ପକୁଡି ବିକା କୁ ଯାତେରା ଦେଖା…

ରମ୍ୟ ଅରମ୍ୟ
ପକୁଡି ବିକା କୁ ଯାତେରା ଦେଖା…
ସୁବଳ ମହାପାତ୍ର
ଇଞ୍ଜିନିଅର ହେବାର ପାଞ୍ଚ ବର୍ଷ ପରେ ବି ମକରା କୁ ଚାକିରୀ ଖଣ୍ଡେ ମିଳିଲା ନାହିଁ I ବହୁତ ମନ ଦୁଃଖରେ ଥାଏ ବିଚରା I ପ୍ରାୟ ସବୁ ସାଙ୍ଗ ଚାକିରୀ ପାଇ ଗଲେଣି I କିଛି ହାତଗୁଞ୍ଜା ଦେଇ, ତ କିଛି ବାପା କାକାଙ୍କ ଚି଼ହ୍ନIରେ I କିଛି ପିଲା ତ ପାଇବା ଆଶାରେ ବାପା ପଇସା କୁ ଚଳୁ କରି ଦଲାଲ କୁ ଅନେଇ ବସିଛନ୍ତି I ଆଉ କିଛି ନିଜ ଭାଗ୍ୟ କୁ ନିନ୍ଦଇ I ଭାରି ଗର୍ବ ରେ ସେତେବେଳେ କଲେଜ ଆଣିଥିବା କ୍ୟାମ୍ପସ ରେ ଚାକିରୀ ପାଇ ଛାତି ଫୁଲେଇ ବୁଲୁଥିଲେ I କିଛି ଦିନ ପରେ ବୁଝା ପଡିଗଲା ଯେ ଏମାନେ ପଇସା ଦେଇ ସେଠି କୋର୍ସ କରୁଥିଲେ I ଛଅ ମାସ ପରେ କୋର୍ସ ସରିବାରୁ କମ୍ପାନୀ ବି ବନ୍ଦ I ଆଉ ଚାକିରୀ? କଉ ଥିଲା ଯେ ଯିବ? ସେତେବେଳେ କଲେଜ, ପିଲାଙ୍କଠାରୁ ଟଙ୍କା ପଚିଶ ହଜାର ନେଇ କ୍ୟାମ୍ପସ ରେ ବସିବାକୁ ଦେଲା I ଆଉ ଏମାନେ କ୍ୟାମ୍ପସ ରେ ଚାକିରୀ ପାଇଗଲେ I ପ୍ରକୃତରେ କଲେଜ ଆଉ ସେ କମ୍ପାନୀ ର ଭିତିରିଆ ବୁଝାମଣା “ରାଧେ ରାଧେ, ତୋର ଅଧେ କୁ ମୋର ଅଧେ” ନ୍ୟାୟ ରେ ପଇସା ସବୁ ପାଟିରେ ପକେଇ ଏମାନଙ୍କୁ ଅଫର ଲେଟର ଦେଇଥିଲେ I ଏବେ ସବୁ ଫୁସ… ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀ କୁ ବୋହି ଗଲାଣି I କାହାକୁ କହିବେ?
ଯାହା ହେଉ, ମକରା ବିଚରା ବଞ୍ଚିଯାଇଥିଲା ସେଥିରୁ I ବାପା ତ ଚାଷୀ, ବେଳେ ବେଳେ ଭୋଜି ଭୁଜା ରେ ରୋଷେଇ ବାସ କରେ I ଆଗରୁ ଜେଜେ କରୁଥିଲା I ଜମି ଖଣ୍ଡେ ବିକି ୟାକୁ ପାଠ ପଢ଼େଇଥିଲା I ସେ କଣ ଜାଣିଥିଲା ଯେ ୟା ଭିତରେ ଏତେ ପେଞ୍ଚ ଅଛି? ପଢିବା ପାଇଁ ପଇସା, ଇଣ୍ଟରଭିଉ ଦେବାପାଇଁ ପଇସା, ଚାକିରୀ ପାଇଁ ପଇସା, ଶେଷରେ ଲାଞ୍ଚ ପାଇଁ ପଇସା I  ଯେଡ଼େ ବାଉଁଶ ସେଡେ ପୋଲ I ଖାଲି ପଢ଼େଇ ଦେଲେ ହେବନି, ତା ପଛକୁ ପଛ ସବୁ ଖଞ୍ଜିବାକୁ ପଡିବ I ଖୋଲା ଆଖିରେ ସ୍ବପ୍ନ ଦେଖି ଦେଖି ସେ ବିଚରା ନଖାଇ ନପିଇ ପେଟ ଭୋକ ପିଠିରେ ମାରି କାମ କରି ଚାଲିଲା I ମକରା ବି ଗାଁ ଡେଇଁ ସହର ପହଁଚିଲା ପରେ ଯେମିତି ଡେଣା ଲାଗି ଯାଇଥିଲା ତା ଦିହ ରେ I ବର୍ଷେ ଦୁଇ ବର୍ଷ ଖାଇ ପିଇ ହସି ଖେଳି ବୁଲି ମଉଜ କଲା ପରେ ମୁଣ୍ଡରେ ପଶିଲା ତା’ର, ଇଞ୍ଜିନିଅର ହେଇ ସାରିଲେ କରିବ କ’ଣ? ପଢା ପଢି ସବୁ ଚୁଲି କି ଗଲାଣି, ଖାଲି ଖେଳି ବୁଲି କଣ ସେ ଭଲ ଇଞ୍ଜିନିଅର ହେଇ ପାରିବ? ଭାବି ଭାବି ଭଲରେ ପଢାପଢି କଲା, ଭଲ ନମ୍ବର ରଖି ପାସ ବି କଲା I ହେଲେ ଲାଭ କଣ? ଚାକିରୀ କାଇଁ? ମକରା ଚାକିରୀ କରିବ, ଆଉ ଆମ ଦୁଃଖ ଯିବ ବୋଲି ଅନେଇ ଅନେଇ ମକରା ବା’ଆ ଆଖିରୁ ପାଣି ମଲା I ଦିନେ ସେଇ ଚାକିରୀ ଚାକିରୀ ହେଇ ମକରା ବାପା ର ଜୀବନ ଗଲା I ମକରା, ଯାହା ହେଲେ ବି ଗୋଟେ ଇଞ୍ଜିନିଅର I ଏ ପାଣି, କାଦୁଅ ତାକୁ ପୋଷେଇଲା ନାହିଁ I ମଝିରେ ଭାବିଲା ବାଙ୍ଗାଲୋର କି ହାଇଦ୍ରାବାଦ ଚାଲିଯିବ I କିନ୍ତୁ ଏତେ ପଇସା କାଇଁ? ଯାହା ଜମିବାଡ଼ି ଅଛି ତାକୁ ତ ବିକି ଭାଙ୍ଗି ଚାଲିଛି I ଏଣେ ମା ବି ଅଛି, ତାକୁ ଛାଡି ଯିବ କୁଆଡେ ? କାନମୁଣ୍ଡା ଆଉଁସି ରହିଲା ଗାଁ ରେ I ଆସ୍ତେ ଆସ୍ତେ ପାଠସାଠ ବି ସବୁ ଚୁଲି କି ଗଲା I ପାଞ୍ଚବର୍ଷ ପରେ ଆଉ କଣ ପାଠ ମନେ ଅଛି ଯେ ସେ ଯିବ ଇଣ୍ଟରଭିଉ ଦେବାକୁ? ଏବେ ଚାକିରୀ ଖୋଜିବା ବି ଛାଡିଲା I ଗାଁ ଛକ ରେ ତାସ ମାଡ ରେ ଦିନ ଯାଏ I ଘରେ ତ ମା ଅଛି, ରାନ୍ଧିବାଢି ଗଣ୍ଡେ ରଖିଥାଏ I ପୁଅ ଖାଇ ପିଇ ବୁଲୁ ଥାଏ I
ସେଦିନ କ୍ଲବ ଘରେ ଟିଭି ଟା ଚାଲିଥାଏ I ତାସ ଖେଳ ବି ଜମିଥାଏ I ଦେଶର ଜଣେ ଟାଣୁଆ ନେତା କିଛି କହୁଥାନ୍ତି I “ବେକାରୀ” ଶବ୍ଦ ଟି ଶୁଣି ସେ ମୁଣ୍ଡ ଟୁଙ୍ଗାରି ଅନେଇଲା I ନେତା ଜଣଙ୍କ ଅନର୍ଗଳ ଭାଷଣ ଦେଇ ଚାଲିଥାନ୍ତି I ତାସ ଖେଳ ର ଘୋ ଘା ଭିତରେ ଯାହା ଶୁଣିଲା, ” ପକୁଡି ଛାଣି ମଧ୍ୟ ରୋଜଗାର କରି ହେବ ” I ହଠାତ ସେ ଡେଇଁ ପଡିଲା ଖେଳ ମଝିରୁ I ମୁଣ୍ଡରେ କଣ କଣ ସବୁ ଚାଲୁଥାଏ, ବୁଲୁଥାଏ, ଡେଇଁ ଉଛୁଳି ପଡୁଥାଏ I ଆଉ ଅପେକ୍ଷା ନ କରି ସେ ଘରକୁ ଆସି ଆଟୁ ଉପରେ ଚଢି କାଢି ଆଣିଲା ଜେଜେ ଅମଳ ର ପୁରୁଣା କାଳିଆ କଡେଇ ଟା I ଗାଁ ରେ ଯନ୍ତାଳ ହେଲେ, ତାଙ୍କ ଘରୁ ହିଁ କଡେଇ ଯାଏ I ପରଦିନ ସକାଳୁ ସେଇ କଡେଇ କୁ ହାତରେ ଧୋଇ ଧାଇ, ଚେଲା ଚାମୁଣ୍ଡା ଦୁଇ ଜଣଙ୍କୁ ଧରି ସେ ଚାଲିଲା ପାଖ ଟାଉନୁ କୁ I ଟାଉନୁ ରେ ପହଞ୍ଚି ଜାଗା ଖୋଜି ଇଟା ଛଅ ଖଣ୍ଡ ପକେଇ ଦେଇ ଆରମ୍ଭ କଲା ପକୁଡି ଛଣା I ଟାଉନୁ ରେ କିଛି ବିରୋଧୀ ଦଳ ର କୁଜି ନେତା ୟାକୁ ଜାଣି ଥିଲେ I ବେକାର ଇଞ୍ଜିନିଅର ଭାବେ ୟା ର ଖୁବ ନାଁ ଡାକ, ସେ ଅଞ୍ଚଳ ରେ I କୁଜି ନେତା ଆସି ୟାକୁ ଦେଖି ଭାବିନେଲେ ଯେ ୟେ ଚାକିରୀ ନ ମିଳିବାରୁ ଅଭିନବ ଉପାୟ ରେ ପକୁଡି ବିକି ପ୍ରତିବାଦ କରୁଛି I ସଙ୍ଗେ ସଙ୍ଗେ ଟେଣ୍ଟ, ଚୌକି, ମାଇକ ସବୁ ଯୋଗାଡ ହୋଇଗଲା ଆଉ ପୋଲିସ କୁ ଖବର ଦେଇ ଆରମ୍ଭ ହୋଇଗଲା ପ୍ରତିବାଦ ସଭା I ପ୍ରତିବାଦ କରୁଥିବା ଦଳ ର କର୍ମୀ ମାନେ ହିଁ ୟାଠୁ ପକୁଡି କିଣି ଖାଇବାକୁ ଲାଗିଲେ I ଆସ୍ତେ ଆସ୍ତେ ପକୁଡି ବିକ୍ରି ବଢିବାକୁ ଲାଗିଲା I ଅବସ୍ଥା ଏମିତି ହେଲା ଯେ ଆଉ କିଛି ଶିକ୍ଷିତ ବେକାର କର୍ମୀ ବି ବିନା ପଇସା ରେ ୟାକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ I କୁଜି ନେତା ଟେଣ୍ଟ ହାଉସ ରୁ ୟା ପାଇଁ ଆଉ ଦୁଇ ତିନୋଟି କଡେଇ ଆଉ ବାକି ସରଞ୍ଜାମ ବି ଯୋଗାଡ କରିଦେଲେ I ଆସ୍ତେ ଆସ୍ତେ ବେପାର ଜୋର ହେଲା I ସନ୍ଧ୍ୟା ସୁଦ୍ଧା ହାତକୁ ଟଙ୍କା ପାଞ୍ଚ ସାତ ହଜାରେ ଉପରେ ଆସି ସାରିଥିଲା I କଡେଇ, ଟେଣ୍ଟ, ଚୌକି ସବୁ ମାଗଣା …  ବାଃ ବାଃ ବଢିଆ I ପରଦିନ ସକାଳୁ ପୁଣି ଆରମ୍ଭ ହୋଇଗଲା ପକୁଡି ଛଣା I ପୁଣି ଆସିଗଲେ କର୍ମୀ ସବୁ I ଦୁଇ ଦିନରେ ପାଖାପାଖି ପନ୍ଦର ହଜାର ବେପାର I ମକରା ର ଲିଚୁ ଲାଇଟ ରୁ ବାହାରି ଟିଉବୁ ଲାଇଟ ପରି ଝଲସି ଉଠିଲା I ଦି ଦିନରେ ପନ୍ଦର ହଜାରେ ହେଲେ ମାସକୁ କେତେ ? ଏ ଧନ୍ଦା ସେ ଆଗରୁ ନ କରି ଏତେ ଗୁଡ଼େ ପଇସା ନଷ୍ଟ କଲା ବୋଲି ମନଦୁଃଖ ହେଲା ତା’ର I ହଉ, ଏବେ ତ ବୁଦ୍ଧି ମିଳିଗଲା, ଏଥର ଚାଲୁ I ନେତା ଜଣଙ୍କ ଠିକ କହିଥିଲେ I
ଏପଟେ କୁଜି ନେତାଙ୍କ ଉପର ନେତା ଆସି ମକରା କୁ ତାଙ୍କ ଦଳ ରେ ମିଶିବାକୁ ଆହ୍ବାନ ଦେଲେ I ଦୁଇ ଦିନ ଭିତରେ ୟା ର ଏତେ ନାଁ ଦେଖି ତାକୁ ଏଥର ନିଜ ଦଳରୁ ଠିଆ କରେଇବା ପାଇଁ ସେ ଅଣ୍ଟା ଭିଡ଼ିଲେ I ତୁଣ୍ଡ ବାଇଦ ସହସ୍ର କୋଷ ପରି ଦେଖୁ ଦେଖୁ କଥା ଚାରିଆଡେ ରାଷ୍ଟ୍ର ହୋଇଗଲା I ହେଲେ ମକରା ନିଜର ଏକ ସ୍ୱାଧୀନ ଦଳ କରିବ ବୋଲି ଘୋଷଣା କଲା I ଏବେ ମକରା ବାବୁ ହେଲେ ସେ ଅଞ୍ଚଳ ର ସବୁଠୁ ବଡ ବେକାରୀ ବିରୋଧୀ ନେତା I ଦଳ ର ଚିହ୍ନ ହେଲା ପକୁଡି I ପକୁଡି ଦଳ ର ସବୁ କର୍ମୀ ସକାଳେ ଓ ସନ୍ଧ୍ୟା ରେ ପକୁଡି ଛାଣନ୍ତି ଆଉ ରୋଜଗାର ର ଦଶ ପ୍ରତିଶତ, ଦଳ ର ପାଣ୍ଠି କୁ ଯାଏ I ଏଥର ମକରା ବାବୁ ଏମଏଲଏ ଆସନ ରେ ଠିଆ ହେବେ ବୋଲି ଫର୍ମ ପକେଇଛନ୍ତି ବୋଲି ଶୁଣା ଯାଉଛି I ଜିତିବେ ତ ନିଶ୍ଚିତ I ଏବେ ଆଉ ତାଙ୍କ ଅଞ୍ଚଳ ରେ କେହି ଜଣେ ବେକାରୀ ଦେଖିବାକୁ ମିଳୁ ନାହାନ୍ତି I ସନ୍ଧ୍ୟା ରେ ନାଲି ପାଣି ଆଉ ପକୁଡି ଖୁବ ଜମୁଛି I
ସେଦିନ ସନ୍ଧ୍ୟା ରେ ସେ ହାତରେ ରଙ୍ଗୀନ ପାଣି ରୁ ଗ୍ଲାସେ ଧରି ତିନିମହଲା ଘର ର ବାଲକୋନୀ ରେ ବସି ତଳେ ବିସ୍ତିର୍ଣ ବଗିଚା ରେ ଫୁଟି ଥିବା ଫୁଲ ଗୁଡିକ ଦେଖୁଥିବା ବେଳେ ପୁରୁଣା କଥା ତାଙ୍କର ମନେ ପଡି ଯାଉଥିଲା …
 ସେଦିନ ସେ ଯଦି ପକୁଡି ଛାଣିବାକୁ ଆସି ନଥାନ୍ତେ ତେବେ କଣ ହୋଇଥାନ୍ତା ? ଆଉ କଣ ପାଠ ମନେଥିଲା ଯେ ଚାକିରୀ କରିଥାନ୍ତେ? ସେ ତ ସେଦିନ ନେତା ଜଣଙ୍କଠୁ ବୁଦ୍ଧି ପାଇ ପକୁଡି ଛାଣି ଦି ପଇସା ରୋଜଗାର କରିବାକୁ ଟାଉନୁ କୁ ଆସିଥିଲେ I ଜମି ବିକ୍ରି ପଇସା, ବ୍ୟାଙ୍କ ରୁ ସରି ଆସୁଥିଲା I ଛକ ରେ ତାସ ଖେଳି ଖେଳି ବିରକ୍ତ ଲାଗି ଯାଇଥିଲା I ଘର ଚଲେଇବା ଆଉ ଦି ମୁଠା ଖାଇବା ଯୋଗାଡ କରିବା ପାଇଁ ନିଜ ପାଠପଢା ର ଅହଙ୍କାର ଛାଡି ବାପା ଜେଜେ କରୁଥିବା ବୃତି କୁ ଆପଣେଇ ନେଇ ପକୁଡି ଦୋକାନ ଟିଏ କରିବା ପାଇଁ ଆସିଥିଲେ I ହେଲେ ଏହାକୁ କୁହନ୍ତି ଭାଗ୍ୟ I ଯେତେବେଳେ ସାଥ ଦିଏ, ଛପର ଫାଡ଼ି କି ଦିଏ I
ଯାତେରା ଦେଖା ଆଉ କଦଳୀ ବିକା , ନା ନା  ପକୁଡି ବିକା ଆଉ ଯାତେରା ଦେଖା ଏକାବେଳେ ହୋଇଯାଇଥିଲା ତାଙ୍କର I
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦

Author:

ପିତା : ଶେଖର ଚନ୍ଦ୍ର ମହାପାତ୍ର ,ମାତା : ମଞ୍ଜୁଶ୍ରୀ ମହାପାତ୍ର I ଜନ୍ମ ସ୍ଥାନ : ଖଲାରୀ,ଅନୁଗୁଳ,ଓଡିଶା-୭୫୯୧୨୨ । ବୃତ୍ତି : ସଫ୍ଟୱାର ଇଞ୍ଜିନିଅର, ଏକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ବିଜନେସ ଟେକ୍ନିକାଲ ମ୍ୟାନେଜର ରୂପେ ଗାନ୍ଧିନଗର, ଗୁଜରାଟ ରେ କାର୍ଯ୍ୟ ରତ I ଲେଖାଲେଖି ଆରମ୍ଭ ୨୦୧୪ ରୁ I ଗଳ୍ପ ପଢୁ ପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ I କିନ୍ତୁ ଗଳ୍ପ ଟି କାହିଁକି କେଜାଣି ମନ କୁ ପାଏନି I ତା ପରେ ଆଉ ଦୁଇଟି ଗଳ୍ପ ପତ୍ରିକା ରେ ଆସିବା ପରେ ଚାଲେ ପଢା I ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା I ଆଉ ଆସ୍ତେ ଆସ୍ତେ ନିଜ ଭୁଲ କୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ବାନ, ଆମେଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରି ମିରର ପରି ପତ୍ରିକା ରେ I କୋଡିଏ ଟି ଗଳ୍ପ କୁ ନେଇ ଏକ ଗଳ୍ପ ସଂକଳନ "ସପ୍ତଫେଣି " ଷ୍ଟୋରି ମିରର ଆପ୍ପ ରେ ଇ-ବୁକ ଭାବେ ପ୍ରକାଶିତ I ପ୍ରକାଶିତ ଗଳ୍ପ ଭିତରେ ଜୀବନ ସଂଘର୍ଷ, ତୃତୀୟ ଲିଙ୍ଗ, ଅନାବିଳ ପ୍ରେମ, ଛାଡଖାଇ, ସମ୍ପର୍କ, ଟଗର ଫୁଲ ଆଦି ବହୁଳ ମାତ୍ରା ରେ ପାଠକୀୟ ସ୍ୱୀକୃତି ପାଇଛି I ନିତିଦିନିଆ ଘଟଣା ରୁ କାହାଣୀ ଖୋଜି ନାୟକ ମାନଙ୍କୁ ସଜେଇ ଗଳ୍ପ ଲେଖିବାକୁ ଭଲପାଏ I ପ୍ରାୟ ସବୁ ଗଳ୍ପ ଗୁଡିକ ନିଜ ଆଖପାଖ ରେ ଘଟୁଥିବା ଘଟଣା ବଳି, ମୁଁ କେବଳ ଟିକେ ଅଧିକ ନିରିଖେଇ ଦେଖେ I ମୋ ଗଳ୍ପ ଗୁଡିକ ଆପଣ ମାନଙ୍କୁ ମଧ୍ୟ ଆନନ୍ଦ ଦେବ ଏତିକି ଆଶା I ରୁଚି - ମିନି ଗଳ୍ପ, ଗଳ୍ପ ଓ କବିତା ଲେଖିବା ଅଭ୍ୟାସ-ଗଳ୍ପ ବହି ଓ ପତ୍ରପତ୍ରିକା ପଢିବା I