରି ସେ ଚାଲିଗଲା I
ଘରକୁ ଆସି ମିନତୀ କୁ କହିଲା ସେ, ପ୍ରଥମେ ପ୍ରଥମେ ମିନତୀ ଅରାଜି ହେଲେ ବି ପରେ ରାଜି ହୋଇଗଲା I ପ୍ରଶାନ୍ତ କୁ ଏକା କୁଆଡେ ବି ଛାଡିବାକୁ ମିନତୀ ଚାହୁଁନଥିଲା I କିନ୍ତୁ ଅଧିକ କାମ ପଡିଯାଉଥିଲା ତାକୁ I ଘର କାମ, ପିଲାଙ୍କ କାମ, ପିଲାଙ୍କ ସ୍କୁଲ, ଟିଉସନ, ପ୍ରଶାନ୍ତ ର ଅଫିସ, ଘର ରୋଷେଇ, ପରିବା, ରାସନ ରୁ ଆରମ୍ଭ କରି ଇଲେକ୍ଟ୍ରିକ ବିଲ ପଇଠ ଯାଏ ସବୁ I ଓଃ.. । ଏତେଦିନ ପରେ ଆସ୍ତେ ଆସ୍ତେ ପୁଣି ଘର ର ସବୁ ଜିନିଷ ପୂର୍ବପରି ହେବାକୁ ଲାଗିଲା I ସମସ୍ତେ ନିଜ ନିଜ କାମ କରିବାକୁ ଲାଗିଲେ I ପ୍ରଶାନ୍ତ ମଦ ପିଇବା ପୁରା ଛାଡି ଦେଇଥିଲା I ଘରେ ହସ ଖୁସି ର ପରିବେଶ I ପ୍ରଶାନ୍ତ ର କିଛି କାମ କିନ୍ତୁ ଏବେ ବି ମିନତୀ କୁ କରିବାକୁ ପଡୁଥିଲା ଓ ବେଳେ ବେଳେ ତାକୁ ଉଠା ବସା ରେ ସାହାର୍ଯ୍ୟ କରିବାକୁ ପଡୁଥିଲା I ଆସ୍ତେ ଆସ୍ତେ ଏ ସବୁ ବି କମ ହେବାକୁ ଲାଗିଲା I କିନ୍ତୁ ଆଉ ଥରେ ଗାଡି ଚଳେଇବାକୁ ସାହସ ପାଉନଥିଲା ପ୍ରଶାନ୍ତ ର I ଡ୍ରାଇଭର ବି ଭଲ ଲୋକ ଟିଏ ଥିଲା I ତେଣୁ ତାକୁ ଛାଡିବାକୁ ଇଛା ନଥିଲା ପ୍ରଶାନ୍ତ ର I
ଡ୍ରାଇଭର ର ନାଁ ଦେବ I ଭଲ ଲୋକଟିଏ I ଡ୍ରାଇଭର ହୋଇ ବି ନିଶାପାଣି ଠୁ ବହୁ ଦୂରରେ I କେବେ ପାନ ଖଣ୍ଡେ ବି ଖାଏ ନାହିଁ I ଦୁଇ ବର୍ଷ ପୂର୍ବରୁ ସ୍ତ୍ରୀ ଚାଲି ଯାଇଛି ଆର ପାରି କୁ I ଛାଡି ଦେଇ ଯାଇଛି ତିନୋଟି ପିଲା I ସାନ ଟି ଜନ୍ମ ହଉ ହଉ ମା ମରିଗଲା I ମା ଛେଉଣ୍ଡ ଛୁଆ ତିନୋଟି କୁ ପାଳିବାକୁ ବହୁତ ପରିଶ୍ରମ କରିବାକୁ ପଡେ I ଘର, ଦେବ ର ବିଧବା ମା ସମ୍ଭାଳି ନିଏ I ହେଲେ ପେଟକୁ ଗଣ୍ଡେ ଆଉ ଦିହକୁ ଖଣ୍ଡେ ପାଇଁ ତ ପଇସା ଦରକାର ନା I ଘରେ ଖୋଲି ଦେଇଛି ସାନ ଦୋକାନ ଖଣ୍ଡେ I ବୁଢ଼ୀ ବସେ ସେଇ ଦୋକାନ ରେ I ତିନିମାସ ହେଲା ଚାକିରୀ ନଥିଲା ତା’ର I ଯାହା ବଞ୍ଚେଇ ବଞ୍ଚେଇ ରଖିଥିଲା ସେଇଥିରୁ ସାରୁଥିଲା I ବାକି ଚଳିଯାଏ ଦୋକାନ ରୁ ଆଉ ବାଡ଼ି ବଗିଚା ରୁ I ବାବୁ ଓ ବାବୁଆଣୀ ଚାକିରୀ ଖଣ୍ଡେ ଦେଇଛନ୍ତି ବୋଲି ଭାରି ଶ୍ରଦ୍ଧା ଓ ସମ୍ମାନ କରେ ଦେବ I କୌଣସି କଥା କୁ ତଳେ ପକେଇ ଦିଏନି I ସବୁଥିରେ ହଁ I ନିଜ ମନରୁ ବି କେବେ କେମିତି କିଛି ଅଧିକ କାମ କରି ଦିଏ I ପ୍ରଶାନ୍ତ ର ଏପରି ଦୁର୍ଘଟଣା ହୋଇଛି ଜାଣିବା ପରେ, ସେ ଧିରେ ଗାଡି ଚଳାଏ, ଯେମିତି କି ପ୍ରଶାନ୍ତ କୁ କିଛି ନ ଲାଗିବ ।
**********

ପୁଣି ଡ଼ିସେମ୍ବର ମାସ ଆରମ୍ଭ ହୋଇ ସାରିଥିଲା I ପ୍ରଶାନ୍ତ ଯୋଗୁଁ ଖରାଛୁଟି ରେ କେହି ବି କୁଆଡେ ଯାଇ ପାରି ନଥିଲେ I ମିନତୀ ଓ ଶୈଳ, ଘରେ ରହି ରହି ବିରକ୍ତ ହୋଇ ଯାଇଥିଲେ I ମିନତୀ ଉପରେ ଏତେ ଦିନ ର କାମ ଚାପ ଯୋଗୁଁ ଏବେ ସେ ଛୁଟି ରେ କୁଆଡେ ବୁଲିଯିବାକୁ ଚାହୁଁଥିଲେ ବି ପ୍ରଶାନ୍ତ କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଇଛା ନଥିଲା ତା’ର I କିନ୍ତୁ ପ୍ରଶାନ୍ତ କଥାରେ ରାଜି ହେଲା ସେ I “ଦେବ ତ ଅଛି I ମୋର ଯାହା ଦରକାର ହେଲେ ସେ ଆଣି ଦେବ I ତମେ ଯାଅ, ମୁଁ ଅଫିସ ରୁ ଛୁଟି ନେଇ ଯିବି I ସାଙ୍ଗ ହୋଇ ଆସିବା” କହିଲା ପ୍ରଶାନ୍ତ I

ଦେବ କୁ ଦାୟିତ୍ୱ ଦେଇ ବାହାରିଲା ମିନତୀ I ଦେବ ଭରସା ଯୋଗ୍ୟ I ସୁବିଧା ଅସୁବିଧା ଦେଖିବ I ଆଗରୁ ପ୍ରଶାନ୍ତ ମଦ ପିଉଥିଲା ବୋଲି ମିନତୀ ର ଚିନ୍ତା ବଢିଯାଏ I ହେଲେ ସେ ଦୁର୍ଘଟଣା ପରଠୁ ପ୍ରଶାନ୍ତ ପିଇବା ଛାଡି ଦେଇଛି I ଆଉ କଣ ଚିନ୍ତା ଅଛି ? ଝିଅ କୁ ଧରି କିଛି ଦିନ ଶାଶୁ ଘରେ ଓ କିଛି ଦିନ ବାପ ଘରେ ରହିବା ପ୍ଲାନ କରି ନିଶ୍ଚିନ୍ତ ରେ ସେ ବାହାରିଗଲା I
************
ଡ଼ିସେମ୍ବର ୩୧, ୨୦୧୭ I ଗତବର୍ଷ ଆଜି ଦିନରେ ହିଁ ତା ର ଦୁର୍ଘଟଣା ହୋଇଥିଲା I ଅଫିସ ରେ ବସି ବସି ଅନ୍ୟମନସ୍କ ହୋଇ ପଡୁଥିଲା ପ୍ରଶାନ୍ତ I ଅଫିସ ର ସହକର୍ମୀ , ସାଙ୍ଗ ସାଥି ସମସ୍ତେ କେଜାଣି କେତେ ପ୍ରୋଗ୍ରାମ ପ୍ଲାନ କରି ସାରିଥିଲେ I ସମସ୍ତଙ୍କୁ ନାହିଁ କରିଦେଲା ସେ I କୌଣସି ଭୋଜି ରେ ଯିବା ରେ କିଛି ନାହିଁ , କିନ୍ତୁ ଅନ୍ୟ ମାନେ ବାଧ୍ୟ କରିବେ ପିଇବା ପାଇଁ I କାହାକୁ ମନା କରି ହେବ ନାହିଁ I ମୂଳରୁ ନ ଗଲେ ଗଲା I ବସି ବସି ରାତି ନଅ ଟା ରେ ଘରକୁ ବାହାରିଲା ସେ I କିନ୍ତୁ କେଜାଣି କାହିଁକି ତା ମନ ପୁଣି ଟାଣି ହେଇ ଯାଉଥିଲା ମଦ ଆଡେ I ପୁଣି ???  ବାଟ ରେ ଖୁର୍ସିଦ ଭାଇ ଦୋକାନ ରୁ ଗୋଟେ ପ୍ଲେଟ ବିରିୟାନୀ ଓ ଗୋଟେ ତନ୍ଦୁରି ଚିକେନ ପ୍ୟାକ କଲା I ଦେବ ଓ ଦେବର ଛୁଆ ମାନଙ୍କ ପାଇଁ ବି ତିନୋଟି ବିରିୟାନୀ ପ୍ୟାକ କଲା I ବାଟରେ ଫେରୁ ଫେରୁ ହୋଟେଲ ମାନଙ୍କର ରଙ୍ଗବେରଙ୍ଗ ଆଲୋକମାଳା ଓ ଡିଜେ ର ଶବ୍ଦ ଧ୍ୱନି ଶୁଣି ଶୁଣି ପୁଣି ମନ ଡାକୁଥିଲା , ହେଲେ ମନକୁ ଚାପି ଚାପି ସେ ଅନ୍ୟ ଆଡେ ମନ ଦେଉଥିଲା I ଟ୍ରାଫିକ ରେ ଗାଡି ଅଟକିଲା I ତିନି ମିନିଟ ଅପେକ୍ଷା କରିବାକୁ ପଡିବ I ୧୮୦…୧୭୯…୧୭୮…୧୭୭..୧୭୬…   ….   ୧୨୫…୧୨୪…୧୨୩…୧୨୨…୧୨୧…   ….  ୬୦…୫୯…୫୮…୫୭…୫୬…
ନା, ଆଉ ସମ୍ଭାଳି ହେବନି I ଗଲା ଥର ସିନା ନିଜେ ଗାଡି ଚଳେଇ ଗଲା ବୋଲି ଏତେ ହଇରାଣ ରେ ପଡିଲା I ଏଥର ଅଟୋ ରେ ଯିବ ସେ I ନଚେତ ଫୋନ କରି, ଦେବ କୁ ଡ଼ାକିବ I ତାହେଲେ କିଛି ଅସୁବିଧା ନାହିଁ ନା ….. ଦେବ କୁ କହିଲେ ସେ ଏବେ ୟାଡୁ ସ୍ୟାଡୁ କହି ଅଟକେଇବ I କିଛି ନହେଲେ ବି ମିନତୀ କୁ କହି ଦେବାର ଧମକ ଦେବ I ହଠାତ ଡୋର ଖୋଲି ଓ଼ଲ୍ଳେହି ପଡିଲା ପ୍ରଶାନ୍ତ I ଡୋର ବନ୍ଦ କରି ଖୋଲା ଥିବା କାଚ ପଟେ ଦେବ କୁ କହିଲା ସେ, “ବିରିୟାନୀ ଆଉ ତନ୍ଦୁରି ପିଲାଙ୍କ ପାଇଁ ନେଇ ଯିବୁ I ମୁଁ ଅଟୋ ରେ ଆସିବି ଭାରି ଘରକୁ, କିଛି ଚିନ୍ତା ନାହିଁ I ନହେଲେ ତୋତେ ଫୋନ କରି ଡାକିବି, ନୂଆ ବର୍ଷଟା ରେ ଟିକେ ଏନଜୟ ନ କଲେ ଭଲ ଲାଗିବନି ”  କହି ସେ ଆଗକୁ ଆଗକୁ ଚାଲିଲା କୌଣସି ଏକ ହୋଟେଲ ଉଦ୍ଦେଶ୍ୟ ରେ….
କିଛି ବୁଝି ନ ପାରି ପ୍ରଶାନ୍ତ ର ଯିବା ବାଟ କୁ “ହାଁ” କରି ଚାହିଁ ରହିଲା I ଟ୍ରାଫିକ ସିଗ୍ନାଲ ଛାଡି ସାରିଲା ପରେ କିନ୍ତୁ ଦେବ’ ର ଆଉ କିଛି କରିବାର ନଥିଲା। ପ୍ରଶାନ୍ତ ଆରପଟ ରାସ୍ତା ଅତିକ୍ରମ କରି ସାରି କୁଆଡେ ଅଦୃଶ୍ୟ ହୋଇ ସାରିଥିଲା….
ଦେବ, ଆଗକୁ ଯାଉ ଯାଉ  ସବୁ କିଛି ବୁଝିଗଲା ପରି, ଭାବି ହେଉଥିଲା ,” ମୋତେ ଯେତେ ମାଠିବୁ ମାଠ, ମୁଁ ତ’ ସେଇ ଦରପୋଡା …….”
—–ସମାପ୍ତ—–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I