ଧାରେ ହସ ରେ ଜୀବନ……

ଧାରେ ହସ ରେ ଜୀବନ……

ସୁବଳ ମହାପାତ୍ର

“ଭଜୁ କି ନା ରାମ ନାମରେ କୁମର, ଭଜୁ କି ନା ରାମ ନାମ I ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ। ସେହି କାଳଯମ ବଡ ଦାରୁଣ ରେ ନ ଜାଣଇ ଦୁଃଖ ସୁଖ, ବାଛିନେବ କଞ୍ଚା ରଖିବ ପାଚିଲାରେ କୁମର, ଦେବ ଟି ଦାରୁଣ ଦୁଃଖ …” କେନ୍ଦେରା ବଜେଇ ଯୋଗୀଟିଏ ଘର ଆଗରେ ଆସି ଠିଆ ହେଲା I ହେଃ.. ଯା ଏଠୁ , କିଛି ତ କାମ ଧାମ ନାହିଁ, ଚେହେରା ପାଇଛନ୍ତି ରାଜା ପରିକା ଆଉ ଭିକ ମାଗି ମାଗି ଘର ଘର ବୁଲୁଛନ୍ତି I ଏଇ ମାନଙ୍କ ପାଇଁ ଆଜି ଆମ ଦେଶ ଗରିବ I ଭିକ ମାଗି ଚଳିବେ..” ମୁହଁ ଛିଞ୍ଚାଡି, ଯୋଗୀ ଉପରେ ରାଗ ତମ ତମ ହୋଇ ଶୋଇବା ଘର ଭିତରକୁ ପଶିଗଲା ବିନୟ I ବିନୟ ଭିତରକୁ ଯିବାର ଦେଖି ମିନୁ , ଛଅ ବର୍ଷ ର ପୁଅ କୁନା କୁ ଧରି ବାହାରକୁ ଆସିଲା ଓ କୁନା ହାତରେ ପାଞ୍ଚଟଙ୍କିଆ କଏନ ଟିଏ ଯୋଗୀର ଥାଳ ରେ ପକେଇ ଦେଲା I ଯୋଗୀ ଟି ଡାହାଣ ହାତ ଟେକି ଆଶୀର୍ବାଦ କରି ଚାଲିଗଲା I ବିନୟ ସବୁଦିନେ ଏମିତି I ଛୋଟବେଳେ ନିମ୍ନ ମଧ୍ୟବିତ୍ତ ପରିବାର ରେ ବଢିଥିଲେ ବି ଚାକିରୀ କରି ହାତକୁ ଦି ପଇସା ଆସିଲା ପରେ ପୁରା ବଦଳି ଯାଇଥିଲା I ମନରେ ଗର୍ବ ଆସିଯାଇଥିଲା ପଇସା ପ୍ରତି, ଷ୍ଟେଟସ ପ୍ରତି। କିନ୍ତୁ ସ୍ତ୍ରୀ ମିନୁ ଥିଲେ ଜଣେ ସୁ-ଗୃହିଣୀ I କେହି ବି ଯୋଗୀ, ଭିକାରି ତାଙ୍କ ଦୁଆରୁ ଖାଲି ହାତରେ ଫେରନ୍ତିନି I ସମସ୍ତେ ଆଶୀର୍ବାଦ କରନ୍ତି I

ଗୃହକର୍ତ୍ତାଙ୍କ ନାଁ ଟି ବିନୟ, କିନ୍ତୁ ପ୍ରକୃତି ପୁରା ଓଲଟା I କେବେ କେହି ତାଙ୍କୁ ଦାନ ଧର୍ମ କରିବା କିମ୍ବା ଠାକୁର ଙ୍କୁ ମୁଣ୍ଡିଆ ମାରିବା ଦେଖିନାହିଁ I ସବୁବେଳେ କୁହନ୍ତି, “ଠାକୁର ମୋର କଣ କରିଛନ୍ତି? ମୁଁ ଆଜି ଯାହା ଏହା ମୋ ନିଜ ପରିଶ୍ରମ ର ଫଳ I ଖାଲିଟାରେ ଠାକୁରଙ୍କୁ କାହିଁକି ମୁଣ୍ଡିଆ ମାରିବି? ମନ୍ଦିର କାହିଁକି ଯିବି? ଠାକୁର କଣ ଭୋଗ ଖାଆନ୍ତି କି? ସବୁ ଗୁଡା ଠକ, ଭଣ୍ଡ I ଠାକୁରଙ୍କ ନାଁ ରେ ନିଜେ ଖାଇବେ I ଦୁଃଖୀ ରଙ୍କି ଙ୍କୁ ବିନୟ କେବେ ସାହାର୍ଯ୍ୟ କରିବାର କେହି ଦେଖି ନାହାନ୍ତି I କହିଲେ କହିବେ, “ଠକ ସେଗୁଡା I ପରିଶ୍ରମ କରିବାକୁ ପଡିବ ବୋଲି ଭିକ ମାଗନ୍ତି I କିନ୍ତୁ ସହଧର୍ମିଣୀ ମିନୁ ବି ଯୁକ୍ତି କରେ, “ଭିକ ମାଗିବା ପାଇଁ ସେମାନେ ଦିନକୁ ଦଶ ବାର କିଲୋମିଟର କିମ୍ବା ତା’ଠୁ ଅଧିକ ବାଟ ଚାଲି ଚାଲି ଯାଆନ୍ତି I ଏହା କଣ ପରିଶ୍ରମ ନୁହେଁ? ସମସ୍ତେ କଣ ଠକ ଅଛନ୍ତି? କିଛି ଲୋକଙ୍କର କୁଳ ବେଉସା ଯେମିତି ଯୋଗୀ, ଚକୁଳିଆ ପଣ୍ଡା । ସେମାନେ ତ ତାଙ୍କ କୁଳ ବେଉସା କୁ ବଞ୍ଚେଇ ରଖିଛନ୍ତି I ଆହୁରି ବି ଲୋକ ଅଛନ୍ତି ଯେଉଁ ମାନଙ୍କୁ କାମ ମିଳୁନି। ଅକର୍ମଣ୍ୟ, ବୃଦ୍ଧ, ସେମାନେ ନିଜ ପେଟ ପୋଷିବା ପାଇଁ କିଛି ତ କରିବେ? ସେମାନେ ବଞ୍ଚିବା ପାଇଁ ଭିକ ମାଗୁଛନ୍ତି, ଭିକ ମାଗି କାର ତ ଚଳାଉ ନାହାନ୍ତି I ତମେ ହୋଟେଲ ରେ ଖାଇ ଟିପ୍ସ ଭାବେ ଯେତେବେଳେ ଶହେ ଟଙ୍କା ବଢ଼େଇ ଦିଅ, ସେତେବେଳେ ତ ଭାବନି, ଆଉ କେଉଁଠି ଯୋଗୀ ଭିକାରି ଙ୍କୁ ଟଙ୍କା ଦୁଇଟା ଦେଇଦେଲେ ତୁମର ସରିଯାଏ I କି ଲୋକ ଇଏ କେଜାଣି I” ଏମିତି ଭାବରେ ହିଁ ତାଙ୍କ ଯୁକ୍ତି ତର୍କ ସରେ I କେହି କାହା କଥା ମାନିବାକୁ କି ଶୁଣିବାକୁ ପ୍ରସ୍ତୁତ ନଥାନ୍ତି I ବିନୟ ଏ ସବୁ ର ବିରୁଦ୍ଧ ରେ ଥିଲା ବେଳକୁ, ମିନୁ କିନ୍ତୁ ଯୋଗୀ ଭିକାରୀଙ୍କୁ ଡାକି ଖାଇବାକୁ ଦିଏ।

ବିନୟ ସକାଳୁ ଅଫିସ ଚାଲିଯାଏ I ଚାରିଟା ବେଳେ ଅଫିସ ରୁ ଫେରି କୁନା ସହ ଦୁଇଘଣ୍ଟା ଧରି ଖେଳେ I ସୋସାଇଟି ପିଲାଙ୍କ ସହ ମିଶିବାକୁ ତାକୁ ମନା କରେ I ଗନ୍ଧିଆ ପିଲା ସେଗୁଡା I ଖେଳନା ନଥାଏ ତାଙ୍କର I ମାଟି, ଗୋଡି, ପଥର, କାଗଜ, ଛିଣ୍ଡାକନା, ଏମିତି ଜିନିଷ ରେ ଖେଳନ୍ତି ସେମାନେ I କେବେ କନା ସବୁ କୁ ଗୁଡେଇ ବଲ କରି ଫୁଟବଲ ଖେଳନ୍ତି ତ କେବେ ବରଡା ବେଣ୍ଟ ରେ ବ୍ୟାଟ କରି କ୍ରିକେଟ ଖେଳନ୍ତି I ବିନୟ କିନ୍ତୁ ଭାବେ ସେଗୁଡା ଚୋର ଗୁଡା I ଖେଳିବା ନାଁ ରେ ଖେଳନା ଚୋରେଇ ନିଅନ୍ତି I କୁନା ର କିନ୍ତୁ ମନ ଥାଏ ସେମାନଙ୍କ ସହ ଖେଳିବାକୁ I ବାପା ଖାଲି ଗୋଟେ ପ୍ରକାର ଖେଳ ଖେଳନ୍ତି I ବ୍ୟାଟ ଆଉ ବଲ I ସେମାନେ କିନ୍ତୁ ବହୁତ ପ୍ରକାର ଖେଳ ଖେଳନ୍ତି, ଯେମିତି ଗୋଟେ ବାଡ଼ି ଥୋଇ, ଦୌଡ଼ି ଦୌଡ଼ି ଆସି ବାଡ଼ି ଉପରେ ଗୋଡ ଦେଇ ଡିଅଁନ୍ତି I କେବେ ମାଟି ରେ ପାଣି ପକେଇ ତାକୁ ଚକଟି କେତେ କଣ ଖେଳନା ତିଆରି କରନ୍ତି, କେବେ କେମିତି ଲୁଚକାଳି ବି ଖେଳନ୍ତି I ବୋହୁଚୋରି, ବାଡ଼ି ଡିଆଁ, ମାଙ୍କଡ ଡିଆଁ, ସେଭେନ ସେଟ, ସେକା (ବରଡା ରେ ବଲ ତିଆରି କରି, ଜଣେ ଆଉ ଜଣଙ୍କ ଉପରକୁ ଫିଙ୍ଗିବା), ପୁଆ ବାଡ଼ି ପରି ଭିନ୍ନ ଭିନ୍ନ ଖେଳ I ମନ ରୁହେନି ତା’ର I ସ୍କୁଲ ରେ ସାଙ୍ଗ ମାନଙ୍କ ସହ ଖେଳିଲେ ବି ନିଜ ସୋସାଇଟି ର ପିଲାଙ୍କ ସହ ଖେଳିବାକୁ ତା’ର ଭାରି ମନ I ସୋସାଇଟି ବାହାରୁ ବି କିଛି ପିଲା ଆସନ୍ତି I ଅଧିକ ପିଲା, କେତେ ମଜା I ବାପାଙ୍କ ସହ କ୍ରିକେଟ ଖେଳିଲା ବେଳେ ସେ ବିକଳ ରେ ଚାହେଁ ସେମାନଙ୍କ ଆଡେ । କିନ୍ତୁ ବାପାଙ୍କ ଡର ରେ ନା ଯାଇପାରେ ନା ଖେଳି ପାରେ I

ସେଦିନ ବାପା ଫୋନ କରିଥିଲେ, କୁନା ମା’ ପାଖରୁ ଶୁଣିଲା ଯେ ବାପାଙ୍କର ଆଜି କଣ କାମ ଅଛି ଅଫିସ ରେ । ସେ ଡେରିରେ ଫେରିବେ I ମା ଫୋନ ଥୋଇଦେଇ ରୋଷେଇ ଘରକୁ ଚାଲିଗଲେ I ଏତିକିବେଳେ ସୁଯୋଗ ମିଳିଗଲା ତାକୁ ଆଉ ଏକା ଡିଆଁରେ ସେ ପିଲାଙ୍କ ପାଖେ ହାଜର I ଅଫିସ ରୁ ଶୀଘ୍ର କାମ ସାରି ବିନୟ ପହଁଚିଲା ଘରେ I “କୁନା କାହିଁ? ଦେଖା ଯାଉନି?” ସବୁ ଘର ବୁଲିଦେଇ ପଚାରୁଥିଲା ବିନୟ I ଅଫିସ ରୁ ଫେରିବାପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି I ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ I”
କିଛି ସମୟ ପରେ ବିନୟ ର ଉଚ୍ଚସ୍ୱର ରେ ଘର କମ୍ପି ଉଠୁଥିଲା I “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି I ସୋସାଇଟିରେ ବାଜେ ପିଲାଙ୍କ ସହ ବସି ବାଲି ଖେଳୁଥିଲା I ଏଇୟା ସବୁ ଶିଖୁଛି ତମ ପୁଅ ? ଦେଖ ତା ଦେହ… ବାଲି ଧୂଳି ରେ ଭର୍ତି I ଦେହ ଖରାପ ହେଉ, ମୋତେ କହିବ !”
ରୋଷେଇ ଘରୁ ବାହାରି ଆସୁଆସୁ ମିନୁ କହୁଥିଲା, ” ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା? ତମେ ଖେଳୁ ନଥିଲା କି? ଜନ୍ମରୁ ଏସି ରୁମରେ ବଢିଥିଲ ନା କଣ? ହୁଁ… କହି ମୁହଁ ମୋଡି, ରାଗ ତମତମ ହୋଇ କୁନାକୁ ଧରି ବିନୟ ପଶିଗଲା ଗାଧୁଆ ଘର ଭିତରକୁ I କୁନା କୁ ଧୋଇଧାଇ ଆଲମାରୀ ରୁ ଭଲ ପେଣ୍ଟ ସାର୍ଟ ପିନ୍ଧେଇ ତାକୁ ଧରି ଗଲା ବଜାରକୁ । ଚକୋଲେଟ ଦେଇ ଆଉ ଏପରି ନ କରିବା ପାଇଁ ବୁଝାଉଥିଲା କୁନା କୁ I

କୁନା ଛୋଟ ପିଲା, କିଛି ନ କହି ପାରିଲେ ବି ତା’ର ତ ଗୋଟେ ମନ ଅଛି I କିଏ ବୁଝେ ଏ ପିଲା ମାନଙ୍କ କଥା? ସବୁବେଳେ ବଡ ମାନେ ଯାହା କହିବେ ସେଇୟା I ସେମାନେ ଯାହା ଭାବିବେ, ସେଟା ସବୁବେଳେ ଠିକ I କାହିଁକି ସେମାନେ ବୁଝି ପାରନ୍ତିନି ଗୋଟେ ଛୋଟ ପିଲା ର ମନ କୁ ? କ୍ରିକେଟ ଅଧିକ ପିଲା ମାନକ ସହ ଖେଳାଯାଏ I ଦୁଇ ଜଣ ରେ କି କ୍ରିକେଟ ଖେଳା? ବାପା ଏ କଥା ବୁଝନ୍ତି ନାହିଁ କାହିଁକି କେଜାଣି? ସେମାନେ ବି ତ ଦିନେ ଛୋଟ ଥିଲେ । ସେତେବେଳେ କଣ ସେମାନେ ଚାହିଁ ନଥିଲେ ଏମିତି ଖେଳିବାକୁ? କେଜାଣି ?

କିଛିଦିନ ପରେ….

ବିନୟ ଅଫିସ ରେ ବସିଥାଏ, ହଠାତ ମିନୁର ଫୋନ ଶୁଣି ସେ ପ୍ରାୟ କାନ୍ଦ କାନ୍ଦ ଅବସ୍ଥା I “କଣ ହୋଇଛି? କେମିତି ହେଲା? ଏବେ କଉଠି?” ସେପଟୁ ଉତ୍ତର ଆସିଲା ଡାକ୍ତର ଖାନା ରେ, ଶୀଘ୍ର ଆସ I କାର ଧରି ତୁରନ୍ତ ଡାକ୍ତରଖାନା ରେ ପହଁଚିଲା ବିନୟ। ଅପରେସନ ବେଡ଼ ରେ ପଡିଥାଏ କୁନା। ବାହାର ପଟୁ କବାଟ ବନ୍ଦ। କାନ୍ଦିକାନ୍ଦି ଆଖି ଫୁଲିଯାଇଥାଏ ମିନୁ ର। କିଛି କଥା କହିବା ଅବସ୍ଥା ରେ ସେ ନଥାଏ। ଥଙ୍ଗ ଥଙ୍ଗ ପାଟିରେ ଏତିକି କହିଲା, “ସ୍କୁଲ ବସ ଖରାପ ହେବାରୁ ଅନ୍ୟ ଏକ ବସ ପିଲାଙ୍କୁ ଛାଡିବାକୁ ଆସିଥିଲା। ପାଖ ଛକ ରେ କୁନା ସହ ଅନ୍ୟ ଦୁଇଜଣ ପିଲା ବି ଓଲେହିଲେ। ସେମାନେ ଗଲାପରେ କୁନା ଆସୁଥାଏ। ହଠାତ ମାରଣା ଷଣ୍ଢଟିଏ କଉଠି ଥିଲା କେଜାଣି ପଛପଟୁ ଆସି କୁନା କୁ ଭୁଷି ଦେଲା। ଆଖପାଖ ରେ ସୋସାଇଟି ର ପିଲା ଖେଳୁଥିଲେ। ସେମାନେ ଆସି ମୋତେ କହିଲେ । କିଏ ଜଣେ ବାବାଜୀ କୁନା କୁ ଧରି ତୁରନ୍ତ ଡାକ୍ତରଖାନା ନେଇ ଆସିଲା। ସେଇ ପିଲାଙ୍କ ଠୁ ଖବର ପାଇ ମୁଁ ଆସିଲି ଏଠିକୁ । ଡାକ୍ତର କହିଲେ କୁନା ର ମୁହଁ ରାସ୍ତା ରେ ମାଡ ହୋଇ ନାକ ର ହାଡ ଖଣ୍ଡେ ଭାଙ୍ଗି ଯାଇଛି। ରକ୍ତ ବି ବହୁତ ବୋହି ଯାଇଛି। ତୁରନ୍ତ ରକ୍ତ ଦରକାର। କିଛି ସମୟ ପରେ କହିଲେ, ରକ୍ତ ଯୋଗାଡ ହୋଇଗଲା। ଏବେ ସେ ଅପରେସନ ରୁମ ଭିତରେ। ଭାଙ୍ଗି ଯାଇଥିବା ହାଡ ଟିକୁ ବାହାର କରିବାକୁ ପଡିବ।” ମିନୁ ପାଖରୁ ଏତିକି ଶୁଣି ବିନୟ କଣ କରିବ ଭାବି ପାରୁନଥାଏ। ଲଥ କରି ପାଖରେ ଥିବା ବେଞ୍ଚ ରେ ସେ ବସି ପଡ଼ିଲା। ଆଖିରୁ ଦୁଇଧାର ଲୁହ ବୋହି ଆସୁଥାଏ। ହାତ ରେ ଲୁହ କୁ ପୋଛି ଠିଆ ହେଲା ବିନୟ I ଯାହା ହେଲେ ବି ମରଦ ପୁଅ। ମରଦ ପୁଅ କଣ କେବେ କାନ୍ଦେ? ହଁ , କାନ୍ଦେ। ଗୋଟେ ବାପା କାନ୍ଦିପାରେ। କିନ୍ତୁ ଭିତର ର କୋହ କୁ ସେ ବାହାରକୁ ଆସିବାକୁ ଦିଏ ନାହିଁ। କାରଣ ତା ମୁଣ୍ଡ ଉପରେ ଆଉ ଜଣଙ୍କ ଦାୟିତ୍ୱ ବି ଥାଏ। ସେ କାନ୍ଦିଲେ ମିନୁ କୁ କିଏ ସମ୍ଭାଳିବ । ଜୀବନରେ କେବେ ଭଗବାନଙ୍କୁ ଡାକି ନଥିବା ଲୋକ, ନିଜ ସନ୍ତାନ ପାଇଁ ଭଗବାନ ଙ୍କ ପାଖରେ ଭିକ ମାଗିପାରେ। ଉପରେ କିଛି ନ କହିଲେ ବି ମନ ଭିତରେ ଭଗବାନଙ୍କୁ ହାତଯୋଡ଼ି ହଜାରେ ଥର ମୁଣ୍ଡିଆ ମାରୁଥାଏ ସେ । ବିକଳ ହେଉଥାଏ, ମୋ ପୁଅ ର କିଛି ନହେଉ ପ୍ରଭୁ। ତାକୁ ଶୀଘ୍ର ଭଲ କରିଦିଅ।

ସୋସାଇଟି ର କିଛି ଲୋକ ଏ ଭିତରେ ଆସି ସାରିଥାନ୍ତି ଡାକ୍ତରଖାନା କୁ। ସେମାନଙ୍କୁ ଦେଖି ବିନୟ ଟିକେ ହଡ଼ବଡେଇ ଗଲା। ଯେଉଁ ମାନଙ୍କ ପିଲାଙ୍କୁ ସେ ଗରିବ, ଚୋର ବୋଲି ଭାବୁଥିଲା, ଆଜି ତା ଅସୁବିଧା ସମୟ ରେ ସେମାନେ ହିଁ ତା ପାଖରେ ଠିଆ ହୋଇଥିଲେ। ଚିନ୍ତା ରେ ସେ ଏପଟ ସେପଟ ହେଉଥାଏ। ଏତିକିବେଳେ ସେ ଦେଖି ପାରିଲା ସେ ଯୋଗୀ ଜଣଙ୍କୁ। ଆଶ୍ଚର୍ଯ୍ୟ ରେ ତାକୁ ଚାହିଁଲା ବେଳକୁ, ଦେଖି ପାରିଲା ଯୋଗୀ ର ବାମ ହାତରେ ବ୍ୟାଣ୍ଡେଜ କନା ଗୁଡେଇ ହୋଇଥାଏ। ତା’ର ସବୁ ଭାବନା ର ଅନ୍ତ କରି ଯୋଗୀ ଜଣଙ୍କ ପାଖକୁ ଆସିଲା ଆଉ କହିଲା, “ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ, ଆମ “ବାବା” ର କିଛି ହେବନି। ବେସି କିଛି ହୋଇନି, ଖାଲି ମୁହଁଟା ଟିକେ ମାଡ ହୋଇ ଯାଇଛି। ମୋ ରକ୍ତ ସହ ତାଙ୍କ ରକ୍ତ ମ୍ୟାଚ କଲା ତ ମୁଁ ରକ୍ତ ଦେଇ ଦେଇଛି। ମୁଁ ହିଁ ତାଙ୍କୁ ଡାକ୍ତର ଖାନା ନେଇକି ଆସିଥିଲି। ଆପଣ ମାନେ ତ ଆସି ଗଲେଣି ମୁଁ ଯାଏଁ। ମୋତେ ଆହୁରି ଦଶ କିଲୋମିଟର ଚାଲି ଚାଲି ଯିବାର ଅଛି। କାଲି ଆସି ବୁଝିଯିବି ବାବା ର ଖବର। ସେ ଆମର ଦିବ୍ୟ ଆତ୍ମା। ଗରିବଙ୍କ ପ୍ରତି ତାଙ୍କର ଦୟା ଅଛି। ଭଗବାନ ସବୁ ଭଲ କରିଦେବେ।” ଆଉ ସହି ପାରୁନଥିଲା ବିନୟ। ସେଦିନ ଏଇ ଯୋଗୀ କୁ ମୁହଁ ଛିଞ୍ଚାଡି କଥା କହିବାର ଦୃଶ୍ୟ ତା ଆଖି ଆଗରେ ନାଚି ଯାଉଥିଲା। ପର୍ସ ରୁ ବାହାର କରି ପାଞ୍ଚଶହ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଲା ସେ। ହାତ ଧରି ପକେଇ ଯୋଗୀ ଜଣଙ୍କ କହିଲା,”ଛି…ଛି… ମୋତେ ଧର୍ମ ସହିବ ବାବୁ? ଆମ ବାବା ପାଇଁ ରକ୍ତ ଟିକେ କଣ ଦେଲି ଯେ ପଇସା ନେବି? ଛୋଟ ପିଲା ପରା ଭଗବାନଙ୍କ ଙ୍କ ଅବତାର। ପଇସା ଆପଣ ରଖନ୍ତୁ।” ଯୋଗୀକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ପକେଇଲା ବିନୟ। କହିଲା, “ଆପଣ ହିଁ ମୋ ପାଇଁ ଭଗବାନ”। ଏତିକିବେଳେ ଅପରେସନ ରୁମ ରୁ ଡାକ୍ତର ବାହାରିଲେ। କହିଲେ,”ପିଲା ଏବେ ଭଲ ଅଛି। ଆଉ କିଛି ଚିନ୍ତା କରିବାର ନାହିଁ। ତାକୁ ଏବେ କିଛି ସମୟ ବିଶ୍ରାମ ଦରକାର। ଆଉ ଦୁଇ ଚାରି ଘଣ୍ଟା ପରେ ତାକୁ ଡିସଚାର୍ଜ କରିଦେବୁ। କିଛିଚିନ୍ତା କରିବାର ନାହିଁ । ତମେ ଯାଇ ଏବେ ତା ସହ କଥା ହୋଇପାରିବ ।”

ବିନୟ ଟିକେ ନିଶ୍ୱାସ ମାରିଲା ଏବେ । ଦଉଡି ଯାଇ କୁନା ର ମୁଣ୍ଡ କୁ ଆଉଁସି ପକେଇଲା ସେ। କାନ୍ଦି କାନ୍ଦି ଥର ଥର କଣ୍ଠ ରେ ଡାକିଲା, ” ବାପା ରେ…. କେମିତି ଲାଗୁଛି ଏବେ? ତୁ ଶୀଘ୍ର ଭଲ ହୋଇ ଯା… ଆମେ ସାଙ୍ଗ ହୋଇ ଖେଳିବା ତୋର ସେ ସୋସାଇଟି ସାଙ୍ଗ ମାନଙ୍କ ସହ…. ହେଲା….???”

ବିନୟ ଆଖିରୁ ଲୁହ ସହ ମନ ଭିତରୁ ମଧ୍ୟ ପଇସା, ଷ୍ଟେଟସ, ଗର୍ବ, ଅହଙ୍କାର… ସବୁ ଏକାକାର ହୋଇ ବୋହି ଯାଉଥିଲେ…..

ଏତେ କଷ୍ଟ ସତ୍ତ୍ୱେ, ସୋସାଇଟି ପିଲାଙ୍କ ସହ ଖେଳିବା ନାଁ ଶୁଣି, କୁନା ମୁହଁ ରେ ହସ ଧାରେ ଉକୁଟି ଆସୁଥିଲା….

–ସମାପ୍ତ–

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I